୧୯୪୭ ମସିହା ଅଗଷ୍ଟ ମାସ ୧୫ତାରିଖ ଦିନ ଭାରତ ଔପନିବେଶିକ ବ୍ରିଟିଶ ଶାସନରୁ ମୁକ୍ତ ହୋଇ ଏକ ସ୍ୱାଧୀନ ରାଷ୍ଟ୍ର ହିସାବରେ ବିଶ୍ୱରେ ପରିଚିତ ହେଲା । ଏହାର ୪୨ବର୍ଷ ପୂର୍ବେ ଔପନିବେଶିକ ବ୍ରିଟିଶ ଶାସନକୁ ପ୍ରତିବାଦ/ପ୍ରତିରୋଧ କରି ସ୍ୱଦେଶୀ ଆନ୍ଦୋଳନ ମାଧ୍ୟମରେ ସ୍ୱରାଜର ଚିତ୍ର ଭାରତୀୟ ବୁଦ୍ଧିଜୀବୀମାନେ ଅଙ୍କନ କରିଥିଲେ । ୧୯୦୫ରୁ ୧୯୪୭ ପର୍ଯ୍ୟନ୍ତ ଦୀର୍ଘ ଚାରି ଦଶନ୍ଧି ଥିଲା ଭାରତୀୟ ରାଷ୍ଟ୍ରୀୟ ଆନ୍ଦୋଳନର ବଳିଷ୍ଠ ପର୍ଯ୍ୟାୟ ।
ଏହା ପୂର୍ବରୁ ଶହେବର୍ଷ ମଧ୍ୟରେ ଭାରତୀୟ ରାଜଶକ୍ତି ଓ ଆଦିବାସୀ ସମ୍ପ୍ରଦାୟ ନାନା କାରଣରୁ ଔପନିବେଶିକ କ୍ଷମତା ପ୍ରସାରଣକୁ ଅସ୍ୱୀକାର କରିଥିଲେ ହେଁ ରାଷ୍ଟ୍ରୀୟ ଚେତନା ସେମାନଙ୍କର ନଥିଲା । ୧୯୦୫ରୁ ଧାରାବାହିକ ଭାବରେ ଆନ୍ଦୋଳନ କରାଯାଇ ଭାରତୀୟ ରାଷ୍ଟ୍ର ଗଠନ ଯୋଜନାକୁ ସଫଳ କରାଇବା ପାଇଁ ଉଦ୍ୟମ ହୋଇଥିଲା । ୧୯୨୦ରୁ ୧୯୪୭ ମଧ୍ୟରେ ମହାତ୍ମା ମୋହନ ଦାସ ଗାନ୍ଧୀଙ୍କ ନୀତି ଓ ଆଦର୍ଶ ମାଧ୍ୟମରେ ଭାରତୀୟ ସ୍ୱାଧୀନ ରାଷ୍ଟ୍ର ଗଠନର ଉଦ୍ୟମକୁ କେହି କେହି ଭିନ୍ନ ଭାବରେ ବର୍ଣ୍ଣନା କରିଥିଲେ ମଧ୍ୟ ଗାନ୍ଧୀଙ୍କ ନେତୃତ୍ୱ ପ୍ରତି ସମ୍ମାନ ଦେଖାଇଥିଲେ ।
ଭାରତୀୟ ରାଷ୍ଟ୍ରୀୟ ଚେତନାର ପ୍ରସାରଣ ଏବଂ ସ୍ୱାଧୀନ ଭାରତ ରାଷ୍ଟ୍ର ନିର୍ମାଣ ଏକ ନିୟନ୍ତ୍ରିତ ବିପ୍ଳବ – ଯାହାକୁ ଚାଳିତ କରିଥିଲେ ଅଗଣିତ କୃଷକ, ଶ୍ରମିକ, ଆଦିବାସୀ, ଦଳିତ, ଛାତ୍ରଛାତ୍ରୀ, ମହିଳା ଓ ଉଚ୍ଚଶିକ୍ଷାପ୍ରାପ୍ତ ଭାରତୀୟ ବୁଦ୍ଧିଜୀବୀ । ଏହା ଥିଲା ବହୁମୁଖୀ ବିପ୍ଳବ । ଆରମ୍ଭରୁ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ଭାରତର ହିନ୍ଦୁ ଏବଂ ମୁସଲମାନମାନେ । କିନ୍ତୁ ବିଂଶ ଶତକର ଚତୁର୍ଥ ଏବଂ ପଞ୍ଚମ ଦଶନ୍ଧିରେ ଏହି ପ୍ରକ୍ର୍ରିୟାକୁ ବାଧା ଦେଇଥିଲେ ସଂକୀର୍ଣ୍ଣ ସାମ୍ପ୍ରଦାୟିକ ଚେତନାର ବ୍ୟକ୍ତିମାନେ । ଭାରତୀୟ ରାଷ୍ଟ୍ର ନିର୍ମାଣ ପଛରେ ଥିଲା ଏକ ଆଦର୍ଶ, ସ୍ୱାବଲମ୍ବନଶୀଳ ଗଠନାତ୍ମକ ଜୀବନ ।
ଔପନିବେଶିକ ଶାସନର ସମାଲୋଚକ ହିସାବରେ ଭାରତୀୟ ରାଷ୍ଟ୍ରୀୟ ଚେତନାର ପ୍ରସାରକମାନେ ଏକ ଉନ୍ନତ କୃଷି ଓ ଶିଳ୍ପର ବିକାଶ ପାଇଁ, ସାମାଜିକ ଓ ସାଂସ୍କୃତିକ ସଂହତି ପାଇଁ ଏହି ପର୍ଯ୍ୟାୟରେ ଉଦ୍ୟମ କରିଥିଲେ । ସାମନ୍ତବାଦୀ ଯୁଗର ଅବସାନ କରି ଏକ ସ୍ୱାଧୀନ ଭାରତ ରାଷ୍ଟ୍ର ଗଠନ ଥିଲା ଏହି ପର୍ଯ୍ୟାୟର ପରିକଳ୍ପନା । ଏହା ଭାରତୀୟ ସ୍ୱରାଜ ହୋଇପାରେ, ସ୍ୱାଧୀନ ଭାରତ ରାଷ୍ଟ୍ର ହୋଇପାରେ, ଗଣତାନ୍ତ୍ରିକ, ସମାଜବାଦୀ, ଧର୍ମନିରପେକ୍ଷ, ରାଷ୍ଟ୍ର ହୋଇପାରେ ।
କିନ୍ତୁ ମୂଳତଃ ଏବଂ ମୁଖ୍ୟତଃ ଏହା ବ୍ୟକ୍ତି ସ୍ୱାଧୀନତାର ସୁରକ୍ଷା ଏବଂ ମୌଳିକ ଅଧିକାରର ପ୍ରତିଷ୍ଠା ଏବଂ ରାଷ୍ଟ୍ରୀୟ କର୍ତ୍ତବ୍ୟ ପ୍ରତି ଅଙ୍ଗୀକାରବଦ୍ଧତାକୁ ଗୁରୁତ୍ୱ ଦେଇଥିଲା । ଭାରତ ସ୍ୱାଧୀନତା ପ୍ରାପ୍ତିର ୬୦ବର୍ଷ ପୂର୍ତ୍ତି ହେବା ପୂର୍ବରୁ ଦେଶର ସେହି ସକଳ ଆହ୍ୱାନ କେଉଁଠି ଅଛି? ପୁଣି ଏହି ଛଅ ଦଶନ୍ଧି ମଧ୍ୟରେ ଭାରତୀୟମାନେ କେତେ ସ୍ୱାଧୀନ? ଏସବୁ ପ୍ରଶ୍ନର ଉତ୍ତର ଆଜି ନିତାନ୍ତ ଜରୁରୀ ମନେ ହୋଇଛି ମୋ ପରି ଜଣେ ଭାରତୀୟ ସନ୍ତାନର ଯାହାଙ୍କର ପିତା ସ୍ୱାଧୀନତା ଆନ୍ଦୋଳନର ଜଣେ କର୍ମୀ ଥିଲେ ।
୨
ସ୍ୱାଧୀନ ଭାରତ ରାଷ୍ଟ୍ର ଗଠନ ପାଇଁ ୧୯୦୫ରୁ ୧୯୪୭ ମଧ୍ୟରେ ଭାରତୀୟମାନଙ୍କ ନିକଟରେ ପ୍ରଥମ ବଡ଼ ପ୍ରଶ୍ନ ଥିଲା ସ୍ୱରାଜ୍ୟ ମିଳିବ କିପରି? ୧୯୨୧ ମସିହାରେ ଦଶପଲ୍ଲା ମେଳି ସମୟର ଜଣେ ବିପ୍ଳବୀ ଗୋବିନ୍ଦ୍ର ଚନ୍ଦ୍ର ମିଶ୍ର (ଗାନ୍ଧିଜୀଙ୍କର ସାବରମତୀ ଆଶ୍ରମର ପ୍ରଥମ ଶିଷ୍ୟ) ଏହି ପ୍ରଶ୍ନ ଆଗତ କରିଥିଲେ । ୧୯୨୧ରେ ଏହି ପ୍ରଶ୍ନ ତାଙ୍କୁ ଆନ୍ଦୋଳିତ କରିଥିଲା । ସେ ଉତ୍ତର ଦେଇଥିଲେ ଆମ୍ଭେ ନିଜ ଉପରେ ନିର୍ଭର କରିବାକୁ ଶିଖିଲେ ସ୍ୱରାଜ୍ୟ ମିଳିବ । କିନ୍ତୁ ତାଙ୍କ ଉତ୍ତର ତାଙ୍କୁ ଚାରିଦଶନ୍ଧିର ସଂଗ୍ରାମ ପରେ ମଧ୍ୟ ସନ୍ତୁଷ୍ଟ କରିନଥିଲା ଏବଂ ଜାତୀୟ ଜୀବନର ଆତ୍ମ ବିକାଶର ନାନା ପର୍ଯ୍ୟାୟରେ ସେ ଏହି ପ୍ରଶ୍ନ ପଚାରି ଚାଲିଥିଲେ। ସ୍ୱାଧୀନ ଭାରତ ରାଷ୍ଟ୍ର ଗଠନ ପରେ ମଧ୍ୟ ଏହି ପ୍ରଶ୍ନ ଅପ୍ରାସଙ୍ଗିକ ନୁହେଁ ।
ଆଜି ମଧ୍ୟ ଗୋବିନ୍ଦ ମିଶ୍ରଙ୍କ ପରି ଅନେକଙ୍କ ମନରେ ଅଛି- ସ୍ୱରାଜ୍ୟ ପ୍ରାପ୍ତି କ’ଣ ସତରେ ସମ୍ଭବ ହୋଇଛି । ଯଦି ସ୍ୱରାଜ୍ୟ ପ୍ରାପ୍ତି ହୋଇ ନାହିଁ, ତେବେ ଆମେ କିପରି ସ୍ୱାଧୀନ? ଅଗଣିତ ଭାରତୀୟମାନଙ୍କ ସଂକଳ୍ପ, ତ୍ୟାଗ, ଆତ୍ମଦାନରେ ଯେଉଁ ସ୍ୱାଧୀନ ଭାରତ ରାଷ୍ଟ୍ର ଛିଡ଼ା ହୋଇରହିଛି ତାହା ସ୍ୱାଧୀନତାର ଏକ ଖୋଳପା ପିନ୍ଧି, ଏକ ତ୍ରିଛକି ପଥରେ ଦଣ୍ଡାୟମାନ । ପରାଧୀନ ଦାସତ୍ୱର ଅନ୍ଧପୁଟୁଳି ଧରି ସ୍ୱାଧୀନ ଭାରତର ନାଗରିକମାନେ ବିକାଶର ଇନ୍ଦ୍ରଜାଲରେ ଛନ୍ଦି ହୋଇ ଯାଇଛନ୍ତି ।
ଭାରତ ସ୍ୱାଧୀନତା ଲାଭ କରିଛି ସତ୍ୟ, କିନ୍ତୁ ସ୍ୱାଧୀନ ଦେଶରେ ବାସ କରୁଥିବା ନରନାରୀ ଯେପରି କାର୍ଯ୍ୟ ଅବା ଚିନ୍ତା କରନ୍ତି ସେପରି କର୍ମ ଓ ଚିନ୍ତା କରିବାର କୌଣସି ସଙ୍କେତ ଭାରତର ଜନସାଧାରଣଙ୍କ ଠାରେ ଦେଖିବାକୁ ମିଳୁନାହିଁ । ଦେଶବାସୀଙ୍କର କାର୍ଯ୍ୟ ଓ ଚିନ୍ତା ଦେଶର ଭାଗ୍ୟ ଗଠନ କରେ; ଏହି ସାଧାରଣଜ୍ଞାନ ଆମ ଦେଶବାସୀଙ୍କ ହୃଦୟରେ ସ୍ଥାନ ପାଇନାହିଁ । ପ୍ରତ୍ୟେକ ବ୍ୟକ୍ତି ନିଜ ଖିଆଲରେ ଅନ୍ଧ ପାଲଟିଛି । କିଏ କ’ଣ କରୁଛି ତାର କୌଣସି ଠିକଣା ନାହିଁ । ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ଦଳଗତ ରାଜନୀତି ପ୍ରଚାର କରି ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ଭାରତର ଭାଗ୍ୟ ଗଠନ କରିବାକୁ ଅର୍ଥାତ୍ ବର୍ତ୍ତମାନ ଅବସ୍ଥାରେ ଉନ୍ନତି ଘଟାଇବାକୁ ଯେଉଁ କର୍ମଯୋଜନା ବନ୍ଧା ହୋଇଛି ତାହା ବୁଝିବିଚାରି କାର୍ଯ୍ୟ କରିବାକୁ କାହାରି ଆଗ୍ରହ ନାହିଁ ।
ଔପନିବେଶିକ ଶାସନରେ ରହିବା କାରଣରୁ ଭରତର ମୂଳପିଣ୍ଡ ଦୁର୍ବଳ ହୋଇପଡ଼ିଛି । ଏହି ମୂଳପିଣ୍ଡକୁ ଟାଣ କରି ଗଢ଼ିବା ହେଲା ଲୋକଚରିତ୍ର । ମନୁଷ୍ୟର ମନ ଓ ହୃଦୟରେ ଯେଇଁ ପ୍ରତିକ୍ରିୟା ସୃଷ୍ଟି ହୁଏ ତାହା ହିଁ ଚରିତ୍ର ଗଠନର ଏକ ମାତ୍ର ଉପାଦାନ । ଭାରତବାସୀଙ୍କ ମନ ଓ ହୃଦୟରେ ଯେଉଁ ପ୍ରତିକ୍ରିୟା ଘାତ ପ୍ରତିଘାତ କରିବ, ତାହାହିଁ ସେମାନଙ୍କ କର୍ମ ଓ ଚିନ୍ତାକୁ ପ୍ରଭାବିତ କରିବ । ଦେଶବାସୀଙ୍କର କର୍ମ ଓ ଚିନ୍ତା କେବଳ ଦେଶର ମୂଳପିଣ୍ଡକୁ ଗଠନ କରିବାର ଏକମାତ୍ର ଉପାଦାନ, ଭାରତର ମୂଳପିଣ୍ଡକୁ ଟାଣ କରିବାକୁ ଯେଉଁ କର୍ମ ଯୋଜନା କାର୍ଯ୍ୟକାରୀ କରାଯାଉଛି ସେଥିରେ ଦେଶବାସୀଙ୍କର ସାହାଯ୍ୟ ଓ ସହଯୋଗ ଦରକାର, କିନ୍ତୁ ଏହି କର୍ମଯୋଜନାକୁ ଦେଶବାସୀ ନିଜର ବିଚାରି ଆଦର କରିପାରୁ ନାହାନ୍ତି ।
କାରଣ ସେମାନଙ୍କର ଜୀବନଧାରା ଏବଂ ରାଷ୍ଟ୍ରୀୟ କର୍ମଯୋଜନା ମଧ୍ୟରେ ଏକ ବିଶାଳ ରେଖା ଅନ୍ତରାୟ ସ୍ୱରୂପ ଠିଆହୋଇଛି । ଭାରତୀୟ ରାଷ୍ଟ୍ରୀୟ ଜୀବନର କର୍ମପନ୍ଥାକୁ ସ୍ୱାଧୀନ ଭାରତୀୟ ଠିକ ଭାବରେ ଏବେ ମଧ୍ୟ ବୁଝିନାହିଁ । ସେଥିପାଇଁ ଦେଶର ସକଳ ସାମାଜିକ, ରାଜନୈତିକ, ଅର୍ଥନୈତିକ, ସାଂସ୍କୃତିକ କର୍ମପ୍ରବାହ ପରାଧୀନତା/ସ୍ୱେଚ୍ଛାଚାରିତାରୁ ମୁକ୍ତ ହୋଇପାରିନାହିଁ । ସ୍ୱାଧୀନତା ଲାଭପରେ ଭାରତକୁ ବିକାଶମୁଖୀ କରି ଗଢ଼ିବାକୁ ବହୁମୁଖୀ କର୍ମପ୍ରବାହ ସୃଷ୍ଟି କରାଯାଇ ଅଜସ୍ର ଧନ ବ୍ୟୟ ହେଲାଣି । ଭାରତୀୟ ସ୍ୱାଧୀନ ଖୋଳପାରେ ଥିବା ପରାଧୀନ ଭାରତୀୟ ଅନ୍ଧମାର୍ଗରେ ଧାଇଁ ଧାଇଁ ବିକାଶର ସ୍ରୋତକୁ ଧରିପାରୁ ନାହିଁ ।
ଶାସନର ଉଦ୍ଦେଶ୍ୟ ଦେଶବାସୀଙ୍କର ଉନ୍ନତି ସାଧନ । ଭାରତରେ ପ୍ରଜାତନ୍ତ୍ରରୁ ସମାଜବାଦ/ସାମ୍ୟବାଦ ମୁଣ୍ଡ ଟେକୁଛି । କିନ୍ତୁ ପରାଧୀନତାର ଆସ୍ତରଣ ଏତେ ଗଭୀର ଯେ ସେସବୁ କେବଳ ବିଫଳ ପରୀକ୍ଷା ମାତ୍ର । ଗଣତାନ୍ତ୍ରିକ ସମାଜବାଦ ସ୍ୱାଧୀନ ଭାରତ ରାଷ୍ଟ୍ରର ଏକ ଆହ୍ୱାନ – ଏ ଆହ୍ୱାନ କେବଳ ସେହି ଧାତୁରୂପରେ ରହିଛି । ଭାରତକୁ ସବଳ କରି ଗଢ଼ିବାକୁ ରାଷ୍ଟ୍ରୀୟ ନେତାମାନେ ଅଟଳ ପ୍ରତିଜ୍ଞା କରିଥିଲେ । ଭାରତର ଦୁର୍ବଳତାକୁ ପ୍ରଥମେ ସ୍ଥିର କରି ଚିହ୍ନାଇଦେବା ଦରକାର । ଯେଉଁସବୁ ଦୁର୍ବଳତା ଭାରତର ଦୁଃଖ ଦୁର୍ଦ୍ଦଶାର କାରଣ । ସେ ସବୁର ଲକ୍ଷଣ ଜାଣିବା ଦରକାର ।
ଭାରତବାସୀର ହୃଦୟରେ ଦେଶାତ୍ମବୋଧ ଜ୍ଞାନର ଅଭାବ ତାହାର ପ୍ରଧାନ ଦୁର୍ବଳତା । ହଜାର ହଜାର ସଂଖ୍ୟାର ଦେଶପ୍ରେମୀ କବିତାର ଆବୃତ୍ତି କଲେ, ଦେଶର ମାହାତ୍ମାମାନଙ୍କର ଜନ୍ମଦିବସ ଏବଂ ମୃତ୍ୟୁଦିବସରେ ବହୁ ଆଡ଼ମ୍ବରରେ ସଭା କରି ଉଦ୍ବୋଧନ ଦେଲେ, ମେଳା ମହୋତ୍ସବ କଲେ ଦେଶାତ୍ମବୋଧ ଆସିବ ନାହିଁ । ସେସବୁ ବହୁ ପରିମାଣରେ ରାଷ୍ଟ୍ରୀୟ, ପ୍ରାଦେଶିକ ଏବଂ ଆଞ୍ଚଳିକ ସ୍ତରରେ ହେଉଛି । କିନ୍ତୁ ଦେଶାତ୍ମବୋଧ ଭାବନା ଆମଠାରେ କେତେ ଅଛି? ଏହାର କାରଣ ଆମେ ପ୍ରକୃତରେ ସ୍ୱାଧୀନ ହୋଇନାହୁଁ ସ୍ୱାଧୀନତାର ଅର୍ଥ ବୁଝିନାହୁଁ ।
ଭାରତ ଇତିହାସକୁ ବିଚାର କଲେ ଏକଥା ସ୍ପଷ୍ଟ ମନେହୁଏ ଯେ ଦେଶାତ୍ମବୋଧ ଭାବନା ଭାରତୀୟମାନଙ୍କ ହୃଦୟରେ ପ୍ରକୃତରେ ସ୍ଥାନ ପାଇ ନ ଥିଲା । ଯେଉଁ ସବୁ ଦେଶାତ୍ମବୋଧକ ଚିତ୍ର ଭାରତ ଇତିହାସରେ ସୂଚୀତ; ସେସବୁ ବ୍ୟକ୍ତିଗତ ଭାବନା, ଏପରିକି ଅହଂକାରର ଆତ୍ମବିକାଶ ।
ମରହଟ୍ଟାମାନଙ୍କର ଦେଶାତ୍ମବୋଧ ଜ୍ଞାନ ପ୍ରବଳ ଥିଲା, କିନ୍ତୁ ହିନ୍ଦୁ-ମୁସଲମାନମାନଙ୍କ ମିଳନରେ ଭାରତକୁ ଶକ୍ତିଶାଳୀ କରି ଗଢ଼ିବାକୁ ସେମାନେ କଳ୍ପନା କରିପାରି ନଥିଲେ । ମରହଟ୍ଟା ଶକ୍ତି ହିନ୍ଦୁରାଷ୍ଟ୍ର ଗଠନ କରିବାର କଳ୍ପନା କରିଥିଲା – ଏହା କଣ ସ୍ୱାଧୀନ ଭାରତ ରାଷ୍ଟ୍ର? ହିନ୍ଦୁ ମୁସଲମାନ ମିଳନରେ ଭାରତକୁ ଉନ୍ନତ କରିବାକୁ ଆକବରଙ୍କ କଳ୍ପନା କଳ୍ପନାରେ ରହିଗଲା । ପ୍ରଥମତଃ ଏହା ଥିଲା ତାଙ୍କ ସାମ୍ରାଜ୍ୟବାଦୀ ଭାବଧାରାର ଏକ ଭିନ୍ନ ପରିପ୍ରକାଶ । ଦ୍ୱିତୀୟତଃ ଏହିପରି ଦେଶାତ୍ମବୋଧ ଭାବ ତାଙ୍କ ବଂଶଧରମାନଙ୍କ ଠାରେ ସମ୍ପୂର୍ଣ୍ଣ ଅଭାବ ହେଲା । ତେଣୁ ଦେଶାତ୍ମବୋଧ ଭାବଧାରାର କର୍ଷଣ ନ ହେବାଯାଏ ସ୍ୱାଧୀନ ଭାରତରେ ଆମେ ସ୍ୱାଧୀନ ବୋଲି ଦାବି କରିବା ଏକ ରକମର ମିଥ୍ୟା ଅହଂକାର ।
ଦେଶାତ୍ମବୋଧର ଅଭାବ ଯୋଗୁଁ ଭାରତ ରାଷ୍ଟ୍ରର ବିଭାଜନ, ଦେଶର ନେତା ମହାତ୍ମା ଗାନ୍ଧୀଙ୍କ ଆତ୍ମ ବଳିଦାନ ଏବଂ ଶାସନ ଶୃଙ୍ଖଳା ରକ୍ଷାକାରୀ ଶାସନ ବିଧାନର ଦୁର୍ବଳତା ମୁଣ୍ଡ ଟେକିଲା । ଦେଶର ଶାସନ ପରିଚାଳକମାନଙ୍କର ରାଷ୍ଟ୍ରୀୟ ଭାବନା ତୁଙ୍ଗ ସ୍ଥାନରେ ନ ଥିବାରୁ ସ୍ୱାଧୀନତାର ମୂଲ୍ୟ କମିବାକୁ ଲାଗିଲା, ବିଜ୍ଞାପିତ ସ୍ୱାଧୀନ ଭାରତରେ ନବ୍ୟ ସାମନ୍ତବାଦର ଆତ୍ମପ୍ରକାଶ ଘଟି ପରାଧୀନତାର ଶୃଙ୍ଖଳ ପ୍ରସାରିତ ହେଲା । ଭାରତ ସମ୍ପର୍କରେ ଆଲୋଚନା କରିଥିବା ଗୁନାର ମିରଡାଲ ନାମକ ଅର୍ଥନୀତିଜ୍ଞ ତାଙ୍କ ପ୍ରସିଦ୍ଧ ପୁସ୍ତକ Asian Drama ରେ ଏହି ନବ୍ୟ ସାମନ୍ତବାଦୀ ଶାସନକୁ ଗୁରୁତ୍ୱଦେଇ ଆଲୋଚନା କରିଛନ୍ତି ।
ସ୍ୱରାଜ୍ୟ ଶାସନ, ପ୍ରଜା ଶାସନ ସ୍ୱାଧୀନତା ପୂର୍ବର ସ୍ୱର । ଏବେ ମଧ୍ୟ ସେ ସ୍ୱର ଆଲୋଚନାରେ ରହିଯାଇଛି । ଦଳିତ, କୃଷକ, ଶ୍ରମିକ, ନାରୀ, ଆଦିବାସୀ ଭାରତରେ କେତେ ସ୍ୱାଧୀନ? ଦେଶକୁ ସମୃଦ୍ଧିଶାଳୀ କରି ଗଠନ କରିବା ପାଇଁ କର୍ମଯୋଜନା କାର୍ଯ୍ୟକାରୀ କରାଯାଉଛି । ଗଣତାନ୍ତ୍ରିକ ପଦ୍ଧତିର ପ୍ରଚଳନ କରାଯାଇଛି । କିନ୍ତୁ ଦେଶର ସମସ୍ୟାକୁ ଚିହ୍ନଟ କରିବା ଯେ ପ୍ରଥମ ଆବଶ୍ୟକ ତାହା କରାଯାଉ ନାହିଁ, ଭାରତୀୟ ମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଅଭାବ ମଧ୍ୟ ସେମାନଙ୍କର ଦାସତ୍ୱ ଭାବନାର ଅନ୍ୟତମ ଉପାଦାନ । ସେଥିପାଇଁ ବିକାଶ କେବଳ ବିନାଶରେ ପରିଣତ ହେଉଛି । ନିଜର ଶକ୍ତି ଉପରେ ବିଶ୍ୱାସ ରଖି ସମସ୍ତ ପ୍ରକାର ବାଧାବିଘ୍ନ ଦୂରକରିବା ଦରକାର । ସେଥିପାଇଁ ମନର ସାହସ ଆବଶ୍ୟକ । ନିଜର କଠୋର ପରିଶ୍ରମ ଦ୍ୱାରା କେବଳ ଅଭାବ ଦୂର ହୋଇପାରିବ । ଏହି ଆତ୍ମବିଶ୍ୱାସ ରହିବା ଆବଶ୍ୟକ ।
ଏହି ଆତ୍ମବିଶ୍ୱାସ ରହିଲେ ଉପାୟ ଦେଖାପଡ଼ିବ, ଉପାୟ ଦେଖାଦେଲେ ଅନବରତ ପରିଶ୍ରମ କରି ଜୀବନକୁ ସୁଖୀ କରାଇବାକୁ ହେବ । ସ୍ୱରାଜ୍ୟରେ ସ୍ୱଇଚ୍ଛା ପ୍ରଥମ ଉପାଦାନ, ଆମ୍ଭେମାନେ ଯେପରି ଇଛା କରିବା ଆମ ପରିବାର, ଆମ୍ଭ ଗ୍ରାମ ଓ ଦେଶକୁ ସେପରି ଗଢ଼ିପାରିବା, ଦେଶର ଜନସାଧାରଣଙ୍କ ବିଚାରବୁଦ୍ଧିରେ ଦେଶକୁ ଗଢ଼ିବା ପାଇଁ ସ୍ୱଇଚ୍ଛା ପ୍ରକାଶ ପାଇବ ଏବଂ ଦେଶର ସାମାଜିକ ଓ ଅର୍ଥନୈତିକ ଅବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ନିଜ ଉପରେ ବିଶ୍ୱାସ ସ୍ଥାପନ କରି କର୍ଯ୍ୟ କରିବା ପାଇଁ ଆତ୍ମବିଶ୍ୱାସ ପ୍ରକାଶ ପାଇବା ଉଚିତ । ଭାରତୀୟ ମାନଙ୍କର ବିପୁଳ ସମ୍ପଦ ମହଜୁଦ ଥାଇ ସୁଦ୍ଧା ସେମାନଙ୍କର ଆତ୍ମବିଶ୍ୱାସର ଅଭାବ ସେମାନଙ୍କୁ ସ୍ୱାଧୀନ ରାଷ୍ଟ୍ରରେ ପରାଧୀନ କରି ରଖିଛି ।
ଭାରତ ସ୍ୱାଧୀନ ହେଲା କିନ୍ତୁ ସ୍ୱାଧୀନତାର ବାଣୀ ଗ୍ରାମ୍ୟ ଜୀବନକୁ ସ୍ପର୍ଶ କରିଥିଲା ପରି ଜଣା ପଡ଼ୁନାହିଁ । ଗ୍ରାମ୍ୟ ଜୀବନରେ ଭାରତର ଅମର ଶକ୍ତି ବୁଡ଼ିରହିଛି ଏବଂ ଗ୍ରାମ୍ୟ ଜୀବନର ପରିବର୍ତ୍ତନ ନ ଘଟିଲେ ସେହି ଶକ୍ତି ଆତ୍ମବିକାଶ କରିପାରିବ ନାହିଁ । ଏହି ସତ୍ୟ ମହାତ୍ମା ଗାନ୍ଧୀ ଉପଲବଧି କରି ପାରିଥିଲେ । ତେଣୁ ପଲ୍ଲୀ ଗ୍ରାମରେ ତାଙ୍କର ଆଶ୍ରମ ସ୍ଥାପନ କରି ପଲ୍ଲୀ ସଙ୍ଗଠନରେ ମନପ୍ରାଣ ଢାଳି ଦେଇଥିଲେ । ପଲ୍ଲୀ ସଙ୍ଗଠନର ଅର୍ଥ ସ୍ୱାଧୀନଚିନ୍ତାର ବିକାଶ ଏବଂ ସ୍ୱାବଲମ୍ବନଶୀଳତା । ମହାତ୍ମା ଗାନ୍ଧୀଙ୍କର ସମସ୍ତ ଗଠନମୂଳକ କାର୍ଯ୍ୟ ପଲ୍ଲୀଗ୍ରାମର ଉନ୍ନତି ସାଧନ କରିବା ଚିନ୍ତାର ରୂପାନ୍ତରିତ ମାତ୍ର ।
ସ୍ୱାଧୀନତାପ୍ରାପ୍ତି ପରେ ଦୀର୍ଘ ଷାଠିଏ ବର୍ଷ ମଧ୍ୟରେ ସ୍ୱରାଜ୍ୟ ସରକାର ପଲ୍ଲୀ ଗ୍ରାମ ମାନଙ୍କର ସମୂହ ଉନ୍ନତି ସାଧନ କରିବା ଉଦ୍ଦେଶ୍ୟରେ ବିଭିନ୍ନ କର୍ମଯୋଜନା ପରିଳ୍ପନା କରିଛନ୍ତି । କିନ୍ତୁ ପଲ୍ଲୀବାସୀ ନିଷ୍ପ୍ରଭ ଏବଂ ପରାଧୀନ । ଏହା ମଧ୍ୟରେ ଗ୍ରାମଗୋଷ୍ଠୀ ଯୋଜନା ବା ଗ୍ରାମର ସମୂହ ଉନ୍ନତିମୂଳକ ଯୋଜନା ପ୍ରସାରଣ ହେଲେ ମଧ୍ୟ ଗ୍ରାମବାସୀମାନେ ପୂର୍ବପରି ଜଡ଼ ରହିଛନ୍ତି, ଅର୍ଥାତ୍ ସ୍ୱାବଲମ୍ବନଶୀଳ ନୁହନ୍ତି । ଗ୍ରାମଗୋଷ୍ଠୀ ଯୋଜନା ୧୯୫୭ମସିହା ଅକ୍ଟୋବର ଦୁଇ ତାରିଖରେ ଦେଶରେ କାର୍ଯ୍ୟକାରୀ କରାଯାଇଛି । ଏହାର ପ୍ରଗତି ଯେ ନହୋଇଛି ନୁହେଁ, କିନ୍ତୁ ଗ୍ରାମ୍ୟ ଜୀବନକୁ ଯେପରି ସମୃଦ୍ଧି ଏବଂ ଶିକ୍ଷିତ କରିବାର କଥା, ତାହା ହୋଇନାହିଁ ।
ଗତ ପଚାଶବର୍ଷ ମଧ୍ୟରେ ଗ୍ରାମ୍ୟ ଜୀବନର ଦ୍ରୁତ ପରିବର୍ତ୍ତନ ଘଟିଯାଇଛି । କିନ୍ତୁ ଟିକିଏ ତଳେଇ କରି ମନ୍ମୟ ଦୃଷ୍ଟିରେ ଦେଖିଲେ ଜଣାଯିବ ସ୍ୱାଧୀନ ଭାରତରେ ପରାଧୀନ ଗ୍ରାମ୍ୟ କେନ୍ଦ୍ରଗୁଡ଼ିକ ବିକାଶର ବହୁତ ପଛରେ ପଡ଼ି ରହିଛନ୍ତି । ଦେଶକୁ ଗଠନାତ୍ମକ ଦୃଷ୍ଟିକୋଣରୁ ସ୍ୱାଧୀନ ବୋଲି ଭାବିବା ଏକ ଚମତ୍କାର କଳ୍ପନାର ଅଭିଷେକ -ଯେତେବେଳେ ସକାଳରୁ ସଞ୍ଜଯାଏ ଭାରତୀୟ ଗ୍ରାମ୍ୟ ଜୀବନକୁ ଲକ୍ଷ୍ୟ କରାଯାଏ । ଦେଶର ମୂଳଦୁଆ ଗ୍ରାମ, କିନ୍ତୁ ସ୍ୱାଧନୋତ୍ତର ଭାରତର ଗ୍ରାମବାସୀମାନେ ନିଜ ନିଜ ଗ୍ରାମକୁ ନୂଆକରି ଗଢ଼ିବାକୁ ଆଗଭର ହୋଇ ପାରିନାହାନ୍ତି ।
ନିଜ ଗ୍ରାମକୁ ନିଜର ଭାବି ତାହାର ଉନ୍ନତି ସାଧନ କରିବାକୁ ମନ ନବଳେଇଲେ ଅନ୍ୟ ଗ୍ରାମରୁ ଲୋକ ଆସି ନିଜ ଗ୍ରାମକୁ ସଜାଡ଼ି ଦେବେ ନାହିଁ । ନିଜ ଗ୍ରାମର ଉନ୍ନତି ପାଇଁ ଯେଉଁ ସ୍ୱାଧୀନ ମନୋଭାବ ଆବଶ୍ୟକ, ତାହା ଅଭାବ ରହିଛି । ଗ୍ରାମ୍ୟ ଜୀବନରେ ଜମିଦାର / ମହାଜନ / ସାମନ୍ତମାନଙ୍କର ପ୍ରାଧାନ୍ୟ ଆଜି ପର୍ଯ୍ୟନ୍ତ ଲୋପ ପାଇ ନାହି । ଦରିଦ୍ର କୃଷିଜୀବୀ- ଗ୍ରାମ୍ୟ ଜୀବନର ମୂଳଖୁଣ୍ଟ – ସର୍ବଦା ପରାଧୀନ ଏବଂ ଦଳିତ । ଗ୍ରାମମଧ୍ୟରେ ବାସ କରୁଥିବା ଅସଂଖ୍ୟ ଦଳିତ ଜାତି ଉଚ୍ଚବର୍ଣ୍ଣ ଅତ୍ୟାଚାରରେ ପ୍ରପୀଡ଼ିତ । ଭାରତୀୟ ଗ୍ରାମ୍ୟ ଜୀବନ ସମସ୍ତ ଯୋଜନା ଓ ସଂସ୍କାରମୁଖୀ ଉଦ୍ୟମ ସତ୍ତ୍ୱେ ସ୍ୱାଧୀନ ଭାରତରେ ସମ୍ପୂର୍ଣ୍ଣ ପରାଧୀନ ।
ବିଦେଶୀ ଶାସକ ଗୋଷ୍ଠୀ ଭାରତୀୟ ଗ୍ରାମ୍ୟ ଜୀବନକୁ ପଙ୍ଗୁ କରି ଯାଇଥିଲେ । ସ୍ୱାଧୀନତା ପରେ ସମସ୍ତ ଯୋଜନା ଏବଂ ଉନ୍ନୟନମୂଳକ କର୍ମଧାରା ସତ୍ତ୍ୱେ ଏହାର ପଙ୍ଗୁତାର ଶେଷ ହୋଇନାହିଁ । ଆମ୍ଭେ ଗ୍ରାମବାସୀମାନେ ନିଜ ସମ୍ପଦ ପ୍ରତି ବିମୁଖ ରହି ପରାଧୀନ ଜୀବନକୁ ଶ୍ରେୟ ମନେ କରି ଚାଲିଛୁ । ଚିନ୍ତାରେ ସ୍ୱାଧୀନତାର ଅଭାବ । କୁସଂସ୍କାର ଏବଂ ଅନ୍ଧ ପରମ୍ପରାର ଅନ୍ଧାନୁସରଣ ସ୍ୱାଧୀନୋତ୍ତର ଭାରତୀୟ ଗ୍ରାମ୍ୟ ଜୀବନକୁ ସମ୍ପୂର୍ଣ୍ଣ ପରାଧୀନ କରି ରଖିଛି । ଗ୍ରାମ୍ୟ ପରିସରରେ ପଞ୍ଚାୟତରାଜ୍ୟ ଗଠନ, ସମବାୟ ସମିତି, ଗ୍ରାମ୍ୟ ଶିକ୍ଷାଳୟ, ଯୁବକ ସଂଘ, ସ୍ୱାସ୍ଥ୍ୟକେନ୍ଦ୍ର ପରି ଅନେକ କଲ୍ୟାଣମୂଳକ ଅନୁଷ୍ଠାନ କର୍ମପନ୍ଥାରେ ଆଦର୍ଶର ସୂଚନା ଦେଉଥିଲେ ମଧ୍ୟ ଗ୍ରାମ୍ୟ ଜନତାର ସ୍ୱାଧୀନ ଭାବଧାରାର ବିକାଶରେ ପ୍ରମୁଖ ଭୂମିକା ନେଇପାରିନାହାନ୍ତି । ଚିନ୍ତା ଓ କର୍ମ ମଧ୍ୟରେ ଏକ ବିଶାଳ ବ୍ୟବଧାନ ରହିଯାଇଛି- ତେଣୁ ସମସ୍ତ କର୍ମଯୋଜନା ପ୍ରୟୋଗ ହୋଇଥିଲେ ମଧ୍ୟ ସ୍ୱାଧୀନ ଚେତନାର ଆସ୍ତରଣଟି ବହଳ ହୋଇପାରନ୍ତା । ଭାରତୀୟ ଗ୍ରାମ୍ୟ ଜୀବନ ସ୍ୱାଧୀନୋତ୍ତର ଭାରତରେ କେତେ ସ୍ୱାଧୀନ ତାହାର ଏକ ନିଖୁଣ ଚିତ୍ର କଥାକାର ସୁରେନ୍ଦ୍ର ମହାନ୍ତି ତାଙ୍କର ପ୍ରସିଦ୍ଧ ଉପନ୍ୟାସ “ ପଥ ଓ ପୃଥିବୀ”ରେ ଦର୍ଶାଇଛନ୍ତି ।
ସ୍ୱାଧୀନତା ପୂର୍ବେ ଦେଶ ଦୁର୍ବଳ ଥିଲା ଆର୍ଥିକ ଦୃଷ୍ଟିରୁ; ମାତ୍ର ସ୍ୱାଧୀନତା ପରେ ଏ ଦୁର୍ବଳତା କମିଛି ନା ବଢ଼ିଛି? ସ୍ୱାଧୀନ ଚେତନାହୀନ ଅନୁକରଣ ସର୍ବସ୍ୱ ଭାରତୀୟମାନଙ୍କର ସଙ୍ଗଠନ ଶକ୍ତିର ଅଭାବ ରହିଛି । କୌଣସି କାର୍ଯ୍ୟ କୌଣସି ବ୍ୟକ୍ତିର କାର୍ଯ୍ୟ ନହୋଇ ସବୁ ସଙ୍ଗଠିତ ଅନୁଷ୍ଠାନର କାର୍ଯ୍ୟହେବା ଉଚିତ । ଏଥିପାଇଁ ପାର୍ଲିଆମେଣ୍ଟ, ବିଧାନସଭା, ଜିଲ୍ଳା ପରିଷଦ, ବ୍ଲକ୍ ଉନ୍ନୟନ କମିଟି, ଗ୍ରାମ ପଞ୍ଚାୟତ ଓ ସମବାୟ ସମିତି ଗଠିତ ହୋଇଛି । ଏହି ସମସ୍ତ ସଙ୍ଗଠନର ଲକ୍ଷ୍ୟ ଗୋଟିଏ, ସମସ୍ତେ ଗୋଟିଏ ସୂତ୍ରରେ ବନ୍ଧା । ସରକାର ଓ ଜନସାଧାରଣଙ୍କ ମଧ୍ୟରେ କୌଣସି ପ୍ରଭେବ ନାହିଁ ।
ସରକାର ଓ ଜନସାଧାରଣ ଗୋଟିଏ ଶଗଡ଼ର ଦୁଇଟି ଚକ ପରି । ସମସ୍ତଙ୍କର କାମ ଗୋଟିଏ । ସମସ୍ତଙ୍କର ଲକ୍ଷ୍ୟ ସମାନ – ଭାରତକୁ ସମୃଦ୍ଧଶାଳୀ କରି ଗଢ଼ିବା ଏକମାତ୍ର ଲକ୍ଷ୍ୟ । କିନ୍ତୁ ବାସ୍ତବ କ୍ଷେତ୍ରରେ ଭିନ୍ନ ଫଳ ଘଟୁଛି । ସରକାର ଓ ଜନସାଧାରଣ ମଧ୍ୟରେ ବିଶେଷ ପ୍ରଭେଦ ପରିଲକ୍ଷିତ ହୋଇଛି । ସଙ୍ଗଠନ ମାଧ୍ୟମରେ ଉନ୍ନତିମୂଳକ କର୍ମ କରି ଦେଶରେ ଜାଗରଣ ଆଣିବା ପାଇଁ ସ୍ୱାଧୀନ ଚିନ୍ତା ଓ ଚେତନା ଆବଶ୍ୟକ । ସରକାର ସ୍ୱାଧୀନ, ଜନତା ପରାଧୀନ । ତେଣୁ ଉନ୍ନତିମୂଳକ କର୍ମଯୋଜନା ଆଶାନୁରୂପ ଫଳ ଦେଉନାହିଁ । ଜୀବନରେ ବ୍ୟର୍ଥତା ଅନୁଭବ ଓ କର୍ତ୍ତବ୍ୟ କର୍ମରେ ଶିଥିଳତା ନ। ନ। କାରଣରୁ ଦେଖାଦେଉଛି । ଉନ୍ନତିମୂଳକ ଯୋଜନାର ଅଧିକାରୀମାନଙ୍କର ଅନେକ ଦୁର୍ବଳତା ଦେଖାଦେଇଛି ।
ଯେଉଁସବୁ ରାଷ୍ଟ୍ରୀୟ ଚେତନାକୁ ଧ୍ୱଂସ କରିଚାଲିଛି । ସ୍ୱାର୍ଥାନ୍ଧତା ସ୍ୱାଧୀନ ଭାରତରେ ଏକ ଉତ୍କଟ ବ୍ୟାଧି ହିସାବରେ ଦେଖାଦେଇ ପରାଧୀନତାକୁ ଆହୁରି ସ୍ପଷ୍ଟ କରି ଚିତ୍ରଣ କରୁଛି । ନିଜ ସ୍ୱାର୍ଥସାଧନ ବ୍ୟତୀତ ଦେଶର ଭଲ ମନ୍ଦ ଚିନ୍ତା ଅଳ୍ପଲୋକଙ୍କ ମନରେ ଖେଳୁଛି । ସ୍ୱାର୍ଥସାଧନ କରିବାକୁ କୌଣସି କାର୍ଯ୍ୟ କରିବାରେ ମନୁଷ୍ୟ ଦ୍ୱିଧାବୋଧ କରୁନାହିଁ । ନ୍ୟାୟ ଓ ଅନ୍ୟାୟ ପ୍ରତି ଦୃଷ୍ଟି ରହୁନାହିଁ । ନୈତିକ ବଳ ଓ ପାପପୁଣ୍ୟର ଚିନ୍ତା ଲୋପ ପାଇଛି । ସ୍ୱାଧୀନତା ପରେ ଆମ୍ଭେମାନେ ନିଜ ମାତୃଭୂମିକୁ ଭୁଲିଯାଉଛୁ । ଆମେ ସ୍ୱାଧୀନ, କିନ୍ତୁ ସ୍ୱେଚ୍ଛାଚାରୀ; ତେଣୁ ନିଚ୍ଚ / କ୍ଷୁଦ୍ର ପ୍ରବୃତ୍ତିର ଦାସ ସାଜିଛି । ସ୍ୱାଧୀନତା ଏଠାରେ ଆସିଲା କିପରି? ଆଜି ଦେଶ ସ୍ୱାଧୀନ ହେଲେ ମଧ୍ୟ ଦେଶକୁ ଆପଣାର କରିବାକୁ ଅସମର୍ଥ ବୋଧ କରୁଛେ ଏବଂ ସ୍ୱାର୍ଥରକ୍ଷା କରିବା ବ୍ୟତୀତ ଅନ୍ୟକୌଣସି କାର୍ଯ୍ୟରେ ଆନନ୍ଦ ଲାଭ କରିପାରୁ ନାହୁଁ । ସ୍ୱାର୍ଥାନ୍ଧ ମଣିଷ କ’ଣ ପ୍ରକୃତରେ ସ୍ୱାଧୀନ? ଦେଶରେ ଜନସାଧାରଣଙ୍କ ମଧ୍ୟରେ ଦେଶପାଇଁ ଚେତନା ଜାଗ୍ରତ କରାଇବା ସ୍ୱାଧୀନତାର ପଣ ।
ଦେଶରେ ଯେଉଁ ବ୍ୟାଧି ଘୋଟିଛି, ସେଥିରୁ କେହି ମୁକ୍ତ ନୁହଁନ୍ତି । ସୁତରାଂ ବ୍ୟକ୍ତି ଅବା ଦଳବିଶେଷଙ୍କ ଠାରେ ସବୁ ଦୋଷ ଆରୋପ କରି କେବଳ ସମାଲୋଚନା କଲେ, ଆମ୍ଭେ କଦାପି ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିବା ନାହିଁ । ଦେଶରେ ଦେଖା ଦେଇଥିବା ଦୋଷ ତ୍ରୁଟି ବିଷୟ ଭାବି ଅନ୍ଧ ପାଲଟିଲା ଭଳି ନିଜର କର୍ତ୍ତବ୍ୟ କର୍ମରେ ଅବହେଳା କରିବା କିମ୍ବା ଶିଥିଳତା ଦେଖାଇବା ପରାଧୀନତାର ନିଦର୍ଶନ ।
ପ୍ରତ୍ୟେକ ବ୍ୟକ୍ତି ଚିନ୍ତା କରୁ ତାର କର୍ତ୍ତବ୍ୟ- ଏହା ହିଁ ସ୍ୱାଧୀନତାର ନିଦର୍ଶନ । ଯେଉଁବ୍ୟକ୍ତି ନିଜର ବ୍ୟକ୍ତିଗତ ସୁଖଦୁଃଖ ଚିନ୍ତାରେ ନିମଗ୍ନ ନରହି ସମଗ୍ର ମାନବଜାତିର ସୁଖଦୁଃଖକୁ ନିଜର କରିପାରେ ଏବଂ ସମସ୍ତଙ୍କର ଦୁଃଖ ଦୂର କରିବା ପାଇଁ କର୍ମ କରିବାରେ ଜୀବନରେ ପରମ ଆନନ୍ଦ ଅନୁଭବ କରିପାରେ; ସେହି ବ୍ୟକ୍ତି କେବଳ ସ୍ୱାଧୀନତାର ପୂଜାରୀ । ନିଜର ସଂକୀର୍ଣ୍ଣ ସ୍ୱାର୍ଥଜଡ଼ିତ କର୍ମ କରିବାରେ ଅନ୍ଧ ବନି ନଯାଇ ଯେଉଁ ଦିନ ଭାରତର ସହର ଓ ଗ୍ରାମବାସୀ ନିଜର ତଥା ଦେଶର ଉନ୍ନତିକର କର୍ମ କରିବାରେ ଜୀବନର ପରମ ଆନନ୍ଦ ଅନୁଭବ କରିବେ, ସେହିଦିନ ଭାରତରେ ସ୍ୱାଧୀନ ରାଜ୍ୟ ପ୍ରତିଷ୍ଠିତ ହେବ । ଏହି ରାଜ୍ୟ ପ୍ରତିଷ୍ଠା କରିବାକୁ ଆହ୍ୱାନ କରି ମହାତ୍ମା ଗାନ୍ଧୀ ଜୀବନକୁ ବଳିଦାନ କରି ଯାଇଛନ୍ତି । ଆଜି ଭାରତମାତାର ଏକମାତ୍ର ଆହ୍ୱାନ- ତାହାର କୋଟି କୋଟି ସନ୍ତାନସନ୍ତତିଙ୍କର ଦୁଃଖ ଦୂରୀକରଣ- ଏହି ଆହ୍ୱାନ ହେଉଛି ସ୍ୱାଧୀନ ଭାରତର ପଣ ।
Comments
0 comments