ପାଲେଷ୍ଟାଇନ ସମସ୍ୟା, ସାମ୍ରାଜ୍ୟବାଦ ଓ ଈନ୍ତିଫାଦା

ଡ. ମାନସ ବେହେରା
ଡ. ମାନସ ବେହେରା142 Views
17 Min Read

ପାଲେଷ୍ଟାଇନ ସମସ୍ୟା ଇତିହାସରେ ଏକ ଦୀର୍ଘତମ ସମସ୍ୟା ଯାହାକୁ ସାମ୍ରାଜ୍ୟବାଦ ଜାଣିଶୁଣି ସମାଧାନ କରୁନାହିଁ ଓ ଅକ୍ଟୋବର ୭ରେ ହାମାସ୍ର ଇସ୍ରାଏଲ ଉପରେ ଆକ୍ରମଣ ସମଗ୍ର ବିଶ୍ୱଆଗରେ ଏକ ନୂଆପ୍ରଶ୍ନ ଛିଡାକରିଛି ଓ ଆକ୍ରମଣ ଓ ଏହା ପ୍ରତିକ୍ରିୟାରେ ଇସ୍ରାଏଲର ଅମାନବୀୟ ଆକ୍ରମଣ ବିଶ୍ୱକୁ ଅଧୁନା ସଂକଟଗ୍ରସ୍ତ କରିଛି । ନିଜର ଆତ୍ମରକ୍ଷାର ଅଧିକାର ନାଁରେ ଇସ୍ରାଏଲ ଆଇନର ସମସ୍ତ ସୀମା ଅତିକ୍ରମ କରି ଯୁଦ୍ଧ ଅପରାଧ କରିଚାଲିଛି । ହାମାସ୍ ଆକ୍ରମଣରେ ନିରୀହ ନାଗରିକଙ୍କ ମୃତ୍ୟୁ ନିଶ୍ଚିତଭାବେ ନିନ୍ଦନୀୟ । କିନ୍ତୁ ଏ ଆକ୍ରମଣକୁ ଏହାର ଐତିହାସିକ ପରିପ୍ରେକ୍ଷୀରେ ଦେଖିବାକୁ ପଡିବ ଓ ୧୯୧୭ ବାଲଫୋର ଘୋଷଣାନାମାଠାରୁ ଆଜି ପର୍ଯ୍ୟନ୍ତ ପାଲେଷ୍ଟାଇନବାସୀଙ୍କୁ ସେମାନଙ୍କ ନିଜମାଟିରୁ ବେଘର କରି, ଦୀର୍ଘଶତାବ୍ଦୀରୁ ଉର୍ଦ୍ଧ ସମୟଧରି ସେମାନଙ୍କ ଉପରେ ଶାରୀରିକ ଓ ମାନସିକ ଅତ୍ୟାଚାର କରି ସାମ୍ରାଜ୍ୟବାଦ ମାନବ ଇତିହାସରେ ଏକ ନୂଆ କଳଙ୍କିତ ଅଧ୍ୟାୟ ସୃଷ୍ଟିକରିଛି ଓ ଗାଜାପଟି ଆଜି ଏକ ଉନ୍ମୁକ୍ତ ବନ୍ଦୀଶାଳାରେ ପରିଣତ ହୋଇଛି । ଏପରି ଘଟଣା ଓ ଅତ୍ୟାଚାର ବିରଳ ଓ ସମଗ୍ର ବିଶ୍ୱ ବ୍ୟବସ୍ଥା ଆକ୍ରମଣ ବନ୍ଦ କରିବାରେ ବିଫଳ ଓ ଆତ୍ମରକ୍ଷା ନାଁରେ ନିରୀହ ନିରସ୍ତ୍ର ନାଗରିକଙ୍କୁ ପାଣି, ବିଜୁଳି, ରିଲିଫ ସାମଗ୍ରୀ ବନ୍ଦ କରାହେଇଛି । ସବୁ ବୁର୍ଜୁଆ ଗଣତାନ୍ତ୍ରିକ ରାଷ୍ଟ୍ରମାନେ ଇସ୍ରାଏଲ ପଛରେ ଛିଡା ହେଇଛନ୍ତି ଓ ସାଧାରଣ ପାଲେଷ୍ଟାଇନବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଆଜି ପର୍ଯ୍ୟନ୍ତ ଇସ୍ରାଏଲ ୮ହଜାରରୁ ଅଧିକ ଲୋକଙ୍କୁ ଏ ଯୁଦ୍ଧରେ ହତ୍ୟା କରିଛି । ଏମାନଙ୍କ ମଧ୍ୟରୁ ୩୫୦୦ରୁ ଉର୍ଦ୍ଧ ଶିଶୁ ଅଛନ୍ତି । ଆମେରିକା, ଇଂଲଣ୍ଡ ଓ ସମସ୍ତ ପାଶ୍ଚାତ୍ୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ବିନା ଲଜ୍ଜାରେ ଇସ୍ରାଏଲକୁ ନିଃସର୍ତ୍ତ ସମର୍ଥନ ଜଣାଇଛନ୍ତି । ଖୋଲାଖୋଲି ଭାବେ ଏ ଗଣହତ୍ୟାକୁ ସ୍ୱୀକୃତି ଦେଇଛନ୍ତି । ଏଯୁଦ୍ଧ ଆଜି ଆଉ ଇସ୍ରାଏଲ-ପାଲେଷ୍ଟାଇନ ଯୁଦ୍ଧ ବା ମଧ୍ୟପ୍ରାଚ୍ୟର ଯୁଦ୍ଧ ହେଇନାହିଁ । ଏହା ସମଗ୍ର ବିଶ୍ୱବାସୀଙ୍କ ଯୁଦ୍ଧରେ ପରିଣତ ହୋଇଛି, କାରଣ ବିଶ୍ୱବ୍ୟାପୀ ଏହା ବିରୋଧରେ ପ୍ରତିବାଦ ହେଉଛି । ଏ ଯୁଦ୍ଧ ସାମ୍ପ୍ରତିକ ସମୟର ବିଶ୍ୱ ରାଜନୈତିକ ବ୍ୟବସ୍ଥାର ଚରିତ୍ରକୁ ପ୍ରତିଫଳିତ କରିଛି । ପୁଞ୍ଜିବାଦୀ ସଙ୍କଟସମୟରେ ସାମ୍ରାଜ୍ୟବାଦ ଯେ କେତେ ଭୟଙ୍କର ହୋଇପାରେ, ତାହା ଏ ଯୁଦ୍ଧରେ ପ୍ରଦର୍ଶିତ ହୋଇଛି । ଡାକ୍ତରଖାନା ବି ଏଥିରୁ ବର୍ତ୍ତୁ ନାହିଁ । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷଣ ହେଉଛି ଗଣମାଧ୍ୟମକୁ ବ୍ୟବହାର କରି ସାମ୍ରାଜ୍ୟବାଦ ନୂଆନୂଆ ବ୍ୟାଖାନ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଏହା ବିଶ୍ୱରେ ଶାନ୍ତି ଓ ଗଣତନ୍ତ୍ର ପାଇଁ ବିପଦଜ୍ଜନକ । ଏଥିପାଇଁ ଏ ସମସ୍ୟାର ଐତିହାସିକ ଅବଧାରଣା ଏଠାରେ ଜରୁରୀ ।

ଇହୁଦୀ ରାଷ୍ଟ୍ରର ଇତିହାସ

ସାମ୍ରାଜ୍ୟବାଦ ହିଁ ପାଲେଷ୍ଟାଇନ ସମସ୍ୟାର ଜନ୍ମଦାତା ଓ ଆଜି ପର୍ଯ୍ୟନ୍ତ ଏହା ନିଜର ସ୍ୱାର୍ଥପାଇଁ ଏହାକୁ ସମାଧାନ କରାଇ ଦଉନାହିଁ । ପାଲେଷ୍ଟାଇନ ଓ ସମଗ୍ର ଆରବ ଅଂଚଳ ଅଟୋମାନ୍ ସାମ୍ରାଜ୍ୟର ଅଂଶ ଥିଲା । ଏହି ସାମ୍ରାଜ୍ୟର ପରାସ୍ତ ଓ ବିିପର୍ଯ୍ୟୟ ପରେ ଲିଗ ଅଫ୍ ନେସନ ପାଲେଷ୍ଟାଇନକୁ ବ୍ରିଟିଶ ଅଧୀନରେ ରଖିଥିଲେ ଓ ସେଠାରେ ଇହୁଦୀମାନଙ୍କ ପାଇଁ ଏକ ରାଷ୍ଟ୍ରର ପରିକଳ୍ପନା ପ୍ରଥମରୁ ନଥିଲା ଓ ଏହାର ଜନ୍ମଦାତା ଇହୁଦୀମାନେ ଯେତେ ନୁହନ୍ତି ବ୍ରିଟିଶ ସାମ୍ରାଜ୍ୟବାଦ ଏହାକୁ ଅଧିକ ସକ୍ରିୟତା ଓ ଷଡ଼ଯନ୍ତ୍ରମୂଳକ ଯୋଜନା ମାଧ୍ୟମରେ ଉପସ୍ଥାପିତ କରିଛି । ଇହୁଦୀଧର୍ମର ଧର୍ମଗୁରୁ ଓ ଆଧୁନିକ ରାଜନୈତିକ ଇହୁଦୀବାଦର ଜନ୍ମଦାତା ଥେଓଡୋର ହେର୍ଜଏଲ ୧୮୯୬ରେ ପ୍ରଥମେ ଏକ ଇହୁଦୀ ରାଷ୍ଟ୍ର ବା ଇହୁଦୀମାନଙ୍କ ପାଇଁ ଘରକଥା କହିଥିଲେ । ପାଲେଷ୍ଟାଇନ୍ ବା ଆର୍ଜେଣ୍ଟିନାରେ ଏହାର ପରିକଳ୍ପନା ସେ କରିଥିଲେ । କିନ୍ତୁ ପ୍ରଥମ ଇହୁଦୀ କଂଗ୍ରେସ ବାଶଲେରେ ୧୮୯୭ରେ ଅନୁଷ୍ଠିତ ହୋଇଥିଲା । ଏଠାରେ ପାଲେଷ୍ଟାଇନରେ ଇହୁଦୀ ରାଷ୍ଟ୍ରର ଯୋଜନା କରାଯାଇଥିଲା କିନ୍ତୁ ସେତେବେଳକୁ ସେ ଅଂଚଳରେ ମାତ୍ର ପଚାଶହଜାର ଇହୁଦୀ ସେଠାରେ ବସବାସ କରୁଥିଲେ ଏକ ଇହୁଦୀରାଷ୍ଟ୍ର ଦାବୀପାଇଁ ଏହା ଅତ୍ୟନ୍ତ ନଗଣ୍ୟ ଥିଲା । ଏଣୁ ବ୍ରିଟିଶ ସାମ୍ରାଜ୍ୟବାଦ ନେତୃତ୍ୱରେ ସେଠାକୁ ଇହୁଦୀମାନକୁ ପଠାଇବାର ଯୋଜନା ହେଲା ୧୯୨୦ରୁ ୧୯୨୯ମଧ୍ୟରେ ପ୍ରାୟ ଏକଲକ୍ଷରୁ ଊଦ୍ଧ୍ୱର୍ ଇହୁଦୀ ପ୍ଲେସତିନେକୁ ପ୍ରବେଶ କରିଥିଲେ ସେତେବେଳେ ସେଠାରେ ଆରବୀଙ୍କ ସଂଖ୍ୟା ୭,୫୦୦୦୦ ଥିଲା । ଇହୁଦୀମାନେ ଆରବୀ ଶ୍ରମିକମାନଙ୍କୁ କାମ କରେଇବାକୁ ମନା କଲେ । ଅର୍ଥାତ ଅଧିକ ଇହୁଦୀଙ୍କୁ ଆଣିବାକୁ ଏହା ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିଲା । ଚର୍ଚ୍ଚିଲ ୧୯୨୨ରେ ପାଲେଷ୍ଟାଇନ୍ରେ ଇହୁଦୀଙ୍କ ପାଇଁ ଏକ ଘରର ଉଲ୍ଲେଖ କରିଥିଲେ । ସାମ୍ରାଜ୍ୟବାଦ ପ୍ରତିରୋଧ ଭୟରେ ଇହୁଦୀ ରାଷ୍ଟ୍ରଶବ୍ଦ ବ୍ୟବହାର ନକରି ଇହୁଦୀମାନଙ୍କ ପାଇଁ ଏକ ଘର ବା ରହିବା ସ୍ଥାନ ପରି ଶବ୍ଦ ବ୍ୟବହାର କରୁଥିଲେ । ଏହା ସାମ୍ରାଜ୍ୟବାଦୀ ଷଡ଼ଯନ୍ତ୍ରର ଅଂଶବିଶେଷ । ସବୁଠାରୁ ଆଶ୍ଚର୍ଯ୍ୟର କଥାହେଲା କିଛି ଇହୁଦୀ ମଧ୍ୟ ଏପ୍ରକାର ରାଷ୍ଟ୍ରକୁ ବିରୋଧ କରିଥିଲେ । ସାର୍ ଏଡ଼ୱିନ୍ ମଣ୍ଟେଗୁ କହିଥିଲେ ଯେ, ‘ଇହୁଦୀବାଦ ଏକ ସାର୍ବଜନୀନ ବିଶ୍ୱାସ ଓ ଏହା ଜାତୀୟତା ଠାରୁ ଭିନ୍ନ ଓ ଆଧୁନିକ ରାଷ୍ଟ୍ରଯୁଗରେ ଇହୁଦୀଜନଗଣ ଏକରାଷ୍ଟ୍ର ନୁହନ୍ତି ‘ । ବ୍ରିଟିଶ କ୍ୟାବିନେଟରେ ମଣ୍ଟେଗୁ ଏକମାତ୍ର ଇହୁଦୀ ସଭ୍ୟ ଥିଲେ । ସେ ଇହୁଦୀ ଧର୍ମର ରାଜନୀତିକରଣକୁ ବିରୋଧ କରିଥିଲେ । ଅନ୍ୟଜଣେ ଇହୁଦୀ ମାନବବାଦୀ ଆହାଦହାମ୍ ଆଶଙ୍କା ପ୍ରକାଶ କରିଥିଲେ । ଏହା ସତ୍ୟହେଲା ‘ଅନ୍ୟଦେଶରେ ଦାସତ୍ୱର ଜୀବନ କାଟୁଥିବା ଇହୁଦୀମାନେ ନିଜରାଷ୍ଟ୍ରରେ ନିରଙ୍କୁଶ ସ୍ୱାଧୀନତା ପାଇଲେ ସେମାନେ ଏକଛତ୍ରବାଦ ଆଡକୁ ଢଳିବେ । ଆରବମାନଙ୍କୁ ଅତ୍ୟାଚାର କରିବେ ଓ ନିର୍ଯାତନା ଦେବେ । ଏହାକୁ ନେଇ ସେମାନେ ଗର୍ବ କରିବେ’ । କିନ୍ତୁ ଏ ଦୁଇଜଣଙ୍କ କଥା ସେମାନେ କେହି ଶୁଣି ନଥିଲେ । କିନ୍ତୁ ଯେଉଁ ଇହୁଦୀମାନେ ଇହୁଦୀରାଷ୍ଟ୍ର ପାଲେଷ୍ଟାଇନରେ ଚାଁହୁଥିଲେ, ସେମାନେ ପବିତ୍ରସ୍ଥାନ ଜେରୁଜେଲମ ସହ ଇହୁଦୀଙ୍କୁ ଧାର୍ମିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ଯୋଡ଼ି ଏକ ରାଜନୈତିକ ଆନ୍ଦୋଳନ ପ୍ରତିଷ୍ଠା କଲେ । ଏହାପଛରେ ମୁଖ୍ୟତଃ ବ୍ରିଟେନ ହିଁ ଥିଲା ଓ ଏ ଆନ୍ଦୋଳନରେ ପାଲେଷ୍ଟାଇନବାସୀଙ୍କ ଅଧିକାର କଥା ଅଣଦେଖା ଉଦେଶ୍ୟମୂଳକ ଭାବରେ କରାଯାଇଥିଲା । ଯେତେବେଳେ ବି ବ୍ରିଟିଶ ଅଧିକାରୀମାନେ କହୁଥିଲେ ଏହା କେବଳ ଲୋକଦେଖାଣିଆ ଥିଲା । ବ୍ରିଟିଶ ନେତୃତ୍ୱରେ ଇହୁଦୀଙ୍କ ଦ୍ୱାରା ପାଲେଷ୍ଟାଇନର ଉପନିବେଶକରଣ ସେବେଠୁ ଆରମ୍ଭ ହେଲା । ଇହୁଦୀ ଆନ୍ଦୋଳନ ମୁଖ୍ୟତଃ ବ୍ରିଟିଶ ନିର୍ଦ୍ଧେଶରେ ପରିଚାଳିତ ହେଲା । ବ୍ରିଟିଶ ଅଧିକାରୀ ହେରବେର୍ତ୍ତ ସାମୁଏଲ ୧୯୧୫ରେ ଲେଖିଥିଲେ ଯେ ପାଲେଷ୍ଟାଇନ ଅଧିକାର କରି ୩ରୁ ୪ଲକ୍ଷ ଇହୁଦୀ ଆମେ ଇଉରୋପରୁ ସେଠାକୁ ପଠାଇ ଦେଇପାରିବା । ଅର୍ଥାତ ଇହୁଦୀ ରାଷ୍ଟ୍ର ପ୍ରତିଷ୍ଠା ସାମ୍ରାଜ୍ୟବାଦର ଏକ ଷଡ଼ଯନ୍ତ୍ର ଥିଲା । ପାଲେଷ୍ଟାଇନବାସୀଙ୍କୁ ବେଘର କରିବା ଏହାର ମୂଳଉଦେଶ୍ୟ ଥିଲା । ତତ୍କାଳୀନ ବ୍ରିଟିଶ ଯୁଦ୍ଧ କ୍ୟାବିନେଟର ମୁଖ୍ୟ ସଚିବ ସାର୍ ମାର୍କସାଇକଶ ଏ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ସୁଇସ୍ କେନାଲରେ ବ୍ରିଟିଶ ସ୍ୱାର୍ଥର ସୁରକ୍ଷା ଓ ଇହୁଦୀ ରାଷ୍ଟ୍ରକୁ ସାମ୍ରାଜ୍ୟବାଦର ଦଲାଲ ଭାବେ ଆରବ ଅଂଚଳରେ ରଖିବା ବ୍ରିଟିଶ ସାମ୍ରାଜ୍ୟର ସ୍ୱାର୍ଥଥିଲା । ବର୍ତ୍ତମାନ ତାହା ଆମେରିକା କରୁଛି ।

୧୯୧୭ ନଭେମ୍ବର ୨ ତାରିଖରେ ତତ୍କାଳୀନ ବ୍ରିଟେନ ବୈଦେଶିକ ସଚିବ ଅର୍ଥର ବାଲଫୌର ବ୍ରିଟେନର ବରିଷ୍ଠ ଇହୁଦୀ ରୋଥାସୀଲଡଙ୍କୁ ଏକ ୬୭ଶବ୍ଦ ବିଶିଷ୍ଟ ପତ୍ର ଲେଖିଥିଲେ ଯାହା ବାଲଫୌର ଘୋଷଣାନାମା ଭାବେ ପରିଚିତ । ଏହା ପ୍ରଥମେ ବିଷମଞ୍ଜି ବୁଣିଥିଲା, କାରଣ ଏ ଚିଠିରେ ଇଂଲଣ୍ଡ ପ୍ରତିଶ୍ରୁତି ଦେଇଥିଲା ଯେ ପାଲେଷ୍ଟାଇନରେ ଇହୁଦୀମାନଙ୍କ ପାଇଁ ଏକ ବାସସ୍ଥାନ ପ୍ରତିଷ୍ଠା କରିବା । ଆଜି ସମସ୍ୟାର ମୂଳମଞ୍ଜି ବ୍ରିଟିଶ ସାମ୍ରାଜ୍ୟବାଦ ପକାଇଥିଲା ୧୯୨୨ରୁ ୪୭ଭିତରେ । ପୂର୍ବ ଇଉରୋପରୁ ଅନେକ ଇହୁଦୀ ପାଲେଷ୍ଟାଇନ ଯାଇଥିଲେ । ହିଟଲରଙ୍କ ଇହୁଦୀଙ୍କ ଉପରେ ଅତ୍ୟାଚାର ଫଳରେ ଏହା ବୃଦ୍ଧି ପାଇଥିଲା । ଏହାର ପ୍ରତିକ୍ରିୟାରେ ଆରବମାନେ ବିଦ୍ରୋହ କଲେ । ୧୯୩୬ରୁ ୩୯ ଏହା ଚାଲିଲା । ଏହା ବ୍ରିଟିଶ ଉପନିବେଶବାଦର ଇହୁଦୀ ତୋଷଣ ଓ ଆରବ ମାରଣନୀତି ବିରୋଧରେ ଥିଲା । କିନ୍ତୁ ବ୍ରିଟିଶ ସେନା ଏହି ପ୍ରତିବାଦକୁ ନିର୍ମମ ଭାବରେ ଧ୍ୱଂସ କଲା । ୧୯୩୭ରେ ପାଲେଷ୍ଟାଇନର କୃଷକମାନେ ପ୍ରତିବାଦ କଲେ କିନ୍ତୁ ଗାଁଗୁଡିକୁ ବୋମା ପକାଇ ଆକ୍ରମଣ କରାଗଲା । ଇହୁଦୀମାନଙ୍କୁ ଏ ଆକ୍ରମଣରେ ଅସ୍ତ୍ର ଯୋଗାଇ ବ୍ରିଟିଶ ସେନା ସାମିଲ କଲା । ଏ ତିନିବର୍ଷରେ ୫୦୦୦ ପାଲେଷ୍ଟାଇନବାସୀଙ୍କୁ ହତ୍ୟା କରାଗଲା । ୧୯୪୭ ବେଳକୁ ଇହୁଦୀଙ୍କ ସଂଖ୍ୟା ସେଠି ଶତକଡ଼ା ୩୩ରେ ପହଞ୍ଚିଥିଲା । କିନ୍ତୁ ସେମାନେ ମାତ୍ର ଶତକଡ଼ା ୬ଭାଗ ଭୂମିର ମାଲିକ ହୋଇଥିଲେ । ଲିଗ୍ ଦେଇଥିବା ଦାୟିତ୍ୱକୁ ସେମାନେ ପୂରଣ କରିପାରିଲେ ନାହିଁ । ବାସ୍ତବରେ ଜାଣିଶୁଣି କଲାନାହିଁ । ଏ ସମସ୍ୟାକୁ ଜାତିସଙ୍ଘକୁ ଦେଇଦେଲା । ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ମେଣ୍ଟଶକ୍ତି ଆରବ ରାଷ୍ଟ୍ରମାନଙ୍କ ସମର୍ଥନ ବଦଳରେ ପାଲେଷ୍ଟାଇନ ରାଷ୍ଟ୍ରର ପ୍ରତିଶ୍ରୁତି ଦେଇଥିଲେ । ସେତେବେଳକୁ ପ୍ରାୟ ଆରବ ରାଷ୍ଟ୍ର ସ୍ୱାଧୀନ ହୋଇଥିଲେ । ଇରାକ ୧୯୩୨ରେ, ଲେବାନନ ୧୯୪୩ରେ , ସିରିଆ ୧୯୪୪ରେ, ଜୋର୍ଡାନ ୧୯୪୬ରେ ସ୍ୱାଧୀନତା ପାଇଲେ କିନ୍ତୁ ପାଲେଷ୍ଟାଇନର ସ୍ୱାଧୀନତାକୁ ଇଂଲଣ୍ଡ ଅଟକେଇ ରଖିଥିଲା । କାରଣ ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିଲା । ଜାତିସଙ୍ଘ ପାଲେଷ୍ଟାଇନ ସମ୍ପର୍କରେ ୧୮୧ନ. ନିଷ୍ପତ୍ତି ଗ୍ରହଣକଲା ୧୯୪୭ରେ । ପାଲେଷ୍ଟାଇନକୁ ବିଭାଜନ କରି ଦୁଇଟି ରାଷ୍ଟ୍ରରେ ପରିଣତ କଲା । ଗୋଟିଏ ଆରବ ଓ ଅନ୍ୟଟି ଇହୁଦୀ । କିନ୍ତୁ ଏହାକୁ ପାଲେଷ୍ଟାଇନବାସୀ ପ୍ରତ୍ୟାଖାନ କଲେ । କାରଣ ଏହା ତାଙ୍କଦେଶର ଶତକଡ଼ା ୫୫ଭାଗ ଜମିକୁ ଇହୁଦୀମାନଙ୍କୁ ପ୍ରଦାନ କରିଥିଲା । ଜେରୁଜେଲମକୁ ଆନ୍ତର୍ଜାତିକ ସହରରେ ଘୋଷଣା କରିଥିଲା । ସେତେବେଳେ ପାଲେଷ୍ଟୀନୀୟଙ୍କ ହାତରେ ଶତକଡ଼ା ୯୪ଭାଗ ଜମି ଥିଲା । ଜନସଂଖ୍ୟାର ସେମାନେ ଶତକଡ଼ା ୬୭ଭାଗ ଥିଲେ ଓ ନାକବା (ବିପର୍ଯ୍ୟୟ) -୧୯୪୮ । ୧୯୪୮ଏପ୍ରିଲରେ ଶହେରୁ ଉର୍ଦ୍ଧ ପାଲେଷ୍ଟୀନୀୟଙ୍କୁ ଦେରଆସିଁ ଗ୍ରାମରେ ହତ୍ୟା କରାଗଲା ୧୯୪୭ରୁ ୪୯ମଧ୍ୟରେ । ପାଞ୍ଚଶହ ପାଲେଷ୍ଟୀନୀୟ ଗ୍ରାମ ଓ ସହରକୁ ଧ୍ୱଂସ କରାଗଲା । ଏହାକୁ ଆରବୀୟ ଭାଷାରେ ନାକବା ବା ବିପର୍ଯ୍ୟୟ କୁହାଯାଏ । ୧୫୦୦୦ ପାଲେଷ୍ଟୀନୀୟ ଏଥିରେ ପ୍ରାଣ ହରାଇଲେ । ଇହୁଦୀ ଉଗ୍ରବାଦୀମାନେ ଶତକଡ଼ା ୭୮ଭାଗ ପାଲେଷ୍ଟୀନୀୟ ଜମି ଦଖଲକଲେ । ୭୫୦୦୦୦ ପାଲେଷ୍ଟୀନୀୟ ବିସ୍ଥାପିତ ହେଲେ । ଏପରି ହିଂସା, ଜବରଦଖଲ ଓ ଅତ୍ୟାଚାରର ପୃଷ୍ଠଭୂମିରେ ଇସ୍ରାଏଲ ରାଷ୍ଟ୍ର ମେ୧୫ ତାରିଖ ୧୯୪୮ରେ ଜନ୍ମନେଲା । ଆଉ ମାତ୍ର ଶତକଡ଼ା ୨୨ଭାଗ ଜମିରେ ପାଲେଷ୍ଟୀନୀୟବାସୀ ରହିଲେ ଯାହାକୁ ଆଜି ୱେଷ୍ଟବ୍ୟାଙ୍କ ଓ ଗାଜାପଟି କୁହାଯାଉଛି । ୧୯୪୮ ଡିସେମ୍ବରରେ ଜାତିସଂଘ ୧୯୪ନ. ନିଷ୍ପତ୍ତି ଗ୍ରହଣକଲା । ପାଲେଷ୍ଟୀନୀୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଅଧିକାର ଘୋଷଣା କଲା । ଏହା ମଧ୍ୟରେ ଇଜିପ୍ଟ ଗାଜାପଟି, ଜୋର୍ଡାନ, ୱେଷ୍ଟବ୍ୟାଙ୍କରେ ଶାସନକଲେ । ୧୯୬୪ରେ ପାଲେଷ୍ଟାଇନ ମୁକ୍ତି ସଂଗଠନ ଜନ୍ମନେଲା । ପୁଣି ଏକବର୍ଷ ପରେ ଫାତାଓ ରାଜନୈତିକ ଦଳ ଜନ୍ମନେଲା ।

୧୯୬୭ ଯୁଦ୍ଧ

୧୯୬୭ ଜୁନ୫ରେ ପୁଣି ଯୁଦ୍ଧ ଆରମ୍ଭ ହେଲା । ଇସ୍ରାଏଲ ଗାଜାପଟି, ୱେଷ୍ଟବ୍ୟାଙ୍କ, ପୂବ ର୍ଜେରୁଜେଲମ, ଗୋଲୱାନଖଣ୍ଡ ଓ ସିନେଇ ଅଂଚଳକୁ ଦଖଲ କଲା । ଅଧାନିୟୁତ ଲୋକ ପଳାୟନ କଲେ । ୧୯୬୭ ଡ଼ିସେମ୍ବରରେ ମାର୍କ୍ସବାଦୀ-ଲେନିନବାଦୀ ଗଣସାମ୍ମୁଖ୍ୟ ଗଠିତହେଲା । ଏହି ବାମପନ୍ଥୀ ଗୋଷ୍ଠୀ ବିଶ୍ୱଦୃଷ୍ଟି ଆକର୍ଷଣ ପାଇଁ ଅନେକ ଯୋଜନା ଓ ଆକ୍ରମଣ କଲେ । ଜାତିସଂଘ ନିଷ୍ପତ୍ତି୨୪୨ନ. ଗୃହୀତ ହେଲା । ପୁଣି ୧୯୭୩ରେ ୩୩୮ନ. ନିଷ୍ପତ୍ତି ମଧ୍ୟ ଗୃହୀତ ହେଲା । କିନ୍ତୁ ଏହାର କୌଣସି ସ୍ଥାୟୀ ସମାଧାନ ହେଇପାରିଲା ନାହିଁ । ଆମେରିକା ଇସ୍ରାଏଲକୁ ସମର୍ଥନ ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କଲା । ପି.ଏଲ୍.ଓ.କୁ ନିରୀକ୍ଷକ ସ୍ଥାନ ଜାତିସଂଘରେ ମିଳିଲା ।

୧୯୮୨ ଯୁଦ୍ଧ

୧୯୮୨ ଯୁଦ୍ଧରେ ସାବରାଓସତଇଲାରେ ପାଲେଷ୍ଟୀନୀୟଙ୍କୁ ଗଣହତ୍ୟା କରାଗଲା । ୧୯୮୩ରେ ପାଲେଷ୍ଟିନୀୟ ଉପରେ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହେଲା । କିନ୍ତୁ କୌଣସି ନିଷ୍ପତ୍ତି ଏହା ସପକ୍ଷରେ ହୋଇପାରିଲା ନାହିଁ ।

ପ୍ରଥମ ଈନ୍ତିଫାଦା

୧୯୮୭ ଡିସେମ୍ବର ୭ରେ ଏକ ଇସ୍ରାଏଲୀ ଟ୍ରକଚାଳକ ୪ ପାଲେଷ୍ଟୀନୀୟ ଶ୍ରମିକଙ୍କୁ ନେଇ ଯାଉଥିବା ଗାଡିକୁ ଧକ୍କାଦେବାରେ ମୃତ୍ୟୁବରଣ କଲେ । ଏହା ଏକ ବିଦ୍ରୋହର ସୂତ୍ରପାତ କଲା । ଏଥିରୁ ପ୍ରଥମ ଈନ୍ତିଫାଦା ଜନ୍ମନେଲା । ଏହା ଅତୀତର ସମସ୍ତ ପ୍ରତିରୋଧଠାରୁ ଅଧିକ ବୈପ୍ଲବିକ ଥିଲା । ଈନ୍ତିଫାଦାର ଅର୍ଥ ଦୋହଲେଇ ଦେବା । ଅର୍ଥାତ ଏ ପ୍ରତିରୋଧ ଇସ୍ରାଏଲୀ ସାମ୍ରାଜ୍ୟବାଦକୁ ଦୋହଲେଇ ଦେଇଥିଲା । ଏହା ଏକ ଗଣଆନ୍ଦୋଳନରେ ପରିଣତ ହୋଇଥିଲା । କାରଣ ଏଥିରେ ପ୍ରାୟ ସମସ୍ତ ପାଲେଷ୍ଟୀନୀୟ ଅଂଶଗ୍ରହଣ କରିଥିଲେ । ହଜାର ହଜାର ସଂଖ୍ୟାରେ କମିଟିମାନ ଗଢ଼ି ଉଠିଥିଲା । ପାଲେଷ୍ଟୀନୀୟ ଇତିହାସରେ ଏହା ସବୁଠାରୁ ଗଣତାନ୍ତ୍ରିକ ଆନ୍ଦୋଳନ । ସାଧାରଣ ଧର୍ମଘଟ, ରାସ୍ତାରୋକ, ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ । ଏହି ଆନ୍ଦୋଳନର ଅଂଶଥିଲା ଯୁବକମାନଙ୍କ ନେତୃତ୍ୱରେ ସହର ଓ ଗାଁରେ ମୁକ୍ତଅଂଚଳମାନ ପ୍ରତିଷ୍ଠା କରାଗଲା । ଶ୍ରମିକ, ଯୁବକ ଓ ନିଷ୍ପେଷିତମାନେ ଏ ବିପ୍ଲବର ନେତୃତ୍ୱ ନେଲେ । ଏହା ସମଗ୍ର ମଧ୍ୟପ୍ରାଚ୍ୟର ପ୍ରତିଧ୍ୱନିତ ହେଲା । ଏପରିକି ଇସ୍ରାଏଲର ଶ୍ରମିକଶ୍ରେଣୀର ଏକ କ୍ଷୁଦ୍ରଅଂଶ ଏହାକୁ ସମର୍ଥନ କଲେ । ଏ ବିପ୍ଳବରେ ପାଶ୍ଚାତ୍ୟ ପୁଞ୍ଜିପତି ରାଷ୍ଟ୍ରମାନେ ବ୍ୟଥିତ ହୋଇପଡ଼ିଲେ । କାରଣ ଏ ଆନ୍ଦୋଳନ ସନ୍ତ୍ରାସବାଦ ନଥିଲା । ଏହା ଏକ ବ୍ୟାପକ ଓ ଗଭୀର ଗଣତାନ୍ତ୍ରିକ ପ୍ରତିରୋଧ ଥିଲା । ଏହାକୁ ଧ୍ୱଂସ କରିବାର ଷଡ଼ଯନ୍ତ୍ର ଆରମ୍ଭହେଲା । ଇସ୍ରାଏଲୀ ଆଟର୍ଣ୍ଣି ଜେନେରାଲ ମାଇକେଲ ବେନୟାରଙ୍କ ମନ୍ତବ୍ୟ ଏଠାରେ ପ୍ରାସଙ୍ଗିକ । ‘ପାଲେଷ୍ଟୀନୀୟ ଇନ୍ତିଫାଦା ଏକ ଜାତୀୟ ମୁକ୍ତିଯୁଦ୍ଧ । ଆମେ ଇସ୍ରାଏଲବାସୀ ଏକ ଔପନିବେଶିକ ସମାଜ ହେବାକୁ ଆଗ୍ରହୀ । ଏଥିପାଇଁ ଅନ୍ତର୍ଜାତୀୟ ନିୟମ ଓ ଚୁକ୍ତି ଉଲ୍ଲଙ୍ଘନ, ଭୂମିର ବଳପୂର୍ବକ ଅଧିଗ୍ରହଣ, ଇସ୍ରାଏଲରୁ ଅନ୍ୟମାନଙ୍କୁ ସ୍ଥାନାନ୍ତର ଓ ଲୁଟ କରିବାକୁ ପଛାଇବୁ ନାହିଁ । ଏଥିପାଇଁ ଆବଶ୍ୟକ ପଦକ୍ଷେପ ବିଭିନ୍ନ ଅଂଚଳରେ ଆମେନେବାକୁ ପ୍ରସ୍ତୁତ ।’ ୧୯୪୮ ଡିସେମ୍ବରରେ ଜାତିସଂଘ ୧୯୪ନ. ନିଷ୍ପତ୍ତି ଗ୍ରହଣକଲା । ପାଲେଷ୍ଟୀନୀୟମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନର ଅଧିକାର ଘୋଷଣା କଲା । ଏହା ମଧ୍ୟରେ ଇଜିପ୍ଟ ଗାଜାପଟି, ଜୋର୍ଡାନ ୱେଷ୍ଟବ୍ୟାଙ୍କରେ ଶାସନକଲେ । ୧୯୬୪ରେ ପାଲେଷ୍ଟାଇନ ମୁକ୍ତିସଂଗଠନ ଜନ୍ମନେଲା । ପୁଣି ଏକବର୍ଷ ପରେ ଫାତାଓ ରାଜନୈତିକ ଦଳ ଜନ୍ମନେଲା ।

ଏହି ବିପ୍ଳବକୁ ଇସ୍ରାଏଲ ବର୍ବର ଭାବରେ ଦମନ କରିଥିଲା । ଏକହଜାରରୁ ଊଦ୍ଧ୍ୱର୍ ପାଲେଷ୍ଟୀନୀୟଙ୍କୁ ହତ୍ୟା କରାଯାଇଥିଲା । ବର୍ତ୍ତମାନର ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସେତେବେଳେ ଇସ୍ରାଏଲର ଜାତିସଙ୍ଘର ପ୍ରତିନିଧି ଥିଲେ । ସେ କହିଥିଲେ ଯେ ଯେଉଁମାନେ ପଥର ଫିଙ୍ଗୁଛନ୍ତି, ସେମାନଙ୍କୁ ଗୁଳି କରାଯାଉ । ୪୦୦୦୦ ପାଲେଷ୍ଟୀନୀୟଙ୍କୁ ବନ୍ଦୀ କରାଯାଇଥିଲା । ୧୯୮୭ରୁ ୧୯୯୩ ମଧ୍ୟରେ ପ୍ରତି ପାଞ୍ଚଜଣରେ ଦୁଇଜଣ ପାଲେଷ୍ଟୀନୀୟ ପୁରୁଷ ବନ୍ଦୀ ହୋଇଥିଲେ । ଇସ୍ରାଏଲର ଆନସାରୀ କ୍ୟାମ୍ପ ‘ଧୀରମୃତ୍ୟୁ’ର କେନ୍ଦ୍ରରେ ପରିଣତ ହୋଇଥିଲା । କାରଣ ସେଠାରେ ବନ୍ଦୀମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଇ ମୃତ୍ୟୁମୁଖକୁ ଠେଲି ଦିଆଯାଉଥିଲା । ହତ୍ୟା, ଲୁଣ୍ଠନ ଓ ଅତ୍ୟାଚାର ବଳରେ ଏ ଐତିହାସିକ ଆନ୍ଦୋଳନକୁ ଦମନ କରାଯାଇ ଥିଲା । ଆଜି ଯେଉଁମାନେ ହାମାସ୍ ଆକ୍ରମଣକୁ ନେଇ ଚିତ୍କାର କରୁଛନ୍ତି, ସେମାନେ ଅତ୍ୟାଚାର ଓ ଦମନର ଏ କୃର ଇତିହାସକୁ ଦେଖୁନାହାନ୍ତି ବା ଦେଖିବାକୁ ଚାଁହୁନାହାନ୍ତି । ପ୍ରଥମ ଈନ୍ତିଫାଦାର ତ୍ୟାଗ ଓ ସଂଗ୍ରାମ ଅର୍ଥହୀନ ନଥିଲା । ଏହାର ଚାପରେ ଆମେରିକା ଦୁଇ ରାଷ୍ଟ୍ରନୀତିକୁ ଗ୍ରହଣ କରିବାକୁ ଇସ୍ରାଏଲ ଉପରେ ଚାପ ପକାଇଥିଲା । ସେତେବେଳର ସଂକଟକୁ ଦୂର କରିବାକୁ ଏହା ଏକ ଷଡ଼ଯନ୍ତ୍ର ଥିଲା, କାରଣ ଏ ବିପ୍ଳବରୁ ଇସ୍ରାଏଲର ଶାସକଶ୍ରେଣୀକୁ ରକ୍ଷା କରିବାକୁ ଆମେରିକା ଆଗେଇ ଆସିଥିଲା । ଏପରିକି ପିଏଲ୍ଓ ନେତା ୟାସେର ଆରାଫତ ଏହାକୁ ଜାତୀୟତାବାଦୀ ଦୃଷ୍ଟିଭଙ୍ଗୀରେ ଦେଖିଥିଲେ । ଏହାର ସମାଜବାଦୀ ଦିଗକୁ ଅଣଦେଖା କରିଥିଲେ । ମଧ୍ୟପ୍ରାଚ୍ୟରେ ଏକ ସମାଜବାଦୀ ବିପ୍ଳବକୁ ଉଭୟ ଇସ୍ରାଏଲ ଓ ପି.ଏଲ.ଓ. ଚାଁହୁ ନଥିଲେ । ଏହାର ପ୍ରଭାବରେ ୧୯୯୩ରେ ଓସଲୋ ରାଜିନାମା ସ୍ୱାକ୍ଷରିତ ହେଲା । ଏକ ସୀମିତ କ୍ଷମତାଥିବା ସଂସ୍ଥା ପାଲେଷ୍ଟାଇନ ଅଥରିଟି ଗଠନ କରାଗଲା । ପି.ଏଲ.ଓ. ଇସ୍ରାଏଲକୁ ସ୍ୱୀକୃତି ଦେଲା । ୱେଷ୍ଟବ୍ୟାଙ୍କର ଶତକଡ଼ା ୬୦ଭାଗ ଜମି ଦେବାକୁ ରାଜି ହେଲା । ଏକ ସ୍ୱାଧୀନ ରାଷ୍ଟ୍ରର ପ୍ରତିଶୃତି ଓ ଏକ ନିର୍ବାଚିତ ସରକାର କଥା ରାଜିନାମାରେ ଥିଲା । କିନ୍ତୁ ଏହା ଆଜିପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଓସଲୋ ରାଜିନାମା ପାଲେଷ୍ଟାଇନ ପ୍ରତି ଆଉ ଏକ ଚରମ ବିଶ୍ୱାସଘାତକତା ଥିଲା ।

ଦ୍ୱିତୀୟ ଈନ୍ତିଫାଦା

ଇସ୍ରାଏଲ ନେତା ଆରିଏଲ ସାରୋନ୍ ସେପ୍ଟେମ୍ବର ୨୮ ତାରିଖରେ ପୂର୍ବ ଜେରୁଜେଲମରେ ଥିବା ଆଲଶରିଫ ମସଜିଦକୁ ଏକ ଉତ୍ତେଜନାମୂଳକ ପରିଦର୍ଶନ କଲେ । ତାଙ୍କ ସହିତ ହଜାର ହଜାର ନିରାପତ୍ତା କର୍ମୀ ଥିଲେ । ଏହି ମସଜିଦକୁ ଇସ୍ଲାମ ଧର୍ମରେ ପବିତ୍ର ମସଜିଦ ବୋଲି ଗ୍ରହଣ କରାଯାଏ । ଏହି ଉତ୍ତେଜନାମୂଳକ ପରିଦର୍ଶନ ପ୍ରତିକ୍ରିୟାରେ ଦ୍ୱିତୀୟ ଈନ୍ତିଫାଦା ଆରମ୍ଭ ହେଲା, ଯଦିଓ ଅନ୍ୟାନ୍ୟ କାରଣମାନ ମଧ୍ୟ ଥିଲା । ପାଲେଷ୍ଟୀନୀୟ ଓ ଇସ୍ରାଏଲୀ ସେନା ମଧ୍ୟରେ ସଂଘର୍ଷରେ ପାଞ୍ଚଜଣ ପାଲେଷ୍ଟୀନୀୟ ମୃତ୍ୟୁବରଣ କଲେ । ଦୁଇଶହରୁ ଅଧିକ କ୍ଷତବିକ୍ଷତ ହେଲେ । ବିଦ୍ରୋହ ଚାରିଆଡ଼େ ବ୍ୟାପିଗଲା । ଇସ୍ରାଏଲ ପାଲେଷ୍ଟୀନୀୟ ଅର୍ଥନୀତି ଓ ଏହାର ଢାଞ୍ଚାଗୁଡିକୁ ଧ୍ୱଂସ କରିଚାଲିଲେ । ପୁଣି ଇସ୍ରାଏଲ ପାଲେଷ୍ଟୀନୀୟ ଅଂଚଳ ଦଖଲ କଲା । ଇସ୍ରାଏଲୀମାନେ ବଳପୂର୍ବକ ପାଲେଷ୍ଟୀନୀୟ ଅଂଚଳରେ ବସବାସ କଲେ । ତାଙ୍କୁ ଅସ୍ତ୍ର ଯୋଗାଇ ଦିଆଗଲା । ଓସଲୋ ରାଜିନାମା ବେଳେ ୧୧୦୦୦୦ ଇହୁଦୀ ୱେଷ୍ଟବ୍ୟାଙ୍କରେ ଥିଲେ । ବର୍ତ୍ତମାନ ସେମାନଙ୍କ ସଂଖ୍ୟା ୭ଲକ୍ଷ । ଆରାଫତ ଓ ତାଙ୍କ ଗୋଷ୍ଠୀ ପ୍ରତିଶୃତି କାର୍ଯ୍ୟକାରୀ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ । ଏହି ଦ୍ୱିତୀୟ ବିପ୍ଳବ ହତାଶ ଓ ତିକ୍ତତାର ପ୍ରତିଫଳନ ଥିଲା । ହାମାସ୍ ଓ ଫାତାଓ ପାଖରେ କୌଣସି ବିକଳ୍ପ ନଥିଲା । ସେମାନେ ଗଣସଂଗ୍ରାମ ବଦଳରେ ବିସ୍ଫୋରଣ ଓ ରକେଟ ମାଡ଼ ଉପରେ ଗୁରୁତ୍ୱ ଦେଉଥିଲେ । ଏହା ଇସ୍ରାଏଲକୁ ସୁହାଉଥିଲା । ଶେଷରେ ଫାତାଓ ପାଲେଷ୍ଟୀନୀୟ କର୍ତ୍ତୃପକ୍ଷ ଜର୍ଜବୁଶଙ୍କ ଶାନ୍ତି ପ୍ରସ୍ତାବକୁ ଗ୍ରହଣ କଲେ । ଇସ୍ରାଏଲର ଜବରଦଖଲ ବଜାୟ ରହିଲା ।

୨୦୦୪ରେ ଆରାଫତ ମୃତ୍ୟୁବରଣ କଲେ । ବର୍ଷେ ପରେ ଦ୍ୱିତୀୟ ଈନ୍ତିଫାଦାର ଅବସାନ ହେଲା । ଏକ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା । ଏଥିରେ ହାମାସ ବହୁମତରେ ବିଜୟଲାଭ କଲା । କିନ୍ତୁ ଦୁର୍ଭାଗ୍ୟର କଥା ହାମାସ ଓ ଫାତାଓ ମଧ୍ୟରେ ଗୃହଯୁଦ୍ଧ ଆରମ୍ଭହେଲା । ଏଥିରେ ଶତାଧିକ ପାଲେଷ୍ଟୀନୀୟ ମୃତ୍ୟୁବରଣ କଲେ । ୨୦୦୭ରେ ଗାଜାପଟିରେ ଇସ୍ରାଏଲ ସବୁପଥରେ ରାସ୍ତା ଅବରୋଧ କଲା ଓ ଇସ୍ରାଏଲ ନିରବଛିନ୍ନ ଆକ୍ରମଣ କରି ପାଲେଷ୍ଟୀନୀୟଙ୍କ ହତ୍ୟା କରିଆସୁଛି । ୨୦୦୮, ୨୦୧୨, ୨୦୧୪ ଓ ୨୦୨୧ରେ ଆକ୍ରମଣ କରି ହଜାର ହଜାର ନିରୀହ ନାଗରିକଙ୍କୁ ହତ୍ୟାକରିବା ସହ ପାଲେଷ୍ଟାଇନକୁ ଧ୍ୱଂସ କରିଛି । ଏବର ଆକ୍ରମଣରେ ୮୦୦୦ରୁ ଅଧିକଙ୍କୁ ହତ୍ୟା କରାଯାଇଛି । ପାଲେଷ୍ଟାଇନ୍ର ପୁନର୍ଗଠନ ବର୍ତ୍ତମାନ ସମ୍ଭବ ନୁହଁ । ଇସ୍ରାଏଲ ଏକ ବେଆଇନ ପ୍ରାଚୀର ୱେଷ୍ଟବ୍ୟାଙ୍କରେ ନିର୍ମାଣ କଲା । ଏହାକୁ ଆନ୍ତର୍ଜାତିକ ନ୍ୟାୟାଳୟ ବେଆଇନ ଘୋଷଣା କଲେ । ୨୦୧୦ରେ ଶାନ୍ତିପାଇଁ ଆଲୋଚନା ବିଫଳ ହେଲା । ୨୦୧୧ରେ ପାଲେଷ୍ଟାଇନ ରାଷ୍ଟ୍ରପତି ମହାମ୍ମଦ ଆୱସ ଜାତିସଂଘ ସଦସ୍ୟତା ପାଇଁ ଆବେଦନ କଲେ ଓ ୨୦୧୨ ନଭେମ୍ବର ୨୯ରେ ପାଲେଷ୍ଟାଇନକୁ ନିରୀକ୍ଷକ Status ଜାତିସଂଘ ପ୍ରଦାନ କଲେ । ୨୦୧୭ରେ ଆମେରିକା ଜେରୁଜେଲମକୁ ଇସ୍ରାଏଲର ରାଜଧାନୀ ଭାବେ ଘୋଷଣାକଲେ । ଏହା ପାଲେଷ୍ଟୀନୀୟଙ୍କ ପ୍ରତି ଆଉ ଏକ ବିଶ୍ୱାସଘାତକତା ଥିଲା । ୨୦୨୦ରୁ ଆମେରିକା ଇସ୍ରାଏଲ ଓ ସାଉଦିଆରବ ସହ ସମ୍ପର୍କକୁ ଦୃଢ଼ କରିବାକୁ ଚାଁହୁଛି । ଏହା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା । ଅକ୍ଟୋବର ୭ତାରିଖ ହାମାସ ଆକ୍ରମଣ ପଛରେ ଏହା ଅନ୍ୟତମ କାରଣ । ୨୦୨୩ ମେ ୧୫ରେ ଜାତିସଂଘ ନାକବାର ୭୫ତମ ବାର୍ଷିକୀ ପାଳନ କରିଥିଲା । ପାଲେଷ୍ଟୀନୀୟମାନଙ୍କ ଇତିହାସ ସାମ୍ରାଜ୍ୟବାଦୀ ବିଶ୍ୱାସଘାତକତାର ଇତିହାସ । ଗୋଟାଏ ଜାତି ଓ ତାହାର ଭୂମି, ସମ୍ବଳ, ସଂସ୍କୃତି ଓ ପରିଚୟକୁ ଧ୍ୱଂସ କରିବାର ପ୍ରୟାସ ଦୀର୍ଘ ଶହେବର୍ଷରୁ ଉର୍ଦ୍ଧ ସମୟ ଧରିଚାଲିଛି । ଏଥିରେ ସାମ୍ରାଜ୍ୟବାଦର ଦୋଗଲାପଣିଆ ସ୍ପଷ୍ଟ ଓ ଆମେରିକା ୟୁକ୍ରେନରେ ଯୁଦ୍ଧ ଅପରାଧର ପାଠ ପଢ଼ୁଥିଲାବେଳେ ଏଠି ଇସ୍ରାଏଲର ଯୁଦ୍ଧ ଅପରାଧକୁ ସମର୍ଥନ କରୁଛି । ଗଣହତ୍ୟା କରୁଥିବା ଇସ୍ରାଏଲକୁ ଆମେରିକା ଓ ଅନ୍ୟ ପୁଞ୍ଜିବାଦୀ ପାଶ୍ଚାତ୍ୟ ରାଷ୍ଟ୍ରମାନେ ସାମରିକ, ଅର୍ଥନୈତିକ ଓ ନୈତିକ ବଳ ଯୋଗାଉଛନ୍ତି । ଇସ୍ରାଏଲ ସମସ୍ତ ସୀମା ଅତିକ୍ରମ କରିଛି । ଏହା କେବଳ ସାମ୍ରାଜ୍ୟବାଦର ସହଯୋଗ ଯୋଗୁଁ ସମ୍ଭବ ହୋଇଛି । ଇସ୍ରାଏଲ ରାଷ୍ଟ୍ରପତି ୱାଇଜାକ ହର୍ଜରଙ୍କ ବକ୍ତବ୍ୟ କୌଣସି ଗୁଣରେ ହିଟଲରି ଫାସିବାଦୀ ଭାଷାଠାରୁ କମ୍ ନୁହଁ । ‘ପାଲେଷ୍ଟୀନୀୟମାନେ ସାମୂହିକ ଭାବରେ ଦାୟୀ । ତେଣୁ ସେମାନେ ସାମୂହିକ ଭାବରେ ଦଣ୍ଡିତ ହେବା ଉଚିତ ।’ ହାମାସ ଓ ପାଲେଷ୍ଟୀନୀୟଙ୍କ ମଧ୍ୟରେ ପାର୍ଥକ୍ୟକୁ ଇସ୍ରାଏଲ ଜାଣିଶୁଣି ଅଣଦେଖା କରୁଛି । କାରଣ ତାହାର ଆକ୍ରମଣ ପାଇଁ ଏକ ଆଳ ଖୋଜୁଛି । ଈନ୍ତିଫାଦା ଓ ବିପ୍ଳବକୁ ଦୁର୍ବଳ କରିବାକୁ ହାମାସ ଜନ୍ମ ନେଇଥିଲା । ସେତେବେଳେ ଏହାପଛରେ ଇସ୍ରାଏଲର ସମର୍ଥନ ଥିଲା । ବର୍ତ୍ତମାନ ହାମାସ ପ୍ରତିରୋଧ କଲାବେଳକୁ ଏହାକୁ ଦମନ ଆଳରେ ପାଲେଷ୍ଟାଇନକୁ ଧ୍ୱଂସ କରିବାକୁ ଇସ୍ରାଏଲ ଚାଁହୁଛି ।

ପାଲେଷ୍ଟାଇନବାସୀ ସଂଗ୍ରାମରେ ଧୈର୍ଯ୍ୟ, ସାହସ, ତ୍ୟାଗ ଓ ଅଂଗୀକାର ପ୍ରଦର୍ଶନ କରିଆସଛି । ସାମ୍ରାଜ୍ୟବାଦୀ ଶକ୍ତି ସବୁ ବଳପ୍ରୟୋଗ କରି ଏହାକୁ ଧ୍ୱଂସ କରିବାକୁ ସକ୍ଷମ ହୋଇନାହିଁ । ଈନ୍ତିଫାଦା ହିଁ ଭବିଷ୍ୟତରେ ମୁକ୍ତି ଆଣିଦେବ ।

Writer- . ମାନସ ବେହେରା

Comments

0 comments

Share This Article