ସରକାର ପ୍ରୋତ୍ସାହିତ କୃଷି ଓ ଆମେ

ଅଧିକ ଅମଳ ପାଇଁ ଦେଶୀରୁ ରାସାୟନିକ ଚାଷଆଡ଼କୁ ପରିବର୍ତ୍ତନ ହିଁ ଆମକୁ ଯେ ଧ୍ୱଂସାଭିମୁଖୀ କରୁଛି ତାହା ଆମେ ବହୁ ବିଳମ୍ବରେ ବୁଝୁଛେ ।

ଶିବାଶୀଷ ରାୟ
ଶିବାଶୀଷ ରାୟ304 Views
12 Min Read

ଆମ ଦେଶର କୃଷି ଓ କୃଷକ ଉଭୟ ଏବେ ଘୋର ସଂକଟ ଭିତରେ ଗତି କରୁଛନ୍ତି । କୃଷି ଉପରେ ନିର୍ଭରକରି ନିଜ ନିଜର ପରିବାର ଚଳାଇବା ସହ ଅନ୍ୟମାନଙ୍କୁ ଖାଦ୍ୟ ଯୋଗାଇବାରେ ମୁଖ୍ୟ ଭୂମିକାଟି କୃଷକ ନେଇଥାଏ । ଗୋଟିଏ ଫସଲ କରୁଥିବା ସମୟରେ କେଉଁଠି କେଉଁଠି ଅର୍ଥ ରୋଜଗାର ଆଶାରେ ବାହାରକୁ ଯାଉଥିଲା ବା ଅନ୍ୟକିଛି କାମ କରୁଥିଲା । ଏବେ କିନ୍ତୁ କୃଷକ ଚାଷକ୍ଷେତ୍ରରୁ ବିମୁଖ ହୋଇ ଦାଦନ ଖଟିବାକୁ ବାଧ୍ୟ ହେଉଛି । ଦେଶ ସ୍ୱାଧୀନତା ପରେ ପରେ ଆମ ସରକାର ଦେଶର ଦୃତ ଜନସଂଖ୍ୟା ବୃଦ୍ଧିଯୋଗୁଁ ଖାଦ୍ୟସଙ୍କଟର ଆଳରେ ୧୯୬୦ରେ ଯେଉଁ ସବୁଜ ବିପ୍ଲବ ଅଣିଲେ ଓ ଅଧିକ ଉତ୍ପାଦନ କରିବାପାଇଁ ଆମ ଦେଶର କୃଷି ବିଭାଗ ଲାଗିପଡ଼ିଲେ ତାହାଦ୍ୱାରା ହଜାର ହଜାର ବର୍ଷଧରି ନିଜ (ଦେଶୀ) ପଦ୍ଧତିରେ ଚାଷ କରିଆସୁଥିବା ଚାଷୀ ରାସାୟନିକ କୃଷିକୁ ତାର ଅନିଚ୍ଛା ସତ୍ତ୍ୱେ ଅଧିକ ଅମଳର ଲୋଭ ଦେଖାଇ ପରିବର୍ତ୍ତିତ କରାଗଲା । କୁହାଯାଉଛି ଭାରତରେ ପ୍ରାୟ୧୧ହଜାର ବର୍ଷ ପୂର୍ବରୁ ଚାଷ ହୋଇଆସୁଛି । ପ୍ରାୟ ୧୬୬ ଶସ୍ୟ ପ୍ରଜାତି ଏବଂ ୩୨୦ ଜଙ୍ଗଲ ଜାତୀୟ ଶସ୍ୟ ପ୍ରଜାତି ମିଳିଥିବାର ସୂଚନା ମିଳେ । ଗୋଟିଏ ଧାନ ପ୍ରଜାତିରୁ ଗୁଣସୂତ୍ର ପରିବର୍ତ୍ତନ ପଦ୍ଧତିଦ୍ୱାରା ପରିବର୍ତ୍ତନ କରି ୫୦ହଜାର ଭିନ୍ନ ଭିନ୍ନ ପ୍ରଜାତି କରି ମୂଳ ପ୍ରଜାତିଟିକୁ ଧ୍ୱଂସ କରିଦିଆଯାଇଛି । ଓଡ଼ିଶାର ମୁଖ୍ୟ ଖାଦ୍ୟ ଭାତ ହୋଇଥିବା ସତ୍ତ୍ୱେ ଚାଷୀମାନେ ଧାନ ସହିତ, ମାଣ୍ଡିଆ ପ୍ରଭୃତି ମଧ୍ୟ ଚାଷ କରିଥାନ୍ତି । ଚାଷୀ ଦେଶୀ ପଦ୍ଧତିରେ ପ୍ରତିବର୍ଷ ସାଇତି ରଖିପାରୁଥିବା ବିହନ ଓ ତାର ନିଜସ୍ୱ ପଦ୍ଧତିରେ ଚାଷ କରି ଉତ୍ପାଦିତ କରୁଥିବା ଦ୍ରବ୍ୟଗୁଡିକ ଯେ ଆମର ଖାଦ୍ୟ ସଂକଟକୁ ପୂରଣ କରିପାରୁନଥିଲା ତାହା ନୁହେଁ ବରଂ ରାଜ୍ୟରେ କୃଷିକ୍ଷେତ୍ରକୁ ଜଳସେଚନର ଅଭାବ ଯୋଗୁଁ ମରୁଡ଼ିଭଳି ସମସ୍ୟା ପ୍ରାୟ ବାରମ୍ବାର ଦେଖା ଯାଉଥିଲା । ଆମେ ସମସ୍ତେ ଜାଣିଛେ କିଭଳି ଊନବିଂଶ ଶତାବ୍ଦୀରେ ହୋଇଥିବା ଭୟଙ୍କର ଦୁର୍ଭିକ୍ଷ ‘ନଅଙ୍କ ଦୁର୍ଭିକ୍ଷ’ ଓଡ଼ିଶାର ଜନଜୀବନକୁ ଅସ୍ତବ୍ୟସ୍ତ କରିଥିଲା । ଯଦି ଦୁଇ,ତିନିବର୍ଷ ଅନାବୃଷ୍ଟି ପାଇଁ ମରୁଡି କିମ୍ବା ଅତ୍ୟଧିକ ବର୍ଷାଫଳରେ ବନ୍ୟା ଲାଗି ରହୁଥିଲା ତାହାଲେ ଖାଦ୍ୟାଭାବ ଦେଖାଯାଉଥିଲା, କିନ୍ତୁ ଖାଦ୍ୟାଭାବ ଦୂର କରିବାକୁ ଯାଇ ଜମିକୁ ଜଳସେଚନ ପାଇଁ ବଡ଼ ବଡ଼ ଡ୍ୟାମମାନ ନିର୍ମାଣ କରାଗଲା ଏବେ ମଧ୍ୟ ଚାଲିଛି ଯାହାଦ୍ୱାରା କେନାଲ ଜରିଆରେ ଚାଷିର ଜମିକୁ ପାଣିମାଡ଼ିବ କିନ୍ତୁ ଆଜି ପର୍ଯ୍ୟନ୍ତ ହୋଇପାରି ନାହିଁ । ଓଡ଼ିଶାରେ ମୋଟ ଚାଷଜମି ୮୭ଲକ୍ଷ ୪୬ ହଜାର ହେକ୍ଟରରୁ ୧୮ଲକ୍ଷ ୭୯ହଜାର ହେକ୍ଟର ଚାଷଜମି ଯାହା ମୋଟ ଚାଷଜମିର ଶତକଡା୨୧.୪୮ ଭାଗକୁ ଜଳସେଚିତ ହୋଇପାରିଛି ଦେଶ ସ୍ୱାଧୀନ ହେବାର ୭୫ବର୍ଷ ଭିତରେ । ଆଧୁନିକ ଜ୍ଞାନକୌଶଳ ଓ ଅଧିକ ଅମଳକ୍ଷମ ବିହନ, ବିଭିନ୍ନ ପ୍ରକାର ରାସାୟନିକ ସାର ଓ କୀଟନାଶକକୁ ବ୍ୟବହାର କରି ଆମର କୃଷି ଉତ୍ପାଦକୁ ବଢ଼ା ଯାଇପାରିଥିଲା । ଧାନ ଓ ଗହମ କ୍ଷେତ୍ରପାଇଁ ‘‘Green Revolution’,’, ଡାଲିଜାତୀୟ ଫସଲ ପାଇଁ ‘Pulses Revolution’’, ତୈଳର ଉତ୍ପାଦନ ବଢ଼ାଇବାପାଇଁ ୧୯୮୬ରେ ‘‘Yellow Revolution’’ ଅଣାଗଲା ପରେ ଆମଦେଶ ଅନ୍ୟ ଦେଶରୁ ଖାଇବା ତେଲ ଆମଦାନି କରୁଛି । ସମସ୍ତେ ଜାଣିଥିବେ ଋଷିଆ- ୟୁକ୍ରେନ ଯୁଦ୍ଧ ଆରମ୍ଭରେ ଯେତେବେଳେ ୟୁକ୍ରେନରୁ ଖାଇବା ତେଲ ଆମଦାନୀ ବନ୍ଦ ହୋଇଗଲା ଆମଦେଶରେ ଖାଇବାତେଲର ଦର ହୁଁ ହୁଁ ହୋଇ ବଢ଼ିଚାଲିଲା । ଚିନିର ଉତ୍ପାଦନ ବଢ଼ାଇବା ପାଇଁ ‘Sugar Revolution’’, ମାଛ ଉତ୍ପାଦନ କ୍ଷେତ୍ରରେ Blue Revolution ଅଣାଗଲା, ଏଥିରେ ଜିନ୍ ପରିବର୍ତ୍ତିତ ଜୟନ୍ତୀ ରୋହି ଚାଷ କରାଗଲା ଯାହାଫଳରେ, ପୋଖରୀରେ ଥିବା ଦେଶୀ ମାଛଗୁଡିକ ଧ୍ୱଂସ ପାଇଗଲେ, ଯାହା ଆମକୁ ବିନା ଖର୍ଚ୍ଚରେ ମିଳୁଥିଲା । ଆମଦେଶରେ ୫ହଜାରରୁ ଅଧିକ ପ୍ରଜାତିର ମଧୁର ମାଛ ୧୯୫୦ ପୂର୍ବରୁ ମିଳୁଥିଲା । ରାସାୟନିକ କୃଷି ଓ ବିକାଶ ନାମରେ ଯେଉଁ ବିନାଶ ପ୍ରକ୍ରିୟା ଚାଲିଲା, ଏହାର ଦୌରାତ୍ମ୍ୟରେ ଏହି ସଂଖ୍ୟା କଳ୍ପନାତୀତ ଭାବେ ହ୍ରାସପାଇ ବର୍ତ୍ତମାନ ୨୦୦/୩୦୦ ପ୍ରଜାତିକୁ କମି ଆସିଲାଣି ( ବିକାଶ ଯଜ୍ଞରେ ମାଛ ଆହୂତି, ସମଦୃଷ୍ଟି, ୧୬-୨୮ ଫେବୃୟାରୀ ୨୦୧୪) ଏବଂ କ୍ଷୀର ଉତ୍ପାଦନ ବଢ଼ାଇବା ପାଇଁ White Revolution ଅଣାଯାଇଥିଲା । ଏହିସବୁ ବିପ୍ଳବଗୁଡ଼ିକ ପ୍ରଭାବ ଆମେ ଅଙ୍ଗେ ନିଭାଉଛେ । ପି. ସାଇନାଥ ତାଙ୍କ ବହି ‘ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ’ରେ ଲେଖିଛନ୍ତି, ‘ଦୁଇ କୋଟି ଟଙ୍କା ବ୍ୟୟ ଏବଂ ଦୁଇବର୍ଷପରେ, କହନ୍ତି ଜଗଦୀଶ ପ୍ରଧାନ, “ସମଗ୍ର ଅଂଚଳରେ ଜନ୍ମନେଲେ ଗଣି ଗଣିକି ଆଠଟି ଦୋମିଶା(ଶଙ୍କର) ବାଛୁରୀ । ଗୋଟିଏ ଲିଟରରୁ ଅଧିକ କ୍ଷୀର ଉତ୍ପାଦିତ ହେଲାନାହିଁ କି ହଜାର ହଜାର ସଂଖ୍ୟାରେ ରୋପିତ ସବାବୁଲ୍ ଗଛରୁ ଗୋଟିଏ ବି ବଂଚିଲା ନାହିଁ ।” ଦଶବର୍ଷ ପରେ ଫଳାଫଳ ଥିଲା ଅଧିକ ରୁକ୍ଷ, କଠୋର-ସମଗ୍ର କୋମନା ବ୍ଲକ ଗାଁ ପରେ ଗାଁ-ଏମିତି ସାରା ଗ୍ରାମାଚଂଳରେ ଗୋଟିଏ ବି ବୁଲା ଦେଶୀ ଷଣ୍ଢ ଦେଖିବାକୁ ମିଳିଲା ନାହିଁ । ଖାସୁ ପର୍ବର ପ୍ରବଳ ଉଦ୍ଦୀପନା ମଧ୍ୟରେ ଅବଲୁପ୍ତ ହୋଇଯାଇଥିଲା ପ୍ରଖ୍ୟାତ ଖରିଆର ଷଣ୍ଢ । (ମରୁଡ଼ି ପଡ଼ିଲେ ସଭିଙ୍କ ମଉଜ, ପି.ସାଇନାଥ, ଅନୁସୃଜନ ଅଭୟ ସିଂହ, ପୃଷ୍ଠା-୨୦) କ୍ଷୀରର ଉତ୍ପାଦନ ବଢ଼ାଇବା ପାଇଁ ଦେଶୀଗାଈ ବଂଶକୁ ଲୋପକରି ଦିଆଗଲା । ବଳଦ ଆଉ ଦେଖିବାକୁ ମିଳୁନାହିଁ । ଶଗଡ଼ ସଂଗ୍ରହାଳୟରେ ସ୍ଥାନ ନେଇ ସାରିଲାଣି । ଦେଶୀ ଚାଷ କରିବାକୁ ହେଲେ ଯାହା ସବୁ ଉପକରଣ ଦରକାର ତାହା ଆଉ ଚାଷୀ ପାଖରେ ନାହିଁ । ଚାଷୀ କୃଷିକାର୍ଯ୍ୟ ପାଇଁ ସମ୍ପୂର୍ଣ୍ଣ ଭାବରେ ବଜାର ଉପରେ ନିର୍ଭରଶୀଳ ।

ଗୁଣସୂତ୍ର ପରିବର୍ତ୍ତିତ କୃଷି ଫଳରେ ପାରମ୍ପରିକ ପଦ୍ଧତି ଲୋପପାଇବା ସଙ୍ଗେ ସଙ୍ଗେ ଦେଶୀ ବିହନଗୁଡ଼ିକ ବି ଧିରେ ଧିରେ ଲୋପ ପାଇଲା । ଗୁଣସୂତ୍ର ପରିବର୍ତ୍ତିତ ଚାଷ କରିବାପାଇଁ ଦୁଇ ତିନିବର୍ଷ ଅଳ୍ପ ରାସାୟନିକ ସାରଦେଇ ଚାଷୀମାନେ ଭଲ ଅମଳ ପାଇଲେ ସତ କିନ୍ତୁ ତା’ ପରବର୍ତ୍ତୀ ସମୟରେ ଚାଷ କରିବାପାଇଁ ଅତ୍ୟଧିକ ପାଣି ସହିତ ଅଧିକ ରାସାୟନିକ ସାରର ଦରକାର ପଡ଼ିଲା । ରାସାୟନିକ ସାର ପ୍ରୟୋଗ ଫଳରେ ଚାଷ ଜମିଗୁଡ଼ିକ କଠିନ ହେବା ସହିତ ଅଧିକ ରାସାୟନିକ ସାର ଓ ପାଣିର ଆବଶ୍ୟକତା ପଡ଼ିଲା । ଭାରତରେ ଧାନ ବା ଗହମ ଚାଷ ପାଇଁ ୨୦୦୨-୦୩ରେ ୧୭୪.୭୮ ମିଲିୟନ ମେଟ୍ରିକ ଟନ ପାଇଁ ୧୬୦.୯୪ ଲକ୍ଷ ମେଟ୍ରିକ ଟନ ରାସାୟନିକ ସାର ଦରକାର ପଡୁଥିଲାବେଳେ ୨୦୧୮-୧୯ରେ ୨୮୧.୩୭ ମିଲିୟନ ମେଟ୍ରିକ ଟନ ପାଇଁ ୨୭୨.୨୮ ଲକ୍ଷ ମେଟ୍ରିକ ଟନ ରାସାୟନିକ ସାର ଦରକାର ପଡିଛି । ((Agricultural Statistics at a Glance 2018 and Ministry of Agriculture & Farmers Welfare, GOI, 2019.) ଜଳସେଚନ ନାମରେ ଓଡ଼ିଶାରେ ୧୮୧ଟି ଡ୍ୟାମ କରାଇ ହଜାର ହଜାର ଗାଁକୁ ଜଳମଗ୍ନ କରି, ଲକ୍ଷ ଲକ୍ଷ ଲୋକଙ୍କୁ ବେଘର କରି ଚାଷଜମିକୁ କମ, କାରଖାନାଗୁଡ଼ିକୁ ଅଧିକ ପାଣି ଦେଇ ସରକାର କୃଷି ବା କୃଷକର ଉନ୍ନତିରେ କିଭଳି ବିକାଶ କରିଛନ୍ତି ତାହା ବୁଝା ପଡୁନାହିଁ । ଖାଦ୍ୟାଭାବକୁ ଦୂର କରିବାକୁ ଚାଷୀପାଖରୁ ସେ ଶହଶହ ବର୍ଷଧରି ନିଜ ପଦ୍ଧତିରେ ସାଇତିରଖି ପ୍ରତିବର୍ଷ ଚାଷ କରୁଥିବା ବିହନଟିକୁ ଧ୍ୱଂସକରିଦେଇ ଯେଉଁ ରାସାୟନିକ କୃଷିଟିକୁ ପ୍ରୋତ୍ସାହନ ଦେଇ ସରକାରୀ କୃଷିବିଭାଗଟି ଦିନ ରାତି ଏକ କରି ଏହି କାମଟିକୁ ସଫଳ କରିବା ପାଇଁ ଲାଗି ପଡ଼ିଥିଲେ, ତାହାର ପରିଣାମ ଏବେ ଆମେ ଭୋଗୁଛେ ।

କୃଷି ବିଭାଗ ଓ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟରୁ ଅବସର ନେଇଥିବା କ୍ଷେତ୍ର ସଂପ୍ରସାରଣ ଅଧିକାରୀ କେଦାର ପ୍ରସାଦ ରାୟ, ବୟସ ୮୭ ଯାହା କୁହନ୍ତି, “ଯେତେବେଳେ ସବୁଜ ବିପ୍ଳବ କାମରେ ଆମେ ମାନେ ଲାଗିଲୁ ଲୋକମାନେ ରାସାୟନିକ ସାର ଓ କୀଟନାଶକର ବ୍ୟବହାର ପାଇଁ ଆଗ୍ରହ ଦେଖାଉନଥିଲେ । ସେମାନଙ୍କ ମତରେ ମାଟି ମା’କୁ ବିଷ ଦେଇପାରିବୁନି କହି ରାସାୟନିକ ସାର ବ୍ୟବହାର ପାଇଁ ରୋକଠୋକ ମନାକଲେ । ମୁଁ ଲୁଚି ଲୁଚି ଲୋକଙ୍କ ବିଲରେ ସାର ପକାଇଛି । ଏହିଭଳି ଭାବେ ଦେଶୀଚାଷରୁ ରାସାୟନିକ କୃଷିକୁ ନେବାପାଇଁ ବହୁତ କାମ କରିବାକୁ ପଡ଼ିଥିଲା । ନିଷ୍ପତ୍ତି ତ ଆମେ ନେଉ ନଥିଲୁ ସରକାର ଯାହା ନିର୍ଦେଶ ଦେଉଥିଲେ ତାହା କରୁଥିଲୁ । ୧୯୬୩ ମସିହାରେ ସବୁଜସାର ପାଇଁ ଚାଷକ୍ଷେତ୍ରର ଚାରିପଟେ ଅମରି ପୋତିବା ପାଇଁ ନିଦେ୍ର୍ଦଶ ହେଲା । ଆମେ ମାନେ ଚାଷୀମାନଙ୍କୁ ବୁଝାଇ ଅମରି ପୋତିଲୁ । ଠିକ୍ ଚାରିବର୍ଷ ପରେ ୧୯୬୭ ବେଳକୁ ଚାଷକ୍ଷେତ୍ରକୁ ଅମରି ବିପଦ ବୋଲି ଆମକୁ ଅମରିକୁ ଓପାଡ଼ି ଜାଳିଦେବା ପାଇଁ ବିଭାଗରୁ ନିର୍ଦେଶ ହେଲା ତାହା ବି କଲୁ । ମାଟି ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି, ମାଟିକୁ ସୁସ୍ଥ ରଖିବାକୁ ହେଲେ ଜୈବିକ ଉପାୟରେ ଚାଷ ଏକମାତ୍ର ବିକଳ୍ପ ।”

ଜମି, ଜଳ, ଜଙ୍ଗଲ ଓ ପରିବେଶକୁ ବିଷାକ୍ତ ହୋଇ ପରିବେଶଟି ଧ୍ୱଂସଆଡ଼କୁ ଗତି କଲାଣି । ଯେତେ ପ୍ରକାର ପକ୍ଷୀ ଦେଖାଯାଉଥିଲେ ଆଉ ଦେଖାଯାଉ ନାହାନ୍ତି । ପକ୍ଷୀବଂଶ ଲୋପର ପ୍ରଧାନ କାରଣଟି ହେଉଛି ଚାଷରେ ରାସାୟନିକ ସାର ଓ କୀଟନାଶକର ପ୍ରୟୋଗ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ତଥ୍ୟ ଅନୁଯାୟୀ ଘରେ ବା କୃଷିକ୍ଷେତ୍ରରେ ପ୍ରୟୋଗ ରାସାୟନିକ କୀଟନାଶକରୁ ମାତ୍ର ଏକ ପ୍ରତିଶତ ଅନିଷ୍ଟକାରୀ କୀଟପତଙ୍ଗ ଗ୍ରହଣ କରିଥାନ୍ତି । ଅବଶିଷ୍ଟ ୯୯ ପ୍ରତିଶତ କୀଟନାଶକ ଫସଲ ବା ମଣିଷର ଉପକାରୀ କୀଟପତଙ୍ଗ ସବୁକୁ ମାରିବାରେ ଲାଗିଥାଏ । ପୃଥିବୀରେ ୫-୧୦ ନିୟୁତ ପ୍ରଜାତିର କୀଟପତଙ୍ଗ ଅଛନ୍ତି, ସେମାନଙ୍କ ମଧ୍ୟରୁ ୦.୦୩ ପ୍ରତିଶତ ଅନିଷ୍ଟକାରୀ (ଆଉ କେତେ ବିଷପିଇଲେ ଚେତିବା, ନଟବର ଷଡଙ୍ଗୀ, ସମଦୃଷ୍ଟି ୧୬-୨୮ ଅପ୍ରିଲ ୨୦୦୭) । ମଲା ଜୀବଜନ୍ତୁକୁ ଖାଦ୍ୟ ରୂପେ ଗ୍ରହଣକରି ପରିବେଶ ସନ୍ତୁଳନକୁ ସଜାଡ଼ିବାରେ ଶାଗୁଣା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ । ଶାଗୁଣା ବଂଶ ଲୋପପ୍ରାୟ । ୧୯୮୦ଦଶକ ପରଠୁ କ୍ରମାଗତ ଭାବରେ ଶାଗୁଣାଙ୍କ ସଂଖ୍ୟା କମିବାରେ ଲାଗିଛି । ପୂର୍ବରୁ ଭାରତରେ ୪କୋଟି ଶାଗୁଣା ଥିବାବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୪ଲକ୍ଷରେ ପହଂଚିଛି । ବିଶେଷଜ୍ଞଙ୍କ ମତରେ ଦେଶରେ ଶାଗୁଣା ସଂଖ୍ୟା ଶତକଡ଼ା ୯୯ଭାଗ କମିଛି । ପ୍ରାଣୀଚିକିତ୍ସା କ୍ଷେତ୍ରରେ ଡାଇକ୍ଲୋଫେନା ବ୍ୟବହାର କରାଯିବା ଦ୍ୱାରା ପଶୁଟି ମରିଯିବା ପରେ ତା ଯକୃତରେ ଏହି ରାସାୟନିକ ପଦାର୍ଥ ଜମାହୋଇ ରହିଥାଏ । ଯେତେବେଳେ ଶାଗୁଣା ଏହି ପଶୁର ମଢ଼ ଖାଏ, ସେ ସମୟରେ ଡାଇକ୍ଲୋଫେନା ସିଧାସଳଖ ତା ଶରୀରକୁ ଯାଏ । ଫଳରେ ଶାଗୁଣାର ମୃତୁ୍ୟ ଘଟେ । ୨୦୦୬ ମସିହାରେ କେନ୍ଦ୍ର ସରକାର ପ୍ରାଣିଚିକିତ୍ସା କ୍ଷେତ୍ରରେ ଡାଇକ୍ଲୋଫେନା ବ୍ୟବହାରକୁ ନିଷିଦ୍ଧ କରିଛନ୍ତି ( ଧରିତ୍ରୀ, ୨୬ ମାର୍ଚ୍ଚ ୨୦୨୩) ।

ଅଧିକ ଅମଳ ପାଇଁ ଦେଶୀରୁ ରାସାୟନିକ ଚାଷଆଡ଼କୁ ପରିବର୍ତ୍ତନ ହିଁ ଆମକୁ ଯେ ଧ୍ୱଂସାଭିମୁଖୀ କରୁଛି ତାହା ଆମେ ବହୁ ବିଳମ୍ବରେ ବୁଝୁଛେ । ଏବେ ପାରମ୍ପାରିକ କୃଷି ଯୋଜନା ସରକାରଙ୍କ ମନଙ୍କୁ ଆସିଛି । ଏହା ଏକ ବହୁତ ଭଲ ପ୍ରୟାସ ବୋଲି କୁହାଯାଇପାରେ କିନ୍ତୁ କୃଷି ବିଭାଗର ପରମ୍ପରା କୃଷିକୁ ନେଇ ଥିବା ସେଭଳି ନିଷ୍ଠା ଦେଖାଯାଉ ନାହିଁ । ଦିନେ ପରମ୍ପରାଗତ କୃଷିଛାଡ଼ି କୃଷକକୁ ରାସାୟନିକ କୃଷି କରିବାପାଇଁ ବାଧ୍ୟ କରାଯାଇଥିଲା ଏବେ ରାସାୟନିକ କୃଷିରୁ ପାରମ୍ପାରିକ କୃଷି କରିବାକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି ଯାହା ବିଭିନ୍ନ ବେସରକାରୀ ସଂସ୍ଥା ମାଧ୍ୟମରେ । ସରକାରଙ୍କ କୃଷି ବିଭାଗଟି ଖାଲି ତଦାରଖ କରିବ । କୃଷି ବିଭାଗର ଉତ୍ସାହ ନାହିଁ, କେମିତି ବା ରହିବ? ଦୀର୍ଘ ୬୦ବର୍ଷ ରାସାୟନିକ କୃଷି କଥା ପ୍ରଚାର ପ୍ରସାର କରି ପାରମ୍ପାରିକ ଚାଷକଥା କେମିତି ବା କହିବେ । ୨୦୧୫ରୁ ୨୦୨୨ ଭିତରେ ସରକାର ତିନି ତିନୋଟି ଯୋଜନା କରି ସାରିଲେଣି – ପାରମ୍ପାରିକ କୃଷି ବିକାଶ ଯୋଜନା, ଭାରତୀୟ ପାରମ୍ପାରିକ କୃଷି ପଦ୍ଧତି ଓ ପ୍ରାକୃତିକ କୃଷି । ଏହାର ମୂଳ ଉର୍ଦ୍ଧେଶ୍ୟ ହେଲା ଲୋକ ପାରମ୍ପାରିକ ଭାବେ ଖତ, ଜୀବାମୃତ, ଜିଆଖତ ଆଦି ବ୍ୟବହାର କରି ପ୍ରାକୃତିକ ଉପାୟରେ ଚାଷ କରିବେ । ତିନିବର୍ଷକୁ ୧୦୦୦ ହେକ୍ଟରକୁ ୫୦୦ଲକ୍ଷ ଟଙ୍କା । ଏଥିରେ ୫୦ଏକର ପାଖାପାଖି ଲାଗିକରି ଥିବା ଜମିକୁ ନେଇ ଏକ କ୍ଲଷ୍ଟର କରାଗଲା ଏବଂ ସେଥିପାଇଁ କୃଷକକୁ ଜିଆଖତ ପାଇଁ ଅର୍ଥôକ ସହଯୋଗ ଓ ବିହନ ଯୋଗାଇ ଦିଆଗଲା । ୨୦୧୫ରୁ ଆରମ୍ଭ ହୋଇଥିବା ଚକଠଣ ଯୋଜନାର ଓଡ଼ିଶାରେ ୧୦ଟି ଜିଲ୍ଲାରେ ପ୍ରାୟ ୩୨୦ କ୍ଲଷ୍ଟରରେ ୧୬୦୦୦ ଏକରରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏହିସବୁ ଯୋଜନା ଦୀର୍ଘ ୭ବର୍ଷ ଧରି ଚାଲଛି । ଉତ୍ପାଦନ ହେଉଥିବା ଧାନ, ଚାଉଳ ଆଦିକୁ ବିକ୍ରିପାଇଁ ବିଭିନ୍ନ ଉତ୍ପାଦର ସଙ୍ଗଠନ ବି ପଞ୍ଜିକରଣ ହୋଇଛି । କିନ୍ତୁ ଦୀର୍ଘ ୭ବର୍ଷ ପରେ ଦେଶୀ ଉତ୍ପାଦର ବଜାରଟେ କେଉଁଠି ବସିଛି ତାହ ବି ଜଣାପଡୁନାହିଁ । ବିଭିନ୍ନ ସମୟରେ ସରକାରଙ୍କ ଦ୍ୱାରା ଭିନ୍ନ ଭିନ୍ନ ମିସନ ମାଧ୍ୟମରେ ଅଭାବର ପୂରଣ ନିମନ୍ତେ ବିଭିନ୍ନ ପ୍ରକାର ଚାଷପାଇଁ ବିହନଠୁ ଆରମ୍ଭ କରି ରାସାୟନିକ ସାର ପର୍ଯ୍ୟନ୍ତ ସବୁ ଯୋଗାଇ ଦିଆଯାଉଛି । ଏସବୁ ପରେ ବି କୌଣସି ଗୋଟେ ମିସନର ସଫଳତା ଦେଖିବାକୁ ମିଳିନାହିଁ । ଆଳୁ ମିସନ, ଡାଲି ମିସନ ଏବଂ ଏବେ ମିଲେଟ ମିସନ । ଏହିସବୁ ମିସନରେ ସରକାର କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ମିସନ ଦ୍ୱାରା କେତେ ପରିମାଣର ଚାଷୀ ଉପକୃତ ହେଉଛନ୍ତି ଆମେ ଯଦି ଆଳୁ ମିସନ କଥା ଦେଖିବା ସେଥରୁ ଜଣାପଡ଼ିବ । ରାଜ୍ୟ ସରକାର୨୦୧୫-୧୬ରୁ ଆଳୁ ମିସନ ଆରମ୍ଭ କରିବା ସହ ୨୦୧୭-୧୮ ସୁଦ୍ଧା ୧୧,୨୫,୦୦୦ ମେଟ୍ରିକଟନ ଉତ୍ପାଦନ ଲକ୍ଷ୍ୟ ରଖାଯାଇଥିଲା । ତେବେ ସରକାରୀ ଉଦାସୀନତା ଯୋଗୁଁ ଏହି ମିସନ ଲକ୍ଷ୍ୟସ୍ଥଳରେ ପହଂଚିବା ତ ଦୂରର କଥା, ଏକପ୍ରକାର ପଥଭ୍ରଷ୍ଟ ହୋଇପଡିଛି । ମିଲେଟ ଚାଷ ପାଇଁ ଚାଷୀମାନେ ଆଗ୍ରହ ପ୍ରକାଶ କରୁଥିବାରୁ ମିଲେଟ ମିସନ କିଛିମାତ୍ରାରେ ସଫଳ ହୋଇପାରିବାର ଆଶା ଦେଖାଯାଉଛି ।

ମଣିଷ ତଥାକଥିତ ବିକାଶର ଇନ୍ଦ୍ରଜାଲରୁ ନ ମୁକୁଳିଲେ ମାଟି ଓ ପରିବେଶର ସୁରକ୍ଷା ଅସମ୍ଭବ । ମଣିଷ ପ୍ରତି ମୁହୂର୍ତ୍ତରେ ମାଟିକୁ ଧର୍ଷଣ କରିଚାଲିଛି । ମାଟିର ଜୀବନ ଅଛି । ଖାଲି ଆଖିରେ ଦେଖାଯାଉନଥିବା ଅସଂଖ୍ୟ ଅଣୁଜୀବ ମାଟିରେ ଅଛନ୍ତି । ସୁସ୍ଥ ମାଟିରୁ ସୁସ୍ଥ ମଣିଷ, ସୁସ୍ଥ ଜୀବଜନ୍ତୁ, ସୁସ୍ଥ ଫଳ ଓ ପନିପରିବା ପାଇପାରିବା । ଇତିହାସରୁ ଜଣାଯାଏ ପୃଥିବୀରେ ଯେଉଁ ଅଂଚଳରେ ଯେତେବେଳେ ମାଟିର ଊର୍ବରତା କମିଛି ସେ ଅଂଚଳର ମଣିଷର ସ୍ୱାସ୍ଥ୍ୟରେ ଅବନତି ଘଟିଛି । ଦେଶୀଚାଷ ପାଇଁ ମୁଖ୍ୟ ହେଉଛି ମାଟିର ଊର୍ବରତା । ମାଟି ଯେତେ ଊର୍ବର ହେବ, ଉତ୍ପାଦନ ସେତେ ଅଧିକ ହେବ ଓ ରାସାୟନିକ ସାର ଏବଂ କୀଟନାଶକ ସେଥିରେ ପ୍ରତିବନ୍ଧକ ହେବ ମାତ୍ର । ଦେଶୀଚାଷ କରିବା ପୂର୍ବରୁ ମାଟିର ଊର୍ବରତା କିପରି ବଢ଼ିବ ବା ସେଥିଲାଗି ଯାହା ସବୁ ଦରକାର ସେଥିପ୍ରତି ସରକାର ଧ୍ୟାନ ଦେଲେ ଚାଷୀମାନେ ଉପକୃତ ହେବା ସହିତ ଦେଶୀଚାଷ କରିବାକୁ ମନ ବଳାଇବେ ।

Comments

0 comments

Share This Article