ମୁକ୍ତି ଆନ୍ଦୋଳନ ନେପଥ୍ୟ ଇତିହାସ : ପାପଡ଼ାହାଣ୍ଡି

 ବୁଲୁ ହୋତା
ବୁଲୁ ହୋତା324 Views
14 Min Read

ଓଡ଼ିଶା ଇତିହାସର ଐତିହାସିକମାନେ ପାପଡ଼ାହାଣ୍ଡି ଗୁଳିକାଣ୍ଡର ସହିଦଙ୍କ ବଳିଦାନକୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି । ଘଟଣା ସହିତ ସହିଦଙ୍କ ତାଲିକା ଅସ୍ପଷ୍ଟ ରହିବା ଆଗାମୀ ବଂଶଧରଙ୍କ ପାଇଁ ଯେତିକି ଦୁଃଖ , ୩୬ଜଣ ସହିଦଙ୍କ ବାଦେ ୧୯ଜଣଙ୍କ ତାଲିକା ସହିଦ ସ୍ତମ୍ଭରେ ପ୍ରକାଶ କରାଯାଇଥିବା ଏହି ମାଟିର ପ୍ରକୃତ ବୀରଙ୍କ ପ୍ରତି ଉଚିତ ସମ୍ମାନର ଅଭାବ ମନେ କରାଯାଇପାରେ ।

୨୪ ଅଗଷ୍ଟ,୧୯୪୨ ମସିହା । ଅଗଷ୍ଟ କ୍ରାନ୍ତି ମୁକ୍ତି ଆନ୍ଦୋଳନର ଐତିହାସିକ ଘଟଣା “ପାପଡ଼ାହାଣ୍ଡି ଗୁଳିକାଣ୍ଡ’କୁ କାଳାତୀତ କରିସାରିଲୁଣି ଆମେ । କଥା, କଥାରେ ସ୍ୱାଧୀନତାର କଥା । କାଗଜ କଲମରେ ସମ୍ମାନ, ଶ୍ରଦ୍ଧାଞ୍ଜଳିର ବାର୍ତ୍ତା । ବର୍ଷକରେ ଦୁଇଥର ଜନ-ଗଣ-ମନ.. ବାସ୍, ବାକି ସବୁ ରହିଯାଏ କାଳୁ କାଳ । ସ୍ୱାଧୀନତାର ପର୍ବ ସବୁ ତଣ୍ଟିଚିପା ମଣିଷ ହୋଇ କେଉଁ କାଳୁ ଶ୍ମଶାନ ଯାଇଛନ୍ତି । କିନ୍ତୁ କଥା ତାହା ନୁହେଁ…ସତ୍ୟର ଅନୁସନ୍ଧାନ, ଜାତୀୟ ଜୟଗାନ, ଦେଶଭକ୍ତର ଶ୍ରେଷ୍ଠ ବଳିଦାନ!

ଏ ଭିତରେ ୭୦ବର୍ଷ ବିତିଗଲାଣି । ଅବିଭକ୍ତ କୋରାପୁଟ ତଥା ବର୍ତ୍ତମାନର ନବରଙ୍ଗପୁରଜିଲ୍ଲା ସଦରମହକୁମାଠାରୁ ୧୨କିମି. ଯିବାପରେ ଆସେ ପାପଡ଼ାହାଣ୍ଡି । ଖ୍ରୀଷ୍ଟିୟ ୫ମ ଶତାବ୍ଦୀରେ ନଳବଂଶ ସମ୍ରାଟ ଭବଦତ୍ତ ବର୍ମନଙ୍କ ଦ୍ୱାରା ସ୍ଥାପିତ ପାଷ୍କେଲଖଣ୍ଡିର ଅପଭ୍ରଂଶ ନାମ “ପାପଡ଼ାହାଣ୍ଡି’ ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଭଗବାନ ନୀଳକଣ୍ଠେଶ୍ୱରଙ୍କ ମନ୍ଦିରର ଫୋଟଚିତ୍ର ଥାଇ ନବରଙ୍ଗପୁରଜିଲ୍ଲାକୁ ସୂଚିତ କରାଇବା ସ୍ଥାନ ପାପଡ଼ାହାଣ୍ଡି । ଏଠାରେ ୧୯୧୯ ମସିହା ଅପ୍ରେଲ ୧୩ତାରିଖ ରେ ପଞ୍ଜାବର ଅମୃତସର ଅନ୍ତର୍ଗତ ଜାଲିଆନାୱଲାବାଗ ଠାରେ ଘଟିଥିବା ହୃଦୟ ବିଦାରକ ଲୋମହର୍ଷଣକାରୀ ଘଟଣାର ପୁନରାବୃତ୍ତି ଏଠି ଘଟିଥିଲା । ଜାଲିଆନାୱାଲାବାଗର ଧୂଳିମାଟି ଏକଦା ରକ୍ତରଞ୍ଜିତ ହେବାପରି, ପାପଡ଼ାହାଣ୍ଡିର ଟୁରୀନଦୀ ସେଦିନ ଲାଲ୍ ହୋଇଯାଇଥିଲା । ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶ ରେ ଇଂରେଜ ସିପାହୀ ଜାଲିଆନାୱାଲାବାଗ ଠାରେ ଆଖିବୁଜା ଗୁଳିକରି ୩୭୯ଜଣ ଦେଶ ଭକ୍ତଙ୍କୁ ଚିରନିଦ୍ରା ଦେବା ସହ ୧୨୦୦ଜଣଙ୍କୁ କ୍ଷତାକ୍ତ କରିଥିଲେ । ମହାତ୍ମାଗାନ୍ଧୀଙ୍କ ନିର୍ଦ୍ଦେଶରେ ପରିଚାଳିତ ଅନୁସନ୍ଧାନରେ ଏହି ସରକାରୀ ମୃତାହତ ସଂଖ୍ୟା ଯଥେଷ୍ଟ ଅଧିକ ଥିଲା । ତତ୍ସମ ପାପଡ଼ାହାଣ୍ଡିର ଗୁଳିକାଣ୍ଡରେ ମୁତ୍ୟୁବରଣ କରିଥିବା୧୯ଜଣଙ୍କ ହିସାବ ଯଥାବିଧି ସହିଦ ସ୍ତମ୍ଭରେ ପ୍ରକାଶ ହୋଇଥିଲେ ହେଁ ସଠିକ୍ ଏହାର ସଂଖ୍ୟା ୩୬ଜଣ ଏବଂ ଅସଂଖ୍ୟ ଦେଶଭକ୍ତଙ୍କ ଠିକଣା ଏଯାବତ ଠାବ୍ କରାଯାଇ ପାରିନାହିଁ । ଓଡ଼ିଶାର ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଇରମ୍ର ତତ୍ସମ ଅମାନୁଷିକ ହତ୍ୟାକାଣ୍ଡରେ ମୃତ୍ୟୁବରଣ କରିଥିବା ୨୮ଜଣଙ୍କ ଠାରୁ ପାପଡ଼ାହାଣ୍ଡି ଗୁଳିକାଣ୍ଡର ମୁତ୍ୟୁସଂଖ୍ୟା ଯଥେଷ୍ଟ ଅଧିକ । ଏଣୁ, ଏହି ପାପଡ଼ାହାଣ୍ଡିର ହୃଦୟବିଦାରକ ଘଟଣା ଭାରତୀୟ ମୁକ୍ତି ଆନ୍ଦୋଳନର ଇତିହାସ ପୃଷ୍ଠାରେ ଦ୍ୱିତୀୟ ଜାଲିଆନାୱଲାବାଗ୍ ହତ୍ୟାକାଣ୍ଡର ସ୍ମାରକୀ ବହନକରେ । ଯଥାର୍ଥ ପ୍ରମାଣ ଅଭାବରେ ୭୦ବର୍ଷ ଏ ମଧ୍ୟରେ ଅତିକ୍ରମ ହୋଇ ଯାଇଥିଲେ ହେଁ ଅଧୁନା ସ୍ୱାଧୀନତା ସଂଗ୍ରାମୀ ବଳଭଦ୍ର ପୂଜାରୀଙ୍କ ଦ୍ୱାରା ୧୯୬୮ ମସିହାରେ ପ୍ରକାଶିତ “ସହିଦ ବୀର ଲକ୍ଷ୍ମଣ ନାୟକ’ପୁସ୍ତକରେ ରହିଥିବା ତଥ୍ୟ ବେଶ୍ ପ୍ରଣିଧାନଯୋଗ୍ୟ । ଏହି ପୁସ୍ତିକାର ପ୍ରଥମ ଅନୁଚ୍ଛେଦ “ଶୁଭେଚ୍ଛା’ରେ ନିରହଂକାରୀ ବ୍ୟକ୍ତିତ୍ୱ, ସ୍ୱାଧୀନତା ସଂଗ୍ରାମୀ ତଥା ଭୂତପୂର୍ବ ମୁଖ୍ୟମନ୍ତ୍ରୀ ସଦାଶିବ ତ୍ରୀପାଠୀ ଲେଖିଛନ୍ତି – “ମୁଁ ହୃଦୟଙ୍ଗମ କରିପାରିଛି ଯେ ଏହି ବହିଖଣ୍ଡକ କ୍ଷୁଦ୍ର କଳେବର ହେଲେ ସୁଦ୍ଧା କୋରାପୁଟ ଜିଲ୍ଲାର କଂଗ୍ରେସ, ସ୍ୱାଧୀନତା ସଂଗ୍ରାମ ଏବଂ ବୀର ସହିଦ ଲକ୍ଷ୍ମଣନାୟକଙ୍କ ଛଡ଼ା ଅନେକ ସହିଦମାନଙ୍କର ତାଲିକାଗୁଡ଼ିକ ଅଛି । ବଳଭଦ୍ର ବାବୁ ଜିଲ୍ଲା କଂଗ୍ରେସ କମିଟର ସାଧାରଣ ସଂପାଦକ ରୂପେ କାମ କରୁଥିବାରୁ ସେତିକି ବେଳେ ଜିଲ୍ଲାର କେତେକ କର୍ମଚାରୀଙ୍କଠାରୁ ବହୁତ ବିଷୟ ସଂଗ୍ରହକରି ବହୁ ପରିଶ୍ରମରେ ଏହି ପୁସ୍ତିକା ଖଣ୍ଡିକ ପ୍ରକାଶ କରିଛନ୍ତି । ମୋର ଆଶା ଓ ବିଶ୍ୱାସ ଏ ପୁସ୍ତିକା ଖଣ୍ଡିକ କେବଳ ଲୋକପ୍ରିୟ ହେବ – ତା’ନୁହେଁ, ଆଜିକାର ଯୁବକ ଏବଂ ଜନସେବୀ ବ୍ୟକ୍ତିଙ୍କୁ ମଧ୍ୟ ପ୍ରେରଣା ଦେବ..’ ।

୧୯୪୨ମସିହା “ଭାରତଛାଡ଼’ ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମର ସର୍ବଶ୍ରେଷ୍ଠ ପର୍ବ । ମହାତ୍ମା ଗାନ୍ଧୀ, ସୁବାଷ ବୋଷଙ୍କ ସହିତ ଅନେକ ଦେଶଭକ୍ତଙ୍କ ଆନ୍ଦୋଳନର ତୀବ୍ରତା ଚାହୁଁ ଚାହୁଁ ସାରାଦେଶର କୋଣ ଅନୁକୋଣରେ ପହଞ୍ଚିବାରେ ଲାଗିଲା । ଅବିଭକ୍ତ କୋରାପୁଟ ଜିଲ୍ଲାର ଘଞ୍ଚବନାନୀ, ନଦୀନାଳ, ଗାଁ ଗଣ୍ଡା, ହାଟବାଡ଼ି ସ୍ୱାଧୀନତା ସଂଗ୍ରାମୀମାନଙ୍କ “ଭାରତ ମାତାକୀ ଜୟ, ବନେ୍ଦ ମାତାରାମ୍ ‘ ଧ୍ୱନୀରେ ପ୍ରକମ୍ପିତ ହେଲା । ଲାଲ ନଦୀର ସହର-ପାପଡ଼ାହାଣ୍ଡିର ଏହା ହେଉଛି ପୃଷ୍ଠଭୂମି ।

ଅଗଷ୍ଟ ୯’୧୯୪୨ ମସିହାର ପ୍ରାତଃ ସମୟ । ମହାତ୍ମାଗାନ୍ଧୀଙ୍କୁ ଗିରଫ କରାଗଲା । ଦେଖୁ ଦେଖୁ ସାରାଦେଶରେ ତୁଙ୍ଗ ନେତାମାନେ ମଧ୍ୟ ଗିରଫ ହେଲେ । ଅଗଷ୍ଟ ୮’୧୯୪୨ଦିନ ୧୦ଘଣ୍ଟାରେ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ବୈଠକରେ ଜବାହରଲାଲ ନେହେରୁ “ଭାରତଛାଡ଼’ ପ୍ରସ୍ତାବ ଆଗତ କରିଥିଲେ ଏବଂ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହି ପ୍ରସ୍ତାବର ସମର୍ଥକ ଥିଲେ । ଗାନ୍ଧୀଙ୍କ ଡାକରାର ମୂଳ ମନ୍ତ୍ର ଥିଲା- “କର ଅବା ମର’ ବିଦ୍ୟୁତ ବେଗରେ ଏହି ଡାକରା ସମଗ୍ର ଭାରତ ଭୂଖଣ୍ଡରେ ଚମକ ସୃଷ୍ଟିକଲା । କିନ୍ତୁ, ତୁଙ୍ଗ ନେତାମାନଙ୍କ ଗିରଫ ସତ୍ତ୍ୱେ ଆନ୍ଦୋଳନକୁ ବ୍ୟାପକ କରିବାକୁ ଏକା ପଣେ ସମସ୍ତେ ଅଣ୍ଟାଭିଡ଼ିଲେ । ଅଗଷ୍ଟ ୧୧’ ୧୯୪୨ ସନ୍ଧ୍ୟା କୋରାପୁଟିଆ ଗାନ୍ଧୀ ରାଧାକୃଷ୍ଣ ବିଶ୍ୱାସରାୟ ବମ୍ବେ ଅଧିବେଶନରୁ ଫେରୁଥିବା ସମୟରେ ସାଲୁର ଠାରେ ଡ୍ରାଇଭର ସୁରୀ ନାରାୟଣାଙ୍କ ହାତରେ ଭାରତଛାଡ଼ ଆନ୍ଦୋଳନର ପ୍ରସ୍ତାବ, କଂଗ୍ରେସ ନେତାଙ୍କ ଗିରଫ ପରି ସମସ୍ତ ବିଷୟ ଲେଖି ନବରଙ୍ଗପୁରର ଲକ୍ଷ୍ମୀଚନ୍ଦ୍ର ଦାସଙ୍କ ପାଖକୁ ଚିଠି ପଠାଇଲେ । ରାତାରାତି ଏହି ଚିଠିର ବିଷୟ ମହମ୍ମଦ ବାଜୀଙ୍କ ମେର୍ଦ୍ଦା ଉପରେ ସାଇକ୍ଲୋଷ୍ଟାଇଲ(କପି) ସହ ଯୁବକ ସୀମାଞ୍ଚଳ ବେହେରାଙ୍କ ଗୋଲ ଗୋଲ ସୁନ୍ଦର ଅକ୍ଷରରେ ନକଲ କରାଗଲା । ଏସବୁ କୁମପଟିଆ ପୋଷାକ (ଗେରୁଆ ବସ୍ତ୍ର)ପିନ୍ଧାବେଶରେ ସାରା ଅଞ୍ଚଳ ବୁଲି ବଣ୍ଟାଗଲା । ଚାହୁଁ ଚାହୁଁ ଅଗଷ୍ଟକ୍ରାନ୍ତିର ନିଆଁ ନବରଙ୍ଗପୁର ଆଖପାଖ ଅଞ୍ଚଳରେ ବ୍ୟାପକ ରୂପ ଧାରଣକଲା । ଠାଏଁ ଠାଏଁ ଧାରଣା, ସଭା, ବିପ୍ଲବର ସୂତ୍ରଧାରୀଙ୍କୁ ଗିରଫ କରାଗଲା । ଦେଖୁଦେଖୁ ଏ ଅଞ୍ଚଳର ତୁଙ୍ଗନେତାଏ ଗିରଫ ହେଲେ ।

ନବରଙ୍ଗପୁର କଂଗ୍ରେସ କମିଟି ତରଫରୁ ସ୍ୱରାଜ ସଂଗ୍ରାମ ପାଇଁ ଯେଉଁ ଲେଖା ବଣ୍ଟା ଯାଇଥିଲା, ତହିଁ ପ୍ରକାରେ ୨୩.୦୮.୧୯୪୨ ରାତ୍ର ତାରାଗାଁ ନିକଟ ଗୁମ୍ମାଗୁଡ଼ା ଗ୍ରାମରେ ବିଶିଷ୍ଟ କଂଗ୍ରେସକର୍ମୀ ବାଘ ସିଉନୀର ପାଲଟାବାଘ ମାଧବ ପ୍ରଧାନୀଙ୍କ ନେତୃତ୍ୱରେ ବଡ଼ କଂଗ୍ରେସ ସଭାହେଲା । କୋରାପୁଟ ଅଞ୍ଚଳ କର୍ମୀଙ୍କ ଗିରଫସତ୍ତ୍ୱେ ୨୫ରୁ ଅଧିକ ଗ୍ରାମର ଲୋକେ ଏଠାରେ ଏକତ୍ରିତ ହୋଇଥିଲେ । ଏହି ସଭାରେ ସ୍ଥିର ହେଲା, ସକାଳୁ ଅର୍ଥାତ ଅଗଷ୍ଟ୨୪’ ୧୯୪୨ ତାରିଖଦିନ କର୍ମୀମାନେ ପାପଡ଼ାହାଣ୍ଡି ଟୁରୀନଦୀ ଅତିକ୍ରମ କରି ଡାବୁଗାଁରେ ସଭା କରିବେ । ସାରାରାତି ପ୍ରସ୍ତୁତି ଚାଲିଲା । ପ୍ରସ୍ତାବିତ ସକାଳ ଆସିଲା । ଶ୍ରାବଣମାସ । ଆକାଶ ମେଘାଚ୍ଛନ୍ନ । ମାଧବ ପ୍ରଧାନୀଙ୍କ ବନେ୍ଦ ମାତରମ୍ ଧ୍ୱନୀରେ କମ୍ପିଉଠିଲା ବନ ଜଙ୍ଗଲ, ଆକାଶ । ଏହି ନେତୃତ୍ୱର ଚୈତନ୍ୟ ସେଠିଆ ସହକର୍ମୀ ଥିଲେ । ପାପଡ଼ାହାଣ୍ଡିର ଚମ୍ପାବଣ ନିକଟରେ କ୍ରାନ୍ତିଦଳ ପହଞ୍ଚିବା ଖବର ପୋଲିସ ପାଇଲେ । ଅଗଷ୍ଟ୨୧’ ୧୯୪୨ ମାଥିଲି ଥାନା ଘେରାଉ କଥା ମନେ ପକାଇ ଭୟଭୀତ ହେଲା ପୋଲିସ । ଅଗଷ୍ଟ ୨୧ ଶୁକ୍ରବାର ଥିଲା ମାଥିଲି ହାଟ । ଲକ୍ଷ୍ମଣନାୟକଙ୍କ ନେତୃତ୍ୱରେ ଥାନା ଘେରାଉ କରାଯାଇଥିଲା । ଲିଙ୍ଗ ଭୂମିଆ ଥାନା ଉପରେ ଚଢ଼ି ତ୍ରୀରଙ୍ଗା ପତାକା ଉଢ଼ାଇବା ସମୟେ ପୋଲିସ ଗୁଳିରେ ପ୍ରଥମେ ସହିଦ ହେଲେ । ପରେ ପରେ ଏହି ଘଟଣାରେ ୧୯ଜଣ ମୃତ୍ୟୁ ହେବା ସମସ୍ତଙ୍କୁ ଚକିତ କରିଥିଲା । ପୋଲିସର ଅମାନୁଷିକ କାର୍ଯ୍ୟରେ ଲକ୍ଷ୍ମଣ ନାୟକ କ୍ଷତବିକ୍ଷତ ହୋଇଥିଲେ । ପରିଶେଷରେ ପୋଲିସ ଜି.ରାମାୟାର ମୃତ୍ୟୁପାଇଁ ଲକ୍ଷ୍ମଣ ନାୟକଙ୍କୁ ଦାୟୀକରି ଗିରଫ କରିଥିଲେ । ଏହି ଘଟଣାର ପୁନରାବୃତ୍ତି ଭୟରେ ପୋଲିସ ଚମ୍ପାବଣରେ କ୍ରାନ୍ତିଦଳ ପହଞ୍ଚିବା ଖବର ପାଇ ଖୁବ ଭୟଭୀତ ହୋଇଥିଲା । କିଂକର୍ତ୍ତବ୍ୟ ବିମୂଢ଼ ହୋଇ ପାପଡ଼ାହାଣ୍ଡିର ଟୁରୀ ନଦୀକୂଳରେ ବନ୍ଧୁକ ଧରି ପୋଲିସ ଜଗି ରହିଲେ । ଶ୍ରାବଣ ମାସ ବର୍ଷା ଜଳରେ ଟୁରୀନଦୀ ଦୁଇକୂଳ ଖାଉଥାଏ । ସଂଗ୍ରାମୀଗଣ ପୋଲିସର ଜାଗତିଆରୀ ସତ୍ତ୍ୱେ ଡାବୁଗାଁ ଅଭିମୁଖେ ଅଗ୍ରସର ହେଲେ । ସାମ୍ନାସାମ୍ନି ପୋଲିସ ଓ କ୍ରାନ୍ତିଦଳ ଏବଂ ପରେ ପରେ ଦୁହିଙ୍କ ମଧ୍ୟରେ ଧସ୍ତାଧସ୍ତି । ଏହି ସମୟରେ୧୭୦ ନମ୍ବର ସିପାହି ମୁତ୍ୟାଲୁର ଡାହାଣ କାନରେ ଜଣେ କର୍ମୀର ଫାର୍ସା ବାଜିଗଲା । କ୍ରାନ୍ତିଦଳ ଅକସ୍ଣାତ୍ ପୋଲିସ ଉପରେ ଆକ୍ରମଣକଲେ ଭାବି ଜେନେରାଲ ଡାୟାରଙ୍କ ସଦୃଶ ନବରଙ୍ଗପୁର ପୋଲିସ ଡି.ଏସ.କେ ଗୌଡ଼ଙ୍କ ଆଦେଶରେ ସର୍କଲ ଇନସ୍ପେକ୍ଟର ଜେ.ରାମକୃଷ୍ଣ ରାଓ ନାଇଡୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦେଲେ । ଟୁରୀ ନଦୀବକ୍ଷରେ ଘଟିଲା ଲୋମହର୍ଷଣକାରୀ ପାପଡ଼ାହାଣ୍ଡିର ଗୁଳିକାଣ୍ଡ: ଦ୍ୱିତୀୟ ଜାଲିଆନାୱଲାବାଗର ସମ ହତ୍ୟାକାଣ୍ଡ । ପୋଲିସ ଗୁଳିରେ ଟଳି ପଡ଼ିବା ସହ କ୍ଷତବିକ୍ଷତ ହୋଇ ନଦୀକୁ ଲମ୍ଫ ପ୍ରଦାନ କଲେ ୩୬ଜଣ ସଂଗ୍ରାମୀ । ସେହିପରି ପୋଲିସର ଗୁଳିବର୍ଷଣରେ ଭୟଭୀତ ଅନେକ ସଂଗ୍ରାମୀ କ୍ଷତବିକ୍ଷତ ଅବସ୍ଥାରେ ଦୁଇକୁଳ ଖାଇଥିବା ନଦୀଗର୍ଭକୁ ଲମ୍ପ ପ୍ରଦାନକଲେ । ଇତିହାସର ଗର୍ଭଗୃହରେ ଲୀନ ହୋଇଗଲା ଅସଂଖ୍ୟ ସହିଦଙ୍କ ଠିକଣା । ତଥାପି ୩୬ଜଣ ସହିଦଙ୍କ ଠିକଣାପ୍ରାପ୍ତ ସତ୍ତ୍ୱେ ୧୯ଜଣଙ୍କ ନାମ ବର୍ତ୍ତମାନର ସହିଦ ସ୍ତମ୍ଭରେ ପ୍ରକାଶ ପାଇଥିବା ସହିଦ ପରିବାରର ଦାୟାଦଙ୍କ ସହ ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ମୁକ୍ତି ଆନେ୍ଦାଳନର ଏହି ନେପଥ୍ୟ ଇତିହାସ ତଥା ସେ ଦିନର ଏହି ବୀଭତ୍ସ ହତ୍ୟାକାଣ୍ଡ ଟୁରୀ ନଦୀକୁ ଲାଲ କରିଦେଇ ଜାତୀୟ ସ୍ମାରକୀ ଅପେକ୍ଷାରେ ଆଜି ପର୍ଯ୍ୟନ୍ତ ବଳିଦାନର ପର୍ବପାଳନ କରିଆସୁଛି । ଯାହାକୁ ହୃଦୟଙ୍ଗମ କରିବାର ଅବକାଶ ପୁଣିଥରେ ଆଜି ଆସିଛି ।

ଓଡ଼ିଶା ଇତିହାସର ଐତିହାସିକମାନେ ପାପଡ଼ାହାଣ୍ଡି ଗୁଳିକାଣ୍ଡର ସହିଦଙ୍କ ବଳିଦାନକୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରିନାହାନ୍ତି । ଘଟଣା ସହିତ ସହିଦଙ୍କ ତାଲିକା ଅସ୍ପଷ୍ଟ ରହିବା ଆଗାମୀ ବଂଶଧରଙ୍କ ପାଇଁ ଯେତିକି ଦୁଃଖ , ୩୬ଜଣ ସହିଦଙ୍କ ବାଦେ ୧୯ଜଣଙ୍କ ତାଲିକା ସହିଦ ସ୍ତମ୍ଭରେ ପ୍ରକାଶ କରାଯାଇଥିବା ଏହି ମାଟିର ପ୍ରକୃତ ବୀରଙ୍କ ପ୍ରତି ଉଚିତ ସମ୍ମାନର ଅଭାବ ମନେ କରାଯାଇପାରେ । ଏଣୁ ଟୁରୀ ନଦୀକୂଳରେ ସିପାହୀଙ୍କ ଗୁଳିରେ ଟଳି ପଡ଼ିଥିବା ଓ କ୍ଷତବିକ୍ଷତ ସଂଗ୍ରାମୀ ନଦୀଗର୍ଭରେ ଲୀନ ହୋଇଯାଇଥିବା ବୀର ସହିଦଙ୍କ ଠିକଣା ପ୍ରକାଶ କରିବା ଏଠି ଯୋଗ୍ୟ ମଣାଗଲା । (ସାରଣୀ ଦ୍ରଷ୍ଟବ୍ୟ)

କ୍ରନଂ ସହିଦଙ୍କ ନାମ ଗ୍ରାମ

୧. ଲାବଣ୍ୟ ଭତରା ସାନକୁମୁଲି

୨. ସମୁଦୁ ଭତରା ନନ୍ଦାହାଣ୍ଡି

୩. ଖଗପତି ଅମନାତ୍ୟ କଂଗ୍ରା

୪. ଆନନ୍ଦ ଗୌଡ଼ ଦୁଖୁଗୁଡ଼ା

୫. ପରମାନନ୍ଦ ସଉରା କଂଗ୍ରା

୬. ରଘୁନାଥ ରନ୍ଧାରୀ ତୁରୁଞ୍ଜୀ

୭. ଗଙ୍ଗାଧର ମୁଦୁରୀ ପିଲବାସନୀ

୮. ରତନ ଭତରା କୁସମି

୯. ସଦାଶିବ ରଣା ମଞ୍ଚାଗାଁ

୧୦. ବଳି ସଉରା ଧଣ୍ଡରା

୧୧. ରତନ ପୂଜାରୀ ଉସୁରୀପଦର

୧୨. ରାମଚନ୍ଦ୍ର ଅମନାତ୍ୟ ପୁଫୁଗାଁ

୧୩. ଘାସି ଜାନୀ ନୂଆଗାଁ

୧୪. ଦୀନବନ୍ଧୁ ନୂଆଗାଁ

୧୫. ବୁଦୁ ଅମନାତ୍ୟ ତୁରୁଞ୍ଜୀ

୧୬. ସୁକୁରୁ ମୁଦୁଲି ମୁର୍ଲାବାଇ

୧୭. ରତନ ରନ୍ଧାରୀ ତୁରୁଞ୍ଜୀ

୧୮. ଜଗନ୍ନାଥ ଅମନାତ୍ୟ ପାତ୍ରପୁଟ

୧୯. ସହଦେବ ପୂଜାରୀ ଦଳେଇଗୁଡା

୨୦. ମୁଙ୍ଗୁରୁ ଭତରା ଉମରୀ

୨୧. ଡମ୍ବୁରୁ ମାଝୀ ଲାଣ୍ଡୁଗୁଡ଼ା

୨୨. ଘାସି ଗଣ୍ଡ ଲାଣ୍ଡୁଗୁଡ଼ା

୨୩. ମୁଦିଆ ଭତରା କଣାଗୁଡ଼ା

୨୪. ଖଗେଶ୍ୱର ମାଝୀ ଜାମଗୁଡ଼ା

୨୫. ଧୁବୁଲୁ ପାଇକ ଚୁଚ୍ଚାଗୁଡ଼ା

୨୬. ବକଟି ଭତରା ଗୋପିଗୁଡ଼ା

୨୭. ଧବି କଲାର ଗୋପିଗୁଡ଼ା

୨୮. ସୁକମନ ଭତରା ଗୋପିଗୁଡ଼ା

୨୯. ପର୍ଶୁରାମ ମାଳି ଚନ୍ଦ୍ରପୁର

୩୦. ଲକ୍ଷ୍ମଣ ମାଷ୍ଟ୍ର ନୂଆଗୁଡ଼ା

୩୧. ଛେତୁ ପାଇକ ଗୋପିଗୁଡ଼ା

୩୨. ବଣ୍ଡକା ଭତରା ଏକରୀ

୩୩. ମାଧବ ମାଝୀ ମାଝୀଗୁଡ଼ା

୩୪. ବସ୍ତରୀଆ ଭତରା ଦଲେଇଗୁଡ଼ା

୩୫. ଭଗବାନ ଭତରା ମନ୍ତ୍ରୀଗୁଡା

୩୬. କାଲିଆ ମାଝୀ ମାନିଆଗୁଡା

ଐତିହାସିକ ଭାରତଛାଡ଼ ଆନ୍ଦୋଳନ ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ପାପଡ଼ାହାଣ୍ଡି ଏହାର ଜ୍ୱଳନ୍ତ ଦୃଷ୍ଟାନ୍ତ । ମାଥିଲି ଥାନା ଘେରାଉଠାରୁ ଏହି ଘଟଣା ହୃଦୟ ବିଦାରକ ଓ ମର୍ମସ୍ପର୍ଶୀ । କିନ୍ତୁ, ପାଠ୍ୟକ୍ରମରେ ଉଚିତ ଢଙ୍ଗରେ ଉପସ୍ଥାପନା କରାଯାଇନଥିବାରୁ ଏହା ଆଲୋଚନାଠାରୁ ବହୁଦୂରରେ । ସମ୍ମାନ, ସମବେଦନା, ଶ୍ରଦ୍ଧାଞ୍ଜଳି ଯଦି ସହିଦ ଦେଶଭକ୍ତଙ୍କୁ ନମିଳେ, ତେବେ ଇତିହାସର ମୂଲ୍ୟରହିବ କେଉଁଠି?

ସ୍ୱାଧୀନତା ସଂଗ୍ରାମୀ ଜଗନ୍ନାଥ ତ୍ରିପାଠୀ ନିଜ ଡାଏରୀରେ ଲେଖିଥିଲେ “ମୋ’ ମୃତ୍ୟୁ ଅଗଷ୍ଟ ୨୪ରେ ହୋଇଥାନ୍ତାକି! ନବରଙ୍ଗପୁର ବ୍ରାହ୍ମଣସମାଜର ପ୍ରତିଷ୍ଠାତା ତଥା ଭୂତପୂର୍ବ ବିଧାୟକ ଏହି ସ୍ୱାଧୀନତା ସଂଗ୍ରାମୀ ଅନ୍ୟମାନଙ୍କ ସହ ମିଶି ପ୍ରତିବର୍ଷ ଅଗଷ୍ଟ୨୪ତାରିଖରେ ଟୁରୀ ନଦୀକୂଳରେ ସହିଦଙ୍କ ଅମର ଆତ୍ମାର ସଦ୍ଗତି କାମନା କରି ତିଳତର୍ପଣ କରି ଆସୁଥିଲେ । ୧୯୫୯ରୁ ୧୯୬୪ ମସିହା ପର୍ଯ୍ୟନ୍ତ ସ୍ୱର୍ଗତ କୈଳାସ ପଟ୍ଟନାୟକ ଦାନ ଦେଇଥିବା ନଦୀକୂଳ ଜାଗାରେ କାଠ ଖମ୍ବ ସ୍ଥାପନା କରି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ସମ୍ମାନ ପ୍ରଦର୍ଶନ କରାଯାଉଥିଲା । ୧୯୬୪ରୁ ୧୯୮୦ ପର୍ଯ୍ୟନ୍ତ ଏହି କାଠଖମ୍ବ ପରିବର୍ତ୍ତେ ସିମେଣ୍ଟ ଚୌଉପାଢ଼ୀ ହୋଇ ସହିଦ ପୀଠ ହୋଇଥିଲା । ପରବର୍ତ୍ତୀ ସମୟରେ ଜନାବ୍ ହବିବୁଲ୍ଲା ଖାଁଙ୍କ ବିଧାୟକ ପାଣ୍ଠିରୁ ୧୯୮୩ ମସିହାରେ ସହିଦ ସ୍ତମ୍ଭଭାବେ ମାନ୍ୟବାର ରାଜ୍ୟପାଳ ବିଶ୍ୱମ୍ଭରନାଥ ପାଣ୍ଡେଙ୍କ ଦ୍ୱାରା ଶୁଭ ଉଦ୍ଘାଟିତ ହୋଇଥିଲା । ଓଡ଼ିଶା ସଂସ୍କୃତି ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇଥିଲେ । ସେ ଦିନରୁ ବର୍ଷକୁ ମାତ୍ର ୧୦୦୦ଟଙ୍କା ସରକାରୀ ସହାୟତାରେ ସହିଦ ଦିବସ ପାଳିତ ହୋଇଆସୁଛି । କହିବାର ତାତ୍ପର୍ଯ୍ୟହେଲା, ଏହି ସହିଦ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ କଂଗ୍ରେସ ଦଳ ଓ ତାର କର୍ମୀଙ୍କ ଦ୍ୱାରା ହିଁ ତ୍ୱରାନ୍ୱିତ ହୋଇଛି । ଅଗତ୍ୟା, ଏକ ବଳିଷ୍ଠ ଜିଲ୍ଲାସ୍ତରୀୟ କମିଟି ଗଠନ ନ ହେବା ଜାତୀୟ ସ୍ମାରକୀ ଦାବିକୁ ଦୋହରାଇ ପାରୁନାହିଁ କିମ୍ବା ସହିଦଙ୍କ ପ୍ରକୃତ ତାଲିକା ସହିଦ ପୀଠରେ ପ୍ରକାଶ ହୋଇପାରୁନି । ସବୁଠାରୁ ଆଶ୍ଟର୍ଯ୍ୟର ବିଷୟ ଏହିକି ଯେ’ବର୍ତ୍ତମାନ ଏହି ପୀଠରେ ଅନେକ ଦେଶପ୍ରେମୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ ହୋଇଥିଲେ ବି ମଦରଟେରେସା , ସାହୁଜୀ ମହାରାଜଙ୍କ ସହିତ ଅନ୍ୟକିଛି ପ୍ରତିମୂର୍ତ୍ତି ବଳିଦାନ ପର୍ବର ଅସଲଂଗ୍ନତାକୁ ସୂଚିତ କରାଉଛି । ନବରଙ୍ଗପୁର ସହିଦ ଆଦିବାସୀ ସ୍ମୃତି ସଂସଦ ଅନେକବାର ଏହି ସ୍ୱର ଉଠାଇବା ଜଣାଯାଏ । ସରକାରୀ ଓ ବେସରକାରୀ ସ୍ତରରେ ଯଦି ବଳିଷ୍ଠ ପଦକ୍ଷେପ ନିଆଯାଏ, ତେବେ ନବରଙ୍ଗପୁର ଜିଲ୍ଲାର ଐତିହାସିକ ଏହି ଘଟଣା ଓ କୀର୍ତ୍ତି ଜାତୀୟସ୍ତରରେ ଇତିହାସର ସ୍ୱର୍ଣ୍ଣାକ୍ଷର ହୋଇରହିବ । ନଚେତ, ଇତିହାସ ମଧ୍ୟରେ ନେପଥ୍ୟ ଇତିହାସ ହୋଇ ଅଗତ୍ୟା ରହିଆସିବ ଏବଂ ଆମମାନଙ୍କ ଭୂଲକୁ ବାରମ୍ବାର ପ୍ରମାଣ କରୁଥିବ । ଓଡ଼ିଆ ମାଟି / ଏମାଟି / ଏମାଟିରେ ରହିଛି ପାପଡ଼ାହାଣ୍ଡିର ଛାତି / ରକ୍ତତୀର୍ଥ ମୂର୍ତ୍ତି / ଲାଲ ନଦୀର ଗତି, ଯା’ରେ ଯା’ଗାଇଗାଇ ଯା’ ଯେତେ ଗାଉଥିବୁ ସେତେ ପାଉଥିବୁ / ନବରଙ୍ଗପୁର ମତି ।

Comments

0 comments

Share This Article