ପ୍ରତିବାଦର ରାଜନୀତି ତିଆରି ହେବା ଦରକାର

13 Min Read

ଦେଶର ପାଞ୍ଚଟି ରାଜ୍ୟ ବିଧାନସଭା ଆସନ ପାଇଁ ନିର୍ବାଚନ ଶେଷ ଚରଣରେ ଆସି ପହଞ୍ଚିଛି । ଆଜିଠାରୁ ଶେଷ ପର୍ଯ୍ୟାର ଭୋଟ ଗ୍ରହଣ ପରେ ଏକ୍ସଜିଟ୍ ପୋଲର ନାଟକ ମଧ୍ୟ ଆରମ୍ଭ ହୋଇଯିବ । ଆସନ୍ତା ଡିସେମ୍ବର ୩,୨୦୨୩ ଦିନ ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବ । ସମଗ୍ର ଦେଶରେ ପ୍ରମୁଖ ରାଜନୈତିକ ଦଳମାନଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି ଏହି ବିଧାନସଭା ନିର୍ବାଚନଗୁଡ଼ିକୁ ସେମିଫାଇନାଲ୍ ହିସାବରେ ଗ୍ରହଣ କରିବା ପାଇଁ । ଅର୍ଥାତ୍ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣ ନିର୍ବାଚନର ଫଳଫଳା କ’ଣ ହେବ ଏହି ବିଧାନସଭା ନିର୍ବାଚନଗୁଡ଼ିକର ଫଳାଫଳକୁ ଦେଖି ପୂର୍ବାନୁମାନ କରାଯାଇପାରିବ । ପ୍ରାୟ ପ୍ରତିଟି ଅଣଭାଜପା ଶାସିତ ରାଜ୍ୟରେ ଶାସନ କରୁଥିବା ବା ଶାସନକୁ ଆସିବାର ସମ୍ଭାବନାଥିବା ବିରୋଧି ରାଜନୈତିକ ଦଳମାନଙ୍କର ପ୍ରମୁଖ ନେତୃତ୍ୱଙ୍କ ପଛରେ କେନ୍ଦ୍ରର ମୋଦୀ ସରକାର ସି.ବି.ଆଇ ଏବଂ ଇ.ଡ଼ି ଭଳି ସଂସ୍ଥାମାନଙ୍କୁ ବ୍ୟବହାର କରି କେବଳ ଯେ ଅପଦସ୍ତ କରୁଛନ୍ତି ତାହା ନୁହଁ, ବରଂ ସେମାନଙ୍କୁ କାରାଗାରରେ ରଖି ଏକପାଖିଆ ନିର୍ବାଚନ ଅଭିଯାନ କରିବାପାଇଁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଆସିଛି । ଅନ୍ୟପଟେ ଗତ ୧୮ ଜୁଲାଇ ୨୦୨୩ଦିନ ଇ.ଣ୍ଡି.ଆ ନାମରେ ଗଠିତ ୨୮ଟି ବିରୋଧି ରାଜନୈତିକ ଦଳ ମାନଙ୍କର ଗଠବନ୍ଧନ ଚଳିତ ବିଧାନସଭା ନିର୍ବାଚନରେ ସକ୍ରିୟ ଥିଲାଭଳି ଜଣାପଡ଼ୁ ନାହିଁ । ବରଂ ଏହିକଥା ସରକାରଙ୍କର ବୋଲ ମାନି ଆସୁଥିବା ଗଣମାଧ୍ୟମ ଗୁଡ଼ିକ ତୁହାକୁ ତୁହା କହି ଚଲିଛନ୍ତି ଯେ ଇ.ଣ୍ଡି.ଆ ଗଠବନ୍ଧନ ନାଁକୁ ମାତ୍ର ଅଛି ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ରାଜ୍ୟରେ ପ୍ରତିଯୋଗିତା ଚାଲିଛି । ଏହି ଗଠବନ୍ଧନ ମିଳିତଭାବେ ନିର୍ବାଚନ ପ୍ରଚାର ନକରି ପାରିବା ସୂଚାଇ ଦେଉଛି ଯେ ସେମାନେ ସ୍ଥାନୀୟ ସ୍ତରରେ ପରସ୍ପରର ଯେଉଁଭଳି ପ୍ରତିଦ୍ୱନ୍ଦ୍ୱୀ ହୋଇ ରହି ଆସିଛନ୍ତି, ତାହା ଜାତୀୟସ୍ତରର କୌଣସି ବୁଝାମଣା ତଥା ଆଦର୍ଶଭିତ୍ତିକ ବିରୋଧିମଞ୍ଚ ନିର୍ମାଣ ଦିଗରେ ଉଚିତ୍ ପଦକ୍ଷେପ ନେବାରେ ସହାୟକ ହେବ ନାହିଁ । ବର୍ତ୍ତମାନ ୫୪୩ଟି ଆସନ ବିଶିଷ୍ଟ ଲୋକସଭାରେ ଏମାନଙ୍କର ମିଳିତ ସଭ୍ୟସଂଖ୍ୟା ମାତ୍ର ୧୪୨ । ସେହିଭଳି ୨୪୫ ରାଜ୍ୟସଭା ଆସନ ଭିତରୁ ଏମାନଙ୍କ ପାଖରେ ମାତ୍ର ୯୮ଟି ଆସନ ଅଛି । ଅନ୍ତତଃ ରାଜ୍ୟସଭାରେ ନିଜର ସଂଖ୍ୟାଗରିଷ୍ଠତା ହାସଲ କରିବା ପାଇଁ ରାଜ୍ୟ ବିଧାନସଭାଗୁଡ଼ିକର ସର୍ବାଧିକ ଆସନ ଇ.ଣ୍ଡି.ଆ ଗଠବନ୍ଧନର ଦଳମାନଙ୍କ ପାଖରେ ରହିବା ଜରୁରୀ । ଯଦିବି ୨୦୨୪ ସାଧାରଣ ନିର୍ବାଚନରେ ବିରୋଧିଦଳ ମାନଙ୍କର ସମୂହ ବିଫଳହୁଏ, ତେବେ ରାଜ୍ୟସଭାରେ ସେମାନଙ୍କ ସଂଖ୍ୟାଗରିଷ୍ଠତା ଗଣତନ୍ତ୍ରକୁ ପଥଚ୍ୟୁତ କରାଯାଉଥିବାର ପ୍ରୟାସକୁ ସଫଳତାର ସହିତ ମୁକାବିଲା କରିପାରନ୍ତା । ସେହି ଦୃଷ୍ଟିରୁ ଦେଖିବାକୁ ଗଲେ ରାଜନୈତିକ ଦଳଗୁଡ଼ିକ ଭୟଙ୍କର ଭାବେ ବିଚାରହୀନ, କ୍ଷମତା ପିପାସୁ ଏବଂ କେତେକ କ୍ଷେତ୍ରରେ ଗୋଟିଏ ଗୋଟିଏ ବ୍ୟକ୍ତିଙ୍କର ପୈତୃକ ସମ୍ପତ୍ତିଭଳି କାମକରି ଆସୁଛନ୍ତି । ୯୦ଦଶକରୁ ଆସିଥିବା ଆର୍ଥôକ ଉଦାରବାଦର ରାଜନୀତି ଏବଂ ଯେଉଁସବୁ ଦୁର୍ଦ୍ଦଶା ବା ବିପର୍ଯ୍ୟୟ ଏହି ଆର୍ଥିକ ଉଦାରବାଦ ଭାରତର ସର୍ବାଧିକ ଜନଗଣଙ୍କ ପାଇଁ ନେଇ ଆସିଛି ତାକୁ ବୁଝିବା ଏବଂ ସେ ସମ୍ପର୍କରେ ଜନଗଣଙ୍କୁ ଅବଗତ କରାଇ ତାହାର ମୁକାବିଲା ପାଇଁ ସେମାନଙ୍କୁ ସଂଗଠିତ କରିବାପାଇଁ ଯେଉଁ କାର୍ଯ୍ୟ ଗଭୀର ବୁଝାମଣା ଓ ନିଷ୍ଠାର ସହିତ କରାଯିବା ଦରକାର, ତାହା ପ୍ରାୟତଃ କୌଣସି ବିରୋଧି ରାଜନୈତିକ ଦଳ ବର୍ଷତମାମ କରୁନାହାନ୍ତି । ପ୍ରତିବାଦଟି ବର୍ଷକୁ କେତୋଟି ଦିନ ରାଜରାସ୍ତାକୁ ଓହ୍ଲାଇ ଆସିବାରେ ସୀମିତ ହୋଇ ରହିଆସିଛି । ଏହା ଫଳରେ ଜନସାଧାରଣ ବିକଳ୍ପ ରାଜନୈତିକ ସଂଗଠନ ନିର୍ମାଣର ଆଶା ବା ସମ୍ଭାବନା ଦେଖିପାରୁ ନାହାନ୍ତି । ନିଜ ଭୋଟର ମୂଲ୍ୟ କେତେ, ଭୋକ ପାଇଁ ଛଟପଟ ହେଉଥିବା ଅଧିକାଂଶ ମଣିଷଙ୍କ ପାଇଁ ଏକ ଦୁର୍ବୋଧ୍ୟ କଥା । ଗଣତନ୍ତ୍ର କ’ଣ ତଥାକଥିତ ପାଠୁଆଲୋକେ ଏବଂ ଭଲରେ ଚଳୁଥିବା ଲୋକମାନେ ମଧ୍ୟ ଜାଣନ୍ତି ନାହିଁ । ନଚେତ୍ ଓଡ଼ିଶା ଭଳି ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱସ୍ତ ସେବକ ନାମରେ କର୍ପୋରେଟ୍ ଜଗତର ସ୍ୱାର୍ଥ ସାଧନପାଇଁ ଅହରହ କାମ କରୁଥିବା ଗୋଟିଏ ଲୋକକୁ ଏତେ ସ୍ଥାନ ନିଜର ବୁଝାମଣା ଭିତରେ ସେମାନେ ଦିଅନ୍ତେ କିପରି! ନବୀନବାବୁ ଜଣେ ଭଲମଣିଷ ଏବଂ ତାଙ୍କ ସେବାରେ ଲାଗିଥିବା ଅମଲାମାନେ ବି ଭଲମଣିଷ ଏଭଳି ଭାବନା ଆମ ମନରେ ରହିବା ଉଚିତ୍ ନୁହଁ । କିଏ ବ୍ୟକ୍ତିଗତ ଭାବେ କେତେଭଲ ବା କେତେଖରାପ ତାହାର ହିସାବ ନିକାଶ ଆମେ କରିବାର ଆବଶ୍ୟକତା ନାହିଁ । ଆମେ ଗୋଟିଏ କଥା ନିହାତି ଦେଖିବା କଥାଯେ ଜନସାଧାରଣଙ୍କର ପ୍ରକୃତ ହିତ ତଥା ସେମାନେ ନିରନ୍ତର ଜୀବନ ଜୀବିକା ନିର୍ବାହ କରିବାର ମୂଳଭିତ୍ତି ପ୍ରାକୃତିକ ସଂଶାଧନ’ର ସୁରକ୍ଷା ଏବଂ ସେମାନଙ୍କର ଆଗାମୀ ପିଢ଼ି ସୁଖ ଓ ଶାନ୍ତିରେ ବଞ୍ଚôବା ପାଇଁ ଏକ ବଳିଷ୍ଠ ଭିତ୍ତି ପ୍ରସ୍ତୁତ କରିବାର କାମଟି ଗୋଟିଏ ସରକାର କରିପାରୁଛି କି ନାହିଁ ! ବାହାର ରାଜ୍ୟର ଜଣେ ବନ୍ଧୁ ଓଡ଼ିଶାର ରାଜନୈତିକ ଭବିଷ୍ୟତ ଆଲୋଚନା କରି ପ୍ରଶ୍ନଟିଏ କଲେ, ‘୨୦୨୪ ନିର୍ବାଚନରେ ଓଡ଼ିଶାରେ କିଛି ପରିବର୍ତ୍ତନ ଆସିବ କି ?’ ଉତ୍ତରଟି ଆଉ ଗୋଟିଏ ପ୍ରଶ୍ନଥିଲା-‘ଆପଣ ନବୀନବାବୁଙ୍କ ସ୍ଥାନରେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ରୂପେ ଦେଖିବା କଥା କହୁଛନ୍ତି ନା ବିଜୁ ଜନତାଦଳ ସ୍ଥାନରେ ଅନ୍ୟ କୌଣସି ବିରୋଧି ରାଜନୈତିକ ଦଳକୁ କ୍ଷମତାରେ ଦେଖିବା ପାଇଁ ଭାବୁଛନ୍ତି ?’ ବିଡ଼ମ୍ବନାର କଥାଯେ ଆମମାନଙ୍କ ପାଇଁ କିଏ ୨୦୨୪ରେ କ୍ଷମତାକୁ ଆସିବ ବା କ୍ଷମତାକୁ ଫେରିବ; ଏକ ବଡ଼ ପ୍ରସଙ୍ଗ ହୋଇ ରହିଯାଉଛି । ଅସଲ ପ୍ରସଙ୍ଗ ହେବା କଥାଯେ ଯେଉଁ ହାରରେ ଆମ ଲୋକମାନେ ପୁରୁଷ ପୁରୁଷ ଧରି ନିର୍ଭର କରି ଆସିଥିବା ପ୍ରାକୃତିକ ସଂଶାଧନଗୁଡ଼ିକୁ ଧ୍ୱଂସ କରିଦିଆଯାଉଛି ଏବଂ ଯେଉଁ ହାରରେ ନଦୀ, ଝରଣା ଏବଂ ପୁଷ୍କରିଣୀ ମଧ୍ୟ ଶୁଖିଚାଲିଛି ଓ କେତେକ ସ୍ଥାନରେ ବିଷାକ୍ତ ନର୍ଦ୍ଦମାର ରୂପନେଇ ଚାଲିଛନ୍ତି ସେଥିରେ କେଉଁ ରାଜନୈତିକ ଦଳ ପୂର୍ଣ୍ଣଚ୍ଛେଦ ଟାଣିପାରିବ ? କିଏ ଆମ ବଣଜଙ୍ଗଲ, ପହାଡ଼, ଜୀବଜଗତ, ଜନଜାତି, ଚାଷଜମି ଇତ୍ୟାଦିଙ୍କର ସୁରକ୍ଷା ପାଇଁ ନିଷ୍ଠାର ସହ ନିଜ ରାଜନୈତିକ ଦଳକୁ ଗୋଟିଏ ସେବାଦଳ ବା ଗୋଟିଏ କର୍ମୀଦଳ ହିସାବରେ ଗଢ଼ିପାରିବ? ଯଦି କିଏବି ନିଜକୁ ଏଭଳି କରିପାରିବ ବୋଲି ଦାବିକରେ, ଆମର ପରବର୍ତ୍ତୀ ପ୍ରଶ୍ନ ହେବାକଥା ଏଭଳି ଏକ କାମପାଇଁ ସେମାନେ କେତେ ପ୍ରସ୍ତୁତ ଏବଂ କେତେ ନିଷ୍ଠାପର ତାହାର କିଛି ପ୍ରମାଣ ଦେଇପାରିବେ କି ? ଆମେ କେବଳ ଆମ ପ୍ରଶ୍ନର ପ୍ରତିଧ୍ୱନି ହିଁ ଶୁଣିବା କିନ୍ତୁ ଉତ୍ତର ନୁହଁ ।

ଏଭଳି ଏକ ସମୟରେ ଜଣେ ଅମଲାଙ୍କର ଗୋଟିଏ ଶାସକ ରାଜନୈତିକ ଦଳରେ ଔପଚାରିକ ଭାବେ ଯୋଗଦେବା ଏକ ଆଲୋଚନାର ବିଷୟ ବସ୍ତୁହେବା କଥା ନୁହଁ । ଓଡ଼ିଶା ଆଜି ଯଦି କୋଇଲା, ଲୁହାପଥର, ବକ୍ସସାଇଟ୍ ଏବଂ କ୍ରୋମାଇଟ ଭଳି ଖଣିଜପଥରେ ଭରା ଏକ ରାଜ୍ୟ ହୋଇନଥାନ୍ତା ଓ ୯୦ଦଶକରେ ଆରମ୍ଭ ହୋଇଥିବା ଆର୍ଥିକ ସଂସ୍କାର ପ୍ରକ୍ରିୟା ଭିତରେ ଖଣିଜକ୍ଷେତ୍ରଟି ଦେଶୀବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ପାଇଁ ଉନ୍ମୁକ୍ତ ହୋଇନଥାନ୍ତା ତେବେ ନବୀନ ବାବୁ ୫ବର୍ଷରୁ ଅଧିକ କାଳ ଶାସନ କରିପାରିଥାନ୍ତେ କି ନାହିଁ ତାହା ସହଜରେ ଅନୁମାନ କରାଯାଇପାରେ । କେବେ ପ୍ୟାରୀମୋହନ ମହାପାତ୍ର ଓ ଆଉ କେବେ ଭି.କେ ପାଣ୍ଡିଆନଙ୍କ ନାମ ପଛରେ ନବୀନ ବାବୁ ନିଜକୁ ଲୁଚାଇ ରଖି ଚାଲିଛନ୍ତି । ଅନ୍ୟପଟେ ନବୀନ ବାବୁଙ୍କ ୨୩ବର୍ଷ ଶାସନରେ ଓଡ଼ିଶା ଦେଶୀବିଦେଶୀ କମ୍ପାନୀ ମାନଙ୍କର ଏକ ‘ଉପନିବେଶ’ ହୋଇସାରିଛି । ନବୀନ ବାବୁଙ୍କ ଶାସନର ୨ବର୍ଷ ଭିତରେ ତାଙ୍କ ବାପାଙ୍କର ବିଶ୍ୱସ୍ତ ଅମଲା ଏବଂ ରାଜ୍ୟର ଜଣେ ପ୍ରଭାବଶାଳୀ ପ୍ରଶାସକ ପ୍ୟାରୀମୋହନ ମହାପାତ୍ର ତାଙ୍କର ଉପଦେଷ୍ଟା ରୂପେ କାମ ଆରମ୍ଭ କରିଦେଲେ । ଓଡ଼ିଶାରେ କର୍ପୋରେଟ ‘ଉପନିବେଶ’ର କାୟାବିସ୍ତାର ତାଙ୍କ ସମୟରେ ହିଁ ଆରମ୍ଭ ହୋଇଥିଲା । ସେ କିନ୍ତୁ ଠିକ୍ ବିଜୁବାବୁଙ୍କ ଭଳି ସାମ୍ପ୍ରଦାୟିକ ଶକ୍ତିମାନଙ୍କ ସାଙ୍ଗରେ କାମ କରିବାପାଇଁ ପ୍ରସ୍ତୁତ ନଥିଲେ । କନ୍ଧମାଳ ଖ୍ରୀଷ୍ଟ୍ରିୟାନ ବିରୋଧି ହିଂସା ଯାହାକି ଅଗଷ୍ଟ ୨୩, ୨୦୦୮ ଦିନ କଟ୍ଟରପନ୍ଥୀ ହିନ୍ଦୁତ୍ୱବାଦୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କର ଜଘନ୍ୟ ହତ୍ୟାପରେ ଆରମ୍ଭ ହୋଇଥିଲା, ପ୍ୟାରୀବାବୁଙ୍କୁ ସୁଯୋଗଟିଏ ଦେଇଥିଲା ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିର ମିଳିତ ସରକାରରୁ ଭାଜପାକୁ ଅଲଗା କରିବାପାଇଁ । ୨୦୦୯ର ସାଧାରଣ ନିର୍ବାଚନ ପୂର୍ବରୁ ସେ ସେହି କାମଟି କରିବାରେ ସଫଳ ହେଲେ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଏକାକୀ ନିର୍ବାଚନ ଲଢ଼ି ଅପୂର୍ବ ସଫଳତା ପାଇବା ଦ୍ୱାରା ପ୍ୟାରୀବାବୁଙ୍କର ପତିଆରା ପ୍ରତିଷ୍ଠିତ ହୋଇଯାଇଥିଲା । କିନ୍ତୁ ଭାଜପା ପ୍ୟାରୀବାବୁଙ୍କ ଉପରେ ପ୍ରତିଶୋଧ ନେବାପାଇଁ ବାଟ ଖୋଜୁଥିଲା । ପ୍ୟାରୀବାବୁ କର୍ପୋରେଟ ଶକ୍ତିମାନଙ୍କର ଗୋଟିଏ ବିଶ୍ୱସ୍ତ ଦଲାଲ୍ ହୋଇଥିଲେ ବି ସାମ୍ପ୍ରଦାୟିକ ଶକ୍ତିମାନଙ୍କର ଆକ୍ରୋଶର ଶିକାର ହୋଇଥିଲେ । ତାଙ୍କ ବିରୋଧରେ ଯେଉଁ ଷଡ଼ଯନ୍ତ୍ରଟି ଆରମ୍ଭ ହେଲା ତାହାର ସଫଳ ପରିଣାମ ଦେଖିବାକୁ ମିଳିଲା ମେ ୨୯, ୨୦୧୨ ଦିନ । କୁହାଗଲା ଯେ ମୁଖ୍ୟମନ୍ତ୍ରୀ ନବୀନବାବୁ ଲଣ୍ଡନ ଗସ୍ତରେ ଥିଲାବେଳେ ସେ କିଛି ବିଧାୟକଙ୍କୁ ଏକାଠିକରି ତାଙ୍କୁ କ୍ଷମତାଚୁ୍ୟତ କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ । ଏହିଭଳି ଅଭିଯୋଗ ଆଣିବାରେ ଯେଉଁମାନେ ମୁଖ୍ୟ ଭୂମିକା ନିଭାଇଥିଲେ ସେମାନେ ଭାଜପା ନେତୃତ୍ୱଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା କଥା ସମସ୍ତେ ଜାଣିଥିଲେ । ସେହିଦୃଷ୍ଟିରୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ରଟି ନବୀନବାବୁଙ୍କ ବିରୋଧରେ ଥିଲା ନା ପ୍ୟାରୀବାବୁଙ୍କ ବିରୋଧରେ ଥିଲା ତାହା ଓଡ଼ିଶା ରାଜନୀତିର ପରବର୍ତ୍ତୀ ଘଟଣାକ୍ରମକୁ ଯେଉଁମାନେ ଗୁରୁତ୍ୱର ସହିତ ଅନୁଧ୍ୟାନ କରୁଥିବେ, ବୁଝି ପାରୁଥିବେ ନିଶ୍ଚୟ । ନବୀନ ବାବୁଙ୍କ ସହ ନିଜ ଦଳର ବିଧାୟକ ମାନଙ୍କର କେବେ ବି ସିଧାସଳଖ ସମ୍ପର୍କ ରହିନାହିଁ । କେବେ ବିଧାୟକମାନେ ପ୍ୟାରୀବାବୁଙ୍କର ଅନୁଗାମୀ ଥିଲେ ଏବଂ ତାଙ୍କସହ ସିଧାସଳଖ ସମ୍ପର୍କରେ ଥିଲେ । ଆଜି ସେମାନେ ପାଣ୍ଡିଆନଙ୍କ ସହ ହିଁ ସମ୍ପର୍କ ରଖିବା ପାଇଁ ବାଧ୍ୟ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଯେଉଁ ଦୂରରେ ଥିଲେ ଏବେ ସେହି ଦୂରତା ଆହୁରି ବଢ଼ିଯାଇଛି । ନିଜ ଦଳର ନେତାମାନଙ୍କର କୌଣସି ପ୍ରତିବାଦ ନାହିଁ । ପାଣ୍ଡିଆନଙ୍କର ଯେଉଁ ବିଶେଷ ଗୁଣଟି ଗଣମାଧ୍ୟମରେ ଆଲୋଚନା ହେଉ ନାହିଁ, ତାହା ହେଉଛି ଯେ ସେ ନିଜକୁ କେବଳ ନବୀନ ବାବୁଙ୍କର ଅତି ବିଶ୍ୱସ୍ତ ସହଯୋଗୀ ହିସାବରେ ପ୍ରତିଷ୍ଠିତ କରିପାରିଛନ୍ତି ତାହା ନୁହଁ, ବରଂ ସେ ଅଧିକ ସଫଳତାର ସହିତ କର୍ପୋରେଟ ଜଗତର ସବୁଠାରୁ ବିଶ୍ୱସ୍ତ ବନ୍ଧୁ ଏବଂ ଭାଜପା ଭଳି ସାମ୍ପ୍ରଦାୟିକ ଶକ୍ତି ମାନଙ୍କ ଦ୍ୱାରା ପରିଚାଳିତ ଗୋଟିଏ ରାଜନୈତିକ ଦଳର ମଧ୍ୟ ଜଣେ ଅଘୋଷିତ ବିଶ୍ୱସ୍ତ ପ୍ରତିନିଧି । ଏବେ ଯେହେତୁ ଦେଶରେ କର୍ପୋରେଟ ଶକ୍ତି ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କର ମିଳିତ ଶାସନ ସରକାରରେ ଓ ସମାଜରେ ଚାଲିଛି, ପାଣ୍ଡିଆନଙ୍କ ଭଳି ଉଭୟ ଶକ୍ତିଙ୍କ ପାଇଁ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କର ବିଶେଷ ଆବଶ୍ୟକତା ନବୀନ ବାବୁ ଅନୁଭବ କରୁଥିବେ । ତେବେ ପ୍ରଥମେ ପ୍ୟାରୀବାବୁ ଏବଂ ଏବେ ପାଣ୍ଡିଆନ ବାବୁ ଏମାନଙ୍କୁ ଅସ୍ତ୍ରକରି ଓଡ଼ିଶାରେ ପ୍ରଥମେ କର୍ପୋରେଟମାନଙ୍କର ‘ଉପନିବେଶ’ ପ୍ରତିଷ୍ଠା ଏବଂ ସେଥିପ୍ରତି ବୈଧତା ସୃଷ୍ଟି କରିବା ପାଇଁ ଏବେ ସାମ୍ପ୍ରଦାୟିକ ସଙ୍ଗଠନମାନଙ୍କର କାୟା ବିସ୍ତାର ସହଜରେ ଚାଲିଛି । କୌଣସି ରାଜନୈତିକ ବିରୋଧ ଦେଖିବାକୁ ମିଳୁନାହିଁ ବରଂ ସମୟ ସମୟରେ ଏଭଳି କିଛି ଉଦାହରଣ ସାମ୍ନାକୁ ଆସୁଛି ଯେଉଁଥିରେ ସ୍ପଷ୍ଟ ବାରି ହୋଇଯାଉଛି ଯେ ଓଡ଼ିଶାରେ ମୁଖ୍ୟସ୍ରୋତର ସବୁ ରାଜନୈତିକ ଦଳମାନେ ଅଘୋଷିତ ଭାବେ ଏକ ଜନବିରୋଧି ମିଳିତ ସରକାର ଚଳାଉଛନ୍ତି ।

ଏହାର ଏକ ଭୟଙ୍କର ପରିଣାମ ହେଉଛିଯେ ଏବେ ଓଡ଼ିଶାର ମାଟି, ମଣିଷ ଓ ପ୍ରାକୃତିକ ସମ୍ପଦ ଏକ ଭୟଙ୍କର ଲୁଣ୍ଠନର ଶିକାର ହୋଇ ଚାଲିଛନ୍ତି । ଯେଉଁ ମାଟିର ମଣିଷମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କ ପଛରେ କ୍ଷମତାପିପାସୁ କୌଣସି ରାଜନୈତିକ ଦଳ ନାହାନ୍ତି । ଆଉ ଯିଏ କେହି ସେମାନଙ୍କର କଥାକୁ ପ୍ରତିଧ୍ୱନିତ କରିବାକୁ ଚାହିଁଲା , ସେମାନଙ୍କୁ ବି ମୂଲ୍ୟ ଦେବାକୁ ପଡ଼ୁଛି । ଓଡ଼ିଶାର ତଥାକଥିତ ପାଠୁଆ ଶ୍ରେଣୀ, ଯେଉଁମାନଙ୍କର ମୁଖ୍ୟତଃ ପେଟର ଚିନ୍ତା ନଥାଏ, ଭଲକିଛି ପିନ୍ଧିବାର ଅସୁବିଧା ନଥାଏ, ନିଜ ଘରର ଛାତତଳେ ଗୋଡ଼ଭାଙ୍ଗି ଠିଆ ହୋଇ ରାଜନୈତିକ ନାଟକ ବାଜି ଦେଖିବାର ସଉକ ବଢ଼ି ଯାଇଥାଏ ଏବଂ କେବେ ସହରଟା ପିତା ଲାଗିଲେ ପର୍ଯ୍ୟଟନ ମାନଚିତ୍ରଟି ଥରକୁ ଥର ଓଲଟାଇବାର ସୁଯୋଗ ଥାଏ, ସେମାନଙ୍କ ପାଇଁ ରାଜନୈତିକ ପରିବର୍ତ୍ତନ ଏକ ଔପଚାରିକ ପ୍ରସଙ୍ଗ ରୂପେ ରହିଯାଏ । ଅନ୍ୟମାନଙ୍କର ଦୁଃଖ, ଯନ୍ତ୍ରଣା ଓ ଦୁର୍ଦ୍ଦଶା ପ୍ରତି ଯେଉଁମାନଙ୍କର ସାମାନ୍ୟତମ ସମବେଦନା ନଥାଏ ସେମାନେ ହିଁ ଆଜି ଭାରତର ଗଣତନ୍ତ୍ରଟିକୁ ଏକ ଧାରାବାହିକ ନାଟକରେ ରୂପାନ୍ତରିତ କରିସାରିଛନ୍ତି । ଗାନ୍ଧୀ, ମାର୍କ୍ସ ଓ ବୁଦ୍ଧ ଆଜି ଭାରତୀୟ ଶିକ୍ଷିତସମାଜ ପାଇଁ କେତୋଟି ଅଲୋଡ଼ା ଓ ଅଦରକାରୀ ନାଁ । ଉଗ୍ର ଆର୍ଥିକ ଉଦାରବାଦ ଆଜି ସମସ୍ତ ଜନବାଦୀ ବିଚାରଧାରା ଓ ଚିନ୍ତକମାନଙ୍କୁ ଅପ୍ରାସଙ୍ଗିକ କରିବା ପାଇଁ ସବୁ ମାଧ୍ୟମକୁ ବ୍ୟବହାର କରିଚାଲିଛି । ବେଳେବେଳେ ଅନେକ ନିରାଶ ହେଉଥିବା ବ୍ୟକ୍ତି ଅସହାୟତାବଶତଃ ଗାନ୍ଧୀବାଦୀ, ସମାଜବାଦୀ ଓ ବାମପନ୍ଥୀ ରାଜନୈତିକ ଦଳମାନଙ୍କୁ ବର୍ତ୍ତମାନର ପରିସ୍ଥିତିରେ କିଛି କରିପାରୁନାହାନ୍ତି କହି ସେମାନଙ୍କୁ ଦୋଷାରୋପ କରିଥାନ୍ତି । ଏହିକଥା ସତ ଯେ ଏମାନେ ବହୁଧା ବିଭାଜିତ ଏବଂ ନିଜନିଜ ଭିତରେ ଏମାନଙ୍କର ଅନ୍ତଃଦ୍ୱନ୍ଦ୍ୱ ରହିଆସିଛି । କିନ୍ତୁ ଜଗତୀକରଣ ପର୍ବରେ ସମଗ୍ର ବିଶ୍ୱରେ ବାମପନ୍ଥୀ ଓ ପ୍ରଗତିଶୀଳ ଶକ୍ତିମାନଙ୍କ ଉପରେ ପରୋକ୍ଷ ଏବଂ ପ୍ରତ୍ୟେକ୍ଷ ଆକ୍ରମଣ ବିଭିନ୍ନ ସ୍ତରରେ ଚାଲିଛି । ସେହି ଆକ୍ରମଣର ପରିଣାମସ୍ୱରୂପ ଭାରତ ସମେତ ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ଦକ୍ଷିଣପନ୍ଥୀ ସଙ୍କୀର୍ଣ୍ଣମନା ରାଜନୈତିକ ଗୋଷ୍ଠିମାନଙ୍କର ଶକ୍ତି ବଢ଼ିବଢ଼ି ଚାଲିଛି । ସେମାନେ ସମସ୍ତେ ଗୋଟିଏ ଗୁଣକୁ ନେଇ ଆଗେଇ ଚାଲିଛନ୍ତି; ତାହା ହେଲା ଗୋଟିଏ ପଟେ ଜନଗଣଙ୍କୁ କ୍ଷମତା ଦଖଲପାଇଁ ଆୟୁଧ ହିସାବରେ ବ୍ୟବହାର କରିବା ଏବଂ ଅନ୍ୟପଟେ କର୍ପୋରେଟ ଜଗତର ଲାଭପାଇଁ ସେହି ମଣିଷମାନେ ବଞ୍ଚି ରହିବା ପାଇଁ ଶହଶହ ବର୍ଷଧରି ନିର୍ଭର କରି ଆସୁଥିବା ସଂଶାଧନଗୁଡ଼ିକୁ ଛଡ଼ାଇ ନେଇଯିବା । ଏଭଳି ଏକ ପରିସ୍ଥିତିରେ କୌଣସି ରାଜନୈତିକ ଦଳ ବା ବ୍ୟକ୍ତି ଆମ ପାଇଁ ଆଲୋଚନାର ବିଷୟବସ୍ତୁ ହେବା ଉଚିତ୍ ନୁହଁ ବରଂ ଆମେ ସେହିଭଳି ଏକ ବିଚାର ଅନ୍ୱେଷଣରେ ବାହାରିବା ଦରକାର ଯାହା ସାଧାରଣ ମଣିଷକୁ କେନ୍ଦ୍ରକୁ ଆଣିବ ଏବଂ ତାହାର ଭବିଷ୍ୟତର ବଂଶଧରମାନଙ୍କର ଜୀବନଜୀବିକା ସୁରକ୍ଷିତ ରଖିବା ପାଇଁ ସବୁକିଛି ମୂଲ୍ୟଦେଇ କାମ କରିବାପାଇଁ ଗୋଟିଏ ପିଢ଼ିକୁ ଆଜିଠାରୁ ପ୍ରସ୍ତୁତ କରାଇବ । ଅସଲ ରାଜନୈତିକ ବିରୋଧ ଓଡ଼ିଶାଠାରୁ ଆରମ୍ଭ କରି ଦିଲ୍ଲୀ ଯାଏଁ କେଉଁଠି ବି ଦେଖିବାକୁ ମିଳୁ ନାହିଁ, ଯଦିଓ ନିର୍ଦ୍ଦିଷ୍ଟ କିଛି ନୀତି ବା ନିଷ୍ପତ୍ତିର ପ୍ରତିବାଦ କେଉଁଠି କେଉଁଠି ଦେଖିବାକୁ ମିଳୁଛି । ଆମେ କ’ଣ ସେହି ପ୍ରତିବାଦଗୁଡ଼ିକୁ ଆଧାର କରି ଏବଂ ସେହି ସବୁକୁ ପ୍ରେରଣା ହିସାବରେ ନେଇ ଏକ ନୂଆ ରାଜନୈତିକ ଧାରାର ପ୍ରସ୍ତୁତି ପାଇଁ ନିଜକୁ ପ୍ରସ୍ତୁତ କରାଇ ପାରିବା ନାହିଁ ! ଓଡ଼ିଶାର ପଞ୍ଚମ ଅନୁଚ୍ଛେଦ ଅଞ୍ଚଳରେ ଅନେକ ଆଶା ଓ ସମ୍ଭାବନା ଦେଖିବାକୁ ମିଳୁଛି । ଆମେ ସେ ସବୁରୁ କିଛି ଶିକ୍ଷା ହିସାବରେ ଗ୍ରହଣ କରିପାରିବା କି ?

ସେସବୁ ଅଞ୍ଚଳର ବାସ୍ତବ ପରିସ୍ଥିତି କ’ଣ ରହିଛି, ସପ୍ତମ ରବି ରାୟ ସ୍ମାରକୀ ବକ୍ତୃତା ଦେଲାବେଳେ ଗତ ନଭେମ୍ବର ୨୬,୨୦୨୩ଦିନ ଡଃ ଭର୍ଜିନିଅସ୍ ଖାଖା ଯଥେଷ୍ଠ ସୂଚନା ଦେଇଛିନ୍ତି । ସେହିଭଳି ଓଡ଼ିଶାରେ କର୍ପୋରେଟ ହିତରେ ଚାଲିଥିବା ତଥାକଥିତ ବିକାଶ ପକ୍ରିୟା ଦ୍ୱାରା ବିସ୍ଥାପିତ ହୋଇଚାଲିଥିବା ଆଦିବାସୀ ଓ ଦଳିତମାନଙ୍କର ସମସ୍ୟାକୁ ନେଇ ଓଡ଼ିଶାର ଚାରିଟି ଅଞ୍ଚଳରେ ଜନଶୁଣାଣୀ କରି ଏକ ବେସରକାରୀ ବିବରଣୀ ସେହି ନଭେମ୍ବର ୨୬,୨୦୨୩ଦିନ ଉନ୍ମୋଚିତ ହୋଇଯାଇଛି । ଏଥିରେ ଅନେକ କଥା ରହିଛି ଯାହା ଯେକୌଣସି ମଣିଷର ସମ୍ବେଦନଶୀଳତାକୁ ଦୋହଲାଇ ଦେଇପାରିବ । ତେବେ ନିରବ ରହିବାଟା ଯେଉଁଠି ଏକ ସଂସ୍କୃତି ହୋଇସାରିଛି, ସେଠି କେତେ ତଥ୍ୟ ବା ସୂଚନା ଦେଲେ ବି ପ୍ରତିବାଦର ସଂସ୍କୃତି ଏବଂ ରାଜନୈତିକ ପ୍ରତିବାଦ କିପରି ତିଆରି ହୋଇପାରିବ ଏକ ବଡ଼ପ୍ରଶ୍ନ ହୋଇ ରହିଯାଉଛି । ଏପରି ଏକ ପରିସ୍ଥିତିରେ କିଏ କ୍ଷମତାରେ ରହିବ ବା କିଏ କ୍ଷମତାକୁ ଆସିବ ଏଭଳି ଏକ କଥାର ଜନଗଣଙ୍କ ପାଇଁ କୌଣସି ଅର୍ଥ ନଥାଏ । ଆମର ବର୍ତ୍ତମାନ ସମୟର ସବୁଠାରୁ ବଡ଼ଦାୟିତ୍ୱ ହେଉଛି କିଭଳି ଆମେ ପ୍ରଶ୍ନ କରିବାର ସଂସ୍କୃତି ଆରମ୍ଭ କରିପାରିବା ଯାହା ଏକ ପ୍ରତିବାଦର ରାଜନୀତି ନିର୍ମାଣ ସହ ଏକ ସୃଜନଶୀଳ ଓ ସହନଶୀଳ ପ୍ରଗତିର ନକ୍ସା ନିର୍ମାଣ କରିପାରିବ !

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.