ଲୁଣ ଓ ଆଜାଦୀର ସାହିତ୍ୟ

ସ୍ୱାଧୀନ ଭାରତର ସରକାରଙ୍କ ନିକଟକୁ ୨୨.୯.୧୯୪୭ରେ ମହାତ୍ମା ଗାନ୍ଧୀ ଏକ ପତ୍ର ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ, ଦାଣ୍ଡି ଯାତ୍ରାକୁ ପାଶୋରିବ ନାହିଁ, ଲୁଣ ଟକସ ଛାଡ଼ କରିବ, ହିନ୍ଦୁ ମୁସଲମାନ ଐକ୍ୟ ସ୍ଥାପନ କରିବ ।

ବିନୋଦ
ବିନୋଦ181 Views
18 Min Read

ଲୁଣ ସହ ମଣିଷର ସମ୍ପର୍କ ମଣିଷର ସୃଷ୍ଟି କାଳରୁ । ମଣିଷର ଶରୀରରେ ବି ଲୁଣ ରହିଛି । ତା’ର ରକ୍ତ, ଝାଳ ଲୁଣିଆ । ଲୁଣ ବିନା ମଣିଷ ଖାଦ୍ୟ ଖାଇପାରେନି । ଏଇ ଲୁଣକୁ ବି ନେଇ ତିଆରି ହୋଇଛି ଭାରତର ସ୍ୱାଧୀନତା ସଂଗ୍ରାମ । ଲୁଣ ପାଇଁ ତିଆରି ହୋଇଛି ସତ୍ୟାଗ୍ରହ । ଏଇ ଲୁଣକୁ ଆଶ୍ରାକରି ବ୍ରିଟିଶ ଅର୍ଜନ କରିଥିଲା ମୁନାଫା । ବିଶାଳ ସମୁଦ୍ରର ଉନ୍ମୁକ୍ତ ବକ୍ଷରେ ଲୁଣର ତରଳ ସମ୍ଭାର ଦିନେ ଭାରତୀୟମାନଙ୍କ ମନରେ ଓ ପ୍ରାଣରେ ତିଆରି କରିଥିଲା ମୁକ୍ତିର ଉନ୍ମାଦନାର ଜ୍ୱାଳା । ଶହଶହ ନେତା, କର୍ମୀ ଓହ୍ଲାଇ ଆସିଥିଲେ ଲବଣ ସତ୍ୟାଗ୍ରହକୁ । ଗୁଜରାଟରୁ ଓଡିଶା… ସମସ୍ତ ଉପକୂଳ ଜିଲ୍ଲାରେ ଏଇ ଲୁଣ ଖେଳାଇ ଦେଇଥିଲା ବିଦ୍ରୋହର ଚମକ । କାହାର ନ ଥିଲା ଭୟ । ଲୁଣ ମୁଠାକରେ ଜଳୁଥିଲା ଭାରତୀୟତାର ମହାନ ଦୀପ । ଲୁଣକୁ ନେଇ ତିଆରି ହୋଇଥିଲା ସାହିତ୍ୟ । କବିପ୍ରାଣରେ ବହିଗଲା ଲବଣାକ୍ତ ଧାରାର ଶ୍ରାବଣ । କଲମ ମୁନରେ ରଚନା ହେଲା ଲୁଣକୁ ନେଇ ସାହିତ୍ୟ । ଯଦିଓ ମୁଷ୍ଟିମେୟ ସାହିତ୍ୟିକ ଜାତୀୟ ପ୍ରାଣରେ ଉଦ୍‌ବୁଦ୍ଧ ହୋଇ ଏହାକୁ ନେଇ ରଚନା କରିଥିଲେ ସାହିତ୍ୟ ତଥାପି ତାହାର ପରିସର ଥିଲା ଅତ୍ୟନ୍ତ ବୃହତ୍ । ସମଗ୍ର ସତ୍ୟାଗ୍ରହରେ ଖେଳାଇ ଦେଇଥିଲା ବିଦ୍ରୋହର ଦାବାଗ୍ନି ।

ଭାରତୀୟଙ୍କ ସହ ଲୁଣର ସମ୍ପର୍କ କ୍ଷୀରନୀରଗତ । ଭାରତ ଏକ ଗ୍ରୀଷ୍ମପ୍ରଧାନ ଦେଶ ହୋଇଥିବାରୁ ଆମର ଝାଳରେ ବହୁ ପରିମାଣର ଲୁଣ ବାହାରକୁ ଚାଲିଯାଏ । ଫଳରେ ଶରୀରରେ ଭାରସାମ୍ୟ ପାଇଁ ଲୁଣର ଆବଶ୍ୟକତା ଅତି ଜରୁରୀ । ଲୁଣ ବିନା ଭାରତୀୟ ଚଳେ ନ ଚଳେ । ପଖାଳ କଂସାରେ ଲୁଣ ନ ପଡ଼ିଲେ କେହି ଖାଇପାରିବେ ନାହିଁ । ଏଥିପାଇଁ କବି ଲେଖିଛନ୍ତି:

“ଉତ୍କଳେ ପଖାଳ ସଞ୍ଜିବନୀ ସୁଧା

ହରେ ଏକବାର ଭୋକ ଶୋଷ ବାଧା ।”

ଏହାକୁ ଦୃଷ୍ଟିରେ ରଖି ବ୍ରିଟିଶ ଶାସକ ନିଷ୍ପତ୍ତି ନେଲା ଭାରତୀୟମାନେ ଲୁଣ ମାରିପାରିବେ ନାହିଁ । ବ୍ରିଟେନରୁ ତିଆରି ଧଳା ଲୁଣ ସେମାନଙ୍କୁ ବିକ୍ରି କରାଯିବ । ଭାରତର ତିନି ଦିଗରେ ସମୁଦ୍ର ଥିବାରୁ ଦେଶରେ ହଜାର ହଜାର ଲୁଣମରାଳୀ ପରିବାର ରହୁଥିଲେ । ସେମାନଙ୍କୁ ମଳଙ୍ଗୀ କୁହାଯାଉଥିଲା । ସେମାନେ ପଞ୍ଜାବ, କାଶ୍ମୀର ଆଦିକୁ ବହୁଳ ପରିମାଣର ଲୁଣ ବି ଯୋଗାଉଥିଲେ ଏବଂ ଏହା ସେମାନଙ୍କ ଆୟ ଥିଲା । ଜମିଦାରମାନେ ବି ସେମାନଙ୍କୁ ନିୟୋଜିତ କରି ଲୁଣ ବ୍ୟବସାୟ କରୁଥିଲେ । ମୋଗଲ ରାଜତ୍ୱ ଆରମ୍ଭ ହେବା ପରେ ଭାରତରେ ପ୍ରଥମେ ଲୁଣ ଉପରେ କର ବସାଗଲା । ସେତେବେଳେ ଶହେ ମହଣ ଲୁଣ ପାଇଁ ୨୨ଟଙ୍କା କରଧାର୍ଯ୍ୟ ହୋଇଥିଲା । ଲୁଣବେପାରୀମାନେ ମୋଗଲ ସାମ୍ରାଜ୍ୟର ପ୍ରଜାମାନଙ୍କୁ ଲୁଣ ଯୋଗାଉଥିବା ହେତୁ ସେମାନଙ୍କୁ ‘ମାଲିକ ଉଲ ତଜ୍ଜବ’, ବରକ ଉଲ ତଜ୍ଜବ’ ଆଦି କୁହାଯାଉଥିଲା ।

୧୭୫୭ରେ ମୀରଜାଫରଙ୍କ ସାହାଯ୍ୟରେ ଇଷ୍ଟ ଇଣ୍ଡିଆ କମ୍ପାନୀ ପଲାସୀ ଯୁଦ୍ଧରେ ବିଜୟୀ ହେଲା ଏବଂ ସିରାଜୌଦ୍ଦଲାଙ୍କ ସ୍ଥାନରେ ମୀରଜାଫରଙ୍କୁ ନବାବ କରାଗଲା । ମୀରଜାଫର ଯୁଦ୍ଧ ଋଣ ପରିଶୋଧ କରିବା ପାଇଁ ଓଡ଼ିଶା, ବିହାର, ବଙ୍ଗଳାରୁ ଖଜଣା ଆଦାୟ କରିବା ପାଇଁ ନିଷ୍ପତ୍ତି ନେଲେ । ଲୁଣ, ଗୁଆ ଓ ଧୂଆଁପତ୍ର ବ୍ୟବସାୟକୁ କବଳିତ କରିବା ପାଇଁ ତଥା ଏହି ବହୁଳ ବ୍ୟବସାୟ ଜରିଆରେ ପ୍ରଭୁତ ଅର୍ଥ ଆଦାୟ କରିବାପାଇଁ ମୀରଜାଫରଙ୍କ ନିଷ୍ପତ୍ତିକୁ ଇଷ୍ଟ୍‌ଇଣ୍ଡିଆ କମ୍ପାନୀ ଅନୁମତି ଦେଲା । ଫଳରେ ଭାରତରେ ଲବଣ ଶିଳ୍ପ ଏକରକମ ଧ୍ୱଂସ ଅବସ୍ଥାକୁ ଆସିଗଲା । ଏହି ଆଇନ ବିରୋଧରେ ବ୍ରିଟେନ ପାର୍ଲାମେଣ୍ଟରେ ନାପସନ୍ଦ କରାଗଲେ ମଧ୍ୟ ତାହା କାର୍ଯ୍ୟକାରୀ ହେଲା । ଲର୍ଡ କ୍ଲାଇଭ ଓ କଲିକତା କାଉନସିଲରମାନେ ଏକ ଟ୍ରେଡିଂ ୟୁନିଅନ ଗଠନ କଲେ ଏବଂ ଘୋଷଣା କରାଗଲା ଯେ, ବିଭିନ୍ନ ଅଞ୍ଚଳର ବ୍ୟବସାୟୀମାନେ ଏହି ୟୁନିଅନଠାରୁ ହିଁ ଲୁଣ କିଣିବେ । ପରେ ଲବଣ ବ୍ୟାପାର ସମ୍ପୂର୍ଣ୍ଣ କମ୍ପାନୀ ହାତକୁ ଆସିଯିବା ପରେ କମ୍ପାନୀ ୧୭୮୧ରେ ଏକ ସ୍ୱତନ୍ତ୍ର ଲବଣ ବିଭାଗ ସୃଷ୍ଟି କଲା । ବିଭିନ୍ନ ସ୍ଥାନରେ ଏଜେଂଟଣ୍ଟମାନ ରଖାଯାଇ ସେମାନଙ୍କୁ ମାଜିଷ୍ଟ୍ରେଟସ୍ତରୀୟ କ୍ଷମତା ଦିଆଯାଇ ଲୁଣ ବିକ୍ରି କରାଗଲା । ସେତେବେଳେ ଦୁଇଟି ପଦ୍ଧତିରେ ଲୁଣ ମରାଯାଉଥିଲା । ଗୋଟିଏ ହେଉଛି ଲୁଣିଆପାଣିକୁ ଗରମ କରି ଲୁଣ ତିଆରି କରିବା ଏବଂ ଅନ୍ୟଟି ହେଉଛି ସମୁଦ୍ର କିଆରୀ ତିଆରି କରି ଲୁଣ ମାରିବା । ଓଡ଼ିଶା ଓ ବଙ୍ଗଳାରେ ତିଆରି ଲୁଣ ଅଧିକ ଖର୍ଚ୍ଚ ହେବାରୁ ଏଠାରେ ଲୁଣ ତିଆରି ବନ୍ଦ କରିଦେଇ ମାନ୍ଦ୍ରାଜରେ ମରାଯାଉଥିବା ଲୁଣକୁ ଏଠାରେ ବିକ୍ରି କରାଗଲା । ତେଣେ ବିଲାତର ଲୁଣବେପାରୀ ଭାରତରେ ଲୁଣ ବ୍ୟବସାୟ କରିବା ପାଇଁ ଅପେକ୍ଷା କରିଥିଲେ । ତେଣୁ ଏହିଭଳି ଏକ ଗୋଳମାଳିଆ ପରିସ୍ଥିତିରେ ସେମାନେ ୧୮୩୫ରେ ବିଲାତି ଲୁଣକୁ ଭାରତରେ ବିକ୍ରି କରିବା ଆରମ୍ଭ କଲେ । ପ୍ରଥମେ ଦେଶୀ ଲୁଣ ଓ ବିଦେଶୀ ଲୁଣଉପରେ ସମାନ କର ବସାଇଲେ ମାତ୍ର ପରେ ବିଲାତୀ ଲୁଣଉପରୁ ଶୁଳ୍କକମାଇ ଦେଶୀ ଲୁଣ ଉପରେ ଅଧିକ କର ଲାଗୁ କଲେ । ଫଳରେ ଦେଶୀ ଲୁଣ ଉତ୍ପାଦନ ପୂରାପୂରି କମିଯିବା ବେଳେ ଇଷ୍ଟ ଇଣ୍ଡିଆ ଶାସକ ନିଜ ଦେଶର ଲୁଣ ବ୍ୟବସାୟୀଙ୍କ ସ୍ୱାର୍ଥକୁ ଅଧିକ ଜଗିଲେ । କମ୍ପାନୀ ହାତକୁ ଲୁଣର ଏକଚାଟିଆ କାରବାର ଚାଲିଯିବା ପରେ ଲୋକମାନେ ଲୁଟ ମୁଠାଏ ପାଇବା ପାଇଁ ନାନା ହଇରାଣ ହେଲେ । କେତେକେ ନିଜ ଘରେ ଲୁଣମାରିଲେ । ମାତ୍ର ତାହା ମଧ୍ୟ ବେଆଇନ ହୋଇଗଲା ।

ରମେଶ ଚନ୍ଦ୍ର ଦତ୍ତ ଲେଖିଲେ:- ନୀତିକୁ କାର୍ଯ୍ୟକାରୀ କରିବାରେ କମ୍ପାନୀ ଅତିମାତ୍ରାକୁ ଚାଲିଗଲେ ଏବଂ ବ୍ରିଟିଶ ଉତ୍ପାଦନକାରୀଙ୍କୁ ଅଯଥା ସୁବିଧା ଦେଲେ । କାରଣ ଉତ୍ପାଦନର ଖର୍ଚ୍ଚ ଭିତରେ ଟିକସ ଆଦାୟ କରିବା ଓ ସଂରକ୍ଷଣ କରିବାର ଖର୍ଚ୍ଚକୁ ଅନ୍ତର୍ଭୁକ୍ତ କରିଦେଲେ ଏବଂ ବଙ୍ଗଳାରେ ତିଆରି ହେଉଥିବା ଲୁଣର ବିକ୍ରି ଦର ସହିତ ମିଶାଇଦେଲେ । ଏହି ଭୁଲର ପୂରା ସୁବିଧା ବ୍ରିଟିଶ ଉତ୍ପାଦନକାରୀ ପାଇଲେ । ବ୍ରିଟିଶ ଲୁଣ ବିକ୍ରି ହୁ ହୁ ହୋଇ ବଢ଼ିଚାଲିଲା । (India in the Victorian Age, page-145)

ଫକୀରମୋହନ ସେନାପତି ‘ବାଲେଶ୍ୱରୀ ପଙ୍ଗାଲୁଣ’ ଶିରୋନାମାରେ ଲେଖିଛନ୍ତି:- “ଲାଭ ନ ହେବାରୁ ସରକାର ପୋକ୍ତାନ କାର୍ଯ୍ୟରହିତ କରାଇ ଦେଲେ । ସରକାର ମୂଲିଆମାନଙ୍କଠାରୁ ପ୍ରତି ମହଣ ପାଞ୍ଚଅଣା ହିସାବରେ ଗ୍ରହଣ କରୁଥିଲେ । ବିକ୍ରି ମହଣକୁ ଦୁଇ ଟଙ୍କା । ପ୍ରତି ମହଣରେ ଏକ ଟଙ୍କା ଏଗାର ଅଣା ଲାଭ । କେବଳ ବାଲେଶ୍ୱର ଜିଲ୍ଲାରେ ନଅଲକ୍ଷ ମହଣ (ଲୁଣ)ର ଲାଭ ହିସାବ କରି ନିଅ । କଟକ, ପୁରୀ ଜିଲ୍ଲା କଥା ଥାଉ ।’

ଭାରତରେ ଲୁଣ ସଂକଟ ଟଳାଇବା ପାଇଁ ଲର୍ଡ ଡେଲହାଉସୀ ଯଦିଓ ସ୍ୱଦେଶୀ ଲୁଣ ସମ୍ପର୍କରେ ମତ ଦେଇଥିଲେ, ତାହାକୁ ଇଂରେଜ ବଣିକ ଓ ଇଂରେଜ ଲୁଣ ବ୍ୟବସାୟୀ କରାଇବାକୁ ଦେଲେ ନାହିଁ । ଫଳ ଏହା ହେଲା ଯେ, ଊନ୍ନବିଂଶ ଶତାବ୍ଦୀର ପ୍ରଥମ ଭାଗରୁ ଇଷ୍ଟ୍‌ଇଣ୍ଡିଆ କମ୍ପାନୀର ଲବଣ ଶୁଳ୍କ ଦ୍ୱାରା ସମଗ୍ର ଭାରତର ଅତି ପ୍ରାଚୀନ ଲବଣ ଶିଳ୍ପ ଏକାଦିକ୍ରମେ ୧୦୦ ବର୍ଷ ଧରି ଲୋପ ପାଇଗଲା । ବିଲାତୀ ଲୁଣ, ବିଲାତୀ ଲୁଗା, ବିଲାତୀ ରେଶମ, ବିଲାତୀ ଯନ୍ତ୍ରପାତି ଆଦି ଭାରତୀୟ ବଜାରକୁ କବ୍‌ଜା କଲା । ଏ ସମ୍ପର୍କରେ ଦାଦା ଭାଇ ନାରୋଜୀ ଲେଖିଥିଲେ:

କେଡେ ଲଜ୍ଜାର ସହିତ ସ୍ୱୀକାର କରିବାକୁ ପଡୁଛି ଯେ, ବ୍ରିଟିଶ ଶାସନର ଦୀର୍ଘକାଳ ପରେ ସୁଦ୍ଧା ଭାରତବାସୀ ଏତେ ଦୟନୀୟ ଅବସ୍ଥାରେ ଅଛନ୍ତି ଯେ, ସେମାନଙ୍କର ଏପରି କିଛି (ସମ୍ବଳ) ନାହିଁ ଯେଉଁଥିରୁ ସରକାର ଖଜଣା ବା ଟିକସ ଆଦାୟ କରିପାରିବ । ଅତଏବ ସରକାର ଅସାଧାରଣ ସ୍ଥିତିରେ ପଡି ଲୋକଙ୍କର ଅତି ଅପରିହାର୍ଯ୍ୟ ଗୋଟିଏ ପଦାର୍ଥ(ଲୁଣ) ଉପରେ ଟିକସ କରାଇବାକୁ ବାଧ୍ୟ ହେଉଛି । (Poverty and Unbritish Rule in India)

ସେହିପରି ୧୮୩୨ରେ ରାଜା ରାମମୋହନ ରାୟ କହିଥିଲେ:- ‘ଦରିଦ୍ରତମ ରାଜ ସାମାନ୍ୟ ଟିକିଏ ଲୁଣପାଇବା ପାଇଁ ନିଜର ଅନ୍ୟସବୁ (ପଦାର୍ଥ) ତ୍ୟାଗ କରିବାକୁ ପ୍ରସ୍ତୁତ, କାରଣ ଦୀର୍ଘକାଳର ଅଭ୍ୟାସ ହେତୁ ସେ ତାକୁ ଜୀବନରେ ଅପରିହାର୍ଯ୍ୟ ମନେକରେ । ଯଦି ଲୁଣ ଅଧିକ ଶସ୍ତା ଓ ଭଲ ହୋଇପାରେ ତେବେ ଭାରତବାସୀଙ୍କର ସାଧାରଣ ସ୍ୱାଚ୍ଛନ୍ଦ୍ୟ ବଢିବ ।’

କଟକର ଡିଷ୍ଟ୍ରିକ୍ଟ ଗେଜେଟିୟର ପ୍ରଣେତା ମିଃ. ଓମେଲ ଲେଖିଛନ୍ତି ଯେ, ଓଡ଼ିଶାର ଲୁଣ ପୋକ୍ତାନ ମାନ୍ଦ୍ରାଜ ସରକାରଙ୍କ ଅଧୀନକୁ ଚାଲିଯିବାରୁ ଓଡ଼ିଶାର ଲୁଣ କାରବାର ବନ୍ଦ ହୋଇଗଲା । ୧୮୫୭ ସିପାହୀବିଦ୍ରୋହ ପରେ ବିଲାତ ସରକାର ଭାରତର ଶାସନ ଭାର ନିଜ ହାତକୁ ନେଲେ ମଧ୍ୟ ସେତେବେଳେ ଲବଣ ନୀତି ବଦଳିପାରିଲା ନାହିଁ । ଫଳରେ ମଳଙ୍ଗୀମାନଙ୍କ ଜୀବିକା ସମ୍ପୂର୍ଣ୍ଣ ଧ୍ୱଂସ ପାଇଗଲା । ୧୮୬୬ର ଭୟଙ୍କର ଦୁର୍ଭିକ୍ଷର ଅନ୍ୟତମ କାରଣ ଥିଲା ଲବଣ ଆଇନଦ୍ୱାରା ଲୁଣମରା ବନ୍ଦ କରିବା । ୧୮୩୫ରୁ ୧୯୧୦ ଯାଏ ବିଲାତୀ ଲୁଣର ଏକଚାଟିଆ କାରବାର ଚାଲିବା ପରେ ଏଡେନ, ସ୍ପେନ, ରୁମାନିଆ, ପୋର୍ଟ ସଏଦରୁ ମଧ୍ୟ ଭାରତକୁ ଲୁଣ ଆସିଲା । ଏଡେନର ଲୁଣ ବିଲାତୀ ଲୁଣଠାରୁ ଭଲଥିବାରୁ ଏହାର ଚାହିଦା ବଢ଼ିଲା । ୧୯୧୪ରେ ପ୍ରଥମ ବିଶ୍ୱଯୁଦ୍ଧ ଆରମ୍ଭ ହେବାପରେ ବିଲାତୀ ଲୁଣ ଯୋଗାଇବା ସମ୍ଭବ ହେଲା ନାହିଁ । ଫଳରେ ଭାରତରେ ଲୁଣ ମାରିବା ପାଇଁ ବ୍ରିଟିଶ ମୁଣ୍ଡରେ ଚିନ୍ତାପଶିଲା । ମାତ୍ର ସେତେବେଳେ ମଳଙ୍ଗୀମାନେ ନିଜର କୌଳିକ ପ୍ରଥାକୁ ଭୁଲି ଜୀବିକାର୍ଜନ ପାଇଁ ଅନ୍ୟ ପନ୍ଥା ନେଇଥିଲେ । ଯେଉଁମାନେ ଚାହିଁଲେ ସେମାନେ ବ୍ରିଟିଶ ଉପରେ ଆସ୍ଥା ରଖିଲେ ନାହିଁ । ଫଳରେ ବ୍ରିଟିଶ ପୁଣି ଲୁଣ ଉପରେ ଅଧିକ କର ବସାଇଲା । ତେଣେ ଅନ୍ୟାନ୍ୟ ଦେଶରୁ ଆସୁଥିବା ଲୁଣ ଶସ୍ତା ହେବାରୁ ବ୍ରିଟିଶ ଏକ ନିୟମ କରି ସମାନ ଦରରେ ଲୁଣ ବିକ୍ରି କରିବା ପାଇଁ ନିୟମ କଲା । ଏଡେନ, ଲିଭରପୁଲ, ରୁମାନିଆ, ସ୍ପେନର ପ୍ରାୟ ଦେଢ଼କୋଟି ମହଣ ଲୁଣ ୧୯୨୫-୧୯୨୭ ମଧ୍ୟରେ ବିକ୍ରି ହୋଇଥିବା ଜଣାଯାଏ ।

ଲୁଣକୁ ନେଇ ସମଗ୍ର ଭାରତରେ ଏକ ବିଚଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା । ଲୁଣ ଖାଇବେ କି ନାହିଁ, କେତେ ପରିମାଣରେ ଖାଇବେ ତାହାକୁ ସେମାନେ ଭାବିବାକୁ ପଡୁଥିଲା ।

ଲୁଣକୁ ବିଦ୍ରୋହ କରିବାପାଇଁ ଗାନ୍ଧିଜୀଙ୍କ ଭୂମିକା ଆରମ୍ଭ ହୋଇଥିଲା । ୧୮୩୫ର ଲବଣ ଆଇନକୁ ଉତ୍‌ଖାତ କରିବାପାଇଁ ଗାନ୍ଧିଜୀ ଅଖିଳ ଭାରତୀୟ କଂଗ୍ରେସ ରାଷ୍ଟ୍ରୀୟ କଂଗ୍ରେସରେ ପ୍ରସ୍ତାବ ଦେଲେ । ଏହାକୁ ଅଧିକାଂଶ ନେତା ସମ୍ଭବପର ନୁହେଁ ବୋଲି କହିବା ପରେ ବି ଲୁଣକୁ ନେଇ ସଂଗ୍ରାମ ଆରମ୍ଭ କରାଯିବ ବୋଲି ଗାନ୍ଧିଜୀ ଅଟଳ ରହିଲେ । ଭାରତର ବଡଲାଟଙ୍କ ନିକଟକୁ ପତ୍ରଲେଖି ଗାନ୍ଧି ଜଣାଇଲେ ଯେ ତୁରନ୍ତ ଏହି ଆଇନ ନ ହଟାଇଲେ ଆଇନ ଅମାନ୍ୟ ଆନ୍ଦୋଳନ ହେବ । ଏ ସଂକ୍ରାନ୍ତ ଗାନ୍ଧିଜୀଙ୍କ ଏକ ଚିଠି ରେଜିନାଲ୍ଡ ରେଜାଲଡ ନାମକ ଜଣେ ଇଂରେଜ ସାମ୍ବାଦିକ ଖଦଡ ଲୁଗା ପିନ୍ଧି ବଡଲାଟଙ୍କ ନିକଟକୁ ଚିଠି ଦେବାକୁ ଗଲେ । ତେବେ ତାଙ୍କ ପ୍ରାଇଭେଟ ସେକ୍ରେଟାରୀଙ୍କଠାରୁ ଏହି ଚିଠିର ନାସ୍ତିବାଣୀ ଆସିବା ପରେ ୧୯୩୦ମାର୍ଚ୍ଚ ୧୨ରେ ଆଶ୍ରମର ୭୮ଜଣ କର୍ମୀଙ୍କୁ ନେଇ ଆଇନ ଅମାନ୍ୟ ଆନ୍ଦୋଳନ ଆରମ୍ଭ କଲେ । ଗାନ୍ଧିଜୀଙ୍କ ଆଶ୍ରମରୁ ଦାଣ୍ଡୀ ସମୁଦ୍ର କୂଳ ହେଉଛି ୨୦୦ ମାଇଲ ଦୂର । ୨୪ଦିନରେ ଏହି ଯାତ୍ରା ଶେଷ ହେଲା । ଗାନ୍ଧୀ ଯେଉଁ ବାଟ ଦେଇ ଗଲେ ସେହି ବାଟରେ କବି କବିତା ଗାଇଲା, ମହିଳା ଫୁଲ ପକାଇଲେ, ଗାଁରେ ତୋରଣ ବନ୍ଧା ହେଲା । ୩୦୦ କର୍ମଚାରୀ ସରକାରୀ ଚାକିରି ଛାଡ଼ିଲେ । ୧୯୩୦ ଏପ୍ରିଲ ୬ରେ ଗାନ୍ଧିଜୀ ଲୁଣ ମୁଠାରେ ହାତରେ ଧରିଲେ । ସରୋଜିନୀ ନାଇଡ଼ୁ ଜୟଧ୍ୱନି ଦେଲେ: ମୁକ୍ତି ଦାତାଙ୍କର ଜୟ । ସେହିଦିନ ସମୁଦ୍ର କୂଳରେ ରକ୍ତପାତ ହେଲା । ୟଙ୍ଗ ଇଣ୍ଡିଆରେ ଗାନ୍ଧୀ ଲେଖିଲେ: ସତ୍ୟାଗ୍ରହୀଙ୍କ ମୁଠାଭିତରେ ଥିବା ଲୁଣ ହେଉଛି ରାଷ୍ଟ୍ରର ଆତ୍ମସମ୍ମାନର ପ୍ରତୀକ । କେହି ଜବରଦସ୍ତି ହାତକୁ ମୋଡ଼ି ତାହା ଛଡ଼ାଇ ନ ଦେବା ଯାଏ ସେ ଲୁଣ କାହାକୁ ଦିଆଯିବ ନାହିଁ । ଆନ୍ଦୋଳନରେ ଗାନ୍ଧିଜୀଙ୍କ ଦୁଇ ପୁଅ ଦେବଦାସ ଓ ରାମଦାସ, ଓଡ଼ିଶାରେ ଆଚାର୍ଯ୍ୟ ହରିହର, ରମାଦେବୀ, ମାଳତୀ ଦେବୀ, ସରଳା ଦେବୀ ପ୍ରମୁଖ ଗିରଫ ହେଲେ । ଇଂଚୁଡି, କୁଜଙ୍ଗ, ଅସ୍ତରଙ୍ଗ ଆଦିରେ ଲୁଣ ମରା ହେଲା । ଆନ୍ଦୋଳନର ତୀବ୍ରତା ଏତେ ଅଧିକ ଥିଲା ଯେ, ବଡଲାଟ ଇରଉଇନ ଓ ଗାନ୍ଧିଜୀଙ୍କ ମଧ୍ୟରେ ସନ୍ଧିପତ୍ର ସ୍ୱାକ୍ଷରିତ ହେଲା । ଏଥିରେ ରହିଲା ଯେ, ସମୁଦ୍ର ଉପକୂଳରେ ରହୁଥିବା ଲୋକଙ୍କୁ ଲୁଣମାରିବାର ଅଧିକାର ଦିଆଯିବ ।

ଯେତେବେଳେ ଭାରତ ସ୍ୱାଧୀନତା ଲାଭ କଲା ସେତେବେଳେ ସ୍ୱାଧୀନ ଭାରତର ସରକାରଙ୍କ ନିକଟକୁ ୨୨.୯.୧୯୪୭ରେ ମହାତ୍ମା ଗାନ୍ଧୀ ଏକ ପତ୍ର ଲେଖିଥିଲେ । ସେଥିରେ ସେ ଉଲ୍ଲେଖ କରିଥିଲେ ଯେ,

୧-ଦାଣ୍ଡି ଯାତ୍ରାକୁ ପାଶୋରିବ ନାହିଁ, ୨- ଲୁଣ ଟକସ ଛାଡ଼ କରିବ, ୩- ହିନ୍ଦୁ ମୁସଲମାନ ଐକ୍ୟ ସ୍ଥାପନ କରିବ ।

ୟଙ୍ଗ ଇଣ୍ଡିଆ, ତା. ୧୭ା୪ା୧୯୩୦ରେ ଗାନ୍ଧୀ ଲେଖିଥିଲେ- ‘ଏହି ଲୁଣ ସ୍ୱାସ୍ଥ୍ୟ ପକ୍ଷରେ କ୍ଷତିକାରକ ବୋଲି ସରକାରୀ ଇସ୍ତାହାର ଗୋଟିଏ ଦୂରଭିସନ୍ଧିପୂର୍ଣ୍ଣ ମିଥ୍ୟାଯୁକ୍ତି ବୋଲି ମହାଦେବ ଦେଶାଇ ପ୍ରମାଣ କରିସାରିଛନ୍ତି । ଅମାନୁଷିକ ଆଇନସମୂହ ସତ୍ତ୍ୱେ ଏହି ଅଞ୍ଚଳର (ଦାଣ୍ଡି) ଚତୁଃପାଶ୍ୱର୍ବର୍ତ୍ତୀ ଲୋକେ ପ୍ରଚୁର ପରିମାଣରେ ପ୍ରକୃତିଦତ୍ତ ଲୁଣ ବ୍ୟବହାର କରିଆସୁଛନ୍ତି । ଏହାଦ୍ୱାରା ସେମାନଙ୍କର କୌଣସି କ୍ଷତି ହୋଇଥିବା ସେମାନେ କେବେ ଅନୁଭବ କରିନାହାନ୍ତି ।’

ଏହି ଐତିହାସିକ ଲବଣ ସତ୍ୟାଗ୍ରହ ଏକ ଅହିଂସା ଆନ୍ଦୋଳନ ଯଦିଓ ଥିଲା, ତଥାପି ଏହା ଏକ ଶାଣିତ ବିପ୍ଳବ କହିଲେ ଭୁଲ ହେବ ନାହିଁ । ସମଗ୍ର ଭାରତରେ ଏହି ଆନ୍ଦୋଳନ ଏକ ନବଝଙ୍କାର ସୃଷ୍ଟି କଲା । କବିମାନେ ସାହିତ୍ୟ ଜରିଆରେ ଲୁଣ ଆନ୍ଦୋଳନ ସପକ୍ଷରେ ରଚନା କଲେ । ଗାଁ ଗାଁରେ ଲୋକ ଏହି ଗୀତ ବୋଲି ଆନ୍ଦୋଳନରେ ସାମିଲ ହେଲେ । ଏହାର ପ୍ରଭାବ ଥିଲା ଅଖଣ୍ଡ । ଏହି ସମୟକାଳରେ ଇଂରେଜମାନେ କେବଳ ଓଡ଼ିଶାର ନୁହେଁ ସମଗ୍ର ଦେଶରେ କୌଳିକ ବୃତ୍ତିକୁ ଧ୍ୱଂସ କରିଦେଲେ । ଶୋଷଣରେ ଉତ୍ପୀଡ଼ିତ ଭାରତୀୟମାନେ ଆୟହୀନ ହୋଇରହିଲେ । ସମଗ୍ର ଶିଳ୍ପୀକୁଳ ହାହାକାର ମଧ୍ୟରେ ବଞ୍ଚିତ ରହିଲେ । ଯେଉଁ ଦେଶର ଉତ୍ପାଦିତ ଦ୍ରବ୍ୟ ସୁଦୂର ଦେଶବିଦେଶରେ ଆଦୃତ ହେଉଥିଲା, ତାହାର ଉତ୍ପାଦନ ବନ୍ଦ ହୋଇଗଲା । ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ଓ କଟକର ତାରକସୀ ଶିଳ୍ପ ମଧ୍ୟ କ୍ଷତିର ସମ୍ମୁଖୀନ ହେଲା । ଲୁଣର ଇଂରେଜ ମାଲିକାନାକୁ ବିରୋଧ କରି ବ୍ୟାସକବି ଫକୀର ମୋହନ ଲେଖିଲେ:

ଓଳିତଳେ ଲୁଣ କୋଟିଏ ମହଣ

ଥାଉ ମୋହ କଥା ଶୁଣ

ବୋଇଲେ ତ ହେବ, ଖାଇବାକୁ ହେବ

ଲିଭରପୁରରୁ ଲୁଣ ।

ମାଞ୍ଚେଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି

ତୁମ୍ଭମାନଙ୍କ ସକାଶେ

ବୁଡୁ ତନ୍ତୀବଂଶ ହେଉ ସର୍ବନାଶ

ଯାଆନ୍ତୁ ସେ ବନବାସେ ।

ସ୍ୱଦେଶର ଶିଳ୍ପ ସବୁ ଅଳ୍ପଅଳ୍ପ

ଦେଖୁଛ ଯାଉଛ ବୁଡ଼ି

ଦେଖୁନାହଁ ଭାଳି ସରୁଛି ସଙ୍ଖାଳି

ଶୋଇଛ ମାଠଟି ଘୋଡି । (ଉତ୍କଳଭୂମି)

ସ୍ୱଦେଶୀ ଆନ୍ଦୋଳନକୁ ଉଜ୍ଜୀବିତ କରିବାପାଇଁ ଫକୀରମୋହନଙ୍କ ଅବଦାନ ଅନସ୍ୱୀକାର୍ଯ୍ୟ । ତତ୍‌କାଳୀନ ସାମାଜିକ ବ୍ୟବସ୍ଥା ସମ୍ପର୍କରେ ତ ସେ ତାଙ୍କର ଅନେକ ଗଳ୍ପ ଓ ଉପନ୍ୟାସରେ ପ୍ରତିଫଳିତ କରିଛନ୍ତି । ମାତ୍ର ସ୍ୱଦେଶୀ ଭାବନା ସମ୍ପର୍କରେ ମଧ୍ୟ ସେ କଲମ ଚାଳନା କରିଛନ୍ତି ।

ଲୁଣ, କପଡ଼ା ଆଦି ଶିଳ୍ପଧ୍ୱଂସରେ ବ୍ୟଥିତ ହୋଇ କବି ବାଞ୍ଛାନିଧି ମହାନ୍ତି ଲେଖିଥିଲେ: କାହୁଁ ଅଇଲେ ବିଦେଶରୁ ବେପାରୀ

ସବୁ ସାଇଲେ ହେଲୁ ଆମେ ଭିକାରୀ ।

୧୯୩୦ରେ ଲବଣ ସତ୍ୟାଗ୍ରହ ପରିପ୍ରେକ୍ଷୀରେ ବିଦେଶୀ ବସ୍ତ୍ର ବର୍ଜନ କରିବା ପାଇଁ ଗାନ୍ଧିଜୀ ଯେଉଁ ଆହ୍ୱାନ ଦେଇଥିଲେ ତାହାକୁ ଅବଲୋକନ କରି ଗୋପବନ୍ଧୁ ଦାସ ‘ବନ୍ଦୀର ଆତ୍ମକଥା’ରେ ଲେଖିଲେ:

ବିଦେଶୀ ଅମେଧ୍ୟ ବସ୍ତ୍ର ଛାଡ଼ ଆଗେ

ହାତ ସୂତା ଲୋଡା ଏ ସ୍ୱରାଜ-ଯାଗେ ।

ସେହିପରି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଗାଇଲେ:

ଭାଇ ହେ ଏବେ ଅରଟ କାଟ

ଆଉ କିଛି ଭରସା ନାହିଁ

ଅରଟ ଏକା ମୁକତି ବାଟ । ..(କାନ୍ତ ସାହିତ୍ୟମାଳା)

ଐତିହାସିକ ଦାଣ୍ଡିଯାତ୍ରା ଆରମ୍ଭ ହେବା ପରେ ସମଗ୍ର ଓଡ଼ିଶାରେ ଏହା ନାନା ଉଦ୍‌ବେଳନ ସୃଷ୍ଟିକଲା । କବି ବିଚାରିଲେ ଯଦି ଏହି ମୁହୂର୍ତ୍ତରେ ଆମେ ସାହିତ୍ୟ ରଚନା ନ କରୁ, ତେବେ ସାହିତ୍ୟ ଜୀବନ ବିତାଇ ଲାଭ କ’ଣ? ପଲ୍ଲୀକବି ନନ୍ଦକିଶୋର ବଳ ଲେଖିଲେ:

ମୋ ବାଡ଼ି ଭିତରେ ଲୁଣର ଅମଳ

ଅଲଣା ଖାଆନ୍ତି ଦୁଃଖୀ ଓଡ଼ିଆ

ଲୁଚାଇ ଖାଇଲେ ପକଡ଼ି ନିଅନ୍ତି

ଖୋଲଟି କହି ତାଙ୍କୁ ନୀଳପଗଡ଼ିଆ ।

..(ନନ୍ଦକିଶୋର ଗ୍ରନ୍ଥାବଳୀ, ପୃ-୩୧୮)

ଏହି ସମୟରେ ଓଡ଼ିଶାରେ ବାନରସେନାର ଅଭ୍ୟୁଦୟ ଘଟିଲା । ସେମାନେ ମୁକ୍ତକଣ୍ଠରେ ଜାତୀୟ କବି ବୀରକିଶୋର ଦାସଙ୍କ କବିତା ଗାଇଲେ:

ଲୁଣ ମାରିବାକୁ ଚାଲ ଭାଇ

ମହାତ୍ମା ଆଦେଶ ପାଳ ହେ ।

ଆମ ଘର ପାଖେ ବେଢିଛି ସାଗର

ଲୁଣ ମୁଠେ ପାଇଁ ନାହିଁ ଅଧିକାର

ଏ ଅନ୍ୟାୟ, ଏତୀତ କୁହ ଭାଇ

ସହିଥିବା କେତେ କାଳ ହେ ।

ସତ୍ୟାଗ୍ରହକୁ ଆଗେଇ ନେବା ଲାଗି ରାଜକୃଷ୍ଣ ବୋଷଙ୍କ ସମ୍ପାଦନାରେ ପ୍ରକାଶିତ ହେଉଥିବା ସ୍ୱରାଜ୍ୟକୁ କିଛି ଦିନଲାଗି ଦୈନିକ କରାଗଲା । ମାତ୍ର ସରକାର ଏହାକୁ ବନ୍ଦ କରିଦେଲେ ।

ଏହାର ପ୍ରତିବାଦରେ ବୀରକିଶୋର ଲେଖିଲେ:

ଆସରେ ଆଜି ଆସ

ଦରିଆ ଦଖଲ କରିଯିବ କିଏ ଆସ ।

କାଳ କଳିଯୁଗ ହେଲା ବଳିୟାର

ମନୁଷ୍ୟ କରଇ ମନୁଷ୍ୟ ଶିକାର

ବିଦେଶୀ ଶାସନ କଲା ଶମଶାନ

ଆମ ଦେବତା ଜନକ ଦେଶ

ଆସରେ ଆଜି ଆସ ।

ଏ ଶାସକ ଆଜି କରି ଖଣ୍ଡ ଖଣ୍ଡ

ପ୍ରଜାହାତେ ଦେଇଯିବା ରାଜଦଣ୍ଡ

ତଳେ ବସୁମାତା ଉପରେ ଦେବତା

ସଦା ଗାଇବେ ଆମର ଯଶ

ଦରିଆ ଦଖଲ କରିଯିବ କିଏ ଆସ ।

ସେତେବେଳେ ଲୁଣ ମାରିବା ପାଇଁ ନିତିଦିନ ଯୋଜନା କରାଯାଉଥାଏ । କଟକ ସ୍ୱରାଜ୍ୟ ଆଶ୍ରମରେ ଦେଶପ୍ରେମୀମାନେ ଏକାଠି ହେଉଥାନ୍ତି । ପ୍ରତିଦିନ କାଠଯୋଡ଼ି ନଦୀବାଲିରେ ସଭା ହେଉଥାଏ । ସତ୍ୟାଗ୍ରହୀମାନେ ପଟୁଆରରେ ଯାତ୍ରା କରି ବୀରକିଶୋରଙ୍କ ଗୀତ ବୋଲିବା ଦେଖାଯାଉଥାଏ । ଏହି ଆନ୍ଦୋଳନକୁ ଦମନ କରିବାପାଇଁ ଡେପୁଟୀ ମାଜିଷ୍ଟ୍ରେଟ ମାଧବ ମିଶ୍ରଙ୍କୁ ଦାୟିତ୍ୱ ଦିଆଗଲା । ତେବେ ବାନର ସେନାଙ୍କୁ ଭୟଭୀତ କରାଇବା ପାଇଁ ସେ ଏକ କବିତା ଲେଖିଲେ ଯାହାକୁ ଗୋଟିପୁଅମାନେ ରାସ୍ତାରେ ବୋଲି ଶୁଣାଇଲେ । ସେହି କବିତାଟି ହେଲା:

ଲୁଣ ମାରିବାକୁ ଚାଲ

ଯେବେ ପିଠି ହୁଏ ଗଲଗଲ ହେ

ଛେଚା ଖାଇ ତୁମ୍ଭେ ଜେଲଖାନା ଯିବ

କତା ପିଟି, ଘଣା ପେଲି ମରିବ

ତୁମ ପିଠିରୁ ଉଠିବ ଛାଲ ହେ ।

ତେବେ ଏହି କବିତାର ମୁକାବିଲା ଲାଗି ବୀରକିଶୋର ଲେଖିଲେ:

ତୁମେ ମାର କେତେ ବେତ ମାରିବ

ଦେଶ ଲାଗି ଆମେ ଜୀବନ ଦେଇଛୁ

ତୁମେ କି ଆମକୁ ପାରିବ?

ଆମେ ଡରିନାହୁଁ ଛାର ମରଣେ

ମନ ରଖିଅଛୁ ବିଭୁ ଚରଣେ

ତୁମ ଆମ କଥା ତାଙ୍କ ମିଶଲରେ

ଦିନେଟି ବିଚାର ପଡ଼ିବ ।

ଦେଶ ପାଇଁ ଜୀବନ ଦେବା ଆହ୍ୱାନ ଦେଇଥିବା ବୀରକିଶୋରଙ୍କ ବିନା ଲବଣ ଆନ୍ଦୋଳନର ଇତିହାସ ଲିଖନ ହୋଇପାରିବ ନାହିଁ । ବିଦେଶୀ ଶାସନକୁ ହଟାଇ ସ୍ୱରାଜ୍ୟ ଆଣିବାପାଇଁ ବୀରକିଶୋର ସାହିତ୍ୟକୁ ସଦାସର୍ବଦା ଜାଗ୍ରତ କରିଥିଲେ । ସେ ଲେଖିଥିଲେ:

ସାରା ବିଲାତରେ ହାହାକାର ଆମେ

ପତାଇ ଦେବୁ, ପତାଇ ଦେବୁ

ଗୋରା ଶାସନକୁ ଏପାରି ସେପାରି

ନଚାଇ ଦେବୁ, ନଚାଇ ଦେବୁ ।

ଆମେ ନ କିଣିବୁ ବିଦେଶୀ ଚିଜ

ଆଉ ନ ଆସିବ ତାଙ୍କ ଜାହାଜ

ତାଙ୍କ ଠକପଣ ଛଡ଼ାଇ ଦେବୁ, ଛଡ଼ାଇଦେବୁ ।

ଆମେ ଦରିଆରୁ ମାରିବୁ ଲୁଣ

ଗୋରା ବେପାରୀଙ୍କ ଭାଙ୍ଗିବୁ ଟାଣ

ତାଙ୍କ ବୁଦ୍ଧି ବଳ ହଜାଇଦେବୁ ହଜାଇଦେବୁ । (ରଣଭେରୀ)

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରଣଭେରୀ ଓ ରଣଦୁନ୍ଦୁଭି ପୁସ୍ତକ ଲାଗି ବୀରକିଶୋରଙ୍କ ନାମରେ ମୋକଦ୍ଦମା ହେଲା ଏବଂ ଦୁଇବର୍ଷ ଜେଲ ଯିବାକୁ ପଡିଥିଲା ।

ଯେଉଁ ଲୁଣ ପାଇଁ ଏତେ ରକ୍ତାକ୍ତ ସଂଗ୍ରାମ ହୋଇସାରିଛି, ଶହଶହ କବିତା ଲେଖାଯାଇଛି, ହଜାର ହଜାର କର୍ମୀ ଜେଲ ଯାଇଛନ୍ତି; ସେହି ଲୁଣ ଏବେ ଘରୋଇ ମାଲିକାନାଧୀନ । ସମଗ୍ର ଉପକୂଳ ଇଲାକାରେ ଘରୋଇ କମ୍ପାନୀଙ୍କ ରାଜ । ଆଜିକାଲି ମାଟିଆ ଦାନା ଲୁଣ ପାଇବା କଷ୍ଟକର ହୋଇପଡିଛି । ଧୋବ‘ର‘ର ପ୍ୟାକେଟଯୁକ୍ତ ଲୁଣ ପାଇଁ ଦେଶବାସୀଙ୍କ ମନରେ ଉଦ୍‌ବେଳନ ସୃଷ୍ଟି ହେଉଛି । ଖୋଲାଲୁଣ ଖାଇଲେ ଗଳଗଣ୍ଡ ରୋଗ ହେବାର କାରଣ ଦର୍ଶାଇ ୧୯୯୮ରେ ଦାନା ଲୁଣ ବିକ୍ରିଉପରେ ନିଷେଧାଦେଶ ଜାରି କରାଯାଇଥିଲା । କିଛିଦିନ ପରେ ଯଦିଓ ଏହି ନିଷେଧାଦେଶକୁ ହଟାଯାଇଥିଲା ତଥାପି ୨୦୦୧ ଅକ୍ଟୋବର ୧୮ରେ ସାଧାରଣ ଲୁଣ ଉତ୍ପାଦନ ଓ ବିକ୍ରି ବେଆଇନ ବୋଲି ସରକାର ଘୋଷଣା କରିବାରୁ ଏହି ଲୁଣ ବିକ୍ରି ବନ୍ଦ ହୋଇଯାଇ ଥିଲା । ଲୁଣପାଇଁ ସଂଗ୍ରାମର ପର୍ବ ସତେ ଯେପରି ଅନ୍ତ ହୋଇଯାଇଛି ।

ଲୁଣକୁ କେହି ତିଆରି କରିନାହାନ୍ତି ମାତ୍ର ତାହା ଜନଜୀବନରେ ସ୍ୱାଧୀନତାର ସ୍ୱାକ୍ଷର ଭାବେ ରହିଆସିଛି । ଏହା କେତେବେଳେ ହଜାର ହଜାର ଲୋକଙ୍କୁ ରାସ୍ତା ଉପରକୁ ଆଣିଛି ତ କେତେବେଳେ ସ୍ୱାଧୀନଚେତା ଜନଗଣଙ୍କୁ ନେଇ କାରାଗାରର ରକ୍ତାକ୍ତ ଗବାକ୍ଷକୁ ଉନ୍ମୋଚିତ କରିଛି । ରକ୍ତର ମହାମନ୍ତ୍ରରେ ଅଭିମନ୍ତ୍ରିତ ଲୁଣର ଇସ୍ତାହାର ଆଜି ନିଶ୍ଚୟ ଉନ୍ମୋଚନ ଅପେକ୍ଷାରେ । ଏଥିପାଇଁ ଯେଉଁମାନେ ଐତିହାସିକ ଦାଣ୍ଡିଯାତ୍ରାରେ ସାମିଲ ଥିଲେ ତଥା ସତ୍ୟାଗ୍ରହରେ ଲାଠିଗୁଳିକୁ ଖାତିର ନ କରି ଆଗେଇ ଆସିଥିଲେ ସେମାନଙ୍କ ସ୍ମୃତିକୁ ଉଜ୍ଜୀବିତ ରଖିବାକ ପଡିବ ।

ଲେଖକର ନିଜ ଭାଷାରେ ଲୁଣର ଚିତ୍ରପଟ୍ଟ:

ରକତରେ ଲୁଣ-ମାଟି

ଶତ ଇତିହାସ ମୁକ୍ତି କବରେ ଅଛି ଦୁନିଆର ସାକ୍ଷୀ ।

ଦାଣ୍ଡିରେ ଲୋଟିଲା ମଣିଷର ଝାଳ, ଗଢ଼ିଦେଲା ଜାଗରଣ

ଅସ୍ତରଙ୍ଗରେ ଅବା ଇଞ୍ଚୁଡିରେ ଗର୍ଜନ ଘନଘନ

ତିମିର କୋଳରୁ ଜଳିଲା ଆକାଶେ ଲବଣର ନୂଆ ଶିଖା

ଫୁଟିଲା ମଣିଷ ଆଖିରେ ଧରଣୀ କୋଟି ବର୍ଷର ଭାଷା

ଅଧିକାର କାହା କିଏ କି ଛଡାଇ ପାରିଛି କି କେଉଁ ଦିନ

ଶିଖାଇଲା ଦିନେ ମଣିଷ ଚରଣେ, ଏଇ ସେ ଲୁଣିଆ ଲୁଣ!

ନ ମାନିଲା ଗୁଳି, ବାଧା, କାରାଗାର, ବନ୍ଧନ ଶତଦଳ

ଲୁଣ ଅଧିକାର ଲାଗି ବ୍ରିଟିଶର ଜାତି ହେଲା ଛାରଖାର-

ମଳିମୁଣ୍ଡିଆର ଲୁଣ-

ଏଇ ଭାରତର ଚିହ୍ନ ଚହଟ, ଲୁଣ ଦରିଆର ଗୁଣ ।

ମହାତ୍ମା ଗାନ୍ଧୀଙ୍କ ଦାଣ୍ଡିଯାତ୍ରା ଅବସରରେ କବି ବୈକୁଣ୍ଠନାଥ ପଟ୍ଟନାୟଙ୍କ କଲମମୁନରୁ ଝରିଥିଲା ସତ୍ୟାଗ୍ରହର ଚେତନା । ଏହି ଯାତ୍ରାବେଳେ ବୈକୁଣ୍ଠନାଥ ‘ମାଙ୍ଗଳିକ’ କବିତାରେ ଲେଖିଲେ:

ସତ୍ୟ ତୁମର ଜାଣେନା ଆପୋଷ

ସତ୍ୟ-ପୂଜାରୀ ଭବେ,

ହିମଗିରି ସମ ଶାନ୍ତ ଅଚଳ

ଦୁର୍ନୀତି ଭୀମ ରବେ

ଚିତ୍ତ ନିର୍ଭୀକ ତୋଳିଛି ନିଶାଣ

ରଖିଛି ଜାତିର ଟେକ

ଲକ୍ଷକୋଟିର ସ୍ୱାଧୀନତା ଲାଗି

ହାଣକୁ ଦେଖାଅ ବେକ ।

Comments

0 comments

Share This Article