(ଆଦାନୀ ଓ ଟାଟା କମ୍ପାନୀଙ୍କୁ ପାଣି ଯୋଗାଇବାକୁ ଋଷିକୂଲ୍ୟାର ଉପରମୁଣ୍ଡ ପିପଳପଙ୍କାଠାରେ ପ୍ରସ୍ତାବିତ ଡ଼େମ୍ ନିର୍ମାଣ ଓ ନଦୀରୁ ଅବାଧ ବାଲି ଖନନ ବିରୁଦ୍ଧରେ)
ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ଏବେ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଛି । ହଜାରେ କୋଟି ଟଙ୍କାରୁ ଅଧିକ ପ୍ରାରମ୍ଭିକ ଖର୍ଚ୍ଚରେ ଓଡ଼ିଶା ସରକାର ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳ ରୂପେ ପରିଚିତ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କା ଠାରେ ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଋଷିକୂଲ୍ୟାର ଉପରମୁଣ୍ଡରେ ପ୍ରସ୍ତାବିତ ଏହି ଡ୍ୟାମ୍ ଜରିଆରେ ସରକାର ଛତ୍ରପୁର ଓ ଗୋପାଳପୁର ନିକଟରେ ଅବସ୍ଥିତ ଟାଟା ଓ ଆଦାନୀ ପରି ଘରୋଇ କମ୍ପାନୀଙ୍କର ଶିଳ୍ପ କରିଡ଼ର ଓ ବନ୍ଦରକୁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ୍ ଯୋଗେ ଦୈନିକ ୬୦ ନିୟୁତ ଗ୍ୟାଲନ ଜଳ ଯୋଗାଇବେ ବୋଲି ଘୋଷଣା କରିଛନ୍ତି ।
ସ୍ମରଣଯୋଗ୍ୟ ଯେ ପ୍ରାୟ ତିନି ଦଶକତଳେ ତକ୍ରାଳୀନ ଜାନକୀ ପଟ୍ଟନାୟକଙ୍କ ସରକାର ଟାଟାର ପ୍ରସ୍ତାବିତ ଗୋପାଳପୁର ଇସ୍ପାତ ପ୍ରକଳ୍ପକୁ ପାଣି ଯୋଗାଇବା ପାଇଁ ଋଷିକୂଲ୍ୟାର ଉପରମୁଣ୍ଡରେ ଏହି ପ୍ରକଳ୍ପର ପରିକଳ୍ପନା କରିଥିଲେ । ସେତେବେଳେ ଗଞ୍ଜାମର ଚାଷୀ ସଂଗଠନମାନେ ତଥା ବୁଦ୍ଧିଜୀବୀ ଏହାର ଦୃଢ଼ ବିରୋଧ କରିବା ଫଳରେ ସରକାର ଏହି ପ୍ରକଳ୍ପକୁ ବାତିଲ କରିବାକୁ ଏକରକମ ବାଧ୍ୟ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ପୁଣିଥରେ ଘରୋଇ କମ୍ପାନୀଙ୍କ ସ୍ୱାର୍ଥରେ ଜନଗଣଙ୍କ ଟିକସ ଅର୍ଥରେ ଋଷିକୂଲ୍ୟା ନଦୀରେ ନଦୀବନ୍ଧ କରି ତା’ର ପାଣିକୁ ଚାଷୀଙ୍କ ଠାରୁ ଛଡ଼େଇ ଘରୋଇ କମ୍ପାନୀମାନଙ୍କୁ ଦେବାକୁ ଯାଉଛନ୍ତି । ଟାଟା ଓ ଆଦାନୀଙ୍କ ପରି ଘରୋଇ କମ୍ପାନୀର ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଏହି ଜନବିରୋଧୀ, ନଦୀ ବିରୋଧୀ ଓ ପରିବେଶ ବିରୋଧୀ ପଦକ୍ଷେପକୁ ବିରୋଧ କରିବା ଜରୁରୀ ହୋଇପଡ଼ିଛି ।
ପିପଳପଙ୍କାଠାରେ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ବଡ଼ ଡ଼୍ୟାମ୍ ନିର୍ମିତ ହେଲେ ଗଞ୍ଜାମ ଜିଲ୍ଲାର କୃଷି, କୃଷକ, ଗୃହପାଳିତ ପଶୁ ଏବଂ ସର୍ବୋପରି ଗଞ୍ଜାମ-କନ୍ଧମାଳ ସୀମାରେ ଥିବା ଗାଜଲବାଡ଼ିର ମୂଲ୍ୟବାନ ଘଂଚ ଜଙ୍ଗଲ କ୍ଷତିଗ୍ରସ୍ତ ହେବ । ଡ୍ୟାମ୍ ଫଳରେ ସେ ଅଂଚଳର ୨୩ଟି ଗାଁ ସମେତ ହଜାର ହଜାର ଏକରର ଚାଷଜମି ଓ ମୂଲ୍ୟବାନ ଜଙ୍ଗଲ ପାଣିରେ ବୁଡ଼ି ସବୁଦିନ ପାଇଁ ନଷ୍ଟ ହୋଇଯିବ । ଚାଷଜମି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ସେଠାକାର ବାସିନ୍ଦା ବିଶେଷ କରି ଆଦିବାସୀ ଓ ଚାଷୀମାନେ ନିଜର ଜୀବିକା ହରାଇବେ । ସରକାର ନଦୀବନ୍ଧ ଫଳରେ ସିଧାସଳଖ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହେବାକୁ ଥିବା ସେ ଅଂଚଳର ଲୋକଙ୍କ ମତାମତ ନନେଇ ଏକଚାଟିଆ ଭାବେ ପ୍ରକଳ୍ପ ନିର୍ମାଣ ପାଇଁ ଆଗେଇବାକୁ ଉଦ୍ୟମ କରିବା ଅଗଣତାନ୍ତ୍ରିକ ଓ ଜନବିରୋଧି ଅଟେ ।
ଋଷିମାଳ ପର୍ବତରୁ ବାହାରିଥିବା ଋଷିକୂଲ୍ୟା ନଦୀର ମୂଳ ଜଳସ୍ରୋତ ବ୍ୟତୀତ ତା’ର ଉପନଦୀ ରୂପେ ପରିଚିତ ପଦ୍ମା, ଜରଉ, ବଡ଼ନଦୀ, ଡ଼ହ, ଘୋଡ଼ାହାଡ଼, ବାଘୁଆ, ଧନେଇ ଆଦିର ପାଣି ବି ଏଥିରେ ପଡ଼ୁଥିବାରୁ ଏହି ନଦୀରେ ଅତୀତରେ ବର୍ଷର ଅଧିକାଂଶ ସମୟ ପାଣି ରହୁଥିଲା । ଧରାକୋଟ ବ୍ଳକ୍ର ଜାନିବିଲିଠାରେ ଋଷିକୂଲ୍ୟା ନଦୀ ଉପରେ ଥିବା ବ୍ୟାରେଜ୍ରୁ କେନାଲ ଯୋଗେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଜଳସେଚନ ପାଇଁ ପାଣି ଯିବା ସହିତ ନଦୀର ଦୁଇକଡ଼ରେ ବସବାସ କରୁଥିବା ଲୋକେ ନିଜର ଚାଷ, ପଶୁପାଳନ ଓ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ପ୍ରଚୁର ପାଣି ପାଇପାରୁଥିଲେ । କିନ୍ତୁ ଗତ ୫୦ବର୍ଷ ମଧ୍ୟରେ ଉପରୋକ୍ତ ଅଧିକାଂଶ ଉପନଦୀରେ ଡ଼େମ୍ ନିର୍ମିତ ହୋଇ ସେସବୁର ପାଣି ଜଳସେଚନ ପାଇଁ ଅନ୍ୟତ୍ର ଚାଲିଯିବା ଫଳରେ ତଥା ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ଉପର ମୁଣ୍ଡରେ ବର୍ଷା କମିଯିବାରୁ ଋଷିକୂଲ୍ୟାରେ ଜଳ ଆଖିଦୃଶିଆ ଭାବେ କମିଯାଇଛି ।
ପୁନଶ୍ଚ ସରକାର କିଛିବର୍ଷ ତଳେ ବ୍ରହ୍ମପୁର ମହାନଗର ନିଗମ ସମେତ ଜିଲ୍ଲାର କିଛି ଗାଁକୁ ପିଇବା ଏବଂ ଜଳସେଚନ ପାଇଁ ଜାନିବିଲି ବ୍ୟାରେଜ୍ରୁ ପାଇପ୍ ଲାଇନ୍ ଜରିଆରେ ଅତିରିକ୍ତ ପାଣି ନେବା ଫଳରେ ଋଷିକୂଲ୍ୟାର ନଦୀର ତଳମୁଣ୍ଡରେ ପୂର୍ବାପେକ୍ଷା ପାଣି ଢେର କମିଯାଇଛି । ଯାହାରି ଫଳରେ ବର୍ତ୍ତମାନ ଋଷିକୂଲ୍ୟା ନଦୀ କେବଳ ବର୍ଷା ୩-୪ ମାସକୁ ଛାଡ଼ିଦେଲେ ବର୍ଷର ଅଧିକାଂଶ ସମୟ ପ୍ରାୟତଃ ଶୁଖିଲା ରହୁଛି । ଜାନିବିଲି ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ନଦୀଶଯ୍ୟାର ପ୍ରାୟ ନବେ ଭାଗ ଶୁଖିଲା ରହୁଥିବାବେଳେ ପାଣିର ଛୋଟିଆ ଧାରଟିଏ ହିଁ ଦେଖିବାକୁ ମିଳୁଛି । ତେବେ ବିକାଶ ଓ ନଗରାୟନ ନାଁରେ ସରକାର ଋଷିକୂଲ୍ୟା ନଦୀଶଯ୍ୟାରୁ ଯେଉଁ ଅନ୍ଧାଧୁନିଆ ବାଲି ଉତ୍ତୋଳନ ପାଇଁ ଅନୁମତି ଦେଉଛନ୍ତି, ତଦ୍ୱାରା ସରକାରଙ୍କ ନେତା-ଅଫିସର ତଥା ବାଲି ମାଫିଆମାନେ ତ ଲାଭ ପାଉଛନ୍ତି, କିନ୍ତୁ ଋଷିକୂଲ୍ୟା ନଦୀ ଓ ତାରି ଉପରେ ନିର୍ଭରଶୀଳ ନଦୀକଡ଼ର ବାସିନ୍ଦା ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି । କାରଣ ନଦୀର ବାଲିରେ ହିଁ ସ୍ପଞ୍ଜ ପରି ତା’ର ଜଳକୁ ଧରି ରଖିପାରିବାର କ୍ଷମତା ରହିଛି । ତେଣୁ ଅବାଧ ବାଲିଚାଲାଣ ଫଳରେ ନଦୀର ଜଳ ତଳକୁ ଗଡ଼ିଯାଇ ନଦୀକୁ କ୍ରମଶଃ ଶୁଷ୍କ କରିବାରେ ଲାଗିଛି ।
ଗତ କିଛି ଦଶନ୍ଧି ମଧ୍ୟରେ ଋଷିକୂଲ୍ୟା ନଦୀରେ ପାଣି କମିଯିବା ଏବଂ ତା’ରି ଫଳରେ ଚାଷ, ପରିବେଶ ଓ ଲୋକଙ୍କ ଅର୍ଥନୀତି ଉପରେ କି କି ପ୍ରଭାବ ପଢ଼ିଛି, ତାକୁ କେହି ନହେଲେ ବି କମ୍ ସେ କମ୍ ଋଷିକୂଲ୍ୟାର ଦୁଇପାଶ୍ୱର୍ରେ ଥିବା ଲୋକମାନେ ନିଜେ ଅନୁଭବ କରିଛନ୍ତି । ପୂର୍ବରୁ ନଦୀର ପାଣିକୁ ଆଧାର କରି ନଦୀର ଦୁଇ ପାଶ୍ୱର୍ରେ ଲୋକମାନେ କୂଅ, ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଯେଉଁ ପ୍ରଚୁର ଫସଲ ବିଶେଷ କରି ପନିପରିବା ଆଦାୟ କରୁଥିଲେ, ତାହା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ନଦୀର ମାଛ ଉପରେ ନିର୍ଭର କରି ଯେଉଁମାନେ ବଂଚୁଥିଲେ, ସେମାନଙ୍କ ବେଉସା ବୁଡ଼ିଯାଇଛି । ସେହିପରି ନଦୀର ପାଣି କମିଯିବାରୁ ଆଜିକାଲି ସମୁଦ୍ରର ଲୁଣିଆ ପାଣି ମୁହାଣଠାରୁ ଅନେକ ଦୂର ଭିତର ପର୍ଯ୍ୟନ୍ତ ପଶି ନଦୀର ଜଳକୁ ଲୁଣିଆ କରି ଚାଷ ଓ ପାନୀୟ ପାଇଁ ଅନୁପଯୁକ୍ତ କରିବାରେ ଲାଗିଛି । ନଦୀର ପାଣି କମିବାଯୋଗୁଁ ଋଷିକୂଲ୍ୟା ମୁହାଣରେ ମାଛ ସଂଗ୍ରହ ବହୁ ପରିମାଣରେ କମିଯାଇଥିବା ବେଳେ ଅଣ୍ଡାଦେବାକୁ ଆସୁଥିବା ଅଲିଭ୍ ରିଡ଼ଲି କଇଁଛଙ୍କ ଗଣ ଆଗମନ ବି ପ୍ରଭାବିତ ହେବାରେ ଲାଗିଛି ।
ଅତଏବ ଏଭଳି ପରିସ୍ଥିତିରେ ବର୍ତ୍ତମାନ ଶୁଷ୍କପ୍ରାୟ ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ପିପଳପଙ୍କାଠାରେ ସରକାର ଆଉ ଏକ ବଡ଼ ଡ୍ୟାମ୍ କରି ତା’ର ପାଣିକୁ ଯଦି ପାଇପ୍ଲାଇନ୍ ଯୋଗେ ସିଧାସଳଖ କମ୍ପାନୀଙ୍କୁ ଦେବେ, ତାହେଲେ ଜାନିବିଲି ବ୍ୟାରେଜ୍ ସହ ସମଗ୍ର ଋଷିକୂଲ୍ୟା ନଦୀକୁ ତାହା ଗୁରୁତର ଭାବେ ପ୍ରଭାବିତ କରିବ । ନଦୀର ତଳମୁଣ୍ଡକୁ ଆଉ ପାଣି ନ ଆସିବା ଫଳରେ ତାହା ସମ୍ପୂର୍ଣ୍ଣ ଭାବେ ଶୁଖିଯିବ । ଏହାଦ୍ୱାରା ପିପଳପଙ୍କା ଠାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ନଦୀର ଉଭୟ ପାର୍ଶ୍ୱରେ ଅବସ୍ଥିତ ଶତାଧିକ ଗାଁର ଲୋକଙ୍କୁ ନିଜର ପିଇବା ପାଣି, ଚାଷବାସ ଓ ଗୃହପାଳିତ ପଶୁମାନଙ୍କ ବ୍ୟବହାର ପାଇଁ ଏବେ ଯାହା ବି ପାଣି ମିଳୁଛି, ସେଥିରୁ ସେମାନେ ସମ୍ପୂର୍ଣ୍ଣ ରୂପେ ବଂଚିତ ହେବେ । ନଦୀଶଯ୍ୟା ଶୁଷ୍କ ହୋଇଗଲେ ନଦୀ ଦୁଇ ପାଶ୍ୱର୍ରେ ଥିବା ଗାଁମାନଙ୍କରେ ଥିବା କୂଅ, ବୋରୱେଲ ତଥା ଉଠା ଜଳସେଚନ ଯୋଜନାଗୁଡ଼ିକ କ୍ଷତିଗ୍ରସ୍ତ ହେବ । ଏପରିକି ନଦୀ ଉପରେ ନିର୍ଭର କରୁଥିବା ଆସିକା, ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର ଓ ଗଞ୍ଜାମ ସହରକୁ ପାଣିୟ ଯୋଗାଣ ବି ବାଧାପ୍ରାପ୍ତ ହେବ । ମୁହାଣ ଦେଇ ସମୁଦ୍ରର ଲୁଣିପାଣି ନଦୀ ଭିତରକୁ ଆସିବ ।
ସରକାରଙ୍କ ଜଳନୀତି ଅନୁଯାୟୀ ନଦୀର ଜଳ ସର୍ବପ୍ରଥମେ ପିଇବା ପାଇଁ, ତା’ପରେ ଜଳସେଚନ ପାଇଁ ଏବଂ ସର୍ବାଶେଷରେ କଳକାରଖାନାର ଆବଶ୍ୟକତା ପୂରଣ ପାଇଁ ବ୍ୟବହୃତ ହେବା କଥା । କିନ୍ତୁ ପିପଳପଙ୍କାରେ ଡ଼େମ୍ ନିର୍ମାଣ କରି ସରକାର ନିଜେ କରିଥିବା ନୀତିକୁ ହିଁ ଉଲଂଘନ କରୁଛନ୍ତି । ଘରୋଇ କମ୍ପାନୀଙ୍କୁ ମୁନାଫା ପାଇଁ ଋଷିକୂଲ୍ୟା ନଦୀକୁ ମାରି ଦେଇ ଜିଲ୍ଲାର ଲକ୍ଷ ଲକ୍ଷ ଲୋକଙ୍କ ପିଇବା ପାଣି, କୃଷି ଓ ଜୀବନ ଜୀବିକାକୁ ବଳି ପକାଇବାକୁ ଯାଉଛନ୍ତି । ସରକାର ଗୋପାଳପୁର ଓ ଛତ୍ରପୁର ନିକଟରେ ରହିଥିବା ବନ୍ଦର ଓ ଶିଳ୍ପ କରିଡ଼ରର ଯେଉଁ କଳକାରଖାନାମାନଙ୍କୁ ପାଣି ଦେବାକୁ ଡ଼୍ୟାମ୍ ନିର୍ମାଣ କରୁଛନ୍ତି, ସେସବୁ ସମୁଦ୍ରଠାରୁ ବହୁତ ନିକଟରେ ରହିଛି । ସେମାନଙ୍କ ଜଳ ଆବଶ୍ୟକତା ପୂରଣ ପାଇଁ ସରକାର ନିକଟସ୍ଥ ସମୁଦ୍ର ଜଳକୁ ସଂଗ୍ରହ କରି ତାକୁ ମଧୁର ଜଳରେ ପରିବର୍ତ୍ତନ କରି ବ୍ୟବହାର କରିବାକୁ ସମ୍ପୃକ୍ତ କମ୍ପାନୀମାନଙ୍କୁ କହିପାରିଥାନ୍ତେ । କିନ୍ତୁ ତା’ର ବିପରୀତ, ସରକାର ଲୋକଙ୍କ ଅର୍ଥରେ ଡ଼େମ୍ ନିର୍ମାଣ କରି ସେମାନଙ୍କୁ ଜିଲ୍ଲାର ସାଧାରଣ ଜନତାଙ୍କ ପିଇବା ପାଣି ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ ପାଣିକୁ ମଧ୍ୟ ଦେଇଦେବାକୁ ଯେଉଁ ଉଦ୍ୟମ କରୁଛନ୍ତି, ତାହା ନିନ୍ଦନୀୟ ଅଟେ ।
ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାର ଜୀବନରେଖା ଭାବେ ପରିଚିତ ଋଷିକୂଲ୍ୟା ନଦୀ ସମେତ ତା’ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଓ ଚାଷର ଭବିଷ୍ୟତ ପାଇଁ ସରକାରଙ୍କ ଉପରୋକ୍ତ ଜନବିରୋଧୀ ତଥା ପରିବେଶବିରୋଧୀ କାର୍ଯ୍ୟକୁ ପ୍ରତିରୋଧ କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି । ନଦୀବନ୍ଧ ଫଳରେ ସିଧାସଳଖ ଭାବେ ବିସ୍ଥାପିତ ଓ ପ୍ରଭାବିତ ହେବାକୁ ଯାଉଥିବା ସୋରଡ଼ା ବ୍ଳକ୍ର ଚାଷୀ ଓ ଗ୍ରାମବାସୀମାନେ “ଋଷିକୂଲ୍ୟା ନଦୀ ଓ ଭିଟାମାଟି ସୁରକ୍ଷା ମଂଚ’ ନିର୍ମାଣ କରି ଆରମ୍ଭରୁ ସରକାରଙ୍କ ପାଖରେ ଲଗାତାର ଭାବେ ପ୍ରତିବାଦ କରି ଅସୁଛନ୍ତି । ଜିଲ୍ଲାର ବିଭିନ୍ନ ସଚେତନ ନାଗରିକ କର୍ମୀ, ବୁଦ୍ଧିଜୀବୀ, ଚାଷୀନେତା ଏବଂ ପରିବେଶ ତଥା ନଦୀକୁ ଭଲ ପାଉଥିବା ଲୋକମାନେ ମଧ୍ୟ ଇତିମଧ୍ୟରେ ଏକାଠି ହୋଇ “ଋଷିକୂଲ୍ୟା ବଂଚାଅ କ୍ରିୟାନୁଷ୍ଠାନ କମିଟି” ନାଁରେ ନିଜର ବିରୋଧକୁ ପ୍ରଦର୍ଶନ କରିଛନ୍ତି । ଗତ ଡିସେମ୍ବର ମାସରେ ଗାଜଲବାଡ଼ି ଠାରେ ଅନୁଷ୍ଠିତ ଜନଶୁଣାଣୀରେ ସ୍ଥାନୀୟ ଲୋକେ ଡ଼େମ୍ ନିର୍ମାଣକୁ ଜୋରଦାର ବିରୋଧ କରିଛନ୍ତି । କମିଟି ପକ୍ଷରୁ ଅତୀତରେ ଜିଲ୍ଲା ପ୍ରଶାସନ ଓ ମୁଖ୍ୟମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ସ୍ମାରକପତ୍ର ଦେଇ ତାକୁ ବନ୍ଦ କରିବାକୁ ବି ଦାବି କରାଯାଇଥିଲେ ମଧ୍ୟ ସରକାର ନା କୌଣସି ଆଲୋଚନା ପାଇଁ ଡାକିଛନ୍ତି ନା ପ୍ରକଳ୍ପକୁ ବନ୍ଦ କରିଛନ୍ତି । ବରଂ ଅତ୍ୟନ୍ତ ଏକପାଖିଆ ଭାବେ ଡ଼େମ୍ ନିର୍ମାଣ ପାଇଁ ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ଏହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ପିପଳପଙ୍କା ଡ଼େମ୍ ଓ ଅବାଧ ବାଲି ଚାଲାଣକୁ ବନ୍ଦ କରି ଋଷିକୂଲ୍ୟା ନଦୀକୁ ବଂଚାଇବା ଦାବୀରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରସ୍ତାବିତ ଡ଼େମ୍ ନିର୍ମାଣ ସ୍ଥଳ ପିପଳପଙ୍କା (ସୋରଡ଼ା ବ୍ଳକ୍)ଠାରୁ ସମୁଦ୍ର ମୁହାଣରେ ଥିବା ପୁରୁଣାବନ୍ଧ (ଗଞ୍ଜାମ ବ୍ଳକ୍) ପର୍ଯ୍ୟନ୍ତ ଦୀର୍ଘ ପ୍ରାୟ ୧୨୦କି.ମି ଦୂର ପଦଯାତ୍ରାର ଆୟୋଜନ କରାଯାଇଥିଲା । ନଦୀର ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହି ଐତିହାସିକ ପଦଯାତ୍ରାରେ ବହୁସଂଖ୍ୟାରେ ଶତାଧିକ ଗ୍ରାମବାସୀଙ୍କ ଯୋଗଦାନ ଏକ ବିରାଟ ସଫଳତା ସହ ସମ୍ଭାବନାମୟ ପରିସ୍ଥିତିର ଆକଳନ କରିବାକୁ ଖୋରାକ ଯୋଗାଇଛି ।

ପ୍ରସ୍ତାବିତ ଡ଼୍ୟାମ୍ ଓ ଅବାଧ ବାଲି ଖନନ ବିରୁଦ୍ଧରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଦଶ ଦିନିଆ ପଦଯାତ୍ରା ଋଷିକୂଲ୍ୟା ମୁହାଣରେ ଉଦଯାପିତ!
ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଋଷିକୂଲ୍ୟା ବଂଚାଅ କ୍ରିୟାନୁଷ୍ଠାନ କମିଟି ତରଫରୁ ଗତ ମାର୍ଚ୍ଚ ୧୬ତାରିଖରୁ ପିପଳପଙ୍କାଠାରୁ ଆରମ୍ଭ ହୋଇଥିବା ଦଶଦିନିଆ ପଦଯାତ୍ରା ମାର୍ଚ୍ଚ ୨୫ତାରିଖ ଦିନ ଋଷିକୂଲ୍ୟା ନଦୀର ମୁହାଣ ରୂପେ ପରିଚିତ ପୁରୁଣାବନ୍ଧଠାରେ ଉଦ୍ୟାପିତ ହୋଇଛି । ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ବାତିଲ କରିବା ତଥା ନଦୀଶଯ୍ୟାରୁ ଅବାଧ ବାଲି ଖନନକୁ ବନ୍ଦ କରିବା ଦାବିରେ ଏହି ପଦଯାତ୍ରା ଆୟୋଜିତ ହୋଇଥିଲା ।
“ଋଷିକୂଲ୍ୟା ବଂଚାଅ କ୍ରିୟାନୁଷ୍ଠାନ କମିଟି” ତରଫରୁ ଆୟୋଜିତ ଏହି ଦଶଦିନିଆ ପଦଯାତ୍ରାରେ ନଦୀର ଉଭୟ ପାର୍ଶ୍ୱରେ ଥିବା ସୋରଡ଼ା, ଧରାକୋଟ, ଆସିକା, ଶେରଗଡ଼, ହିଞ୍ଜିଳି, ପୁରୁଷୋତ୍ତମପୁର, ଛତ୍ରପୁର ଓ ଗଞ୍ଜାମ ବ୍ଳକର ଶତାଧିକ ଗ୍ରାମ ପରିକ୍ରମା କରିବା ସହ ପଥପ୍ରାନ୍ତ ସଭା ଜରିଆରେ ଋଷିକୂଲ୍ୟା ନଦୀପ୍ରତି ସୃଷ୍ଟି ହୋଇଥିବା ବିପଦ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ସବୁଠାରେ ସାଧାରଣ ଲୋକେ ନଦୀର ଭୟଙ୍କର ସ୍ଥିତି ନେଇ ନିଜ ନିଜର ଉଦବେଗ ପ୍ରକାଶ କରିଥିଲେ ।
୨୫ତାରିଖ ଦିନ ପୁରୁଣାବନ୍ଧଠାରେ ଅନୁଷ୍ଠିତ ଉଦଯାପନ ସଭାର ସଂଯୋଜନା ଅବସରପ୍ରାପ୍ତ ଶିକ୍ଷକ ବିଜୟ ବିଶ୍ୱାଳ କରିଥିଲେ । ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରା, କୃଷକନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶିକ୍ଷାବିତ୍ ବାନାମ୍ୱର ପଲେଇ, ପୂବର୍ତନ ବ୍ଳକ୍ ଅଧ୍ୟକ୍ଷ ସୁରଥ ପାହାନ, ପୂର୍ବତନ ବିଧାୟକ ଏନ୍. ନାରାୟଣ ରେଡ୍ଡୀ, ଶ୍ୟାମସୁନ୍ଦର ଖାଡଙ୍ଗା, ଲେଖିକା ଡଃ ବିଧୂପ୍ରଭା ରଥ, ଲୋହିଆ ଏକାଡେମୀର ସମ୍ପାଦକ ଦେବପ୍ରସାଦ ରାୟ ମହାପାତ୍ର, ଆଡଭୋକେଟ୍ ଦୁର୍ଯେ୍ୟାଧନ ରେଡ୍ଡୀ, ଭିଟାମାଟି ବଂଚାଅ ଆନ୍ଦୋଳନର ଆବାହକ ଅରୁଣ ଜେନା, ଏନଏପିଏମର ନେତା ନରେନ୍ଦ୍ର ମହାନ୍ତି, ଦୟାନଦୀ ସୁରକ୍ଷା ଆନ୍ଦୋଳନ ନେତା ସଚୀକାନ୍ତ ପ୍ରଧାନ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ସାମାଜିକ କର୍ମୀ ଆଦିତ୍ୟ ରଥ , ଆପ୍ ଜିଲ୍ଳା ସଭାପତି ନେତା ସୁବାସ ରାଉତ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖି ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ଓ ଅବାଧ ବାଲି ଖନନକୁ ବିରୋଧ କରିବା ସହ ଋଷିକୂଲ୍ୟାର ସୁରକ୍ଷାପାଇଁ ଆରମ୍ଭ ହୋଇଥିବା ସଂଗ୍ରାମକୁ ଜୋରଦାର କରିବାକୁ ଆହ୍ୱାନ ଦେଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ, କେ.ନନେ୍ଦଶୁ ସେନାପତି, ଏଆଇକେଏମଏସ୍ ସଂପାଦକ ପ୍ରତାପ ନାୟକ, ମତ୍ସ୍ୟଜୀବୀ ନେତା ମାଗତା ବେହେରା, ଚାଷୀନେତା କିଶନ ପଟ୍ଟନାୟକ, ଯୁବନେତା ଲକ୍ଷ୍ମୀନୃସିଂହ ରଥ, ବିଜୟ ସ୍ୱାଇଁ, ସଞ୍ଜୀବ ରେଡ୍ଡୀଙ୍କ ସମେତ ଜିଲ୍ଲାର ବିଭିନ୍ନ ଅଂଚଳରୁ ଆସିଥିବା ଅନେକ ଚାଷୀନେତା, ବୁଦ୍ଧିଜୀବୀ, ପରିବେଶବିତ୍ ଓ ସାମାଜିକ କର୍ମୀ ସାମିଲ ହୋଇଥିଲେ । ଏହି ଅବସରରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପଦଯାତ୍ରାରେ ସାମିଲ ହୋଇଥିବା ସମସ୍ତ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପିପଳପଙ୍କା ଡ୍ୟାମ ଦ୍ୱାରା ବୁଡ଼ିଯାଉଥିବା ୨୩ଟି ଗାଁର ୧୦ ଜଣ ଯୁବକ ପ୍ରତାପ ନାୟକ ଓ କାହ୍ନୁ ଚରଣ ନାୟକଙ୍କ ନେତୃତ୍ୱରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପଦଯାତ୍ରାରେ ସାମିଲ ହୋଇଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀ ଏବେ ସରକାର ଓ କଂପାନୀଙ୍କ ଭୟଙ୍କର ଷଡ଼ଯନ୍ତ୍ରର ଶିକାର ହେବାକୁ ଯାଉଛି । ହଜାରେ କୋଟି ଟଙ୍କାରୁ ଅଧିକ ପ୍ରାରମ୍ଭିକ ଖର୍ଚ୍ଚରେ ଓଡ଼ିଶା ସରକାର ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରୂପେ ପରିଚିତ ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କାଠାରେ ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଋଷିକୂଲ୍ୟାର ଉପର ମୁଣ୍ଡରେ ପ୍ରସ୍ତାବିତ ଏହି ଡ୍ୟାମ୍ ଜରିଆରେ ସରକାର ଛତ୍ରପୁର ଓ ଗୋପାଳପୁର ନିକଟରେ ଅବସ୍ଥିତ ଟାଟା ଓ ଆଦାନୀ ପରି ଘରୋଇ କଂପାନୀଙ୍କର ଶିଳ୍ପ କରିଡ଼ର ଓ ବନ୍ଦରକୁ ଦୀର୍ଘ ୧୦୦ କି.ମି ଲମ୍ବା ପାଇପଲାଇନ୍ ଯୋଗେ ଦୈନିକ ୬୦ ନିୟୁତ ଗ୍ୟାଲନ ଜଳ ଯୋଗାଇବେ ବୋଲି ଘୋଷଣା କରିଛନ୍ତି । ଏହି ଡ଼େମ୍ ନିର୍ମାଣ ହୋଇ ଉପରମୁଣ୍ଡରୁ କଂପାନୀମାନଙ୍କୁ ପାଣି ଚାଲିଗଲେ ବର୍ତ୍ତମାନ ଶୁଷ୍କ ପ୍ରାୟ ଋଷିକୂଲ୍ୟା ନଦୀରେ ପାଣି ଆହୁରି କମିଯାଇ ଏହାକୁ ଏକ ମୃତ ନଦୀରେ ପରିଣତ କରିଦେବ । ଏହାବ୍ୟତୀତ ନଦୀ ଉପରେ ନିର୍ଭର କରୁଥିବା ଜିଲ୍ଲାର ଜଳସେଚନ ବ୍ୟବସ୍ଥା, ବ୍ରହ୍ମପୁର, ଆସିକା, ଛତ୍ରପୁର, ଗୋପାଳପୁର, ଗଞ୍ଜାମ ଆଦି ସହରର ପାନୀୟ ଜଳ ବ୍ୟବସ୍ଥା ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବ । ନଦୀ ଉପରେ ନିର୍ଭରଶୀଳ ନଦୀର ଉଭୟକୂଳରେ ଥିବା ଶତାଧିକ ଗ୍ରାମର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଓ ଚାଷ କ୍ଷତିଗ୍ରସ୍ତ ହେବ । ପିପଳପଙ୍କାରେ ଡ଼େମ୍ ନିର୍ମାଣ ଫଳରେ ଗଞ୍ଜାମ-କନ୍ଧମାଳ ସୀମାରେ ରହିଥିବା ଦୁଇହଜାର ହେକ୍ଟରରୁ ଅଧିକ ଘଂଚ ଜଙ୍ଗଲ ନଷ୍ଟ ହୋଇଯିବ । ଏହାସହିତ ସେହି ଅଂଚଳର ୨୩ ଖଣ୍ଡ ଗ୍ରାମର ଚାଷୀ ଓ ଆଦିବାସୀମାନେ ସବୁବେଳ ପାଇଁ ନିଜର ଭିଟାମାଟି ଓ ଜୀବନ ଜୀବିକା ହରାଇବେ । ସରକାର ଟାଟା, ଆଦାନୀ ପରି ଘରୋଇ କଂପାନୀଙ୍କ ପାଣି ଆବଶ୍ୟକତାକୁ ପୂରଣ କରିବାପାଇଁ ସରକାରୀ ଖର୍ଚ୍ଚରେ କରିବାକୁ ଯାଉଥିବା ଏହି ସର୍ବନାଶୀ ପ୍ରକଳ୍ପ ବିରୁଦ୍ଧରେ ସ୍ଥାନୀୟ ଲୋକେ ଓ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ଆରମ୍ଭରୁ ହିଁ ନିଜର ମତପ୍ରକାଶ କରି ଆସିଛି ।
Comments
0 comments






