ଏହିବର୍ଷ ଜାନୁଆରୀ ମାସରେ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ, ବାରିପଦାର ୭୫ବର୍ଷ ପୂର୍ତ୍ତି ସମାରୋହରେ ସେହି ମହାବିଦ୍ୟାଳୟର ପ୍ରତିଷ୍ଠା ସମ୍ପର୍କରେ ଏବଂ ମୟୂରଭଞ୍ଜର ଓଡ଼ିଶାକୁ ଏବଂ ଓଡିଶା ଗଠନରେ ଅବଦାନ ଓ ଭୂମିକାକୁ ନେଇ ଅନେକ ବିଷୟ ଆଲୋଚନା, ବିଭିନ୍ନ ବୌଦ୍ଧିକ ବିଚାର, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏଥିରେ ଦେଶବିଦେଶରୁ ଅନେକ ପୁରାତନ ଏବଂ ବର୍ତମାନର ଛାତ୍ରଛାତ୍ରୀଙ୍କର ଏକ ଅଭିନବ ସମାବେଶ ହୋଇଥିଲା । ଏହି ଅବସରରେ ଯେତେବେଳେ ଇତିହାସକୁ ଯାଇ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟ ପ୍ରତିଷ୍ଠାର ଭିର୍ତ୍ତିଭୂମିକୁ ବିଶ୍ଲେଷଣ କରାଗଲା, ସେତେବେଳେ ଅନେକ ରୋଚକ, ରୋମାଂଚକର, ସୁଖଦ ଓ ଦୁଃଖଦ, ଆମୋଦଦାୟକ ଏବଂ ବିଶାଦପୂର୍ଣ୍ଣ ତଥ୍ୟ ସମଗ୍ର ମୟୂରଭଞ୍ଜବାସୀ ତଥା ମହାବିଦ୍ୟାଳୟର କାର୍ଯ୍ୟକ୍ରମରେ ବିଭିନ୍ନ ମାଧ୍ୟମରେ ଅଂଶଗ୍ରହଣ ସମସ୍ତଙ୍କୁ ମୋହିତ କରିଥିଲା । ମୟୂରଭଞ୍ଜ ସମ୍ପର୍କରେ ଅନେକ ଐତିହାସିକ ଓ ଲେଖକମାନଙ୍କର ତଥ୍ୟ ସାମ୍ନାକୁ ଆସେ । ସେହିମାନଙ୍କ ଭିତରୁ କିଛିଜଣଙ୍କର ନାମ ଏଠାରେ ଉଲ୍ଲେଖଯୋଗ୍ୟ । ଶୈଳେନ୍ଦ୍ରନାଥ ସରକାର ( Biography of Sriramchandra Bhanjodeo 1918), ପରମାନନ୍ଦ ଆଚାର୍ଯ୍ୟ (ପଦ୍ମଶ୍ରୀ ଭୂଷିତ) (History of Mayurbhanja), ଶ୍ୟାମସୁନ୍ଦର ଷଡ଼ଙ୍ଗୀ (ମୟୂରଭଞ୍ଜର ଇତିହାସ-୧୯୩୬), ଡକ୍ଟର ମୋହିତ ଷଡ଼ଙ୍ଗୀ(ମୟୂରଭଞ୍ଜ ଇତିହାସର ପରିବର୍ଦ୍ଧିତ ସଂସ୍କରଣ-୨୦୧୩; ଭଞ୍ଜମାଟିର ମହକ-୨୦୧୮), ପ୍ରଫେସର ପ୍ରବୋଧ ମିଶ୍ର-(ମୟୂରଭଞ୍ଜ ଇତିହାସ ଓ ସଂସ୍କୃତିର ମୁଖ୍ୟ ଧାରା -୨୦୧୩), ଡକ୍ଟର କୃଷ୍ଣଚନ୍ଦ୍ର ପାଣିଗ୍ରାହୀ(ପଦ୍ମଶ୍ରୀ ଭୂଷିତ)-ମୋ ସମୟର ଓଡ଼ିଶା, ଡକ୍ଟର ଭାଗବତ ପ୍ରସାଦ ଲେଙ୍କା-ମୟୂରଭଞ୍ଜ ଇତିହାସ-ଏକ ଅନୁଧ୍ୟାନ; ଆର୍ଯ୍ୟକବି ପଣ୍ଡିତ ପ୍ରମୋଦକୁମାର ମିଶ୍ର(ମୟୂରଭଞ୍ଜ ଜିଲ୍ଳାର ଇତିହାସ-୨୦୧୮), ପ୍ରଫେସର ଦୀପକ ଷଡ଼ଙ୍ଗୀ (ଜୀବନର ପଥେପଥେ-୨୦୧୨, ୫୦ବର୍ଷର ମୟୂରଭଞ୍ଜ ଓ ମୋ ଚିନ୍ତାଚେତନାରେ ବାରିପଦା- ମୋ ପ୍ରିୟ ସହର), ସବ୍ୟସାଚୀ ଦାସ-ଅତୀତର ମୟୂରଭଞ୍ଜ, ଶିବପ୍ରସାଦ ବିଶ୍ୱାଳ-ସ୍ମୃତି ବିଜଡ଼ିତ ମୋର ମୟୂରଭଞ୍ଜ, ଶ୍ରୀନିବାସ ପ୍ରଧାନ (ସୁବର୍ଣ୍ଣଯୁଗର ଇତିବୃତି ଓ ମୟୂରଭଞ୍ଜ-୨୦୧୪), ଡାକ୍ତର ଶିରୀଶ ଚନ୍ଦ୍ର ପରିଡ଼ା (ମତ୍ସ୍ୟଦେଶକୁ ମୟୂରଭଞ୍ଜର ଦାନ), ଡିଷ୍ଟ୍ରିକ୍ଟ ଗେଜେଟିଅର୍-ମୟୂରଭଞ୍ଜ, ଓଡିଶା ରିଭିୟୁ (ଏପ୍ରିଲ -୨୦୦୫) ଏବଂ ବିଭିନ୍ନ ସମୟରେ ବିଭିନ୍ନ ପତ୍ରପ୍ରତ୍ରିକାରେ ପ୍ରକାଶିତ ହୋଇଥିବା ମୟୂରଭଞ୍ଜ ସମ୍ପର୍କିତ ପ୍ରବନ୍ଧ ଆହୁରି ଅନେକକୁ ପଠନ ଓ ତର୍ଜମା କଲେ, ମୌଳିକ ତଥ୍ୟ ସାମ୍ନାକୁ ଆସେ ।
ଆଜିର ପ୍ରସଙ୍ଗରେ ମୋହିତ ଷଡ଼ଙ୍ଗୀଙ୍କ ଲିଖିତ ମହାରାଜା ପୂର୍ଣ୍ଣଚନ୍ଦ୍ର ମହାବିଦ୍ୟାଳୟର ଜନ୍ମ ଇତିହାସ ମୁଦ୍ରିତ ହୋଇଛି ମହାବିଦ୍ୟାଳୟର ପ୍ଲାଟିନମ ଜୁବୁଲି ସ୍ମରଣିକା-୨୦୨୪ ‘ରତ୍ନଗର୍ଭା’ରେ (ପୃଷ୍ଠା ୫ରୁ ୯ ପର୍ଯ୍ୟନ୍ତ) । ତାଙ୍କ ଉଲ୍ଲିଖିତ ପ୍ରବନ୍ଧରୁ ଜଣାପଡ଼େ ଯେ ମୟୂରଭଞ୍ଜ ମିଶ୍ରଣ ଆଗରୁ ରେଭେନ୍ସା ମହାବିଦ୍ୟାଳୟରେ ନାମଲେଖାରେ ନିଜର ଯୋଗ୍ୟତା ଥାଇ ମଧ୍ୟ ନାମଲେଖାରୁ ବଂଚିତ ହେଲେ ମୟୂରଭଞ୍ଜର ବସନ୍ତ ଦାସ ଓ ପ୍ରଫୁଲ୍ଲ ପଣ୍ଡା । ଏକ ହାସ୍ୟାସ୍ପଦ କାରଣ ପାଇଁ ସେମାନଙ୍କ ଯୋଗ୍ୟତା ସତ୍ୱେ ରେଭେନ୍ସା ମହାବିଦ୍ୟାଳୟରେ ୧୯୪୮ ମସିହାରେ ସେମାନେ ନାମଲେଖାରୁ ବଂଚିତ ହୋଇଥିଲେ । ମୟୂରଭଞ୍ଜ ୧୯୪୮ ମସିହାରେ ଏକ ସ୍ୱତନ୍ତ୍ର ରାଜ୍ୟ ଥିଲା ଏବଂ ସେମାନେ ମୟୂରଭଞ୍ଜର ଛାତ୍ର ଥିଲେ । ଯଦିଓ ଇତିହାସ କହେ, ରେଭେନ୍ସା ମହାବିଦ୍ୟାଳୟ ଗଠନ ପଛରେ ମୟୂରଭଞ୍ଜର ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜଦେଓଙ୍କର ମୁଖ୍ୟ ଭୂମିକା ଥିଲା । ୧୯୪୮ ମସିହାରେ ବର୍ତମାନର ଏମକେସି ହାଇସ୍କୁଲ, ବାରିପଦା ପ୍ରାଙ୍ଗଣରେ ଏମ ପି ସି କଲେଜର ଶୁଭାରମ୍ଭ ହୋଇଥିଲା । ଏହି ପ୍ରତ୍ୟାଖ୍ୟାତ ଓ ଅନ୍ୟାନ୍ୟ ଛାତ୍ରମାନଙ୍କୁ ନେଇ ଏମ ପି ସି କଲେଜର ଶୁଭାରମ୍ଭ ହୋଇଥିଲା । ବିଗତ ଦୁଇ ସପ୍ତାହ ଧରି ବିଭିନ୍ନ ମୁଦ୍ରିତ ଓ ବୈଦ୍ୟୁତିକ ଗଣମାଧ୍ୟମରେ ଯେଉଁଭାବରେ ସ୍ୱରଝଙ୍କାର ସୃଷ୍ଟି ହୋଇଛି, ସେଥିରେ ମୟୂରଭଞ୍ଜବାସୀ, ଓଡ଼ିଶାବାସୀ ଏବଂ ଯେଉଁମାନେ ନିଜ ଜନ୍ମଭୂମି ଓ ମାତୃଭୂମି ପ୍ରତି ଅନୁରକ୍ତି ରଖନ୍ତି, ସେମାନେ ବହୁ ମାତ୍ରାରେ ମର୍ମାହିତ ହୋଇଛନ୍ତି । ଏଠାରେ କହିବା ବାହୁଲ୍ୟ ଯେ ଇତିହାସ ମଣିଷର ଅତୀତ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥାଏ ଯାହାକି ସେ ସମୟର ଇତିହାସରେ ତାତ୍ପର୍ଯ୍ୟପୂର୍ଣ୍ଣ । ସେହି ଘଟଣାଗୁଡ଼ିକ ବର୍ତମାନର ମାନବ ସମାଜକୁ ସମୃଦ୍ଧ ଏବଂ ଗତିଶୀଳ କରିବାପାଇଁ ଏକ ସକାରାତ୍ମକ ଦୃଷ୍ଟିଭଙ୍ଗୀ ଦେଇଥାଏ ।
ଇତିହାସ ସବୁବେଳେ ପ୍ରାମାଣିକ ତଥ୍ୟ ଓ ବିଶ୍ଲେଷଣ ଉପରେ ପର୍ଯ୍ୟବସିତ । କିନ୍ତୁ ଇତିହାସରେ ଘଟି ଯାଇଥିବା ଘଟଣା ମାନଙ୍କୁ ନେଇ ଆଜି ଦିନରେ ସେମାନଙ୍କୁ କୌଣସି ସିଦ୍ଧାନ୍ତ ବିଷୟରେ ଉତରଦାୟୀ କରି ପ୍ରଶ୍ନ କରିବାଟା ଅପରିପକ୍ୱତାର ଏକ ନିଦର୍ଶନ । ଏକଥା ସତ ଯେ ମଣିଷ ବେଳେବେଳେ ବିଭିନ୍ନ କାରଣରୁ ଏପରି ଅପରିପକ୍ୱ ଟିପ୍ପଣୀ ଦେଇ ଅଯଥା ସମୟ ନଷ୍ଟ ମଧ୍ୟ କରିଥାନ୍ତି । କୌଣସି ସତ୍ୟକୁ ସ୍ପଷ୍ଟ କରିବାକୁ ହେଲେ ସକାରାତ୍ମକ, ବିଦ୍ୱେଷହୀନ ପ୍ରକ୍ରିୟାର ଆରମ୍ଭ ହେବା ଦରକାର । ଆଜି ସେଇ ସମୟ ଉପନୀତ । ବିଭ୍ରାନ୍ତମୁକ୍ତ ସୂଚନାକୁ ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିବା । କୋଭିଡ଼ ଯେତେବେଳେ ପୃଥିବୀକୁ କବଳିତ କରି ରଖିଥିଲା, ଦ୍ୱନ୍ଦ୍ୱଯୁକ୍ତ ସୂଚନାର ମାରାତ୍ମକ ପ୍ରଭାବ ବିଷୟରେ ପୃଥିବୀର ସମସ୍ତ ରାଷ୍ଟ୍ର ଏବଂ ଗଣମାଧ୍ୟମ ଅବଗତ ହୋଇ ଏହାର ଭୟାବହତାକୁ ଅନୁଭବ କରିଥିଲେ । ଏବଂ ଏହି ବିଭ୍ରାନ୍ତି ସୂଚନାରେ ସମ୍ପୃକ୍ତ ସମସ୍ତ ବ୍ୟକ୍ତିବିଶେଷ, ସଂସ୍ଥା, ଅନୁଷ୍ଠାନ ଉଭୟ ସାମାଜିକ ଅପରାଧ ଏବଂ ସାମ୍ବିଧାନିକ ଅପରାଧର ପରିସରଭୁକ୍ତ ବୋଲି ମତପ୍ରକାଶ ପାଇଛି । ଏଣୁ ମାନବ ସମାଜକୁ ବିଭ୍ରାନ୍ତ ସୂଚନାର ଭୟାବହତାରୁ ମୁକ୍ତି ଦେବାପାଇଁ ବିଭିନ୍ନ ଭାବରେ ସାରା ପୃଥବୀରେ ବିଭିନ୍ନ ଉଦ୍ୟମର ପ୍ରକ୍ରିୟା ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବିଶେଷ କରି ମୟୂରଭଞ୍ଜର ଇତିହାସକୁ ନେଇ ତାର ସ୍ୱତନ୍ତ୍ରତା ଏବଂ ସମ୍ମାନକୁ ନେଇ ଯେଉଁ ବିପଦ ସୃଷ୍ଟି ହୋଇଛି, ତାକୁ ଦୂର କରିବାପାଇଁ ଏପରି ଏକ ସଙ୍କଟାପନ୍ନ ପରିସ୍ଥିତିରୁ ପ୍ରକୃତ ସତ୍ୟ କଣ, ସର୍ବସାଧାରଣରେ ଆଗରେ ରଖିବାକୁ ହେଲେ ସମସ୍ତ ବିଜ୍ଞ, ଚେତନାଶୀଳ, ସଚେତନତଶୀଳ ନାଗରିକମାନଙ୍କର ଏହି ପ୍ରକ୍ରିୟାରେ ଭାଗ ନେବାର ଆବଶ୍ୟକତାକୁ ଅନୁଭବ କରାଯାଇଛି ।
୧୯୪୯ ଜାନୁଆରୀ ୧ ରେ ମୟୂରଭଞ୍ଜ ଶେଷ ରାଜ୍ୟ ହିସାବରେ ଅଖଣ୍ଡ ଭାରତବର୍ଷରେ ମିଶ୍ରଣ ହେବାର ଦସ୍ତାବେଜ ଆଜି ଜନସାଧାରଣରେ ଅବଗତ ସକାଶେ ଉପଲବ୍ଧ ନୁହଁ । ଗତ ୭୩ବର୍ଷ ଧରି ସେହି ମିଶ୍ରଣ ରାଜିନାମାରେ ଉଲ୍ଲିଖିତ ବ୍ୟବସ୍ଥା ଓ ସୁବିଧା ବିଷୟରେ ସମଗ୍ର ମୟୂରଭଞ୍ଜବାସୀ ଅନ୍ଧାରରେ ଅଛନ୍ତି । ଏଣୁ ଆଜି ଦିନରେ ମୁଖ୍ୟ କଥା ରହିଛି ସେହି ମିଶ୍ରଣ ରାଜିନାମାକୁ ସର୍ବସାଧାରଣରେ ତୁରନ୍ତ ପ୍ରକାଶ କରାଯାଉ । ଭାରତ ଏବଂ ଓଡ଼ିଶା ସରକାର ମୟୂରଭଞ୍ଜର ଅବଦାନର ବିଶେଷ ତଥ୍ୟକୁ ଜନହିତରେ ଉପସ୍ଥାପନ କରନ୍ତୁ । ଅନ୍ତତଃପକ୍ଷେ ମୟୂରଭଞ୍ଜବାସୀ ତାର ନିଜର ଐଶ୍ଚର୍ଯ୍ୟପୂର୍ଣ୍ଣ ଇତିହାସ ଓ ସଂସ୍କୃତି ସମ୍ପର୍କରେ ଗର୍ବିତ ହେବା ସମୟରେ ବିନା ତଥ୍ୟ ସମ୍ବଳିତ, ବିଭ୍ରାନ୍ତିକର ତଥ୍ୟର ଲଜ୍ଜାକର ସ୍ଥିତିରୁ ମୁକ୍ତିପାଇବେ । ଏହି ସ୍ଥିତିରେ ମୟୂରଭଞ୍ଜବାସୀଙ୍କ ସାମୂହିକ, ସର୍ବାଙ୍ଗୀନ, ସମନ୍ୱିତ ନିରନ୍ତର ବିକାଶ ପାଇଁ ସମୀକ୍ଷା ଓ ମାନସ ମନ୍ଥନ ଅପରିହାର୍ଯ୍ୟ ।
ଶଶୀପ୍ରଭା ବିନ୍ଧାଣୀ
ପ୍ରାକ୍ତନ ସୂଚନା ଆୟୁକ୍ତ, ଓଡ଼ିଶା ଓ ସିଣ୍ଡିକେଟ ସଦସ୍ୟ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟ, ତକତପୁର, ମୟୂରଭଞ୍ଜ
୭୮୭୩୯୬୫୬୫୮
bindhani.sashi@gmail.com
Comments
0 comments