ଇକୋସାଇଡ଼ ଗ୍ରୀକ ଶବ୍ଦ (ଓଇକୋ) ଘର ଏବଂ ଲାଟିନ୍ ଶବ୍ଦ (ସାଇଡର)ର ହତ୍ୟା ସମାହାରରେ ତିଆରି ହୋଇଛି ଯାହାକି ମଣିଷମାନଙ୍କ ଦ୍ୱାରା ପ୍ରକୃତିର ବ୍ୟାପକ ଧ୍ୱଂସସାଧନକୁ ବୁଝାଇଥାଏ । ଇକୋସାଇଡର ଓଡ଼ିଆ ଅର୍ଥ ପରିସ୍ଥିକୀର ସାମୂହିକ ବିନାଶ ବା ପରିସ୍ଥିକୀର ହତ୍ୟା । ପରିସଂସ୍ଥାନକୁ ବଳବତ୍ତର ରଖିବା ଏବଂ ଭବିଷ୍ୟତ ବଂଶଧରମାନଙ୍କୁ ବଞ୍ଚାଇ ରଖିବା ପାଇଁ ପରିସଂସ୍ଥାନଗୁଡ଼ିକର ସାମର୍ଥ୍ୟକୁ ସୁନିଶ୍ଚିତ କରିବା ସକାଶେ ପ୍ରାକୃତିକ ସମ୍ବଳ ଉପରେ ନିର୍ଭରଶୀଳ ମଣିଷସମାଜ ପାଇଁ ପରିସ୍ଥିକୀର ହତ୍ୟା ବଡ଼ଧରଣର ବିପଦ ସୃଷ୍ଟି କରିଛି । ଇକୋସାଇଡର ଆଇନଗତ ସଂଜ୍ଞା ନିରୂପଣ ପାଇଁ ଗଠିତ ସ୍ୱାଧୀନ ବିଶେଷଜ୍ଞମାନେ ଏପରି ବେଆଇନ ବା ବ୍ୟାପକ କ୍ଷୟକ୍ଷତି କରୁଥିବା କାର୍ଯ୍ୟ ଯାହାକି କାର୍ଯ୍ୟକଳାପଗୁଡିକ ଯୋଗୁଁ ପରିବେଶର ତୀବ୍ର ଏବଂ ବ୍ୟାପକ ବା ଦୀର୍ଘକାଳୀନ କ୍ଷତି ହେବ ବୋଲି ବର୍ଣ୍ଣନା କରିଛନ୍ତି ।
ପରିସ୍ଥିକୀର ହତ୍ୟା ଅବଧାରଣାଟି ୧୯୭୦ଦଶକରୁ ସୃଷ୍ଟି ହୋଇଛି । ଭିଏତନାମ ଯୁଦ୍ଧ ସମୟରେ ଆମେରିକା ଦ୍ୱାରା ଏଜେଣ୍ଟ ଅରେଞ୍ଜ ରସାୟନର ପ୍ରୟୋଗ ଫଳରେ ଭିଏତନାମର ପରିବେଶ ଧ୍ୱସ୍ତବିଧ୍ୱସ୍ତ ହୋଇଯିବା ପରବର୍ତ୍ତୀ କାଳରେ ଏହି ପରିସ୍ଥିକୀର ହତ୍ୟା ଶବ୍ଦଟି ଆଲୋଚନାର ପରିସରକୁ ଆସିଥିଲା । ୱାଶିଂଟନ ଡି.ସି.ଠାରେ ଅନୁଷ୍ଠିତ ଯୁଦ୍ଧ ଏବଂ ଜାତୀୟ ଉତ୍ତରଦାୟିତ୍ୱ ସମ୍ମିଳନୀରେ ପ୍ରଥମ ଥର ସକାଶେ ଏହି ଶବ୍ଦ ନଥିଯୁକ୍ତ ହୋଇଥିଲା । ଏହି ସମ୍ମିଳନୀରେ ଆମେରିକୀୟ ଉଦ୍ଭିଦବିଜ୍ଞାନୀ ତଥା ଜୈବିକ ବିଜ୍ଞାନୀ ଆର୍ଥର ଗାଲଷ୍ଟୋନ ପରିସ୍ଥିକୀର ହତ୍ୟାକୁ ନିଷିଦ୍ଧ କରିବା ସକାଶେ ଏକ ନୂତନ ଆନ୍ତର୍ଜାତିକ ରାଜିନାମା କରାଯିବାର ଆବଶ୍ୟକତା ରହିଛି ବୋଲି ପ୍ରସ୍ତାବ ଦେଇଥିଲେ ।
୧୯୭୨ ମସିହାରେ ମାନବ ପରିବେଶ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ଷ୍ଟକହୋମ୍ ସମ୍ମିଳନୀରେ ସ୍ୱିଡ଼େନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଓଲୋଫ ପାଲମେ ଭିଏତନାମ ଯୁଦ୍ଧକୁ ଏକ ପରିସ୍ଥିକୀର ସାମୂହିକ ହତ୍ୟା ବୋଲି ଅଭିହିତ କରିଥିଲେ । ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏବଂ ଚୀନ ପ୍ରତିନିଧି ଦଳର ମୁଖ୍ୟ ଟାଙ୍ଗ କେଙ୍କ ସମେତ ଅନ୍ୟମାନେ ମଧ୍ୟ ଉଭୟ ମାନବିକ ତଥା ପାରିବେଶିକ ଦୃଷ୍ଟିକୋଣରୁ ଏହି ଯୁଦ୍ଧର ନିନ୍ଦା କରିଥିଲେ ଏବଂ ପରିସ୍ଥିକୀର ହତ୍ୟାକୁ ଏକ ଆନ୍ତର୍ଜାତିକ ଅପରାଧ ଘୋଷଣା କରାଯାଉ ବୋଲି ଦାବି କରିଥିଲେ । ଏହି ଷ୍ଟକହୋମ ସମ୍ମିଳନୀରେ ପରିବେଶ ବିରୋଧରେ କରାଯାଉଥିବା ଅପରାଧ ସଂକ୍ରାନ୍ତରେ ଏକ କାର୍ଯ୍ୟଗୋଷ୍ଠୀ ଗଠନ କରାଯାଇଥିଲା । ୧୯୭୩ ମସିହାରେ ଏହି କାର୍ଯ୍ୟଗୋଷ୍ଠୀ ପକ୍ଷରୁ ମିଳିତ ଜାତିସଂଘକୁ ଏକ ଚିଠା ପରିସ୍ଥିକୀର ସାମୂହିକ ହତ୍ୟା ସନନ୍ଦ ପ୍ରଦାନ କରାଯାଇଥିଲା । ଏହି ଚିଠା ସନନ୍ଦରେ ଏକ ଆନ୍ତର୍ଜାତିକ ରାଜିନାମା କରାଯିବା ପାଇଁ ଆହ୍ୱାନ ଦେଇଥିଲା, ଯାହାକି ଇକୋସାଇଡ (ପରିସ୍ଥିକୀର ହତ୍ୟା)ର ପରିଭାଷା ନିରୂପଣ କରିବା ସହିତ ଏହାକୁ ଏକ ଯୁଦ୍ଧ ଅପରାଧରୂପେ ଏହାର ନିନ୍ଦା କରିବାରେ ସହାୟକ ହେବ ଏବଂ ଏହି ସନନ୍ଦରେ ଯୁଦ୍ଧ ହେଉ ଅଥବା ଶାନ୍ତି ସମୟରେ ମଣିଷ ସଚେତନ ବା ଅବଚେତନଭାବେ ପରିବେଶର ଅପୂରଣୀୟ କ୍ଷତି ଘଟାଇଥିଲେ ତାହା ପରିସ୍ଥିକୀର ହତ୍ୟା ବୋଲି ବିବେଚନା କରାଯାଉ ବୋଲି ଉଲ୍ଲେଖ କରିଥିଲା ।
ଭିଏତନାମ ଯୁଦ୍ଧବେଳେ ଜଙ୍ଗଲ ନଷ୍ଟ, ରୁଷିଆର ୟୁକ୍ରେନ ଆକ୍ରମଣ ବେଳେ ହୋଇଥିବା ପାରିବେଶିକ କ୍ଷତି, ଇଣ୍ଡୋନେସିଆ ଏବଂ ଆମାଜନର ବର୍ଷା ଜଙ୍ଗଲ ଧ୍ୱଂସ, ନାଇଜର ତ୍ରିକୋଣଭୂମି ଅଞ୍ଚଳରେ ପ୍ରାକୃତିକ ତୈଳ ପ୍ରଦୂଷଣ ଏବଂ ଚେର୍ଣ୍ଣୋବିଲ୍ ବିପର୍ଯ୍ୟୟ ତଥା ଭାରତ-ପାକିସ୍ତାନ ଯୁଦ୍ଧରେ ପରିସ୍ଥିକୀର ହତ୍ୟା ଭାବେ ଏହାକୁ ଉଲ୍ଲେଖ କରାଯାଇଥାଏ । ଓଲୋଫ ପାଲମେ ହିଁ ୧୯୭୨ମସିହାର ମାନବ ପରିବେଶ ସଂକ୍ରାନ୍ତୀୟ ମିଳିତ ଜାତିସଂଘର ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକା ଉପରେ ଇକୋସାଇଡ ବା ପରିସ୍ଥିକୀର ହତ୍ୟା ଅଭିଯୋଗ ଲଗାଇ ଏହି ଶବ୍ଦଟକୁ ଲୋକପି୍ରୟ କରିଥିଲେ । ଆଜି ପର୍ଯ୍ୟନ୍ତ ଶାନ୍ତି କାଳରେ ପରିସ୍ଥିକୀର ହତ୍ୟା ପାଇଁ କୌଣସି ଆଇନ ପ୍ରଯୁଜ୍ୟ ନୁହେଁ । ତେବେ ରୋମ ଷ୍ଟାଚ୍ୟୁଟ୍ ଯୋଗୁଁ କେବଳ ଯୁଦ୍ଧ ସମୟରେ ଏହା ଲାଗୁ ହୋଇପାରିବ । ପ୍ରଥମେ ଏହି ଯୋଜନା କରାଯାଇଥିଲା ଯେ, ଶାନ୍ତିକାଳରେ ପରିସ୍ଥିକୀ ହତ୍ୟାକୁ ରୋମ ଷ୍ଟାଚୁ୍ୟଟରେ ଅନ୍ତର୍ଭୁକ୍ତ କରାଯିବ ଏବଂ ଏହି ପ୍ରସ୍ତାବକୁ ବହୁ ରାଷ୍ଟ୍ର ସମର୍ଥନ ମଧ୍ୟ କରିଥିଲେ । କିନ୍ତୁ ସଂଯୁକ୍ତ ରାଜ୍ୟ, ଫ୍ରାନ୍ସ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ଆପତ୍ତି ଯୋଗୁଁ ଏହାକୁ ରୋମ୍ ଷ୍ଟାଚ୍ୟୁଟରୁ ବାଦ୍ ଦିଆଗଲା । ଅନେକଗୁଡିଏ ଦେଶରେ ପରିସ୍ଥିକୀର ହତ୍ୟା ରୋକିବା ପାଇଁ ଜାତୀୟ ଆଇନମାନ ପ୍ରଣୀତ ହୋଇସାରିଛି ଏବଂ ଆହୁରି ଅନେକଗୁଡିଏ ଦେଶରେ ଆଇନ ପ୍ରଣୟନ ପାଇଁ ଆଲୋଚନା ଚାଲିଛି । ଆଇନ ପ୍ରଣୟନ କଥା ବିଚାର କରୁଥିବା ଦେଶଗୁଡିଏ ମଧ୍ୟ ଇଉରୋପୀୟ ୟୁନିଅନର ଅନ୍ତର୍ଭୁକ୍ତ । ‘ଷ୍ଟପ୍ ଇକୋସାଇଡ ଇଣ୍ଟର ନ୍ୟାସନାଲ୍’ ଭଳି ଆହୁରି ଅନେକ ସଂସ୍ଥା ରୋମ୍ ଷ୍ଟାଚ୍ୟୁଟରେ ପରିସ୍ଥିକୀର ହତ୍ୟା ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିବା ସକାଶେ ପ୍ରୟାସ କରୁଛନ୍ତି, ଯାହା ଫଳରେ ଏହା ଏକ ଆନ୍ତର୍ଜାତିକ ଆଇନ ହେବା ସଙ୍ଗେସଙ୍ଗେ ସଦସ୍ୟ ରାଷ୍ଟ୍ରଗୁଡିକର ଜାତୀୟ ଆଇନ ମଧ୍ୟ ହୋଇପାରିବ ।
ପୋପ୍ ଫ୍ରାନ୍ସିସ୍, ଏଣ୍ଟୋନିଓ ଗୁଟେରେସ୍, ଗ୍ରେଟା ଥନବର୍ଗ, ଫିଆମେ ନାଓମି ମାଟାଆଫା, ଇମାନୁଏଲ୍ ମାକ୍ରନ, ଜେନ ଗୁଡଅଲ ଓ ପରଲ୍ ମାକ୍କାର୍ଟନେଙ୍କ ପରି ବହୁ ବିଶ୍ୱସ୍ତରୀୟ ନେତା, ପରିବେଶବିତ୍ ଓ ବୈଜ୍ଞାନିକ ଖୋଲାଖୋଲି ଭାବେ ପରିସ୍ଥିକୀର ହତ୍ୟାକୁ ଏକ ଆନ୍ତର୍ଜାତିକ ଅପରାଧ ରୂପେ ଘୋଷଣା କରାଯିବାକୁ ସମର୍ଥନ କରୁଛନ୍ତି । ଫିଜି, ନିଭଇ, ସୋଲେମନ୍ ଦ୍ୱୀପପୁଞ୍ଜ, ଟୁଭାଲୁ, ଟୋଙ୍ଗା ଓ ଭାନୁଆଟୁ ପରି ବହୁ ଦେଶ ମଧ୍ୟ ଏକଥାକୁ ସମର୍ଥନ କରୁଛନ୍ତି । ବହୁ ଚଳଚ୍ଚିତ୍ର ସମେତ ପୁସ୍ତକର କାହାଣୀରେ ମଧ୍ୟ ପରିସ୍ଥିକୀର ହତ୍ୟା ପରବର୍ତ୍ତୀ ବିଶ୍ୱର ପରିସ୍ଥିତି ରୂପାୟିତ ହୋଇଛି ପେରିକି ବ୍ଲେଡ ରନର, ମ୍ୟାଡ ମ୍ୟାକ୍ସ, ୱାଲ-ଇ, ଇଣ୍ଟରଷ୍ଟେଲାର, ଥ୍ରେଡସ ଏବଂ ସୋୟଲେଣ୍ଟ ଗ୍ରୀନ୍ ।
ପରିସ୍ଥିକୀର ହତ୍ୟା ଲୋକମାନଙ୍କର ସାଂସ୍କୃତିକ ତଥା ଭୌତିକ ଅସ୍ତିତ୍ୱ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିପାରେ । ଏ ସମ୍ପର୍କରେ କରାଯାଇଥିବା ବହୁ ଅଧ୍ୟୟନରୁ ଏକଥା ଜଣାପଡିଛି ଯେ, ପରିସ୍ଥିକୀର ହତ୍ୟା ନରସଂହାରର ସ୍ୱରୂପ ମଧ୍ୟ ଗ୍ରହଣ କରିପାରେ । ପ୍ରାକୃତିକ ପରିବେଶ ନଷ୍ଟ ହୋଇଯିବା ଦ୍ୱାରା ଲୋକ ସେମାନଙ୍କର ପାରମ୍ପରିକ ଜୀବନଶୈଳୀରୁ ବଞ୍ଚିତ ହୋଇ ସାଂସ୍କୃତିକ ସଂହାର କରିପାରେ । ବିଶେଷ କରି ଆଦିମ ଜନଜାତିମାନଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ଜଳବାୟୁ ପରିବର୍ତ୍ତନ ଏବଂ ସମ୍ବଳ ଆହରଣ ବିଶ୍ୱବ୍ୟାପୀ ପରିସ୍ଥିକୀର ହତ୍ୟାର ମୌଳିକ କାରଣ ହୋଇପାରେ । କେତେକ ଆଦିମ ଜନଜାତି ବିଦ୍ୱାନ ଯୁକ୍ତି ବାଢ଼ିଛନ୍ତି ଯେ, ପରିସ୍ଥିକୀର ହତ୍ୟା ଏବଂ ନରସଂହାରକୁ ଅଲଗା କରାଯାଇ ପାରିବ ନାହଁ ।
ମୁଖ୍ୟସ୍ରୋତର ବିଚାରଧାରା ନରସଂହାରକୁ (ମିଳିତ ଜାତିସଂଘ ଦ୍ୱାରା ପରିଭାଷିତ) କେବଳ ବ୍ୟକ୍ତିବିଶେଷ ସମୂହ ପ୍ରତି କରାଯାଇଥିବା କାର୍ଯ୍ୟ ରୂପେ ବିବେଚନା କରିଥାଏ । ନରସଂହାର ସମ୍ପର୍କରେ ଗବେଷଣା କରୁଥିବା ଗବେଷକ ଯୁକ୍ତିବାଢ଼ନ୍ତି, ଏହି ମାନବିକ ଅଧିକାର ଢାଞ୍ଚା ଉପନିବେଶର ଅଂଶବିଶେଷ ହୋଇଯାଇଥିବା ଆଦିମ ଜନଜାତିମାନଙ୍କର ଭଲ ବଦଳରେ ଖରାପ ହିଁ କରୁଛି କାରଣ ନିଜ ଭୂଖଣ୍ଡ ସହିତ ସମ୍ପର୍କ ଛିନ୍ନ ହୋଇଯିବା ଫଳରେ ସେମାନଙ୍କର ସାମାଜିକ ମୃତ୍ୟୁ ହୋଇଯାଉଛି, ଯଦିଓ ସେମାନେ ଉପନିବେଶର ଅଂଶହେବା ପ୍ରକ୍ରିୟାରେ ପ୍ରାଣ ହରାଉନାହାନ୍ତି ।
ଜଳବାୟୁ ପରିବର୍ତ୍ତନ ଏବଂ ସାମୂହିକ ଅବଲୁପ୍ତି
ସମ୍ପ୍ରତି ଚାଲୁ ରହିଥିବା ବିଭନ୍ନ ପ୍ରଜାତିର ବିଲୁପ୍ତିକୁ ମଧ୍ୟ ପରିସ୍ଥିକୀର ହତ୍ୟା ବୋଲି କୁହାଯାଉଛି । ଯୁକ୍ତରାଷ୍ଟ୍ର ଆମେରିକାର ପାରିବେଶିକ ସିଦ୍ଧାନ୍ତବାଦୀ ପ୍ୟାଟି୍ରକ୍ ହୋସେଙ୍କ ମତରେ ଆଧୁନିକ ଶିଳ୍ପ ସଭ୍ୟତା ହେଉଛି ପରିସ୍ଥିକୀ ହତ୍ୟାକାରୀ । ଜଳବାୟୁ ପରିବର୍ତ୍ତନ ଯୋଗୁଁ ମଧ୍ୟ ପରିସ୍ଥିକୀର ହତ୍ୟା ସଂଘଟିତ ହୋଇପାରେ । ଉଦାହରଣସ୍ୱରୂପ ମହାସାଗରଗୁଡିକର ଅମ୍ଳୀକରଣ ତଥା ତାପନଯୋଗୁଁ ପ୍ରବାଳ ପ୍ରାଚୀରଗୁଡିକ ନଷ୍ଟ ହୋଇଯାଇପାରେ, ଯଦିଓ ପ୍ରବାଳ ପ୍ରାଚୀରଗୁଡିକର ପରିସ୍ଥିକୀ ହତ୍ୟା ଜଳବାୟୁ ପରିବର୍ତ୍ତନ ସହ ସମ୍ପୃକ୍ତ ହୋଇନପାରେ ।
ରୋମ ଷ୍ଟାଚ୍ୟୁଟରେ ଅନ୍ତର୍ଭୁକ୍ତ ହେବା ଫଳରେ ପରିସ୍ଥିକୀର ହତ୍ୟାକୁ ଅପରାଧର ଶ୍ରେଣୀଭୁକ୍ତ କରାଯିବା, ଜଳବାୟୁ ପରିବର୍ତ୍ତନ ପାଇଁ ଦାୟୀ ବଡ଼ ବଡ଼ କମ୍ପାନୀଗୁଡିକୁ ପ୍ରତିହତ କିରବା ସକାଶେ କରାଯାଉଛି । ତେବେ ଅନ୍ୟମାନେ ଯୁକ୍ତି ବାଢୁଛନ୍ତି ପରିସ୍ଥିକୀର ହତ୍ୟାକୁ ଅପରାଧ ଶ୍ରେଣୀଭୁକ୍ତ କରାଗଲେ ତାହା ଜଳବାୟୁ ସଂକଟର ମୂଳ କାରଣଗୁଡ଼ିକର ନିରାକରଣ କରିବ ନାହିଁ ।
ଉଦେ୍ଦଶ୍ୟମୂଳକ ଭାବେ କିମ୍ବା ଏପରି କିଛି କରିବାର ଉଦେ୍ଦଶ୍ୟ ନଥାଇ ମଧ୍ୟ ପରିସ୍ଥିକୀର ହତ୍ୟା ସଂଘଟିତ ହୋଇପାରେ । ବିଶ୍ୱପ୍ରସିଦ୍ଧ ପରିବେଶ ଓକିଲ ପଲି ହିଗିନ୍ସ ପରିସ୍ଥିକୀର ହତ୍ୟାକୁ ଦୁଇଟିଶ୍ରେଣୀରେ ବିଭକ୍ତ କରିଛନ୍ତି । ତାଙ୍କ ମତରେ କାରଣ ନିଶ୍ଚିତ କରାଯାଇ ପାରୁଥିବା ଏବଂ କାରଣ ନିଶ୍ଚିତ କରାଯାଇ ପାରୁନଥିବା ଉଭୟ ପରିସ୍ଥିକୀ ହତ୍ୟା ଅଟେ । କାରଣ ନିଶ୍ଚିତ କରାଯାଇ ପାରୁଥବା ପରିସ୍ଥିକୀ ହତ୍ୟା କ୍ଷେତ୍ରରେ ସ୍ପଷ୍ଟରୂପେ ଏକ ମାନବକୃତ କାରକ ରହିଥିବାବେଳେ ଦ୍ୱିତୀୟଟି କ୍ଷେତ୍ରରେ ମନୁଷ୍ୟକୁ ଯଦିଓ ପ୍ରତ୍ୟକ୍ଷ ଭାବେ ଦାୟୀ କରାଯାଇପାରିବ ନାହିଁ । ତେବେ ଏହାକୁ ମଧ୍ୟ ପରିସ୍ଥିକୀର ହତ୍ୟାରୂପେ ଗ୍ରହଣ କରାଯିବ । କାରଣ ଚିହ୍ନଟ କରାଯାଇପାରୁନଥିବା ପରିସ୍ଥିକୀ ହତ୍ୟାର ଏକ ଉଦାହରଣ ହେଲା ଜଳବାୟୁ ପରିବର୍ତ୍ତନ ଯୋଗୁଁ ସଂଘଟିତ ଚରମ ପାଣିପାଗଜନିତ ବିପର୍ଯ୍ୟୟ ।
ଆର୍ଥର ଏଚ୍ ୱେଷ୍ଟିଙ୍ଗ୍ ପରିସ୍ଥିକୀର ହତ୍ୟା ସମ୍ପର୍କିତ ଉଦେ୍ଦଶ୍ୟ ସମ୍ପର୍କରେ ଆଲୋଚନା କରି କହିଛନ୍ତି, “କେହି ସ୍ୱୀକାର ନକରିବା ଯାଏ ଉଦେ୍ଦଶ୍ୟ ପ୍ରମାଣିତ କରିବା ହୁଏତ ସମ୍ଭବ ହୋଇନପାରେ । ତେବେ ମୋ ବିଚାରରେ ଏହା ଅନାବଶ୍ୟକ । ସ୍ୱଳ୍ପସଂଖ୍ୟକ ରାଷ୍ଟ୍ରରେ ପରିସ୍ଥିକୀର ହତ୍ୟାକୁ ଏକ ଅପରାଧ ବୋଲି ବିବେଚନା କରାଯାଉଥିଲେ ମଧ୍ୟ ବିଦ୍ୱାନ, ସାମ୍ବାଦିକ, ରାଜନେତା ଏବଂ ପରିବେଶବିତ୍ମାନେ ଅନେକଗୁଡ଼ିଏ ପରିବେଶ ନଷ୍ଟର ଉଦାହରଣକୁ ପରିସ୍ଥିକୀର ହତ୍ୟାବୋଲି ବର୍ଣ୍ଣନା କରିଛନ୍ତି” ।
ଭିଏତନାମ ଯୁଦ୍ଧ
ଦକ୍ଷିଣପୂର୍ବ ଏସିଆରେ ଯୁକ୍ତରାଷ୍ଟ୍ର ଆମେରିକାର ସାମରିକ କାର୍ଯ୍ୟକଳାପର ସବୁଠାରୁ ବିବଦମାନ ପ୍ରସଙ୍ଗ ହେଉଛି ୧୯୬୧ରୁ ୧୯୭୧ ମସିହା ମଧ୍ୟରେ ପତ୍ରଝଡ଼ା ପାଇଁ ରସାୟନର ପ୍ରୟୋଗ । ଏହି ଅବଧିରେ ଆମେରିକାର ବାୟୁସେନା ପ୍ରାୟ ୨କୋଟି ଗ୍ୟାଲନ ଏଜେଣ୍ଟ ଅରେଞ୍ଜ ପରି ଅତ୍ୟନ୍ତ ବିଷାକ୍ତ ତୃଣନାଶକ ଛିଞ୍ଚା ଯାଇଥିଲା । ପ୍ରାୟ ୬୦ଲକ୍ଷ ଏକରର ଜଙ୍ଗଲ ଓ ଫସଲ ଉପରେ ଏହି ବିଷର ପ୍ରୟୋଗ କରାଯାଇ ଥିଲା । ଭିଏତ କଙ୍ଗ୍ ସୈନିକମାନେ ଯେପରି ଗଛପତ୍ରର ଆଢୁଆଳରେ ଅସ୍ତ୍ରଶସ୍ତ୍ର ଲୁଚାଇ ନ ରଖନ୍ତି ଏବଂ ସେମାନଙ୍କୁ ଖାଦ୍ୟରୁ ବଂଚିତ କରିବା ଉଦେ୍ଦଶ୍ୟରେ ଆମେରିକା ପକ୍ଷରୁ ଭିଏତନାମର ଗ୍ରାମାଞ୍ଚଳରେ ଆମେରିକା ସେନା ବିଷାକ୍ତ ରସାୟନ ପ୍ରୟୋଗ କରି ଗଛରୁ ପତ୍ର ଝଡ଼ାଇ ଦେଇଥିଲେ । ସମ୍ବେଦନଶୀଳ ଅଞ୍ଚଳକୁ ପତ୍ରମୁକ୍ତ କରିବା ସକାଶେ ମଧ୍ୟ ଏହି କୌଶଳ ପ୍ରୟୋଗ କରାଯାଇ ଥିଲା । ଏହି ସମ୍ବେଦନଶୀଳ ଅଞ୍ଚଳଗୁଡିକ ମଧ୍ୟରେ ସୈନ୍ୟ ଘାଟୀର ଚାରିପଟ ଏବଂ କେନାଲ କଡ଼ରେ ଘାତ ଲଗାଇ ଭିଏତ କିଙ୍ଗ ସୈନ୍ୟମାନେ ଅପେକ୍ଷା କରିବା ସ୍ଥାନଗୁଡିକ ମଧ୍ୟ ଅନ୍ତର୍ଭୁକ୍ତ । ଦକ୍ଷିଣ ଭିଏତନାମର ୨୦% ଜଙ୍ଗଲ ଏବଂ କୃଷି ଜମିର ୩.୨% ଅଞ୍ଚଳରେ ଅନୁ୍ୟନ ଥରୁଟିଏ ଏହି ବିଷାକ୍ତ ରସାୟନର ସିଞ୍ଚନ କରାଯାଇଥିଲା । ବ୍ୟବହୃତ ତୃଣନାଶକ ମଧ୍ୟରୁ ପ୍ରାୟ ୯୦% ତୃଣନାଶକ ଜଙ୍ଗଲକୁ ପତ୍ରଶୂନ୍ୟ କରିବାପାଇଁ ପ୍ରୟୋଗ କରାଯାଇ ଥିଲା । ସେତେବେଳେ ବ୍ୟବହୃତ କରାଯାଇଥିବା ରସାୟନିକ ଦ୍ରବ୍ୟ ଏବେ ମଧ୍ୟ ଭୂ-ବ୍ୟବହାରକୁ ବଦଳାଉଛି, ରୋଗ ସୃଷ୍ଟି କରୁଛି, ଶିଶୁମାନଙ୍କୁ ଜନ୍ମବେଳକୁ ବିକଳାଙ୍ଗ କରୁଛି । ଏହା ସଙ୍ଗେ ସଙ୍ଗେ ଦକ୍ଷିଣ ଭିଏତନାମର ପ୍ରାୟ ୨୦% ଜଙ୍ଗଲ ଏବଂ ୨୦ରୁ ୩୬% (ଭିନ୍ନମତରେ ୨୦ରୁ ୫୦%) ହେନ୍ତାଳ ଜଙ୍ଗଲକୁ ବିଷାକ୍ତ କରିଆସୁଛି । ଗଛର ପତ୍ରଗୁଡିକ ଏପରି ଅକାଳରେ ପତ୍ର ଝଡ଼ିଯିବାର ବିପତ୍ତିକୁ ସ୍ୱିଡ଼େନର ତକ୍ରାଳୀନ ପ୍ରଧାନମନ୍ତ୍ରୀ ଓଲଫ୍ ପାଲଙ୍କ ସହିତ ଅନେକ ଇତିହାସକାର ତଥା ବିଦ୍ୱାନମାନେ ଏହାକୁ ପରିସ୍ଥିତିର ସାମୂହିକ ହତ୍ୟା ବୋଲି ଉଲ୍ଲେଖ କରିଛନ୍ତି ।
ରୁଷିଆ-ୟୁକ୍ରେନ ଯୁଦ୍ଧ
ଏକ ପ୍ରାରମ୍ଭିକ ଆକଳନ ଅନୁଯାୟୀ ରୁଷ୍-ୟୁକ୍ରେନ ଯୁଦ୍ଧ ଯୋଗୁଁ ଉଭୟ ଦେଶରେ ୫୧ବିଲିଅନ ଡଲାର ମୂଲ୍ୟର ପାରିବେଶିକ କ୍ଷତି ଘଟିଛି । ୟେଲ୍ ସ୍କୁଲ ଅଫ୍ ଏନଭିରନମେଣ୍ଟ ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ ଗୋଳାବର୍ଷଣ ସକାଶେ ୬,୮୭,୦୦୦ ଟନ୍ ପେଟ୍ରୋଲ୍ ଜାତୀୟ ଇନ୍ଧନ ପୋଡ଼ାଯାଇଛି ଏବଂ ପ୍ରାୟ ୧୬୦୦ଟନ୍ ପ୍ରଦୂଷକ ଜଳ ଉତ୍ସଗୁଡିକରେ ମିଶିଛି । ବିପଜ୍ଜନକ ରାସାୟନିକ ଦ୍ରବ୍ୟଯୋଗୁଁ ପ୍ରାୟ ୭୦ ଏକର ମୃତ୍ତିକାକୁ ବିଷାକ୍ତ କରିଦେଇଛି । ଫଳସ୍ୱରୂପ ଆଗାମୀ କିଛି ସମୟ ପାଇଁ ସେଠାରେ କୃଷି କାର୍ଯ୍ୟ ସମ୍ଭବ ହୋଇନପାରେ । ୟୁକ୍ରେନର ଭୂଭାଗର ପ୍ରାୟ ୩୦% ଅଞ୍ଚଳରେ ଏବେ ଗୋଳାବାରୁଦ ବିଛେଇ ହୋଇପଡିଛି । ୨୪ଲକ୍ଷ ହେକ୍ଟରରୁ ଅଧିକ ଜମି ଏବେ ନଷ୍ଟ ହୋଇସାରିଛି ।
ନେଦରଲାଣ୍ଡରୁ ଶାନ୍ତିପାଇଁ କାର୍ଯ୍ୟ କରୁଥିବା ସଂଗଠନ ପ୍ୟାକ୍ସ ଅନୁଯାୟୀ ରୁଷିଆ ସେନାବାହିନୀ ଶିଳ୍ପ ଓ ଶକ୍ତି ଭିତ୍ତିଭୂମିଗୁଡିକ ଉପରେ ସଙ୍ଗେ ସଙ୍ଗେ ବିସ୍ଫୋରକ ଅସ୍ତ୍ରଗୁଡିକର ବ୍ୟବହାରଯୋଗୁଁ ସହର ଓ ନଗରୀଗୁଡିକରେ ଲକ୍ଷ ଲକ୍ଷ ଟନର ପ୍ରଦୂଷିତ କଠିନ ବର୍ଜ୍ୟବସ୍ତୁ ପଡ଼ି ରହୁଛି । ୨୦୨୩ ମସିହା ଜୁନ ମାସର ଆଦ୍ୟ ଭାଗରେ ରୁଷିଆ ଅଧିକୃତ ଅଞ୍ଚଳରେ ଥିବା ଖାଖୋଭକା ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇ ବନ୍ୟା ସୃଷ୍ଟି ହେବା ଫଳରେ ଏକ ପାରିବେଶିକ ବିପର୍ଯ୍ୟୟର ସତର୍କ ଘଣ୍ଟି ଶୁଣାଇଥିଲା । ୟୁକ୍ରେନ ସରକାର, ଆନ୍ତର୍ଜାତିକ ପର୍ଯ୍ୟବେକ୍ଷକ ଏବଂ ସାମ୍ବାଦିକମାନେ ବନ୍ଧ ଭାଙ୍ଗିବା ଫଳରେ ହୋଇଥିବା କ୍ଷୟକ୍ଷତିକୁ ପରିସ୍ଥିକୀର ସାମୂହିକ ହତ୍ୟାବୋଲି ଅଭିହିତ କରିଥିଲେ । ୟୁକ୍ରେନୀ । ସରକାର ୨୦୦ରୁ ଅଧିକ ସ୍ଥାନରେ ପରିବେଶ ଉପରେ କରାଯାଇଥିବା ଆକ୍ରମଣକୁ ଯୁଦ୍ଧ ଅପରାଧ ନାମ ଦେଇଛି ଏବଂ ପରିସ୍ଥିକୀର ହତ୍ୟାର ୧୫ଟି ଘଟଣା ଉପରେ ତଦନ୍ତ କରୁଛି । ପରିସ୍ଥିକୀର ହତ୍ୟା ୟୁକ୍ରେନରେ ଏକ ଅପରାଧ । ଜେଲେନସ୍କି ଏବଂ ୟୁକ୍ରେନର ଅଣ୍ଡି୍ରୟ କୋଷ୍ଟିନ ଏହି ପାରିବେଶିକ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିବାକୁ ତଥା କିପରି ରୁଷ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ସେ କଥା ଜାଣିବା ସକାଶେ ମାର୍ଗଟ୍ ୱାଲଷ୍ଟ୍ରମ୍, ମେରୀ ରବିନସନ ଏବଂ ଗ୍ରେଟା ଥନବର୍ଗଙ୍କ ପରି ଇଉରୋପୀୟ ବ୍ୟକ୍ତିମାନଙ୍କ ସହିତ ବିଚାର ବିମର୍ଷ କରିଛନ୍ତି ।
ଇଣ୍ଡୋନେସିଆର ଜଙ୍ଗଲ କ୍ଷୟ
ବିଶ୍ୱର ଦ୍ରୁତତମ ହାରରେ ଜଙ୍ଗଲ କ୍ଷୟ ହେଉଥିବା ରାଷ୍ଟ୍ରଗୁଡିକ ମଧ୍ୟରେ ଇଣ୍ଡୋନେସିଆ ଅନ୍ୟତମ । ୨୦୨୦ ମସିହାରେ ଦେଶର ମୋଟ ଭୂଭାଗର ପ୍ରାୟ ୪୯.୧% ଜଙ୍ଗଲ ଆଚ୍ଛାଦିତ ଥିଲା । ଅଥଚ ୧୯୫୦ ମସିହାରେ ଇଣ୍ଡୋନେସିଆର ଜଙ୍ଗଲ ଆଚ୍ଛାଦନ ଥିଲା ୮୭% । ୧୯୭୦ ଦଶକଠାରୁ କାଠଗଣ୍ଡି ଉତ୍ପାଦନ ପାଇଁ ଏବଂ ଚାଷବାସ ପାଇଁ ଇଣ୍ଡୋନେସିଆର ଜଙ୍ଗଲ କ୍ଷୟର ମୁଖ୍ୟ କାରଣ । ଖୁବ୍ ନିକଟ ଅତୀତରେ ପାମ୍ ଅଏଲ (ତାଳ ତେଲ) ଶିଳ୍ପ ଜଙ୍ଗଲକ୍ଷୟ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ତାଳତେଲ ଶିଳ୍ପର ପାରିବେଶିକ ପ୍ରଭାବ ଏବଂ ସ୍ଥାନୀୟ ଜନସାଧାରଣଙ୍କର ବିସ୍ଥାପନ ଇତ୍ୟାଦି ସକାଶେ ସରକାର ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ଇଣ୍ଡୋନେସିଆରେ ବ୍ୟାପକ ଜଙ୍ଗଲ କ୍ଷୟ ତଥା ଅନ୍ୟାନ୍ୟ ପାରିବେଶିକ କ୍ଷତିକୁ ବିଦ୍ୱାନମାନେ ଅନେକ ସମୟରେ ପରିସ୍ଥିକୀର ହତ୍ୟା ବୋଲି କହିଥାଆନ୍ତି । ଏଠାରେ ଉପୁଜିଥିବା ପରିସ୍ଥିତି ଇଣ୍ଡୋନେସିଆକୁ ବିଶ୍ୱର ସର୍ବାଧିକ ଜଙ୍ଗଲ ଭିତ୍ତିକ ସବୁଜଗୃହ ବାଷ୍ପ ଉତ୍ସର୍ଜନକାରୀର ଆଖ୍ୟା ଦେଇଛି । ଏହା ମଧ୍ୟ ସେଠାକାର ସ୍ଥାନୀୟ ତଥା ପ୍ରାକୃତିକ ପ୍ରଜାତିଗୁଡିକ ପାଇଁ ବିପତ୍ତି ସୃଷ୍ଟି କରିଛି । ପ୍ରକୃତିର ସଂରକ୍ଷଣ ପାଇଁ ଆନ୍ତର୍ଜାତିକ ସମଷ୍ଟି (ଆଇ.ୟୁ.ସି.ଏନ୍.) ଇଣ୍ଡୋନେସିଆର ୧୪୦ପ୍ରକାରର ସ୍ତନ୍ୟପାୟୀଙ୍କୁ ବିପଦପ୍ରବଣ ଏବଂ ଏଗୁଡିକ ମଧ୍ୟରୁ ୧୫ଟି ପ୍ରଜାତିଙ୍କୁ ଅତିମାତ୍ରାରେ ବିପଦ ପ୍ରବଣ ବୋଲି ଚିହ୍ନିତ କରିଛନ୍ତି । ଏହି ତାଲିକାରେ ବାଲିଦ୍ୱୀପର ମଇନା, ସୁମାତ୍ରାର ଓରାଙ୍ଗଉଟାଙ୍ଗ ଏବଂ ଜାଭା ଗଣ୍ଡାର ମଧ୍ୟ ଅନ୍ତର୍ଭୁକ୍ତ ।
ଚେର୍ଣ୍ଣୋବିଲର ବିପର୍ଯ୍ୟୟ
ଚେର୍ଣ୍ଣୋବଲିର ଆଣବିକ ଦୁର୍ଘଟଣା ପରେ ଆଣବିକ କେନ୍ଦ୍ରଠାରୁ ଯେଉଁ ଆଡ଼କୁ ପବନ ପ୍ରବାହିତ ହେଉଥିଲା ସେହିଦିଗରେ ପ୍ରାୟ ଚାରି ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲ ନାଲିଆ-ଧୂସର ରଙ୍ଗର ହୋଇ ମରିଗଲା । ଏହାକୁ ରେଡ୍ ଫରେଷ୍ଟ ବା ନାଲି ଜଙ୍ଗଲ ବୋଲି ମଧ୍ୟ କୁହାଯାଏ । ସର୍ବାଧିକ ପ୍ରଦୂଷିତ ଅଞ୍ଚଳରେ କେତେକ ପ୍ରାଣୀ ମୃତୁ୍ୟବରଣ କଲେ କିମ୍ବା ସେମାଙ୍କର ପ୍ରଜନନ କ୍ଷମତା ଆଉ ରହିଲା ନାହିଁ । ଏହି ବିପର୍ଯ୍ୟୟକୁ ପରିବେଶ ବିଶେଷଜ୍ଞ, ବିଦ୍ୱାନ ଏବଂ ସାମ୍ବାଦିମାନେ ପରିସ୍ଥିକୀର ହତ୍ୟାର ଏକ ଦୃଷ୍ଟାନ୍ତ ବୋଲି ବର୍ଣ୍ଣନା କରିଥାଆନ୍ତି ।
ନାଇଜର ତି୍ରକୋଣଭୂମିର ପ୍ରଦୂଷଣ
ନାଇଜର ତ୍ରିକୋଣଭୂମିର ସମ୍ବେଦନଶୀଳ ଅଞ୍ଚଳରେ ତୈଳ ଉତ୍ତୋଳନ ଯୋଗୁଁ ସେଠାକାର ଜନସାଧାରଣ ଓ ପରିବେଶ ଉପରେ ବ୍ୟାପକ ପ୍ରଭାବ ପଡିଥିଲା । ସେମାନଙ୍କ ପ୍ରାକୃତିକ ପରିବେଶର ଘୋର କ୍ଷୟକ୍ଷତି ଘଟିଥିଲେ ମଧ୍ୟ ସେଠାକାର ଆଦିମ ଜନଜାତିଙ୍କର ଜୀବନ ଧାରଣର ମାନରେ ନଗଣ୍ୟ ଉନ୍ନତି ପରିଲକ୍ଷିତ ହୋଇଛି । ତୈଳ ଓ ବାଷ୍ପ ଉତ୍ତୋଳନର କେତେକ ବିପଜ୍ଜନକ ପ୍ରଭାବ ଯେପରିକି ବାୟୁ ପ୍ରଦୂଷଣ, ଧ୍ୱନି ପ୍ରଦୂଷଣ, ଜଳ ପ୍ରଦୂଷଣ ଇତ୍ୟାଦି ପ୍ରାଣଘାତକ ମଧ୍ୟ ହୋଇପାରେ । ଏଗୁଡ଼ିକ ଜଳଜ ଜୀବନ, ମନୁଷ୍ୟଙ୍କର ସ୍ୱାସ୍ଥ୍ୟ ଇତ୍ୟାଦି ଉପରେ ମଧ୍ୟ କୁପ୍ରଭାବ ପକାଇଥାଆନ୍ତି ଏବଂ ଏହା ଫଳରେ ଜଙ୍ଗଲ କ୍ଷୟ ମଧ୍ୟ ଘଟିଥାଏ । ନାଇଜେରିଆର ସଂଘୀୟ ସରକାରଙ୍କ ସୂଚନା ଅନୁଯାୟୀ ୧୯୭୦ରୁ ୨୦୦୦ ମଧ୍ୟରେ ୭୦୦୦ରୁ ଊଦ୍ଧ୍ୱର୍ ଥର ପ୍ରାକୃତିକ ତୈଳ ଉଚ୍ଛୁଳି ପଡିଥିଲା । ଏକଥା ଆକଳନ କରାଯାଇଛି ଯେ, ଏହି ତି୍ରକୋଣଭୂମି ଅଞ୍ଚଳର ସଫେଇ ଏବଂ ଦଲଦଲ, ଛୋଟ ନଦୀ ବା କି୍ରକ୍, ମାଛମରା ଅଞ୍ଚଳ ତଥା ହେନ୍ତାଳବଣର ପୁନର୍ବାହାଲ ସକାଶେ ପ୍ରାୟ ୨୫ବର୍ଷ ସମୟ ଲାଗିପାରେ । ନାଇଜର ତ୍ରିକୋଣଭୂମି ହେଉଛି ପୃଥିବୀର ସବୁଠାରୁ ଅଧିକ ପ୍ରଦୂଷିତ ଅଞ୍ଚଳଗୁଡିକ ମଧ୍ୟରେ ଅନ୍ୟତମ । ପବନ, ମାଟି ଏବଂ ଜଳର ବିଷାକ୍ତ ପ୍ରଦୂଷକ ଦ୍ୱାରା ବିଷାକ୍ତ ହୋଇଯିବାକୁ ପରିସ୍ଥିକୀର ହତ୍ୟା ବା ଇକୋସାଇଡର ଦୃଷ୍ଟାନ୍ତରୂପେ ବ୍ୟବହାର କରାଯାଇଥାଏ ।
ଆମାଜନର ଜଙ୍ଗଲ ନଷ୍ଟ
ଆମାଜନର ଜଙ୍ଗଲ ନଷ୍ଟକୁ ଆଦିମ ଆଦିବାସୀ, ମାନବ ଅଧିକାର ଗୋଷ୍ଠୀ, ରାଜନେତା, ବିଦ୍ୱାନ ଏବଂ ସାମ୍ବାଦିକମାନଙ୍କ ଦ୍ୱାରା ଏକ ଇକୋସାଇଡ଼ (ପରିସ୍ଥିକୀର ସାମୂହିକ ହତ୍ୟା) ଏବଂ ଗଣହତ୍ୟା (ଜେନୋସାଇଡ) ରୂପେ ବର୍ଣ୍ଣନା କରାଯାଇଥାଏ । ସ୍ଥାନୀୟ ଆଦିମ ଜନଜାତିର ମୁଖିଆମାନେ ତଥା ମାନବ ଅଧିକାର ସଙ୍ଗଠନମାନେ ଧାରା ୧୫ ଅନୁଯାୟୀ ଆନ୍ତର୍ଜାତିକ ଅପରାଧ ନ୍ୟାୟାଳୟ ନିକଟରେ ଏକ ଦଲିଲ ଉପସ୍ଥାପନ କରିଛନ୍ତି । ଏଥିରେ ବ୍ରାଜିଲର ତକ୍ରାଳୀନ ରାଷ୍ଟ୍ରପତି ବୋଲସାନାରୋ ବିପକ୍ଷରେ ମାନବ ସମାଜ ବିରୁଦ୍ଧରେ କରାଯାଇଥିବା ଅପରାଧ, ସ୍ଥାନୀୟ ଜନଜାତିଙ୍କ ବିପକ୍ଷରେ ଗଣହତ୍ୟା ଏବଂ ଆମାଜନ୍ ଜଙ୍ଗଲର ସାମୂହିକ ଧ୍ୱଂସସାଧନ କରିଥିବାରୁ ଏହାକୁ ଇକୋସାଇଡ୍ ଅପରାଧ ଭାବେ ଅଭିଯୋଗ କରାଯାଇଛି । ଆଦିମ ଜନଜାତି ମୁଖ୍ୟମାନେ ପରିସ୍ଥିକୀର ହତ୍ୟା ଅଭିଯୋଯଗ କରି ଆଉ ଏକ ଅଭିିଯୋଗ ଦାଖଲ କରାଯାଇଛି ।
ମିଳିତ ଜାତିସଂଘର ଆନ୍ତର୍ଜାତିକ ଆଇନ କମିଶନ ପରିସ୍ଥିକୀର ହତ୍ୟା ଅପରାଧକୁ ମାନବସମାଜର ଶାନ୍ତି ଓ ନିରାପତ୍ତା ବିରୋଧରେ ସଂଘଟିତ ଅପରାଧ ସଂହିତାର ଚିଠାରେ ଅନ୍ତର୍ଭୁକ୍ତ କରିବା ସମ୍ପର୍କରେ ବିଚାର ବିମର୍ଶ କରୁଛନ୍ତି । ଆଲୋଚ୍ୟ ଦଲିଲଟି ସଂକ୍ଷେପରେ ରୋମ୍ ଷ୍ଟାଚ୍ୟୁଟ୍ ରୂପେ ପରିଚିତ । ଆଇନ ସମ୍ପର୍କିତ କମିଟୀରେ ୧୯ଟି ଦେଶ ଖୋଲଖୋଲି ଭାବେ ଧାରା ୨୬ (ପରିବେଶ ବିରୋଧରେ ଅପରାଧ)କୁ ସମର୍ଥନ କରିଥିଲେ । ମାତ୍ର ନେଦରଲ୍ୟାଣ୍ଡସ୍, ସଂଯୁକ୍ତ ରାଜ୍ୟ ଏବଂ ଯୁକ୍ତରାଷ୍ଟ୍ର ଆମେରିକାର ବିରୋଧ ଯୋଗୁଁ ଏହାକୁ ବାଦ୍ ଦେବାକୁ ପଡିଥିଲା ।
୧୯୭୭ ମସିହାରେ ମିଳିତ ଜାତିସଂଘ ସାମରିକ ଏବଂ ପରିବେଶ ଅବକ୍ଷୟ ସକାଶେ କୌଣସି ପ୍ରକାରର କୌଶଳର ବ୍ୟବହାରର ନିବାରଣ ପାଇଁ ଏକ ସନନ୍ଦକୁ ସ୍ୱୀକୃତି ପ୍ରଦାନ କଲେ । ଏହି ସନନ୍ଦର ଧାରା ୧ କୁହେ, ଏହି ସନନ୍ଦର ପକ୍ଷଭୁକ୍ତ ହୋଇଥିବା ପ୍ରତ୍ୟେକ ରାଷ୍ଟ୍ର ଏହି ଦାୟିତ୍ୱ ନେଉଛି ଯେ, ଏହା ଏପରି କୌଣସି ସାମରିକ ଅଥବା ପରିବେଶ ଧ୍ୱଂସସାଧନ ବଦଳାଇବା ସକାଶେ କୌଶଳର ବ୍ୟବହାର କରିବ ନାହିଁ ଯାହାର ଦୀର୍ଘକାଳ ପର୍ଯ୍ୟନ୍ତ ବ୍ୟାପକ କିମ୍ବା ତୀବ୍ର ପ୍ରତିକ୍ରିୟା ରହିଛି ତଥା ଯାହା ଅନ୍ୟ ରାଷ୍ଟ୍ରର ପାରିବେଶିକ କ୍ଷୟକ୍ଷତି, ଧ୍ୱଂସ କିମ୍ବା ଆଘାତର କାରଣ ହେବ ନାହିଁ । ତେବେ ଏହି ସନନ୍ଦରେ ବ୍ୟାପକ, ଦୀର୍ଘକାଳ ଅଥବା ସେବାର କୌଣସି ନିର୍ଦ୍ଦିଷ୍ଟ ସଂଜ୍ଞା ନିର୍ଦ୍ଧାରଣ କରାଯାଇ ନଥିବାରୁ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଛି ।
Comments
0 comments