ନେହରୁଙ୍କ ସମ୍ପର୍କରେ ନେହରୁଙ୍କ ଚେତାବନୀ

ଶିରୋନାମାଟି ଚକିତ କରିପାରେ । କିନ୍ତୁ ଏହା ସତ୍ୟ । ନିଜେ ନେହରୁ ନିଜ ସମ୍ପର୍କରେ ଏକ ଚେତାବନୀକୁ ସାର୍ବଜନୀନ କରିଥିଲେ । କହିଥିଲେ, ‘ଆମେ ସିଜରମାନଙ୍କୁ ଚାହୁଁ ନା ।’ ଯଦିଓ ଏଥିପାଇଁ ସେ ଏକ ଛଦ୍ମନାମ ଧାରଣ କରିଥିଲେ । ନାଁ ଟି ଥିଲା ‘ଚାଣକ୍ୟ’ । ଜବାହାରଲାଲ ନେହରୁ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହେବାର ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସେ ଏକ ନିବନ୍ଧରେ ନିଜ ସମ୍ପର୍କରେ ସତର୍କ ବାଣୀ ଶୁଣାଇଥିଲେ । ସେତେବେଳେ ସେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ଥିଲେ, ଯାହାଙ୍କୁ ରାଷ୍ଟ୍ରପତି କୁହାଯାଉଥିଲା । ଏହା ପୂର୍ବରୁ ସେ ଦୁଇଥର କଂଗ୍ରେସ ସଭାପତି ହୋଇଥିଲେ । ତେବେ ନିବନ୍ଧଟିର ଶିରୋନାମା ଥିଲା ‘ରାଷ୍ଟ୍ରପତି’, ଯାହାର ଲେଖକ ଥିଲେ ‘ଚାଣକ୍ୟ’ ଓ ଏହା ପ୍ରକାଶ ପାଇଥିଲା ରାମାନନ୍ଦ ଚାଟାର୍ଜୀ ସମ୍ପାଦିତ, କଲିକତାରୁ ପ୍ରକାଶିତ The Modern Review ର ନଭେମ୍ବର ୧୯୩୭ ସଂଖ୍ୟାରେ୧(ପୃ ୫୨୦-୫୨୩) । ଏହି ପରି ଛଦ୍ମନାମରେ ଜବାହାରଲାଲ ନିବନ୍ଧଟି ଲେଖିଛନ୍ତି ବୋଲି ପ୍ରକାଶ ପାଇବା ପୂର୍ବରୁ କେବଳ ପଦ୍ମଜା ନାଇଡୁ ହିଁ ଜାଣିଥିଲେ ଓ ଏହା ପଦ୍ମଜାଙ୍କୁ ଜବାହାରଲାଲ ନିଜେ ଜଣାଇଥିଲେ ୫/୧୦/୧୯୩୭ରେ ଲିଖିତ ଏକ ପତ୍ରରେ ଓ ଅନୁରୋଧ କରିଥିଲେ ଆଉ କାହାରିକୁ ନ ଜଣାଇବା ପାଇଁ ଯେ ଏହାକୁ ସେ ଲେଖିଛନ୍ତି ତାହା ନ ହେଲେ ‘ଏହାର ମଜା ଚାଲିଯିବ’ ୧(ପୃ ୫୧୮) (‘this would take bloom off’) । ଅବଶ୍ୟ କ୍ରୀଷ୍ଣା କ୍ରିପାଲିନୀଙ୍କୁ ପରେ ଏକ ପତ୍ରରେ(୩/୬/୧୯୩୮) ଜବାହାରଲାଲ ଜଣାଇଥିଲେ ଯେ ଏହି ନିବନ୍ଧର ସେ ହେଉଛନ୍ତି ଲେଖକ ଯାହା ସମ୍ପାଦକ ରାମାନନ୍ଦ ବାବୁ ମଧ୍ୟ ଜାଣି ନ ଥିଲେ । କାହିଁକି ସେ ଛଦ୍ମନାମରେ ନିବନ୍ଧ ଲେଖିଲେ? ତାଙ୍କରି ଭାଷାରେ ୧(ପୃ ୫୨୫), “ଲୋକଙ୍କ ପ୍ରତିକ୍ରିୟା ଦେଖିବାକୁ ଏକ ବେନାମୀ ନିବନ୍ଧ ଲେଖିବା ମୋର ଏକ ହୀନ କୈାଶଳ (lowdown trick) ଥିଲା” (“It was a lowdown trick on my part to write anonymously thus in order to watch people’s reactions.”) ନିବନ୍ଧଟି ବୀରେନ୍ଦ୍ର ନାୟକଙ୍କ ଅନୁବାଦରେ ଏହିପରି ।

“ରାଷ୍ଟ୍ରପତି

ଚାଣକ୍ୟ

ରାଷ୍ଟ୍ରପତି ଜବାହାରଲାଲଙ୍କର ଜୟ । ଉପରକୁ ଅନାଇ କ୍ଷିପ୍ର ଗତିରେ ଯାଉଥିଲେ ରାଷ୍ଟ୍ରପତି ଅପେକ୍ଷା କରିଥିବା ଜନତାଙ୍କ ଭିତରେ,ତାଙ୍କ ହାତ ଦୁଇଟି ଯୋଡି ହୋଇ ଉପରକୁ ଉଠି ଥିଲା ନମସ୍କାର ମୁଦ୍ରାରେ, ଏବଂ ତାଙ୍କର ଶେତା(pale) ପଡିଥିବା ଟାଣ ମୁହଁ ଆଲୋକିତ ହୋଇ ଉଠୁ ଥିଲା ଏକ ସ୍ମିତ ହାସ୍ୟରେ । ଏହା ଥିଲା ଉଷ୍ମ ବ୍ୟକ୍ତିଗତ ହସ, ଏବଂ ଯେଉଁ ଲୋକମାନେ ଏହା ଦେଖୁଥିଲେ ସେମାନେ ଏହାକୁ ଦେଖି ଉଲ୍ଲସିତ ହୋଇ ଧ୍ୱନି ଦେଉଥିଲେ ଓ ପ୍ରତିଅଭିବାଦନ ଜଣାଉ ଥିଲେ ।

ସେ ହସ ଉଭେଇ ଗଲା ଓ ମୁଖମଣ୍ଡଳ ପୁଣି ଟାଣ ଓ ଦୁଃଖୀ ଦେଖାଗଲା, ଆବେଗ ଶୂନ୍ୟ ହୋଇ ଯାଇଥିଲା ଜନତାଙ୍କ ମଧ୍ୟରେ ସେ ଜାଗ୍ରତ କରାଇଥିବା ଭାବାବେଗ ମଧ୍ୟରେ । ଏହା ପ୍ରାୟ ଜଣାପଡୁଥିଲା ଯେ ସେହି ହସ ଓ ଏହା ସହିତ ଯୋଡା ଅଂଗଭଂଗୀ ପଛରେ ବାସ୍ତବିକତା କିଛି ନାହିଁ ; ଏହା କେବଳ ବ୍ୟବସାୟିକ କୈାଶଳ, ସଦିଚ୍ଛା ପାଇବା ପାଇଁ ଜନତାର ଯାହାର ସେ ହୋଇ ଯାଇଛନ୍ତି ଅତିପ୍ରିୟ । କିନ୍ତୁ ଏହା କଣ ବାସ୍ତବରେ?

ପୁଣି ଥରେ ତାଙ୍କୁ ଲକ୍ଷ୍ୟ କର । ଦେଖ ସେଠାରେ ଏକ ବିରାଟ ଶୋଭାଯାତ୍ରା । ହଜାର ହଜାର ଲୋକ ତାଙ୍କ ଗାଡିକୁ କିପରି ଘେରି ରହିଛନ୍ତି ଓ ବେପରୁଆ ଉଲ୍ଲାସରେ ତାଙ୍କୁ ଉତ୍ସାହିତ(cheer) କରୁଛନ୍ତି । ସେ ଗାଡିର ସିଟ ଉପରେ ଠିଆ ହୋଇଛନ୍ତି, ବରଂ ଭଲ ଭାବେ ରକ୍ଷା କରିଛନ୍ତି ଭାରସାମ୍ୟ, ସଳଖ ଓ ପ୍ରାୟ ଡେଂଗା, ଜଣେ ଦେବତାଙ୍କ ପରି, ଶାନ୍ତ ଓ ଅବିଚଳିତ, ଉତ୍ତେଜିତ ଭିଡ (seething multitude)ଭିତରେ । ହଠାତ୍ ତାଙ୍କ ମୁଖମଣ୍ଡଳରେ ସେହି ହସ ଫୁଟି ଉଠିଲା, ଏକ ଖୋଲା ହସ ଯାହା ଭାଂଗିଦେଲା ଚାପା ଉତ୍ତେଜନା, ଏବଂ ଭିଡ(crowd) ମଧ୍ୟ ତାଙ୍କ ସହିତ ହସିଲା , ଅବଶ୍ୟ ନ ଜାଣି ଯେ କାହାକୁ ଲକ୍ଷ୍ୟ କରି ସେ ହସୁଛି । ଆଉ ସେ ଦେବତା ଭଳି ଦିଶୁ ନ ଥିଲେ । ବରଂ ଦିଶୁ ଥିଲେ ସାଧାରଣ ମଣିଷ ଭଳି, ତାଙ୍କୁ ଘେରି ରହିଥିବା ହଜାର ହଜାର ମଣିଷଙ୍କ ଭିତରେ, ଯେପରି କି ସେମାନଙ୍କର ସେ ବନ୍ଧୁ , ସେମାନଙ୍କର ଆତ୍ମୀୟ । ଏବଂ ଭିଡ ମଧ୍ୟ ଖୁବ ପ୍ରସନ୍ନ ମନେ ହେଉଥିଲା, ତାଙ୍କ ସହ ବନ୍ଧୁତ୍ୱ ଦେଖାଉଥିଲା , ଯେପରି କି ନିଜ ହୃଦୟ ଭିତରେ ତାଙ୍କୁ ଧରି ରଖିଥିଲା । କିନ୍ତୁ ହସ ଅନ୍ତର୍ଦ୍ଧାନ ହୋଇଗଲା, ମୁଖମଣ୍ଡଳ ପୁଣି ଶେତା ପଡିଗଲା, ଓ ଟାଣ ହୋଇଗଲା ।

ଏହା କ’ଣ ଏକ ଜନନେତା ପାଇଁ ସ୍ୱାଭାବିକ ନା ଏକ ସୁଚିନ୍ତିତ କୈାଶଳ ? ବୋଧହୁଏ ଏହା ଉଭୟ , ବହୁ ଦିନର ଅଭ୍ୟାସ ଏବେ ଦ୍ୱିତୀୟ ପ୍ରକୃତି (second nature) ହୋଇଯାଇଛି । ସବୁଠାରୁ ପ୍ରଭାବୀ ଭଂଗୀମା ହେଉଛି ଯେଉଁଥିରେ ଅଂଗଭଂଗୀମାର ଉଦ୍ୟମ ଅତି କମ ହୋଇଥାଏ ଏବଂ ଜବାହାରଲାଲ ଖୁବ ଭଲ ଭାବରେ ଅଭିନୟ କରି ଜାଣନ୍ତି ମୁହଁରେ ବୋଳି ନ ହୋଇ ଅଭିନେତାର ରଂଗ ଓ ପାଉଡର । ବେପରୁଆ ଅନାସକ୍ତ ଭାବ ପ୍ରଦର୍ଶନ କରି ସେ ଜନତାଙ୍କ ମଂଚରେ ଏକ ପରିପୂର୍ଣ୍ଣ କଳାତ୍ମକତାର ( consumate artistry) ସହିତ ଅଭିନୟ କରିଥାନ୍ତି । ଏହା କେଉଁଆଡକୁ ନେଇଯିବ ତାଙ୍କୁ ଓ ଦେଶକୁ ? ତାଙ୍କର ଲକ୍ଷ୍ୟ ଗୁଡିକରେ ସ୍ପଷ୍ଟତାର ଅଭାବ ଦେଖାଯାଉଥିବା ବେଳେ ସେ କେଉଁ ଲକ୍ଷ୍ୟକୁ ଦୃଷ୍ଟିରେ ରଖିଛନ୍ତି? ତାଙ୍କର ଏହି ମୁଖା ପଛରେ କଣ ରହିଛି, କେଉଁ ବାସନା ରହିଛି, କ୍ଷମତା ହାସଲ ପାଇଁ କେଉଁ ଇଚ୍ଛା ରହିଛି, କେଉଁ ଅତୃପ୍ତ ଆକାଂକ୍ଷା ରହିଛି?

ଯେ କୈାଣସି ପରିସ୍ଥିତିରେ ଏହି ପ୍ରଶ୍ନ ଗୁଡିକ ବେଶ ରୋଚକ କାରଣ ଜବାହାରଲାଲଙ୍କର ବ୍ୟକ୍ତିତ୍ୱ ଏପରି ଯେ ତାହା ବାଧ୍ୟକରେ ତାଙ୍କ ପ୍ରତି ଆଗ୍ରହ ଓ ଧ୍ୟାନ । କିନ୍ତୁ ଏହି ପ୍ରଶ୍ନ ଗୁଡିକର ବିଶେଷତ୍ୱ ଆମ ପାଇଁ ରହିଛି କାରଣ ସେ ଭାରତର ବର୍ତମାନ ଓ ସମ୍ଭବତଃ ଭବିଷ୍ୟତ ସହ ବାନ୍ଧି ହୋଇ ରହିଛନ୍ତି, ଏବଂ ତାଙ୍କର କ୍ଷମତା ରହିଛି ସେ ଭାରତର ବହୁତ ଭଲ କରିପାରନ୍ତି ବା ବହୁତ କ୍ଷତି ମଧ୍ୟ । ତେଣୁ ଏହି ପ୍ରଶ୍ନ ଗୁଡିକର ଉତ୍ତର ଆମେ ନିଶ୍ଚିତ ଚାହିଁବା ।

ଆଜକୁ ଦୁଇ ବର୍ଷ ହେଲାଣି ସେ କଂଗ୍ରେସର ସଭାପତି ଅଛନ୍ତି ଏବଂ କିଛି ଲୋକ ଭାବନ୍ତି ଯେ ସେ କଂଗ୍ରେସ କାର୍ଯ୍ୟକାରିଣୀ କମିଟିର କେବଳ ଜଣେ ଶିବିର ଅନୁଯାୟୀ(camp-follower) ଅଟନ୍ତି, ଯିଏ ଅନ୍ୟମାନଙ୍କର ଚାପ ଭିତରେ ଅବା ନିୟନ୍ତ୍ରଣରେ ରହିଛନ୍ତି । ତଥାପି ସେ ତାଙ୍କର ବ୍ୟକ୍ତିଗତ ପ୍ରତିଷ୍ଠା ଏବଂ ପ୍ରଭାବକୁ ଉଭୟ ଜନଗଣଙ୍କ ମଧ୍ୟରେ ଓ ସବୁ ପ୍ରକାର ଗୋଷ୍ଠୀଙ୍କ ମଧ୍ୟରେ ଧୀର ସ୍ଥିର ଭାବେ ନିରନ୍ତରତାର ସହ ବଢାଇ ଚାଲିଛନ୍ତି । ସେ ଯାଉଛନ୍ତି କୃଷକ ଏବଂ ଶ୍ରମିକଙ୍କ ପାଖକୁ, ଜମିଦାର ଏବଂ ପୁଂଜିପତିଙ୍କ ପାଖକୁ, ଦୋକାନୀ ଏବଂ ଫେରିବାଲାଙ୍କ ପାଖକୁ, ବ୍ରାହ୍ମଣ ଏବଂ ଅସ୍ପୃଶ୍ୟଙ୍କ ପାଖକୁ, ମୁସଲମାନ, ଶିଖ, ଖ୍ରିଷ୍ଟିଆନ, ୟୁହିଦୀଙ୍କ ପାଖକୁ, ସେ ସମସ୍ତଙ୍କ ପାଖକୁ ଯାହାଙ୍କୁ ନେଇ ସୃଷ୍ଟି ହୋଇଛି ଭାରତୀୟ ସମାଜରେ ବହୁ ବିବିଧତା ଭରା ଜୀବନ । ଏମାନଙ୍କ ସହ ସେ ସାମାନ୍ୟ ଭିନ୍ନ ଭାଷାରେ କଥା ହୋଇଥାନ୍ତି ଓ ସବୁବେଳେ ଚେଷ୍ଟା କରିଥାନ୍ତି ଏମାନଙ୍କୁ ନିଜ ପଟକୁ ଜିଣିନେବା ପାଇଁ । ତାଙ୍କର ଏ ବୟସରେ ସେ ଆଶ୍ଚର୍ଯ୍ୟଜନକ ତେଜର ସହ ଏ ବିଶାଳ ଭାରତ ଭୂଖଣ୍ଡରେ ତୀବ୍ରଗତିରେ ବିଚରଣ କରୁଛନ୍ତି ଏବଂ ସବୁଠାରେ ତାଙ୍କର ହେଉଛି ଜନତାଙ୍କ ଦ୍ୱାରା ଅସାଧାରଣ ସ୍ୱାଗତ । ସୁଦୂର ଉତ୍ତରରୁ ନେଇ କେପ୍ କୋମୋରିନ (କନ୍ୟାକୁମାରୀ) ପର୍ଯ୍ୟନ୍ତ ସେ ଯାଇଛନ୍ତି କୈାଣସି ବିଜୟୀ ସିଜର(Caesar)ଙ୍କ ପରି, ଅନେକ ଗୈାରବର ଚିହ୍ନ ଏବଂ କିମ୍ବଦନ୍ତୀ ପଛରେ ଛାଡି । ଏ ସବୁ କଣ କେବଳ ତାଙ୍କର ସାମୟିକ ଖିଆଲ ଯାହା ତାଙ୍କୁ ଆମୋଦିତ କରୁଛି, ବା କୈାଣସି ଏକ ଗଭୀର ଫନ୍ଦି(design) ବା କୈାଣସି ଏକ ଶକ୍ତିର ଖେଳ ଯାହା ସେ ନିଜେ ଜାଣନ୍ତି ନାହିଁ ? ଏହା କଣ ତାଙ୍କର କ୍ଷମତା ପାଇଁ ଅଭିଳାଷ ଯାହା ସମ୍ପର୍କରେ ସେ ତାଙ୍କର ଆତ୍ମଜୀବନୀ(Autobiography)ରେ କହିଛନ୍ତି, ଯାହା ତାଙ୍କୁ ଗୋଟିଏ ଭିଡରୁ ଆଉ ଗୋଟିଏ ଭିଡକୁ ଟାଣି ନେଉଛି ଏବଂ ତାଙ୍କୁ ସ୍ୱଗତୋକ୍ତି କରାଉଛି:

ଏ ଜନ ସମୁଦ୍ରର ଜୁଆରକୁ ମୁଁ ଆଣିଛି ଟାଣି ମୋ ହାତ ଭିତରକୁ

ଏବଂ ଲେଖିଛି ମୋ ଇଚ୍ଛାପତ୍ର ଆକାଶରେ, ତାରକା ମାନଙ୍କ ଭିତରେ ।

କଣ ହେବ ଯଦି ଖିଆଲ ବଦଳି ଯାଏ ? ଜବାହାରଲାଲଙ୍କ ପରି ବ୍ୟକ୍ତିମାନେ ମହାନ ଓ ଭଲ କାର୍ଯ୍ୟ କରିବାରେ ସେମାନଙ୍କର ସମସ୍ତ ସାମର୍ଥ୍ୟ ସହ, ସେମାନେ ଗଣତନ୍ତ୍ରରେ ନିରାପଦ ନୁହନ୍ତି । ସେ ନିଜକୁ ଗଣତାନ୍ତ୍ରିକ ଓ ସମାଜବାଦୀ ବୋଲି କୁହନ୍ତି ଏବଂ ନିଃସନ୍ଦେହ ଏହା ସେ ସମସ୍ତ ଆନ୍ତରିକତାର ସହ କରନ୍ତି । କିନ୍ତୁ ସବୁ ମନସ୍ତତତ୍ୱବିଦ୍ ଜାଣନ୍ତି ଯେ ମସ୍ତିଷ୍କ ଶେଷକୁ ହୃଦୟର ଭୃତ୍ତ୍ୟ, ଏବଂ ସବୁବେଳେ ତର୍କ ଦେଇ ହେବ ମଣିଷର ଆଶା ଓ ଅଦମ୍ୟ ଅଭିଳାଷକୁ ସୁହାଇଲା ଭଳି । (ତର୍କରେ)ସାମାନ୍ୟ ମୋଡ (twist), ଏବଂ ଜବାହାରଲାଲ ହୋଇ ଯାଇପାରନ୍ତି ଏକଛତ୍ରବାଦୀ , ମନ୍ଥର ଗତିରେ ଆଗୋଉ ଥିବା ଗଣତନ୍ତ୍ରର ସମସ୍ତ ସାଜସଜ୍ଜା (paraphernalia)କୁ ଗୋଟିଏ ପଟକୁ ଝାଟେଇ ଦେଇ(sweeping aside) । ତଥାପି ସେ ବ୍ୟବହାର କରୁଥିବେ ଗଣତନ୍ତ୍ର ଏବଂ ସମାଜବାଦର ଭାଷା ଓ ଆହ୍ୱାନ । କିନ୍ତୁ ଆମେ ସମସ୍ତେ ଜାଣୁ କିପରି ଏହିପରି ଭାଷା ଉପରେ ହିଁ ଫାସୀବାଦ ନିଜକୁ ମାଂସଳ(fatten) କରିଛି ଏବଂ ପରେ ଏହାକୁ ଏକ ଅନାବଶ୍ୟକ କାଠଗଡ ପରି ଫୋପାଡି ଦେଇଛି ।

ଜବାହାରଲାଲ ନିଶ୍ଚିତ ଭାବେ ଫାସୀବାଦୀ ନୁହନ୍ତି, କେବଳ ପ୍ରତୀତି(conviction)ରେ ନୁହେିଁ ସ୍ୱଭାବ(temperament)ରେ ମଧ୍ୟ । ସେ ଏତେ ମାତ୍ରାରେ କୁଳୀନ (aristrocrat) ଯେ ତାହା ଗ୍ରହଣ କରିପାରେନା ଫାସୀବାଦର ଅସଭ୍ୟତା ଓ ଅଶ୍ଳୀଳତା । ତାଙ୍କର ମୁଖମଣ୍ଡଳ ଏବଂ ସ୍ୱର କୁହେ:

“ସାର୍ବଜନିକ ସ୍ଥାନରେ (public places) ବ୍ୟକ୍ତିଗତ (private) ଚେହେରା

ଦିଶେ ଅଧିକ ଭଲ ଏବଂ ସୁନ୍ଦର

ବ୍ୟକ୍ତିଗତ ସ୍ଥାନରେ ସାର୍ବଜନିକ ଚେହରା ଠାରୁ”

ଫାସୀବାଦୀ ଚେହରା ଏକ ସାର୍ବଜାନିକ ଚେହରା (public face) ଏବଂ ଏହା ପ୍ରୀତିକର ଚେହେରା ନୁହେଁ ଲୋକଙ୍କ ଭିତରେ ଅବା ଘରୋଇ ଭାବରେ(public or private) । ଜବାହାରଲାଲଙ୍କ ଚେହେରା ଏବଂ ସ୍ୱର ନିଶ୍ଚିତ ଭାବରେ ବ୍ୟକ୍ତିଗତ ଥିଲା । ଏହା ଭୁଲ ହୋଇପାରେନା ଯେ ଏପରିକି ଭିଡ ଭିତରେ, ଏବଂ ସାର୍ବଜନିକ ସଭାରେ ତାଙ୍କର ସ୍ୱର ଅତ୍ୟନ୍ତ ଆନ୍ତରିକ ହେଉଥିଲା ସତେ ଯେପରି ସଭାରେ ଉପସ୍ଥିତ ସମସ୍ତଙ୍କ ସହ ସେ ଅଲଗା ଅଲଗା ବ୍ୟକ୍ତିଗତ ସ୍ତରରେ ଘରୋଇ ବିଷୟ କଥାବାର୍ତା ହେଉଛନ୍ତି । ଜଣେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ପାରେ ତାଙ୍କୁ ଶୁଣିବା ପରେ ବା ତାଙ୍କର ସମ୍ବେଦନଶୀଳ ମୁଖମଣ୍ଡଳ ଦେଖିବା ପରେ, ଯେ ଏହା ପଛରେ କଣ ରହିଛି, କେଉଁ ଭାବନା ଓ ଅଭିଳାଷ ରହିଛି, କେଉଁ ବିଚିତ୍ର ଜଟିଳତା ଏବଂ ନିଗ୍ରହ(complexes and repressions)ରହିଛି, କେଉଁ ଆବେଗକୁ ଦବାଇ ଦିଆଯାଇଛି ଓ ଶକ୍ତିରେ ପରିଣତ କରାଯାଇଛି, କେଉଁ ଲାଳସା ରହିଛି ଯାହାକୁ ସେ ନିଜେ ସାହସ କରନ୍ତି ନାହିଁ ସ୍ୱୀକାର କରିବା ପାଇଁ । ସର୍ବସାଧାରଣ ବକ୍ତୃତାରେ ତାଙ୍କୁ ଧରି ରଖିଥାଏ ତାଙ୍କ ବିଚାରର ଶୃଂଖଳା(train of thoughts), କିନ୍ତୁ ଅନ୍ୟ ସମୟରେ ତାଙ୍କର ଚାହାଣୀ ଏହା ପ୍ରକଟ କରେ, କାରଣ ତାଙ୍କ ମସ୍ତିଷ୍କରେ ପଶିଥାଏ ଅଦ୍ଭୂତ ଭାବନା ଓ ଖିଆଲ ଏବଂ ସେ କିଛି ସମୟ ପାଇଁ ପାଶୋର ହୋଇଯାଆନ୍ତି ତାଙ୍କର ସାଥୀଙ୍କୁ ଓ ଆରମ୍ଭ କରିଦେଇଥାନ୍ତି ମସ୍ତିଷ୍କରେ ଚାଲୁଥିବା ଜୀବ(creatures)ଙ୍କ ସହିତ ନୀରବ କଥୋପକଥନ । ସେ କଣ ସେହି ମାନବୀୟ ସମ୍ପର୍କ ବିଷୟରେ ଭାବୁଥାନ୍ତି ଯାହା ଥିଲା କଠିନ ଓ ତୋଫାନୀ(hard and tempestuous), ଯାହାକୁ ସେ ତାଙ୍କ ଜୀବନ ଯାତ୍ରାରେ ହରାଇଛନ୍ତି ; ତାହାକୁ ସେ ଚାହୁଁଛନ୍ତି କି? ନା ସେ ସ୍ୱପ୍ନ ଦେଖୁଛନ୍ତି ତାଙ୍କ ଅନୁସାରେ ଗଢା ସଂଘର୍ଷ ଓ ବିଜୟର ଏକ ଭବିଷ୍ୟତ ଯାହା ସେ ଆନନ୍ଦର ସହିତ ଗ୍ରହଣ କରିବେ? ସେ ନିଶ୍ଚିତ ଭଲ ଭାବରେ ଜାଣନ୍ତି ଯେ ଯେଉଁ ପଥ ସେ ବାଛିଛନ୍ତି ସେଥିରେ ବିଶ୍ରାମ ନାହିଁ , ଏବଂ ବିଜୟ ଅର୍ଥ ଅଧିକ ବୋଝ । ଯେପରି ଲରେନ୍ସ(Lawrence) ଆରବମାନଙ୍କୁ(Arabs) କହିଥିଲେ:“ବିଦ୍ରୋହ ପାଇଁ ବିଶ୍ରାମ ଗୃହ ହୋଇ ପାରେ ନା , ଆନନ୍ଦର କୈାଣସି ଲାଭାଂଶ ପରିଶୋଧ ହୁଏ ନା । ” ଆନନ୍ଦ ତାଙ୍କ ପାଇଁ ନହୋଇ ପାରେ, କିନ୍ତୁ ଆନନ୍ଦଠାରୁ ଅଧିକ କିଛି ତାଙ୍କର ହୋଇପାରେ, ଜୀବନ ଉଦ୍ଦେଶ୍ୟ ପରିପୂର୍ଣ୍ଣତା ଦିଗରେ, ଯଦି ତାଙ୍କ ପ୍ରତି ଭାଗ୍ୟର ଅନୁଗ୍ରହ ଥାଏ ।

ଜବାହାରଲାଲ ଜଣେ ଫାସୀବାଦୀ ହୋଇ ପାରିବେ ନାହିଁ । ତଥାପି ଫାସୀବାଦୀ ହେବାର ସମସ୍ତ ଉପାଦାନ ତାଙ୍କ ଠାରେ ରହିଛି- ବିଶାଳ ଜନପ୍ରିୟତା, ଏକ ସୁପରିଭାଷିତ ଉଦ୍ଦେଶ୍ୟ ହାସଲ କରିବା ଦିଗରେ ଦୃଢ ନିଶ୍ଚୟ, ଶକ୍ତି, ଅଭିମାନ, ସାଂଗଠନିକ ଦକ୍ଷତା, ସାମର୍ଥ୍ୟ, କଠୋରତା ଏବଂ ଜନତାକୁ ସମସ୍ତ ଭଲ ପାଇବା ସହିତ, ଅନ୍ୟମାନଙ୍କ ପ୍ରତି ଅସହିଷ୍ଣୁତା ଏବଂ ଦୁର୍ବଳ ତଥା ଅକର୍ମଣ୍ୟଙ୍କ ପାଇଁ କିଛିଟା ଘୃଣା । ତାଙ୍କର ବଦରାଗ ବେଶ ଜଣାଶୁଣା ଏବଂ ଏପରିକି ଏହାକୁ ସେ ଚାପିଲେ ମଧ୍ୟ ତାଙ୍କର ଓଠ କୁଂଚନରୁ ଏହା ଜଣା ପଡିଥାଏ । କୈାଣସି କାର୍ଯ୍ୟ କରାଇନେବା ପାଇଁ ତାଙ୍କର ଅଦମ୍ୟ ଇଚ୍ଛା ଓ ଯାହା ସେ ପସନ୍ଦ କରନ୍ତି ନାହିଁ ତାକୁ ଆଡେଇ ଦେଇ ନୂତନ କିଛି ଗଢିବାର ପ୍ରବଣତା, ଗଣତନ୍ତ୍ରର ଶୀଥିଳ ଗତିକୁ ବେଶୀ ଦିନ ପାଇଁ କ୍ୱଚିତ ସହ୍ୟ (hardly brook) କରିବ । ସେ ଚଷୁ (husk)ରଖିପାରନ୍ତି କିନ୍ତୁ ସେ ଦେଖିବେ ଏହା ଯେପରି ତାଙ୍କ ଇଚ୍ଛା ସାମନାରେ ମୋଡି ହେବ । । ସାଧାରଣ ସମୟରେ ସେ ଜଣେ ଦକ୍ଷ ଓ ସଫଳ କାର୍ଯ୍ୟନିର୍ବାହୀ ହୋଇପାରିବେ କିନ୍ତୁ ଏହି ବୈପ୍ଳବିକ କାଳରେ ସିଜରବାଦ (Caesarism) ସବୁବେଳେ ଦ୍ୱାର ଦେଶରେ ଠିଆ,ଏବଂ ଏହା କଣ ସମ୍ଭବ ନୁହେଁ ଯେ ଜବାହାରଲାଲ ନିଜକୁ ସିଜର (Caesar) ମନେ କରିବେ?

ସେହିଠାରେ ହିଁ ରହିଛି ଜବାହାରଲାଲଙ୍କ ପ୍ରତି ବିପଦ ଓ ଭାରତ ପ୍ରତି ବିପଦ । କାରଣ ସିଜରବାଦ ଦ୍ୱାରା ଭାରତ ସ୍ୱାଧୀନତା ହାସଲ କରିବ ନାହିଁ, ଯଦିଓ ଏକ ହିତୈଷୀ ଏବଂ ଦକ୍ଷ ଏକଛତ୍ରବାଦୀ ଶାସନରେ ଏହାର କିଛି ସମୃଦ୍ଧି ହୋଇପାରେ, କିନ୍ତୁ ସେ ଅବିକଶିତ (Stunted) ହିଁ ରହିବ ଏବଂ ତାର ଜନଗଣଙ୍କର ମୁକ୍ତି ବିଳମ୍ବିତ ହେବ ।

ଲଗାତାର ଦୁଇବର୍ଷ ଧରି ଜବାହାରଲାଲ କଂଗ୍ରେସର ସଭାପତି ରହିଲେଣି ଏବଂ କିଛିଟା ସେ ନିଜକୁ ଏପରି ଅପରିହାର୍ଯ୍ୟ କରିଦେଲେଣି

ଯେ କେତେଜଣ ପରାମର୍ଶ ଦେଉଛନ୍ତି ଯେ ସେ ତୃତୀୟ ଥର ପାଇଁ ସଭାପତି ଭାବେ ନିର୍ବାଚିତ ହୁଅନ୍ତୁ । ଭାରତ ପ୍ରତି ଏପରିକି ଜବାହାରଲାଲଙ୍କ ପ୍ରତି ଏହାଠାରୁ ବଡ ଅପକାର ଆଉ କିଛି ହେବ ନାହିଁ । ତୃତୀୟ ଥର ପାଇଁ ତାଙ୍କୁ ନିର୍ବାଚିତ କରି ଆମେ କଂଗ୍ରେସ ଖର୍ଚ୍ଚରେ(at the cost of Congress) ଗୋଟିଏ ବ୍ୟକ୍ତିକୁ ହିଁ ଟେକି ଧରିବୁ ଯାହା ଲୋକଙ୍କ ମନରେ ସିଜରବାଦର ଭାବନା ସୃଷ୍ଟି କରିବ । ଆମେ ଉତ୍ସାହିତ କରିବୁ ଜବାହାରଲାଲଙ୍କ ଭିତରେ ମନ୍ଦ ପ୍ରବୃତ୍ତି ଏବଂ ଦାମ୍ଭିକତା ତଥା ଅହଂକାରରେ ବୃଦ୍ଧି । ତାଙ୍କର ବିଶ୍ୱାସ ହେବ ଯେ ସେ ହିଁ କେବଳ ଏହି ଭାରକୁ ବହନ କରିପାରିବେ ବା ଭାରତର ସମସ୍ୟାର ସମାଧାନ କରିପାରିବେ । ଆମକୁ ମନେ ରଖିବାକୁ ହେବ ଯେ ପଦ ପଦବୀ ପ୍ରତି ଦେଖାଯାଉଥିବା ତାଙ୍କର ସମସ୍ତ ଉଦାସୀନତା ସତ୍ତ୍ୱେ , ସେ ଗତ ସତର ବର୍ଷ ଧରି କଂଗ୍ରେସ ଭିତରେ ଗୁରୁତ୍ୱ ପୂର୍ଣ୍ଣ ପଦବୀକୁ ଧରି ରଖିବାରେ ସମର୍ଥ ହୋଇଛନ୍ତି । ସେ ଭାବି ପାରନ୍ତି ଯେ ସେ ଅପରିହାର୍ଯ୍ୟ ଅଟନ୍ତି, କୈାଣସି ବ୍ୟକ୍ତିକୁ ଏପରି ଭାବିବା ପାଇଁ ଛାଡି ଦେବା ଉଚିତ ହେବ ନାହିଁ । ଜବାହାରଲାଲ ଲଗାତାର ତୃତୀୟ ଥର ପାଇଁ କଂଗ୍ରେସର ସଭାପତି ହେବା ଭାରତ ବରଦାସ୍ତ କରିପାରିବ ନାହିଁ (cannot afford) I

ଏଥିପାଇଁ ଗୋଟିଏ ବ୍ୟକ୍ତିଗତ କାରଣ ମଧ୍ୟ ରହିଛି । ତାଙ୍କର ସମସ୍ତ ବାହାଦୁରୀ କଥା ସତ୍ତ୍ୱେ ଜବାହାରଲାଲ ନିଶ୍ଚିତ ଭାବେ କ୍ଲାନ୍ତ ଓ ବାସି (tired and stale) ହୋଇ ଯାଇଛନ୍ତି ଏବଂ ତାଙ୍କର କ୍ରମଶଃ ଅବନତି ହେବ ଯଦି ସେ ସଭାପତି ରୁହନ୍ତି । ସେ ବିଶ୍ରାମ ନେଇ ପାରିବେ ନାହିଁ, କାରଣ ଯେ ବାଘ ଉପରେ ବସେ ସେ ଓହ୍ଲାଇ ପାରେ ନା । କିନ୍ତୁ ଆମେ ତାଙ୍କୁ ଅଟକାଇ ପାରିବା ନଷ୍ଟ ହୋଇଯିବାରୁ (going astray) ,ଏବଂ ଅତ୍ୟଧିକ ଦାୟିତ୍ୱ ବୋଝର ପରିଣତିରେ ମାନସିକ ଅବନତିରୁ । ଆମର ଅଧିକାର ଅଛି ତାଙ୍କଠାରୁ ଭବିଷ୍ୟତରେ ଭଲ କାର୍ଯ୍ୟ ଆଶା କରିବା ପାଇଁ । ଆମେ ତାହାକୁ ନଷ୍ଟ ହେବାକୁ ଦେବା ନାହିଁ , ଏବଂ ତାଙ୍କୁ ଉଚ୍ଛ୍ୱସିତ ପ୍ରଶଂସା କରି ତାଙ୍କୁ ମଧ୍ୟ ନଷ୍ଟ କରିବା ନାହିଁ । ଏମିତି ତ ତାଙ୍କର ରହିଛି ଭୟଙ୍କର ଅହଂକାର । ଏହାକୁ ନିହାତି ଅଟକାଇବାକୁ ହେବ । ଆମେ ସିଜରମାନଙ୍କୁ ଚାହୁଁ ନା ।”

(ଅନୁବାଦଙ୍କ ମନ୍ତବ୍ୟ: ଜବାହାରଲାଲ ଉପରୋକ୍ତ ନିବନ୍ଧରେ ‘ସିଜର’ ଓ ‘ସିଜରବାଦ’ ଶବ୍ଦର ପ୍ରୟୋଗ କରିଛନ୍ତି । ‘ସିଜର’ ଏକ ସାଂଗିଆ; ରୋମ ଗଣରାଜ୍ୟ(Roman Republic)ରେ ଯେତେବେଳେ ଜୁଲିଅସ ସିଜର(Julius Caesar) ଏକ ଅପ୍ରତିଦ୍ୱନ୍ଦୀ ସେନାପତି ଭାବେ ଆବିର୍ଭୁତ ହେଉଥିଲେ ସେତେବେଳେ, ଜବାହାରଲାଲ ନେହରୁଙ୍କ ଭାଷାରେ, “ଉଦ୍ୟମ କରାଯାଇଥିଲା ତାଙ୍କୁ ରଜା ବା ସମ୍ରାଟର ମୁକୁଟ ପିନ୍ଧାଇବା ପାଇଁ । ସେ ମଧ୍ୟ ବେଶ ଇଚ୍ଛୁକ ଥିଲେ , କିନ୍ତୁ ଦୀର୍ଘକାଳର ଗଣତାନ୍ତ୍ରୀକ ପରମ୍ପରା ତାଙ୍କୁ ଦ୍ୱିଧାରେ ପକାଇ ଦେଇଥିଲା ।” ଜୁଲିଅସ ସିଜର ତ ସମ୍ରାଟ ହୋଇପାରିଲେ ନାହିଁ । ଗଣତାନ୍ତ୍ରୀକ ପରମ୍ପରା (‘republican tradition’) ଏତେ ଶକ୍ତିଶାଳୀ ଥିଲା ଯେ ଏହି ପରମ୍ପରାକୁ ରକ୍ଷା କରିବାକୁ ଯାଇ ଜୁଲିଅସ ସିଜରଙ୍କୁ ହତ୍ୟା କରାଯାଇଥିଲା । କିନ୍ତୁ ଏହାଦ୍ୱାରା ମଧ୍ୟ ଗଣରାଜ୍ୟକୁ ସୁରକ୍ଷିତ ରଖାଯାଇ ପାରିଲା ନାହିଁ । ଜୁଲିଅସ ସିଜରଙ୍କ ପରେ ତାଙ୍କ ଦତ୍ତକ ପୁତ୍ର Octavian ରୋମର ସମ୍ରାଟ ହେଲେ । ଏବଂ ନିଜ ନାଁକୁ ବଦଳାଇ ରଖିଲେ ଅଗଷ୍ଟସ ସିଜର (Agustus Caesar) । ଏହା ପରେ ଜବାହାରଲାଲଙ୍କ ଭାଷାରେ, “ତାଙ୍କର ସମସ୍ତ ଉତ୍ତରାଧିକାରୀଙ୍କୁ ସିଜର କୁହାଗଲା । ବାସ୍ତବରେ ସିଜର ଶବ୍ଦ ସମ୍ରାଟକୁ ହିଁ ବୁଝାଇଲା ।….ତେଣୁ ଜୁଲିଅସ ସିଜରଙ୍କର ନାଁ ହୋଇ ଯାଇଛି ଜ୍ୟିକ ସାମ୍ରାଜ୍ୟିକ ମହିମାର ଏକ ପ୍ରତିଶବ୍ଦ । ” ତେଣୁ ‘ସିଜର’ରୁ ଉଦ୍ଭବ ଶବ୍ଦ ‘ସିଜରବାଦ’ ଏକନାୟକତ୍ୱକୁ ହିଁ ବୁଝାଏ । ଉଲ୍ଲେଖ ଯୋଗ୍ୟ ଯେ ସିଜରଙ୍କ ପ୍ରସଂଗରେ ନେହରୁଙ୍କର ଉପରୋକ୍ତ ମନ୍ତବ୍ୟ ଦେଇଥିଲେ ଏପ୍ରିଲ ୯, ୧୯୩୨ରେ, କନ୍ୟା ଇନ୍ଦିରା ଗାନ୍ଧୀଙ୍କୁ ଦେଇଥିବା ପତ୍ରରେ ୨(ପୃ ୮୭) । ଏହାର ପାଂଚ ବର୍ଷ ପରେ ନେହରୁ ଛଦ୍ମନାମରେ ଲେଖିଥିଲେ ଉଲ୍ଲିଖିତ ନିବନ୍ଧ । ନଭେମ୍ବର ୧୯୩୭ରେ ପ୍ରକାଶିତ ଏହି ନିବନ୍ଧର ପ୍ରଭାବ ପଡିଥିଲା । ନେହରୁ ଲଗାତାର ତୃତୀୟ ଥର ପାଇଁ କଂଗ୍ରେସର ସଭାପତି ହେଲେ ନାହିଁ । ଫେବୃଆରୀ ୧୯୩୮ରେ କଂଗ୍ରେସର ସଭାପତି ଭାବେ ନିର୍ବାଚିତ ହୋଇଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ।)

ବ୍ୟବହୃତ ଉପାଦାନ ସୂଚୀ

୧. Selected Works of Jawaharlal Nehru, Vol.8.

୨. Glimpses of World History, Jawaharlal Nehru, Penguin Books, 2004.

Comments

0 comments

Share This Article