‘ଆଜାଦୀ’, ‘ଆଜାଦୀ’, ‘ଆଜାଦୀ’!!

‘ଆଜାଦୀ’ ବା ‘ସ୍ୱାଧୀନତା’ର ଯେଉଁ ନାରା କଳିଙ୍ଗନଗର, ନୀୟମଗିରି ଠାରୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଦେବା ଆରମ୍ଭ କରିଛନ୍ତି ଦେଶର ସବୁ ଶିକ୍ଷାୟତନରେ ଏହା ଗୁଞ୍ଜରଣ ସୃଷ୍ଟି କରିପାରିଲେ ଦେଶର ଭବିଷ୍ୟତକୁ ସୁରକ୍ଷା ଦେବାପାଇଁ ଆଗାମୀପୀଢ଼ି ପ୍ରସ୍ତୁତ ହେବ

12 Min Read

ଆମ ଦେଶର ଏବଂ ଦେଶବାସୀଙ୍କର ସ୍ୱାଧୀନତା ଆଜି ବିପନ୍ନ । ଯେଉଁସବୁ ଆଶଙ୍କା ଗତ ୧୫ ବର୍ଷ ଧରି ସମଦୃଷ୍ଟିର ପୃଷ୍ଠାମାନଙ୍କରେ ବାରମ୍ବାର ପ୍ରତିଧ୍ୱନୀତ ହେଉଥିଲା ତାହା ପ୍ରକଶ୍ୟରେ ଆମେ ଦେଖିବାକୁ ପାଉଛେ । ନିଜ ମତବ୍ୟକ୍ତ କରିବାର ସମ୍ପୁର୍ଣ୍ଣ ସ୍ୱାଧୀନତା ଆମେ ହରାଇ ବସିଛେ । ଏଭଳି ଏକ ଜଟିଳ ସମୟରେ କିଛି ବିଗତ ଦିନର ସମ୍ପାଦକୀୟକୁ ଏକାଠି କରି ଦେଖିବା ପାଇଁ ଆମର ଏହି ପ୍ରୟାସ;

“ଅନେକ ଆଶା ନେଇ ଲୋକେ ଏ ଦେଶରେ ସ୍ୱାଧୀନତାକୁ ସ୍ୱାଗତ କଲେ । ସ୍ୱପ୍ନ ଦେଖିଲେ – “ଦେଶ ସ୍ୱାଧୀନ ହେବ । ଏ ଦେଶକୁ ଶାସନ କରିବାର କ୍ଷମତା ଲୋକେ ନିଜ ହାତକୁ ନେବେ । ଫିରିଙ୍ଗି ମାନେ ଏ ମାଟିକୁ ଛାଡ଼ି ଚାଲିଯିବେ । ଏଯାଏଁ ଏ ଦେଶର ଯାହାସବୁ ସମ୍ପଦ ଲୁଟକରି ନିଜ ଦେଶକୁ ନେଇ ଚାଲିଥିଲେ ସେଥିରେ ପୂର୍ଣ୍ଣଛେଦ ପଡ଼ିବ । ନିଜ ମାଟିର ଅଧିକାର ସେ ମାଟିରେ ରହୁଥିବା ମଣିଷକୁ ମିଳିଯିବ । ଗୋରା ଚମଡ଼ା ଆଉ ଦେଖିବାକୁ ମିଳିବ ନାହିଁ । ସମସ୍ତେ ଦୁଇବେଳା ଖାଇବାକୁ ପାଇବେ, ପିନ୍ଧିବାକୁ ଭଲ ବସ୍ତ୍ରଟିଏ ମିଳିବ, ମୁଣ୍ଡ ଗୁଞ୍ଜିବା ପାଇଁ ସମସ୍ତଙ୍କୁ ଘରଟିଏ ତିଆରି କରିବାର ସୁଯୋଗ ମିଳିବ । ଜମିରେ ଭଲ ଫସଲ ଫଳିବ । ଚାଷୀର ଓଠରେ ହସ ଫୁଟିବ । ଜଙ୍ଗଲରେ ମିଳୁଥିବା ଦ୍ରବ୍ୟର ଭଲ କିଣାବିକା ହେବ । ଆଦିବାସୀଟିଏ ଦୁଇ ପଇସା ପାଇବ । ବୁଣାକାର, କାରିଗର, ଶିଳ୍ପୀ, କର୍ମଜୀବୀ ସମସ୍ତେ କାମପାଇବେ । ଜାତି, ଧର୍ମ, ନିର୍ବିର୍ଶେଷରେ ସମସ୍ତେ ମିଳିମିଶି ଶାନ୍ତିରେ ରହିବେ ।”

ହୁଏତ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଗ ଧାଡ଼ିରେ ରହି ସହିଦ ହୋଇଥିବା କୌଣସି ସଂଗ୍ରାମୀର ଶବଟିକୁ ଯଦି ସମାଧି ଭିତରୁ ବାହାର କରି ପଚାରାଯାଏ ସେ ଏଭଳି ଏକ ସ୍ୱପ୍ନ କଥା ଆମକୁ କହିବ ।

ସାଧାରଣ ଭାରତୀୟଙ୍କର ସବୁ ସ୍ୱପ୍ନ ଉପରେ ସମାଧି ତୋଳିସାରିଛି ସରକାର – ଦଳ ଯାହାର ବି ହେଉନା କାହିଁକି । କିଛି ମୁଷ୍ଟିମେୟ ଦେଶବାସୀଙ୍କର ସ୍ୱପ୍ନ କେବଳ ସଫଳ ହେଉନାହିଁ, ଦିନକୁ ଦିନ ବଢ଼଼ି ଚାଲିଛି ମଧ୍ୟ । ସେମାନଙ୍କ ପାଇଁ ବିକାଶର ଧ୍ୱଜା ଧରି ଶାସକବର୍ଗ ଲାଗିପଡ଼ିଛନ୍ତି ସାଧାରଣ ଲୋକଟିକୁ ବୁଝାଇବା ପାଇଁ, ‘ତତେ ଜମି ଛାଡ଼ିବାକୁ ପଡ଼ିବ । ଯଦି ମାଟିରୁ ଉଦ୍‌ବାସ୍ତୁ ହୋଇ ସହରକୁ ଆସି ତୁ କୌଣସି ବସ୍ତିରେ ରହୁଛୁ – ତତେ ବସ୍ତି ବି ଛାଡ଼ିବାକୁ ହେବ । କାହିଁକି ନା ସେଠାରେ ନିର୍ମାଣ ହେବ କିଛି ମୁଷ୍ଟିମେୟ ଭାରତୀୟଙ୍କ ସ୍ୱପ୍ନର ସୌଧ’ । ଆଜି ଭାରତର ପ୍ରତ୍ୟେକଟି ଗାଁର ବାସିନ୍ଦା ସମ୍ମାନ ଓ ସ୍ୱାଭିମାନର ସହ ବଞ୍ଚିବାଟିକୁ ଏକ ଦୁଃସ୍ୱପ୍ନ ଭାବିଲେଣି । ବର୍ତ୍ତମାନ ପରିସ୍ଥିତିରେ ସବୁଠାରୁ ଅସହାୟ ଅବସ୍ଥାରେ ଠିଆ ହୋଇଛନ୍ତି ଦେଶର କୋଟି କୋଟି କୃଷକ, କୃଷିଶ୍ରମିକ,ଜଙ୍ଗଲବାସୀ, ଛୋଟ କାରିଗର, ଅନ୍ୟାନ୍ୟ ବୃତ୍ତିଧାରୀ ଏବଂ ବେରୋଜଗାରୀ ତଥା ରୋଜଗାର ହରାଇ ଚାଲିଥିବା ଗୋଷ୍ଠୀ । ‘ବିକାଶ’ ଏମାନଙ୍କୁ ସ୍ପର୍ଶ କରିପାରୁନି ଏବଂ କରିବା ପାଇଁ ଯୋଜନା ମଧ୍ୟ କରାଯାଉନାହିଁ । ଏମାନଙ୍କୁ କେବଳ ‘ବଳିଦାନ’ ଦେବାକୁ ପଡ଼ିବ ।

ଯଦି ବି ଆମେ ମାନିନେବା ଯେ, ଆଜିର ଶାସକଗୋଷ୍ଠୀ ଦଲାଲ ଅଥବା ଦେଶଦ୍ରୋହୀ ନୁହନ୍ତି ବା ଲୁଟେରା ନୁହନ୍ତି କିମ୍ବା ସ୍ୱାର୍ଥପର ନୁହନ୍ତି, ଆମ ମନରେ ଆଉ ଏକ ପ୍ରଶ୍ନ ସ୍ୱାଭାବିକ ଭାବେ ଆସିଯାଉଛି-ଏମାନେ ପ୍ରକୃତରେ କାହାର ଭଲ ପାଇଁ ଶାସନ କରୁଛନ୍ତି! ଏମାନେ ପ୍ରକୃତରେ କାହାର ଭବିଷ୍ୟତ ପାଇଁ ଚିନ୍ତିତ!! କୋଇଲାକୁ ଆଖି ଆଗରେ ରଖି ଓଡ଼ିଶାରେ ଆଲୁମିନିୟମ ଓ ଲୁହା ଶିଳ୍ପର କମ୍ପାନୀମାନଙ୍କ ଭିଡ଼ ଜମି ଚାଲିଛି । ତା’ ସାଙ୍ଗକୁ ନିଜ କାନ୍ଧରୁ ଦାୟିତ୍ୱ ଖସାଇବା ପାଇଁ ବାୟୁମଣ୍ଡଳକୁ ବେଶି ବିଷାକ୍ତ ଗ୍ୟାସ ଛାଡ଼ୁଥିବା ଧନୀ ଦେଶମାନେ ପଇସାର ପ୍ରଲୋଭନ ଦେଖାଇ ଆମକୁ କାର୍ବନ ଟ୍ରେଡିଙ୍ଗ ପ୍ରକଳ୍ପ ନାଁରେ ନୀଳଗିରି ଓ ଆକାଶିଆ ଭଳି ବୃକ୍ଷରୋପଣ ପାଇଁ ଏକରକମ ପ୍ରଭାବିତ କରୁଛନ୍ତି । ସେସବୁ ଚାଷୀ ଏବଂ ଦଳିତବର୍ଗଙ୍କ ନିୟନ୍ତ୍ରଣରେ ଥିବା ଅଣଚାଷ ଜମିରେ କରାଯାଉଛି ।

ଓଡ଼ିଶାରେ ଏବେ ସେହିଭଳି ଶିଳ୍ପମାନଙ୍କୁ ନିମନ୍ତ୍ରଣ କରାଯାଉଛି, ଯେଉଁମାନେ ଆମର କୋଇଲା ପୋଡ଼ି ଶକ୍ତି ଉତ୍ପାଦନ କରିବେ, ଚାଷୀଠୁ ପାଣି କାଢ଼ିନେଇ ଆଲୁମିନା ବା ଲୁହା ତିଆରିକରିବେ, ଯାହା ବି ଜଙ୍ଗଲ ଅଛି ଧ୍ୱଂସ କରିବେ । ନଦୀ-ପାହାଡ଼, ଜଳଭଣ୍ଡାର ସବୁ ନିଜ ଅଧିନରେ ରଖିବେ । ଚାଷୀ, ଜଙ୍ଗଲଜୀବୀ, ମତ୍ସ୍ୟଜୀବୀ ଇତ୍ୟାଦିଙ୍କୁ ସର୍ବହରା କରି କିଛି ଓଡ଼ିଆଙ୍କ ଭାଗ୍ୟ ବଦଳାଇବେ । ବିଡ଼ମ୍ବନାର କଥା ଏହି ଯେ, ଜଙ୍ଗଲ, ପରିବେଶ ଓ ପ୍ରଦୂଷଣ ନିୟନ୍ତ୍ରଣ ଦାୟିତ୍ୱରେ ଥିବା ସରକାରୀ ବିଭାଗ ଓ ସଂସ୍ଥାମାନେ ଏସବୁ ବିପର୍ଯ୍ୟୟକୁ ସମୟ ଆଗରୁ ଡାକିଆଣିବା ପାଇଁ ସବୁ ପ୍ରକାର ଉଦ୍ୟମରେ କମ୍ପାନୀମାନଙ୍କୁ ସହଯୋଗ କରୁଛନ୍ତି ।

ଓଡ଼ିଶାର ଜନସମୁଦାୟ ଦୁଇଟି ବୃହତ ଗୋଷ୍ଠୀରେ ବିଭକ୍ତ ହୋଇଯାଇଛି । ଗୋଟିଏ ଗୋଷ୍ଠୀ ଯେଉଁଥିରେ ଅଛନ୍ତି ରାଜ୍ୟର ପ୍ରାୟ ୪ଭାଗରୁ ୩ଭାଗ ଲୋକ-ଆଦିବାସୀ, ଦଳିତ, ଜଙ୍ଗଲ ଓ କୃଷି ଉପରେ ନିର୍ଭର କରି ବଞ୍ଚିଥିବା ଲୋକ ଏବଂ ଅନ୍ୟପଟେ ଅଛନ୍ତି ଏକ କ୍ରମବର୍ଦ୍ଧିଷ୍ଣୁ ପରାଙ୍ଗପୁଷ୍ଟ ଶିକ୍ଷିତ ଶ୍ରେଣୀ ଯେଉଁମାନଙ୍କର ରାଜ୍ୟର ଉତ୍ପାଦନ ପ୍ରକ୍ରିୟାରେ କୌଣସି ଯୋଗଦାନ ନାହିଁ । ଅଥଚ ଜଗତୀକରଣ ପ୍ରକ୍ରିୟା ଖେଳେଇ ଦେଇଥିବା ମାୟାଜାଲ ଭିତରେ ପଡ଼ି ନିଜ ନିଜର ବଂଶଧରମାନଙ୍କ ଉଜ୍ଜଳ ଭବିଷ୍ୟତକୁ ନେଇ ସ୍ୱପ୍ନ ଦେଖୁଛନ୍ତି ।

ଅନ୍ୟପଟେ ଅନ୍ୟାୟ ଆଉ ଗ୍ରହଣ କରିବା ନାହିଁ, ଏଭଳି ଏକ ମାନସିକତା ଆଜି ଜନ୍ମନେଇଛି କଳିଙ୍ଗନଗର, ନୀୟମଗିରି, କାଶିପୁର ଭଳି ସ୍ଥାନମାନଙ୍କରେ ଏବଂ ଯେଉଁଥିପାଇଁ କି ଅନେକ ଆଦିବାସୀଙ୍କୁ ଜୀବନ ଦେବାକୁ ପଡ଼ିଛି । କିଏ ଏମାନଙ୍କୁ ଉସୁକାଉଛି ଏଭଳି ଏକ ଅପ୍ରାସଙ୍ଗିକ ଓ ଅନାବଶ୍ୟକ ପ୍ରଶ୍ନ ନକରି, ଅନ୍ୟାୟ ବିରୋଧରେ ଏମାନଙ୍କ ଆନ୍ଦୋଳନ ଯଥାର୍ଥ କି ନୁହେଁ- ଏଭଳି ପ୍ରଶ୍ନ କଲେ ଆମେ ଅଧିକ ଫଳପ୍ରଦ ଆଲୋଚନା କରିପାରିବା ଏବଂ ଭବିଷ୍ୟତ ପିଢ଼ିକୁ ସତ୍ୟର ସନ୍ଧାନ କରିବାପାଇଁ ପ୍ରସ୍ତୁତ କରିପାରିବା ।

ଗଣତନ୍ତ୍ର ଆମ ଦେଶରେ ଏକ ପ୍ରହଶନରେ ପରିଣତ ହୋଇଛି । ନ୍ୟାୟପାଳିକା, ଅମଲାତନ୍ତ୍ର, ରାଜନେତା, ଲୋକ-ପ୍ରତିନିଧି ଏମାନେ କିଏ? ଏମାନେ କାହା ହିତ ପାଇଁ କାମ କରୁଛନ୍ତି? ତେବେ ଏମାନେ ଯେଉଁ ସମ୍ବିଧାନ ନାଁରେ ଶପଥ ନେଉଛନ୍ତି ବା ଶାସନ କରୁଛନ୍ତି; ସେହି ସମ୍ବିଧାନଟିକୁ ବି ମାନିଛନ୍ତି କି? ତା’ହେଲେ କେଉଁଭଳି ଏକ ଗଣତନ୍ତ୍ରରେ ଆମ ବାସ କରୁଛୁ? ଏମାନେ ଯଦି ଭାବୁଥିବେ ଲୋକଙ୍କ ଭାବନା ଓ ପରିସ୍ଥିତି ସହ ଏମାନେ ସବୁବେଳେ ଖେଳ ଖେଳି ପାରିବେ, ତେବେ ସେମାନେ ନିଶ୍ଚିତ ଭାବେ ଭୁଲ୍ ଭାବୁଛନ୍ତି ବୋଲି ମାନିବାକୁ ହେବ । ଯେତେବେଳେ ସାଧାରଣ ଲୋକଟିର ସମସ୍ତେ ଶତ୍ରୁ ପାଲଟିଯାଆନ୍ତି ଏବଂ ତାକୁ ବିନାଶଛଡ଼ା ଆଉ କିଛି ରାସ୍ତା ଦେଖାଯାଏନି, ସେ ଯେ କିଛି ଚରମରାସ୍ତା ନ ବାଛିବ, ଏକଥା କିଏ କହିବ? ସବୁ ସାଧାରଣ ଲୋକ ଯଦି ଏକାଠି ହୋଇ ଚରମ ରାସ୍ତା ଖୋଜିବାରେ ଲାଗିପଡ଼ନ୍ତି, ନିଜପାଇଁ ଭୋଗ-ବିଳାସର ସ୍ୱପ୍ନ ଦେଖି ଦେଖି ସାଧାରଣ ଲୋକଟିକୁ ସର୍ବସ୍ୱାନ୍ତ କରୁଥିବା ଏହି ଛୋଟ ସମୁଦାୟଟି ଅନ୍ତତଃ ଏତିକିବେଳେ ବୁଝିପାରିବେ ଏହି ଲୋକମାନେ କିଏ?

ଓଡ଼ିଶାରେ ଏବେ ଗୋଟିଏ ନୁହେଁ, ଅନେକ ଅଞ୍ଚଳରେ ସରକାରଙ୍କ ନୀତି ଓ କିଛି ପଦକ୍ଷେପକୁ ବିରୋଧ କରି ଜନଆନ୍ଦୋଳନମାନ ମୁଣ୍ଡ ଟେକିଲାଣି । ଅଧିକାଂଶ ସ୍ଥାନରେ ଏହି ଜନଆନ୍ଦୋଳନଗୁଡ଼ିକ ସ୍ୱତଃପ୍ରବୃତ୍ତ ଓ ଶାନ୍ତିପୂର୍ଣ୍ଣ – ଯଦିଓ ପ୍ରାୟ ପ୍ରତ୍ୟେକଟି ସ୍ଥାନରେ ଏମାନେ ସରକାରୀ ଓ କମ୍ପାନୀ ହିଂସାର ଶିକାର ହୋଇଆସୁଛନ୍ତି । ଜନବିରୋଧ ପ୍ରତି ଯେ କେବଳ ସରକାରୀ ଉଦାସୀନତା ଅଛି ତାହା ନୁହେଁ, ବରଂ ଶାସକଶ୍ରେଣୀ ଜନବିରୋଧର ତୀବ୍ର ବିରୋଧୀ, ସେଥିପାଇଁ ସରକାର ଯେଉଁ ଦଳର ହେଉନା କାହିଁକି ସେମାନେ ସମସ୍ତେ ଜନବିରୋଧକୁ ଦମନ କରିବା ପାଇଁ ବଦ୍ଧ ପରିକର, ଯେହେତୁ ଶାସକ ଶ୍ରେଣୀ (ଶାସନରେ ଥିବା, ଶାସନ ଗାଦିକୁ ଯିବାପାଇଁ ଆଶାୟୀ ଥିବା ବା ଶାସନ ପ୍ରକ୍ରିୟାକୁ ପ୍ରଭାବିତ କରୁଥିବା) ବଜାର ଶକ୍ତିଙ୍କର ହାତବାରିସୀ ଭଳି କାମ କରୁଛନ୍ତି ।

ସତରେ ସବୁ ଦୃଷ୍ଟିରୁ ଦେଖିଲେ ଆମ ରାଜ୍ୟବାସୀଙ୍କ ସ୍ୱାଭିମାନ, ସ୍ୱାବଲମ୍ବନଶୀଳତା, ସହନଶୀଳତା, ସାମ୍ପ୍ରଦାୟିକ ସଦ୍‌ଭାବ ଓ ମାନବିକତା ପ୍ରତି ଘୋର ବିପଦ ମାଡ଼ି ଆସୁଛି । ବିଡ଼ମ୍ବନାର କଥା ଏହି ଯେ ବିଦଗୁଡ଼ିକୁ ଚିହ୍ନିବା ପାଇଁ ମଧ୍ୟ ଆମେ ପ୍ରସ୍ତୁତ ନୁହଁ । ଆମ ଲୋକ ପ୍ରତିନିଧିମାନେ ଲୋକଙ୍କୁ ଭୁଲିଗଲେଣି । ଲୋକଙ୍କୁ ପ୍ରତିନିଧିତ୍ୱ କରିବା ଅପେକ୍ଷା ଘରୋଇ କମ୍ପାଙ୍କନୀମାନଙ୍କୁ ପ୍ରତିନିଧିତ୍ୱ କଲେ ସୁନ୍ଦର ଭବିଷ୍ୟତର ପ୍ରତିଶ୍ରୁତି ମିଳିଥାଏ । କେବଳ ନିଜ ପାଇଁ ନୁହଁ ନିଜର ଭବିଷ୍ୟତ ବଂଶଧରମାନଙ୍କ ପାଇଁ ମଧ୍ୟ । ସେଥିପାଇଁ ଲୋକ ପ୍ରତିନିଧିମାନେ ଚାଷୀ, ମୁଲିଆ, ଆଦିବାସୀ, ମଜୁରିଆ, ଦଳିତ, ଜଙ୍ଗଲଜୀବୀ, ମତ୍ସ୍ୟଜୀବୀ ଇତ୍ୟାଦିଙ୍କ ପାଖକୁ ବିନା ‘ନିର୍ବାଚନ କାର୍ଯ୍ୟସୂଚୀ’ରେ ଯିବା ପାଇଁ ପସନ୍ଦ କରନ୍ତି ନାହିଁ । ଯଦି କେବେ ଯାଆନ୍ତି ତେବେ କୌଣସି ନା କୌଣସି କମ୍ପାଙ୍କନୀକୁ ଲୋକେ କେମିତି ଗ୍ରହଣ କରି ନିଜ ଭିଟାମାଟି ଓ ଚାଷଜମି ଛାଡ଼ି ଚାଲିଯିବେ ସେତକ କଥା ବୁଝାଇବା ପାଇଁ ଯାଆନ୍ତି ।

ଦେଶରେ ବଞ୍ଚି ରହିବାପାଇଁ ଦିନ-ରାତି ସଂଗ୍ରାମ କରୁଥିବା ପ୍ରାୟ ୮୫କୋଟି ବାସିନ୍ଦାଙ୍କ ପାଇଁ ସରକାର (ଯାହାର ହେଉନା କାହିଁକି) ଏକ ମୂଲ୍ୟହୀନ ଅପ୍ରାସଙ୍ଗିକ ଜିନିଷ । ଯନ୍ତ୍ରପରି ଏମାନଙ୍କୁ ଭୋଟ ଦେବା ଛଡ଼ା ସେମାନଙ୍କ ପାଖରେ ଅନ୍ୟ କିଛି ଉପାୟ ନାହିଁ । ଯେଉଁ ୨୫କୋଟି ଭାରତୀୟ ଅତି ଭଲରେ ଅଛନ୍ତି, ଭଲରେ ଅଛନ୍ତି ବା ଅତି-ଉଚ୍ଚ ଓ ଭଲରେ ରହିବାର ସ୍ୱପ୍ନ ଦେଖୁଛନ୍ତି ସେମାନେ ବି ସରକାର ବିଜୟ ବା ପତନ ପାଇଁ ବ୍ୟସ୍ତ ହେବାର କିଛି ନାହିଁ । ଯେହେତୁ ଯିଏ ବି ସରକାରରେ ରହିବ, ତା’ର ପ୍ରାଥମିକ ଦାୟିତ୍ୱ ହେବ ଏମାନଙ୍କୁ ଖୁସିରେ ରଖିବା । କେବଳ ଗୋଟିଏ ଦୃଷ୍ଟିରୁ ଚିନ୍ତାକରିବା କଥା ଯେ ଆମ ଗଣତନ୍ତ୍ରର ଚେର ଆଉ ଗାଁରେ ନାହିଁ । ଗଣତନ୍ତ୍ରଟି ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କର ଲଗାମ ଭିତରେ ଛଟପଟ ହେଉଛି । କିଏ ଆମ ଗଣତନ୍ତ୍ରକୁ କିଭଳି ଉଦ୍ଧାର କରିବ, ତାହା ଆମପାଇଁ ଏକ ବଡ଼ ପ୍ରଶ୍ନବାଚୀ ଯେହେତୁ ଆମେ ସବୁ ନିର୍ବୋଧ ଏବଂ ନୀରବତାର ବ୍ରତ ପାଳନ କରୁଛେ ।

ସବୁଠାରୁ ବଡ଼ କଥା ହେଉଛି ସରକାର ଜାଣିଶୁଣି ଓଡ଼ିଶାରେ ‘ଦ୍ରୁତ ଶିଳ୍ପାୟନ’ ନାଁରେ ବର୍ତ୍ତମାନ ଚାଲିଥିବା ଲୁଣ୍ଠନ ପ୍ରକ୍ରିୟାକୁ ‘ବିସ୍ଥାପିତ, କମ୍ପାନୀ ଓ ସରକାରଙ୍କ ଭିତରେ ସୀମିତ ରଖିବା ପାଇଁ ଚାହୁଁଛନ୍ତି । ଏହିଭଳି ଦେଶଦ୍ରୋହୀ କର୍ଯ୍ୟପାଇଁ ସରକାରଙ୍କୁ କିଏ ଦଣ୍ଡିତ କରିବ? ନାଗରିକମାନେ ଦେଶଦ୍ରୋହୀ ହେଲେ ସେମାନଙ୍କୁ ଶାସ୍ତି ଦେବା ପାଇଁ ଅନେକ ନିୟମ କାନୁନ ଅଛି । ବେଳେ ବେଳେ ସଚ୍ଚା ଦେଶପ୍ରେମୀ ମାନଙ୍କୁ ମଧ୍ୟ ‘ଦେଶଦ୍ରୋହୀ’ ଆଖ୍ୟା ଦେଇ ମିଛ ମୋକଦ୍ଦମାରେ ଅନ୍ତର୍ଭୁକ୍ତ କରାଇ ଦଣ୍ଡଦେବାର ନଜିର ମଧ୍ୟ ଆଜିକାଲି ଅଧିକରୁ ଅଧିକ ଦେଖିବାକୁ ମିଳୁଛି । କିନ୍ତୁ ସରକାରମାନେ ଦେଶଦ୍ରୋହୀ ହେଲେ ସେମାନଙ୍କୁ କ’ଣ ଶାସ୍ତି ଦିଆଯିବ, କେହି କହିପାରିବେ ନାହିଁ । ସାଧାରଣ ନିର୍ବାଚନ ମାଧ୍ୟମରେ ପରାଜିତ କରାଇବା ବା ସାମୟିକ ଭାବେ କ୍ଷମତାଚ୍ୟୁତ କରିବାଟା କ’ଣ ଗୋଟିଏ ଶାସ୍ତି? ଆମ ସରକାର ଚଳାଉଥିବା ଲୋକେ କେତେ ଦେଶଦ୍ରୋହୀ, ରାଜ୍ୟଦ୍ରୋହୀ, ଲୋକଦ୍ରୋହୀ; ଏସବୁର ଗୋଟିଏ ଗୋଟିଏ ନମୁନା ଆମ ସାମ୍ନାକୁ ଆସିବାରେ ଲାଗିଛି । ସରକାରମାନେ ଦେଶଦ୍ରୋହୀ ହେଲେ କିଭଳି ଶାସ୍ତି ପାଇବାର ହକ୍‌ଦାର, ଜନସାଧାରଣ ସେ ସମ୍ପର୍କରେ ବିଚାର କରିବା ସର୍ବାଦୌ ବିଧେୟ ।

ସାମ୍ପ୍ରଦାୟିକଶକ୍ତିମାନେ ଜାତୀୟତା ପ୍ରସଙ୍ଗକୁ ନେଇ ଦେଶରେ ବିତର୍କ କରିବାପାଇଁ ଆହ୍ୱାନ ଦିଅନ୍ତି । ଗୋଟିଏ କଥା ସବୁସମୟରେ, ସବୁ ସମାଜରେ ଦେଖାଯାଇଛି ଯେ ନିଜର ଜୀବନ-ଜୀବିକା, ବଞ୍ଚିବାର ଅଧିକାର ତଥା ଏକ ନ୍ୟାୟପୂର୍ଣ୍ଣ, ଶୋଷଣରହିତ ସମାଜର ନିର୍ମାଣ ପାଇଁ ଚାଲିଥିବା ସାଧାରଣ ମଣିଷମାନଙ୍କ ସଂଗ୍ରାମରେ କୌଣସି ସାମ୍ପ୍ରଦାୟିକଶକ୍ତି ଲୋକଙ୍କସାଙ୍ଗରେ ନଥାନ୍ତି । ସେମାନେ ସବୁବେଳେ ଲୋକଙ୍କ ଶତ୍ରୁମାନଙ୍କ ସାଙ୍ଗରେ ହିଁ ରହିଥାନ୍ତି । ସେଠି ହିଁ ଜଣାପଡ଼େ ସାମ୍ରାଜ୍ୟବାଦ ଓ ସାମ୍ପ୍ରଦାୟିକ ଶକ୍ତିମାନଙ୍କ ଭିତରେ ଥିବା ସମ୍ପର୍କର ସେତୁଟି କେତେ ନିବିଡ଼!

ତେଣୁ ସାମ୍ପ୍ରଦାୟିକତାବାଦ ଓ ଆତଙ୍କବାଦ ଭଳି ପ୍ରସଙ୍ଗକୁ ଗଭୀରତାର ସହ ତର୍ଜମା କରାଯିବା କଥା । ଆମେ ଯାହାସବୁ ଦେଖୁଛନ୍ତି ଟି.ଭି.ପରଦାରେ, ଯାହା ପଢ଼ୁଛନ୍ତି ଖବରକାଗଜରେ, ସେସବୁକୁ ବିଶ୍ୱାସ କରିବା ବୁଦ୍ଧିମାନର କାମନୁହେଁ । ବରଂ ପ୍ରଶ୍ନ କରାଯାଉ । ଉଦାହରଣ ପାଇଁ ଏଠି କେବଳ କେତୋଟି ସରଳ ପ୍ରଶ୍ନ କରାଯାଇପାରେ, ମୁମ୍ବାଇରେ ଚାଲିଥିବା ଆତଙ୍କବାଦର ବେଶି ଲାଭ ନିର୍ବାଚନ ଲଢ଼ୁଥିବା କେଉଁ ରାଜନୈତିକ ଦଳଙ୍କୁ ମିଳିବ? ଯେଉଁମାନେ ନିଜକୁ ଦେଶଭକ୍ତ ଦାବୀକରି ଦେଶଟାକୁ ଭାଗଭାଗ କରିଚାଲିଛନ୍ତି, ସେମାନେ କ’ଣ ପ୍ରକୃତରେ ସଂଖ୍ୟାଧିକ ଦେଶବାସୀଙ୍କୁ ଶାନ୍ତିରେ ରଖିବାକୁ ଚାହାନ୍ତି?

ଏବେ ଯେଉଁ ଆତଙ୍କର ବାହାନା ନେଇ ରାଷ୍ଟ୍ରକୁ ଅଧିକ ବଳିଷ୍ଠ କରିବାକଥା କୁହାଯାଉଛି ଏବଂ ପୋଲିସର ହାତକୁ ଟାଣ କରିବା କଥା କୁହାଯାଉଛି, ତାହା କ’ଣ ଆମକୁ ଶାନ୍ତି ଓ ସମାଧାନର ରାସ୍ତା ଦେଖାଇବ? ଆତଙ୍କବାଦ କ’ଣ ଆମଦେଶରେ ବିନା ରାଜନୈତିକ ପୃଷ୍ଠପୋଷକତାରେ ଚାଲିଛି? ସାମ୍ରାଜ୍ୟବାଦକୁ ମୁକାବିଲା କରିବା ଭଳି ଦୃଷ୍ଟିକୋଣ ବା ସାମୂହିକ ଇଚ୍ଛାଶକ୍ତି ନଥିଲେ, ଆତଙ୍କବାଦକୁ ମୁକାବିଲା କରିହେବ ନାହିଁ । କେବଳ ସାମ୍ରାଜ୍ୟବାଦୀ ବିରୋଧୀ ଶକ୍ତିମାନେ ହିଁ ଆତଙ୍କବାଦର ଉପଯୁକ୍ତ ମୁକାବିଲା କରିପାରିବେ । ଭାରତୀୟମାନଙ୍କୁ ଏହିକଥା ଉପରେ ଗଭୀରତାର ସହ ବିଚାର କରିବାକୁ ପଡ଼ିବ ।

ଆମ ଚିନ୍ତା ଓ ଚେତନା ଭିତରେ ଇଷ୍ଟ୍‌ଇଣ୍ଡିଆ କମ୍ପାନୀଠାରୁ ବଳି ଅଧିକ ମାରାତ୍ମକ ଇତିହାସ ଥିବା କମ୍ପାନୀମାନେ ନିଜ ଉତ୍ପାଦନ ସାମଗ୍ରୀ ହେଉ ବା ନିଜର ବିଚାର ଓ ବୁଦ୍ଧି ମାଧ୍ୟମରେ ହେଉ ସ୍ଥାନ ଜମାଇ ସାରିଲେଣି । ସେଥିପାଇଁ କିଏ ଆସି ସମଗ୍ର ରାଜ୍ୟଟିକୁ ନେବାପାଇଁ ବସିଲେ ବି ଆମର କିଛି ପ୍ରତିକ୍ରିୟା ନାହିଁ । ଆମେ ଏକଥା ଟିକିଏ ବି ଭାବୁନାହାନ୍ତି ଯେ ଯିଏ ଆସୁଛି ନିଜର ଲାଭ ପାଇଁ ଆସୁଛି, ଆମର ଭଲ ପାଇଁ ନୁହଁ । ଯେଉଁ ମୁଷ୍ଟିମେୟ ଲୋକଙ୍କୁ ସେମାନେ ହାତବାରିସି କରି ସବୁ ସମ୍ପଦ ଲୁଟ୍ କରିବା ପାଇଁ ବସିଛନ୍ତି, ସେମାନଙ୍କ ହାତରେ ଆମର ଶାସନ ବ୍ୟବସ୍ଥା । ସେମାନଙ୍କ ହାତରେ ମଧ୍ୟ ଖବର କାଗଜ ଓ ଟିଭି ଚ୍ୟାନେଲ୍ । ସେମାନେ ହିଁ ଏକମାତ୍ର ଗୋଷ୍ଠୀ ଆମେ ସ୍ୱାଧୀନତା ହରାଇଲେ ବେଶି ଲାଭବାନ ହେବେ । ପଇସା ପାଇଁ ଏମାନେ ନିଜ ସ୍ୱାଧୀନତା ବା ସ୍ୱାଭିମାନକୁ ଅମ୍ବାନୀ, ମିତ୍ତଲ ବା ଅଗ୍ରୱାଲମାନଙ୍କ ହାତରେ ସମର୍ପଣ କରି ଦେଇପାରନ୍ତି । ଦେଶ ବା ରାଜ୍ୟର ସ୍ୱାଭିମାନ କଥା ବୁଝୁଛି କିଏ? ସାଧାରଣ ଲୋକଙ୍କର ଜୀବନ- ଜୀବିକାର ତ’ ମୂଲ୍ୟ କିଛି ନାହିଁ । ଶାସକ ଦଳର ଏଭଳି ମାନସିକତା ଭିତରେ ଜାତୀୟତା ପ୍ରସଙ୍ଗ ଆଲୋଚନା କରିବା କେତେ ଯଥାର୍ଥ?

ଏଭଳି ଏକ ଅବସ୍ଥାକୁ ନେଇ ଶିକ୍ଷାନୁଷ୍ଠାନ ଭିତରେ ବା ବାହାର ଆଲୋଚନା ହେଉନାହିଁ । ଦେଶର ବା ରାଜ୍ୟର ଏହି ପରିସ୍ଥିତିରେ ଯୁବ ଓ ଛାତ୍ରସମାଜ ଓ ଶିକ୍ଷକଶ୍ରେଣୀ ମୁଣ୍ଡଟେକି ବାହାରିବାର ସମୟ ଆସିଛି । ବିଳମ୍ବ ସମସ୍ତଙ୍କ ସ୍ୱାଧୀନତାକୁ ବିପନ୍ନ କରିବ । ସବୁ ବିଷୟକୁ ନେଇ ଚର୍ଚ୍ଚା କରାଯାଉ, ବିତର୍କ ହେଉ, ଭବିଷ୍ୟତର ବାଟ ଖୋଜାଯାଉ । ସ୍ୱାଧୀନତାକୁ ବିପନ୍ନ କରୁଥିବା ସବୁ ରାଜନୈତିକ ଦଳମାନଙ୍କୁ ଦୂରରେ ରଖାଯାଉ ।”

‘ଆଜାଦୀ’ ବା ‘ସ୍ୱାଧୀନତା’ର ଯେଉଁ ନାରା କଳିଙ୍ଗନଗର, ନୀୟମଗିରି ଠାରୁ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଦେବା ଆରମ୍ଭ କରିଛନ୍ତି ଦେଶର ସବୁ ଶିକ୍ଷାୟତନରେ ଏହା ଗୁଞ୍ଜରଣ ସୃଷ୍ଟି କରିପାରିଲେ ଦେଶର ଭବିଷ୍ୟତକୁ ସୁରକ୍ଷା ଦେବାପାଇଁ ଆଗାମୀପୀଢ଼ି ପ୍ରସ୍ତୁତ ହେବ ।

Comments

0 comments

Share This Article
Sudhir Pattnaik is leading the Samadrusti Media Group as an equal member of a committed team. The Group includes within its fraternity, The Samadrusti.com Digital platform, The Samadrusti print magazine, The Samadrusti TV ( for making documentaries on people's issues) Madhyantara Video News Magazine, Village Biography Writing and Samadrusti Mukta Vidyalay imparting journalism courses to poor and deserving youth, Samadrusti Publications ( as a publishing house) and Samadrusti Institute of Research. His main challenge has been sustaining the non-funded ongoing initiatives and launching much-needed new initiatives in an atmosphere where corporate media appropriates all resources making the real alternatives struggle for survival.