ଶବ ସତ୍କାର

8 Min Read

ଆମର ଅଭିଜ୍ଞତା ଭିତରେ ଆମେ ଦେଖୁ ଯେ ରାସ୍ତାରେ ଗାଡ଼ିଟିଏ ଅବା ମୋଟର ସାଇକଲ୍‌ଟିଏ କୁକୁରକୁ ଧକ୍କା ଦେଲେ, ଆଖ ପାଖରେ ଯଦି ଆଉ କିଛି କୁକୁର ଥିବେ ତେବେ ତାର ରଡ଼ି ଶୁଣି ଗାଡ଼ି ବା ମୋଟର ସାଇକଲ୍ ପଛରେ ଭୁକି ଭୁକି ଗୋଡ଼େଇ ପାରନ୍ତି, ମାତ୍ର କୁକୁରଟି ଯନ୍ତ୍ରଣାରେ ଛଟପଟ ହେଉଥାଉ ଅବା ମରି ପଡ଼ିଥାଉ ତାର ସେମାନେ କିଛି କରି ପାରନ୍ତିନି । କୌଣସି କାରଣରୁ କାଉଟିଏ ମଲେ ବି ଆଖ ପାଖର କାଉ କା କା ରାବି ଆମ କାନ ତାଡ଼ପା କରି ଦେଇ ପାରନ୍ତି, ହେଲେ ମଲା କାଉଟିର ସେମାନେ କିଛି କରି ପାରନ୍ତିନି, ସେଇଟା ଯେମିତି ପଡ଼ିଥାଏ ସେମିତି ପଡ଼ି ରହେ । ଅନ୍ୟ ଜୀବଜନ୍ତୁଙ୍କ କ୍ଷେତ୍ରରେ ମଧ୍ୟ ସେଇ ଏକା କଥା। ମଡ଼ା ସେମିତି ପଡ଼ି ରହେ । ଅନ୍ୟ ପଶୁପକ୍ଷୀଙ୍କ ଆହାର ହୋଇଥାଏ। ଶବ ସତ୍କାର ବୋଲି ଯାହାକୁ କୁହା ଯାଇଥାଏ, ତାହା କେବଳ ମଣିଷ କ୍ଷେତ୍ରରେ ହିଁ ମଣିଷ ସମାଜରେ ଦେଖା ଯାଇଥାଏ ।

ଆଦିମ ଅବସ୍ଥାରେ ଭୌଗଳିକ ଦୃଷ୍ଟିରୁ ମଣିଷମାନେ ପରସ୍ପର ଠାରୁ ଯେତେ ବିଛିନ୍ନ ହୋଇ ରହିଥିଲେ ବି ସେମାନଙ୍କୁ ଘେରି ରହିଥିବା ହିଂସ୍ର ଜୀବଜନ୍ତୁଙ୍କୁ ନେଇ ସେମାନଙ୍କର ଅଭିଜ୍ଞତା ସମସ୍ତଙ୍କ ପାଇଁ ସମାନ ଥିଲା। ଅନ୍ୟକୁ ଆକ୍ରମଣ କରିବା ପାଇଁ ଅବା ନିଜକୁ ରକ୍ଷା କରିବା ପାଇଁ ହିଂସ୍ର ଜୀବଜନ୍ତୁଙ୍କ ପାଖରେ ନିଜ ନିଜର ବଳ ସାଙ୍ଗକୁ ଥାଏ ନଖ ଦାନ୍ତ ଶିଙ୍ଗ । କୌଣସି କୌଣସି ପ୍ରାଣୀ ଦୁର୍ଗନ୍ଧ ଛାଡ଼ି ବି ନିଜ ନିଜକୁ ରକ୍ଷା କରି ପାରନ୍ତି। ହେଲେ ଅନ୍ୟ ହିଂସ୍ର ଜୀବଜନ୍ତୁଙ୍କ କବଳରୁ ନିଜକୁ ରକ୍ଷା କରିବା ପାଇଁ ଅବା ଅନ୍ୟ ହିଂସ୍ର ଜୀବଜନ୍ତୁଙ୍କୁ ଆକ୍ରମଣ କରିବା ଦୃଷ୍ଟିରୁ ମଣିଷ ପାଖରେ ଏଥିରୁ କୌଣସିଟା ବି ନାହିଁ । ହିଂସ୍ର ଜୀବଜନ୍ତୁଙ୍କ ସାମନାରେ ମଣିଷ କେତେ ଦୁର୍ବଳ ତାହା ସହଜରେ ଅନୁମାନ କରାଯାଇ ପାରେ । ଏବଂ ଥରେ ଗୋଟିଏ ହିଂସ୍ର ଜନ୍ତୁ ପାଟିରେ ମଣିଷର ରକ୍ତମାଂସ ବାଜିଲେ, ତାହା ମଣିଷଖିଆ ହୋଇଯାଇ ଥାଏ । ଆଉ ମଣିଷ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥାଏ । ସେଇ ପରିସ୍ଥିତି ମଣିଷ ପାଇଁ କେଡ଼େ ଭୟଙ୍କର ହୋଇଥାଏ ତାହା ଜିମ୍ କରବେଟ୍‌ଙ୍କର ଶିକାର ସମ୍ବନ୍ଧୀୟ ଯେକୌଣସି ବହି ଖଣ୍ଡିଏ ପଢ଼ିଲେ ମାନସିକ ସ୍ତରରେ ସେହି କଥା ଅନୁଭବ କରିହେବ। ଆମର ଏଠି ବାତ୍ୟା ପରେ କୁକୁରମାନେ ମଣିଷ ମଡ଼ା ଖାଇ ଖାଇ ପରେ ଶୋଇଥିବା ଝୀଅଟିଏର ଗାଲରୁ ପୁଳାଏ ନେଇଯିବା ଘଟଣା ଆମେ ଖବରକାଗଜରେ ଦେଖିଛେ । ତେଣୁ ଏହି ଧରାପୃଷ୍ଠରେ ମଣିଷଜାତି ତିଷ୍ଠି ରହିବା ପାଇଁ ମଣିଷଟିଏ ଜୀବିତ ଥାଉ ବା ମୃତ ହେଇଥାଉ ତାକୁ ହିଂସ୍ରଜନ୍ତୁଙ୍କ କବଳରୁ ରକ୍ଷା କରିବା ଆବଶ୍ୟକତା ବିଷୟ ମଣିଷ ଜାତି ସର୍ବତ୍ର ଅନୁଭବ କରିଥିବେ । ସବସତ୍କାରର ଆବଶ୍ୟକତା ସର୍ବତ୍ର ଅନୁଭବ କରିଥିବେ । ତେଣୁ ସବସତ୍କାର କରିବା କାର୍ଯ୍ୟଟି ଏକ ସାମାଜିକ ଦାୟିତ୍ୱ ଭାବେ ମଣିଷ ସମାଜରେ ସର୍ବତ୍ର ଦେଖାଯାଇ ଥାଏ ।

ତେବେ ସବସତ୍କାର କିପରି ହେବ ତାହା ଭୌଗଳିକ ପରିବେଶ, ଧାର୍ମିକ ଚିନ୍ତାଧାରା ତଥା ସାମାଜିକ ବ୍ୟବସ୍ଥା ଆଦି ବିଷୟ ଉପରେ ନିର୍ଭର କରିଥାଏ । ଦାହ କରିବା ଓ କବର ଦେବା କଥା ପରିବେଶ ଦୃଷ୍ଟିରୁ ବିଚାର କଲେ ଆଦ୍ୟ କାଳରେ ହୁଏତ ଯେଉଁଠି କାଠ ମିଳୁଥିଲା ସେଠି ଲୋକେ ଦାହ କରୁଥିଲେ ଓ ଯେଉଁଠି କାଠ ମିଳୁ ନଥିଲା ସେଠି କବର ଦେଉଥିଲେ। କିନ୍ତୁ ମଣିଷର ବୁଦ୍ଧି ଓ ସ୍ମୃତିର କ୍ରମବିକାଶ ଫଳରେ ମୃତ୍ୟୁ ଯେ ମଣିଷର ଅନ୍ତ, ତା ପରେ ଯେ ତାର ଆଉ କିଛି ରହେନା, ଏହି କଥାକୁ ମଣିଷ ଗ୍ରହଣ କରିପାରି ନଥିଲା । ବିଭିନ୍ନ ଭୌଗଳିକ ପରିବେଶ ଓ ସାମାଜିକ ବ୍ୟବସ୍ଥା ମଧ୍ୟରେ ମରଣ ସମ୍ପର୍କରେ ତାର ଧାର୍ମିକ ଚେତନା ସୃଷ୍ଟି ହୋଇଥିଲା । ଏହା ଦେହ ଓ ଆତ୍ମା ମଧ୍ୟରେ ପାର୍ଥକ୍ୟ ଆଣିଥିଲା । ମଣିଷର ଜୀବିତାବସ୍ଥାରେ ଦେହ ଓ ଆତ୍ମା ଏକ ହୋଇଥାଏ । ମରଣ ଏ ଦୁଇଟିକୁ ଅଲଗା କରିଦେଇ ଥାଏ ବୋଲି ବିଚାର କରାଗଲା । ଆଦ୍ୟ କାଳରେ ଯେଉଁ ଯେଉଁ ଅଞ୍ଚଳରେ କବର ଦିଆ ଯାଉଥିଲା, ସେହି ସେହି ଅଞ୍ଚଳରେ ଦେହ ପ୍ରତି ପ୍ରାଧାନ୍ୟ ଦିଆ ଯାଉଥିଲା । ଏଥିରେ ମଧ୍ୟ ମରିବା ଲୋକର ସାମାଜିକ ରାଜନୈତିକ ସ୍ଥିତି ପ୍ରଭାବିତ କରୁଥିଲା । ମିଶର ଦେଶର କଥା ନିଆଯାଉ । ସିଡ଼ିର ସବା ତଳ ପାହାଚରେ ସାଧାରଣ ମଣିଷର ସାଧାରଣ କବର ରହିଲା ବେଳେ ସବା ଉପର ପାହାଚରେ ଫାରୋ (ରାଜା) ଙ୍କର ପିରାମିଡ଼ ରହିଛି । ଦେହକୁ ପ୍ରାଧାନ୍ୟତା ଦେବା ଫଳରେ ଆତ୍ମାର ଗୋଟିଏ ହିଁ ଜନ୍ମ ହୋଇଥାଏ ପୁନର୍ଜନ୍ମ ନାହିଁ । ଯେଉଁଠି ଦାହ କରା ଯାଉଥିଲା, ସେଠି ଦେହକୁ ପ୍ରାଧାନ୍ୟତା ଦିଆଯାଉ ନଥିଲା, ଦିଆ ଯାଉଥିଲା ଆତ୍ମାକୁ । ଦେହକୁ ମଇଳା ଚିରା ଲୁଗା ମନେ କରା ଯାଉଥିଲା । ମଇଳା ଫଟା ଲୁଗାକୁ ଆମେ ବଦଳେଇଲା ଭଳି ଆତ୍ମା ଦେହ ବଦଳଉଥିବା ଧାରଣା ଜାତ ହେଲା । ପୁନର୍ଜନ୍ମ ଧାରଣାଟି ଜନ୍ମ ନେଲା ।

ଆଜି ବିଜ୍ଞାନର ରାଜୁତି ଚାଲୁଛି ଏବଂ ସମସ୍ତେ ବିଜ୍ଞାନର ଭାଷାରେ ନିଜ ନିଜକୁ ପ୍ରକାଶ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏପରିକି ବାବାମାନେ ମଧ୍ୟ । ବିଜ୍ଞାନର ରାଜୁତି ପୂର୍ବରୁ ଧର୍ମ ରାଜୁତି କରୁଥିଲା ଓ ସମସ୍ତେ ଧର୍ମର ଭାଷାରେ ନିଜ ନିଜକୁ ପ୍ରକାଶ କରିବା ପାଇଁ ଚେଷ୍ଟା କରୁଥିଲେ । ଏପରିକି ବିଜ୍ଞାନ ମଧ୍ୟ ନିଜକୁ ଧର୍ମର ଗଣ୍ଡି ମଧ୍ୟରେ ପ୍ରକାଶ କରିବାକୁ ବାଧ୍ୟ ହୋଇଥିଲା । ତେଣୁ ଶବସତ୍କାର ସମ୍ପର୍କରେ ବିଭିନ୍ନ ଧର୍ମର ଭିନ୍ନ ଭିନ୍ନ ଧାରଣା ବଦ୍ଧମୂଳ ହୋଇ ରହିଗଲା । ଇତିହାସର ଗତିରେ ମଣିଷ ମଧ୍ୟ ଗତିଶୀଳ ହେଲା । ଗୋଟିଏ ଭୌଗଳିକ ପରିବେଶରୁ ଯାଇ ଆଉ ଗୋଟିଏ ଭୌଗଳିକ ପରିବେଶରେ ବାସ କଲା । ଭିନ୍ନ ଭୌଗଳିକ ପରିବେଶରେ ମଧ୍ୟ କବର ଦେବା ଲୋକେ କବର ଦେବା ପାଇଁ ଓ ଦାହ କରିବା ଲୋକେ ଦାହ କରିବା ପାଇଁ ଚେଷ୍ଟା କଲେ । କିଛିଟା ଏପଟ ସେପଟ ଯେ ହେଉ ନଥିଲା ତାହା ବି ନୁହେଁ । ଯେତେବେଳେ ମୁସଲମାନ ବା ଖ୍ରୀଷ୍ଟିଆନ୍ ରାଜାମାନେ ଯୁଦ୍ଧ କରିବା ପାଇଁ ଅନ୍ୟ ଦେଶକୁ ଯାଉଥିଲେ ଓ ଗୋଟିଏ ଗୋଟିଏ ଯୁଦ୍ଧରେ ହଜାର ହଜାର ସଂଖ୍ୟାରେ ସୈନ୍ୟ ମରୁଥିଲେ ସେତେବେଳେ ମୃତ ସୈନିକମାନଙ୍କୁ ନିଜ ଦେଶକୁ ଆଣି କବର ଦେବା ସମ୍ଭବ ନଥିଲା, ତେଣୁ ସେମାନଙ୍କୁ ସେଠି ଦାହ କରି ସେମାନଙ୍କ ଚିତାଭସ୍ମ ଆଣି ନିଜ ଦେଶରେ କବର ଦେଉଥିଲେ । ପଞ୍ଜାବୀମାନେ ଯେତେବେଳେ ପ୍ରଥମେ ପ୍ରଥମେ କ୍ୟାନାଡ଼ା ଗଲେ, ସେତେବେଳେ ସେଠିକାର ଖ୍ରୀଷ୍ଟିଆନ୍ ଶାସନ ଓ ପରିବେଶରେ କେହି ମଲେ ଦାହ କରିବାର ଅଧିକାର ନଥିଲା । ତେଣୁ ସେମାନେ ମଧ୍ୟ କବର ଦେଉଥିଲେ ଅବା ଖ୍ରୀଷ୍ଟିଆନ୍‌ମାନଙ୍କର ଓ ସରକାରଙ୍କର ଗୁଳିଗୋଳାର ଭୟ ଥାଇ ଲୁଚାଛପାରେ ଦାହ କରୁଥିଲେ । ଆଜିକାଲି ଅବଶ୍ୟ ବିଭିନ୍ନ ଦେଶରେ କବରଖାନାର ଅଭାବ ଦୃଷ୍ଟିରୁ ଦାହ କରିବା ପ୍ରଥା ଆସ୍ତେ ଆସ୍ତେ ଜନପ୍ରିୟ ହେବାରେ ଲାଗିଲାଣି । ତେଣୁ ଶବସତ୍କାରକୁ ନେଇ ବିଭିନ୍ନ ଧର୍ମର ବଦ୍ଧମୂଳ ଧାରଣା ଧୀରେ ଧୀରେ ହୁଗୁଳିଲାଣି । ଏହାସବୁ ସତ୍ୱେ ବି ଶବସତ୍କାରର ମୂଳ କାରଣ ଆଜି ବି ଯେମିତି ସେମିତି ବଳବତ୍ ହୋଇ ରହିଛି । ମଣିଷର ଶବକୁ ସମ୍ମାନର ସହ ସତ୍କାର କରିବା ଆବଶ୍ୟକତା ରହିଛି । ଏହା ହିଁ ବାସ୍ତବ ଆବଶ୍ୟକତା ।

କିଛି ଦିନ ତଳେ ଖବରକାଗଜରେ ବାହାରିଥିଲା ଯେ କେତେକ ନକ୍ସଲବାଦୀଙ୍କ ମୃତଦେହକୁ ବାଉଁଶରେ ହାତଗୋଡ଼ ବାନ୍ଧି ମଲା ଗୋରୁବଳଦକୁ ନେଲା ଭଳି ଓହଳେଇ ନେଉଥିବାରୁ ମାନବ ଅଧିକାର ସପକ୍ଷବାଦୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ମାନବ ଅଧିକାର ପ୍ରତି ସେମାନଙ୍କର ଚିନ୍ତା ପାଇଁ ସେମାନେ ପ୍ରଶଂସା ଯୋଗ୍ୟ । ତେବେ ଖବରଟି ପଢ଼ିଲା ବେଳେ ମୋର ମନେ ହେଲା ସେମାନେ ଯେମିତି ଏହି ଘଟଣା ଦ୍ୱାରା ଅନ୍ୟମାନଙ୍କ ମନରେ ଅସନ୍ତୋଷ ଜାତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଘଟଣାଟି ବଣଜଙ୍ଗଲରେ ଘଟିଛି । ଗୋଟିଏ ମୃତ ଦେହକୁ ବଣଜଙ୍ଗଲରେ ଜଣେ ଲୋକ ବୋହିକରି ନେଇ ନପାରେ । ଶୁଆଇ କରି ନେବା ପାଇଁ ଖଟିଆ ବା ଷ୍ଟ୍ରେଚେର ଆବଶ୍ୟକ । ଯାହା ନଥାଇ ବି ପାରେ, ଥିଲେ ବି ତାକୁ ବୋହିବା ପାଇଁ ଚାରି ଜଣ ଆବଶ୍ୟକ। ପୁଣି ଖଟିଆ ବା ଷ୍ଟ୍ରେଚେର ବୋହି ଚାରି ଜଣ ଯିବା ପାଇଁ ବଣ ପାହାଡ଼ରେ ରାସ୍ତା ଥିବା ଆବଶ୍ୟକ । କ’ଣ ଥିଲା କ’ଣ ନଥିଲା, କ’ଣ ସୁବିଧା ଥିଲା କ’ଣ ସୁବିଧା ନଥିଲା ଆମେ ଜାଣିନେ । ଖବରକାଗଜରେ ସେହି ବିଷୟରେ କିଛି ଲେଖା ନଥିଲା । ତଥାପି ଏହି କଥା ସତ ଯେ ଆମର ଏହି ସଭ୍ୟ ସମାଜରେ ଶବଦାହ ପାଇଁ ସରକାରୀ ତହବିଲରୁ ଟଙ୍କା ନେଇ ଶବକୁ ଦାହ ନକରି ନାଳକୁ ଗଡ଼େଇ ଦେଉଥିବା ଅବା ମଡ଼ା ଘଣ୍ଟା ଘଣ୍ଟା ଧରି ରାସ୍ତାରେ ପଡ଼ି ରହିଥିଲେ ମଧ୍ୟ ତାହା ପ୍ରତି କେହି ଦୃଷ୍ଟି ଦେଉ ନଥିବା କଥା ଖବରକାଗଜରେ ବାହାରୁ ଥିବା ବେଳେ ଏକ ଲଢ଼େଇ ପରିସ୍ଥିତିରେ ବି ମୃତ ଦେହଗୁଡ଼ିକୁ ପଶୁପକ୍ଷୀଙ୍କ ଖାଦ୍ୟ ହେବା ପାଇଁ ସେହି ଜଙ୍ଗଲରେ ଛାଡ଼ି ନଦେଇ ଯବାନମାନେ ବୋହି ଆଣିଥିଲେ । ସେଥିପାଇଁ ସେମାନେ ଧନ୍ୟବାଦର ପାତ୍ର ।

ଛୁଆଟାଏ ଜନ୍ମ ବେଳେ ତ ମଣିଷ ହୋଇ ଜନ୍ମ ହୋଇଥାଏ । ତାକୁ ଶିକ୍ଷା ଦିକ୍ଷା ପରିବେଶ ସମାଜ ଆଦି ବ୍ରାହ୍ମଣ, କରଣ, ହିନ୍ଦୁ, ଖ୍ରୀଷ୍ଟିଆନ୍‌, ରାଜନେତା, ଧର୍ମଗୁରୁ, ଯବାନ, ନକ୍ସଲପନ୍ଥୀ, ଇତ୍ୟାଦି ଇତ୍ୟାଦିରେ ପରିଣତ କରିଥାଏ । ବେଳେ ବେଳେ ଜଣକୁ ଅନ୍ୟ ଜଣକ ବିରୁଦ୍ଧରେ ଠିଆ ମଧ୍ୟ କରେଇ ଥାଏ । ହେଲେ ମରଣ ପରେ ତାର ଜାତି ଧର୍ମ ପେଷା ମତାଦର୍ଶ ଇତ୍ୟାଦି ତା ପାଖ ଛାଡ଼ି ଚାଲିଯାଏ । ସେ ଆଉ ସେଗୁଡ଼ିକର ହୋଇ ରହେନା, ପୁଣି ମଣିଷ ହୋଇଯାଏ। ସେଇ ମଣିଷଟିର ଶେଷକୃତ୍ୟ ସମ୍ମାନର ସହ ଜାତି ଧର୍ମ ଆଦି ନିର୍ବିଶେଷରେ ସମସ୍ତେ କରିବା ଏକ ସାମାଜିକ ଦାୟିତ୍ୱ ।

e-mail: neelamanisahu@rediffmail.com

Comments

0 comments

Share This Article