ଆଜକୁ ପ୍ରାୟ ୭୫ବର୍ଷ ତଳେ, ୨୬ ନଭେମ୍ବର ୧୯୪୯ ଦିନ ସମ୍ବିଧାନ ସଭାର ବସିଥାଏ ଶେଷ ବୈଠକ । ସମ୍ବିଧାନ ପ୍ରଣୟନ କମିଟିର ଅଧ୍ୟକ୍ଷ ତଥା ଭାରତ ସରକାରଙ୍କର ଆଇନମନ୍ତ୍ରୀ ଡକ୍ଟର ବି ଆର ଆମ୍ବେଦକରଙ୍କ ଦ୍ୱାରା ୨୫ ନଭେମ୍ବର ୧୯୪୯ ଦିନ ଆଗତ ସ୍ୱାଧୀନ ଭାରତର ନୂତନ ସମ୍ବିଧାନର ଚୂଡ଼ାନ୍ତ ଚିଠା ଉପରେ ଭୋଟ ଗ୍ରହଣର ଥାଏ କାର୍ଯ୍ୟକ୍ରମ । ଭୋଟଗ୍ରହଣ ପୂର୍ବରୁ ସଭାପତି ଡକ୍ଟର ରାଜେନ୍ଦ୍ର ପ୍ରସାଦ ସଭାର ସଦସ୍ୟମାନଙ୍କ ଉଦେଶ୍ୟରେ କହୁଥିଲେ୧(ପୃ ୯୯୩), “ଆମେ ଏକ ଗଣତାନ୍ତ୍ରିକ ସମ୍ବିଧାନ ପ୍ରସ୍ତୁତ କରିଛୁ । କିନ୍ତୁ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ଯେଉଁମାନେ ସମ୍ପୃକ୍ତ ହେବେ ସେମାନଙ୍କଠାରେ ଆବଶ୍ୟକ କରେ ଅନ୍ୟର ମତକୁ ସମ୍ମାନ ଦେବାର ଇଚ୍ଛା ଓ ଆପୋଷ ସମାଧାନ ତଥା ବୁଝାମଣା (compromise and accommodation) କରିବାର ସାମର୍ଥ୍ୟ । ଅନେକ ବିଷୟ ଯାହା ସମ୍ବିଧାନରେ ଲେଖା ନଥାଏ ତାହା କାର୍ଯ୍ୟକାରୀ କରାଯାଏ ପ୍ରଚଳିତ ପ୍ରଥା(conventions)ର ଅନୁସରଣରେ । ମୋର ଆଶା ଆମେ ଏହିଭଳି ସାମର୍ଥ୍ୟର ପ୍ରଦର୍ଶନ କରିବୁ ଏବଂ ସେହିପରି ପ୍ରଥାଗୁଡ଼ିକର ସୃଷ୍ଟି କରିବୁ ।” ଡକ୍ଟର ବି ଆର ଆମ୍ବେଦକର, ସମ୍ବିଧାନର ସଫଳ କାର୍ଯ୍ୟକାରିତା ସନ୍ଦର୍ଭରେ ମନ୍ତବ୍ୟ ଦେଇ କହିଥାନ୍ତି୧(ପୃ ୯୭୫),“ମୁଁ ସମ୍ବିଧାନର ଦୋଷ-ଗୁଣ ଉପରେ ମନ୍ତବ୍ୟ କରିବି ନାହିଁ । କାରଣ ମୁଁ ଭାବେ ଭଲ ସମ୍ବିଧାନ, ନିଶ୍ଚିତ ଭାବରେ ଖରାପ ହେବ କାରଣ ଯେଉଁମାନେ ଏହାକୁ କାର୍ଯ୍ୟକାରୀ କରିବେ ସେମାନେ ହୋଇଥିବେ ଖରାପ ଲୋକ । ଅପରପକ୍ଷରେ ସମ୍ବିଧାନ ଯେତେ ଖରାପ ହେଲେ ମଧ୍ୟ ଏହା ଭଲ ହେବ ଯଦି ଏହାକୁ କାର୍ଯ୍ୟକାରୀ କରୁଥିବା ଲୋକେ ଭଲ ହୋଇଥାନ୍ତି । ସମ୍ବିଧାନର କାର୍ଯ୍ୟକାରିତା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନର ଗୁଣ ଉପରେ ନିର୍ଭର କରେନା ।” ଆଉ କହିଥାନ୍ତି, “ସମ୍ବିଧାନ ରାଷ୍ଟ୍ରକୁ ଦେଇଥାଏ କାର୍ଯ୍ୟସାଧନର ତିନୋଟି ଅଙ୍ଗ ଯେପରି ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଏବଂ ନ୍ୟାୟପାଳିକା । ଏହି ଅଙ୍ଗଗୁଡିକର କାର୍ଯ୍ୟକାରିତା ନିର୍ଭର କରେ ଜନତା ଓ ରାଜନୈତିକ ଦଳମାନଙ୍କ ଦ୍ୱାରା ନିଜର ଅଭିଳାଷ ଏବଂ ରାଜନୀତିକୁ ଚଳାଇବା ପାଇଁ ପ୍ରସ୍ତୁତ ଉପକରଣ ସମୂହ ଉପରେ । କିଏ କହିପାରିବ ଭାରତର ଜନତା ଓ ତାଙ୍କର ରାଜନୈତିକ ଦଳମାନେ କିପରି ବ୍ୟବହାର କରିବେ?” ଏହି ବକ୍ତବ୍ୟମାନଙ୍କରୁ ସ୍ପଷ୍ଟ ହୁଏ ଯେ ସମ୍ବିଧାନ ଯଥେଷ୍ଟ ନୁହେଁ । କେଉଁମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି ସେମାନଙ୍କ ଚରିତ୍ର ଉପରେ ନିର୍ଭର କରୁଛି ସମ୍ବିଧାନର ଫଳ ଭଲ ହେବ ବା ମନ୍ଦ ହେବ । କେଉଁ ଲୋକମାନଙ୍କୁ ଭଲ ବା କେଉଁମାନଙ୍କୁ ଖରାପ କୁହାଯିବ ତାହାର ପରିଭାଷା ସମ୍ବିଧାନରେ ନାହିଁ । କିନ୍ତୁ ରାଜେନ୍ଦ୍ର ପ୍ରସାଦ ବୋଧହୁଏ ତାଙ୍କ ବକ୍ତବ୍ୟରେ ଏହାକୁ ପରିଭାଷିତ କରୁଥିଲେ ଯେତେବେଳେ ସେ କହୁଥିଲେ୧(ପୃ ୯୯୩), “ଯେଉଁମାନେ ନିର୍ବାଚିତ ହେବେ ସେମାନେ ଯଦି ଦକ୍ଷ, ଚରିତ୍ରବାନ୍ ଏବଂ ସତ୍ୟନିଷ୍ଠ ମଣିଷ ହୁଅନ୍ତି ତାହାହେଲେ ସମ୍ବିଧାନ ଯେତେ ତୃଟିପୂର୍ଣ୍ଣ ହେଲେ ମଧ୍ୟ ତାର ଉତ୍କର୍ଷ ପ୍ରୟୋଗ କରିପାରିବେ । ଯଦି ସେମାନଙ୍କଠାରେ ଏହାର ଅଭାବ ରହେ, ତାହାହେଲେ ସମ୍ବିଧାନ ଦେଶକୁ ସାହାଯ୍ୟ କରିପାରିବ ନାହିଁ । ସମ୍ବିଧାନ ଗୋଟିଏ ଯନ୍ତ୍ର ପରି ନିର୍ଜୀବ ଜିନିଷ । ଏହା ଜୀବନ ପାଏ କାରଣ ମଣିଷ ଏହାର ନିୟନ୍ତ୍ରଣ କରେ ଓ ଏହାକୁ ଚଳାଏ । ଭାରତର ଆଜି ସର୍ବାଧିକ ଆବଶ୍ୟକତା ହେଉଛି ସଚ୍ଚୋଟ ମଣିଷମାନଙ୍କର ଏକ ସମୂହ ଯେଉଁମାନଙ୍କ ସମ୍ମୁଖରେ ଥିବ ଦେଶର ହିତ ।” ଅର୍ଥାତ୍ ଆମ୍ବେଦକରଙ୍କ ‘ଭଲ ଲୋକ’ ବୋଧହୁଏ ରାଜେନ୍ଦ୍ର ପ୍ରସାଦଙ୍କ ‘ଦକ୍ଷ , ଚରିତ୍ରବାନ୍ ଏବଂ ସତ୍ୟନିଷ୍ଠ ମଣିଷ’ ବା ‘ଅନ୍ୟର ମତକୁ ସମ୍ମାନ ଦେବାର ଇଚ୍ଛା’ ଥିବା ମଣିଷ, ଓ ‘ଆପୋଷ ସମାଧାନ ତଥା ବୁଝାମଣା (compromise and accommodation) କରିବାର ସାମର୍ଥ୍ୟ’ ଥିବା ମଣିଷ ।
ସାମ୍ବିଧାନିକ ନୈତିକତା
କିନ୍ତୁ ଯେତେବେଳେ ୪ ନଭେମ୍ବର ୧୯୪୮ ଦିନ ସମ୍ବିଧାନର ପ୍ରଥମ ଚିଠା ଡକ୍ଟର ଆମ୍ବେଦକର ସମ୍ବିଧାନ ସଭାରେ ଉପସ୍ଥାପିତ କରିଥିଲେ ଓ ଶରବ୍ୟ ହୋଇଥିଲେ ସମାଲୋଚନାର ଯେ ଚିଠା ସମ୍ବିଧାନ ଅନେକାଂଶରେ ଭାରତ ସରକାର ଆଇନ ୧୯୩୫ର ପୁନରାବୃତ୍ତି, ସେତେବେଳେ ସେ କହିଥିଲେ୨(ପୃ ୩୮), “Government of India Act ୧୯୩୫ରୁ ଯେଉଁ ଅଂଶ ନେଇଛି ତାହା ମୁଖ୍ୟତଃ ପ୍ରଶାସନର ବିସ୍ତୃତ ବିବରଣୀ ସମ୍ପର୍କିତ ।” ଏବଂ ସ୍ୱୀକାର କରିଥିଲେ, “ମୁଁ ଏହା ସହିତ ଏକମତ ଯେ ସମ୍ବିଧାନରେ ପ୍ରଶାସନର ବିସ୍ତୃତ ବିବରଣୀର କୌଣସି ସ୍ଥାନ ନାହିଁ କିନ୍ତୁ ଏଥିପାଇଁ ସେ ଅନୁତପ୍ତ ନୁହନ୍ତି ବୋଲି ସ୍ପଷ୍ଟ ଜଣାଇ ଦେଇଥିଲେ ଓ ଏପରି କରିବାରେ ସେ କୌଣସି ଲେଖାଚୋରୀ (plagiarism) ହୋଇଛି ବୋଲି ଅସ୍ୱୀକାର କରିଥିଲେ । ପ୍ରଶାସନର ବିସ୍ତୃତ ବିବରଣୀକୁ ସମ୍ବିଧାନରେ ସ୍ଥାନିତ କରିବା ତାଙ୍କ ଦୃଷ୍ଟିରେ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହାକୁ ବ୍ୟବସ୍ଥାପିକା ହାତରେ ଛଡ଼ାଯିବା ଠିକ ହେବନାହିଁ ବୋଲି ସେ ବିଚାର କରୁଥିଲେ । ସେ କହୁଥିଲେ୨(ପୃ ୩୮), ଯେଉଁଠାରେ ଲୋକେ ‘ସାମ୍ବିଧାନିକ ନୈତିକତା’ (Constitutional morality) ଦ୍ୱାରା ପରିପୃଷ୍ଟ ସେହିଠାରେ ହିଁ ପ୍ରଶାସନର ବିସ୍ତୃତ ବିବରଣୀ ପ୍ରସ୍ତୁତପାଇଁ ଦାୟିତ୍ୱ ବ୍ୟବସ୍ଥାପିକା ହାତରେ ଦିଆଯାଇ ପାରିବ । ସେ ବିଶ୍ୱାସ କରି ପାରୁ ନଥିଲେ ଯେ ‘ସାମ୍ବିଧାନିକ ନୈତିକତା’ ଦ୍ୱାରା ଆମର ବ୍ୟବସ୍ଥାପିକା ପରିପୁଷ୍ଟ ହୋଇଯାଇଛି, ଯେ ତାହା ହାତରେ ପ୍ରଶାସନର ରୂପ ନିର୍ଦ୍ଧାରଣର ଦାୟିତ୍ୱ ଛାଡ଼ି ଦିଆ ଯାଇପାରିବ । ‘ସାମ୍ବିଧାନିକ ନୈତିକତା’ର ପ୍ରସାର(diffusion)ଗଣତାନ୍ତ୍ରିକ ସମ୍ବିଧାନର ଶାନ୍ତିପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ଆବଶ୍ୟକ । କିନ୍ତୁ ‘ସାମ୍ବିଧାନିକ ନୈତିକତା’, ଆମ୍ବେଦକରଙ୍କ ମତରେ୨(ପୃ ୩୮), “ଏକ ସ୍ୱାଭାବିକ ମନୋଭାବ (natural sentiment) ନୁହେଁ । ଏହାକୁ ନିଜ ଭିତରେ ସୃଷ୍ଟି କରିବାକୁ ହେବ । ଆମେ ବୁଝିବା ଉଚିତ ଯେ ଆମ ଜନଗଣଙ୍କୁ ଏବେ ବି ଏହା ଶିକ୍ଷା କରିବାକୁ ହେବ । ଭାରତରେ ଗଣତନ୍ତ୍ର, ଏକ ପାତଳ ଆଚ୍ଛାଦନ (top-dressing) ସଦୃଶ ଭାରତୀୟ ମାଟି ଉପରେ ଯାହା ମୂଳତଃ ଅଗଣତାନ୍ତ୍ରିକ ।” କାହିଁକି ଆମ୍ବେଦକର ପ୍ର୍ରଶାସନର ସ୍ୱରୂପ ଉପରେ ଗୁରୁତ୍ୱ ଦେଉଥିଲେ? କାରଣ ସେ ଭାବୁଥିଲେ୨(ପୃ ୩୮), ଗଣତାନ୍ତ୍ରିକ ସମ୍ବିଧାନ,“ସହିତ ଦୁଇଟି ବିଷୟ ସଂଯୁକ୍ତ ହୋଇରହିଛି ଯାହାକୁ, ଦୁର୍ଭାଗ୍ୟକ୍ରମେ, ଆମେ ସାଧାରଣତଃ ମାନ୍ୟତା ଦେଇ ନଥାଉ । ଗୋଟିଏ ହେଉଛି ସମ୍ବିଧାନର ରୂପ (form of the Constitution)ସହ ପ୍ରଶାସନର ରୂପ (form of administration)ର ନିବିଡ଼ ସମ୍ପର୍କ; ପ୍ରଶାସନର ରୂପ ସମ୍ବିଧାନର ରୂପପାଇଁ ଉପଯୁକ୍ତ ହେବା ଉଚିତ । ଅନ୍ୟଟି ହେଉଛି କେବଳ ପ୍ରଶାସନର ରୂପକୁ ବଦଳାଇ ଓ ଏହାକୁ ସମ୍ବିଧାନର ଆତ୍ମା ସହିତ ଅସଂଗତ ଓ ବିରୋଧୀ କରି, ସମ୍ବିଧାନକୁ ପୂର୍ଣ୍ଣତଃ ବ୍ୟର୍ଥ କରାଯାଇପାରେ ।” ଆମ୍ବେଦକରଙ୍କ ଉପରୋକ୍ତ ବକ୍ତବ୍ୟ ଗୁଡିକର ପୃଷ୍ଠଭୂମିରେ କୁହାଯାଇପାରେ କି ଯେଉଁମାନଙ୍କ ଠାରେ ‘ସାମ୍ବିଧାନିକ ନୈତିକତା’ ଅଛିି ସେମାନଙ୍କ ହାତରେ ସମ୍ବିଧାନ ଦେଇଥିବା ଅଙ୍ଗଗୁଡିକର ପରିଚାଳନା ଦାୟିତ୍ୱ ଦିଆଗଲେ ସମ୍ବିଧାନର ସୁଫଳ ମିଳିବ? ଅପର ପକ୍ଷରେ ଏହି ଅଙ୍ଗଗୁଡ଼ିକର ପ୍ରଶାସନରେ ବଦଳ ମାତ୍ର କରି ସମ୍ବିଧାନକୁ ବ୍ୟର୍ଥ କରାଯାଇପାରେ? ସମ୍ବିଧାନ ଚିଠାର ପ୍ରଥମ (୪ ନଭେମ୍ବର ୧୯୪୮) ଉପସ୍ଥାପନାରେ ଗଣତାନ୍ତ୍ରିକ ସମ୍ବିଧାନର ଶାନ୍ତିପୂର୍ଣ୍ଣ କାର୍ଯ୍ୟକାରିତା ପାଇଁ ‘ସାମ୍ବିଧାନିକ ନୈତିକତା’ର ଆବଶ୍ୟକତା ଉପରେ ଆମ୍ବେଦକର ଗୁରୁତ୍ୱ ଦେବା, ଓ ଏହାର ବର୍ଷକ ପରେ ସର୍ବଶେଷ(୨୫ ନଭେମ୍ବର ୧୯୪୯) ଉପସ୍ଥାପନାରେ ଆମ୍ବେଦକର ସମ୍ବିଧାନର ସୁଫଳ ପାଇଁ ‘ଭଲ ଲୋକ’ର ଆବଶ୍ୟକତା ଉପରେ ଗୁରୁତ୍ୱ ଦେବା କଣ ଏହି ସମ୍ବାଦ ଦିଏ ଯେ ଭାରତର ଗଣତାନ୍ତ୍ରିକ ସମ୍ବିଧାନର କାର୍ଯ୍ୟକାରିତା ପ୍ରସଙ୍ଗରେ ଉଲ୍ଲିଖିତ ‘ଭଲ ଲୋକ’ ହେଉଛି ସିଏ ଯାହାଠାରେ ‘ସାମ୍ବିଧାନିକ ନୈତିକତା’ ରହିଛି?
‘ସାମ୍ବିଧାନିକ ନୈତିକତା’ କଣ?
‘ସାମ୍ବିଧାନିକ ନୈତିକତା’ ଅର୍ଥାତ୍ Constitutional morality ପଦଟିର ବ୍ୟବହାର ପ୍ରଥମେ ହୋଇଥିଲା ଊନବିଂଶ ଶତାବ୍ଦୀର ବ୍ରିଟିଶ ଐତିହାସିକ George Groteଙ୍କ ଦ୍ୱାରା ୧୨ଖଣ୍ଡରେ ଲିଖିତ ‘A History of Greece’ ର ଗୋଟିଏ ଖଣ୍ଡରେ । ଏହା ସେ ବ୍ୟବହାର କରିଥିଲେ Athens Constitutionରେ ଗ୍ରୀକ ଆଇନ ପ୍ରଣେତା Cleisthenesଙ୍କ ଦ୍ୱାରା ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ଅଣାଯାଇଥିବା ଗଣତନ୍ତ୍ରରେ ସଂସ୍କାର ସନ୍ଦର୍ଭରେ । ଏହିଭଳି ସଂସ୍କାର ପାଇଁ Cleisthenesuê “father of democracy’ ବା ‘ଗଣତନ୍ତ୍ରର ପିତା’ କୁହାଯାଇଥାଏ । କହିବା ବାହୁଲ୍ୟ ଯେ ‘ସାମ୍ବିଧାନିକ ନୈତିକତା’ ପଦଟିର ବ୍ୟବହାର ମୂଳରେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରିବାର ଉଦେଶ୍ୟ ରହିଛି । George Groteଙ୍କ ଅନୁସାରେ ‘ସାମ୍ବିଧାନିକ ନୈତିକତା’ ମୋଟାମୋଟି ଭାବେ ଆବଶ୍ୟକ କରେ ସମ୍ବିଧାନ ପ୍ରତି ଅବିଚଳିତ ଆସ୍ଥା, ଏହାର ଆକଟ ଭିତରେ କାର୍ଯ୍ୟ କରୁଥିବା କର୍ତ୍ତୃପକ୍ଷଙ୍କ ପ୍ରତି ଆଜ୍ଞାନୁବର୍ତ୍ତିତା, ଏହି କର୍ତ୍ତୃପକ୍ଷଙ୍କ ସାର୍ବଜନୀନ କାର୍ଯ୍ୟର ଆଲୋଚନା, ଅଭିବ୍ୟକ୍ତି ଓ ବୃତ୍ତିିରେ ସ୍ୱାଧୀନତା, ସମସ୍ତ ଦଳଗତ ମତ ବିରୋଧ ସତ୍ତ୍ୱେ ପ୍ରତ୍ୟେକ ନାଗରିକ ହୃଦୟରେ ବିଶ୍ୱାସ ଯେ ବିରୋଧୀପାଇଁ ସମ୍ବିଧାନ କିଛି କମ ପବିତ୍ର ନୁହେଁ । ଆଜିକା ସମୟରେ ‘ସାମ୍ବିଧାନିକ ନୈତିକତା’କୁ ଦୁଇଟି ଅର୍ଥରେ ବୁଝାଯାଉଛି୩ । ପ୍ରଥମଟି ସମ୍ବିଧାନର ମୂଳ ସିଦ୍ଧାନ୍ତ (substantive content of a constitution) ସନ୍ଦର୍ଭରେ ସମ୍ବିଧାନର ନୈତିକତା ବା “the morality of a constitution”, ଯେପରି ବୈଷମ୍ୟହୀନତାର ନୀତି (‘he principle of non-discrimination) ଅର୍ଥାତ୍ ସମ୍ବିଧାନର ମୂଳ ସିଦ୍ଧାନ୍ତ (substantive content)ସହ ସଂଲଗ୍ନ ନୈତିକତା । ଏହି ପଦର ଆଉ ଏକ ପ୍ରୟୋଗ ହେଉଛି ନିଷ୍ପତ୍ତିନେବା ପ୍ରକ୍ରିୟାରେ, ଯେଉଁଠାରେ ସମ୍ବିଧାନ ନୀରବ ବା ଐଚ୍ଛିକ କ୍ଷମତା (discretionary power) ଦେଇଛି, ସେତେବେଳେ କେଉଁ ପରମ୍ପରା ବା ପ୍ରଥା ଓ ନିୟମାନୁଗତ ଶିଷ୍ଟାଚାରର ପାଳନ ହେଉଛି ତାହାରି ସନ୍ଦର୍ଭରେ (‘‘conventions and protocols that govern decision-making where the constitution vests discretionary power or is silent’) । ପୁନରାବୃତ୍ତି କରାଯାଇପାରେ ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କର ବକ୍ତବ୍ୟ, “ଅନେକ ବିଷୟ ଯାହା ସମ୍ବିଧାନରେ ଲେଖା ନଥାଏ ତାହା କାର୍ଯ୍ୟକାରୀ କରାଯାଏ ପ୍ରଚଳିତ ପ୍ରଥା (conventions)ର ଅନୁସରଣରେ । ମୋର ଆଶା ଆମେ ଏହିଭଳି ସାମର୍ଥ୍ୟର ପ୍ରଦର୍ଶନ କରିବୁ ଏବଂ ସେହିପରି ପ୍ରଥାଗୁଡ଼ିକର ସୃଷ୍ଟି କରିବୁ ।” ସମ୍ବିଧାନର ନୀରବତାର ସୁଯୋଗ ନେଇ ବା ଐଚ୍ଛିକ କ୍ଷମତାର ପ୍ରୟୋଗ ପ୍ରଶାସନରେ କରିବା ଦ୍ୱାରା ଯଦି ଗଣତନ୍ତ୍ରର ଭବିଷ୍ୟତ ବିପଦରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଏ ତାହାହେଲେ ପ୍ରଶ୍ନ ଉଠିପାରେ ଯେ ସାମ୍ବିଧାନିକ ନୈତିକତାର ଅଭାବ ରହିଛି କି ନିଷ୍ପତ୍ତି ନେବା ପ୍ରକ୍ରିୟାରେ?
ବିଚାରପତିଙ୍କ ବେଦନା
ଏକ ଐତିହାସିକ, ଅଭୂତପୂର୍ବ ଘଟଣାର ଉଦାହରଣ ଦିଆଯାଇପାରେ ଯାହା ଦର୍ଶାଏ କିପରି ପ୍ରଶାସନର ପ୍ରୟୋଗ ଦ୍ୱାରା ଗଣତନ୍ତ୍ର ପ୍ରତି ବିପଦର ଆଶଙ୍କା ସୃଷ୍ଟି ହୋଇପାରେ୪ା ଜାନୁଆରୀ ୧୨, ୨୦୧୮ଦିନ ସୁପ୍ରିମକୋର୍ଟର ୪ଜଣ ବରିଷ୍ଠତମ ବିଚାରପତି ସାମ୍ବାଦିକମାନଙ୍କ ଉପସ୍ଥିତିରେ, ମୁଖ୍ୟ ବିଚାରପତିଙ୍କ ଦ୍ୱାରା ଶୁଣାଣି ପାଇଁ ବିଚାରପତିମାନଙ୍କ ମଧ୍ୟରେ ମାମଲା ବଂଟନର ପ୍ରକ୍ରିୟାକୁ ପ୍ରଶ୍ନ କରୁଥିଲେ ଓ ଆଶଙ୍କା ପ୍ରକାଶ କରୁଥିଲେ ଯେ ଯେପରି ସୁପ୍ରିମକୋର୍ଟର ପ୍ରଶାସନ ଚାଲିଛି ସେଥିରୁ ଯଦି ସୁପ୍ରିମକୋର୍ଟକୁ ଉଦ୍ଧାର ନକରାଯାଏ ଏବଂ ଏହି ଅନୁଷ୍ଠାନ ଯଦି ସମଭାବ (equanimity) ନ ରଖେ ତାହାହେଲେ ଏହି ରାଷ୍ଟ୍ରରେ ଗଣତନ୍ତ୍ର ବଂଚିବ ନାହିଁ । ଅପରପକ୍ଷରେ ବିଚାରପତିମାନଙ୍କ ମଧ୍ୟରେ ଶୁଣାଣି ପାଇଁ ମାମଲା ବଂଟନ ମୁଖ୍ୟ ବିଚାରପତିଙ୍କର ଏକାନ୍ତ ଅଧିକାର ବୋଲି ଦାବି କରାଯାଉଥିଲା କାରଣ ସେ ହେଉଛନ୍ତି “master of the roster’ ଏବଂ ସେ ହିଁ କେବଳ ଅଧିକୃତ ଯେପରି ଚାହିଁବେ ସେପରି ମାମଲା ବଂଟନ କରିବେ୫ ଯଦିଓ ୪ଜଣ ବରିଷ୍ଠତମ ବିଚାରପତିଙ୍କ ଦୃଷ୍ଟିରେ ମୁଖ୍ୟ ବିଚାରପତି ହେଉଛନ୍ତି ‘ସମାନଙ୍କ ମଧ୍ୟରେ ପ୍ରଥମ, ନା ବେଶୀ ନା କମ ।’ ସାମ୍ବିଧାନିକ ନୈତିକତାର ପାଳନ ହେଉଥିଲେ ବୋଧହୁଏ ଏପରି ସ୍ଥିତି ଉପୁଜି ନ ଥାନ୍ତା । କିନ୍ତୁ ଯେପରି ବିଚାରପତିମାନେ ସାମ୍ବାଦିକମାନଙ୍କ ଉପସ୍ଥିତିରେ ଭାରତରେ ଗଣତନ୍ତ୍ରର ଭବିଷ୍ୟତକୁ ନେଇ ଆଶଙ୍କା ପ୍ରକାଶ କରୁଥିଲେ ତାହା ବୋଧହୁଏ ଅବାସ୍ତବ ନଥିଲା ଯଦି ଆମେ ଗଣତନ୍ତ୍ର ସୂଚକାଙ୍କରେ ଭାରତର ଅବନତି ଦେଖୁ । ଗଣତନ୍ତ୍ର ସୂଚକାଙ୍କରେ ଭାରତର ସ୍ଥାନ ୨୦୧୮ରେ ଯେତେବେଳେ ୪୧ଥିଲା, ୨୦୧୯ରେ ଏହା ୧୦ ସ୍ଥାନ ଖସି ୫୧ହେଲା ଓ ୨୦୨୦ରେ ଆହୁରି ୨ସ୍ଥାନ ଖସି ୫୩ ହେଲା ଏବଂ ଏହାକୁ ତୃଟିପୂର୍ଣ୍ଣ ଗଣତନ୍ତ୍ର (flawed democracy) ରାଷ୍ଟ୍ର ତାଲିକାରେ କାଏମ ରଖାଗଲା୬ । କେତେକ ଆନ୍ତର୍ଜାତିକ ସଂସ୍ଥା ଯେପରି ସ୍ୱିଡେନର V-Dem Institute ତ ଘୋଷଣା କରନ୍ତି ଯେ ଭାରତରେ ନିର୍ବାଚନୀ ସ୍ୱେଚ୍ଛାଚାର (electoral autocracy)ଚାଲିଛି ୨୦୧୮ ମସିହାରୁ । ଏବଂ ଭାରତ ହୋଇଛି ସବୁଠାରୁ ଖରାପ ସ୍ୱେଚ୍ଛାଚାରୀ (‘worst autocratisers’) ରାଷ୍ଟ୍ରମାନଙ୍କ ମଧ୍ୟରେ ଅନ୍ୟତମ୭ ଏବଂ ଏହି ଆନ୍ତର୍ଜାତିକ ବର୍ଗୀକରଣ ଦ୍ୱାରା ଭାରତ ସରକାର ଏତେ ବିବ୍ରତ ହୋଇପଡଛନ୍ତି ଯେ ସମ୍ବାଦ ପତ୍ରରେ ଶିରୋନାମା ହୋଇଛି୮ ‘Modi’s India plans its own democracy index, after global rankings downgrade’.
ନିର୍ବାଚନୀ ସ୍ୱେଚ୍ଛାଚାର
ନିର୍ବାଚନୀ ସ୍ୱେଚ୍ଛାଚାର କଣ? ଯେଉଁଠାରେ କାର୍ଯ୍ୟପାଳିକା ପାଇଁ ବହୁଦଳୀୟ ନିର୍ବାଚନ ହୁଏ କିନ୍ତୁ ସେଥିରେ କେତେଗୁଡ଼ିଏ ମୌଳିକ ଆବଶ୍ୟକତାର ସ୍ତରରେ ଅଭାବ ରହିଥାଏ, ଯେପରି ବାକ୍ ଓ ଏକାଠି ହେବାର ସ୍ୱାଧୀନତାରେ, ଏବଂ ମୁକ୍ତ ତଥା ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟାରେ୭ । ଆମ ସମ୍ବିଧାନରେ, ଧାରା ୧୯(୧)(ଏ) ଏବଂ (ବି) ପ୍ରତ୍ୟେକ ଭାରତୀୟ ନାଗରିକର ବାକ୍ ସ୍ୱାଧୀନତା ଓ ବିନା ଅସ୍ତ୍ରରେ ଏକତ୍ର ହେବାକୁ ମୌଳିକ ଅଧିକାର ଭାବେ ସ୍ୱୀକୃତି ଦିଏ ଓ ଏହାକୁ ରକ୍ଷା କରାଯିବାର ପ୍ରତିଶୃତି ଦିଏ । ତେଣୁ ନିର୍ବାଚନୀ ସ୍ୱେଚ୍ଛାଚାରର ପରିଭାଷା ଅନୁସାରେ ଭାରତରେ ଏହି ମୌଳିକ ଅଧିକାରକୁ ଖର୍ବ କରାଯାଇଛି ଓ ପୁନଶ୍ଚ ଯଦି ମୁକ୍ତ ଓ ସ୍ୱଚ୍ଛ ନିର୍ବାଚନରେ ଅଭାବ ରହିଛି ବୋଲି ଇଙ୍ଗିତ କରାଯାଉଛି ସେତେବେଳେ ସମ୍ବିଧାନର ଧାରା ୩୨୪ର ପୃଷ୍ଠଭୂମିରେ ନିର୍ବାଚନ କମିଶନର ଦାୟିତ୍ୱ ନିର୍ବାହ ଉପରେ ପ୍ରଶ୍ନ ଚିହ୍ନ ଠିଆହେଉଛି ।
ନିର୍ବାଚନ କମିଶନର ସ୍ୱଚ୍ଛତା
କାରଣ ଏହି ଧାରା ଅନୁସାରେ ନିର୍ବାଚନ କମିଶନଠାରେ ନିହିତ ରହିଛି ‘ନିର୍ବାଚନ ପ୍ରକ୍ରିୟାର ତତତ୍ୱାବଧାନ, ନିଦେ୍ର୍ଦଶ ଓ ନିୟନ୍ତ୍ରଣ’ (‘Superintendence, direction and control of elections’) ଓ ଏହାର ଦାୟିତ୍ୱ ଯେ ମୁକ୍ତ ଏବଂ ସ୍ୱଚ୍ଛ ନିର୍ବାଚନ କରାଇବା, ଏହା ସମ୍ବିଧାନସଭାର ଆଲୋଚନାରେ ବେଶ୍ ପ୍ରକଟିତ ହୋଇଛି । ଯେପରି ୧୬ ଜୁନ ୧୯୪୯ ଦିନ ଆଲୋଚନାବେଳେ ଜଣେ ସଦସ୍ୟ Shri R. K. Sidhwa (C. P. & Berar : General କହୁଥିଲେ୯(ପୃ ୯୧୭), “ମୁଁ ଭାବୁ ନାହିଁ କେହି ଏହି ଗୃହରେ ବା ଗୃହ ବାହାରେ ଦ୍ୱିମତ ହେବେ ଯେ ନିର୍ବାଚନ ସ୍ୱଚ୍ଛ, ଶୁଦ୍ଧ, ସଚ୍ଚୋଟ ଏବଂ ନିରପେକ୍ଷ ହେବା ଉଚିତ । ଯଦି ଏହାହିଁ ଆମର ମତ ହୁଏ ତାହାଲେ ମୁଁ ନିଶ୍ଚିତ ଯେ ଏହା ସମ୍ଭବ ହୋଇପାରିବ ଏକ ନିରପେକ୍ଷ ସଂସ୍ଥା ଦ୍ୱାରା ଯେପରି ଏହି ଧାରାରେ ଚିନ୍ତା କରାଯାଇଛି । ଆମେ ଚାହୁଁ ନିର୍ବାଚନ ନିଷ୍କପଟ (above-board) ହେଉ । ଯେଉଁ ସଂସ୍ଥା ଏଥିପାଇଁ ଗଠନ କରାଯିବ ତାହା ବେଶ୍ ସ୍ୱାଧୀନ ହେବା ଉଚିତ, କୌଣସି ବାହି୍ୟକ ପ୍ରଭାବରୁ ମୁକ୍ତ ରହିବା ଉଚିତ, ତାହା କାର୍ଯ୍ୟପାଳିକା ହେଉ ବା ଅନ୍ୟ କେହି । ତେଣୁ ମୁଁ ମୋର ସମ୍ମାନିତ ବନ୍ଧୁ ଡକ୍ଟର ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତାବିତ ଧାରାକୁ ସମସ୍ତ ଆନ୍ତରିକତାର ସହିତ ସ୍ୱାଗତ କରୁଛି ।”
ଏହା ମାନ୍ୟବର ସଦସ୍ୟ କହୁଥିଲେ, ୧୫ ଜୁନ ୧୯୪୯ ଦିନ ଡକ୍ଟର ଆମ୍ବେଦକରଙ୍କ ଆଗତ ପ୍ରସ୍ତାବ ଉପରେ ଆମ୍ବେଦକରଙ୍କ ବକ୍ତବ୍ୟର ପ୍ରତିକ୍ରିୟାରେ । ଡକ୍ଟର ଆମ୍ବେଦକର ସମ୍ବିଧାନ ସଭାରେ କହିଥିଲେ୧୦(ପୃ ୯୦୫), “କୌଣସି ପ୍ରକାର ମତପାର୍ଥକ୍ୟ ନଥାଇ ଗୃହ ଦୃଢ଼ତାର ସହ ଘୋଷଣା କରିଥିଲା ଯେ ବ୍ୟବସ୍ଥାପିକା ପାଇଁ ନିର୍ବାଚନଗୁଡ଼ିକର ଶୁଦ୍ଧତା ଓ ସ୍ୱତନ୍ତ୍ରତାର ହିତରେ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଯେ ସେଗୁଡିକ ସେ ସମୟର କାର୍ଯ୍ୟପାଳିକାର ହସ୍ତକ୍ଷେପରୁ ମୁକ୍ତ ରହିବା ଉଚିତ ।…ତେଣୁ ଏହି ମୌଳିକ ପ୍ରଶ୍ନ ଉପରେ କୌଣସି ଦ୍ୱନ୍ଦ୍ୱ ନାହିଁ ଯେ ସରକାରଙ୍କ ନିୟନ୍ତ୍ରଣ ବାହାରେ ନିର୍ବାଚନ ତନ୍ତ୍ର ରହିବା ଉଚିତ । ଧାରା ୨୮୯(ଯାହା ଚୂଡ଼ାନ୍ତ ସମ୍ବିଧାନର ଧାରା ୩୨୪) ସମ୍ବିଧାନ ସଭାର ନିଷ୍ପତ୍ତିର ଏହି ଅଂଶଟିକୁ ହିଁ କାର୍ଯ୍ୟକାରୀ କରିବ । ଏହା ଦ୍ୱାରା ସଂସଦ ଏବଂ ବିଧାନସଭା ପାଇଁ ନିର୍ବାଚନର ତତ୍ତ୍ୱାବଧାନ, ନିର୍ଦ୍ଦେଶ ଓ ନିୟନ୍ତ୍ରଣ ତଥା ଭୋଟର ତାଲିକାର ପ୍ରସ୍ତୁତି କାର୍ଯ୍ୟପାଳିକା ବାହାରେ ଏକ ଏପରି ସଂସ୍ଥା ହାତରେ ନ୍ୟସ୍ତ କରାଯାଉଛି ଯାହାକୁ ନିର୍ବାଚନ କମିଶନ କୁହାଯିବ ।” ନିର୍ବାଚନ ପ୍ରକ୍ରିୟା ପ୍ରତି ବିପଦ କେଉଁ ଦିଗରୁ ଆସିପାରେ ତାହାର ସୂଚନା ଦେଇ ଡକ୍ଟର ରାଜେନ୍ଦ୍ର ପ୍ରସାଦ କହିଥିଲେ୧(ପୃ୯୯୧), “ଆମେ ଗୋଟିଏ ମହତ୍ୱପୂର୍ଣ୍ଣ କର୍ତ୍ତୃପକ୍ଷ ଦେଇଛୁ, ଯେପରି ନିର୍ବାଚନ କମିଶନର, ଯାହାଙ୍କର କାର୍ଯ୍ୟ ହେଉଛି ବ୍ୟବସ୍ଥାପିକା ପାଇଁ ନିର୍ବାଚନ କରିବା ଏବଂ ଏହା ସହିତ ସଂଲଗ୍ନ ସମସ୍ତ ଆବଶ୍ୟକୀୟ କାର୍ଯ୍ୟ ସମ୍ପାଦନ କରିବା । ଏକ ବିପଦ ଯାହାର ସମ୍ମୁଖୀନ ହେବାକୁ ପଡିପାରେ ତାହା ହୋଇପାରେ ଦଳମାନଙ୍କ ଦ୍ୱାରା, ପ୍ରାର୍ଥୀମାନଙ୍କ ଦ୍ୱାରା, ବା କ୍ଷମତାସୀନ ସରକାର ଦ୍ୱାରା ଦୁର୍ନୀତି । ଗଣତାନ୍ତ୍ରିକ ନିର୍ବାଚନର ଅଭିଜ୍ଞତା ଆମର ବହୁ ଦିନରୁ ନାହିଁ, ଗତ ଅଳ୍ପ କେତେ ବର୍ଷ ଛାଡିଦେଲେ । ବର୍ତ୍ତମାନ ଯେହେତୁ ଆମେ ପାଇଯାଇଛୁ ପ୍ରକୃତ କ୍ଷମତା, ଦୁର୍ନୀତିର ବିପଦ ଆଉ କାଳ୍ପନିକ ମାତ୍ର ନୁହେଁ । ତେଣୁ ଏହା ଭଲ ହେବ ଯେ ସମ୍ବିଧାନ ଏହି ବିପଦ ବିରୋଧରେ ଆମକୁ ସୁରକ୍ଷା ଦେବ ଏବଂ ଭୋଟରଙ୍କ ଦ୍ୱାରା ଏକ ସଚ୍ଚୋଟ ଏବଂ ନିରପେକ୍ଷ ନିର୍ବାଚନର ବ୍ୟବସ୍ଥା କରିବ ।” ତେଣୁ ନିର୍ବାଚନ କମିଶନ କାର୍ଯ୍ୟପାଳିକାର ହସ୍ତକ୍ଷେପର ଊଦ୍ଧ୍ୱର୍ରେ ରହିବ-ଏହା ସମ୍ବିଧାନ ପ୍ରଣେତାଙ୍କର ଉଦେଶ୍ୟ ଥିଲା ଓ ସେମାନଙ୍କର ବିଶ୍ୱାସ ଥିଲା ଯେ ଏହିପରି ସଂସ୍ଥା ନିରପେକ୍ଷତାର ସହ, ସ୍ୱଚ୍ଛ, ଶୁଦ୍ଧ, ସଚ୍ଚୋଟ ଭାବରେ ନିର୍ବାଚନ ପରିଚାଳନା କରିବ । କିନ୍ତୁ ଏହି ଉଦେଶ୍ୟ ବା ବିଶ୍ୱାସ ସମ୍ବିଧାନରେ ସିଧାସଳଖ ଉଲ୍ଲେଖ ହୋଇନାହିଁ । ସମ୍ବିଧାନରେ ଏହାର ସିଧାସଳଖ ଉଲ୍ଲେଖ ହୋଇନଥିଲେ ମଧ୍ୟ ନିର୍ବାଚନ କମିଶନ ଯଦି ଏହି ଉଦେଶ୍ୟ ଅନୁସାରେ କାର୍ଯ୍ୟ କରନ୍ତି ତାହେଲେ ସେ ନିଜର ସାମ୍ବିଧାନିକ ନୈତିକତା ପାଳନ କରନ୍ତି । କିନ୍ତୁ ଯଦି ନିର୍ବାଚନ କମିଶନ, ପ୍ରତିଷ୍ଠାର (୨୫ ଜାନୁଆରୀ ୧୯୫୦) ୭୪ବର୍ଷ ପରେ ଆମେ ଦେଖୁ ଏପରି ଶିରୋନାମା୧୧, ‘A New Low, No Longer an Umpire’: Political Scientists Decry Election Commission’ ବା ଦେଖୁ Vote for Democracy (Maharashtra)ତରଫରୁ ଅଭିଜ୍ଞ ପ୍ରଶାସକ(MG Devasahayam), ଗବେଷକଙ୍କ ଦ୍ୱାରା ପ୍ରସ୍ତୁତ ପ୍ରକାଶନ “Report: Conduct of Lok Sabha Elections 2024 – Analysis of ‘Vote Manipulation’ and ‘Misconduct during Voting and Counting’ ଯେଉଁଠାରେ ନିର୍ବାଚନ କମିଶନର ନିର୍ବାଚନ ୨୦୨୪ର ପରିଚାଳନା ଉପରେ ଗମ୍ଭୀର ପ୍ରଶ୍ନ କରାଯଏ ଓ ଯାହାର ଉତ୍ତର ନିର୍ବାଚନ କମିଶନ ଦିଏ ନାହିଁ ବୋଲି ଅଭିଯୋଗ୧୨ ହୁଏ ଓ ଏପରି ଆଚରଣର ଆଲୋଚନା ସଂସଦରେ ହେବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଏ, ସେତେବେଳେ କୁହାଯିବା ଅଯୌକ୍ତକ ହେବ କି ଯେ ନିର୍ବାଚନ କମିଶନ ତାର ସାମ୍ବିଧାନିକ ନୈତିକତା ପାଳନରେ ହୁଡିଛି? ଅପରପକ୍ଷରେ ନିର୍ବାଚନ କମିଶନକୁ କାର୍ଯ୍ୟପାଳିକାର ପ୍ରଭାବରୁ ଊର୍ଦ୍ଧରେ ରଖାଯିବାର ଯେଉଁ ପରାମର୍ଶ ସମ୍ବିଧାନ ସଭାରେ ଦିଆଯାଇଥିଲା ତାହା ଯେ ହେଉ ନାହିଁ ତାହା ନେଇ ପ୍ରଶ୍ନ ଉଠିଥିଲା । କାରଣ ଯେଉଁ ତିନିଜଣିଆ କମିଟିର ସୁପାରିଶରେ ରାଷ୍ଟ୍ରପତି ନିଯୁକ୍ତି ଦେଉଥିଲେ ସେ କମିଟିର ମୁଖ୍ୟ ଥିଲେ ପ୍ରଧାନମନ୍ତ୍ରୀ, ଅନ୍ୟ ଦୁଇ ଜଣ ହେଉଥିଲେ ଲୋକସଭାରେ ବିପକ୍ଷ ଦଳର ନେତା ଓ ମନ୍ତ୍ରିମଣ୍ଡଳର ଜଣେ ସଦସ୍ୟ; ସଂଖ୍ୟାଧିକ ସଦସ୍ୟ ଯାହାଙ୍କର ନାଁ ସୁପାରିଶ କରୁଥିଲେ ସେ ହିଁ ନିର୍ବାଚନ କମିଶନର ହେଉଥିଲେ । ସ୍ୱାଭାବିକ ପ୍ରଧାନମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟ ଯାହା ସପକ୍ଷରେ ରହିବେ ସେ ହିଁ ନିର୍ବାଚନ କମିଶନର ହେବେ । ବିପକ୍ଷ ଦଳର ନେତାଙ୍କ ଉପସ୍ଥିତିର ପ୍ରଭାବ କିଛି ନାହିଁ । ଏହା ଦ୍ୱାରା କାର୍ଯ୍ୟପାଳିକାର ପ୍ରଭାବ ନିର୍ବାଚନ କମିଶନରେ ରହୁଛି ବୋଲି ଅଭିଯୋଗ କରି ଏକ ଜନସ୍ୱାର୍ଥ ମାମଲା ୨୦୧୫ରେ ସୁପ୍ରିମକୋର୍ଟରେ ଦାଏର ହୋଇଥିଲା । (Anoop Baranwal v Union of India) ଯାହାର ଶୁଣାଣି ୫ଜଣିଆ ସମ୍ବିଧାନ ପୀଠ କରି, ନଭେମ୍ବର ୨୦୨୨ରେ, ରାୟ ଦେଇଥିଲେ ଯେ ସଂସଦରେ ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ନେଇ ନୂତନ ନିୟମ ହେବା ପର୍ଯ୍ୟନ୍ତ ଚୟନ କମିଟିର ସଦସ୍ୟ ହେବେ-ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଓ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି । ଏହି ରାୟଦେବା ସମୟରେ ସମ୍ବିଧାନ ପୀଠର ଅଧ୍ୟକ୍ଷ ମାନ୍ୟବର ବିଚାରପତି କେ ଏମ ଜୋଶେଫ ମନ୍ତବ୍ୟ କରିଥିଲେ୧୩, “ଆମେ ଏପରି ଏକ ମୁଖ୍ୟ ନିର୍ବାଚନ କମିଶନର ଚାହୁଁ ଯିଏ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମଧ୍ୟ ପଦକ୍ଷେପ ନେଇ ପାରିବ ।” ଅର୍ଥାତ୍ କାର୍ଯ୍ୟପାଳିକାର ମୁଖ୍ୟଙ୍କ ବିରୋଧରେ ପଦକ୍ଷେପ ନେଇପାରିବ । କିନ୍ତୁ ଯାହା ବିସ୍ମୟକର ଓ ଯାହା ଦେଖାଏ କାର୍ଯ୍ୟପାଳିକା ତାର କର୍ତ୍ତୃତ୍ୱ କାଏମ ରଖିବା ପାଇଁ କେତେ ବ୍ୟାକୁଳ, ତାହା ହେଉଛି ସରକାର ସଂସଦରେ ଆଇନ (Chief Election Commissioner and Other Election Commissioner Act, 2023 ) ଆଣିବା ଯେ କମିଟିର ସଦସ୍ୟ ହେବେ-ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ଜଣେ ମନ୍ତ୍ରିମଣ୍ଡଳର ସଦସ୍ୟ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ କେବଳ ବାଦ ଦିଆଗଲା ନାହିଁ ତାଙ୍କ ସ୍ଥାନରେ ମନ୍ତ୍ରିମଣ୍ଡଳର ଯେଉଁ ସଦସ୍ୟ ରହିବେ ସେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହିଁ ମନୋନୀତ ହେବେ । ୨୦୨୪ ନିର୍ବାଚନ ପୂର୍ବରୁ ଏହି ଆଇନ ଉପରେ ରହିତାଦେଶ ପାଇଁ ଆବେଦନକୁ ସୁପ୍ରିମକୋର୍ଟର ଏକ ଖଣ୍ଡପୀଠ ଅସ୍ୱୀକାର କଲା । ଏହି ଆଇନ ଅନୁସାରେ ଗଠିତ ନୂତନ ଚୟନ କମିଟି ନିର୍ବାଚନ କମିଶନ ପାଇଁ ଦୁଇଜଣଙ୍କ ନାଁ ସୁପାରିଶ କରିଦେଲେ । କହିବା ବାହୁଲ୍ୟ ଯେ ଏପରି ପଦକ୍ଷେପ ନିର୍ବାଚନ କମିଶନ ଓ କାର୍ଯ୍ୟପାଳିକା ମଧ୍ୟରେ ସମ୍ପର୍କ ଉପରେ ପ୍ରଶ୍ନ ଠିଆ କରାଇଲା । ଏହି ସଦ୍ୟଗଠିତ ନିର୍ବାଚନ କମିଶନ ହିଁ ୨୦୨୪ ଲୋକସଭା ନିର୍ବାଚନର ପରିଚାଳନା କରିଥିଲେ ।
ବ୍ୟବହୃତ ଉପାଦାନ ସୂଚୀ
- Constituent Assembly Debates,Volume XI—14th to 26th November 1949, Reprinted By Loksabha Secretariat, New Delhi, 6th Reprint 2014
- Constituent Assembly Debates, ,Volume VII—4th November 1948 to 8th January 1949, Reprinted By Loksabha Secretariat, New Delhi, 6th Reprint 2014
- What is constitutional morality? , PRATAP BHANU MEHTA ,https://www.india-seminar.com/2010/615/615_pratap_bhanu_mehta.htm
- ‘Democracy is in danger’: Watch the historic press conference held by four Supreme Court judges, Scroll Staff ,Jan 13, 2018 ,https://scroll.in/video/864863/democracy-is-in-danger-watch-the-historic-press-conference-held-by-four-supreme-court-judges
- Democracy At Stake, Things Not In Order: 4 Supreme Court Judges – 10 Points , Reported by A Vaidyanathan, Edited by Deepshikha GhoshUpdated: January 13, 2018 ,https://www.ndtv.com/india-news/for-first-time-ever-4-senior-supreme-court-judges-to-address-media-1799152
- https://economictimes.indiatimes.com/news/politics-and-nation/india-falls-to-53rd-position-in-eius-democracy-index-dubbed-as-flawed-democracy/articleshow/80665859.cms?from=mdr
- Weakening Democracy:India among ‘worst autocratisers’ in recent years, says Sweden’s V-Dem Institute ,Scroll Staff, Mar 08, 2024 ,https://scroll.in/latest/1064897/india-among-worst-autocratisers-in-recent-years-says-swedens-v-dem-institute
- ‘Modi’s India plans its own democracy index, after global rankings downgrade’, By Anisha Dutta ,Published On 21 Mar 2024,https://www.aljazeera.com/news/2024/3/21/modis-india-plans-its-own-democracy-index-after-global-rankings-downgrade
- Constituent Assembly Debates, vol VIII, 16th June 1949 , Reprinted By Loksabha Secretariat, New Delhi, 6th Reprint 2014
10.Constituent Assembly Debates, vol VIII, 15th June 1949 ,Reprinted By Loksabha Secretariat, New Delhi, 6th Reprint 2014
11.’A New Low, No Longer an Umpire’: Political Scientists Decry Election Commission’,The Wire Analysis ,May 11, 2024 ,https://thewire.in/politics/a-new-low-no-longer-an-umpire-political-scientists-decry-election-commission
- https://www.youtube.com/watch?v=i1vGlKWla44
- ‘Need a CEC who can even take action against prime minister, says SC’, Business Standard ,IANS New Delhi ,Last Updated : Nov 23 2022, https://www.business-standard.com/article/current-affairs/need-a-cec-who-can-even-take-action-against-prime-minister-says-sc-122112300577_1.html
Comments
0 comments