ଦେଶର ସାମ୍ପ୍ରତିକ ଦୃଶ୍ୟପଟ୍ଟ: ଆଶା କମ୍‌, ନିରାଶା ବେଶି

ମଣିପୁର ୮ସପ୍ତାହରୁ ଅଧିକ ହେଲାଣି, ଜଳୁଥିବାବେଳେ ଥରୁଟିଏ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଯିବା ବା ମଣିପୁରବାସୀଙ୍କୁ ଶାନ୍ତିପାଇଁ ନିବେଦନ କରିବା କେବେ ଦେଖିବାର କି ଶୁଣିବାର ସୁଯୋଗ ମିଳିନାହିଁ ।

୨୦୨୪ ଲୋକସଭା ପାଇଁ ସାଧାରଣ ନିର୍ବାଚନ ଏବଂ କେତୋଟି ରାଜ୍ୟପାଇଁ ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ଦେଶରେ ରାଜନୈତିକ ଘଟଣାବଳୀ ସେତିକି ନାଟକୀୟ ଓ ରୋମାଞ୍ଚକର ହୋଇଚାଲିଛି । ସାଧାରଣ ମଣିଷର ଏଥିରେ ଲାଭ କିଛି ହେବାର ନାହିଁ ବରଂ ସେମାନେ ନିତିଦିନିଆ ଜୀବନରେ ସାମ୍ନା କରୁଥିବା ଅସଲ ସମସ୍ୟାଗୁଡ଼ିକ ଯଥା: ରୋଜଗାର ନ ମିଳିବା, ରୋଜଗାର ହରାଇବା, ଆୟରେ ହ୍ରାସ ଘଟିବା, ଖାଦ୍ୟ ଜିନିଷରେ ଅହେତୁକ ଦରଦାମ ବୃଦ୍ଧିହେବା, ଶିକ୍ଷା ଓ ସ୍ୱାସ୍ଥ୍ୟପାଇଁ ଖର୍ଚ୍ଚ ନିଜ ଆୟରୁ ଅଧିକ ହୋଇଚାଲିବା ଏବଂ ନିଜ ପାଖରେ ନିଜ ନିର୍ବାଚିତ ସରକାରଟି ସମବେଦନା ପାଇଁ ବି ଛିଡ଼ା ନହେବା ଇତ୍ୟାଦି ସମସ୍ୟା ସବୁ ଜନଗଣଙ୍କ ସମ୍ନାକୁ ଆସିପାରୁ ନାହିଁ । ଭାରତର ବୈଦ୍ୟୁତିକ ଗଣମାଧ୍ୟମ ପ୍ରାୟତଃ ଜନଗଣ ସାମ୍ନା କରୁଥିବା ସମସ୍ୟା ଗୁଡ଼ିକୁ ଆଦୌ ଆଲୋଚନା ପରିସରକୁ ଆଣୁନାହାଁନ୍ତି ।

ଏମାନେ ପ୍ରାୟ ସମସ୍ତେ ଲାଭଖୋର କମ୍ପାନୀ ମାନଙ୍କର ମାଲିକାନା ଭିତରକୁ ଚାଲିଯାଇଛନ୍ତି । ଅତି ମୋଟା ଟଙ୍କାଦେଇ ସାମ୍ବାଦିକମାନଙ୍କର ସ୍ୱାଧୀନତାକୁ କିଣି ନିଆଯାଇଛି, ଯାହାଫଳରେ ନିଜ ସ୍ୱାଭିମାନଟିକୁ ସମର୍ପଣ କରିଦେଇଥିବା ବନ୍ଧୁମାନେ ଜନଗଣଙ୍କ କଥା କହି ନପାରିବାର ଅସହାୟତାକୁ ଅନୁଭବ କରିପାରୁ ନାହାନ୍ତି । ଛାପା ଗଣମାଧ୍ୟମରେ ମଧ୍ୟ ପ୍ରାୟତଃ ଏକା ଅବସ୍ଥା ଜାରିରହିଛି । ସମ୍ବାଦିକର ସ୍ୱାଭିମାନ ଓ କହିବାର ସ୍ୱାଧୀନତାଟି ଇତିହାସର ବିଷୟବସ୍ତୁ ହୋଇଯାଇଛି ।

ଯେଉଁମାନେ ମୁକ୍ତ ଭାବେ ସତ୍ୟ ଓ ତଥ୍ୟ ଉପସ୍ଥାପନ କରିବାକୁ ଚାହୁଁଛନ୍ତି; ସେମାନେ ନିଜେ ଗୋଟିଏ ଗୋଟିଏ ୟୁଟୁବ୍ ଚ୍ୟାନେଲ୍ ଖୋଲି ଅସଲ କଥାଗୁଡ଼ିକ ଲୋକଙ୍କୁ କହିବାପାଇଁ ଚେଷ୍ଟା କରୁଛନ୍ତି । ରାଷ୍ଟ୍ରୀୟ ନିର୍ଯାତନାକୁ ଭ୍ରୂକ୍ଷେପ ନକରି ଯେଉଁ ସାମ୍ବାଦିକମାନେ ସତକଥା କହିବାକୁ ଉଦ୍ୟମ ଜାରି ରଖିଛନ୍ତି ସେମାନଙ୍କର ଦର୍ଶକ ସଂଖ୍ୟା ଆଶାତୀତ ଭାବେ ବଢ଼ି ଚାଲିବା କଥାଟି ଆମ ମନରେ କିଛି ଆଶା ଉଦ୍ରେକ କରୁଛି ନିଶ୍ଚୟ ।

ତେବେ ଘରୋଇ ଟିଭି ଚ୍ୟାନେଲ୍ ମାନଙ୍କର ପହଞ୍ଚ ଯେତେ ବ୍ୟାପକ ଏବଂ ବିଭିନ୍ନ ସାମାଜିକ ତଥା ଧାର୍ମିକ (ମୁଖ୍ୟତଃ ହିନ୍ଦୁ ପୁରାଣଭିତ୍ତିକ) ଧାରାବାହିକର ପ୍ରସାରଣ ଭିତରେ ଚ୍ୟାନେଲମାନଙ୍କ ପ୍ରତି ଯେଉଁ ଗ୍ରହଣୀୟତା ସୃଷ୍ଟିକରିଛି, ସେହି ଚ୍ୟାନେଲ୍‌ମାନଙ୍କ ସମକକ୍ଷ ହେବା ଆଜିର ଦିନରେ ହୁଏତ ସ୍ୱାଧୀନଚେତା ୟୁଟୁବର୍‌ମାନଙ୍କ ପାଇଁ ଏକ କଷ୍ଟକର ଲକ୍ଷ୍ୟ । କିନ୍ତୁ ଆଗାମୀଦିନରେ ଯେ ସେମାନେ ରାଜନୈତିକ ନାଟକବାଜିକୁ ଉନ୍ମୋଚନ କରି ଜନଗଣଙ୍କ ପାଖରେ ସେ ସବୁକୁ ଏବଂ ସେଥି ସହିତ ସେମାନେ ଭୋଗୁଥିବା ସମସ୍ୟାଗୁଡ଼ିକ ପ୍ରତି ନିର୍ବାଚିତ ସରକାରମାନଙ୍କର ଉଦାସୀନତାକୁ ମଧ୍ୟ କଠୋର ଆଲୋଚନା ଭିତରେ ଉପସ୍ଥାପନା କରିବେ ବୋଲି ଆଶା ରଖାଯାଇପାରେ ।

କେତୋଟି ଘଟଣାବଳୀ ସମ୍ପର୍କରେ ଏଠି ସଂକ୍ଷେପରେ ଆଲୋଚନା କରାଯାଇପାରେ । ଭାରତର ଅତି ଅନାବଶ୍ୟକ ବିଶାଳକାୟ ନୂତନ ସଂସଦ ଭବନର ଉଦ୍‌ଘାଟନ ମେ ୨୮, ୨୦୨୩ ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ହେବା ପରଠାରୁ ମୋଦୀ ନିଜେ ଏବଂ ତାଙ୍କର ଅନ୍ଧଭକ୍ତମାନେ ମୋଦୀଙ୍କୁ ଜଣେ ‘ରାଜ ଚକ୍ରବର୍ତ୍ତୀ’ ହିସାବରେ ଦେଖି ଆସିଛନ୍ତି । ସେହି ଦୃଷ୍ଟିରୁ ମେ ୨୮,୨୦୨୩ ପରର ଭାରତୀୟ ରାଜନୀତିରେ ସାମ୍ବିଧାନିକ ଗଣତନ୍ତ୍ରକୁ ପଛରେ ପକାଇ ଏକ ଅଘୋଷିତ ‘ରାଜଚକ୍ରବର୍ତ୍ତୀ’ ହାତରେ ସମସ୍ତ କ୍ଷମତାକୁ ଠୁଳ କରିବାର ପାଗଳାମୀକୁ ଜନଗଣ ଯେମିତି ଗ୍ରହଣ କରିବେ ଏବଂ ବୈଧତା ଯୋଗାଇ ଦେବେ; ସେଭଳି ଏକ ପ୍ରୟାସ ଚାଲିଛି ।

ମଣିପୁର ୮ସପ୍ତାହରୁ ଅଧିକ ହେଲାଣି, ଜଳୁଥିବାବେଳେ ଥରୁଟିଏ ପ୍ରଧାନମନ୍ତ୍ରୀ ମୋଦୀ ମଣିପୁର ଯିବା ବା ମଣିପୁରବାସୀଙ୍କୁ ଶାନ୍ତିପାଇଁ ନିବେଦନ କରିବା କେବେ ଦେଖିବାର କି ଶୁଣିବାର ସୁଯୋଗ ମିଳିନାହିଁ । କିନ୍ତୁ ସେ ଜୁନ୍ ୨୦,୨୦୨୩ରୁ ଜୁନ୍ ୨୪,୨୦୨୩ ଯାଏଁ ଆମେରିକା ଗସ୍ତରେ ଯାଇପାରୁଛନ୍ତି ।

ଆସିବା ପରେ ମଣିପୁର ସମ୍ପର୍କରେ ସେ ଆମେରିକା ଯିବା ପୂର୍ବରୁ ତାଙ୍କୁ ଭେଟି ଆଲୋଚନା କରିବାପାଇଁ ନିବେଦନ କରିଥିବା ନିଜ ଦଳର ବିଧାୟକମାନଙ୍କୁ ବି ସାକ୍ଷାତ ପାଇଁ ଡାକୁନାହାନ୍ତି । ବରଂ ଜୁନ୍ ୨୭, ୨୦୨୩ ଦିନ ଭୋପାଳ ଗସ୍ତ କରି ସେ ଭାରତରେ ନଥିବା ବେଳେ ବିରୋଧି ଦଳମାନଙ୍କର ପ୍ରଥମ ଏକତା ବୈଠକ ଯାହା ଜୁନ୍ ୨୩,୨୦୨୩ ଦିନ ପାଟନା ଠାରେ ଅନୁଷ୍ଠିତ ହୋଇଥିଲା, ସେମାନଙ୍କୁ ଦୁର୍ନୀତିଗ୍ରସ୍ତ କହି ସେମାନଙ୍କ ଉପରେ ନିଜ ନିୟନ୍ତ୍ରଣରେ ଥିବା ସଂସ୍ଥାମାନଙ୍କୁ ବ୍ୟବହାର କରି କଠୋର କାର୍ଯ୍ୟାନୁଷ୍ଠାନର ଧମକ ନିଜ ଛାତିକୁ ବାଡ଼େଇ ବାଡ଼େଇ ଘୋଷଣା କରିଛନ୍ତି । ମୁସଲମାନ ସମୁଦାୟକୁ ଆଖିରେ ରଖି ସମାନ ନାଗରିକ ସଂହିତା (ୟୁନିଫର୍ମ ସିଭିଲ୍ କୋଡ୍‌) ଆଣିବାପାଇଁ ମଧ୍ୟ ଘୋଷଣା କରିଛନ୍ତି । ମୋଦୀଙ୍କ ଧମକ ଦେବାର ଠିକ୍ ୫ଦିନ ପରେ ମହାରାଷ୍ଟ୍ରରେ ଜାତୀୟବାଦୀ କଂଗ୍ରେସ ପାର୍ଟିର (ଏନ୍‌.ସି.ପି) ଯେଉଁ ବରିଷ୍ଠ ନେତାମାନଙ୍କ ବିରୋଧରେ ମୋଦୀଙ୍କର କେନ୍ଦ୍ରୀୟ ଅନୁସନ୍ଧାନ ସଂସ୍ଥାଗୁଡ଼ିକ ପୂର୍ବରୁ ପଦକ୍ଷେପ ନେବା ଆରମ୍ଭ କରିଥିଲେ, ସେମାନେ ଅଜିତ୍ ପାୱାରଙ୍କ ନେତୃତ୍ୱରେ ସେଠାକାର ଭାରତୀୟ ଜନତା ପାର୍ଟି ନିୟନ୍ତ୍ରିତ ସରକାରରେ ଯୋଗ ଦେଉଛନ୍ତି ।

ଅଜିତ୍ ପାୱାର ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରୁଛନ୍ତି । ପ୍ରାୟ ସମସ୍ତଙ୍କୁ ମନ୍ତ୍ରୀପଦ ମିଳୁଛି । ମୋଦୀଙ୍କର ଭୋପାଳ ଧମକର ୬ଦିନ ପରେ ତାଙ୍କର ନିୟନ୍ତ୍ରଣରେ ଥିବା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସି.ବି.ଆଇ) ଲାଲୁ ପ୍ରସାଦ ଯାଦବ, ତାଙ୍କ ସ୍ତ୍ରୀ ରାବ୍ରି ଦେବୀ ଓ ପୁଅ ତେଜସ୍ୱୀ ଯାଦବ ଯେ କି ଏବେ ବିହାର ଉପମୁଖ୍ୟମନ୍ତ୍ରୀ ଅଛନ୍ତି , ସେମାନଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛନ୍ତି । ମୋଦୀଙ୍କର ସମାନ ନାଗରିକ ସଂହିତା ପାଇଁ ଭୋପାଳ ବୈଠକରେ ନିଜ ଦଳର କର୍ମୀମାନଙ୍କୁ ଏହାର ପ୍ରଚାର ନିମନ୍ତେ ଆହ୍ୱାନ ଦେବାର ୪ଦିନ ପରେ ଅର୍ଥାତ୍ ଜୁଲାଇ ୧,୨୦୨୩ ଦିନ ଗୁଜୁରାଟ ଉଚ୍ଚନ୍ୟାୟାଳୟ ବିଶିଷ୍ଟ ସାମାଜିକ କର୍ମୀ ତଥା ୨୦୦୨ର ଗୁଜୁରାଟ ମୁସଲମାନ ନରସଂହାରର ପୀଡ଼ିତମାନଙ୍କ ପାଇଁ ନିରବଚ୍ଛିନ୍ନ ଭାବେ କାମ କରିଆସିଥିବା ତିସ୍ତା ଶିତଲଭାଦ୍‌ଙ୍କୁ ସେଭଳି ଏକ ମାମଲାରେ ଶୁଣାଣି କରି ଦଣ୍ଡିତ କରୁଛନ୍ତି ଏବଂ ତାଙ୍କୁ ଖୁବ୍ ଶୀଘ୍ର ଆତ୍ମସମର୍ପଣ କରିବାପାଇଁ ଆଦେଶ ଦେଉଛନ୍ତି । ମାମଲାଟି ଉଚ୍ଚତମ ନ୍ୟାୟାଳୟକୁ ଯାଉଛି ଏବଂ ଗୋଟିଏ ଦୁଇଜଣିଆ ଖଣ୍ଡପୀଠ ଶୁଣାଣି କରି ବିଭାଜିତ ରାୟ ଦେଉଛନ୍ତି ଓ ଗୋଟିଏ ତିନିଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବା ପାଇଁ ଉଚ୍ଚତମ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରୁଛନ୍ତି ।

ଏହି ସମୟରେ ଜଣେ ବିଚାରପତିଙ୍କ ଝିଅର ଭାରତନାଟ୍ୟମ୍ ନାଚ ଦେଖିବା ପାଇଁ ସମବେତ ହୋଇଥିବା ଅନ୍ୟାନ୍ୟ ବିଚାରପତି ଏବଂ ମୁଖ୍ୟବିଚାରପତି ନିଜେ ସେହି ସ୍ଥାନଟିରୁ ଛାଡ଼ି ଆସିବା ପାଇଁ ବାଧ୍ୟ ହୋଇଛନ୍ତି । ତତ୍‌କ୍ଷଣାତ୍ ଶୁଣାଣି ହେଉଛି ଏବଂ ଗୁଜୁରାଟ ଉଚ୍ଚନ୍ୟାୟାଳୟର ତିସ୍ତାଙ୍କ ବିରୋଧରେ ଦିଆଯାଇଥିବା ରାୟକୁ ସ୍ଥଗିତ ରଖାଯାଇଛି । ଏହି ଗୋଟିଏ ଘଟଣାରୁ ଦୁଇଟି ସୂଚନା ମିଳୁଛି । ପ୍ରଥମଟି ହେଲା ଯେ ଭାରତର ‘ରାଜ ଚକ୍ରବର୍ତ୍ତୀ’ ଶାସନ ଚାଲିଥିବାବେଳେ ଉଚ୍ଚନ୍ୟାଳୟ ଗୁଡ଼ିକ କିଭଳି ଭୟଙ୍କର ଭାବେ କେନ୍ଦ୍ର ସରକାରଙ୍କର ପ୍ରଭାବ ଭିତରେ କାମ କରୁଛନ୍ତି । ଦ୍ୱିତୀୟ କଥାଟି ହେଉଛି ମୁଖ୍ୟ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ଼ ଦାୟିତ୍ୱ ନେବା ପରଠାରୁ ଉଚ୍ଚତମ ନ୍ୟାୟାଳୟ ତଥା ନ୍ୟାୟିକ ବ୍ୟବସ୍ଥାକୁ ସ୍ୱାଧୀନ ରଖିବାପାଇଁ ଯେଉଁ ପ୍ରୟାସ ଜାରି ରଖିଛନ୍ତି ସେଥିରୁ କେଉଁଭଳି ଭାବେ ନାଗରିକର ଅଧିକାର ଏବଂ ଦେଶର ସମ୍ବିଧାନ ସୁରକ୍ଷିତ ରହିବା ପାଇଁ ଆଶା ସୃଷ୍ଟି ହୋଇପାରୁଛି । ଏହି ଭିତରେ ଅବଶ୍ୟ ନ୍ୟାୟିକ ବ୍ୟବସ୍ଥାକୁ ପ୍ରଭାବିତ କରିବାରେ ବଳିଷ୍ଠ ମାଧ୍ୟମ ହୋଇ କାମ କରିଆସିଥିବା କେନ୍ଦ୍ର ସରକାରଙ୍କର ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ଯିଏକି ଅମିତ୍ ଶାହାଙ୍କର ପରମବନ୍ଧୁ ହିସାବରେ ସମସ୍ତେ ଜାଣନ୍ତି, ତୃତୀୟଥର ପାଇଁ ପୁଣିଥରେ ସେହି ପଦବୀରେ ଅଧିଷ୍ଠିତ ହେଉଛନ୍ତି । ଅନ୍ୟପଟେ ରାଜ୍ୟପାଳମାନେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ କିରାଣୀଭଳି କାମ କରିବାର ଦୃଷ୍ଟାନ୍ତ ମଧ୍ୟ ସାମ୍ନାକୁ ଆସୁଛି । କେରଳ ଓ ତାମିଲ୍‌ନାଡ଼ୁର ରାଜ୍ୟପାଳ ସେଠାକାର ସରକାର ନେଇଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ଦସ୍ତଖତ ନକରି ସେମିତି ରଖିଛନ୍ତି ।

ରାଜ୍ୟପାଳଙ୍କର କୌଣସି ଅଧିକାର ନାହିଁ ଗୋଟିଏ ନିର୍ବାଚିତ ସରକାରଙ୍କର ନିଷ୍ପତ୍ତି ତଥା ରାଜ୍ୟ ତାଲିକାଭୁକ୍ତ ବିଷୟବସ୍ତୁ ଉପରେ ପାରିତ ହୋଇଥିବା ବିଧାନସଭାରେ କୌଣସି ବିଲ୍‌କୁ ଅଟକାଇବା ପାଇଁ । କିନ୍ତୁ ଦସ୍ତଖତ ନକରି ଏବଂ ନ କରିବାର କାରଣ ନ ଜଣାଇ ନିରବ ରହି ସେ ଗୋଟିଏ ନିର୍ବାଚିତ ସରକାରକୁ କାମ କରାଇ ଦେଉନାହାନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ‘ରାଜ ଚକ୍ରବର୍ତ୍ତୀ’ଙ୍କୁ ହସ୍ତକ୍ଷେପ କରିବା ପାଇଁ ଆବେଦନ କଲେ ବି କିଛି ଫଳ ମିଳୁନାହିଁ ।

ଅନ୍ୟ ଏକ ଦୃଷ୍ଟାନ୍ତ ସ୍ୱାଧୀନ ଭାରତର ଇତିହାସରେ ହୁଏତ ପ୍ରଥମ ଘଟଣା ହୋଇଥାଇପାରେ ବୋଲି କୁହାଯାଉଛି । ତାମିଲ୍‌ନାଡ଼ୁ ରାଜ୍ୟର ରାଜ୍ୟପାଳ ସେଠାକାର ମୁଖ୍ୟମନ୍ତ୍ରୀଙ୍କର କୌଣସି ସୁପାରିଶ ବା ପରାମର୍ଶ ନଥାଇ ଜଣେ ମନ୍ତ୍ରୀଙ୍କୁ ବରଖାସ୍ତ କରିପାରୁଛନ୍ତି ଏବଂ ଆପତ୍ତି ହେବାପରେ ନିଜ ନିଷ୍ପତ୍ତିକୁ ସ୍ଥଗିତ ରଖି ସେଠାକାର ଆଡ଼୍‌ଭୋକେଟ୍ ଜେନେରାଲ୍‌ଙ୍କୁ ଅଣଦେଖାକରି କେନ୍ଦ୍ରସରକାରଙ୍କର ସଲିସିଟର୍ ଜେନାରାଲ୍‌ଙ୍କର ପରାମର୍ଶ ମାଗିଛନ୍ତି । ଏଭଳି ଏକ ଘଟଣା ପ୍ରଥମଥର ପାଇଁ ଦେଖିବାକୁ ମିଳୁଛି । ପ୍ରତ୍ୟେକଟି କ୍ଷେତ୍ରରେ ସଂପୃକ୍ତ ରାଜ୍ୟର ସରକାରଗୁଡ଼ିକ ଅଣଭାଜପା ତଥା ମୋଦୀଙ୍କ ବୋଲ ମାନୁନଥିବା ଦଳମାନଙ୍କ ହାତରେ ଅଛି ।

ଏପରି ଏକ ସମୟରେ ବିରୋଧି ଦଳମାନେ ‘ରାଜ ଚକ୍ରବର୍ତ୍ତୀ’ଙ୍କର ଏକ ଗଣତାନ୍ତ୍ରିକ ବିକଳ୍ପ ନିର୍ମାଣ କରିବା ପାଇଁ ଯେଉଁ ମିଳିତ ପ୍ରୟାସ ଆରମ୍ଭ କରିଥିଲେ , ସେଥିରେ କିଛି ଆଶା ସୃଷ୍ଟି ହେଉଥିଲା । ତେବେ ସେମାନଙ୍କୁ ଦୁର୍ନୀତିଗ୍ରସ୍ତ କହି ଗୋଟିଏ ପଟେ ନିନ୍ଦିତ କରିବା ଏବଂ ଅନ୍ୟପଟେ ସେମାନଙ୍କ ଭିତରୁ ଭୟାଳୁ ମାନଙ୍କୁ ଦଳଭାଙ୍ଗି ବାହାର କରି ବିଜେପି ସହିତ ସାମିଲ କରାଇବା- ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି ଅନେକବାର ପ୍ରମାଣିତ ହୋଇସାରିଛି । ତେବେ ସେମାନଙ୍କୁ ନିନ୍ଦିତ କରାଇ ବିକଳ୍ପ ନିର୍ମାଣରେ ବୈଧିକତା ବା ଜନସମର୍ଥନ ଯେମିତି ହରାଇବେ ସେଥିପାଇଁ ସବୁ ପ୍ରକାର ଉଦ୍ୟମ କରିବା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକମାତ୍ର କାର୍ଯ୍ୟସୂଚୀ ହିସାବରେ ଦେଖାଯାଉଛି । ଜୁନ ୨୭,୨୦୨୩ ଦିନ ଭୋପାଳ ଠାରେ ନିଜଦଳର କର୍ମୀମାନଙ୍କୁ ଭ୍ରମିତ କରିବା ପାଇଁ ସେ ପୁଣିଥରେ ଉଦ୍ୟମ କରିଥିଲେ ଏବଂ କହିଥିଲେ ଯେ ଜୁନ୍ ୨୩,୨୦୨୩ରେ ପାଟଣାଠାରେ ଏକାଠି ହୋଇଥିବା ବିରୋଧି ଦଳମାନେ ୨୦ଲକ୍ଷ କୋଟିରୁ ଅଧିକ ଦୁର୍ନୀତି କରିଛନ୍ତି ।

ଆଜ୍ଞାଧିନ ଗଣମାଧ୍ୟମମାନେ କଥାଟିର ପ୍ରସାରଣ କଲାବେଳେ ପ୍ରଶ୍ନଟିଏ କଲେ ନାହିଁ ଯେ ମୋଦୀ ଏହି ସଂଖ୍ୟାଟି କେଉଁଠାରୁ ପାଇଲେ! ସେ ନିଜ କର୍ମୀମାନଙ୍କ ଆଗରେ ଛାତି ବାଡ଼େଇ କହିଲେ ଯେ ସେ ଏହି “ଦୁର୍ନୀତିଖୋର” ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ । ଅନ୍ଧଭକ୍ତମାନେ କଥାଟିକୁ କ’ଣ ବୁଝିଛନ୍ତି ଅଲଗା କଥା କିନ୍ତୁ ବିପୁଳ କରତାଳି ଦେବାରେ କାର୍ପଣ୍ୟତା ଦେଖାଇ ନାହାନ୍ତି । ସେ ନାଁ ଧରି କଂଗ୍ରେସ, ସମାଜବାଦୀ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଡି.ଏମ୍‌.କେ, ଭାରତ ରାଷ୍ଟ୍ର ସମିତି ଏବଂ ଏନ୍‌.ସି.ପି ଇତ୍ୟାଦି ସମସ୍ତଙ୍କୁ ଦୁର୍ନୀତି ଓ ପରିବାରବାଦରେ ବୁଡ଼ି ରହିଛନ୍ତି ଏବଂ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବେ ବୋଲି ଧମକ ଦେଲେ ।

ଠିକ୍ ୫ଦିନ ପରେ ଏନ୍‌.ସି.ପିକୁ ଭାଙ୍ଗି ଦୁର୍ନୀତି ଅଭିଯୋଗ ଥିବା ଏହାର ବରିଷ୍ଠ ନେତାଙ୍କୁ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଏବଂ କ୍ୟାବିନେଟ ମନ୍ତ୍ରୀ କରାଇଲେ । ଏଥିସହିତ ମୋଦୀ ଅନେକ ମିଛ କଥା ବା ଭ୍ରମ ସୃଷ୍ଟି କଲାଭଳି କଥା ମଧ୍ୟ କହିଥିଲେ । ସେ କହିଥିଲେ ଯେ ଭାରତର ପଡ଼ୋଶୀ ଦେଶମାନଙ୍କରେ ମୁଦ୍ରାସ୍ଫୀତି ଅଧିକ ଥିଲାବେଳେ ଭାରତରେ ଏହା ବହୁତ୍ କମ୍ ତଥା ୫ ପ୍ରତିଶତରୁ କମ୍ ଅଛି । କିଲୋ ପିଛା ୧୨୦ ଟଙ୍କା ଦେଇ ଟମାଟ କିଣୁଥିବା ଲୋକଟି ବା ଦରଦାମ୍ ବଢ଼ି ଚାଲିଥିବାବେଳେ ଅନେକ ଖାଦ୍ୟଜିନିଷ କିଣି ପାରୁନଥିବା ଲୋକଟି ଏହି କଥାଟିକୁ କେମିତି ବୁଝିବ! ଏହି କଥା ସତଯେ ଅନ୍ତଃରାଷ୍ଟ୍ରୀୟ ଶ୍ରମ ସଂଗଠନର ବିଶ୍ୱସ୍ତରୀୟ ଶ୍ରମିକ ପାଉଣା ରିପୋର୍ଟ୨୦୨୨-୨୩ ମୁତାବକ ମୁଦ୍ରାସ୍ଫୀତି ବଢ଼ିଲେ ଦାରିଦ୍ର୍ୟ ବଢ଼େ ।

ତେବେ ଆମକୁ ମନେ ରଖିବାକୁ ହେବ ଯେ ଭାରତରେ ଏବେ ବି ୮୧କୋଟିରୁ ଅଧିକ ଲୋକ ମାଗଣା ଖାଦ୍ୟ ପାଉଛନ୍ତି । ବିଶିଷ୍ଟ ଅର୍ଥନୈତିଜ୍ଞ ଅରୁଣ କୁମାର ସରକାରଙ୍କର ମୁଦ୍ରାସ୍ଫୀତି ସମ୍ପର୍କିତ ଭ୍ରମ ଭାଙ୍ଗିବା ପାଇଁ ଏଭଳି ଅନେକ ସମୀକ୍ଷା କରିଛନ୍ତି । ଦାରିଦ୍ର ସୀମାରେଖା ତଳେ ନଥିବା ଅନେକ ଲୋକେ ରୋଜଗାର ହରାଇଛନ୍ତି ବା ସେମାନଙ୍କ ରୋଜଗାରରେ ହ୍ରାସ ଘଟିଛି । ଭାରତ ସରକାରଙ୍କର ଇ-ଶ୍ରମ ପୋର୍ଟାଲ୍‌ରେ ପଞ୍ଜିକୃତ କରିଥିବା ୨୮କୋଟି ଶ୍ରମିକଙ୍କ ଭିତରୁ ୯୪ ପ୍ରତିଶତ ଦର୍ଶାଇଛନ୍ତି ଯେ ସେମାନଙ୍କର ମାସିକ ଆୟ ୧୦ହଜାରରୁ କମ୍ ।

ବିଶ୍ୱବ୍ୟାଙ୍କର ଦାରିଦ୍ର ସୀମାରେଖା କହୁଛି ଯେ ଗୋଟିଏ ବ୍ୟକ୍ତିର ଦୈନିକ ଆୟ ୨.୧୫ ପାଉଣ୍ଡ ବା ୧୭୬ ଟଙ୍କାରୁ କମ୍ ଥିଲେ ତାକୁ ଦରିଦ୍ର କୁହାଯିବ । ଅନ୍ୟପ୍ରକାରେ ଗୋଟିଏ ୫ଜଣିଆ ପରିବାରର କ୍ରୟଶକ୍ତି ହିସାବରେ ଦେଖିବାକୁ ଗଲେ କେବଳ ଖାଦ୍ୟ କିଣିବା କ୍ଷମତା ଯଦି ମାସିକ ୧୩ହଜାର ଟଙ୍କାରୁ କମ୍ , ତେବେ ସେମାନଙ୍କୁ ଗରିବ କୁହାଯିବ । ଏମିତି ଯଦି କରାଯାଏ ତେବେ ତଥାକଥିତ ଦାରିଦ୍ର୍ୟ ସୀମାରେଖା ଊର୍ଦ୍ଧ୍ୱରେ ରହି ଅଣସଂଗଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକମାନଙ୍କ ଭିତରୁ ୨୫କୋଟିରୁ ଊର୍ଦ୍ଧ୍ୱ ଦରିଦ୍ର ପରିଗଣିତ ହେବେ ।

ସେଥିପାଇଁ ଅରୁଣ କୁମାର କୁହନ୍ତି ଯେ ମୁଦ୍ରାସ୍ଫୀତି ହ୍ରାସହେଲେ ଖାଉଟି ଦ୍ରବ୍ୟର ମୂଲ୍ୟ ହ୍ରାସ ହେବ, ଏଭଳି ଭାବିବା ଏକ ଭ୍ରମ । ପୁନଶ୍ଚ ମୋଦୀ ଯେଉଁ ବିରୋଧି ଦଳମାନଙ୍କର ଦୁର୍ନୀତି କଥା କହିଛନ୍ତି ସେ ନିଜେ କରିଥିବା ଦୁର୍ନୀତି ସମ୍ପର୍କରେ ଆସୁଥିବା ଅଭିଯୋଗଗୁଡ଼ିକୁ ଆଦୌ ହିସାବକୁ ନେଉ ନାହାନ୍ତି । ହୁଏତ ତାଙ୍କ ପରେ ଯଦି ବିରୋଧି ଗୋଷ୍ଠୀଙ୍କର ସରକାର ଆସେ, ସେହିସବୁ କଥାଗୁଡ଼ିକ ସାମ୍ନାକୁ ଆସିବ । ୨୪ଜାନୁଆରୀ ୨୦୨୩ରେ ହିଣ୍ଡେନ୍‌ବର୍ଗ ଗବେଷଣା ମୋଦୀବନ୍ଧୁ ଆଦାନୀଙ୍କ ବ୍ୟବସାୟିକ ସାମ୍ରାଜ୍ୟର ଠକାମୀ ଉପରେ ଯାହା କହିଥିଲେ ଏବଂ ରାହୁଲ୍ ଗାନ୍ଧୀ ଫେବୃଆରୀ ୭, ୨୦୨୩ରେ ଲୋକସଭାରେ ଯେଉଁସବୁ ପ୍ରଶ୍ନ ଉଠାଇଥିଲେ; ମୋଦୀ ଏଯାଏଁ ତାହାର ଉତ୍ତର ରଖିନାହାନ୍ତି । ଅବଶ୍ୟ ଏହା ଭିତରେ ରାହୁଲ୍ ଗାନ୍ଧୀଙ୍କର ଲୋକସଭା ସଦସ୍ୟତା ଓ ସେ ରହୁଥିବା ସରକାରୀ ବାସଗୃହ ଚାଲିଯାଇଛି ।

ଜବାହାର ସରକାର (୧୬.୦୧.୨୦୨୩ ଦି ୱାୟାର) କେନ୍ଦ୍ର ଅର୍ଥ ମନ୍ତ୍ରଣାୟଳକୁ ଉଦ୍ଧାର କରି ଲେଖିଛନ୍ତି ଯେ ମୋଦୀଙ୍କ ଶାସନର ୮ବର୍ଷ ଭିତରେ ପ୍ରାୟ ୧୨ଲକ୍ଷ କୋଟି ଟଙ୍କା ଅନ୍ତର୍ଦ୍ଧାନ ହୋଇଯାଇଛି । ୨୦୧୪-୧୫ରୁ ୨୦୨୧-୨୨ ଭିତରେ ଭାରତ ସରକାରଙ୍କର ବ୍ୟାଙ୍କ ଗୁଡ଼ିକ ଯେଉଁ ଘରୋଇ କମ୍ପାନୀମାନଙ୍କୁ ଋଣ ଦେଇଥିଲେ, ସେ ଭିତରୁ ଚକିତ ହେଲାଭଳି ସଂଖ୍ୟା ୬୬ଲକ୍ଷ କୋଟି ଟଙ୍କା ଅଚଳ ସମ୍ପତ୍ତି (ଏନ୍‌.ପି.ଏ) ବା ଯାହା ଆଦାୟ ହୋଇପାରୁ ନାହିଁ ଏବଂ ୩ମାସ ଧରି ଯେଉଁଥିରୁ ପରିଶୋଧ ବାବଦରେ କିଛି ବି ଟଙ୍କା ପଇଠ ହୋଇପାରୁ ନାହିଁ । ଏହି ୬୬ଲକ୍ଷ କୋଟି ଟଙ୍କା ଭିତରୁ ୧୪ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଆଉ ଆଦୌ ଆଦାୟ ହୋଇପାରିବ ନାହିଁ କହି ଋଣ ଛାଡ଼ କରିଦିଆ ଯାଇଛି । ଏହି ଲାଭଟି କେତୋଟି ହାତଗଣତି କମ୍ପାନୀ ପାଇଛନ୍ତି । ମୋଦୀ ଏହାକୁ ଦୁର୍ନୀତି ହିସାବରେ ଦେଖୁ ନାହାନ୍ତି । ଯଦିଓ ଋଣ ଛାଡ଼ କଥାଟି ପୂର୍ବ ସରକାରମାନେ ବି କରିଥିଲେ ଏବଂ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଗୋଟିଏ ସୀମାଯାଏଁ ସୀମିତ, ତେବେ ମୋଦୀ ସରକାର ଅମଳରେ ବଡ଼ବଡ଼ କମ୍ପାନୀ ମାନଙ୍କୁ ଋଣ ଛାଡ଼ କରିବା ୪ରୁ ୬ଗୁଣା ବଢ଼ିଯାଇଛି ।

ମୋଟାମୋଟି ଭାବେ କହିବାକୁ ଗଲେ ମୋଦୀ ପୂର୍ବଅପେକ୍ଷା ଅଧିକ ବିଚଳିତ ଜଣାପଡ଼ୁଛନ୍ତି । ସେଥିପାଇଁ ସେ ଅଧିକ ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ବିରୋଧିମାନଙ୍କ ବିରୋଧରେ ନେବାକୁ ଯାଉଛନ୍ତି । ତାଙ୍କର ପଦକ୍ଷେପଗୁଡ଼ିକ ପ୍ରତି ବୈଧତା ତଥା ଜନସମର୍ଥନ ସୃଷ୍ଟି କରିବାପାଇଁ ନିଜ କର୍ମୀମାନଙ୍କୁ ଆହ୍ୱାନ ଦେଉଛନ୍ତି । ଆଗକୁ ସେ ଆହୁରି ଅନେକ ଭୁଲ୍ ପଦକ୍ଷେପ ନେବାର ସମ୍ଭାବନା ମଧ୍ୟ ଅଛି । ଯେହେତୁ ବିଭିନ୍ନ କାରଣଯୋଗୁଁ କଂଗ୍ରେସର ଜନସମର୍ଥନ ବଢ଼ୁଛି, ବିରୋଧିଦଳମାନେ ସାମୂହିକ ନେତୃତ୍ୱ ମାଧ୍ୟମରେ ସ୍ୱଚ୍ଛତା ଅବଲମ୍ବନ କରି ଦୃଢ଼ନିଷ୍ଠ ରହିପାରିଲେ ହିଁ କିଛି ବିକଳ୍ପର ସମ୍ଭାବନା ରହିବ । ନଚେତ୍ କିଛି ଆଶା କେଉଁଠି ଦେଖାଗଲା ବେଳେ, ଅଧିକ ନିରାଶା ବଢ଼ିଚାଲିବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.