ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଭାରତର ନୁହଁ, ବରଂ ଭାରତର ହିନ୍ଦୁମାନଙ୍କର ସବୁଠାରୁ ବିଶ୍ୱସ୍ତ ପ୍ରତିନିଧି ହିସାବରେ ନିଜକୁ ଦେଖି ଆସିଛନ୍ତି । ଏବେ କେବଳ ଭାରତରେ ନୁହଁ, ବିଶ୍ୱର ବିଭିନ୍ନ ସ୍ଥାନ ବୁଲି ହିନ୍ଦୁ ମନ୍ଦିର ନିର୍ମାଣ କରିବା କାମରେ ନିଜକୁ ନିୟୋଜିତ କରି ଚାଲିଛନ୍ତି । ଦୁର୍ବଳମନା ହିନ୍ଦୁମାନଙ୍କ ଭିତରେ ‘ବିଶ୍ୱଗୁରୁ’ ସ୍ଥାନନେଇ ଇତିହାସ ରଚନା କରିବା ପାଇଁ ମୋଦୀଙ୍କର ଉଦ୍ୟମ ପ୍ରବଳ ପ୍ରଚାର ଭିତରେ ଚାଲିଛି । ସଂଘ ପରିବାର ଭିତରୁ ଏହାର ସମସ୍ତ ସଂଗଠନଗୁଡ଼ିକ ସବୁ ମନ୍ଦିର ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକର ଯେମିତି ନିର୍ବାଚନୀ ରାଜନୀତିରେ ସକରାତ୍ମକ ପ୍ରଭାବ ପଡ଼ିବ, ସେଥିପାଇଁ ସମସ୍ତପ୍ରକାର ମାଧ୍ୟମ, ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମଗୁଡ଼ିକୁ ବ୍ୟବହାର କରି ୨୪ଘଣ୍ଟିଆ କାର୍ଯ୍ୟକ୍ରମମାନ କରିଚାଲିଛନ୍ତି । ମସଜିଦ୍ ଖୋଳି ମନ୍ଦିର ବାହାର କରିବାପାଇଁ ସୁଚିନ୍ତିତ ଯୋଜନା ରୀତିମତ ଚାଲିଛି । ଏଥିରେ ଭାରତ ସରକାରଙ୍କର ପ୍ରତ୍ନତତ୍ତ୍ୱ ବିଭାଗ ଏବଂ ଭାରତୀୟ ଜନତାପାର୍ଟି ବା ଭାଜପା ଶାସିତ ରାଜ୍ୟର ବିଚାରବ୍ୟବସ୍ଥା ପୂର୍ଣ୍ଣମାତ୍ରାରେ ସହଯୋଗ କରୁଛନ୍ତି । ପୋଲିସ ତଥା ପ୍ରଶାସନ ଏହି ସବୁ ରାଜ୍ୟରେ କ୍ରୀତଦାସ ଅବସ୍ଥାକୁ ଚାଲିଆସିଛନ୍ତି । ଦେଶର ସମ୍ବିଧାନକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖାକରି ବରଂ କହିବା ଠିକ୍ ହେବ ଯେ ଉପହାସ କରି ନରେନ୍ଦ୍ର ମୋଦୀ ମନ୍ଦିର ପ୍ରକଳ୍ପକୁ ନିଜ ରାଜନୈତିକ ଜୀବନର ଏକମାତ୍ର ଲକ୍ଷ୍ୟ ହିସାବରେ ହିନ୍ଦୁମାନଙ୍କ ଭିତରେ ଉପସ୍ଥାପନ କରିଚାଲିଛନ୍ତି । ଅନ୍ୟ ଧର୍ମାବଲମ୍ବୀମାନଙ୍କ ମନରେ ଆତଙ୍କ ଆସିବା ସ୍ୱାଭାବିକ କଥା । ସେମାନଙ୍କ ଭିତରୁ କିଛି ଶାସକଙ୍କ ହାତବାରିସୀ ସାଜି (ବ୍ୟକ୍ତିଗତ ଭାବରେ) ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରୁଥିବାବେଳେ ଅଧିକାଂଶ ଆତଙ୍କର ପ୍ରଭାବରେ ନିରବ ହୋଇଯାଇଛନ୍ତି । ଓଡ଼ିଶାରେ ନବୀନ ବାବୁ ଗୋଟିଏ ପାଦ ଆଗକୁଯାଇ ମନ୍ଦିର ସହିତ ଔପଚାରିକତା ଦୃଷ୍ଟିରୁ ହେଲେ ବି ମସ୍ଜିଦ ଓ ଗୀର୍ଜାମାନଙ୍କର ବିକାଶ ପାଇଁ ଧ୍ୟାନ ଦେଉଥିବାର ଧାରଣା ସୃଷ୍ଟି କରିପାରିଛନ୍ତି । ତେବେ ସଂଖ୍ୟାଲଘୁଙ୍କ ମନରେ ଏଠି ଭୟ ବା ଆତଙ୍କ ନାହିଁ, ଏହିକଥା କହିହେବ ନାହିଁ । ଧର୍ମ କିନ୍ତୁ ଏହି ଭିତରେ ଏକ ବ୍ୟକ୍ତିଗତ ବ୍ୟାପାର ହୋଇ ରହିନାହିଁ । ଟଙ୍କା କୁଆଡ଼ୁ ଆସୁଛି, ମନ୍ଦିର ନିଶାରେ ମତୁଆଲା ଭକ୍ତମାନେ ପ୍ରଶ୍ନ କରନ୍ତି ନାହିଁ । ଯେଉଁ ଟଙ୍କା ସବୁ ଖର୍ଚ୍ଚ ହେଉଛି ମନ୍ଦିର ନାଁରେ ବା ପରିକ୍ରମା ପ୍ରକଳ୍ପ ନାଁରେ; ତାହା ନିଶ୍ଚିତ ଭାବେ ନରେନ୍ଦ୍ର ମୋଦୀ ବା ନବୀନ ବାବୁଙ୍କର ପାରିବାରିକ ସମ୍ପତ୍ତିରୁ ଆସୁନାହିଁ । ସାଧାରଣ ନାଗରିକ ମାନେ କେତେ ଅନୁଦାନ ଦେଇଥିବେ, ନିଜକୁ ପ୍ରଶ୍ନ କଲେ ଉତ୍ତରଟି ମିଳିଯିବ । ଏତେ ସବୁ ଟଙ୍କା ଆସୁଛି କୁଆଡ଼ୁ? ଗୋଟିଏ ଧର୍ମନିରପେକ୍ଷ ରାଷ୍ଟ୍ରରେ ଗୋଟିଏ ନିର୍ଦ୍ଦିଷ୍ଟ ଧର୍ମର କାର୍ଯ୍ୟସୂଚୀକୁ ଜାତି ଧର୍ମ ନିର୍ବିଶେଷରେ ନିର୍ବାଚିତ ସରକାରମାନେ କାହିଁକି ପ୍ରାଧାନ୍ୟ ଦେଉଛନ୍ତି, ଏହି କଥା ଅନ୍ତତଃ କୁହାଳିଆ ଲୋକମାନଙ୍କ ମନରେ ଆସିବା କଥା । ଗୋଟିଏ ଗଣତନ୍ତ୍ରରେ ସଂଖ୍ୟାଧିକଙ୍କ ଧର୍ମପ୍ରତି ଶାସକମାନଙ୍କର ଦୁର୍ବଳତା ବା ତାକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର ହେବାର ମାନସିକତା ଗଣତନ୍ତ୍ରକୁ ଅଧିକ ଦୁର୍ବଳ କରିବାର ସମ୍ଭାବନା ଥାଏ । ଏମିତିରେ ବି ଦେଖାଯାଉଛି ଯେ ବିଶ୍ୱରେ ଗଣତନ୍ତ୍ର ଗୁଡ଼ିକ ସଙ୍କଟ ଦେଇ ଗତି କରୁଛନ୍ତି ଏବଂ ଭାରତରେ ଏହି ସଙ୍କଟଟି ତୀବ୍ର ରୂପ ନେଇଛି । ଗଣତନ୍ତ୍ରରେ ସଙ୍କଟ ମୋଟାମୋଟି ଭାବେ ଆର୍ଥିକ ଉଦାରବାଦ ତଥା ଅର୍ଥନୈତିକ ସଂସ୍କାର ଯୁଗ ଆରମ୍ଭ ହେବାପରେ ଅଧିକ ଦେଖିବାକୁ ମିଳିଛି । ଭାରତରେ ଏହି ସଂସ୍କାରପର୍ବର ପ୍ରଭାବ ଅଧିକ ପଡ଼ିବା ଭଳି ମନେ ହେଉଛି । ଲୋକେ ନିଜ ବିବେକକୁ ପଚାରି ଉଚିତ୍ ଭାବେ ନିଜର ମୂଲ୍ୟବାନ ଭୋଟର ବ୍ୟବହାର କରିବା ଗୋଟିଏ ଗୁରୁ ଦାୟିତ୍ୱ, ଏକଥା ସେମାନେ ନିଜେ ଅନୁଭବ କରୁ ନାହାନ୍ତି ବା ତାଙ୍କୁ ଅନୁଭବ କରିବା ପାଇଁ ଅବସର ଦିଆଯାଉ ନାହିଁ । ଲୋକଙ୍କ ଭାଗାବେଗକୁ ନେଇ ଖେଳିବା ଏବଂ ତତ୍କାଳିକ ସୁଖ-ସୁବିଧା ଯୋଗାଇ ଦେବାର ଭ୍ରମ ସୃଷ୍ଟି କରିବା ଭିତରେ ଗଣତନ୍ତ୍ରକୁ ଭୋଟତନ୍ତ୍ରରେ ପରିଣତ କରିଦିଆଯାଇଛି । ସେହି ଭୋଟତନ୍ତ୍ରକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଶାସକ ଦଳମାନେ ସବୁ ପ୍ରକାର ଅନୁଷ୍ଠାନ ଓ ମାଧ୍ୟମଗୁଡ଼ିକର ବ୍ୟବହାର କରିଆସୁଛନ୍ତି । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ଫେବୃୟାରୀ ୧୫,୨୦୨୪ରେ ଉଚ୍ଚତମ ନ୍ୟାୟାଳୟର ‘ଇଲେକ୍ଟ୍ରାଲ୍/ନିବାଚନୀ ବଣ୍ଡ୍’ ସମ୍ପର୍କିତ ରାୟକୁ ଗଣତନ୍ତ୍ରର ସ୍ଥିତି ସମ୍ପର୍କରେ ଚିନ୍ତିତ ଥିବା ବ୍ୟକ୍ତିମାନେ ‘ଐତିହାସିକ’ କହିପାରନ୍ତି ଏବଂ ଏହା ମଧ୍ୟ ଆଜିର ଦିନରେ ଏକ ସ୍ୱାଗତଯୋଗ୍ୟ ରାୟ କିନ୍ତୁ ଏହି ରାୟଟି ଗୋଟିଏ ଗଣତନ୍ତ୍ରକୁ ଗଣଙ୍କ ପାଖକୁ ନେଇ ଆସିବାରେ କେତେ ସହାୟକ ହେବ, ତାହା ଏକ ପ୍ରଶ୍ନବାଚୀ ହୋଇରହିବ!
ନିର୍ବାଚନୀ ବଣ୍ଡ୍ ‘ଅସାମ୍ବିଧାନିକ’ ।
ଫେବୃୟାରୀ ୧୫, ୨୦୨୪ ଦିନ ମାନ୍ୟବର ଉଚ୍ଚତମ ନ୍ୟାୟଳୟ କ’ଣ କହିଛନ୍ତି ପ୍ରଥମେ ଦେଖାଯାଉ ଏବଂ ତାହାପରେ ଆମେ ଯାହା ‘ସମଦୃଷ୍ଟି’ ସମ୍ପାଦକୀୟ (ନଭେମ୍ବର ୦୧-୧୫, ୨୦୨୩)ରେ ଲେଖିଥିଲୁ ତାକୁ ଏକାଠି ମିଶାଇ ଆଉଥରେ ଅନୁଧ୍ୟାନ କରାଯାଉ । ନିର୍ବାଚନୀ ବଣ୍ଡ୍ର ବୈଧତାକୁ ନେଇ ଦାଖଲ ହୋଇଥିବା କେତୋଟି ମାମଲାର ଶୁଣାଣି ୩ମାସ ତଳେ ସରିଯିବା ପରେ ଏହିଦିନ ନିଜର ସଂରକ୍ଷିତ ରାୟକୁ ପ୍ରକାଶ କରି ମୁଖ୍ୟ ନ୍ୟାୟାଧୀଶଙ୍କର ନେତୃତ୍ୱରେ ଚାଲିଥିବା ୫ଜଣିଆ ଖଣ୍ଡପୀଠ ଏକ ସର୍ବସମ୍ମତ ରାୟରେ ଘୋଷଣା କଲେ ଯେ ନିର୍ବାଚନୀ ବଣ୍ଡ୍ ‘ଅସାମ୍ବିଧାନିକ’ । ସେମାନେ ଗୋଟିଏ ସ୍ୱରରେ କହିଲେ ଯେ ଏହି ଯୋଜନାଟି ସମ୍ବିଧାନର ଧାରା ୧୯(୧)(କ)ର ଉଲଙ୍ଘନ କରୁଛି । କେବଳ ସେତିକି ନୁହଁ, ଏହି ଯୋଜନା ପାଇଁ କମ୍ପାନୀ କାନୁନ୍ରେ କରାଯାଇଥିବା ସଂଶୋଧନକୁ ମଧ୍ୟ ଅସାମ୍ବିଧାନିକ ଘୋଷଣା କଲେ । କେବଳ ଯେ ଏହା ନାଗରିକଙ୍କ ସୂଚନା ଅଧିକାର ଉଲଙ୍ଘନ କରୁନାହିଁ ବରଂ ଯିଏ ଏହି ଯୋଜନାରେ ଗୋଟିଏ ଶାସକ ଦଳକୁ ‘ନିର୍ବାଚନୀ ବଣ୍ଡ୍’ କିଣି ଯୋଗାଇବ, ସେ ସେହି ଦଳଠାରୁ କିଛି ଲାଭ ମଧ୍ୟ ଆଶା କରିବ । ଗୋଟିଏ ନାଗରିକର ଅଧିକାର ସହ ଗୋଟିଏ କମ୍ପାନୀର ଅଧିକାରକୁ ସମତୁଲ କରି ଦେଖିହେବ ନାହିଁ । ଯଦି ସ୍ୱଚ୍ଛତା ଆଣିବାର ଅଛି, ତେବେ ସରକାରଙ୍କ ପାଖରେ ଅନେକ ବିକଳ୍ପ ମଧ୍ୟ ରହିଛି । ଏଥିସହିତ ଉଚ୍ଚତମ ନ୍ୟାୟାଳୟ ଭାରତୀୟ ଷ୍ଟେଟ ବ୍ୟାଙ୍କକୁ ନିର୍ବାଚନୀ ବଣ୍ଡ୍ ବିକିବାର କାମଟିକୁ ତୁରନ୍ତ ବନ୍ଦ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପ୍ରିଲ ୧୨, ୨୦୧୯ଠାରୁ କେଉଁ ଦଳ କାହାଠାରୁ କେତେ ଟଙ୍କାର ନିର୍ବାଚନୀ ବଣ୍ଡ୍ ପାଇଛନ୍ତି, ତାହାର ସବିଶେଷ ତଥ୍ୟ ୩ସପ୍ତାହ ଭିତରେ ଅର୍ଥାତ୍ ମାର୍ଚ୍ଚ ୬,୨୦୨୪ ସୁଦ୍ଧା ଭାରତର ନିର୍ବାଚନ କମିଶନଙ୍କ ଆଗରେ ଦାଖଲ କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ଆୟୋଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ସବୁ ତଥ୍ୟ ଗୁଡ଼ିକୁ ମାର୍ଚ୍ଚ ୧୩,୨୦୨୪ସୁଦ୍ଧା ନିଜ ୱେବସାଇଟରେ ସ୍ଥାନିତ କରିବାକୁ, ଯାହା ଫଳରେ ଭାରତର ନାଗରିକମାନେ ଜାଣିପାରିବେ କାହାକୁ କେଉଁ ଲୋକ ବା କମ୍ପାନୀ କେତେ ଟଙ୍କା ‘ନିର୍ବାଚନୀ ବଣ୍ଡ୍’ ମାଧ୍ୟମରେ ଦେଇଛନ୍ତି । ଏହି ଖଣ୍ଡପୀଠରେ ପ୍ରଧାନ ବିଚାରପତି ଡଃ ଡ଼ି.ୱାଇ ଚନ୍ଦ୍ରଚୁଡ଼ଙ୍କ ସହିତ ଅନ୍ୟ ଯେଉଁ ବିଚାରପତିମାନେ ଏକମତ ହୋଇ ରାୟ ଦେଇଥିଲେ, ସେମାନେ ହେଲେ ନ୍ୟାୟମୂର୍ତ୍ତି ଶ୍ରୀ ସଂଜୀବ ଖାନ୍ନା, ଶ୍ରୀ ବି.ଆର୍ ଗଭାଇ, ଶ୍ରୀ ଜେ.ବି ପାଡ଼ିୱାଲା ଓ ଶ୍ରୀ ମନୋଜ ମିଶ୍ର । ଶ୍ରୀ ଖାନ୍ନା କେବଳ ନିଜର ତର୍କଟିକୁ ଭିନ୍ନଭାବେ ଉପସ୍ଥାପନା କରିଥିଲେ ଯଦିଓ ସମସ୍ତେ ଏକମତ ହୋଇ ରାୟ ପ୍ରକାଶ କରିଥିଲେ ।
ଏଠି ଆମେ ପୂର୍ବରୁ (ନଭେମ୍ବର ୦୧-୧୫, ୨୦୨୩) ଯାହା କହିଥିଲୁ ପ୍ରାସଙ୍ଗିକତା ଦୃଷ୍ଟିରୁ କିଛି ଅଂଶ ଉପସ୍ଥାପନା କରୁଛୁ । “….. ‘ଇଲେକ୍ଟରାଲ ବଣ୍ଡ୍’ କଥାଟି ଆମ ଦେଶରେ ଆଗରୁ ନଥିଲା । ୨୦୧୪ମସିହାରେ ବିପୁଳ ଅର୍ଥବ୍ୟୟ କରି ନିର୍ବାଚନ ଅଭିଯାନ ଆୟୋଜନ କରିଥିବା ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ଏବଂ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ପରେ ଏଭଳି ଏକ ନିର୍ବାଚନ ପାଣ୍ଠି ସଂଗ୍ରହ ପାଇଁ ଆଇନଗତ ଉଦ୍ୟମ ଆରମ୍ଭ ହେଲା । ସିଧାସଳଖ ଏଥିପାଇଁ ଆଇନ ଆଣିବାପାଇଁ ପ୍ରୟାସ ନକରି (ଯେହେତୁ ରାଜ୍ୟସଭାରେ ଏହିଦଳର ସଂଖ୍ୟା ନଥିଲା ଏବଂ ଆଇନଟି ଆଗତ ନ ହୋଇପାରିବାର ଆଶଙ୍କା ଥିଲା) ୨୦୧୭ ମସିହାରେ ଫାଇନାନ୍ସ୍ ବିଲ୍ ଭିତରେ ‘ଇଲେକ୍ଟରାଲ ବଣ୍ଡ୍’ କଥାଟି ରଖାଯାଇ ନିଜର ସଂଖ୍ୟାଗରିଷ୍ଠତାକୁ ମାଧ୍ୟମକରି ତାହାକୁ ପାରିତ କରାଯାଇ ଥିଲା । ଫାଇନାନ୍ସ ବିଲ୍ କେବଳ ଲୋକସଭାରେ ହିଁ ଆଗତ ହୁଏ ଏବଂ ରାଜ୍ୟସଭା ସଂଶୋଧନପାଇଁ କେବଳ କିଛି ପ୍ରସ୍ତାବ ଦେଇପାରେ । ୨୦୧୮ ଜାନୁଆରୀ ମାସରୁ ‘ଇଲେକ୍ଟରାଲ ବଣ୍ଡ୍’ ସମ୍ବଧିତ ଏହି ବିଲ୍ଟି ଆଇନରେ ରୂପାନ୍ତରିତ ହୋଇ କାର୍ଯ୍ୟକାରୀ ହୋଇଚାଲିଛି । ଏହାଫଳରେ ପଞ୍ଜିକୃତ ରାଜନୈତିକ ଦଳମାନଙ୍କୁ ‘ଇଲେକ୍ଟରାଲ ବଣ୍ଡ୍’ କିଣି ବ୍ୟକ୍ତି ବା କମ୍ପାନୀମାନେ ପ୍ରଦାନ କରିପାରିବେ, ଯଦି ସମ୍ପୃକ୍ତ ଦଳଟି ଗତ ନିର୍ବାଚନରେ ସମଗ୍ର ମତଦାନର ଶତକଡ଼ା ୧ଭାଗ ମତ ବା ଭୋଟ ପାଇଥିବ । ଅର୍ଥାତ୍ ଛୋଟଦଳମାନେ କେତେ ଭଲକାମ କରିବାର ପ୍ରତିଶୃତି ରଖିଲେ ବି ଏହି ‘ଇଲେକ୍ଟରାଲ ବଣ୍ଡ୍’ ସେମାନଙ୍କୁ ମିଳିବ ନାହିଁ । ଏମିତିରେ ସି.ପି.ଆଇ, ଜନତା ଦଳ (ଧର୍ମନିରପେକ୍ଷ), ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଯିଏ ଏବେ ସେଠି ସରକାରରେ ଅଛନ୍ତି), ସି.ପି.ଆଇ (ଏମ୍.ଏଲ୍) ଲିବରେସନ ଭଳି ଅନେକ ଦଳ ଯେଉଁମାନେ ୨୦୧୪ରେ ଶତକଡ଼ା ୧ଭାଗ ଭୋଟ ପାଇନାହାନ୍ତି, ସେମାନେ ଏହି ‘ଇଲେକ୍ଟରାଲ ବଣ୍ଡ୍’ର ଫାଇଦା ନେଇପାରିନାହାଁନ୍ତି । ସି.ପି.ଆଇ (ମାର୍କ୍ସବାଦୀ)ଦଳ ‘ଇଲେକ୍ଟରାଲ ବଣ୍ଡ୍’ ପାଇବାପାଇଁ ଯୋଗ୍ୟଥିଲେ ବି ସେମାନେ ନୀତିଗତ ଭାବେ ଏହି ବ୍ୟବସ୍ଥାକୁ ବିରୋଧ କରିଛନ୍ତି ଏବଂ ସେଥିପାଇଁ ଏବେ ସେମାନେ ଉଚ୍ଚତମ ନ୍ୟାୟାଳୟରେ ଆଶ୍ରୟ ନେଇଛନ୍ତି । ଏହି ‘ଇଲେକ୍ଟରାଲ ବଣ୍ଡ୍’ ବ୍ୟବସ୍ଥାରେ ୧ହଜାର ଟଙ୍କାରୁ ଆରମ୍ଭ କରି ୧କୋଟି ଟଙ୍କା ଯାଏଁ ଜଣେ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ବଣ୍ଡ୍ଟିଏ କିଣି ବଣ୍ଡ୍ ଗ୍ରହଣ କରିବାପାଇଁ ଯୋଗ୍ୟ ଗୋଟିଏ ରାଜନୈତିକ ଦଳକୁ ଦାନ ଦେଇପାରିବେ । ତାଙ୍କର ପରିଚୟ ଏବଂ ସେ ବଣ୍ଡ୍ ପ୍ରଦାନ କରିଥିବା ଦଳଟିର ପରିଚୟ ଗୋପନୀୟ ରହିବ । ଏଭଳି ଏକ ବ୍ୟବସ୍ଥା ଫଳରେ ୨୦୨୧-୨୨ ସୁଦ୍ଧା ୭ଟି ଜାତୀୟ ସ୍ତରର ରାଜନୈତିକ ଦଳ ଏବଂ ୨୪ଟି ଆଞ୍ଚଳିକ ରାଜନୈତିକ ଦଳ ସମୁଦାୟ ୯ହଜାର ୧ଶହ ୮୮କୋଟି ୩୫ଲକ୍ଷ ଟଙ୍କା ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ପାଇଛନ୍ତି । କେଉଁଦଳ କେତେ ଟଙ୍କା ପାଇଛନ୍ତି, ସେହି କଥା ସେମାନେ ନିର୍ବାଚନ ଆୟୋଗକୁ ଜଣାଇଛନ୍ତି । କିନ୍ତୁ କିଏ ଏମାନଙ୍କୁ କେତେ ଟଙ୍କା ଦେଇଛନ୍ତି ସେ କଥା କେବଳ ସେମାନେ ନିଜେ, ଭାରତୀୟ ଷ୍ଟେଟବ୍ୟାଙ୍କ ଏବଂ ଭାରତର ରିର୍ଜଭ୍ ବ୍ୟାଙ୍କ ଜାଣିଥିବେ ନିଶ୍ଚୟ । ଭାରତର ଅର୍ଥ ମନ୍ତ୍ରଣାଳୟ ତଥା ଭାରତ ସରକାର ମଧ୍ୟ ସବୁ ସୂଚନା ପାଇଥିବେ । କିନ୍ତୁ ଭାରତର ଜନଗଣଙ୍କ ପାଇଁ କୌଣସି ସୂଚନା ପାଇବାର ସୁଯୋଗ ନାହିଁ ।
ଆସୋସିଏସନ୍ ଅଫ ଡେମୋକ୍ରେଟିକ ରିଫର୍ମସ୍ (ଏ.ଡ଼ି.ଆର) ମୁତାବକ ୨୦୧୭-୧୮ ଓ ୨୦୨୧-୨୨ ଆର୍ଥିକ ବର୍ଷରେ ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ଅର୍ଥ ଅନୁଦାନ ପାଇବା ପରିମାଣଟି ଶତକଡ଼ା ୭୪୩ଭାଗ ବୃଦ୍ଧି ପାଇଛି । ଠିକ୍ ଏହି ସମୟରେ କର୍ପୋରେଟ ଚାନ୍ଦା (ଯେଉଁଥିରେ ଗୋପନୀୟତା ରଖାଯାଇ ନଥାଏ) ମାତ୍ର ୪୮ପ୍ରତିଶତ ବୃଦ୍ଧି ପାଇଛି । ଏମାନଙ୍କ ମତରେ ସବୁଠାରୁ ଅଧିକ ‘ଇଲେକ୍ଟରାଲ ବଣ୍ଡ୍’ କେନ୍ଦ୍ରରେ ଶାସନରେ ଥିବା ଏବଂ ଏହି ଆଇନଟିକୁ ଆଣିଥିବା ଭାରତୀୟ ଜନତା ପାର୍ଟି ପାଇଛନ୍ତି । ସେମାନେ ପାଇଥିବା ‘ଇଲେକ୍ଟରାଲ ବଣ୍ଡ୍’ର ପରିମାଣ ହେଉଛି ୫୨୭୧କୋଟି ଟଙ୍କା । ତାହା ପଛକୁ ବହୁତ ଦୂରରେ ରହିଛି ଭାରତୀୟ ଜାତୀୟ କଂଗ୍ରେସ ଯାହାର ‘ଇଲେକ୍ଟରାଲ ବଣ୍ଡ୍’ର ମୂଲ୍ୟ ହେବ ୯୫୨ କୋଟି ଏବଂ କଂଗ୍ରେସର ପାଖାପାଖି ଅଛି ତୃଣମୂଳ କଂଗ୍ରେସ ଯାହାର ‘ଇଲେକ୍ଟରାଲ ବଣ୍ଡ୍’ର ପରିମାଣ ହେଉଛି ୭୬୭ କୋଟି ଟଙ୍କା । ଆମ ଓଡ଼ିଶାର ବିଜୁ ଜନତା ଦଳ କିଛି ପଛରେ ନାହିଁ । ଏମାନେ ମଧ୍ୟ ୬୨୨ କୋଟି ଟଙ୍କା ‘ଇଲେକ୍ଟରାଲ ବଣ୍ଡ୍’ ମାଧ୍ୟମରେ ପାଇଛନ୍ତି ।
ଆମେ ସେହି ଦୃଷ୍ଟିରୁ ବିଚାର କରିବା କଥା ଯେ ଗଣତନ୍ତ୍ରରେ ‘ଇଲେକ୍ଟରାଲ ବଣ୍ଡ୍’ କେଉଁ ଯୁଗର ସୂତ୍ରପାତ କରୁଛି । ଏଠି ରାଜନୈତିକ ଦଳମାନେ ଜନଗଣଙ୍କ ପାଖକୁ ଯାଇ, ସେମାନଙ୍କ କଥା ଓ ଦରଦ ବୁଝି, ପ୍ରକୃତି ଓ ପରିବେଶ ସହ ତାଳଦେଇ ଚିରସ୍ଥାୟୀ ବା ସହନଶୀଳ ଯୋଜନା ପ୍ରସ୍ତୁତ କରିବାର ଆବଶ୍ୟକତା ଅନୁଭବ କରିପାରୁ ନାହାନ୍ତି । ସେମାନଙ୍କ ପାଇଁ ପ୍ରତ୍ୟେକଟି ଦିନ ପୁଞ୍ଜି ବା ଟଙ୍କା ସଂଗ୍ରହର ଦିନ ହୋଇଯାଇଛି । ଏହି ଟଙ୍କା ଶ୍ରମଜୀବୀ, କର୍ମଜୀବୀ, ଚାଷୀ, ଛୋଟଛୋଟ କାମକରି ଜୀବିକା ଅର୍ଜନ କରୁଥିବା ଲୋକେ ଇତ୍ୟାଦି କେବେ ବି ଦେଇପାରିବେ ନାହିଁ । ଯିଏ ‘ଇଲେକ୍ଟରାଲ ବଣ୍ଡ୍’ କିଣି ଶାସନକୁ ଆସିବାର ସମ୍ଭାବନା ଥିବା ଗୋଟିଏ ଦଳକୁ ଅନୁଦାନ ଦେଇଥାଏ, ସେ ମଧ୍ୟ ଶାସନକୁ ଆସିବା ପରେ ସେହି ଦଳଠାରୁ ନିଜପାଇଁ ବହୁତ କିଛି ପାଇବାର ପ୍ରତିଶୃତି ପୂର୍ବରୁ ନିଶ୍ଚିତ କରିଥାଏ । ୨୦୧୪ ନିର୍ବାଚନରେ ଗୌତମ ଆଦାନୀ ଓ ମୁକେଶ ଅମ୍ବାନୀଙ୍କ ଭଳି ଯେଉଁମାନେ ମୋଦୀଙ୍କର ନିର୍ବାଚନ ପ୍ରଚାର ଅଭିଯାନ ପାଇଁ ଦେଶବ୍ୟାପି ହାତଖୋଲି ଦେଇଥିଲେ, ସେମାନେ ଏବେ ସମଗ୍ର ଦେଶର ସମ୍ପତ୍ତି ନିଜ ହାତକୁ ପ୍ରାୟତଃ ନେଇ ସାରିଲେଣି….”
ଛୋଟ ଛୋଟ ରାଜନୈତିକ ଦଳ ମାନଙ୍କର ନିର୍ବାଚନ ପକ୍ରିୟାରେ ଅଂଶଗହଣ କରିବା ଆଶା ଅଧିକରୁ ଅଧିକ କ୍ଷୀଣ ।
ଆମକୁ ମନେ ରଖିବାକୁ ହେବ ଯେ ଭାରତରେ ନିର୍ବାଚନ ଲଢ଼ୁଥିବା ଶାସକ ଦଳମାନେ ଏବଂ ବିଶେଷ କରି ଗତ ୨୦୧୪ ନିର୍ବାଚନ ବେଳେ ରାଜାଧିରାଜ ଅବତାରରେ ନରେନ୍ଦ୍ର ମୋଦୀ ଜାତୀୟ ପୃଷ୍ଠଭୂମିରେ ପଦାର୍ପଣ କରିବା ଭିତରେ ନିର୍ବାଚନୀ ପ୍ରକ୍ରିୟା ମାତ୍ରାଧିକ ଖର୍ଚ୍ଚବହୁଳ ହୋଇଯାଇଛି । ସେହି ଦୃଷ୍ଟିରୁ ନିର୍ବାଚନ ତନ୍ତ୍ରଟି ଜନଗଣଙ୍କ ଅପେକ୍ଷା ବେଶୀ କର୍ପୋରେଟ ଜଗତ ଓ ଏମାନଙ୍କର ପୃଷ୍ଠପୋଷକତାରେ ଚାଲିଥିବା ଗଣମାଧ୍ୟମଗୁଡ଼ିକ ଉପରେ ଅଧିକ ନିର୍ଭରଶୀଳ ହୋଇସାରିଛି । ‘ନିର୍ବାଚନୀ ବଣ୍ଡ୍’ ସମ୍ପର୍କିତ ଉଚ୍ଚତମ ନ୍ୟାୟାଳୟଙ୍କ ରାୟଟିକୁ ସ୍ୱାଗତ କଲାବେଳେ ଏହି କଥା ମଧ୍ୟ ମନେରଖିବା କଥା ଯେ ଏହି ବଣ୍ଡ୍ ଯୋଜନା ଆସିବାର ବହୁ ପୂର୍ବରୁ ନିର୍ବାଚନ ଅଭିଯାନ ବ୍ୟୟବହୁଳ ହୋଇସାରିଛି । ୨୦୧୯ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦୀ ‘ଅଭୂତପୂର୍ବ’ ବିଜୟ ଲାଭକରି କ୍ଷମତାକୁ ଫେରିବା ପରେ ‘ସେଣ୍ଟର ଫର ମିଡ଼ିଆ ଷ୍ଟଡ଼ିଜ୍’ ତରଫରୁ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଥିଲା ଯେ ୨୦୧୯ର ସାଧାରଣ ନିର୍ବାଚନଟି ବିଶ୍ୱର ସବୁଠାରୁ ଖର୍ଚ୍ଚବହୁଳ ନିର୍ବାଚନ ଥିଲା । ଏଥିରେ ୮ବିଲିୟନ୍ ଆମେରିକିୟ ଡ଼ଲାର (ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଏହା ପୂର୍ବରୁ ୬.୫ ବିଲିୟନ ଡ଼ଲାର ଖର୍ଚ୍ଚ ହୋଇଥିଲା)ବା ୫୫ହଜାର କୋଟି ଭାରତୀୟ ଟଙ୍କା ଖର୍ଚ୍ଚ ହୋଇଥିଲା । ଅଧାରୁ ଅଧିକ ଟଙ୍କା କେବଳ ଶାସକ ଭାଜପା ଦଳ ଖର୍ଚ୍ଚ କରିଥିଲେ । ତେବେ ଯଦି ଗତ ୨୧ବର୍ଷର ଖର୍ଚ୍ଚ ହିସାବକୁ ନିଆଯାଏ, ତେବେ ଦେଖାଯିବ ଯେ ୧୯୯୮ ମସିହାର ସାଧାରଣ ନିର୍ବାଚନରେ ୯ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ୨୦୧୯ ବେଳକୁ ଏହା ୬ଗୁଣାରୁ ଅଧିକ ବଢ଼ି ୫୫ହଜାର କୋଟି ଟଙ୍କାରେ ପହଞ୍ଚିଛି । ଆଜିର ସମୟରେ ୨ଟି ପ୍ରମୁଖ କଥା ଦେଖିବାକୁ ମିଳୁଛି । ଗୋଟିଏ ହେଲା ଜନଗଣଙ୍କୁ ଗଣତନ୍ତ୍ରର ନାଗରିକ ହିସାବରେ ଦେଖାଯାଉ ନାହିଁ । ସେମାନଙ୍କୁ ଗୋଟିଏ ଗୋଟିଏ ସଉଦା କରୁଥିବା ଭୋଟର ହିସାବରେ ବା ‘ଭୋଟତନ୍ତ୍ର’ର ଉପଭୋକ୍ତା ହିସାବରେ ଶାସକ ଦଳମାନେ ଦେଖୁଛନ୍ତି । ଗୋଟିଏ ରାଜନୈତିକ ଦଳକୁ କେବଳ ପର୍ଯ୍ୟାପ୍ତ ପାଣ୍ଠି ଦରକାର । ସେହି ଭୋଟଗୁଡ଼ିକୁ କିଣିବା ପାଇଁ ବା ସେମାନଙ୍କୁ ପ୍ରଭାବିତ କରିପାରୁଥିବା ମାଧ୍ୟମଗୁଡ଼ିକୁ କିଣିବା ପାଇଁ ।
ଦ୍ୱିତୀୟ କଥାଟି ଯାହାକି ଅଧିକ ଗୁରୁତ୍ୱପୂର୍ଣ୍ଣ ମନେହୁଏ ତାହା ହେଲା ‘ନିର୍ବାଚନୀ ବଣ୍ଡ୍’ ଥାଉ ବା ନଥାଉ ଲୋକଙ୍କ ସାଙ୍ଗରେ ବା ଜନଗଣଙ୍କ ପ୍ରସଙ୍ଗରେ ବର୍ଷତମାମ ସାଥି ଦେଇ ଆସୁଥିବା ଛୋଟ ଛୋଟ ରାଜନୈତିକ ଦଳ ମାନଙ୍କର ନିର୍ବାଚନ ପକ୍ରିୟାରେ ଅଂଶଗହଣ କରିବା ଆଶା ଅଧିକରୁ ଅଧିକ କ୍ଷୀଣ ହୋଇଚାଲିଛି; ଯାହାକି ଆମ ଗଣତନ୍ତ୍ରପାଇଁ ଅଧିକ ବିପଦପୂର୍ଣ୍ଣ ମନେହୁଏ । ସେହି ଦୃଷ୍ଟିରୁ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ସ୍ୱାଗତ କଲାବେଳେ ଗଣତନ୍ତ୍ରକୁ କିଭଳି ଆର୍ଥିକ ପୁଞ୍ଜି ଦ୍ୱାରା ସୃଷ୍ଟି କରାଯାଇଥିବା ଚକ୍ରବ୍ୟୁହ ଭିତରୁ ଉଦ୍ଧାର କରାଯାଇ ପାରିବ, ସେ ସମ୍ପର୍କରେ ଆମେ ନିଷ୍ଠାର ସହିତ ଚିନ୍ତା କରିବା ଦରକାର ।
Comments
0 comments