ଆମ ଅତୀତର ଅନେକ ଘଟଣା ଇତିହାସ ଖୋଜିଲେ ମିଳିଯାଏ । ହେଲେ ଆମ ଗାଁ’ର ଅତୀତର ଇତିହାସ କେବେ ଆରମ୍ଭ ହୋଇ ଆଜିଯାଏ ଗଡ଼ିଗଡ଼ି ଆସି ଏହି ରୂପରେ ପହଞ୍ଚିଛି ସେ ବିଷୟରେ କେହି କିଛି କହିପାରନ୍ତି ନାହିଁ । ଗାଁ’ର ଅତୀତକୁ ଜାଣିବାପାଇଁ କେହି ତ ପ୍ରୟାସଟିଏ ଆରମ୍ଭ କରିବାକୁ ହେବ ! ଗାଁ’ର ସ୍ମୃତିକୁ ଟିକେ ଉଖୁଡ଼େଇ ତା ଭିତରେ ବସାବାନ୍ଧିଥିବା ଅନେକ ଅକୁହା କାହାଣୀକୁ ଲିପିବଦ୍ଧ କରିବାକୁ ହେବ ।ସେହିସବୁ କାହାଣୀର ସମାହାରରେ ତ ଗାଁ’ର ଇତିହାସ ଲେଖିବା କାମ ସହଜ ହୋଇଯିବ । ଆମ ଗାଁ’ର ନାଁ କାହିଁକି ସେମିତି ହୋଇଛି? ଗାଁ’ର ପ୍ରଥମ ବାସିନ୍ଦାମାନେ କିଏ ଥିଲେ? ଗାଁ’ର ପୂର୍ବର ସ୍ମୃତିସବୁ କ’ଣ ଥିଲା ଏମିତି ପ୍ରଶ୍ନଗୁଡ଼ିକର ଉତ୍ତର ଖୋଜିବା ଭିତରେ ଗାଁ’ର ଇତିହାସ ମିଳିଯିବ । ଏମିତି ଏକ ଭାବନା ନେଇ ୨୦୨୩ ମସିହା ଜୁଲାଇ ମାସରେ “ଆମ ଗାଁ ଇତିହାସ ଟିମ୍” ପହଞ୍ଚିଥିଲା ପାଇକମାଳର ଗନ୍ଧମାର୍ଦ୍ଦନ ପାହାଡ଼ ତଳର କିଛି ଗାଁ’ରେ । ଓଡ଼ିଶା ମିଲେଟ ମିଶନଙ୍କ ତରଫରୁ ଆରମ୍ଭ କରାଯାଇଥିବା “ଆମ ଗାଁ’ର ଇତିହାସ ଓ ଆମ ଖାଦ୍ୟ ସଂସ୍କୃତି” କାର୍ଯ୍ୟକ୍ରମ ତରଫରୁ ଆମେ ପାଇକମାଳ ଦାୟିତ୍ଵରେ ଯାଇଥାଉ । ଗାଁ ଇତିହାସ ବିଶେଷାଜ୍ଞ ଭାବରେ ମୋର ଦାୟିତ୍ଵ ଥିଲା ପାଇକମାଳର ୫ଟି ଗାଁ’ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ “ଆମ ଗାଁ’ର ଇତିହାସ ଓ ଆମ ଖାଦ୍ୟ ସଂସ୍କୃତି”କୁ ଲିପିବଦ୍ଧ କରାଇବା(ଲେଖା ଓ ଭିଡ଼ିଓ ମାଧ୍ୟମରେ)।
ଇତିହାସ
କୋଭିଡ଼ – ୧୯ ସମୟରେ ଏହି କାମର ଏକ କିଛି ଅନୁଭୂତି ମୋ ନିଜର ଥିଲା। କରୋନା ଯୋଗୁଁ ୨୦୨୦ ମସିହାରେ ଯେତେବେଳେ ସମସ୍ତେ ଘରେ ରହୁଥିଲେ ସେତେବେଳେ ଗାଁ’କୁ ନେଇ କିଛି ନୂଆ କାମ ଆରମ୍ଭ କରିବାପାଇଁ ମନରେ ଏକ ଭାବନା ଆସିଥିଲା । ସେଥିପାଇଁ ଓଡ଼ିଶାର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀମାନଙ୍କ ସହିତ ଯୋଗାଯୋଗ ଆରମ୍ଭକଲି । ସେ ଭିତରେ ଗଜପତି ଜିଲ୍ଲା ଗୁଣ୍ଡିମା ଆଦର୍ଶ ବିଦ୍ୟାଳର କିଛି ଛାତ୍ରଛାତ୍ରୀ, ଜଗତସିଂପୁର ଜିଲ୍ଲାର କିଛି ଛାତ୍ରଛାତ୍ରୀ, ରାୟଗଡ଼ା ଜିଲ୍ଲା କଲ୍ୟାଣୀସିଂପୁର ଆଦର୍ଶ ବିଦ୍ୟାଳର କିଛି ଛାତ୍ରଛାତ୍ରୀ ଏହି କାମରେ ବହୁତ ଆଗ୍ରହ ଦେଖେଇଲେ । ଏହି ପ୍ରକ୍ରିୟା ୨୦୨୦ରୁ ୨୦୨୨ ଦୁଇ ବର୍ଷ ଧରି ଚାଲିଲା । ସେହି ଭିତରେ ଓଡ଼ିଶାର ଅନ୍ୟ କିଛି ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହିତ ମଧ୍ୟ ଗାଁ’ର ଜୀବନୀ ଲେଖାଇବାପାଇଁ ପ୍ରୟାସ ଆରମ୍ଭ ହେଲା । ମନେଅଛି ଏହି କାର୍ଯ୍ୟକ୍ରମ ସମ୍ପର୍କରେ ନ୍ୟୁଜ୍ -18 ତରଫରୁ ଏକ ରିପୋର୍ଟ ମଧ୍ୟ ସେତେବେଳେ ପ୍ରକାଶିତ ପାଇଥିଲା । ଯେଉଁ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମରେ ସହିତ ଯୋଡ଼ି ହୋଇଥିଲେ ସେମାନଙ୍କୁ ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ତରଫରୁ ଛାତ୍ର ସାମ୍ବାଦିକ ସାର୍ଟିଫିକେଟ ପ୍ରଦାନ କରଯାଇଥିଲା ଓ ସେମାନଙ୍କ ଲେଖାକୁ ଆମେ ସମଧ୍ଵନି ଅନଲାଇନ ପତ୍ରିକାରେ ପ୍ରକାଶ କରିଥିଲୁ । ଏହି ଯେଉଁ ଉଦ୍ୟମ କୋଭିଡ଼ – ୧୯ ଯୋଗୁଁ ଆରମ୍ଭ ହୋଇଥିଲା ସେଥିପାଇଁ ମୋତେ ପ୍ରେରଣା ମିଳିଥିଲା ୨୦୦୫ ମସିହାର “ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମ ଭିତରୁ। ୨୦୦୫ ମସିହାରେ ଭୁବନେଶ୍ୱର ସ୍ଥିତ ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ର ଦ୍ୱାରା ଗ୍ରାମ୍ୟ ଗଣିତ ମେଧା ପରୀକ୍ଷା ଦେବାକୁ ଆସିଥିବା ପାଖାପାଖି ୮୦ ଜଣ ଛାତ୍ରଛାତ୍ରୀ ଗଣିତ ପ୍ରତିଷ୍ଠାନ ଓ ପ୍ରୟୋଗ କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ, ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଓ ଗଣିତ ପ୍ରଫେସର ବିରେନ୍ଦ୍ର ନାୟକଙ୍କ ପ୍ରେରଣାରେ ନିଜ ଗାଁ’ର ଜୀବନୀ ଲେଖିଥିଲେ । ସେହିସବୁ ଜୀବନୀକୁ ଏକ ପୁସ୍ତକ ଆକାରରେ ଶ୍ରୀଯୁକ୍ତ ସୁଧୀର ପଟ୍ଟନାୟକଙ୍କ ସମ୍ପାଦନାରେ ପ୍ରକାଶ କରାଯାଇଥିଲା ଯାହାର ନାମ ରଖାଯାଇଥିଲା ‘ଆମ ଗାଁ ଆମ ଜୀବନ’। ମୁଁ ସେହି ସମୟରେ ସେହିସବୁ ଜୀବନୀକୁ ସମ୍ପାଦନା କରିବାରେ ସହଯୋଗ କରୁଥିଲି । ସେହିସବୁ ଲେଖା ମୋ ମନରେ ଗଭୀର ଭାବରେ ରେଖାପାତ କରିଥିଲା ଓ ସେବେଠାରୁ ମୁଁ ଏହି କାର୍ଯ୍ୟରେ ଯୋଡ଼ି ହୋଇଗଲି।
ସମ୍ପ୍ରତ୍ତିକ କାର୍ଯ୍ୟକ୍ରମ:
୨୦୨୩ ମସିହାରେ ଓଡ଼ିଶା ମିଲେଟ ମିଶନର ଦାୟିତ୍ୱରେ ଥିବା ଶ୍ରୀ ଦିନେଶ ବାଲାମଙ୍କ ଆଖିରେ ପଡ଼ିଲା କାରୋନା ସମୟରେ ଛାତ୍ରଛାତ୍ରୀମାନେ କରିଥିବା ଭିଡ଼ିଓ ଗୁଡ଼ିକ ଉପରେ। ସେ ଭିଡ଼ିଓ ଗୁଡ଼ିକ ଦେଖି ବହୁତ ପ୍ରଭାବିତ ହୋଇଥିଲେ । ତାଙ୍କର ଲକ୍ଷ୍ୟ ଥିଲା ଯେ, କେମିତି ଗାଁ’ର ସାଧାରଣ ଲୋକଙ୍କର ଖାଦ୍ୟ ଥାଳିରୁ ହଜି ଯାଇଥିବା ଖାଦ୍ୟ ଗୁଡ଼ିକୁ ଖୋଜିବା ଓ ସେସବୁ ଖାଦ୍ୟକୁ ଆଉଥରେ ଖାଦ୍ୟ ଥାଳିକୁ ଫେରାଇ ଆଣିବା ପାଇଁ ପ୍ରୟାସ କରିବା । ସେହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଗାଁ’ର ଜୀବନୀ କାର୍ଯ୍ୟକ୍ରମକୁ ଟିକେ ଭିନ୍ନ ଭାବରେ କରିବାପାଇଁ ସେ ଚିନ୍ତା କଲେ । ଏହା ପରେ ଓଡ଼ିଶା ମିଲେଟ ମିଶନଙ୍କ ତରଫରୁ ବରଗଡ଼, ଅନୁଗୁଳ ଓ ମାଲକାନଗିରି ଏମିତି ଓଡ଼ିଶାର ତିନିଟି ଜିଲ୍ଲାର ତିନିଟି ବ୍ଲକରେ “ଗାଁ’ର ଇତିହାସ ଓ ଖାଦ୍ୟ ସଂସ୍କୃତି” ଲିପିବଦ୍ଧ କରିବାପାଇଁ ପାଇଲଟ କାମ ଆରମ୍ଭ ହେଲା । ମୋର ଦାୟିତ୍ଵରେ ଥିଲା ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକର ୫ଟି ଗାଁ’ର ଛାତ୍ରଛାତ୍ରୀମାନଙ୍କୁ ନେଇ ନିଜ ନିଜ ଗାଁ’ର ଇତିହାସ ଲେଖାଇବା । ସେମିତି ଶିବାଶିଷ ରାୟ ଥିଲେ ମାଲକାନଗିରିର ଚିତ୍ରକୋଣ୍ଡା ବ୍ଲକ ଦାୟିତ୍ଵରେ ଓ ସର୍ବେଶ୍ଵର ସାହୁ ଥିଲେ ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଦାୟିତ୍ଵରେ ।
ଓଡ଼ିଶାରେ ଗାଁ’ମାନଙ୍କର ଇତିହାସ ଲେଖାଇବା ପାଇଁ ଓଡ଼ିଶା ମିଲଲେଟ ମିଶନଙ୍କ ପ୍ରୟାସ
ଆମ ପାଇକମାଳ ଟିମ୍ ୨୦୨୩ ମସିହା ଜୁଲାଇ ମାସରେ ୧୦ଟି ସ୍କୁଲର ଛାତ୍ରଛାତ୍ରୀଙ୍କୁ ଭେଟି ଗାଁ’ର ଇତିହାସ ଲେଖିବା ପାଇଁ ପ୍ରୟାସ ଆରମ୍ଭ କରିଥିଲା । ସେହିସବୁ ସ୍କୁଲ ଭିତରେ ଥିଲେ କେର୍ମେଲାବାହାଲ, ଜାମସେଠ, ଛେତଗାଁ, ଝିଟିକି, ଯମୁନାକନ୍ଧୁଣୀ ବାଳିକା ବିଦ୍ୟାଳୟ, କେଛୋଦାଦର, ଫ୍ରେଜରପୁର ଓଏଭି ସ୍କୁଲ, ୬୫ରୁ ୭୦ଟି ଗାଁ’ର ୨୫୦ରୁ ଅଧିକ ଛାତ୍ରଛାତ୍ରୀ ନିଜ ଗାଁ’ର ଇତିହାସ ସମ୍ପର୍କରେ ଗବେଷଣା କରି ତଥ୍ୟ ସଂଗ୍ରହ କରିବାପାଇଁ ଆଗଭର ହେଲେ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ୯୯% ଛାତ୍ରୀ ଏହି ପାଇଲଟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାପାଇଁ ଆଗ୍ରହ ଦେଖାଇଥିଲେ । ପାଖାପାଖି ୧୫ଟି ଗାଁ’କୁ ଆମ ଟିମ୍ ଯାଇଥିଲେ ଗାଁ’ର ଲୋକମାନଙ୍କ ସହିତ କଥାବାର୍ତ୍ତା ହେବାପାଇଁ । ଓଡିଶା ମିଲେଟ ମିଶନର ଡିପିସି ନାରାୟଣ ପାଣିଗ୍ରାହୀ(ବରଗଢ଼), ସବ୍ୟସାଚୀ ହନୁମାନ(ପଦମପୁର) ବହୁତ ସହଯୋଗ କରିଥିଲେ । ଆମ ଟିମ୍ ରେ ମୋ ସହିତ ଥିଲେ ମୋର ସହକର୍ମୀ ଭିଡ଼ିଓ ବିଶେଷଜ୍ଞ ଲକ୍ଷ୍ମୀଧର ମୁର୍ମୁ, ପାଇକମାଳ ଅଞ୍ଚଳରେ ଆମକୁ ଗାଁ ଇତିହାସ ଲେଖାଇବା କାମରେ ସହଯୋଗ କରୁଥିବା ଅହିଂଶା କ୍ଳବର ରାକେଶ ପ୍ରଧାନ, ଆମକୁ ସହଯୋଗ କରୁଥିବା ପଦମପୁରର ସାମାଜିକ କର୍ମୀ ଗୋପବନ୍ଧୁ ସିକା, ସମଦୃଷ୍ଟି ମୁକ୍ତ ବିଦ୍ୟାଳୟର ଛାତ୍ରୀ ରିମା ସାହୁ ଓ ପରେ ଯୋଡ଼ି ହୋଇଥିଲେ ଭିଡ଼ିଓ ବିଶେଷଜ୍ଞ ଉମେଶ ଚନ୍ଦ୍ର ବିଶ୍ଵାଳ । ଆମେ ଗନ୍ଧମାର୍ଦ୍ଦନ ପାହାଡ଼ ତଳର ୫ଟି ଗାଁ’; କୁଢାରୀଫସା, ପରସଖଣ୍ଡି, ଭାଙ୍ଗଖୁଣ୍ଟି(ରଣଜିତପୁର), ଭରୁଆମୁଣ୍ଡା ଓ ଭାଗତପୁରକୁ ଆମ ପ୍ରୋଜେକ୍ଟ କାମ ପାଇଁ ବାଛିଥିଲୁ । କିନ୍ତୁ ଆହୁରି ଅନେକ ଗାଁ’ର ଛାତ୍ରୀମାନେ ଆମସହିତ ନିଜ ଗାଁ’ର ଇତିହାସ ଲେଖିବାପାଇଁ ଯୋଡ଼ିହୋଇ ଯାଇଥିଲେ ।
ସଂଗୀତା ସାହୁ
ଲଙ୍ଗଳ ନାହିଁ କି ହଳିଆ ନାହିଁ, ଅମଳ ପାଇଁ କି ଖଳାଟେ ନାହିଁ
ରଖିବା ପାଇଁ କି ଅମାର ନାହିଁ, ସବୁତ ବଦଳି ଯାଇଛି,
ତଥାପି ମୋ ଗାଁ ହସୁଛି । ତଥାପି ମୋ ଗାଁ ହସୁଛି ।
ସକାଳ ହେଲେ ରାବୁନି କାଉ, ପିଢା ନାହିଁ ଆଉ ମାଡିବ ଲାଉ
ଚାଷ ହେଉନାହିଁ ଭଲରେ ଆଉ , ସେସବୁ ପୁରୁଣା ହୋଇଛି
ତଥାପି ମୋ ଗାଁ ହସୁଛି । ତଥାପି ମୋ ଗାଁ ହସୁଛି ।
ନଥାଉ ପଛକେ ଗୋଠରେ ଗାଈ, କଅଁଳା ବାଛୁରୀ ନଥାଉ ଡେଇଁ
ପୋଖରୀରେ ପଛେ ନଫୁଟୁ କଇଁ ଶୋଭା ସିନା ହଜି ଯାଇଛି
ତଥାପି ମୋ ଗାଁ ହସୁଛି । ତଥାପି ମୋ ଗାଁ ହସୁଛି ।
କବିତାଟିକୁ ଲେଖିଲେ ସଂଗୀତା ସାହୁ, ବରଗଡ଼ ଜିଲ୍ଲା କେରମେଲାବାହାଲ ଗ୍ରାମପଞ୍ଚାୟତ ହାଇସ୍କୁଲର ଦଶମ ଶ୍ରେଣୀର ଛାତ୍ରୀ ସଂଗୀତା ସାହୁ । ତାଙ୍କ ଗାଁ’ର ନାଁ ଭାଗତପୁର ଯାହାକି ପାଇକମାଳ ବ୍ଲକର କେରମେଲାବାହାଲ ଗ୍ରାମପଞ୍ଚାୟତରେ ଅବସ୍ଥିତ । କେବଳ ସଂଗୀତା ନୁହଁ ପାଖାପାଖି ୫୩ ଜଣ ଛାତ୍ରୀ ଜାନୁଆରୀ ୮, ୨୦୨୪ ଦିନ ଯମୁନାକନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳରେ, ଗାଁ ଇତିହାସ ଗବେଷଣା କରି ଅନୁଭବ ବାଣ୍ଟିବା ପାଇଁ ହୋଇଥିବା କାର୍ଯ୍ୟକ୍ରମରେ ନିଜ ଅନୁଭୂତି ଲେଖିବା ପାଇଁ ଏକାଠି ହୋଇଥିଲେ । ସେହି ଅବସରେ ସଂଗୀତା ଏହି କବିତା ଲେଖିଥିଲେ । ସଂଗୀତା ନିଜ ଗାଁ’ର ଇତିହାସ ଲେଖିବା ସମୟରେ ଯାହାସବୁ ବୟସ୍କ ମାନଙ୍କ ନିକଟରୁ ଶୁଣିଥିଲେ ସେହି ଅନୁଭୂତିକୁ ମଧ୍ୟ ଲିପିବଦ୍ଧ କରିଥିଲେ । ସେ ଲେଖିଥିଲେ ଯେ, ୨୦୦୩ ମସିହାରେ ଆମ ଗାଁ ଭଗତପୁରକୁ ଏକ ବାତ୍ୟା ଆସିଥିଲା । ଚାରି ଦିନ ଧରି ବର୍ଷା ହୋଇଥିଲା । ଯାହାଫଳରେ ତାଙ୍କ ଗାଁରେ ଥିବା ଭୋଇସାଗର ବନ୍ଧ(ଡ୍ୟାମ) ଭାଙ୍ଗିଯାଇଥିଲା । ଗାଁର ପୋଖରୀ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା । ଯାହା ଫଳରେ ଗାଁ’କୁ ପଣି ମାଡ଼ି ଆସିଥିଲା । ଚାଷବାସ ଗାଈ ବଳଦ ପାଣିରେ ବୋହିଗଲେ । ଲୋକଙ୍କ ଘରେ ପଣି ପଶିଗଲା । ଲୋକ ଭୋକରେ କଷ୍ଟରେ ବଞ୍ଚିଥିଲେ । ଏହି ପ୍ରାକୃତିକ ଦୁର୍ବିପାକକୁ ଲୋକେ ଆଜିଯାଏ ଭୁଲି ନାହାନ୍ତି ।
ଲେନିସ ସାହୁ
ଯମୁନାକନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟରେ ସେଦିନ ୧୫୦ ଜଣ ଛାତ୍ରୀ କର୍ମଶାଳାରେ ଯୋଗ ଦେଇଥିବାବେଳେ ପାଇକମାଳ ସ୍ଥିତ ଫ୍ରେଜରପୁର ଆଦର୍ଶ ବିଦ୍ୟାଳୟରୁ ଲେନିସ ସାହୁ ଓ ଜାମସେଠ ସ୍କୁଲରୁ ଜଗନ୍ନାଥ ତାଣ୍ଡି ଓ କର୍ମଶାଳାରେ ଯୋଗ ଦେଇଥିଲେ । ଲେନିସ ନବମ ଶ୍ରେଣୀର ଛାତ୍ର । ତାଙ୍କ ଗାଁର ନାମ ଲେରଗାଁ । ଏହି ଗାଁ ଆମ ପ୍ରୋଜେକ୍ଟ ଅଞ୍ଚଳରୁ ଅଲଗା ଝାରବଦ୍ଧ ବ୍ଲକରେ ତାଙ୍କ ଗାଁ । କିନ୍ତୁ ସେହି ଦିଗରେ ମୋର ଭିନ୍ନ ମତ ଥିବାରୁ ମୁଁ ସ୍କୁଲର ସବୁ ଛାତ୍ରଛାତ୍ରୀଙ୍କୁ ନିଜ ଗାଁ ସମ୍ପର୍କରେ ଲେଖିବାପାଇଁ ଉତ୍ସାହିତ କରୁଥିଲି । ସେ ଅମାର ଏହି କାର୍ଯ୍ୟକ୍ରମରେ ଅତି ଆଗ୍ରହର ସହିତ ଯୋଡ଼ି ହୋଇଯାଇଥିଲେ । ନିଜ ଗାଁ’ର ଇତିହାସ ଲେଖିବା ସମୟର ଅନୁଭୂତିକୁ ପ୍ରକାଶ କରିବା ପାଇଁ ଯାଇ ସେ ଲେଖିଥିଲେ ଯେ, ମୁଁ ଯେତେବେଳେ ଗାଁର ବୟସ୍କମାନଙ୍କ ସହିତ ବସି ଗାଁର ଇତିହାସ ବିଷୟରେ ପଚାରି ବୁଝୁଥିଲି ସେତେବେଳେ ତାଙ୍କ ଓ ମୋ ମଧ୍ୟରେ ନିବିଡ ସମ୍ପର୍କଟିଏ ସୃଷ୍ଟି ହେଲା, ଯାହାଦ୍ୱାରା ମୁଁ ଗାଁର ସମସ୍ତଙ୍କ ସହିତ ମିଶି ପରିଲି ଓ ଗାଁରେ ଥିବା ପୁରୁଣା ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିପାରିଲି । ଗାଁ ଲୋକମାନେ ଯେତେବେଳେ ଗାଁର ଇତିହାସ କହୁଥିଲେ ସେମାନେ ବି ବହତ ଖୁସି ହେଉଥିଲେ । ମୁଁ ମୋ ଗାଁର ଇତିହାସ ଲେଖି ଗର୍ବିତ ଅନୁଭବ କରୁଛି । ଏହା ମୋ ଜୀବନର ପ୍ରଥମ ଇତିହାସ ଲେଖା । ଇତିହାସ ଲେଖିବା ଭିତରେ ମୋତେ ଗାଁ ବିଷୟରେ ଅନେକ ଜ୍ଞାନ ଅର୍ଜନ କରିବାପାଇଁ ମିଳିଲା । ମୁଁ ସ୍ଵୟଂପ୍ରଭା ମାଡାମଙ୍କ ପାଖରେ ଚିର ଉପକୃତ ଅଟେ ।
ଦମୟନ୍ତୀ ସୁନା
ସେମିତି ଝାରବନ୍ଦ ବ୍ଲକ, ଜଳଗଡ଼ ଗ୍ରାମର ଦମୟନ୍ତୀ ସୁନା ନିଜ ଗାଁ’ର ନାଁ କାହିଁକି ଏମିତି ହେଲା ସେ ସମ୍ପର୍କରେ ଲେଖିଲେ ଯେ, “ଅତୀତରେ ଆମ ଗାଁର ନାମ ନଥିଲା । ଥରେ ଲୋକମାନେ ବେଦି ଘରେ ସମସ୍ତେ ବସି କଥାବାର୍ତ୍ତା ହେଲେ ଯେ, ଆମ ଗାଁର ନାମ ରଖିବା । ତାଙ୍କ ଭିତରୁ ଗୋଟିଏ ଲୋକ କହିଲା ଆମ ଗାଁ ଚାରିପଟେ ଖାଲି ଜଳପଥ ବହୁତ ଦେଖା ଯାଉଛି । ସେଥିପାଇଁ ଆମ ଗାଁର ନାମ ଜଳଗଡ଼ ରଖିବା । ସେହି ଦିନରୁ ଆମ ଗାଁର ନାମ ଜଳଗଡ଼ ରହିଲା । ଆମ ଗାଁ’ରେ ଅତୀତରେ ବହୁତ ଛୋଟ ଘରମାନେ ଥିଲା । ଅତୀତରେ ଆମ ଗାଁର ଲୋକମାନେ ବହୁତ ଗରିବ ଥିଲେ । ସେମାନେ କୁଦୋ, ମଣ୍ଡିଆ, ନିହିରି, ଗୁର୍ଜି, କନ୍ଦେଇ କନ୍ଦା ସିଝେଇ କରି କିମ୍ବା ପଲସା ପତ୍ରରେ ପିଠା ପୁଡ଼େଇ କରି ଖାଉଥିଲେ” ।
ମନୋରମା ପାଣ୍ଡେ
ଯମୁନାକନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ମନୋରମା ପାଣ୍ଡେ ନିଜ ଗାଁ’ ମହାରାଣୀ ମେରୀପୁରର ଇତିହାସ ଓ ସଂସ୍କୃତି ସମ୍ପର୍କରେ ଗବେଷଣା କରିବା ସମୟରେ ଭେଟିଥିଲେ ନିଜ ବଡ଼ ମା’ଙ୍କୁ । ବଡ ମା ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ତୁ ଗାଁର ଇତିହାସ ଜାଣିକି କଣ କରିବୁ ? ମୁଁ କହିଲି, ଆମ ସ୍କୁଲକୁ ଭୁବନେଶ୍ଵରରୁଯେଉଁ ମାଡାମ ଆସିଥିଲେ ସେ କହିଛନ୍ତି ତୁମ ଗାଁର ବୟସ୍କ ଲୋକଙ୍କୁ ପଚାରି ଗାଁର ନାମ କାହିଁକି ଏମିତି ହୋଇଛି ଲେଖିକି ଆଣିବ । ସେହିଠୁ ବଡ ମା କହିଲେ ଯେ, ଆମ ଗାଁକୁ ପୂର୍ବ କାଳରେ ରାଜା ରାଣୀ ଓ ମେରୀ ନାମରେ ଗୋଟିଏ ହାତୀ ସବୁବେଳେ ଆସୁଥିଲା । ସେଇଥିପାଇଁ ଗାଁର ନାଁ ମହାରାଣୀମେରୀପୁର ରଖାଯାଇଥିଲା । ଆଗରୁ ମୋ ଗାଁର ଇତିହାସ ବିଷୟରେ ମୁଁ କିଛି ଯାନୀ ନଥିଲି । ଏବେ ଗାଁ ବିଷୟରେ ଗବେଷଣା କରି ବହୁତ କଥା ଜାଣିଲି । ମୋତେ ବହୁତ ଖୁସି ଲାଗୁଛି ।
ନଭେମ୍ବର ମାସରେ ଯେତେବେଳେ “ଇଣ୍ଟରନେସନାଲ ମିଲେଟ ଡେ” ଭୁବନେଶ୍ଵରରେ ପାଳନ କରାଗଲା, ପାଇକମାଳ ଗାଁ’ର ଦୁଇଜଣ ଛାତ୍ରୀ ନିଜ ଗାଁ’ର ଇତିହାସ ଲେଖିବା ସମୟର ଅନୁଭୂତିକୁ ବର୍ଣ୍ଣନାକରି ଗାଁ ଇତିହାସ ପାଇଁ ଆୟୋଜିତ ଅଧିବେଶନରେ ଖୁବ ସୁନ୍ଦର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରିୟାରାଣୀ ଦାସ ଓ ଅଫରିନ ବାନୋ, ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ଦୁଇଜଣ ଛାତ୍ରୀ ନିଜ ଗାଁ ପାଇକମାଳ ସମ୍ପର୍କରେ କହିଥିଲେ ଯେ, “ଆମ ପାଇକମାଳ ଅଞ୍ଚଳ ହେଉଛି ଏକ ସଂସ୍କୃତି ସମ୍ପର୍ଣ୍ଣ ଅଞ୍ଚଳ । ଆମର ପରିଚୟ ହେଉଛି ଗନ୍ଧମାର୍ଦ୍ଦନ ପର୍ବତ ଓ ସେହି ପର୍ବତରେ ଥିବା ଶହ ଶହ ଝରଣା, ଜଙ୍ଗଲ, ଔଷଧୀୟ ଗଛ ଓ ଗନ୍ଧମାର୍ଦ୍ଦନ ସହିତ ହଜାର ହଜାର ବର୍ଷ ଧରି ଏକାଠି ବଂଚି ଆସିଥିବା କନ୍ଧ, ଗଣ୍ଡ, ସାନ୍ତାଳ,ଭୂଇଁଆ ଜନଜାତିର ଲୋକମାନେ । ଯେଉଁମାନେ ଗନ୍ଧମାର୍ଦ୍ଦନର ଜୀବନ, ଆଉ ଆମ ଗନ୍ଧମାର୍ଦ୍ଦନ ହେଉଛି ଆମର ଜୀବନ । ଆମ ପାଇକମାଲର ଦେବତା ହେଉଛନ୍ତି ନରସିଂହନାଥ, ଦେବୀ ମା ହେଉଛନ୍ତି ବିନ୍ଧ୍ୟବାସିନୀ । ଆଜିକାଲି ଲୋକମାନେ ଅଗର ସବୁକଥା ଭୁଲିଗଲେଣି । ଗାଁର ଇତିହାସ ଓ ଖାଦ୍ୟ ସଂସ୍କୃତି ଉପରେ ଗବେଷଣା କରି ଆମେ ଏତିକି ବୁଝିଲୁ ଯେ, ଆମକୁ ଆମ ପାଇକମାଲର ସଂସ୍କୃତି ଓ ଖାଦ୍ୟକୁ ବଞ୍ଚାଇଵାକୁ ହେବ। ସେଥିପାଇଁ ଆମେ ଆମ ଗାଁର ଲୋକଙ୍କୁ ସେ ବିଷୟରେ ଏବେଠାରୁ ସଚେତନ କରାଇବୁ ।”
ଗନ୍ଧମାର୍ଦ୍ଦନ ପାହାଡ଼ ତଳର ଗାଁ କୁଢାରୀଫସାର ତରୁଣୀ ମଲ୍ଲିକ ଓ ମୀନା ମଲ୍ଲିକ ନିଜ ଗାଁ’ର ଇତିହାସ ଓ ଖାଦ୍ୟ ସଂସ୍କୃତିକୁ ନେଇ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । କେବଳ ସେମାନେ କାହିଁକି ପରସଖଣ୍ଡି, ଭାଙ୍ଗଖୁଣ୍ଟି(ରଣଜିତପୁର), ଭରୁଆମୁଣ୍ଡା ଓ ଭାଗତପୁରର ଛାତ୍ରୀମାନେ ମଧ୍ୟ ନିଜ ନିଜ ଗାଁ’ର ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଏହାଛଡା ଓଡ଼ିଶାର ୩ଟି ପାଇଲଟ ଅଞ୍ଚଳର ଛାତ୍ରଛାତ୍ରୀ ଖୁବ ଆଗ୍ରହ ଓ ଉଦ୍ଦୀପନାର ସହିତ ନିଜ ନିଜ ଗାଁ ସମ୍ପର୍କରେ ଗବେଷଣା କରି ତଥ୍ୟ ସଂଗ୍ରହ କରିଛନ୍ତି ଓ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି ।
“ଭିଲେଜ ହିଷ୍ଟ୍ରି ବାଲେ”:
ପାଇକମାଳ ଅଞ୍ଚଳରେ ଆମକୁ “ଭିଲେଜ ହିଷ୍ଟ୍ରି ବାଲେ” ବୋଲି ଲୋକେ ଡାକନ୍ତି । ପ୍ରାୟ ସବୁ ଦିନେ ଆମେ ୪ ରୁ ୫ଟି ଗାଁ ଗ୍ରସ୍ତ କରିଛୁ। ଲୋକଙ୍କ ସହିତ ଆଲୋଚନା କରିଛୁ । ଗାଁ’ର ଲୋକମାନଙ୍କ ଭିତରେ ନିଜ ଗାଁ ସମ୍ପର୍କରେ ଆଲୋଚନା କରିବା ପାଇଁ ଏତେ ଆଗ୍ରହ ଆମ କାମକୁ ଆହୁରି ନୂତନ ଦିଗ ପ୍ରଦର୍ଶନ କରିଛି । ପରସଖଣ୍ଡି ଗାଁ’ର ଜଣେ ବୟସ୍କ ଶ୍ରୀଯୁକ୍ତ ଦଣ୍ଡସେନା ଆଲୋଚନା ବେଳେ କହିଥିଲେ ଯେ, ଏମିତି ଏକ ପ୍ରୟାସ ବହୁତ ଆଗରୁ ହେବା କଥା । ଆମ ଗାଁ’ର ଅନେକ ପ୍ରଥା ପରମ୍ପରା, ଖାଦ୍ୟ ଏବେ ହଜି ଗଲାଣି । ଆପଣମାନେ ଆମ ପିଲାମାନଙ୍କୁ ସେହି ସବୁକୁ ଲେଖି ରଖିବାପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଛନ୍ତି ତାହା ଅତି ସ୍ଵାଗତଯୋଗ୍ୟ ଓ ଜରୁରୀ । ପାଇକମାଳ ବ୍ଲକର ବଏଦପାଲି ଗାଁ’ର ଲୋକମାନେ ତ ନିଜ ଗାଁ’ର ଇତିହାସ ଲେଖାଯିବା ଖୁସିରେ ଭିଲେଜ ହିଷ୍ଟ୍ରି ଫେଷ୍ଟିଭାଲ ଆୟୋଜନ କରି ଆମ ଟିମ୍ ଙ୍କୁ ସମ୍ବର୍ଦ୍ଦିତ କରିଥିଲେ ।
ପ୍ରାୟ ସବୁ ଗାଁରେ ଆମେ ଏତେ ଶ୍ରଦ୍ଧା, ସମ୍ମାନ ଓ ଆଦର ପାଇଲୁ କେବଳ ସେମାନଙ୍କ ଗାଁ’ର ଇତିହାସକୁ ବଞ୍ଚାଇ ରଖିବାପାଇଁ ଆସିଛୁ ବୋଲି । ପାଇକମାଳରେ ଗାଁ’ର ଇତିହାସ ଲେଖାଇବା କାମ ଏବେ ମଧ୍ୟ ଜାରି ରହିଛି । ଖରାଛୁଟିରେ ଆମେ ଛାତ୍ରଛାତ୍ରୀମାନଙ୍କୁ ସମର କୋର୍ସ ଦେଇଛୁ । ଘରେ ଛୁଟିରେ ସେମାନେ କେମିତି ନିଜ ଗାଁ’ର ବୟସ୍କ ମାନଙ୍କ ପାଖରେ ବସି ଗାଁ ସମ୍ପର୍କରେ ଅନେକ ତଥ୍ୟ ସଂଗ୍ରହ କରିବେ ଓ ସେସବୁକୁ ଲିପିବଦ୍ଧ କରିବେ ଏହା ହିଁ ଆମର ଲକ୍ଷ୍ୟ । କେବଳ ପାଇକମାଳ ନୁହେଁ ଗାଁ’ ସମ୍ପର୍କିତ ଭିଡ଼ିଓ ଦେଖିବାପରେ ଭୁବନେଶ୍ଵର ସ୍ଥିତ ଷ୍ଟୁଆର୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ମଧ୍ୟ ଆମ ସହିତ ଗାଁ’ର ଇତିହାସ ଲେଖିବା କାମରେ ଯୋଡ଼ି ହୋଇଛନ୍ତି । ଯେଉଁ ଛାତ୍ରଛାତ୍ରୀମାନେ କେବେ ବି ଗାଁ’କୁ ଯାଇ ନାହାଁନ୍ତି ସେମାନେ ମଧ୍ୟ ଗାଁ ସମ୍ପର୍କିତ ଭିଡ଼ିଓ ଦେଖିବା ପରେ ଗାଁ’କୁ ଯିବାପାଇଁ ଆଗ୍ରହ ଦେଖାଉଛନ୍ତି ।
ଶେଷକଥା
ଆଜିର ଡିଜିଟାଲ ଯୁଗରେ କିଶୋର ବୟସର ଛାତ୍ରଛାତ୍ରୀମାନେ ଭୁବନେଶ୍ଵରରୁ ଗାଁ’କୁ ଯିବାପାଇଁ ମନ ବଳେଇବା ପ୍ରମାଣ କରୁଛି ଯେ, ଆଜି ବି ଭାରତର ଆତ୍ମା ଗାଁ ଭିତରେ ହିଁ ରହିଛି । ଆମେ ସମସ୍ତେ ମିଶି ଯଦି ଉଦ୍ୟମ କରିବା ତେବେ ଆମ ଗାଁ’ର ଇତିହାସ ଓ ପୂର୍ବର ସଂସ୍କୃତିକୁ ଆମ ପିଲାମାନଙ୍କ ସହଯୋଗରେ ବଞ୍ଚାଇ ରଖିବା ପାଇଁ କିଛି ବାଟ ବାହାରି ପାରିବ । ଆପଣମାନଙ୍କ ସହିତ ଆଲୋଚନା କରିବାର ସେହି ଗୋଟିଏ ଉଦ୍ଦେଶ୍ୟ ଯେ, ଆପଣମାନେ ମଧ୍ୟ ନିଜ ନିଜ ଗାଁ’ର ଇତିହାସ ଓ ସଂସ୍କୃତିକୁ ଲିପିବଦ୍ଧ କରିବାପାଇଁ ପ୍ରୟାସ ଆରମ୍ଭ କରିବେ । ଗାଁ’ର ଛାତ୍ରଛାତ୍ରୀମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ଦେବେ । ସେ ଦିଗରେ ଯଦି ଆମର ସହଯୋଗ ଅବଶ୍ୟକ ହୁଏ ଆମକୁ ଯୋଗାଯୋଗ କଲେ ଆମେ ନିଶ୍ଚୟ ସହଯୋଗ କରିବୁ । ଗାଁ’ର ଇତିହାସ ଓ ସଂସ୍କୃତିକୁ ବଞ୍ଚାଇ ରଖିବାରେ ଆପଣଙ୍କ ଯୋଗଦାନ ନିଶ୍ଚିତ ଭାବରେ ଫଳପ୍ରଦ ହେବ ।
ଆମସହିତ ଯୋଗାଯୋଗ କରିବା ପାଇଁ ମୋବାଇଲ ନମ୍ବର ଓ ଇମେଲ ଦିଆଗଲା:
Swayamprava Parhi
Phone: 9438189779
Email: editorswayamprava@gmail.com
Comments
0 comments