ବିଂଶ ଶତାବ୍ଦୀର ଶେଷ ଦଶନ୍ଧିରେ ପୃଥିବୀରେ ପାଣି ପାଇଁ ଯୁଦ୍ଧ ମୁଣ୍ଡଟେକିଲା । ସାମ୍ରାଜ୍ୟବାଦୀ ଆମେରିକା ଓ ଏହାର ସହଯୋଗୀ ୟୁରୋପୀୟ ପୁଞ୍ଜିବାଦୀ ରାଷ୍ଟ୍ରମାନେ ଜଳର ବଜାରୀକରଣ କରି ଭୂପୃଷ୍ଠ ଓ ଭୂତଳ ଜଳର ମାଲିକାନା ହାସଲ କରିଚାଲିଛନ୍ତି । ଭାତ, ରୁଟି ଭଳି ପାଣି ଏବେ ଏକ ପଣ୍ୟଦ୍ରବ୍ୟ ଏବଂ ଏହାର କିଣାବିକା ବିଦେଶୀ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କ ନିୟନ୍ତ୍ରଣରେ । ଏକବିଂଶ ଶତାବ୍ଦୀର ଯୁଦ୍ଧ ଖାଦ୍ୟପାଇଁ ହେବ । ଏଣିକି ଆମେରିକା ଭଳି ସାମ୍ରାଜ୍ୟବାଦୀ ଶକ୍ତିମାନେ ଏସିଆ, ଆଫ୍ରିକା ଓ ଲାଟିନ୍ ଆମେରିକାର ଗରିବ ଦେଶଗୁଡ଼ିକୁ ହାତରେ ନମାରି ଭାତରେ ମାରିବାର ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ କଲେଣି । ବର୍ତ୍ତମାନ ଉପୁଜିଥିବା ଖାଦ୍ୟସଙ୍କଟ ଏହାର ଜ୍ୱଳନ୍ତ ପ୍ରମାଣ । ପାଣିପାଗ ପରିବର୍ତ୍ତନ, ଖାଦ୍ୟପଦାର୍ଥକୁ ଜୈବ ଇନ୍ଧନକୁ ରୂପାନ୍ତର ଓ ଉତ୍ପାଦିକା ଶକ୍ତି ହ୍ରାସ ଯୋଗୁଁ ପୃଥିବୀରେ ଖାଦ୍ୟସଙ୍କଟ ଦେଖାଦେବା କଥା ଜାତିସଂଘ, ବିଶ୍ୱ ଖାଦ୍ୟ ସଂସ୍ଥା ଓ ବିଶ୍ୱବ୍ୟାଙ୍କ ଭଳି ଆମେରିକା ନିର୍ଦ୍ଦେଶରେ ପରିଚାଳିତ ସଂସ୍ଥାମାନେ କହିବୁଲୁଛନ୍ତି । ମାତ୍ର ଏହା ପଛରେ ଏକ ବିରାଟ ଷଡ଼ଯନ୍ତ୍ର ଅଛି । ଭାରତ ବିଶେଷ କରି ଓଡ଼ିଶାଭଳି ଗରିବ ରାଜ୍ୟ ଏଭଳି ଏକ ଉଦ୍ବେଗଜନ ପରିସ୍ଥିତିରେ ଖୁବ୍ ପ୍ରଭାବିତ ହେବ, ଏହା ଦୃଢ଼ତାର ସହିତ କୁହାଯାଇପାରେ ।
ପୃଥିବୀରେ ଖାଦ୍ୟର ସ୍ଥିତି:
ଗତ ୨୫ବର୍ଷର ଖାଦ୍ୟପଦାର୍ଥର ସ୍ଥିତି ଆକଳନ କଲେ ଜଣାପଡ଼େ ୨୦୦୮ମସିହାରେ ପୃଥିବୀର ଗଛିତ ଖାଦ୍ୟ ପରିମାଣ ସବୁଠାରୁ କମ୍ । ବିଶ୍ୱଖାଦ୍ୟ ସଂସ୍ଥାର ମହାନିର୍ଦ୍ଦେଶକ ଯାକ୍ୟୁମ ଡ଼ାଇପୋଂ କୁହନ୍ତି ଏପ୍ରିଲ ପହିଲା, ୨୦୦୮ସୁଦ୍ଧା ପୃଥିବୀରେ ଯାହା ଖାଦ୍ୟ ଅଛି ଏହା ମାତ୍ର ୧୨ ସପ୍ତାହ ବା ୩ମାସ ପାଇଁ ଚଳିଯିବା ସମ୍ଭବ ହୋଇପାରେ । ପରିସ୍ଥିତିର ସୁଯୋଗ ନେଇ କାର୍ଗିଲ, ହିନ୍ଦୁସ୍ଥାନ ଲିଭର, ୱାଲମାର୍ଟ ଭଳି ପୃଥିବୀର ବହୁରାଷ୍ଟ୍ରୀୟ ଖାଦ୍ୟବ୍ୟବସାୟୀମାନେ ଖାଦ୍ୟଦ୍ରବ୍ୟର ମୂଲ୍ୟ ଅହେତୁକ ଭାବେ ବଢ଼ାଇ ଚାଲିଛନ୍ତି । ଗହମ, ଚାଉଳ, ଡାଲି, ଖାଇବାତେଲ, ଦୁଧ, ମାଛ, ମାଂସର ମୂଲ୍ୟ ୨୦୦୭ ତୁଳନାରେ ୪୦ ପ୍ରତିଶତରୁ ୮୪ ପ୍ରତିଶତ ବଢ଼ିଛି । ଆମେ ଯେତେବେଳେ କୃଷକମାନଙ୍କ ସ୍ୱାର୍ଥ ପାଇଁ ଦାବିକରୁଛୁ; ବୁଦ୍ଧିଜୀବୀ, ରାଜନେତା ଓ କୃଷି ବିଜ୍ଞାନୀମାନେ ଯୁକ୍ତି କରିପାରନ୍ତି ଖାଦ୍ୟଦ୍ରବ୍ୟର ମୂଲ୍ୟ ବୃଦ୍ଧିଯୋଗୁଁ ଖାଉଟି ପ୍ରଭାବିତ ହୋଇପାରେ ମାତ୍ର ଚାଷୀ ତ’ ତା’ର ଉତ୍ପାଦନ ପାଇଁ ଅଧିକ ମୂଲ୍ୟ ପାଇବ । ମାତ୍ର ବାସ୍ତବତା ଅନ୍ୟପ୍ରକାର ।
ପୃଥିବୀସାରା ଠିକାଚାଷ ଓ ବ୍ୟବସାୟିକ କୃଷିର ଜାଲମେଲି ଯାଇଥିବା ଯୋଗୁଁ ଚାଷୀମାନେ କମ୍ପାନୀମାନଙ୍କ ଠାରୁ ବିହନ, ସାର, କୀଟନାଶକ ଋଣସୂତ୍ରରେ ଆଣି ଚାଷ କରୁଛନ୍ତି । ଏହି ସୁଯୋଗରେ କମ୍ପାନୀମାନେ ଉତ୍ପନ୍ନ ଦ୍ରବ୍ୟର ଆଗୁଆ ମୂଲ୍ୟ ସ୍ଥିର କରୁଛନ୍ତି (Future Trading)। ଏହି ମୂଲ୍ୟ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ଢେର କମ୍ ହୋଇଥାଏ । ଚାଷୀର ଚାରା ନାହିଁ । ଧାନ, ଗହମ, ଡାଲି ବା ତୈଳବୀଜ ଉତ୍ପାଦନପରେ କମ୍ପାନୀକୁ ଶାଗମାଛ ଦରରେ ମାପି ଦେଇଥାଏ । ତଥାପି ଋଣ ପରିଶୋଧ ପାଇଁ ଏହା ଯଥେଷ୍ଟ ନହେବାରୁ ଚାଷୀ ଆତ୍ମହତ୍ୟା କରୁଛି । ଭାରତରେ ପ୍ରତି ୩୦ ମିନିଟ୍ରେ ଜଣେ ଚାଷୀ ଆତ୍ମହତ୍ୟା କରେ । କମ୍ପାନୀମାନଙ୍କ ହାତକୁ ଖାଦ୍ୟ ଆସିଗଲା ପରେ ସେମାନେ ମନଇଛା ମୂଲ୍ୟବୃଦ୍ଧି କରିଚାଲିଛନ୍ତି । ସେମାନେ ଆମ ଲୋକ ପ୍ରତିନିଧି , ସରକାରଙ୍କ ନିକଟରେ ଉତ୍ତରଦାୟୀ ନୁହଁନ୍ତି ।
ଆଗକୁ ଖାଦ୍ୟ ସଙ୍କଟ ଭୟଙ୍କର ରୂପନେବାର ପୂର୍ବ ସୂଚନା ମିଳିଗଲାଣି । ଇଜିପ୍ଟ, କାମେରୁନ, ହାଇତି, ବୁରିକିନା ଫାସୋ, ବଙ୍ଗଳାଦେଶ, ଇଟାଲୀ ଓ ମେକ୍ସିକୋ ଭଳି ବହୁଦେଶରେ ଖାଦ୍ୟ ପାଇଁ ଦଙ୍ଗା, ମାରପିଟ, ଦଳାଚକଟା ଆରମ୍ଭ ହୋଇଗଲାଣି । ମୋଜାମ୍ବିକ, ଜିମ୍ବାୱେ ଏବଂ ନାମିବିୟାରେ ଖାଦ୍ୟ ଶସ୍ୟ ଆମଦାନୀ ହ୍ରାସଯୋଗୁଁ ସରକାରଙ୍କ ବିରୁଦ୍ଧରେ ରାଜରାସ୍ତାରେ ବିକ୍ଷୋଭ ଆରମ୍ଭ ହୋଇଗଲାଣି । ଫେବୃୟାରୀ ୨୦୦୮ରେ କାଇରୋ ସହରରେ ଖାଦ୍ୟଧାଡ଼ିରେ ଦଳାଚକଟା ଯୋଗୁଁ ୨ଜଣ ପ୍ରାଣ ହରାଇଛନ୍ତି । ଗତ ୩ମାସ ମଧ୍ୟରେ ଇଜିପ୍ଟ ଖାଦ୍ୟ ସବ୍ସିଡି଼ ୫୨ ପ୍ରତିଶତ ବଢ଼ାଇଥିଲେ ମଧ୍ୟ ଗହମ ଯେଗାଇବା ସମ୍ଭବ ହେଉନାହିଁ । ଚିନିରେ ଖାଦ୍ୟଦ୍ରବ୍ୟର ମୂଲ୍ୟ ୨୫ ପ୍ରତିଶତରୁ ୫୦ପ୍ରତିଶତ ପର୍ଯ୍ୟନ୍ତ ବଢ଼ିଥିବାରୁ ସେଠାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଛାତ୍ରମାନଙ୍କୁ ୪୦ ପ୍ରତିଶତ ରିହାତିରେ ଖାଦ୍ୟ ଯୋଗାଇବା ଆରମ୍ଭ ହୋଇଛି । ଚୀନ୍ରେ ଘୁଷୁରୀମାଂସର ମୂଲ୍ୟ ୬୩ ପ୍ରତିଶତ ବଢ଼ିଛି । ଇଟାଲୀ, କାନାଡ଼ା ଓ ସିରିଆରୁ ଗହମ ଆମଦାନୀ କରେ । ବିଶ୍ୱଖାଦ୍ୟ ସଙ୍କଟକୁ ଲକ୍ଷ୍ୟ ରଖି କାନାଡ଼ା ବା ସିରିଆ ଇଟାଲୀକୁ ଗହମ ରପ୍ତାନୀ ଉପରେ ଅଙ୍କୁଶ ଲଗାଇଛନ୍ତି । ଇଟାଲୀରେ ଦୁରୁମ ଗହମର ମୂଲ୍ୟ ୮୦ ପ୍ରତିଶତ ବଢ଼ିଥିଲେ ମଧ୍ୟ ଗହମ ନାହିଁ ।
ଭାରତର କୃଷିମନ୍ତ୍ରୀ ସଂସଦରେ ବୟାନ ଦେଇଛନ୍ତି ‘ଆମର ଯଥେଷ୍ଟ ଖାଦ୍ୟ ମହଜୁଦ ଅଛି । ଖାଦ୍ୟାଭାବର ଆଶଙ୍କା ନାହିଁ’ । ଆମ ବଜାରରେ ଅଟା କିଲୋ ୧୮ଟ ରୁ ୨୦ଟ, ଚାଉଳ ୧୨ଟ ରୁ ୨୫ଟ, ଖାଇବା ତେଲ ୭୦ଟରୁ ୯୦ଟ, ଡାଲି ୪୫ଟରୁ ୫୦ଟ, ମାଛ ୮୦ଟରୁ ୧୦୦ଟ, ମାଂସ ୨୦୦ଟଙ୍କା ଓ କ୍ଷୀର ୧୮ଟଙ୍କାରୁ ୨୦ଟଙ୍କାରେ ମଧ୍ୟ ଆବଶ୍ୟକ ପରିମାଣରେ ମିଳୁନାହିଁ । ହେଲେ କୌଣସି ଦ୍ରବ୍ୟର ଅଧିକମୂଲ୍ୟରୁ ଚାଷୀହାତକୁ ଟଙ୍କାଟିଏ ବି ଆସୁନାହିଁ । ଭିତ୍ତିଭୂମିର ଉନ୍ନତି ନାମରେ ଗାଁ ଗାଁକୁ ଯେଉଁ ସିମେଣ୍ଟ କଂକ୍ରିଟ ରାସ୍ତା ହେଲା କମ୍ପାନୀ, ବେପାରୀ ଓ ମୁନାଫାଖୋରମାନଙ୍କର ୧୮ଚକିଆ ଗାଡ଼ିଗାଁ ଭିତରକୁ ପଶି ଚାଷୀଠାରୁ ଶାଗମାଛ ଦରରେ ଖାଦ୍ୟପଦାର୍ଥ କିଣିନେଇ ବଜାରରେ ଆକାଶଛୁଆଁ ଦରରେ ବିକ୍ରୀ କରିପାରୁଛନ୍ତି । ଏଥିପାଇଁ ସରକାରୀ ପ୍ରୋତ୍ସାହନ ଅଛି । ପନିପରିବା ଦାମ ନିଆଁଧୂଆଁ । ଚାଷୀଠାରୁ କ୍ଷୀରଲିଟର ୯ଟଙ୍କାରେ କିଣି ଓମ୍ଫେଡ଼ ୧୮ଟଙ୍କାରେ ବିକୁଛି । ଭାତହାଣ୍ଡିରୁ ଗୋଟିଏ ଚିପିଲେ ହୁଏ ।
ସହରୀବାବୁମାନଙ୍କୁ ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ବାଧୁଥିବ ନିଶ୍ଚୟ । ହେଲେ କେନ୍ଦ୍ର ଓ ରାଜ୍ୟ ସରକାର ମୂଲ୍ୟ ସୂଚକାଙ୍କ ବୃଦ୍ଧି ଅନୁପାତରେ ସେମାନଙ୍କ ଚାକିରିଆମାନଙ୍କ ଦରମା ଓ ଭତ୍ତା ବଢ଼ାଇଥାନ୍ତି । କେନ୍ଦ୍ର ବେତନ କମିସନ ନିକଟରେ ସରକାରୀ ଚାକିରିଆ ମାନଙ୍କର ଦରମା ୩୦ରୁ ୪୦ ପ୍ରତିଶତ ବୃଦ୍ଧି କରିଛନ୍ତି । ବ୍ୟାଙ୍କ୍, କମ୍ପାନୀ ଓ ବେସରକାରୀ ଅନୁଷ୍ଠାନମାନେ ସେମାନଙ୍କ ଚାକିରିଆମାନଙ୍କ ଦରମା ଅନୁରୂପ ବଢ଼ାଇବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ମାତ୍ର ସହରର ଝୁମ୍ପୁଡ଼ିବାସିନ୍ଦା, ଗାଁର ଚାଷୀ, ମୂଲିଆ, ଖଟିଖିଆ, କିଣିଖିଆ କଥା ଭାବନ୍ତୁତ । ପରିବାରର ସବଳ ବ୍ୟକ୍ତିକୁ ମାସକୁ ୧୦ଦିନ କାମବି ମିଳୁନି । ଓଡ଼ିଶାରେ ହାରାହାରି ମୁଣ୍ଡପିଛା ଆୟ ୧୨ଟଙ୍କା । ଏଥିରୁ କେତେ ଚାଉଳ, କେତେ ଡାଲି କ’ଣ ବା ସେ କିଣିପାରିବ । ପିଲାଙ୍କୁ ଢୋକ ଦେବ? ଏହିପରି ବିକଳ ଅବସ୍ଥା ଭାରତରେ ୭୦କୋଟି ଲୋକଙ୍କର ।
୧୯୫୧ବେଳକୁ ଜଣେ ଭାରତୀୟ ନିଜକୁ ୪୭୫ଗ୍ରାମ ଚାଉଳ ବା ଗହମ, ୬୧ଗ୍ରାମ ଡାଲି ଖାଇବାକୁ ପାଉଥିଲା । ୨୦୦୭ର ହିସାବ-ମୁଣ୍ଡପିଛା ଚାଉଳ ବା ଗହମ-୪୦୦ ଗ୍ରାମ ଓ ଡାଲି ୩୩ ଗ୍ରାମ । ଜଣେ ଶ୍ରମିକ ପାଇଁ ଦିନକୁ ୨୪୦୦ କ୍ୟାଲୋରୀ ଶକ୍ତି ଆବଶ୍ୟକ ହେଉଥିଲା । ସରକାରୀ ହିସାବରେ ବର୍ତ୍ତମାନ ବିଶ୍ୱଖାଦ୍ୟ ସଂସ୍ଥା ଏହି ସୀମାକୁ କମାଇ ୧୬୦୦ କ୍ୟାଲୋରୀ ପାଇଁ ସୁପାରିଶ କଲେଣି । ଖାଦ୍ୟ ସଙ୍କଟ ପାଇଁ ପେଟରୁ କାଟିବାପାଇଁ ସୁପାରିଶ ।
ଆଜିଦିନରେ ପଇସାବାଲା ପରିବାରରେ ମାସକୁ ୨୦ଦିନ ଡାଲି ରୋଷେଇଶାଳକୁ ଯାଉନାହିଁ । ଚାଷୀ ମୂଲିଆ, ହରିଜନ, ଗିରିଜନ, ବସ୍ତିବାସିନ୍ଦାମାନଙ୍କୁ ଦୁଇଓଳି ପେଟପୁରା ଭାତଗଣ୍ଡିଏତ ମିଳୁନି । ଡାଲି, ତେଲ, ମସଲା, ପନିପରିବା କଥାଉଠୁଛି କୁଆଡ଼ୁ । ମାଛ, ମାଂସ, ଦୁଧ ସ୍ୱପ୍ନ । ପୁଷ୍ଟିହୀନତା, ଅନାହାର, ଅର୍ଦ୍ଧାହାର ବା ଶେଷକୁ ଅନାହାରଜନିତ ମୃତ୍ୟୁ ସେମାନଙ୍କ ପାଇଁ ସରକାରଙ୍କର ଯୋଜନା । ବିଶ୍ୱବ୍ୟାଙ୍କର ପ୍ରେସିଡ଼େଣ୍ଟ୍ ରର୍ବଟ ଜୋଏଲିକ୍ ନିଜେ ସ୍ୱୀକାର କରିଛନ୍ତି ଭାରତ ଭଳି ବିକାଶଶୀଳ ଦେଶମାନଙ୍କରେ ୧୦ କୋଟିଲୋକ ପ୍ରତିଦିନ କ୍ଷୁଧାର୍ଥ ରହୁଛନ୍ତି । (ହିନ୍ଦୁ-ଏପ୍ରିଲ ୧୬) । ବିଶ୍ୱ ମୁଦ୍ରାପାଣ୍ଠିର ପରିଚାଳନାନିର୍ଦ୍ଦେଶକ ଡୋମିନକୁ ଷ୍ଟ୍ରସକାନ୍ କୁହନ୍ତି ବିଶ୍ୱଖାଦ୍ୟ ସଙ୍କଟ ଏହିପରି ଲାଗିରହିଲେ ପୃଥିବୀର ଶହେକୋଟି ଲୋକଙ୍କୁ ଅନାହାର ବା ଅର୍ଦ୍ଧାହାରରେ ଦିନ କାଟିବାକୁ ପଡ଼ିବ ।
ଭାରତର କୃଷିମନ୍ତ୍ରୀ ସରକାରଙ୍କ ବିଫଳତାକୁ ଘଣ୍ଟ ଘୋଡ଼ାଇବାକୁ ଯାଇ କୁହନ୍ତି ଆମଦେଶରେ ଖାଦ୍ୟର ଅଭାବନାହିଁ । ଏଣେ ଦେଶସାରା ସାଧାରଣ ବଣ୍ଟନ ବ୍ୟବସ୍ଥା ଭୁଷୁଡ଼ି ପଡ଼ିଲାଣି । କଣ୍ଟ୍ରୋଲ ଦୋକାନରେ ଗହମ, ଚାଉଳ ନାହିଁ । ଅଭିଜିତ୍ ସେନ ରିପୋର୍ଟ ମିଳିଲାପରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସଂସ୍କାର ଅଣାଯିବ । ଏଣେ ଅଭିଜିତ୍ ସେନ୍ ମତପୋଷଣ କରନ୍ତି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ବହୁତ ଦୁର୍ନୀତି ସରକାରୀ ପଦାଧିକାରୀ, ରାଜନେତା ବା ମୁନାଫାଖୋର ବ୍ୟବସାୟୀ ଗୋଷ୍ଠୀ କରୁଛନ୍ତି । ଏଥିପାଇଁ ଦଣ୍ଡିତ ହେବ ସାଧାରଣ ଖାଉଟୀ । ବିଚିତ୍ର ବିଚାର । ଅବୁଝା ରଜାକୁ ପାଳଚୁଣ୍ଟା ମନ୍ତ୍ରୀ । ସତ କଥାଟି କିନ୍ତୁ ଅନ୍ୟପ୍ରକାର । ବିଶ୍ୱବ୍ୟାଙ୍କ ଓ ବିଶ୍ୱ ବାଣିଜ୍ୟ ସଂସ୍ଥାର କଣ ନିର୍ଦ୍ଦେଶ ‘ଭାରତ ସରକାର, ତୁମେ ସାଧାରଣ ବ୍ୟବସ୍ଥା ବନ୍ଦକର । ଏଫ୍.ସି.ଆଇ. ଗୋଦାମରେ ଖାଦ୍ୟ ମହଜୁଦ ବନ୍ଦକର । ଖାଉଟୀଙ୍କୁ ରିହାତି ଦରରେ ଖାଦ୍ୟଯୋଗାଣ ବନ୍ଦକର’ । ଆଜି ଏଫ୍.ସି.ଆଇ. ଗୋଦାମ ପ୍ରାୟତଃ ଖାଲି ପଡ଼ିଲାଣି । କାର୍ଗିଲ, ହିନ୍ଦୁସ୍ଥାନ ଲିଭର ଭଳି କମ୍ପାନୀମାନେ ଆମ ଦେଶର ଖାଦ୍ୟବଣ୍ଟନ ଦାୟିତ୍ୱ ନେବେ । ବିଲେଇ ହାତରେ ଶୁଖୁଆପୋଡ଼ା ।
ଜାତୀୟ ନମୁନା ସର୍ବେକ୍ଷଣ ୨୦୦୬ରିପୋର୍ଟ ଅନୁସାରେ ଭାରତବର୍ଷରେ ପ୍ରତି ୭ଜଣରେ ଜଣେ ଲୋକ ପ୍ରତିଦିନ ଅନାହାରରେ ରୁହେ । ଓଡ଼ିଶାରେ ଏହି ହାର ପ୍ରତି ୫ ଜଣରେ ଜଣେ । ଓଡ଼ିଶାରେ ପ୍ରାୟ କୋଟିଏ ଲୋକ ବର୍ଷକୁ ୮ମାସ ଆମ୍ବଟାକୁଆ, ସଲପ, ବାଉଁଶ କରଡ଼ି ବା ବଣବୁଦାରୁ ଫଳମୂଳ, ଛତୁଖାଇ ଭୋକ ଉପାସରେ ସଢ଼ୁଛନ୍ତି । ଏମାନେ ସବୁ ଆଦିବାସୀ ବା ଗିରିଜନ । କେବଳ ଭୋଟବେଳେ ସରକାରୀ ଲୋକ, ରାଜନେତାମାନେ ଏମାନଙ୍କୁ ହିସାବକୁ ନେଇଥାନ୍ତି ।
ଆମ କେନ୍ଦ୍ର ସରକାର ଖାଦ୍ୟ ସଙ୍କଟକୁ ମୁକାବିଲା କରିବାକୁ ବିଦେଶରୁ ଖାଇବାତେଲ ନିୟୁତ ମେଟ୍ରିକଟନ ଓ ଡାଲି ୧୫ ନିୟୁତଟନ୍ ଆମଦାନୀ କରୁଛନ୍ତି । ଏଥିପାଇଁ ଖାଦ୍ୟ ରପ୍ତାନୀକାରୀ ଦେଶମାନଙ୍କୁ ଆମଦାନୀ ଶୁଳ୍କ ମଧ୍ୟ ଯଥେଷ୍ଟ ହ୍ରାସ କରାଯାଇଛି । ୨୦୦୭ରେ ଆମେ ୫ ଲକ୍ଷ ଟନ୍ ଗହମ ଅଷ୍ଟ୍ରେଲିଆ, କାନାଡ଼ା ଓ ଅନ୍ୟାନ୍ୟ ଗହମ ଉତ୍ପାଦନକାରୀ ଦେଶରୁ ଆମଦାନୀ କରିଥିଲୁ । ଆମଚାଷୀଙ୍କଠାରୁ କ୍ୱିଣ୍ଟାଲ ୮୦୦ଟଙ୍କାରେ ୫.୮ ନିୟୁତଟନ୍ ଗହମ କିଣିଥିଲା ବେଳେ ବିଦେଶ ଗହମକୁ କ୍ୱିଣ୍ଟାଲ ପ୍ରତି ୧୪୦୦ଟଙ୍କାରେ ଖର୍ଦ୍ଦି କରିଥିଲୁ । ଚଳିତ ବର୍ଷ ଆମଦେଶରେ ଗହମ ଉତ୍ପାଦନ ସାମାନ୍ୟ ବୃଦ୍ଧି ହେବାକଥା କୁହାଯାଉଥିଲେ ମଧ୍ୟ ଅସମ୍ଭବ ବର୍ଷା ଓ ଫଙ୍ଗସ୍ ରୋଗ ଯୋଗୁଁ ଏହି ଉତ୍ପାଦନ ହ୍ରାସ ପାଇବାର ସମ୍ଭାବନା ମଧ୍ୟ ଅଛି ।
ସରକାର କ୍ୱିଣ୍ଟାଲ ୧୬୦୦ଟଙ୍କା ମୂଲ୍ୟରେ ୩ଲକ୍ଷଟନ୍ ଗହମ ବିଦେଶରୁ ଆମଦାନୀ କରିବାକୁ ନିଷ୍ପତ୍ତି ନେଉଛନ୍ତି । ଆମ ଚାଷୀପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ୧୦୦୦ଟଙ୍କା । ଗତ ଦୁଇବର୍ଷ ଭିତରେ ଗହମର ମୂଲ୍ୟ ବିଶ୍ୱବଜାରରେ ୧୮୨ ପ୍ରତିଶତ ବଢ଼ିଛି । କେନ୍ଦ୍ର କୃଷିମନ୍ତ୍ରୀ ସଂସଦରେ ଦୃଢ଼ଭାବେ ବୟାନ ଦେଇଛନ୍ତି କି ଗହମ ବା ଧାନର ସହାୟକ ମୂଲ୍ୟ କୌଣସି ପରିସ୍ଥିତିରେ ଆଉ ବଢ଼ିବ ନାହିଁ । ଧାନର ମୂଲ୍ୟ ୭୫୦ଟଙ୍କା ଓ ଗହମର ମୂଲ୍ୟ ୧୦୦୦ ଟଙ୍କା ରଖାଗଲେ ଉଷୁନା ଚାଉଳର ମୂଲ୍ୟ କିଲୋପ୍ରତି ୧୦ ଟଙ୍କା ଓ ଅଟାରମୂଲ୍ୟ ୧୨ ଟଙ୍କାରୁ କୌଣସି ପରିସ୍ଥିତିରେ ଅଧିକ ହେବାକଥା ନୁହେଁ । ଉଷୁନା ଚାଉଳ କିଲୋପ୍ରତି ୧୪ଟଙ୍କା ଓ ଅଟା ୧୮ଟଙ୍କାରେ ବିକ୍ରୀହେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଦାୟୀ ନୁହଁନ୍ତି କି?
ଆମ ଦେଶରେ ମୁଦ୍ରାସ୍ଫୀତି ୭.୪କୁ ଏପ୍ରିଲ ପ୍ରଥମ ସପ୍ତାହରେ ବଢ଼ିଛି । ଖାଦ୍ୟ ପଦାର୍ଥର ମୂଲ୍ୟ ସୂଚକାଙ୍କକୁ ଆଧାର କରି ଏହା ହିସାବ କରାଯାଏ । ମାତ୍ର ବାସ୍ତବ କ୍ଷେତ୍ରରେ ପାଇକାରୀ ମୂଲ୍ୟକୁ ବିଚାର କଲେ ମୁଦ୍ରାସ୍ଫୀତିରୁ ୮.୫ରୁ ଅଧିକ ହେବ । ଅର୍ଥମନ୍ତ୍ରୀ ଖାଦ୍ୟଦ୍ରବ୍ୟର ଦରବୃଦ୍ଧି ପାଇଁ ନରମସ୍ୱରରେ ଆମେରିକା ଓ ୟୁରୋପିୟାନ୍ ୟୁନିୟନ୍କୁ ଦାୟୀକରି ନିଜେ ଆତ୍ମରକ୍ଷାର ପ୍ରୟାସ ଜାରି ରଖିଛନ୍ତି । ବହୁରାଷ୍ଟ୍ରୀୟ କମ୍ପାନୀ, ବିଶ୍ୱଖାଦ୍ୟ ସଂସ୍ଥା ଓ ବିଶ୍ୱବ୍ୟାଙ୍କ ଭଳି ସଂସ୍ଥାମାନେ ଖାଦ୍ୟସଙ୍କଟକୁ ଆଳ କରି ଏବେ ଯୋଜନା କରୁଛନ୍ତି ଭାତ ବା ରୁଟି ଭଳି ଲୋକମାନେ ଆଳୁକୁ ମୁଖ୍ୟଖାଦ୍ୟ ରୂପେ ବ୍ୟବହାର କରନ୍ତୁ ।
ଆଳୁଚାଷ କମ୍ ପାଣି ଦରକାର କରେ । ଅତ୍ୟନ୍ତ ଲାଭଜନକ । ୟୁରୋପ ମହାଦେଶରେ କେତେକ ଦେଶରେ ଆଳୁ ପ୍ରଧାନ ଖାଦ୍ୟରୂପେ ୫୦୦ବର୍ଷ ହେଲା ବ୍ୟବହାର ହେଉଛି । ଏଥିରେ କିନ୍ତୁ ଗୋଟିଏ ବଡ଼ ବେପାର ଲୁଚିରହିଛି । ଏବେ ୧ ବିଟିଆଳୁ ବା ଜି.ଏମ୍ ଆଳୁ ମନ୍ସାଣ୍ଟୋ ଓ ଏହାର ସହଯୋଗୀ ଦଳମାନେ ବଜାରକୁ ଛାଡ଼ିଲେଣି, ଏହାକୁ ପ୍ରୋଟାଟୋ କୁହାଯାଉଛି । ବିଟି ଧାନ, ସୁନେଲୀ ଧାନ ସାଙ୍ଗକୁ ପ୍ରୋଟାଟୋ ଚାଷ ବହୁଳଭାବେ ପ୍ରଚଳନ ହେଲେ ମଞ୍ଜି, ରାସାୟନିକ ସାର ଓ କୀଟନାଶକ ବେପାର ଜମିଯିବ । ଛୋଟ ଓ ନାମମାତ୍ର ଚାଷୀ ତଳିତଳାନ୍ତ ହୋଇଯିବେ ।
ଗତ ୧୦ବର୍ଷହେଲା ଭାରତବର୍ଷରେ ଧାନ, ଗହମ ଓ ମକା ଭଳି ଖାଦ୍ୟଦ୍ରବ୍ୟର ଉତ୍ପାଦନ ପ୍ରାୟ ସ୍ଥିର ଅଛି । ଧାନର ହେକ୍ଟରପ୍ରତି ଉତ୍ପାଦନ କ୍ଷମତା ୨.୪ ମେଟ୍ରିକ ଟନ୍ରେ ସୀମିତ ଅଛି । ଓଡ଼ିଶାରେ ଏହିହାର ୧.୬ ମେଟ୍ରିକଟନ୍ ୨୦୦୭-୦୮ପାଇଁ କୃଷିର ଅଭିବୃଦ୍ଧି ହାର ୪ ପ୍ରତିଶତ ଲକ୍ଷ୍ୟ ରଖାଯାଇଥିଲା । ଏହି ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ କୁହେ ଏହି ହାର ମାତ୍ର ୨.୩ ରହିଛି ।
କୃଷିକ୍ଷେତ୍ରରେ ଏହି ବିପର୍ଯ୍ୟୟ ଏବଂ ଖାଦ୍ୟ ସଙ୍କଟର କାରଣ ନିର୍ଣ୍ଣୟ କରି ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଲକ୍ଷ୍ୟରେ ବିଶ୍ୱ ଖାଦ୍ୟସଂସ୍ଥା ଏପ୍ରିଲ ୮ରୁ୧୧, ୪ ଦିନ ଧରି ଦିଲ୍ଲୀରେ ଆଗ୍ରୋଇଣ୍ଡଷ୍ଟ୍ରିଜ୍ ଫୋରମ୍ ନାମରେ ଏକ ଆଲୋଚନା ବୈଠକ କରିସାରିଛନ୍ତି । ଏହାକୁ ପୃଥିବୀର ପ୍ରଥମ ବିଶ୍ୱ କୃଷି ଫୋରମ୍ କୁହାଯାଉଛି ।
ବିଶ୍ୱ ଖାଦ୍ୟସଂସ୍ଥାର ମହାନିର୍ଦ୍ଦେଶକ ଜାକୁଇସ୍ ଡିଫୋ ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଖାଦ୍ୟ ସଂସ୍ଥାର ସର୍ବୋଚ୍ଚ ପୁରସ୍କାର ଏଗ୍ରି-କୋଲା ଅର୍ପଣ କରିଛନ୍ତି । ଭାରତୀୟ କୃଷିକ୍ଷେତ୍ରରେ ତାଙ୍କର ଊଲ୍ଲେଖନୀୟ ଅବଦାନ ଯୋଗୁଁ ତାଙ୍କରି ଉଦ୍ୟମରେ ୧୯୯୧ରେ ଅର୍ଥନୈତିକ ସଂସ୍ଥାର ନାମରେ ଭାରତରେ ଜଗତୀକରଣ, ଉଦାରୀକରଣ, ଘରୋଇକରଣ ଓ ମୁକ୍ତବଜାର ନୀତି ସଂସଦରେ ଗୃହୀତ ହୋଇଗଲା । ଭାରତରେ କୃଷି ଓ କୃଷକର ସର୍ବନାଶ ପାଇଁ ଉପନିବେଶ ସରକାରଠାରୁ ଆରମ୍ଭ ହୋଇଥିବା ଉଦ୍ୟମ ୧୯୯୧ରେ ଦୃଢ଼ୀଭୂତ ହୋଇଗଲା ।
ମନ୍ସାଣ୍ଟୋ, ସିଞ୍ଜେଣ୍ଟା, ଡୁ-ପଣ୍ଟ୍, ଡୋ କେମିକାଲ, ବେୟର, କ୍ରପସାଇନ୍ସ ଭଳି ଆମେରିକୀୟ ଓ ୟୁରୋପୀୟ ବହୁରାଷ୍ଟ୍ରୀୟ କମ୍ପାନୀମାନେ କୃଷିକ୍ଷେତ୍ରରେ ଅବାଧ ପ୍ରବେଶ କଲେ । ବିହନ, ରାସାୟନିକ ସାର, କୀଟନାଶକର ବେପାର ବହୁମାତ୍ରାରେ ବଢ଼ିଗଲା । ବର୍ତ୍ତମାନ ୩୦୦ରୁ ଊର୍ଦ୍ଧ୍ୱ ଦେଶୀ-ବିଦେଶୀ କମ୍ପାନୀ ଠିକାଚାଷ, ବ୍ୟବସାୟିକ ଚାଷ ଓ ଜି.ଏମ୍ ବିହନ ବେପାରକରି ଭାରତର କୃଷିକୁ ସେମାନଙ୍କ ଅକ୍ତିଆରରେ ରଖିଲେଣି । ୨୦୦୬ରେ ବୁଶ୍-ମନମୋହନ ଗୁପ୍ତ ଚୁକ୍ତି ଦ୍ୱାରା କୃଷିକ୍ଷେତ୍ରରେ ଜ୍ଞାନକୌଶଳ ପ୍ରୟୋଗ ନାମରେ ଘରୋଇ ଓ ବିଦେଶୀ କମ୍ପାନୀମାନେ କୃଷି ଯନ୍ତ୍ରପାତି ବେପାର, ଫୁଲ ଓ ଫଳଚାଷ, ଚା,କଫିଚାଷ ଓ ଜୈବଇନ୍ଧନ ପାଇଁ ବାଇଗବା ଚାଷ ଆରମ୍ଭ କରିଦେଲେଣି । ଗତ ୧୫ବର୍ଷ ଭିତରେ କୃଷି କ୍ଷେତ୍ରରୁ ୧୦ କୋଟିରୁ ଊର୍ଦ୍ଧ୍ୱ କୃଷିଶ୍ରମିକ, ଛୋଟ ଓ ନାମମାତ୍ର ଚାଷୀ ଜୀବିକା ହରାଇ ସହରରେ ସର୍ବହରା ହୋଇ ବୁଲୁଛନ୍ତି । ଦାଦନ ଖଟୁଛନ୍ତି । ବସ୍ତିରେ ସଢ଼ୁଛନ୍ତି ।
ନିକଟରେ ସଂସଦରେ ପୁଣି ପ୍ରଧାନମନ୍ତ୍ରୀ ଦୃଢ଼ ଘୋଷଣା କରିଛନ୍ତି ‘ଅର୍ଥନୈତିକ ସଂସ୍ଥାର ଜୋରଦାର ଭାବେ କାର୍ଯ୍ୟକରିବ । ଭାରତରେ ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସଂସ୍କାରର ବିକଳ୍ପ ନାହିଁ ।’ ଆଙ୍ଗୁଠିଗଣତି ୧୦୦/୨୦୦ ଧନୀକ ପରିବାରଙ୍କ ସ୍ୱାର୍ଥ ଅଭିବୃଦ୍ଧି ପାଇଁ ୧୦୦ କୋଟି ଲୋକଙ୍କର ସର୍ବନାଶ ଆମ ପ୍ରଧାନମନ୍ତ୍ରୀଙ୍କ କୃଷିକ୍ଷେତ୍ର ପାଇଁ ଉଲ୍ଲେଖନୀୟ ଅବଦାନ । ଏଥିପାଇଁ ଆଗ୍ରି-କୋଲା ପୁରସ୍କାର କୋକାକୋଲା କମ୍ପାନୀ ଭାରତରେ ମୃଦୁପାନୀୟ ବେପାର ଯୋଗୁଁ ଗତ ୩/୪ ବର୍ଷ ହେଲା ବେଶ୍ ବଦନାମ ହୋଇଛି । ସଚେତନ ଭାରତୀୟ ଏବେ କୋକାକୋଲା ପ୍ରତି ଦୁର୍ବଳତା କମାଇଲେଣି । କମ୍ପାନିର ଧର୍ମ ସମ୍ପୂର୍ଣ୍ଣ ବେପାର । ଏବେ ଆଗ୍ରି-କୋଲା ନାମରେ ନୂଆ ରୂପନେଇ ଭାରତୀୟ କୃଷିକ୍ଷେତ୍ରରେ ପ୍ରବେଶ ପାଇଁ ଏହି ପୁରସ୍କାର ମାଧ୍ୟମରେ ପ୍ରଧାନମନ୍ତ୍ରୀ ସବୁଜବତୀ ଦେଖାଇ ସ୍ୱୀକୃତି ଦେଇଦେଲେ ।
ଆଗ୍ରୋ-ଇଣ୍ଡଷ୍ଟ୍ରିଜ୍ ଫୋରମରେ ୧୦୦ଟି ଦେଶରୁ ୫୦୦ପ୍ରତିନିଧି ଯୋଗ ଦେଇଥିଲେ । ସେଥିରୁ ୩୦୦ ଅଧିକ ପ୍ରତିନିଧି ବହୁରାଷ୍ଟ୍ରୀୟ ଦେଶୀବିଦେଶୀ କମ୍ପାନୀର ପ୍ରତିନିଧିତ୍ୱ କରୁଥିଲେ । ଖାଦ୍ୟସଙ୍କଟ ସ୍ଥିତିରୁ ଫାଇଦା ଉଠାଇବା ସେମାନଙ୍କର ଲକ୍ଷ୍ୟଥିଲା ।
୨୦୦୧ମସିହାରୁ ମନ୍ସାଣ୍ଟୋ ଓ ଅନ୍ୟାନ୍ୟ କମ୍ପାନୀମାନେ ଭାରତରେ ବିଟି ଧାନ, ସୁନେଲୀଧାନ (ଗୋଲଡ଼େନ୍ ରାଇସ୍) ଭଳି ଜି.ଏମ୍ ଧାନବିହନ ପ୍ରଚଳନ ପାଇଁ ପ୍ରାଣମୂର୍ଛା ଉଦ୍ୟମ ଜାରି ରଖିଥିଲେ । ୨୦୦୮ ଖାଦ୍ୟସଙ୍କଟ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ଯୋଗାଇଥିଲା । ଜି.ଏମ୍ ଧାନ, ଜି.ଏମ୍ ବାଇଗଣ, ଜି.ଏମ୍ ମକା, ଜି.ଏମ୍ ଆଳୁ, ଜି.ଏମ୍ ଟମାଟୋ ଭଳି ଫସଲଚାଷ ପାଇଁ ଏହିସବୁ ବିହନ ବେପାର ବଢ଼ିଯିବ । ଛୋଟ ଓ ନାମମାତ୍ର ଚାଷୀ ଠିକାଚାଷ ମାଧ୍ୟମରେ କମ୍ପାନୀଠାରୁ ଋଣ କରି ଏହି ଚାଷ କରିବେ । ପ୍ରତିବର୍ଷ କମ୍ପାନୀ ବିହନ କିଣିବେ । ଋଣ ସୁଝିନପାରି ଆତ୍ମହତ୍ୟା କରିବେ । କମ୍ପାନୀ, ରାଜନୈତିକ ନେତୃବୃନ୍ଦ, ପ୍ରଶାସନିକ ଅଧିକାରୀମାନେ ମାଲାମାଲ୍ ହେବେ । ଏହାହିଁ ଗ୍ଲୋବାଲ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଫୋରମ୍ର ଆଭିମୁଖ୍ୟ । ଭାରତ ସରକାର ଏଥିପାଇଁ ସ୍ୱୀକୃତିର ମୋହର ଦେଇସାରିଲେଣି। ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କଭାଷଣ ଭିତରେ ଆମେରିକା ଓ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ପ୍ରଶଂସା କରିବାକୁ ଭୁଲିନାହାଁନ୍ତି ।
ଖାଦ୍ୟ ସଙ୍କଟର କାରଣ:
ଖାଦ୍ୟ ସଙ୍କଟପାଇଁ ୩ଗୋଟି ପ୍ରମୁଖ କାରଣ କଥା କୁହାଯାଉଛି ।
୧. ଆମେରିକା ଓ ୟୁରୋପିୟାନ ୟୁନିୟନ ସେମାନଙ୍କର ଉତ୍ପାଦିତ ଗହମ ଓ ମକାର ୩୦ ପ୍ରତିଶତ ଜୈବଇନ୍ଧନ ପାଇଁ (Bio-Diesel) ବ୍ୟବହାର କରିବା ଦ୍ୱାରା ଖାଦ୍ୟ ଦ୍ରବ୍ୟ କମିଯାଉଛି ।
୨.ଜଳବାୟୁ ପରିବର୍ତ୍ତନ ଯୋଗୁଁ ଉତ୍ପାଦନ କମିଯାଉଛି ।
୩. ସବୁଜବିପ୍ଳବର ଜନକ ବୋଲାଉଥିବା ଡ. ଏମ୍.ଏସ୍.ସ୍ୱାମୀନାଥନଙ୍କ ମତ-ରାସାୟନିକ କୃଷି ଯୋଗୁଁ ମୃତ୍ତିକାର ଉର୍ବରତା କମିଗଲାଣି । ଉତ୍ପାଦନ ସେଥିପାଇଁ କମିଯାଉଛି । ହନୁ ମଲାବେଳକୁ ସତ କହିଲା । ତାଙ୍କର ନୂଆ ପରାମର୍ଶ- (କ) କୃଷିକ୍ଷେତ୍ରରେ ନୂତନ ଜ୍ଞାନ କୌଶଳର ପ୍ରୟୋଗ (ଖ) ଦ୍ୱିତୀୟ ସବୁଜବିପ୍ଳବ ବା ଚିରସବୁଜ ବିପ୍ଳବ ଆରମ୍ଭ (ଗ) ବାୟୋଟେକ୍ନୋଲୋଜି ଏବଂ ଜେନେଟିକ ଇଞ୍ଜିନିୟରିଂର କୃଷିକ୍ଷେତ୍ରରେ ପ୍ରୟୋଗ । ଅର୍ଥାତ୍ ପ୍ରକାରାନ୍ତରେ ଜେନେଟିକ ମଡିଫାଏଡ୍ ବିହନ ବ୍ୟବହାର ପାଇଁ ପରାମର୍ଶ ।
ଖାଦ୍ୟସଙ୍କଟର କେତୋଟି ମୂଳକାରଣ ଫୋରମ୍ରେ ଆଲୋଚନା ହୋଇନି । ସେଗୁଡ଼ିକ ହେଲା-
୧) ରାସାୟନିକ କୃଷି, କମ୍ପାନୀଚାଷ, ଠିକା ଚାଷ, ବ୍ୟବସାୟିକ ଚାଷ ଖାଦ୍ୟଶସ୍ୟ ଉତ୍ପାଦନକୁ ନିରୁତ୍ସାହିତ କରି ଫୁଲ, କଫି,ଚା ଓ ଫଳଚାଷ ଭଳି ଅର୍ଥକାରୀ ଫସଲ ଚାଷକୁ ପ୍ରୋତ୍ସାହନ ।
୨) ଏଥନଲ ବା ଜୈବଇନ୍ଧନ ପାଇଁ ବାଇଗବା ଭଳି ଫସଲ ଚାଷ ।
୩) ବ୍ୟବସାୟିକ ଗୋପାଳନ, ଘୁଷୁରି ପାଳନ, କୁକୁଡ଼ାପାଳନ ଯୋଗୁଁ ଉତ୍ପାଦିତ ଖାଦ୍ୟର ୩୦ପ୍ରତିଶତ ବିନିଯୋଗ । ପଶୁପକ୍ଷୀମାନେ ମଣିଷ ସହିତ ଖାଦ୍ୟ ପାଇଁ ପ୍ରତିଯୋଗିତା କରୁଛନ୍ତି । ପାରମ୍ପରିକ ଗୋପାଳନ ଓ କୁକ୍କୁଟପାଳନରେ ମକା, ଗହମ, ବାଜରା ଭଳି ମଣିଷର ଖାଦ୍ୟଉପରେ ଚାପ ପଡ଼ୁନଥିଲା ।
୪) ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ, ରାସ୍ତାଘାଟ, କୋଠାବାଡ଼ି ନିର୍ମାଣ ପାଇଁ ପ୍ରତିବର୍ଷ ଲକ୍ଷଲକ୍ଷ ହେକ୍ଟର ଚାଷଜମି ସରକାର କମ୍ପାନୀମାନଙ୍କୁ ଦେଇ ଦେବା ଦ୍ୱାରା ଚାଷଜମି କମିଯିବ ।
୫) ଶିଳ୍ପ, ଆଖୁଚାଷ ପାଇଁ ଜଳଯୋଗାଣ ସୁରକ୍ଷିତ କରିବା ଲକ୍ଷ୍ୟରେ ଧାନଚାଷକୁ ନିରୁତ୍ସାହିତ କରିବା, ଆମ ଓଡ଼ିଶାରେ ହୀରାକୁଦ ଜଳ ସମ୍ବଲପୁର ଚାଷୀଙ୍କୁ ନଦେଇ ଶିଳ୍ପକୁ ଦେବାଦ୍ୱାରା କୃଷକ ଆନ୍ଦୋଳନ ଏହାର ଏକ ଜ୍ୱଳନ୍ତ ଉଦାହରଣ । (ସାରଣୀ-୧ ଦ୍ରଷ୍ଟବ୍ୟ)
ପଞ୍ଜାବରେ ଗହମ ଚାଷକୁ ନିରୁତ୍ସାହିତ କରିବାପାଇଁ ଜିଲ୍ଲାପାଳମାନେ ବିଦ୍ୟୁତ୍ ବିଭାଗକୁ ଉଠା ଜଳସେଚନ ପଏଣ୍ଟକୁ ଶକ୍ତି ଯୋଗାଇବା ଉପରେ ସାମୟିକ କଟକଣା ଜାରି କରିବା ଆରମ୍ଭ କରିଛନ୍ତି ।
୬) ଛୋଟ ଓ ନାମମାତ୍ର ଚାଷୀ, ଭାଗଚାଷୀମାନେ ସମବାୟ ଋଣରୁ ବଞ୍ଚିତ ରହୁଥିବାରୁ କୃଷିକ୍ଷେତ୍ର ପାଇଁ ସାଧନ ଯୋଗାଇ ପାରୁନାହାଁନ୍ତି ।
କେନ୍ଦ୍ରସରକାରଙ୍କର ୬୦,୦୦୦ କୋଟି ଟଙ୍କାର କୃଷିଋଣ ଛାଡ଼ ମୋଟା ଅଂଶ ଚାଷକରୁଥିବା ଜମିମାଲିକ, ଅନୁପସ୍ଥିତ ଜମି ମାଲିକ, ଗାଁରେ ଥିବା ରାଜନୈତିକ ଦଳର କର୍ମୀମାନଙ୍କ ସ୍ୱାର୍ଥସାଧନ କରିବ ନିଶ୍ଚୟ । ମାତ୍ର ଭାଗଚାଷୀ ଏଥିରୁ ଟଙ୍କାଟିଏ ପର୍ଯ୍ୟାପ୍ତ ସାହାଯ୍ୟ ପାଇବ ନାହିଁ । ଏହାଦ୍ୱାରା କୃଷିର ଉତ୍ପାଦନ ହ୍ରାସ ହେବାରେ ସନ୍ଦେହ ରହିବ କି?
ଓଡ଼ିଶାର ସ୍ଥିତି
୧. ଓଡ଼ିଶା ସରକାରଙ୍କ କୃଷକବିରୋଧୀ ନୀତି ଅତ୍ୟନ୍ତ ସ୍ପଷ୍ଟ । ୨୦୦୧ରେ ପାଣିପଞ୍ଚାୟତ ଆଇନ ପ୍ରଣୟନ କରି ଚାଷୀକୁ ପାଣି ନଦେଇ କମ୍ପାନୀମାନଙ୍କୁ, ଶିଳ୍ପକୁ ପାଣିଦେବାର ବାଟ ପରିଷ୍କାର କରିଦେଲେ । ରାଜ୍ୟର ୩୫ପ୍ରତିଶତ ଜମିକୁ ଜଳସେଚନ ସୁବିଧାଥିବା କଥା ସରକାରୀ କାଗଜପତ୍ରରେ ଅଛି ସତ ମାତ୍ର ବାସ୍ତବତା ହେଉଛି ୧୦ପ୍ରତିଶତ ଜମିକୁ ମଧ୍ୟ ୨ଟି ଫସଲ ପାଇଁ ପାଣି ମିଳୁନାହିଁ ।
୨. ୨୦୦୪ରେ କୃଷିଦ୍ରବ୍ୟ ବିପଣନ ଓ ଠିକାଚାଷ ଆଇନ ପ୍ରଣୟନକରି ରାଜ୍ୟରେ ୫୦ରୁ ଊର୍ଦ୍ଧ୍ୱ ଦେଶୀ-ବିଦେଶୀ କମ୍ପାନୀମାନଙ୍କୁ ଛୋଟ ଓ ନାମମାତ୍ର ଚାଷୀକୁ ଜମିରୁ ଉଛେଦ କରି କମ୍ପାନୀମାନଙ୍କୁ ଲକ୍ଷ ଲକ୍ଷ ହେକ୍ଟର ଚାଷଜମି ହସ୍ତାନ୍ତର କରିଛନ୍ତି ।
୩. ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ନାମରେ ଏକଲକ୍ଷ ହେକ୍ଟରରୁ ଅଧିକ ଜମି କମ୍ପାନୀମାନଙ୍କୁ ହସ୍ତାନ୍ତର କରିବା ଅନ୍ୟଏକ କୃଷକ ବିରୋଧୀ ନିଷ୍ପତ୍ତି ।
ଓଡ଼ିଶା ସରକାର ପ୍ରଚଳିତ କୃଷିନୀତି ୩ଟି ବିଷୟରେ ପ୍ରଧାନ୍ୟ ଦେଉଛି ।
(କ) ଫସଲ ପରିବର୍ତ୍ତନ (ଖ) ଜଳ ପରିଚାଳନା (ଗ) କୃଷି କ୍ଷେତ୍ରରେ ନୂତନ ଜ୍ଞାନକୌଶଳ ପ୍ରୟୋଗ ଓ କୃଷି ଯନ୍ତ୍ରପାତିର ବହୁଳ ବ୍ୟବହାର । ଏଗୁଡ଼ିକ କମ୍ପାନୀ ଚାଷପାଇଁ ଅଭିପ୍ରେତ । ଜି.ଏମ୍ ବିହନ ପ୍ରଚଳନ, ଫୁଲ ଚାଷ, ବାଇଗବା ଚାଷ, ଉଦ୍ୟାନ କୃଷି କମ୍ପାନୀମାନଙ୍କ ଦ୍ୱାରା ପରିଚାଳିତ କରି ଗ୍ରାମାଞ୍ଚଳ ଜୀବିକା ଉଚ୍ଛେଦ ପାଇଁ ଏହା ଉଦ୍ଦିଷ୍ଟ । ଓଡ଼ିଶାରୁ ୧୦ଲକ୍ଷ ଯୁବକ ବର୍ତ୍ତମାନ ବାହାରରାଜ୍ୟରେ ଦାଦନ ଖଟି ବହୁ ନିର୍ଯାତନାର ଶିକାର ହେଉଛନ୍ତି । ପ୍ରଚଳିତ କୃଷିନୀତି ବା ଖୁବ୍ ଶ୍ରୀଘ୍ର ପ୍ରକାଶ ପାଇବାକୁଥିବା ନୂତନ କୃଷିନୀତି ସମ୍ପୂର୍ଣ୍ଣ କୃଷକମାରଣ ନୀତି । ଏହାର ବିସ୍ତୃତ ବିତର୍କ ଆବଶ୍ୟକ ।
ଇଫ୍କୋ ସାର କମ୍ପାନୀ ମାଟିପରୀକ୍ଷା ନାମରେ ଗାଁ-ଗାଁରେ ପଶି ରାସାୟନିକ ସାର, କୀଟନାଶକ ଓ କମ୍ପାନୀବିହନ ବିକ୍ରୀପାଇଁ ଯୋଜନା ମେଲିଦେଲାଣି । ଇଫ୍କୋ ସହିତ ମନ୍ସାଣ୍ଟୋର ଭାରତ ସହଯୋଗୀ ମାହିକୋ ବିହନ କମ୍ପାନୀ ମିଳିତଭାବେ ଏ କାର୍ଯ୍ୟକ୍ରମରେ ଅଛନ୍ତି ।
ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ-ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କଟକ, ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମରେ ୭୦ରୁ ୮୦ପ୍ରତିଶତ ଚାଷୀ ଭାଗଚାଷୀ । ଜମିମାଲିକମାନେ ଚାଷ ଲାଭଜନକ ନୁହେଁ ବା ସରକାରୀ ଚାକିରି, ଠିକାଦାରୀ, ରାଜନୀତି ଯୋଗୁଁ ନିଜେ ଚାଷକରନ୍ତି ନାହିଁ । କୃଷିଋଣର ୮୦ପ୍ରତିଶତ ଏଇ ୨୦ପ୍ରତିଶତ ଜମିମାଲିକମାନେ ହିଁ ଲୁଣ୍ଠନ କରିଥାନ୍ତି । ମାତ୍ର ଓଡ଼ିଶା ସରକାରଙ୍କ ଜନଗଣନା ରିପୋର୍ଟ, କୃଷି ବିଭାଗର ତଥ୍ୟ ବା ରାଜସ୍ୱ ବିଭାଗରେ ଏହି ଭାଗଚାଷୀଙ୍କ କଥା ଉଲ୍ଲେଖ ମଧ୍ୟ ନାହିଁ । ଧନ୍ୟରେ ଓଡ଼ିଶା ସରକାର ପ୍ରତି ଆଠଦିନରେ କୃଷି ଓ କୃଷକପାଇଁ ଗୋଟିଏ ନୂଆ ପ୍ୟାକେଜ୍ ଘୋଷଣା । ବ୍ୟବସ୍ଥା ଦୃଷ୍ଟିରୁ ବିଚାର କଲେ ସରକାରୀ ଦଳ ଓ ବିରୋଧୀଦଳ ଏଥିପାଇଁ ମୁଦ୍ରାର ଦୁଇଟି ପାଶ୍ୱର୍ମାତ୍ର । ଅନ୍ୟ କିଛି ଫରକ ନାହିଁ । କୃଷି ଓ କୃଷକର ଏହିଭଳି ଏକ ଦୟନୀୟ ସ୍ଥିତିରେ ଓଡ଼ିଶା ସରକାର କେନ୍ଦ୍ରସରକାରଙ୍କ ଠାରୁ ଖାଦ୍ୟ ନିରାପତ୍ତା ଯୋଜନାର ଟଙ୍କାଆଣି ବିଭାଗୀୟ ଅଧିକାରୀ, ରାଜନେତାମାନଙ୍କୁ ପୋଷିବେ ସିନା ଖାଦ୍ୟ ନିରାପତ୍ତା ଯୋଜନା ଓଡ଼ିଶାରେ ସମ୍ପୂର୍ଣ୍ଣ ବିଫଳ ହେବାକୁ ଯାଉଛି ।
ବିକଳ୍ପ:
ଗ୍ରାମର ୭୦ବର୍ଷରୁ ଅଧିକ ବୟସର ପୁରୁଷ,ସ୍ତ୍ରୀମାନଙ୍କୁ କୃଷି ବୈଜ୍ଞାନିକର ମାନ୍ୟତା ଦେଇ ଦେଶୀ ଚାଷ, ଦେଶୀବିହନ, ହଳ ଲଙ୍ଗଳର ପ୍ରବର୍ତ୍ତନ ସହିତ ଚାଷୀକୁ ପାଣିର ଅଧିକାର ଦିଆଯାଇପାରିଲେ ଆସନ୍ନ ଖାଦ୍ୟ ସଙ୍କଟକୁ ମୁକାବିଲା କରାଯାଇପାରିବ । ସମବାୟ ବା ବ୍ୟାଙ୍କଋଣ ଭାଗଚାଷୀଙ୍କୁ ନଦେଲେ ଆଗକୁ ଆନ୍ଦୋଳନ ହେବା ନିଶ୍ଚିତ । କୃଷକ ଆନ୍ଦୋଳନ ଥରେ ସଂଗଠିତ ହେଲେ ସରକାରୀ ବା ବିରୋଧୀଦଳମାନଙ୍କୁ ମୁକାବିଲା କରିବା କଷ୍ଟସାଧ୍ୟ ହେବ । ସରକାର ଆଗକୁ ସାବଧାନ ହୁଅନ୍ତୁ । ‘ବୁଭୁକ୍ଷୁତଃ କିଂ ନ କରୋତି ପାପ’ଚାଷୀକୁ ଠେଙ୍ଗା ଧରିବାକୁ ବାଧ୍ୟ ନକରି କମ୍ପାନୀପ୍ରେମ ଛାଡ଼ି ଚାଷୀକୁ ନ୍ୟାୟ ଦେବା ସରକାରଙ୍କୁ ଚେତାବନୀ ।
Photo credit-https://bit.ly/3eZZUUi
Comments
0 comments