ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ (୨୦୦୪-୨୦୧୪) ଡଃ ମନମୋହନ ସିଂହଙ୍କର ୨୬ ଡିସେମ୍ବର, ୨୦୨୪ ଦିନ ବିୟୋଗ ହୋଇଯାଇଛି । ବ୍ୟବହାର ଓ ଆଚରଣରେ ସେ ଜଣେ ଭଦ୍ର ଏବଂ ସରଳ ମଣିଷ ଥିଲେବୋଲି ପ୍ରାୟ ସମସ୍ତେ ସ୍ମୃତିଚାରଣ କଲାବେଳେ କହିଛନ୍ତି । ମୋଦୀଙ୍କର ଗୁଣଗାନ କରି ଆସୁଥିବା ଗଣମାଧ୍ୟମଗୁଡ଼ିକରେ ମଧ୍ୟ ତାଙ୍କୁ ୨୪ଘଣ୍ଟିଆ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ବିଶେଷକରି ସେ ପ୍ରଧାନମନ୍ତ୍ରୀ ପି.ଭି. ନରସିଂହ ରାଓଙ୍କ ସମୟରେ ଅର୍ଥମନ୍ତ୍ରୀ (୧୯୯୧-୧୯୯୬) ଥିଲା ବେଳେ ଯେଉଁ ‘ଦୁଃସାହସିକ’ ଅର୍ଥନୈତିକ ସଂସ୍କାର ପର୍ବ ଆରମ୍ଭ କରିଥିଲେ, ତାହା ଭାରତରେ ମଧ୍ୟବିତ୍ତ ଶ୍ରେଣୀପାଇଁ ଏକ ‘ନୂତନ ସୂର୍ଯ୍ୟଦୋୟ’ ଆଣିଥିଲା ବୋଲି କହି ଏହି ଶ୍ରେଣୀର ବୁଦ୍ଧିଜୀବୀ ଓ ବିଦ୍ୱାନମାନେ ମଧ୍ୟ ତାଙ୍କ ଅବଦାନକୁ ସମ୍ମାନର ସହ ମନେ ପକାଉଥିଲେ । ଡଃ ମନମୋହନ ସିଂହ ଭାରତ ବିଭାଜନ ସମୟରେ (୧୯୪୬-୧୯୪୭) ନିଜ ବିସ୍ଥାପିତ ଓ ପୀଡ଼ିତ ପରିବାର ସହ ପାକିସ୍ଥାନରୁ ଆସି ପଞ୍ଜାବର ଅମୃତସରଠାରେ ବାସ କରିଥିଲେ । ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ପାଇବାପରେ ସେ କ୍ୟାମ୍ବ୍ରିଜି ବିଶ୍ୱବିଦ୍ୟାଳୟ ଏବଂ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରୁ ମଧ୍ୟ ଉଚ୍ଚତର ଶିକ୍ଷା ପାଇଥିଲେ । କିଛି କମ୍ ସମୟ ଅଧ୍ୟାପନା (ପଞ୍ଜାବ ବିଶ୍ୱବିଦ୍ୟାଳୟ ଓ ଦିଲ୍ଲୀ ସ୍କୁଲ ଅଫ୍ ଇକୋନୋମିକ୍ସ) କରିବା ଭିତରେ ଏବଂ ପରେ ସେ ଆନ୍ତଃରାଷ୍ଟ୍ରୀୟ ଓ ଜାତୀୟ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହି ଆସିଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱଥିଲା ଭାରତୀୟ ରିର୍ଜଭ୍ ବ୍ୟାଙ୍କର ଗଭର୍ଣ୍ଣର, ୟୁ.ଜି.ସିର ଅଧ୍ୟକ୍ଷ ଏବଂ ଯୋଜନା ଆୟୋଗର ଉପାଧ୍ୟକ୍ଷ ଦାୟିତ୍ୱ । ସେହିଭଳି ଆନ୍ତଃରାଷ୍ଟ୍ରୀୟ ସ୍ତରରେ ଅଙ୍କଟାଡ଼୍ ସଚିବାଳୟରେ କାମ କରିବା ଓ ସାଉଥ୍ କମିଶନର ସେକ୍ରେଟାରୀ ଜେନେରାଲ ହେବା ଉଲ୍ଲେଖନୀୟ ଥିଲା । ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖର (୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ୍ ୧୯୯୧)ଙ୍କର ଅନୁରୋଧକ୍ରମେ ସେ କିଛି ସମୟ ତାଙ୍କର ଅର୍ଥନୈତିକ ପରାମର୍ଶଦାତା ଭାବେ କାମ କରିଥିଲେ । ପରେପରେ ପ୍ରଧାନମନ୍ତ୍ରୀ ନରସିଂହ ରାଓଙ୍କର ନିମନ୍ତ୍ରଣ କ୍ରମେ ସେ ୧୯୯୧ରେ ଦେଶର ଅର୍ଥମନ୍ତ୍ରୀ ଦାୟିତ୍ୱ ନେଇଥିଲେ ଏବଂ ୨୦୦୪ରେ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅନୁରୋଧରେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଥିଲେ । ୨୦୦୯ରେ ପୁନଶ୍ଚ ନିର୍ବାଚିତ ହୋଇ କଂଗ୍ରେସ ନେତୃତ୍ୱାଧିନ ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ ସରକାର ଗଠିବା ପରେ ଡଃ ସିଂହ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇ ୨୦୧୪ଯାଏଁ ଏହି ପଦବୀରେ ଥିଲେ ।
ଡଃ ମନମୋହନ ସିଂହଙ୍କ ନିଧନପରେ ମଧ୍ୟବିତ୍ତ ଶ୍ରେଣୀର ବିଶିଷ୍ଟ ବ୍ୟକ୍ତି ମାନଙ୍କ ପାଖରୁ ଯେଉଁ ପ୍ରତିକ୍ରିୟା ଆସୁଛି, ସେହିଭଳି ପ୍ରତିକ୍ରିୟା ସାଧାରଣ ମଣିଷମାନଙ୍କ ପାଖରୁ ଆସୁନାହିଁ । ଗଣମାଧ୍ୟମରେ ଯେଉଁ ଚର୍ଚ୍ଚା ଚାଲିଛି ସେଥିରୁ ଜଣାପଡ଼ୁଛି ଯେ କେମିତି ଗାନ୍ଧୀ/ନେହୁରୁ ପରିବାରକୁ ନୁ୍ୟନକରି ମନମୋହନ ସିଂହକୁ ମହାନ୍ ଦର୍ଶାଯାଇ ପାରିବ! ମୋଦୀପ୍ରିୟ ଗଣମାଧ୍ୟମରେ ମଧ୍ୟ ତାଙ୍କୁ ଭାରତର ଅର୍ଥନୈତିକ ବିକାଶର ମହାନାୟକ ବୋଲି କୁହାଯାଇ ସଂସ୍କାର ପର୍ବଠାରୁ ଆରମ୍ଭ କରି ୨୦୧୪ ଯାଏଁ ଯେଉଁସବୁ ନିଷ୍ପତ୍ତି ତାଙ୍କ ସରକାରରେ ନିଆଯାଇଥିଲା, ତାହାର ମହାନତା କଥା କୁହାଯାଉଛି । ଏଭଳି ବର୍ଣ୍ଣନାକୁ ଦେଖିଲେ ଲାଗୁଛି ଭାରତର ମଧ୍ୟବିତ୍ତବର୍ଗର ହୃଦୟ ଜିତିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ଯାହା କରୁଛନ୍ତି ସେଥିରେ ନୂତନତ୍ୱ କିଛି ନାହିଁ ବରଂ ସେ ସବୁର ଜନକ ଡଃ ମନମୋହନ ସିଂହ ଥିଲେ । ଦୁଇଜଣଙ୍କ ଭିତରେ କିଛି ଭିନ୍ନତା ଓ କିଛି ସମାନତା ଅଛି ନିଶ୍ଚୟ । ଆଖିଦୃଷ୍ଟିଆ ଭିନ୍ନତାଥିଲା ଯେ ମନମୋହନ ଜଣେ ଅର୍ଥନୈତିଜ୍ଞ ଥିଲେ ଏବଂ ଆଚରଣରେ ଅତି ବିନମ୍ର ଓ ଭଦ୍ର ଥିଲେ । ସମାଜସ୍ତରରେ ତାଙ୍କୁ ବିରୋଧ କରୁଥିବା ଲୋକମାନଙ୍କୁ ସେ କେବେ ପ୍ରତିଆକ୍ରମଣ କରୁନଥିଲେ ବା ନିଜ ଅଧିନରେ ଥିବା ସଂସ୍ଥାମାନଙ୍କ ଦ୍ୱାରା ବନ୍ଦୀ କରାଇ ବିନା ବିଚାରରେ ବର୍ଷ ବର୍ଷ ଧରି ରଖୁନଥିଲେ । ସମାନ କଥାଟି ହେଲାଯେ ଉଭୟେ ବିଶ୍ୱପୁଞ୍ଜିର ଭଲ ପ୍ରତିନିଧି ଭାବେ କାମ କରୁଥିଲେ ଏବଂ ଉଭୟେ ନିରୀହ ଜଣାପଡ଼ୁଥିଲେ । ଉଭୟେ ମଧ୍ୟ ଭାରତର ମଧ୍ୟବିତ୍ତଶ୍ରେଣୀର ଭଲପାଇବା ପର୍ଯ୍ୟାପ୍ତ ପରିମାଣର ପାଉଥିଲେ ।
ତେବେ ମନମୋହନ ସିଂହଙ୍କ ସମ୍ପର୍କରେ କିଛି ତଥ୍ୟ ଉଦ୍ଧାରକରି ଡଃ ବୀରେନ୍ଦ୍ର ନାୟକ ନିଜର ଏକ ପୁରୁଣା ଖବରକାଗଜ ଲେଖାକୁ ପରିବର୍ଦ୍ଧିତ କରି ସମଦୃଷ୍ଟିର ଗୋଟିଏ ସଂଖ୍ୟା (୧୬-୩୦ ଜୁନ୍ ୨୦୧୩)ରେ ଉପସ୍ଥାପନ କରିଥିଲେ । ଡଃ ମନମୋହନଙ୍କୁ ବୁଝିବାକୁ ହେଲେ ସେହି ଲେଖାଟିର କିଛି ଅଂଶ ଆମକୁ ସାହାଯ୍ୟ କରିପାରେ । ଯେମିତିକି ସେ ୧୯୯୧ ମସିହାରେ ଟାଇମ୍ସ ଅଫ୍ ଇଣ୍ଡିଆରେ ଲିଖିତ ଏକ ସଂପାଦକୀୟକୁ ଉଦ୍ଧାର କରି କହିଥିଲେ ଯେ – “Manmohan Singh was perfectly happy with the garibi hatao phrase of Mrs. Gandhi, then with the emergency, then with the Janata Party, then with the return of Mrs. Gandhi. He was accessible to Chandrasekhar as an adviser with Cabinet rank. He’s accessible to everyone. That is a miracle.” । ଅର୍ଥାତ୍ ସେ ସବୁ କଥାରେ ସମ୍ପୂର୍ଣ୍ଣ ଖୁସି ରହିପାରୁଥିଲେ: ଯେମିତିକି ଇନ୍ଦିରା ଗାନ୍ଧୀଙ୍କ ଗରିବ ହଟାଓ ସ୍ଲୋଗାନ୍, ପୁଣି ତାଙ୍କ ଦ୍ୱାରା ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି, ତାଙ୍କୁ ବିରୋଧକରି କ୍ଷମତାକୁ ଆସିଥିବା ଜନତା ପାର୍ଟି, ପୁଣି ଶ୍ରୀମତୀ ଗାନ୍ଧୀଙ୍କର କ୍ଷମତାକୁ ପ୍ରତ୍ୟାବର୍ତ୍ତନ, ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିବା ବେଳେ କ୍ୟାବିନେଟ୍ ପାହ୍ୟାର ଜଣେ ଉପଦେଷ୍ଟା ହେବା ଇତ୍ୟାଦି । ଏହିସବୁ କାମ କେବଳ ଜଣେ ଯାଦୁଗର ହିଁ କରିପାରେ ।
ମନମୋହନ ସିଂହଙ୍କର ଅର୍ଥମନ୍ତ୍ରୀ ହିସାବରେ ୧୯୯୧ ମସିହାର ପ୍ରଥମ ବଜେଟ୍ ଭାଷଣ ଭାରତର ଶାସନତନ୍ତ୍ରକୁ ଲୋକଙ୍କଠାରୁ ଦୂରେଇ ନେଇ କର୍ପୋରେଟ୍ ଶକ୍ତିମାନଙ୍କ ହାତରେ ଅର୍ପଣ କରିବା ପାଇଁ ସେ କରିଥିବା ପ୍ରଥମ ପ୍ରୟାସର ଏକ ଦସ୍ତାବିଜ ଥିଲା । ଦେଶର ଅର୍ଥନୈତିକ ପରିସ୍ଥିତିକୁ ନୈରାଶ୍ୟଜନକ ଏବଂ ଦେଶ ଏକ ଅର୍ଥନୈତିକ ବିପର୍ଯ୍ୟୟ ଆଡ଼କୁ ଯାଉଛି କହି ସେ ଯେଉଁ ସଂସ୍କାରପ୍ରକ୍ରିୟା ଆରମ୍ଭ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ତାହା ପଛରେ ଥିଲେ ବିଶ୍ୱବ୍ୟାଙ୍କ ଓ ଅନ୍ତରାଷ୍ଟ୍ରୀୟ ମୁଦ୍ରାପାଣ୍ଠି । ତାଙ୍କ ଯୋଜନାରେ ଥିଲା ଭାରତୀୟ ଟଙ୍କାର ଅବମୂଲ୍ୟାୟନ, ବିଦେଶରୁ ଆମଦାନୀ ହେଉଥିବା ଦ୍ରବ୍ୟ ଉପରେ ଟିକସ ଛାଡ଼ ଏବଂ ରାଷ୍ଟ୍ରାୟତ୍ତ କମ୍ପାନୀମାନଙ୍କର ଘରୋଇକରଣ । ରାଷ୍ଟ୍ର ଏକ ଜନମଙ୍ଗଳ ରାଷ୍ଟ୍ର ଭୂମିକାରୁ ଖସି ଆସି ଏକ କର୍ପୋରେଟ ବା ପୁଞ୍ଜି ମଙ୍ଗଳରାଷ୍ଟ୍ର ଆଡ଼କୁ ଯିବା ଏବଂ ଅତିବଡ଼ ହେଲେ କିଛି ଜନସେବା ବା ରାଷ୍ଟ୍ରୀୟ ଫିଲାନ୍ଥ୍ରଫି କରି ଏହାର କୋଟି କୋଟି ଜନଗଣଙ୍କପାଇଁ କିଛି ସାନ୍ତ୍ୱନାମୂଳକ ଉପଲ୍ଲବ୍ଧି ଯୋଗାଇବାରେ ନିଜର ଭୂମିକାକୁ ସୀମିତ ରଖିବା, ଯାହା ଆଜିଯାଏଁ ଚାଲିଛି, ତାହା ଡଃ ମନମୋହନ ସିଂହଙ୍କ ସେହି ବଜେଟ ଭାଷଣରୁ ହିଁ ଆରମ୍ଭ ହୋଇଥିଲା । କଂଗ୍ରେସ ଭିତରେ ଏବଂ ବାହାରେ ହେଉଥିବା ପ୍ରତିବାଦକୁ ଭ୍ରୂକ୍ଷେପ ନକରି ଡଃ ସିଂହ ନିଜର ସଂସ୍କାରଧର୍ମୀ ବଜେଟକୁ ଦୃଢ଼ଭାବେ ଉପସ୍ଥାପନ କରି ଗୃହୀତ କରାଇଥିଲେ । ତାଙ୍କର ଗୋଟିଏ ସେହି ସମୟର ବାକ୍ୟ ଯାହା ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲାବେଳେ ଲୋକମାନେ ଦୋହରାଉଛନ୍ତି ତାହାଥିଲା, “No power on earth can stop an idea whose time has come”. ଅର୍ଥାତ୍ ବିଶ୍ୱର କୌଣସି ଶକ୍ତି ସେହି ବିଚାରକୁ ଅଟକାଇ ପାରିବେ ନାହିଁ ଯାହାର ସମୟ ଆସିଯାଇଛି । ସେଥିପାଇଁ ତାଙ୍କର କିଛି ପ୍ରସ୍ତାବ ସହ ସହମତି ହୋଇନଥିବା ସେହି ସମୟର ବିଦ୍ୱାନ ଅର୍ଥସଚିବ ଶ୍ରୀ ଏସ୍.ପି.ଶୁକ୍ଳାଙ୍କୁ ସେ ନିଜ ପଦରୁ ଅବ୍ୟାହତ ଦେଇଥିଲେ । ଏହି ସରକାରରେ ଆଉ କାମ କରିହେବ ନାହିଁ ବିଚାର କରି ଶ୍ରୀ ଶୁକ୍ଳା ମଧ୍ୟ ଭାରତୀୟ ପ୍ରଶାସନ ସେବାରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ । ଅନ୍ୟପଟେ ଡଃ ସିଂହଙ୍କର ଏହି ବକ୍ତବ୍ୟର ପରିଣାମକୁ ଭାରତର ୮୪କୋଟିରୁ ଉର୍ଦ୍ଧ ଦରିଦ୍ର ଜନଗଣ ଦୀର୍ଘ ୩୪ବର୍ଷ ଧରି ଯନ୍ତ୍ରଣାର ସହ ଭୋଗି ଚାଲିଛନ୍ତି । କିନ୍ତୁ ସବୁଠାରୁ ଅଧିକ ଖୁସି ଅଛନ୍ତି ଏକ ଭୟଙ୍କର ଭୋଗବାଦରେ ବୁଡ଼ି ରହିଥିବା ଭାରତର ମଧ୍ୟବିତ୍ତ ଶ୍ରେଣୀ ।
୨୦୦୪ରୁ ୨୦୧୪ ଭିତରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସରକାର ଯେଉଁ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ ଏବଂ ଯାହାପଛରେ ଭାରତୀୟ ମଧ୍ୟବିତ୍ତ ଶ୍ରେଣୀର ବିଶେଷ ସମର୍ଥନ ଥିଲା ତାହା ହେଉଛି ସବୁକ୍ଷେତ୍ରରେ ଧିରେଧିରେ ଦେଶୀ ତଥା ବିଦେଶୀ ପୁଞ୍ଜି ଲଗାଣ ଓ ଭାରତ ଆମେରିକା ବେସାମରିକ ଆଣବିକ ଚୁକ୍ତି । ଗୋଟିଏ ବଳିଷ୍ଠ ଧାରଣା ରହି ଆସିଛିଯେ ଏହି ଚୁକ୍ତିଟିକୁ ଭାରତର ବାମପନ୍ଥୀମାନେ ବିରୋଧ କରୁଥିଲେ ଏବଂ ସେଥିପାଇଁ ସେମାନେ ମନମୋହନ ସରକାରଙ୍କଠାରୁ ସମର୍ଥନ ମଧ୍ୟ ପ୍ରତ୍ୟାହାର କରିଥିଲେ । କିନ୍ତୁ ବାସ୍ତବରେ ଭାରତର ପରମାଣୁ ବିଜ୍ଞାନୀମାନେ ବି ଏହି ବିରୋଧର ଆଗଧାଡ଼ିରେ ଥିଲେ । ‘ପରମାଣୁ ଚୁକ୍ତି ଆଗକୁ ନିଅନାହିଁ’ କହି ସେମାନେ ମିଳିତଭାବେ ଏକ ବକ୍ତବ୍ୟ ଜାରିକରିଥିଲେ (ସମଦୃଷ୍ଟି ସମ୍ପାଦକୀୟ ୧୬-୩୧ ଜୁଲାଇ ୨୦୦୮) । ପରେ ସେମାନେ ପ୍ରଧାନମନ୍ତ୍ରୀ ଡଃ ମନମୋହନଙ୍କୁ ଭେଟି ନିଜର ପ୍ରତିବାଦର କାରଣ ଜଣାଇଥିଲେ । ପ୍ରତିବାଦ କରୁଥିବା ପରମାଣୁ ବିଜ୍ଞାନୀମାନଙ୍କ ଭିତରେ ଥିଲେ ଡଃ ପି.କେ.ଆୟାଙ୍ଗର ଯେକି ଦିନେ ଆଣବିକ ଶକ୍ତି କମିଶନର ଅଧ୍ୟକ୍ଷ ଥିଲେ, ଡଃ ଏ.ଗୋପାଳକି୍ରଷ୍ଣନ୍, ଯେକି ଆଣବିକ ଶକ୍ତି ନିୟାମକ ପରିଷଦର ଅଧ୍ୟକ୍ଷ ଥିଲେ ଏବଂ ଡଃ ଏସ୍.ଏନ୍. ପ୍ରସାଦ ଯିଏ ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ଭାବେ ଦୀର୍ଘଦିନ ଧରି ଦାୟିତ୍ୱରେ ଥିଲେ । ସେମାନଙ୍କର ଦାବିଥିଲା ଯେ ଭାରତ ଆମେରିକା ଆଣବିକ ରାଜିନାମାଟିର ସବୁଦିଗକୁ ଉଚିତ୍ ଭାବେ ସମୀକ୍ଷା କରାଯାଉ ଏବଂ ତାହା ସଂସଦରେ ଆଲୋଚନା କଲାପରେ ହିଁ ଆନ୍ତର୍ଜାତିକ ଆଣବିକ ଶକ୍ତି କମିଶନଙ୍କ ପାଖକୁ ପଠାଯାଉ । ସେମାନଙ୍କ ମତରେ ଦେଶକୁ ଯେଉଁ ଶକ୍ତି ସୁରକ୍ଷା ଯୋଗାଇ ଦେବାର ବାହାନା ଦେଖାଇ ଏହି ଚୁକ୍ତିକୁ କାର୍ଯ୍ୟକାରୀ କରାଯାଉଛି ତାହା ସତ୍ୟ ନୁହଁ, ବରଂ ସତ୍ୟର ଅପଳାପ । ଆମ ଦେଶ ଅଧିକ ଖର୍ଚ୍ଚାନ୍ତ ହେବ, ଶକ୍ତି କ୍ଷେତ୍ରରେ ଆମର ନିଜସ୍ୱ ଗବେଷଣା ବିକାଶ କାମ ବାଧାପ୍ରାପ୍ତ ହେବ ଓ ଆମ ଦେଶଟି ସ୍ୱାଧୀନ ବିଦେଶ ନୀତି ପ୍ରଣୟନ କରିବାର କ୍ଷମତା ଓ ସ୍ୱାଧୀନତା ହରାଇ ବସିବେ ବୋଲି ଏହି ବୈଜ୍ଞାନିକମାନେ ଆଶଙ୍କା କରୁଥିଲେ । ଏହି ଆଶଙ୍କାଟି ବଢ଼ିଯାଇଥିଲା ଯେତେବେଳେ ମନମୋହନ ସରକାର ଜନସାଧାରଣଙ୍କ ଠାରୁ ଚୁକ୍ତି ଦସ୍ତାବିଜକୁ ଗୋପନୀୟ ରଖି ଆମେରିକା ସହ ରାଜିନାମା ସ୍ୱାକ୍ଷର କରିଥିଲେ । ଏହାର ପରିଣାମ ଶକ୍ତି କ୍ଷେତ୍ରରେ କିଭଳି ପଡ଼ିଛି ତାହାର ଆଲୋଚନା ଏଯାଏଁ କରାଯାଇ ନାହିଁ । ସେହିଭଳି ତକ୍ରାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ବୁଶ୍ ଙ୍କ ସହ ସେତେବେଳର ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କର ଆଉଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ଯାହାର ନାଁ ଥିଲା ‘କିଆ’ (Knowledge Initiative on Agriculture) । ଭାରତର କୃଷି କ୍ଷେତ୍ରର ସାର୍ବଭୌମତା ହରାଇବା ଦିଗରେ ସବୁଜ ବିପ୍ଳବ ପରେ ଏହା ଥିଲା ଦ୍ୱିତୀୟ ପ୍ରୟାସ । ବିଡ଼ମ୍ବନାର କଥାଯେ ବିରୋଧି ରାଜନୈତିକ ଦଳମାନେ ଏହାର ବିରୋଧ କରିନଥିଲେ ଯେମିତିକି ସେମାନେ ଏଯାବତ୍ ସବୁଜ ବିପ୍ଳବର ବିଭୀଷିକା ଉପରେ କେବେ ପ୍ରଶ୍ନ କରିନାହାଁନ୍ତି ।
ଏବେ ନରେନ୍ଦ୍ର ମୋଦୀ ତୁହାକୁ ତୁହା ଓଡ଼ିଶା ଆସି ବା ଦିଲ୍ଲୀରେ ଥାଇ ଓଡ଼ିଶା ଉପରେ ଯେଉଁ ପ୍ରଶାସନିକ ସ୍ତରରେ ଆଲୋଚନା କରୁଛନ୍ତି, ତାହାର କେନ୍ଦ୍ରରେ ରହିଛି ଓଡ଼ିଶାର ଖଣିଖାଦାନ ଓ ପ୍ରାକୃତିକ ସମ୍ବଳ । ଏହି ପରମ୍ପରାଟା ଡଃ ମନମୋହନ ସିଂହଙ୍କ ସମୟରୁ ଆରମ୍ଭ ହୋଇଥିଲା । କିଛି ଦୃଷ୍ଟାନ୍ତ ଆମ ପାଖରେ ବି ଅଛି (ସମଦୃଷ୍ଟି ସମ୍ପାଦକୀୟ ୧-୧୫ ଜାନୁଆରୀ ୨୦୧୦) । ଡିସେମ୍ବର ୨୭, ୨୦୦୯ଦିନ ଡଃ ମନମୋହନ ସିଂ ଭୁବନେଶ୍ୱର ଆସି ଜଟଣୀ ନିକଟରେ ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ (ନାଇଜର୍)ର ନିଜସ୍ୱ ପରିସରର ଶିଳାନ୍ୟାସ କରି କିଛି କଥା କହିଥିଲେ । ସେ ଭିତରେ ଗୋଟିଏ ଥିଲା ଓଡ଼ିଶାର ଖଣିଜ ପଦାର୍ଥ, ଅନ୍ୟଟି ଥିଲା ଓଡ଼ିଶାର ୪୮୦ କି.ମି. ଲମ୍ବା ସମୁଦ୍ରକୂଳ ତଥା ସମୁଦ୍ରସମ୍ପଦର ବିନିଯୋଗ । ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଆୟୋଜିତ ଅର୍ଥନୀତି ବିଶାରଦମାନଙ୍କର ଏକ ସଭାରେ ସେ ପୁଣି କହିଥିଲେଯେ ଦେଶର ପ୍ରତ୍ୟେକ ନାଗରିକ ସର୍ବନିମ୍ନ ଜୀବନଯାପନର ସୁବିଧା ପାଇବାକୁ ହେଲେ ଜାତୀୟ ଆୟକୁ ଆସନ୍ତା ୧୦ରୁ ୧୫ ବର୍ଷ ଭିତରେ ତିନିଗୁଣା ବଢ଼ାଇବାକୁ ପଡ଼ିବ । ଆମେ ସେତେବେଳେ ଲେଖିଥିଲୁଯେ କେବଳ ଡଃ ମନମୋହ ସିଂହ କାହିଁକି, ଏ ଦେଶର ଅର୍ଥନୀତି ବିଶାରଦମାନେ ଆମକୁ ଏହି ପାଠ ପଢ଼ାଇ ଆସିଛନ୍ତି ଯେ, ଦେଶର ଜାତୀୟ ମୂଳ ଉତ୍ପାଦନର ଦ୍ରୁତ ଅଭିବୃଦ୍ଧି ଘଟିଲେ ହିଁ ଆମର ବର୍ଦ୍ଧିତ ଆୟଟି ତଳକୁ ତଳକୁ ଗଡ଼ିଚାଲିବ ଏବଂ ଗରିବମାନେ ଧନୀ ହୋଇଯିବେ ବା ଦାରିଦ୍ର୍ୟ ଆଉ ରହିବନାହିଁ । ଆମେ ଦର୍ଶାଇ ଥିଲୁଯେ କେମିତି ୨୦୦୬-୦୭ରେ ଆମର ଆର୍ଥିକ ଅଭିବୃଦ୍ଧି ୯.୪ ପ୍ରତିଶତ ଥିଲାବେଳେ ଆମର ବୈଦେଶିକ ମୁଦ୍ରାପାଣ୍ଠିଟି ୧.୦୯ ଟ୍ରିଲିୟନ ଡଲାରରେ ପହଞ୍ଚିଥିଲା । କିନ୍ତୁ ସେହିବର୍ଷ (୨୦୦୭) ଅର୍ଥନୀତିଜ୍ଞ ଅର୍ଜୁନ୍ ସେନଗୁପ୍ତା କମିଟି ଯେଉଁ ରିପୋର୍ଟ ପ୍ରଦାନ କଲେ, ସେଥିରୁ ଆମେ ଜାଣିବାକୁ ପାଇଲେଯେ ଏତେ ଆର୍ଥିକ ଅଭିବୃଦ୍ଧି ହାର ସତ୍ତ୍ୱେ ଆମଦେଶରେ ୧୦୦ ଜଣ ଦେଶବାସୀଙ୍କ ଭିତରେ ୭୭ଜଣଙ୍କ ପାଖରେ ଦୈନିକ ଆୟ ୨୦ଟଙ୍କାରୁ ବି କମ୍ ଅଛି । ଅର୍ଜୁନ୍ ସେନଗୁପ୍ତାଙ୍କ ତଥ୍ୟ ଅତିରଞ୍ଜିତ ହୋଇଥାଇପାରେ ବୋଲି ଯେଉଁମାନେ ଭାବୁଥିବେ ୨୦୦୬-୦୭ରେ ଜାତୀୟ ନମୂନା ସର୍ବେକ୍ଷଣ ସଂସ୍ଥାନ (NSSO)ର ଯଦି ହିସାବଟିକୁ ଦେଖିବେ, କଥାଟି ଆହୁରି ସ୍ପଷ୍ଟ ହୋଇଯିବ । ଏହି ସର୍ବେକ୍ଷଣମୁତାବକ ଜଣେ ସାଧାରଣ ଭାରତୀୟ ମାସକୁ ଖାଦ୍ୟବାବଦରେ ୪୪୦ଟଙ୍କାରୁ ବି କମ୍ ଖର୍ଚ୍ଚ କରୁଥିଲେ । ଅର୍ଥାତ ଆର୍ଥିକ ଅଭିବୃଦ୍ଧି ସହ ଏଯାବତ୍ ଦାରିଦ୍ର୍ୟ ନିରାକରଣର ଏକ ସକାରାତ୍ମକ ସମ୍ପର୍କ ଅଛି-ଏକଥା ମନମୋହନ ଜାତୀୟ ଅର୍ଥନୀତିଜ୍ଞମାନେ ପ୍ରମାଣିତ କରିପାରିନାହାନ୍ତି ।
ଶ୍ରଦ୍ଧାଞ୍ଜଳି ଦେଉଥିବା ଲୋକମାନେ ଆଉ ଗୋଟିଏ କଥା କହୁଥିବାର ଆମେ ଶୁଣୁଛନ୍ତି ଯେ କଂଗ୍ରେସ ନେତୃତ୍ୱାଧିନ ୟୁପିଏ-୧ ଓ ୟୁପିଏ-୨ ସମୟରେ ଯେତେସବୁ ‘ପ୍ରଗତିଶୀଳ’ ଓ ‘ଜନହିତକର’ ଆଇନ୍ ବା ନୀତି ଆସିଥିଲା ତାହାର ଶ୍ରେୟ ମନମୋହନ ସିଂହଙ୍କୁ ଯିବ । କେଉଁଠି ବି ଆମେ ୟୁପିଏ ସମୟରେ ଅଣାଯାଇଥିବା ଏହିସବୁ ନୀତି ବା ଆଇନପଛରେ ବଳିଷ୍ଠ ଭାବେ ରହି ଆସିଥିବା ‘ଜାତୀୟ ପରାମର୍ଶଦାତା ପରିଷଦ’ର ଉଲ୍ଲେଖ ପାଇନଥିଲୁ । ମନମୋହନ ସିଂହଙ୍କ ସମୟରେ ସବୁଠାରୁ ଶକ୍ତିଶାଳୀ ଥିଲେ ସେ ଓ ତାଙ୍କର ଅର୍ଥ/ଗୃହ/ଅର୍ଥ ମନ୍ତ୍ରୀ ରହି ଆସିଥିବା ପି. ଚିଦାମ୍ବରମ୍ । ଉଭୟେ ଆର୍ଥିକ ପୁଞ୍ଜି ତଥା କର୍ପୋରେଟ ଜଗତର ଶ୍ରେଷ୍ଠବନ୍ଧୁ ଭାବେ କାମ କରୁଥିଲେ ଯଦିଓ ଆଜି ନରେନ୍ଦ୍ର ମୋଦୀ ଯେଉଁ ଭଳି ଉଗ୍ରଭାବେ କାମ କରୁଛନ୍ତି ସେମାନଙ୍କର କାମ କରିବାର ଢାଞ୍ଚାଟି ଯଥେଷ୍ଟ ଭିନ୍ନଥିଲା । ତେବେ ଏମାନେ ଏକ ‘ପୁଞ୍ଜି ମଙ୍ଗଳ’ ରାଷ୍ଟ୍ର ପାଇଁ ନିଷ୍ଠାର ସହ କାମ କରୁଥିଲାବେଳେ ସୋନିଆ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଯଥେଷ୍ଟ ସକ୍ରିୟ ଥିଲା ‘ଜାତୀୟ ପରାମର୍ଶଦାତା ପରିଷଦ’ ଯିଏ କି ଏକ ‘ଜନମଙ୍ଗଳ’ ରାଷ୍ଟ୍ରର ଭୂମିକା ସମ୍ପର୍କରେ ସେମାନଙ୍କୁ ମନେ ପକାଇ ଦେଉଥିଲା । ଏହି ପରିଷଦ ପୂର୍ଣ୍ଣକାଳୀନ କାମ କରୁଥିଲା ଯାହାର ପରିଣାମସ୍ୱରୂପ ୧୨ଏପ୍ରିଲ ,୨୦୦୫ରେ ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ, ଜୁନ୍ ୨୦୦୫ରେ ସୂଚନା ଅଧିକାର ଆଇନ ଏବଂ ସେପ୍ଟେମ୍ବର ୨୦୦୫ରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମ୍ୟ ରୋଜଗାର ପ୍ରତିଶୃତି ଆଇନ ପାରିତ ହୋଇଥିଲା । ସେହିଭଳି ୨୦୦୬ ମସିହାରେ ଜଙ୍ଗଲ ଅଧିକାର ଆଇନ ପାରିତ ହୋଇଥିଲା । ୨୦୧୩ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଆଇନ ଆସିଥିଲା ସେ ଭିତରୁ ଗୋଟିଏ ଥିଲା ଖାଦ୍ୟ ଅଧିକାର ଆଇନ ବା ଜାତୀୟ ଖାଦ୍ୟ ନିରାପତ୍ତା ଆଇନ୍ ଏବଂ ଅନ୍ୟଟି ଥିଲା ଜମି ଅଧିଗ୍ରହଣ, ପୁନଃବାସ ଓ ଥଇଥାନ କ୍ଷେତ୍ରରେ ସ୍ୱଚ୍ଛତା ତଥା ଉପଯୁକ୍ତ କ୍ଷତିପୂରଣ ପାଇବାର ଅଧିକାର ସମ୍ପର୍କିତ ଆଇନ । ଏହି ଆଇନଗୁଡ଼ିକର ଚିଠା ମୁଖ୍ୟତଃ ଅନେକ ବିଚାର ଆଲୋଚନା ପରେ ‘ଜାତୀୟ ପରାମର୍ଶଦାତା ପରିଷଦ’ ସରକାରଙ୍କୁ ଦେଉଥିଲେ ଓ ମନମୋହନ ସିଂହ ସରକାର ଖୁସି ନଥିଲେ ବି ତାକୁ ପାରିତ କରିବା ପାଇଁ କାମ କରୁଥିଲେ । ଏହିସବୁ ଆଇନ ବିଶେଷ କରି ଜଙ୍ଗଲ ଅଧିକାର ଆଇନ ଓ ଜମି ଅଧିଗ୍ରହଣ ଆଇନ କର୍ପୋରେଟ୍ ଜଗତକୁ ସମ୍ପୂର୍ଣ୍ଣଭାବେ କ୍ଷୁବ୍ଧ କରିଥିଲାବେଳେ, ଖାଦ୍ୟ ଅଧିକାର ଆଇନ ଓ ଏମ୍.ଜି.ଏନ୍.ଆର.ଇ.ଜି ଆଇନ ଭାରତର ମଧ୍ୟବିତ୍ତ ଶ୍ରେଣୀକୁ କ୍ଷୁବ୍ଧ କରୁଥିଲା ଯେମିତିକି ସରକାର ସିଧାସଳଖ ସେମାନଙ୍କ ପକେଟରୁ ପଇସା ନେଇ ଗରିବଶ୍ରେଣୀଙ୍କୁ ଦେଇ ଦେଉଛନ୍ତି । କର୍ପୋରେଟ୍ ଜଗତରୁ ଅସନ୍ତୋଷର ବାର୍ତ୍ତା ଗଣମାଧ୍ୟମରେ ବ୍ୟାପୁଥିବାବେଳେ ମଧ୍ୟବିତ୍ତ ଶ୍ରେଣୀରେ ତାହାର ପ୍ରତିଧ୍ୱନି ଶୁଣିବାକୁ ମିଳୁଥିଲା । ଅନେକ ଖଣି ଓ ଶିଳ୍ପ ପ୍ରକଳ୍ପ ଜନବିରୋଧ ଯୋଗୁଁ ଅଟକି ଯାଉଥିଲା । ଏଥିପାଇଁ ଅନେକ ସ୍ଥାନରେ ଜଙ୍ଗଲ ଅଧିକାର ଆଇନ-୨୦୦୬ ଏକ ଅସ୍ତ୍ର ଜନଗଣଙ୍କ ହାତରେ ଦେଇଥିଲା । ଓଡ଼ିଶାରେ ବେଦାନ୍ତ ବିରୋଧି ନିୟମଗିରିର ଡଙ୍ଗରିଆ/ଝରଣିଆ ଆଦିବାସୀଙ୍କର ଆନେ୍ଦାଳନ, ଉଚ୍ଚତମ ନ୍ୟାୟାଳୟର ହସ୍ତକ୍ଷେପ, ଜନମତ ସଂଗ୍ରହ ଏବଂ ତାକୁ ଆଧାରକରି ଖଣିଲିଜ୍ ବାତିଲ ଇତ୍ୟାଦି ଜଙ୍ଗଲ ଅଧିକାର ଆଇନ-୨୦୦୬ ଯୋଗୁଁ ସମ୍ଭବ ହୋଇ ପାରିଥିଲା । ସେହିଭଳି କାଶୀପୁର, କଳିଙ୍ଗନଗର ଏବଂ ଢ଼ିଙ୍କିଆର ଖଣି ଓ ଶିଳ୍ପ ପ୍ରକଳ୍ପଗୁଡ଼ିକ ଜନବିରୋଧ ଯୋଗୁଁ କିଛି ବର୍ଷ ଧରି ବନ୍ଦ ହୋଇଯାଇଥିଲା । ସେଥିପାଇଁ ଅନେକ ସମୟରେ ମନମୋହନ ସିଂହଙ୍କ ଉପରେ ପ୍ରତ୍ୟକ୍ଷ ଏବଂ ସୋନିଆ ଗାନ୍ଧୀଙ୍କ ନେତୃତ୍ୱାଧିନ ‘ଜାତୀୟ ପରାମର୍ଶଦାତା ପରିଷଦ’ ଉପରେ ପରୋକ୍ଷ ଆକ୍ରମଣ ଚାଲିଥିଲା । ଏକଦା ପ୍ରଧାନମନ୍ତ୍ରୀଙ୍କର ଗଣମାଧ୍ୟମ ପରାମର୍ଶଦାତା ଥିବା ହରିସ୍ ଖାରେ ୨୭ ଡ଼ିସେମ୍ବର ୨୦୨୪ରେ ଦ ୱାୟାରରେ କିଛି ଭିନ୍ନକଥା ଜଣାଇବା ପାଇଁ ଚେଷ୍ଟା କରିଛନ୍ତି । ତାଙ୍କ ମତରେ ସେ ଉପସ୍ଥିତ ଥିବା ଏକ ଛୋଟ ବୈଠକରେ (ଜୁନ୍ ୨୦୧୯) ଶ୍ରେଷ୍ଠ ଇସ୍ପାତ ଉତ୍ପାଦକଙ୍କୁ ପୁରସ୍କୃତ କରାଯାଉଥିଲା ଏବଂ ଦେଶର ବଡ଼ ବଡ଼ ଇସ୍ପାତ ଉଦ୍ୟେଗୀମାନେ ଉପସ୍ଥିତ ଥିଲେ । ସେମାନେ ଡଃ ସିଂହଙ୍କୁ ଆବେଦନ କରି କହିଥିଲେଯେ ନକ୍ସଲମାନଙ୍କୁ ନେଇ କିଛି କରିବାକୁ ପଡ଼ିବ- ଯେଉଁମାନେ ଏହି ଉଦ୍ୟେଗୀ ମାନଙ୍କ ଜୀବନକୁ ଦୁର୍ବିସହ କରିଦେଲେଣି (“something had to be done about these Naxals who were making their life difficult”) ଡଃ ସିଂହଙ୍କର ଉତ୍ତର ଥିଲାଯେ ସେମାନଙ୍କ ଭିତରୁ ଅଧିକାଂଶ ବୋଧହୁଏ ଭାବୁଛନ୍ତି ଯେ ଆମ ବ୍ୟବସ୍ଥା ହିଁ ସେମାନଙ୍କୁ ଅବିଚାର କରୁଛି (Perhaps many of them (i.e. the so-called Naxals) believe that the system we have is very unfair to them”) । କିନ୍ତୁ ତଥ୍ୟ ଓ ପ୍ରମାଣ ରହିଛି କିଭଳି ପି. ଚିଦାମ୍ବରମ୍ ଗୃହମନ୍ତ୍ରୀ ଥିଲାବେଳେ ‘ଗ୍ରୀନ୍ ହଣ୍ଟ’ ନାଁରେ ପ୍ରାକୃତିକ ସମ୍ପଦ ଭରପୁର ଥିବା ମଧ୍ୟ ଭାରତର ଏକ ବିଶାଳ ଭୂଖଣ୍ଡରେ ଆଦିବାସୀ ଦମନ ଚାଲିଥିଲା ବିଶେଷକରି ଯେଉଁଠି ଯେଉଁଠି କିଛି ଖଣି ବା ଶିଳ୍ପ ପ୍ରତିଷ୍ଠାପାଇଁ ଭାରତର ବଡ଼ ବଡ଼ ଶିଳ୍ପପତିମାନେ ଆଶା ବାନ୍ଧି ବସିଥିଲେ । ମନମୋହନ ସିଂହଙ୍କ କାମଟି ନରେନ୍ଦ୍ର ମୋଦୀଙ୍କୁ ଯଥେଷ୍ଟ ସାହାଯ୍ୟକଲା ସେସବୁ ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ କର୍ପୋରେଟ୍ ଜଗତକୁ ହସ୍ତାନ୍ତର କରିବା ପାଇଁ ।
ମନମୋହନଙ୍କ ସମୟରୁ ନରେନ୍ଦ୍ର ମୋଦୀଙ୍କ ସମୟ ଯାଏଁ ଯାହା ସବୁ ଚାଲିଛି ତାହା ଏକ ଭୟଙ୍କର ଧାରାବାହିକତାକୁ ବୁଝାଉଛି, ପରିବର୍ତ୍ତନକୁ ନୁହଁ । ପରିବର୍ତ୍ତନ ପାଇଁ ୨୦୧୨ ମସିହାରେ ଆନ୍ନା ହଜାରେଙ୍କୁ ଆଢ଼ୁଆଳ କରି ଯେଉଁ ଦୁର୍ନୀତିବିରୋଧି ଅଭିଯାନ ଆରମ୍ଭ ହୋଇଥିଲା ବିଶେଷକରି କର୍ପୋରେଟ୍ ଶକ୍ତି ଓ ସାମ୍ପ୍ରଦାୟିଙ୍କ ଶକ୍ତିଙ୍କର ମିଳିତ ସହଯୋଗରେ, ତାହାର ହୁଏତ ମୂଳ ଉଦେଶ୍ୟ ଥିଲା ଏହି ଧାରାବାହିକତାକୁ ଅଧିକ ଉଗ୍ରଭାବେ ଆଗକୁ ନେବା ପାଇଁ । ଏବେ ‘ଜାତୀୟ ପରାମର୍ଶଦାତା ପରିଷଦ’ ବି ନାହିଁ ପୁଞ୍ଜିପାଇଁ ଅଭିବୃଦ୍ଧି ନାଁରେ ମତୁଆଲା ହେଉଥିବା ମୋଦୀ ସରକାର ଉପରେ ଅଙ୍କୁଶ ଆଣିବା ପାଇଁ । ଏହାର ଅନ୍ୟ ଅର୍ଥ ନହେଉ ଯେ ‘ଜାତୀୟ ପରାମର୍ଶଦାତା ପରିଷଦ’ ଜନବାଦୀ ଥିଲା ଏବଂ ପୁଞ୍ଜି ବିରୋଧି ଥିଲା । ଗତ ୩୪ବର୍ଷ ଧରି ଭାରତର ରାଷ୍ଟ୍ର ଏକ ଜନମଙ୍ଗଳକାରୀ ଭୂମିକାରୁ ନିଜକୁ କ୍ରମାଗତ ଭାବେ ଅପସରି ନେଇ ଚାଲିଛି । ଆଜି ଏମିତି ଏକ ସମୟରେ ଆମେ ପହଞ୍ଚିଛେ ଯେ ସମ୍ବିଧାନକୁ ହାତରେ ଧରି ବୁଲିବାକୁ ପଡ଼ୁଛି ଏବଂ ଲୋକଙ୍କୁ କହିବାକୁ ପଡ଼ୁଛିଯେ ସେମାନେ ସମ୍ବିଧାନ ଓ ସମ୍ବିଧାନ ଅନୁମୋଦିତ ଶାସନର ସୁରକ୍ଷା ପାଇଁ ଆଗକୁ ଆସନ୍ତୁ । କିନ୍ତୁ କଥାଟି ବୁଝିବା ଏତେ ସହଜ ନୁହଁ । ପ୍ରଗତିଶୀଳ ରାଜନୈତିକ ଓ ସାମାଜିକ ଶକ୍ତିମାନେ ନିଜକୁ ଅସହାୟ ମନେ କରୁଛନ୍ତି । ସେମାନେ ବା ଲୋକଙ୍କୁ କେଉଁ ରାସ୍ତା ଦେଖାଇବେ! ଶାସକ ରାଜନେତାମାନେ ଦୁର୍ନୀତିଗ୍ରସ୍ତ । ଗଣମାଧ୍ୟମ ମାତ୍ର କେତେଜଣଙ୍କ ହାତମୁଠାରେ । ଜନଗଣନା ଦୂରର କଥା ଜାତୀୟ ସର୍ବେକ୍ଷଣ କାର୍ଯ୍ୟକ୍ରମ ଗୁଡ଼ିକୁ ମଧ୍ୟ ବନ୍ଦ ହୋଇସାରିଛି । ଦେଶର ଜନଗଣଙ୍କର ଅସଲ ପରିସ୍ଥିତି କ’ଣ ଜାଣିବା ବା ଜଣାଇବା ଏକ କଷ୍ଟକର ବ୍ୟାପାର ହୋଇ ସାରିଛି । ଏଭଳି ସମୟରେ ପୂର୍ବତନ ଶାସକମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇପାରେ କିନ୍ତୁ ସେମାନଙ୍କ ସମୟ ଓ ଶାସନର ନିଷ୍ଠୁର ସମୀକ୍ଷା ହେବା ବି ବାଞ୍ଛନିୟ ।
Comments
0 comments