‘ଦି ଭଲ୍ୟୁଣ୍ଟିଅର ଆର୍କାଇଭିଷ୍ଟସ’ ଓ ‘ନାନୀ ମା’: ଆମ ଲିଖିତ ଓ କଥିତ ଅଭିଲେଖର ଅଭିଲେଖ

20 Min Read

ଟେକ୍ନୋଲୋଜି ହୁଏତ ଓଡ଼ିଆ ଭାଷାଭାଷୀଙ୍କ ପାଇଁ ଓଡ଼ିଆ ଲେଖା ନିକଟ, ସହଜ ଓ ସୁଲଭ କରାଇଛି । କିନ୍ତୁ ଡିଜିଟାଲକୁ ବଦଳିବା ଆଗରୁ ଛପାଲେଖା ସବୁ ଚିରକାଳପାଇଁ ସାଇତା ହୋଇଛି ତ? ବିଧିବଦ୍ଧ ଲେଖାପଢ଼ାର ସୁଯୋଗ ପାଇନଥିବା ଅଗଣିତ ଲୋକଙ୍କ ଛପାଯାଇନଥିବା ପ୍ରଜ୍ଞା କିଛି ସାଇତା ହୋଇଛି ତ? ଆମେ ଓଡ଼ିଆଭାଷୀ ଟେକ୍ନୋଲୋଜିକୁ ସମସ୍ତଙ୍କ ଜ୍ଞାନ ସାଇତିବାରେ କେତେ ବ୍ୟବହାର କରିଛେ? ପୁଣି ସମସ୍ତଙ୍କ ପାଖେ ଜ୍ଞାନ ପହଞ୍ଚାଇବାରେ କେତେ ଉଦ୍ୟମ କରିଛେ? ଆମେ ଆଜି ମଧ୍ୟ ଏ ପ୍ରଶ୍ନସବୁ ଭିତରେ ଧନ୍ଦିହେଉଛେ ।

ଇତିହାସ ବିବିଧରକମର ମାନସିକତାରେ ଭରା । ତେବେ ବିତ୍ତଶାଳୀ ମାନସିକତା ଭିତରୁ ଦୁଇ କିସମର ମାନସିକତା ବାବଦରେ ମୁଁ ଏ ପ୍ରବନ୍ଧରେ ଉଲ୍ଲେଖ କରୁଛି । ପ୍ରଥମଟି ହେଲା ନିଜ ବିତ୍ତକୁ ବହୁଗୁଣିତ କରିବାର ଚିର ଚେଷ୍ଟା । ଜଣେ ଯେତେ ସମ୍ପତ୍ତି ଗୋଟାଏ, ଯେମିତି ବାଟରେ ଗୋଟାଏ, ଆହୁରି ପାଇବାର ଇଚ୍ଛା ଓ ଲୋଭ ତାକୁ ଆହୁରି ସମ୍ପତ୍ତି ଗୋଟାଇବା ପାଇଁ ଉସୁକାନ୍ତି । ଏ କିସମର ଲୋକ କେବଳ ନିଜପାଇଁ ଜୀଅଁନ୍ତି ଆଉ ଏ ମାନସିକତାର ଉଦାହରଣ ଅନେକ । ଅନେକ ସମୟରେ ସେମାନେ ଲୋକଦେଖାଣିଆ କିମ୍ବା ଅତି ଅଧିକ ଧନକୁ ଟିକସ କବଳରୁ ଫାଙ୍କିବା ପାଇଁ ଶିକ୍ଷାନୁଷ୍ଠାନ ବା ଅନ୍ୟାନ୍ୟ ଦାତବ୍ୟ ଅନୁଷ୍ଠାନ ସ୍ଥାପନା କରନ୍ତି । ତେବେ ଏ ଦାତବ୍ୟ କାମରୁ ସମାଜ ଅନେକ ସମୟରେ ଲାଭପାଏ ତେଣୁ ଭଲ-ମନ୍ଦର ଦ୍ୱୈତ ବିଚାରରେ ଏସବୁ ଜଟିଳତାକୁ କଳିବା ଲୋଡ଼ା ନାହିଁ । ଦ୍ୱିତୀୟ କିସମର ମାନସିକତା ହେଲା ସମ୍ପତ୍ତି ଗୋଟାଇବା କିନ୍ତୁ ତା’ର ବହୁଭାଗ ସମାଜ ପାଇଁ ଲଗାଇବା । ଏଭଳି ଲୋକେ ବିଭିନ୍ନ ବାଟରେ ଟଙ୍କା ଅର୍ଜନ୍ତି ଆଉ ସେ ଟଙ୍କା କେବଳ ନିଜପାଇଁ ନରଖି ସମାଜ ପାଇଁ ଖର୍ଚ୍ଚ କରନ୍ତି । ସେମାନଙ୍କ ଜୀଇଁବାରେ ସୁଖ ସ୍ୱାଛନ୍ଦ୍ୟ ମଧ୍ୟ ଥାଏ । ଗୋପାଳ ପ୍ରହରାଜ ଥିଲେ ଏମିତିକା ଜଣେ ଲୋକ । ତାଙ୍କର ଜନ୍ମ ସମ୍ପତ୍ତି ବେଢ଼ା ଘରେ । ବ୍ରାହ୍ମଣ ପୁଣି ଜମିଦାର ତେଣୁ ପିଢ଼ି ପରେ ପିଢ଼ି କେବଳ ଦଳିତ ତଥା ଅନ୍ୟ କାମକରା ଜାତିଙ୍କ କାମର ଲାଭରୁ ସେ ସମ୍ପତ୍ତି ତିଆରି । ତେବେ ଓକିଲାତି ପଢ଼ି ସୁଦ୍ଧା ତାଙ୍କ ମନଥିଲା ଲୋକଙ୍କ ଭାଷାରେ ସାମାଜିକ ଇତିହାସକୁ ଇତିହାସକୁ ଲିପିବଦ୍ଧ କରିବା । ସେ ନିଜର ସମଗ୍ର ଜୀବନ ଓ ଓକିଲାତିରୁ କମା ଏବଂ ପୈତୃକ ଧନ ‘ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ’ ସଂକଳନରେ ସାରିଛନ୍ତି । ପୁରୁଷପ୍ରଧାନ ସମାଜରେ ବଢ଼ି ମଧ୍ୟ ତାଙ୍କ ଅଳ୍ପ ବୟସରେ ବିଧବା ହୋଇଥିବା ଶାଳୀ ପୀତାମ୍ବରୀ ଦେବୀଙ୍କ ପ୍ରେମରେ ପଡ଼ିଛନ୍ତି । ପୁଣି ପୀତାମ୍ବରୀ ଦେବୀଙ୍କ ସହ ରହିବାକୁ ନେଇ ନିଜ ସ୍ତ୍ରୀ-ପିଲାଙ୍କ ପର ହୋଇଛନ୍ତି । ପୀତାମ୍ବରୀ ଦେବୀ ମଧ୍ୟ ଗାଁ ଗାଁ ବୁଲି ଦଳିତ ଓ ଅନ୍ୟାନ୍ୟ ସବର୍ଣ୍ଣ-ଦଳିତ ଜାତିର ମହିଳାମାନଙ୍କ ତୁଣ୍ଡରେ କୁହା ଶବ୍ଦସବୁ ଏକାଠି କରିଛନ୍ତି । ସେ କାଳରେ ସେ ଶବ୍ଦସବୁ ସାଇତା ହେବାର ଆଉ ଭଲ ବାଟ ନଥିଲା କହିବା ଭୁଲ ହେବ ନାହିଁ । କହିବା ବାହୁଲ୍ୟ ଯେ ଉଭୟ ଗୋପାଳଚନ୍ଦ୍ର ପ୍ରହରାଜ ଓ ପୀତାମ୍ବରୀ ଦେବୀ ନିଜ ଅର୍ଜିଲା ବା ପାଇଲା ଧନକୁ ଲୋକାଚାର, ଲୋକଭାଷା, ଲୋକକଥା ଆଦି ସାଉଁଟିବାରେ ଅନେକ ବର୍ଷ ଧରି ଲଗାଇଥିଲେ ଆଉ ଅନ୍ୟ କାହାକୁ କେବଳ କାମରେ ନଲଗାଇ ନିଜେ ମଧ୍ୟ ଏ କାମରେ ଲାଗିଥିଲେ । ‘ଭାଷାକୋଷ’ର ଭାଷାକୁ ନିରେଖି ଦେଖିଲେ ସେଥିରେ ବ୍ରାହ୍ମଣବାଦ ସୁସ୍ପଷ୍ଟ । ଅର୍ଥାତ ବ୍ରାହ୍ମଣ ଓ ଜାତି ଭିତ୍ତିରେ ଉଚ୍ଚପଦବୀ ପାଇଥିବା ଜାତିର ଲୋକଙ୍କର ସେହି ଜାତି ଭିତ୍ତିରେ ତଳିଆ ପଦବୀ ପାଇଥିବା ଲୋକଙ୍କ ଉପରେ ସାମାଜିକ ଦୁରାଚାର ବିଭିନ୍ନ ବର୍ଣ୍ଣନାରେ ଫୁଟିଉଠିଛି । ହୁଏତ ସଂକଳକମାନେ ନିଜେ ସେହି ଉଚ୍ଚ ଜାତିର ହୋଇଥିବାରୁ ବା ଅନ୍ୟ କାରଣରୁ ଭାଷାକୋଷର ଭାଷାରେ ବ୍ରାହ୍ମଣବାଦକୁ ବ୍ରାହ୍ମଣବାଦୀ ଭାଷାରେ ଲେଖାଯାଇଛି । ସେ ସାତଖଣ୍ଡ ପାଣ୍ଡୁଲିପି ଜଣେ ଆମ୍ବେଦକର କି ଭୀମଭୋଇ ଲେଖିଥିଲେ ସାମାଜିକ ଚିତ୍ର ଭିନେ ହୋଇଥାନ୍ତା । କିନ୍ତୁ ଐତିହାସିକ ଲେଖା ଲେଖକର ପୃଷ୍ଠଭୂମିକୁ ସବୁବେଳେ ଦେଖି ଘଷାହୁଏ । ଆଜି ମୁଁ ଯାହା ଲେଖୁଛି ସେଥିରେ ମୁଁ ପାଇଥିବା ବା ବଞ୍ଚିତ ହୋଇଥିବା ସୁବିଧା ସୁଯୋଗର ଭୂମିକା କେତେ ସେ କଥା ପାଠକେ ନ ଜାଣିଲେ ହୁଏତ ମନଗଢ଼ା ସିଦ୍ଧାନ୍ତ ନେବେ । ‘ଭାଷାକୋଷ’ ପ୍ରକାଶନ କାଳ ୧୯୩୧-୧୯୪୦ ଓ ସେ ତତ୍କାଳିକ ସମାଜରେ ତଥାକଥିତ ଉଚ୍ଚଜାତି ସାମାଜିକ ଅବସ୍ଥାକୁ କିଭଳି ଲିପିବଦ୍ଧ କରିଛି ତା’ ଏ ଗ୍ରନ୍ଥାବଳୀରେ ଆମେ ବିଶଦ୍ ଭାବେ ଦେଖିପାରିବା । ମୋ ମତରେ ଏଭଳି ଗ୍ରନ୍ଥର ଆବଶ୍ୟକତା ରହିଛି । ଜଣେ ଯେତେ ଚେଷ୍ଟାକଲେ ବି ନିଜ କଲମରେ ନିଜ ଭାବନା ଫାଙ୍କି ଦେଇପାରିବ ନାହିଁ । ଏଣୁ ଗୋପାଳଚନ୍ଦ୍ର ଓ ପୀତାମ୍ବରୀ ଉଭୟ ଓ ତାଙ୍କ ସହକର୍ମୀମାନଙ୍କର ଏ ସଂକଳନ ଓଡ଼ିଶାର ଇତିହାସକୁ ପଢ଼ିବା, ବୁଝିବା, ଭଲ-ଭେଲ ବାଛିବା ଆଉ ଆଗକୁ ଯୋଜନା କରିବା ପାଇଁ ଅନେକଭାବେ ସହାୟକ । ଏକ ଅଭିଧାନ ସାଧାରଣତଃ ଶବ୍ଦର ସମ୍ଭାର । କିନ୍ତୁ ‘ଭାଷାକୋଷ’ ନିଆରା କାରଣ ଏ ଗ୍ରନ୍ଥାବଳୀ ଅନେକ କୁଭାବନା ଓ କୁଚେତନା ଯାହା ସେତେବେଳର ଉଚ୍ଚ ସମାଜ ସଂସ୍କାର ବୋଲି ମାନିନେଇଥିଲା ତାକୁ ପଦାରେ ପକାଏ । ଏଣୁ ଏ ସଂକଳକମାନଙ୍କ କଣ ଲିପିବଦ୍ଧ କରିଛନ୍ତି ତାକୁ ଅନ୍ୟାନ୍ୟ ଅଭିଲେଖିତ ପାଠ ସହ ଗୁଣଫେଡ଼ କରି ଆମେ ଆମ ଅସଲ ଇତିହାସ ଜାଣିପାରୁଛୁ । ଅଭିଲେଖ ବିନା ଆଜି ଅନେକ ବ୍ରାହ୍ମଣବାଦୀମାନେ ତାଙ୍କ ପୂର୍ବଜ ଦଳିତ-ଆଦିବାସୀ-ବହୁଜନମାନଙ୍କୁ ଜ୍ଞାନ-ଧନ-ମାନ ଓ ସାମାଜିକ ଅଧିକାରରୁ କେତେ ବଞ୍ଚିତ କରି ରଖିଛନ୍ତି ତା’ ସହଜରେ ଫାଙ୍କି ଦେଇପାରନ୍ତେ । ଛପା ‘ଜ୍ଞାନକୋଷ’ର ଅପମୃତ୍ୟୁ ଯେ ଏ ଚେଷ୍ଟାକୁ ଆହୁରି ଆଗକୁ ବଢ଼ାଇଥାଆନ୍ତା ଏଥିରେ ଦ୍ୱନ୍ଦ୍ୱ ନାହିଁ ।

ଦି ଭଲ୍ୟୁଣ୍ଟିଅର୍ସ ଆର୍କାଇଭିଷ୍ଟସ: ଲିଖିତ ଅଭିଲେଖର ଅଭିଲେଖ

ଛପା ପ୍ରକାଶନ ନଷ୍ଟ ହେବା ଆଗରୁ ତା’ର ଅଭିଲେଖ କରିବ କିଏ? ‘ଭାଷାକୋଷ’ ଥିଲା ସାମାଜିକ ଅବସ୍ଥା ଓ ଭାଷାର ଅଭିଲେଖ । କିନ୍ତୁ ଗୋପାଳଚନ୍ଦ୍ରଙ୍କ ପରିବାର ତାକୁ ନେଇ ଅଦାଲତରେ କେସ କରିବା ଆଉ ଅଳ୍ପସଂଖ୍ୟକ ଛପା ଗ୍ରନ୍ଥାବଳୀ ଏକ ପ୍ରକାର ମୃତ୍ୟୁମୁଖରେ ପଡ଼ିବା କେହି ବୋଧେ ଭାବିନଥିବେ । ଏତେ ରଜା ଆଉ ବ୍ରିଟିଶଙ୍କ ପୃଷ୍ଠପୋଷକତାରୁ ଛପା ଏ ଗ୍ରନ୍ଥସମୂହର ଖଣ୍ଡଟିଏ ଓଡ଼ିଆ ପାଠକେ ଯେ କେବେ ନ ଦେଖିବେ ତା’ ଭାବିବା ଦୁଃସ୍ୱପ୍ନ ଭଳି ଲାଗୁଛି । ଆଉ ଯେଉଁ କେତେକ ଗ୍ରନ୍ଥ ବ୍ୟକ୍ତିଗତ ମାଲିକାନାରେ ରହିଲା ସେ ଯେ କେତେକାଳ ଅତୁଟ ରହିବ ତା’ କେବଳ ଉଇମାନେ କହିପାରିବେ । ସାଇତିବା ଲୋକ ଅନେକ ସମୟରେ ତା’ ଜୀବନକାଳରେ ସେ ସାଇତା ଜିନିଷ କାମରେ ଲାଗିବା ହୁଏତ ଦେଖିନପାରେ । ବିଜ୍ଞାନୀ ଦମ୍ପତ୍ତି ପୁଷ୍ପଶ୍ରୀ ପଟ୍ଟନାୟକ ଓ ଡ. ନିଖିଳ ମୋହନ ପଟ୍ଟନାୟକ ନିଜ ଜୀବନରେ ଯଥାକ୍ରମେ ଶିକ୍ଷାବିତ୍ ଓ ବୈଜ୍ଞାନିକ ହେବା ଦିଗରେ ଆଗଉଥିଲେ ଆଉ ଆଗେଇଥିଲେ । ତେବେ ୧୯୮୦ ଦଶକର ଆରମ୍ଭରେ ସରକାରୀ ସ୍କୁଲରେ ବିଜ୍ଞାନ ଏକ ଯେ କେବଳ ଖସଡ଼ା ବିଷୟ ଆଉ ତା’ ଭିତରୁ ଟିକେ ମଜା ପିଲାଏ ନେଇପାରୁନାହାନ୍ତି ଏ କଥା ଚିନ୍ତିତ କରିଥିଲା । ସେଠୁ ଦୁହେଁ ଆରମ୍ଭ କଲେ ସୃଜନିକା ସଂଗଠନ । ବିଜ୍ଞାନ-ଭିତ୍ତିକ ପଢ଼ାରେ ଇଚ୍ଛୁକ ଓ ଶିକ୍ଷିକା ପଦ୍ମଜା ନନ୍ଦିନୀ ସାହୁ ଓ ସାମ୍ବାଦିକତା ଆଉ ବିଜ୍ଞାନ ଉଭୟକୁ ଭଲପାଉଥିବା ଜୀବନ ପଣ୍ଡା ଆଉ ଓଡ଼ିଶାର ଅଗଣିତ ଶିକ୍ଷକ ସୃଜନିକା ସହ ସ୍ୱେଚ୍ଛାରେ ଯୋଡ଼ିହେଲେ । ବିଜ୍ଞାନକୁ ପିଲାଙ୍କ ପାଇଁ ମଜାଦାର କରାଇବା ଆଉ ମୋ ଭଳି ଅନେକ ବିଜ୍ଞାନ-ଉତ୍ସୁକଙ୍କ ପୀଢ଼ି ତିଆରି କରିବା ଭଳି ଅଭିଯାନ ପଛରେ ସୃଜନିକା ହିଁ ସମସ୍ତ ଶ୍ରେୟ ପାଇବାର ହକଦାର । ସୃଜନିକା ନିଜ ଗବେଷଣା ଓ ‘ବିଜ୍ଞାନ ତରଙ୍ଗ’ ମାସିକ ପତ୍ରିକା ତଥା ଅନ୍ୟାନ୍ୟ ପ୍ରକାଶନ ପାଇଁ ଓଡ଼ିଆରେ ଲେଖା ବହି, ପତ୍ରିକା ଓ ଏପରିକି ପାଣ୍ଡୁଲିପି ମଧ୍ୟ ଟିକିନିଖି ତନଖି କରୁଥିଲା । ଯେପରି ବିଜ୍ଞାନୀମାନେ କରନ୍ତି । ଏ କାମରୁ ସେମାନେ ଓଡ଼ିଆରେ ବିଜ୍ଞାନଲେଖା ଅନେକ ଖୋଜିଥିଲେ । ସେ ଉତ୍ସୁକତା ସକାଶେ ଯେତେବେଳେ ସ୍କାନର ଆଉ ଡିଜିଟାଲ କ୍ୟାମେରା ସହଜଲବ୍ଧ ହେଲା ସେମାନେ କିଛି କିଛି ବହି ସ୍କାନ କରିବା ଆରମ୍ଭ କଲେ । କିନ୍ତୁ ୨୦୦୬ ବର୍ଷଟି ସାରା ସୃଜନିକାର ସ୍ୱେଚ୍ଛାସେବୀମାନେ ଭାଷାକୋଷର ସ୍କାନ, ସ୍କାନ ପର ଡିଜିଟାଲ ଛବି ସଫାସଫି ଆଉ ସେଥିରୁ ଡିଜିଟାଲ ବହି ତିଆରି କାମରେ ଲାଗି ସଫଳ ହେଲେ । ଏ କାମଟି ଏତେ ପ୍ରଭାବଶାଳୀ ହେଲା ଯେ ପ୍ରହରାଜ ପରିବାର ମଲାମୁହଁରୁ ଭାଷାକୋଷକୁ ଆଣିଥିବା ସୃଜନିକା ବିରୋଧରେ ଆରୋପ ଲଗାଇଲା ଆଉ ଭାଷାକୋଷକୁ ଅନେକ ବର୍ଷ ପରେ ପୁନର୍ମୁଦ୍ରଣ କରିଥିବା ଲାର୍କ ବୁକ୍ସ ବିରୋଧରେ ଅପରାଧ ମକଦମା କଲେ । ପୁଷ୍ପଶ୍ରୀ ପଟ୍ଟନାୟକ ମୋ ସହ କଥାବାର୍ତ୍ତା ବେଳେ ଖୋଲାମନରେ ସୃଜନିକାର କାମପାଇଁ ତାଙ୍କ ପାଖକୁ ବ୍ୟକ୍ତିଗତ ଭାବେ ଆସିଥିବା ଅଭିଯୋଗ କଥା ଭାବି ହସନ୍ତି । ଘରୁ ଖାଇ ଘୋଡ଼ା ଆଗରେ ଦଉଡ଼ିବା ପରେ ଘୋଡ଼ାଠୁ ନାତ ଖାଇବା ଅବସ୍ଥା ଏ । ତେବେ ସୃଜନିକା ନିଜ କାମରୁ ଓହରି ନଥିଲା । ଜନସପକ୍ଷତା ବି ସୃଜନିକାକୁ ସାମାଜିକ ଓ ମାନସିକ ଭାବେ କିଛି ପରିମାଣରେ ସାହାଯ୍ୟ କଲା । ଜୀବନ ପଣ୍ଡାଙ୍କ ଆକଳନରୁ ସେଦିନରୁ ଆରମ୍ଭ କରି ଆଜିଯାଏ ସୃଜନିକା ୧୦,୦୦୦ରୁ ଅଧିକ ଓଡ଼ିଆ ବହି, ୧୨୦ରୁ ଅଧିକ ପତ୍ରପତ୍ରିକା ଓ ୨୦ରୁ ଅଧିକ ଅଭିଧାନ ସଂଗ୍ରହ, ସ୍କାନିଂ, ସ୍କାନିଂ ପର ଡିଜିଟାଲ ସଫା ଓ ସଜଡ଼ା ଓ ଶେଷରେ ବହି/ପତ୍ରିକାର ଡିଜିଟାଲ ରୂପ ଓଡ଼ିଆ ବିଭବ (odiabibhaba.in) ନାମକ ୱେବସାଇଟ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଇଛି । ଏ କାମରେ ଜନସାଧାରଣଙ୍କ ସଦିଚ୍ଛା ଛଡ଼ା ବାସ୍ତବିକ ସାହାଯ୍ୟ ହାତଗଣତି ମିଳିଛି । ବହିଗଦାକୁ ଉଇଖିଆ ପାଇଁ ଛାଡ଼ିଦେଇଥିବା ଅନେକ ଲେଖକଙ୍କ ପରିବାର କପିରାଇଟର ଆଳ ଧରି ଧମକାଇଛନ୍ତି । ଡିଜିଟାଲ ପାଠାଗାର ଯେ ସତସତିକା ପାଠାଗାର ତା’ ବୁଝାଇବା ପାଇଁ କେଇ ପିଢ଼ି ହୁଏତ ଲାଗିବ । ହେଲେ ବିନା ପାରିଶ୍ରମିକରେ ପାଠାଗାରଟେ ପାଠକଙ୍କୁ ବହି ଦେବା ଯେ କପିରାଇଟର ଉଲ୍ଲଂଘନ ନୁହେଁ ବରଂ ପାଠ ବିତରଣ ଏ ସରଳ କଥାକୁ କିଏ କେମିତି ବୁଝେଇପାରିବ?

ଓଡ଼ିଆ ଅକ୍ଷର ଶିଖିବା ଦିନଠୁ ମୁଁ ଯେଉଁ ବହିସବୁ ପଢ଼ିପଢ଼ି ବଡ଼ ହେଲି ସେସବୁ ଥିଲା ସୃଜନିକାର ପ୍ରକାଶନ । ସ୍କୁଲରେ ପଢ଼ିବା ବେଳେ ସୃଜନିକାର ସଭ୍ୟ ହେଲି ଆଉ ଚାହିଁ ରହୁଥିଲି କେବେ ‘ବିଜ୍ଞାନ ତରଙ୍ଗ’ ଆଉ ବାକି ବହି ଆସିବ । ପୋଷ୍ଟକାର୍ଡରେ ଚିଠି ଲେଖୁଥିଲି ଆଉ ବେଳେବେଳେ ଇନଲାଣ୍ଡ ଲେଟରରେ ଲେଖା ମଧ୍ୟ ପଠଉଥିଲି । ପଢ଼ାସୂତ୍ରରେ ବାଙ୍ଗାଲୋର ଗଲା ପରେ ଯେତେବେଳେ ଓପନ ସୋର୍ସ ବାବଦରେ ଜାଣିଲି ସୃଜନିକାର ‘ରେବତୀ ପ୍ରକଳ୍ପ’ ଜରିଆରେ କମ୍ପ୍ୟୁଟରର ଇଣ୍ଟରଫେସକୁ ଓଡ଼ିଆରେ ପଢ଼ିବା ଉଦ୍ୟମ । ଓଡ଼ିଆର ଆଦି-ଡିଜିଟାଲ-ପର୍ବର ମୂଳ ଲେଖକ ସୃଜନିକା । ୨୦୧୧ରେ ନଅ ବର୍ଷ ଧରି ଦରମଲା ଓଡ଼ିଆ ଉଇକିପିଡ଼ିଆ ବାବଦରେ ମାଲାୟାଲାମ-ଭାଷୀ ସିଜୁ ଆଲେକ୍ସ ଓ ଟିନୁ ଚେରିଆନଙ୍କ ସମେତ ଆଶୁତୋଷ କର, ମୃତ୍ୟୁଞ୍ଜୟ କର ଆଉ ମୋ ଭଳି ହାତଗଣତି କେଇଜଣ ଚିନ୍ତିତ ଥିଲେ । ପ୍ରଥମେ ସ୍ୱେଚ୍ଛାସେବୀ ଭାବେ ଓ ପରେ ବୃତ୍ତିଗତ ଭାବେ ମୁଁ ଭାଷା-ସମାଜ-ଇଣ୍ଟରନେଟରେ ମୋର କାମ ଆରମ୍ଭ କଲି । ଓଡ଼ିଆ ଉଇକିପିଡ଼ିଆ ଦରମଲାରୁ ସକ୍ରିୟ ହେଲା । ସୃଜନିକା ସହ କିଛିବର୍ଷ ଧରି ଧୀମା ପଡ଼ିଯାଇଥିବା ସମ୍ପର୍କ ପୁଣି ତେଜିଲା । ଅନେକେ ଆଜି ଇଣ୍ଟରନେଟରେ କିଛି ଓଡ଼ିଆରେ ଖୋଜିଲେ ଯଦି କିଛି ବହି ତାଙ୍କ ହାତରେ ପଡ଼େ ୧୦୦ରୁ ୯୯ ଅଂଶଦାନ ସୃଜନିକାର ହୋଇଥିବ । ଲେଖା ପଢ଼ିଲେ ଲେଖକକୁ ବାହାବା ମିଳେ । ମିଳିବା କଥା ମଧ୍ୟ । କିନ୍ତୁ ନା ପାଠକ ନା ସରକାର; ସେ ବହିକୁ ଅଳିଆଗଦାରୁ ସାଉଁଟି ତାକୁ ଇଣ୍ଟରନେଟରେ ସମସ୍ତଙ୍କ ପାଇଁ ୧୬ବର୍ଷରୁ ଅଧିକ କାଳ ଉପଲବ୍ଧ କରିଆସୁଥିବା ସୃଜନିକା କଥା ମନେପକାନ୍ତି । ଏସବୁ ହତାଶା ମନଭିତରେ ବାନ୍ଧି ବାନ୍ଧି ରହିଥିଲା । ୨୦୨୧ ଡିସେମ୍ବର ଆଉ ୨୦୨୨ ମଇରେ ଓଡ଼ିଶା ଦୁଇଗସ୍ତରେ ଭାଇ (ଡ. ପଟ୍ଟନାୟକ), ଅପା (ପୁଷ୍ପଶ୍ରୀ ପଟ୍ଟନାୟକ), ପଦ୍ମଜା (ନନ୍ଦିନୀ ସାହୁ) ଅପାଙ୍କ ସହ କିଛି ସମୟ କଟାଇ ସେମାନଙ୍କୁ ସେମାନଙ୍କ କାମ ବାବଦରେ ପଚାରିବାର ସୁଯୋଗ ମିଳିଲା । ଏ ଦୁଇଗସ୍ତ ଆଉ କିଛି ପୁରୁଣା ନିଜ ଓ ଅନ୍ୟମାନଙ୍କ ଦ୍ୱାରା ଫଟୋ ଓ ଭିଡ଼ିର ଅଭିଲେଖରୁ ମୁଁ ୨୦୨୨ ମଇ ଶେଷରେ ତିଆରି କଲି ବୃତ୍ତଚିତ୍ର “ଦି ଭଲ୍ୟୁଣ୍ଟିଅର୍ସ ଆର୍କାଇଭିଷ୍ଟସ’ (https://theofdn.org/film/tva) । ସୃଜନିକାର ୪୫ ବର୍ଷର କାମ ୪୦ ମିନିଟର ଏ ଫିଲ୍ମରେ ରଖିବା କାଠିକର ପାଠ । ତେବେ ଏ ଫିଲ୍ମଟି ହେଲା ଅଭିଲେଖର ଅଭିଲେଖ କରୁଥିବା ସ୍ୱେଚ୍ଛାସେବୀମାନଙ୍କ କାମର ଆଲେଖ ଆଉ ଜଣେ ସ୍ୱେଚ୍ଛାସେବୀଦ୍ୱାରା ତିଆରି । ଅଭିଲେଖ କରୁଥିବାଲୋକେ ଜାଣିବେ ଯେ ଅଭିଲେଖ ଏକ ପ୍ରକ୍ରିୟା । ଏ ପ୍ରକ୍ରିୟାର ଆରମ୍ଭ ଅଛି ହେଲେ ଶେଷ ନାହିଁ । ସୃଜନିକାର କାମ କେତେ ବିଶାଳ ଯେ ପିଲାଟି ଦିନରୁ ସୃଜନିକା ବଗିଚାରେ ଖେଳି ବଡ଼ ହୋଇଥିବା ଶିବପ୍ରସାଦ ପାତ୍ର ବଡ଼ ହୋଇ ଜଣେ ଗ୍ରାଫିକ କଳାକାର ହେବାଭିତରେ ମଧ୍ୟ ନିଜ କଳା ଓ ଫଟୋଗ୍ରାଫିରେ ସୃଜନିକାର କାମକୁ ଲିପିବଦ୍ଧ କରିବା ସାରିପାରିନାହାନ୍ତି । ଓଡ଼ିଆ ବିଭବ ଆଉ ବାକି ଡିଜିଟାଲ ପ୍ରକଳ୍ପ ପଛରେ ତାଙ୍କର, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରଫେସର ଅଜିତ କୁମାର ନାୟକଙ୍କ ଭୂମିକା ଯେତିକି ପର୍ଦ୍ଦା ପଛରେ ରହିଛି, ଜୀବନ କୁମାର ପଣ୍ଡା, ଭାରତୀ ମହାନ୍ତି, ମିଲି ମହାନ୍ତି ଓ ନମିତା ଶତପଥୀ ଆଦି ସାଥୀଙ୍କ ଭୂମିକା ବହି ଖୋଜା ଓ ସ୍କାନିଂରେ ମଧ୍ୟ ସେତିକି ରହିଛି । ସମୟ, ଅର୍ଥ ଓ ଶ୍ରମାଭାବରୁ ଏ ସମସ୍ତଙ୍କ କାହାଣୀ ଏବେ ବି “ଦି ଭଲ୍ୟୁଣ୍ଟିଅର୍ସ ଆର୍କାଇଭିଷ୍ଟସ’ର ପ୍ରଥମ ସଂସ୍କରଣରେ ସାଇତା ହୋଇପାରିନାହିଁ । ତେବେ ଏ ଫିଲ୍ମରେ ଡ. ପଟ୍ଟନାୟକ, ପୁଷ୍ପଶ୍ରୀ ପଟ୍ଟନାୟକଙ୍କ ସହ ସେମାନଙ୍କ ଏ ଦୀର୍ଘଯାତ୍ରାର ଗାଥା ସଂକ୍ଷେପରେ ରହିଛି । ଏଥିରେ ଖୁବ ସଂକ୍ଷେପରେ ପଦ୍ମଜା ନନ୍ଦିନୀ ସାହୁଙ୍କ ‘ଭାଷାକୋଷ’ର ଟାଇପକରା ଇ-ସଂସ୍କରଣର ପ୍ରୁଫ ସଂଶୋଧନ ଆଉ ଅନେକ ଲେଖା ସୁଧାର କାମ ମଧ୍ୟ ସ୍ଥାନ ପାଇଛି । କିନ୍ତୁ ଏ ତ କେବଳ ଆରମ୍ଭ ମାତ୍ର । ଜୀବନ କୁମାର ପଣ୍ଡାର ନେତୃତ୍ୱରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ବହି ସଂଗ୍ରହହୋଇ ଆସି ସ୍କାନିଂହେଉଛି । ହେଲେ ଲେଖକମାନଙ୍କ ପରିବାର ଓ ସରକାରଙ୍କ ଉଦାସୀନତା ଏବଂ ଓଡ଼ିଆ ବିଭବର କାମକୁ ବିନା ଶ୍ରେୟରେ ନିଜ ୱେବସାଇଟରେ ଉପଲବ୍ଧ କରାଇବା ଭିତରେ ଓଡ଼ିଶାର ଅନେକ ପାଠାଗାରରେ ବିରଳ ବହିସବୁ ସଢ଼ୁଛି । ମୁଁ ସୃଜନିକାରେ ଫିଲ୍ମର ଇଣ୍ଟରଭିଉ କଲା ଭିତରେ ଜୀବନ ଭାଇଙ୍କୁ ଏକ ଟ୍ରକରେ ଅଖା ଭିତରେ ମୋଡ଼ାମୋଡ଼ି ହୋଇ ଆସିଥିବା ବହିସବୁକୁ ଠିକଣା ଜାଗାରେ ରଖାଇବା କଥା ବୁଝିବାରୁ ବି ତର ନଥିଲା । ପାଠାଗାର ସବୁରୁ ବହି ଆଣି ବହିର ଏ ଅଭିଲେଖକୁ ଆଗକୁ ବଢ଼ାଇବା ପାଇଁ ସୃଜନିକାକୁ ଏବେ ମଧ୍ୟ କାଣିଚାଏ ଲୋକବଳ ମିଳିନାହିଁ । ପୁରୁଣା ପ୍ରକାଶନକୁ ସାଇତି ରଖିବା ଜନମାନସର କଳ୍ପନାକୁ ସାଇତି ରଖିବା । ଆମେ ଆଗରୁ କଣ ହୋଇଥିଲା ନ ଜାଣି ଆଗକୁ କଣ ହେବ ଭାବିବା ଅସମ୍ଭବ ନ ହେଲେ ମଧ୍ୟ ଉପରଠାଉରିଆ ନିଶ୍ଚେ ହେବ । ପ୍ରକାଶିତ ବିଷୟ ଆଧାର ବିନା ନୂଆ ଚିନ୍ତା ଓ ଚେତନାର ବିକାଶ କେତେ ଯେ ଦୂରୁହ ତାହା କଳ୍ପନାର ବାହାରେ ।

‘ନାନୀ ମା’: କଥିତ ଅଭିଲେଖର ଅଭିଲେଖ

ଭାଷା ଗ୍ଲାସିଏର ଭଳି । ଉଭା ଯେତେ ପୋତା ତେତେ । ଯେତେ ବିଷୟ ଲିଖିତ ତହିଁରୁ ଅଧିକ ଅଲିଖିତ । ପ୍ରକାଶିତ ପୁସ୍ତକରେ ମୁଖ୍ୟତଃ ଜଣାଶୁଣା ଓ ଶିକ୍ଷାଲାଭ କରିଥିବା ଲେଖକମାନଙ୍କ ରଚନା ସ୍ଥାନିତ । କିନ୍ତୁ ପ୍ରକାଶିତ ଲେଖାରେ କଣ ସବୁ ଜ୍ଞାନ ସୀମିତ ନା ସେ ସମସ୍ତଙ୍କ ସାମଗ୍ରିକ ଜ୍ଞାନର ପ୍ରତିନିଧି? ଲୋକମୁଖରେ ଲୋକଙ୍କ ଦୃଷ୍ଟିଭଙ୍ଗୀ, ଅଙ୍ଗେନିଭା ଅନୁଭୂତି କଥା, ଗପ, ଗୀତ ଭିତରେ ସାଇତା । ସେସବୁ ପୁଣି ଜଣଙ୍କ ମୁହଁରୁ ଆର ମୁହଁକୁ ଗଲାବେଳେ ବଦଳେ । ଏକା ଗପକୁ ପିଢ଼ି ପରେ ପିଢ଼ି ଅନ୍ୟ ଶ୍ରମକୁ ଉପଭୋଗ କରୁଥିବା ବ୍ରାହ୍ମଣ ଜଣେ ଯେମିତି ବଖାଣିବ ବୈଜ୍ଞାନିକ ଜ୍ଞାନକୌଶଳର ବିକାଶ ପରେ ମଧ୍ୟ ମେହେନ୍ତର କାମ ପାଇଁ ବିପଦ ମୁହଁକୁ ନିତି ଠେଲାଖାଉଥିବା ଦଳିତ ଜଣେ ଭିନ୍ନ ଭାବେ ବଖାଣିବ । ପୁଣି ଆମ ପୁରୁଷପ୍ରଧାନ ସମାଜରେ ନାରୀମାନଙ୍କ ଆଲେଖ ଅଲୋଡ଼ା, ଅଲିଖିତ ଆଉ ଅନାଲୋଚିତ । ନାରୀମାନଙ୍କର ସମାଜଗଠନରେ ଗୁରୁଭୂମିକା କଥା ଡ. ବି. ଆର. ଆମ୍ବେଦକର ଖୁବ ବିସ୍ତାର କରି ଲେଖିଛନ୍ତି ଆଉ ସେ ଦିଗରେ କାମ କରିଛନ୍ତି । ଆମେ ସମସ୍ତେ ଆଈ, ଜେଜେମା, ପିଉସୀ, ମାଉସୀ ଆଉ ବିଶେଷ କରି ବୋଉମାନଙ୍କଠାରୁ କେତେ ସାମାଜିକ ଆଉ ବାକି ଜ୍ଞାନ ନ ପାଇଛୁ? ସେ ପୁଣି ଗପ-ଗୀତ ଛଳରେ । ତେବେ ଆମ ନିଜ ପରିବେଶକୁ ଆମେ ସେତେ ନିରେଖି ଦେଖୁନା ବା ଦେଖିବା ବେଳକୁ ବିଳମ୍ବ ମଧ୍ୟ ହୋଇଯାଇଥାଏ । ମୋ ବୁଢ଼ୀମା ଯେ ଭିନ୍ନ ଏକ ସମୟ, ପରିବେଶ ଆଉ ଦୁନିଆର ଅସଂଖ୍ୟ ଅନୁଭୂତିର ଖଣି ଏକଥା ଚେତିବାବେଳକୁ ତାଙ୍କୁ ୯୩ ଟପିଲାଣି । ୨୦୧୪ ଶେଷରୁ ୨୦୧୫ ଆରମ୍ଭ ଯାଏ ମୁଁ ଓଡ଼ିଶାରେ କିଛି ସମୟ କାମ ପାଇଁ ଆସି ବିତଉଥିଲି । ସେ ସମୟ ଥିଲା ରହି ରହି ଚାଲୁଥିବା ବାଙ୍ଗର ବୁଢ଼ା ଚେହେରା ଭିତରେ ଲୁଚିରହିଥିବା ପୋତା ଜ୍ଞାନ ବାବଦରେ ହେଜିବା ବେଳ । କୁଞ୍ଜବିହାରୀ ଦାସଙ୍କଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଯାଏ ଅନେକ ଗବେଷକ ଲୋକଙ୍କ ପାଖକୁ ଯାଇ ସେମାନଙ୍କ କଥା-ଗୀତକୁ ସାଇତିଛନ୍ତି । କିନ୍ତୁ ନିଜ ଗୀତ ସେ ଜଣେ ନିଜେ ଯଦି ନ ବୋଲି ପାରିଲା , ତାହେଲେ ସେ ଗୀତ ଜନମନରେ ଖ୍ୟାତ ହେଲେ ଗାଉଣାଟି ଅଲୋଡ଼ା ହେବ । ଓଡ଼ିଶାର ଅଗଣିତ ବୁଢ଼ାବୁଢ଼ୀ ଜଣେ ଜଣେ ମହାନ କଥାକାର ଓ ଗୀତିକାର; ଆଉ ସେମାନେ ସୁନ୍ଦରଭାବେ କାହାଣୀ ବଖାଣିପାରନ୍ତି ଆଉ ଗୀତ ମଧ୍ୟ ବୋଲିପାରନ୍ତି । ଗପ-ଗୀତର ଉହାଡ଼ରେ ଯେ ଭିନ୍ନ ଏକ ସମାଜ ଓ ସମୟ ଲୁଚିରହିଛି, ଆଉ ସେତେବେଳର ଏକ ସମାନ୍ତରାଳ ଇତିହାସ ତାଙ୍କ ସହ ମରିଯିବାକୁ ବସିଛି ସେକଥା । ଆମ ତଥାକଥିତ ଶିକ୍ଷାବ୍ୟବସ୍ଥା ବନାମ ଡାକ୍ତର-ଇଞ୍ଜିନିୟର କାରଖାନା କେବେ ଜଣାଏ ନାହିଁ । ମୁଁ ନିଜେ ମଧ୍ୟ ସେଇ କଳର ଉତ୍ପାଦନ । ତେବେ ୨୦୧୪ ଅକ୍ଟୋବର ପରଠାରୁ ମୋ ବୁଢ଼ୀମାଙ୍କ ସହ ବେଶୀ ସମୟ କାଟିଲି । ବେଶୀ ଶୁଣିଲି ଆଉ ପଚାରିଲି । ଆଉ ମନ ମିଶିବା ପରେ ରେକଡିଂ ଆରମ୍ଭ କଲି । ବଖାଣୁ ବଖାଣୁ (ବୁଢ଼ୀ) ମା’ ଥକିଯାଏ । ଆମେ ଦୁହେଁ ଚାହା-ଚୁଡ଼ାଭଜା ଖାଉ ପୁଣି ଆରମ୍ଭ କରୁ । କଥା ଭିତରେ ଗୀତ ପଶିଯାଏ । ଗୀତ ସରୁସରୁ ପୁଣି ନୂଆ ଗପ ଆରମ୍ଭ ହୁଏ । ରେକର୍ଡ଼ିଂ କଲାବେଳେ ମୁଁ ନୂଆ ନୁଆ ଶବ୍ଦମାନଙ୍କ ସହ ଭେଟିଲି ହେଲେ ଆହୁରି ଭେଟିଲି ବ୍ରିଟିଶଶାସନର ଶେଷ ୨୫ବର୍ଷ କାଟିଥିବା ଆଉ ତହିଁରେ ଏକ ସ୍କୁଲ ଯାଇନଥିବା, ବାଲ୍ୟ ବିବାହ ଓ ଯୁବା ବୟସରେ ବୈଧବ୍ୟ ଭିତରକୁ ଠେଲିହୋଇ ମହିମା ଧର୍ମକୁ ଆଶରା କରିଥିବା ନାରୀକୁ । ମା’ର ନିଜ କଥା ଅନୁସାରେ ତା’ ବାପ ମା ଅଭାବବଶତଃ ପିଲାଙ୍କୁ ଯୋଗାଇ ନପାରି ଅଫିମ ଖୁଆଉଥିଲେ । ଜୀବନର ଶେଷଯାଏ ସେ ଅଫିମଦାନି ତା’ ଛୋଟ କାଠବାକ୍ସ ଭିତରେ ଥାଏ । ତା’ ବାପମା’ ନଅଙ୍କ ଦୁର୍ଭିକ୍ଷର କେଇ ଦଶକପରେ ହୁଏତ ଜନ୍ମିଥିଲେ । ଜାତିପ୍ରଥା ଏତେ କଠୋର ଥିଲା ବୁଢ଼ୀମା’ର ବାପାମା’ଙ୍କୁ ହଳୁଆ ବ୍ରାହ୍ମଣ ହୋଇଥିବାରୁ ଭିକ ମାଗିବାକୁ ପଡ଼ିଥିଲା । ଝିଅକୁ ବୋଝ ଭାବି ସ୍କୁଲ ନ ପଠାଇ ବାହା କରାଇ ଦେଇଥିଲେ । ସେ ଝିଅ ଅଳ୍ପବୟସରେ ଅନେକ ସନ୍ତାନର ମାଆହୋଇ ପିଲାମାନେ ଟିକେ ବଡ଼ ହେବାବେଳକୁ ବିଧବା ହୋଇସାରିଥିଲା । ସେତେବେଳେ ଆଉ ଆଜି ମଧ୍ୟ ଅନ୍ୟ କାମର ଫଳକୁ ବିନା ପରିଶ୍ରମରେ ବ୍ରାହ୍ମଣମାନେ ଭୋଗୁଥିଲେ ଆଉ ତା’ପରେ ତାଙ୍କ ଭିତରୁ କେତେକଙ୍କୁ ଏ ଦୁର୍ଦ୍ଦଶା ଭିତରେ ଯିବାକୁ ପଡ଼ୁଥିଲା । ତେବେ ସେ ସମାଜରେ ହଳ କରୁଥିବା, ଗୋରୁ ଚମଡ଼ା ଉତାରୁଥିବା, ବାଜା ବଜାଉଥିବା ଭଳି ଶ୍ରମ କରୁଥିବା ଲୋକଙ୍କ ଜୀବନ କେମିତି ହୋଇଥିବ ଆଉ ସେ ସମାଜରେ ନାରୀମାନେ କେମିତି ଥିବେ ତା’ ଭାବିବା ମୋ ପାଇଁ ଅସମ୍ଭବ ।

“ଅରକ୍ଷିତକୁ ଦଇବ ସାହା” ଉକ୍ତି ଭିତରେ ଛପିଛି ମହିମା ଧର୍ମର ବିଶାଳତା । ସମାଜ ଯେଉଁମାନଙ୍କୁ ଶହଶହ ବର୍ଷ ଧରି ଉତ୍ପୀଡ଼ନ କରିଆସିଥିଲା ସେମାନେ ସେ ଧର୍ମ-ଜାତିପ୍ରଥା-ବର୍ଣ୍ଣବିଭେଦରୁ ନିଜକୁ ମୁକ୍ତକଲେ । ଲୋକ ଯେ ସମାଜର ମୂଳ ଆଉ ତାଙ୍କୁ ନେଇ ସାମାଜିକ ଧର୍ମ ବ୍ୟବସ୍ଥାଟିଏ ହେଲେ ଯାଇ ସେମାନେ ସମାନତା ପାଇବେ, ଏ ଯୁଗପତ୍ ଭାବନାକୁ ନେଇ ମହିମା ଧର୍ମର ସ୍ଥାପନା । ପୁଣି ଦଇବକୁ ଆକାର ଦେଲେ ବିବାଦ ଆଉ ବିମତ ହେବ । ଆଉ ସାମାଜିକତା ଉଭେଇଯାଇ ପୁଣି ଧର୍ମବିଭେଦ ପଶି ଆସିବ ଏକଥାକୁ ଭୀମଭୋଇଙ୍କ ଭଳି ଜନମାନେ ଭଲକରି ହେଜିଥିଲେ । ବ୍ରାହ୍ମଣବାଦ କବଳରେ ପଡ଼ି ସାମାଜିକ ପ୍ରତିଷ୍ଠା ହରାଇବା ଆଗରୁ ମହିମା ଧର୍ମ ଏହିସବୁ କାରଣରୁ ଅନେକ ଦଳିତ-ବହୁଜନ-ଆଦିବାସୀ ଓ ମହିଳାଙ୍କ ଜୀବନଠୁ ନିଜର ହୋଇଥିଲା । ମା’ସହ କଥା ହେବାବେଳେ ତା’ ଭିତରେ ଜାତିବ୍ୟବସ୍ଥା ଭିତରେ ରହି ମଧ୍ୟ ସମସ୍ତଙ୍କ ପାଇଁ ନିବିଡ଼ ଭଲପାଇବା ମୁଁ ପ୍ରଥମ କରି ଅନୁଭବ କଲି । ସବୁଠୁ ବିଡ଼ମ୍ବନାର କଥାହେଲା ଯେଉଁ ଦଳିତ-ଆଦିବାସୀମାନେ ଘରର ନିଅଁ ଠିଆକରୁଥିଲେ ସେମାନେ ଘରକୁ ଆସିଲେ ତଥାକଥିତ ଶିକ୍ଷିତମାନେ ଗୋବର ପାଣି ଆଉ ଗଙ୍ଗାପାଣି ଭଳି ଜୀବାଣୁଭରା ପଦାର୍ଥ ଛିଞ୍ଚୁଥିଲେ । କାହା ଦେହରେ ପୀଡ଼ାହେଲେ ଜାତି ଗୋତ୍ର ନ ପଚାରି ଥରିଲା ହାତରେ ସେ ଲୁଣମନ୍ତୁରାଇ ଛୁଞ୍ଚି (ଚିପି) ଦେଉଥିଲା ଆଉ ଗଲାବେଳେ ଡାକ୍ତରୀ ଔଷଧ ଖାଇବାପାଇଁ ତାଗିଦା କରୁଥିଲା । ଉପର ଲୁଣମନ୍ତୁରା ଆଉ ଭିତରେ ଏଲୋପାଥି ଔଷଧ ଉପରେ ଏତେ ବିଶ୍ୱାସ ଦେଖି ମୁଁ ଅନେକ ଥର ଦ୍ୱନ୍ଦ୍ୱରେ ପଡ଼ିଛି । ଦେହ ଆଉ ମନପାଇଁ ଔଷଧ ଯେ ଭିନ୍ନ ଏକଥା ମୁଁ ସେତେବେଳେ ବୁଝି ପାରିନଥିଲି । ସରଳତା ଭିତରେ ଏ ଜଟିଳତା ଅଡ଼ିଓ-ଭିଡ଼ିଓ ରେକଡିଂରେ ସାଇତିବାର କାରଣ ହେଲା ଭବିଷ୍ୟତରେ ଆମ ସାମାଜିକତା ଗବେଷଣା ପାଇଁ ପ୍ରମାଣ ଏକାଠି କରିବା । ସମାନ ପ୍ରମାଣ ଯେତେ ବିଶଦ୍ ଭାବେ ରହିବ ତା’ର ବିଶ୍ଳେଷଣ ସେତେ ବିଶଦ୍ ଭାବେ ହୋଇପାରିବ । ଯଦି ଲମ୍ବା ଗପକୁ ସାରାଂଶ ଭାବେ ଆମେ ରଖିବା ତାକୁ ବିଶ୍ଳେଷଣ କରିବାର ସୁଯୋଗ ନଥିବ । ୨୦୧୭ ଅକ୍ଟୋବରରେ ମା’ ଚାଲିଗଲା । ସେତେବେଳେ ମୁଁ ଅନୁଭବ କଲି ଯେ ସେ ତା’ ମନ ଭିତରେ କେତେ ଜିନିଷ ରଖିପାରିଥିଲା ଆଉ ମୁଁ ତା’ ଭିତରୁ କେତେ କମ ସାଇତିପାରିଲି । ଆମ ଚାରିପାଖକୁ ଦେଖିବା ଆଉ ଯାହା ଶିଖିଲୁ ତାକୁ ପରଖି ବାକିମାନଙ୍କୁ ଜଣାଇବାରେ ଆମ ପିଢ଼ି କେତେ ଅନଭିଜ୍ଞ ସେ ବାବଦରେ ମୁଁ ସେଦିନୁ ଭାବୁଛି । ତେବେ ଯାହା ରେକଡିଂ କରିପାରିଥିଲି ତାକୁ ନେଇ ୨୦୨୨ ଅକ୍ଟୋବର ୩ ତାରିଖରେ ‘ନାନୀମା’ ଫିଲ୍ମ ପ୍ରକାଶ କଲି । ଏ ଥିଲା ୧୯୨୦ କାଳର ଓଡ଼ିଆର ବାଲେଶ୍ୱରୀ (ସ୍ଥାନୀୟ ଅଞ୍ଚଳରେ ‘ବାଲସରିଆ’ନାମରେ ଜଣା) ଲୋକବୋଲିରେ ପ୍ରଥମ ବୃତ୍ତଚିତ୍ର । ‘ଭାଷାକୋଷ’ରେ ୭୯୦ପାଖାପାଖି ବାଲେଶ୍ୱରୀ ଶବ୍ଦ ସ୍ଥାନପାଇଛି । ଭାବନ୍ତୁ ଯଦି ତାକୁ କହୁଥିବା ୧୦୦ ଜଣଙ୍କ କଥା-ଗପ-ଗୀତ ମଧ୍ୟ ରେକର୍ଡÿ ହୋଇପାରିଥାନ୍ତା । ସେଭଳି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆଭାଷୀ ଓ ଆଦିବାସୀଭାଷୀଙ୍କ କଥା ତାଙ୍କ ତୁଣ୍ଡରେ ଯଦି ରେକଡିଂ ହୋଇପାରିଥାନ୍ତା । ଆମ ଭାଷା, ସମାଜ ଓ ସାମାଜିକ ଅବସ୍ଥା କେତେ ବିବିଧ ଆଉ ସେଥିରୁ ଆମପାଇଁ କେତେ ଯେ ଶିଖିବାର ଅଛି, ତା’ ଆମ କଳନା ବାହାରେ । ଲୋକଙ୍କ ତୁଣ୍ଡର କଥା ଚିରକାଳ ସାଇତିବା ପାଇଁ ସାମାଜିକ ସଚେତନତା ନାହିଁ । ହୁଏତ ଗୋପାଳଚନ୍ଦ୍ର କି ପୀତାମ୍ବରୀଙ୍କ ପାଖେ କଥା ଆଉ କଥାକୁହା ମୁହଁର ଭାଷା ରେକଡିଂ କରିବାର ବାଟ ନଥିଲା । ହେଲେ ସୃଜନିକା ଆମପାଇଁ ଅଳ୍ପଖର୍ଚ୍ଚରେ ମଧ୍ୟ ଅଭିଲେଖ କରିବାର ବାଟ ତିଆରି କରିଛି । ଆମ ସମସ୍ତଙ୍କ ହାତରେ ମୋବାଇଲ ହେଲେ ତାକୁ ଖୋଲି ଆମ ଆଖପାଖର ଭାଷାକୁ ଆମ ପର ପିଢ଼ିପାଇଁ ସାଇତିବା କଥା ଆମେ କେତେ ଭାବୁଛେ?

ଲେଖକ ପରିଚୟ: ଶୁଭାଶିଷ ପାଣିଗ୍ରାହୀ ଭାଷା-ସମାଜ-ଟେକନୋଲୋଜି-ମିଡ଼ିଆ ଆଦିରେ ଉତ୍ସୁକ ଓ ଡିଜିଟାଲ ପରିବେଶରେ ଲୋକଙ୍କ ସମାନ ଯୋଗଦାନ, ସୁବିଧା ଓ ଅଧିକାର ପାଇଁ କାର୍ଯ୍ୟରତ । ଆନ୍ତର୍ଜାତୀୟ ସଂଗଠନ ଅଶୋକର ଲ’ ଫର୍ ଅଲର ନିର୍ଦ୍ଦେଶକ ଭାବେ ସେ ଟରଣ୍ଟୋରେ ଅବସ୍ଥାପିତ । ସେ ଦକ୍ଷିଣ ଏସିଆର ଅନେକ ଲୁପ୍ତପ୍ରାୟ ଭାଷାରେ ଫିଲ୍ମ ତିଆରି କରିଛନ୍ତି ଓ ଓଡ଼ିଆ ଉଇକିପିଡ଼ିଆର ପରିଚାଳନାରେ ୨୦୧୧ରୁ ଜଡ଼ିତ । ସେ ୬୫ ହଜାରରୁ ଅଧିକ ଓଡ଼ିଆ ଶବ୍ଦର ଉଚ୍ଚାରଣ ରେକଡିଂ କରି ପବ୍ଲିକ ଡୋମେନରେ ପ୍ରକାଶ କରିଛନ୍ତି । ଏହା ସମସ୍ତ ଭାରତୀୟ ଭାଷା ଭିତରେ ସର୍ବାଧିକ ।

Comments

0 comments

Share This Article