ପୂର୍ବରୁ ଆମେ ଏହି ବିଷୟରେ ଆଲୋଚନା କରିଆସିଛୁ । ଗତ ଫେବୃଆରୀ ୧୫,୨୦୨୪ଦିନ ଭାରତର ସର୍ବୋଚ୍ଚ ନ୍ୟାୟଳୟଙ୍କର ଏକ ୫ଜଣିଆ ଖଣ୍ଡପୀଠ ସର୍ବସମ୍ମତିକ୍ରମେ ରାୟ ପ୍ରକାଶକରି କହିଥିଲେ ଯେ, ୨୦୧୮ମସିହାରୁ ଲାଗୁ ହୋଇଥିବା ‘ନିର୍ବାଚନୀ ବଣ୍ଡ୍’ ଯୋଜନାଟି ‘ଅସାମ୍ବିଧାନିକ’ ଏବଂ ଏହା ସମ୍ବିଧାନର ଧାରା ୧୯ଅନ୍ତର୍ଗତ କିଏ କେଉଁ ଦଳକୁ କେତେ ଟଙ୍କାଦେଇଛି ଜାଣିବାପାଇଁ ଆଗ୍ରହୀଥିବା ନାଗରିକମାନଙ୍କର ଅଧିକାରକୁ ଉଲଙ୍ଘନ କରୁଛି । ଉଚ୍ଚତମ ନ୍ୟାୟଳୟ ପୁଣି କହିଥିଲେ ଯେ ଏହା ସମ୍ବିଧାନର ଧାରା ୧୪ର ଅବମାନନା କରି ସ୍ୱେଚ୍ଛାଚାରିତାକୁ ଖୋଲାଖୋଲି ପରିପ୍ରକାଶ କରୁଛି । ଅଦାଲଙ୍କର ନିର୍ଦ୍ଦେଶ ଥିଲାଯେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଏହି ଯୋଜନାକୁ ତୁରନ୍ତ ବନ୍ଦକରିବେ ଏବଂ ମାର୍ଚ୍ଚ ୬, ୨୦୨୪ ସୁଦ୍ଧା ସମସ୍ତ ବଣ୍ଡ୍ ବିକ୍ରିର ତଥ୍ୟ ଭାରତର ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବେ । ଏହି ତଥ୍ୟ ନିର୍ବାଚନ ଆୟୋଗ ଜନଗଣଙ୍କ ଅବଗତି ନିମନ୍ତେ ସର୍ବସାଧାରଣରେ ମାର୍ଚ୍ଚ ୧୪ ସୁଦ୍ଧା ପ୍ରକାଶ କରିବା ପାଇଁ ନିଜର ୱେବସାଇଟ୍ରେ ସ୍ଥାନିତ କରିବେ । ଭାରତୀୟ ଷ୍ଟେଟ ବ୍ୟାଙ୍କ କିଛିଦିନ ନିରବ ରହିବା ପରେ ସମୟ ଅବଧି ସରିବାର ଠିକ୍ ଦୁଇଦିନ ପୂର୍ବରୁ( ମାର୍ଚ୍ଚ ୪, ୨୦୨୪) ଉଚ୍ଚତମ ନ୍ୟାୟାଳୟରେ ଏକ ସତ୍ୟପାଠ ଦାଖଲ କରି ଜଣାଇଲେ ଯେ ଏତେ ତଥ୍ୟ ଜୁନ୍ ୩୦,୨୦୨୪ ପୂର୍ବରୁ ଦାଖଲ କରିବା ସମ୍ଭବପର ନୁହେଁ । ଏହି କଥାଟି ଭାରତର ଜଣଗଣଙ୍କୁ ଚକିତ କରିଥିଲା । କିଛି ବିଶାରଦମାନେ ଆଶଙ୍କା ମଧ୍ୟ କଲେ ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଯଦି ତଥ୍ୟ ପ୍ରଘଟ ହୁଏ ତେବେ ମୋଦୀ ସରକାର ଅଧିକ ଅଡ଼ୁଆ ପରିସ୍ଥିତିରେ ପଡ଼ିବେ, ଏଭଳି ଏକ ଆଶଙ୍କା କରି କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଏକ ବାହାନା ନେଇଛନ୍ତି । ସେମାନେ ଏଭଳି ଭାବିବା ଯୁକ୍ତିଯୁକ୍ତ ଥିଲା ଏହିଥିପାଇଁ କି ଯେ ଭାରତୀୟ ଷ୍ଟେଟବ୍ୟାଙ୍କ ସମସ୍ତ ନିର୍ବାଚନୀ ବଣ୍ଡ୍ ବିକ୍ରିବେଳେ କ୍ରେତାଙ୍କର ସମସ୍ତ ତଥ୍ୟ ନିଜ ପାଖରେ ଏବଂ ତାହା ବି ଡ଼ିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସଂରକ୍ଷିତ ରଖିଥାନ୍ତି । ସେଥିପାଇଁ ହୁଏତ ମାର୍ଚ୍ଚ ୧୧, ୨୦୨୪ଦିନ ମାମଲାର ଶୁଣାଣିବେଳେ ଉଚ୍ଚତମ ନ୍ୟାୟଳୟ କ୍ଷୁବ୍ଧ ହୋଇଥିଲେ ଏବଂ ଦିନକ ଭିତରେ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ । କୌତୁହଳର କଥାଯେ ଏହି ବ୍ୟାଙ୍କ ଯିଏକି ଜୁନ୍ ୩୦,୨୦୨୪ ସୁଦ୍ଧା ତଥ୍ୟ ଦେଇପାରିବେ ନାହିଁ କହୁଥିଲେ, ଅଦାଲତଙ୍କର କଠୋର ନିର୍ଦ୍ଦେଶ ଯୋଗୁଁ ଗୋଟିଏ ଦିନ ପରେ ସମସ୍ତ ତଥ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରଦାନ କରିଥିଲେ । ଏହି ଭିତରେ ସେହିତଥ୍ୟ ସବୁ ନିର୍ବାଚନ ଆୟୋଗ ନିଜ ୱେବସାଇଟ୍ରେ ସ୍ଥାନିତ କରିସାରିଛନ୍ତି ଏବଂ ବିଶାରଦ ମାନେ ତଥ୍ୟଗୁଡ଼ିକୁ ତର୍ଜମା କରିବାରେ ବ୍ୟସ୍ତ ଅଛନ୍ତି । ଉଚ୍ଚତମ ନ୍ୟାୟାଳୟ ନିଜର ମାର୍ଚ୍ଚ ୧୧,୨୦୨୪ ନିର୍ଦ୍ଦେଶରେ କିଏ ନିର୍ବାଚନୀ ବଣ୍ଡ୍ କିଣି କେଉଁଦଳକୁ ଦେଇଛି ଏହାର ନିର୍ଦ୍ଦିଷ୍ଟ ହିସାବ ଦେବାକ୍ଷେତ୍ରରେ ନିଜର ପୂର୍ବ ରାୟଟିକୁ କୋହଳ କରିଦେଇଥିବା ଯୋଗୁଁ ଏବେ ଯେଉଁ କାମଟି ୨ଲକ୍ଷରୁ ଅଧିକ କର୍ମଚାରୀ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କ ଦୁଇ ମିନିଟ ଭିତରେ କରିକି ଦେଇ ପାରିଥାନ୍ତା ତାକୁ ଆଗ୍ରହୀ ବ୍ୟକ୍ତି ବିଶେଷଙ୍କୁ ନିଜର ଶ୍ରମ ଏବଂ ଅର୍ଥ ଖର୍ଚ୍ଚକରି ତାଳମେଳ କରାଇବା କାମଟି କରିବାକୁ ପଡ଼ୁଛି ।
‘ନିର୍ବାଚନୀ ବଣ୍ଡ୍’ ମାମଲା ଉଚ୍ଚତମ ନ୍ୟାୟାଳୟରେ ମାର୍ଚ୍ଚ ୧୧,୨୦୨୪ଦିନ ଚାଲିବା ଏବଂ ୫ଜଣିଆ ଖଣ୍ଡପୀଠ କଠୋର ଆଭିମୁଖ୍ୟ ନେବା ପୂର୍ବରୁ ଖବର ଆସିଥିଲା ଯେ ୩ଜଣିଆ ସଦସ୍ୟ ଥିବା ଭାରତର ନିର୍ବାଚନ କମିସନଙ୍କର ଯେଉଁ ଦୁଇଜଣ ମାତ୍ର ସଦସ୍ୟ ଅଛନ୍ତି ସେହି ଭିତରୁ ଜଣେ ସଦସ୍ୟ ଅରୁଣ୍ ଗୋଏଲ୍ ଇସ୍ତଫା ଦେଇଛନ୍ତି ଏବଂ ଭାରତର ରାଷ୍ଟ୍ରପତି ମଧ୍ୟ ତୁରନ୍ତ ଇସ୍ତଫା ପତ୍ରଟିକୁ ଗ୍ରହଣ କରିନେଇଛନ୍ତି । ଏଠି ସ୍ମରଣ କରାଇ ଦିଆଯାଇ ପାରେ ଯେ କେବଳ ଏହି ଇସ୍ତଫାଟି ଜନଗଣଙ୍କୁ ଚକିତ କରିଥିଲା ତାହା ନୁହଁ; ବରଂ ଗୋଏଲ୍ ମହାଶୟଙ୍କର ଯେଉଁଭଳି ତରବରିଆ ଭାବେ ନିଯୁକ୍ତି ହୋଇଥିଲା ତାହା ମଧ୍ୟ ସେତେବେଳେ ଚକିତ କରିଥିଲା । ଭାରତ ସରକାରଙ୍କର ସଚିବ ଥିବା ଅରୁଣ୍ ଗୋଏଲ୍ ନଭେମ୍ବର ୧୮,୨୦୨୨ରେ ସ୍ୱେଚ୍ଛାକୃତ ଭାବେ ଅବସର ନେବାର ୨୪ଘଣ୍ଟା ଭିତରେ ଅର୍ଥାତ୍ ନଭେମ୍ବର ୧୯, ୨୦୨୨ ଦିନ ନିର୍ବାଚନ ଆୟୋଗ ହିସାବରେ ନିଯୁକ୍ତି ପାଇଥିଲେ, ଯେତେବେଳେ କି ଉଚ୍ଚତମ ନ୍ୟାୟାଳୟ ନିର୍ବାଚନ ଆୟୋଗ ନିଯୁକ୍ତିର ପ୍ରକ୍ରିୟା ଓ ପ୍ରଣାଳୀ ନେଇ ନିରପେକ୍ଷ ତଥା ସ୍ୱାଧିନ କମିଟି ଗଠନର ଆବଶ୍ୟକତା ସମ୍ପର୍କରେ ଆଗତ ହୋଇଥିବା ମାମଲା ଗୁଡ଼ିକର ଶୁଣାଣି କରୁଥିଲେ । ପରେ ଅରୁଣ୍ ଗୋଏଲ୍ ନିଯୁକ୍ତିକୁ ନେଇ ଉଚ୍ଚତମ ନ୍ୟାୟାଳୟରେ ପିଟିସନ୍ ଦାଖଲ କାରାଯାଇଥିଲା । ଅଦାଲତ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ ମଧ୍ୟ ଗୋଏଲ୍ ଙ୍କର ନିଯୁକ୍ତିକୁ ଅବୈଧ ଘୋଷଣା କରିନଥିଲେ । ପରେ ଏକ ରାୟରେ ସରକାର ପରବର୍ତ୍ତୀ ନିୟମ ଆଣିବା ଯାଏଁ ନିର୍ବାଚନ ଆୟୁକ୍ତ ନିଯୁକ୍ତି ପ୍ରକ୍ରିୟାକୁ ନିରପେକ୍ଷ ରଖିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଏହି କମିଟିରେ ଭାରତର ପ୍ରଧାନମନ୍ତ୍ରୀ, ବିରୋଧି ଦଳର ନେତା ଏବଂ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତି ସଦସ୍ୟ ରହିବେ ବୋଲି ରାୟରେ କୁହାଯାଇଥିଲା । ତେବେ ଏହି କମିଟି ଗୋଟିଏ ବି ନିଯୁକ୍ତି କରିପାରି ନଥିଲା । ତା ପୂର୍ବରୁ ସରକାର ନିଜେ ନିଜର ସଂଖ୍ୟା ଗରିଷ୍ଠତାକୁ ଅପବ୍ୟବହାର କରି ଏକ ସଂଶୋଧିତ ଆଇନ ଆଣିଥିଲେ ଯେଉଁଥିରେ ଭାରତର ମୁଖ୍ୟ ବିଚାରପତିଙ୍କୁ ବାଦ୍ ଦେଇ ତାଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କର ଜଣେ ସହକର୍ମୀ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ସ୍ଥାନ ଦିଆଯାଇଥିଲା ।
ସରକାରଙ୍କର ସମ୍ବିଧାନ ଏବଂ ସାମ୍ବିଧାନିକ ନୈତିକତାକୁ ବଳିଦେବାର ବଳିଷ୍ଠ ନିଦର୍ଶନଗୁଡ଼ିକୁ ଦେଖି କିଛି ଗୋଟିଏ ଆଶଙ୍କା କରି ପୂର୍ବରୁ ଏହି ବାବଦରେ ଅଦାଲତର ଆଶ୍ରୟ ନେଇଥିବା ‘ଆସୋସିଏସନ୍ ଫର୍ ଡ଼େମୋକ୍ରାଟିକ ରାଇଟସ୍’ ମାର୍ଚ୍ଚ ୧୨,୨୦୨୪ଦିନ ପୁଣିଥରେ ସେହି ଅଦାଲତରେ ପହଞ୍ଚିଥିଲେ । ଅଦାଲତ ମଧ୍ୟ ମାର୍ଚ୍ଚ ୧୫, ୨୦୨୪ଦିନ ଏହାର ଶୁଣାଣି କରିବା ପାଇଁ ଦିନ ଧାର୍ଯ୍ୟ କରିଥିଲେ । କିନ୍ତୁ ଠିକ୍ ଦିନକ ପୂର୍ବରୁ ମାର୍ଚ୍ଚ ୧୪,୨୦୨୪ଦିନ ମୋଦୀ ସରକାର ଅତି ତରବରିଆ ଭାବେ ସରକାରଙ୍କର ଦୁଇଜଣ ଘନିଷ୍ଠ ଏବଂ ବୋଲକରା ଅବସରପ୍ରାପ୍ତ ଆଇ.ଏ.ଏସ୍ ଅଫିସରଙ୍କୁ ନିର୍ବାଚନ ଆୟୁକ୍ତ ନିଯୁକ୍ତ କରିସାରିଛନ୍ତି । ଏହି ଚୟନ ପକ୍ରିୟାରେ ଔପଚାରିକ ଭାବେ ନିଜ ମତର କୌଣସି ମୂଲ୍ୟ ନଥାଇ ଅଂଶଗ୍ରହଣ କରିଥିବା ଲୋକସଭାର ବିରୋଧିଦଳର ନେତା ଅଧିରରଞ୍ଜନ ଚୌଧୁରୀଙ୍କ ମତରେ ମାତ୍ର ଗୋଟିଏ ଦିନ ପୂର୍ବରୁ ଦୁଇ ଶହ ଅଫିସରଙ୍କର ଏକ ତାଲିକା ତାଙ୍କୁ ଦିଆଯାଇଥିଲା ଏବଂ ପ୍ରଧାନମନ୍ତ୍ରୀ ଓ ତାଙ୍କ ସହଯୋଗୀ ମନ୍ତ୍ରୀମାନେ ଗଠିତ ହୋଇଥିବା ଏହି କମିଟିରେ ମାତ୍ର କିଛି ସମୟ ପୂର୍ବରୁ ତାଙ୍କୁ ୨ଶହ ଜଣଙ୍କ ଭିତରୁ ୬ଜଣଙ୍କ ନାଁ ଥିବା ଏକ ତାଲିକା ଦିଆଯାଇଥିଲା । କେଉଁ ସବୁ କାରଣ ଯୋଗୁଁ ଏହି ୬ଜଣଙ୍କ ନାଁ ପ୍ରସ୍ତୁତ କରାଯାଇଥିଲା, ତାହା ମଧ୍ୟ କୁହାଯାଇ ନଥିଲା । ଏହି ବାବଦରେ ଆମେ ଯେତେବେଳେ କିଛି ବିଶାରଦମାନଙ୍କୁ ପ୍ରଶ୍ନ କରିଥିଲୁ ଯେ ଶ୍ରୀଯୁକ୍ତ ଚୌଧୁରୀ ଏଭଳି ଏକ ଚୟନ ପ୍ରକ୍ରିୟାରେ ଭାଗ ନନେଇଥିଲେ ଅସୁବିଧା କ’ଣ ହୋଇଥାନ୍ତା; ଯେହେତୁ ତାଙ୍କ ମତାମତର କୌଣସି ମୂଲ୍ୟ ନଥିଲା ଏବଂ ମାମଲାର ଶୁଣାଣି ଠିକ୍ ତାହାର ପରଦିନ ଉଚ୍ଚତମ ନ୍ୟାୟାଳୟରେ ହେବାକୁ ଥିଲା । ଜଣେ ବିଶାରଦଙ୍କ ମତରେ ଶ୍ରୀ ଚୌଧୁରୀ ଏହି ଚୟନ ପ୍ରକ୍ରିୟାରେ ଭାଗନେବା ପାଇଁ ବାଧ୍ୟ ଥିଲେ ଯେହେତୁ ଉଚ୍ଚତମ ନ୍ୟାୟାଳୟ ଚୟନ ପ୍ରକ୍ରିୟା ଉପରେ ରହିତାଦେଶ ଜାରି କରିନଥିଲେ । ଏବେ ଉଚ୍ଚତମ ନ୍ୟାୟାଳୟ କଣ କହିବେ ସମସ୍ତଙ୍କ ନଜର ସଂପୃକ୍ତ ସାମ୍ବିଧାନିକ ଖଣ୍ଡପୀଠ ଉପରେ ରହିଛି ।
ଅନ୍ୟପଟେ ସାମ୍ବିଧାନିକ ନୈତିକତାକୁ ହେୟ ମନେକରି ସ୍ୱେଚ୍ଛାଚାରୀ ଶାସନ ଚଳାଇ ଆସିଥିବା ଗୋଟିଏ ସରକାରକୁ ତୁହାକୁ ତୁହା ଉଚ୍ଚତମ ନ୍ୟାୟାଳୟରେ ଅପଦସ୍ତ ହେବାକୁ ପଡ଼ୁଥିବାବେଳେ ଜନସାଧାରଣ ଯେଭଳି ଏହି କଥାଟିକୁ ଜାଣି ନପାରିବେ ଏବଂ ଅନ୍ୟସବୁ ବିଭାଜନକାରୀ କଥାରେ ମତୁଆଲା ହୋଇ ଅରାଜକତା ସୃଷ୍ଟି କରିବାରେ ଲାଗିପଡ଼ିବେ ; ସେଥିପାଇଁ ସରକାର ଏବଂ ତାଙ୍କ ନିୟନ୍ତ୍ରଣରେ ଥିବା ଗଣମାଧ୍ୟମ ରୀତିମତ କାମ ଆରମ୍ଭ କରିସାରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ରାୟ ନୁହଁ ବରଂ ନାଗରିକତ୍ୱ ସଂଶୋଧନ ଆଇନ ଏବେ ଗଣମାଧ୍ୟମର ଶିରୋନାମା ସାଜିଛି । ଏହି ସଂଶୋଧନ ଆଇନକୁ ବିରୋଧକରି ଦେଶବ୍ୟାପି ଚାଲିଥିବା ପ୍ରତିବାଦ ଆନ୍ଦୋଳନ ହେଉ ବା ଦିନକୁ ଦିନ ଗୋଟିଏ ପ୍ରାନ୍ତରୁ ଅନ୍ୟପ୍ରାନ୍ତ ସଂପ୍ରସାରିତ ହେଉଥିବା କିଶାନ ଆନ୍ଦୋଳନ ହେଉ ; କେଉଁଟି ବି ଗଣମାଧ୍ୟମରେ ପ୍ରମୁଖତା ପାଉନାହିଁ । ଏମିତିକି ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ୍’ ମାଧ୍ୟମରେ ଗୁଗୁଲ୍ ରେ ଦିଆଯାଉଥିବା କିଛି ପ୍ରଶ୍ନର ଉତ୍ତର ମଧ୍ୟ ମୋଦୀ ସରକାର ବରଦାସ୍ତ କରିପାରୁ ନାହାନ୍ତି । ନିକଟରେ ଜଣେ କେହି ପ୍ରଶ୍ନ କରିଥିଲେ ‘ମୋଦୀ କ’ଣ ଜଣେ ଫାସିବାଦୀ?’ (‘Is Modi A Fascist?’) । ଗୁଗୁଲ୍ ରେ ‘ଜେମିନି’ (AI) ଯାହା ଉତ୍ତର ରଖିଥିଲେ, ସଂଘ ପରିବାର ତରଫରୁ ପ୍ରବଳ ପ୍ରତିବାଦ ହେବା ପରେ ସେ ତାକୁ ହଟାଇ ଦେଇଥିଲେ ଏବଂ ଦୁଃଖପ୍ରକାଶ ମଧ୍ୟ କରିଥିଲେ । କିନ୍ତୁ ରିପବ୍ଲିକ୍ ଟିଭିର ଅନ୍ୟତମ ମାଲିକ ତଥା କେନ୍ଦ୍ର ଆଇ.ଟି ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗୁଗୁଲ୍କୁ ତାଗିଦ କରିଥିଲେ ।
ଦେଶରେ ବର୍ତ୍ତମାନ ଯେହେତୁ ମୋଦୀ ସରକାର ନିଜର ୪୦୦+ ଲୋକସଭା ଆସନ ଦାବିକୁ କଳେ, ବଳେ,କୌଶଳେ ହାସଲ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବେ; ଜନଗଣଙ୍କୁ ଅଧିକ ସତର୍କ ହୋଇ କେନ୍ଦ୍ର ସରକାରଙ୍କର ଏବଂ ତାଙ୍କ ହାତବାରିଶି ହୋଇ କାମ କରୁଥିବା ରାଜ୍ୟ ସରକାରଙ୍କର ସମସ୍ତ ପଦକ୍ଷେପ ପ୍ରତି ସଜାଗ ରହିବାକୁ ପଡ଼ିବ ।
Comments
0 comments