ମଣିପୁର ହିଂସା ଓ ସମ୍ବେଦନହୀନ ଭାରତ!

ଏବେ ଆମଦେଶରେ ହିଂସା, ଦୁର୍ଘଟଣା ଓ ବିପର୍ଯ୍ୟୟର ଏକ ନୂତନ ସଂସ୍କରଣ ଚାଲିଛି । ସବୁଠାରେ ଗୋଟିଏ କଥା ସମାନଭାବେ ଦେଖିବାକୁ ମିଳୁଛି: ସମ୍ବେଦନହୀନ ଶାସକ ଓ ସମ୍ବେଦୀନହୀନ ସମାଜ । ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ସାବରକରଙ୍କ ଜନ୍ମଦିନରେ ଅର୍ଥାତ୍ ମେ ୨୮, ୨୦୨୩ ଦିନ ଭାରତର ନୂତନ ସଂସଦ ଭବନକୁ ସିଂହାସନ ଆରୋହଣ ଢାଞ୍ଚାରେ ଉଦ୍‌ଘାଟନ କରୁଥିଲେ ସେତେବେଳେ ଉତ୍ତରପୂର୍ବ ଭାରତର ମଣିପୁର ରାଜ୍ୟ ‘ମେଇତେଇ’ ଓ ‘କୁକି’ ଦୁଇ ସମ୍ପ୍ରଦାୟ ଭିତରେ ଭୟଙ୍କର ହିଂସାଯୋଗୁଁ ଜଳୁଥିଲା । ମେ ୩, ୨୦୨୩ରେ ଆରମ୍ଭ ହୋଇଥିବା ଏହି ହିଂସା ସେତେବେଳକୁ ୨୫ଦିନ ଅତିକ୍ରାନ୍ତ ହୋଇସାରିଥିଲା । ପ୍ରଧାନମନ୍ତ୍ରୀ ମୋଦୀ ଏଯାଏଁ ନିଜ ଦଳଦ୍ୱାରା ଶାସିତ ମଣିପୁର ରାଜ୍ୟରେ ୪୦ଦିନରୁ ଅଧିକା ସମୟଧରି ଚାଲିଥିବା ହିଂସାକୁ ରୋକିବା ପାଇଁ କ’ଣ ସବୁ ପଦକ୍ଷପ ନିଆଯାଉଛି, ପଦଟିଏ ମଧ୍ୟ କହିନାହାନ୍ତି । ଏବେ ତାଙ୍କର ଆମେରିକା ଗସ୍ତପାଇଁ ବିରାଟ ଆକାରର ଆୟୋଜନ ଚାଲିଛି ।

୨୦୧୯ର ନିର୍ବାଚନ ପୂର୍ବରୁ ଯେଉଁଭଳି ଆୟୋଜନ ଆମେରିକାରେ ପ୍ରାୟୋଜିତ କରାଯାଉଥିଲା ବିପୁଳ ଅର୍ଥ ବ୍ୟୟକରି, ୨୦୨୪ ନିର୍ବାଚନ ପୂର୍ବରୁ ଠିକ୍ ସେହିଭଳି ପ୍ରସ୍ତୁତି ଚାଲିଛି । ରାହୁଲ ଗାନ୍ଧୀଙ୍କର ଆମେରିକା ଗସ୍ତ ଏବଂ ସେଠି ତାଙ୍କୁ ମିଳିଥିବା ପ୍ରବାସୀ ଭାରତୀୟଙ୍କର ଜନସମର୍ଥନକୁ ଦେଖି, ଏବେ ମୋଦୀଙ୍କ ଗସ୍ତ ଯେଭଳି ବହୁ ଅଧିକ ସମର୍ଥନର ଆଶା ସୃଷ୍ଟି କରିପାରିବ, ସେଥିପାଇଁ ଉଭୟ ସରକାର ଓ ଦଳ ଲାଗି ପଡ଼ିଛନ୍ତି । ଯଦିଓ ରାହୁଲ ଗାନ୍ଧୀଙ୍କ ସହିତ ଭାରତର କର୍ପୋରେଟ ଗଣମାଧ୍ୟମ ଆଦୌ ନଥିଲେ ବରଂ ତାଙ୍କର ସମାଲୋଚନା କରିଆସିଥିଲେ, ମୋଦୀଙ୍କ ସହିତ ରହି ଆସିଛନ୍ତି ପ୍ରାୟ ସମଗ୍ର କର୍ପୋରେଟ ଗଣମାଧ୍ୟମ । ଏମାନେ ମୋଦୀଙ୍କ ଆମେରିକା ଗସ୍ତର ୨୪ଘଣ୍ଟିଆ ପ୍ରସାରଣ କେମିତି କରିବେ, ସେଥିପାଇଁ ଆମେରିକାର ବିଭିନ୍ନ ସ୍ଥାନରେ ଶିବିର ପକାଇ ସାରିଲେଣି । ଏପଟେ ମଣିପୁର ହିଂସାକୁ ନେଇ ସେହି କର୍ପୋରେଟ ଗଣମାଧ୍ୟମମାନେ ଭୟଙ୍କର ଭାବେ ଉଦାସୀନ । ନିର୍ବାଚନ ଦୃଷ୍ଟିରୁ ମୋଦୀଙ୍କ ଆମେରିକା ଗସ୍ତ (ଯାହାକି ସବୁଥର ଭଳି ଭାରତର ହାତଗଣତି କେତୋଟି ବ୍ୟବସାୟୀଙ୍କ ପାଇଁ କରାଯାଉଛି) ଅଧିକ ଗୁରୁତ୍ୱପୂର୍ଣ୍ଣ, ନିଜେ ମୋଦୀ ଅନୁଭବ କରୁଥିବା ହେତୁ; ଭାରତର କୌଣସି ଆଭ୍ୟନ୍ତରୀଣ ସମସ୍ୟା କେତେ ଗୁରୁତର ଓ ଗୁରୁତ୍ୱପୂର୍ଣ୍ଣ ଜଣାପଡ଼ିଲେ ବି ସେଥିପାଇଁ ନିଜେ ରାଜଚକ୍ରବର୍ତ୍ତୀ ଏବଂ ତାଙ୍କର ଅନୁଗାମୀ ମାନଙ୍କର ତଥା ମୋଦୀଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଥିବା ଅମଲାତନ୍ତ୍ରର ସମାନ୍ୟତମ ସମ୍ବେଦନଶୀଳତା ନାହିଁ ।

ଭାରତର ଉତ୍ତର-ପୂର୍ବ ଅଞ୍ଚଳରେ ମଣିପୁର ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ । ମେ ୩, ୨୦୨୩ ଠାରୁ ଜନଜାତି ‘କୁକି’ ସମ୍ପ୍ରଦାୟ ଓ ସଂଖ୍ୟାଧିକ ‘ମେଇତେଇ’ ସମ୍ପ୍ରଦାୟ ଭିତରେ ଯେଉଁ ହିଂସାପୂର୍ଣ୍ଣ ସଂଘର୍ଷ ଆରମ୍ଭ ହୋଇଥିଲା ତାହାର ପୃଷ୍ଠଭୂମିରେ ଥିଲା ଜନଜାତି ‘କୁକି’ ସମ୍ପ୍ରଦାୟକୁ (ଭାରତୀୟ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ଅନୁସାରେ ଅନ୍ୟାନ୍ୟ ଉତ୍ତର-ପୂର୍ବ ରାଜ୍ୟର ଜନଜାତି ଅଞ୍ଚଳକୁ ଦିଆଯାଉଥିବା ସୁବିଧା ମୁତାବକ) ରାଷ୍ଟ୍ର ଯୋଗାଉଥିବା ଅର୍ଥନୈତିକ, ରାଜନୈତିକ, ସାମାଜିକ ସୁବିଧା ଓ ସଂରକ୍ଷଣରେ ସୁବିଧା ସୁଯୋଗ । ‘ମେଇତେଇ’ ସମ୍ପ୍ରଦାୟ ତରଫରୁ ମଣିପୁର ଉଚ୍ଚନ୍ୟାୟଳୟରେ ସେମାନଙ୍କୁ ଆଦିବାସୀ ବର୍ଗରେ ସାମିଲ କରିବାପାଇଁ ଏକ ଆବେଦନ ଦାଖଲ କରାଯାଇଥିଲା । ଏପ୍ରିଲ୍ ୨୩, ୨୦୨୩ ଦିନ ସେହି ଉଚ୍ଚ ନ୍ୟାୟାଳୟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଶ୍ରୀ ଏମ.ଭି ମୁରଲିଧରନ୍‌ଙ୍କର ଏକ ଜଣିକିଆ ଖଣ୍ଡପୀଠ ‘ମେଇତେଇ’ ସମ୍ପ୍ରଦାୟ ସପକ୍ଷରେ ରାୟଟିଏ ଦେଇଥିଲେ । ଏଥିରେ ସେଠାରେ ଚାଲିଥିବା ବିଜେପି ସରକାର (ଯେଉଁମାନେ ମୁଖ୍ୟତଃ ‘ମେଇତେଇ’ ସମ୍ପ୍ରଦାୟର)’ର ଏକ ଭୂମିକା ଥିଲା ବୋଲି ‘କୁକି’ ସମ୍ପ୍ରଦାୟର ଲୋକମାନେ ସନ୍ଦେହ କରି ନିଜ ଭିତରେ ପ୍ରତିବାଦ ପାଇଁ ସଂଗଠିତ ହେଉଥିଲେ । ମେ ୩, ୨୦୨୩ରେ ଏହା ସଂଘର୍ଷର ରୂପ ନେଇଥିଲା ।

ଏଠି ସ୍ମରଣ କରାଇ ଦିଆଯାଇପାରେ ଯେ ମାମଲାଟି ଉଚ୍ଚତମ ନ୍ୟାୟାଳୟକୁ ଆସିବା ପରେ ମେ ୧୭, ୨୦୨୩ ଦିନ ମାନ୍ୟବର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏକ ଖଣ୍ଡପୀଠ ମଣିପୁର ଉଚ୍ଚ ନ୍ୟାୟାଳୟଙ୍କର ଆଦେଶଟିକୁ ‘ତୃଟିପୂର୍ଣ୍ଣ’ ବୋଲି କହିଥିଲେ ଯାହାର ଶୁଣାଣି ଏବେ ବି ଚାଲିଛି ।

ବିଡ଼ମ୍ବନାର କଥାଯେ ମଣିପୁର ରାଜ୍ୟର ଭାଜପା ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭୁଲ୍‌ଟିକୁ ସୁଧାରିବାପାଇଁ କୌଣସି ଫଳପ୍ରଦ ପଦକ୍ଷେପ ଏଯାଏଁ ନେଇପାରି ନାହାନ୍ତି । ଗୃହମନ୍ତ୍ରୀ ଅମିତ ଶାହା ହିଂସା ଆରମ୍ଭ ହେବାର ୨୬ଦିନ ପରେ ଅର୍ଥାତ୍ ନୂତନ ସଂସଦ ଭବନ ଉଦ୍‌ଘାଟନର ପରଦିନ (ମେ ୨୯, ୨୦୨୩) ପ୍ରଥମଥର ପାଇଁ ମଣିପୁର ଗସ୍ତରେ ଯାଇଥିଲେ । ତେବେ ସେ ଫେରିବା ପରେ ସେଠି ହିଂସା କମିବା ପରିବର୍ତ୍ତେ ଅଧିକ ବଢ଼ିଥିଲା ଏବଂ ଉଭୟ ସରକାରଙ୍କର ଭୂମିକାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ମଧ୍ୟ ଉଠିଥିଲା । ସବୁଠାରୁ ଗୋଟିଏ ଜଘନ୍ୟ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଜଣେ ହିଂସାରେ ପୀଡ଼ିତ ଶିଶୁଙ୍କୁ ନିଜ ମା’ ଓ ଅନ୍ୟ ଜଣେ ମହିଳାଙ୍କ ସମେତ ନିରାପତ୍ତା ବାହିନୀର ସୁରକ୍ଷା ବଳୟ ଭିତରେ ଆମ୍ବୁଲାନସ୍ ମାଧ୍ୟମରେ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉଥିବା ବେଳେ ସେମାନଙ୍କୁ ଆମ୍ବୁଲାନ୍ସ ସମେତ ପୋଡ଼ିଜାଳି ମାରିଦିଆଯାଇଥିଲା ।

ମଣିପୁରରେ ଗୃହଦାହ ଏକ ସାଧାରଣ ଘଟଣା ହୋଇଯାଇଛି । ଏମିତିକି ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ଏବଂ କେନ୍ଦ୍ରର ଜଣେ ରାଷ୍ଟ୍ରମନ୍ତ୍ରୀଙ୍କର ଗୃହ ମଧ୍ୟ ଜଳି ଯାଇଛି । ସେଠାରେ ଏବେ ଅରାଜକତା ହିଁ ରାଜ୍ କରୁଥିବା ବେଳେ ରାଜଚକ୍ରବର୍ତ୍ତୀ ଏବେ ଆମେରିକା ଗସ୍ତରେ ବାହାରୁଛନ୍ତି ।

ମଣିପୁର ସମ୍ପର୍କରେ ଯେଉଁମାନେ ପୂର୍ବରୁ ଯଥେଷ୍ଟ ଅବଗତ ନଥିବେ ସେମାନଙ୍କର ଜାଣିବାପାଇଁ କିଛି କଥା ଏଠି ସଂକ୍ଷେପରେ କୁହାଯାଇପାରେ । ମଣିପୁର ଜନସଂଖ୍ୟାର ସଂଖ୍ୟାଧିକ ୫୩ ପ୍ରତିଶତ ହେଉଛନ୍ତି ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଥିବା ଏବଂ ମଣିପୁର ସମାଜରେ ସାମାଜିକ ଢାଞ୍ଚାରେ ସବୁଠାରୁ ଉପରେ ଥିôବା ‘ମେଇତେଇ’ ସମ୍ପ୍ରଦାୟର ଲୋକ । ଜନଜାତି ‘କୁକି’ ସମ୍ପ୍ରଦାୟର ଲୋକଙ୍କ ସଂଖ୍ୟା ୩୦ ପ୍ରତିଶତ । ‘କୁକି’ ସମ୍ପ୍ରଦାୟର ଅଧିକାଂଶ ଲୋକ ପ୍ରୋଟେଷ୍ଟାଂଟ ଖୀଷ୍ଟ୍ରିଆନ ହୋଇଥିବା ବେଳେ, ‘ମେଇତେଇ’ ମାନେ ହେଉଛନ୍ତି ସଂଖ୍ୟାଗରିଷ୍ଠ ହିନ୍ଦୁ ଧର୍ମାବଲମ୍ବୀ । ଯଦିଓ ଖ୍ରୀଷ୍ଟାବ୍ଦ ୩୩ ମସିହାରୁ ଏହି ଭୂଖଣ୍ଡରେ ବିଭିନ୍ନ ରାଜା ବା ଶାସକ ନିଜର ଶାସନ ଚଳାଇ ଆସିଥିଲେ କିନ୍ତୁ ଦ୍ୱାଦଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଏଠି ‘ମେଇତେଇ’ମାନଙ୍କର ଶାସନ ଆରମ୍ଭ ହୋଇଥିଲା । ‘ମେଇତେଇ’ ରାଜା ଲେୟୁମ୍ବାଙ୍କ ନେତୃତ୍ୱରେ ସେଠି ‘କେଙ୍ଗଲେଇପାକ୍‌’ ରାଜ୍ୟ ଗଠନ ହୋଇଥିଲା । ସେଠି ସେତେବେଳେ ଏକ ଲିଖିତ ସମ୍ବିଧାନ ମଧ୍ୟ କାମ କରୁଥିଲା ।

୧୭୦୯ ମସିହାରେ ‘ମେଇତେଇ’ ରାଜା ପାମ୍‌ହେଇବା ରାଜା ହେବା ପରେ ୧୭୧୭ ମସିହାରେ ସେ ହିନ୍ଦୁ ଧର୍ମକୁ ସେଠି ରାଷ୍ଟ୍ରୀୟ ମାନ୍ୟତା ଦେଇଥିଲେ । ଏଥି ସହିତ ୧୭୨୪ ମସିହାରେ ନିଜ ରାଜ୍ୟକୁ ସେ ସଂସ୍କୃତ ଆଧାରିତ ନାମ ମଣିପୁର ରଖିଥିଲେ । ୧୭୬୨ ମସିହାରେ ରାଜା ଚିଙ୍ଗ୍‌-ଚାଙ୍ଗ୍ ଖୁମ୍ବାଙ୍କ ସମୟରେ ଇଷ୍ଟଇଣ୍ଡିଆ କମ୍ପାନୀ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ । ତାଙ୍କ ସମୟରେ ଉତ୍ତରଭାରତର ‘ରାସଲୀଳା’ ଆରମ୍ଭ ହୋଇଥିଲା । ସେଥିରେ ମଣିପୁର ରାଜାଙ୍କର ଝିଅ ସିଜା ଲୋଇଲେବି ନିଜେ ରାଧା ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଅର୍ଥାତ୍ ହିନ୍ଦୁ ଧର୍ମ ଓ ଧାର୍ମିକ ପରମ୍ପରାକୁ ‘ମେଇତେଇ’ ସମ୍ପ୍ରଦାୟ ମଣିପୁରରେ ସଂସ୍ଥାପିତ କରିଥିଲେ । ଶେଷ ‘ମେଇତେଇ’ ରାଜା ବୋଦ୍ଧ୍‌ଚନ୍ଦ୍ର ଭାରତ ସହିତ ମିଶ୍ରଣ ପାଇଁ ‘ମଣିପୁର ମର୍ଜର ଟ୍ରିଟି-୧୯୪୯’ରେ ସ୍ୱାକ୍ଷର କରିବା ପରେ ମଣିପୁର ଭାରତ ସହିତ ମିଶିଥିଲା ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳ ହିସାବରେ ରହି ଆସିଥିଲା । ୧୯୭୨ ମସିହାରେ ଇନ୍ଦିରା ଗାନ୍ଧୀ ପ୍ରଧାନମନ୍ତ୍ରୀ ଥିଲାବେଳେ ମଣିପୁର ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲା । ତେବେ ଦ୍ୱାଦଶ ଶତାବ୍ଦୀରୁ ଆରମ୍ଭ କରି ଏକବିଂଶ ଶତାବ୍ଦୀ ଯାଏଁ ‘ମେଇତେଇ’ ସମ୍ପ୍ରଦାୟର ପତିଆରା ମଣିପୁରରେ ରହି ଆସିଛି । ଏମିତିକି ମଣିପୁରର ଇତିହାସ ବୋଲି ଯାହା କୁହାଯାଏ ତାହା ‘ମେଇତେଇ’ ରାଜାମାନଙ୍କର ଦରବାରୀ ବିବରଣୀରୁ ହିଁ ଉଦ୍ଧୃତ ହୋଇଥାଏ ।

‘ମେଇତେଇ’ମାନେ ମଣିପୁରର ମୂଳବାସିନ୍ଦା ନୁହଁ ବରଂ ସେମାନେ ବାହାରୁ ଆସି ଏହି ଭୂଖଣ୍ଡକୁ ସଂଗଠିତ କରି ତାହାର ରାଜନୈତିକ ନେତୃତ୍ୱ ନେଇ ଆସିଛନ୍ତି । ୯ଶହ ବର୍ଷର ଶାସନ କାଳଭିତରେ ସ୍ୱାଭାବିକ ଭାବେ ସେମାନଙ୍କର ପତିଆରା ରାଜନୀତି, ଅର୍ଥନୀତି ଏବଂ ସମାଜରେ ପ୍ରତିଷ୍ଠିତ ହୋଇ ରହି ଆସିଛି । ସଂକ୍ଷେପରେ କହିବାକୁ ଗଲେ ଏହି ‘ମେଇତେଇ’ମାନେ ହିଁ ଆଜିବି ମଣିପୁରକୁ ଶାସନ କରି ଆସିଛନ୍ତି । କିନ୍ତୁ ଓଡ଼ିଶାର ଲଢ଼ୁଆ ଆଦିବାସୀ ସମ୍ପ୍ରଦାୟଙ୍କ ଠାରୁ ଅଧିକ ସଂଗ୍ରାମୀ ସେଠାକାର ‘କୁକି’ ଜନଜାତି ସମ୍ପ୍ରଦାୟ । ୧୯୧୭-୧୯ର ବିରାଟ ‘କୁକି’ ବିଦ୍ରୋହ ଏହି ସମ୍ପ୍ରଦାୟର ବୀରତ୍ୱପୂର୍ଣ୍ଣ ଏବଂ ସଂଘର୍ଷମୟ ସାହସୀ ଇତିହାସର ଏକ ବଳିଷ୍ଠ ସାକ୍ଷୀ । ‘କୁକି’ ଯୋଦ୍ଧାମାନେ ଦୁଇବର୍ଷକାଳ ଶକ୍ତିଶାଳୀ ବ୍ରିଟିଶ ସେନାଙ୍କୁ ନିଜ ଅଞ୍ଚଳରେ ପୁରାଇ ଦେଇନଥିଲେ । ଏହି ସଂଘର୍ଷରେ ୪୭୭ଜଣ ବ୍ରିଟଶ ଅଫିସର ଓ ସେନା (ଭାରତୀୟଙ୍କ ସମେତ) ମୃତ୍ୟୁବରଣ କରିଥିଲେ ।

ତେବେ ଏବେ ଯେଉଁ ହିଂସା ଚାଲିଛି ସେଥିରେ ବେଶୀ କ୍ଷତି ‘କୁକି’ ସମ୍ପ୍ରଦାୟର ଲୋକମାନଙ୍କୁ ସହିବାକୁ ପଡ଼ୁଛି । ମଣିପୁର ଉଚ୍ଚ ନ୍ୟାୟାଳୟ ଯଦି ‘ମେଇତେଇ’ ମାନଙ୍କୁ ସିଡ଼୍ୟୁଲଡ଼୍ ଟ୍ରାଇବ୍ ତାଲିକାଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇ ନଥାନ୍ତେ, ତେବେ ଭିତରେ ଭିତରେ ଅନେକ ଅସନ୍ତୋଷ ଥିଲେ ବି ଏହା ହିଂସ୍ରରୂପ ନେଇନଥାନ୍ତା । ‘କୁକି’ ଜନଜାତିର ଭୟଟି ସ୍ୱାଭାବିକ ଏବଂ ସତ୍ୟ ଉପରେ ଆଧାରିତ । ଯଦି ‘ମେଇତେଇ’ମାନେ ଆଦିବାସୀ ମାନ୍ୟତା ପାଇଯାଆନ୍ତି, ତେବେ ସମ୍ବିଧାନର ଷଷ୍ଠ ଅନୁଚ୍ଛେଦ ମୁତାବକ ସେମାନେ ଆଦିବାସୀ ମାନଙ୍କର ଜମି ନେଇ ପାରିବେ । ଫଳସ୍ୱରୁପ ଆର୍ଥିକ ଦୃଷ୍ଟିରୁ ଏବଂ ରାଜନୈତିକ ଓ ସାମାଜିକ ପତିଆରା ଦୃଷ୍ଟିରୁ ଦୁର୍ବଳ ଥିବା ‘କୁକି’ ଜନଜାତିର ଲୋକମାନେ ଭୂମିହୀନ ଏବଂ ସମ୍ବଳହୀନ ହେବାର ଆଶଙ୍କା ରହିଛି । ଦୀର୍ଘ ୪୦ଦିନ ଧରି ଚାଲିଥିବା ଏହି ହିଂସାରେ ୫୦ହଜାରରୁ ଊର୍ଦ୍ଧ୍ୱ ଶିଶୁ, ମହିଳା ଓ ପୁରୁୁଷ ଉଭୟ ସମ୍ପ୍ରଦାୟ ଭିତରେ କ୍ଷତିଗ୍ରସ୍ତ ହୋଇଛନ୍ତି ଏବଂ ୩ଶହ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି ।

୧ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ବିସ୍ଥାପିତ ହୋଇଛନ୍ତି । ଏଭିତରେ ‘ଦି ୱୟାର’ ଅନ୍ ଲାଇନ୍ ଗଣମାଧ୍ୟମରେ ଜୁନ୍ ୧୪ ଓ ଜୁନ ୧୫ତାରିଖ ଦିନ ଦୁଇଟି ସାକ୍ଷାତକାର ସାମ୍ନାକୁ ଆସିଛି । କରଣ୍ ଥାପର୍‌ଙ୍କ ସହ ଏକ ସାକ୍ଷାତ୍‌କାରରେ ‘କୁକି’ ମହିଳା ମଞ୍ଚର ଆବାହକ ମେରି ଗ୍ରେସ୍ ଯଉ କହିଛନ୍ତି ଯେ ସେମାନଙ୍କର ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପରେ ଭରସା ନାହିଁ । ସେ ଆଶ୍ଚର୍ଯ୍ୟ ହୋଇଛନ୍ତି ଯେ କେମିତି ବିରେନ୍ ସିଂହଙ୍କ ଭଳି ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପଦବୀରେ ରଖିଛନ୍ତି! ସେ ବିରେନ୍ ସିଂହଙ୍କୁ ଜଣେ ‘କୁକି’ ବିରୋଧି ଏବଂ କେନ୍ଦ୍ର ସରକାରଙ୍କୁ ଭୁଲ୍ ବାଟରେ ନେଉଥିବା ବ୍ୟକ୍ତି କହି ଆକ୍ଷେପ କରିଛନ୍ତି ।

ବଞ୍ଚିବା ପାଇଁ ‘କୁକି’ମାନଙ୍କର ସର୍ବନିମ୍ନ ଆବଶ୍ୟକତା ପୂରଣ ହୋଇପାରୁନାହିଁ । ସେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହାଙ୍କୁ ଚାରି ଦଫା ଦାବୀ ଥାଇ ଏକ ସ୍ମାରକ ପତ୍ର ଦେଇଥିଲେ ଯେଉଁଠି କୁହାଯାଇଥିଲା ଯେ, ପ୍ରଥମେ ମଣିପୁରରେ ଅବସ୍ଥାପିତ କରାଯାଇଥିବା ସେନା ଭିତରେ ‘ମେଇତେଇ’ ସମ୍ପ୍ରଦାୟର ଅଫିସରମାନଙ୍କୁ ରଖାନଯାଉ, ଦ୍ୱିତୀୟରେ ‘ମେଇତେଇ’ ଓ ‘କୁକି’ ସମ୍ପ୍ରଦାୟ ବସବାସ କରୁଥିବା ଜନବସତିଗୁଡ଼ିକ ମଧ୍ୟରେ ଏକ ନିରାପଦ ଅଞ୍ଚଳ ରଖାଯାଉ, ତୃତୀୟ ଦାବୀଟି ଥିଲା ଯେ ‘କୁକି’ ମାନଙ୍କ ଅଞ୍ଚଳରେ କାମ କରିବାପାଇଁ ମଣିପୁର ରାଜ୍ୟ ପୋଲିସ ଏବଂ ଆଇନ୍ ତଦାରଖ କରୁଥିବା ସଂସ୍ଥାମାନଙ୍କୁ ଅନୁମତି ଦିଆନଯାଉ । ସେମାନଙ୍କର ଚତୁର୍ଥ ଦାବୀଟି ଥିଲା ଯେ ଆରାମ୍‌ବାଇ ଟେଙ୍ଗୋଲ୍ ଓ ‘ମେଇତେଇ’ ଲିପୁନ୍ ଭଳି ହିଂସା ସୃଷ୍ଟି କରୁଥିବା ସଂସ୍ଥାମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ।

ଠିକ୍ ତା ପରଦିନ ଅର୍ଥାତ୍ ଜୁନ୍ ୧୫,୨୦୨୩ରେ କରଣ୍ ଥାପର୍ ‘ମେଇତେଇ’ ସମୁଦାୟର ଜଣେ ଆଗଧାଡ଼ିର ମହିଳା ବୁଦ୍ଧିଜୀବୀ ବୀଣାଲକ୍ଷ୍ମୀ ନେପ୍ରମ୍‌ଙ୍କର ସାକ୍ଷାତ୍‌କାର ନେଇଥିଲେ ଯେଉଁଥିରେ ବର୍ତ୍ତମାନର ପରିସ୍ଥିତିକୁ ସେ ମଣିପୁର ଇତିହାସର ଏକ ତମସାଚ୍ଛନ୍ନ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଥିଲେ । ଉତ୍ତର-ପୂର୍ବ ଭାରତରେ ଶାନ୍ତି ପାଇଁ ଉଦ୍ୟମରତ ମହିଳାମାନଙ୍କର ନେତୃତ୍ୱ ନେଉଥିବା ନେପ୍ରମ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନିରବତାକୁ ନେଇ ପ୍ରଶ୍ନ କରିଥିଲେ ଏବଂ କହିଥିଲେ ଯେ ପ୍ରଧାନମନ୍ତ୍ରୀଙ୍କ ନିରବତା ଇଙ୍ଗିତ କରୁଛି ଯେ ସେ ମଣିପୁର ଘଟଣାବଳୀରେ ସଂପୃକ୍ତ ଅଛନ୍ତି । ସେ ପୁଣି କହିଥିଲେ ଯେ ବିଶ୍ୱର ବୃହତ୍ତମ ଗଣତନ୍ତ୍ରରେ ଜଣେ ନେତା ଦାୟିତ୍ୱ ନେବା ଦରକାର ଏବଂ ନିରବ ରହିବା ଉଚିତ୍ ନୁହଁ । ତାଙ୍କର ପ୍ରଶ୍ନ ଥିଲା ଯଦି ୨୦୦୨ର ଗୁଜୁରାଟ ହିଂସାକୁ ତିନିଦିନ ଭିତରେ ନିୟନ୍ତ୍ରଣ କରାଯାଇ ପାରିଥିଲା, ତେବେ ମଣିପୁରରେ ୬ସପ୍ତାହରୁ ଅଧିକ ସମୟ ଧରି ହିଂସାଚାଲିଛି ତାକୁ ରୋକାଯାଇ ପାରୁନାହିଁ କାହିଁକି?

ଅନ୍ୟପଟେ ୫ଶହରୁ ଊର୍ଦ୍ଧ୍ୱ ସଂଗଠନ ଏବଂ ସଚେତନଶୀଳ ବ୍ୟକ୍ତିମାନେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମଣିପୁରରେ ଚାଲିଥିବା ପରିସ୍ଥିତି ପାଇଁ ପ୍ରଧାନମନ୍ତ୍ରୀ ନିଜେ ଦାୟିତ୍ୱବାନ ହୁଅନ୍ତୁ ଏବଂ ଘଟଣା ଉପରେ କୁହନ୍ତୁ ବୋଲି ଆବେଦନ କରିଛନ୍ତି । ସେମାନେ ଯେଉଁ ତିନୋଟି ପ୍ରମୁଖ ଦାବୀ ପ୍ରଧାନମନ୍ତ୍ରୀଙ୍କ ପାଖରେ ଉପସ୍ଥାପନ କରିଛନ୍ତି ସେ ଭିତରେ ଅଛି:

୧- ଅଦାଲତ ଦ୍ୱାରା ପରିଚାଳିତ ଏକ ଟ୍ରିବ୍ୟୁନାଲ ଗଠନ କରାଯାଉ ଯିଏକି ସଠିକ୍ ତଥ୍ୟ ଠିକଣା କରିବେ ଓ ନ୍ୟାୟ ପ୍ରଦାନ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ ଏବଂ ଭିନ୍ନଭିନ୍ନ ସମ୍ପ୍ରଦାୟମାନଙ୍କ ମଧ୍ୟରେ ଯେଉଁ ବ୍ୟବଧାନ, ବିଚ୍ଛିନ୍ନତା ଏବଂ ଘୃଣା ସୃଷ୍ଟି କରାଯାଇଛି ସେ ସବୁର ଉପଶମ ପାଇଁ ଉପଯୁକ୍ତ ପଦକ୍ଷେପ ନିମନ୍ତେ ପରାମର୍ଶ ଦେବ ।

୨- ବର୍ମା କମିଶନ ସୁପାରିଶ ମୁତାବକ ତ୍ୱରିତ ବିଚାର ପାଇଁ ‘ଫାଷ୍ଟଟ୍ରାକ୍ କୋର୍ଟ’ ପ୍ରତିଷ୍ଠା କରିବେ ଯେଉଁଠି ରାଷ୍ଟ୍ର ଏବଂ ଅଣରାଷ୍ଟ୍ରୀୟ ବ୍ୟକ୍ତିମାନଙ୍କ ଦ୍ୱାରା କରାଯାଇଥିବା ଯୌନ ହିଂସାଜନିତ ମାମଲାଗୁଡ଼ିକର ବିଚାର ହେବ ଏବଂ ଯେଉଁମାନେ ସଂଘର୍ଷ ଚାଲିଥିବା ଅଞ୍ଚଳରେ ଏହି ସବୁ ଅପରାଧରେ ଦୋଷୀ ସାବସ୍ତ ହେବେ ସେମାନଙ୍କ ବିରୋଧରେ ଅପରାଧିକ ଆଇନ୍ ମୁତାବକ ବିଚାର କରାଯାଉ ।

୩- ଜୀବନ ରକ୍ଷାପାଇଁ ଯେଉଁମାନେ ପଳାୟନ କରିଛନ୍ତି ସେମାନଙ୍କୁ ରିଲିଫ୍ ଯୋଗାଇବା ସହ ସେମାନେ ଯେମିତି ନିରାପଦରେ ଗାଁକୁ ଫେରିବେ ସରକାର ନିଶ୍ଚିତ କରାଇବେ । ହିଂସାରେ ଯେଉଁ ମାନେ ଆତ୍ମୀୟମାନଙ୍କୁ ହରାଇଛନ୍ତି, କ୍ଷତବିକ୍ଷତ ହୋଇଛନ୍ତି, ଘର, ଖାଦ୍ୟଶସ୍ୟ, ପଶୁସମ୍ପଦ ଏବଂ ଅନ୍ୟ ଯାହାସବୁ ହରାଇଛନ୍ତି ସେଥିପାଇଁ କ୍ଷତିପୂରଣ ଯୋଗାଇଦେବେ । ଏହି ପକ୍ରିୟାକୁ ତଦାରଖ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳକୁ ଜାଣିଥିବା ଅବସରପ୍ରାପ୍ତ ବିଚାରପତିମାନଙ୍କୁ ନେଇ ଉଚ୍ଚନ୍ୟାୟାଳୟ ବା ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ୱାରା ଏକ କମିଟି ଗଠନ କରାଯାଉ ।

ତେବେ ମଣିପୁର ତଥା ସମଗ୍ର ଉତ୍ତର-ପୂର୍ବ ଭାରତ ଅବଶିଷ୍ଟ ଭାରତୀୟଙ୍କର ମାନସପଟ୍ଟରେ କେବେ ବି ନଥିଲା ବେଳେ, ଆଜି ସମଗ୍ର ଉତ୍ତର-ପୂର୍ବ ଭାରତ ଭାରତୀୟ ଜନତାପାର୍ଟିର ଶାସନାଧିନ ହୋଇସାରିଛି । ଏହି ଦଳଟି ଗୋଟିଏ ପଟେ ହିନ୍ଦୁରାଷ୍ଟ୍ର ଗଠନ ପାଇଁ ସଂଘ ପରିବାରର ସ୍ୱପ୍ନକୁ ନେଇ ସାକାର କରିବାପାଇଁ ଉଦ୍ୟମ କରୁଛି ଏବଂ ଅନ୍ୟପଟେ ସେମାନଙ୍କ ହାତରେ କର୍ପୋରେଟ ଜଗତ ଆଉ ଏକ କାର୍ଯ୍ୟସୂଚୀ ସର୍ମପଣ କରିଛି ।

ତାହା ହେଉଛି ସମ୍ବିଧାନର ପଞ୍ଚମ ଓ ଷଷ୍ଠ ଅନୁଚ୍ଛେଦ ଅଞ୍ଚଳରେ ଥିବା ଏବଂ ଅଣଆଦିବାସୀମାନଙ୍କୁ ହସ୍ତାନ୍ତରୀକରଣ ପାଇଁ ଆଇନଗତ ପ୍ରତିବନ୍ଧକ ଥିବା ଜମିଗୁଡ଼ିକୁ କେମିତି ବ୍ୟବସାୟିକ ଲାଭ ପାଇଁ ଅକ୍ତିଆର କରାଯାଇପାରିବ । ଏଥିପାଇଁ ଅଣଆଦିବାସୀମାନଙ୍କୁ ଆଦିବାସୀର ମାନ୍ୟତା ଦେବା ସବୁଠାରୁ ନିରପଦ ବାଟ । ଆଜି ମଣିପୁରରେ ଯାହା ଘଟିଛି ତାହା ଏଭଳି ଏକ ସାମ୍ପ୍ରଦାୟିକ ଏବଂ କର୍ପୋରେଟ ଗଠବନ୍ଧନର ଏକ ଘୃଣ୍ୟ ରୂପ ମାତ୍ର । ସେଥିପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଆଜି ନିରବ! ଅବଶିଷ୍ଟ ଭାରତୀୟମାନେ ଯଦି ନିଜ ସମ୍ବେଦନହୀନତାକୁ ବଞ୍ଚାଇ ରଖିବା ପାଇଁ ନେଇଥିବା ଦୀକ୍ଷାଟିକୁ ପରିତ୍ୟାଗ ନକରନ୍ତି, ଏଭଳି ହିଂସା ନିଜ ଅଞ୍ଚଳକୁ କେତେବେଳେ ଓ କେମିତି ପହଞ୍ଚିଯିବ ସେମାନେ ବୁଝିବା ବେଳକୁ ବେଶି ଡ଼େରି ହୋଇଯାଇଥିବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.