ଅଗଷ୍ଟ ୨୩,୨୦୨୩ ଦିନ ଭାରତର ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଏକ ଅପୂର୍ବ ସଫଳତା ପାଇଥିଲେ । ଏହାର ବିଭିନ୍ନ ଅନୁଷ୍ଠାନମାନଙ୍କ ଦ୍ୱାରା ମିଳିତ ପ୍ରୟାସରେ ନିର୍ମିତ ‘ଚନ୍ଦ୍ରାୟନ–୩’ ସଫଳତାର ସହ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା । ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବାରେ ଏହି ଯାନଟି ପ୍ରଥମ ହୋଇଥିବା ଦୃଷ୍ଟିରୁ ମହାକାଶ ବିଜ୍ଞାନ କ୍ଷେତ୍ରରେ ଏହା ଏକ ନୂତନ କିର୍ତ୍ତିମାନ ସ୍ଥାପନ କରିଥିଲା । ପୂର୍ବରୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷ୍ ଓ ଚୀନ୍ ଭଳି ସ୍ୱଚ୍ଛଳ ଅର୍ଥନୀତି ଥିବା ଦେଶମାନେ ଅନେକବାର ଚନ୍ଦ୍ରଯାନ ଚନ୍ଦ୍ରପୃଷ୍ଠର ଉତ୍ତରମେରୁରେ ଅବତରଣ କରାଇ ସାରିଛନ୍ତି । ତେବେ ଭାରତଭଳି ଗୋଟିଏ ଦରିଦ୍ର ଦେଶ ଚନ୍ଦ୍ରପୃଷ୍ଠକୁ ତୁହାକୁ ତୁହା ତିନୋଟି ଯାନ ପଠାଇବା ଦେଶବାସୀଙ୍କ ପାଇଁ ଯଥେଷ୍ଟ ଉନ୍ମାଦନା ଆଣିପାରିଥିଲା ନିଶ୍ଚୟ । ‘ଚନ୍ଦ୍ରାୟନ–୩’ର ଅବତରଣକୁ ସିଧାସଳଖ ଦେଖୁଥିଲେ ୮୦ଲକ୍ଷରୁ ଊଦ୍ଧ୍ୱର୍ଲୋକ । ‘ଇସ୍ରୋ’ ତରଫରୁ ଏହାକୁ ଏକ ନୂତନ ବିଶ୍ୱ କୀର୍ତ୍ତିମାନ ବୋଲି କୁହାଯାଉଛି । ଏଥିପୂର୍ବରୁ ଡ଼ିସେମ୍ବର ୦୬, ୨୦୨୨ରେ ବ୍ରାଜିଲ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବିଶ୍ୱକପ୍ ମ୍ୟାଚର ସିଧାସଳଖ ଦେଖୁଥିବା ଦର୍ଶକଙ୍କ ସଂଖ୍ୟାଥିଲା ୫୨ଲକ୍ଷ ୪ହଜାର ୭ଶହ୯୪ଜଣ । ଆମର ‘ଚନ୍ଦ୍ରାୟନ–୩’ ଅବତରଣର ଦୃଶ୍ୟ ପ୍ରାୟ ସବୁବର୍ଗର ଏବଂ ସବୁସ୍ତରର ଲୋକମାନେ ଦେଖିଥିଲେ ଯେଉଁମାନଙ୍କ ସଂଖ୍ୟା ଏବେ ୭କୋଟିରୁ ଅଧିକ ହେଲାଣି ବୋଲି କୁହାଯାଉଛି । ସବୁଠାରୁ ଉଲ୍ଲେଖନୀୟ ଘଟଣାଟି ଥିଲା ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ଥାଇ ମଧ୍ୟ ‘ଚନ୍ଦ୍ରାୟନ–୩’ ଅବତରଣ ସହ ନିଜେ ଆମ ଟିଭି ପରଦାରେ ଅବତରଣ କରିଥିଲେ ଏବଂ ‘ଇସ୍ରୋ’ର ବୈଜ୍ଞାନିକମାନେ ବିବରଣୀ ଦେବା ପୂର୍ବରୁ ସେ ଭାରତର ୧୪୦କୋଟି ଲୋକଙ୍କୁ ଅଭିନନ୍ଦନ ଜଣାଇ ପ୍ରାୟତଃ ଏକ ‘ନିର୍ବାଚନୀ ଭାଷଣ’ ଦେଇଥିଲେ । ଏବେ ପୁଣି ସେପ୍ଟେମ୍ବର ୨,୨୦୨୩ ଦିନ ‘ଆଦିତ୍ୟାୟନ’ଯାନ ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବା ପାଇଁ ମହାକାଶ ଉଦେଶ୍ୟରେ ଯାତ୍ରାକରିବ ବୋଲି ଘୋଷଣା କରାଯାଇଛି । ‘ଇସ୍ରୋ’ର ଅଧ୍ୟକ୍ଷ ବୈଜ୍ଞାନିକ ଡଃ ସୋମନାଥ ଅଗଷ୍ଟ ୨୮, ୨୦୨୩ ଦିନ ବିଭିନ୍ନ ମନ୍ଦିର ଯାଇ ପୂଜାଅର୍ଚ୍ଚନା କରିବାର ଦୃଶ୍ୟ ଟିଭି ପରଦାରେ ଦେଖିବାକୁ ମିଳିଥିଲା ।
‘ଚନ୍ଦ୍ରାୟନ–୩’ ସଫଳ ଅବତରଣ ହେଉ ବା ‘ଆଦିତ୍ୟାୟନ’ର ସମ୍ଭାବ୍ୟ ସଫଳ ମହାକାଶ ଯାତ୍ରା ଚନ୍ଦ୍ର ଓ ସୂର୍ଯ୍ୟଙ୍କୁ ଦେବତା ଭାବି ପୂଜା କରିଆସୁଥିବା ଭାରତ ଭଳି ଗୋଟିଏ ଦେଶର ଲୋକମାନଙ୍କ ଭିତରେ ଅପୂର୍ବ ରୋମାଞ୍ଚ ଆଣି ପାରିଥିଲେ ବି, ତାହା ଯେ ବୈଜ୍ଞାନିକ ମାନସିକତା ତିଆରି କରିବାରେ ସଫଳ ହେବ, ଏହା ହଠାତ୍ ଆଶା କରାଯାଇ ନପାରେ । ପ୍ରଶ୍ନ କରିବାର ପୃଷ୍ଠଭୂମି ଏଦେଶର ଇତିହାସରେ କେବେ ଥିଲା କି ନାହିଁ ତାହା ଆଜିର ଦିନରେ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆଜିର ଦିନରେ ଆମ ସମାଜରେ ଏବଂ ଆମ ଶିକ୍ଷାବ୍ୟବସ୍ଥାରେ ପ୍ରଶ୍ନ କରିବାର ଭିତ୍ତିଭୂମି ତିଆରି କରାଯାଇ ପାରିନାହିଁ । ନଚେତ୍ ବେରୋଜଗାରୀ, କ୍ଷୁଧା, ଅନାହାର, ଅପପୃଷ୍ଟି ଏବଂ ଭୀଷଣ ଦାରିଦ୍ର୍ୟ ଭିତରେ ଅଧିକାଂଶ ଲୋକେ ଯନ୍ତ୍ରଣା ଭୋଗୁଥିଲା ବେଳେ ଗୋଟିଏ ଦେଶ କିପରି ଚନ୍ଦ୍ର ଓ ସୂର୍ଯ୍ୟଙ୍କ ପାଖକୁ ମହାକାଶ ଯାନ ପଠାଇବା ପାଇଁ ଚିନ୍ତା କରିପାରୁଛି, ଏଭଳି ଏକ ପ୍ରଶ୍ନ ସବୁ ଭାରତୀୟଙ୍କ ମନରେ ପ୍ରଥମେ ଆସିବା କଥା । ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୪୬ଟି ଚନ୍ଦ୍ର ଅଭିଯାନ ସରିଛି । ସେ ଭିତରୁ କିଛି ଅଭିଯାନ ବିଫଳ ମଧ୍ୟ ହୋଇଛି । ତକ୍ରାଳୀନ ସୋଭିଏତ୍ ସଂଘ (ଆଜିର ରୁଷିଆ)ରୁ ଆରମ୍ଭ କରି ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, ୟୁରୋପୀୟ ମହାକାଶ ସଂସ୍ଥା, ଚୀନ୍, ଲୁକ୍ସଜେନ୍ବର୍ଗ, ଇସ୍ରାଏଲ, ଇଟାଲୀ, ଦକ୍ଷିଣ କୋରିଆ ଏବଂ ଭାରତ ସମେତ ସଂଯୁକ୍ତ ଆରବ ଏମିରେଟସ୍ ସେ ଭିତରେ ଅର୍ନ୍ତଭୁକ୍ତ । ଭାରତକୁ ଛାଡ଼ିଦେଲେ ଅନ୍ୟସବୁ ଦେଶମାନେ ପ୍ରାଚୁର୍ଯ୍ୟରେ ଭରପୁର । ଏହି ସବୁ ଦେଶମାନଙ୍କରେ ବିଷମତା ଥିଲେ ବି ତାହା ପ୍ରାଚୁର୍ଯ୍ୟର ବିଷମତା ଅର୍ଥାତ୍ କିଏ କମ୍ ପ୍ରାଚୁର୍ଯ୍ୟସମ୍ପନ୍ନ ତ କିଏ ଅଧିକ ପ୍ରାଚୁର୍ଯ୍ୟସମ୍ପନ୍ନ । ଏହିସବୁ ଦେଶମାନଙ୍କରେ ସେମାନଙ୍କର ନାଗରିକ ମାନଙ୍କୁ ଦୁଇଓଳି ଖାଇବାକୁ ମିଳୁଛି ଏବଂ ରହିବା ପାଇଁ ମୁଣ୍ଡ ଉପରେ ଛାତଟିଏ ଅଛି । ଆମେରିକା ଭଳି ଦେଶମାନଙ୍କୁ ନିଜର ପ୍ରତିରକ୍ଷା ଖର୍ଚ୍ଚପାଇଁ ସମାଲୋଚିତ ହେବାକୁ ପଡ଼ିଛି ଯେତେବେଳେ ଆର୍ଥିକ ସଂକଟ ତୀବ୍ର ହୁଏ, ଲୋକେ ରୋଜଗାର ଏବଂ ଘରଦ୍ୱାର ହରାଇଛନ୍ତି । ଏଭଳି ଏକ ସମୟରେ ଭାରତଭଳି ଗୋଟିଏ ଗରିବ ଦେଶରେ ରୋମାଞ୍ଚକର ଚନ୍ଦ୍ର ଓ ସୂର୍ଯ୍ୟ ଅଭିଯାନ ବିଶ୍ୱ ଦରବାରରେ ଆମକୁ ନିଶ୍ଚିତ ଭାବେ ଉପହାସର ପାତ୍ରକରି ଉପସ୍ଥାପନ କରୁଛି । ଆଜିଯାଏଁ ଚନ୍ଦ୍ର, ସୂର୍ଯ୍ୟ ଓ ମଙ୍ଗଳ ଅଭିଯାନରୁ ଯାହା ଯେଉଁ ଦେଶ ଦ୍ୱାରା କରାଯାଉନା କାହିଁକି ବିଶ୍ୱରେ ପ୍ରକୃତି, ପରିବେଶ ଏବଂ ମଣିଷ ସମେତ ଜୀବଜଗତର କେଉଁ ଉପକାରରେ ଆସିଛି ଯଦି ପ୍ରଶ୍ନଟିଏ କରାଯାଏ, ଆମେ ଉତ୍ତର ପାଇପାରିବା ନାହିଁ ବରଂ ସେହି ପ୍ରଶ୍ନର ପ୍ରତିଧ୍ୱନି ହିଁ ଶୁଣିବା । ଅନ୍ୟଗ୍ରହ ବା ଉପଗ୍ରହ ଉପରେ ଜାଣିବା ସ୍ୱାଭାବିକ ଭାବେ ଆମର ଜ୍ଞାନର ବଳୟକୁ ବ୍ୟାପକ କରାଇବ ଯଦିଓ ଆମର ବିଶ୍ୱାସ ଏବଂ ବୁଝାମଣାରେ ତାହା କେତେ ପ୍ରତିଫଳିତ ହେବ, ଗୋଟିଏ ପ୍ରଶ୍ନବାଚୀ ହୋଇ ହିଁ ରହିବ । ‘ଚନ୍ଦ୍ରାୟନ–୩’ର ସଫଳ ଅବତରଣ ପରେ ମଧ୍ୟ ନିଜର ବୈଜ୍ଞାନିକ ଦକ୍ଷତା ଉପରେ ଭରସା କରିବା ଅପେକ୍ଷା ଦେବତାଙ୍କ ମନ୍ଦିର ଦ୍ୱାରରେ ପହଞ୍ଚି ବୈଜ୍ଞାନିକ ସୋମନାଥଙ୍କୁ ପୂଜା ଅର୍ଚ୍ଚନା କରିବାକୁ ପଡ଼ୁଛି ।
ଏଭଳି କହିବାର ଉଦେଶ୍ୟ ଏହା ନୁହଁ ଯେ ଆମ ଦେଶରେ ମହାକାଶ ଗବେଷଣାର ପ୍ରାସଙ୍ଗିକତା ନାହିଁ ବରଂ ଆମେ ସ୍ପଷ୍ଟ ଭାବରେ କହିବୁ ଯେ ମହାକାଶ ଗବେଷଣା କ୍ଷେତ୍ରରେ ଆମେ ଯେଉଁ ଉପଲବ୍ଧି ହାସଲ କରିଛୁ ତାହା ଅନବରତ ଜାରିରହିବା କଥା । ମହାକାଶ ଗବେଷଣାର ଗୋଟିଏ କ୍ଷୁଦ୍ର ଏବଂ ଅଦରକାରୀ ଦିଗ ହେଉଛି ଗ୍ରହ ବା ଉପଗ୍ରହକୁ ଯାନ ପଠାଇବା । ୧୯୬୨ ମସିହାରେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ସମୟରେ ଆରମ୍ଭ ହୋଇଥିବା ଭାରତର ମହାକାଶ ଗବେଷଣା ଗତ ୬୦ବର୍ଷ ଭିତରେ ଅନେକ ସଫଳତା ପାଇପାରିଛି । ସେ ଭିତରେ ସବୁଠାରୁ ଉପଯୋଗୀ ଉପଲବ୍ଧି ହେଲା ମହାକାଶକୁ କୃତ୍ରିମ ଉପଗ୍ରହ ପଠାଇ ଭାରତର ଟେଲିଯୋଗାଯୋଗ, ଗଣଯୋଗାଯୋଗ, ରେଡ଼ିଓ ଓ ଟେଲିଭିଜନ ଇତ୍ୟାଦି ସେବା ପ୍ରଦାନ, ଜଳବାୟୁ ଏବଂ ସମ୍ଭାବ୍ୟ ବିପର୍ଯ୍ୟୟର ପୂର୍ବାନୁମାନ ଏବଂ ନିରୀକ୍ଷଣ ଓ ଅନେକ ପ୍ରତିରକ୍ଷା ସମ୍ପର୍କିତ ରଣକୌଶଳ ପ୍ରସ୍ତୁତି ପାଇଁ ତଥ୍ୟ ଭାରତର ରାଷ୍ଟ୍ର, ସରକାର, ଗବେଷଣା ପ୍ରତିଷ୍ଠାନ ଏବଂ ସମାଜକୁ ଯୋଗାଇବା । ଏହି କାମଟି ଆମର ମହାକାଶ ବିଜ୍ଞାନୀମାନେ ସହଜରେ ନିଷ୍ଠାର ସହିତ କରିଆସୁଛନ୍ତି । ଆମେ ‘ଚନ୍ଦ୍ରାୟନ’(ଏଯାଏଁ ତିନୋଟି ଯାନ ପଠାଇ ସାରିଛନ୍ତି), ‘ମଙ୍ଗଳାୟନ’ ଏବଂ ‘ଆଦିତ୍ୟାୟନ’ ଭଳି ପ୍ରକଳ୍ପମାନ ପ୍ରସ୍ତୁତ କରିବାରେ ଆମ ମହାକାଶ ବିଜ୍ଞାନୀଙ୍କର ଶ୍ରମ ଓ ସମୟ ଅପଚୟ କରିବା ଉଚିତ୍ ନୁହଁ । ପୁଣିଥରେ କୁହାଯାଇପାରେ ଯେ ଏହି ସବୁ ଅଭିଯାନ ଦ୍ୱାରା ବିଶ୍ୱର କୌଣସି ସେହିଭଳି ଆଖିଦୃଷ୍ଟିଆ ଲାଭ ହୋଇନାହିଁ । ଯଦିବି କେବେ କେଉଁଠି ମଣିଷ ବସବାସ କରିବାର ସମାନ୍ୟତମ ସମ୍ଭାବନା ସୃଷ୍ଟିହୁଏ, ତେବେ ତାହା କେତେ ସମୟ ଲାଗିବ ଏବଂ ଏହାଦ୍ୱାରା କେଉଁମାନେ ଉପକୃତ ହେବେ(?) ପ୍ରଶ୍ନଟିଏ କଲେ ଆମେ ସହଜରେ ଉତ୍ତର ପାଖରେ ପହଞ୍ଚି ଯାଇପାରିବା । ଗୋଟିଏ କଥା କିନ୍ତୁ ସ୍ପଷ୍ଟ ଯେ ଗୋଟିଏ ଘରୋଇ ମହାକାଶ ଶିଳ୍ପ ମୁଣ୍ଡ ଟେକିବ ଯେମିତି ଆମେରିକାରେ ମହାକାଶ ଗବେଷଣା କ୍ଷେତ୍ରରେ କର୍ପୋରେଟ୍ ଜଗତର ପତିଆରା ଅନେକ ଦଶନ୍ଧି ଧରି ଜାରିରହିଛି । ‘ଚନ୍ଦ୍ରାୟନ–୩’ର ସଫଳ ଅବତରଣ ପରେ କେତୋଟି ତଥ୍ୟ ସମ୍ନାକୁ ଆସିଛି । ଗୋଟିଏ ସୂତ୍ର (ଅମ୍ କ୍ୟାପିଟାଲ୍, ସମ୍ପଦ ପରିଚାଳନା ବିଭାଗର ଜାତୀୟ ମୁଖ୍ୟ ମୁକେଶ କୋଚର)ରୁ ଜଣାପଡ଼ିଛି ଯେ ଭାରତରେ ବର୍ତ୍ତମାନ ସୁଦ୍ଧା ନୂଆକରି ଆରମ୍ଭ ହୋଇଥିବା ୧୪୦ଟି କମ୍ପାନୀ ମହାକାଶ କ୍ଷେତ୍ରରେ କାମ କରିବାପାଇଁ ନିଜକୁ ପଞ୍ଜିକୃତ କରିସାରିଛନ୍ତି । ମହାକାଶ ଓ ପ୍ରତିରକ୍ଷା କ୍ଷେତ୍ରରେ ଏମାନେ ଏବେ କାମ କରିବାପାଇଁ ପ୍ରେରଣା ପାଇବେ । ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ମୋଦୀଙ୍କର ୯ବର୍ଷରୁ ଊଦ୍ଧ୍ୱର୍ ଶାସନକାଳ ଭିତରେ ଆମର ପ୍ରତିରକ୍ଷା କ୍ଷେତ୍ର ଯାହା ମୁଖ୍ୟତଃ ରାଷ୍ଟ୍ରାୟତ୍ତ ସରକାରୀ କମ୍ପାନୀମାନଙ୍କର ଅଧିନରେ ଥିଲା, ଗୋଟିଏ ପରେ ଗୋଟିଏ ଘରୋଇ କମ୍ପାନୀମାନଙ୍କ ହାତକୁ ଚାଲିଯାଉଛି । ସେହି ଭିତରେ ଅଛନ୍ତି ପ୍ରତିରକ୍ଷା କ୍ଷେତ୍ରରେ କୌଣସି ପୂର୍ବ ଅଭିଜ୍ଞତା ନଥିବା କିଛି ଘରୋଇ କମ୍ପାନୀ ଯାହା ନରେନ୍ଦ୍ର ମୋଦୀଙ୍କର ବନ୍ଧୁ କୁହାଯାଉଥିବା ଗୌତମ ଆଦାନୀ ଏବଂ ଅମ୍ବାନୀ ଭ୍ରାତୃ ଦ୍ୱୟଙ୍କ ହାତରେ ଅଛି । ଆଉ ଜଣେ ଶିଳ୍ପପତି କାର୍ତ୍ତିକ ଗଣପତି ‘ଚନ୍ଦ୍ରାୟନ–୩’ର ସଫଳ ଅବତରଣ ପରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏହା ଭାରତର ମହାକାଶ ଗବେଷଣା କ୍ଷେତ୍ରରେ ଆଗ୍ରହ ରଖିଥିବା କମ୍ପାନୀ ମାନଙ୍କପାଇଁ ଉତ୍ସାହଜନକ । ଏହି କମ୍ପାନୀମାନେ ମହାକାଶ ଅନୁଧ୍ୟାନ, ମହାକାଶ ଯାନ ପାଇଁ ଯନ୍ତ୍ରପାତି ନିର୍ମାଣ, ମହାକାଶ ଯାତାୟତ ତଥା ଅନୁଧ୍ୟାନ ଏବଂ ଏଭଳି ଅନେକ ତଥ୍ୟ ପର୍ଯ୍ୟବେକ୍ଷଣ କାମରେ ନିୟୋଜିତ ଅଛନ୍ତି । ସେ ଆହୁରି ଉତ୍ସାହର ସହିତ କହିଛନ୍ତି ଯେ ଭାରତର ମହାକାଶ ନୀତି ୨୦୨୩ ଭାରତର ଶିଳ୍ପଜଗତକୁ ମହାକାଶ କ୍ଷେତ୍ରରେ ଏକ ବଡ଼ ଭୂମିକା ନେବାପାଇଁ ପ୍ରୋତ୍ସାହିତ କରୁଛି । ଆମେ ସମ୍ପାଦକୀୟ ପୃଷ୍ଠାରେ ପୂର୍ବରୁ ତଥ୍ୟଭିତ୍ତିକ ସୂଚନା ଦେଇଛୁ କେମିତି ଗୋଟିଏ ପରେ ଗୋଟିଏ ଆମର ପ୍ରତିରକ୍ଷା ଶିଳ୍ପ, ବନ୍ଦର, ବିମାନ ବନ୍ଦର, ରେଳପଥ/ଟ୍ରେନ୍ ସେବା ଘରୋଇ କମ୍ପାନୀମାନଙ୍କ ହାତକୁ ଚାଲିଯାଉଛି । ଏବେ ମହାକାଶ କ୍ଷେତ୍ରଟି ମଧ୍ୟ ଘରୋଇ କମ୍ପାନୀମାନଙ୍କ ହାତକୁ ଚାଲିଯିବା ପାଇଁ ଭାରତର ମହାକାଶ ନୀତି ୨୦୨୩ ପ୍ରସ୍ତୁତ ହୋଇସାରିଛି । ସମୟ ଆସିଛି ଭାରତୀୟମାନେ ୧୯୬୨ରୁ ଚାଲିଆସିଥିବା ମହାକାଶ ଗବେଷଣା କ୍ଷେତ୍ର ତଥା ‘ଇସ୍ରୋ’ଭଳି ସରକାରୀ ସଂଗଠନମାନଙ୍କୁ କେମିତି ଘରୋଇ କମ୍ପାନୀମାନଙ୍କର ଦଖଲ, ନିୟନ୍ତ୍ରଣ ଏବଂ ପ୍ରଭାବରୁ ମୁକ୍ତ ରଖିବେ । ଯଦି ଆମେ ‘ଚନ୍ଦ୍ରାୟନ’, ‘ମଙ୍ଗଳାୟନ’ ଏବଂ ‘ଆଦିତ୍ୟାୟନ’ ଭଳି ଅନାବଶ୍ୟକ ପ୍ରକଳ୍ପଗୁଡ଼ିକ ନେଇ ରୋମାଂଚିତ ହୋଇ ବସିବା, ଅତ୍ୟନ୍ତ ଦରକାରୀ କାମ କରୁଥିବା ଭାରତର ମହାକାଶ ଗବେଷଣା ସଂଗଠନ ଏବଂ ପ୍ରତିଷ୍ଠାନ ଗୁଡ଼ିକ କେତେବେଳେ ଘରୋଇ କମ୍ପାନୀମାନଙ୍କ ହାତକୁ ଚାଲିଯାଇଥିବ ଆମେ ସାମାନ୍ୟତମ ସୂଚନା ବି ପାଇପାରିବା ନାହିଁ । ଆମେ ଭାରତୀୟମାନଙ୍କୁ ଉଚିତ୍ ବିଚାର ଓ ବୁଝାମଣାର ସହ ନିଷ୍ପତ୍ତି ନେବାକୁ ପଡ଼ିବ କେଉଁ କଥାଟି ଆମର ପ୍ରାଥମିକତା ତାଲିକାରେ ପ୍ରଥମେ ରହିବ: ଆମ ପଛରେ ଏଯାଏଁ ଅଭାବ ଅନଟନ ଭିତରେ ସବୁ ଯନ୍ତ୍ରଣାକୁ ଉଦରସ୍ତକରି ଠିଆ ହୋଇଥିବା ପ୍ରାୟ ୮୫କୋଟିରୁ ଊଦ୍ଧ୍ୱର୍ ରାସନ କାର୍ଡ଼ଧାରୀ ଭାରତୀୟ ନା ତଥାକଥିତ ବିକାଶର ଲାଭନେଇ ଅଧିକ ଲାଭ ଆଶାରେ ଲାଳ ନିଗାଡ଼ି ‘ଚନ୍ଦ୍ରାୟନ’ ବା ‘ଆଦିତ୍ୟାୟନ’କୁ ଚାହିଁ ରହିଥିବା କିଛି ମଧ୍ୟମ ଉଚ୍ଚବର୍ଗର ଭାରତୀୟ!
ଅଗଷ୍ଟ ୨୩ର ଆଉ ଏକ ଘଟଣା!
ଅଗଷ୍ଟ ୨୩,୨୦୨୩ଦିନ ଯେତେବେଳେ ସମଗ୍ର ଦେଶଟି ‘ଚନ୍ଦ୍ରାୟନ–୩’ର ଅବତରଣ ଦୃଶ୍ୟ ଦେଖିବାରେ ମସଗୁଲ ଥିଲା, ଠିକ୍ ସେତିକିବେଳେ ‘ନୁ୍ୟଜକ୍ଲିକ୍’ ଗଣମାଧ୍ୟମ ସଂସ୍ଥା ଏକ ଖବରକାଗଜ ରିପୋର୍ଟକୁ ଆଧାରକରି ଏକ ଉପସ୍ଥାପନା ରଖି ଦେଶବାସୀଙ୍କୁ ସତର୍କ କରାଇ ଦେଇଥିଲେ ଯେ କେନ୍ଦ୍ର ସରକାରଙ୍କର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ର ଅତି ବିବାଦୀୟ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କୁ ଅବସ୍ଥାପିତ କରିବା ପାଇଁ ଏକ ନୂତନ ପଦବୀ ସୃଷ୍ଟି କରାଯାଉଛି । ଏହି ପଦବୀର ନାଁ ରହିବ ‘ଚିଫ୍ ଇନ୍ଭେଷ୍ଟିଗେସନ୍ ଅଫିସର ଅଫ୍ ଇଣ୍ଡିଆ’ ବା ‘ଭାରତର ମୁଖ୍ୟ ଅନୁସନ୍ଧାନକାରୀ ଅଫିସର’ । ଏହି ମହାଶୟଙ୍କ ଅଧିନରେ ରହିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ (ଯେଉଁ ସଂସ୍ଥା ମୁଖ୍ୟତଃ ଆର୍ଥିକ ଦୁର୍ନୀତି ଏବଂ ବେନାମୀ ଅର୍ଥଚାଳନା କାରବାର ଉପରେ ନଜର ରଖିଥାଏ) ଏବଂ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସି.ବି.ଆଇ ର ନିର୍ଦ୍ଦେଶକ (ଯେଉଁ ସଂସ୍ଥା ମଧ୍ୟ ଦୁର୍ନୀତି ଏବଂ ଅର୍ଥନୈତିକ ଅପରାଧଗୁଡ଼ିକର ଅନୁସନ୍ଧାନ କରିଥାଏ) । ଢାଞ୍ଚାଟି କିଛି ନୁଆ ନୂହଁ ଯଦିଓ ପଦବୀଟି ନୂଆ । ପୂର୍ବରୁ ଭାରତୀୟ ସେନାର ତିନିବାହୀନିର ମୁଖ୍ୟ ଜଣେ ପ୍ରତିରକ୍ଷାବାହିନୀ ମୁଖ୍ୟଙ୍କ ଅଧିନରେ କାମ କରିଆସିଛନ୍ତି । ସେହିଭଳି ଭାରତର ଦୁଇଟି ଗୁଇନ୍ଦା ସଂସ୍ଥା ‘ଆଇ.ବି’ ଓ ‘ର’ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ନିୟନ୍ତ୍ରଣରେ କାମ କରିଆସିଛନ୍ତି । ସଞ୍ଜୟ ମିଶ୍ରଙ୍କ ପାଇଁ ସୃଷ୍ଟି ହେବାକୁ ଥିବା ପଦବୀଟି ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉତ୍ତରଦାୟୀ ରହିବ ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ‘ଇଡ଼ି’ର ଏହି ଅତି ବିବାଦୀୟ ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କର ନିଯୁକ୍ତି ଏବଂ ତୁହାକୁ ତୁହା ତାଙ୍କର ସମୟକାଳ ବୃଦ୍ଧିକୁ ନେଇ ଭାରତର ଉଚ୍ଚତମ ନ୍ୟାୟାଳୟ ଜୁଲାଇ ୧୧, ୨୦୨୩ ଦିନ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରି ଏହି ମହାଶୟଙ୍କୁ ଜୁଲାଇ ୩୧, ୨୦୨୩ ସୁଦ୍ଧା ପଦବୀ ଛାଡ଼ିବାପାଇଁ ନିର୍ଦ୍ଦେଶ ଦେଇଥିଲେ । ୧୯ଦିନ ସମୟ ଦେବାର ଉଦେଶ୍ୟ ଥିଲାଯେ କେନ୍ଦ୍ର ସରକାର ଏହି ସମୟ ଭିତରେ ଆଉଜଣେ ଉପଯୁକ୍ତ ଅଫିସର ବାଛି ଏହି ପଦବୀରେ ଅବସ୍ଥାପିତ କରିବେ । କିନ୍ତୁ ନିର୍ଲଜ ମୋଦୀ ସରକାର ସତେଯେମିତି ଏହି ଦେଶରେ ଆଉକେହି ଅଫିସର ନାହାନ୍ତି, ସେଥିପାଇଁ ପୁଣିଥରେ ଉଚ୍ଚତମ ନ୍ୟାୟାଳୟର ଦ୍ୱାରସ୍ଥ ହୋଇ ମିଶ୍ରଙ୍କର ଅବଧିକୁ ଜୁଲାଇ ୩୧, ୨୦୨୩ ପରିବର୍ତ୍ତେ ଅକ୍ଟୋବର ୩୧,୨୦୨୩ ଯାଏଁ ବଢ଼ାଇବା ପାଇଁ ଅନୁରୋଧ କରିଥିଲେ । ବାହାନାଟି ଥିଲା ଯେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଚାଲିଥିବା ‘ଫାଇନାନ୍ସିଆଲ୍ ଆକ୍ସନ ଟାସ୍କଫୋର୍ସ’ ଯାହାକି ବେନାମୀ ଅର୍ଥ କାରବାରକୁ ତଦାରଖ କରୁଛି ତାହାର ମୂଲ୍ୟାୟନ କାମ ଚାଲିଥିବାବେଳେ ମିଶ୍ରଙ୍କ ଉପସ୍ଥିତି ଆବଶ୍ୟକ । ଉଚ୍ଚତମ ନ୍ୟାୟାଳୟ ଅନେକ ତର୍ଜମା ଏବଂ କଟୁ ଟିପ୍ପଣୀ ପରେ କେବଳ ସେପ୍ଟେମ୍ବର ୧୫, ୨୦୨୩ ଯାଏଁ ମିଶ୍ର ପଦବୀରେ ରହିପାରିବେ ବୋଲି ନୂଆ ନିଦେ୍ର୍ଦଶ ଦେଇଥିଲେ । ଅଗଷ୍ଟ ୨୩, ୨୦୨୩ର ‘ନୁ୍ୟଜ କ୍ଲିକ ’ ରିପୋର୍ଟରୁ ଜଣାପଡ଼ୁଛିଯେ ମୋଦୀ ସରକାର ଉଚ୍ଚତମ ନ୍ୟାୟାଳୟକୁ ଚୁନୌତି ଦେଇ ସଞ୍ଜୟ ମିଶ୍ରଙ୍କୁ ଏକ ବଡ଼ଧରଣର ଦାୟିତ୍ୱ ଦେବା ପାଇଁ ସ୍ଥିର କରିଛନ୍ତି । ସଞ୍ଜୟ ମିଶ୍ରଙ୍କ ପ୍ରତି ମୋଦୀ ସରକାରଙ୍କର ଏହି ଦୁର୍ବଳତା କାହିଁକି? ଏଭଳି ଏକ ପ୍ରଶ୍ନ ଅନେକ ସ୍ତରରୁ ଆସୁଛି । ସଞ୍ଜୟ ମିଶ୍ର ଏଯାବତ୍ କେବଳ ଅଣଭାଜପା ରାଜନୈତିକ ଦଳର ତୁଙ୍ଗନେତାମାନଙ୍କ ଫଛରେ ନିଜର ‘ଇଡ଼ି’ ସଂସ୍ଥାକୁ ନିୟୋଜିତ କରି ଆସିଛନ୍ତି ବୋଲି ଅଭିଯୋଗ ହୋଇ ଆସିଛି । କେତେକ ରାଜ୍ୟରେ ସରକାର ଭାଙ୍ଗିବା ଏବଂ ଗଢ଼ିବାରେ ମଧ୍ୟ ‘ଇଡ଼ି’ର ଭୂମିକା ରହିଆସିଛି ବୋଲି ଅଭିଯୋଗ ହୋଇଛି । ଏବେ ବି ସେ ଆଗକୁ ବିଧାନସଭା ନିର୍ବାଚନ ଥିବା କଂଗ୍ରେସଶାସିତ ରାଜ୍ୟ ଛତିଶଗଡ଼ ଓ ରାଜସ୍ଥାନରେ ଶିବିର ପକାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜାଲଭିତରକୁ ଆଣିବା ପାଇଁ ଚେଷ୍ଟା ଚଲାଇଛନ୍ତି । ଝାଡ଼ଖଣ୍ଡ ରାଜ୍ୟରେ ମଧ୍ୟ ‘ଇଡ଼ି’ର ଶିବିର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପଛରେ ପଡ଼ିଛି । ଉଭୟ ଛତିଶଗଡ଼ ଓ ଝାଡ଼ଖଣ୍ଡ ରାଜ୍ୟର କୋଇଲାଖଣି କାରବାରରେ ମୋଦୀବନ୍ଧୁ ଗୌତମ ଆଦାନୀଙ୍କୁ ଅଣଦେଖା କରିବା କଥାଟି ‘ଇଡ଼ି’କୁ ଆମନ୍ତ୍ରଣ କରିଛି ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ୍ ପ୍ରେସ୍କୁ ଡ଼ାକି ନିଜେ ଏହି କଥାଟିକୁ କହିଛନ୍ତି । କୌଣସି ଭାଜପାଶାସିତ ରାଜ୍ୟରେ ସଞ୍ଜୟ ମିଶ୍ରଙ୍କୁ ଦେଖିବାକୁ ମିଳୁନାହିଁ । ଓଡ଼ିଶ ଭଳି ରାଜ୍ୟରେ ମୂଖ୍ୟମନ୍ତ୍ରୀ ଗୌତମ ଆଦାନୀଙ୍କ ହାତରେ ରାଜ୍ୟର କିଛି ଖଣିଜ ସମ୍ପଦକୁ ସମର୍ପଣ କରିଥିବା ଦୃଷ୍ଟିରୁ ଏଠି ‘ଇଡ଼ି’ର ଭୟ ନାହିଁ ବୋଲି କୁହାଯାଉଛି ।
ତେବେ ମୋଦୀ ସରକାର ଯେଉଁଭଳି ଭାବେ ଭାରତର ଅମଲାତନ୍ତ୍ରର କିଛି ବୋଲକରା ଅଫିସର ମାନଙ୍କୁ ହାତବାରିସୀ କରି ବିରୋଧିମାନଙ୍କ ବିରୋଧରେ ଏବଂ ନିଜର କର୍ପୋରେଟ ବନ୍ଧୁମାନଙ୍କ ହିତରେ ଲଗାଉଛନ୍ତି, ତାହା ଭାରତର ରାଜନୈତିକ ଇତିହାସରେ କେବେ ହୋଇନଥିଲା । କ୍ୟାବିନେଟ୍ ସେକ୍ରେଟାରୀ ରାଜୀବ ଚୌବେଙ୍କର ଅବଧିକୁ ମୋଦୀ ତୁହାକୁ ତୁହା ବଢ଼ାଇ ତାଙ୍କୁ ଭାରତର ସବୁଠାରୁ ଅଧିକ ସମୟ କାର୍ଯ୍ୟକରୁଥିବା କ୍ୟାବିନେଟ୍ ସଚିବ କରିପାରିଛନ୍ତି । ସେହିଭଳି ଅମିତ୍ ଶାହାଙ୍କ ଅଧିନରେ ଥିବା କେନ୍ଦ୍ର ଗୃହସଚିବ ଅଜୟ ଭାଲ୍ଲାଙ୍କର ଅବଧିକୁ ଚାରିଥର ବୃଦ୍ଧିକରି ତାଙ୍କୁ ମଧ୍ୟ ସବୁଠାରୁ ଅଧିକ କାଳ ଅବଧିରେ ଥିବା ଗୃହସଚିବ କରାଯାଇ ପାରିଛି । ସେମିତି ଅତି ଅନୈତିକ ଉପାୟରେ ଜଣେ ଅଫିସର ଅରୁଣ ଗୋୟଲଙ୍କୁ ସବୁପ୍ରକାର ବିଧିବ୍ୟବସ୍ଥାକୁ ପଛରେ ପକାଇ ନିର୍ବାଚନ ଆୟୁକ୍ତ ମଧ୍ୟ କରାଇ ପାରିଛନ୍ତି । ଉଚ୍ଚତମ ନ୍ୟାୟାଳୟର ଏକ ସାମ୍ବିଧାନିକ ଖଣ୍ଡପୀଠର କଠୋର ଟିପ୍ପଣୀ ଏବଂ ନିର୍ବାଚନ କମିଶନ ଚୟନ ପକ୍ରିୟାକୁ ନେଇ ନିର୍ଦ୍ଦେଶାବଳୀ ଆସିବା ପରେ ସାମୟିକ ଚୟନ ପ୍ରକ୍ରିୟାରୁ ଭାରତର ମୁଖ୍ୟ ବିଚାରପତିଙ୍କୁ ବାଦଦେବା ପାଇଁ ମୋଦୀ ସରକାର ରାଜ୍ୟସଭାରେ ଏକ ବିଲ୍ ଆଗତ କରିଛନ୍ତି । ସବୁଦୃଷ୍ଟିରୁ ଦେଖିବାକୁ ଗଲେ ମୋଦୀ ସରକାର ଭାରତର ସମସ୍ତ ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ପ୍ରତିଷ୍ଠାନ ତଥା ଅନୁଷ୍ଠାନଗୁଡ଼ିକୁ ବ୍ୟକ୍ତିକେନ୍ଦ୍ରୀକ କରି ନଷ୍ଟ କରିଚାଲିଛନ୍ତି । ସବୁଠାରୁ ଦୁର୍ବଳ ସ୍ଥିତିକୁ ଆସିଯାଇଛି ଭାରତର ଅମଲାତନ୍ତ୍ର । ସମୟ ଆସିଛି ଭାରତର ବୁଦ୍ଧିଜୀବୀ ତଥା ଶିକ୍ଷିତବର୍ଗ ‘ହ୍ୱାଟସଅପ୍ ବିଶ୍ୱବିଦ୍ୟାଳୟ’ରୁ ବାହାରି ଅସଲ କଥାଗୁଡ଼ିକୁ ବୁଝି, ଜନଗଣଙ୍କୁ ବୁଝାଇବେ ।
Comments
0 comments