ଧାରା ୩୭୦ ‘ବାତିଲ’ ଆଢ଼ୁଆଳରେ

ଧାରା ୩୭୦ର ଏକ ଇତିହାସ ଅଛି, ପୂର୍ଣ୍ଣ ରାଜ୍ୟଟିଏ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ବିଭାଜିତ ହେବାର ଇତିହାସ ନାହିଁ କିନ୍ତୁ ଭବିଷ୍ୟତ ତ ଅଛି ଯ।ହା ଦେଖିବା ପାଇଁ ଅବଶ୍ୟ ଦୂରଦୃଷ୍ଟିର ଆବଶ୍ୟକ ।

ଧାରା 370 ଉଛେଦ ପରେ ପରେ ଏହି ଲେଖାଟି ଡ. ବୀରେନ୍ଦ୍ର ନାୟକ ଲେଖିଥିଲେ, ଯାହାକି ସମଦୃଷ୍ଟିର ଅଗଷ୍ଟ 16-31, 2019 ସଂଖ୍ୟାରେ ପ୍ରକାଶ ପାଇଥିଲା । ଉଚ୍ଚତମ ନୟାଳୟର ରାୟ ଡ଼ିସେମ୍ବର 11, 2023 ରେ ପ୍ରକାଶ ପାଇବାପରେ ପ୍ରାସଙ୍ଗିକତା ଦୃଷ୍ଟିରୁ ଏହି ଲେଖାଟିକୁ ଆମେ ସ୍ଥାନିତ କରିଛୁ – (Editor)

ପୂର୍ଣ୍ଣ ରାଜ୍ୟରୁ କେନ୍ଦ୍ରଶାସିତ ରାଜ୍ୟ

ଧାରା ୩୭୦ ‘ବାତିଲ’ ଅଢୁଆଳରେ, ଭାରତୀୟ ସମ୍ବିଧାନରେ ଆରମ୍ଭରୁ ସ୍ୱୀକୃତ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଦୁଇଖଣ୍ଡରେ ବିଭାଜିତ କରି ଦିଆଗଲା । ଗୋଟିଏ ଖଣ୍ଡ ଜାମ୍ମୁ ଓ କାଶ୍ମୀର ଅଂଚଳକୁ ନେଇ ଓ ଦ୍ୱିତୀୟ ଖଣ୍ଡଟି ଲଦାଖ ଅଂଚଳକୁ ନେଇ । ଏହି ଦୁଇ ଅଂଚଳକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳ ବୋଲି ଘୋଷଣା କରାଗଲା, ପ୍ରଥମଟିରେ ବିଧାନସଭା ଥାଇ, ଦ୍ୱିତୀୟଟିରେ ବିଧାନସଭା ନ ଥାଇ୧ । ଗତ ୭୦ବର୍ଷର ଭାରତୀୟ ଗଣତନ୍ତ୍ରରେ ଏପରି ବିପରୀତମୁଖୀ ନିଷ୍ପତ୍ତି ଏଯାବତ୍ ହୋଇନଥିଲା । କେନ୍ଦ୍ରଶାସିତ ଅଂଚଳକୁ ପୂର୍ଣ୍ଣ ରାଜ୍ୟକୁ ଉନ୍ନୀତ କରାଯାଉଥିଲା । କିନ୍ତୁ ଏହା ପ୍ରଥମଥର ଯେ ଏକ ପୂର୍ଣ୍ଣ ରାଜ୍ୟକୁ ଖଣ୍ଡ ବିଖଣ୍ଡିତ କରି ତାର ମୁଖ୍ୟ ଅଂଶକୁ ମଧ୍ୟ କେନ୍ଦ୍ରଶାସିତ କରିଦିଆଗଲା । ଅବଶ୍ୟ ଉଭୟ ଗୃହମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ଏହାକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଫେରାଇଦେବେ ବୋଲି କହିଛନ୍ତି, ଯଦି ଏହି ଅଂଚଳରେ ସ୍ଥିତି ସ୍ୱାଭାବିକ ହୋଇଯାଏ । ତେବେ ଏହି ପଦକ୍ଷେପକୁ ଯେଉଁମାନେ ଭାରତର ଅବଶିଷ୍ଟ ରାଜ୍ୟମାନଙ୍କୁ କେନ୍ଦ୍ରଶାସିତ ଅଂଚଳରେ ପରିଣତ କରିବାର ଦୂରଗାମୀ ଲକ୍ଷ୍ୟ ହାସଲ ଦିଗରେ ଅୟମାରମ୍ଭ ବୋଲି ବିଚାର କରନ୍ତି, ସେମାନଙ୍କ ଆଶଙ୍କାକୁ ଉପେକ୍ଷା କରାଯାଇ ନ ପାରେ । ବରଂ ଏ ପ୍ରଶ୍ନ ମନକୁ ଆସିପାରେ, ଯେ ଏକଦା ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ, ଗୁରୁ ଗୋଲୱାଲକରଙ୍କ ଭାରତୀୟ ସଂଘୀୟ ବ୍ୟବସ୍ଥାର ବିରୋଧକୁ ସାକାର କରିବାର ଉଦ୍ୟମ ଆରମ୍ଭ କରିଛନ୍ତି କି? ଓ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହାର ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି କି? ଧାରା ୩୭୦କୁ ବାତିଲ କରି ନିର୍ବାଚନୀ ପ୍ରତିଶୃତି ପାଳନ କରିବା, ଏଥିପାଇଁ ଏକ ଅବସର ଯୋଗାଇଦେଲା କି? ସ୍ମରଣ କରାଯାଇପାରେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ଦର୍ଶନ ରୂପାୟନର ଅଗ୍ରଦୂତ ଗୁରୁ ଗୋଲୱାଲକରଙ୍କ ମତକୁ । ୧୯୫୪ ମସିହାରେ ବମ୍ବେଠାରେ ଅନୁଷ୍ଠିତ ମହାରାଷ୍ଟ୍ର ପ୍ରଦେଶ ଗଠନ ବିରୋଧୀ ସଭାରେ ଅଧ୍ୟକ୍ଷତା କରି ଗୋଲୱାଲକର କହିଥିଲେ୨, “ଭାରତରେ କେନ୍ଦ୍ରୀୟ ଶାସନ ହିଁ ରହିବା ଉଚିତ । ଏବଂ ପ୍ରଶାସନ ଦୃଷ୍ଟିରୁ ରାଜ୍ୟଗୁଡ଼ିକ ପ୍ରଶାସିତ ଅଂଚଳ ମାତ୍ର ହେବା ଉଚିତ ।” କେବଳ ଏତିକି ନୁହେଁ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘ ଦ୍ୱାରା ଧର୍ମଗ୍ରନ୍ଥ ପରି ବିଚାର କରାଯାଉଥିବା ଗୋଲୱାଲକରଙ୍କ ରଚିତ Bunch of Thoughts ରେ ଏକ ଅଧ୍ୟାୟ (ଅଷ୍ଟାଦଶ ଅଧ୍ୟାୟ) ରହିଛି ଏକକ ରାଷ୍ଟ୍ର ସପକ୍ଷରେ ଯାହାର ଶିରୋନାମା ହେଉଛି ‘Wanted a Unitary State’ । ରାଷ୍ଟ୍ରର ସଂଘୀୟ ଢାଂଚାକୁ ବିରୋଧ କରି ସେ ଏହି ଅଧ୍ୟାୟରେ କୁହନ୍ତି, “ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ପ୍ରଭାବୀ ପଦକ୍ଷେପ ହେବ ଆମ ରାଷ୍ଟ୍ରୀୟ ସମ୍ବିଧାନର ସଂଘୀୟ ଢାଂଚା ବିଷୟରେ ଆଲୋଚନାକୁ ସବୁ ଦିନ ପାଇଁ କବର ଦେଇ ଦେବା, ଭାରତ ଭିତରେ ଥିବା ସମସ୍ତ ‘ସ୍ୱଂୟଶାସିତ’ (‘autonomous’) ଓ ‘ଅର୍ଦ୍ଧ ସ୍ୱଂୟଶାସିତ’ (‘semi-autonomous’) ରାଜ୍ୟର ଅସ୍ତିତ୍ୱକୁ ଓଳେଇ ଦେବା (sweep away) ଏବଂ ଘୋଷଣା କରିବା ‘ଗୋଟିଏ ଦେଶ, ଗୋଟିଏ ରାଜ୍ୟ, ଗୋଟିଏ ବ୍ୟବସ୍ଥାପିକା, ଗୋଟିଏ କାର୍ଯ୍ୟପାଳିକା’ (‘One Country, One State, One Legislature, One Executive’) ଯେଉଁଠି ବିଭାଜନକାରୀ, ଆଂଚଳିକ, ଗୋଷ୍ଠୀଗତ, ଭାଷାଗତ ବା ଅନ୍ୟ କୌଣସି ଗର୍ବ କଲା ଭଳି ପରିଚିତି ପାଇଁ ସୁଯୋଗ ନ ଥିବ ଯାହା ଆମର ଅବିଚ୍ଛିନ୍ନ ସୁସଂଗତି (integrated harmony)କୁ ବିପନ୍ନ କରିବ । ଏକକ ସରକାର (Unitary form of Government)ର ସ୍ଥାପନା ପାଇଁ ସମ୍ବିଧାନର ପୁନଃମୂଲ୍ୟାୟନ ହେଉ, ପୁନଃଲିଖନ ହେଉ ଏବଂ ପ୍ରଭାବଶାଳୀ ଢଙ୍ଗରେ ଅପ୍ରମାଣିତ କରିଦିଆଯାଉ ବ୍ରିଟିଶ ସରକାରଙ୍କ ଦୁଃପ୍ରଚାରକୁ, ଯାହା ଆମର ଆଜିକାର ନେତାମାନେ ମଧ୍ୟ ଅଜାଣତରେ ମାନି ନେଇଛନ୍ତି, ଯେ ଆମ ଦେଶ ବହୁ ଭିନ୍ନ ଭିନ୍ନ ‘ଜାତିଗତ ଗୋଷ୍ଠୀ’ ବା ‘ଜାତୀୟତା’ (‘ethenic groups’ or ‘nationalities’)ର ସମାବେଶ, ଯେଉଁମାନେ ଭୌଗଳିକ ସମୀପତା ତଥା ଏକରୂପୀୟ ବୈଦେଶିକ ଶାସନଯୋଗୁଁ ଅକସ୍ମାତ୍ ପାଖାପାଖି ରହିଛନ୍ତି ଓ ଗୋଷ୍ଠୀ ଗଢ଼ିଛନ୍ତି ।”
ଶକ୍ତି ଓ କୌଶଳର ପ୍ରଦର୍ଶନ
କହିବା ବାହୁଲ୍ୟ, ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଆଦର୍ଶକୁ ପାଥେୟ କରି ଶାସନ କରୁଥିବା ଭାରତୀୟ ଜନତା ପାର୍ଟି ତାର ମୂଳ ଲକ୍ଷ୍ୟ ହାସଲରେ ଅଗ୍ରସର ହେଉଛି । ଏହାକୁ ହାସଲ କରିବା ପାଇଁ ଭାରତୀୟ ଜନତା ପାର୍ଟି ତାର କ୍ଷମତା ଭିତରେ ଥିବା ସମସ୍ତ ଶକ୍ତି ଓ କୌଶଳକୁ ଯେ ବ୍ୟବହାର କରିପାରେ , ତାହା ମଧ୍ୟ ଏହି ଅବସରରେ ଦର୍ଶାଇ ଦିଆଯାଇଛି । ଆତଙ୍କୀ ଆକ୍ରମଣର ସମ୍ଭାବନା ଦେଖାଇ ହିନ୍ଦୁଙ୍କ ପାଇଁ ପବିତ୍ର ଅମରନାଥ ଯାତ୍ରାକୁ ଅଧାରୁ ବନ୍ଦ କରିଦେବା ପାଇଁ ନିର୍ଦ୍ଦେଶ ଦିଆ ଯାଇପାରେ୩, ଯାହା ଏ ଯାବତ୍ ହୋଇନଥିଲା । ବାହାରୁ ଆସିଥିବା ଯାତ୍ରୀମାନଙ୍କୁ ତତ୍‌କ୍ଷଣାତ୍ କାଶ୍ମୀରରୁ ବାହାରି ଯିବାପାଇଁ ନିର୍ଦ୍ଦେଶ ଦିଆଯାଇପାରେ । କାଶ୍ମୀର ଘାଟୀର ୧୦ଟି ଜିଲ୍ଲାରେ ଓ ଜାମ୍ମୁର ୨ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରା ଯାଇପାରେ, ପ୍ରତି ୩୦ଜଣଙ୍କ ଉପରେ ନଜର ରଖିବା ପାଇଁ ଜଣେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇ ପାରେ ଯିଏ ସେନାବାହିନୀରୁ ହୋଇପାରନ୍ତି, ରାଜ୍ୟ ସରକାରଙ୍କ ପୁଲିସ ହୋଇପାରନ୍ତି ବା ଅର୍ଦ୍ଧ ସୈନିକ ବଳରୁ ହୋଇ ପାରନ୍ତି୪ । ଅର୍ଥାତ୍ ଏକ ବିଶାଳ ସୁରକ୍ଷା ବାହିନୀକୁ ମୁତୟନ କରାଯାଇପାରେ । ରାଜ୍ୟର ତୁଙ୍ଗ ନେତାମାନଙ୍କୁ ଗୃହବନ୍ଦୀ ଅବା ବନ୍ଦୀ କରି ନିଆ ଯାଇପାରେ । ସମୁଦାୟ ଜନଜୀବନକୁ ଅଚଳ କରି ଦିଆଯାଇପାରେ । ଟେଲିଫୋନ ସେବା, ଇଣ୍ଟରନେଟ ଆଦି ସମସ୍ତ ପ୍ରକାର ସଂଚାର ମାଧ୍ୟମକୁ ରୁଦ୍ଧ କରି ଦିଆଯାଇପାରେ । ଭିତରୁ କୌଣସି ଖବର ବାହାରକୁ ଆସିବା ବନ୍ଦ କରି ଦିଆଯାଇପାରେ । ଏହିଭଳି ସେ ଅଂଚଳକୁ ଏକ କୃଷ୍ଣ ଗର୍ତ୍ତ(blackhole)ରେ ପରିଣତ କରି ଦିଆଯାଇପାରେ୫ । ଅଂଚଳର ଜନସାଧାରଣଙ୍କ ଜୀବନକୁ ରୁଦ୍ଧଦ୍ୱାରରେ ଆବଦ୍ଧ କରିଦେଇ ସେମାନଙ୍କ ଭବିଷ୍ୟତ ଉପରେ ନିଷ୍ପତ୍ତି ନିଆଯାଇ ପାରେ । ଧାରା ୩୭୦କୁ ଦୁର୍ବଳ କରିଦିଆଯାଇ ପାରେ ଓ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ବିଭାଜିତ କରି ଦିଆ ୍‌ଯାଇପାରେ ।

ନିଷ୍ପତ୍ତିର ବେଗ

ସବୁଠାରୁ ମଜାକଥା ହେଉଛି ଏପରି କିଛି ହେବାକୁ ଯାଉ ନାହିଁ ବୋଲି ରାଜ୍ୟର ନେତା ଓମାର ଅବଦୁଲ୍ଲାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳକୁ, ୩ ଅଗଷ୍ଟ ୨୦୧୯ ଦିନ, ପ୍ରତିଶୃତି ଦେଇଥିବା୬ ରାଜ୍ୟପାଳ, ଯାହା ହେଲା ତାହା ପ୍ରତି ତାଙ୍କର ସମ୍ମତି ଥିଲା ବୋଲି ସାକ୍ଷାତର ମାତ୍ର ଦ୍ୱିତୀୟ ଦିନରେ, ୫ ଅଗଷ୍ଟ ୨୦୧୯ ଦିନ ଜାରି ହୋଇଥିବା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା (Constitution (Application to Jammu and Kashmir)order of 2019 of August 5, 2019) ରୁ ଜଣାପଡ଼େ । ୪ ଅଗଷ୍ଟ ୨୦୧୯ ଦିନ ସନ୍ଧ୍ୟାରେ, ଉମାର ଅବଦୁଲ୍ଲା ଓ ମେହବୁବା ମୁଫ୍‌ତିି ଗୃହବନ୍ଦୀ ହୁଅନ୍ତି୭ । ୫ ଅଗଷ୍ଟ ୨୦୧୯ଦିନ ଜାରି ହୋଇଥିବା ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ସେହିଦିନ ପ୍ରଥମାର୍ଦ୍ଧରେ ରାଜ୍ୟସଭାରେ ଉପସ୍ଥାପିତ କରନ୍ତି ଗୃହ ମନ୍ତ୍ରୀ ଅମିତ ଶାହା୮ ଯାହା ସେହିଦିନ ସନ୍ଧ୍ୟା ସୁଦ୍ଧା ଗୃହୀତ ହୋଇଯାଏ । ତା’ ପରଦିନ (୬ ଅଗଷ୍ଟ ୨୦୧୯) ଲୋକସଭାରେ ଉପସ୍ଥାପିତ ହୁଏ ଓ ଗୃହୀତ ହୋଇଯାଏ । ସେହି ୬ ତାରିଖ ଦିନ ହିଁ ରାଷ୍ଟ୍ରପତିଙ୍କ ଦସ୍ତଖତରେ ବିଜ୍ଞପ୍ତି୯ ପ୍ରକାଶପାଏ ଯେ ଧାରା ୩୭୦ରେ ଥିବା ଉପଧାରାଗୁଡ଼ିକ ଯାହା ଦ୍ୱାରା ଜାମ୍ମୁ କାଶ୍ମୀର ବିଶେଷ ରାଜ୍ୟର ମାନ୍ୟତା ଓ ସୁବିଧା ପାଉଥିଲା, ତାହାକୁ ବିଲୋପ କରିଦିଆଗଲା । ଓ ଧାରା ୩୭୦ର ସଂଶୋଧନ ହେଲା, ଯେଉଁ କଟକଣା ପୂର୍ବରୁ ଥିଲା, ତାହାକୁ ଉଠାଇ ଦିଆଗଲା ଓ ଏହି ସଂଶୋଧିତ ଧାରା ୩୭୦ରେ କୌଣସି ଉପଧାରା ରହିଲା ନାହିଁ ।

ନିଷ୍ପତ୍ତିରେ ଉଲ୍ଲାସ

ସାରାଦେଶରେ, କର୍ଫ୍ୟୁ ଘେରରେ ଥିବା କାଶ୍ମୀର ଘାଟୀ ବ୍ୟତୀତ, ଏପରି ପଦକ୍ଷେପର ସ୍ୱାଗତ ହେବାର ଦୃଶ୍ୟ ବେଶ୍ ପ୍ରସାରିତ ହେଉଥିଲା ଏପରିକି ଯେତେବେଳେ ଗୃହମନ୍ତ୍ରୀ ଅମିତ ଶାହା ସଂସଦରେ ଏହି ପ୍ରସ୍ତାବ ଆଗତ କରୁଥିଲେ । ଭାରତୀୟ ଜନତା ପାର୍ଟିର ତୁଙ୍ଗନେତା ମାନେ ତ ସ୍ୱାଭାବିକ ଏହି ନିଷ୍ପତ୍ତିକୁୁ ସ୍ୱାଗତ କରୁଥିଲେ । କାରଣ ଭାରତୀୟ ଜନତା ପାର୍ଟିର ପୂର୍ବ ଅବତାର, ଭାରୀୟ ଜନସଂଘ ପ୍ରତିଷ୍ଠା ହେବା ଦିନ ଠାରୁ, ଗତ ଶତାବ୍ଦୀର ଆଦ୍ୟ ୫୦ ଦଶକରୁ, ଏହି ଦାବୀ ହୋଇ ଆସୁଥିଲା, ସେମାନଙ୍କର ଏହା ସ୍ୱପ୍ନ ଥିଲା । ସୁଷମା ସ୍ୱରାଜ ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଭିନନ୍ଦନ ଜଣାଇ ଟୁଇଟ କରିଥିଲେ : “Narendra Modiji – Thank you Prime Minister. Thank you very much. I was waiting to see this day in my lifetime.” ସନ୍ଧ୍ୟା ୭ଟା ୨୩ ମିନିଟରେ ଟୁଇଟ କରିଥିଲେ ସୁଷମା ସ୍ୱରାଜ ମହୋଦୟା ଓ ସେହି ଦିନ ମଧ୍ୟରାତ୍ରରେ ପ୍ରାଣତ୍ୟାଗ କଲେ, ତାଙ୍କ ଜୀବନର ତାହା ଥିଲା ଶେଷ ଦିନ । କିନ୍ତୁ ଲୋକଙ୍କର ଖୁସିର କାରଣ କେଉଁ ସ୍ତରର ହୋଇପାରେ, ତାହାର ସୂଚନା ମଧ୍ୟ ମିଳେ ଭାରତୀୟ ଜନତା ପାର୍ଟିର କେତେକ ନେତାଙ୍କ ବକ୍ତବ୍ୟରୁ । ଯେପରି ଉତ୍ତରପ୍ରଦେଶର ମୁଜାଫରନଗର ଅଂଚଳର ଖଟୌଲିର ବିଜେପି ବିଧାୟକ Vikram Singh Saini କୁହନ୍ତି୧୦, “ଦଳୀୟ କର୍ମୀମାନେ ଖୁସିରେ ବେଶ ଉତ୍ତେଜିତ, କାରଣ ସେମାନେ ଏବେ କାଶ୍ମୀରରୁ ଗୋରୀ ଝିଅ ବିବାହ କରିପାରିବେ ।” ହରିୟାଣାର ମୁଖ୍ୟମନ୍ତ୍ରୀ ମୋହନଲାଲ ଖଟ୍ଟର କୁହନ୍ତି୧୧, “ଲୋକମାନେ କହୁଛନ୍ତି ସମ୍ବିଧାନର ଧାରା ୩୭୦ ବାତିଲ ହେଲା ପରେ ବିବାହପାଇଁ ସେମାନେ କାଶ୍ମୀରରୁ ଝିଅ ଆଣିବେ । ” ଗୋରଖପୁରର ବିଜେପି ବିଧାୟକ ରାଧାମୋହନ ଦାସ ଅଗ୍ରୱାଲ ତ କାଶ୍ମୀରରେ ଜମି କିଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଲେଣି ବୋଲି ଘୋଷଣା କରନ୍ତି୧୨ା କହିବା ବାହୁଲ୍ୟ ଯେ ଏହି ନିଷ୍ପତ୍ତିକୁ ନେଇ ଉଲ୍ଲାସ ଯେଉଁମାନଙ୍କ ଭିତରେ ଦେଖା ଯାଇଥିଲା ବା ଦେଖା ଯାଉଛି, ସେମାନେ ପ୍ରାୟ ଜାମ୍ମୁ କାଶ୍ମୀର ବାହାରେ ଥିବା ଲୋକ । ଜାମ୍ମୁ କାଶ୍ମୀର ଭିତରୁ ଏହି ନିଷ୍ପତ୍ତି ସପକ୍ଷରେ ଯଦି କିଛି ସମ୍ବାଦ ପ୍ରକାଶ ପାଉଛି ତାହା ସାଧାରଣତଃ ହିନ୍ଦୁବହୁଳ ଜାମ୍ମୁ ଅଂଚଳରୁ, ଯାହାର ମାତ୍ର ଦୁଇଟି ଜିଲ୍ଲାରେ କର୍ଫ୍ୟୁ ଲାଗିଛି । କିନ୍ତୁ ଧାରା ୩୭୦ ସଂଶୋଧିତ ହୋଇଗଲା ପରେ ଜାମ୍ମୁ କାଶ୍ମୀରର ବାହାର ଲୋକେ ସେଠାରେ ଜମି କିଣିପାରିବେ ବୋଲି ଜାମ୍ମୁ ଏବଂ କାଶ୍ମୀର ରାଜ୍ୟ ବାହାରର ବିଜେପି ନେତାମାନେ ଯେତେବେଳେ ଉଲ୍ଲସିତ ହେଉଛନ୍ତି, ସେତେବେଳେ ସ୍ଥାନୀୟ ବିଜେପି ନେତାଗଣ ଏହା ଉପରେ କଟକଣା ରହିବାକୁ ସମର୍ଥନ କରୁଛନ୍ତି୧୩ ।

ଜାମ୍ମୁ ଓ କାଶ୍ମୀର ଭାରତର ଅଭିନ୍ନ ଅଙ୍ଗ

ଧାରା ୩୭୦କୁ ନେଇ ଘଟଣାଗୁଡ଼ିକର ଅଗଷ୍ଟ ୨୦୧୯ର ପ୍ରଥମ ସାତ ଦିନରେ ଯେପରି ପ୍ରଚାର ପ୍ରସାର କରାଗଲା, ଆକ୍ରାମକ ଉଲ୍ଲାସର ଦୃଶ୍ୟ ମୁଖ୍ୟଧାରାର ଗଣମାଧ୍ୟମରେ ସଚେତନ ଭାବେ ପରିବେଶିତ ହେଲା, ମନେ ହେଲା ଯେ ଜାମ୍ମୁ ଏବଂ କାଶ୍ମୀର ରାଜ୍ୟର ସୌଭାଗ୍ୟରୁ ଅନ୍ୟ ଭାରତୀୟମାନଙ୍କୁ ବଂଚିତ କରି ରଖିଥିଲା ଧାରା ୩୭୦ । ଭାରତରୁ ସେ ଏକ ଭିନ୍ନ ଅଂଚଳ ଥିଲା ଓ ଧାରା ୩୭୦ର ସଂଶୋଧନ ଏହି ଅଂଚଳକୁ ଭାରତର ଅଭିନ୍ନ ଅଙ୍ଗ କରିଦେଲା । କିନ୍ତୁ ଯଦି ଧାରା ୩୭୦ର ଇତିହାସ ଦେଖୁ, ତାହାହେଲେ ଏହାକୁ ବିରୋଧ ମୂଳରୁ ହୋଇ ଆସିଅଛି ଓ ଏହାକୁ ବାତିଲ କରିବାର ଦାବୀ ମୂଳରୁ ହୋଇଛି । ଅପରପକ୍ଷରେ ଜାମ୍ମୁ ଏବଂ କାଶ୍ମୀର ରାଜ୍ୟର ଅଧିବାସୀ ତାର ରାଜ୍ୟ ଭାରତର ଅଭିନ୍ନ ଅଙ୍ଗ ବୋଲି ସମ୍ବିଧାନରେ ଘୋଷଣା କରିଛି, ଆଜକୁ ୬୩ବର୍ଷ ତଳେ, ୧୯୫୬ ମସିହାରେ । ଏହି ସମ୍ବିଧାନର ଧାରା (୩) ସ୍ପଷ୍ଟ କୁହେ୧୪ “The State of Jammu and Kashmir is and shall be an integral part of India” ।

ଧାରା ୩୭୦ ଏକ ସୁଡ଼ଙ୍ଗ ବା ଟନେଲ

ଆଜକୁ ୫୫ବର୍ଷ ତଳେ ଧାରା ୩୭୦ ବାତିଲ ଦାବୀ ଉପରେ ମତ ଦେଇ ଡିସେମ୍ବର ୪, ୧୯୬୪ ଦିନ ତତ୍କାଳୀନ ଗୃହମନ୍ତ୍ରୀ ଗୁଲଜାରୀଲାଲ ନନ୍ଦା କହିଥିଲେ୧୫, “ଭାରତର ସମ୍ବିଧାନକୁ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭିତରକୁ ନେବାର ଏକ ମାତ୍ର ବାଟ ହେଉଛି ଧାରା ୩୭୦ର ପ୍ରୟୋଗ । ଏହା ଗୋଟିଏ ସୁଡ଼ଙ୍ଗ (turnnel) । ଏହି ସୁଡ଼ଙ୍ଗଦେଇ ଯାତାୟାତ ((traffic) ବହୁତ ହେଲାଣି ଓ ଆହୁରି ମଧ୍ୟ ହେବ ।” ଧାରା ୩୭୦ଯେ ଫାଙ୍କା ହୋଇଗଲାଣି, ତାହା ପ୍ରତି ଇଙ୍ଗିତ କରି ସେ କହିଥିଲେ୧୫, “କଣ ହୋଇଛି ନା ଏବେ କେବଳ ଖୋଳ ହିଁ ରହିଛି । ଧାରା ୩୭୦, ଏହାକୁ ରଖ ବା ନ ରଖ, ଏହା ବିଷୟବସ୍ତୁ (contents) ଶୂନ୍ୟ ହୋଇଯାଇଛି । ଏହା ଭିତରେ କିଛି ଆଉ ନାହିଁ ।” ଧାରା ୩୭୦ର ୭୦ବର୍ଷର ଇତିହାସ ଦେଖିଲେ ଗୁଲଜାରୀଲାଲ ନନ୍ଦାଙ୍କ ମନ୍ତବ୍ୟ ଭିତ୍ତିହୀନ ମନେହୁଏ ନାହିଁ । ଯେତେବେଳେ ଧାରା ୩୭୦ ସମ୍ବିଧାନରେ ସ୍ଥାନ ପାଇଲା, ୨୬ ଜାନୁଆରୀ ୧୯୫୦ରେ, ସେତେବେଳେ ସଂସଦର ରାଜ୍ୟ ପାଇଁ ଆଇନ କରିବା ମାତ୍ର ସେହି ତିନୋଟି ବିଷୟକୁ ସୀମିତ ଥିଲା ଯେଉଁ ତିନୋଟି ବିଷୟ Instrument of Accessionରେ ଉଲ୍ଲେଖ କରାଯାଇଥିଲା ଯେପରି ସଂଘ ସୂଚୀ (Union List)ର ପ୍ରତିରକ୍ଷା, ସଂଚାର (ପୋଷ୍ଟ ଏବଂ ଟେଲିଗ୍ରାଫ, ରେଳବାଇ, ବିମାନ ସେବା ଇତ୍ୟାଦି) ଏବଂ ବୈଦେଶିକ ବ୍ୟାପାର , ତାହା ଅବଶ୍ୟ ରାଷ୍ଟ୍ରପତିଙ୍କର ଘୋଷଣା ପରେ ଓ ରାଜ୍ୟ ସରକାରଙ୍କୁ ପରାମର୍ଶ କରି । ଏହାସହିତ ମଧ୍ୟ କୁହାଯାଇଥିଲା ସଂଘ ସୂଚୀ (Union List) ଓ ସମବର୍ତ୍ତୀ ସୂଚୀ (Concurrent List)ର ଯେଉଁ ବିଷୟକୁ ରାଷ୍ଟ୍ରପତି ମହୋଦୟ ରାଜ୍ୟ ସରକାରଙ୍କ ସହମତିରେ ଏକ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିବେ କେବଳ ସେହି ବିଷୟରେ ସଂସଦ ଆଇନ କରିବାରେ ନିଜକୁ ସୀମିତ ରଖିବ । ସମ୍ବିଧାନର ସେହି ଧାରାଗୁଡ଼ିକ ରାଜ୍ୟ ପାଇଁ ଲାଗୁ ହେବ ଯେଉଁ ଧାରାଗୁଡିକୁ ରାଷ୍ଟ୍ରପତି ମହୋଦୟ ରାଜ୍ୟ ସରକାରଙ୍କର ସହମତିରେ ଏକ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିବେ । ଏହି ଧାରାରୁ ଜଣାପଡ଼େ ଯେ ଜାମ୍ମୁକାଶ୍ମୀର ରାଜ୍ୟର ନିଜସ୍ୱ ସମ୍ବିଧାନ ପ୍ରଣୟନ କରିବା ପାଇଁ ଏକ ସମ୍ବିଧାନ ସଭାର ପ୍ରସ୍ତାବ ରହିଥିଲା । ଏବଂ ରାଜ୍ୟ ସରକାରଙ୍କ ପାଇଁ ଆଇନ ପ୍ରଣୟନରେ ଏହାର ଏକ ନିର୍ଣ୍ଣାୟକ ଭୂମିକା ରହିଲା । ଧାରା ୩୭୦ ଭାରତୀୟ ସମ୍ବିଧାନର ଏକ ଏପରି ଧାରା ଯାହାର ବିଲୟ ପାଇଁ ବା ସଂଶୋଧନ ପାଇଁ ସେହି ଧାରା ଭିତରେ ହିଁ (ଉପଧାରା ୩) ରାଷ୍ଟ୍ରପତିଙ୍କୁ କ୍ଷମତା ଦିଆଯାଇଛି । କିନ୍ତୁ ଏଥିପାଇଁ ସମ୍ବିଧାନ ସଭାର ସୁପାରିଶ (Recommendation) ରହିବା ଆବଶ୍ୟକ । ଏହି ଧାରାକୁ ବ୍ୟବହାର କରି ହିଁ ୬ ଅଗଷ୍ଟ ୨୦୧୯ ଦିନ ସଂଶୋଧିତ ଧାରା ୩୭୦ର ବିଜ୍ଞପ୍ତି ପ୍ରକାଶ ପାଇଛି । ଧାରା ୩୭୦ ଆରମ୍ଭ ହେବା ଦିନରୁ ଏହାର ସଂଶୋଧନ ମଧ୍ୟରେ ରାଷ୍ଟ୍ରପତି ବିଭିନ୍ନ ସମୟରେ ଧାରା ୩୭୦ଅନୁସାରେ ବହୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଓ ସଂଘ ସୂଚୀ ଓ ସମବର୍ତ୍ତୀ ସୂଚୀର ଅଧିକାଂଶ ବିଷୟ ଜାମ୍ମୁ କାଶ୍ମୀର ରାଜ୍ୟ ଦ୍ୱାରା ଗ୍ରହଣୀୟ ହୋଇଯାଇଛି । ଏକ ପରିସଂଖ୍ୟାନ ଅନୁସାରେ ଧାରା ୩୭୦ ପ୍ରଚଳନ ହେବା ପରେ ପରେ ୧୯୯୪ ମଧ୍ୟରେ ରାଷ୍ଟ୍ରପତି ୫୦ଟି ଏହିପରି ନିର୍ଦ୍ଦେଶନାମା ଜାରି କରିଛନ୍ତି, ସଂଘ ସୂଚୀର ୯୭ଟି ବିଷୟରୁ ୯୪ଟି ବିଷୟକୁ ଜାମ୍ମୁ କାଶ୍ମୀର ରାଜ୍ୟ ଗ୍ରହଣ କରିଛି, ସମବର୍ତ୍ତୀ ସୂଚୀର ୪୭ଟି ବିଷୟରୁ ୨୬ଟି ବିଷୟ ଗ୍ରହଣ କରିଛି, ୧୨ଟି ଅନୁସୂଚୀ (Schedule)ରୁ ୭ଟି ଗ୍ରହଣ କରିଛି, ସମ୍ବିଧାନର ୩୯୫ଟି ଧାରା ଭିତରୁ ୨୬୦ଟି ଧାରାକୁ ଗ୍ରହଣ କରିଛି । ଅର୍ଥାତ୍ ଜାମ୍ମୁ ଓ କାଶ୍ମୀର ଓ ଅନ୍ୟ ରାଜ୍ୟ ମଧ୍ୟରେ ସାମ୍ବିଧାନିକ ଦୂରତା ବେଶ ହ୍ରାସ ପାଇଛି । ଧାରା ୩୭୦କୁ ବ୍ୟବହାର କରି ହିଁ ଏହା ସମ୍ଭବ ହୋଇଛି । ଏହା ପ୍ରକୃତରେ ଏକ ଟନେଲ ବା ସୁଡ଼ଙ୍ଗ ସଦୃଶ ହିଁ ହୋଇଛି ଭାରତର ସମ୍ବିଧାନକୁ ଜାମ୍ମୁ -କାଶ୍ମୀର ରାଜ୍ୟ ଭିତରକୁ ନେବା ପାଇଁ । ଅଥଚ ଏହା ରହିବା ଜାମ୍ମୁ ଓ କାଶ୍ମୀର ରାଜ୍ୟର ଅଧିବାସୀଙ୍କୁ ସ୍ୱାୟତତ୍ତାର ଏକ ମନସ୍ତାତ୍ତ୍ୱିକ ତୃପ୍ତି ଦେଇଛି । ଯାହା ଜାମ୍ମୁ ଓ କାଶ୍ମୀର ରାଜ୍ୟ ବାହାରର ଅଧିବାସୀଙ୍କ ପାଇଁ ଗ୍ରହଣ କରିବା କଷ୍ଟକର ହେଉଥିଲା, ତାହା ହେଉଛି ଜାମ୍ମୁ ଓ କାଶ୍ମୀର ରାଜ୍ୟ ପାଇଁ ନିଜସ୍ୱ ଏକ ସମ୍ବିଧାନ ଓ ଏକ ସ୍ୱତନ୍ତ୍ର ପତାକା । ୬ଅଗଷ୍ଟ ୨୦୧୯ ରାଷ୍ଟ୍ରପତିଙ୍କର ଘୋଷଣା ପରେ ଏହା ଅନାବଶ୍ୟକ ହୋଇଯାଇଛି । ଆଉ ଯାହା ଜାମ୍ମୁ ଓ କାଶ୍ମୀର ରାଜ୍ୟର ବାହାର ଅଧିବାସୀଙ୍କୁ ବିବ୍ରତ କରୁଥିଲା, ତାହା ହେଉଛି ଧାରା ୩୭୦ ଅନୁସାରେ ରାଷ୍ଟ୍ରପତି (ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ)ଜାରି କରିଥିବା ନିର୍ଦ୍ଦେଶନାମା The Constitution (Application to Jammu and Kashmir) Order, 1954 ରେ ଉଲ୍ଲେଖ ହୋଇଥିବା ଧାରା ୩୫-ଏ ଯେଉଁଥିରେ ରାଜ୍ୟର ବ୍ୟବସ୍ଥାପିକାକୁ ରାଜ୍ୟର ସ୍ଥାୟୀ ବାସିନ୍ଦାର ପରିଭାଷା ସ୍ଥିର କରିବା ଓ ଏହି ସ୍ଥାୟୀ ବାସିନ୍ଦାମାନଙ୍କୁ ସରକାରୀ ଚାକିରିରେ, ସ୍ଥାବର ସମ୍ପତ୍ତି ଅର୍ଜନ କରିବାରେ, ରାଜ୍ୟରେ ବସ ବାସ କରିବା କ୍ଷେତ୍ରରେ ଓ ରାଜ୍ୟ ସରକାରଙ୍କ ଅନୁଦାନ ଓ ବୃତ୍ତି ପାଇବାର ଅଧିକାର କ୍ଷେତ୍ରରେ କେଉଁ ବିଶେଷ ସୁବିଧା ଉପଲବ୍ଧ କରାଯିବ, ସେ ସମ୍ପର୍କରେ ଆଇନ ପ୍ରସ୍ତୁତିର ଅଧିକାର ଦିଆଗଲା । ଏହାର ପରିଣତି ହେଲା ଯେ ଜାମ୍ମୁ କାଶ୍ମୀରର ସ୍ଥାୟୀ ବାସିନ୍ଦା ହୋଇ ନ ଥିବା ଅର୍ଥାତ୍ ରାଜ୍ୟ ବାହାରର ଲୋକେ ସେ ରାଜ୍ୟରେ କୌଣସି ସ୍ଥାବର ସମ୍ପତ୍ତି କିଣି ପାରିଲେ ନାହିଁ , ସରକାରୀ ଚାକିରି ପାଇଲେ ନାହିଁ । ୬ ଅଗଷ୍ଟ ୨୦୧୯ ଦିନ ଧାରା ୩୭୦ର ସଂଶୋଧନ ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏ ସମସ୍ତ ସୁବିଧା ସୁଯୋଗର ମଧ୍ୟ ଅନ୍ତ ଘଟିଲା ।
ଧାରା ୩୭୦ ସବୁ ଦୁଃସ୍ଥିତି ପାଇଁ ଦାୟୀ
୫୫ବର୍ଷ ତଳେ ତତ୍କାଳୀନ ଗୃହମନ୍ତ୍ରୀ ଗୁଲଜାରୀଲାଲ ନନ୍ଦା ଯେଉଁ ଧାରା ୩୭୦କୁ ଏକ ଖୋଳ ମାତ୍ର ବୋଲି ସଂସଦରେ କହି ଏହାର ଉଚ୍ଛେଦର ଦାବିକୁ ଗୌଣ କରିଦେଇଥିଲେ, ସେହି ସଂସଦରେ ୫-୬ ଅଗଷ୍ଟ ୨୦୧୯ ଦିନ ଧାରା ୩୭୦ର ଉଚ୍ଛେଦ ବା ସଂଶୋଧନ ସପକ୍ଷରେ ଆଜିର ଗୃହମନ୍ତ୍ରୀ ଅମିତ ଶାହା ଯାହା କହିଲେ ତାହା ଉଲ୍ଲେଖ କରିବା ଆବଶ୍ୟକ ମନେହୁଏ । ସେ କହିଲେ୮-(୧)ଧାରା ୩୭୦ ଭାରତ ସହିତ ଜାମ୍ମୁ ଓ କାଶ୍ମୀରର ମିଶ୍ରଣକୁ ବିରୋଧ କରୁଛି । (୨) ଧାରା ୩୭୦ ରାଜ୍ୟର ଅଧିବାସୀଙ୍କ ବିକାଶରେ ବାଧା ସୃଷ୍ଟି କରୁଛି । (୩) ଧାରା ୩୭୦ ବାତିଲ ହୋଇଗଲେ ଘରୋଇ ନିବେଶ ପାଇଁ ଜାମ୍ମୁ ଓ କାଶ୍ମୀରର ଦ୍ୱାର ଫିଟିଯିବ, ଯାହା ଦ୍ୱାରା ବିକାଶର ସମ୍ଭାବନା ବୃଦ୍ଧି ପାଇବ (୪) ପୁଂଜି ନିବେଶର ବୃଦ୍ଧି ହେଲେ ଅଧିକ ରୋଜଗାର ସୃଷ୍ଟି ହେବ ଓ ରାଜ୍ୟର ସାମାଜିକ ଅର୍ଥନୈତିକ ଭିତ୍ତି ଭୂମିରେ ଉନ୍ନତି ହେବ । (୫) ଜମି କିଣିବାର ସୁଯୋଗ ଖୋଲିଯିବ ଯାହାଦ୍ୱାରା ଘରୋଇ ବ୍ୟକ୍ତିଙ୍କ ଠାରୁ ଓ ବହୁଦେଶୀୟ କମ୍ପାନୀମାନଙ୍କଠାରୁ ନିବେଶ ଆସିବ ଓ ସ୍ଥାନୀୟ ଅର୍ଥନୀତିରେ ଉନ୍ନତି ଆସିବ ।(୬) ଧାରା ୩୭୦ ନ ଥିଲେ ଏତେ ସଂଖ୍ୟାରେ ସାଧାରଣ ଲୋକ ଓ ସୈନିକ ସହିଦ ହୋଇନଥାନ୍ତେ । (୭) ଧାରା ୩୭୦ ଥିବା ଫଳରେ ଗଣତନ୍ତ୍ର ଜାମ୍ମୁ ଓ କାଶ୍ମୀରରେ ମୂଳ ଧରିଲା ନାହିଁ, ଦୁର୍ନୀତି ପ୍ରବଳ ଭାବରେ ବଢ଼ିଲା ଓ କୌଣସି ସାମାଜିକ-ଅର୍ଥନୈତିକ ଭିତ୍ତିଭୂମି ସୃଷ୍ଟି ହେଲା ନାହିଁ । (୮) ଧାରା ୩୭୦ ହିଁ ଆତଙ୍କବାଦର ମୂଳ କାରଣ । (୯) ଧାରା ୩୭୦ ହିଁ ଜାମ୍ମୁ ଓ କାଶ୍ମୀର ଲୋକଙ୍କର ଗଣତାନ୍ତ୍ରିକ ଅଧିକାରକୁ ଅପହରଣ କରିଛି, ଯେଉଁ ଗଣତାନ୍ତ୍ରିକ ଅଧିକାର ଭାରତୀୟ ନାଗରିକଙ୍କୁ ମିଳିଛି । (୧୦) ଧାରା ୩୭୦ ପ୍ରତିବନ୍ଧକ ସାଜିଛି ବାହାର ଲୋକେ ଆସି ରାଜ୍ୟରେ ବେପାର କରିବା ପଥରେ । ପ୍ରତିଦ୍ୱନ୍ଦ୍ୱିତା ନ ଥିବା ଫଳରେ ବିକାଶ ବାଧାପ୍ରାପ୍ତ ହୋଇଛି ଓ ଦୁର୍ନୀତି ବୃଦ୍ଧି ପାଇଛି । ଜମିର ଦର ବହୁତ କମ ରହିଛି କାରଣ କେହି ଢ଼ଜମି କିଣି ପାରିବେ ନାହିଁ । କୌଣସି ଶିଳ୍ପକୁ, ପର୍ଯ୍ୟଟନ ଶିଳ୍ପ ସମେତ, ବଢ଼ିବାକୁ ଦିଆଯାଉ ନାହିଁ । ଲୋକମାନେ ସ୍ଥାୟୀଭାବେ ଗରିବ ହୋଇ ରହିଛନ୍ତି ଯଦିଓ ସ୍ଥାନୀୟ ଲୋକଙ୍କ ପାଇଁ ବହୁଳ ଅର୍ଥନୈତିକ ସୁଯୋଗ ରହିଛି । ବ୍ୟାପକ ଦୁର୍ନୀତି ରହିଛି ଯାହା ବାହାରୁ ପୁଞ୍ଜିନିବେଶକୁ ବାଧାଦେଉଛି । (୧୧) ଧାରା ୩୭୦ଫଳରେ କୌଣସି ସୁବିଧା କାଶ୍ମୀରୀ ଯୁବକମାନେ ପାଇନାହାନ୍ତି । ଏହା କେବଳ କିଛି ସମାଜପତି (ଋକ୍ଷସଗ୍ଧର)ଙ୍କ ପାଇଁ ଲାଭପ୍ରଦ ହୋଇଛି ଯେଉଁମାନେ ସବୁ ଲାଭକୁ ନିଜ ଆଡ଼କୁ ନେଇଥାନ୍ତି ଓ ଯୁବଗୋଷ୍ଠୀଙ୍କୁ ଦରିଦ୍ର କରି ରଖନ୍ତି । (୧୨) ଧାରା ୩୭୦ ଫଳରେ ବାହାରୁ ପେଶାଦାର ଲୋକେ ଆସି ଏହି ରାଜ୍ୟରେ ବସତି ସ୍ଥାପନ କରିପାରୁନାହାନ୍ତି, ତେଣୁ ସେମାନେ ଆସୁ ନାହାନ୍ତି । (୧୩) ଧାରା ୩୭୦ ବାତିଲ ହୋଇଗଲେ ପ୍ରତ୍ୟେକ ଶିଶୁ ଶିକ୍ଷା ଅଧିକାର ପାଇବ ଓ ପ୍ରତ୍ୟେକ ରୋଗୀ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ମାଗଣା ସ୍ୱାସ୍ଥ୍ୟ ସେବା ପାଇପାରିବେ । (୧୪)ଧାରା ୩୭୦ ବାତିଲ ହେଲେ ହିଁ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଭାରତର ପ୍ରକୃତ ଅଂଶ ହେବ । (୧୫) କାଶ୍ମୀରର ସମସ୍ତ ସମସ୍ୟାର ସମାଧାନ ଧାରା ୩୭୦ର ବାତିଲରେ ହିଁ ନିହିତ ରହିଛି ।(୧୬) ଧାରା ୩୭୦ ମହିଳା ଓ ସେମାନଙ୍କର ସନ୍ତାନଙ୍କ ବିଷୟରେ ବେଶ୍ ପକ୍ଷପାତୀ ଅଟେ । ରାଜ୍ୟର ଝିଅ ଯଦି ରାଜ୍ୟ ବାହାରେ ବିବାହ କରନ୍ତି ତାହାହେଲେ ସେମାନେ ସମ୍ପତ୍ତି ଉପରେ ତାଙ୍କ ଅଧିକାର ହରାନ୍ତି ।

ସାମାଜିକ ଅର୍ଥନୈତିକ ସୂଚକରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ

ଅମିତ ଶାହାଙ୍କର ଧାରା ୩୭୦ ସମ୍ପର୍କରେ ଉପରୋକ୍ତ ମତ ଓ ମନ୍ତବ୍ୟକୁ ତଥ୍ୟ ଭିତ୍ତିରେ ଖଣ୍ଡନ କରନ୍ତି ବିଶିଷ୍ଟ ଅର୍ଥନୀତିଜ୍ଞ ଓ ସମାଜକର୍ମୀ ଜାଁ ଡ୍ରେଜ (Jean Dreze) ଓ ଦର୍ଶାନ୍ତି୧୬ ଯେ ଧାରା ୩୭୦ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଦାରିଦ୍ର‌୍ୟ ହ୍ରାସ କରିବାରେ ସାହାଯ୍ୟ କରିଛି । ବିଭିନ୍ନ ସାମାଜିକ ଅର୍ଥନୈତିକ ସୂଚକରେ ଜାମ୍ମୁ ଓ କାଶ୍ମୀର କିପରି ଗୁଜରାଟଠାରୁ ଭଲ ସ୍ଥିତିରେ ଅଛି ତାହା ୨୦୧୫-୧୬ ସରକାରୀ ତଥ୍ୟକୁ ଭିତ୍ତି କରି ଦର୍ଶାନ୍ତି । ଯେପରି ସମ୍ଭାବ୍ୟ ଆୟୁଷ୍କାଳ ଗୁଜରାଟରେ ୬୯ବର୍ଷ ହୋଇଥିବାବେଳେ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ୭୪ବର୍ଷ । ଶିଶୁ (୫ବର୍ଷରୁ କମ୍‌)ମୃତ୍ୟୁ ହାର ଗୁଜରାଟରେ ଶତକଡ଼ା ୩୩ ହୋଇଥିବା ବେଳେ ଜାମ୍ମୁ ଓ କାଶ୍ମୀର ପ୍ରଦେଶରେ ଏହା ଶତକଡ଼ା ୨୬ । ପ୍ରଜନନ ହାର (ମହିଳା ପିଛା ସନ୍ତାନ) ଗୁଜରାଟରେ ୨.୨ ଥିବାବେଳେ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହି ହାର ୧.୭ । ଆଠବର୍ଷ ସ୍କୁଲ ଶିକ୍ଷା ପାଇଥିବା ୧୫ରୁ ୧୯ବର୍ଷ ବାଳିକାଙ୍କ ପ୍ରତିଶତ ଗୁଜରାଟରେ ୭୫ହୋଇଥିବା ବେଳେ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହା ୮୭ । ଶିଶୁ ଓଜନହୀନତାକୁ ବିଚାର କଲେ, ଗୁଜୁରାଟରେ ପ୍ରତି ୧୦୦ ଶିଶୁଙ୍କ ମଧ୍ୟରୁ ୩୯ ଜଣ ଶିଶୁ ଥିବା ବେଳେ ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହି ଅଂଶ ୧୭ । ଶିଶୁ ଟୀକାକରଣରେ ପ୍ରତି ୧୦୦ଜଣ ଶିଶୁଙ୍କ ଭିତରୁ ଗୁଜୁରାଟରେ ୫୦ଶିଶୁଙ୍କୁ ଟୀକା ଦିଆଯାଇଥିବା ବେଳେ ଜାମ୍ମୁ ଓ କାଶ୍ମୀର ପ୍ରଦେଶରେ ଏହି ହାର ହେଉଛି ୭୫ । ଗ୍ରାମୀଣ ଅଂଚଳରେ ଦାରିଦ୍ର‌୍ୟ ସୀମାରେଖା ତଳେ ୨୦୧୧-୧୨ ପରିସଂଖ୍ୟାନ ଅନୁସାରେ, ଶତକଡ଼ା ୨୨ଜଣ ଗୁଜୁରାଟରେ ଥିବା ବେଳେ, ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହି ଅଂଶ ହେଉଛି ୧୨ । ଗ୍ରାମୀଣ ଶ୍ରମିକର ଦୈନିକ ମଜୁରୀ (୨୦୧୧-୧୨) ଗୁଜୁରାଟରେ ୧୧୬ଟଙ୍କା ହୋଇଥିବା ବେଳେ, ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଏହା ୨୦୬ଟଙ୍କା । ତେଣୁ ଯେପରି ଧାରଣା ଦିଆ ଯାଉଛି ଯେ ଧାରା ୩୭୦ଫଳରେ ଜାମ୍ମୁ ଓ କାଶ୍ମୀରର ଲୋକେ ସ୍ଥାୟୀ ଭାବରେ ଦରିଦ୍ର ହୋଇ ରହିଛନ୍ତି , ତାହା ଠିକ୍ ନୁହେଁ । ବରଂ ଏହା ଠାରୁ ଅଧିକ ଦାରିଦ୍ର‌୍ୟ ଧାରା ୩୭୦ରୁ ମୁକ୍ତ, ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ରାଜ୍ୟ ଗୁଜୁରାଟରେ ରହିଛି ।

ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଭୂସଂସ୍କାର

ଜାମ୍ମୁ ଓ କାଶ୍ମୀର ରାଜ୍ୟରେ ଦାରିଦ୍ର‌୍ୟ କମ ହେବାର କାରଣ ଧାରା ୩୭୦ ବୋଲି ଦର୍ଶାନ୍ତି ଜାଁ ଡ୍ରେଜ । କାରଣ ଏହି ଧାରା ୩୭୦ଯୋଗୁଁ ଗତ ଶତାବ୍ଦୀର ୫୦ଦଶକରେ ବ୍ୟାପକ ଭାବରେ ଭୂସଂସ୍କାର ସମ୍ଭବ ହୋଇପାରିଲା ବୋଲି ସେ ଯୁକ୍ତି କରନ୍ତି । ଜାଁ ଡ୍ରେଜଙ୍କ ଭାଷାରେ୧୭, “ମୂଳ କଥା ହେଉଛି ଜାମ୍ମୁ ଓ କାଶ୍ମୀରର ସେତେବେଳେ ତାର ନିଜର ସମ୍ବିଧାନ ଥିଲା, ଯାହା ଫଳରେ ସମ୍ଭବ ହେଲା ବଡ଼ ବଡ଼ ଜମି ମାଲିକଙ୍କ ମାଲିକାନାରୁୁ କୌଣସି କ୍ଷତି ପୂରଣ ନ ଦେଇ ଜମି କାଢ଼ି ନେବା ଓ ସେ ଜମିର ପୁନର୍ବଣ୍ଟନ କରିବା । ଭାରତୀୟ ସମ୍ବିଧାନରେ ଏହା କଦାପି ସମ୍ଭବ ହୁଅନ୍ତା ନାହିଁ ।” ଏହା କହି ଜାଁ ଡ୍ରେଜ ପ୍ରତିଧ୍ୱନିତ କରୁଥିଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ତତ୍କାଳୀନ ରାଜସ୍ୱ ମନ୍ତ୍ରୀ ମିର୍ଜା ମହମ୍ମଦ ଅଫଜଲ ବେଗଙ୍କ ବକ୍ତବ୍ୟକୁ ଯାହା ସେ ୨୭ ମାର୍ଚ୍ଚ ୧୯୫୨ ଦିନ ସମ୍ବିଧାନ ସଭାରେ କ୍ଷତିପୂରଣ ନ ଦେବା ସପକ୍ଷରେ ଯୁକ୍ତିକରି କହିଥିଲେ୧୮, “ଭାରତୀୟ ସମ୍ବିଧାନ ଅନୁସାରେ ଏହି ପ୍ରସଙ୍ଗଟି ସମ୍ବିଧାନର ଖଣ୍ଡ ୩ ଅନ୍ତର୍ଗତ ମୌଳିକ ଅଧିକାର ଅନ୍ତର୍ଭୁକ୍ତ ବିଷୟ ହେବ । ଏହା ସତ୍ୟ ଯେ ଏହି ଖଣ୍ଡରେ କିଛି ପ୍ରାବଧାନ ରହିଛି ଯାହା କ୍ଷତିପୂରଣ ଦେବାକୁ ଅନିର୍ବାର୍ଯ୍ୟ କରିଛି । କିନ୍ତୁ ଭାରତୀୟ ସମ୍ବିଧାନର ଏହି ଖଣ୍ଡ ଜାମ୍ମୁ ଓ କାଶ୍ମୀର ରାଜ୍ୟକୁ ଆଦୌ ଲାଗୁହୁଏ ନାହିଁ । ଆମେ ଭାରତରେ ଯୋଗ ଦେଲୁ କେବଳ ତିନୋଟି ବିଷୟ ସନ୍ଦର୍ଭରେ । ଏହି ତିନୋଟି ବିଷୟ ସମ୍ପର୍କିତ ପ୍ରାବଧାନ ଗୁଡିକ ହିଁ ଆମପାଇଁ ଲାଗୁ ହେବ । ଏହା ତେଣୁ ସ୍ପଷ୍ଟ ଯେ ଭାରତୀୟ ସମ୍ବିଧାନର କେତୋଟି ମାତ୍ର ବିଶେଷ ଧାରା ଆମ ରାଜ୍ୟରେ ଲାଗୁ ହେବ । କିନ୍ତୁ ଯେତେଦୂର ସମ୍ବିଧାନର ଖଣ୍ଡ ୩ ଅନୁସାରେ କ୍ଷତିପୂରଣ ଦେବାର ପ୍ରଶ୍ନ ଉଠୁଛି , ଏହାକୁ କୌଣସି ଅର୍ଥରେ ଆମ ରାଜ୍ୟରେ ଲାଗୁ କରାଯାଇପାରିବ ନାହିଁ । ତେଣୁ ଏହାର ଉଲ୍ଲେଖ ଅପ୍ରାସଙ୍ଗିକ । ” ବଡ଼ ବଡ଼ ଜମି ମାଲିକଙ୍କ ମାଲିକାନାରୁ ଜମି କାଢ଼ିନେବାର ଯଥାର୍ଥତା ଦର୍ଶାଇବାକୁ ଯାଇ ସେ ଆହୁରି କହିଥିଲେ୧୮, “ହଜାର ହଜାର ଏବଂ ଲକ୍ଷ ଲକ୍ଷ କାନାଲ (୧/୮ଏକର) ଜମି କେତେକ ବ୍ୟକ୍ତିଙ୍କ ଘରୋଇ ମାଲିକାନାରେ ରହିବା ଅତି ସାଂଘାତିକ, କେବଳ କେତେକ ବ୍ୟକ୍ତିଙ୍କ ପାଇଁ ନୁହଁ ବରଂ ସମଗ୍ର ସମୁଦାୟ ପାଇଁ । ଏଥିରୁ ମୁକୁଳିବାର ଏକ ମାତ୍ର ବାଟ ହେଉଛି ଯେଉଁମାନେ ପ୍ରକୃତରେ ଚାଷ କରୁଛନ୍ତି, ତାଙ୍କୁ ଏହି ଜମିକୁ ହସ୍ତାନ୍ତର କରିବା । ଏହି ପ୍ରବାସୀ ଭୂମାଲିକମାନେ (absentee landlords), ଯେଉଁମାନଙ୍କର ହଜାର ହଜାର ଓ ଲକ୍ଷ ଲକ୍ଷ କାନାଲ ଜମି ଅଛି, ଜାତିର ସ୍ୱାର୍ଥ ଦୃଷ୍ଟିରୁ କହିବାକୁ ଗଲେ, ସେମାନେ ଏହାକୁ ପ୍ରକୃତରେ ବ୍ୟବହାର କରନ୍ତି ନାହିଁ । ଏହି ତଥ୍ୟକୁ ବିଚାର କରି ସରକାର ନିଷ୍ପତ୍ତି ନେଲେ ଯେ ଜମିର ଆବଣ୍ଟନ ଏପରି କରିବେ ଯେ ଭୂମାଲିକଙ୍କ ପାଖରେ ଏକ ସୀମିତ ଅଂଶ ହିଁ ରହିବ । ….ରାଜ୍ୟର ଉଚ୍ଚନ୍ୟାୟାଳୟ ତାଙ୍କର ଏକ ରାୟରେ ଦର୍ଶାଇଛନ୍ତି ଯେ ବିଧାୟିକାର କ୍ଷମତା ଅଛି ବିନା କ୍ଷତିପୂରଣରେ ଜମି ଉପରେ ମାଲିକାନାକୁ ସମାପ୍ତ କରିଦେଇ ପାରିବ ।” କହିବା ବାହୁଲ୍ୟ ଯେ ଏପରି ଭାବରେ ବଡ଼ ବଡ଼ ଜମି ମାଲିକଙ୍କଠାରୁ ବିନା କ୍ଷତି ପୂରଣରେ ଜମି କାଢ଼ିନେଇ ସାଧାରଣ ଚାଷୀଙ୍କ ମଧ୍ୟରେ ବାଣ୍ଟି ଦେବା ହିଁ ଜାଁ ଡ୍ରେଜଙ୍କ ବିଚାରରେ ଏକ ଭିତ୍ତି ଭୂମି ସୃଷ୍ଟି କରିଥିଲା, ଯାହା ଫଳରେ ସେମାନେ ଅନେକ ପ୍ରମୁଖ ସାମାଜିକ ଅର୍ଥନୈତିକ ସୂଚକାଙ୍କରେ ବହୁ ଧାରା ୩୭୦ ମୁକ୍ତ ରାଜ୍ୟ ଠାରୁ ଉପରେ ଅଛନ୍ତି । ଏହା ତେଣୁ ଏକ ବିସ୍ମୟ ନୁହେଁ ଯେ ଜାତିସଂଘ ପ୍ରଣାଳୀରେ ପ୍ରସ୍ତୁତ ମାନବ ବିକାଶ ସୂଚକ (Human Development Index (by UN Method) of Indian states) ତାଲିକାରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ୨୦୧୮ ମସିହାରେ ୨୯ଟି ରାଜ୍ୟ ମଧ୍ୟରେ ଏକାଦଶ ସ୍ଥାନରେ ଅଛି ଓ ୧୯୯୫ରୁ ୨୦୧୮ ମଧ୍ୟରେ ସବୁବେଳେ ଗୁଜରାଟଠାରୁ ଉପରେ ରହିଛି୧୯ । ୨୦୧୭ ମସିହାରେ ଏକ ସର୍ବେକ୍ଷଣ ଅନୁସାରେ ସର୍ବୋଚ୍ଚ ଛଅଟି ଦୁର୍ନୀତିଗ୍ରସ୍ତ ରାଜ୍ୟ (କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଜାମ୍ମୁ ଓ କାଶ୍ମୀର , ପଂଜାବ) ମଧ୍ୟରୁ ପଂଚମ ସ୍ଥାନରେ ରହିଛି ଜାମ୍ମୁ ଓ କାଶ୍ମୀର ରାଜ୍ୟ । ଅନ୍ୟ ଦୁର୍ନୀତିଗ୍ରସ୍ତ ରାଜ୍ୟ ଗୁଡିକରେ ତ ଧାରା ୩୭୦ ନାହିଁ ଅଥଚ ସେମାନେ ଦୁର୍ନୀତିରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଉପରେ ଅଛନ୍ତି୨୦ । ଧାରା ୩୭୦ ହିଁ ଆତଙ୍କବାଦର କାରଣ ବୋଲି କୁହାଯିବା କେତେ ସଠିକ ଯେତେବେଳେ ଇତିହାସ କୁହେ ଯେ ଧାରା ପ୍ରଚଳନ ହେବାର ସାତ ଦଶନ୍ଧିରୁ କେବଳ ଶେଷ ତିନି ଦଶନ୍ଧିରେ ହିଁ ଆତଙ୍କବାଦର ସୂଚନା ମିଳେ? ବାହାରୁ ପୁଞ୍ଜିନିବେଶ ଓ ସେ ପୁଞ୍ଜିର ଆଧାରରେ ବିଭିନ୍ନ ଶିଳ୍ପ ସେଠାରେ ଗଢ଼ି ଉଠିଲେ ଜାମ୍ମୁ କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ସେହି ଭଳି ଉପଭୋଗ୍ୟ ରହିବ ତ? ଧାରା ୩୭୦କୁ ବାତିଲ କରିବାର ପ୍ରସ୍ତାବକୁ ଯଥାର୍ଥ ପ୍ରତିପାଦିତ କରିବାକୁ ଯାଇ ଅମିତ ଶାହା ନିଶ୍ଚିତ ଦର୍ଶାଇବାକୁ ଚେଷ୍ଟା କରିଛନ୍ତି ଯେ ଏହି ଧାରାଟି ସମ୍ପୂର୍ଣ୍ଣ ଭାବରେ, ସବୁ ଦିଗରୁ ଜାମ୍ମୁ ଓ କାଶ୍ମୀରର କ୍ଷତି ହିଁ କରିଛି । ଅମିତ ଶାହା ଯଦି କହିଥାନ୍ତେ ଏହି ଧାରା ଦ୍ୱାରା ସେହି ବଡ଼ ବଡ଼ ଭୂମାଲିକମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ଯେଉଁ ମାନଙ୍କର ହଜାର ହଜାର ଏକର ଜମିକୁ ତତ୍କାଳୀନ ଜାମ୍ମୁ ଓ କାଶ୍ମୀରର ସରକାର ନେଇ ଯାଇ ସାଧାରଣ ଚାଷୀଙ୍କ ମଧ୍ୟରେ ବାଣ୍ଟି ଦେଲା , ତାହାହେଲେ ଏହା ତଥ୍ୟାଶ୍ରିତ ହୋଇଥାନ୍ତା । କିନ୍ତୁ ସେ ଏହା କହି ନାହାନ୍ତି । ତେବେ ଯାହା ଜାଁ ଡ୍ରେଜ ଦର୍ଶାଇଛନ୍ତି, ତାହା ଯଦି ସଂସଦରେ ଆମର ମାନ୍ୟବର ସଦସ୍ୟମାନେ ଦର୍ଶାଇଥାନ୍ତେ ତାହାହେଲେ ଅମିତ ଶାହା ହୁଏତ ତାଙ୍କ ମନ୍ତବ୍ୟର ସଂଶୋଧନ କରିଥାନ୍ତେ । ବିରୋଧୀ ରାଜନୈତିକ ଦଳଗୁଡ଼ିକ ବୋଧହୁଏ ସମୟ ପାଇଲେ ନାହିଁ ତଥ୍ୟ ସହ ପ୍ରସ୍ତୁତ ହେବା ପାଇଁ ଯେହେତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶନାମା ଓ ଅନ୍ୟ ବିଧେୟକଗୁଡ଼ିକ ଅପ୍ରତ୍ୟାଶିତ ଢଙ୍ଗରେ ସହସା ପେଶ କରାଗଲା ଯାହାର ପ୍ରତିଲିପି ପୂର୍ବରୁ ବିପକ୍ଷଙ୍କୁ ଦିଆଯାଇ ନଥିଲା୨୧ ।

ରାଜନୈତିକ ନିଷ୍ପତ୍ତି!

ଏହି ନିଷ୍ପତ୍ତିର ପ୍ରତିକ୍ରିୟାରେ ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ଓ ଅଟଳ ବିହାରୀ ବଜପେୟୀଙ୍କ ମନ୍ତ୍ରିମଣ୍ଡଳରେ ଅର୍ଥମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀ ଯଶୋବନ୍ତ ସିହ୍ନା କୁହନ୍ତି୨୨, “ବିମୁଦ୍ରାୟନ (Demonetisation) କଦାପି ଏକ ଅର୍ଥନୈତିକ ନିଷ୍ପତ୍ତି ନ ଥିଲା । ଏହା ଏକ ରାଜନେତିକ ନିଷ୍ପତ୍ତି ଥିଲା । ଠିକ୍ ସେହିଭଳି ଏହା ମଧ୍ୟ ଏକ ରାଜନୈତିକ ନିଷ୍ପତ୍ତି । ଜାମ୍ମୁ ଓ କାଶ୍ମୀର ରାଜ୍ୟ ସହ ଏହାର କୌଣସି ଦବା ନବା ନାହିଁ । ଯଦି ଏହା ହୋଇଥାନ୍ତା ତାହାହେଲେ ଜାମ୍ମୁ ଓ କାଶ୍ମୀର ରାଜ୍ୟର ଜନସାଧାରଣଙ୍କୁ ବିଶ୍ୱାସ ଭିତରକୁ ନିଆଯାଇଥାନ୍ତା ।” ତାଙ୍କମତରେ ଏହା ଆଗାମୀ କେତୋଟି ରାଜ୍ୟରେ (ମହାରାଷ୍ଟ୍ର, ହରିୟାନା, ଦିଲ୍ଲୀ ଇତ୍ୟାଦି) ହେବାକୁ ଥିବା ନିର୍ବାଚନକୁ ଆଖିରେ ରଖି ହିଁ କରାଯାଇଛି । କିନ୍ତୁ ଏହି ନିଷ୍ପତ୍ତିର ବ୍ୟାପକ ଜନପ୍ରିୟତା ପ୍ରତି ଇଙ୍ଗିତ କରି ଆହୁରି କୁହନ୍ତି, “ଯଦି ଏବେ ନିକଟରେ ଏକ ଦେଶବ୍ୟାପୀ ନିର୍ବାଚନ ହୁଏ ତାହାହେଲେ ଭାରତୀୟ ଜନତା ପାର୍ଟିର ବିଜୟ ରାଜୀବ ଗାନ୍ଧୀଙ୍କର ୧୯୮୪ବିଜୟ ଠାରୁ ମଧ୍ୟ ବଡ଼ ହେବ ।” ଇନ୍ଦିରାଗାନ୍ଧୀଙ୍କ ମୃତ୍ୟୁପରେ ରାଜୀବ ଗାନ୍ଧୀଙ୍କ ନେତୃତ୍ୱରେ ହୋଇଥିବା ଏହି ନିର୍ବାଚନରେ କଂଗ୍ରେସ ଦଳ ୪୦୦ରୁ ଅଧିକ ନିର୍ବାଚନ ମଣ୍ଡଳୀରେ ବିଜୟ ହାସଲ କରିଥିଲା । ଅବଶ୍ୟ ସେ ନିଶ୍ଚିତ ଯେ ଏହି ନିଷ୍ପତ୍ତି ଦ୍ୱାରା କାଶ୍ମୀରର ଜନସାଧାରଣ ଆହୁରି ଦୂରେଇ ଯିବେ ।
ମନେ ହୁଏ ଏହି ନିଷ୍ପତ୍ତି ଆଜିର କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ଦୁଃସ୍ଥିତି ଉପରୁ ଜନସାଧାରଣଙ୍କର ଦୃଷ୍ଟିକୁ ବିଚ୍ୟୁତ କରିବାରେ ସଫଳ ହେଉଛି । ଆଗାମୀ ରାଜ୍ୟ ନିର୍ବାଚନମାନଙ୍କରେ ଏହି ଦୁଃସ୍ଥିତିର ଯେଉଁ ପ୍ରକାର ପ୍ରତିକୂଳ ପ୍ରଭାବ ପଡ଼ନ୍ତା, ତାହା ଅନେକାଂଶରେ ହ୍ରାସ ପାଇବାର ସମ୍ଭାବନା ଦେଖାଯାଉଛି । ଠିକ ପୁଲୱାମା-ବାଲାକୋଟ ଘଟଣା ପରେ ଯେପରି ହେଲା । ସ୍ମରଣ କରାଯାଇପାରେ ଯେ ପୁଲୱାମା-ବାଲାକୋଟ ଘଟଣାପର ନିର୍ବାଚନରେ ହିନ୍ଦୁ ଭୋଟରଙ୍କ ମଧ୍ୟରୁ ଶତକଡ଼ା ୪୪ଭୋଟର ବିଜେପିକୁ ସମର୍ଥନ କରିଥିଲେ ଓ ଏହି ପ୍ରତିଶତ ଏନ୍‌ଡିଏ ପାଇଁ ଥିଲା ୫୧ ପ୍ରତିଶତ୨୩ । ୨୦୧୪ ନିର୍ବାଚନରେ ବିଜେପିକୁ ସମର୍ଥନ କରିଥିଲେ ଶତକଡା ୩୬ ।
ଏହି ନିଷ୍ପତ୍ତି ଅମିତ ଶାହାଙ୍କର ରାଜନୈତିକ ବ୍ୟକ୍ତିତ୍ୱକୁ ଦଳର ଅନ୍ୟ ଯେକୌଣସି ନେତା ଠାରୁ ଉପରକୁ ନେଇ ଯାଇଛି । ମୋଦୀଙ୍କ ପରେ ଅମିତ ଶାହା-ଏ ଧାରଣା ବଳବତ୍ତର ହୋଇଛି । କେହି କେହି ତ ମୋଦୀଙ୍କ ପରେ ଅମିତ ଶାହା ପ୍ରଧାନମନ୍ତ୍ରୀ ହେବେ ବୋଲି ଭବିଷ୍ୟତବାଣୀ କଲେଣି । ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଲକ୍ଷ୍ୟଗୁଡ଼ିକୁ କାର୍ଯ୍ୟକାରୀ କରିବାରେ ତାଙ୍କର ନିଷ୍ଠା, ତତ୍ପରତା ଓ ଦୃଢ଼ତା ଦେଖିଲେ ସେ ଯେ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ଅତି ଆଦରର ବ୍ୟକ୍ତିତ୍ୱ ହୋଇଥିବେ, ଏହା କହିବା ଅନାବଶ୍ୟକ । ଏହିଠାରେ ପ୍ରାସଙ୍ଗିକ ହୋଇପାରେ ଏକ ସୂଚନା ଦେବା ଯେ ମଥୁରା ବୃନ୍ଦାବନରେ ଏକ ସନ୍ଥ ସମ୍ମିଳନୀରେ ଯୋଗଦେଇ ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ମୁଖ୍ୟ ମୋହନ ଭାଗୱତ ୨୯ ଜୁଲାଇ ୨୦୧୯ ଦିନ (ସୋମବାର)ଇଂଗିତ କରନ୍ତି ଯେ ଆଗାମୀ କିଛି ଦିନ ମଧ୍ୟରେ ଧାରା ୩୭୦ ଓ ଧାରା ୩୫-ଏ ଉପରେ କିଛି ଗୋଟାଏ ନିଷ୍ପତ୍ତି ହେବ ଓ ଏହାର ପର ସପ୍ତାହର ସୋମବାର (୫ ଅଗଷ୍ଟ ୨୦୧୯)ଦିନ ଅମିତ ଶାହା ଏହାକୁ ରାଜ୍ୟସଭାରେ ଆଲୋଚନା କରାନ୍ତି । ଯାହା ଆହୁରି ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଉଛି ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ସନ୍ଥମାନଙ୍କର ଜିଜ୍ଞାସାର ଉତ୍ତରରେ ମୋହନ ଭାଗୱତ ଏହିପରି ଇଙ୍ଗିତ ଦେଉଥିଲେ୨୪ । ଏହା ଦର୍ଶାଏ ଯେ ଏତେ ବଡ଼ ନିଷ୍ପତ୍ତି ରେ ଆଗ୍ରହର ଗଭୀରତା ଓ କେଉଁମାନଙ୍କର ।

ଉପସଂହାର

ପୂର୍ଣ୍ଣ ରାଜ୍ୟ ମାନ୍ୟତାପ୍ରାପ୍ତ ଜାମ୍ମୁ ଓ କାଶ୍ମୀର ରାଜ୍ୟ ଦୁଇ ଭାଗ ହୋଇଛି, ଲଦାଖକୁ କାଢ଼ି ନିଆଯାଇ ଅବଶିଷ୍ଟ ଜାମ୍ମୁ ଓ କାଶ୍ମୀର ଏକ କେନ୍ଦ୍ର ଶାସିତ ଅଂଚଳ କରି ଦିଆଯାଇଛି । କିନ୍ତୁ ସମସ୍ତ ଆଗ୍ରହ ସତ୍ତ୍ୱେ ଧାରା ୩୭୦ ସମ୍ବିଧାନରୁ ସେପରି ବାଦ୍ ପଡ଼ି ପାରି ନାହିଁ, ଯେପରି ଧାରା ୨୩୮ବାଦ୍ ପଡ଼ିଛି । ଆଜି ସମ୍ବିଧାନରେ ଧାରା ୨୩୮ ନାହିଁ । କିନ୍ତୁ ଧାରା ୩୭୦ ସମ୍ବିଧାନରେ ନାହିଁ ବୋଲି କହି ହେବ ନାହିଁ । ଅବଶ୍ୟ ଯାହା ଏହି ଧାରାରେ ପୂର୍ବେ ଥିଲା ତାହା ନାହିଁ, ତାହାର ସଂଶୋଧନ ହୋଇଛି । ପୂର୍ଣ୍ଣ ରାଜ୍ୟକୁ ଏକ କେନ୍ଦ୍ରଶାସିତ ରାଜ୍ୟ କରିଦେବା ଓ ଧାରା ୩୭୦କୁ ସଂଶୋଧନ କରିବାର ପ୍ରସ୍ତାବ ସଂସଦର ଉଭୟ ଗୃହରେ ଅଭୂତପୂର୍ବ ସମର୍ଥନ ପାଇଛି ତାହା ପୁଣି ରାଜ୍ୟସଭାରେ କ୍ଷମତାସୀନ ଦଳର ବହୁ ମତ ନ ଥିବା ବେଳେ । ଅରବିନ୍ଦ କେଜରିୱାଲଙ୍କ ଆମ୍ ଆଦମୀ ପାର୍ଟିର ସମର୍ଥନ ସମସ୍ତଙ୍କୁ ଚକିତ କରିଛି କାରଣ ଅରବିନ୍ଦ କେଜରିୱାଲ ମୂଳରୁ କେନ୍ଦ୍ରଶାସିତ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦାବୀରେ ମୁଖର ଥିଲେ ଓ ଅନେକେ ତାଙ୍କ ଆନ୍ତରିକତାରେ ବିଶ୍ୱାସ କରୁଥିଲେ । ନୀତିଗତ ଭାବରେ ସେ ଏପରି ନିଷ୍ପତ୍ତିକୁ ସମର୍ଥନ ଦେବେ ନାହିଁ ବୋଲି ଆଶା କରାଯାଉଥିଲା । କିନ୍ତୁ ଯେଉଁଭଳି ଭାବରେ ଧାରା ୩୭୦ ବିଭିନ୍ନ ଆଲୋଚନାରେ ପ୍ରମୁଖତା ପାଇଛି ତାହା ଜାମ୍ମୁ ଓ କାଶ୍ମୀର ରାଜ୍ୟର ବିଖଣ୍ଡନ ଉପରେ ପାଇନାହିଁ । ଏହା ସ୍ୱାଭାବିକ ମନେ ହୁଏ କାରଣ ଧାରା ୩୭୦ର ଏକ ଇତିହାସ ଅଛି, ପୂର୍ଣ୍ଣ ରାଜ୍ୟଟିଏ ଦୁଇଟି କେନ୍ଦ୍ର ଶାସିତ ରାଜ୍ୟରେ ବିଭାଜିତ ହେବାର ଇତିହାସ ନାହିଁ କିନ୍ତୁ ଭବିଷ୍ୟତ ତ ଅଛି ଯ।ହା ଦେଖିବା ପାଇଁ ଅବଶ୍ୟ ଦୂରଦୃଷ୍ଟିର ଆବଶ୍ୟକ । ଧାରା ୩୭୦ର ସଂଶୋଧନ ଫଳରେ ଜାମ୍ମୁ ଓ କାଶ୍ମୀର ରାଜ୍ୟ ତାର ବିଶେଷ ରାଜ୍ୟ ମାନ୍ୟତା ହରାଇଛି ସତ କିନ୍ତୁ ଧାରା ୩୭୧, ଧାରା ୩୭୧ ଏ ରୁ ଆଇ ଏହି ଭଳି ୧୦ଟି ଧାରା ରହିଛି ଯାହା ଅନ୍ତର୍ଗତ ଦଶଟି ରାଜ୍ୟକୁ ବିଶେଷ ଅଧିକାର ଦିଆଯାଇଛି ଯାହା ଅବଶିଷ୍ଟ ରାଜ୍ୟମାନଙ୍କୁ ଉପଲବ୍ଧ ନୁହେଁ । ଅବଶ୍ୟ ସେମାନଙ୍କର ଭିନ୍ନ ସମ୍ବିଧାନ ନାହିଁ ବା ଭିନ୍ନ ପତାକା ନାହିଁ । ଯଦିଓ ଧାରା ୩୭୧-ଏ ଦ୍ୱାରା ବିଶେଷ ରାଜ୍ୟର ମାନ୍ୟତା ପାଇଥିବା ନାଗାଲାଣ୍ଡରେ ଦାବି ଉଠିଛି ନିଜସ୍ୱ ସ୍ୱତନ୍ତ୍ର ସମ୍ବିଧାନ, ପତାକା, ପାସପୋର୍ଟ, ଏପରିକି ସ୍ୱତନ୍ତ୍ର ନାଗା ମୁଦ୍ରା ପାଇଁ୨୫ା କିପରି ମୋଦୀ ସରକାର ଏହି ଦାବିକୁ ସମାଧାନ କରୁଛନ୍ତି ତାହା ଦେଖିବାକୁ ରହିଲା । ଅବଶ୍ୟ ରାଜ୍ୟର ନିଜସ୍ୱ ପତାକା ପାଇଁ ଦାବୀ ଅନ୍ୟ ରାଜ୍ୟମାନଙ୍କରୁ ମଧ୍ୟ ଉଠିଛି । ଯେପରି କର୍ଣ୍ଣାଟକ ରାଜ୍ୟରେ୨୬ । ଯେପରି ଭାବରେ ଧାରା ୩୭୦ର ସଂଶୋଧନ ହେଲା ତଥା ଜାମ୍ମୁ ଓ କାଶ୍ମୀରକୁ ଦୁଇଖଣ୍ଡରେ ବିଭକ୍ତ କରାଗଲା, ତାହା କେତେ ଦୂର ଆଇନସମ୍ମତ ତାହା ଏଠାରେ ଆଲୋଚନା କରାଯାଇ ନାହିଁ । କିନ୍ତୁ ଏହି ପ୍ରକ୍ରିୟାକୁ ବିରୋଧ କରି ଉଚ୍ଚତମ ନ୍ୟାୟାଳୟରେ କେତୋଟି ଯାଚିକା ପଡିଛି୨୭ । ମାନ୍ୟବର ସୁପ୍ରିମକୋର୍ଟ କେଉଁ ରାୟ ଶୁଣାଇବେ ତାହା ପାଇଁ ଆମେ ଅପେକ୍ଷା କରିବା । କିନ୍ତୁ ନାଗରିକ ଜୀବନକୁ ବ୍ୟାପକ ଭାବରେ ପ୍ରଭାବିତ କରିବାର ସମ୍ଭାବନା ଥିବା ପ୍ରତ୍ୟେକ ସରକାରୀ ପ୍ରସ୍ତାବକୁ ନିଷ୍ଠା ଓ ସାଧୁତାର ସହ ଜନସାଧାରଣଙ୍କ ବିଚାର ପାଇଁ ରଖାଯିବା ଓ ସେମାନଙ୍କର ମତାମତକୁ ଭିତ୍ତି କରି ଆଇନ କରିବା ବା ନିଷ୍ପତ୍ତି ନେବା ସବୁଠାରୁ ଆଦର୍ଶ ସ୍ଥିତି । ଭାରତ ଭଳି ବିଶାଳ ଦେଶରେ ଏହା ସମ୍ଭବ ଯଦି ନୁହେଁ ବୋଲି ମନେହୁଏ ତାହାହେଲେ ଅନ୍ୟୁନ ରାଜ୍ୟର ବ୍ୟବସ୍ଥାପିକାରେ ସଭ୍ୟ ଜନ ପ୍ରତିନିଧିଙ୍କର ମତାମତ ନେଇ ନିଷ୍ପତ୍ତି ନେବା ସାମ୍ବିଧାନିକ ନୈତିକତା ଦୃଷ୍ଟିରୁ ବିଧେୟ । ଏହା ଧାରା ୩୭୦ ପ୍ରସଙ୍ଗରେ ବା ଜାମ୍ମୁ ଓ କାଶ୍ମୀର ରାଜ୍ୟର ବିଘଟନ କ୍ଷେତ୍ରରେ ହୋଇଛି କି? ଏହା କିନ୍ତୁ ଅନସ୍ୱୀକାର୍ଯ୍ୟ ଯେ ପ୍ରଧାନମନ୍ତୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ଓ ଅମିତ ଅନିଲ ଚନ୍ଦ୍ର ଶାହାଙ୍କ ପତିଆରାରେ ଏକ ବିଶାଳ ବୃଦ୍ଧି ହୋଇଛି । ଆତ୍ମବିଶ୍ୱାସରେ ମଧ୍ୟ ବୃଦ୍ଧି ଦେଖାଯାଉଛି । ସେମାନେ ଯେ ‘ସାହସିକ’ ଓ ‘ଐତିହାସିକ’ ପଦକ୍ଷେପ ନେଇ ପାରନ୍ତି ଏହି ଧାରଣା ସାଧାରଣରେ ପ୍ରସାର ପାଉଛି । ଏପରି ସାହସକୁ କେହି କୂଅରେ ଡେଇଁ ପଡ଼ିବାର ସାହସ କହୁ୨୮ ବା ଐତିହାସିକ ପଦକ୍ଷେପକୁ ଐତିହାସିକ ଭୁଲ ବୋଲି କହୁ୨୯ କିନ୍ତୁ ଭୋଟ ରାଜନୀତିରେ ଏହା ଯେ ସେମାନଙ୍କୁ ସଫଳତା ଦେଇ ଚାଲିଛିି ତାହାକୁ କଣ ଅସ୍ୱୀକାର କରାଯାଇପାରେ? ଏହି ସଫଳତାର ଦୂରଗାମୀ ପରିଣତି କଣ ହେବ, ତାହା ତ ଭିନ୍ନ ପ୍ରଶ୍ନ ।

ବ୍ୟବହୃତ ଉପାଦାନ ସୂଚୀ

1.Union Territories of J&K and Ladakh to Come into Existence on Sardar Patel’s Birth Anniversary ,PTI

Updated:August 10, 2019 ,https://www.news18.com/news/india/union-territories-of-jk-and-ladakh-to-come-into-existence-on-sardar-patels-birth-anniversary-2

2.Know the RSS, Shamsul Islam, p.25

  1. Leave Kashmir ASAP: J&K govt issues advisory for Amarnath yatra pilgrims and tourists, India Today Web Desk, August 2, 2019

4.Boxed inside Kashmir Valley with 1: 30 security -civilian ratio by Sanjib Kumar Baruah, MoneyControl, Aug.07,2019

  1. India’s Ruling Party Turning Kashmir ‘Into a Black Hole,’ Critics Claim, as Fears of Widespread Conflict Rise byEoin Higgins, Published on Monday, August 05, 2019 by Common Dreams, https://www.commondreams.org/news/2019/08/05/indias-ruling-party-turning-kashmir-black-ho.1 of 7 8/11/2019 9:41 AM)
  2. Omar Abdullah meets J&K Governer, demands statement from govt. on Kashmir situation, India Today Web Desk, August 3, 2019, indiatoday.in

7.Omar Abdullah and Mehbooba Put Under House Arrest…, August 5, 2019, News18.com

8.Government brings resolution to Repeal Article 370 of the Constitution, 5 August 2019, Press Information Bureau, Government of India

  1. Ministry of Law and Justice (Legislative Department)Notification, New Delhi,the 6th August , 2019 , Declaration Under Article 370(3) of the Constitution, “C.O.273”)
  2. Now anyone can get married to a fair Kashmiri girl: BJP MLA,Written by Asad Rehman | Lucknow | Updated: August 7, 2019, https://indianexpress.com/article/india/now-anyone-can-get-married-to-a-fair-kashmiri-girl-bjp-mla-5884310/

11.Haryana CM Khattar stokes controversy with remark on Kashmiri women, Special Correspondent ,CHANDIGARH, August 10, 2019 ,https://www.thehindu.com/news/national/haryana-cm-khattar-stokes-controversy-with-remark-on-kashmiri-women/article28973262

12.Article 370: Talking to Srinagar friends to buy land in Kashmir, says Gorakhpur MLA , Press Trust of India ,Gorakhpur (Uttar Pradesh) August 5, 2019 ,https://www.indiatoday.in/india/story/article-370-talking-to-srinagar-friends-to-buy-land-in-kashmir-says-gorakhpur-mla-1577584-20

13.Jammu and Kashmir: BJP wants some curbs to be put on ‘outsiders’ over land, govt jobs, https://indianexpress.com/article/india/jammu-and-kashmir-bjp-wants-some-curbs-to-be-put-on-outsiders-over-land-govt-jobs-5895

  1. Constitution of Jammu and Kashmir, 1956

15.Article 370: How The Centre Demolished The Tunnel In One Stroke By: LiveLaw Research Team 6 Aug 2019 4:34 PM, https://www.livelaw.in/top-stories/how-the-centre-demolished-the-tunnel-in-one-stroke-146967

16.Economist Jean Dreze: Article 370 helped reducing poverty in Jammu and Kashmir ,NH Political Bureau , Published: 9 Aug 2019, 5:46 PM ,https://www.nationalheraldindia.com/india/economist-jean-dreze-jandk-more-developed-than-gujarat-special-status-helped-reducing

17.Jean Dreze contests Amit Shah with Gujarat data ,By Pheroze L. Vincent in New Delhi. Published 9.08.19,https://www.telegraphindia.com/india/jean-dreze-contests-amit-shah-with-gujarat-data/cid/1696457

18.JAMMU AND KASHMIR CONSTITUENT ASSEMBLY, Official Report,Assembly Debate Part I,(1961-55) 27th March 1952,pp.261-3

19.List of Indian states and territories by Human Development Index – Wikipedia https://en.wikipedia.org/wiki/List_of_Indian_states_and_territories_by_Human_Development_Index 1 of 8 8/14/2019 8:0

20.J&K among most corrupt states: Survey ,MUKEET AKMALI ,Srinagar, January 10, 2018 ,https://www.greaterkashmir.com/news/kashmir/jk-amon g-most-corrupt-states-survey

21.Article 370: How Amit Shah managed to outmanoeuver the opposition ,By: Krishnanand Tripathi.,Updated: August 5, 2019 5:55:53 PM ,https://www.financialexpress.com/india-news/article-370-how-amit-shah-managed-to-outmanoeuver-the-opposition/1666719/)

22.Yashwant Sinha On Kashmir, Article 370: BJP May Beat Rajiv Gandhi’s Record https://www.ndtv.com/india-news/yashwant-sinha-on-kashmir-article-370-bjp-may-beat-rajiv-g

  1. Post-poll survey: the 2019 verdict is a manifestation of the deepening religious divide in India, Shreyas Sardesai ,Vibha Attri ,May 30, 2019 00:15 IS,https://www.thehindu.com/elections/lok-sabha-2019/the-verdict-is-a-manifestation-of-the-deepening-religious-divide-in-india/article

24.RSS chief hints at a decision over Art 370, 35 A in Mathura ,By Namita Bajpai,Express News Service ,Published: 30th July 2019 12:16 AM ,http://www.newindianexpress.com/nation/2019/jul/30/rss-chief-hints-at-a-decision-over-art-370-35-a-in-mathura-2011242.html

25.Nagaland to have a separate constitution, passport and flag? ,NH Web Desk ,Updated: 15 Jul 2019, 3:21 PM ,https://www.nationalheraldindia.com/india/nagaland-to-have-a-separate-constitution-passport-and-flag.

26.Karnataka takes historic decision to have separate State flag ,Special Correspondent.,Bengaluru, March 08, 2018 15:43 IST.

27.National Conference moves Supreme Court challenging Presidential order on Article 370 ,Press Trust of India New Delhi ,August 10, 2019 ,https://www.indiatoday.in/india/story/national-conference-moves-supreme-court-challenging-presidential-order-on-article-370-1579;Supreme Court: J&K situation sensitive, govt needs time to lift restrictions , Japnam Bindra ,13 Aug 2019, https://www.livemint.com/news/india/supreme-court-j-k-situation-sensitive-govt-needs-time-to-li.1 of 19 8/15/2019 10:47 AM ; Special Bench of SC to hear petitions on Article 370, Kashmir Lockdown, Justice Akil Kureshi , Murali Krishnan August 15 2019,… https://barandbench.com/special-bench-of-supreme-court-to-hear-petitions-on-article-370-kashm…)

28.Demonetisation was an idiotic jolt: 8 things Arun Shourie spoke about | Business Standard News https://www.business-standard.com/article/economy-policy/demonetisation-was-an-idiotic-jolt-

29.Article 370 revoke in Kashmir: A Historic Step Can Also Be A Blunder. Soli Sorabjee on Centr… https://www.thequint.com/news/law/article-370-35a-abrogation-jammu-kashmir-soli-sorabjee-h… 1 of 7 8/15/2019 7:20..
ପରିଶିଷ୍ଟ
Instrument of Accession ସମ୍ପର୍କରେ
ଧାରା ୩୭୦ର ଆଧାର ହେଉଛି ୨୬ ଅକ୍ଟୋବର ୧୯୪୭ରେ ଜାମ୍ମୁ ଓ କାଶ୍ମୀରର ତତ୍କାଳୀନ ମହାରାଜା ହରି ସିଂହଙ୍କ ସ୍ୱାକ୍ଷରିତ ଓ ତତ୍କାଳୀନ ସଦ୍ୟ ସ୍ୱାଧୀନ ଭାରତର ଗଭର୍ନର ଜେନେରାଲ ଲର୍ଡ ମାଉଣ୍ଟବେଟେନଙ୍କ ଦ୍ୱାରା ଗୃହୀତ Instrument of Accession । ଏହି Instrument of Accession, Government of India Act 1935 ଅନୁସାରେ ହିଁ ପ୍ରସ୍ତୁତ ହୋଇଥିଲା ଓ ଗୃହୀତ ହୋଇଥିଲା । ଏହି ସ୍ୱାକ୍ଷରିତ Instrument of Accessionରେ ମହାରାଜା ହରି ସିଂହ ଘୋଷଣା କରିଥିଲେ ଯେ ସେ ଭାରତରେ ତାଙ୍କ ଦ୍ୱାରା ଶାସିତ ଜାମ୍ମୁ ଓ କାଶ୍ମୀର ଅଂଚଳକୁ ଭାରତ ସହ ସଂଯୋଗ କରୁଛନ୍ତି କେତେକ ସର୍ତ୍ତ ସହିତ । ଯେପରି Government of India Act 1935 / Independence Act 1947(ଯାହା ବଳରେ ଭାରତ ସ୍ୱାଧୀନ ହେଲା ବୋଲି ବ୍ରିଟିଶ ସରକାର ଘୋଷଣା କଲେ)ରେ କୌଣସି ସଂଶୋଧନ ଦ୍ୱାରା ଓଦ୍ଭଗ୍ଦଗ୍ଧକ୍ସଙ୍କଜ୍ଞରଦ୍ଭଗ୍ଧ କ୍ଟଲ ଇମମରଗ୍ଦଗ୍ଦସକ୍ଟଦ୍ଭ ରେ ପରିବର୍ତ୍ତନ କରାଯାଇପାରିବ ନାହିଁ ଯେତେବେଳ ଯାଏ ମହାରାଜା ହରି ସିଂହ ଅର୍ଥାତ୍ ଜାମ୍ମୁ ଓ କାଶ୍ମୀରର ଶାସକ ସମ୍ମତି ଦେଇନାହାନ୍ତି । ଭବିଷ୍ୟତରେ ପ୍ରଚଳନ ହେବାକୁ ଥିବା ସମ୍ବିଧାନକୁ ଗ୍ରହଣ କରିବା ବା ସେହି ସମ୍ବିଧାନ ଭିତରେ ଭାରତ ସରକାରଙ୍କ ସହ ରାଜିନାମା ସ୍ୱାକ୍ଷର କରିବା ଉପରେ ତାଙ୍କର ସ୍ୱାଧୀନତା ରହିବ । ଏହି Instrument of Accession ଏପରି କିଛି ନାହିଁ ଯାହା ହରି ସିଂହଙ୍କର ରାଜ୍ୟ ଉପରେ ସ୍ୱଂୟପ୍ରଭୂତାକୁ ପ୍ରଭାବିତ କରିବ ବା ଶାସକ ଭାବେ ଉପଭୋଗ କରୁଥିବା ତାଙ୍କର ଅଧିକାର ଓ କ୍ଷମତାକୁ ଖର୍ବ କରିବ । କିନ୍ତୁ Instrument of Accession ରେ ରହିଲା ଯେ ଭାରତ ସରକାର ଜାମ୍ମୁ ଓ କାଶ୍ମୀର ରାଜ୍ୟ ପାଇଁ ୧.ପ୍ରତିରକ୍ଷା,୨.ସଂଚାର (ପୋଷ୍ଟ ଏବଂ ଟେଲିଗ୍ରାଫ, ରେଳବାଇ, ବିମାନସେବା ଇତ୍ୟାଦି) ଓ ୩.ବୈଦେଶିକ ବ୍ୟାପାର ସମ୍ପର୍କିତ ଆଇନ ହିଁ କରିପାରିବ ।

Comments

0 comments

Share This Article