ଲେଖକ- ଉମାକାନ୍ତ ଦାଶ
ପଞ୍ଚଦଶ ଶତାବ୍ଦୀର ଶେଷଦଶକରେ ନୂତନ ଭୂଖଣ୍ଡ ଆବିଷ୍କୃତ ହେବା ପରେ ୟୁରୋପୀୟ ଦେଶମାନଙ୍କରୁ ବହୁ ଉଚ୍ଚାକାଂକ୍ଷୀ ମଣିଷ ସେଠାରେ ଯାଇ ବସବାସ କରିବାକୁ ଲାଗିଲେ । ଦୁଇ ନୂତନ ଭୂଖଣ୍ଡରେ ୟୁରୋପୀୟମାନଙ୍କର ଉପନିବେଶ ଗଢ଼ିଉଠିଲା । ଉକ୍ତ ଭୂଖଣ୍ଡମାନଙ୍କରେ ବହୁ ଆଦିମ ଶ୍ରେଣୀର ମଣିଷ କାଳକାଳରୁ ବସାବାନ୍ଧି ରହି ଆସିଥିଲେ । ଏମାନଙ୍କ ମଧ୍ୟରୁ ଅନେକେ ବର୍ବର , ଅସଭ୍ୟ ମଣିଷ । ଦକ୍ଷିଣ ଆମେରିକାର କେତେକ ଅଞ୍ଚଳରେ ପ୍ରାଚୀନ ମଣିଷଙ୍କର ନିଜସ୍ୱ ସଭ୍ୟତା ଗଢ଼ି ଉଠିଥିଲା । ସମସ୍ତ ମଣିଷଗୋଷ୍ଠୀର ନିଜ ନିଜର ସଂସ୍କୃତି ଥିଲା । ୟୁରୋପୀୟମାନଙ୍କର ଅନୁପ୍ରବେଶ କାଳରେ ସ୍ଥଳବିଶେଷରେ ସ୍ଥାନୀୟ ମଣିଷମାନେ ପ୍ରତିରୋଧ କରିଥିଲେ ହେଁ ବୁଦ୍ଧିମାନ ୟୁରୋପୀୟ ଗୋରାଗୋଷ୍ଠୀ ନାନାମାର୍ଗରେ ସେମାନଙ୍କୁ ଦମନ କରିଥିଲେ । ବାରମ୍ବାର ସଂଘର୍ଷରେ ବହୁ ସ୍ଥାନୀୟ ମଣିଷ ପ୍ରାଣ ହରାଇଥିଲେ । ଅଗଣିତ ନିରୀହ ଅଥଚ ପରାଜିତ ମଣିଷଙ୍କୁ ପଶୁଭଳି ହତ୍ୟାକରି ନୂଆ ଭୂଖଣ୍ଡ ଗଢ଼ିଲେ କୁଶଳୀ ୟୁରୋପୀୟ ଔପନିବେଶିକଗଣ ।
ଯେଉଁସବୁ ସ୍ଥାନୀୟ ମଣିଷ ସେଇଠି ବଞ୍ଚିଲେ , ଔପନିବେଶିକଙ୍କ ଧର୍ମରେ ଦୀକ୍ଷିତହେଲେ,ବିଜେତାଙ୍କ ଭାଷା କହିଲେ, ବିଜେତାଙ୍କ ପାଇଁ କର୍ମକଲେ । ନୂଆ ନୂଆ କୃଷିକ୍ଷେତ୍ରରେ କାମ କରିବାକୁ ଶ୍ରମିକ ଉଣା ପଡ଼ିବାରୁ ଆଫ୍ରିକୀୟ ଭୂଖଣ୍ଡରୁ ମଣିଷ କିଣାହୋଇ ଆସିଲେ । ଏପରି ଭାବରେ ଏଇ ୩୦୦-୪୦୦ବର୍ଷ ମଧ୍ୟରେ ଆମେରିକା ଭୂଖଣ୍ଡରେ ୟୁରୋପୀୟ ଉପନିବେଶକାରୀ ଗଣ ସ୍ଥାୟୀବସତି ସ୍ଥାପନକରି ନୂଆ ସଭ୍ୟତା ଗଢ଼ିଲେ । ସ୍ଥାନୀୟ ସଭ୍ୟତା ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇଗଲା । ଏକ ନୂଆ ବର୍ଣ୍ଣ ସଙ୍କର ସଂସ୍କୃତି ସେଇଠି ମୁଣ୍ଡଟେକିଲା ଯାହାକୁ ଆଜି ଆମ ଭାରତ ଭଳି ପ୍ରାଚୀନ ସଂସ୍କୃତିସମ୍ପନ୍ନ ଦେଶରେ ଲୋକେ ଆଦର୍ଶ ମଣି ମୁଣ୍ଡିଆ ମାରି ଅନୁକରଣ କରିବାକୁ ଗୌରବ ମଣୁଛନ୍ତି । ସେଇଠି ୟୁରୋପୀୟମାନେ ସ୍ଥାନୀୟ ଆଦିମ ମଣିଷଙ୍କ ପାଇଁ ‘Tribe’ର’ ଶବ୍ଦଟିକୁ ବ୍ୟବହାର କରିଥିଲେ ।
ସେମାନଙ୍କୁ ଅଲଗା କରି ଦେଖିବା ଏହାର ଉଦେ୍ଦଶ୍ୟ ଥିଲା । ୟୁରୋପୀୟମାନେ ଅଷ୍ଟ୍ରେଲିଆ, ଆଫ୍ରିକାରେ ମଧ୍ୟ ସେଠାକାର ଆଦିମ ମଣିଷଙ୍କ ପାଇଁ ଏହି ଶବ୍ଦଟିକୁ ବ୍ୟବହାର କରିଥିଲେ । ଅଷ୍ଟ୍ରେଲିଆ ଭୂଖଣ୍ଡରେ ମଧ୍ୟ ୟୁରୋପୀୟମାନଙ୍କର ପ୍ରବେଶ ପରେ ପରେ ସଂଘର୍ଷଜନିତ କାରଣରୁ ହଜାର ହଜାର ସଂଖ୍ୟାରେ ମୂଳ ଆଦିବାସୀ ନିଶ୍ଚିହ୍ନ ହୋଇଗଲେ । ଏବେବି ଅଷ୍ଟ୍ରେଲିଆରେ ଖୁବ୍ କମ ସଂଖ୍ୟାରେ ଆଦିମ ଅଧିବାସୀ ଦେଖାଯାନ୍ତି । ଉପରୋକ୍ତ ଦୁଇ ଭୂଖଣ୍ଡରେ ଆଦିମ ଗୋଷ୍ଠୀର ମଣିଷଙ୍କ ଉତ୍ତରପୁରୁଷଗଣ ରଙ୍ଗରେ କେବଳ Tribe ବା ସ୍ଥାନୀୟ ମୂଳ ଅଧିବାସୀ ହେଲେ ହେଁ ସେମାନଙ୍କର ଅସ୍ମିତା (Identity) ପ୍ରତି ସନ୍ଦିଗ୍ଧ ହୋଇ କ୍ରମଶଃ ସଚେତନ ହୋଇଉଠୁଥିବା ଦେଖାଯାଉଛି । ଆଫ୍ରିକୀୟ ଦେଶମାନଙ୍କରେ ଏଇ ସଚେତନତା ପ୍ରବଳ ହୋଇଉଠୁଛି । ଏଥିରୁ କଳା-ଗୋରା ବିଭେଦଜନିତ ପ୍ରଶ୍ନମାନ ଜନ୍ମନେଉଛି ।
ସେଇ ପଞ୍ଚଦଶ ଶତାବ୍ଦୀର ଶେଷଦଶକରେ ଭାରତକୁ ଜଳପଥ ଆବିଷ୍କୃତ ହେଲାପରେ ବହୁ ୟୁରୋପୀୟ ବଣିକଦଳ ଭାରତକୁ ଆସି ଏଠାରେ ଭାଗ୍ୟ ପରୀକ୍ଷା ଆରମ୍ଭ କରିଦେଲେ । ଅଷ୍ଟାଦଶ ଶତକ ବେଳକୁ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ତୀବ୍ରତର ହୋଇପଡ଼ିଲା । ଶେଷରେ ଚତୁର ଇଂରେଜ ବଣିକଦଳ ଭାରତର ଶାସନ ଅଧିକାର କରଗତ କରିନେଲେ । ଭାରତରେ ଇଂରେଜ ଶାସନ ପ୍ରତିଷ୍ଠିତ ହୋଇସାରିଲା ପରେ ଇଂରେଜମାନେ ଭାରତୀୟ ସମାଜ ଓ ସଂସ୍କୃତି ସମ୍ପର୍କରେ ଅବହିତ ହେବାପାଇଁ ଉଦ୍ୟମ କଲେ । ଭାରତ ଭଳି ଏକ ପ୍ରାଚୀନ ସଂସ୍କୃତି ସମ୍ପନ୍ନ ଦେଶର ସମାଜକୁ ଆମୂଳଚୂଳ ପରିବର୍ତ୍ତନ କରିଦେବାର ସାହସ ସେମାନଙ୍କର ନଥିଲା । ଭାରତୀୟ ସମାଜରେ ବନବାସୀ ବା ଗିରିଜନମାନେ ପରିତ୍ୟକ୍ତ ନଥିଲେ । ସମାଜରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଉଥିଲା ।
ନିଜସ୍ୱ ସଂସ୍କୃତିରେ ଋଦ୍ଧିମନ୍ତ ଭାରତୀୟ ବନବାସୀ ଗୋଷ୍ଠୀଗୁଡ଼ିକୁ ଆମେରିକା, ଅଷ୍ଟ୍ରେଲିଆ କିମ୍ବା ଆଫ୍ରିକାର ମୂଳ ବାସିନ୍ଦାଙ୍କ ସହ ସମବିଚାର କରାଯାଇ ନପାରେ, ତଥାପି ଇଂରେଜମାନେ ଜାଣିଶୁଣି ଭାରତୀୟ ବନବାସୀଙ୍କ ପାଇଁ ସେଇ ‘Tribe’ ଶବ୍ଦଟି ବ୍ୟବହାର କଲେ ଏବଂ ଏହାର ସମର୍ଥକ ଭାବେ ପରେ ‘ଆଦିବାସୀ’ ଶବ୍ଦଟିକୁ ଗ୍ରହଣ କରାଗଲା । ଅଣ ଆଦିବାସୀଙ୍କ ମଧ୍ୟରେ ଥିବା ବର୍ଣ୍ଣବିଭେଦର ସୁଯୋଗ ନେଇ ଇଂରେଜ ଶାସକଗୋଷ୍ଠୀ ଭାରତୀୟ ସମାଜକୁ ଆଦିବାସୀ ‘Tribe’ ଓ ଅଣଆଦିବାସୀ (Non-Tribe), ପୁଣି ଅଣ ଆଦିବାସୀ ମଧ୍ୟରେ ନାନା ଜାତିଭେଦକୁ ଅଧିକ କ୍ରିୟାଶୀଳ କରିବସିଲେ । Tribe ଓTribe Tribe I Caste ନେଇ କନ୍ଦଳ, ଭାଷାବିଭେଦ, ଧର୍ମଗତବିଭେଦ ପାଇଁ ପଥ ପରିଷ୍କାର କରି ରଖିଦେଲେ । ଇଂରେଜ ଶାସନର ଏହି ନକରାତ୍ମକ ଦିଗଟି ସହଜରେ ଧରା ପଡ଼େନାହିଁ । ବିଭେଦ ସୃଷ୍ଟିକରି ଶାସନ (Divide and rules)) କରିବା ନୀତି ଅତି ଚତୁରତା ସହିତ ଏ ଦେଶରେ କାର୍ଯ୍ୟକାରୀ କରିନେଲେ । ଆମେରିକୀୟ, ଅଷ୍ଟ୍ରେଲିଆ ଓ ଆଫ୍ରିକୀୟ ଉପନିବେଶମାନଙ୍କରେ ପ୍ରାଚୀନ ସଭ୍ୟତାକୁ ନିର୍ମୂଳ କରିଦେଇ ୟୁରୋପୀୟ ସଂସ୍କୃତିର ଚାରା ପୋତିବା ସମ୍ଭବ ହୋଇଥିବା ସ୍ଥଳେ ଭାରତରେ ତାହା ସମ୍ଭବ ନହେବାର ନୈରାଶ୍ୟରେ ଜର୍ଜରିତ ୟୁରୋପୀୟ ଦୁଷ୍ଟ ଓ କଳୁଷିତ ମାନସିକତା ଏଭଳି ଭାବରେ ଭାରତରେ ରୂପାୟିତ ହୋଇଥିଲା ।
ବ୍ରିଟିଶ ସରକାର ଭାରତରେ ବିଭିନ୍ନ ଅଞ୍ଚଳର ଲୋକ ସମାଜକୁ, ଭାଗ୍ୟକୁ ଧର୍ମକୁ ଅନୁଧ୍ୟାନ କରିବା ପାଇଁ ୟୁରୋପୀୟ ବିଦ୍ୱାନମାନଙ୍କୁ ନିଯୁକ୍ତ କରିଥିଲେ । ଗୋଟିଏ ଜାତିକୁ ନଜାଣିଲେ ତାକୁ ଶାସନ କରିବା ସହଜ ହେବନାହିଁ, ଏହାହିଁ ଥିଲା ଉଦେ୍ଦଶ୍ୟ କିନ୍ତୁ ୟୁରୋପୀୟ ପଣ୍ଡିତମାନେ ସେମାନଙ୍କ ନିଜ ଦୃଷ୍ଟିକୋଣରୁ ଭାରତର ଲୋକସମାଜକୁ ଦେଖୁଥିଲେ । ଭାରତ ସମ୍ପର୍କରେ ଅଧ୍ୟୟନକୁ ନେଇ ଭାରତୀୟ ତତ୍ତ୍ୱ ବା Indology ନାମକ ଏକ ସ୍ୱତନ୍ତ୍ର ଅଧ୍ୟୟନ କ୍ରମଶଃ ବିଶେଷ ଆଦୃତି ହେଲା । ବ୍ରିଟିଶସରକାର ବସ୍ତର ରାଜ୍ୟର ଇତିହାସ ପ୍ରଣୟନ ପାଇଁ Lenkins (୧୮୨୭)ଙ୍କୁ ନିଯୁକ୍ତ କଲେ । ସରକାରଙ୍କ ପୂର୍ବୋକ୍ତ ଆଭିମୁଖ୍ୟକୁ ରୂପାୟିତ କରିବାକୁ ଯାଇ ଜେନବିନ୍ସ ବନବାସୀଙ୍କୁ Tribe ଆଖ୍ୟା ଦେଇ ବୃହତ୍ତର ସମାଜରୁ ସେମାନଙ୍କୁ ପୃଥକ କରିଦେବା ଉଦ୍ୟମ କରିଥିଲେ । ଏଯାବତ୍ ବନବାସୀ, ବନଚର ବା ଗିରିଜନ ନାମରେ ପରିଚିତ ଏଇ ମଣିଷମାନଙ୍କୁ ନୂଆ ନାମରେ ନାମିତ କରି ସେମାନଙ୍କୁ ବର୍ଣ୍ଣନା କଲାବେଳେ ନିମ୍ନ, ଅସଭ୍ୟ, ବର୍ବର, ବଣରକନ୍ଦା ଓ ଝରଣାଜଳରେ ବଞ୍ଚୁଥିବା ଶିକାରୀ ମଣିଷ, ନରଘାତକ ଇତ୍ୟାଦି ଶବ୍ଦ ବ୍ୟବହାର କଲେ । ((Naked savages living on roots and springs and hunting for strangers to sacrifice) (୧୮୨୭;୫୪) ଜେନବିନ୍ସ ରଙ୍ଗୀନ ବିବିଧତା ମଧ୍ୟରେ ମଧୁର ଐକ୍ୟ ପ୍ରତି ଅସହିଷ୍ଣୁ ହୋଇ ଏହାକୁ ବିଭେଦଧର୍ମୀ ରୂପ ଦେବାକୁ ସମସ୍ତେ ଯତ୍ ପରୋନାସ୍ତି ଉଦ୍ୟମ କରିଥିଲେ ।
ବାସ୍ତବରେ ବ୍ରିଟିଶ ବିଦ୍ୱାନମାନଙ୍କ ପାଇଁ ଭାରତୀୟ ସମାଜ ଓ ସଂସ୍କୃତି ସମ୍ପୂର୍ଣ୍ଣ ନୂତନ ଓ ଅଦ୍ଭୁତ ଥିଲା । ବହୁ ଅଧ୍ୟୟନ ସତ୍ତ୍ୱେ ସେମାନେ ଏହାର ମୌଳିକ ରୂପଟିକୁ ଅନୁଭବ କରିପାରି ନଥିଲେ । ଭାରତୀୟ ବନବାସୀ ଜୀବନକୁ ନିକଟରୁ ଅନୁଧ୍ୟାନ କରିଥିଲେ ହେଁ ଅନେକେ ୟୁରୋପୀୟ ଦୃଷ୍ଟି ନେଇ ଅନୁଧ୍ୟାନ କରିଥିଲେ । ଫଳରେ ଏଇ ମଣିଷଙ୍କ ପାଇଁ ସେମାନେ ଅନେକ ନିନ୍ଦନୀୟ ଶବ୍ଦ ପ୍ରୟୋଗ କରିବାରୁ ବିରତ ହୋଇନାହାନ୍ତି । ସେମାନଙ୍କ ବିଚାରରେ ସ୍ୱୟଂ ଈଶ୍ୱର ସେମାନଙ୍କୁ ଏଇ naked, ignorant, uncivilized, barberମାନଙ୍କୁ ସଭ୍ୟତାର ଆଲୋକ ଦେଖାଇ ପାପରୁ ପରିତ୍ରାଣ କରିବାକୁ ପଠାଇଛନ୍ତି । ଏଭଳି ଉଚ୍ଚ(Superior)ମନୋଭାବ ନେଇ ସେମାନେ ଆମ ବନବାସୀଙ୍କ ପାଇଁ Tribe ଶବ୍ଦଟିକୁ ବ୍ୟବହାର କଲେ, ଯାହା ସେମାନେ ଆମେରିକାର ଲୋହିତ ଭାରତୀୟ ଅଥବା ଆଫ୍ରିକାର ନିଗ୍ରୋଙ୍କ ପାଇଁ ବ୍ୟବହାର କରିଥିଲେ ।
କିନ୍ତୁ ଭାରତରେ ବନବାସୀଗଣ ଏକ ଉନ୍ନତ ସଂସ୍କୃତିର ଅଧିକାରୀ ଥିଲେ । ସେମାନଙ୍କର ସଂଘବଦ୍ଧ ସରଳଜୀବନ ଅନେକ ଦୃଷ୍ଟିରୁ ସୁନ୍ଦର ଓ ଆକର୍ଷଣୀୟ । ଭାରତର ପ୍ରାଚୀନ ସାହିତ୍ୟରେ ସେମାନଙ୍କୁ କୌଣସି ସ୍ଥଳରେ ଘୃଣ୍ୟ ବିଚାର କରାଯାଇ ନାହିଁ । ଭାରତର ଇତିହାସ ପ୍ରଣେତାଗଣ ଶାସକବର୍ଗଙ୍କ କଥା କହିଛନ୍ତି ସିନା ସାଧାରଣ ମଣିଷ ଉପେକ୍ଷିତ ହୋଇଛି । ଇତିହାସ ପ୍ରଣୟନର ଧାରା ଯାହାଥିଲା, ତହିଁରେ ବନବାସୀ ପ୍ରସଙ୍ଗ ଇତିହାସକୁ ଆସିବା ପ୍ରଶ୍ନ ହିଁ ଉଠୁନାହିଁ । ତଥାପି ଅଶୋକଙ୍କ ଜଉଗଡ଼ ଶିଳାଲେଖରେ ଏକ ନିର୍ଦ୍ଧେଶନାମା ଘୋଷଣା କରିଛି, ଯେ ବନାଞ୍ଚଳରେ ଅଧିବାସୀଙ୍କୁ ସେମାନଙ୍କର ନିଜସ୍ୱ ଧାରାରେ ବଞ୍ଚିବାକୁ ନିରଙ୍କୁଶ ପ୍ରତିଶୃତି ଦିଆଯାଉ ।
କାଳକାଳରୁ ଏଇ ମଣିଷ ଗୋଷ୍ଠୀମାନେ ସାଧାରଣ ସମାଜଠାରୁ ପୃଥକ ରହି ନିଜସ୍ୱ ରୀତିରେ ବଞ୍ଚି ଆସୁଥିଲେ । ବାହାରର ପ୍ରଭାବ ସେମାନଙ୍କ ଉପରେ ପଡ଼ିବାର ଆଦୌ ଅବକାଶ ନଥିଲା । ତେଣୁ ହଜାର ହଜାର ବର୍ଷର ଚଳଣି, ରୀତିନୀତି, ପ୍ରଥା ପରମ୍ପରା, ବିଶ୍ୱାସ, ବଞ୍ଚିବାର ଧାରା ଓ ଶୈଳୀ ଅବିକୃତ ଭାବରେ ଏଯାବତ୍ ରହିଥିଲା । ସ୍ୱାଧୀନତାର ଅବ୍ୟବହିତ ପୂର୍ବରୁ ବ୍ରିଟିଶ ଶାସନ କାଳରେ ହିଁ ଏହି ଅଞ୍ଚଳମାନଙ୍କରେ ଉଚ୍ଚାକାଂକ୍ଷୀ ଶାସକବର୍ଗ ନାନା ଆଳରେ ପ୍ରବେଶ କଲେ । ଆମଓଡ଼ିଶାର କନ୍ଧମାଳ ଓ କୋରାପୁଟ ପ୍ରଭୃତି ଅଞ୍ଚଳରେ ମେରିଆବଳି ଦମନ ଆଳରେ ତ ଘୁମୁସରର କନ୍ଧ ଓ କୋରାପୁଟର ସଉରାଙ୍କ ମେଳି ଦମନ ଆଳରେ ପ୍ରବେଶ କଲେ ଏବଂ ପରେ ପରେ ସେମାନଙ୍କ ପରିତ୍ରାଣ ପାଇଁ ନାନାମାର୍ଗରେ ଉଦ୍ୟମ ଆରମ୍ଭ କରିଦେଲେ । ସ୍ୱାଧୀନତା ପରେ ଗଣତନ୍ତ୍ର ଭାରତର ଶାସନ ପାଇଁ ପ୍ରଣୀତ ସମ୍ବିଧାନରେ ଏଇ ବନବାସୀଙ୍କ ପାଇଁ ୟୁରୋପୀୟମାନଙ୍କର ବହୁ ପ୍ରଚଳିତ ସେଇ Tribe ନାଁ ଟିକୁ ପୁଣି ଗ୍ରହଣ କରାଗଲା ଏବଂ ଏହି ଶବ୍ଦଟି ପାଇଁ ଭାରତୀୟ ପ୍ରତିଶବ୍ଦ ‘ଆଦିବାସୀ’ ଶବ୍ଦଟି ନିଆଗଲା । ଅବଶ୍ୟ ଭାରତୀୟ ସମ୍ବିଧାନରେ ବ୍ୟବହୃତ Tribe ଶବ୍ଦଟି ଏକ ସ୍ୱତନ୍ତ୍ରଅର୍ଥର ଦ୍ୟୋତକ । ଏହା ଆମ ଦେଶର ବହୁକାଳରୁ ନିଭୃତ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଜୀବନଶୈଳୀକୁ ଅବଲମ୍ବନ କରି ବାହ୍ୟ ପ୍ରଭାବରୁ ବଞ୍ଚିତ ଏବଂ ଆଧୁନିକତାଠାରୁ ଅଲଗା ରହିଯାଇ ପଛରେ ପଡ଼ିଯାଇଥିବା ମଣିଷଗୋଷ୍ଠୀଙ୍କ ପାଇଁ ପ୍ରଯୁଜ୍ୟ । ଆମ ସମ୍ବିଧାନରେ ଆଦିବାସୀଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ରହିବା ସହିତ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱତନ୍ତ୍ର ଶାସନବ୍ୟବସ୍ଥା ଯୋଗାଇ ଦେବା କଥା ରହିଛି । ସ୍ୱତନ୍ତ୍ର ଦୃଷ୍ଟିଦେବା ସକାଶେ କେତେକ ଆଦିବାସୀ ଗୋଷ୍ଠୀକୁ ଅନୁସୂଚିତ କରାଯାଇଛି ।
ମହାନ ଭାରତୀୟ ସଂସ୍କୃତିକୁ ଆଦିବାସୀଙ୍କ ଅବଦାନ ଅତୁଳନୀୟ । ଭାରତର କେତେକ ଅଞ୍ଚଳର ସଂସ୍କୃତି ଆଦିବାସୀ ସଂସ୍କୃତିର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ । ଆମ ଉତ୍କଳୀୟ ସଂସ୍କୃତି ଏବଂ ଜଗନ୍ନାଥ ସଂସ୍କୃତିର ମୌଳିକରୂପ ଆଦିବାସୀ ଶବର ସଂସ୍କୃତିରେ ଉପଲବ୍ଧ ହୋଇଥାଏ । ଭାରତବର୍ଷରେ ୪୧୪ପ୍ରକାର ଆଦିବାସୀ ଗୋଷ୍ଠୀ ଦୃଷ୍ଟିଗୋଚର ହୋଇଥାନ୍ତି । ଭାରତରେ ଆଦିବାସୀଙ୍କ ଜନସଂଖ୍ୟା ୮.୨ପ୍ରତିଶତ । ସଂସ୍କୃତି ଦୃଷ୍ଟିରୁ ଗୋଟିଏ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଠାରୁ ପୃଥକ । ଏହା ହିଁ ଭାରତୀୟ ସଂସ୍କୃତିର ବିବିଧତାର ରହସ୍ୟ । ଭାରତରେ ପୁଣି ଆଦିବାସୀ ଜନସଂଖ୍ୟା ଦୃଷ୍ଟିରୁ ମଧ୍ୟପ୍ରଦେଶ ପରେ ଆମ ଓଡ଼ିଶା ୨ୟ ସଂଖ୍ୟାଗରିଷ୍ଠ ରାଜ୍ୟ । ଆମ ରାଜ୍ୟରେ ୬୨ପ୍ରକାରର ଆଦିବାସୀ ବସବାସ କରନ୍ତି । ସମଗ୍ର ଓଡ଼ିଶାରେ ଆଦିବାସୀଙ୍କ ଜନସଂଖ୍ୟା ୨୨.୧୩%ହୋଇଥିବା ସ୍ଥଳେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏମାନଙ୍କ ସଂଖ୍ୟା ୫୩.୭୪ପ୍ରତିଶତ ଅର୍ଥାତ ଅର୍ଦ୍ଧେକରୁ ଅଧିକ ଏବଂ ବିଭକ୍ତ ହେଲାପରେ କୋରାପୁଟ ଜିଲ୍ଲାରେ ୪୯.୬୨ପ୍ରତିଶତ ଆଦିବାସୀ ଅଛନ୍ତି ।
ଏଥିରୁ ବୁଝିବାକୁ ହେବ ଏହି ଜିଲ୍ଲାରେ ଏକ ବିପୁଳାଂଶ ହେଉଛନ୍ତି ଆଦିବାସୀ, ଉନ୍ନୟନ ପ୍ରକ୍ରିୟାରେ ଏମାନଙ୍କର ଯୋଗଦାନ ବିନା ଜିଲ୍ଲାର ଉନ୍ନୟନ ଅସମ୍ଭବ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ୧୫ ପ୍ରକାରର ଆଦିବାସୀ ରହନ୍ତି । ପୁଣି ବଣ୍ଡା, ଦିଦାୟୀ, କୋୟା,ଲାଞ୍ଜିଆସଉରା,ବୁଝିଆ କନ୍ଧ ଭଳି କେତେକ ବିରଳ ବିରଳ ଗୋଷ୍ଠୀ ଏ ଅଞ୍ଚଳରେ ଦେଖାଯାନ୍ତି । ସବୁ ଗୋଷ୍ଠୀର ବିକାଶ ଘଟି ତା’ର ସମନ୍ୱୟ ହେଲେ ଭାରତୀୟ ସଂସ୍କୃତି ଅଧିକରୁ ଅଧିକ ଋଦ୍ଧିମନ୍ତ ହେବ । କିନ୍ତୁ ସାଧାରଣ ସ୍ରୋତରେ ଆଦିବାସୀଙ୍କୁ ସାମିଲ କରିବାକୁ ଉଦ୍ୟମ କରିବାର ଅର୍ଥ ନୁହେଁ ସେମାନଙ୍କ ସଂସ୍କୃତିଠାରୁ ଜୀବନ ଶୈଳୀଠାରୁ ସେମାନଙ୍କୁ ପୃଥକ କରି ଅଣ ଆଦିବାସୀଙ୍କ ଜୀବନଶୈଳୀ ତଥା ସଂସ୍କୃତିରେ ସେମାନଙ୍କୁ ଅଭ୍ୟସ୍ତ କରାଯିବ । ଏପରି କଲେ ଆଦିବାସୀର ଅସ୍ମିତା ହଜିଯିବ ଏବଂ ତା’ସାଙ୍ଗକୁ ହଜିଯିବ ଏକ ସ୍ୱତନ୍ତ୍ର ସାଂସ୍କୃତିକ ଧାରା । ଏଇ କଥାଟିକୁ ତଳେଇ ବିଚାର କରିବାର ସମୟ ଆସିଛି ।
ଶତାଧିକ ବର୍ଷ ୟୁରୋପରୁ ଆନୀତ ଜୀବନଶୈଳୀରେ ଅଭ୍ୟସ୍ତ ହୋଇସାରିଲା ପରେ ଏବେ ଆମେରିକା, ଅଷ୍ଟ୍ରେଲିଆ ଓ ଆଫ୍ରିକାରେ ଆଦିମ ଗୋଷ୍ଠୀମାନେ ନିଜର ପରିଚୟ ବା ଅସ୍ମିତା (identity ) ପ୍ରତି ସଚେତନ ହେବା ଆରମ୍ଭ କରିଥିବା ସ୍ଥଳେ ଆମ ଦେଶରେ ଆମେ ତାକୁ ଲୋପ କରିବାକୁ ଯିବା ଚରମ ବିଡ଼ମ୍ବନା ।
ଆଦିବାସୀ ତା’ର ମୌଖିକ ଇତିହାସ ଧରି ଦଣ୍ଡାୟମାନ । ଆଦିବାସୀର ଲୋକକଥା, ଲୋକଗୀତ, ପ୍ରଚଳିତ ମିଥ୍ରେ ଆଦିବାସୀଙ୍କ ଇତିହାସ ପ୍ରଚ୍ଛନ୍ନ ରହିଛି । ସେମାନଙ୍କ କାହାଣୀ ଓ ମିଥ୍ରେ ପୃଥିବୀ, ପାହାଡ଼,ବୃକ୍ଷଲତା, ଗ୍ରହନକ୍ଷତ୍ର, ମନୁଷ୍ୟ ତଥା ବିଭିନ୍ନ ବସ୍ତୁର ସୃଷ୍ଟି ଚିତ୍ର ସ୍ୱତନ୍ତ୍ର । ସେମାନଙ୍କ ସଙ୍ଗୀତ ଓ ନୃତ୍ୟ ଅନନ୍ୟ, ଭାରତୀୟ ସଙ୍ଗୀତକୁ, ନୃତ୍ୟକୁ ସେମାନଙ୍କ ଅବଦାନ ଅସ୍ୱୀକାର କରିହେବ ନାହିଁ । ଗୀତର ଛନ୍ଦ,ରାଗରାଗିଣୀ,ଗାୟନ ପରିପାଟୀ,ନୃତ୍ୟର ଶୈଳୀ ଅତ୍ୟନ୍ତ ଉପଭୋଗ୍ୟ, କେତେକ ଶାସ୍ତ୍ରୀୟ ସଙ୍ଗୀତ ରାଗ,ତାଳ,ଲୟର ମୂଳରୂପ ଆଦିବାସୀ ଲୋକସଙ୍ଗୀତରେ ମିଳେ ଆଧୁନିକ ସାରଙ୍ଗି ତାନପୁରା, ସୀତାର,ତବଲା,ବେହେଲା ପ୍ରଭୃତି ବାଦ୍ୟଯନ୍ତ୍ରର ମୂଳରୂପ ଆଦିବାସୀ ବ୍ୟବହାର କରୁଥିବା ରେଗରେଗା, ଡୁଡୁକା,ଡୁଙ୍ଗଡୁଙ୍ଗା,ମହୁରୀ, ସାରଙ୍ଗି ପ୍ରଭୃତିରେ ଲକ୍ଷ୍ୟ କରିହୁଏ । ‘ଚର୍ଯ୍ୟାଗୀତିକା’ର ଭାଷା ସହ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ ବ୍ୟବହୃତ ଦେଶିଆଭାଷାର ସାମଞ୍ଜସ୍ୟକୁ ଲକ୍ଷ୍ୟକଲେ ମନେହୁଏ ଚର୍ଯ୍ୟା-ଗୀତିକାରଙ୍କ ମଧ୍ୟରୁ କେହି କେହି ଏଇ ଗୋଷ୍ଠୀର ଲୋକ ହୋଇପାରନ୍ତି । ଆଦିବାସୀ ସଂସ୍କୃତିକୁ ବ୍ୟାପକ ଅର୍ଥରେ ଆଦିବାସୀର ସାମଗ୍ରିକ ଜୀବନଶୈଳୀ, ବଂଶୀର ଧାରା ବୋଲି ଯଦି ଗ୍ରହଣ କରାଯାଏ, ତାକୁ ପରିବର୍ତ୍ତନ କରିଦେଲେ ଆଦିବାସୀତ୍ୱ ଆଉ ରହିବ ନାହିଁ । ଆଦିବାସୀ ମଣିଷତାର ଅସ୍ମିତା ହରାଇ ବସିବ । ତଦ୍ଦ୍ୱାରା ମହାନ ଭାରତୀୟ ସଂସ୍କୃତିର ବିପୁଳ କ୍ଷତି ଘଟିଯିବ ।
ଏପରି ଆଶଙ୍କା ଅହେତୁକ ନୁହେଁ । କାରଣ କୋରାପୁଟ ଅଞ୍ଚଳରେ ସାମ୍ପ୍ରତିକ ଉନ୍ନୟନ ଧାରାରେ ଯେଉଁ ବେପରୁଆଉଦ୍ୟମ ପରିଲକ୍ଷିତ ହେଉଛି ତଦ୍ଦ୍ୱାରା ଜନଜୀବନ ନାନାଦିଗରୁ ବିଖଣ୍ଡିତ ହୋଇପଡ଼ୁଛି । ଉନ୍ନୟନ ପ୍ରକ୍ରିୟା ଏବଂ ତଜ୍ଜନିତ ଫଳାଫଳ ତା’ର ହିତାଧିକାରୀ ଆଦିବାସୀଙ୍କୁ କେଉଁ ପରିସ୍ଥିତିରେ ନେଇ ଠିଆକରୁଛି ତା’ର ବିଚାର ଆବଶ୍ୟକ । ଏହି ଫଳାଫଳକୁ ମୋଟ ଉପରେ ପାଞ୍ଚଟି ପର୍ଯ୍ୟାୟରେ ବିଚାର କରାଯାଇପାରେ । ୧) ଆତ୍ମ ବିମୁଖତା, ୨) ଦାରିଦ୍ର୍ୟ,୩) ମାନସିକତାର ବିକୃତି,୪) ରୂପାନ୍ତରଣ, ୫)ଅନଭ୍ୟସ୍ତ ଜୀବନଜୀବିକା ଓ ତଜ୍ଜନିତ ଅସହାୟତା ।
୧) ଆତ୍ମବିମୁଖତା : ଆଦିବାସୀ ନିଜ ଇଲାକାରେ ନିଜକୁ ରାଜା ମନେ କରୁଥିଲା । ସେ ଆତ୍ମନିର୍ଭରଶୀଳ ଥିଲା ଓ ଆତ୍ମସନ୍ତୋଷ ଲାଭ କରୁଥିଲା । କନ୍ଧ ଆପଣାକୁ କନ୍ଧ କହିବାରେ ଆତ୍ମଗୌରବ ଅନୁଭବ କରୁଥିଲା । ଏବେ ସେ ସମୟ ଆଉ ନାହିଁ । ଏବେ ନିଜ ନିଜ ଭିତରେ ଛପିଯିବାର ମନୋଭାବ, ପଛେଇଯିବାର ଇଚ୍ଛା ଆଦିବାସୀକୁ ପଛକୁ ପଛକୁ ନେଇଯାଉଛି । ରାଷ୍ଟ୍ରୀୟ ମୁଖ୍ୟସ୍ରୋତରେ କିଏ କନ୍ଧହୋଇ, କିଏ ବଣ୍ଡା, କିଏ କୋୟା ରୂପେ ଆପଣାର ପରିଚୟ ଧରି ସାମିଲ ହୋଇଥାନ୍ତେ, କିନ୍ତୁ ସେମାନେ ସମସ୍ତେ ଏକ ଭିନ୍ନ ଗୋଷ୍ଠୀର ଆପାଂକ୍ତେୟ ମଣିଷ Tribe ରୂପେ ମିଶିବାକୁ ହେବ । ମନେହେଉଛି ଏଇ ଶବ୍ଦଟି ଭିତରେ ଅନେକ ଅସୁମାରୀ ଘୃଣା ଓ ତାତ୍ସଲ୍ୟ ଭରିରହିଛି । ତା’ର ଭେଦକାରୀ ଗୁଣଟି ତା’ଭିତରୁ ଉକୁଟିଉଠୁଛି । ଯେଉଁଥିପାଇଁ ବ୍ରିଟିଶ ଲୋକେ ଏଇ ଦେଶରେ ମଧ୍ୟ ଏଇ ଶବ୍ଦଟିକୁ ନେଇ ଲୋକଙ୍କ ଭିତରେ ପାଚେରୀ ଗଢ଼ିଦେବାର ମନ୍ତ୍ର ଫୁଙ୍କିଥିଲେ ।
୨) ଦାରିଦ୍ର୍ୟ: ସ୍ୱାଧୀନତା ପରବର୍ତ୍ତୀକାଳରେ ଆଦିବାସୀବର୍ଗର ଲୋକଙ୍କ ବିକାଶପାଇଁ ବହୁ ଯୋଜନା କାର୍ଯ୍ୟକାରୀ ହୋଇଛି । କିନ୍ତୁ ଏଗୁଡ଼ିକର ସୁଫଳ ଆଦିବାସୀ ପାଖରେ ପହଞ୍ଚôପାରି ନାହିଁ । ଏବେ ମଧ୍ୟ କେ.ବି.କେ. ପରି ବ୍ୟୟବହୁଳ ଯୋଜନାର ଫଳ ମଧ୍ୟ କ୍ୱଚିତ ଆଦିବାସୀ ଉପଭୋଗ କରୁଛି । ଆଦିବାସୀ ଅଞ୍ଚଳରେ ରେଳପଥ, ସଡ଼କପଥ ଇତ୍ୟାଦି ଗମନା ଗମନର ସୁବିଧା ସୃଷ୍ଟିସାଙ୍ଗକୁ ବିପୁଳ ବ୍ୟୟରେ ଭିତ୍ତିଭୂମି ପ୍ରସ୍ତୁତି ହୋଇଛି । ରାସ୍ତାରେ ଚାଲିଲେ ପେଟ ପୂରେନାହିଁ, ପୁଣି ଆଦିବାସୀ ତା’ର କମ୍ ଦୂରତାବିଶିଷ୍ଟ ରାସ୍ତା ପାହାଡ଼,ଡଙ୍ଗର ଭିତରେ ସେଇ ପାଦଚଲା ରାସ୍ତାରେ ଯିବାରେ ଆନନ୍ଦ ପାଉଛି । ଗମନାଗମନର ସୁବିଧାର ସୁଯୋଗରେ ବହୁ ବହିରାଗତ ଲୋକ ଆଦିବାସୀ ଇଲାକାକୁ ଆସିଛନ୍ତି । ଆଦିବାସୀ ଅଧିକ ଶୋଷଣର ଶିକାର ହୋଇଛି । ଭିତ୍ତିଭୂମିମାନଙ୍କ ଉପଯୋଗ ଅନ୍ୟମାନେ କରିଛନ୍ତି । ବିଭିନ୍ନ ନିର୍ମାଣ କାର୍ଯ୍ୟରେ ଶ୍ରମିକ ହୋଇ ଆଦିବାସୀ ଦୈନିକ ମଜୁରୀ ମାତ୍ର ପାଉଛି । ବିପୁଳ ଅର୍ଥ କମ୍ପାନୀ,ଠିକାଦାର, ସରକାରୀ କର୍ମଚାରୀ ପାଇଛନ୍ତି ସିନା ଆଦିବାସୀ ତା’ର ପ୍ରାପ୍ତମଜୁରୀର କିୟଦଂଶ ବରଂ କମ୍ପାନୀ ମଦ ଦୋକାନରେ ଦେଇ ଘରକୁ ଫେରୁଛି । ରାସ୍ତାଘାଟର ସୁଯୋଗ ବ୍ୟବସାୟୀ, ଠିକାଦାର, ଦଲାଲ, ମହାଜନ ନେଇଛନ୍ତି । ପାରମ୍ପରିକ ଚାଷରୁ ଆଦିବାସୀ ଯାହା ପାଉଛି ତାକୁ ଶସ୍ତାରେ ବ୍ୟବସାୟୀଙ୍କୁ ବିକି ଶୋଷିତ ହୋଇଛି ।
ଅଣଆଦିବାସୀଙ୍କ ସମ୍ପର୍କରେ ଆସି ଆଧୁନିକ ଚାକଚକ୍ୟ ଜୀବନ ପ୍ରତି ଆକୃଷ୍ଟ ହୋଇଛି ଆଦିବାସୀ, ନାନା ପ୍ରସାଧନ ସାମଗ୍ରୀ, ବେଶ ଓ ପୋଷାକ ତାକୁ ଆକୃଷ୍ଟ କରିଛି । ତାକୁ ପାଇବାପାଇଁ ଦୌଡ଼ରେ ଆଦିବାସୀ ହାରିଯାଇଛି । ଅତୀତରେ ଆଦିବାସୀର ଅଭାବବୋଧ ନଥିଲା । ଜୀବନ ବ୍ୟୟବହୁଳ ନଥିଲା, ଅଭାବବୋଧ ହିଁ ଦାରିଦ୍ର୍ୟର ହେତୁ । ବଞ୍ଚିବାର ଦୌଡ଼ରେ ଏବେ ଆଦିବାସୀ ହାରମାନିଛି । ସେ ସତରେ ଦରିଦ୍ର ହୋଇପଡ଼ିଛି । ତା’ର କିଛିନାହିଁ । ଏଇ ନାଇଁ ନାଇଁର ଉପଲବ୍ଧ ସେ ଅଙ୍ଗେ ନିଭେଇଛି । ଦିନକୁଦିନ ଆଦିବାସୀଙ୍କ ମଧ୍ୟରେ ଦାରିଦ୍ର୍ୟର ସୀମାରେଖା ତଳେ ମଣିଷ ବଢ଼ି ବଢ଼ି ଚାଲିଛନ୍ତି । ଏଣେ ଆମର ମସ୍ତବଡ଼ ଯୋଜନାମାନ କାର୍ଯ୍ୟକାରୀ ହୋଇଚାଲିଛି । ଏଥିରୁ ଲାଭ ଉଠାଇଥିବା ଲୋକେ ରାଜଧାନୀରେ ତଥା ଅନ୍ୟ ସମୃଦ୍ଧ ସହରରେ କୋଠାବାଡ଼ି ଗଢ଼ୁଛନ୍ତି । ଦରିଦ୍ର ଆଦିବାସୀ ଆଜି ସ୍ୱପ୍ନ ଦେଖିବା ଭୁଲିଯାଇଛି ଯେମିତି । କଳାପ୍ରିୟ ଆଦିବାସୀର କଳାତ୍ମକତା ହଜିଯାଇଛି । ନୃତ୍ୟଗୀତରେ ନିରନ୍ତର ମସଗୁଲ ଆଦିବାସୀ ଜୀବନର ସରସତା ଶୁଖିଯାଇଛି । ଜଙ୍ଗଲ ସରିଛି,ଝରଣା ଶୁଖିଛି,ଆଉ ତା’ସାଙ୍ଗକୁ ଶୁଖିଛି ଆଦିବାସୀ ପ୍ରାଣର ରସବତ୍ତା, ତା’ମୁଖରୁ ଗୀତର ଝର ।
୩) ମାନସିକତାର ବିକୃତି : ଆଦିବାସୀଙ୍କ ମଧ୍ୟରୁ ଯେଉଁ ମୁଷ୍ଟିମେୟ ମଣିଷ କିଛି ସୁଖସୁବିଧା ହାସଲ କରିଛନ୍ତି ଯଥା: ସରକାରୀ ଚାକିରୀ କରିବାର ସୁଯୋଗରେ ବଡ଼ ବଡ଼ ପଦପଦବୀରେ ଅଧିଷ୍ଠିତ ହୋଇଛନ୍ତି ଅଥବା ରାଜନୀତି କ୍ଷେତ୍ରରେ ପାଦ ଥାପି ରାଜନେତା ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଅନେକେ ଆଦିବାସୀ ରୂପେ ଗୌରବ ଅନୁଭବ କରୁନାହାନ୍ତି । ମନେ ହେଉଛି ଉପରେ ଆଲୋଚିତ ଞକ୍ସସଭର ଶବ୍ଦଟି ସେମାନଙ୍କ ମଧ୍ୟରେ ଏକ ଅହେତୁକ ହୀନମନ୍ୟତା ତିଆରି କରୁଛି । କାରଣ ପ୍ରାରମ୍ଭରେ ଏହି ଶବ୍ଦଟି ୟୁରୋପୀୟଙ୍କ ଦ୍ୱାରା ସେହି ଭାବଦ୍ୟୋତକ ଶବ୍ଦ ରୂପେ ବ୍ୟବହୃତ ହୋଇଥିଲା । ଅବଶ୍ୟ ସମ୍ପ୍ରତି ଆମ ସମ୍ବିଧାନ ଅନୁଯାୟୀ ଏକ ସଂସ୍କୃତି ସମ୍ପନ୍ନ ଜନଜାତି ଓ ଆଦିବାସୀ ଏ ଭୂଇଁର ପ୍ରାଚୀନ ମଣିଷଙ୍କ ପାଇଁ ଏଇ ଶବ୍ଦଟିକୁ ଗ୍ରହଣ କରାଯାଇଛି । ଯେଉଁମାନେ ପଦପଦବୀ ଉପଭୋଗ କରୁଛନ୍ତି, ସେମାନେ ଯେ ଏଇ ଗୋଷ୍ଠୀର ବୋଲି ଏଇ ସୁଯୋଗ ପାଇଛନ୍ତି ଏବଂ ଉପରକୁ ଉଠି ପାରିଛନ୍ତି ତାହା ଭୁଲିଗଲେ ହେବନାହିଁ । ଯେଉଁଦିନ ପର୍ଯ୍ୟନ୍ତ ସେମାନେ ଆଦିବାସୀ ବୋଲି ଆତ୍ମଗୌରବ ଅନୁଭବ କରିନାହାନ୍ତି, ସେଦିନ ପର୍ଯ୍ୟନ୍ତ ଉକ୍ତ ଗୋଷ୍ଠୀର ଲୋକେ ଅନୁପ୍ରାଣିତ ହୋଇ ଆପଣାର ଉନ୍ନତିପାଇଁ ଉଦ୍ୟମୀ ହୋଇପାରିବେ ନାହିଁ । ଏପ୍ରକାର ବିକୃତ ମାନସିକତାର କାରଣରୁ ମୂଳ ଆଦିବାସୀ ଗୋଷ୍ଠୀଠାରୁ ସେମାନେ ଧିରେ ଧିରେ ଦୂରେଇ ଯାଉଛନ୍ତି ଏବଂ ଗୋଷ୍ଠୀମଧ୍ୟରେ ହୀନମନ୍ୟତାର ବିଷ ବୁଣି ଦେଇଛନ୍ତି ।
୪) ରୂପାନ୍ତରଣ : ଏହି ପ୍ରକ୍ରିୟାଟି ବହୁ ପୂର୍ବରୁ ଆରମ୍ଭହୋଇଛି । ବହୁ ଆଦିବାସୀ ସର୍ଦ୍ଦାର ଓ ଗୋଷ୍ଠୀ ମୁଖ୍ୟ ସମୟକ୍ରମେ କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ଶାସକ ହୋଇ ରାଜାରୂପେ ପରିଗଣିତ ହୋଇଥିବା ଐତିହାସିକମାନେ କହନ୍ତି । ଆମ ଓଡ଼ିଶାର ବହୁ ଗଡ଼ଜାତ ରାଜା ଏଭଳି ଆଦିବାସୀ ସମ୍ଭୁତ । ଅନେକ ରାଜା ‘ଗଣ୍ଡ’ଗୋଷ୍ଠୀର ରାଜା ହେଲାପରେ ସେମାନେ ମୌଳିକ ରୂପ ବଦଳାଇ ସୂର୍ଯ୍ୟବଂଶୀ, ସମ୍ଭ୍ରାନ୍ତ ଶ୍ରେଣୀ ପ୍ରଜାଗଣ ମଧ୍ୟ ଅନୁରୂପ ଭାବରେ ରୂପାନ୍ତରିତ ହୋଇଛନ୍ତି । ଅନେକେ ପ୍ରତିବେଶୀଙ୍କ ସମ୍ପର୍କରେ ଆସି ପ୍ରଚଳିତ କର୍ଣ୍ଣାଶ୍ରମ ବ୍ୟବସ୍ଥା ଭିତରେ କ୍ଷତ୍ରିୟ ଅବା ଅନ୍ୟଜାତିର ଅନ୍ତର୍ଭୁକ୍ତ ହୋଇଛନ୍ତି । ଅନେକ ଆଦିବାସୀ ଅଣଆଦିବାସୀଙ୍କ ସହ ଦୀର୍ଘକାଳ ନିକଟ ଅବସ୍ଥାନର ପରିଣତିସ୍ୱରୂପ ମୂଳ ଆଦିବାସୀ ସଂସ୍କୃତି ବିସ୍ତୃତ ହୋଇ ନୂଆ ଜାତି ସୃଷ୍ଟି କରିଛନ୍ତି ।
ବ୍ରିଟିଶ ଶାସନକାଳରେ ମିଶ୍ନାରୀ ପ୍ରଭାବରେ ବହୁ ଆଦିବାସୀଙ୍କ ଧର୍ମାନ୍ତରୀକରଣ ଘଟି ଆଦିବାସୀ ମୂଳସ୍ୱରୂପ ପରିତ୍ୟାଗ କରି ଆଧୁନିକ ଶିକ୍ଷାଦୀକ୍ଷା ଗ୍ରହଣ କରି ନୂଆ ଜୀବନଯାପନ କରିଛନ୍ତି । ଆଦିବାସୀ ପର୍ବପର୍ବାଣୀ, ଜାନିଯାତ୍ରା, ପୂଜାପର୍ବ, ପାରମ୍ପରିକ ପ୍ରଥା ଓ ବିଶ୍ୱାସକୁ ପରିତ୍ୟାଗ କରି ନୂଆ ଧାରାରେ ବଞ୍ଚିବା ଫଳରେ ସେମାନଙ୍କର ରୂପାନ୍ତରଣ ଘଟିଛି ।
ସ୍ୱାଧୀନତା ପରବର୍ତ୍ତୀ କାଳରେ ସମ୍ବିଧାନ ଗୃହୀତ ହେଲାପରେ ଆଦିବାସୀଙ୍କୁ ପ୍ରଦତ୍ତ ସାମ୍ବିଧାନିକ ସୁଯୋଗ ସୁବିଧା ଅନୁଯାୟୀ ଧର୍ମାନ୍ତରୀକରଣ ପରେ ମଧ୍ୟ ସେମାନେ ସଂରକ୍ଷଣ ବ୍ୟବସ୍ଥାଦିର ସୁଯୋଗ ଲାଭ କରିଥିଲେ ହେଁ ଆଦିବାସୀର ଲକ୍ଷଣମାନ ବିସ୍ମୃତ ହୋଇଛନ୍ତି ।
୫) ଅନଭ୍ୟସ୍ତ ଜୀବନଜୀବିକା ଓ ତଜ୍ଜନିତ ଅସହାୟତା: କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ବଣପାହାଡ଼ ସମାକୀର୍ଣ୍ଣ ଅଞ୍ଚଳରେ ବହୁ ନଦୀବନ୍ଧ ଯୋଜନା ଗଢ଼ିଉଠିଛି । ଶିଳ୍ପାୟତନମାନ ପ୍ରତିଷ୍ଠିତ ହୋଇଛି । ଏହା ବହୁ ଆଦିବାସୀଙ୍କୁ ବାସ୍ତୁହରା କରିଦେଇଛି । ଭିଟାମାଟି ଛାଡ଼ି ଆଦିବାସୀ ଡହଳ ବିକଳ ଜୀବନ ଭିତରକୁ ଠେଲି ହୋଇଯାଇଛି । ସ୍ଥଳ ବିଶେଷରେ ସରକାର ସେମାନଙ୍କ ଯାହା ପୁନର୍ବସତି ଯୋଗାଇଛନ୍ତି ବୋଲି କହୁଛନ୍ତି, ଅନେକଙ୍କ ପାଖରେ ସମ୍ପୂର୍ଣ୍ଣ ସୁବିଧା ପହଞ୍ଚିପାରିନି ଏବଂ ଯେଉଁମାନଙ୍କ ପାଖରେ ପହଞ୍ଚିଛି ସେମାନେ ଭିଟାମାଟି ଛାଡ଼ି ନୂଆ ଏକ ପରିବେଶରେ ଅନଭ୍ୟସ୍ତ ନୂଆ ଜୀବନଧାରା, ନୂଆ ଜୀବିକା ଅବଲମ୍ବନ କଲାବେଳେ ଅସହାୟତା ଅନୁଭବ କରିଛନ୍ତି । ବଞ୍ଚିବାର ସଂଘର୍ଷରେ କ୍ୱଚିତ ଆଦିବାସୀ ସଫଳକାମ ହୋଇଛନ୍ତି । ଅନେକଙ୍କ ଅବସ୍ଥା ଅତିଶୟ ମହନୀୟ । ଅନ୍ୟର ସୁଖସୁବିଧା ପାଇଁ ସେମାନେ ବଞ୍ଚିବାର ସମ୍ବଳତକ ପର୍ଯ୍ୟନ୍ତ ସର୍ବସ୍ୱ ତ୍ୟାଗ କରିଛନ୍ତି । ଅଭାବ ଅନଟନ ଭିତରେ ଅନେକେ ମରି ହଜି ଯାଇଛନ୍ତି । ସେମାନେ ପାଟି କରିପାରି ନାହାନ୍ତି । ତାଙ୍କର ଉତ୍ତରପୁରୁଷଙ୍କର ମଧ୍ୟ ଅଣ୍ଟା ଭାଙ୍ଗିଯାଇଛି । ଆଦିବାସୀର ଜୀବନ ଯେ ଦୟନୀୟ, ଏଇ ଉପଲବ୍ଧି ନେଇ ସେମାନେ ନାଁକୁ ମାତ୍ର ବଞ୍ଚିଛନ୍ତି ।
ଉପରୋକ୍ତ କାରଣଗୁଡ଼ିକ ଆଦିବାସୀକୁ ତା’ର ଅସ୍ମିତା (identity )ପ୍ରତି ସନ୍ଦିହାନ କରିଦିଏ । ଆଦିବାସୀର ପ୍ରକୃତ ପରିଚୟ ରହିଛି ତା’ର ସଂସ୍କୃତିରେ । ସଂସ୍କୃତିର ଅବକ୍ଷୟ ଆଦିବାସୀର ଅସଲ ସ୍ୱରୂପଟିକୁ ମ୍ଲାନ କରିଦିଏ । କୋରାପୁଟ ଅଞ୍ଚଳରେ ଉନ୍ନୟନ ମାଧ୍ୟମରେ ଆଦିବାସୀକୁ ରାଷ୍ଟ୍ରର ମୁଖ୍ୟ ସ୍ରୋତରେ ସାମିଲ କରିବାର ଉଦ୍ୟମ ପ୍ରଶଂସନୀୟ । କିନ୍ତୁ ଏହାରଅର୍ଥ ନୁହେଁ ଆଦିବାସୀଙ୍କୁ ତାଙ୍କର ସଂସ୍କୃତିକୁ ବିସ୍ତୃତ ହୋଇ ଅଣ ଆଦିବାସୀଙ୍କ ଭଳି ଜୀବନଧାରାକୁ ଆପଣାଇ ନେବ । ଉନ୍ନୟନ ପରିତ୍ୟାଗ କରି ବିଶ୍ୱାସ ଭାବନାକୁ ଜଳାଞ୍ଜଳି ଦେଇପକାଇଲେ ଉନ୍ନତ ହୋଇପଡ଼ିବେ ବୋଲି ଭ୍ରାନ୍ତବିଚାର ପୋଷଣ କରିଥାନ୍ତି । ଆଦିବାସୀ ମୁଖ୍ୟସ୍ରୋତରେ ସାମିଲ ହେବେ ସେମାନଙ୍କର ସଂସ୍କୃତିକୁ ସାଙ୍ଗରେ ନେଇ, ତେବେ ଯାଇ ଭାରତୀୟ ସଂସ୍କୃତିର ମହନୀୟ ମଞ୍ଜୁଳରୂପ ମଞ୍ଜୁଳତର ହୋଇଉଠିବ । ଏ ମାଟିର ପ୍ରଥମ ବାସିନ୍ଦା, ସର୍ବପ୍ରାଚୀନ ବାସିନ୍ଦା ଆଦିବାସୀ । ଏ ମାଟି ଉପରେ ତା’ର ଅଗ୍ରାଧିକାର କିନ୍ତୁ ଅନ୍ୟପାଇଁ ସେ ତ୍ୟାଗ କରିଆସିଛି । ଏଯାଏଁ ସବୁଠିଁ ସର୍ବସ୍ୱାନ୍ତ ହୋଇଛି ଆଦିବାସୀ । ଏପରିକି ତା’ର ଅସ୍ମିତାଟିକକ ସମ୍ପ୍ରତି ସଙ୍କଟାପନ୍ନ । ସେଇତକ ତାଠୁଁ ଛଡ଼ାଇ ନେବାପାଇଁ ଚଉଦିଗରେ ଯେଉଁ ଚାପପଡ଼ୁଛି ତାକୁ ଆଦିବାସୀ ମୁକାବିଲା କରିପାରିବେ ତ?
Comments
0 comments