କାଶୀପୁର ଡ଼ାଇରୀ

୨୦୧୪ ଅଗଷ୍ଟ ୨୫ରେ ସ୍ଥାନୀୟ ଆଦିବାସୀମାନେ ବାଫଲି ମାଲିରେ ଖଣି ଖନନକୁ ବିରୋଧ କରିବାରୁ ପୁଲିସ୍ ନିର୍ଦ୍ଦୟ ଭାବରେ ତାଙ୍କ ଉପରେ ଲାଠି ଚାର୍ଜ କରିଥିଲା

6 Min Read

ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ ସବୁବେଳେ ଦାରିଦ୍ର‌୍ୟ, ଅନାହାର ଏବଂ ଅଖାଦ୍ୟ ଖାଇ ମୃତ୍ୟୁବରଣ କରୁଥିବା ନେଇ ଚର୍ଚ୍ଚାରେ ରହିଆସିଛି । ପାହାଡ଼ିଆ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଏହି ଜିଲ୍ଲା ସାମାଜିକ ଏବଂ ଆର୍ଥିକ କ୍ଷେତ୍ରରେ ସବୁବେଳେ ପଛୁଆ ରହିଆସିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ହେଉ କିମ୍ବା ଶିକ୍ଷା କ୍ଷେତ୍ରରେ ଅବା ଖାଦ୍ୟ ସୁରକ୍ଷା, ସରକାରୀ ସ୍ତରରେ ଉଦାସୀନତା ରହିଆସିଛି । ଚଳିତ ବର୍ଷ କାଶୀପୁରରେ ଝାଡ଼ାବାନ୍ତିରେ ମୃତ୍ୟୁ ଘଟଣା ସରକାରଙ୍କ ଆପାରଗତାକୁ ପଦାରେ ପକାଇ ଦେଇଛି । ଓଡ଼ିଶା ବିକାଶ ପଥରେ ଅଗ୍ରସର ହେଉଛି ବୋଲି ପ୍ରଚାର କରାଯାଉଥିବା ବେଳେ ସ୍ୱାଧୀନତାର ୭୫ ବର୍ଷ ପରେ ବି ଅଞ୍ଚଳ ବିକଶିତ ହୋଇପାରିଲା ନାହିଁ । ରାଜନୈତିକ ଭାବରେ ଦେଖିଲେ ଏହି ଅଞ୍ଚଳ ବିକାଶର ଦ୍ୱାହି ଦେଇ ଶିଳ୍ପାୟନର ମୋହରେ ପଡ଼ି ଯେଉଁ ଭଳି ଭାବେ ଆଦିବାସୀଙ୍କୁ ସଂହାର କରାଯାଇଛି ତାହା ଇତିହାସ ପୃଷ୍ଠାରେ ଏକ କଳା ଅଧ୍ୟାୟ ହୋଇ ରହିବ ।

ଚଳିତ ମାସ ଶେଷ ସପ୍ତାହରେ କାଶୀପୁର ଯିବାର ଅବସର ମିଳିଥିଲା । କାଶୀପୁରକୁ ଯିବା ମୋ ପାଇଁ ପ୍ରଥମ ଥିଲା । ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ । ମାଟି ମାକୁ ସୁରକ୍ଷା କରିବାକୁ ଯାଇ ପୁଲିସ୍ ଗୁଳିରେ ସହୀଦ ହୋଇଥିବା ଗାଁ କେଉଁଠି! ବିରପଣସଗୁଡ଼ା ଗାଁ କେଉଁଠି, ଯେଉଁଟି ଏକଦା ଆମ୍ବଟାକୁଆ ଖାଇ ଲୋକେ ମୃତ୍ୟୁବରଣ କରିଥିଲେ । ଉତ୍କଳ ଆଲୁମିନା କାରଖାନା କେଉଁଠି ଇତ୍ୟାଦି ଇତ୍ୟାଦି । ତେବେ ଆମେ ପାଇକକୁପାଖାଲ ଗାଁ ଏବଂ କଣ୍ଟାମାଳ ଅଞ୍ଚଳକୁ ଯିବାରଥିଲା । ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ଏ.ଆଇ.କେ.ଏସ. ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ସାଙ୍ଗରେ ଥାନ୍ତି ।

1681299846639 300x169 1681299846733 300x169

ଡିସେମ୍ବର ମାସ । ଶୀତ ଅଧିକ ପଡ଼ୁଥିବାରୁ ଦିନ ପ୍ରାୟ ୧୦ଟାରେ ଏକ ବୋଲେରୋ ଗାଡ଼ିରେ ରାୟଗଡ଼ାରୁ ବାହାରିଲୁ । ରାୟଗଡ଼ାର ପାହାଡ଼ିଆ ଘାଟି ରାସ୍ତାରେ ଯିବାକୁ ପଡ଼େ । ରାସ୍ତା ପ୍ରାୟ ଫାଙ୍କା ଥିଲା । କାଁ ଭାଁ ଛୋଟ ଗାଡ଼ି ଓ ମଝିରେ ମଝିରେ ଭାରିଯାନ ଯିବା ଆସିବା କରୁଥାଏ । ପାହାଡ଼ ତଳି ଅଞ୍ଚଳ ମାନଙ୍କରେ ଗାଁମାନ ଦେଖାଯାଉଥାଏ ଛୋଟ ବଡ଼ ଝରଣା, ନଈ ପାର ହୋଇ ଆମଗାଡ଼ି ଆଗକୁ ଚାଲିଥାଏ । ରାୟଗଡ଼ାରୁ ପାଇକ କୁପାଖାଲ ୮୫ କି.ମି. । ଟିକିରି ନିକଟ ଦୋରାଗୁଡ଼ା ଠାରେ ଥିବା ଆଦିତ୍ୟ ବିର୍ଲାର ଆଲୁମିନିଅମ କମ୍ପାନୀ ଅତିକ୍ରମ କରି ଗଲାବେଳେ ଏକ ଅଜଣା ଶିହରଣ ସୃଷ୍ଟି ହେଉଥାଏ । କାଶୀପୁର ଅଞ୍ଚଳର ସାମାଜିକ ଓ ଆର୍ଥିକ ଉନ୍ନତିର ସମ୍ଭାବନା ଦର୍ଶାଇ ୧୯୯୨-୯୩ରେ ସ୍ଥାନୀୟ ଆଦିବାସୀଙ୍କ ପ୍ରବଳ ବିରୋଧ ସତ୍ତ୍ୱେ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା । ଦୀର୍ଘ ୮ ବର୍ଷର ଲଢ଼େଇ ପରେ ୨୦୦୦ ମସିହା ଡିସେମ୍ବର ୧୬ ତାରିଖରେ ୩ ଜଣ ଆଦିବାସୀଙ୍କୁ ଗୁଳିକରି ହତ୍ୟା କରାଯାଇଥିବା କଥା ସମସ୍ତେ ଜାଣନ୍ତି । ତଥାପି ଦୋରାଗୁଡ଼ାଠାରେ କମ୍ପାନୀ ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ମୃତକ ପରିବାରକୁ ଏ ପର୍ଯ୍ୟନ୍ତ ନ୍ୟାୟ ମିଳିପାରିଲା ନାହିଁ । ଯଦିଓ କମିଶନ ବସିଥିଲା ସେହି ସମୟରେ, କିନ୍ତୁ କାହାକୁ ଦୋଷାରୋପ କରାଯାଇନଥିଲା ।

ତେବେ କମ୍ପାନୀ ପ୍ରତିଷ୍ଠା ଫଳରେ ଯେଉଁ ଭଳି ବିକାଶର ଚିତ୍ରବଦଳିବା କଥା କୁହାଯାଇଥିଲା । ତାହା ହେଲା କି? ବରଂ ଦାରିଦ୍ର‌୍ୟ କୁପୋଷଣ, ଅନାହାର, ବେକାରୀ ଦିନକୁ ଦିନ ବଢ଼ିବାରେ ଲାଗିଥିଲା । ଲୋକେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିଲେ । ଏହାର ପ୍ରମାଣ ୨୦୦୧ ମସିହା ସେପ୍ଟେମ୍ବର ୯ ତାରିଖରେ ଦେଖିବାକୁ ମିଳିଲା । କାଶୀପୁର ସଦରଠାରୁ ମାତ୍ର ୨ କି.ମି. ଦୂର ବିରପଣଷଗୁଡ଼ା ଠାରେ ଲୋକେ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ ଖବର ସାରା ବିଶ୍ୱକୁ ଦୋହଲାଇ ଦେଇଥିଲା । ବାୟୁ, ଜଳ, ମୃତ୍ତିକା, ଜୈବ ବିବିଧତା ତଥା ସାମାଜିକ ଏବଂ ଅର୍ଥନୈତିକ ଅବସ୍ଥା ଆକଳନ କରାଯାଉଥିବା କଥା ମିଛ ବୋଲି ଜଣାପଡ଼ିଯାଉଛି ।

ଗାଡ଼ିରେ ଯିବାବେଳେ ପାହାଡ଼ରୁ ପାହାଡ଼କୁ ଲମ୍ବିଯାଇଥିବା କନଭେୟର ଦେଖି ପ୍ରକୃତିସ୍ତ ହେଲି । ପାକଇ କୁପାଖାଲ ପହଞ୍ଚିବାକୁ ଅଳ୍ପ ବାଟଥାଏ । ଆମେ କେତେବେଳେ କନଭେୟର ତଳେ ଯାଉ ଥାଉ ତ କେତେବେଳେ ବାମ କିମ୍ବା ଡାହାଣ ପଟେଥାଏ । ଯାହା ହେଉ ଆମେ ପାଇକକୁପାଖାଲ ଗାଁରେ ପହଂଚିଗଲୁ । ପାଇକକୁପାଖାଲ ଗାଁଟି କାଶୀପୁର ବ୍ଲକ ଅନ୍ତର୍ଗତ ମାଇକଞ୍ଚ ପଞ୍ଚାୟତରେ ଅବସ୍ଥିତ । ରାୟଗଡ଼ାରୁ ପ୍ରାୟ ୮୦ କି.ମି. ହେବ। ୨୦୧୧ ସେନସସ ଅନୁଯାୟୀ ଗ୍ରାମର ଜନସଂଖ୍ୟା ୧୦୩୯ । ଗ୍ରାମ ବାହାରେ ଏକ ଖୋଲା ଯାଗାରେ କିଛି ଛୋଟ ପିଲାମାନେ ଖେଳାଖେଳି କରୁଥାନ୍ତି । ପ୍ରାୟ ସବୁ ଘର ଅଗଣାରେ ଧାନ ଶୁଖା ହୋଇଥାଏ । କିଛି ମହିଳାମାନେ ଉକୁଣି ବଛାବଛି ହେଉଥାନ୍ତି । ପୁରୁଷମାନେ ଜଣ ଜଣ କରି ଆଗପଛ ହୋଇ ଆସୁଥାନ୍ତି । ୮/୧୦ ଜଣ ବସି କଥା ହେବା ପାଇଁ ଯାଗା ସ୍ଥିର କରୁଥାନ୍ତି । ଶେଷରେ ଗ୍ରାମଦେବୀଙ୍କ ଆସ୍ଥାନ ନିକଟ ଗଛ ଛାଇରେ ବସିବାକୁ ସ୍ଥିର ହେଲା । ୧୦/୧୨ଟା ଚେୟାର ଆସିଲା । ୧୦/୧୫ ଜଣ ବସି ଆଲୋଚନା କଲେ ।

୨୦୧୪ ଅଗଷ୍ଟ ୨୫ରେ ସ୍ଥାନୀୟ ଆଦିବାସୀମାନେ ବାଫଲି ମାଲିରେ ଖଣି ଖନନକୁ ବିରୋଧ କରିବାରୁ ପୁଲିସ୍ ନିର୍ଦ୍ଦୟ ଭାବରେ ତାଙ୍କ ଉପରେ ଲାଠି ଚାର୍ଜ କରିଥିଲା । ବାଫଲିମାଲିରୁ ବକ୍ସାଇଟ ଟ୍ରକ ଯୋଗେ ପାଇକ କୁପାଖାଲ ନେଇ ଦୋରଗୁଡ଼ାକୁ ଯାଉଥିଲା । ଆଦିବାସୀଙ୍କ ଅନିଚ୍ଛାସତ୍ତ୍ୱେ ତାଙ୍କ ଜମିରେ ରାସ୍ତା ତିଆରି କରାଯାଇଥିଲା । ମାଟି କାଦୁଅ ଲୋକଙ୍କ ଘରେ ପଶୁଥିଲା । ଲୋକମାନେ ରାତିରେ ଶୋଇପାରୁନଥିଲେ । ଧୁଳିମାଟି ଉଡ଼ି ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଉଥିଲା । ଯେହେତୁ କନଭେୟର ଦ୍ୱାରା ବକ୍ସାଇଟ ପରିବହନ ପାଇଁ ପରିବେଶ ମଞ୍ଜୁରି ମିଳିନଥିଲା, ତେଣୁ ଦିନ ରାତି ଟ୍ରକ ଯୋଗେ ବକ୍ସାଇଟ୍ ବୁହା ହେଉଥିଲା । ଲୋକମାନେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିଲେ । କମ୍ପାନୀରୁ ନିର୍ଗତ ବିଷାକ୍ତ ନାଲିମାଟି ପାଇଁ ଯେଉଁ ପୋଖରୀ କରିଥିଲା, ତାହା ବହୁ ଆଦିବାସୀ ହରିଜନଙ୍କ ଜମି ଓ ଗ୍ରାମ୍ୟଜଙ୍ଗଲ ଉପରେ ବେଆଇନ ଭାବେ ତିଆରି ହୋଇଥିଲା । ଯେଉଁ ଜମିରେ ଦିନେ ଲୋକେ ମାଣ୍ଡିଆ, ସୁଆଁ, ଅଳସି, କଟିଙ୍ଗ, ଝୁଡ଼ଙ୍ଗ ଓ ବିରି ଇତ୍ୟାଦି ଚାଷ କରୁଥିଲେ । କମ୍ପାନୀ ଆସିବା ଦିନଠାରୁ ସବୁ ନଷ୍ଟ କରି ଦେଇଛି । ପରିସ୍ଥିତି ଆଜିବି ବଦଳି ନାହିଁ । କମ୍ପାନୀର କାର୍ଯ୍ୟକଳାପ ଯୋଗୁଁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । କମ୍ପାନୀ ବାଫଲିମାଲି ଅଞ୍ଚଳରେ ହୋଇଥିବା ଖଣିରେ କମ୍ପାନୀରୁ ବାହାରୁଥିବା ବଳକା ବିଷାକ୍ତ ମାଟି ଆଣି ପକାଉଛି । ବର୍ଷା ଦିନରେ ଏହି ମାଟି ଲୋକଙ୍କ ଜମି ଓ ଝରଣା ପାଣିରେ ମିଶୁଛି । ଫଳରେ ଚାଷ ନଷ୍ଟ ହୋଇ ଯାଉଛି । ଝରଣା ପାଣିରେ ଏହି ବିଷାକ୍ତ ମାଟି ମିଶି ପାଣିକୁ ମଧ୍ୟ ପ୍ରଦୂଷିତ କରୁଛି । କମ୍ପାନୀକୁ ଅଭିଯୋଗ କଲେ କିଛି କେହି ଶୁଣୁନାହାନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗ୍ରାମବାସୀମାନେ ଆହୁରି କହିଛନ୍ତି ଯେ, କମ୍ପାନୀ ଏହି ଯାଗାରେ ଆବର୍ଜନା ପକାଇବା ପାଇଁ ଏଗ୍ରିମେଣ୍ଟ କରିଛି । କେହି ବିରୋଧ କରିପାରିବେ ନାହିଁ । ତେଣୁ ପୋଲିସ୍ ଫୋର୍ସ ଲାଗଇ ଆମକୁ ଡରାଉଛନ୍ତି ।

ଗ୍ରାମର ବହୁ ମହିଳା ଏବଂ ପୁରୁଷ ସମାନ ଅଭିଯୋଗ କରିଛନ୍ତି । ଅନେକ ସମୟ ଲୋକଙ୍କ ସହିତ ଆଲୋଚନା ହେଲା । ଯେହେତୁ କମ୍ପାନୀ ଅଞ୍ଚଳରେ ଯେମିତି କୌଣସି ସଭାସମିତି ହୋଇପାରିବ ନାହିଁ, ସେଥିପାଇଁ ପୁଲିସ ଭ୍ୟାନ୍ ଘଡ଼ିକେ ଘଡ଼ି ବୁଲୁଥାଏ । ଆମେ ସେହି ଗାଁରୁ ବାହାରିବା ବେଳକୁ ଗାଁ ମୁଣ୍ଡରେ ଭ୍ୟାନ ଲାଗି ସାରିଥିଲା । ପୁଲିସ ଗ୍ରାମବାସୀଙ୍କୁ ଚେତାବନୀ ଦେଉଥାଏ ଯେ, ବାହାରିଆ ଲୋକଙ୍କୁ ଆଣି ଏଠାରେ ସମସ୍ୟା ସୃଷ୍ଟି ନ କରନ୍ତୁ ବୋଲି । ସେଥିପାଇଁ ଥାନା ଉପରେ କେତେଯେ ଚାପ ପଡ଼ୁଛି, ମୁଣ୍ଡ ଗରମ ହୋଇଯାଉଛି ବୋଲି ପୁଲିସ୍ ଗ୍ରାମବାସୀଙ୍କୁ କହୁଥାନ୍ତି ।

କି ବିଚିତ୍ର କଥା । ନିଜର ଜମିଭୂମି କମ୍ପାନୀ ଲୁଣ୍ଠନ କରୁଥିବ ଆଉ ସରଳ ନୀରିହ ଆଦିବାସୀ ଜଙ୍ଗଲଜୀବୀମାନେ ପାଟି ନଖୋଲନ୍ତୁ ବୋଲି ସରକାର କମ୍ପାନୀ, ସମସ୍ତେ ଚାହୁଁଛନ୍ତି । ବାଃ! ସେଠାରୁ ଫେରିବା ବେଳେ ଭାବୁଥାଏ ଯେ, ସତରେ ଆଦିବାସୀମାନେ ସ୍ୱାଧୀନ ଭାରତରେ ପରାଧୀନ ଅବସ୍ଥାରେ ଅଛନ୍ତି ।

Comments

0 comments

Share This Article
ଭିଡ଼ିଓ ଜର୍ଣ୍ଣାଲିଷ୍ଟ, ଡକୁମେଣ୍ଟାରୀ ଭିଡ଼ିଓ ନିର୍ମାତା/ video journalist