ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ-ଅଗଣତାନ୍ତ୍ରିକ!

ଭାଲଚନ୍ଦ୍ର ଷଡଙ୍ଗୀ
69 Views
14 Min Read

ନିକଟରେ କେନ୍ଦ୍ର ସରକର ସଂସଦରେ “ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ପାଇଁ ଦୁଇଟି ବିଲ୍ ଯଥା, ୧୨୯ତମ ସମ୍ବିଧାନ ସଂଶୋଧନ ବିଲ୍ ଓ କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କିତ ଆଇନ ସଂଶୋଧନୀ ବିଲ୍ କୁ ଆଗତ କରିଥିଲେ । ବିରୋଧି ଦଳମାନଙ୍କ ଦାବି ଫଳରେ ଏହି ଦୁଇ ବିଲ୍ କୁ ନେଇ ହୋଇଥିବା ମତ ବିଭାଜନରେ ୨୬୯ଜଣ ବିଲ୍ ସପକ୍ଷରେ ମତ ଦେଇଥିବା ବେଳେ ୧୯୮ଜଣ ବିଲ୍ କୁ ବିରୋଧ କରିଥିବା ଜଣାପଡ଼ିଛି । ତେବେ ବିଲ୍ ପାସ୍ ହେବାପାଇଁ ଆବଶ୍ୟକୀୟ ଦୁଇ ତୃତୀୟାଂଶ ଲୋକସଭା ସଦସ୍ୟଙ୍କ ସମର୍ଥନ ନଥିବା ଦେଖି ସରକାର ବିଲ୍ଟିକୁ ଭବିଷ୍ୟତରେ ଆବଶ୍ୟକୀୟ ସଂଶୋଧନ କରି ପୁଣି ଥରେ ଆଗତ କରିବାକୁ ଘୋଷଣା କରିବା ସହିତ ଅଧିକ ବିଚାର ବିମର୍ଷ ପାଇଁ ଯୁଗ୍ମ ସଂସଦୀୟ ସମିତି (ଜେପିସି)କୁ ପଠାଇ ଦେଇଛନ୍ତି ।

୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ମୋଦୀ ସରକାର “ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ” ପ୍ରସଙ୍ଗକୁ ଉଠାଇଥିଲେ ମଧ୍ୟ ଗତବର୍ଷ ହିଁ ଏନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । କମିଟିର ଚୟନକୁ ନେଇ ତଥା ଏକ ବିବାଦୀୟ ରାଜନୈତିକ ପ୍ରସଙ୍ଗରେ ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କୁ ସାମିଲ କରିବାକୁ ନେଇ ସେତେବେଳେ ବିଭିନ୍ନ ମହଲରୁ ସମାଲୋଚନା ଦେଖିବାକୁ ମିଳିଥିଲା । ତେବେ ଯେପରି ଆଶା କରାଯାଉଥିଲା ସେହିଭଳି ହିଁ କମିଟି ଗତ ମାର୍ଚ୍ଚ ମାସରେ ସରକାରୀ ଦଳର ବିଚାର ମୁତାବକ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ପାଇଁ ସୁପାରିଶ କରି ନିଜର ୧୮,୬୨୬ ପୃଷ୍ଠା ସମ୍ବଳିତ ରିପୋର୍ଟକୁ ଦାଖଲ କରିଥିଲା ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ ନେଇ ଦେଶରେ ରାଜନୈତିକ ସହମତିର ଅଭାବ ରହିଛି । ଏକଥା ଲୋକସଭାରେ ବିଲ୍ ଆଗତ ବେଳେ ହୋଇଥିବା ମତ ବିଭାଜନରୁ ସ୍ପଷ୍ଟ ପ୍ରମାଣିତ ହୋଇସାରିଛି । ଏପରିକି ରାମନାଥ କୋବିନ୍ଦ କମିଟି ଆଗରେ ମତ ପ୍ରକାଶ କରିଥିବା ଦେଶର ୬୨ଟି ରାଜନୈତିକ ଦଳଙ୍କ ମଧ୍ୟରୁ ୩୨ଟି ଦଳ ହିଁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’କୁ ସମର୍ଥନ କରିଥିବାବେଳେ ବାକି ୩୦ଟି ଦଳ ଏହାକୁ ସମ୍ବିଧାନବିରୋଧି ବୋଲି କହି ବିରୋଧ ପ୍ରକାଶ କରିଥିବା ଜଣାପଡ଼ିଛି । ଏହାଛଡ଼ା ଏହାକୁ ଲାଗୁ କରିବାକୁ ହେଲେ ଦେଶର ସମ୍ବିଧାନରେ ୧୮ଟି ସଂଶୋଧନ କରିବାର ଆବଶ୍ୟକତା ରହିଥିବାରୁ ଏବଂ ଏଥିପାଇଁ ସଂସଦର ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ତଥା ଦେଶର ଅଦେ୍ର୍ଧକ ରାଜ୍ୟ ବିଧାନସଭାରେ ଗୃହୀତହେବା ଜରୁରୀ ଅଟେ । ପରନ୍ତୁ ବର୍ତ୍ତମାନର ସଂସଦରେ ସରକାରଙ୍କ ଆବଶ୍ୟକ ଥିବା ଦୁଇ ତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ନଥିବାରୁ ସରକାର ଯେ ଏହାକୁ ନିକଟ ଭବିଷ୍ୟତରେ କାର୍ଯ୍ୟକାରୀ କରାଇ ପାରିବେନି, ତାହା ସ୍ପଷ୍ଟ ଜଣାପଡ଼ିଛି ।

ଆମ ଦେଶରେ ସ୍ୱାଧୀନତା ପରେ କେବଳ ୧୯୫୨ରୁ ୧୯୬୭ ମଧ୍ୟରେ ହିଁ ଉଭୟ ଲୋକସଭା ଓ ବିଧାନସଭାର ପ୍ରାୟତଃ ଏକା ସଙ୍ଗେ ନିର୍ବାଚନ ହେଉଥିଲା । ଯଦିଓ ୧୯୫୭ରେ କେରଳରେ ଇଏମ୍ଏସ୍ ନମ୍ବୁଦ୍ରିପଦଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ଚାଲିଥିବା ସରକାରକୁ ନେହେରୁଙ୍କ ସରକାର ଅଗଣତାନ୍ତ୍ରିକ ଭାବେ ଭାଙ୍ଗିବା ପରେ ଏକାସଙ୍ଗରେ ନିର୍ବାଚନର ଧାରାଟି ଭାଙ୍ଗିବା ଆରମ୍ଭ କରିଥିଲା । କିନ୍ତୁ ତାକୁ ଛାଡ଼ିଦେଲେ ୧୯୬୭ପର୍ଯ୍ୟନ୍ତ ପ୍ରାୟତଃ ସାରାଦେଶରେ ଗୋଟିଏ ଥରକେ ହିଁ ନିର୍ବାଚନ ହେଉଥିଲା । ଅବଶ୍ୟ ଏହା ପଛରେ କୌଣସି ସାମ୍ବିଧାନିକ ବାଧ୍ୟବାଧ୍ୟକତା ନଥିଲା । ଯେହେତୁ ସେତେବେଳେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କରେ ଗୋଟିଏ ଦଳ (କଂଗ୍ରେସ) ହିଁ ଆଧିପତ୍ୟ ରହିଥିଲା, ତେଣୁ ସବୁଠି ସେମାନେ ହିଁ ଶାସନ କ୍ଷମତାରେ ରହିଥିଲେ । ସେମାନେ ନିଜର ସଂଖ୍ୟାଗରିଷ୍ଠତା ଯୋଗୁଁ ରାଜ୍ୟରେ ନିଜର ଇଛା ମୁତାବକ ମୁଖ୍ୟମନ୍ତ୍ରୀ ବଦଳାଇ ପାରୁଥିଲେ । ତେଣୁ ନା ସରକାର ଭାଙ୍ଗୁଥିଲା ନା ମଧ୍ୟବର୍ତ୍ତୀ ନିର୍ବାଚନ ଦରକାର ପଡ଼ୁଥିଲା । ବସ୍ତୁତଃ ଗୋଟିଏ ଦେଶ ଗୋଟିଏ ପାର୍ଟିର ହିଁ ଶାସନ ଥିଲା ଏବଂ ଗୋଟିଏ ନିର୍ବାଚନ ହେଉଥିଲା । କିନ୍ତୁ ୧୯୬୭ପରେ ଭୋଟରମାନେ ସେଭଳି ପରିସ୍ଥିତିକୁ ବଦଳାଇ ଅନେକ ରାଜ୍ୟରେ ଅଣକଂଗ୍ରେସ ପାର୍ଟିମାନଙ୍କୁ ଶାସନକୁ ଆଣିଥିଲେ । ଯାରି ଫଳରେ ତା’ ପରଠାରୁ ଆଉ ଗୋଟିଏ ଥରରେ ନିର୍ବାଚନ ହେବାର ପରମ୍ପରାଟି ଭାଙ୍ଗି ଯାଇଥିଲା । ଆଜି ଦେଶର ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ରାଜନୈତିକ ଦଳ ଶାସନରେ ରହିଛନ୍ତି । ରାଜ୍ୟମାନଙ୍କରେ ଶକ୍ତିଶାଳୀ ଆଂଚଳିକ ଦଳ ସବୁ ମୁଣ୍ଡ ଟେକିବା ସହ କ୍ଷମତାରେ ରହି ଆସୁଛନ୍ତି । ଅନେକ ରାଜ୍ୟରେ କଂଗ୍ରେସ ଓ ବିଜେପି ପରି ଜାତୀୟ ଦଳମାନେ ନିଜ ବଳରେ କ୍ଷମତାକୁ ଆସିବା ବି ସମ୍ଭବ ନୁହେଁ । ସେହି କାରଣରୁ ହିଁ ଆଜି ଉଭୟ କେନ୍ଦ୍ର ଓ କିଛି ରାଜ୍ୟରେ ଏକାଧିକ ଦଳଙ୍କ ମେଣ୍ଟ ସରକାର ଚାଲିଛି । ନିକଟ ଭବିଷ୍ୟତରେ ବି ଏହି ସ୍ଥିତିରେ ପରିବର୍ତ୍ତନ ହୋଇ କେବଳ ଗୋଟିଏ ପାର୍ଟିର ସରକାର ଆସିବା ଦେଖାଯାଉନି । ଏଭଳି ପରିସ୍ଥିତିରେ “ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ”ର ଧାରଣାଟି ଅବାସ୍ତବ ମନେହେଉଛି ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପଛରେ ସରକାର ବା ସରକାରୀ ଦଳର ମୂଳତଃ ଦୁଇଟି ଯୁକ୍ତି ରହିଛି । ଗୋଟିଏ ହେଲା, ଏହାଫଳରେ ଉଭୟ ସରକାରଙ୍କର ନିର୍ବାଚନ ଖର୍ଚ୍ଚ କମିବ । ଦ୍ୱିତୀୟତଃ ନିର୍ବାଚନର ଆଚରଣ ବିଧି ଲାଗୁହେବା ଫଳରେ ସରକାରଙ୍କ ଉନ୍ନୟନ କାମ ସବୁ ଅନେକ ଦିନ ପର୍ଯ୍ୟନ୍ତ ବନ୍ଦ ହୋଇଯାଉଛି । ଏଭଳି ପରିସ୍ଥିତିରେ ଉନ୍ନୟନ କାମକୁ ଅବ୍ୟାହତ ରଖିବାକୁ ତଥା ସରକାର ଓ ରାଜନୈତିକ ଦଳମାନଙ୍କ ଅନାବଶ୍ୟକ ଖର୍ଚ୍ଚକୁ ବନ୍ଦ କରିବାକୁ ହେଲେ ଲୋକସଭାଠାରୁ ଆରମ୍ଭ କରି ବିଧାନସଭା; ଏପରିକି ପୌରପାଳିକା ଓ ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ସମସ୍ତ ନିର୍ବାଚନ ଗୋଟିଏ ଥରକେ ହେବା ଜରୁରୀ ବୋଲି ସେମାନେ ଯୁକ୍ତି ବାଢ଼ୁଛନ୍ତି । ଆଶ୍ଚର୍ଯ୍ୟର କଥା, ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯେତେବେଳେ ନିର୍ବାଚନକୁ ଜନଗଣଙ୍କ ଇଛା ବା ମତପ୍ରକାଶର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଧରାଯାଇଥାଏ, ତା’କୁ ଏଠାରେ ଶାସନ ପାଇଁ ପ୍ରତିବନ୍ଧକ ଭାବେ ଠିଆ କରାଯାଉଛି ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପାଇଁ ନିର୍ବାଚନରେ ସରକାରଙ୍କ ବର୍ଦ୍ଧିତ ଖର୍ଚ୍ଚକୁ ଯେଉଁ ଆଳ କରାଯାଉଛି, ତାହା ଭିତ୍ତିହୀନ ଅଟେ । କାରଣ ବର୍ତ୍ତମାନ ନିର୍ବାଚନ ପାଇଁ ସରକାର ତିନୋଟି କାମରେ ଅର୍ଥ ଖର୍ଚ୍ଚ କରୁଛନ୍ତି । ସେଥିମଧ୍ୟରୁ ଗୋଟିଏ ନିର୍ବାଚନ କମିଶନଙ୍କ ପ୍ରଶାସନିକ ଖର୍ଚ୍ଚ ହୋଇଥିବା ବେଳେ ଅନ୍ୟଟି ନିର୍ବାଚନ ପରିଚାଳନାଜନିତ ଖର୍ଚ୍ଚ ଏବଂ ଶେଷଟି ଇଭିଏମ୍ ତଥା ଭିଭିପାଟ୍ ବାବଦରେ ଖର୍ଚ୍ଚ ଅଟେ । ୨୦୧୯-୨୪ ମଧ୍ୟରେ ସରକାର ନିର୍ବାଚନ ବାବଦରେ ମୋଟ ୧୬,୨୫୫କୋଟି ଟଙ୍କା ଖର୍ଚ୍ଚ କରିଥିବା ଜଣାପଡ଼ିଛି । ଯଦି ଏହାକୁ ପ୍ରତିବର୍ଷକୁ ହିସାବ କରାଯିବ, ତାହେଲେ ୩,୨୫୧କୋଟି ଟଙ୍କା ହେଉଛି, ଯାହାକି ଦେଶର ମୋଟ ବଜେଟ୍ର ୦.୦୯% ବୋଲି ଜଣାପଡ଼ିଛି । ସେଥିମଧ୍ୟରୁ ପ୍ରଶାସନିକ ଖର୍ଚ୍ଚ ୩୦୦ କୋଟି ଟଙ୍କା ହୋଇଥିବା ବେଳେ ନିର୍ବାଚନ ପରିଚାଳନା ପାଇଁ ୧୯୧୬ କୋଟି ଏବଂ ଇଭିଏମ୍ ତଥା ଭିଭିପାଟ୍ ବାବଦରେ ୧୦୩୫ କୋଟି ଟଙ୍କା ଖର୍ଚ୍ଚ ହେଉଛି । ଏଭଳି ପରିସ୍ଥିତିରେ ବର୍ତ୍ତମାନ ନିର୍ବାଚନରେ ବେଶୀ ଖର୍ଚ୍ଚ ହୋଇଯାଉଛି ବୋଲି କହିବା ଭିତ୍ତିହୀନ ଅଟେ । ବରଂ ଏକାଥରକେ ସବୁ ନିର୍ବାଚନ କଲେ ବର୍ତ୍ତମାନଠାରୁ ତିନିଗୁଣ ଇଭିଏମ୍ ଓ ଭିଭିପାଟ୍ ମେସିନ୍ ଦରକାର ପଡ଼ୁଥିବାରୁ ନିର୍ବାଚନ ଖର୍ଚ୍ଚ ବଢ଼ିଯିବାର ସମ୍ଭାବନା ରହିଛି ।

ସେହିଭଳି ଆଚରଣ ବିଧିର ଆଳଟି ବି ଭିତ୍ତିହୀନ ମନେହୁଏ । କାରଣ ଆଜିକାଲି ନିର୍ବାଚନରେ ଆଚରଣ ବିଧି ନାଁରେ ଏକପ୍ରକାର ପ୍ରହସନ ଚାଲିଛି । ଆଚରଣ ବିଧି ଲାଗୁ ହେବା ଦିନ ପର୍ଯ୍ୟନ୍ତ ସରକାରମାନେ ଧଡ଼ାଧଡ଼୍ ଲୋକ ଲୋଭାଣିଆ ଯୋଜନା ସବୁ ଘୋଷଣା କରୁଛନ୍ତି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିର୍ବାଚନ ଘୋଷଣା ପର୍ଯ୍ୟନ୍ତ ଯୁଦ୍ଧକାଳୀନଭିତ୍ତିରେ ଶହଶହ ସଂଖ୍ୟାରେ ଭିତ୍ତିପ୍ରସ୍ତର ସ୍ଥାପନ କରୁଛନ୍ତି । ଅନେକ ସମୟରେ ସରକାରୀ ଦଳ ଓ ପ୍ରଧାନମନ୍ତ୍ରୀଙ୍କ ସବୁ କାର୍ଯ୍ୟକ୍ରମ ଓ ଘୋଷଣା ସରିବା ପର୍ଯ୍ୟନ୍ତ ଅପେକ୍ଷା କରି ନିର୍ବାଚନ କମିଶନ ନିର୍ବାଚନର ଆଚରଣ ବିଧି ଲାଗୁ କରିବା ଦେଖାଯାଉଛି । ତେବେ ନିର୍ବାଚନକୁ ପ୍ରଭାବିତ କରୁଥିବା ସରକାରୀ ଦଳର ଏସବୁ କାର୍ଯ୍ୟକ୍ରମ ଉପରେ ନିର୍ବାଚନ କମିଶନଙ୍କ କୌଣସି ପ୍ରକାର ଅଙ୍କୁଶ ରହୁନାହିଁ । ଅନ୍ୟପଟେ ନିର୍ବାଚନ ପ୍ରକ୍ରିୟା ପୂର୍ବାପେକ୍ଷା ଅଧିକ ଲମ୍ବା ହେଉଥିବାରୁ ଆଚରଣ ବିଧିର ଅବଧି ବି ଅନାବଶ୍ୟକ ଭାବେ ବଢ଼ି ସରକାରଙ୍କ କାମକୁ ପ୍ରଭାବିତ କରୁଛି । ଗତ ଲୋକସଭା ନିର୍ବାଚନରେ ଆମଠାରୁ ଅଧିକ ଆସନ ଥିବା ଗୁଜୁରାଟ, ତାମିଲନାଡ଼ୁ ଓ ଅନ୍ୟ କିଛି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ଭୋଟପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ଅନାବଶ୍ୟକ ଭାବେ ଚାରୋଟି ପର୍ଯ୍ୟାୟରେ ଭୋଟ କରାଯାଇଥିଲା । ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ବିଜେପି ନେତାଙ୍କୁ ପ୍ରଚାର ପାଇଁ ଯଥେଷ୍ଟ ସମୟ ଓ ସୁଯୋଗଦେବାକୁ ଏଭଳି ଚାରି ପର୍ଯ୍ୟାୟର ନିର୍ବାଚନ କରାଯାଇଥିବା କୁହାଯାଉଛି । ନିର୍ବାଚନ କମିଶନ ଯଦି ଚାହାଁନ୍ତି, ତାହେଲେ ଆଚରଣ ବିଧିର ଅବଧିକୁ ଯଥେଷ୍ଟ ହ୍ରାସ କରାଯାଇ ପାରିଥାନ୍ତା ।

ଆମ ସମ୍ବିଧାନରେ ଲୋକସଭା, ରାଜ୍ୟସଭା ଓ ରାଜ୍ୟ ବିଧାନସଭା ମାନଙ୍କର ଅଲଗା ଅଲଗା ମହତ୍ତ୍ୱ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାମାନଙ୍କ ଦାୟିତ୍ୱକୁ ବି ଅଲଗାଭାବେ ସ୍ଥିରୀକୃତ ହୋଇଛି । ଆମ ସମ୍ବିଧାନର ପ୍ରଥମ ଧାରା ‘ଭାରତ ଏକ ୟୁନିଅନ୍ ଅଫ୍ ଷ୍ଟେଟ୍ସ ବା ରାଜ୍ୟମାନଙ୍କ ସମୂହ’ ବୋଲି କହୁଛି । ଏକ ସଂଘୀୟ ରାଷ୍ଟ୍ରଭାବରେ ଭାରତର ରାଜନୈତିକ ଏବଂ ଶାସନବ୍ୟବସ୍ଥା ଗଠିତ ହୋଇଛି । ଅତଏବ ବିଭିନ୍ନ ରାଜ୍ୟର ଲୋକଙ୍କ ପାଇଁ ବିଭିନ୍ନ ପ୍ରଶ୍ନ ଗୁରୁତ୍ୱପୂର୍ଣ୍ଣ ହୋଇପାରେ । ଯାହା ତାମିଲନାଡୁର ସାମାଜିକ-ଅର୍ଥନୈତିକ-ରାଜନୈତିକ ପ୍ରଶ୍ନ ତାହା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ସହ ସମାନ ହୋଇନପାରେ । ଯଦି ସାରାଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଏକକାଳୀନ ଅନୁଷ୍ଠିତ ହୁଏ ତେବେ ରାଜ୍ୟର ପ୍ରସଙ୍ଗ ସବୁ ଗୁରୁତ୍ୱ ହରାଇବ । ବିଶେଷ କରି ରାଜ୍ୟ ବିଧାନସଭାର ଗୁରୁତ୍ତ୍ୱଟି ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେବ । ଏହା ଦେଶର ସଂଘୀୟ ଢାଂଚା ପାଇଁ ଆଦୌ ଲାଭକାରୀ ନୁହେଁ । ୨୦୧୫ରେ ହୋଇଥିବା ଏକ ସମୀକ୍ଷାରୁ ଜଣାପଡ଼ିଛି ଯେ ଉଭୟ ଲୋକସଭା ଓ ରାଜ୍ୟ ବିଧାନସଭାର ଭୋଟ ଏକାସଙ୍ଗେ ହେଲେ ସିଂହଭାଗ ଭୋଟର ଉଭୟ ସାଂସଦ ଓ ବିଧାୟକ ଭାବେ ଗୋଟିଏ ଦଳକୁ ହିଁ ଭୋଟ ଦେଉଛନ୍ତି । ଏଭଳି ପରିସ୍ଥିତିରେ ଏକାଥରକେ ନିର୍ବାଚନ ହେଲେ, କେନ୍ଦ୍ର କ୍ଷମତାରେ ଥିବା ବିଜେପି ହିଁ ସବୁଠାରୁ ବେଶି ଲାଭବାନ୍ ହେବ । ସେହି କାରଣରୁ ସେମାନେ ଏହାର ସବୁଠାରୁ ବେଶି ଓକିଲାତି କରୁଛନ୍ତି । ସେମାନଙ୍କର ଉଦେ୍ଦଶ୍ୟ ହେଉଛି ରାଜ୍ୟର ସାମାଜିକ-ଅର୍ଥନୈତିକ ପ୍ରସଙ୍ଗ ବଦଳରେ ନରେନ୍ଦ୍ର ମୋଦୀଙ୍କ ଭଳି କେବଳ ଗୋଟିଏ ନେତାଙ୍କୁ ଆଗରେ ରଖି କେନ୍ଦ୍ରୀୟ ଭାବରେ ଉଠାଯାଇଥିବା ପ୍ରସଙ୍ଗଗୁଡ଼ିକ ଉପରେ ଭୋଟ କରିବା । ସାଧାରଣତଃ ଲୋକଙ୍କ ଅର୍ଥନୈତିକ ପ୍ରସଙ୍ଗ ବଦଳରେ ଉଗ୍ର ଜାତୀୟତାବାଦ ଓ ଭାବପ୍ରବଣତା ସୃଷ୍ଟିକାରୀ ଧାର୍ମିକ ପ୍ରସଙ୍ଗରେ ନିର୍ବାଚନ ହେବା ସେମାନଙ୍କ ପାଇଁ ଲାଭଦାୟକ ହେଉଥିବାରୁ ସେମାନେ ଏକକ ନିର୍ବାଚନ ଚାହୁଁଛନ୍ତି । ଅତୀତରେ ସେମାନେ ପୁଲୱାମା ଘଟଣା ଅଥବା ହିନ୍ଦୁ-ମୁସଲମାନ ଧୃବୀକରଣକୁ ଜାତୀୟ ପ୍ରସଙ୍ଗ କରି ନିର୍ବାଚନରେ ବିପୁଳ ସଫଳତା ପାଇବା ଆମେ ଦେଖିଛେ । ଅତଏବ ଏକକ ନିର୍ବାଚନ ଫଳରେ ବିଜେପି ପରି ଜାତୀୟଦଳମାନେ ଅଧିକ ଲାଭବାନ୍ ହେବାକୁ ଯାଉଥିବା ବେଳେ ରାଜ୍ୟର ପ୍ରସଙ୍ଗ ନେଇ ନିର୍ବାଚନ ଲଢ଼ୁଥିବା ଆଞ୍ଚଳିକ ଦଳମାନେ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେବେ । ଏଭଳି ସ୍ଥିତି ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି କ୍ଷତିକାରକ ହେବ । ଏହାଛଡ଼ା ବର୍ତ୍ତମାନ ପାଞ୍ଚବର୍ଷ ମଧ୍ୟରେ ଏକାଧିକ ନିର୍ବାଚନ ହେବାଫଳରେ ଲୋକ ପ୍ରତିନିଧିମାନେ ଭୋଟରଙ୍କ ପାଖରେ ଅଧିକ ଉତ୍ତରଦାୟୀ ହେବାକୁ ବାଧ୍ୟ ହେଉଛନ୍ତି । ଫଳସ୍ୱରୂପ ଭୋଟରମାନଙ୍କ ମୂଲଚାଲ କ୍ଷମତାଟି ଅଧିକ ରହୁଛି । କିନ୍ତୁ ଯଦି ପାଞ୍ଚ ବର୍ଷରେ ହିଁ ଯାଇ ନିର୍ବାଚନ ହେବ, ତାହେଲେ ଲୋକ ପ୍ରତିନିଧିମାନେ ଜନଗଣଙ୍କ ପ୍ରତି ଅଧିକ ଉଦାସୀନ ହେବାକୁ ସୁଯୋଗ ପାଇଯିବେ ।

‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ବିଚାରଟି ପ୍ରକୃତରେ ଆର୍ଏସ୍ଏସ୍ ଓ ବିଜେପିର ଉଗ୍ର ଜାତୀୟତାବାଦୀ ଫାଶୀବାଦୀ ବିଚାରରୁ ଆସିଛି । ସଂଘବାଦ, ବହୁଳତାବାଦ ପ୍ରତି ବୈରତା ପ୍ରଦର୍ଶନ କରୁଥିବା ଏହି ବିଚାର ଭାରତକୁ ଏକ ଏକଛତ୍ରବାଦୀ ଓ କେନ୍ଦ୍ରୀକୃତ ରାଷ୍ଟ୍ରରେ ପରିଣତ କରିବାର ପକ୍ଷପାତୀ ହୋଇଆସିଛି । ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରସଙ୍ଗଟି ଯଦିଓ ଗତ କିଛିବର୍ଷ ହେଲା ହିଁ ଉଠାଯାଉଛି, କିନ୍ତୁ ଏହା ପଛରେ ଥିବା ବିଚାରଟି ଆଦୌ ନୂଆ ନୁହେଁ । ବିଜେପି ଓ ତା’ର ମାତୃ ସଙ୍ଗଠନ ଆର୍ଏସ୍ଏସ୍ ବହୁ ପୂର୍ବରୁ ‘ଗୋଟିଏ ଦେଶ, ଗୋଟିଏ ଭାଷା’, ‘ଗୋଟିଏ ଦେଶ, ଗୋଟିଏ ଧର୍ମ’, ‘ଗୋଟିଏ ଦେଶ, ଗୋଟିଏ ସଂସ୍କୃତି’, ‘ଗୋଟିଏ ଦେଶ, ଗୋଟିଏ ନେତା’, ‘ଗୋଟିଏ ଦେଶ, ଗୋଟିଏ ଦଳ’ର ଫାସିବାଦୀ ସ୍ଳୋଗାନ୍ ଦେଇ ଆସିଛନ୍ତି । କେବଳ ସେତିକି ନୁହେଁ, ସେମାନେ ବିଭିନ୍ନ ସମୟରେ ଲୋକଙ୍କ ନିଜ ପସନ୍ଦରେ ପ୍ରେମ କରିବା, ନିଜ ପସନ୍ଦରେ ଜୀବନସାଥି ବାଛିବା, ନିଜ ପସନ୍ଦରେ ଖାଦ୍ୟ ଖାଇବା, ନିଜ ପସନ୍ଦରେ ଚଳଚ୍ଚିତ୍ର ଦେଖିବା ଆଦି ନାଗରିକଙ୍କ ସାମ୍ବିଧାନିକ ଅଧିକାର ଉପରେ ବି ନିଜର ଏକକ ବିଚାରକୁ ଲଦିବାକୁ ଚେଷ୍ଟା କରିବା ଦେଖାଯାଇଛି । ସେମାନଙ୍କ ଏହି ଏକକ (Oneness)ର ବିଚାରଟି ଭାରତର ବିବିଧତାପୂର୍ଣ୍ଣ ସଂସ୍କୃତିର ପରିପନ୍ଥୀ । ଭାରତପରି ଏକ ବିବିଧତାଭରା ଦେଶରେ ସେମାନଙ୍କ ନେତୃତ୍ୱରେ ଚାଲିଥିବା ସରକାର ନିଜ ହାତରେ କ୍ଷମତାକୁ ଅଧିକରୁ ଅଧିକ କେନ୍ଦ୍ରୀଭୂତ କରିବା ପାଇଁ ସଂଘୀୟ ବ୍ୟବସ୍ଥା ଉପରେ ଲଗାତାର ଆକ୍ରମଣ କରି ଆସିଛି । ପୂର୍ବରୁ ‘ଗୋଟିଏ ଦେଶ, ଗୋଟିଏ ଟିକସ’ ନାଁରେ ଜିଏସ୍ଟିକୁ ଲାଗୁ କରିବାର ସେମାନଙ୍କ ନୀତି ରାଜ୍ୟମାନଙ୍କର ଟିକସ ବସାଇବାର ଅଧିକାର ବା କ୍ଷମତାକୁ ଏକଦମ୍ ଖର୍ବ କରିବା ସହ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ଦୟାର ପାତ୍ର କରି ଦେଇଛି । ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ର ନୀତି ବି କେନ୍ଦ୍ରର କ୍ଷମତାକୁ ଅଧିକ ଶକ୍ତିଶାଳୀ କରିବା ସହ ଆଗାମୀ ଦିନରେ ଦେଶରେ ଏକଛତ୍ରବାଦୀ ଶାସନ ପ୍ରତିଷ୍ଠା କରିବାକୁ ବାଟ ଖୋଲିବ! ଆଜି ଖର୍ଚ୍ଚହ୍ରାସ ଓ ବିକାଶ ଆଳରେ ସେମାନେ ପାଞ୍ଚ ବର୍ଷରେ ଥରେ ସବୁ ନିର୍ବାଚନ କରିବା କଥା କହୁଛନ୍ତି । ଆସନ୍ତାକାଲି ହୁଏତ ସେହି ଆଳରେ ଆଦୌ ନିର୍ବାଚନ ନକରି ସରକାର ଗଠନ କଥା କହିପାରନ୍ତି ।

ଆମ ଦେଶରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ଯେ ସମ୍ଭବ ନୁହେଁ, ଏକଥା ଖୋଦ୍ ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟରେ କରାଯାଇଥିବା ସୁପାରିଶ ଓ ନିକଟରେ ସଂସଦରେ ଆଗତ ବିଲ୍ରୁ ବି ଜଣାପଡ଼ୁଛି । ସେଥିରେ ପ୍ରଥମେ ଲୋକସଭା ସହ ଦେଶର ସବୁ ବିଧାନସଭା ନିର୍ବାଚନ ଗୋଟିଏ ଥରରେ କରିବାକୁ ଏବଂ ତା’ର ୧୦୦ ଦିନ ପରେ ପଞ୍ଚାୟତ ଓ ପୌରପାଳିକା ପାଇଁ ନିର୍ବାଚନ ମଧ୍ୟ ଗୋଟିଏ ଥରରେ କରିବାକୁ କୁହାଯାଇଛି । ଏହାର ଅର୍ଥ ହେଲା, ସରକାର ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନାଁରେ ପ୍ରତି ପାଞ୍ଚ ବର୍ଷରେ ବସ୍ତୁତଃ ଦୁଇଟି ନିର୍ବାଚନ କରିବରକୁ ଯାଉଛନ୍ତି । ଏହାଛଡ଼ା ଯଦି ରାଜନୈତିକ ସଙ୍କଟ ଫଳରେ କେବେ ଲୋକସଭା କିମ୍ବା କୌଣସି ରାଜ୍ୟ ବିଧାନସଭା ମଝିରୁ ଭାଙ୍ଗିଯିବ, ତାହେଲେ ସେଠାରେ ଅବଶିଷ୍ଟ ଅବଧି ପାଇଁ ପୁଣିଥରେ ନିର୍ବାଚନ କରିବାକୁ ଏଥିରେ କୁହାଯାଇଛି । ଏଠାରେ ପ୍ରଶ୍ନ ଉଠେ, ଯଦି କୌଣସି କାରଣରୁ ଲୋକସଭା ତା’ର ନିର୍ଦ୍ଧାରିତ ଅବଧି ପୂର୍ବରୁ ଭଙ୍ଗହେଲା, ତା’ହେଲେ ସେତେବେଳେ ଅବଶିଷ୍ଟ ଅବଧି ପାଇଁ କେବଳ ଲୋକସଭା ନିର୍ବାଚନ ହେବ ନା ତା’ସହିତ ସବୁ ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ କରାଯିବ? ଯଦି ଏଭଳି ବାରମ୍ବାର ନିର୍ବାଚନର ସମ୍ଭାବନା ରହିବ ତା’ହେଲେ ଏଠାରେ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ପ୍ରତାରଣାପୂର୍ଣ୍ଣ ନୁହେଁ କି? ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବିଲ୍ ରେ ଆଉ ଏକ ବିପଜ୍ଜନକ ଧାରାକୁ ଯୋଡ଼ାଯାଇଛି । କୌଣସି ରାଜ୍ୟର ପରିସ୍ଥିତିକୁ ବିବେଚନା କରି ନିର୍ବାଚନ କମିଶନ ଯଦି ନିର୍ବାଚନକୁ ଘୁଞ୍ଚେଇ ଦେବାକୁ ଚାହିଁବେ, ତାହେଲେ ରାଷ୍ଟ୍ରପତି କମିଶନଙ୍କ ସୁପାରିଶକ୍ରମେ ଏନେଇ ଆଦେଶ ଜାରୀ କରିପାରନ୍ତି । ଏହି ବିପଜ୍ଜନକ ଧାରା ଜରିଆରେ କେନ୍ଦ୍ର ସରକାର କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ମୌଳିକ ଅଧିକାରକୁ କ୍ଷୁଣ୍ଣ କରିବାର ମଧ୍ୟ ସମ୍ଭାବନା ରହିଛି । ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ବ୍ୟବସ୍ଥାଟି ବିଶ୍ୱର ହାତଗଣତି ଛୋଟ ଦେଶରେ ହିଁ ଲାଗୁ ହୋଇଛି । ଭୌଗୋଳିକ ଭାବେ ଛୋଟ ସେସବୁ ଦେଶରେ ପ୍ରାୟତଃ ଗୋଟିଏ ସମ୍ପ୍ରଦାୟ ଓ ଗୋଟିଏ ଭାଷାଭାଷୀ ଲୋକ ହିଁ ବସବାସ କରୁଥିବାରୁ ଏହାକୁ ଲାଗୁ କରିବା ହୁଏତ ସମ୍ଭବ ହୋଇଛି । କିନ୍ତୁ ଭାରତ ପରି ବହୁଭାଷୀ ଓ ବହୁସଂସ୍କୃତି ଥିବା ଏତେ ବିଶାଳ ଓ ଜନବହୁଳ ଦେଶରେ ତାହା କଦାପି ସଫଳ ହୋଇନପାରେ । କାରଣ ଆମ ଦେଶର ବିଶାଳ ଜନସଂଖ୍ୟା ଓ ଭୌଗୋଳିକ ସ୍ଥିତି ଲାଗି ନିର୍ବାଚନ କମିଶନଙ୍କୁ ପ୍ରତିଟି ନିର୍ବାଚନକୁ ଏକାଧିକ ପର୍ଯ୍ୟାୟରେ କରିବାକୁ ପଡ଼ୁଛି । ଦେଶରେ ଏକା ସାଥିରେ ନିର୍ବାଚନ ହେବା ଯେ ସମ୍ଭବ ନୁହେଁ, ଏକଥା ସଦ୍ୟ ସମାପ୍ତ ଲୋକସଭା ନିର୍ବାଚନରୁ ମଧ୍ୟ ପ୍ରମାଣିତ ହୋଇଛି । ସୁରକ୍ଷା କାରଣରୁ ସେତେବେଳେ ଲୋକସଭା ନିର୍ବାଚନ ସହ ଜମ୍ମୁ ଓ କାଶ୍ମୀରର ବିଧାନସଭା ନିର୍ବାଚନକୁ ନକରି ପରେ ହରିଆନା ବିଧାନସଭା ନିର୍ବାଚନ ସହିତ କରିବାକୁ ବାଧ୍ୟ ହୋଇଥିଲେ । ସେହିପରି ଗତ ୨୦୧୯ରେ ହରିଆନା, ଝାଡ଼ଖଣ୍ଡ ଓ ମହାରାଷ୍ଟ୍ରର ବିଧାନସଭା ନିର୍ବାଚନ ଏକାସାଥିରେ ହୋଇଥିବାବେଳେ ଏଥର କିନ୍ତୁ ତାକୁ ଅଲଗା କରିବାକୁ ବାଧ୍ୟ ହୋଇଥିଲେ । ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ ନିଷ୍ପତ୍ତିଟି ସମ୍ବିଧାନବିରୋଧି । ଭାରତୀୟ ପରିସ୍ଥିତିରେ ଏହାକୁ ଲାଗୁ କରିବା ଆଦୌ ସମ୍ଭବ ନୁହେଁ । କାରଣ ଆମର ସମ୍ବିଧାନ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ କରିବା କଥା କହୁଥିବାବେଳେ ସରକାରଙ୍କ ବିଲ୍ ରେ ସେଭଳି କିଛି ଉଲ୍ଲେଖ ନାହିଁ । ବିଭିନ୍ନତା ମଧ୍ୟରେ ଏକତା ଓ ବହୁଳତାବାଦୀ ବିଚାରକୁ ଗୁରୁତ୍ତ୍ୱ ଦେଇ ଆସିଥିବା ଆମ ସମ୍ବିଧାନକୁ ‘ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନ’ର ବ୍ୟବସ୍ଥା ଏକଦମ୍ ଦୁର୍ବଳ କରିବା ସହ ଦେଶରେ ଏକଛତ୍ରବାଦୀ ଶାସନ ପାଇଁ ବାଟ ଖୋଲିଦେବ । ବର୍ତ୍ତମାନ ସମ୍ବିଧାନରେ ରହିଥିବା ରାଜ୍ୟମାନଙ୍କ କ୍ଷମତାକୁ ଖର୍ବ କରି କେନ୍ଦ୍ର ସରକାର ପାଖରେ କ୍ଷମତାକୁ କେନ୍ଦ୍ରୀଭୂତ କରିବ । ଏଭଳି ବିଚାରଧାରା, କେବଳ ସମ୍ବିଧାନ ଓ ଗଣତନ୍ତ୍ରର ହିଁ ବିରୋଧି ନୁହେଁ ବରଂ ଆମର ବହୁ ଭାଷା, ବହୁ ଧର୍ମ ଓ ବହୁ ସଂସ୍କୃତି ଉପରେ ଆଧାରିତ ଭାରତର ବିବିଧତା ଉପରେ ସିଧାସଳଖ ଆକ୍ରମଣ ଅଟେ ।

Comments

0 comments

Share This Article