‘ସମଦୃଷ୍ଟି’ ସମ୍ବାଦ ପତ୍ରିକାର ଉନ୍ମୋଚନ ଲୋକସଭାର ପୂର୍ବତନ ବାଚସ୍ପତି ରବି ରାୟ ମହୋଦୟଙ୍କ କରକମଳରେ ହୋଇଥିଲା । ଦିନଟି ଥିଲା ଜାନୁଆରୀ ୨୨, ୨୦୦୬ ମସିହା । ତାହାର ଠିକ୍ ୧୬ଦିନ ପୂର୍ବରୁ କଳିଙ୍ଗନଗରରେ ଟାଟା କମ୍ପାନୀ ବିରୋଧରେ ଲଢ଼େଇ କରୁଥିବା ୧୨ଜଣ ଆଦିବାସୀ ପୋଲିସ ଗୁଳିରେ ସହିଦ୍ ହୋଇଥିଲେ । ଆଉ ଦୁଇଜଣ ପରେ ଚିକିତ୍ସା ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ଆମ ପ୍ରଥମ ସମ୍ପାଦକୀୟର ଶିରୋନାମା ମଧ୍ୟ ଥିଲା ‘କଳିଙ୍ଗନଗର ଏକ ସ୍ୱୟଂସମ୍ପନ୍ନ ଘଟଣା ନୁହେଁ!’ ତେବେ ଓଡ଼ିଶାରେ ବିକଳ୍ପ ଚିନ୍ତନ ଓ ସମୀକ୍ଷାର ଧାରା ‘ସମଦୃଷ୍ଟି’ଠାରୁ ଆରମ୍ଭ ହୋଇ ନାହିଁ, ଏହି କଥାଟି ଆମ ପ୍ରିୟ ପାଠକମାନଙ୍କୁ ମନେପକାଇ ଦେବାକୁ ଚାହିଁବୁ । ବ୍ୟକ୍ତିଗତ ଭାବେ ସମ୍ପାଦକ ନିଜେ ସଂସ୍ପର୍ଷରେ ଆସିଥିବା ଦୁଇଟି ବଳିଷ୍ଠ ପ୍ରକାଶନ ଓଡ଼ିଶାରେ ଗଠନ ମୂଳକ ଓ ବିଶ୍ଲେଷଣାତ୍ମକ ପ୍ରସଙ୍ଗ ପରିବେଷଣର ଧାରାକୁ କିଛିକାଳ ବଳବତ୍ତର ରଖିଆସିଥିଲେ (ଆହୁରି ବି କିଛି ପ୍ରକାଶନ ରହିଥିଲେ, ତେବେ ଆମ ନିଜର ସମ୍ପର୍କ ସେ ସବୁ ସହିତ ନଥିଲା ବା ଅତି ସୀମିତ ଥିଲା) । ସେ ଭିତରୁ ଗୋଟିଏ ହେଉଛି ‘ବିକଳ୍ପ ବିଚାର’ ଯାହାର ସମ୍ପାଦକ ଥିଲେ ଭାରତବର୍ଷର ଅନ୍ୟତମ ଶ୍ରେଷ୍ଠ ସମାଜବାଦୀ ତଥା ପୂର୍ବତନ ସାଂସଦ କିଶନ ପଟ୍ଟନାୟକ । ତାଙ୍କର ଦେହାନ୍ତ ପରେ ଲିଙ୍ଗରାଜ ଭାଇ ଏହି ପ୍ରକାଶନର ସମ୍ପାଦକ ଦାୟିତ୍ୱ ନେଇଥିଲେ । ସେ କିଶନ ବାବୁଙ୍କର ଘନିଷ୍ଠ ସହଯୋଗୀ ଥିଲେ ଏବଂ ଛାତ୍ର ଥିବାବେଳେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ‘ସମାଜବାଦୀ ଯୁବ ଜନସଭା’ର ଜଣେ ପ୍ରମୁଖ ନେତାଥିଲେ । ସେ ମଧ୍ୟ ଅଶି ଦଶକରେ ଗନ୍ଧମାର୍ଦ୍ଦନ ଆନ୍ଦୋଳନର ଆଗଧାଡ଼ିରେ ରହି ଯୁବ ପିଢ଼ିର ନେତୃତ୍ୱ ନେଇଥିଲେ । ‘ବିକଳ୍ପ ବିଚାର’ର ଉଚ୍ଚକୋଟିର ସମ୍ପାଦକୀୟ ଏବଂ ପ୍ରବନ୍ଧଗୁଡ଼ିକ ପାଇଁ ପାଠକମାନେ ଧୈର୍ଯ୍ୟର ସହିତ ତିନିମାସ ଅପେକ୍ଷା କରୁଥିଲେ । ଓଡ଼ିଶାରେ ବିଦ୍ୟୁତ ସଂସ୍କାରକୁ ନେଇ ଲେଖାଟିଏ ଲେଖିବା ପାଇଁ କିଶନ ବାବୁଙ୍କର ନିର୍ଦ୍ଦେଶ ଥିଲା । ଲେଖାଟି ପ୍ରକାଶିତ ହେବାପରେ ସୁଯୋଗ ମିଳିଲା ନିଜର ଲେଖକୀୟ ସୀମିତତାକୁ ଚିହ୍ନିବା ଏବଂ ତାକୁ ଅତିକ୍ରମ କରିବା ନିମନ୍ତେ ସଠିକ୍ ପ୍ରୟାସ କରିବା ପାଇଁ । ‘ବିକଳ୍ପ ବିଚାର’ ସମୟ ଓ ପରିସ୍ଥିତିର ଚାପରେ ସଙ୍ଘର୍ଷକରି କିଛିବାଟ ଚାଲିଲା ପରେ ପତ୍ରିକା ଜଗତରୁ ଅପସରି ଗଲା । ତେବେ ‘ବିକଳ୍ପ ବିଚାର’ ଯେଉଁ ଶୂନ୍ୟସ୍ଥାନ ସୃଷ୍ଟିକଲା, ତାହା ଏବେ ବି ଅପୂରଣୀୟ ରହିଛି । ସୃଜନିକା ଦ୍ୱାରା ସ୍ଥାନିତ www.odiabibhaba.in ରେ ଥିବା ପୁରୁଣା ସଂଖ୍ୟାଗୁଡ଼ିକୁ ପଢ଼ିଲେ ଏହି କଥାଟି ବୁଝିହେବ । ସେହିଭଳି ଆମ ପାଇଁ ଅନ୍ତରଙ୍ଗ ଥିଲା ଡଃ ବୀରେନ୍ଦ୍ର ନାୟକଙ୍କ ନେତୃତ୍ୱରେ ଏକଦା ଢେର୍ କିଛିବର୍ଷ ସକ୍ରିୟ ଥିବା ‘ବିକଳ୍ପ ସନ୍ଧାନୀ ମଞ୍ଚ’ ଓ ଏହାର ବାର୍ଷିକ ପ୍ରକାଶନ ‘ଓଡ଼ିଆ ଓ ଓଡ଼ିଶା ସମୀକ୍ଷା’ । ଏହି ମଞ୍ଚର ଅନ୍ୟତମ ଆବାହକ ଥିଲେ ଦୈନିକ ପ୍ରଗତିବାଦୀର ପ୍ରତିଷ୍ଠାତା ସମ୍ପାଦକ ପ୍ରଦୁମ୍ନ ବଳ ଏବଂ ଅନ୍ୟଜଣେ ବିଦ୍ୱାନ ପ୍ରଫେସର ଦେବୀପ୍ରସାଦ ଦାସ । ‘ବିକଳ୍ପ ବିଚାର’ ଅତି ଉପାଦେୟ ଲେଖା ଏକାଠି କଲାବେଳେ, ‘ବିକଳ୍ପ ସନ୍ଧାନୀ ମଞ୍ଚ’ ଉଚିତ୍ ଲୋକଙ୍କୁ ଏକାଠି କରୁଥିଲେ ଅନ୍ତତଃ ବର୍ଷକୁ ଥରେ ଏବଂ ତାହା ବି ଏପ୍ରିଲ୍ ୧ତାରିଖ ଦିନ । ଏହି ଦିନଟିକୁ ଅପେକ୍ଷା କରୁଥିଲେ ବିକଳ୍ପ ଚିନ୍ତନ ଓ କାର୍ଯ୍ୟରେ ସମ୍ପୃକ୍ତ ଥିବା ବୁଦ୍ଧିଜୀବୀ, କର୍ମୀ, ଲେଖକ, ଅଧ୍ୟାପକ ଏବଂ ଓଡ଼ିଶାରେ ଜନଆନ୍ଦୋଳନ ଗୁଡ଼ିକର ଆଗଧାଡ଼ିରେ ଥିବା ଅଣଚର୍ଚ୍ଚିତ ବା କମ ଚର୍ଚ୍ଚିତ ନାରୀ ଓ ପୁରୁଷ ଯୋଦ୍ଧାମାନେ । ଏକାବେଳେ ଗୋଟିଏ ସ୍ଥାନରେ ସମାଜବାଦୀ କିଶନ ପଟ୍ଟନାୟକ, ଗାନ୍ଧୀବାଦୀ ମନମୋହନ ଚୌଧୁରୀ ଏବଂ ବିପ୍ଳବୀ ଗଣନାଥ ପାତ୍ରଙ୍କୁ ଶୁଣିବାକୁ ମିଳୁଥିଲା । ଗୋଟିଏ ବର୍ଷ ଯିଏ ଯାହା କୁହନ୍ତି ଠିକ୍ ତାହା ପରବର୍ଷ ସେହିଦିନ ସେହି ଆଲୋଚନାଟିକୁ ପୁସ୍ତକ ଆକାରରେ ଏକ ଉପଯୋଗୀ ସମ୍ପାଦକୀୟ ସହ ଡଃ ବୀରେନ୍ଦ୍ର ନାୟକ ଉପସ୍ଥାପନ କରୁଥିଲେ । ଡଃ ନାୟକ କିଛିକାଳ ‘ଭିନ୍ନଦୃଷ୍ଟି’ ନାମରେ ମଧ୍ୟ ଚାରିପୃଷ୍ଠାର ଏକ କ୍ଷୁଦ୍ର ପତ୍ରିକା ପ୍ରକାଶନ କରି ତାଙ୍କ ସଂସ୍ପର୍ଶରେ ଆସୁଥିବା ଲୋକମାନଙ୍କୁ ଗୋଟିଏ ଟଙ୍କା ବିନିମୟରେ ଦେଉଥିଲେ । ‘ବିକଳ୍ପ ବିଚାର’ ଭଳି ‘ଓଡ଼ିଆ ଓ ଓଡ଼ିଶା ସମୀକ୍ଷା’ ପାଇଁ ମଧ୍ୟ ବିକଳ୍ପକୁ ନେଇ ଆଶା ବାନ୍ଧି ରଖିଥିôବା ଲୋକମାନେ ଅପେକ୍ଷା କରି ବସୁଥିଲେ ।
କୁମାର ହସନ ଓ ସରୋଜ ମହାନ୍ତିଙ୍କ ନେତୃତ୍ୱରେ ସମ୍ପାଦିତ ଓ ପ୍ରକାଶିତ ‘ଅନ୍ୱେଷା’ ଭଳି ଏକ ଉଚ୍ଚକୋଟିର ପତ୍ରିକା କିଛିକାଳ ପ୍ରକାଶ ପାଇଥିଲା । ଏଥିରେ ଅତି ମୂଲ୍ୟବାନ ପ୍ରବନ୍ଧଗୁଡ଼ିକ ସ୍ଥାନ ପାଉଥିଲା । ସେହିଭଳି ଅନ୍ୟ ଏକ ଉଚ୍ଚକୋଟିର ଜନବାଦୀ ପତ୍ରିକା ‘ନିଶାନ୍’ ମଧ୍ୟ ଜନଗଣଙ୍କର ଆଦର ପାଇ ପାରିଥିଲା । ଆଞ୍ଚଳିକ ସ୍ତରରେ ‘ଡେରନା’ ଓ ‘ବନ୍ତୁଳସୀ’ଭଳି କିଛି ମୂଲ୍ୟବାନ ପତ୍ରପତ୍ରିକା ଆମେ ପାଇ ପାରୁଥିଲୁ । ସମ୍ବାଦ ପତ୍ର ହିସାବରେ ଶିବପ୍ରସାଦ ପାଣ୍ଡିଆଙ୍କ ଦ୍ୱାରା ପ୍ରତିଷ୍ଠିତ ଓ ସମ୍ପାଦିତ ‘ରୁଦ୍ର ଆହ୍ୱାନ’ କେବଳ ବଲାଙ୍ଗିର କାହିଁକି; ସମଗ୍ର ପଶ୍ଚିମାଞ୍ଚଳରେ ଜନ ଆଦୃତି ପାଇଥିଲା । ଆଉ ଏକ ସମ୍ବାଦପତ୍ର ବେଶ ପାଠକୀୟ ଆଦୃତି ପଶ୍ଚିମାଞ୍ଚଳରେ ପାଇବାରେ ସଫଳ ହୋଇଥିଲା । ତାହା ହେଉଛି ଶୀତିକଣ୍ଠ ପାଟ୍ଟଯୋଶୀଙ୍କ ଦ୍ୱାରା ସମ୍ପାଦିତ ‘ଗଣଇସ୍ତହାର’ । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଜନବାଦୀ ପତ୍ରପତ୍ରିକା ଓ ସମ୍ବାଦପତ୍ର ଅତୀତରେ ପ୍ରକାଶପାଇ ଅନ୍ତର୍ଧ୍ୟାନ ହୋଇଯାଇଛି ଓ କିଛି ଏବେ ବି ସକ୍ରିୟ ଅଛନ୍ତି । ସବୁକଥାକୁ ନେଇ ପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କରାଯାଇପାରେ । ମନ ଭିତରେ କୌତୁହଳ ଆସିପାରେ ଜାଣିବା ପାଇଁ ଯେ ଓଡ଼ିଶା ମାଟିରେ ଏତେ ମୂଲ୍ୟବାନ ପତ୍ରପତ୍ରିକା ଥାଇ ଏକଦା ପାଠକୀୟ ଆଦୃତି ପାଇଥିଲେ ମଧ୍ୟ କାହିଁକି ସେ ସବୁ ସଙ୍କଟ ଭିତରକୁ ଠେଲି ହୋଇଗଲେ ବା ଆଗକୁ ଯାଇପାରିଲେ ନାହିଁ! ସବୁ ବିଷୟ ସ୍ୱତନ୍ତ୍ର ଉପସ୍ଥାପନାରେ ପରେ କାରାଯାଇପାରେ । ଏତିକି କେବଳ ଏଠି କୁହାଯାଇ ପାରେ ଯେ ଓଡ଼ିଶାରେ ବିକଳ୍ପ ପ୍ରୟାସର ଏକ ବଳିଷ୍ଠ ପରମ୍ପରା ରହିଆସିଛି ଯଦିଓ ଏଠି ପଢ଼ିବାର ସଂସ୍କୃତିଟି ଅତି ଦୁର୍ବଳ । ଏହି ପୃଷ୍ଠଭୂମିଟିକୁ ଏଠି ଉପସ୍ଥାପନ କରିବାର କାରଣ ହେଉଛି ଯେ ‘ସମଦୃଷ୍ଟି’ର ପ୍ରକାଶନ ଅନନ୍ୟ ନୁହଁ ବରଂ ଏହା ଏକ ଧାରବାହିକତାକୁ ଇଙ୍ଗିତ କରୁଛି । ଏଥିପାଇଁ ‘ବିକଳ୍ପ ବିଚାର’ ଓ ବିକଳ୍ପ ସନ୍ଧାନୀ ମଞ୍ଚର ‘ଓଡ଼ିଆ ଓ ଓଡ଼ିଶା ସମୀକ୍ଷା’ ମଧ୍ୟ ଏକ ବଳିଷ୍ଠ ପୃଷ୍ଠଭୂମି ତିଆରି କରିଛନ୍ତି ଏବଂ ପ୍ରେରଣା ଦେଇଛନ୍ତି ।
‘ସମଦୃଷ୍ଟି’ର ଆରମ୍ଭ କେତେକଙ୍କୁ ଆକସ୍ମିକ ଜଣା ପଡ଼ୁଥିଲେ ବି ତାହା ଆଦୌ ଆକସ୍ମିକ ନଥିଲା । ଏଥିପାଇଁ ତିନି ଦଶନ୍ଧି ପୂର୍ବରୁ ନିଜ ଅଜାଣତରେ ଏକ ପ୍ରସ୍ତୁତି ପର୍ବ ହୁଏତ ଆରମ୍ଭ ହୋଇସାରିଥିଲା । ଜନଆନ୍ଦୋଳନ ଗୁଡ଼ିକୁ ଦୂରରେ ରହି ଦେଖିବା, ସେଥିରୁ ଶିଖିବା, ପ୍ରେରଣା ଗ୍ରହଣ କରିବା ଏବଂ ନିଜର ସୀମିତତା ଭିତରେ ସହଯୋଗର ହାତ ବଢ଼ାଇବା କାର୍ଯ୍ୟଟି ଛାତ୍ରଜୀବନରୁ ଆରମ୍ଭ ହୋଇ ସାରିଥିଲା । ଆମ ବିଶ୍ୱବିଦ୍ୟାଳରେ ଏକଦା ଅତି ସମ୍ମାନିତ ଏବଂ ପରିଚିତ ଥିବା ଚେହେରା କିଶନ ପଟ୍ଟନାୟକ ଏବଂ ତାଙ୍କ ସହଯୋଗୀ ଲିଙ୍ଗରାଜ ଭାଇଙ୍କର ଗନ୍ଧମାର୍ଦ୍ଦନ ଆନ୍ଦୋଳନ(୧୯୮୫)ରେ ସଂପୃକ୍ତି ଏହି ଆନ୍ଦୋଳନଟିକୁ ଆମ ପରିସରରେ ପରିଚିତ କରାଇଥିଲା । ଆନ୍ଦୋଳନର କାହାଣୀ ଶୁଣିବା, ବୁଝିବା, ଅନ୍ୟମାନଙ୍କୁ ବୁଝାଇବା ଏବଂ ତାହାର ସମର୍ଥନରେ ଚାଲିଥିବା ପ୍ରତିବାଦରେ ନିଜକୁ ସଂପୃକ୍ତ କରାଇବା ଇତ୍ୟାଦି କାମଗୁଡ଼ିକ ନିଜର ଦୃଷ୍ଟିଭଙ୍ଗିକୁ ଶାଣିତ କରାଇବାରେ ସାହାଯ୍ୟ କରିଥିଲା । ସେହିଭଳି ସେହି ବିଶ୍ୱବିଦ୍ୟାଳୟ ପରିସରରେ ଡଃ ସୁଜାତା ପଟେଲଙ୍କ ଦ୍ୱାରା ବୃତ୍ତଚିତ୍ର ପ୍ରଦର୍ଶନ, ଆଲୋଚନା ସଭା ଓ ଜନମତ ସଂଗ୍ରହ, ବାଲିଆପାଳ କ୍ଷେପଣାସ୍ତ୍ର ଘାଟି ବିରୋଧି ଆନ୍ଦୋଳନକୁ ଆମ ପାଖରେ ପହଞ୍ଚାଇ ଥିଲା । ଦିଲ୍ଲୀରେ ଓଡ଼ିଶାର ଜନଆନ୍ଦୋଳନ ଗୁଡ଼ିକ ସମ୍ପର୍କରେ ଜନମତ ସୃଷ୍ଟି କରିବାରେ ପ୍ରଫେସର ମନୋରଞ୍ଜନ ମହାନ୍ତିଙ୍କର ଏକ ବିଶେଷ ଭୂମିକା ଥିଲା । ୧୯୯୦ ମସିହାରେ ଓଡ଼ିଶା ଫେରିବା ପାଇଁ ଗୋଟିଏ ସୁଯୋଗ ମିଳିଥିଲା । ବିଶିଷ୍ଟ ଜନବିଜ୍ଞାନୀ ଡଃ ଏମ୍.ପି ପରମେଶ୍ୱରମ୍ ୨୦ଦିନ ପାଇଁ ଓଡ଼ିଶା ଗସ୍ତକରି ଏକ ରିପୋର୍ଟ ପ୍ରସ୍ତୁତକରି ତାଙ୍କୁ ଦେବାପାଇଁ ପରାମର୍ଶ ଦେଇଥିଲେ । ‘ସୃଜନିକା’ର ପ୍ରତିଷ୍ଠାତା ଅନ୍ୟତମ ବିଶିଷ୍ଟ ଜନବିଜ୍ଞାନୀ ଡଃ ନିଖିଲମୋହନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସହ ଗୋଟିଏ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିବା ପାଇଁ କୁହାଯାଇଥିଲା । ନିଖିଲ ଭାଇ ତାଙ୍କୁ ଦିଆଯାଇଥିବା ଦାୟିତ୍ୱଟିକୁ ପୂର୍ଣ୍ଣକାଳିନ ସମୟଦେଇ ତୁଲାଇବା ସ୍ଥିତିରେ ନଥିଲେ । ଡଃ ପରମେଶ୍ୱରଙ୍କ ନିର୍ଦ୍ଦେଶ ଆସିଲା ମୋତେ ଓଡ଼ିଶାରେ ରହି ସେହି କାମଟି କରିବାପାଇଁ । ୨୦ଦିନଟି ଏହି ଭିତରେ ୩୫ବର୍ଷରେ ପରିଣତ ହୋଇ ସାରିଛି । ପ୍ରାଥମିକ ପର୍ଯ୍ୟାୟରେ ଯେତେବେଳେ ସମଗ୍ର ରାଜ୍ୟର ବିଭିନ୍ନ ଅଞ୍ଚଳ ଯିବାପାଇଁ ସୁଯୋଗ ମିଳିଲା; ସେତେବେଳେ ‘ଗନ୍ଧମାର୍ଦ୍ଦନ’ ଓ ‘ବାଲିଆପାଳ’ ଅଞ୍ଚଳର ସଂଗ୍ରାମୀ ଲୋକମାନଙ୍କୁ ଭେଟି ସେମାନଙ୍କର କଥା ଶୁଣିବାପାଇଁ ସୁଯୋଗ ମିଳିଥିଲା । ତେବେ ଏହି ଆନ୍ଦୋଳନ ଦୁଇଟିର ଆଗ ଧାଡ଼ିରେ ଥିବା ନାରୀ ଓ ପୁରୁଷ ନେତୃତ୍ୱଙ୍କୁ ପ୍ରତ୍ୟକ୍ଷ ଭାବେ ଭେଟିବା ଓ ଶୁଣିବା ସମ୍ଭବପର ହୋଇଥିଲା ଯେତେବେଳେ ‘ବିକଳ୍ପ ସନ୍ଧାନୀ ମଞ୍ଚ’ର ବାର୍ଷିକ ଆଲୋଚନା ସଭାରେ ସେମାନେ ଭାଗ ନେଇଥିଲେ । ଓଡ଼ିଶା ଫେରିବାବେଳକୁ ‘ମିଟ୍ ଦି ଷ୍ଟୁଡ଼େଣ୍ଟସ୍’ ନାମରେ ଏକ ଛାତ୍ରଗୋଷ୍ଠି ଚିଲିକା ବଞ୍ଚାଅ ଆନ୍ଦୋଳନରେ ସକ୍ରିୟ ଥିବାକଥା ପ୍ରଫେସର ଡଃ ରାଧାନାଥ ରଥଙ୍କ ଠାରୁ ଶୁଣିଥିଲି । କିନ୍ତୁ ସେମାନଙ୍କୁ ପରେ ଭେଟିବାର ସୁଯୋଗ ମିଳିଥିଲା । ସେମାନଙ୍କ ଭିତରେ ପ୍ରାୟ ଅଧିକାଂଶ ‘ସମଦୃଷ୍ଟି’ପାଇଁ ଲେଖି ଆସୁଛନ୍ତି । ସାଥି କ୍ଷୀତିଶ ବିଶ୍ୱାଳଙ୍କ ଯୋଗୁ ଏହି ଆନ୍ଦୋଳନର ଚିଲିକାରେ ଥିବା ନେତା ମାନଙ୍କୁ ଭେଟିବାର ସୁଯୋଗ ମିଳିଥିଲା । ତେବେ ଜନଆନ୍ଦୋଳନ ଗୁଡ଼ିକର ପ୍ରସଙ୍ଗଗୁଡ଼ିକୁ ଯେତେ ସମ୍ବେଦନଶୀଳ ଓ ଯୁକ୍ତିଯୁକ୍ତ ଥିଲେ ବି ସମସାମୟିକ ଗଣମାଧ୍ୟମ ସେମାନଙ୍କୁ ପ୍ରାୟ ଅଣଦେଖା କରିଆସୁଥିଲେ । ନବେଦଶକ ପୂର୍ବରୁ ସଂଗଠିତ ଜନଆନ୍ଦୋଳନ ଗୁଡ଼ିକ ସାମ୍ନାରେ ରାଷ୍ଟ୍ର ତଥା ସରକାର ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀମାନେ ଶତ୍ରୁ ଭାବେ ଛିଡ଼ା ହୋଇଥିଲେ । ନବେଦଶକରେ ଅର୍ଥନୈତିକ ସଂସ୍କାର ବା ନବ ଉଦାରବାଦ ଅର୍ଥନୀତି ଆରମ୍ଭ ହେବାପରେ ସେମାନଙ୍କ ସାମ୍ନାକୁ ଶତ୍ରୁଭାବେ ଆସିଗଲେ ବହୁରାଷ୍ଟ୍ରୀୟ ବା ଦେଶୀୟ ବହୁରାଷ୍ଟ୍ରୀୟ ଖଣିକମ୍ପାନୀ ମାନେ । ରାକ୍ଷସ ସଦୃଶ ଏହି କମ୍ପାନୀମାନଙ୍କ ହାତମୁଠାରେ ରହିଲେ ରାଜନେତା, ପ୍ରଶାସକ, ପୋଲିସ, ଗଣମାଧ୍ୟମ ଏବଂ ଏକ ପ୍ରାଚୁର୍ଯ୍ୟମୟ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ମଧ୍ୟବିତ୍ତ ଶ୍ରେଣୀ । ଦକ୍ଷିଣଓଡ଼ିଶାର କାଶୀପୁରଠାରୁ ଆରମ୍ଭ କରି ଆଜିର ଗନ୍ଧମାର୍ଦ୍ଦନ ଯାଏଁ ଏହି ଲାଭଖୋର କମ୍ପାନୀମାନେ ରାଷ୍ଟ୍ର ଚଳାଉଥିବା ଶକ୍ତି ବା ବ୍ୟକ୍ତି ମାନଙ୍କୁ ଗୋଟିଏ ପଟେ ହାତମୁଠାରେ ରଖୁଥିବା ବେଳେ, ଅନ୍ୟପଟେ ସମାଜକୁ ପ୍ରଭାବିତ କରି ଏମାନଙ୍କ ପ୍ରତି ବୈଧତା ସୃଷ୍ଟି କରୁଥିବା କୁହାଳିଆ ମଧ୍ୟବିତ୍ତ ଶ୍ରେଣୀ ଓ ଗଣମାଧ୍ୟମକୁ ବ୍ରହ୍ମାସ୍ତ୍ର ଭଳି ବ୍ୟବହାର କରିବା ଆରମ୍ଭ କଲେ । ଏପରି ସମୟରେ ଲୋକଙ୍କ କଥା, ଲୋକଙ୍କ ବ୍ୟଥା ଓ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ନିର୍ଯାତନାର କାହାଣୀ କେମିତି ଅବଶିଷ୍ଟ ଜନଗଣଙ୍କୁ କୁହାଯାଇ ପାରିବ; ତାହା ଆମ ସମସ୍ତଙ୍କୁ ଚିନ୍ତିତ କରିରଖିଥିଲା । ପ୍ରଦୁ୍ୟମ୍ନ ବଳଙ୍କ ଭଳି ସମ୍ପାଦକ, ପ୍ରଗତିବାଦୀ ଏବଂ ପ୍ରଜାତନ୍ତ୍ର ଭଳି ଖବରକାଗଜ ଓ ସାମ୍ବାଦିକ ବିବେକାନନ୍ଦ ଦାସଙ୍କ ବ୍ୟକ୍ତିଗତ ପ୍ରୟାସ ଯୋଗୁଁ କିଛି ସମୟ ପାଇଁ ଜନଆନେ୍ଦାଳନ ଗୁଡ଼ିକୁ ନିଜକଥା ରଖିବା ପାଇଁ ସୁଯୋଗ ମିଳିଥିଲା । ଏହି ଖବରକାଗଜଗୁଡ଼ିକ ଚାପରେ ପଡ଼ି ପରେ ଜନଆନ୍ଦୋଳନ ଖବରଗୁଡ଼ିକୁ ଅଣଦେଖା କରିଚାଲିଲେ । ତଥାପି କୋଭିଡ଼୍ ସମୟରେ ଆମ ଗହଣରୁ ଚାଲିଯାଇଥିବା ବିବେକାନନ୍ଦ ଦାସ ନିଜର ପ୍ରୟାସ ଜାରି ରଖିଥିଲେ । ତାଙ୍କ ସହ ମିଶି ‘ଜନତନ୍ତ୍ର’ର ପରିକଳ୍ପନା କରିବା ପୂର୍ବରୁ ବନ୍ଧୁ ଭାସ୍କର ପରିଚ୍ଛାଙ୍କ ନିର୍ଦ୍ଦେଶନାରେ ୧୯୯୭ ମସିହାରେ ଆଞ୍ଚଳିକ ଦୂରଦର୍ଶନରେ ‘ଜାଗରଣ’ ଶୀର୍ଷକ ଏକ ଧାରାବାହିକ ଚାଲିଥିଲା । ତାଙ୍କ ସହ ଏକାଠି ମିଶି ବିସ୍ଥାପନ ତଥା ଜନଆନ୍ଦୋଳନର ପ୍ରସଙ୍ଗକୁ ନେଇ ଆମେ ୧୩ସପ୍ତାହ ଧରି ୧୩ଟି ଏପିସୋଡ଼୍ ଉପସ୍ଥାପନ କରିପାରିଥିଲୁ କିନ୍ତୁ ପ୍ରତ୍ୟେକ ସପ୍ତାହର ପ୍ରସାରଣ ପାଇଁ ଦୂରଦର୍ଶନକୁ ୨୦ହଜାର ଟଙ୍କା ଦେବା ସମ୍ଭବ ନ ହୋଇପାରିବା ଯୋଗୁଁ ଏହାର ପ୍ରସାରଣ ଆପେଆପେ ବନ୍ଦ ହୋଇଗଲା । କାଶୀପୁର ଜନଆନ୍ଦୋଳନ ଓ ନବରଙ୍ଗପୁର ଦଳିତସମାଜ ଆନ୍ଦୋଳନ ବେଳେ ‘ଓରିସା ୱାଚ୍’ ନାମରେ ଏକ ନିୟୁଜ୍ ଲେଟର ପ୍ରସ୍ତୁତ କରାଯାଇ ଓଡ଼ିଶାରେ ଜନଆନ୍ଦୋଳନ ଗୁଡ଼ିକ ଉପରେ ଚାଲିଥିବା ଦମନଲୀଳାର କାହାଣୀ ଇମେଲ୍ ମାଧ୍ୟମରେ ବାହାରକୁ ପଠାଯାଉଥିଲା । ଏହି କାମରେ ସହଯୋଗ କରୁଥିଲେ ନିଜ ପାଖରେ ଲାପ୍ ଟପ ଓ ଇଣ୍ଟରନେଟ ଥିବା ବନ୍ଧୁ କୁନ୍ଦନ କୁମାର । ସମସ୍ତ କାମ ରାତ୍ରଭୋଜନ ପରେ ଏବଂ ଭୋର ପୂର୍ବରୁ ସରୁଥିଲା । ବନ୍ଧୁ ତଥା ଅର୍ଥନୀତି ଗବେଷକ ଓ ଅଧ୍ୟାପକ ଅଶୋକ ବାବୁ ଏବଂ ବିଦ୍ୱାନ ରାଜେନ୍ଦ୍ର ଷଡ଼ଙ୍ଗୀଙ୍କ ଭଳି ଅତି ମୂଲ୍ୟବାନ ବନ୍ଧୁ ମିଳିବା ପରେ ଗୋଟିଏ ତିନିଜଣିଆ ଗୋଷ୍ଠି ସକ୍ରିୟ ଥିଲା । ସବୁ ପ୍ରସଙ୍ଗ ଉପରେ ଆଲୋଚନା ଓ ବିତର୍କ ହୋଇ କାର୍ଯ୍ୟକ୍ରମ ସ୍ଥିର କରାଯାଉଥିଲା । ଅଧିକ ଆଲୋଚନାର ଆବଶ୍ୟକ ପଡ଼ିଲେ ଡଃ ବୀରେନ୍ଦ୍ର ନାୟକଙ୍କ ଜୟଦେବ ବିହାରସ୍ଥିତ ବାସଭବନକୁ ରାଜେନ୍ଦ୍ରବାବୁ ଓ ମୁଁ ଯାଉଥିଲୁ । ଅଶୋକ ଦାଦା ସବୁବେଳେ ଗୁରୁତ୍ୱ ଦେଉଥିଲେ ଯେ ଜନଆନ୍ଦୋଳନ ହେଉ ବା ଜନପ୍ରତିବାଦ; ସେ ସବୁକୁ ଅଧିକ ଗ୍ରହଣୀୟ କରିବା ପାଇଁ ଆମକୁ ସଠିକ୍ ତଥ୍ୟପାଇଁ ଗବେଷଣା କରିବାକୁ ପଡ଼ିବ । କେବଳ କିଛି କାର୍ଯ୍ୟକ୍ରମର ପ୍ରସାରଣରେ ଆମେ ସନ୍ତୁଷ୍ଟ ହେବା ଉଚିତ୍ ନୁହଁ । ଜନଆନ୍ଦୋଳନରେ ତଥ୍ୟ ଓ ତର୍କକୁ କିଭଳି ଉପସ୍ଥାପନ କରାଯାଇପାରିବ, ତାହାର ଉଦାହରଣ ପ୍ରଫୁଲ୍ଲ ସାମନ୍ତରାୟଙ୍କ ଆବାହକତ୍ୱରେ ଏକଦା ଗୋପାଳପୁର ଟାଟାବିରୋଧି ଆନ୍ଦୋଳନ ବେଳେ ସକ୍ରିୟ ଥିବା ‘ଗୋପାଳପୁର ଉପକୂଳ ପରିବେଶ ସୁରକ୍ଷା କମିଟି’ର ମୁଖପତ୍ର ‘ଭଏସ୍ ଗୋପାଳପୁର’ରେ ଏକ ଉପାଦେୟ ଆଲେଖ୍ୟ ଉପସ୍ଥାପନ କରି ଆମର ଦୃଷ୍ଟି ଆକର୍ଷଣ କରିଥିଲେ ଡଃ ବୀରେନ୍ଦ୍ର ନାୟକ । ବିବେକ ବାବୁଙ୍କ ଦ୍ୱାରା ସମ୍ପାଦିତ ପ୍ରାୟ ସମସ୍ତ କାର୍ଯ୍ୟ ଆମର ‘ଇଣ୍ଡିପେଣ୍ଡେଟ୍ ମିଡ଼ିଆ’ର ଏନ୍-୪, ଆଇ.ଆର.ସି ଭିଲେଜ୍ କାର୍ଯ୍ୟାଳୟରୁ ଆରମ୍ଭ ହେଲାବେଳେ ଗବେଷଣା ଓ ତଥ୍ୟକୁ ଗୁରୁତ୍ୱ ଦେବା କଥାଟି ସବୁବେଳେ ଚର୍ଚ୍ଚାକୁ ଆସୁଥିଲା । ଅଶୋକ ବାବୁ, ରାଜେନ୍ଦ୍ର ବାବୁ ଓ ବେଳେବେଳେ ଭାସ୍କର ବାବୁଙ୍କୁ ନେଇ ଅନେକବାର ଏହି ସମ୍ବାଦପତ୍ରର ବିଷୟବସ୍ତୁକୁ ନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେଉଥିଲା । ବିଡ଼ମ୍ବନାର କଥାଯେ ବିବେକ ବାବୁଙ୍କର ଓ ‘ଜନତନ୍ତ୍ର’ର ଆକସ୍ମିକ ବିୟୋଗ ଘଟିଲା । ଅନେକ ପୂର୍ବରୁ ଅଶୋକ ବାବୁ ବି ଚାଲିଗଲେ । ‘ସମଦୃଷ୍ଟି’ରେ ଗବେଷଣାର ଦାୟିତ୍ୱଟି ନିଜଆଡ଼ୁ ନେଇ ଅନେକ ଉଚ୍ଚକୋଟିର ପ୍ରାବନ୍ଧ ଲେଖିଥିବା ବନ୍ଧୁ ରାଜେନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଚାଲିଗଲେ ।
ତେବେ ପୂର୍ବରୁ ହୋଇଥିବା ସମସ୍ତ ଉଦ୍ୟମ ଗୁଡ଼ିକର ଶିକ୍ଷଣୀୟ ଦିଗ ଗୁଡ଼ିକୁ ପୁଞ୍ଜିକରି ‘ସମଦୃଷ୍ଟି’ ଅତ୍ମପ୍ରକାଶ କରିଥିଲା । ଅନେକ ଆଲୋଚନା ଓ ବିତର୍କ ପରେ ଆମେ ନିଷ୍ପତ୍ତି ନେଇଥିଲୁ ଯେ କେବଳ ଏକ ପାକ୍ଷିକ ଖବର କାଗଜ ଆକାରରେ ପ୍ରକାଶ କରିବା ପାଇଁ ଆମେ ସାହସ କରିପାରିବା । ବନ୍ଧୁ ଭାସ୍କର ପରିଚ୍ଛା ହିଁ ଏହାର ନାମକରଣ ‘ସମଦୃଷ୍ଟି’ ରଖିବାପାଇଁ ପରାମର୍ଶ ଦେଇଥିଲେ । ନୂଆକରି ବାହାରୁଥିବା ତାଙ୍କ ନାମରେ ନାମିତ ଏକ ଦୈନିକ ଖବରକାଗଜର ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବାକୁ ପଡ଼ିବାରୁ ଏବଂ ମୋ ନିଜର ସ୍ୱାସ୍ଥ୍ୟ ସମସ୍ୟା ରହିବାରୁ ପତ୍ରିକା ପ୍ରକାଶନ କିଛି ମାସ ବିଳମ୍ବରେ ହୋଇଥିଲା । ପାକ୍ଷିକ ପତ୍ରିକାଟିକୁ ଅସୁବିଧାରେ ଥିବା ଲୋକମାନଙ୍କ ପାଖକୁ ପଠାଇବା ପାଇଁ ବନ୍ଧୁ ଅମର କନୱର୍ ତାଙ୍କର କିଛି ବନ୍ଧୁମାନଙ୍କ ମାଧ୍ୟମରେ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରଥମ ଦିନରୁ ହିଁ ଆମେ କୌଣସି ଆନୁଷ୍ଠାନିକ ସାହାଯ୍ୟ ଏବଂ କର୍ପୋରେଟ ବିଜ୍ଞାପନ ନେବୁ ନାହିଁ ବୋଲି ନିଷ୍ପତ୍ତି ନେଇଥିଲୁ । ଏହି ସିଦ୍ଧାନ୍ତଟି ଆପଣମାନଙ୍କ ସହଯୋଗ ଯୋଗୁଁ ଏଯାଏଁ ବଳବତ୍ତର ରହିଛି । ତେବେ ପତ୍ରିକାକୁ କିଣି ପଢ଼ିବା ପାଇଁ ଯେଉଁ ମାନଙ୍କର ଆଗ୍ରହ ଥିଲେ ବି ଅର୍ଥ ନାହିଁ; ସେମାନଙ୍କ ପାଇଁ ଯଦି କୌଣସି ଅନୁଷ୍ଠାନ ପତ୍ରିକାର ମୂଲ୍ୟ ଓ ସେମାନଙ୍କର ଠିକଣା ଆମକୁ ଦିଅନ୍ତି ଆମେ ସେହି କାର୍ଯ୍ୟଟି ଗ୍ରହଣ କରିବା ପାଇଁ ଇଚ୍ଛୁକ । ଅତୀତରେ କିଛି ଅନୁଷ୍ଠାନ ଓ ଟ୍ରଷ୍ଟ ଏହି କାମଟି କରୁଥିଲେ । କିନ୍ତୁ ଏବେ କିଛି ବର୍ଷ ହେଲା ଆମେ ଏଭଳି ଏକ ବ୍ୟବସ୍ଥା ପାଇଁ ଆଗ୍ରହ ଦେଖାଇ ପାରିନାହୁଁ । ତାହାର ଅନ୍ୟଏକ କାରଣ ହେଉଛି ଯେ ଆମେ ଛାପାମୂଲ୍ୟରେ ପତ୍ରିକା ଦେବା ଫଳରେ ପ୍ରକାଶନ ମୂଲ୍ୟଟି ପାଇପାରୁ ନାହୁଁ । ଅନ୍ୟପଟେ ପ୍ରକାଶନ ମୂଲ୍ୟରେ ପତ୍ରିକା କିଣିବା ପାଇଁ କେହି ଆଗ୍ରହୀ ହେବେ ନାହିଁ ବୋଲି ବିଭିନ୍ନ ଅଞ୍ଚଳରୁ ଆମକୁ ଚେତାବନୀ ଶୁଣାଇ ଦିଆଯାଇଛି । ଏବେ ଯେଉଁ ଛାପାମୂଲ୍ୟ ଓ ପ୍ରକାଶନ ମୂଲ୍ୟ ଭିତରେ ନିଅଂଟିଆ ପରିସ୍ଥିତିଟି ରହିଛି ତାକୁ ଭରଣା କରିବା ପାଇଁ ଏବଂ ଆମର ଅନ୍ୟାନ୍ୟ ସବୁ ପ୍ରୟାସକୁ ଆଗକୁ ନେବାପାଇଁ କିଛି ନିଷ୍ଠାପର ବନ୍ଧୁ ଓ ଲେଖକ ସାହାଯ୍ୟ କରିଆସିଛନ୍ତି । ଆମର ଆଶା ଏହି ସଂଖ୍ୟାଟି ଆଗାମୀ ଦିନରେ ବଢ଼ିବ ଏବଂ ‘ସମଦୃଷ୍ଟି’କୁ ଗୁଣାତ୍ମକ ଭାବେ ଦୀର୍ଘଜୀବୀ ହେବାରେ ସାହାଯ୍ୟ କରିବ । କିଛି ସମ୍ମାନଷ୍ପଦ ଲେଖକଙ୍କ ପାଇଁ ଆମ ପତ୍ରିକାଟି ମଧ୍ୟ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ଲେଖାରେ ହେଉ ବା ସହଯୋଗରେ ହେଉ; ସେମାନେ ଯେ ‘ସମଦୃଷ୍ଟି’ପ୍ରତି ପାଠକୀୟ ଆଦର ସଂଗ୍ରହ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସିଛନ୍ତି, ସେମାନେ ସେକଥାଟିକୁ କେବେ ନିଜ ଆଡ଼ୁ କାହା ଆଗରେ ଦାବି କରନ୍ତି ନାହିଁ । ଏଭଳି ବିନମ୍ର ମଣିଷଙ୍କ ପାଖରେ ‘ସମଦୃଷ୍ଟି’ ସବୁବେଳେ କୃତଜ୍ଞ ।
‘ସମଦୃଷ୍ଟି’କୁ ୨୦ବର୍ଷଧରି ଅନବରତ ପ୍ରକାଶ କରାଇ ଆସିଥିବାରେ ପ୍ରମୁଖ ଭୂମିକା ନେଇଆସିଛନ୍ତି ଏହାର କାର୍ଯ୍ୟନିର୍ବାହୀ ସମ୍ପାଦକ ଶ୍ରୀ ବିଘ୍ନେଶ୍ୱର ସାହୁ । ମୁଖ୍ୟସ୍ରୋତର ଖବରକାଗଜ ପୃଷ୍ଠଭୂମିରୁ ଆସି ‘ସମଦୃଷ୍ଟି’ ଭଳି ସମ୍ବାଦପତ୍ରିକାର ନେତୃତ୍ୱ ନେଇ ଆସିଥିବା ବିଘ୍ନେଶ୍ୱରଙ୍କୁ କିଛି ଖବରକାଗଜ ନିଜ ଆଡ଼କୁ ଆଣିବା ପାଇଁ ଆଗ୍ରହ ମଧ୍ୟ ଦେଖାଇଛନ୍ତି । କିନ୍ତୁ କୌଣସି ଆକର୍ଷଣ ଏବଂ ପ୍ରଲୋଭନକୁ ଭ୍ରୂକ୍ଷେପ ନକରି ନିଜର ସମସ୍ତ ବ୍ୟକ୍ତିଗତ ଅସୁବିଧାକୁ ବିନା ଦ୍ୱିଧାରେ ଗ୍ରହଣ କରି ସେ ନିଜର କାମଟିକୁ ନିଷ୍ଠାପର ଭାବେ ଜାରି ରଖିଛନ୍ତି । ଏଠି ଉଚିତ୍ ହେବ ଏହି କଥାଟି କହିବା ପାଇଁ ଯେ ଗତ ୨୦ବର୍ଷ ଧରି ଶିକ୍ଷାପ୍ରକାଶନୀ/ଶିକ୍ଷାସନ୍ଧାନ ଆମକୁ ପ୍ରଧାନ୍ୟ ଦେଇ ମୁଦ୍ରଣରେ ସହଯୋଗ କରିଆସିଛନ୍ତି । ତେବେ କେବଳ ମୁଁ ବା ଆମର ଅନ୍ୟ ସାଥିମାନେ ନୁହଁ; ଆପଣମାନେ ସମସ୍ତେ ସହଯୋଗର ହାତ ବଢ଼ାଇଲେ ହିଁ ‘ସମଦୃଷ୍ଟି’ ଆଗକୁ ଯାଇପାରିବ । ଏଠି ଏହି କଥା କହିବାର ହୁଏତ ଆବଶ୍ୟକତା ନାହିଁ ଯେ ଅଣକର୍ପୋରେଟ୍ ଗଣମାଧ୍ୟମ ଆଜିର ସମୟରେ ତିଷ୍ଠି ରହିବା ଆମ ସମସ୍ତଙ୍କ ପାଇଁ କେତେ ଜରୁରୀ । ନିଜ ଆୟରୁ ବା ନିଜ ଦରମାରୁ ଅଥବା ନିଜ ପେନ୍ସନ୍ରୁ ନିୟମିତ ଭାବେ କିଛି ଅଂଶ ଆମେ ଯଦି ‘ସମଦୃଷ୍ଟି’କୁ ଦେଇପାରିବା, ତେବେ ଏହି କାମଟି ଟିକିଏ ସହଜ ହେବ । ଆମେ ସେମାନଙ୍କ ପାଖରେ ଅଧିକ କୃତଜ୍ଞ ଯେଉଁମାନେ ଗ୍ରାହକ ପାଉଣା ସହିତ ନିଜ ପେନସନ ବା ନିଜର ସ୍ୱଳ୍ପ ଆୟରୁ କିଛି ଅଧିକ ସହଯୋଗ ନିୟମିତ ଭାବେ କରି ଆସୁଛନ୍ତି । ଆମର ଆଶା ଓ ବିଶ୍ୱାସ ଏହି ସଂଖ୍ୟାଟି ବଢ଼ିବାରେ ଅନ୍ୟମାନେ ଆମକୁ ସହଯୋଗ କରିବେ । ଆଶା କରୁଛି ବର୍ତ୍ତମାନ ସୁଦ୍ଧା ଆପଣ ବୁଝି ସାରିଥିବେ ଯେ ‘ସମଦୃଷ୍ଟି’ର ଭବିଷ୍ୟତ ଆପଣଙ୍କ ହାତରେ ।
Comments
0 comments