ଜୟନ୍ତ ମହାପାତ୍ର ମରିପାରିବେ ନାହିଁ !!!

କେଦାର ମିଶ୍ର
କେଦାର ମିଶ୍ର87 Views
9 Min Read

Untitled Design 7 300x169

ମୁଁ ଯେଉଁ ଜୟନ୍ତ ମହାପାତ୍ରଙ୍କୁ ଜାଣିଛି, ସେ କେବେ ହେଲେ ମରିବେ ନାହିଁ । ମୋ ଲାଗି ତାଙ୍କର ମୃତ୍ୟୁ ଖବର ଏକପ୍ରକାର ଗୁଜବ କିମ୍ବା ଅପପ୍ରଚାର । ଜୟନ୍ତ ମହାପାତ୍ର ହୋଇ ଜନ୍ମହେବା ଗୋଟେ ସାଧାରଣ ଘଟଣା, ହେଲେ ଜୟନ୍ତ ମହାପାତ୍ର କବିତା ଲେଖିବା- ଏକ ବିସ୍ଫୋରକ ସମୟର ସୂଚନା । ଜୟନ୍ତ ମହାପାତ୍ରଙ୍କ କବିତା ଆମ ସମୟର ଏକ ବିଗ୍ ବ୍ୟାଙ୍ଗ । ସବୁକିଛି ଚୁରମାର ହୋଇ ଆଉ ଗୋଟେ ନୂଆ ପୃଥିବୀ ନିର୍ମାଣ କରିବାର ଏକ ଅପୂର୍ବ କଳା ତାଙ୍କର କବିତା । ଜୟନ୍ତ ମହାପାତ୍ର ଭାରତୀୟ ଇଂରାଜୀ କବିତାର ଯୁଗପୁରୁଷ । ହେଲେ ମୁଁ ଓଡ଼ିଆ କବି ଜୟନ୍ତ ମହାପାତ୍ରଙ୍କୁ ଅଧିକ ଭଲପାଏ । ଯେତେବେଳେ ତାଙ୍କର ସମକାଳୀନମାନେ ଜୟନ୍ତ ମହାପାତ୍ରଙ୍କ ଓଡ଼ିଆ କବିତାକୁ ଭାଷାଦୃଷ୍ଟିରୁ ପିଲାଳିଆ ଓ ଅପରିପକ୍ୱ ବୋଲି କହନ୍ତି, ସେତେବେଳେ ମୁଁ ଅଧିକ ପାଟିକରି ଜୟନ୍ତ ମହାପାତ୍ରଙ୍କ ଓଡ଼ିଆ କବିତାକୁ ପଢ଼େ । ଅନେକେ କହନ୍ତି ସେ ଇଂରାଜୀରେ ଭାବି ଓଡ଼ିଆରେ କବିତା ଲେଖନ୍ତି- ମୁଁ କିନ୍ତୁ ବୁଝେ, ସେ ନିଜ ଭାଷାରେ ଇ କବିତା ଲେଖନ୍ତି । ତାଙ୍କ କବିତାରେ ସେ ନିଜେ ଇ ଥାନ୍ତି ଗୋଟାପଣେ । ତାଙ୍କ ଭିତରେ ଗୋଟେ ବିରାଟ ବିଶ୍ୱରୂପ ସବୁବେଳେ ଗଢ଼ା ହେଉଥାଏ ଓ ଭାଙ୍ଗି ଯାଉଥାଏ- ତାହା ହିଁ ଜୟନ୍ତ ମହାପାତ୍ରଙ୍କ ଓଡ଼ିଆ କବିତାର ବିଶେଷ ଗୁଣ ।

ଜୟନ୍ତ ମହାପାତ୍ରଙ୍କ ଓଡିଆ କବିତାର ପାଞ୍ଚୋଟି ବିଶେଷ ବିନ୍ଦୁକୁ ପ୍ରଥମେ ଚିହ୍ନିବା ଆସନ୍ତୁ –

୧- ଜୟନ୍ତ ମହାପାତ୍ର ନିଜକୁ ନେଇ ଡଜନେରୁ ଅଧିକ କବିତା ଲେଖିଛନ୍ତି । ଆତ୍ମଜୀବନୀକୁ ନେଇ କବିତା ଲେଖିବା ଏକ ଦୁଃସାହସ । ନିଜ ଜୀବନ ବିଷୟରେ ଲେଖିବା ବେଳେ ତାରି ଭିତରେ ସମୟ ଓ ପୃଥିବୀର ଜୀବନ କାହାଣୀ ଲେଖିପାରିବାର ପ୍ରଚଣ୍ଡ ଦୁଃସାହସ ଜୟନ୍ତ ମହାପାତ୍ର କରିଛନ୍ତି । “ଜୟନ୍ତ ଯାହା ଜାଣେ ନାହିଁ” ଓ, “ଆଇନା ସେପାଖେ ଜୟନ୍ତ ମହାପାତ୍ର”, କବିତା ଆମକୁ ଗୋଟେ କବିର ସେଇ ପୃଥିବୀକୁ ଦେଖାଏ ଯେଉଁ ପୃଥିବୀରେ ଭୟ, ଗ୍ଳାନି, ଲଜ୍ଜା, ଧିକ୍କାର, ଆତ୍ମସମୀକ୍ଷା ଏବଂ ଅସହାୟତାର ଗୋଟେ ବିଶାଳ ଆୟତନ ଉନ୍ମୋଚିତ ହୋଇଯାଏ ।

୨- ଭୋକ ଜୟନ୍ତ ମହାପାତ୍ରଙ୍କ କବିତାର ସବୁଠୁ ବଡ଼ ଉପାଦାନ । ନ’ ଅଙ୍କ ଦୁର୍ଭିକ୍ଷରେ ଭୋକ ସମ୍ଭାଳି ପାରି ଧର୍ମ ଛାଡିଥିବା ତାଙ୍କ ଜେଜେବାପା ଚିନ୍ତାମଣି ମହାପାତ୍ରଙ୍କ ଇତିହାସ ତାଙ୍କ କବିତାରେ ମଣିଷଜାତିର କ୍ଷୁଧା ପାଲଟିଯାଇଛି । ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷ କେବଳ ଗୋଟେ ପରିବାରର ଈଶ୍ୱରଙ୍କୁ ବଦଳାଇ ଦେଇନାହିଁ, ବରଂ ସବୁ ଭୋକୀ ମଣିଷ ନିଜ ଈଶ୍ୱରଙ୍କୁ ମୁଖା ବଦଳାଉଥିବାର ଚିତ୍ର ଜୟନ୍ତ ମହାପାତ୍ରଙ୍କ କବିତାରେ ଦେଖିଛନ୍ତି ।

୩- ଜୟନ୍ତ ମହାପାତ୍ର ଆମ ସମୟର ଏକମାତ୍ର କବି ଯିଏ ସମୟକୁ ନିଜ କବିତାରେ କ୍ୟାଲେଣ୍ଡର ତାରିଖ ଅନୁଯାୟୀ ଲିପିବଦ୍ଧ କରନ୍ତି । ତାଙ୍କ କବିତାରେ ଗୋଟେ ସମୟ ସାରଣୀ ଥାଏ । ସମୟର ଯୁଦ୍ଧ, ରକ୍ତପାତ ଏବଂ ଅନ୍ୟାୟକୁ ସେ ରକ୍ତର ଅକ୍ଷରରେ ଲେଖିଛନ୍ତି ।

୪- ଏକାନ୍ତ ବ୍ୟକ୍ତିଗତ କବିତା ଯେ କେତେ ପରିମାଣରେ ସାର୍ବଜନୀନ ହୋଇପାରେ, ତାର ବିଚକ୍ଷଣ ସୂତ୍ର ଜୟନ୍ତ ମହାପାତ୍ରଙ୍କ କବିତାରେ ରହିଛି । ଅନେକ ସମୟରେ ପ୍ରତିକ୍ରିୟାରୁ ସେ କବିତା ଲେଖିଛନ୍ତି । (କବିତାର ଆଲୋଚକମାନେ ଆମକୁ ବୁଝାଇ ଦେଇଛନ୍ତି, ପ୍ରତିକ୍ରିୟାରୁ ଜନ୍ମ ନେଉଥିବା କବିତା ନିକୃଷ୍ଟ) ଜୟନ୍ତ ମହାପାତ୍ର ପ୍ରତିକ୍ରିୟାକୁ କବିତାର କଳାରେ ରୂପାନ୍ତରିତ କରିପାରନ୍ତି । (ଶାହୀନବାଗ, କଳିଙ୍ଗନଗର, କନ୍ଧମାଳ ଦଙ୍ଗା, ଗୁଜାରାଟ ଦଙ୍ଗା, ସାମ୍ପ୍ରଦାୟିକ ବିଭାଜନ, ନିର୍ବାଚନ, ଗଣତନ୍ତ୍ରର ଅବକ୍ଷୟ, ସ୍ୱାଧୀନତା ଆନେ୍ଦାଳନ, ଗାନ୍ଧୀ ଓ ପୁରସ୍କାର ଫେରାଇବା ଭଳି ଅତ୍ୟନ୍ତ ରାଜନୈତିକ ପ୍ରସଙ୍ଗକୁ ନେଇ ସେ କବିତା ଲେଖିଛନ୍ତି, ହେଲେ ସେସବୁ କବିତାର ରାଜନୀତି ଏକ ଉଚ୍ଚତର ଜୀବନବୋଧ ନିର୍ମାଣ କରିଛି ।

୫- ଜୀବନ ପ୍ରତି ପ୍ରଚଣ୍ଡ ଆସକ୍ତି ତାଙ୍କ କବିତାର ଆଉ ଏକ ବିଶେଷ ଗୁଣ । ତାଙ୍କ କବିତାର ଚରିତ୍ରମାନେ ଅଭାବୀ, ହେଲେ ପ୍ରଚଣ୍ଡ ସ୍ୱପ୍ନଦର୍ଶୀ । ଅନ୍ଧାର ଭିତରେ ଗୋଟେ ସ୍ୱପ୍ନାର ସହର ନିର୍ମାଣ କରିବା ତାଙ୍କ କବିତାର ବିଶେଷ ସଫଳତା । ଗୋଟେ ଦୁର୍ଦ୍ଦାନ୍ତ ହତାଶା ଭିତରେ ଆଶାର କବିତା ଲେଖିବାର ସାହସ ଇ ତାଙ୍କର କବିତା । ଏକ ଉଦାହରଣ ଭାବରେ ନେଇ ହେବ “ଆଜି ଯେବେ ମୁଁ ଭାରତବର୍ଷ କଥା ଭାବେ” କବିତାକୁ । ଏ କବିତାର ଶେଷଧାଡ଼ି ସବୁ ଅଥୟ କରିଦିଏ ଆତ୍ମାକୁ –

ଭାରତବର୍ଷ, ତୋ ନାଁରେ କଣ ଲେଖିବି ବୃଥା ଆଶାର କବିତାଟିରେ?

କଣ ଲେଖିବିରେ ଭାରତବର୍ଷ?

ସତରେ ମୁଁ ତ ଦୀପର ସଳିତାଟିଏ

ଜଳୁଥିବା ଲିଭୁଥିବା ନିଆଁ ଖଣ୍ଡେ

ଯିଏ ଜଳି ଜଳି ଯାଉଥାଏ

ଅନ୍ଧାରକୁ ଟିକେ ଦୂରକୁ ଠେଲିଦେବାର ଚେଷ୍ଟାରେ

ଯେବେ ମୁଁ ଭାରତବର୍ଷ କଥା ଭାବେ

କବିତାଟି ପରି ହୋଇଯାଏ ମୁଁ

ଯେଉଁ କବିତା ଗାଇବାକୁ କେବେ ଇଚ୍ଛା କରେନି ।

ଅନ୍ଧାରକୁ ଟିକେ ଠେଲିଦେବାର ଦୁଃସାହସରେ ଜୀବନତମାମ କବିତାକୁ ଜଳାଇଥିବା କବି ଜୟନ୍ତ ମହାପାତ୍ର ।

ଯେଉଁ ଜୟନ୍ତ ମହାପାତ୍ରଙ୍କୁ ଆଜି ଆମେ ହରାଇଛେ ବୋଲି ଖବର ପଢୁଛେ, ତାଙ୍କୁ ୯୫ବର୍ଷ ବୟସରେ ବି ଦେଖିଲେ, ପ୍ରଥମେ ଗୋଟେ ସନେ୍ଦହର ଭାବନା ମନକୁ ଆସୁଥିଲା- ନା ମ, ତାଙ୍କୁ ଏତେ ବୟସ ହୋଇନଥିବ । ମୃତ୍ୟୁ ଯାଏଁ ବୟସ ତାଙ୍କୁ ଛୁଇଁ ପାରିନାହିଁ । ସେଥିଲାଗି ମୋର ବିଶ୍ୱାସ, ମରଣର ସେ ଶକ୍ତି ନାଇଁ ଯିଏ ତାଙ୍କର ତାରୁଣ୍ୟକୁ ଛୁଇଁ ପାରିବ! ନବେ ପରବର୍ତ୍ତୀ ବୟସରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସାହିତ୍ୟ ପତ୍ରିକା “ପ୍ୟାରିସ ରିଭ୍ୟୁ” ରେ ତାଙ୍କର କବିତା ବାହାରିଛି । ଡାକ୍ତରଖାନାରେ ସେ ନିଜର ଶେଷ କବିତା ବହି ‘ଝାଞ୍ଜି’ର ଉନ୍ମୋଚନ କରୁଛନ୍ତି । ତାଙ୍କ ଲାଗି ଲେଖିବାର ଆଗ୍ରହ ସେହି ତାରୁଣ୍ୟ ବେଳାରେ ହିଁ ରହିଛି । ବେଳେବେଳେ ମୋତେ ଲାଗେ ଜୟନ୍ତ ମହାପାତ୍ରଙ୍କ ତାରୁଣ୍ୟ ତାଙ୍କ ଭିତରେ ଘର କରି ରହିଯାଇଛି । ସେ ବହୁତ ଡେରିରେ ଲେଖାଲେଖି ଆରମ୍ଭ କଲେ-ପ୍ରାୟ ୪୫ବର୍ଷ ବେଳକୁ ତାଙ୍କର ପ୍ରଥମ କବିତା ବାହାରିଲା । ସତେକି ସେଇ ପରିପକ୍ୱ ବୟସରୁ ସେ ବାରମ୍ବାର ଯୌବନକୁ ଫେରି ଯାଉଛନ୍ତି । ଇଂରାଜୀ ଭାଷାରେ ଭାରତୀୟ କବିତାର ଶିଖର ପୁରୁଷ ସିଏ । ଏ.କେ.ରାମାନୁଜନ, ନିସିମ ଏଜକିଲଙ୍କ ପରେ ଭାରତୀୟ ଇଂରାଜୀ କବିତାର ସବୁଠୁ ସଫଳ ସ୍ୱର । ତେବେ କେବଳ ସେ ଯେ ପ୍ରସିଦ୍ଧ ଇଂରାଜୀ କବିତା ନୁହେଁ, ସେ ଓଡ଼ିଆ କବିତାରେ ମଧ୍ୟ ଅନ୍ୟତମ ଉଜ୍ଜଳ ସ୍ୱର ।

ତେବେ ଜୟନ୍ତ ମହାପାତ୍ରଙ୍କ ପରିଚୟ କଣ, ସେ କେବଳ କବି? ଜୟନ୍ତ ମହାପାତ୍ରଙ୍କୁ ଏଯାଏ ଓଡ଼ିଆ ଜାତି ଚିହ୍ନିପାରିନି । ୧୯୮୧ରେ ତାଙ୍କୁ ଯେତେବେଳେ ପ୍ରଥମ ଇଂରାଜୀ କବି ଭାବରେ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଗଲା, ସେତେବେଳେ ଓଡ଼ିଆ ଗଳ୍ପର ଅନ୍ୟତମ ମହାନାୟକ ସ୍ୱର୍ଗତ ଅଖିଳମୋହନ ପଟ୍ଟନାୟକ ଏକ ଲେଖା ଲେଖିଥିଲେ, ଯାହାର ଶୀର୍ଷକ ଥିଲା- “ଶ୍ରୀ ଜୟନ୍ତ ମହାପାତ୍ର; ଏକ ପ୍ରାୟ ଅନାବିଷ୍କୃତ ପ୍ରତିଭା’ । ଅତ୍ୟନ୍ତ ପ୍ରଭାବଶାଳୀ ସ୍ୱରରେ ଓଡ଼ିଆଙ୍କର ପ୍ରତିଭା ଚିହ୍ନଟ କରି ନ ପାରିବାର ଅବଗୁଣ ସମ୍ପର୍କରେ ପ୍ରହାରକରି ଅଖିଳମୋହନ ଲେଖିଥିଲେ- ‘ଜଣେ ଓଡ଼ିଆ କବି ଯିଏ କି ୧୯୬୫-୬୬ ମସିହାରୁ ନିରବଛିନ୍ନ କବିତା ଲେଖି ନିଜକୁ ବିଦେଶରେ ବିଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କରିସାରିଲେଣି, ତାଙ୍କ ସମ୍ପର୍କରେ ଓଡ଼ିଆ ପାଠକଙ୍କୁ ବାଦ୍ ଦିଆଯାଉ, ଓଡ଼ିଆ ଲେଖକମାନଙ୍କୁ ମଧ୍ୟ କୌଣସି ସମ୍ବାଦ ବିଦିତ ନୁହେଁ । ତାଙ୍କର ପୁସ୍ତକ “ରିଲେସନସିପ” ୧୯୮୧ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପାଇବା ପରେ କେହି କେହି ଲେଖକ ନିଜସ୍ୱ ଲେଖାର ଏଣ୍ଡିପୋକ ଖୋସା ଭିତରୁ ମୁଣ୍ଡ କାଢ଼ି କହିପାରନ୍ତି, “କାହିଁକି, ଆମେ ତ ଜାଣୁ, ଜୟନ୍ତବାବୁ କଣ ସବୁ ଇଂରାଜୀରେ ଲେଖାଲେଖି କରନ୍ତି’, କିନ୍ତୁ ଜୟନ୍ତ ବାବୁଙ୍କ କବିତାର ଆଲୋଚନା ବା ଅନୁବାଦ ଆଜିଯାଏ ଅନ୍ତତଃ ମୁଁ କୌଣସି ଓଡିଆ ପତ୍ରିକାରେ ଦେଖିବାକୁ ପାଇ ନାହିଁ ।” (ସମାବେଶ- ପ୍ରଥମ ସଂଖ୍ୟା-୧୯୮୨)

୩୮ବର୍ଷ ତଳେ ଅଖିଳମୋହନ ପଟ୍ଟନାୟକ କବି ଜୟନ୍ତଙ୍କ ସମ୍ପର୍କରେ ଯାହା କହିଥିଲେ, ତାକୁ ଆଜି ବି ସେମିତି କହିଦେଲେ କିଛି ଅସୁବିଧା ହେବ ନାହିଁ । ଯଦିଓ ୟା ଭିତରେ ପ୍ରଚୁର ଓଡିଆ କବିତା (ବଳି, ବାୟାରଜା, କହିବି ଗୋଟିଏ କଥା ଇତ୍ୟାଦି) ଓ ନିଜ ଆତ୍ମଜୀବନୀକୁ ସେ ଓଡ଼ିଆରେ ଲେଖିଛନ୍ତି । (ଭୋର ମୋତିର କାନ ଫୁଲ) ତାଙ୍କ କବିତାର କାନଭାସ ଆଜି ମଧ୍ୟ ମୌଳିକ ଭାବରେ ଓଡ଼ିଆ । ସେ ଇଂରାଜୀରେ ଲେଖନ୍ତୁ ବା ଓଡ଼ିଆରେ, ସେ ଓଡ଼ିଶାର ମଣିଷ ଓ ଜୀବନ କଥା ଲେଖନ୍ତି । ଭୋକ ଓ ପୀଡ଼ାର ଗୋଟେ ଅପୂର୍ବ ସୌନ୍ଦର୍ଯ୍ୟବୋଧ ତାଙ୍କ କବିତାରେ ତିଆରି ହୋଇଛି । ସେ ମଣିଷର ପୀଡ଼ା ସହିତ ନିଜକୁ ଏକାକାର କରିବା ସହିତ ଏକଲା ମଣିଷ ପାଇଁ କବିତାରେ ଏକ ନୂଆ ଭାଷାର ନିର୍ମାଣ କରି ପାରନ୍ତି ।

ତାଙ୍କ ଅବର୍ତ୍ତମାନରେ ତାଙ୍କୁ ଚିହ୍ନିବା ଓ ଚିହ୍ନେଇବାର ଆବଶ୍ୟକତା ସବୁଠୁ ବେଶୀ । କାରଣ ଅନେକ ସମୟରେ ଆମେ ଆମର ପାଖ ଲୋକଟିକୁ ଚିହ୍ନି ନଥାଉ । ଓଡ଼ିଶା ଯଦି କେବେ ପୃଥିବୀରେ ନିଜର ପରିଚୟ ଖୋଜିବ, ତେବେ ତାକୁ ଜୟନ୍ତ ମହାପାତ୍ରଙ୍କ କବିତା ପାଖକୁ ଫେରିବାକୁ ପଡ଼ିବ । ଖାଲି କବିତା ନୁହଁ, ଓଡ଼ିଶାର ଜୀବନବୋଧ, ପର୍ଯ୍ୟଟନ ଓ କଳାର ଇତିହାସ ମଧ୍ୟ ସେ ଲେଖିଛନ୍ତି । ଶହ ଶହ ଓଡ଼ିଆ କବିତାକୁ ଇଂରାଜୀରେ ଅନୁବାଦ କରିଛନ୍ତି । ବାସ୍ତବର ତାଙ୍କ ଅବଦାନର ଭୂମି ଏତେ ବିଶାଳ ଯେ, ତାକୁ ଆକଳନ କରିବା ସହଜ ନୁହେଁ ।

ତେବେ ତାଙ୍କର ସବୁଠୁ ବଡ଼ ପରିଚୟ ହେଉଛି, ସେ ଓଡ଼ିଆ କବିତାର ସବୁଠୁ ବିନମ୍ର ବିପ୍ଳବୀ । ସେ କୌଣସି ଶୋଭାଯାତ୍ରା ବା ପତାକାର କଥା ଯଦିଓ କହି ନାହାନ୍ତି, ଓଡ଼ିଆ ଜନ ଜୀବନରେ ଯେତେବେଳେ ବି ସାଧାରଣ ମଣିଷ ଉପରେ ଆକ୍ରମଣ ହୋଇଛି, ତାରି ବିରୋଧରେ ସେ ନିଜର କଲମ ଧରି ଠିଆ ହୋଇଛନ୍ତି । ଦେଶରେ ବଢ଼ି ଚାଲିଥିବା ଅସହିଷ୍ଣୁତା ବିରୋଧରେ ସେ ଓଡ଼ିଶାର ଏକମାତ୍ର ଲେଖକ ଭାବରେ ନିଜର ପଦ୍ମ ପୁରସ୍କାର ଫେରାଇ ଦେଇଥିଲେ । ସେ କଳିଙ୍ଗନଗରର ଆଦିବାସୀ ଗୁଳିକାଣ୍ଡ ହେଉ ବା ଲୋକଙ୍କ ଉପରେ ପୋଲିସ ଦମନ, ଯେତେବେଳେ ବି କେଉଁଠି ମଣିଷ ଉପରେ କ୍ଷମତାର ଅହଂକାର ପ୍ରବଳ ହୋଇଛି, ସେଠି ଜୟନ୍ତ ମହାପାତ୍ର ବିନମ୍ର ପ୍ରତିବାଦ କରି ଅବିଚଳିତ ଭାବରେ ଠିଆ ହୋଇଛନ୍ତି ।

ଆଜି ଜୟନ୍ତ ମହାପାତ୍ରଙ୍କ ବିଷୟରେ ଏତେ କଥା ଗଣମାଧ୍ୟମରେ ଓ ସୋସିଆଲ ମିଡ଼ିଆରେ ପଢ଼ିଲାବେଳେ ଲାଗୁଛି, ମୁଁ ତା ତାଙ୍କୁ ବିଶେଷ କିଛି ଜାଣେନାଇଁ । ଜୟନ୍ତ ମହାପାତ୍ରଙ୍କୁ ଯେତିକି ମୁଁ ପଢୁଛି, ସେ ସେତିକି ଶୋଷ ବଢ଼ାଇ ଚାଲିଛନ୍ତି । ମୋ ପରେ ମୋର ପରବର୍ତ୍ତୀ ଅନେକ ପିଢ଼ି ଯାଏଁ ଜୟନ୍ତଙ୍କୁ ପଢ଼ିବାର ଶୋଷ ଅବ୍ୟାହତ ରହିବ । ଜୟନ୍ତ ମହାପାତ୍ରଙ୍କୁ ନେଇ ବ୍ୟକ୍ତିଗତ କିଛି ଲେଖୁନି । ବ୍ୟକ୍ତିଗତ ଭାବରେ ସେ ମୋ ଲାଗି ଯାହା, ତାହା ବିଜ୍ଞାପନର ବିଷୟ ନୁହେଁ । ତାଙ୍କ କବିତାକୁ ନେଇ ତାଙ୍କ ସାଙ୍ଗରେ ମୋର କଥାବାର୍ତ୍ତା ମୁଁ ବଞ୍ଚିଥିବା ଯାଏଁ ଚାଲିବ । ମୁଁ ବଞ୍ଚିବା ଯାଏଁ ମୋର ପ୍ରିୟ କବି ଜୟନ୍ତ ମହାପାତ୍ର ମରିପାରିବେ ନାହିଁ ।

(Samadrusti, 1-15 September 2023)

Comments

0 comments

Share This Article