ଋଷିକୂଲ୍ୟା ନଦୀ ସୁରକ୍ଷା ଆନ୍ଦୋଳନ

ଭାଲଚନ୍ଦ୍ର ଷଡଙ୍ଗୀ
93 Views
16 Min Read

ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟା ନଦୀର ଭବିଷ୍ୟତକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ସୋରଡ଼ା ବ୍ଳକ୍ ଅନ୍ତର୍ଗତ ପିପଳପଙ୍କାଠାରେ ଥିବା ଋଷିକୂଲ୍ୟା ଓ ଓଡାଙ୍ଗୀ ନଦୀର ସଂଯୋଗ ସ୍ଥଳରେ ଏକ ବୃହତ୍ ଡେମ୍ ନିର୍ମାଣ କରିବାକୁ ଓଡ଼ିଶା ସରକାର ସ୍ଥିର କରି ସେ ଦିଗରେ ଉଦ୍ୟମ ଆରମ୍ଭ କରିଛନ୍ତି । ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଗତ ବିଜେଡ଼ି ସରକାରଙ୍କ ଅମଳରେ ଏଥିପାଇଁ ଆବଶ୍ୟକୀୟ ପ୍ରସ୍ତୁତି ସହ ପ୍ରାୟ ଏକ ହଜାର କୋଟି ଟଙ୍କାର ଖର୍ଚ୍ଚ ଅଟକଳ କରାଯାଇଥିଲା । ଋଷିକୂଲ୍ୟା ନଦୀର ଉପର ମୁଣ୍ଡରେ ଏହି ଡ୍ୟାମ୍ ନିର୍ମାଣ କରି ସେଠାରୁ ଦୀର୍ଘ ୧୦୦ କିମି ଲମ୍ବା ପାଇପଲାଇନ୍ ଯୋଗେ ଦୈନିକ ୬୦ନିୟୁତ ଗ୍ୟାଲେନ୍ ଜଳ ଛତ୍ରପୁର ଓ ଗୋପାଳପୁର ନିକଟରେ ଅବସ୍ଥିତ ଟାଟାର ଶିଳ୍ପ କରିଡ଼ରରେ ରହିଥିବା ଘରୋଇ କମ୍ପାନୀମାନଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଧିବଦ୍ଧ ଭାବେ ସେତେବେଳେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଥିଲା । ଯଦିଓ ପିପଳପଙ୍କାରେ ଡ୍ୟାମ୍ ନିର୍ମାଣର ସରକାରୀ ପ୍ରସ୍ତୁତିଟି ଗତ କିଛିବର୍ଷ ଧରି ଚାଲିଥିଲା, କିନ୍ତୁ ତାହା କେଉଁ ଉଦେଶ୍ୟ ନେଇ କରାଯାଉଛି, ତାହା ବସ୍ତୁତଃ ଗୋପନୀୟ ରହିଥିଲା । ୨୦୧୮ଠାରୁ ଡ୍ୟାମ୍ ପାଇଁ ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ସେ ଅଞ୍ଚଳରେ ସର୍ଭେ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ସମ୍ଭାବିତ ବିସ୍ଥାପନ ଯୋଗୁଁ ନିଜର ଭିଟାମାଟି ଓ ଜୀବନ ଜୀବିକା ନେଇ ଆଶଙ୍କିତ ହୋଇ ପଡ଼ିଥିଲେ ।

ତେବେ ୨୦୨୩ର ଶେଷରେ ଡ୍ୟାମ୍ ନିର୍ମାଣ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନର ଖୋଲାଖୋଲି ଘୋଷଣା ପରେ ସେଯାଏଁ ଗୋପନୀୟ ରହି ଆସିଥିବା ପ୍ରକଳ୍ପଟିର ଅସଲ ଉଦେଶ୍ୟଟି ବିଳମ୍ବରେ ହେଲେ ବି ସାମ୍ନାକୁ ଆସି ଯାଇଥିଲା । ଏଠାରେ ସ୍ମରଣଯୋଗ୍ୟ ଯେ ପ୍ରାୟ ତିନିଦଶକ ତଳେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକଙ୍କ ସରକାର ସମୟରେ ଛତ୍ରପୁର ନିକଟରେ ଟାଟାର ପ୍ରସ୍ତାବିତ ଗୋପାଳପୁର ଇସ୍ପାତ ପ୍ରକଳ୍ପକୁ ପାଣି ଯୋଗାଇବା ପାଇଁ ଋଷିକୂଲ୍ୟାର ଉପରମୁଣ୍ଡରେ ଏହି ପ୍ରକଳ୍ପର ପରିକଳ୍ପନା କରାଯାଇଥିଲା । ଟାଟା କମ୍ପାନୀଦ୍ୱାରା ଘରୋଇ ପୁଞ୍ଜି ବିନିଯୋଗରେ ପ୍ରସ୍ତାବିତ ଏହି ପ୍ରକଳ୍ପକୁ ସେତେବେଳେ ଗଞ୍ଜାମର ଚାଷୀ ସଂଗଠନ, ବିରୋଧି ରାଜନୈତିକ ଦଳ ତଥା ବୁଦ୍ଧିଜୀବୀମାନେ ଦୃଢ଼ ବିରୋଧ କରିଥିଲେ । ତେବେ ଚମାଖଣ୍ଡି ଅଂଚଳରେ ଟାଟାର ପ୍ରସ୍ତାବିତ ଇସ୍ପାତ ପ୍ରକଳ୍ପଟି ସ୍ଥାନୀୟ ଲୋକଙ୍କ ପ୍ରତିରୋଧ ଫଳରେ ପ୍ରଥମେ ବିଳମ୍ବିତ ହେବା ଏବଂ ପରେ ବିଶ୍ୱ ବଜାରରେ ଇସ୍ପାତର ଅହେତୁକ ମୂଲ୍ୟହ୍ରାସ ଫଳରେ ପ୍ରକଳ୍ପଟି ବାତିଲ ହୋଇଥିଲା । ଏହା ବ୍ୟତୀତ ଏକ ଘରୋଇକମ୍ପାନୀ ପାଇଁ ଋଷିକୂଲ୍ୟାର ପାଣି ଦେବାକୁ ନେଇ ଚାରିଆଡ଼ୁ ପ୍ରବଳ ବିରୋଧକୁ ଦେଖି ରାଜ୍ୟ ସରକାର ସେତେବେଳେ ଏହି ପ୍ରକଳ୍ପକୁ ବାତିଲ କରିବାକୁ ଏକରକମ ବାଧ୍ୟ ହୋଇଥିଲେ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ରାଜ୍ୟ ସରକାର ପୁଣିଥରେ ଘରୋଇ କମ୍ପାନୀଙ୍କ ସ୍ୱାର୍ଥରେ ତଥା ଜନଗଣଙ୍କ ଟିକସ ଅର୍ଥରେ ଋଷିକୂଲ୍ୟା ନଦୀରେ ପିପଳପଙ୍କାଠାରେ ନଦୀବନ୍ଧ କରି ତା’ର ପାଣିକୁ ଚାଷୀଙ୍କଠାରୁ ଛଡ଼େଇ ଘରୋଇ କମ୍ପାନୀମାନଙ୍କୁ ଦେବାକୁ ଯାଉଛନ୍ତି ।

କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ସୀମାନ୍ତରେ ଥିବା ଋଷିମାଳ ପର୍ବତରୁ ବାହାରିଥିବା ଋଷିକୂଲ୍ୟା ନଦୀ ଦକ୍ଷିଣଓଡ଼ିଶାର ଏକ ପ୍ରମୁଖ ନଦୀ ହେବା ସହ ଗଞ୍ଜାମ ଜିଲ୍ଲାର ଜୀବନରେଖା ରୂପେ ପରିଚିତ । ଏହାର ଦୀର୍ଘ ୧୬୫ କିଲୋମିଟର ଲମ୍ବା ଗତିପଥର ଅଧିକାଂଶ ଭାଗ ଗଞ୍ଜାମ ଜିଲ୍ଲାଦେଇ ପ୍ରବାହିତ ହୋଇଛି । ଅତଏବ ନଦୀର ଦୁଇପାଶ୍ୱର୍ରେ ରହିଥିବା ଶହ ଶହ ଗ୍ରାମ ସହ ହଜାର ହଜାର ଲୋକଙ୍କ ଜୀବନ, ଜୀବିକା ଓ ସଂସ୍କୃତି ଏହି ନଦୀ ସହିତ ଓତଃପ୍ରୋତ ଭାବେ ଜଡ଼ିତ । ଗଞ୍ଜାମ ଜିଲ୍ଲର ବିସ୍ତୀର୍ଣ୍ଣ ଅଞ୍ଚଳ ଦେଇ ପ୍ରବାହିତ ହୋଇ ଶେଷରେ ଗଞ୍ଜାମ ସହର ନିକଟରେ ଥିବା ପୁରୁଣାବନ୍ଧଠାରେ ସମୁଦ୍ରରେ ମିଶିବା ପୂର୍ବରୁ ଏଥିରେ ଏକାଧିକ ଉପନଦୀ ମଧ୍ୟ ସାମିଲ ହୋଇଛନ୍ତି । ଏହାର ବାମପାଶ୍ୱର୍ରେ ବାଘୁଆ, ଧନେଇ ଓ ବଡ଼ନଦୀ ପରି ପ୍ରମୁଖ ନଦୀମାନେ ମିଶିଥିବାବେଳେ ଡାହାଣ ପାଶ୍ୱର୍ରେ ଘୋଡ଼ାହାଡ଼, ପଦ୍ମା ଓ ଜରଉ ଆଦି ନଦୀ ସବୁ ମିଶିଛନ୍ତି ।

ତେବେ ବିଭିନ୍ନ କାରଣରୁ ଗତ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ଏହି ନଦୀଟି ଧିରେ ଧିରେ ସଙ୍କୁଚିତ ହେବା ସହ ତା’ର ଜଳସ୍ତର ବି କମିବାରେ ଲାଗିଛି । ପୂର୍ବରୁ ଏଥିରେ ମୂଳ ଜଳସ୍ରୋତ ରୂପେ ପରିଚିତ ଋଷିକୂଲ୍ୟା ନଦୀ ବ୍ୟତୀତ ବଡ଼ନଦୀ, ଘୋଡ଼ାହାଡ଼, ଧନେଇ, ଡହ, ବାଘୁଆ ଆଦି ନଦୀର ପାଣି ବି ପଡ଼ୁଥିବାରୁ ବର୍ଷର ଅଧିକାଂଶ ସମୟ ନଦୀରେ ପାଣି ରହୁଥିଲା । ଫଳରେ ନଦୀର ଦୁଇପାଶ୍ୱର୍ରେ ବସବାସ କରୁଥିବା ଲୋକମାନେ ନିଜର ଚାଷ, ପଶୁପାଳନ ଓ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ମଧ୍ୟ ପ୍ରଚୁର ପାଣି ପାଇ ପାରୁଥିଲେ । କିନ୍ତୁ ଗତ ୫୦ବର୍ଷ ମଧ୍ୟରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସହିତ ଉପରୋକ୍ତ ଉପନଦୀମାନଙ୍କରେ ନିଜସ୍ୱ ଜଳଭଣ୍ଡାର ନିର୍ମିତ ହୋଇ ସେସବୁର ପାଣିକୁ ଜଳସେଚନ ପାଇଁ ଅନ୍ୟତ୍ର ନିଆଯାଇ ସାରିଛି । ଯାହାରି ଫଳରେ ଋଷିକୂଲ୍ୟାରେ ଜଳସ୍ତର ଆଖିଦୃଶିଆଭାବେ କମିବା ସହିତ ନଦୀର ସ୍ୱାସ୍ଥ୍ୟ ଓ ତା’ ଉପରେ ନିର୍ଭରଶୀଳ ଜନତାଙ୍କ ଜୀବନ ଜୀବିକାକୁ ପ୍ରଭାବିତ କରିଛି । ଏହାବ୍ୟତୀତ ଧରାକୋଟ ବ୍ଳକ୍ ର ଜାନିବିଲିଠାରେ ଋଷିକୂଲ୍ୟା ନଦୀଉପରେ ବ୍ୟାରେଜ୍ ନିର୍ମାଣ କରି ସେଠାରୁ କେନାଲ ଯୋଗେ ଜିଲ୍ଲାର ବିଭିନ୍ନ ଅଂଚଳକୁ ଜଳସେଚନ ଓ ପିଇବା ପାଣିପାଇଁ ପାଣି ନିଆ ଯାଉଥିବାରୁ ଜାନିବିଲି ପରଠାରୁ ଋଷିକୂଲ୍ୟା ନଦୀରେ ପାଣି କମ୍ ରହୁଛି । କେବଳ ବର୍ଷା ଚାରିମାସକୁ ଛାଡ଼ିଦେଲେ ବର୍ଷର ଅଧିକାଂଶ ସମୟ ଋଷିକୂଲ୍ୟା ନଦୀ ଶୁଖିଯାଇ ଏକ ଛୋଟ ପାଣିଧାରରେ ହିଁ ପରିଣତ ହୋଇଯାଉଛି ।

ଗତ କିଛିବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ଦୁଇଟି ନିଷ୍ପତ୍ତି ଋଷିକୂଲ୍ୟାର ଭବିଷ୍ୟତକୁ ବିପଦକୁ ଠେଲିଦେଇଛି । ବିଶେଷ କରି କିଛିବର୍ଷ ତଳେ ରାଜ୍ୟ ସରକାର ଜାନିବିଲି ବ୍ୟାରେଜ୍ ରୁ ବିଶାଳକାୟ ପାଇପ୍ ଯୋଗେ ନଦୀର ଏକ ବଡ଼ଭାଗ ପାଣିକୁ ବ୍ରହ୍ମପୁର ମହାନଗର ନିଗମ ଓ ଜିଲ୍ଲାର କିଛି ଗାଁର ଜଳ ସମସ୍ୟାକୁ ଦୂର କରିବାକୁ ନେଇଯିବା ଫଳରେ ଜାନିବିଲି ପରଠାରୁ ଋଷିକୂଲ୍ୟା ନଦୀ ଏବେ ଶୁଷ୍କ ପ୍ରାୟ ହୋଇଯାଇଛି ବୋଲି କୁହାଯାଇପାରେ । ଯାରି ଫଳରେ ନଦୀରେ ପାଣି କମି ନଦୀଶଯ୍ୟାର ଅଧିକାଂଶ ଭାଗରେ ଅନାବଶ୍ୟକ ଓ କ୍ଷତିକାରକ ଲଟାସବୁ ମାଡ଼ି ନଦୀକୁ କ୍ଷତିଗ୍ରସ୍ତ କରିବା ଦେଖାଯାଇଛି । ଅନ୍ୟପଟେ ବିକାଶ, ଗୃହନିର୍ମାଣ ଓ ରାଜସ୍ୱ ସଂଗ୍ରହ ନାଁରେ ନଦୀକୂଳର ବିଭିନ୍ନ ସ୍ଥାନରେ ସରକାର ବାଲି ଉଠାଣକୁ ବିଧିବଦ୍ଧ ଭାବେ ପ୍ରୋତ୍ସାହିତ କରିବାଫଳରେ ଋଷିକୂଲ୍ୟା ନଦୀଶଯ୍ୟା ବାଲୁକାଶୂନ୍ୟ ହେବାରେ ଲାଗିଛି । ଉଭୟ ଆଇନଗତ ଓ ବେଆଇନ ବାଲିଚାଲାଣ ଋଷିକୂଲ୍ୟାର ଶଯ୍ୟାକୁ ଭୟଙ୍କର ଭାବେ କ୍ଷତି ପହଞ୍ଚାଉଛି । ଏଠାରେ ଜାଣି ରଖିବା ଦରକାର ଯେ ଯେକୌଣସି ନଦୀର ଶଯ୍ୟାରେ ରହିଥିବା ବାଲି ହିଁ ନଦୀ ପାଇଁ ସବୁଠାରୁ ବେଶୀ ଜରୁରୀ । ନଦରେ ଥିବା ବାଲିର ଜଳଧାରଣ କ୍ଷମତା ରହିଛି । ସ୍ପଞ୍ଜ ପରି ବାଲି ନଦୀରେ ପ୍ରବାହିତ ପାଣିକୁ ଧରି ରଖି ଗଚ୍ଛିତ କରିବାରେ ସାହାଯ୍ୟ କରିଥାଏ । କିନ୍ତୁ ବାଲି ସରିଯିବା ଫଳେରେ ନଦୀର ପାଣି ଶଯ୍ୟାରେ ଗଚ୍ଛିତ ନ ରହି ସିଧାସଳଖ ଗଡ଼ି ସମୁଦ୍ରକୁ ଚାଲିଯାଉଛି ।

ଗତ କିଛି ଦଶନ୍ଧି ମଧ୍ୟରେ ଋଷିକୂଲ୍ୟା ନଦୀରେ ପାଣି କମିଯିବା ଫଳରେ ଚାଷ, ପରିବେଶ ଓ ଲୋକଙ୍କ ଅର୍ଥନୀତି ଉପରେ କି କି ପ୍ରଭାବ ପଢ଼ିଛି, ତା’କୁ କେହି ନହେଲେ ବି କମ୍ ସେ କମ୍ ଋଷିକୂଲ୍ୟାର ଦୁଇ ପାଶ୍ୱର୍ରେ ଥିବା ଲୋକମାନେ ନିଜେ ଅନୁଭବ କରିଛନ୍ତି । ପୂର୍ବରୁ ନଦୀର ପାଣିକୁ ଆଧାର କରି ନଦୀର ଦୁଇ ପାଶ୍ୱର୍ରେ ଲୋକମାନେ କୂଅ, ଉଠା ଜଳସେଚନ ବ୍ୟବସ୍ଥା ଜରିଆରେ ଯେଉଁ ପ୍ରଚୁର ଫସଲ ବିଶେଷ କରି ପନିପରିବା ଉତ୍ପାଦନ କରୁଥିଲେ, ତାହା ଏବେ ବ୍ୟାପକଭାବେ ପ୍ରଭାବିତ ହୋଇଛି । ନଦୀରେ ପାଣି ଅଭାବରୁ ନଦୀକୂଳରେ ରହିଥିବା କୂଅ, ଉଠାଜଳସେଚନ ଯୋଜନା ଅକାମୀ ହେବାସହ ବର୍ଷସାରା ଯେଉଁ ପନିପରିବା ଚାଷ ହେଉଥିଲା, ତାହା କମିଯାଇଛି । ପୁନଶ୍ଚ ନଦୀର ମାଛଧରି ଯେଉଁମାନେ ଜୀବିକା ନିର୍ବାହ କରୁଥିଲେ, ସେମାନଙ୍କ ବେଉସା ବୁଡ଼ିଯାଇଛି । ସେହିପରି ନଦୀର ତଳମୁଣ୍ଡରେ ପୂର୍ବରୁ ଯଥେଷ୍ଟ ପାଣି ରହୁଥିବା ଯୋଗୁଁ ଗଞ୍ଜାମ ମୁହାଣରେ ସମୂଦ୍ରର ଲୁଣିଆ ପାଣି ନଦୀ ଭିତରକୁ ପଶିପାରୁ ନଥିଲା । ବର୍ତ୍ତମାନ ନଦୀରେ ପାଣି କମିଯିବାରୁ ମୁହାଣଠାରୁ ଅନେକ ଦୂର ଭିତର ପର୍ଯ୍ୟନ୍ତ (ବର୍ତ୍ତମାନ ମାଧପୁର ପର୍ଯ୍ୟନ୍ତ) ସମୁଦ୍ରର ଜଳ ନଦୀ ଭିତରକୁ ପଶିଯିବା ଫଳରେ ସେଠାରେ ନଦୀର ଜଳ ଲୁଣିଆ ହୋଇଯାଉଛି । ଯାରି ଫଳରେ ସେ ଅଞ୍ଚଳରେ ରହୁଥିବା ଲୋକଙ୍କପାଇଁ ନଦୀର ଲୁଣିଆ ଜଳ ଚାଷ ଓ ପାନୀୟ ଉଭୟପାଇଁ ଅନୁପଯୁକ୍ତ ହେବାରେ ଲାଗିଛି । ଏପରିକି ସେହି କାରଣରୁ ଋଷିକୂଲ୍ୟା ମୁହାଣରେ ମାଛର ସଂଗ୍ରହ ବହୁ ପରିମାଣରେ କମିଯାଇ ମତ୍ସଜୀବୀମାନଙ୍କ ଜୀବିକାକୁ ପ୍ରଭାବିତ କରିଥିବାବେଳେ ମଧୁର ପାଣି କମିବା ଯୋଗୁଁ ଅଣ୍ଡା ଦେବାକୁ ଆସୁଥିବା ଅଲିଭ୍ ରିଡ଼ଲେ କଇଁଛଙ୍କ ଗଣ ଆଗମନ ବି ପ୍ରଭାବିତ ହେବାରେ ଲାଗିଛି । ଚଳିତବର୍ଷ ପ୍ରବଳ ଉତ୍ତାପ ସହିତ ନଦୀରେ ଆବଶ୍ୟକୀୟ ପରିମାଣର ମଧୂର ଜଳ ନ ଆସିବାରୁ କଇଁଛଙ୍କ ଗଣ ଅଣ୍ଡାଦାନ ହାରରେ ୭୦-୮୦% ହ୍ରାସ ପାଇଥିବା ବିଶେଷଜ୍ଞମାନେ କହିଛନ୍ତି ।

ପିପଳପଙ୍କାଠାରେ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ବଡ଼ ନଦୀବନ୍ଧ ନିର୍ମିତ ହେଲେ ଗଞ୍ଜାମ ଜିଲ୍ଲାର କୃଷି, କୃଷକ, ଗୃହପାଳିତ ପଶୁ କ୍ଷତିଗ୍ରସ୍ତ ହେବା ସହ ଗଞ୍ଜାମ-କନ୍ଧମାଳ ସୀମାରେ ରହିଥିବା ଗାଜଲବାଡ଼ିର ମୂଲ୍ୟବାନ ଘଂଚ ଜଙ୍ଗଲ ମଧ୍ୟ କ୍ଷତିଗ୍ରସ୍ତ ହେବ । ସରକାର ଯଦିଓ ପ୍ରକଳ୍ପ ଫଳରେ ମାତ୍ର ୧୧୦୦ ହେକ୍ଟର ଜଙ୍ଗଲ ନଷ୍ଟ ହେବ ବୋଲି କହିଛନ୍ତି, କିନ୍ତୁ ବାସ୍ତବରେ ଏହି ପରିମାଣ ବହୁ ଅଧିକ ହେବବୋଲି ଜଣାପଡ଼ୁଛି । ଏହାବ୍ୟତୀତ ଡ଼୍ୟାମ୍ ଫଳରେ ସେ ଅଂଚଳର ୨୩ଟି ଗାଁର ଶହ ଶହ ଏକରର ଚାଷଜମି ଜଳମଗ୍ନ ସବୁଦିନ ପାଇଁ ନଷ୍ଟ ହୋଇଯିବ । ଚାଷଜମି ଓ ଜଙ୍ଗଲ ଉପରେ ନିର୍ଭରଶୀଳ ସେଠାକାର ବାସିନ୍ଦା ବିଶେଷ କରି ଆଦିବାସୀ ଓ ଦଳିତ ଲୋକମାନେ ନିଜର ଜମି, ଜଙ୍ଗଲ ଓ ଜୀବିକା ହରାଇବେ । ପ୍ରକଳ୍ପ ପାଇଁ ନିକଟରେ ଗାଜଲବାଡ଼ିଠାରେ ଅନୁଷ୍ଠିତ ଜନଶୁଣାଣୀବେଳେ ମଧ୍ୟ ସେ ଅଂଚଳର ସମ୍ଭାବିତ ବିସ୍ଥାପିତ ଓ କ୍ଷତିଗ୍ରସ୍ତ ହେବାକୁ ଥିବା ଲୋକେ ନିଜର ବିରୋଧକୁ ଦୃଢ଼ ଭାବେ ପ୍ରକାଶ କରିଛନ୍ତି । ଦୁଃଭାଗ୍ୟର ବିଷୟ, ପିପଳପଙ୍କା ନଦୀବନ୍ଧକୁ ସେ ଅଂଚଳର ଲୋକମାନଙ୍କ ସିଧାସଳଖ ବିରୋଧ ସତ୍ତ୍ୱେ ସରକାର ଏକଚାଟିଆ ଭାବେ ତା’ର ନିର୍ମାଣ ଦିଗରେ ଆଗଭର ହେଉଛନ୍ତି । ଜନଗଣଙ୍କ ସହମତି ବିନା କର୍ପୋରେଟ୍ଙ୍କ ସ୍ୱାର୍ଥରେ ଏଭଳି ଏକ ବିନାଶକାରୀ ପ୍ରକଳ୍ପକୁ ଲଦିଦେବାର ଉଦ୍ୟମ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଜନବିରୋଧି ଅଟେ । ସବୁଠାରୁ ବଡ଼ କଥା ଋଷିକୂଲ୍ୟା ପରି ଏକ ବିପଦାପନ୍ନ ଓ ଶୁଷ୍କ ନଦୀରେ ଏଭଳି ଏକ ବଡ଼ ପ୍ରକଳ୍ପ କରିବାପୂର୍ବରୁ ସରକାର ଏହାର ପରିବେଶଗତ, ଅର୍ଥନୈତିକ ଓ ଜଳବାୟୁଜନିତ କ୍ଷୟକ୍ଷତିର ସଠିକ୍ ଓ ବିଜ୍ଞାନସମ୍ମତ ଆକଳନ କରିନାହାନ୍ତି । କେବଳ ୧୯୯୩ ମସିହାରେ ଟାଟା ଦ୍ୱାରା ପ୍ରସ୍ତୁତ ଏକ ଏକପାଖିଆ ପ୍ରକଳ୍ପ ରିପୋର୍ଟର ଆଧାରରେ ସରକାର ଆଖିବୁଜି ପ୍ରକଳ୍ପଟି କରିବାକୁ ବସିଛନ୍ତି ।

ଏଠାରେ ପ୍ରଶ୍ନ ଉଠେ, ସରକାର ଋଷିକୂଲ୍ୟା ପରି ଏକ ଗୁରୁତ୍ୱପୂର୍ଣ୍ଣ ନଦୀକୁ ମାରି ଜିଲ୍ଲାର ଲକ୍ଷଲକ୍ଷ ଲୋକଙ୍କ ଜୀବନ ଜୀବିକାକୁ ବଳି ପକାଇବାକୁ ଯାଉଛନ୍ତି କାହିଁକି? ଯଦିଓ ଛତ୍ରପୁର ନିକଟରେ ରହିଥିବା ଟାଟାର ତଥାକଥିତ ଶିଳ୍ପ କରିଡ଼ରର କଳକାରଖାନାମାନଙ୍କୁ ପାଣି ଦେବାକୁ ଡ୍ୟାମ୍ ନିର୍ମାଣ କରାଯାଉଛି ବୋଲି ଜିଲ୍ଲା ପ୍ରଶାସନ ଆନୁଷ୍ଠାନିକ ଭାବେ ଘୋଷଣା କରିଛି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ଅସଲ କଥା ହେଲା, ସରକାର ଟାଟାର ଶିଳ୍ପ କରିଡ଼ର ସହିତ ଆଦାନୀକୁ ମଧ୍ୟ ପାଣି ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପକୁ କରିବାକୁ ଯାଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓ ସେମାନଙ୍କ ସରକାରର ସବୁଠାରୁ ପ୍ରିୟ କମ୍ପାନୀ ରୂପେ ପରିଚିତ ଆଦାନୀ କମ୍ପାନୀ ଇତି ମଧ୍ୟରେ ଗୋପାଳପୁର ବନ୍ଦରକୁ ଅଧିଗ୍ରହଣ କରିସାରିଛି ।

ଗୋପାଳପୁର ବନ୍ଦର ବ୍ୟତୀତ ସେମାନେ ଗୋପାଳପୁରଠାରୁ ଜୟପୁର ପର୍ଯ୍ୟନ୍ତ ଏକ ଅର୍ଥନୈତିକ କରିଡ଼ର କରିବାକୁ ଯାଉଛନ୍ତି ବୋଲି ମଧ୍ୟ ଘୋଷଣା କରିଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ସେମାନଙ୍କ ବିଜ୍ଞପ୍ତି ଅନୁସାରେ ଏହି ପ୍ରସ୍ତାବିତ ଅର୍ଥନୈତିକ କରିଡ଼ରର ଅଂଶଭାବେ ସେମାନେ ଗୋପାଳପୁର ଓ ଜୟପୁର ମଧ୍ୟରେ ଗଜପତି ଓ ରାୟଗଡ଼ା ଜିଲ୍ଲା ଦେଇ ଏକ ଛଅ ଲାଇନ୍ ବିଶିଷ୍ଟ ଏକ୍ସପ୍ରେସ ରାଜପଥ ଓ ଦୁଇ ଲାଇନ୍ ବିଶିଷ୍ଟ ରେଳପଥ ସହିତ ଆହୁରି ଅନେକ ଭିତ୍ତିଭୂମି ପ୍ରକଳ୍ପର ପରିକଳ୍ପନା କରିବାକୁ ଯାଉଛନ୍ତି । ବୁଟ୍ BOOT (Build, Own, Operate and Transfer) ଅର୍ଥାତ୍ ନିର୍ମାଣ, ମାଲିକାନା, ପରିଚାଳନା ଓ ହସ୍ତାନ୍ତର ମାଧ୍ୟମରେ ନିର୍ମିତ ହେବାକୁ ଥିବା ଏହି କରିଡ଼ରଟି ସମ୍ପୂର୍ଣ୍ଣ ଭାବେ ଆଦାନୀର ପୁଞ୍ଜିରେ ନିର୍ମିତ ହେବ ଏବଂ ଆସନ୍ତା ୨୫ବର୍ଷ ଧରି ଟୋଲ ଜରିଆରେ ନିଜର ପୁଞ୍ଜି ବିନିଯୋଗ ବାବଦରେ ଖର୍ଚ୍ଚକୁ ଆଦାୟ କରିବା ପରେ ଶେଷରେ ସରକାରଙ୍କୁ ହସ୍ତାନ୍ତର କରାଯିବ । ଏହାଦ୍ୱାରା ଜୟପୁରରୁ ବ୍ରହ୍ମପୁରକୁ ପରିବହନ ମାତ୍ର ତିନି ଘଣ୍ଟା ମଧ୍ୟରେ ହୋଇପାରିବ ବୋଲି ସେମାନେ ଦାବି କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଆଦାନୀ କମ୍ପାନୀ ଇତିମଧ୍ୟରେ ରାୟଗଡ଼ା ଜିଲ୍ଲାର କୁଟୃମାଳୀ ଓ କୋରାପୁଟ ଜିଲ୍ଲାର ବାଲଡ଼ାଠାରେ ଥିବା ବକସାଇଟ ଖଣିକୁ ନିଲାମ ଜରିଆରେ ହାସଲ କରିସାରିଛି । ସେସବୁ ଖଣିର ବକସାଇଟକୁ ପ୍ରକ୍ରିୟାକରଣ କରି ଆଲୁମିନିୟମ୍ ଉତ୍ପାଦନ କରିବାକୁ କମ୍ପାନୀ ନିକଟ ଭବିଷ୍ୟତରେ ଏକ ବଡ଼ କାରଖାନା ବସାଇବାକୁ ଯାଉଛି । ଅତଏବ ନିଜର ଶିଳ୍ପ ଉତ୍ପାଦକୁ ବହୁତ କମ୍ ସମୟରେ ଓ କମ ପରିବହନ ଖର୍ଚ୍ଚରେ ଗୋପାଳପୁର ବନ୍ଦର ଦେଇ ବିଦେଶକୁ ରପ୍ତାନୀ କରିବାପାଇଁ ଆଦାନୀ ଏହି କରିଡ଼ର ପ୍ରକଳ୍ପକୁ କରିବାକୁ ଲକ୍ଷ୍ୟ ରଖିଛି ।

ଏହା ସହ ରାୟଗଡ଼ା, କୋରାପୁଟ ସମେତ ସମଗ୍ର ଦକ୍ଷିଣ ଓଡ଼ିଶାରେ ନାଲକୋ, ଉକ୍ରଳ ଆଲୁମିନା, ବେଦାନ୍ତ ପରି ବିଭିନ୍ନ ଆଲୁମିନିୟମ୍ କାରଖାନା ରହିଛି । ପ୍ରାୟତଃ ସମ୍ପୂର୍ଣ୍ଣଭାବେ ରପ୍ତାନୀଭିତ୍ତିକ ହୋଇଥିବା ଏସବୁ କାରଖାନାର ଉତ୍ପାଦିତ ଆଲୁମିନିୟମକୁ ସମ୍ପୃକ୍ତ କମ୍ପାନୀମାନେ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ବନ୍ଦର ଦେଇ ବିଦେଶକୁ ରପ୍ତାନୀ କରୁଛନ୍ତି । ତେବେ ବର୍ତ୍ତମାନ ବିଶାଖାପାଟଣା ବନ୍ଦର ଉପରେ ରପ୍ତାନୀର ଚାପ ଅଧିକ ରହୁଥିବାରୁ ସେମାନେ ଆଉ ଏକ ବିକଳ୍ପ ବନ୍ଦର ଦେଇ ରପ୍ତାନୀ କରିବାକୁ ଚାହୁଁଛନ୍ତି । ଏଭଳି ପରିସ୍ଥିତିରେ ସେମାନଙ୍କ ପାଇଁ ଆଦାନୀର ଗୋପାଳପୁର ବନ୍ଦର ସବୁଠାରୁ ଉତ୍ତମ ବିକଳ୍ପ ହେବ ଏବଂ ଗୋପାଳପୁର-ଜୟପୁର କରିଡ଼ର ନିର୍ମାଣ ହୋଇଗଲେ ସେମାନଙ୍କ ପରିବହନ ଖର୍ଚ୍ଚ ଓ ସମୟ ବି ଅନେକ ପରିମାଣରେ କମିଯିବ । ଏହାକୁ ହିସାବ କରି ହିଁ ଆଦାନୀ ଦକ୍ଷିଣ ଓଡ଼ିଶାରେ ଏତେ ବଡ଼ ମେଗା ପ୍ରକଳ୍ପ କରିବାକୁ ଯାଉଛି । ପୂର୍ବରୁ ଟାଟା ଓ ଅନ୍ୟାନ୍ୟ କମ୍ପାନୀକୁ ସରକାର ନିଜର ଜଳ ଆବଶ୍ୟକତା ପୂରଣ ପାଇଁ ନିକଟସ୍ଥ ସମୁଦ୍ର ଜଳକୁ ସଂଗ୍ରହ କରି ତାକୁ ମଧୁର ଜଳରେ ପରିବର୍ତ୍ତନ କରି ବ୍ୟବହାର କରିବାକୁ ସର୍ତ୍ତ ବି ରଖିଥିଲେ । ଏବେ ସେହି ସର୍ତ୍ତକୁ ବଦଳାଇ ସରକାର ନିଜ ଖର୍ଚ୍ଚରେ ନଦୀବନ୍ଧ ନିର୍ମାଣ କରି ସେମାନଙ୍କୁ ଜିଲ୍ଲାର ସାଧାରଣ ଜନତାଙ୍କ ପିଇବା ପାଣି ଓ ଜଳସେଚନ ପାଇଁ ଉଦ୍ଦିଷ୍ଟ ପାଣିକୁ ମଧ୍ୟ ଦେବାକୁ ଉଦ୍ୟମକରିବା ଲଜ୍ଜାଜନକ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସମୁଦ୍ର ପାଣିକୁ ଆଣି ତାକୁ ମଧୁର ପାଣିରେ ପରିବର୍ତ୍ତିତ କଲେ ତାହା ବ୍ୟୟସାପେକ୍ଷ ହୋଇଥିବାରୁ କମ୍ପାନୀମାନେ ସେହି ପ୍ରକ୍ରିୟାରେ ନିଜର ଜଳସଂଗ୍ରହ କରିବାକୁ ଆଗ୍ରହୀ ନୁହଁନ୍ତିି । ସେହି କାରଣରୁ ହିଁ ସରକାର ଘରୋଇ କମ୍ପାନୀମାନଙ୍କ ବ୍ୟୟଭାରକୁ କମାଇ ସେମାନଙ୍କ ମୁନାଫାକୁ ବଢ଼ାଇବା ପାଇଁ ସରକାରୀ ଅର୍ଥରେ ସେମାନଙ୍କୁ ପାଣି ଯୋଗାଇବାକୁ ଉଦ୍ୟମ କରିଛନ୍ତି । ଅତଏବ ଆଦାନୀର ପ୍ରସ୍ତାବିତ ପ୍ରକଳ୍ପପାଇଁ ଉଦ୍ଦିଷ୍ଟ ପିପଳପଙ୍କା ନଦୀବନ୍ଧ ନିର୍ମାଣ ଫଳରେ ତ ଯାହା କ୍ଷୟକ୍ଷତି ହେବ; କିନ୍ତୁ ଏହା ସହିତ ଅର୍ଥନୈତିକ କରିଡ଼ର ନିର୍ମାଣ ହେଲେ ସମଗ୍ର ଦକ୍ଷିଣ ଓଡ଼ିଶାରେ ଜଙ୍ଗଲ ଓ ପରିବେଶ ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହେବାକୁ ଯାଉଛି । କାରଣ ସମଗ୍ର କରିଡ଼ରର ଅଶୀ ଭାଗରୁ ଅଧିକ ଗଜପତି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର ଘଞ୍ଚ ଜଙ୍ଗଲ ଦେଇ ଯିବ । ରାସ୍ତାର ଦୀର୍ଘତାକୁ କମାଇବା ପାଇଁ ସେମାନେ ରାସ୍ତାରେ ପଡ଼ୁଥିବା ବଡ଼ ବଡ଼ ପର୍ବତ ଭିତରେ ଟନେଲ ବା ସୁଡ଼ଙ୍ଗ ସବୁ ନିର୍ମାଣ କରିବେ । ଫଳସ୍ୱରୂପ ଏହି ପ୍ରକଳ୍ପରେ ଦକ୍ଷିଣ ଓଡ଼ିଶାର ବ୍ୟାପକ ଅଞ୍ଚଳର ଜଙ୍ଗଲ ଓ ପାହାଡ଼ ନଷ୍ଟ ହେବା ସହ ଲକ୍ଷ ଲକ୍ଷ ଗଛ ବଳି ପଡ଼ିବେ ।

ଏହି ପରିପ୍ରେକ୍ଷୀରେ ଗଞ୍ଜାମର ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଜୀବିକା ଓ ଚାଷର ଭବିଷ୍ୟତ ପାଇଁ ଜିଲ୍ଲାର ଜୀବନରେଖା ରୂପେ ପରିଚିତ ଋଷିକୂଲ୍ୟାକୁ ବିପଦଗ୍ରସ୍ତ ନକରି ତା’ର ସୁରକ୍ଷା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ । ଇତିମଧ୍ୟରେ ଡ୍ୟାମ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ସେତେବେଳର ସରକାର ବଦଳି ରାଜ୍ୟରେ ବିଜେପିର ସରକାର କ୍ଷମତାସୀନ ହୋଇଛନ୍ତି । ନୂଆ ସରକାର ମଧ୍ୟ ଏଯାଏଁ ଡ୍ୟାମ୍ ନିର୍ମାଣ ସମ୍ପର୍କରେ ପୂର୍ବ ସରକାରଙ୍କ ନିଷ୍ପତ୍ତିକୁ ବଦଳାଇ ନାହାନ୍ତି କି ସେନେଇ ନିଜର ଆଭିମୁଖ୍ୟକୁ ବି ସ୍ପଷ୍ଟ କରିନାହାନ୍ତି । ଆଶା ନୂଆ ସରକାର ଜିଲ୍ଲା ତଥା ରାଜ୍ୟର ବୃହତ୍ତର ସ୍ୱାର୍ଥ ପାଇଁ ପୂର୍ବ ସରକାରଙ୍କ ଉପରୋକ୍ତ ନିଷ୍ପତ୍ତିକୁ ସମୀକ୍ଷା କରି ଋଷିକୂଲ୍ୟା ନଦୀକୁ ସୁରକ୍ଷିତ କରିବାକୁ ପଦକ୍ଷେପ ନେବେ ।

ଯଦିଓ ଆଦାନୀର କରିଡ଼ର ପ୍ରକଳ୍ପଟି ଏବେ ପ୍ରାଥମିକ ସ୍ତରରେ ରହିଥିବାରୁ ତା’ ବିରୁଦ୍ଧରେ ଏହିକ୍ଷଣି କୌଣସି ଗଣ ପ୍ରତିରୋଧ ଦେଖାଯାଇନି କିନ୍ତୁ ପିପଳପଙ୍କା ଜଳଭଣ୍ଡାର ନିର୍ମାଣ ବିରୁଦ୍ଧରେ ଆନେ୍ଦାଳନ ମୁଣ୍ଡ ଟେକିଛି । ଆଦାନୀ, ଟାଟା ସମେତ ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ସ୍ୱାର୍ଥରେ ରାଜ୍ୟ ସରକାରଙ୍କ ଏହି ଏକପାଖିଆ ନିଷ୍ପତ୍ତିକୁ ଜନବିରୋଧି, ନଦୀ ବିରୋଧି ଓ ପରିବେଶ ବିରୋଧି ପଦକ୍ଷେପ ବୋଲି କହି ଜିଲ୍ଲାର ବିଭିନ୍ନ ସ୍ଥାନରେ ଏବେ ବିରୋଧ ଆରମ୍ଭ ହୋଇଯାଇଛି । ଜଳଭଣ୍ଡାର ଫଳରେ କ୍ଷତିଗ୍ରସ୍ତ ଓ ଜଳମଗ୍ନ ହେବାକୁ ଯାଉଥିବା ୨୩ଟି ଗ୍ରାମର ଲୋକମାନେ ଭିଟାମାଟି ସୁରକ୍ଷା ମଂଚ ନାଁରେ ଏକ ସଙ୍ଗଠନ ନିର୍ମାଣ କରି ଗତ ୨୦୧୮ ମସିହାରୁ ପ୍ରତିବାଦ କରି ଆସିଛନ୍ତି । ନଦୀବନ୍ଧ ବାତିଲ ଦାବିରେ ଅତୀତରେ ସୋରଡ଼ା ତହସିଲ ଓ ବ୍ରହ୍ମପୁର ଆର୍ଡ଼ିସଙ୍କ ସମ୍ମୁଖରେ ଭିଟାମାଟି ସୁରକ୍ଷା ମଞ୍ଚ ଓ ଅଖିଳଭାରତ କିଶାନ୍ ମଜଦୁର ସଭା ପକ୍ଷରୁ ଅନେକ ଥର ଧାରଣା ଓ ବିକ୍ଷୋଭର ଆୟୋଜନ କରି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୪ ତାରିଖରେ ପ୍ରଶାସନ ପକ୍ଷରୁ ଗାଜଲବାଡ଼ିଠାରେ ପ୍ରକଳ୍ପ ପାଇଁ ଆୟୋଜିତ ହୋଇଥିବା ଜନଶୁଣାଣୀରେ ସ୍ଥାନୀୟ ଲୋକମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପ୍ରକଳ୍ପ ନିର୍ମାଣର ଦୃଢ଼ ବିରୋଧ କରିଛନ୍ତି । ଏହା ବ୍ୟତୀତ ଜିଲ୍ଲାର ବିଭିନ୍ନ ଗଣ ସଂଗଠନ, ପରିବେଶ ସଙ୍ଗଠନ ଓ ସାମାଜିକ-ରାଜନୈତିକ କର୍ମୀ ତଥା ବ୍ରହ୍ମପୁର ସହରର ସଚେତନ ନାଗରିକ ବିଶେଷ କରି ବୁଦ୍ଧିଜୀବୀମାନଙ୍କୁ ନେଇ ଋଷିକୂଲ୍ୟା ନଦୀ କ୍ରିୟାନୁଷ୍ଠାନ କମିଟି ଗଠନ କରି ତା’ ତରଫରୁ ଋଷିକୂଲ୍ୟା ନଦୀ ସୁରକ୍ଷା ଅଭିଯାନ ଆରମ୍ଭ ହୋଇଛି । ଏହି କ୍ରମରେ ମିଳିତଭାବେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହାଛଡ଼ା ଭିଟାମାଟି ସୁରକ୍ଷା ମଂଚ, ଋଷିକୂଲ୍ୟା କ୍ରିୟାନୁଷ୍ଠାନ କମିଟି, ଏଆଇକେଏମ୍ଏସ୍ ଓ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ମିଳିତ ଭାବେ ଉଭୟ ବ୍ରହ୍ମପୁର ଓ ସୋରଡ଼ାଠାରେ ଦୁଇଟି ବଡ଼ କନଭେନସନର ଆୟୋଜନ ସହ ପୁରୁଷୋତ୍ତମପୁର ଓ ଛତ୍ରପୁର ବ୍ଳକର ମୁନୁଷିପେଣ୍ଠଠାରେ ଦୁଇ ଦୁଇଟି ଚାଷୀ ସମାବେଶ ଜରିଆରେ ପିପଳପଙ୍କା ପ୍ରକଳ୍ପକୁ ଅବିଳମ୍ବେ ବାତିଲ କରି ଋଷିକୂଲ୍ୟା ନଦୀକୁ ବଂଚାଇବାକୁ ଦାବି କରାଯାଇଛି । ଆଗାମୀ ଫେବୃଆରୀ ପ୍ରଥମ ସପ୍ତାହରେ ବ୍ରହ୍ମପୁର ଆର୍ଡ଼ିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ମିଳିତ ଧାରଣା କାର୍ଯ୍ୟକ୍ରମ ଜରିଆରେ ନଦୀବନ୍ଧକୁ ବାତିଲ କରିବାକୁ ସରକାରଙ୍କ ପାଖରେ ଦାବୀ କରାଯିବା ବୋଲି ସ୍ଥିର ହୋଇଛି । ସମାଜର ସବୁ ମହଲରୁ ସମର୍ଥନ ପାଉଥିବାରୁ ଆଗାମୀ ଦିନରେ ଋଷିକୂଲ୍ୟା ନଦୀ ବଂଚାଇବାର ଆନ୍ଦୋଳନ ଆହୁରି ବ୍ୟାପକ ଓ ଜୋରଦାର ହେବାକୁ ଯାଉଛି । ଯଦି ଭବିଷ୍ୟତରେ ଆଦାନୀର ଅର୍ଥନୈତିକ କରିଡ଼ର ବିରୁଦ୍ଧରେ ମଧ୍ୟ ଆନ୍ଦୋଳନ ମୁଣ୍ଡ ଟେକେ, ତାହେଲେ ଏହା ବିସ୍ଥାପନ ଓ ପରିବେଶ ପ୍ରଶ୍ନକୁ କେନ୍ଦ୍ର କରି ଓଡ଼ିଶାରେ ଏକ ବଡ଼ ଜନ ଆନ୍ଦୋଳନରେ ପରିଣତ ହେବାର ସମ୍ଭାବନା ରହିଛି ।

Comments

0 comments

Share This Article