ବଳାତ୍କାର ଓ ମହିଳାବିରୋଧୀ ମାନସିକତା

ଭାଲଚନ୍ଦ୍ର ଷଡଙ୍ଗୀ
ଭାଲଚନ୍ଦ୍ର ଷଡଙ୍ଗୀ532 Views
24 Min Read

୨୦୧୨, ଡିସେମ୍ବର ୧୬ତାରିଖର ରାତି । ରାଜଧାନୀ ଦିଲ୍ଲୀରେ ଚଳନ୍ତା ବସ୍ ଭିତରେ ଜଣେ ଅସହାୟା ଯୁବତୀଙ୍କୁ ଯେଉଁଭଳି ଗଣଧର୍ଷଣ କରାଗଲା ତାହା ବର୍ବରତାର ସବୁ ସୀମାକୁ ଅତିକ୍ରମ କରିଛି ବୋଲି କୁହାଯାଇପାରେ । ବଳାକ୍ରାରର ଶିକାର ସଂପୃକ୍ତ ଯୁବତୀଜଣକ ଅତ୍ୟନ୍ତ ମର୍ମନ୍ତୁଦ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଏହି ଘଟଣାକୁ ନେଇ ସମଗ୍ର ଦେଶରେ ପ୍ରତିବାଦର ଜୁଆର ଦେଖାଯାଇଛି । ଗତ କିଛି ମାସ ତଳେ ଗୌହାଟୀରେ ଜଣେ ଯୁବତୀଙ୍କ ପ୍ରତି ସର୍ବସାଧାରଣରେ କିଛି ଯୌନବିକାରଗ୍ରସ୍ତ ଯୁବକଙ୍କ ଅସଦାଚରଣ ଘଟଣା ପରେ ଏହି ଘଟଣାଟି ଦେଶବାସୀଙ୍କୁ ପୁଣି ଥରେ ସ୍ତବ୍ଧ କରିଦେବା ସହ ଆମ ସମାଜରେ ମହିଳାଙ୍କ ବିରୋଧରେ କ୍ରମ ବର୍ଦ୍ଧମାନ ହିଂସା ବିଶେଷ କରି ଯୌନ ନିର୍ଯାତନା ଓ ବଳାକ୍ରାର ପରି ଘଟଣାକୁ ନେଇ ଦେଶର ଶିକ୍ଷିତ ଓ ବୁଦ୍ଧିଜୀବୀ ମହଲରେ ଭୟଙ୍କର ଆକ୍ରୋଶ ସୃଷ୍ଟି କରିଛି ।

ଦିଲ୍ଲୀରେ ଚଳନ୍ତାବସ୍ ଭିତରେ ଗଣଧର୍ଷଣର ପ୍ରତିବାଦରେ ଯେଉଁ ଅଭୂତପୂର୍ବ ଜନଆନ୍ଦୋଳନ ସୃଷ୍ଟି ହୋଇଛି ସେଥିରେ ଶାସନରେ ଥିବାଲୋକେ ଆତଙ୍କିତ ହେବା ସ୍ୱାଭାବିକ । ଯଦି ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଅଧିକତର ଲୋକ ଦିଲ୍ଲୀର ମଧ୍ୟବିତ୍ତ ଓ ଉଚ୍ଚ ମଧ୍ୟବିତ୍ତ ଶ୍ରେଣୀର ନହୋଇ ଶ୍ରମିକ କିମ୍ବା ସାଧରଣ ଗରିବଶ୍ରେଣୀର ହୋଇଥାନ୍ତେ, ତାହେଲେ ସରକାର ବହୁପୂର୍ବରୁ ଭୟଙ୍କର ଦମନ କରି ତାକୁ ଶେଷ କରିଦେବାକୁ ଚେଷ୍ଟା କରିସାରନ୍ତେଣି । ତଥାପି ଆନ୍ଦୋଳନକାରୀଙ୍କ ଉପରେ ବାରମ୍ବାର ପାଣିମାଡ଼, ଲାଠିମାଡ଼ କରି ତଥା ଲୋକଙ୍କୁ ଆନ୍ଦୋଳନର କେନ୍ଦ୍ର କୁହାଯାଉଥିବା ଇଣ୍ଡିଆ ଗେଟକୁ ଯିବାକୁ ନଦେଇ ସରକାର ଆନ୍ଦୋଳନକୁ ଦବାଇବାକୁ ଯେଉଁ ଉଦ୍ୟମ କରିଛନ୍ତି, ତାହାଦ୍ୱାରା ବ୍ୟାପକ ସମାଲୋଚନାର ଶିକାର ହୋଇଛି ।

ତେବେ ଦିଲ୍ଲୀର ଗଣ ବଳାକ୍ରାର ଘଟଣା ହେଉ କିମ୍ବା ଗୌହାଟୀ ବା ପିପିଲିର ଘଟଣା ହେଉ; ଦେଶର ମହିଳାଙ୍କ ବିରୁଦ୍ଧରେ ସଂଗଠିତ ପାଶବିକ ଆକ୍ରମଣର ଘଟଣାଗୁଡ଼ିକ ଆମ ସମାଜର ମହିଳା ବିରୋଧି ଚରିତ୍ରକୁ ବାରମ୍ବାର ସାମ୍ନାକୁ ଆଣୁଛି । ଏସବୁ ଘଟଣା ଦେଶର ରାଜନୈତିକ ଶ୍ରେଣୀ, ପୋଲିସ ଓ ନ୍ୟାୟବ୍ୟବସ୍ଥା ସମେତ ସମଗ୍ରସମାଜର ମହିଳାଙ୍କ ପ୍ରତି ସମ୍ବେଦନ-ହୀନତାର ମୁଖାଟିକୁ ଏକ୍ଦମ୍ ଖୋଲି ଫୋପାଡ଼ି ଦେଇଛି କହିଲେଚଳେ । ଏକବିଂଶ ଶତାବ୍ଦୀରେ ବିଶ୍ୱର ମହାଶକ୍ତିରେ ପରିଣତ ହେବାକୁ ସ୍ୱପ୍ନଦେଖୁଥିବା ଦେଶର ଏକ ଭୟାନକ ଚିତ୍ର ସାମ୍ନାକୁ ଆସୁଛି । ସେଦିନ ଦୀର୍ଘ ୪୦ମିନିଟ ଧରି ଦିଲ୍ଲୀର ରାଜରାସ୍ତା ଉପରେ ଚଳନ୍ତା ବସ୍ରେ ଚାଲିଥିବା ଏହି ନାରକୀୟ କାଣ୍ଡଟି ଦିଲ୍ଲୀ ପୋଲିସର ଅନେକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ସେଥିପାଇଁ ଦିଲ୍ଲୀ ହାଇକୋର୍ଟ ଦିଲ୍ଲୀ ପୋଲିସକୁ ଭର୍ତ୍ସନା ମଧ୍ୟ କରିଛନ୍ତି । ତେବେ ସବୁଠାରୁ ବଡ଼କଥା ହେଉଛି ଅପରାଧୀମାନଙ୍କର ପୋଲିସ ବ୍ୟବସ୍ଥା ପ୍ରତି କ୍ରମ ବର୍ଦ୍ଧମାନ ବେଖାତିର ଓ ନିର୍ଭୟତା । କାରଣ ଯେକୌଣସି ସମାଜରେ ଅପରାଧ ବୃଦ୍ଧିପାଇବା ପଛରେ ସାଧାରଣତଃ ଆଇନବ୍ୟବସ୍ଥା ସ୍ୱୟଂ ଅପରାଧରେ ଲିପ୍ତ ହୋଇଯିବା ମୁଖ୍ୟ କାରଣ ହୋଇଥାଏ ।

ଦିଲ୍ଲୀର ଘଟଣାଟି ଯଦିଓ ବର୍ବରତା ଦୃଷ୍ଟିରୁ ଅତ୍ୟନ୍ତ ବିରଳ, ତଥାପି ବଳାକ୍ରାରର ଏହା ଏକ ମାତ୍ର ଘଟଣା ନୁହେଁ । ଦେଶରେ ଗତ କିଛିବର୍ଷ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସା ବିଶେଷ କରି ବଳାକ୍ରାର ଘଟଣାର ଗ୍ରାଫ୍ ଲଗାତାର ବଢ଼ିବାରେ ଲାଗିଛି । ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ଅନେକ ସଂସ୍ଥା ଭାରତରେ ମହିଳାଙ୍କ ସ୍ଥିତି ବିଶେଷ କରି ସେମାନଙ୍କ ବିରୁଦ୍ଧରେ ସଂଗଠିତ ହେଉଥିବା ହିଂସା ନେଇ ଲଗାତାର ଯେଉଁ ତଥ୍ୟ ପ୍ରଦାନ କରୁଛନ୍ତି ତାହା ଅତ୍ୟନ୍ତ ଉଦ୍ବେଗଜନକ । କିଛି ସପ୍ତାହତଳେ ‘ଗାର୍ଡ଼ିଆନ୍’ ସମ୍ବାଦ ପତ୍ର ତାର ଏକ ଗବେଷଣାତ୍ମକ ରିପୋର୍ଟରେ ଜି-୨୦ ଅନ୍ତର୍ଗତ ଦେଶମାନଙ୍କ ମଧ୍ୟରେ ଭାରତକୁ ମହିଳାଙ୍କ ପାଇଁ ସବୁଠାରୁ ବେଶୀ ଅସୁରକ୍ଷିତ ଦେଶବୋଲି ପ୍ରକାଶ କରିଥିଲା । ଆନ୍ତର୍ଜାତୀୟ ସ୍ତରରେ ମହିଳାଙ୍କ ପାଇଁ କାମ କରୁଥିବା ସୂଚନା ଓ ସହାୟତା କେନ୍ଦ୍ର ‘ଥମ୍ସନ୍ ରାଇଟସ୍ ଟ୍ରଷ୍ଟ୍ ଫର୍ ୱିମେନ୍’ ନାମକ ସଂସ୍ଥା ତାର ସର୍ବେକ୍ଷଣରେ ଭାରତକୁ ମହିଳାଙ୍କ ପାଇଁ ଅତ୍ୟନ୍ତ ଅସୁରକ୍ଷିତ ଦେଶ ବୋଲି ଚିହ୍ନିତକରିଛି । ଏ କ୍ଷେତ୍ରରେ ଭାରତର ସ୍ଥାନ ଆଫଗାନିସ୍ଥାନ, କଙ୍ଗୋ, ସୋମାଲିଆ ଆଦି ଦେଶମାନଙ୍କ ଠାରୁ ବେଶୀ ଦୂରରେ ନୁହେଁ ବୋଲି କୁହାଯାଇଛି ।

ଗତ କିଛିବର୍ଷ ଧରି ଦିଲ୍ଲୀ ତ ଆମଦେଶର ବଳାକ୍ରାରର ରାଜଧାନୀରେ ପରିଣତ ହୋଇଯାଇଛି । ଦେଶରେ ହାରାହାରି ପ୍ରତି ୨୨ମିନିଟ୍ରେ ଜଣେ ମହିଳା ବଳାତ୍କାରର ଶିକାର ହେଉଥିବାବେଳେ ଦିଲ୍ଲୀରେ ପ୍ରତି ୧୮ ମିନିଟ୍ରେ ଜଣେ ମହିଳା ଏହାର ଶିକାର ହେଉଛନ୍ତି । ପ୍ରତି ୫୮ମିନିଟ୍ରେ ଜଣେ ମହିଳା ଯୌତୁକଜନିତ ହତ୍ୟାର ଶିକାର ହେଉଥିବା ବେଳେ ପ୍ରତି ୧୭ମିନିଟ୍ରେ ଜଣେ ମହିଳା ଯୌନ ନିର୍ଯାତନାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ଅପରାଧ ରେକର୍ଡ଼ ବୁ୍ୟରୋର ତଥ୍ୟ ଅନୁଯାୟୀ ୧୯୫୧ରୁ ୨୦୧୧ମଧ୍ୟରେ ଦେଶରେ ବଳାକ୍ରାରର ହାରରେ ୮୫୩% ବୃଦ୍ଧି ଘଟିଛି । କେବଳ ଗତ ଏକବର୍ଷ ମଧ୍ୟରେ ଦେଶରେ ଯେତୋଟି ବଳାକ୍ରାର ମାମଲା ଦାୟର ହୋଇଛି ତାହା ତାର ପୂର୍ବବର୍ଷ ଅପେକ୍ଷା ୩୦% ଅଧିକା ଅଟେ । ୨୦୦୭ରେ ଦେଶରେ ବଳାକ୍ରାର ମାମଲାର ସଂଖ୍ୟା ୨୦,୭୩୭ ହୋଇଥିବାବେଳେ ୨୦୧୦ରେ ୨୨,୧୭୨ ଏବଂ ୨୦୧୧ରେ ଏହା ୨୫,୫୪୦ରେ ଯାଇ ପହଞ୍ଚିଛି । ସେଥି ମଧ୍ୟରୁ ୨୪,୦୦୦ରୁ ଅଧିକ ମାମଲାରେ ବଳାକ୍ରାରୀ ପୀଡ଼ିତାର ଚିହ୍ନାଜଣା ଲୋକ ହୋଇଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ପାଖ ପଡ଼ିଶା ବନ୍ଧୁ, ସାଙ୍ଗ ସାଥି, ଶିକ୍ଷକ, ମାମୁଁ, ଦାଦା, ସଂପର୍କୀୟ ଭାଇ ଏପରିକି ନିଜ ଭାଇ ଓ ବାପା ବି ସାମିଲ ଅଛନ୍ତି । ଦେଶରେ ୧୯୭୧ରୁ ୨୦୧୨ମସିହା ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ମାମଲାରେ ୮୭୩% ବୃଦ୍ଧି ଘଟିଥିବା ବେଳେ ଗତ ପାଞ୍ଚବର୍ଷ ମଧ୍ୟରେ କେବଳ ବଳାକ୍ରାର ଘଟଣାରେ ୨୦%ବୃଦ୍ଧି ପରିଲକ୍ଷିତ ହୋଇଛି । କେବଳ ସେତିକିନୁହେଁ, ଦେଶରେ ସଙ୍ଗଠିତ ହେଉଥିବା ସମସ୍ତ ଜଘନ୍ୟ ଅପରାଧ ତୁଳନାରେ ବଳାକ୍ରାର ଘଟଣାର ବୃଦ୍ଧି ହାର ତିନି ଗୁଣ ହୋଇଥିବା ବେଳେ ହତ୍ୟା ଅପରାଧ ତୁଳନାରେ ଏହି ବୃଦ୍ଧି ହାର ୩.୫ଗୁଣରେ ପହଞ୍ଚିଛି । ୨୦୧୧ରେ ଦେଶରେ ଯୌନ ନିର୍ଯାତନା ମାମଲା ୪୨, ୯୬୮ଟି ଦାୟର ହୋଇଥିବାବେଳେ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ ମାମଲା ସଂଖ୍ୟା ୨,୬୧,୪୭୪ ଥିଲା ।

ଦିଲ୍ଲୀ ଘଟଣା ପରିପ୍ରେକ୍ଷୀରେ ଦେଶରେ ବଳାକ୍ରାର ଅପରାଧପାଇଁ ଅଧିକରୁ ଅଧିକ ଦଣ୍ଡ ଏପରିକି ବଳାକ୍ରାରୀକୁ ମୃତ୍ୟୁଦଣ୍ଡର ବ୍ୟବସ୍ଥା କରିବାକୁ ଦାବୀ ଜୋରଦାର ହୋଇଛି । ଏହା ସତ ଯେ ଦଣ୍ଡବ୍ୟବସ୍ଥା ଯେକୌଣସି ମଣିଷ ମନରେ ଅପରାଧ କରିବାକୁ ଭୟ ସୃଷ୍ଟି କରିଥାଏ ଏବଂ ବଳାକ୍ରାର ପାଇଁ ଆମର ଦଣ୍ଡ ସଂହିତାରେ ବର୍ତ୍ତମାନ ଥିବା ଦଣ୍ଡ ବ୍ୟବସ୍ଥା ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ଯାହାରି ଫଳସ୍ୱରୂପ ବଳାକ୍ରାର ଅପରାଧରେ ଅଧିକାଂଶ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ ହୋଇଯାଉଥିବା ବେଳେ ଦୋଷୀ ସାବ୍ୟସ୍ତ ହେଉଥିବା ଅପରାଧିମାନେ ଅତି ବେଶୀରେ ୩ ରୁ ୭ବର୍ଷର ଜେଲଦଣ୍ଡ ହିଁ ପାଉଛି । ଅତଏବ ଏହାକୁ ଅତିବେଶୀରେ ଆଜୀବନ କାରାଦଣ୍ଡକୁ ବୃଦ୍ଧି କରିବାର ଆବଶ୍ୟକତା ରହିଛି । କିନ୍ତୁ କେବଳ ମୃତ୍ୟୁଦଣ୍ଡ ଦେଲେ ହିଁ ଯେ ବଳାକ୍ରାର ବନ୍ଦ ହୋଇଯିବ, ତାହା ସଂପୂର୍ଣ୍ଣ ଭୁଲ୍ । କାରଣ ଆମ ଦେଶରେ ଯେଉଁସବୁ ଅପରାଧ ପାଇଁ ମୃତୁ୍ୟଦଣ୍ଡର ବ୍ୟବସ୍ଥା ରହିଛି ସେଥିରେ କେତେଜଣ ମୃତ୍ୟୁଦଣ୍ଡ ପାଉଛନ୍ତି? ଦେଶରେ ନରହତ୍ୟା ପାଇଁ ମୃତ୍ୟୁଦଣ୍ଡ ବ୍ୟବସ୍ଥା ଥିବାବେଳେ ଏବଂ ପ୍ରତିଦିନ ଶହ ଶହ ହତ୍ୟା ସଂଘଠିତ ହେଉଥିବା ବେଳେ୧୯୪୭ରୁ ଆଜି ପର୍ଯ୍ୟନ୍ତ ଦେଶରେ ମାତ୍ର ୪୬ ଜଣଙ୍କୁ ହିଁ ମୃତ୍ୟୁଦଣ୍ଡ ଦିଆଯାଇପାରିଛି । ଯଦି ଦେଶରେ ପ୍ରତି ୨୨ ମିନିଟ୍ରେ ଘଟୁଥିବା ବଳାକ୍ରାର ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦିଆଯିବ, ତାହେଲେ ପ୍ରତି ୨୨ ମିନିଟରେ ଜଣକୁ ଫାଶୀ ଦେବାର ଆବଶ୍ୟକ ପଡ଼ିବ । ପୁନଶ୍ଚ ମୃତ୍ୟୁଦଣ୍ଡ ଥିବା ସତ୍ତ୍ୱେ ସେହି ଧରଣର ଅପରାଧର ହାରରେ କେତେ ହ୍ରାସ ପରିଲକ୍ଷିତ ହୋଇଛି? ସେମିତି ଦେଖିବାକୁ ଗଲେ ଆମେରିକାକୁ ଛାଡ଼ିଦେଲେ ମୃତ୍ୟୁଦଣ୍ଡର ବ୍ୟବସ୍ଥାକୁ ଉଚ୍ଛେଦ କରିଥିବା ବିଶ୍ୱର ଅନେକ ଦେଶରେ ଅପରାଧର ହାର ଆମଠାରୁ ଅନେକ ପରିମାଣରେ କମ୍ । ବରଂ ବଳାକ୍ରାରୀକୁ ଫଶୀଦଣ୍ଡର ବ୍ୟବସ୍ଥା କରିଦେଲେ ଏହା ବର୍ତ୍ତମାନ ଥିବା ଦଣ୍ଡର ହାରକୁ ଆହୁରି କମାଇଦେବା ନିଶ୍ଚିତ ଅଟେ ।

ବଳାତ୍କାର ପାଇଁ ବିଶ୍ୱର ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ଦଣ୍ଡର ବ୍ୟବସ୍ଥା ରହିଛି । ଆରବ ଦେଶମାନଙ୍କରେ ବଳାକ୍ରାର ପରି କେତେକ ଅପରାଧ ପାଇଁ ଅପରାଧିକୁ ସର୍ବସାଧାରଣ ସ୍ଥାନରେ ଖୁଣ୍ଟରେ ବାନ୍ଧି ବା ମାଟିରେ ଅଧାପୋତି ତାକୁ ପଥର ମାରି ମାରି ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରହିଛି । ସେହିପରି ଆମେରିକା, ଜର୍ମାନୀ ପରି କେତେକ ବିକଶିତ ଦେଶରେ ବଳାକ୍ରାରୀକୁ ବନ୍ଧ୍ୟାକରଣ କରିବାର ବ୍ୟବସ୍ଥା ରହିଛି । ତେବେ ଏହା କୌଣସି ସଭ୍ୟ ସମାଜର ପରିଚାୟକ ନୁହେଁ । ପୂର୍ବେ ସାମନ୍ତବାଦୀ ସମାଜରେ ରାଜା ବା ଜମିଦାରମାନେ ଛୋଟ ବଡ଼ ଅନେକ ଅପରାଧ ପାଇଁ ବେତ୍ରାଘାତ ଠାରୁ ଆରମ୍ଭ କରି ହାତ, ଗୋଡ଼, ନାକ ବା କାନ ଅଙ୍ଗପ୍ରତ୍ୟଙ୍ଗକୁ କାଟିଦେବା, ଶୁଳିରେ ଚଢ଼ାଇବା, ଦୁଇଗୋଡ଼କୁ ଦୁଇ ଗଛର ଡ଼ାଳକୁ ଟାଣି ଆଣି ବାନ୍ଧି ମଝିରୁ ଚିରିଦେବା, କାନରେ ତତଲା ତେଲ ଢାଳିବା ଆଦି ଅନେକ ଜଘନ୍ୟ ଦଣ୍ଡ ଦେବାର ନଜିର ରହିଛି । ଏହା ଅପରାଧିକୁ ଦଣ୍ଡଦେବାର ବର୍ବର ତରିକ୍କା ଅଟେ । ଏହା ଜରିଆରେ ଅପରାଧିର ମନରେ ଆତଙ୍କ ସୃଷ୍ଟି କରି ତାକୁ ଅପରାଧରୁ ନିବୃତ୍ତ କରିବାର ଚିନ୍ତାଟି ବିଦ୍ୟମାନ ଥିଲା । ତେବେ ଏକ ସଭ୍ୟ ସମାଜରେ ଅପରାଧିର ଅପରାଧ ଯେତେ ସଙ୍ଗୀନ ହେଲେ ବି ତାର ଦଣ୍ଡବିଧାନ କଠୋର ହୋଇପାରେ, ମାତ୍ର ବର୍ବର ନୁହେଁ । ଅତଏବ ବଳାକ୍ରାର ପରି ଅପରାଧର ପ୍ରତିକାର ପାଇଁ ବର୍ତ୍ତମାନର ଦଣ୍ଡ ବ୍ୟବସ୍ଥା ଅଧିକ କଠୋର କରିଦେବା ହିଁ ସମାଧାନ ନୁହେଁ । ବରଂ ତାକୁ ଲାଗୁ କରିବାରେ ହିଁ ସବୁଠାରୁ ବେଶୀ ଦୁର୍ବଳତା ପରିଲକ୍ଷିତ ହେଉଛି ।

ଆମଦେଶରେ ଆଇନକୁ ଲାଗୁ କରି ଅପରାଧି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ତାର ବିଚାର କରି ଦଣ୍ଡଦେବାକୁ ଯଥାକ୍ରମେ ପୋଲିସ ଓ ବିଚାର ବ୍ୟବସ୍ଥା ରହିଛି । କିନ୍ତୁ ସେଠାରେ ଥିବା ଅଧିକାରୀମାନେ ଅଧିକାଂଶତଃ ପୁରୁଷବାଦୀ ବିଚାରର ଶିକାର ହୋଇଥାନ୍ତି । ହିଂସାର ଶିକାର ଜଣେ ମହିଳାଙ୍କ ଅଭିଯୋଗକୁ ସମ୍ବେଦନଶୀଳତାର ସହିତ ବିଚାର କରିବା ପରିବର୍ତ୍ତେ ଓଲଟି ତାଙ୍କୁ କାଠଗଡ଼ାରେ ଠିଆ କଲାପରି ବ୍ୟବହାର କରାଯାଉଛି । ଅନେକ ଘଟଣାରେ ପୀଡ଼ିତାଙ୍କ ଚରିତ୍ର ସଂହାରଠାରୁ ଆରମ୍ଭ କରି ତଦନ୍ତ ନାଁରେ ତାକୁ ବାରମ୍ବାର ଥାନା ଓ କୋର୍ଟକୁ ବାରମ୍ବାର ଡାକି ହଇରାଣ କରିବା ଦେଖାଯାଉଛି । ଅନେକ କ୍ଷେତ୍ରରେ ଲକ୍ଷ୍ୟ କରାଯାଉଛି ଯେ ପୋଲିସ କୌଣସି ମହିଳାଙ୍କ ଉପରେ ହିଂସାର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ପୋଲିସ ଉକ୍ରୋଚ କିମ୍ବା ରାଜନୈତିକ ପ୍ରଭାବ ବିନା କାର୍ଯ୍ୟାନୁଷ୍ଠାନ କରୁନାହିଁ । ପୀଡ଼ିତାଙ୍କ ଏତଲା ଗ୍ରହଣ କରାଯାଉନି ଏବଂ ଯଦିବା ଏତଲା ଗ୍ରହଣ କରାଯାଉଛି ତାହେଲେ ମାମଲାକୁ ରଫାଦଫା କରିବାକୁ ବିଭିନ୍ନ ରକମର ଚାପ ଓ ପ୍ରଲୋଭନ ଦେଖାଯାଉଛି । କୌଣସି କାରଣରୁ ଏତଲା ଦାୟର କଲେ ବି ତାର ତଦନ୍ତ ଓ ସୁପରଭିଜନ୍ ନାଁରେ ପୋଲିସ ଅଧିକାରୀମାନେ ବିଭିନ୍ନ ଚାପ ଓ ପ୍ରଲୋଭନର ଶିକାର ହୋଇ ମାମଲାକୁ ଦୁର୍ବଳ ବା କୋହଳ କରିଦେବା ଦେଖାଯାଉଛି । ଆମ ରାଜ୍ୟର ବହୁଚର୍ଚ୍ଚିତ ପିପିଲି ଗଣଧର୍ଷଣ ମାମଲାରେ ସ୍ଥାନୀୟ ପୋଲିସ ପୀଡ଼ିତାଙ୍କ ଏତଲା ରଖିବାକୁ ବି ମନା କରିଦେବା ଦେଖିବାକୁ ମିଳିଛି । ତେବେ ପୋଲିସ ଏ କ୍ଷେତ୍ରରେ ଯଦି ଆଇନର ଶାସନକୁ ଅକ୍ଷରେ ଅକ୍ଷରେ ପାଳନ କରାଯାଇପାରନ୍ତା, ତାହେଲେ ଆଜି ବଳାକ୍ରାର ମାମଲାରେ ଅଧିକାଂଶ ଅପରାଧି ନିର୍ଦ୍ଦୋଷରେ ଖଲାସ ହୁଅନ୍ତେନି । ଔପନିବେଶିକ ପୃଷ୍ଠଭୂମିରୁ ଆସିଥିବା ଆମର ପୋଲିସ ବ୍ୟବସ୍ଥାର ଏହି ମହିଳା ବିରୋଧି ମନୋଭାବ କାରଣରୁ ଅପରାଧି ନିର୍ଭୟରେ ଅପରାଧ କରିବାର ଅନ୍ୟତମ କାରଣ । ତେବେ ମହିଳାଙ୍କ ବିରୁଦ୍ଧରେ ହିଂସାକ୍ଷେତ୍ରରେ ପୋଲିସ ସମ୍ବେଦନହୀନତା ଦେଖାଇବାର ଅନ୍ୟତମ କାରଣ ହେଉଛି ଆମଦେଶରେ ପୋଲିସ ବିଭାଗରେ ମହିଳାଙ୍କ ଆନୁପାତିକ କମ୍ ଉପସ୍ଥିତି । ଦେଶରେ ବର୍ତ୍ତମାନ ଥିବା ୩୦ଲକ୍ଷରୁ ଊଦ୍ଧ୍ୱର୍ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ମହିଳାଙ୍କ ସଂଖ୍ୟା ମାତ୍ର ୮୩, ୮୨୯ ଅର୍ଥାତ୍ ୩%ରୁ ବି କମ୍ ରହିବା କୌଣସି ସଂଯୋଗ ନୁହେଁ ବରଂ ଶାସନ ବ୍ୟବସ୍ଥାରେ ମହିଳା ବିରୋଧି ଚରିତ୍ରକୁ ପ୍ରମାଣିତ କରୁଛି ।

ଦିଲ୍ଲୀର ଗଣ ବଳାକ୍ରାର ନେଇ ଦେଶବାସୀଙ୍କ ମନରେ ଏତେ ବଡ଼ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଦେଶର ଉତ୍ତର ପୂର୍ବ, କାଶ୍ମୀର ଓ ମାଓବାଦୀ ପ୍ରଭାବ ଅଞ୍ଚଳରେ ପୋଲିସ, ଅର୍ଦ୍ଧ ସାମରିକ ବାହିନୀ ଓ ସେନାଦ୍ୱାରା ମହିଳାଙ୍କ ବିରୁଦ୍ଧରେ ଅବ୍ୟାହତ ରହିଥିବା ଯୌନ ହିଂସା ବିଶେଷ କରି ବଳାକ୍ରାର ଘଟଣା ଉପରେ ଚିନ୍ତାକରିବା ଜରୁରୀ । ସେସବୁ ଅଞ୍ଚଳରେ ମହିଳାଙ୍କ ବିରୁଦ୍ଧରେ ଚାଲିଥିବା ଏହି ପାଶବିକତାକୁ ସର୍ବଦା ବର୍ଦ୍ଦିଧାରୀଙ୍କ ମନୋବଳକୁ ଆଘାତ କରିବ କହି ଦବାଇ ଦିଆଯାଉଛି । ବୋଧହୁଏ ଆମର ରାଷ୍ଟ୍ର ଓ ତାର ଶାସକମାନଙ୍କ ପାଇଁ ସାଧାରଣ ନାଗରିକ ଏବଂ ମହିଳାମାନଙ୍କ ମନୋବଳ ଅପେକ୍ଷା ଜବାନମାନଙ୍କ ମନୋବଳଟି ଅଧିକ ଜରୁରୀ । ଦିଲ୍ଲୀରେ ବଳାକ୍ରାର ବିରୁଦ୍ଧରେ ପ୍ରତିବାଦ କରୁଥିବା ଆନ୍ଦୋଳନକାରୀମାନେ ପୋଲିସ ଓ ସେନାବାହିନୀ ଦ୍ୱାରା ସଂଘଠିତ ବଳାକ୍ରାରକୁ ନିନ୍ଦାକରିବା ସହ ବର୍ଦ୍ଦିଧାରୀ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜୋରଦାର ଦାବୀ କରିବା ନିହାତି ଜରୁରୀ ।

ଆମଦେଶରେ ନ୍ୟାୟବ୍ୟବସ୍ଥାର ମହିଳା ବିରୋଧି ମନୋଭାବ ଏବଂ ବିଳମ୍ବିତ ନ୍ୟାୟ ପ୍ରକ୍ରିୟାଟି ମହିଳାଙ୍କ ବିରୁଦ୍ଧରେ ହିଂସାବୃଦ୍ଧିର ଅନ୍ୟତମ କାରଣ ହୋଇ ଆସିଛି । ବର୍ତ୍ତମାନ ଦେଶର ବିଭିନ୍ନ ଅଦାଲତରେ ୯୫,୦୦୦ରୁ ଅଧିକ ବଳାକ୍ରାର ମାମଲା ବିଚାରାଧିନ ଅଛି । ଗତ କିଛିବର୍ଷର ହିସାବକୁ ଦେଖିଲେ ଦେଶରେ ମହିଳାଙ୍କ ବିରୁଦ୍ଧରେ ହିଂସା ମାମଲାରେ ଦଣ୍ଡ ହାର ୨୬%ରୁ ସାମାନ୍ୟ ଅଧିକ । ଅର୍ଥାତ୍ ପ୍ରାୟ ତିନି ଚତୁର୍ଥାଂଶ କ୍ଷେତ୍ରରେ ଅପରାଧିମାନେ ବିନା ଦଣ୍ଡରେ ମୁକୁଳିଯିବାକୁ ସଫଳ ହେଉଛନ୍ତି । ଗତ ଚାରିଦଶକ ମଧ୍ୟରେ ଏହି ଦଣ୍ଡ ହାର ୪୪%ରୁ ୨୬%କୁ ହ୍ରାସ ପାଇବା ଦେଖାଯାଇଛି । ଯେଉଁମାନଙ୍କୁ ଦଣ୍ଡ ହେଉଛି ସେମାନଙ୍କ ବିଚାରବେଳେ ସାଧାରଣତଃ ଅଦାଲତ ପୀଡ଼ିତାଙ୍କ ପ୍ରତି ସହାନୁଭୂତି ଦେଖାଇବା ପରିବର୍ତ୍ତେ ଅପରାଧି ପ୍ରତି ସହାନୁଭୂତି ଦେଖାଇବା ପରିଲକ୍ଷିତ ହେଉଛି । ଦଣ୍ଡ ଦେଲାବେଳେ ଅପରାଧିଙ୍କ ବୟସ, ପାରିବାରିକ ଆର୍ଥିକ ସ୍ଥିତି ଏପରିକି ପାରିବାରିକ ପୃଷ୍ଠଭୂମିକୁ ମଧ୍ୟ ଦେଖି ଦଣ୍ଡ କୋହଳ କରିବା ଦେଖାଯାଉଛି । କେତେକ ମାମଲାରେ ଦୋଷ ସାବ୍ୟସ୍ତ ହୋଇଥିଲେ ମଧ୍ୟ ହାଇକୋର୍ଟ ଅପରାଧିଙ୍କୁ ଛାଡ଼ି ଦେବା ଦେଖାଯାଇଛି କାରଣ ଅପରାଧି ଆଇଏଏସ୍ ପରୀକ୍ଷାରେ ସଫଳ ହୋଇଛି ବା ପୀଡ଼ିତାଙ୍କୁ ବିବାହ କରିବାକୁ ରାଜି ହୋଇଛି ଅଥବା ଗରିବଙ୍କୁ କମ୍ବଳ ବାଣ୍ଟିବା ପରି ସେବାମୂଳକ କାମକରିଛି । ଆମ ଦେଶରେ ଗୋଟିଏ ଦୁଇଟି ଅପବାଦକୁ ଛାଡ଼ିଦେଲେ ବଳାକ୍ରାର ମାମଲାର ବିଚାରରେ ସାଧାରଣତଃ ୩ ବର୍ଷରୁ ଅଧିକ ସମୟ ଲାଗୁଥିବା ଦେଖାଯାଉଛି । ଏପରିକି ଶିଶୁ ଯୌନ ନିର୍ଯାତନା ମାମଲାର ବିଚାରରେ ମଧ୍ୟ ୧୦ ବର୍ଷରୁ ଅଧିକ ସମୟ ଧରି ବିଚାର ଚାଲିବା ଦେଖିବାକୁ ମିଳିଛି । ବିଚାରର ଏହି ବିଳମ୍ବିତ ପ୍ରକ୍ରିୟା ଯୋଗୁଁ ସାକ୍ଷ୍ୟଗ୍ରହଣରେ ବାଧା ଉପୁଜିବା ସହିତ ଅପରାଧି ସହଜରେ ଖସିଯିବାକୁ ସକ୍ଷମ ହେଉଛି । ଯାରି ଫଳସ୍ୱରୂପ ପୀଡ଼ିତା ଅଯଥାରେ ଅନ୍ୟାୟର ଶିକାର ହେବା ସହିତ ଅନେକ କ୍ଷେତ୍ରରେ ଅପରାଧି ସହିତ ବୁଝାମଣା କରିବାକୁ ବାଧ୍ୟ ହେଉଛି । ଏହି କ୍ଷେତ୍ରରେ ଫାଷ୍ଟଟ୍ରାକ୍ କୋର୍ଟ ଜରିଆରେ ସେସବୁ ମାମଲାର ବିଚାର କରି ତୁରନ୍ତ ନ୍ୟାୟ ଦେବା ଅତ୍ୟନ୍ତ ଜରୁରୀ । କିଛିବର୍ଷ ତଳେ ରାଜସ୍ଥାନରେ ଜଣେ ବିଦେଶିନୀଙ୍କୁ ବଳାକ୍ରାର ମାମଲାରେ ମାତ୍ର ୧୫ ଦିନ ମଧ୍ୟରେ ଅପରାଧିଙ୍କ ବିଚାରହୋଇ ଦଣ୍ଡବିଧାନ ହେବାର ଉଦାହରଣ ରହିଛି । ଅବଶ୍ୟ ଏ କ୍ଷେତ୍ରରେ ଜଣେ ସୁପ୍ରିମକୋର୍ଟ ବିଚାରପତି ନିଜର ନ୍ୟସ୍ତସ୍ୱାର୍ଥ କାରଣରୁ ବ୍ୟକ୍ତିଗତ ଉଦ୍ୟମ କରି ଦୋଷୀକୁ ଏତେ କମ୍ ଦିନରେ ଦଣ୍ଡଦେବାରେ ସଫଳ ହୋଇଥିଲେ ।

ବଳାତ୍କାର ବା ମହିଳାଙ୍କ ବିରୁଦ୍ଧରେ ସଂଗଠିତ ହିଂସାକୁ ରୋକିବାକୁହେଲେ ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମ ସମାଜର ମହିଳା ବିରୋଧି ମାନସିକତାରେ ପରିବର୍ତ୍ତନ । ଦେଶରେ ମହିଳାଙ୍କ ବିରୁଦ୍ଧରେ ସଂଗଠିତ ହିଂସା ପଛରେ ଦୁଇଟି କାରଣ ରହିଛି । ପ୍ରଥମଟି ବ୍ୟବସ୍ଥାଗତ ଓ ଦ୍ୱିତୀୟଟି ତତ୍କାଳୀନ କାରଣରୁ । ଭାରତରେ ମହିଳାଙ୍କ ବିରୁଦ୍ଧରେ ସଂଗଠିତ ବ୍ୟାପକ ସାମାଜିକ ଓ ଘରୋଇ ହିଂସାର ଅଂଶବିଶେଷ ହେଉଛି ବଳାକ୍ରାର । ଭାରତୀୟ ସମାଜର ସାମନ୍ତବାଦୀ ତଥା ପୁରୁଷପ୍ରଧାନ ମୂଲ୍ୟବୋଧ, ସମାଜରେ ଦ୍ୱିତୀୟଶ୍ରେଣୀର ଲିଙ୍ଗ ଭାବେ ମହିଳାଙ୍କ ସ୍ଥାନ, ପରିବାରରେ ସନ୍ତାନର ଲାଳନ ପାଳନରେ ପୁଅକୁ ପ୍ରାଧାନ୍ୟ ଦେବା ଯାହାକି ଭାଇମାନଙ୍କ ମନରେ ଭଉଣୀମାନଙ୍କ ମାଲିକ ଭଳି ଏକ ସାମନ୍ତବାଦୀ ମାନସିକତାର ପ୍ରବଳତାକୁ ସୃଷ୍ଟି କରିଆସିଛି ଏବଂ ମହିଳା ଅଧିକାର ନେଇ ଆନେ୍ଦାଳନର ଅଭାବ ଏସବୁର ପୃଷ୍ଠଭୂମିରେ ରହି ଆସିଛି ।

ଦେଶର ଗ୍ରାମାଞ୍ଚଳରେ ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅଧିକାଂଶ ଅତ୍ୟାଚାର ଘଟଣାରେ ପୀଡ଼ିତା ସାଧାରଣତଃ ଦଳିତ, ଆଦିବାସୀ ଓ ଗରିବ ଶ୍ରେଣୀର ହୋଇଥିବା ବେଳେ ଅପରାଧି ସାଧାରଣତଃ ଗ୍ରାମୀଣ ସମାଜର ଖରାପ ଭଦ୍ରଲୋକ କୁହାଯାଉଥିବା ଜମିଦାର, ଠିକାଦାର ଗୋଷ୍ଠୀ ବା ସେମାନଙ୍କ ଗୁଣ୍ଡାମାନେ ହୋଇଥାନ୍ତି । ହରିଆନା, ଉତ୍ତରପ୍ରଦେଶ ପରି ଉତ୍ତରଭାରତର ଅନେକ ଗ୍ରାମାଞ୍ଚଳରେ ସାମନ୍ତବାଦୀ ବର୍ବରତାର ପ୍ରତୀକ ଖାପ୍ ପଞ୍ଚାୟତ ଝିଅଙ୍କ ଜିନ୍ ପିନ୍ଧିବା, ମୋବାଇଲ ରଖିବା, ଭଲପାଇବା ଆଦିଉପରେ ପ୍ରତିବନ୍ଧକ ଲଗାଇବା ସହିତ ତଥାକଥିତ ଅନର୍ କିଲିଂକୁ ଖୋଲାଖୋଲି ପ୍ରୋତ୍ସାହିତ କରିବା ଦେଖାଯାଇଛି ।

ଅନ୍ୟପଟେ ଜଗତୀକରଣ ଅର୍ଥନୀତିର ପ୍ରଚଳନ ପରେ ଦେଶରେ ବିଶେଷକରି ସହରାଞ୍ଚଳରେ ଭୋଗବାଦୀ ଓ ସାମ୍ରାଜ୍ୟବାଦୀ ସଂସ୍କୃତିର ପ୍ରଭାବ ବଢ଼ିଚାଲିଛି । ଏଥିରେ ମହିଳାକୁ କେବଳ ଏକ ଉପଭୋଗର ବସ୍ତୁ ଭାବେ ଦେଖିବାର ପ୍ରବୃତି ବଢ଼ିଛି । ଚଳଚ୍ଚିତ୍ର ଓ କମ୍ପାନୀମାନଙ୍କ ବିଜ୍ଞାପନମାନଙ୍କରେ ମହିଳାଙ୍କ ନଗ୍ନ ଶରୀରକୁ ବ୍ୟବସାୟିକ ଉଦେ୍ଦଶ୍ୟରେ ଉପଯୋଗ କରିବା ଫଳରେ ସମାଜରେ ବିଶେଷ କରି ଯୁବପିଢ଼ି ମଧ୍ୟରେ ଏକ କାମୁକ ମାନସିକତାକୁ ପ୍ରସାରିତ କରୁଛି । ସରକାରୀ ପ୍ରୋତ୍ସାହନରେ ବଢ଼ି ଚାଲିଥିବା ଏହି ନଗ୍ନ ଓ ଭୋଗବାଦୀ ସଂସ୍କୃତିର ପ୍ରଭାବ ସହିତ ମଦ, ଡ଼୍ରଗସ୍ ଆଦି ନିଶା କାରବାରରେ ବୃଦ୍ଧି ଦେଶର ଯୁବଗୋଷ୍ଠୀ ଅଧିକରୁ ଅଧିକ ଉଦ୍ଭ୍ରାନ୍ତ କରିବା ସହ ସମାଜରେ ମହିଳାଙ୍କ ବିରୋଧରେ ଯୌନ ଅପରାଧକୁ ବଢ଼ାଇବାରେ ସହାୟକ ହେଉଛି ।

ତେବେ ସେ ଦିଲ୍ଲୀ ହେଉ କିମ୍ବା ପିପିଲି; ବଳାତ୍କାର, ବଳାତ୍କାର ହିଁ ଅଟେ । ଏ କ୍ଷେତ୍ରରେ କୌଣସି ପ୍ରକାର ବାଛ ବିଚାର ଓ ପୀଡ଼ିତାଙ୍କ ପ୍ରତି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଆମର ମହିଳା ବିରୋଧି ମାନସିକତାକୁ ଦର୍ଶାଉଛି । କିଛି ଲୋକ ଏସବୁ ଘଟଣା ପାଇଁ ମହିଳାମାନଙ୍କ ବେଶ ପୋଷାକକୁ ଦାୟୀ କରୁଛନ୍ତି । ଏହା ସତ ଯେ ଉତ୍ତେଜନା ସୃଷ୍ଟିକାରୀ ବେଶ ପୋଷାକ ତଥା ସରକାରୀ ପ୍ରୋତ୍ସାହନରେ ଚଳଚ୍ଚିତ୍ର ଓ ଧାରାବାହିକରେ ଅଧିକରୁ ଅଧିକ ନଗ୍ନ ପ୍ରଦର୍ଶନ ଠାରୁ ଆରମ୍ଭ କରି ନିଶାର ଅବାଧ ପ୍ରସାରଣ ସମସ୍ୟାକୁ ଅଧିକ ଉକ୍ରଟ କରିଛି । ଜଗତୀକରଣ ଅର୍ଥନୀତିର ପ୍ରଚଳନପରେ ବଜାରର ସ୍ୱାର୍ଥରେ ମହିଳାର ଦେହକୁ ଏକ ବସ୍ତୁରେ ପରିଣତ କରାଯିବା ସହ ତାର ନଗ୍ନ ପ୍ରଦର୍ଶନ ମଧ୍ୟ ବଢ଼ିଛି । ସେସବୁ ବିରୁଦ୍ଧରେ ପ୍ରତିବାଦ ଓ ଜାଗରୁକତା ଜରୁରୀ ଅଟେ । କିନ୍ତୁ ଏଥିରେ କେବଳ ମହିଳାଙ୍କୁ ବାଛ ବିଚାର କାହିଁକି? ଯଦି ପରିଧାନରେ ସଂଯମତା ଆସିବା ଦରକାର, ତାହା ଯୁବକ ଓ ଯୁବତୀ ଉଭୟଙ୍କ ପାଇଁ ପ୍ରଯୁଜ୍ୟ । ଯଦି କେବଳ ଜିନ୍ ପିନ୍ଧୁଛନ୍ତି ବୋଲି ମହିଳାଙ୍କୁ ବଳାକ୍ରାର ହେଉଛି ଭାବି କେହି ଯୁକ୍ତି କରନ୍ତି ତାହେଲେ ଆଧୁନିକ ବେଶପୋଷାକରୁ ବଞ୍ଚିତ ଗ୍ରାମାଞ୍ଚଳରେ ଗରିବ ଘରର ସାଧାରଣ ମହିଳାଟି ବଳାକ୍ରାରର ଶିକାର ହେଉଛି କାହିଁକି? ଆମଠାରୁ ଅଧିକ ଉତ୍ତେଜକ ବସ୍ତ୍ର ପିନ୍ଧୁଥିଲେ ମଧ୍ୟ ପାଶ୍ଚାତ୍ୟ ଦେଶରେ ବା ଚୀନ ଓ ଜାପାନ ଆଦି ଅନେକ ଦେଶରେ ଆମ ଠାରୁ କମ୍ ମହିଳା ବଳାକ୍ରାରର ଶିକାର ହେଉଛନ୍ତି କିପରି? ଏପରିକି ଅପେକ୍ଷାକୃତ କମ୍ ପୋଷାକ ପନ୍ଧୁଥିବା ସତ୍ତ୍ୱେ ଆଦିବାସୀସମାଜରେ ବଳାକ୍ରାରଠାରୁ ଆରମ୍ଭ କରି ସବୁପ୍ରକାରର ମହିଳା ବିରୋଧି ହିଂସା ଆମଠାରୁ ବହୁଗୁଣରେ କମ୍ କାହିଁକି?

ତେଣୁ ସମସ୍ୟାଟି ବେଶ ପୋଷାକର ନୁହେଁ ବରଂ ଆମ ମନରେ ଥିବା ମହିଳାବିରୋଧି ମାନସିକତାର । ଏହି ମାନସିକତାଯୋଗୁଁ ହିଁ ଜଣେ ଗର୍ଭସ୍ଥ କନ୍ୟାଶିଶୁକୁ ହତ୍ୟାକରିବା ଠାରୁ ଆରମ୍ଭ କରି ଯୌତୁକ ପାଇଁ ସ୍ତ୍ରୀକୁ ପୋଡ଼ିମାରିବା, ମିଛ ସମ୍ମାନର ଦ୍ୱାହି ଦେଇ ନିଜର ଝିଅ ବା ଭଉଣୀର ‘ଅନର୍ କିଲିଂ’ ଆଦି କରିବାକୁ ପଛାଉ ନାହିଁ । ଆମର ପରିବାରରୁ ଆରମ୍ଭ ହେଉଥିବା ଏହି ଲିଙ୍ଗବିଦ୍ୱେଷ ଓ ବାଛ ବିଚାରମୂଳକ ପୁରୁଷବାଦୀ ମାନସିକତାର ସର୍ବୋଚ୍ଚ ରୂପ ହେଉଛି ବଳାକ୍ରାର । ବହୁ ପୂର୍ବରୁ ହିଁ ମହିଳାଙ୍କୁ ପରାଧିନ କରି ରଖିବାକୁ ବଳାତ୍କାରକୁ ହତିଆରରୂପେ ବ୍ୟବହାର କରିବା ଦେଖାଯାଇଛି । ବଳାତ୍କାରକୁ ନେଇ ଦେଶବ୍ୟାପୀ ବିଶେଷ କରି ଦିଲ୍ଲୀବାସୀଙ୍କ ଆକ୍ରୋଶ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନିଜର ଚିରାଚରିତ ନୀରବତାକୁ ଭଙ୍ଗକରି ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିବାକୁ ବାଧ୍ୟ ହୋଇଛନ୍ତି । ଘଟଣାର ଦୀର୍ଘ ଏକ ସପ୍ତାହ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ଉଦ୍ବୋଧନଟି ଅତ୍ୟନ୍ତ ଔପଚାରିକ ଓ ଆତ୍ମରକ୍ଷାତ୍ମକ ପରି ମନେହୋଇଛି । ଉଦ୍ବୋଧନର ଶେଷରେ ‘ଠିକ୍ ହୈ’ ବୋଲି ତାଙ୍କର ମନ୍ତବ୍ୟକୁ ନେଇ ଦେଶବ୍ୟାପୀ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟିହେବା ସହିତ ତାଙ୍କର ଆନ୍ତରିକତାହୀନ ଓ କୃତ୍ରିମତାପୂର୍ଣ୍ଣ ମାନସିକତାକୁ ପ୍ରମାଣିତ କରୁଛି । ସେ ନିଜର ବକ୍ତବ୍ୟରେ ନିଜକୁ ତିନୋଟି କନ୍ୟାଙ୍କ ବାପା ବୋଲି ଏକ ଭାବନାତ୍ମକ ବକ୍ତବ୍ୟ ରଖି ଆନ୍ଦୋଳନକାରୀଙ୍କ ଆକ୍ରୋଶକୁ ପ୍ରଶମିତ କରିବାକୁ ଚେଷ୍ଟାକରିଥିଲେ ମଧ୍ୟ ତାଙ୍କର ଅନ୍ତଃସାରଶୂନ୍ୟ ବକ୍ତବ୍ୟଟି ସମସ୍ୟାର କୌଣସି ଠୋସ୍ ସୂତ୍ର ବାହାର କରିବାରେ ବିଫଳ ହୋଇଛି ।

ତେବେ କେବଳ ପ୍ରଧାନମନ୍ତ୍ରୀ ନୁହଁନ୍ତି, ବଳାକ୍ରାର ତଥା ମହିଳାଙ୍କ ବିରୋଧରେ ସଂଗଠିତ ବିଭିନ୍ନ ହିଂସା ଘଟଣାରେ ଆମଦେଶର ରାଜନୈତିକ ଶ୍ରେଣୀର ସମ୍ବେଦନହୀନତା ଓ ଦାୟିତ୍ୱହୀନତା ବାରମ୍ବାର ପ୍ରଦର୍ଶିତ ହୋଇଛି । ଦିଲ୍ଲୀଘଟଣା ପରିପ୍ରେକ୍ଷୀରେ ଆନ୍ଦୋଳନରତ ଛାତ୍ରମାନଙ୍କ ସହ କଥାହେବାକୁ କେନ୍ଦ୍ର ଗୃହମନ୍ତ୍ରୀ ମନା କରିବା ସହ ଆସନ୍ତାକାଲି ମାଓବାଦୀ ଆସିଲେ ଡାକିଦେଲେ ବି କ’ଣ ମୁଁ ଯିବିକି ବୋଲି ପ୍ରଶ୍ନ କରିଛନ୍ତି । ଆନ୍ଧ୍ର କଂଗ୍ରେସର ସଭାପତି ତଥା ବରିଷ୍ଠମନ୍ତ୍ରୀ ବୋତ୍ସା ସତ୍ୟନାରାୟଣ ମହିଳାଙ୍କୁ ରାତିରେ ଘରୁ ନବାହାରିବାକୁ ପରାମର୍ଶ ଦେଇ ପ୍ରକାରାନ୍ତରେ ବଳାକ୍ରାର ପାଇଁ ସଂପୃକ୍ତ ଯୁବତୀକୁ ଦାୟୀ କରିଛନ୍ତି । ଖୋଦ୍ ରାଷ୍ଟ୍ରପତିଙ୍କ ପୁଅ ଦିଲ୍ଲୀ ବଳାକ୍ରାର ଘଟଣାର ପ୍ରତିବାଦରେ ଆନ୍ଦୋଳନ କରଥିବା ମହିଳା ଓ ଛାତ୍ରୀମାନଙ୍କୁ ଲକ୍ଷ୍ୟକରି ଯୌନଭିତ୍ତିକ ମନ୍ତବ୍ୟ ଦେଇ କହିଛନ୍ତି ଯେ ରାତିରେ ଡ଼ିସ୍କୋକୁ ଯିବା ଓ ସକାଳେ କ୍ୟାଣ୍ଡେଲ ଧରି ପ୍ରତିବାଦ କରିବା ଆଜିକାଲି ଝିଅଙ୍କ ଫେସନ୍ରେ ପରିଣତ ହୋଇଗଲାଣି । ସିପିଏମ୍ ନେତା ତଥା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ଅନ୍ସୁର ରହମାନ୍ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବା ବେଳେ ବଳାକ୍ରାର ପୀଡ଼ିତାଙ୍କୁ ସେଠାକାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ୨୦ହଜାର ଟଙ୍କା ଅନୁକମ୍ପା ରାଶି ଘୋଷଣାକୁ ବିଦୃପ କରି ମମତାଙ୍କୁ ବଳାକ୍ରାର ହେଲେ ସେ କେତେଟଙ୍କାର ଅନୁକମ୍ପା ଚାହିଁବେ ବୋଲି ପଚାରିଛନ୍ତି । ଅତୀତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ମଧ୍ୟ ମହିଳାଙ୍କୁ ଏଭଳି ପରାମର୍ଶ ଦେଇ ବିବାଦୀୟ ହେବା ଦେଖାଯାଇଛି । କିଛିମାସ ତଳେ ହରିଆନାରେ ମହିଳାଙ୍କ ଉପରେ ଗଣବଳାତ୍କାର ଘଟଣାରେ ସେଠାକାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌଟାଲା ଏହାର ସମାଧାନ ପାଇଁ କମ୍ ବୟସରେ ଝିଅମାନଙ୍କୁ ବିବାହ କରାଇବାକୁ ଏପରିକି ବାଲ୍ୟ ବିବାହକୁ ପ୍ରଶୟ ଦେବାକୁ ମଧ୍ୟ ଯୁକ୍ତି କରିଛନ୍ତି । ତା’ପୂର୍ବରୁ ହରିଆନାର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭୁପିନ୍ଦର ସିଂ ହୁଡ଼ା ସେଠାରେ ଖାପ୍ ପଞ୍ଚାୟତ ଦ୍ୱାରା ମହିଳାଙ୍କ ଶିକ୍ଷା, ମୋବାଇଲ ଧରିବା ଏବଂ ପ୍ରେମ ବିବାହ କରିବା ନେଇ ପ୍ରତିବନ୍ଧକକୁ ସମର୍ଥନ କରି ବିବାଦୀୟ ବିବୃତି ଦେଇଥିବା ଦେଖାଯାଇଛି । କିଛି ଦିନତଳେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜୟସ୍ୱାଲଙ୍କ ମହିଳାଙ୍କ ଉପରେ ଏକ ଆପତ୍ତିଜନକ ମନ୍ତବ୍ୟନେଇ ମଧ୍ୟ ବିବାଦ ସୃଷ୍ଟି ହୋଇଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ରାଜ୍ୟରେ ବଢ଼ି ଚାଲିଥିବା ବଳାକ୍ରାର ମାମଲାଗୁଡ଼ିକ ସଂପର୍କରେ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ ବଳାକ୍ରାର ଅଭିଯୋଗଗୁଡ଼ିକରେ ସତ ଅଭିଯୋଗ ଖୋଜିବା କଷ୍ଟକର ଅଟେ । ଅବଶ୍ୟ ଉପରୋକ୍ତ ରାଜନୈତିକ ନେତା ଓ ନେତ୍ରୀମାନେ ପରେ ଗଣମାଧ୍ୟମରେ ଓ ସାଧାରଣ ଜନତାରେ ସେମାନଙ୍କ ବକ୍ତବ୍ୟକୁ ନେଇ ସୃଷ୍ଟି ହେଉଥିବା ପ୍ରତିକ୍ରିୟା ଯୋଗୁଁ ଚିରାଚରିତ ଭାବେ ଅସ୍ୱୀକାର କରିବା ବା କାହାରି ଭାବନାକୁ ଯଦି ଆଘାତ ପହଞ୍ଚୁଛି, ତାହେଲେ କ୍ଷମା ମାଗୁଛି ବୋଲି କହି ନିଜର ଭୁଲକୁ ଘୋଡ଼ାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ସେମାନଙ୍କ ବକ୍ତବ୍ୟରୁ ମହିଳା ବିରୋଧି ମାନସିକତାଟି ସ୍ପଷ୍ଟ ପ୍ରତୀୟମାନ ହୋଇଛି । ରାଜନେତାମାନଙ୍କ ବ୍ୟତୀତ ଶାସନ କ୍ଷମତାରେ ଥିବା ବରିଷ୍ଠ ପ୍ରଶାସନିକ ଅଧିକାରୀ ବିଶେଷ କରି ପୋଲିସ ଅଧିକାରୀମାନେ ଏଭଳି ମହିଳା ବିରୋଧି ଓ ଯୌନଭିତ୍ତିକ ମନ୍ତବ୍ୟ ଦେବାର ଘଟଣା ବାରମ୍ବାର ଦେଖିବାକୁ ମିଳୁଛି ।

ଦିଲ୍ଲୀ ଘଟଣା ପରିପ୍ରେକ୍ଷୀରେ ସଂସଦରେ ବିଭିନ୍ନ ଦଳର ସାଂସଦମାନେ ବଳାକ୍ରାରୀଙ୍କୁ ଫାଶୀଦଣ୍ଡ ଦେବା ଠାରୁ ଆରମ୍ଭ କରି ପୀଡ଼ିତାଙ୍କ ଦୁଃଖରେ କାନ୍ଦିବା ମଧ୍ୟ ଦେଖିବାକୁ ମିଳିଛି । ଆଜି ଯେଉଁ ରାଜନୈତିକ ନେତାମାନେ ବଳାକ୍ରାର ନେଇ ଏତେ ହୋ ହାଲ୍ଲା କରୁଛନ୍ତି, ସେମାନେ ଗତ ୬୫ବର୍ଷ ଧରି ଏ ନେଇ କ’ଣ ପଦକ୍ଷେପ ନେଇଛନ୍ତି? ଆଜି ଜନଗଣଙ୍କ ଆକ୍ରୋଶରୁ ରାଜନୈତିକ ଫାଇଦା ନେବାକୁ ଚାହୁଁଥିବା ଦଳୀୟ ନେତାମାନେ ନିଜ ନିଜ ଶାସନ ସମୟରେ ମହିଳାଙ୍କ ବିରୁଦ୍ଧରେ ହୋଇଥିବା ଏହି ଘୃଣ୍ୟ ଅପରାଧ କ୍ଷେତ୍ରରେ କ’ଣ ପଦକ୍ଷେପ ନେଇଛନ୍ତି? ୧୯୮୪ରେ କଂଗ୍ରେସ ଶାସନ ସମୟରେ ଦିଲ୍ଲୀର ଶିଖ୍ବିରୋଧି ଦଙ୍ଗାରେ କଂଗ୍ରେସର ଗୁଣ୍ଡାମାନଙ୍କ ବଳାକ୍ରାରର ଶିକାର ହୋଇଥିବା ଶିଖ୍ ମହିଳାଙ୍କ ଏଯାଏଁ ନ୍ୟାୟ ଦିଆଯାଇପାରିନି କାହିଁକି? ୨୦୦୨ରେ ଗୁଜରାଟର ମୁସ୍ଲମାନ ବିରୋଧୀ ଦଙ୍ଗାରେ ବଳାକ୍ରାର ଓ ହତ୍ୟାର ଶିକାର ହୋଇଥିବା ଶତାଧିକ ମହିଳାଙ୍କୁ ନ୍ୟାୟଦେବାରେ ବିଜେପି ନେତୃତ୍ୱ କୁଣ୍ଠିତ କାହିଁକି? ସେହିପରି ୨୦୦୭ରେ ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ବିସ୍ଥାପନକୁ ବିରୋଧ କରି ସିପିଏମ୍ ଗୁଣ୍ଡାଙ୍କ ବଳାକ୍ରାର ଓ ହତ୍ୟାର ଶିକାର ହୋଇଥିବା ସେଠାକାର ଗରିବ ମହିଳାଙ୍କ ପକ୍ଷରେ ଠିଆହେବା ପରିବର୍ତ୍ତେ ସିପିଏମ୍ର ନେତୃତ୍ୱ ବରଂ ବଳାକ୍ରାରୀଙ୍କୁ ସୁରକ୍ଷାଦେବା ଦେଖାଯାଇଛି । ବର୍ତ୍ତମାନ ସେଠାରେ ତୃଣମୂଳ କଂଗ୍ରେସର ଶାସନରେ ମଧ୍ୟ ମହିଳାଙ୍କ ବିରୁଦ୍ଧରେ ବଢ଼ି ଚାଲିଥିବା ବଳାକ୍ରାର ଓ ଅନ୍ୟାନ୍ୟ ଅପରାଧ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଭିମୁଖ୍ୟ ଓ ମନ୍ତବ୍ୟଗୁଡ଼ିକ ସମାନ ମାନସିକତାକୁ ପ୍ରଦର୍ଶିତ କରୁଛି ।

ମହିଳାଙ୍କ ସମ୍ପର୍କରେ ଆମଦେଶର ଶାସକ ଶ୍ରେଣୀର ରାଜନୀତିଜ୍ଞମାନଙ୍କ ଆଭିମୁଖ୍ୟର ଆଉ ଏକ ପ୍ରମାଣ ମିଳିଛି ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ । ନିର୍ବାଚନ କମିଶନଙ୍କ ଠାରୁ ଉଦ୍ଧାର କରି ‘ନ୍ୟାସ୍ନାଲ ଇଲେକ୍ସନ ୱାଚ୍’ ଓ ‘ଏସୋସିଏସନ୍ ଫର୍ ଡ଼େମୋକ୍ରାଟିକ୍ ରିଫର୍ମସ୍’ ନାମକ ଦୁଇଟି ସଂସ୍ଥା ନିଜର ରିପୋର୍ଟରେ ପ୍ରକାଶ କରିଛନ୍ତି ଯେ ଗତ ପାଞ୍ଚବର୍ଷ ମଧ୍ୟରେ ବିଭିନ୍ନ ରାଜନୈତିକ ଦଳ ତରଫରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ୨୬୦ଜଣଙ୍କ ବିରୁଦ୍ଧରେ ମହିଳାଙ୍କ ବିରୁଦ୍ଧରେ ବଳାକ୍ରାର, ହତ୍ୟା, ସର୍ବସାଧାରଣରେ ନିବସ୍ତ୍ର କରିବା ପରି ଗୁରୁତର ଅଭିଯୋଗ ସବୁ ରହିଛି । ସେଥି ମଧ୍ୟରୁ ସର୍ବାଧିକ ୨୬ଜଣ କଂଗ୍ରେସଦଳର ହୋଇଥିବା ବେଳେ ବିଜେପିରୁ ୨୪, ସମାଜବାଦୀ ପାର୍ଟିରୁ ୧୬ ଓ ବହୁଜନ ସମାଜପାର୍ଟିରୁ ୧୮ଜଣ ରହିଛନ୍ତି । ଯଦି ସର୍ବଭାରତୀୟ ସ୍ତରରେ ଉଭୟ ଲୋକସଭା ଓ ବିଧାନ ସଭା ନିର୍ବାଚନର ଚିତ୍ର ଦେଖାଯିବ, ତାହେଲେ ଏ ଧରଣର ଅଭିଯୁକ୍ତଙ୍କ ତାଲିକାଟି ଯେ ବହୁତ ଲମ୍ବା ହୋଇଯିବ ଏଥିରେ ସନ୍ଦେହ ନାହିଁ ।

ଉପରୋକ୍ତ ତଥ୍ୟରୁ ଏହା ସ୍ପଷ୍ଟ ପ୍ରତିପାଦିତ ଯେ ଆମଦେଶର ପ୍ରମୁଖ ରାଜନୈତିକ ଦଳମାନେ ମହିଳାଙ୍କ ବିରୁଦ୍ଧରେ ଅପରାଧ ପ୍ରତି ଗମ୍ଭୀର ନୁହଁନ୍ତି । ଯଦି ମହିଳାଙ୍କ ପ୍ରତି ସମ୍ବେଦଳଶୀଳ ଥାଆନ୍ତେ ତାହେଲେ ସେଭଳି ଅଭିଯୁକ୍ତମାନଙ୍କୁ ନିର୍ବାଚନରେ ଟିକଟ ହିଁ ମିଳନ୍ତାନି । ଦିଲ୍ଲୀ ଘଟଣା ପରିପ୍ରେକ୍ଷୀରେ ଭୋଟ ରାଜନୀତିର ସ୍ୱାର୍ଥରେ କେବଳ ଲୋକ ଦେଖାଣିଆ ମନ୍ତବ୍ୟ ଦେବା ଦେଖାଯାଇଛି ।

ତେବେ ବଳାକ୍ରାର କିମ୍ବା ମହିଳାଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧ କ୍ଷେତ୍ରରେ ଦେଶର ରାଜନୈତିକ ବ୍ୟକ୍ତିତ୍ୱମାନେ ପୀଡ଼ିତାଙ୍କୁ ପ୍ରତି ସମ୍ବେଦନା ଜଣାଇବା ପରିବର୍ତ୍ତେ ତାଙ୍କୁ ହିଁ କାଠଗଡ଼ାରେ ଠିଆ କରିବାର ମନୋବୃତ୍ତି ପଛରେ ସେମାନଙ୍କ ମହିଳା ବିରୋଧି ମାନସିକତାଟି ହିଁ ପ୍ରମାଣିତ ହେଉଛି । ଯେଉଁ ଦଳମାନେ ବିରୋଧୀଦଳରେ ଥିବା ବେଳେ ବଳାକ୍ରାର ଘଟଣାନେଇ ତୁମ୍ବି ତୋଫାନ ସୃଷ୍ଟି କରିଥାନ୍ତି ସେମାନେ କ୍ଷମତାସୀନ ହେବାପରେ ସେଭଳି ଘଟଣାରେ ସେମାନଙ୍କ ଆଚରଣରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି । ଅଶୀ ଦଶକରେ କଂଗ୍ରେସ ଶାସନ ସମୟରେ ଛବିରାଣୀ, ବିଳାସୁଣୀ, ଅନ୍ଧୁଣୀ ଛାତ୍ରୀ ଧର୍ଷଣ ଆଦି ଘଟଣାକୁ ରାଜନୈତିକ ପ୍ରସଙ୍ଗ ପରି ଫାଇଦା ହାସଲ କରିଥିବା ନେତାମାନେ ପରବର୍ତ୍ତୀ ଅବସ୍ଥାରେ କୁତ୍ରା ବ୍ଳକର ଅଧ୍ୟକ୍ଷାଙ୍କ ପ୍ରତି ଅସଦାଚରଣ କରିଥିବା ଜନୈକ ମନ୍ତ୍ରୀଙ୍କ କ୍ଷେତ୍ରରେ ଅପରାଧକୁ ପରଦା ଢ଼ାଙ୍କିବା କାମ କରିଛନ୍ତି । ସେହିଭଳି ଅତୀତରେ ଅଞ୍ଜନା ମିଶ୍ର ଅସଦାଚରଣ ଓ ବଳାକ୍ରାର ଘଟଣାରେ ତକ୍ରାଳୀନ କଂଗ୍ରେସ ସରକାରକୁ ଦାୟୀ କରି ବ୍ୟାପକ ଆନ୍ଦୋଳନ କରିଥିବା ବର୍ତ୍ତମାନର ବିଜେଡ଼ି ନେତାମାନେ ପିପିଲି ଗଣଧର୍ଷଣ ଠାରୁ ଆରମ୍ଭ କରି ଗତ ୧୨ବର୍ଷର ସମସ୍ତ ବଳାକ୍ରାର ମାମଲାରେ ସରକାରକୁ ବଞ୍ଚାଇବାର ହିଁ ଉଦ୍ୟମ କରିଛନ୍ତି ।

ବଳାତ୍କାର ପରି ଘୃଣ୍ୟ ଘଟଣା ଏକ ରୁଗ୍ଣ ଓ ବର୍ବରସମାଜର ପରିଚାୟକ ଅଟେ । ଏହା ଆମ ସମାଜର ମହିଳାବିରୋଧି ମାନସିକତାର ସର୍ବୋଚ୍ଚ ପ୍ରତିଫଳନ ବୋଲି କୁହାଯାଇପାରେ । ସମାଜର ସର୍ବନିମ୍ନ ଶାଖା ଭାବେ ଆମ ପରିବାରରେ ରହଥିବା ଲିଙ୍ଗ ବିଦ୍ୱେଷ ଏହାର ମୂଳଭିତ୍ତି ଅଟେ ଯେଉଁଠି ଗର୍ଭସ୍ଥ ଶିଶୁର ଲିଙ୍ଗନିରୂପଣ କରି ତାକୁ ହତ୍ୟା କରିବାଠାରୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ପୁରୁଷ ଓ ନାରୀର ସ୍ପଷ୍ଟ ଭେଦ ପରିଲକ୍ଷିତ ହୋଇଥାଏ । ପରିବାରରେ ରହିଥିବା ଅଗଣତାନ୍ତ୍ରିକ ଓ ସାମନ୍ତବାଦୀ ଚିନ୍ତା ତଥା ପରିବେଶ ହିଁ ମହିଳାଙ୍କୁ ଭେଦାଭେଦର ଭିତ୍ତିହୋଇ ଆସିଛି । ପୁଅକୁ ସାହସୀ, ଆତ୍ମନିର୍ଭରଶୀଳ, ଶକ୍ତିଶାଳୀ ହେବାକୁ ଶିକ୍ଷା ଦିଆଯାଉଥିବା ବେଳେ ଝିଅମାନଙ୍କୁ ଭାଗ୍ୟ ଓ ପୂର୍ବଜନ୍ମର ଫଳ ନାଁରେ ସମସ୍ତ ପ୍ରକାର ଶୋଷଣ ଓ ନିର୍ଯାତନାକୁ ସହିବାକୁ ଶିକ୍ଷା ଦିଆଯାଇଥାଏ । ଜଣେ ମହିଳାକୁ ମଣିଷଭାବେ ସମ୍ମାନର ସହିତ ବଞ୍ଚିବାକୁ ଶିକ୍ଷାଦେବା ପରିବର୍ତ୍ତେ ଜଣେ ସ୍ତ୍ରୀପାଇଁ ଯୋଗ୍ୟ ସମସ୍ତ ଗୁଣକୁ ଶିକ୍ଷା ଦିଆଯାଇଥାଏ । ଜୋର୍ରେ ଦୌଡ଼ିବା, ଖିଲିଖିଲି ହୋଇ ହସିବା, ବଡ଼ ପାଟିରେ କଥା ହେବା ଅଥବା ରାସ୍ତାରେ ଯାଉଥିବା ବେଳେ ଯେକୌଣସି ଅସଭ୍ୟ ବ୍ୟବହାରକୁ ମୁଣ୍ଡପାତି ସହିଯିବା ସ୍ତ୍ରୀର ଗୁଣ ବୋଲି ତାକୁ କୁହାଯାଇଥାଏ । ଅର୍ଥାତ୍ ଜୀବନର ପ୍ରତିପାଦରେ ଜଣେ ମହିଳାକୁ ସମାଜ ଦ୍ୱାରା ନିର୍ଦ୍ଧାରିତ ସ୍ତ୍ରୀଯୋଗ୍ୟ ଗୁଣରେ ତଉଲା ଯାଇଥାଏ । ଏହି ସମସ୍ତ ପରାମର୍ଶକୁ ଅମୃତ ପରି ପିଇ ଦେଇ ସେ ଜଣେ ଲାଜକୁଳା, ଭୀରୁ ଓ ଅବଦମିତ ମଣିଷର ଏକ ମୂର୍ତ୍ତିମନ୍ତ ପ୍ରତୀକରେ ପରିଣତ ହୋଇଯାଇଥାଏ । ଆମର ପୁରୁଷପ୍ରଧାନ ସମାଜ ନିଜ ଦ୍ୱାରା ଗଢ଼ାଯାଇଥିବା ଏହି ନିୟମଉପରେ ଗର୍ବର ସହ କହିଥାଏ ଦେଖ ତା ପାଖରେ ଲଜ୍ଜା, ଶାଳୀନତା ଓ ସହନଶୀଳାତା ଆଦି ସୁଗୁଣ ରହିଛି । ଅତଏବ ମୃତ୍ୟୁଦଣ୍ଡ ପରି କଠୋର ଆଇନ ନୁହେଁ ବରଂ ସମାଜ ଓ ପରିବାର ସବୁଠାରେ ପୁରୁଷ ଓ ମହିଳାଙ୍କ ଭେଦାଭେଦରହିତ ଏକ ଗଣତାନ୍ତ୍ରିକ ପରିବେଶ ହିଁ ମହିଳାଙ୍କ ବିରୁଦ୍ଧରେ ହିଂସାକୁ ପ୍ରତିହତ କରିବା ସହ ଏକ ସଭ୍ୟ ସମାଜ ଗଠନରେ ସହାୟକ ହୋଇପାରିବ ।

Comments

0 comments

Share This Article