ଟୋପାଏ ରକ୍ତଭଳି ବହୁସମୟ ଧରି ଦିଗ୍ବଳୟରେ ଝୁଲି ରହିଲା ସୂର୍ଯ୍ୟର ଅବଶିଷ୍ଟ ଏବଂ ତା’ପରେ ସେତକ ବି ଝରିପଡ଼ିଲା । ସେଇ ଜାଗାରେ ଉଜଳି ଉଠିଲା ଅସମ୍ଭବ ଆଭା । ରକ୍ତଭିଜା କପଡ଼ା ଭଳି ଖଣ୍ଡେ ଛିଣ୍ଡା ମେଘ ସେଇଠି ବେଶ୍ କିଛି ସମୟ ପଡ଼ିରହିଲା । ପୂର୍ବ ଦିଗନ୍ତ ଆଡ଼ୁ ଗୁରୁଣ୍ଡି ଗୁରୁଣ୍ଡି ପ୍ରବେଶ କଲା ସଞ୍ଜ । ଧରିତ୍ରୀକୁ ଢାଙ୍କିଦେଲା ଅନ୍ଧାର । ସଞ୍ଜୁଆ ତାରା ଆକାଶରେ ଜଳିଉଠିଲା ଓ ଝଲସିବାକୁ ଲାଗିଲା । ଗୋଟିଏ ଛାଇ ଭଳି ସେଇ ମାଟିଆ ବିଲେଇ ଛପିଛପି ଖଳା ଭିତରକୁ ପଶିଗଲା ।
ଏ ହେଉଛି ବିତାଡ଼ିତ ଓକ୍ଲାହୋମା ଚାଷୀମାନଙ୍କ ପରିତ୍ୟକ୍ତ ଗାଁ ଓ ଚାଷଜମିର ଏକ ବର୍ଣ୍ଣନା………
‘ଶୋନି ଲେଣ୍ଡ୍ ଏଣ୍ଡ୍ କେଟଲ୍ କମ୍ପାନୀ କିଏ?’ ।
ସେ କେହି ନୁହେଁ । ସେ ଗୋଟାଏ କମ୍ପାନୀ । ଲୋକେ ତାକୁ ଖୋଜି ଖୋଜି ଥକିଗଲେ । କିନ୍ତୁ ପାଇଲେ ନାହିଁ ।’
ଦ୍ୱିତୀୟ ବିଶ୍ୱଯୁଦ୍ଧର ଠିକ୍ ୮/୧୦ବର୍ଷ ପୂର୍ବରୁ ଆମେରିକା ତଥା ୟୁରୋପରେ ଘୋଟିଥିଲା ଭୀଷଣ ଆର୍ଥିକ ସଙ୍କୋଚନ । କ୍ରମାଗତ ମରୁଡ଼ିପୀଡ଼ିତ ଆମେରିକାର ଓକ୍ଲାହୋମା ଅଞ୍ଚଳର ଚାଷୀମାନେ ବିହନ ଓ ଚାଷପାଇଁ ବ୍ୟାଙ୍କମାନଙ୍କରୁ ନେଇଥିବା ଋଣ ସୁଝି ନପାରିବାରୁ ବ୍ୟାଙ୍କ ବନ୍ଧା ରଖିଥିବା ଚାଷୀମାନଙ୍କର ସମସ୍ତ ଜମି ବିଭିନ୍ନ କମ୍ପାନୀକୁ ବିକ୍ରି କରିଦେଇଛି । ଲୋକେ ଦୟନୀୟ ସ୍ଥିତିରେ ବର୍ଷାକୁ ଅପେକ୍ଷା କରୁଥିବା ବେଳେ ଏବଂ ଏକ ଧୂଳିଝଡ଼କୁ ସାମ୍ନା କରୁଥିବା ବେଳେ, କମ୍ପାନୀର ଟ୍ରାକ୍ଟର ଓ ବୁଲ୍ଡୋଜରମାନେ ଆସି ଜମି ଦଖଲ କରିବା ଆରମ୍ଭ କରିଛନ୍ତି । ଲୋକେ ପଚାରିଛନ୍ତି ତୁମେ କିଏ? ଆମ ଜମିକୁ ପଶିବାର ସ୍ପର୍ଦ୍ଧା କେମିତି କଲ? ଧଡ଼୍ ଧାଡ଼୍ ବନ୍ଧୁକସବୁ ବାହାରିଆସିଲା । ଆମେ ତୁମକୁ ଗୁଳିକରି ଉଡ଼ାଇଦେବୁ । ଶୀଘ୍ର ଫେରିଯାଅ ।
ତୁମେ ଗୁଳିକଲେ ବି କିଛି ଲାଭ ହେବନାହିଁ । ମୁଁ ସାମାନ୍ୟ ଗୋଟେ ଡ୍ରାଇଭର । ବ୍ୟାଙ୍କ୍ ମୋତେ ପଠେଇଛି । ମୋର ଏ ଜମି ପ୍ରତି କିଛି ବି ମମତା ନାହିଁ । ବ୍ୟାଙ୍କ୍ର ବି ଜମି ପ୍ରୀତି ନାହିଁ । ସେ ଖାଲି ବେପାର ଖାତିର୍ରେ ଏ କାମ କରୁଛି । ମୁଁ ବି ମାସକୁ ୩୦୦ଡଲାର ବିନିମୟରେ ଏ କାମ କରୁଛି । ବ୍ୟାଙ୍କ କିଛି ମଣିଷ ନୁହେଁ । ୫୦ହଜାର ଏକର ବନ୍ଧା ଜମିର ମାଲିକ ସେ । ସେ ରାକ୍ଷସ । ଲୋକେ ଟ୍ରାକ୍ଟର ଡ୍ରାଇଭର ଆଡ଼କୁ ଅନେଇଲେ । ହାତରେ ଗ୍ଲୋଭ୍, ଆଖିରେ ଗଗଲସ୍, ମୁହଁ/ନାକ ଉପରେ ରବର ମୁଖା, ସିଟ୍ ଉପରେ ବସିଥିବା ଗୋଟିଏ ରବଟ୍ । ରାକ୍ଷସ ଅଂଶୀ । ଗୋଟିଏ ପରେ ଗୋଟିଏ ହିଡ଼ ଓ କ୍ଷେତ ଡେଇଁ ଗାରକାଟି ଆଗେଇ ଚାଲିଛି ଟ୍ରାକ୍ଟର । ଯେଉଁ ରାକ୍ଷସ ଏ ଟ୍ରାକ୍ଟର ଗଢ଼ିଛି, ଏଠିକି ପଠେଇଛି, ସେ କେମିତି କେଜାଣି ଡ୍ରାଇଭରର ହାତ, ମସ୍ତିଷ୍କ ଓ ମାଂସପେଶୀ ଭିତରେ ବି ପଶିଯାଇଛି । ତା’ର ଆଖି, ମନ, ଚେତନା, ପ୍ରତିବାଦ ସବୁଥିରେ ଗଗଲସ ଢଙ୍କା ହୋଇ ରହିଛି ।
ଠିକ୍ ଅଛି । କିନ୍ତୁ ଏହା ତ ଆମ ଜମି । ଆମେ ଏହାକୁ ମାପିଛୁ, ତାଡ଼ିଛୁ, ଭାଙ୍ଗିଛୁ । ଏହାରି ଉପରେ ଆମେ ଜନ୍ମନେଇଛୁ, ହତାହତ ହୋଇଛୁ, ମରିଛୁ । ଜମି ଭଲହେଉ କି ଖରାପ, ଏହା ଆମ ଜମି । ହାଡ଼ଭଙ୍ଗା ମିହନତ ଆମେ ଏହାପାଇଁ କରିଛୁ । ତେଣୁ ତ ଏ ଜମି ଆମର ।
ମୁଁ ଦୁଃଖିତ । ଆମେ କିଛି ନୁହଁ । ସବୁକିଛି ସେଇ ରାକ୍ଷସ । ବ୍ୟାଙ୍କ୍ ମଣିଷ ନୁହେଁ, ବ୍ୟାଙ୍କ୍ ରାକ୍ଷସ ।
ଭୁଲ୍ । ପୁରାପୁରି ଭୁଲ୍ । ମଣିଷମାନଙ୍କଠୁ ବ୍ୟାଙ୍କ ଅଲଗା । ବ୍ୟାଙ୍କର ସବୁ ଲୋକ ବ୍ୟାଙ୍କ୍ କାମକୁ ଘୃଣା କରନ୍ତି । ତଥାପି ବ୍ୟାଙ୍କ୍ ତା’କାମ କରିଚାଲେ । ଚାଷୀମାନେ ଚିତ୍କାର କରିଉଠିଲେ । ଆମ ଜେଜେବାପାମାନେ ଏ ଜମି ପାଇବା ପାଇଁ ଭାରତୀୟ (ଲୋହିତ) ମାନଙ୍କୁ ମାରିଥିଲେ । ଆମର ବାପାମାନେ ଏ ଜମି ପାଇଁ ମାରିଥିଲେ କେତେ କେତେ ବିଷଧର ସାପ । ଆମେ ଦରକାର ପଡ଼ିଲେ ବ୍ୟାଙ୍କଙ୍କୁ ଶେଷ କରିଦେବୁ । ସେମାନେ ତ ଲୋହିତ ଭାରତୀୟ ଓ ସାପମାନଙ୍କଠାରୁ ବି ଭୟଙ୍କର, ବାପା ଓ ଜେଜେ ବାପାମାନଙ୍କ ଭଳି ଜମିପାଇଁ ଆମ ଯେକୌଣସି ସଂଗ୍ରାମ ଲାଗି ପ୍ରସ୍ତୁତ ।
ସେଇଠୁ ମାଲିକର ଲୋକ ରାଗିଗଲା । ଏସବୁ ଜମି ବ୍ୟାଙ୍କ୍ର । ବ୍ୟାଙ୍କ୍ ରାକ୍ଷସର । ତୁମେ ଗୁଳି ଚଳାଇଲେ ଆସିବ ସେରିଫ୍ (ପୋଲିସ), ତା’ପରେ ସୈନ୍ୟବାହିନୀ । ତୁମେ ଏଜାଗା ଛାଡ଼ି ଯଦି ଚାଲିନଯାଅ, ତେବେ ଅନ୍ୟର ସମ୍ପତ୍ତି ତୁମେ ଚୋରି କରୁଛ । ଏଠି ରହିବାପାଇଁ ଯଦି ଆମକୁ ମାର, ତେବେ ତୁମେ ହତ୍ୟାକାରୀ । ରାକ୍ଷସ ମଣିଷ ନୁହେଁ । କିନ୍ତୁ ସେ ଯାହା ଚାହେଁ, ମଣିଷମାନେ ତାକୁ କରନ୍ତି ।
ଲୋକେ ପଚାରିଛନ୍ତି, ତେବେ ଆମେ କେଉଁଠିକୁ ଯିବୁ? ଆମେ ଯେ କପର୍ଦ୍ଦକ ଶୂନ୍ୟ । ସେକଥା ବ୍ୟାଙ୍କ ଜାଣିନି । ଯେଉଁଠିକୁ ଯିବ ଯାଅ, କିନ୍ତୁ ଯେଉଁ ଜମି ତୁମର ନୁହେଁ, ବନ୍ଧାପକାଇ ଯାହାକୁ ହାରିଛ, ସେ ଜମିରୁ ତୁମକୁ ଯିବାକୁ ହେବ ।
ଦୀର୍ଘ ୮୦ବର୍ଷ ତଳେ କ୍ରମାଗତ ମରୁଡ଼ି ଫଳରେ ଓକଲାହୋମାର ଚାଷୀ ବ୍ୟାଙ୍କ ପାଖରେ ସର୍ବସ୍ୱ ହାରି ବାହାରି ଯାଇଥିଲା କାଲିଫର୍ଣ୍ଣିଆ । ଦକ୍ଷିଣରୁ ପଶ୍ଚିମ । ଜମିଥିବା ଚାଷୀରୁ କୃଷିଶ୍ରମିକ । ଆଜି କାଲିର ଦାଦନ । ଶହ ଶହ ହଜାର ହଜାର ସଂଖ୍ୟାର ଦାଦନ । ଲକ୍ଷ୍ୟସ୍ଥଳୀ କାଲିଫର୍ଣ୍ଣିଆର ଅଙ୍ଗୁର ଓ କମଳା କ୍ଷେତ । ବିସ୍ଥାପନ ସେତେବେଳେ ଆମେରିକାର ଜାତୀୟ ନାଟକ । ଏହି ନାଟକର ପୃଷ୍ଠଭୂମି-ହଜାର ହଜାର ଏକର ବନ୍ଧା ଜମିକୁ ବ୍ୟାଙ୍କ ମାନେ ଦଖଲ କରିନେବାର ସରକାରୀ ନିଷ୍ପତ୍ତି । ଏହି ନିଷ୍ପତ୍ତିର ଶିକାର ଚାଷୀମାନଙ୍କର ଦାଦନ ଯାତ୍ରା ଚାଲିଛି ବର୍ଷ ବର୍ଷ ଧରି । ତାଙ୍କୁ କୁହାଯାଇଛି – କାଲିଫର୍ଣ୍ଣିଆ ସେମାନଙ୍କର ସ୍ୱପ୍ନଭୂମି । ଏଇ ସ୍ୱପ୍ନଭୂମି ତ ନିଃସନ୍ଦେହରେ ସେମାନଙ୍କୁ ନିରାଶ କରିଛି । ଆଜି ସେମାନେ ଭାଙ୍ଗି ପଡ଼ିନାହାନ୍ତି । ଜାରି ରହିଛି ସେମାନଙ୍କ ଲଢ଼େଇ ଓ ଅବ୍ୟାହତ ରହିଛି ଜୀବନଯାତ୍ରା । ତେଣୁ ଗୋଟିଏ ସ୍ତରରେ ଏହା ଜୋଡ଼୍ ପରିବାରର ସଂଗ୍ରାମୀ କାହାଣୀ ହୋଇଥିଲେ ବି ଅନ୍ୟ ଏକ ସ୍ତରରେ ଏହା ହଜାର ହଜାର ବିତାଡ଼ିତ ଚାଷୀଙ୍କ ବିସ୍ଥାପନ ଓ ଦାଦନ ଯାତ୍ରାର କାହାଣୀ । ପୁଣି ଏକ ତୃତୀୟସ୍ତରରେ ଏହା ଆର୍ଥିକ ସଙ୍କଟଗ୍ରସ୍ତ । ଆମେରିକାର ଜାତୀୟ କାହାଣୀ । ଏହି ଦାଦନ ଯାତ୍ରା ଗୋଟିଏ ପଟେ ଭାରତର ଚିର ପରିଚିତ ଓ ନିୟମିତ ଦାଦନ ଯାତ୍ରା ସହ ତୁଳନୀୟ । ଏ ବିସ୍ଥାପନ ମଧ୍ୟ ଆଜିକାଲିର ଅବିଚାରିତ ବିସ୍ଥାପନ ସହ ତୁଳନୀୟ । ସେଥିପାଇଁ ଏ ବହି ଆଜିକାର ପରିସ୍ଥିତି ମନେହେଉଛି ଏତେ ଆତ୍ମୀୟ, ଏତେ ପ୍ରାସଙ୍ଗିକ ।
୧୪ଶ ଅଧ୍ୟାୟରେ ଜନସ୍ଟେନଵ୍ୟାକ ଲେଖୁଛନ୍ତି:
‘ମଣିଷ କିଏ? ମଣିଷର ନିଶ୍ଚିତ ସୁସ୍ପଷ୍ଟ କର୍ତ୍ତବ୍ୟ ହେଉଛି: ତା’ର ମାଂସପେଶୀ କାମ କରିବାପାଇଁ କଟକଟ ଡାକୁଥିବ । ମନ ସବୁବେଳେ ନୂଆ କିଛି ସର୍ଜନା କରିବାକୁ ଉଚ୍ଚାଟ ହେଉଥିବ । ଗୋଟିଏ ପ୍ରାଚୀର, ଗୋଟିଏ ଘର, ଗୋଟିଏ ନଦୀବନ୍ଧ ତିଆରି ପାଇଁ ଆକୁଳପଣ । ସେଇ ନିର୍ମାଣ ଭିତରେ ମଣିଷର ଛାପ । ମାଂସପେଶୀ ଚାଳନ ଓ ଉତ୍ତୋଳନର କଠିନତା, ସୃଜନଶୀଳ ମାନସର ଅନୁଭାବନାର ରୂପରେଖ । ବିଶ୍ୱର ଯେକୌଣସି ଚଳନଶୀଳ ବା ଜଡ଼ ପଦାର୍ଥର ବିପରୀତରେ ମଣିଷ ଆପଣା କଲା କାମଠାରୁ ବହୁଗୁଣରେ ବଡ଼-ଆପଣା ଭାବନାର ପାହାଚ ଚଢ଼ି ଚଢ଼ି ସେ ଏପରି ଏକ ଶୀର୍ଷରେ ପହଞ୍ଚେ, ଯେଉଁଠୁ ବହୁ ପଛରେ ରହିଯାଇଥାଏ ତା’ର ସମସ୍ତ ନିପୁଣତା ।’ ସୋଭିଏତ ଋଷିଆର ଉପନ୍ୟାସ, ଫରାସୀ କବିତା, ବ୍ରିଟିଶ ନାଟକ ଓ ଜର୍ମାନ ଦର୍ଶନଶାସ୍ତ୍ରକୁ ପୃଥିବୀର ସର୍ବଶ୍ରେଷ୍ଠ ବୋଲି ମାନି ନିଆଯାଏ । ସାହିତ୍ୟ ତଥା ଦର୍ଶନକ୍ଷେତ୍ରରେ ୟୁରୋପର ରେନେସାଁ ଯୁଗରେ ତଥା ତା’ପରେ ପରେ ଯେଉଁ ଉଦ୍ବେଳନ ଆସିଥିଲା, ସେଥିରେ ପୃଥିବୀର ପ୍ରାୟ ପ୍ରତିଟି ଦେଶ ପ୍ଲାବିତ ହୋଇଥିଲେ, ଏପରିକି ଔପନିବେଶିକ ଅନ୍ଧକାରରେ ସଢ଼ୁଥିବା ଏସୀୟ, ଆଫ୍ରିକୀୟ ଏବଂ ଲାଟିନ୍ ଆମେରିକାର ଦେଶମାନେ ବି ଏଥିରୁ ବାଦ୍ ପଡ଼ିନଥିଲେ । ଶିଳ୍ପ ବିପ୍ଳବ ପରେ ପରେ ଯେଉଁ ନୂଆ ବିଭାଗଟିଏ ସାହିତ୍ୟକ୍ଷେତ୍ରରେ ଆବିର୍ଭୂତ ହେଲା ତା’ହେଉଛି ଉପନ୍ୟାସ ବା ଗଦ୍ୟକାବ୍ୟ । କାବ୍ୟ ଭଳି ଏଇ ଉପନ୍ୟାସ ମଧ୍ୟ କ୍ରମେ ବୃହଦାକାୟ ହେବାକୁ ଲାଗିଲା । ଅନ୍ୟପକ୍ଷରେ କାବ୍ୟଭଳି ଅଜସ୍ର କାହାଣୀ, ଲୋକ କଥା ଓ ଲୋକସ୍ମୃତିର ସାର ସଙ୍କଳନ ନହୋଇ, ଏହା ପାଲଟିଗଲା ଯେକୌଣସି ସମାଜର ଜଟିଳ ଲୋକ ଜୀବନର ଏକ ଚଳନ୍ତି ଇତିହାସ । ଏହି କ୍ରମରେ ଯେଉଁସବୁ ବିଶିଷ୍ଟ ଉପନ୍ୟାସ ଆମ ହାତକୁ ଆସିଲା, ସେ ସବୁ ହେଉଛି ଟଲଷ୍ଟୟଙ୍କ ପୁନର୍ଜୀବନ, ଯୁଦ୍ଧ ଓ ଶାନ୍ତି, ଦସ୍ତଭସ୍କିଙ୍କ ପାପ ଓ ପ୍ରାୟଶ୍ଚିତ, କାରାମାଜୋଭ ବ୍ରଦର୍ସ, ମାକ୍ସିମ୍ ଗର୍କିଙ୍କ ମାଆ, ସେ ତିନିଜଣ, ସୋଲକଭଙ୍କ ଡନ୍ ବହେ ଧିରେ, ଚାର୍ଲସ ଡିକେନ୍ସ ‘ଦୁଇ ନଗରୀର କାହାଣୀ, ଟମାସ୍ ହାର୍ଡ଼ିଙ୍କ କାଷ୍ଟରବ୍ରିଜର ମେୟର’, ଭିକ୍ଟର ହୁ୍ୟଗୋଙ୍କ ଲେଜ୍ ମିଜରେବଲ୍, ଜେନ୍ ଅଷ୍ଟିଙ୍କ ପ୍ରାଇଡ଼୍ ଏଣ୍ଡ ପ୍ରିଜୁଡ଼ିସ୍ ଏବଂ ଆହୁରି ଅନେକ ଅନେକ କୃତୀ । ତେବେ ଏ କ୍ଷେତ୍ରରେ ଆମେରିକାର ଲେଖକମାନେ ଯେ ପଛରେ ପଡ଼ିନାହାନ୍ତି ଏବଂ ଚମକ୍ରାରିତାର ଚରମ ସୋପାନରେ ମଧ୍ୟ ସେମାନେ ପହଞ୍ଚିପାରନ୍ତି, ଏହାର ପ୍ରମାଣ ଦେଲେ ମାଡ଼ାମ୍ ବିଚାର ଷ୍ଟୋ (ଟମ୍ କକାଙ୍କ କୁଟୀର), ମାର୍କଟ୍ୱେନ୍ (ହକଲବେରୀ ଫିନ୍ର ଦୁଃସାହସୀ ଅଭିଯାନ), ମାର୍କଜଫା (ଶହେ ବର୍ଷର ନିର୍ଜନତା) ଏବଂ ଜନ୍ ଷ୍ଟେନ୍ବେକ୍ (କ୍ରୋଧର ଅଙ୍ଗୁର)ଇତ୍ୟାଦି । ଏସବୁ ପୁସ୍ତକ କ୍ଲାସିକ୍ ସ୍ତରକୁ ଉତ୍ତୀର୍ଣ୍ଣ ହେବାର ଯୋଗ୍ୟତା ଅର୍ଜନ କରିପାରିଛି ।
ଜଣେ ଭଲପାଠକର ଜୀବନର ଅଗ୍ରଗତି ତଥା ପରିବର୍ତ୍ତନଶୀଳ ସମାଜର ଅର୍ଥନୈତିକ ଲୋକ-ଜୀବନର ଅଗ୍ରଗତି ସଙ୍ଗେ ସଙ୍ଗେ ସେ ପଢିଥିବା ବା ପଢ଼ୁଥିବା ବହିମାନଙ୍କ ମଧ୍ୟରୁ କେଉଁଟା କେତେବେଳେ ସର୍ବଶ୍ରେଷ୍ଠ ମନେ ହେବ, ତାହା ନିର୍ଭରକରେ ସେଇ ନିର୍ଦ୍ଦିଷ୍ଟ ସମୟଖଣ୍ଡ ଉପରେ । ସେଇ ନିର୍ଦ୍ଦିଷ୍ଟ ସମୟଖଣ୍ଡର ହୃଦସ୍ପନ୍ଦନ ସହ ମିଶିଯାଇ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଜୀବନଯାତ୍ରା- ତା’ର ଲକ୍ଷ୍ୟସାଧନ, ଅଭୀଷ୍ଟ ସିଦ୍ଧି, ଅଭିଳାଷ, ଚେତନା ଓ ଅନୁଭାବନା ନିର୍ଣ୍ଣୟ କରେ କେଉଁଟା ସର୍ବଶ୍ରେଷ୍ଠ ।
ପାଠକୀୟଜୀବନର ଆରମ୍ଭ ସମୟରେ ପ୍ରତିବ୍ୟକ୍ତି ହାତକୁ ଅଚାନକ କିଛି ଭଲ ବା ଖରାପ ବହି ଆସିଯାଏ । ସେଠି ବ୍ୟକ୍ତିମଣିଷର କିଛି କରିବାର ନଥାଏ । କିନ୍ତୁ କ୍ରମେ ସେ ଯେତେବେଳେ ଭଲ ଓ ମନ୍ଦ ଭିତରେ ଫରକ ବାରିପାରେ ଏବଂ କେବଳ ନିର୍ବାଚିତ ବହିପଢ଼ାରେ ସମୟ ବିତାଏ, ସେତେବେଳେ ଜୀବନର ବିଭିନ୍ନ ପର୍ଯ୍ୟାୟରେ ତାକୁ ବିଭିନ୍ନ ବହି ପ୍ରଭାବିତ କରିଥାଏ । ସେଭଳି ବହିମାନଙ୍କର ମଧ୍ୟ ତିନିପ୍ରକାରର ଭେଦ ରହିଛି । ଭଲ ବହି, ଖରାପ ବହି ଓ ମଧ୍ୟବିତ୍ତ (Mediocre) ବହି । ଅଧିକାଂଶ କ୍ଲାସିକ୍ ହେଉଛି ପ୍ରାୟତଃ ଭଲ ବହି । ତାହା ସମସାମୟିକ ହୋଇପାରେ କିମ୍ବା ହୋଇପାରେ କାଳୋତ୍ତୀର୍ଣ୍ଣ । ଖରାପ ବହି ସବୁକୁ ଆରମ୍ଭରୁ ହିଁ ଜାଣିହୁଏ । ତେଣୁ ପ୍ରତ୍ୟାଖ୍ୟାନ ମଧ୍ୟ କରିହୁଏ । କିନ୍ତୁ, ମଧ୍ୟବିତ୍ତ ବହି ଭଲବହିର ଭ୍ରମ ଜନ୍ମାଏ । ଏହାର ଶୈଳୀ, ବିଷୟବସ୍ତୁ, ସାହିତ୍ୟିକ ନିର୍ମାଣ ନିପୁଣତା ଏମିତି ଭେଳିକି ଲଗେଇଦିଏ ଯେ, ମନେହୁଏ ତାହା ଖୁବ୍ ଭଲ ବହି । ଶେଷକୁ ବହୁ ସମୟରେ ସର୍ବାଧିକ ବିକ୍ରି ବହିର ସମ୍ମାନ ମଧ୍ୟ ପାଏ । କିନ୍ତୁ, ଅସଲରେ ଏହା ଅତ୍ୟନ୍ତ ବିପଜ୍ଜନକ । ଭିତରୁ ଭିତରୁ ପାଠକର ଆତ୍ମାକୁ ଏହା ଉଜାଡ଼ି ଦିଏ । ଅନ୍ଧକାରକୁ ଏତେ ଉଚ୍ଚରେ ଅଧିଷ୍ଠିତ କରିଦିଏ ଯେ ମଣିଷର ଦୃଢ଼ତା, ଆଶାବାଦ ଓ ସର୍ଜନଶୀଳତା ତା’ଆଗରେ ତୁଚ୍ଛ ହୋଇଯାଏ । ମନେହୁଏ ଜୀବନ ଓ ସଂଗ୍ରାମଠାରୁ ବହୁ ଶକ୍ତିଶାଳୀ କିଛି ଅଲୌକିକ ଶକ୍ତି ଏ ବିଶ୍ୱରେ ରହିଛି, ଯାହା ଭାଗ୍ୟ ହୋଇପାରେ କି ହୋଇପାରେ ଦେବତା, ପ୍ରେତ ବା ଡୁମ ହୋଇପାରେ କି ହୋଇପାରେ ଅର୍ଥପୁଞ୍ଜ, ରାଷ୍ଟ୍ର ହୋଇପାରେ କି ହୋଇପାରେ ଗୋଷ୍ଠୀ ବା ସମ୍ପ୍ରଦାୟ । ସୁତରାଂ, ମୁଣ୍ଡ ନତ କରିଦିଏ ଖାଲି ମାନିଚାଲ । ବିଦ୍ରୋହ କରନାହିଁ କି ପ୍ରତିବାଦ କରନାହିଁ, ନିହାତି ନପାରିଲେ ଆତ୍ମହତ୍ୟା କର, ସେଥିରେ ବି ଗୌରବ ଅଛି ।
କିନ୍ତୁ ଭଲ ବହି ଆମକୁ ଜୀବନ ଓ ସଂଗ୍ରାମର ମନ୍ତ୍ର ଶିଖାଏ । ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ମଣିଷ, ମଣିଷ ପଣରେ ଅଟଳ ରହିବ ଯେ ସର୍ବଶ୍ରେଷ୍ଠ ସତ୍ୟ, ଏକଥା ସେ ଘୋଷଣା କରେ । ସର୍ଭେଣ୍ଟିସଙ୍କ ଡନ କ୍ୱିକସୋଟ ସୁନ୍ଦରଭାବେ ଏକଥା ଘୋଷଣା କରିବା ସହ ମଧ୍ୟବିତ୍ତ ବା ମିଡ଼ିୟକର୍ ବହିମାନଙ୍କୁ ବିପଦ ଜନକ ଘୋଷଣା କରି ସେ ସବୁଠାରୁ ଦୂରେଇ ରହିବା ଲାଗି ସବୁ ପାଠକଙ୍କୁ ସତର୍କ କରାଇଦେଇଛି ।
ଏଇଥିପାଇଁ ବୋଧେ ମାକ୍ସିମ୍ ଗର୍କି ଡଷ୍ଟଭେସ୍କିଙ୍କୁ କହିଥିଲେ ‘ହେ, ଲେଖକ ଶ୍ରେଷ୍ଠ, ସଂସାରରେ ଏତେ ଭଲ ଭଲକଥା ଥାଉଁ ଥାଉଁ ତୁମେ ଅନ୍ଧକାରର ଜୟଗାନ କାହିଁକି କରିଛ, ଜୀବନରେ ଅନ୍ଧକାର କ’ଣ ଏକମାତ୍ର ସତ?’ ମୋ ନିଜକ୍ଷେତ୍ରରେ ମୁଁ ଦେଖିଛି, କିଶୋର ବୟସରେ ତାଙ୍କ ‘କ୍ରାଇମ୍ ଏଣ୍ଡ୍ ପନିସ୍ମେଣ୍ଟ’ ପଢ଼ିସାରିବା ପରେ ଛଅ/ସାତଦିନ ଧରି ଶୋଇପାରିନି । ଖାଲି ଭାବିଚାଲିଛି ଜୀବନ କ’ଣ ଏତେ ଅସୁନ୍ଦର? ଜୀବନର ଅବସାନ କ’ଣ ମୁକ୍ତିର ଏକମାତ୍ର ବାଟ?
ଏତିକିବେଳେ ମୋତେ ରକ୍ଷା କରିଦେଇଛି ଗର୍କିଙ୍କ ମା, ଅଷ୍ଟ୍ରୋଭସ୍କିଙ୍କ ଇସ୍ପାତ, ହଜାରୀପ୍ରସାଦଙ୍କ ବାଣଭଟ୍ଟର ଆତ୍ମକଥା, ମାୟୋକଭସ୍କିଙ୍କ କବିତା ଏବଂ ଫଣୀଶ୍ୱରନାଥ ରେଣୁଙ୍କ ଧୂସରପଣତ । ମୋତେ ରକ୍ଷା କରିଦେଇଛି ପ୍ରେମଚାନ୍ଦଙ୍କ ଗୋଦାନ ଓ ପ୍ରେମାଶ୍ରମ, ଟଲଷ୍ଟୟଙ୍କ ପୁନର୍ଜୀବନ, ଚେକଭଙ୍କ ଗପ, ଗୋପୀମହାନ୍ତିଙ୍କ ପରଜା ଓ ଅମୃତର ସନ୍ତାନ, କାଳିନ୍ଦୀବାବୁଙ୍କ ମାଟିର ମଣିଷ ଓ କାହ୍ନୁ ବାବୁଙ୍କ ଶାସ୍ତି ।
ସେ ଥିଲା ମୋର ଆଦ୍ୟ ପାଠକ ଜୀବନ । ପରୀକ୍ଷା ହଲ୍କୁ ଯିବାର ପୂର୍ବଦିନ ବି ବହି ପଢ଼ା ଚାଲିଥିଲା, କିନ୍ତୁ ଭଲବହି ଠାରୁ ମିଡ଼ିୟକର୍ ବହିକୁ ଅଲଗା କରିବା ଭାରି କଷ୍ଟସାଧ୍ୟ ଥିଲା । ଭାଗ୍ୟବାଦ, ଆଧ୍ୟାତ୍ମବାଦ, ପ୍ରେତଲୋକ, ଯୌନଭିତ୍ତିକ ଆନନ୍ଦବାଦ, ସାମ୍ରାଜ୍ୟବାଦର ପ୍ରଶସ୍ତି ଥିବା ପୁସ୍ତକମାନଙ୍କର ସଂଖ୍ୟା ବଜାରରେ ନବେ ଭାଗରୁ ଊଦ୍ଧ୍ୱର୍ ଥିବାବେଳେ ଏସବୁରୁ ନିସ୍ତାର ପାଇବାପାଇଁ ସବୁଠାରୁ ଜରୁରୀ ହେଉଛି ଜଣେ ପାଠକର ବୋଧ ଓ ବିଚାରଶକ୍ତି । ସୂଅ ମୁହଁରେ ପତର ନ ପାଲଟି ସେ ନିର୍ବାଚନ କରିବା ଦରକାର କ’ଣ ପଢ଼ିବ ବା ନ ପଢ଼ିବ । ସେଇ ସମୟରେ ମୋର ଦର୍ଶନଶାସ୍ତ୍ର ଅଧ୍ୟୟନ ନିଷ୍ପତ୍ତି ମୋତେ ମୌଳିକ ଜ୍ଞାନର ଅବଧାରଣା ଓ ବିଚାରସ୍ତରରେ ବେଶ୍ କିଛି ସ୍ପଷ୍ଟତା ଆଣିଦେଲା । ବସ୍ତୁବାଦ ବନାମ ଆଧ୍ୟାତ୍ମବାଦ, ସାମ୍ୟବାଦ ବନାମ ପୁଞ୍ଜିବାଦ, ବୁଦ୍ଧ ବନାମ ଶଙ୍କରାଚାର୍ଯ୍ୟ, ବର୍ଟାଣ୍ଡ୍ ରସେଲ୍ ବନାମ ୱିଟ ଜେନ୍ ଷ୍ଟାଇନ , ହେଗେଲ୍ ବନାମ ମାର୍କ୍ସ- ଅବଧାରଣା ଜଗତର ମୌଳିକ ଚିନ୍ତାଧାରା ସହ ଏଇସବୁ ପରିଚିତି ସଙ୍ଗେ ସଙ୍ଗେ ନିଜସ୍ୱ ଜୀବନରେ ଗୋଟିଏ ଲକ୍ଷ୍ୟ ଧାର୍ଯ୍ୟ କରିବା ଓ ସେଥିପାଇଁ ନିଜକୁ ବିନିଯୋଗ କରିବାର ନିଷ୍ପତ୍ତି ନେବା, ମୋତେ ଉପଯୁକ୍ତ ବହି ନିର୍ବାଚନ କରି ନିର୍ଦ୍ଦିଷ୍ଟ ସମୟଖଣ୍ଡରେ ନିର୍ଦ୍ଦିଷ୍ଟ ବହିର ଗୁରୁତ୍ୱ ଉପଲବ୍ଧ କରିବା ଦିଗରେ ବେଶ୍ ସାହାଯ୍ୟ କଲା ।
୧୯୯୨ରୁ ୨୦୧୨-
ଏଇ କୋଡ଼ିଏ ବର୍ଷର ସମୟଖଣ୍ଡ ହେଉଛି ଭାରତରେ ଜଗତୀକରଣ ଓ ଉଦାରୀକରଣ ପ୍ରବର୍ତ୍ତନର ସମୟ । ପରେ ପରେ ବିଭିନ୍ନ ଆନୁଷଙ୍ଗିକ ଅର୍ଥନୈତିକ ପରାଧୀନତାକୁ ଗର୍ବ ଓ ଗୌରବ ସହକାରେ ଗ୍ରହଣ କରିନେବା ହୋଇଛି ଆମ ଶାସକ ଶ୍ରେଣୀର ଏକମାତ୍ର କର୍ତ୍ତବ୍ୟ । ସମସ୍ତ ସରକାରୀ ତଥା ନବରତ୍ନ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ହେଉ କି ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜି ବିନିଯୋଗ ହେଉ, ବଡ଼ ବଡ଼ ପ୍ରକଳ୍ପ ବା ଖଣିଖାଦାନ ପାଇଁ ଜମି ଅଧିଗ୍ରହଣ ହେଉ କି ନୂଆ ଜଙ୍ଗଲ ଆଇନବଳରେ ଆଦିବାସୀମାନଙ୍କୁ ବେଘର କରିବା ହେଉ, ଏମାନଙ୍କର ଲକ୍ଷ୍ୟ ପାଲଟିଯାଇଛି ଜାତୀୟ ନାଟକର ମଧ୍ୟଷ୍ଟେଜ୍ରୁ ସାଧାରଣ ଶ୍ରମଜୀବୀ ଓ ବୁଦ୍ଧିଜୀବୀମାନଙ୍କୁ ବିତାଡ଼ିତ କରି ସାମନ୍ତବାଦୀ ଓ ବଡ଼ ପୁଞ୍ଜିପତିମାନଙ୍କୁ ପ୍ରତିଷ୍ଠିତ କରିବା । ସେ ଯେକୌଣସି ରାଜନୈତିକ ପାର୍ଟିର ହେଉ ନା କାହିଁକି- ବିତାଡ଼ନ ଓ ବିସ୍ଥାପନର ଧ୍ୱଜା ଉଡ଼ାଇ ନପାରିଲେ ସେ ଆମର ଶାସନଡୋର ଯେପରିକି ଧରି ହିଁ ପାରିବ ନାହିଁ । ସବୁଠାରୁ ବଡ଼ ଦୃଷ୍ଟାନ୍ତ ମମତା ବାନାର୍ଜୀ । ଯେଉଁ ସିଙ୍ଗୁର ବା ନନ୍ଦିଗ୍ରାମ ପାଇଁ ସେ ଆଜି ମଧ୍ୟ ଷ୍ଟେଜ୍ର ଅଭିନେତ୍ରୀ ହୋଇପାରିଛନ୍ତି ସେଇ ବିସ୍ଥାପନ ବିରୋଧୀତତ୍ତ୍ୱ ଓ ବାହାସ୍ଫୋଟ ଆଜି କୁଆଡ଼େ ଗଲା? ତେଣୁ ଆମ ରାଷ୍ଟ୍ରର ଧର୍ମ ସତେ ଯେପରି ବିତାଡ଼ନ ଓ ବିସ୍ଥାପନ । ସେଥିପାଇଁ ଲକ୍ଷକୋଟି ଜନସାଧାରଣଙ୍କ ଅବାରିତ ଦାଦନଯାତ୍ରା ଅବଧାରିତ ହୋଇଯାଇଛି । ଦେଶ ତମାମ- ଏପରିକି ଦେଶରୁ ବିଦେଶ? କି ଦୟନୀୟ ପରିସ୍ଥିତିରେ ଦିନ କାଟୁଛନ୍ତି ଭୋକିଲା ଶ୍ରମଜୀବୀ ଜନସମୁଦାୟ? ହେଲେ ଆମ ଲେଖକମାନଙ୍କର ଏଥିପ୍ରତି ଧ୍ୟାନ କାହିଁ? କାହିଁ ନିଘା?
ଅଥଚ ଜନ୍ ଷ୍ଟେନ୍ବେକ୍ ଆମେରିକାର ଗ୍ରେଟ୍ ଡିପ୍ରେସନ୍ ବା ଭୟାନକ ଅର୍ଥ ସଙ୍କୋଚନ ସମୟରେ ସାତ /ଆଠବର୍ଷ ଧରି କାଲିଫର୍ଣ୍ଣିଆର ବିସ୍ଥାପିତ ଶ୍ରମିକ ଶିବିରଠାରୁ ଆରମ୍ଭ କରି ଓକ୍ଲାହମ୍ର ପରିତ୍ୟକ୍ତ ଶସ୍ୟକ୍ଷେତ୍ର ପର୍ଯ୍ୟନ୍ତ ସବୁଆଡ଼େ ବାରମ୍ବାର ପରିଭ୍ରମଣ କରି ବହିଖଣ୍ଡେ ଲେଖିବା ପାଇଁ ପୀଡ଼ିତମାନଙ୍କ ସହ ମିଶିଛନ୍ତି, ଆଳାପ କରିଛନ୍ତି, ସାଙ୍ଗରେ ଖାଇଛନ୍ତି, ରହିଛନ୍ତି, ପ୍ରତିବାଦ କରିଛନ୍ତି ଏବଂ ପ୍ରସ୍ତୁତି ପୂର୍ବରୁ ପ୍ରଚୁର ଲେଖା ବି ଲେଖିଛନ୍ତି । ବିଭିନ୍ନ ପ୍ରକାରର ଲେଖା । ୧୯୩୮ରୁ ୪୪;ଦୀର୍ଘ ଛଅବର୍ଷରେ ବିଭିନ୍ନ ଶିବିରରେ ଘଟୁଥିବା ହୃଦୟବିଦାରକ ଘଟଣାର ବର୍ଣ୍ଣନା ସେ ବିଭିନ୍ନ ପତ୍ରପତ୍ରିକାରେ ଲେଖୁଥିଲେ । ‘ତିନି ସପ୍ତାହର ଅବିରତ ବର୍ଷାପରେ ତମ୍ବୁ ଭିତରେ ଆଣ୍ଠୁଏ ପାଣିରେ ରହୁଥିବା ପିଲାମାନଙ୍କ ଅବସ୍ଥା କହିଲେ ନସରେ । ବିନା ଖାଦ୍ୟ ଓ ବିନା ଅଗ୍ନିରେ ସେମାନେ ଖଟଉପରେ ପଡ଼ିରହିଥାନ୍ତି । ସ୍ୱାସ୍ଥ୍ୟ ସମସ୍ୟାର ସମାଧାନପାଇଁ ସରକାର ବଢ଼ିଆ ପଦକ୍ଷେପ ନେଇଛନ୍ତି- ଏତେ ଅଳ୍ପ ନର୍ସ କ’ଣ ବା କରିପାରିବେ କହି ସମସ୍ତଙ୍କୁ ଫେରାଇ ନେଇଛନ୍ତି ।’ କିନ୍ତୁ ଷ୍ଟେନ୍ବେକ୍ ଆଂଠୁଏ ଏ ପାଣିକାଦୁଅରେ ଏମାନଙ୍କ ମଧ୍ୟରେ ରିଲିଫ୍ କାମ କରିଛନ୍ତି । ଧିରେ ଧିରେ ସେ ବୁଝିଛନ୍ତି ଯେ, ଜମିହରା ବିସ୍ଥାପିତମାନଙ୍କ ଜମି ଆକାଂକ୍ଷା ଏ ସମସ୍ୟାର ମୁଖ୍ୟ କାରଣ ନୁହେଁ, ମୁଖ୍ୟ କାରଣ ହେଉଛି ପୁଞ୍ଜିବାଦୀମାନଙ୍କ ଲୋଭ ଓ ଲାଭ ପିପାସା । ସୁତରାଂ, ବସ୍ତୁନିଷ୍ଠ ରିପୋର୍ଟିଂ ମଧ୍ୟ ଅର୍ଥହୀନ ।
ଏଭଳି ବହୁ କେସ୍ ଅଧ୍ୟୟନ, ଦାଦନମାନଙ୍କ ଦୁର୍ଦ୍ଦଶାର ଅନୁଭବ, ଅସାମର୍ଥ୍ୟ, ଗିରଫଦାରୀ ଓ ମୃତୁ୍ୟର ବିବରଣୀ ତାଙ୍କୁ ପ୍ରଥମେ ‘ସନ୍ଦିଗ୍ଧ ସମର’ ବୋଲି ଗୋଟିଏ ଉପନ୍ୟାସ ଲେଖିବାର ପ୍ରେରଣା ଦେଇଛି । ପରେ ପରେ ସେ ଲେଖିଛନ୍ତି ‘ମୂଷା ଓ ମଣିଷମାନେ’, ‘ଏଲ୍ ଏଫାୟରସ୍’ ଓ ‘କାର୍ଯ୍ୟ ପୁସ୍ତିକା’ । ଏହି ବିଷୟରେ ତାଙ୍କର ଆଉ ଦୁଇଟି ପ୍ରବନ୍ଧ ସଙ୍କଳନ ହେଉଛି ‘ଦା ଆକ୍ଲାହମାନ୍ସ’ ଏବଂ ‘ଦା ହାରଭେଷ୍ଟ ଜିପ୍ସିସ୍’ । ସବାଶେଷରେ ସେ ହାତଦେଇଛନ୍ତି Grapes of Wrath ବା ‘କ୍ରୋଧର ଅଙ୍ଗୁର’ରେ । ଏହା ତାଙ୍କର ସର୍ବୋଚ୍ଚ ଓ ସର୍ବୋନ୍ନତ ଆତ୍ମିକ ପରିପ୍ରକାଶ । କୌଣସି ମାର୍କ୍ସବାଦୀ ଅର୍ଥନୈତିକ ଧାରଣାଦ୍ୱାରା ପ୍ରଭାବିତ ହୋଇ ସେ ଏହା ଲେଖିନଥିଲେ । ତାଙ୍କର ବିଚାରଧାରା ଥିଲା ଅଭିଜ୍ଞତା -ପ୍ରସୂତ ଓ ମାନବବାଦୀ । ହେଲେ ଗଣତାନ୍ତ୍ରିକ ଧାରାରେ ସମସ୍ତ ଉପାୟ ବିଫଳ ହେବାରୁ ହତାଶା ଓ ନପୁଂସକତାର ଜ୍ୱାଳାରେ ତାଙ୍କ ଆତ୍ମା ସନ୍ତୁଳିତ ହେବାରେ ଲାଗିଲା । ୧୯୫୨ବେଳକୁ ସେ ପ୍ରାୟ ୫/୬ଖଣ୍ଡ ବହି ଲେଖି ସାରିଲେଣି ଏବଂ ତାଙ୍କୁ କ୍ରୋଧ ଗ୍ରାସ କଲାଣି । ସେଇମାନଙ୍କ ବିରୋଧରେ କ୍ରୋଧ, ଯେଉଁମାନେ ନିୟମିତ ଅନ୍ୟାୟକରି ଦଣ୍ଡ ପାଉନାହାନ୍ତି । ତେଣୁ ସେ ଘୋଷଣା କରିଛନ୍ତି ‘କ୍ଷୁଧିତମାନେ ଖାଦ୍ୟ ପାଇଁ ଯେଉଁଠି ବି ଲଢ଼େଇ କରିବେ, ମୁଁ ସେଠି ଥିବି । ଯେଉଁଠି ବି ପୋଲିସ ଜଣେ ପୀଡ଼ିତକୁ ମାଡ଼ ଦେଉଥିବ, ମୁଁ ସେଠି ଥିବି । ସେମାନଙ୍କର ହସଖୁସି, ଖାଦ୍ୟପ୍ରାପ୍ତିର ଆନନ୍ଦ ଓ ପାଗଳାମୀ ସବୁଠି ମୁଁ ଥିବି ।’ (ଅଧ୍ୟାୟ-୨୮, ଝମ୍ ଜୋଡ଼୍)
ନିଜ ଚରିତ୍ରମାନଙ୍କ ସହ ଏଇ ଏକାତ୍ମତା ‘କ୍ରୋଧର ଅଙ୍ଗୁର’କୁ କ୍ରମେ ଏତେ ବିରାଟ କରିଦେଲା ଯେ ଏବଂ ସାରାପୃଥିବୀରେ ଶତ୍ରୁତାକୁ ସାମ୍ନା କରି ଗୋଟିଏ ଲୋକଗୋଷ୍ଠୀ ତିଷ୍ଠି ରହିବାର ସ୍ପର୍ଦ୍ଧାକୁ ଏତେ ଉଚ୍ଚତା ଦେଲା ଯେ ଏହା ପ୍ରଥମେ ପୁଲିତଜର୍ ଓ ପରେ ୧୯୬୨ରେ ନୋବେଲ ପୁରସ୍କାର ଅର୍ଜନ କରିପାରିଲା । କୁହାଯାଏ ଅସ୍ତିତ୍ୱବାଦୀମାନଙ୍କ ଉପନ୍ୟାସରେ ପ୍ରକୃତି ନଥାଏ । ପିଲାମାନେ ନଥାନ୍ତି । ଜୀବଜନ୍ତୁମାନଙ୍କର ବି ସେଠାରେ ଘୋର ଅଭାବ । କିନ୍ତୁ ଷ୍ଟେନ୍ବେକଙ୍କ ‘କ୍ରୋଧର ଅଙ୍ଗୁର’ରେ ଆରମ୍ଭରୁ ଶେଷ ଯାଏଁ ପ୍ରକୃତି, ବିଭିନ୍ନ ବୟସର ଶିଶୁ, କଇଁଚ, ବିଲେଇ, ଘୁଷୁରୀ- ସମସ୍ତେ ଭରପୁର । କାରଣ ଏମାନଙ୍କୁ ନେଇ ତ ଚାଷୀର ପରିବାର- ଚାଷୀର ଜୀବନ । ଉପନ୍ୟାସ ଆରମ୍ଭରେ ମରୁଡ଼ି ଓ ଧୂଳିଝଡ଼ର ବର୍ଣ୍ଣନା । ଧିରେ ଧିରେ ବିଷୟବସ୍ତୁ ଆଗେଇ ଚାଲିଛି- ଜଣେ ଜେଲ୍ ଫେରନ୍ତା ଚାଷୀ ଯୁବକ ଓ ଧର୍ମଛଡ଼ା ନବ୍ୟ ଭାବନା ଅନୁଗାମୀ ପାଦ୍ରୀ- କାସେ ଓ ଟମ୍ଜୋଡ଼୍ ମଟମ୍ ନିଜ ଗାଁରେ ପହଁଚି ଦେଖିଛି ସେଠି କେହି ନାହାନ୍ତି । ପରିତ୍ୟକ୍ତ ବାସଭୂମି । ବିତାଡ଼ିତ ଜନତା । ସେଠିକା ଜମି, ଜାଗା, ଘରଦ୍ୱାର କିଛି ଆଉ ସେମାନଙ୍କର ନୁହେଁ । ସେଠାରେ ସେମାନେ କେବଳ ଅନ୍ୟର ଜମିରେ ଅବାନ୍ତର ଆଗନ୍ତୁକ (Tresspasser) । ସର୍ବଶେଷରେ ଟମ୍ ଖୋଜିପାଇଛି ନିଜର ପରିବାର । ପରିବାର ବସି ସିଦ୍ଧାନ୍ତ କରିଛି ଅନ୍ୟମାନଙ୍କ ଭଳି ବରିନେବ ଦାଦନଯାତ୍ରା । ପରେ ପରେ ଆରମ୍ଭ ହୋଇଯାଇଛି ହଜାର ହଜାର ଭିଟାହରାଙ୍କର ଦୀର୍ଘଦିନର ଯାତ୍ରା- ସ୍ୱପ୍ନର ଦେଶ, ମୁକ୍ତିର ଦେଶ-କାଲିଫର୍ଣ୍ଣିଆ ଅଭିମୁଖେ । ତା’ର ମୂଳ ଭିତ୍ତି ହେଉଛି ସେଠାକାର ବଡ଼ ଫାର୍ମ ମାଲିକମାନଙ୍କର ‘ଏଠାରେ କାମ ମିଳୁଥିବାର’ ବିଜ୍ଞାପନ- ହେଣ୍ଡ୍ବିଲ୍ । ଠିକ୍ ଯେମିତି ମାଲକାନଗିରିର ଶରଣାର୍ଥୀମାନେ ୧୯୭୭ରେ ଜଣେ ମନ୍ତ୍ରୀଙ୍କ ପ୍ରତିଶ୍ରୁତିରେ ବିଶ୍ୱାସ କରି ଚେଷ୍ଟା କରିଥିଲେ ଆଉ ଗୋଟିଏ ସ୍ୱପ୍ନଭୂମି- ମରୀଚଝାମ୍ପିକୁ ଯିବାପାଇଁ । କିଏ କେଉଁ ବାଟରେ ଗଲା ତା’ର ଠିକଣା ରହିଲା ନାହିଁ । କିଏ ଚାଲି ଚାଲି ବିଶାଖାପାଟଣା ଯାଇ ଟ୍ରେନ୍ଧରିଲା, ତ କିଏ ରାଜମହେନ୍ଦ୍ରୀରୁ । ପାଣି ମୂଲ୍ୟରେ ବିକ୍ରି ହୋଇଗଲା ବିସ୍ଥାପିତ ବଙ୍ଗଳୀ କୃଷକର ପୁନର୍ବସତିପ୍ରାପ୍ତ ଜମିଜାଗା, ଗାଈଗୋରୁ, ବଗିଚା-ବାଡ଼ି, କିନ୍ତୁ ମରୀଚଝାମ୍ପି ସେମାନଙ୍କୁ ବିଶ୍ୱାସଘାତ କଲା । ସେଠା ସରକାର ଚଳେଇଲେ ନାହିଁ ନଥିବା ଦମନଲୀଳା । ବାଧ୍ୟହୋଇ ପୁଣି ସମସ୍ତେ ଫେରିଲେ । ମାଲକାନଗିରିରେ ପୁଣିଥରେ ଫେରିପାଇଲେ ନିଜର ଜମି, ଜାଗା, ଘରବାଡ଼ି । ଅବଶ୍ୟ ବାଟରେ ଅନେକ ମରିହଜି ଗଲେ, ଆଜିଯାଏଁ କେହି ତା’ର ରେକର୍ଡ଼ ରଖିନି । ଏତେବଡ଼ ଯାତ୍ରାର କେଉଁଠି କିଛି ବିବରଣୀ ନାହିଁ । ଯାହାକିଛି ଅଛି ତା’ ଖାଲି ଲୋକ ସଂସ୍କୃତିରେ, ଲୋକ ସ୍ମୃତିରେ ।
‘କ୍ରୋଧର ଅଙ୍ଗୁର’
କେଉଁ ଲୋକଗୀତ ବା ଜନପ୍ରିୟଗୀତର ପଂକ୍ତିରୁ ‘କ୍ରୋଧର ଅଙ୍ଗୁର’ ପଦ ଦୁଇଟିକୁ ମିଶାଯାଇଛି କେଜାଣି, ଏହା ଭିତରେ ସେଇ ଇପ୍ସିତ କ୍ରୋଧର କଥା କୁହାଯାଇଛି । ଯାହା ବ୍ୟତିରେକେ କୌଣସି ସମାଜରେ କୌଣସି ପରିବର୍ତ୍ତନ ସମ୍ଭବ ନୁହେଁ । ଖାଲି ଅନ୍ୟାୟ ବିରୁଦ୍ଧରେ କ୍ରୋଧ ନୁହେଁ, ଏହା ହେଉଛି ହୃଦୟହୀନ ପୁଞ୍ଜିବାଦୀ ବ୍ୟବସ୍ଥା ବିରୋଧରେ କ୍ରୋଧ । ଗୋଟିଏ ‘ଗଣତାନ୍ତ୍ରିକ’ ସରକାରର ନିଷ୍କ୍ରିୟତା, ଉଦାସୀନତା, ଲୋକବିରୋଧୀତା ବିରୋଧରେ ବିଦ୍ରୋହ । ଏହା ହୁଏତ ମାର୍କ୍ସୀୟ ‘ବିପ୍ଳବ’ ନୁହେଁ, କିନ୍ତୁ ନିଶ୍ଚିତଭାବେ ଆଲବର୍ଟ କାମୁ୍ୟଙ୍କ ‘ବିଦ୍ରୋହ’ର ପାଖାପାଖି । ଏଠି ଖାଲି ବ୍ୟକ୍ତିଗତ ବିଦ୍ରୋହର କଥା ନୁହେଁ, କୁହାଯାଇଛି ରାଷ୍ଟ୍ରର ଅମାନୁଷିକ ପୁଞ୍ଜିବାଦୀ ସପକ୍ଷବାଦିତା ବିରୋଧରେ ଫାଟି ପଡ଼ୁଥିବା ଲକ୍ଷ ଲକ୍ଷ କୃଷକ ପରିବାରର କ୍ରୋଧ କଥା ଏବଂ ସେ କ୍ରୋଧ ଖୋଜିଚାଲିଛି ବଂଚିବାର ନୂଆ ନୂଆ ରାହା । ମୁତ୍ୟୁ ଆଗରେ ଜମି ଶାଗୁଣାମାନଙ୍କ ଆଗରେ ହାର ନମାନି ସେ କ୍ରୋଧ ଖୋଜିଚାଲିଛି ଆଗାମୀର ସ୍ମିତି, ଶିଶୁର ଦରୋଟି, ନୂଆଜୀବନ, ନୂଆ ଜୀବିକା । ୧୯୩୦ ବେଳର ଏକ ଆମେରିକୀୟ କୃଷକ ପରିବାରର ବିସ୍ଥାପନ ଓ ୨୦୦୦ମାଇଲର ପଳାୟନର କାହାଣୀ ଭିତରେ ଆହୁରି କେତେଶହ କୃଷକ ପରିବାରର କାହାଣୀ ଗୁନ୍ଥି ହୋଇ କହିଚାଲିଛି, କିପରି ଥିଲା ସେସବୁ ପରିବାରର ପରିଗଢ଼ଣ, ବ୍ୟାଙ୍କ ବ୍ୟବସ୍ଥା, ବଜାର କାରବାର, ବେପାରୀ ଜୁଲୁମ୍, ଅଭାବୀ ବିକ୍ରି, ଲୋକଚେତନା, ମୁଦ୍ରା ସଙ୍କୋଚନ, କୃଷି ବ୍ୟବସ୍ଥା, ଧର୍ମୀୟ ଅବସ୍ଥା ଓ ରାଷ୍ଟ୍ର ପ୍ରଶାସନ, ସବୁକିଛି ।
ତେବେ ମଝିମଝିରେ ଟିକିଏ ନିଃଶ୍ୱାସ ନେବାର ଅବସରରେ ଗୋଟିଏ ଛାଡ଼ି ଗୋଟିଏ ଅଧ୍ୟାୟରେ ଜନ୍ ଷ୍ଟେନବକ୍ ନିଜ ଅର୍ଥନୈତିକ ଦର୍ଶନ କଥା କହିବାକୁ ଭୁଲିନାହାନ୍ତି ବା ଭୁଲିନାହାନ୍ତି ତକ୍ରାଳୀନ ଯୁଦ୍ଧଖୋର ରୁଜ୍ଭେଲଟ୍ ସରକାରଙ୍କୁ ଚେତାବନୀ ଦେବାପାଇଁ, କି ବର୍ଣ୍ଣନା କରିବାପାଇଁ ପରିବେଶଗତ ପ୍ରଚଣ୍ଡ ଅସନ୍ତୁଳନ । ପରିତ୍ୟକ୍ତ ଗାଁ’ମାନଙ୍କରେ ଗଢ଼ି ଉଠିଥିବା ଫାର୍ମରେ କେମିତି ଦେଖାଦେଇଛି ଜୀବନର ତଥା ଗନ୍ଧ, ସ୍ପର୍ଶ ଓ ନାଦର ଏକାନ୍ତ ଅଭାବ, ଛାଇଯାଇଛି ଅଖଣ୍ଡ ନୀରବତା କିମ୍ବା ଯାନ୍ତ୍ରିକ ଶବ୍ଦର କର୍କଶତା । ମଣିଷ ଓ ଜୀବଜନ୍ତୁର ସ୍ଥାନ ମାଡ଼ିବସିଛି ଟ୍ରାକ୍ଟର ଓ ଅନ୍ୟାନ୍ୟ କୃଷି ଯନ୍ତ୍ରପାତି । ଲଙ୍ଗଳମୁନ ଓ ମଣିଷ ସହ ମାଟିର ଯେଉଁ ରସାୟନ, ସେ ରସାୟନ ହଜିଯାଇଛି ବିଜ୍ଞାନାଗାରର ବିଶ୍ଳେଷଣରେ । ମଣିଷ କାର୍ବନ ନୁହେଁ, ନୁହେଁ ମଧ୍ୟ ଲୁଣ, ପାଣି ବା ଫସ୍ଫେଟ୍ ବା କାଲ୍ସିଅମ । ଏସବୁର ମିଶ୍ରଣରେ ଯେଉଁ ପଞ୍ଚଭୂତ ମଣିଷ, ସିଏ ଘୋଡ଼ା ଯୋଚା ଲଙ୍ଗଳ ମୁଠି ଧରେ, ମାଟିରେ ଚାଲେ, ଆଣ୍ଠାଏ, ଫସଲ କାଟେ, ମାଟି ସହ ଏକାକାର ହୁଏ, କିନ୍ତୁ ଯନ୍ତ୍ରମଣିଷ କେବଳ ଟ୍ରାକ୍ଟର ଚଳେଇଯାଏ, ନିଜେ ଯନ୍ତ୍ର ହୋଇଯାଏ । ମାଟି ସହ ମାଟି ହୁଏନି, କି ମାଟିକୁ ଭଲ ପାଇପାରେନି । ପରିତ୍ୟକ୍ତ ଗାଁ ସହରବାସୀଙ୍କ ପାଇଁ ଭୂତଖାନା । ସେଠିକାର ବିଲେଇମାନେ ବଣବିଲେଇ ପାଲଟି ଯାଆନ୍ତି । ସେଠି ମୂଷା, ବାଦୁଡ଼ି ଓ ଚମଚଟାମାନଙ୍କର ରାଜୁତି ଚାଲେ । କେବେ କେମିତି ସହରର ଦୁଃସାହସୀ ପିଲାମାନେ ସେଠାକୁ ଗୁପ୍ତଧନ ସନ୍ଧାନର ଅଭିଯାନରେ ଆସନ୍ତି ଓ ଘରମାନଙ୍କର କବାଟ ଝରକା ଚୋରାଇ ନିଅନ୍ତି । ଅର୍ଦ୍ଧରାତ୍ରିର ଦୂରନ୍ତ ପବନ ଧଡ଼ ପଡ଼ କରି ବାକିତକ କବାଟ ଓ ଝରକା ଉପରେ ଦାଉ ସାଧେ ।
ଏଣେ ହାଇୱେ ନଂ-୬୬ ଉପରେ ଆରମ୍ଭ ହୋଇଯାଏ ଲକ୍ଷ ଲକ୍ଷ କୃଷକମାନଙ୍କର ପଳାୟନ ପର୍ବ । ଶହ ଶହ ଟ୍ରକ ଡାଲାରେ ଭର୍ତ୍ତି ପରିବାରମାନଙ୍କର କାଲିଫର୍ଣ୍ଣିଆ ଯାତ୍ରା- ସେ ଆଉ ଏକ ଜୀବନ ଯାତ୍ରା । ଏଣେ କାଲିଫର୍ଣ୍ଣିଆର ସୀମାରେ ପୋଲିସ ପଇଁତରା ମାରେ । ପଚାରେ, ‘ଜମି କିଣିବାପାଇଁ ଡଲାର ଧରିଛ? ଗାଡ଼ି ଚଳେଇବାର ଲାଇସେନ୍ସ ଧରିଛ? ନାହିଁ ତ ଯାଅ, ପଳାଅ ଏଠି ଜାଗା ନାହିଁ ।’ ସ୍ୱପ୍ନର ଦେଶ, ମୁକ୍ତିର ଭୂମି କାଲିଫର୍ଣ୍ଣିଆରେ ଏଇ ସବୁ ଜୁଲୁମ? ନା, ବିଶ୍ୱାସଯୋଗ୍ୟ ନୁହେଁ । ଅନ୍ୟ କିଛି ରାସ୍ତା ବି ନାହିଁ । ତେଣୁ ମାଡ଼ିଚାଲ । ପଛରେ ଯେ ଭୟଙ୍କର ବିପଦ । ଦେଖାଯାଉ ଆଗକୁ କ’ଣ ଅଛି ।
ବାଂଲାଦେଶୀ ରିଫୁ୍ୟଜିମାନଙ୍କର ଦଣ୍ଡକାରଣ୍ୟ ବସତି ଛାଡ଼ି ପଳାଇ ଯିବାର ଦୃଶ୍ୟ ମନେପଡ଼ୁଛି? ମନେପଡ଼ୁଛି ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଗଢ଼ି ଉଠିଥିବା ଶରଣାର୍ଥୀ ଶିବିରର ଦୃଶ୍ୟ । ଦଣ୍ଡକାରଣ୍ୟ ଛାଡ଼ି ସୁନ୍ଦରବନର ମରୀଚଝାମ୍ପି ଆଡ଼େ ପଳାଇଯାଉଥିବାର ଦୃଶ୍ୟ ।
ଏଠି କାଲିଫର୍ଣ୍ଣିଆରେ ମଧ୍ୟ ଅପେକ୍ଷା କରିଛି ଶରଣାର୍ଥୀର ଜୀବନ । କିନ୍ତୁ କିଭଳି ଶରଣାର୍ଥୀ? କି ପ୍ରକାରର? ପଛରେ ତ’ ଛାଡ଼ି ଆସିଛୁ ଭୟାନକ ଅତୀତ । ପ୍ରତି ପଦେ ପଦେ ମୃତୁ୍ୟ, ସବୁ କଥାକୁ ଉଡ଼େଇ ଦେଇ ସ୍ୱପ୍ନର ନାନା ବାୟା ଗୀତ ଗାଇ, ଦେଖାଯାଉ କେତେଦିନ ନିଜକୁ ଶୁଆଇ ପାରିବା!
୬୬ନଂ ହାଇୱେ କଡ଼େ କଡ଼େ ଗଢ଼ିଉଠେ କେତେ କେତେ ଶରଣାର୍ଥୀ ଶିବିର । ସରକାରୀ ପୁଣି ବେସରକାରୀ । ଶିଳ୍ପସଭ୍ୟତା ବିଷୟରେ ଅଜ୍ଞ ଗୋଟିଏ କୃଷିଜୀବୀ ଜାତି ନିଜର ଗାଁ ଭୂଇଁ, ଜମିବାଡ଼ି ଛାଡ଼ି ଧାଇଁଛି ଶିଳ୍ପଦୁନିଆରେ ଶ୍ରମବଜାରର ପଣ୍ୟ ହେବାପାଇଁ । ବାଟେ ବାଟେ କେଉଁ ନଇଁ ଝରଣା କୂଳରେ କି ପାଣିକଳ ପାଖରେ ସେମାନଙ୍କର ଶିବିର ବସୁଛି । ସେଠି ମଧ୍ୟ ତିଆରି ହୋଇଯାଉଛି ନୂଆ ନୂଆ ନିୟମକାନୁନ । ଗଢ଼ିଉଠୁଛନ୍ତି ନେତା, ପରିଚାଳକ, ନିଜସ୍ୱ ପୋଲିସ ବାହିନୀ ଓ ସରକାର-ବାସ୍ତୁହରାମାନଙ୍କର ଏକ ନିଆରା ଜଗତ । ବଢ଼ିଚାଲିଛି ଐକ୍ୟ । କାରଣ ବିନାଐକ୍ୟରେ ମଣିଷ ତିଷ୍ଠିବ କେମିତି? ପଶ୍ଚିମ ଆମେରିକାରେ ଭୟର ସଂକ୍ରମଣ । ସେମାନେ ପ୍ରଥମକରି ଦେଖୁଛନ୍ତି ଭୋକିଲା ଆଖିମାନଙ୍କର ଅଭୂତପୂର୍ବ ପଟୁଆର । ସେ ଆଖିମାନେ ଯୁକ୍ତି କରନ୍ତି ନାହିଁ । କିଛି ବ୍ୟବସ୍ଥାରେ ବିଶ୍ୱାସ କରନ୍ତି ନାହିଁ । କେବଳ ପ୍ରଶ୍ନକରନ୍ତି । ଭୋକ ନିଭେଇବା ପାଇଁ କାମ ଦରକାର । ଜଣକର କାମ ଅଛି ତ ଦଶଜଣ ହାଜର । କାମ ଦିଅ, କାମ ଦିଅ । ତୁମେ ୨୫ ମାଗୁଛ, ମୁଁ ୨୦ରେ କରିବି । ଆରେ ଆରେ ମୁଁ ବେଶୀ ଭୋକିଲା । ମୋ ପିଲା ଛୁଆ ଭୋକିଲା । ମୋତେ ୧୫ ଦେଲେ ଚଳିବ ।
ମଜୁରୀ ଖସେ, ଦରଦାମ୍ ବଢ଼େ । ରାଷ୍ଟ୍ରର ଶାସନ ବ୍ୟବସ୍ଥା ପାଇଁ ୟା’ଠାରୁ ଭଲ ସୁଯୋଗ ଆଉ କ’ଣ ଥାଇପାରେ? ବଡ଼ ବଡ଼ ଜମିମାଲିକ ଓ କମ୍ପାନୀମାନେ ଆହୁରି ଆହୁରି ରଙ୍ଗବେରଙ୍ଗ ହେଣ୍ଡବିଲ୍ ଓକ୍ଲାହାମା ପଠାଇବାକୁ ଲାଗନ୍ତି । ଏଠି କାମ ଅଛି ବହୁତ କାମ । ପୁଣି ଶୋଷଣର ନୂଆ ନୂଆ ପଦ୍ଧତି ଆବିଷ୍କାର କରିବାରେ ଲାଗନ୍ତି । ପିଚକୋଳି ଓ ନାସ୍ପାତି ପାଚିବା ସଙ୍ଗେ ସଙ୍ଗେ ସବୁ ଫଳର ଦାମ୍ ଖସିଆସେ । ଉତ୍ପାଦନ ଖର୍ଚ୍ଚ ବି ଉଠିବ ନାହିଁ । କିନ୍ତୁ, ଟିଣପେକ୍ ଫଳର ଦାମ୍ ବଢ଼ିଚାଲେ । ଫଳରେ ବଡ଼ କମ୍ପାନୀ ଓ ବଡ଼ ମାଲିକମାନଙ୍କ ପାଇଁ ଲାଭ ହିଁ ଲାଭ । ଛୋଟ ଚାଷୀମାନେ ପ୍ରଚଣ୍ଡ କ୍ଷତିଗ୍ରସ୍ତ ହୁଅନ୍ତି । ଶୁଝିପାରନ୍ତି ନାହିଁ ଆପଣାର ବ୍ୟାଙ୍କ୍ ଋଣ । ଜମି ପଳାଇଯାଏ ବଡ଼ ଜମି ମାଲିକମାନଙ୍କ ପାଖକୁ । ଛୋଟ ଓ ମଧ୍ୟମ ଚାଷୀମାନେ କୃଷିଶ୍ରମିକ ହୋଇ ବାହାରିପଡ଼ନ୍ତି । ବାଃ, କି ସୁନ୍ଦର ଗଣିତ! କିନ୍ତୁ ବଡ଼ ବଡ଼ କମ୍ପାନୀମାନେ ଭୋକ ଓ କ୍ରୋଧ (Hunger & Anger) ଭିତରେ ଥିବା ସୂକ୍ଷ୍ମ ଫାଙ୍କକୁ ଖୁବ୍ କମ୍ ବୁଝନ୍ତି । କ୍ରୋଧ ଥରେ ଗୋଟିଏ ଜନଜାତିକୁ ଗ୍ରାସକଲେ ତାଙ୍କୁ ଦମନ ପାଇଁ ପୋଲିସ ରଖିବ, ବନ୍ଧୁକ କାରଖାନା ବସେଇବ, କେତେ ପୋଲିସ୍? କେତେ ବନ୍ଧୁକ? କେତେ ଗୋଇନ୍ଦା? ସେଇ ଅର୍ଥ ତୁମେ କ’ଣ ଦେଇପାରି ନଥାନ୍ତ ଚାଷୀମାନଙ୍କୁ? ପିମ୍ପୁଡ଼ି ଭଳି ମାଡ଼ିଚାଲିଥିବା ବିସ୍ଥାପିତମାନଙ୍କୁ? ଉଚିତ ଦର ମିଳୁନି କହି ବଡ଼ ବଡ଼ ଚାଷୀମାନେ ଟନ୍ ଟନ୍ ସୁନେଲୀ କମଳାରେ କିରାସିନି ଢାଳିଦିଅନ୍ତି । ପାଣିରେ ଫୋପାଡ଼ିଦିଅନ୍ତି ବସ୍ତା ବସ୍ତା ଆଳୁ, ଚୁନମିଶାଇ ଟନ୍ ଟନ୍ ଘୁଷୁରୀମାଂସ ମାଟିରେ ପୋତିଦିଅନ୍ତି । କ୍ଷୁଧିତ ଲୋକେ ସେସବୁ ସଂଗ୍ରହ କରିବାକୁ ଗଲେ ସେମାନଙ୍କ ଉପରେ ଗୁଳି ଚାଲେ ।
ଖାଲି ୱକ୍ଲାହାମାର ଚାଷୀମାନେ ଯେ ବିସ୍ଥାପିତ ହେଲେ ତାହା ନୁହେଁ, କାନ୍ସାସ୍ ଓ ଆର୍କାନ୍ସାସ୍, ଟେକ୍ସାସ୍ ଓ ନୁ୍ୟମେକ୍ସିକୋ ସବୁଆଡ଼ୁ ବିସ୍ଥାପିତ କୃଷକମାନେ ବିତାଡ଼ିତ ହେଲେ । ରାସ୍ତା ଉପରେ ଗଡ଼ିଚାଲେ ସେମାନଙ୍କର ପରିବାର । ତିନିଲକ୍ଷ ପରିବାର । କ୍ରମେ ଏଇ ତିନିଲକ୍ଷ ପାଲଟେ ତିରିଶ । ପ୍ରତି ସହରର ଉପାନ୍ତରେ ଗଢ଼ିଉଠିଲା ସେମାନଙ୍କର ଶହ ଶହ ବସ୍ତି । ତାକୁ କୁହାଗଲା ‘ହୁପ୍ରଭିଲେ’ । ସେସବୁକୁ ଜଗିବା ପାଇଁ ଆସିଲେ କେତେ କେତେ ସେରିଫ୍ (ପୋଲିସ) । କାରଣ ସେମାନଙ୍କ ପେଟରେ କ୍ଷୁଧା । ଆଖିରେ କ୍ରୋଧ । ଚାରିଆଡ଼େ କୁହୁଳି ଉଠୁଛି ବିଦ୍ରୋହର ନିଆଁ । ତେଣୁ ସେମାନେ ସଂଘବଦ୍ଧ ହେବା ପୂର୍ବରୁ ସେମାନଙ୍କ ଭଗାଅ । ଜାଳିଦିଅ, ଭାଙ୍ଗିଦିଅ ବସ୍ତି । ସାମାନ୍ୟ ପ୍ରତିବାଦକୁ ବି ପ୍ରତିହତ କର । ଗୁଣ୍ଡା ଲଗାଅ । ଜମି ପାଇବାର ଆଶା ସେମାନଙ୍କ ମନରେ ଦାନା ବାନ୍ଧିବାକୁ ବି ଦିଅନି । ଅଳ୍ପରୁ ଆହୁରି ଅଳ୍ପ ଲୋକଙ୍କ ହାତରେ ଠୁଳହେବାକୁ ଲାଗେ ସମ୍ପତ୍ତି । ତେଣୁ ନବେରୁ ଅନେଶତ ଭାଗ ଲୋକେ ସମ୍ପତ୍ତିହୀନ ପାଲଟିଯାଆନ୍ତି । ସେମାନେ ଚାହାନ୍ତି ଶକ୍ତି ପ୍ରୟୋଗ କରି ଜମି ଦଖଲ କରିବେ । ଲୁଚେଇ ଲୁଚେଇ ଖାଦ୍ୟ ଉପୁଜେଇବେ । ଇତିହାସ କହୁଛି, ଏଭଳି ସମୟରେ ଇତସ୍ତତଃ ଦେଖା ଦେଉଥିବା ବିଦ୍ରୋହ ବିପ୍ଳବର ରୂପ ନିଏ । ରାଷ୍ଟ୍ରକୁହେ ତାକୁ ଦମନପାଇଁ ଆହୁରି ଶକ୍ତିଶାଳୀ କର, ଦମନ ଯନ୍ତ୍ର, ପାଦରେ ଦଳିଚାଲ ଗଣତନ୍ତ୍ରର ସବୁ ନିୟମ । ଭୋକିଲା ଲୋକଙ୍କୁ ଏପରିକି ସେମାନଙ୍କ ସ୍ତ୍ରୀ ଓ ପିଲାମାନଙ୍କୁ ଟିକିଏ ବି ଦୟା ଦେଖାଅନାହିଁ ।
ଏମିତି ଏମିତି ବଡ଼ ଜମିମାଲିକ ଓ ଶିଳ୍ପପତିମାନେ ଆପଣାର ସଂଘ ଗଢ଼ନ୍ତି । ଭୋକିଲାଙ୍କୁ ଶେଷ କରିଦେବାର ଉପାୟ ଖୋଜନ୍ତି । ତିନିଲକ୍ଷ ଭୋକିଲାଙ୍କର ନେତାଟିଏ କିପରି ତିଆରି ହୋଇ ନପାରିବ, ସେ ବ୍ୟବସ୍ଥା କରନ୍ତି । ଅଥଚ, ସେମାନେ ନିଜେ ଆଉ ମଣିଷ ହୋଇ ନଥାନ୍ତି । ଲାଭକ୍ଷତିର ଅଙ୍କକଷା ଭିତରେ ସେମାନେ ରାଷ୍ଟ୍ରର ତଥା ଦେଶର ସବୁ ସମ୍ପତ୍ତିର ମାଲିକ ବନି ସବୁକାଳେ ବସି ରହିବାର ମସୁଧା କରନ୍ତି । ଏହା ହିଁ ଖୋଲିଦିଏ ଚିରନ୍ତନ ଧ୍ୱଂସ ଦିଗକୁ ସେମାନଙ୍କର ରାସ୍ତା -ଯାହାକୁ ଇତିହାସ କହେ ‘ପୁଞ୍ଜିବାଦ ନିଜେ ନିଜର କବର ଖୋଳେ । କେତେ ହୁଭରଭିଲେ ସେମାନେ ଧ୍ୱଂସ କରିବେ? ଭୋକିଲାମାନଙ୍କୁ ଚୋର, ଡକାୟତ, ହତ୍ୟାକାରୀ ଓ କମ୍ୟୁନିଷ୍ଟ (ରେଡ଼୍) କହି କେତେ ଅପବାଦ ବାଜଣା ବଜାଇବେ? କେତେ ଗୁଳି ଫୁଟାଇବେ? ଏସବୁ କ’ଣ ସେଇ ମହାବିଦ୍ରୋହ ଆଡ଼କୁ ବାଟ କଢ଼ାଇ ନେବନି? ୧୯ତମ ଅଧ୍ୟାୟରେ ଏଇ ବର୍ଣ୍ଣନା ପୁଞ୍ଜିବାଦର ଯେଉଁ ନଗ୍ନ ରୂପ ଦେଖାଇଛି, ତାହା ଖୁବ୍ କମ୍ ଉପନ୍ୟାସରେ ଆମେ ପାଉ ।
ଗୋଟିଏ ପଟେ ଧନୀମାନଙ୍କ ଅମାରରେ ଭର୍ତ୍ତି ରହିଛି ଶସ୍ୟ । ଅନ୍ୟପଟେ ଲକ୍ଷ ଲକ୍ଷ ଭୋକିଲା ଲୋକଙ୍କ ପଟୁଆର ଚାଲିଛି । ଆମେ ଚାହୁଁଥିବା ଦାମ୍ ଲୋକେ ଯଦି ଦେଇ ନପାରୁଛନ୍ତି, ଖାଦ୍ୟଶସ୍ୟ ମାଟିରେ ପୋତିଦିଅ, ନଦୀରେ ଢାଳିଦିଅ । କିନ୍ତୁ ଭୋକିଲାଙ୍କୁ ଦିଅ ନାହିଁ । ‘ଗ୍ରେଟ୍ ଡିପ୍ରେସନ୍’ର ଏଇ ନିଖୁଣ ବର୍ଣ୍ଣନା ଅଧ୍ୟାୟ ପରେ ଅଧ୍ୟାୟ- ସବୁଠି ଆମେ ଖୋଜି ପାଉ । ଆଉ ସେଇ ଅଭାବ ଭିତରୁ ଗଢ଼ିଉଠେ ଅଭାବୀଲୋକଙ୍କ ଏକତା । ତୁମ ପାଖରେ ଲୁଣ ନାହିଁ, ଚିନି ନାହିଁ, ମୋ ପାଖରେ ଅଛି । ଆସ, ସାଙ୍ଗ ହୋଇ କଫି ପିଇବା । ସାଙ୍ଗହୋଇ କାମ ଖୋଜିବା । ଠିକ୍ ଓଡ଼ିଶାର ଭୋକିଲା ଜନତା ବମ୍ବେ କି ସୁରତ ଯାଇ କାମ ଖୋଜିବା ପରି । ଜଣେ କାମ ଖୋଜି ପାଇବା ପରେ ନିଜ ଗାଁର ଆଉ ଦଶଜଣ ଭୋକିଲାଙ୍କୁ ସାଙ୍ଗରେ ନେଇଯାଏ । ଦୁଃଖ, ସୁଖ, କଷ୍ଟ ଓ ଆନନ୍ଦ ସାଙ୍ଗ ହୋଇ ବାଣ୍ଟିବା ଓ ଭୋଗ କରିବାର ଚେଷ୍ଟା । ତାରି ଭିତରୁ ଜନ୍ମନିଏ ସଙ୍ଗଠନ, ଯେତେ ଅଣରାଜନୈତିକ ହେଉ ପଛେ ତାହା । ଏଭଳି ସଙ୍ଗଠନର ସଂଖ୍ୟା ବଢ଼ିଚାଲେ । ବଡ଼ ମାଲିକମାନେ ଡରିଯାଆନ୍ତି । କମେଇ ଦିଅନ୍ତି ମଜୁରୀ । କାମ ନାହିଁ କହି ଛଟେଇ କରନ୍ତି । ବିଜ୍ଞାନର ଉପଯୋଗ କରି ମଣିଷ- ଉପାଦାନଟିକୁ ଯେତେ ଦୂର ସମ୍ଭବ ଦୂରେଇ ରଖିବା ପାଇଁ ଚେଷ୍ଟାକରନ୍ତି । ପୁରୁଷ ପୁରୁଷ ଧରି ନିଜେ ଚଳେଇଥିବା ଲୁଟତରାଜକୁ ଆଇନ ଢାଲରେ ସୁରକ୍ଷିତ ରଖି ପ୍ରତିବାଦକାରୀମାନଙ୍କୁ ଆଖ୍ୟା ଦିଅନ୍ତି ‘ରେଡ଼ସ୍’ ।
ରାସ୍ତାଉପରେ ଜୀବନ କାଟୁଥିବା ବିସ୍ଥାପିତ ମାନଙ୍କର କାହାଣୀର ଶେଷନାହିଁ । ନାୟକ ଟମଜୋଡ଼୍, ତା’ମାଆ ଠାରୁ ବିଦାୟ ନେଲାବେଳେ କହିଯାଇଛି, ‘ମାଆ, ତୁମ ସହ ମୋର ଦେଖା ହେଉ ବା ନହେଉ ତୁମେ ଜାଣିଥିବ ଯେ ମୁଁ ଅଛି । ଯେଉଁଠି ଯେଉଁଠି ଅତ୍ୟାଚାର, ସେଠି ମୁଁ ଅଛି । ଯେଉଁଠି ଯେଉଁଠି ଅତ୍ୟାଚାରିତଙ୍କ ଭାଇଚାରା ଓ ପ୍ରତିବାଦ ଗଢ଼ିଉଠିଛି ସେଠି ମୁଁ ଅଛି । ମୋର ମୃତୁ୍ୟ ନାହିଁ । ହଁ, ତ ଜୀବନ କେଉଁଠି ହେଲେ ଅଟକି ରହିଯାଇ ନାହିଁ । ପ୍ରତ୍ୟେକ ସଙ୍କଟ ମୁହୂର୍ତ୍ତରେ ସ୍ତ୍ରୀମାନେ ଦେଖୁଛନ୍ତି ସେମାନଙ୍କ ପୁରୁଷମାନଙ୍କ ମୁହଁରେ ଦମ୍ଭ ଅଛି କି ନାହିଁ । ସାହାଯ୍ୟ ଓ ସହଯୋଗର ହାତ ବଢ଼ାଇ ଦେଉଛନ୍ତି । ଏପରିକି ଉପନ୍ୟାସର ଶେଷ ଅଧ୍ୟାୟରେ ରୋଜା ସେରନ୍ ଏକ ମୃତଶିଶୁକୁ ଜନ୍ମ ଦେବାପରେ, ଗୋଟିଏ ବନ୍ୟାଗ୍ରସ୍ତ ଭୋକିଲା ପରିବାରର ଜଣେ ମୃତପ୍ରାୟ ବୟସ୍କକୁ ବଞ୍ଚାଇବା ପାଇଁ ତା’ମୁହଁ ପାଖରେ ଖୋଲିଦେଇଛି ନିଜର ସ୍ତନ ଏବଂ ତାକୁ ସ୍ତନ୍ୟପାନ କରାଇ ବଞ୍ଚାଇ ଦେଇଛି । ତା’ରି ଭିତରେ ଖୋଜିପାଇଛି ନିଜର ଶିଶୁକୁ । ରକ୍ଷା ପାଇଯାଇଛି ଜଣେ ବିସ୍ଥାପିତର ଜୀବନ । ଏଇ ଭାଇଚାରା, ଏଇ ଏକତାକୁ ତ ବଡ଼ ବଡ଼ ମାଲିକମାନଙ୍କର ଏତେ ଡ଼ର । କିଏ ରୋକିପାରିବ ସେଇ ଅବଶ୍ୟମ୍ଭାବୀ ଭବିଷ୍ୟତ? ଇତିହାସର ଅବଧାରିତ ରାୟ??
Comments
0 comments