ଓଡ଼ିଆ ଭାଷାର ପ୍ରାଚୀନତା ଉପରେ ଏବେ ଆଉ କୌଣସି ଦ୍ୱନ୍ଦ୍ୱ ନାହିଁ । କାରଣ ଭାରତର ଅନ୍ୟାନ୍ୟ ଭାଷାମାନଙ୍କ ଭିତରେ ୧୧ଟି ଭାଷା ଅଦ୍ୟାବଧି ପ୍ରାଚୀନତା ଆଧାରରେ ଶାସ୍ତ୍ରୀୟତା ମାନ୍ୟତା ପାଇଛି । ସେଥିରେ ଓଡ଼ିଆ ଭାଷାର ସ୍ଥାନ ଷଷ୍ଠରେ ଥିଲା । ଓଡ଼ିଆଭାଷା ସାହିତ୍ୟ କେବଳ ପ୍ରାଚୀନ ନୁହେଁ, ଏକ ବିଭବଶାଳୀ ଗୌରବମୟ ଐତିହ୍ୟ ବହନ କରିଥାଏ । ଏକଥା ମଧ୍ୟ ସତ୍ୟ ଯେ ଓଡ଼ିଆ ଭାଷାର ପ୍ରଥମ ପ୍ରଚଳନ ବା ସାହିତ୍ୟର ବିକାଶ ସମୟରେ ଏଥିରେ ବ୍ୟାକରଣଗତ ବ୍ୟବସ୍ଥା ଖଞ୍ଜା ଯାଇନଥିବା ଦେଖାଯାଏ । ଅନେକ ଶବ୍ଦର ସମାରୋହ ଯାହାକି ବୁଝିବା ଏବଂ ବୁଝେଇବା ଏବେ ବି କଷ୍ଟକର । ତାହାସବୁ କାବ୍ୟ, କବିତା, ଉପନ୍ୟାସ ଆଦିରେ ଦେଖିବାକୁ ମିଳିଥାଏ । ଲୋକଭାଷା ବା କଥିତ ଭାଷା ଭିତରେ ଏତେସବୁ ଦେଶୀୟ ଭାଷାର ମିଳନ ଘଟିଛି ଯେ ସେସବୁକୁ ଖୋଜି ବାହାର କରି ଆମେ ପୁନଃ ବ୍ୟବହାର କରିବା ସାହିତ୍ୟିକଙ୍କ ସାମର୍ଥ୍ୟର ବାହାରେ । ସାହିତ୍ୟ ଜଗତରେ ଯେଉଁ ବ୍ୟକ୍ତି ଯେତେ ଅଧିକ ଶବ୍ଦ ବ୍ୟବହାର କରିଥାନ୍ତି ତାଙ୍କର ଲେଖା ସେହି ପରିମାଣରେ ସମୃଦ୍ଧ ବୋଲି ବିଚାର କରାଯାଏ । କିନ୍ତୁ ଓଡ଼ିଆ ଭାଷାର ବିଭବ କେବଳ ଯେ ତା’ର ସାହିତ୍ୟିକ କୃତି ଉପରେ ନିର୍ଭରଶୀଳତା ତାହା ନୁହେଁ, ଅଧିକନ୍ତୁ ବ୍ୟବହୃତ ଶବ୍ଦଗୁଡ଼ିକ ମଧ୍ୟ ଓଡ଼ିଆ ଭାଷା ସାହିତ୍ୟର ବିଭବ ପାଇଁ ବିଚାର କରାଯାଇଥାଏ । ଓଡ଼ିଆ ଭାଷାରେ ବର୍ଣ୍ଣିତ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଯାହାକି ମୟୂରଭଞ୍ଜ ରାଜା ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ପ୍ରଣୀତ ହୋଇଛି ତାହା ହେଉଛି ଆମ ଭାଷା ପାଇଁ ସବୁଠାରୁ ବଡ଼ ବିଭବ ବୋଲି ଧରିବାକୁ ହେବ । ଏହି ବିଭବକୁ ସାଇତି ରଖିବା ଓ ପରବର୍ତ୍ତୀ କାଳରେ ଅଧିକ ସମୃଦ୍ଧ କରିବା ସମସ୍ତ ଓଡ଼ିଆ ଭାଷାପ୍ରେମୀଙ୍କ ଦାୟିତ୍ୱ ।
ଏହି କିଛିଦିନ ତଳେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିରର ଏକ ସଭାଗୃହରେ ଅନେକ ଭାଷାପ୍ରେମୀଙ୍କୁ ନେଇ ଗୋଟିଏ ସଭା ଅନୁଷ୍ଠିତ ହୋଇଯାଇଛି । ଏ ସଭାଟିର ଆୟୋଜକ ଥିଲେ ‘ସୃଜନିକା’ର କାର୍ଯ୍ୟକର୍ତ୍ତାମାନେ । ସଭାରେ ବକ୍ତା ଭାବରେ ଭାଷାବିତ୍ ପଦ୍ମଶ୍ରୀ ଡ. ଦେବୀପ୍ରସନ୍ନ ପଟ୍ଟନାୟକ ଓ ଆଲୋଚକ ଭାବେ ପ୍ରଫେସର ସଂଘମିତ୍ରା ମିଶ୍ରଙ୍କ ସମେତ ଅନେକ ବିଦ୍ୱାନ ବ୍ୟକ୍ତି ଯୋଗ ଦେଇଥିଲେ । ଏହି ଲେଖକ ମଧ୍ୟ ସେଥିରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ । ସୃଜନିକା ତା’ର ସୃଷ୍ଟି ସମ୍ପର୍କରେ ସମସ୍ତ ଓଡ଼ିଆ ପ୍ରେମୀମାନଙ୍କୁ ଅବଗତ କରାଇବା ପାଇଁ ଏହି ସଭାର ଆୟୋଜନ କରିଥିଲେ । ଅତ୍ୟାଧୁନିିକ ପଦ୍ଧତିରେ ବର୍ତ୍ତମାନ ସମସ୍ତେ ନିଜ ନିଜର ସାହିତ୍ୟିକ ଭାବକୁ ପ୍ରକାଶିତ କରିବା ପାଇଁ କମ୍ପ୍ୟୁଟରର ସାହାଯ୍ୟ ନେଉଛନ୍ତି । ସେହି ସମୟରେ ଶବ୍ଦଗୁଡ଼ିକୁ ଖୋଜିବ ଏବଂ ତା’ର ଅର୍ଥ ବାହାର କରିବା ପାଇଁ ଡିଜିଟାଲ୍ ଅଭିଧାନର ତତ୍କ୍ଷଣାତ ସହଯୋଗ ନେବାକୁ ଉଦ୍ୟମ କରିବ, ଯାହାକି ସହଜ ଓ ଅଳ୍ପ ସମୟ ମଧ୍ୟରେ ପ୍ରାପ୍ତ ହୋଇଥାଏ ।
ସମସ୍ତ ଓଡ଼ିଆ ଭାଷାପ୍ରେମୀମାନେ ଜାଣିଲେ ଖୁସି ହେବେ ଯେ ସୃଜନିକାର ଜ୍ଞାନୀ, ବିଜ୍ଞାନୀ, ଶିକ୍ଷାବିତ୍ମାନେ ଏକତ୍ରିତ ହୋଇ ୨୦୦୪ ମସିହାରୁ ଡିଜିଟାଲ୍ ଅଭିଧାନ ପ୍ରସ୍ତୁତ କରିବା କାର୍ଯ୍ୟ ଆରମ୍ଭ କରିଥିଲେ ଓ ୨୦୧୭ ସୁଦ୍ଧା ଏହାର ପୂର୍ଣ୍ଣ ବିକାଶ ନହେଲେ ମଧ୍ୟ ବ୍ୟବହାର ଉପଯୋଗୀ ଏକ ବିସ୍ତୃତ ଅଭିଧାନ ପ୍ରସ୍ତୁତ କରିବାରେ ସମର୍ଥ ହୋଇଛନ୍ତି । ୨୦୧୭ ମସିହାରେ ଏହିପରି ଏକ ଓଡ଼ିଆ ବିଭବ ଆଧୁନିକ ଧରଣର ଡିଜିଟାଲ ସଂପୃକ୍ତି ମାଧ୍ୟମରେ ସାମ୍ନାକୁ ଆସିଲା ।
ସଭା ସମୟରେ ଜଣେ ବକ୍ତା ଏହି ଡିଜିଟାଲ୍ ଅଭିଧାନ ଆହୁରି କିପରି ଭାବେ ଅଧିକ ଆଗେଇ ଯାଇଛି ଏକ ମୋବାଇଲ୍ ଆପ୍ରେ ମଧ୍ୟ ଏହା ଯେପରି ଉପଲବ୍ଧ ହୁଏ, ତାହା ମଧ୍ୟ ସମ୍ଭବ ହୋଇଛି । ଏହି ସମସ୍ତ ବକ୍ତବ୍ୟ ଶୁଣିବା ପରେ ଜଣେ କେହି ଓଡ଼ିଆ ଗର୍ବ କରିବ ଯେ ଆମ ଭାଷା ଓ ଶବ୍ଦକୁ ସାଇତି ରଖିବାପାଇଁ ଆଧୁନିକ ବିଜ୍ଞାନର ସହାୟତାରେ ପୁନଶ୍ଚ ଗନ୍ତାଘର ସୃଷ୍ଟି ହୋଇଛି ଏବଂ ଏହି ଗନ୍ତାଘର ଆଧୁନିକ ଯୁଗର ଅନ୍ୟ ଏକ ବିଭବବୋଲି ବିଚାରିବାକୁ ହେବ । ଏହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ । ମାତ୍ର ଏହା ଏ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବିଭବଶାଳୀ ବା ଓଡ଼ିଆ ଶବ୍ଦର ଗନ୍ତାଘର ବୋଲି କହିହେବ ନାହିଁ । ଅନେକ ଶବ୍ଦ ଖୋଜିଲେ ମଧ୍ୟ ଏଥିରେ ଉପଲବ୍ଧ ହେଉ ନାହିଁ । ତିନିଗୋଟି ପର୍ଯ୍ୟାୟରେ ଆଜିର ଡିଜିଟାଲ ଅଭିଧାନ ସାମ୍ନାକୁ ଆସିଛି । ଆଶା କରାଯାଏ ଆହୁରି ଅଧିକ ପରିଶ୍ରମ କରି ପୂର୍ଣ୍ଣଚନ୍ଦ୍ର ଭାଷାକୋଷର ଓ ଅନ୍ୟାନ୍ୟ ଓଡ଼ିଆ ଭାଷାକୋଷର ସମସ୍ତ ଶବ୍ଦକୁ ଯାହାକି ପାଖାପାଖି ୨ଲକ୍ଷରୁ ଊଦ୍ଧ୍ୱର୍ ହେବ ସେଗୁଡ଼ିକୁ ଏଥିସହିତ ଯୋଡ଼ିବାକୁ ହେବ । ସୃଜନିକାର କର୍ମକର୍ତ୍ତା ଏବଂ ସମସ୍ତ ବିଜ୍ଞାନୀ ଶବ୍ଦକୋଷର କାରିଗରମାନେ ପରିଶ୍ରମ କରି ନିଷ୍ଠାର ସହିତ ଏହି କାର୍ଯ୍ୟଟି କରିବେ ବୋଲି ଆଶା । ଅଧିକନ୍ତୁ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଆପଣାଉଥିବା ସମସ୍ତ ଲେଖକ, ସାହିତ୍ୟିକ, ପାଠକ ଓ ପାଠାଗାର ରକ୍ଷକମାନେ ପୁରୁଣା ଅଭିଧାନଗୁଡ଼ିକୁ ଅଣଦେଖା ବା ହତାଦର କରିବା ଆଦୌ ଉଚିତ୍ ନୁହେଁ । ସେସବୁକୁ ସାଇତି ରଖିଲେ ଅନେକ ସମୟରେ ଉପୁଜୁଥିବା ଦ୍ୱନ୍ଦ୍ୱର ସମାଧାନ କରିବା ପାଇଁ କାମରେ ଲାଗିବା ସମ୍ଭାବନା ଅଛି ଏବଂ ଆମ ଭାଷା ସାହିତ୍ୟ ନିର୍ଭୁଲ ଭାବରେ ନିଜକୁ ସମସ୍ତଙ୍କ ଆଗରେ ଉପସ୍ଥାପିତ କରିପାରିବ । ଏହିସବୁ ଶବ୍ଦକୋଷ ଆମ ପାଇଁ ବା ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଜ୍ଞାନକୋଷ ଭାବରେ ସଂରକ୍ଷିତ ହୋଇ ରହିବା ସହିତ ସୃଜନିକା ଓ ତା’ର ସତୀର୍ଥ ବନ୍ଧୁମାନେ ପ୍ରସ୍ତୁତ କରିଥିବା ଡିଜିଟାଲ ଅଭିଧାନ ବ୍ୟବହାର ପାଇଁ ତତ୍କ୍ଷଣାତ ସହଜ ଓ ସମୟ ରକ୍ଷାକାରୀ ଭାବେ ସହାୟକ ହେବ । ଆଜିର ଦିନରେ କମ୍ପ୍ୟୁଟର ବ୍ୟବହାର କରୁଥିବା ସମସ୍ତ ଲେଖକ ଏ ଦୁଇଟି ବ୍ୟବସ୍ଥାକୁ ଆପଣାଇବାକୁ ସହଜ ମଣିନପାରନ୍ତି । କିନ୍ତୁ ପାଠାଗାରର ରକ୍ଷକମାନେ ଓଡ଼ିଆ ଭାଷାର ଲିଖିତ ଅଭିଧାନକୁ ସାଇତି ରଖିଥିଲେ କେହି ନା କେହି ଲେଖକ ବା ଅଧ୍ୟୟନରତ ଛାତ୍ର ଓ ଶିକ୍ଷକ ଏହାର ସାହାଯ୍ୟ ନେବେ ।
ଏ ମଧ୍ୟରେ ଅନେକ ମହାବିଦ୍ୟାଳୟରେ ସ୍ମାର୍ଟ କ୍ଲାସ୍ରୁମ୍ ଓ ଇ-ଲାଇବ୍ରେରୀ ପ୍ରସ୍ତୁତ ହୋଇସାରିଲାଣି । ଏଣୁ ସୃଜନୀ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅମୂଲ୍ୟ ଅଭିଧାନ ଏହି ଇ-ଲାଇବ୍ରେରୀରେ ବ୍ୟବହାର ପାଇଁ ସମସ୍ତେ ବ୍ରତୀହେବା ଦରକାର । କେବଳ କ୍ଲାସ୍ରୁମ୍ର ଶିକ୍ଷକମାନେ ବିନା ଡିଟିପି ଅପରେଟର୍ ସହାୟତାରେ ଏହି ଶବ୍ଦକୋଷକୁ କିପରି ସହଜରେ ବ୍ୟବହାର କରିପାରିବେ ସେ ସମ୍ପର୍କରେ ଶିକ୍ଷା ନେବାର ଆବଶ୍ୟକତା ରହିଛି । ଅଧିକନ୍ତୁ ଯେଉଁସବୁ ଶବ୍ଦ ସୃଜନୀ ପ୍ରସ୍ତୁତ ଇ-ଅଭିଧାନରେ ନାହିଁ ସେସବୁ ଶବ୍ଦ ତୁରନ୍ତ ଯୋଡ଼ିବାକୁ ବ୍ୟବସ୍ଥା ହେବା ଦରକାର । ତାହା ହେଲେ ଏହା ଏକ ପୂର୍ଣ୍ଣାଙ୍ଗ ଶବ୍ଦକୋଷ ଓ ଓଡ଼ିଆ ଭାଷା ସାହିତ୍ୟର ଏକ ପୂର୍ଣ୍ଣ ବିଭବ ଭାବେ ପରିଚିତ ହେବ ।
Comments
0 comments