ମୋ ଚିନ୍ତା ଓ ଚେତନାରେ ‘ଧର୍ମପଦ’

ଗୋପବନ୍ଧୁଙ୍କର ପୁଣ୍ୟଶ୍ଲୋକ ତ୍ୟାଗପୂତ କୋଟି ଜନ ସମର୍ପିତ ବ୍ୟକ୍ତିତ୍ୱ ପୂର୍ଣ୍ଣମାତ୍ରାରେ ପ୍ରତିଫଳିତ ହୋଇଛି ଧର୍ମପଦ ଗୀତିକାବ୍ୟରେ

8 Min Read

‘ଧର୍ମପଦ’ ଗୀତିକାବ୍ୟ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ଦାଶ ମହାନୁଭବଙ୍କର ଏକ ଅନବଦ୍ୟ କୃତି ।
ସେ ଏକାଧାରାରେ ଜଣେ ପୁଣ୍ୟାତ୍ମା, ଦେଶଭକ୍ତ, କବି, ସାହିତ୍ୟିକ , ସାମ୍ବାଦିକ, ସ୍ତମ୍ଭକାର, ଶିକ୍ଷକ, ଶିକ୍ଷା ସଂସ୍କାରକ, ସ୍ୱାଧୀନତା ସଂଗ୍ରାମୀ, ବ୍ୟବସ୍ଥାପକ ଓ ସମର୍ପିତ ଭାବନାରେ ଭରା ନିଃସ୍ୱାର୍ଥପର ସମାଜସେବୀ ଓ ସମାଜ ସଂସ୍କାରକ ଥିଲେ । ସେ ବାସ୍ତବରେ ଥିଲେ ‘ଆଲୋକସାମାନ୍ୟମ୍ ଅଚିନ୍ତମ୍ ଅହେତୁକମ୍’ ଯାହାକୁ ବୁଝିବା, ଯାହାଙ୍କ ବ୍ୟକ୍ତିତ୍ୱ ଓ ଚାରିତ୍ରିକ ସୌନ୍ଦର୍ଯ୍ୟ ଉପରେ ଆଲୋକପାତ କରିବା ମୋ ପରି ଜଣେ ସାଧାରଣ ଲୋକପକ୍ଷରେ ସମ୍ଭବ ନୁହେଁ । କଳା ବା କାବ୍ୟକୃତି ହିସାବରେ ଧର୍ମପଦ ଏକ ପ୍ରଶସ୍ତ, ବିଶାଳ ଓ ସମ୍ବେଦନଶୀଳ ସୃଷ୍ଟି । ସରଳ ସାବଲୀଳ ଭାଷା, ଶବ୍ଦବିନ୍ୟାସ, ମହାନ ହୃଦୟବତ୍ତା, ସୁସ୍ଥ ମାନସିକତା, ବିଷୟବସ୍ତୁର ସାର୍ବଜନୀନତା, ନିତ୍ୟନୂତନ ପ୍ରାସଙ୍ଗିକତା, କ୍ଷଣଭଙ୍ଗୁର ମନୁଷ୍ୟ ଜୀବନରେ ଯାହା ସବୁଠାରୁ ସ୍ପୃହଣୀୟ, ସର୍ବଥା ଗ୍ରହଣୀୟ ଓ ପ୍ରାଣପ୍ରାଚୁର୍ଯ୍ୟପୂର୍ଣ୍ଣ ତାହା ଏହି ଗୀତିକାବ୍ୟକୁ ରୁଦ୍ଧିମନ୍ତ କରିଅଛି । ସୃଜନଶୀଳତା, ଭାବାବେଗର ଗଭୀରତା, ସମ୍ବେଦନଶୀଳତା ଓ ସମାନୁଭୂତିର ଏକ ଅପୂର୍ବ ସମ୍ମେଳନ ହୋଇଥିବା ଏହା ଏକ ବଳିଷ୍ଠ ମାଇଲଖୁଣ୍ଟ । ତ୍ୟାଗ, ଆତ୍ମୋତ୍ସର୍ଗ, ବାତ୍ସଲ୍ୟରସ, ଶୌର୍ଯ୍ୟରସ, ବିରହ ଓ କରୁଣରସ ଏବଂ ସର୍ବୋପରି ଭକ୍ତି ରସାମୃତରେ ଭରା ଉତ୍କଳୀୟ କଳା ଓ ଭାସ୍କର୍ଯ୍ୟର ସର୍ବୋକୃଷ୍ଟ ସ୍ୱାକ୍ଷର ବହନ କରୁଥିବା ଏହି ଗୀତିକାବ୍ୟ ଆଜକୁ ପ୍ରାୟ ୧୦୦ବର୍ଷ ତଳେ ହଜାରିବାଗ ଜେଲରେ ସ୍ୱାଧୀନତା ସଂଗ୍ରାମୀ ପଣ୍ଡିତ ଉକ୍ରଳମଣି ଗୋପବନ୍ଧୁ ବନ୍ଦୀ ଥିବାବେଳେ ରଚନା କରିଥିଲେ । କବିଙ୍କ ନିଜଭାଷାରେ ‘ଧର୍ମପଦ’ ଶୂନ୍ୟ, କ୍ଷୁଦ୍ର, ଆବଦ୍ଧ, ଅନ୍ଧକାର ଭରା କାରଗାରର ଏକ ନିର୍ଜନ ପ୍ରକୋଷ୍ଠରେ ବନ୍ଦୀଜୀବନ କଟାଉଥିବା ଜଣେ ପରାଧିନ ଅସହାୟ ବ୍ୟକ୍ତିର ହୃଦୟର କ୍ଷଣିକ ଏକ ସ୍ପନ୍ଦନ ମାତ୍ର । ସେହି ସ୍ପନ୍ଦନଥିଲା ଗୋଟିଏ ଧ୍ୱନିତ ହୃଦୟର ଏକ ଉଦ୍ଗାର ବା ଝଙ୍କାର ଯାହା ଓଡ଼ିଶା ଭିତରେ ଓ ବାହାରେ ଏକଶହ ବର୍ଷ ଧରି କୋଟି କୋଟି ଓଡ଼ିଆଙ୍କୁ ଉଦ୍ବୃଦ୍ଧ ଓ ଅନୁପ୍ରାଣୀତ କରି ଆସୁଛି ।
ବିଶ୍ୱକବି ଗୁରୁଦେବ ରବୀନ୍ଦ୍ରନାଥଙ୍କ ସ୍ୱରଚିତ ‘ମାନୁଷୀ’ କବିତା ସଂକଳନର ଉପହାର କବିତାରେ କବି ପ୍ରାୟ ଏକ ଶହ ବର୍ଷତଳେ ଯାହା ଲେଖିଥିଲେ ତାହା ମୁଁ ଉଦ୍ଧୃତକରି ଆପଣଙ୍କ ସମ୍ମୁଖରେ ରଖିବାକୁ ଚାହୁଁଚି ।
‘ନିଭୃତେର ଚିତ୍ତ ମାଝେ
ନିମିଷେ ନିମିଷେ ବାଜେ
ଜଗତେର ତରଙ୍ଗ ଆଘାତ
ଧ୍ୱନିତ ହୃଦୟ ତାଇ
ମୁହୂର୍ତ୍ତେ ବିରାମ ନଇ
ନିଦ୍ରାହୀନ ସାରାଦିନ ରାତି’
ସରଳ ଓଡ଼ିଆରେ ଏହାର ଅର୍ଥ ହେଉଛି ମଣିଷ ଅନ୍ତରର ନିଭୃତତମ ପ୍ରଦେଶରେ ପ୍ରତି ମୁହୂର୍ତ୍ତରେ ଏହି ସଂସାରର ଅଗଣିତ ତରଙ୍ଗ ପ୍ରବାହିତ ହୁଏ ଏବଂ ତରଙ୍ଗର ଘାତ ପ୍ରତିଘାତରେ ଏକ ଧ୍ୱନି ସୃଷ୍ଟି ହୁଏ । କେବଳ ସେହି ବ୍ୟକ୍ତି ବାସ୍ତବରେ ସମ୍ବେଦନଶୀଳ ଯାହାଙ୍କ ପାଖରେ ଗୋଟିଏ ଧ୍ୱନିତ ହୃଦୟ ଥାଏ, ଯେଉଁ ଝଙ୍କୃତ ହୃଦୟ ସଂସାରର କୋଟି କୋଟି ହୃଦୟକୁ ଧ୍ୱନିତ ଓ ପ୍ରତିଧ୍ୱନିତ କରିଥାଏ । ସେହି ବ୍ୟକ୍ତିଙ୍କ ପାଖରେ ନିଜର ଆହାର ନିଦ୍ରା ଓ ବିଶ୍ରାମ ପାଇଁ ସମୟ ନଥାଏ । ସେ କର୍ମବୀର, ସାଧକ, ସେବକ ଯେ ନିଜର ସୁଖସୁବିଧା ସ୍ୱାଚ୍ଛନ୍ଦ୍ୟ ବିଷୟରେ କେବେ ଚିନ୍ତିତ ଓ ବିଚଳିତ ନଥାନ୍ତି । ମାନବସେବା ଯାହାଙ୍କ ଜୀବନର ଏକ ତାଳ, ଛନ୍ଦ, ଲୟ, ସ୍ୱପ୍ନ ଓ ସାଧନା । ଉକ୍ରଳମଣି ପଣ୍ଡିତ ଗୋପବନ୍ଧୁ ଦାଶ ସେହିପରି ଜଣେ ଦରଦୀ ମାନବପ୍ରେମୀ ବ୍ୟକ୍ତି ଥିଲେ ଯେ କେବେ ଗୋଟିଏ ମୁହୂର୍ତ୍ତ ନିଜପାଇଁ ନୁହେଁ, ସଂସାରର ଅଗଣିତ ନିଃସ୍ୱ, ନିଷ୍ପେଷିତ, ବଂଚିତ, ଅବହେଳିତ, ଶୋଷିତ ଓ ପ୍ରପୀଡ଼ିତ ବ୍ୟକ୍ତିମାନଙ୍କ ପାଇଁ ବଂଚିଥିଲେ । ନିଜର କ୍ଷଣଭଙ୍ଗୁର ୫୧ବର୍ଷ (୧୮୭୭-୧୯୨୮)ର ଜୀବନରେ ପଳପଳ ସେମାନଙ୍କର ସ୍ୱାସ୍ଥ୍ୟ, ସୁଖ, ସ୍ୱାଚ୍ଛନ୍ଦ୍ୟ ଓ ଉଲ୍ଲାସ ପାଇଁ ନିଜକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିଲେ । କିଏ ଆଜି ଭାବିପାରିବ ଯେ ରୋଷେଇ କରୁଥିବା ସମୟରେ ବଟାହଳଦୀରେ ବୋଳା ହୋଇଥିବା ହଳଦିଆ ହାତରେ ବାହାରକୁ ଆସିSir C.F Andrewsଙ୍କ ପରି ବ୍ୟକ୍ତିତ୍ୱଙ୍କ ସାଙ୍ଗରେ ଅଭିଶପ୍ତ ଓଡ଼ିଶାବାସୀଙ୍କ ବନ୍ୟା ସମସ୍ୟା ଓ ବନ୍ୟା ପ୍ରପୀଡ଼ିତ ଅଗଣିତ ଲୋକଙ୍କ ହୃଦୟରେ ଟିକିଏ ଆଶା ଭରସା ଓ ବଂଚିବାର ସ୍ୱାଭିମାନ ଫୁଟାଇବା ପାଇଁ ସମାନ ଚିନ୍ତାଧାରା ସହ ବିଚାର ବିମର୍ଶ ସେ କରି ପାରିଥିଲେ! ଏହା ଥିଲା ଏକ ବାସ୍ତବ ଘଟଣା, ଯାହା ଓଡ଼ିଶାର ଭୂତପୂର୍ବ ମୁଖ୍ୟମନ୍ତ୍ରୀ ଉକ୍ରଳକେଶରୀ ଡା. ହରେକୃଷ୍ଣ ମହତାବ ‘ପୁଣ୍ୟାତ୍ମା ଗୋପବନ୍ଧୁ’ ଶୀର୍ଷକ ଲେଖାରେ ଅତ୍ୟନ୍ତ ମର୍ମସ୍ପର୍ଶୀ ଆବେଗରେ ପ୍ରକାଶ କରିଛନ୍ତି ।
(୨)
ଗୋପବନ୍ଧୁଙ୍କର ସେହି ପୁଣ୍ୟଶ୍ଲୋକ ତ୍ୟାଗପୂତ କୋଟି ଜନ ସମର୍ପିତ ବ୍ୟକ୍ତିତ୍ୱ ପୂର୍ଣ୍ଣମାତ୍ରାରେ ପ୍ରତିଫଳିତ ହୋଇଛି ଧର୍ମପଦ ଗୀତିକାବ୍ୟରେ । ଏକଥା ଅତ୍ୟୁକ୍ତି ହେବ ନାହିଁ ଯେ ଧର୍ମପଦ ହିଁ ଗୋପବନ୍ଧୁ ଓ ଉକ୍ରଳମଣି ଗୋପବନ୍ଧୁ ହିଁ ଧର୍ମପଦ । ଏ ଦୁଇଗୋଟି ବ୍ୟକ୍ତିତ୍ୱ ଏକ ଓ ଅଭିନ୍ନ । ଉଭୟଙ୍କର ଜୀବନ ତ୍ୟାଗ, ସମର୍ପଣ ଓ ଆତ୍ମୋତ୍ସର୍ଗର ଏକ ପ୍ରତିବିମ୍ବ ମହାଯଜ୍ଞ ଓ ମହାକାବ୍ୟ । ଉଭୟ ସେମାନଙ୍କର ଜୀବନ ଦର୍ଶନ, ଆଚରଣ ଓ କାର୍ଯ୍ୟକଳାପ ଦ୍ୱାରା ଏକଥା ପ୍ରତିପାଦନ କରିଛନ୍ତି ଯେ ବ୍ୟକ୍ତି ସମଷ୍ଟି ବା ସମୂହ ପାଇଁ ବଂଚେ, ନିଜପାଇଁ ନୁହେଁ । ବ୍ୟକ୍ତିର ତ୍ୟାଗ ଓ ଆତ୍ମୋତ୍ସର୍ଗ ଦ୍ୱାରା ସମଷ୍ଟି ପରିପୂର୍ଣ୍ଣ, ପରିପକ୍ୱ ଓ ରୁଦ୍ଧିମନ୍ତ ହୁଏ । ସେହି ପରିପୂର୍ଣ୍ଣତା ବ୍ୟକ୍ତିପ୍ରାଣକୁ ମଧ୍ୟ ଅପାର ଆନନ୍ଦ ଉଲ୍ଲାସରେ ଭରିଦିଏ । ଏହି ଭାବନାରେ ଭରିଦିଏ ଯେ ‘ମୁଁ ଏ ଦୁନିଆକୁ ଈଶ୍ୱରଙ୍କ ଦୂତ ହିସାବରେ ଆସିଛି । ନିଜପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ଜୀବନ ଯେମିତି ସୁଖମୟ ହେବ, ସେଇ କାମଟି କରିବା ପାଇଁ ।’ (I have descended on earth as messenger of God is administer comfort and convenience to others and not to myself.)
(୩)
ଏହି ତ୍ୟାଗ ଓ ଆତ୍ମୋତ୍ସର୍ଗର ଦର୍ଶନ ଉପରେ ‘ଧର୍ମପଦ’ର ଚରିତ୍ର ଆଧାରିତ । ସେ ୧୨ବର୍ଷର ଗୋଟିଏ ବାଳୁତ ପିଲା ହୋଇପାରେ, ମାତ୍ର ଅସାଧାରଣ ମେଧାବୀ, ବୁଦ୍ଧିମାନ, ସୃଜନଶୀଳ ଓ ଜଣେ ବୟସ୍କ ଲୋକଙ୍କଠାରୁ ଅଧିକ ପରିପକ୍ୱ, ଅଧିକ ସମ୍ବେଦନଶୀଳ ଓ ଅଧିକ ଉତ୍ତରଦାୟୀ । ସେହି ଅସାଧାରଣ ବୁଦ୍ଧିମତ୍ତା, ତୀକ୍ଷ୍ମ ଅନୁସନ୍ଧିତ୍ସା ଓ କଠୋର ପରିଶ୍ରମ ଦ୍ୱାରା ଆୟତ୍ତ କରିଥିବା ଜଣେ ବାଳୁତଶିଳ୍ପୀର କୌଶଳ ପରାକାଷ୍ଠା ଓ ସୃଜନଶୀଳତା, ସାହସ ଓ ଆତ୍ମବିଶ୍ୱାସ ବଳରେ ସେ ସକ୍ଷମ ହୋଇଛି ଅତି ଅଳ୍ପ ସମୟରେ ଏପରି ଏକ ଅସ୍ୱାଭାବିକ କୃତିତ୍ୱ ହାସଲ କରିବାପାଇଁ ଯାହା ତାର ଅଗ୍ରଜ ଅନୁଭବୀ ଓ ଶିଳ୍ପକଳାରେ ଅପ୍ରତିମ ୧୨୦୦ ଉକ୍ରଳୀୟ ଶିଳ୍ପୀ ବହୁବର୍ଷର ସାଧନା ଓ ସଂଘର୍ଷ ପରେ ମଧ୍ୟ ହାସଲ କରିବାକୁ ଅସମର୍ଥ ହୋଇଛନ୍ତି ।
ଗୌରବର ବିଷୟ ଯେ ସେପରି ଆସାଧାରଣ କୃତିତ୍ୱ ହାସଲ କରିବା ପରେ ମଧ୍ୟ ‘ଧର୍ମପଦ’ ପାଖରେ ଲେଶମାତ୍ର ଗର୍ବ ନାହିଁ । ବରଂ ଅତ୍ୟନ୍ତ ବିନମ୍ରତାର ସହ ସେ ସ୍ୱୀକାର କରିଛି ଯେ ତାର ସେହି କୃତିତ୍ୱ ଅଗ୍ରଜମାନଙ୍କର ଆର୍ଶୀବାଦ ମାତ୍ର । ଅଗ୍ରଜମାନେ କଳାଶ୍ରେଷ୍ଠ ଉକ୍ରଳର ମଣି, ଗର୍ବ ଓ ଗୌରବ ଓ ଧର୍ମପଦ ସେମାନଙ୍କର ବଂଶଜ ହୋଇଥିବାରୁ ଏକ ସାଧାରଣ ସେବକ ମାତ୍ର । ଆହୁରି ଅଧିକ ଗୌରବର ବିଷୟ ଯେ ଯେତେବେଳେ ଧର୍ମପଦ ଜାଣିବାକୁ ପାଇଛି ଯେ ତାର କୃତିତ୍ୱ ଅନ୍ୟମାନଙ୍କ ମନରେ ଆନନ୍ଦ ଓ ଉଲ୍ଲାସ ପରିବର୍ତ୍ତେ ଏକ ଅହେତୁକୀ ଅସୁରକ୍ଷା, ଉଦ୍ବେଗ ଓ ଆଶଙ୍କା ଆଣିଦେଇଛି ସେ ନିଜର ସତ୍ତାକୁ ଜନସ୍ମୃତିରେ ହଜାଇ ଦେବା ପାଇଁ ଓ ନିଜର ବହୁମୂଲ୍ୟ ଜୀବନକୁ ଉତ୍ସର୍ଗ କରିବା ପଇଁ ତିଳେମାତ୍ର ଦ୍ୱିଧା ବା ସଙ୍କୋଚ ପ୍ରକାଶ କରିନାହିଁ । ତା ନିଜ ଭାଷାରେ ‘ମୁଁ ଏକୁଟିଆ ଏଠାକୁ ଆସିଛି, ମୋର ଏଠାକୁ ଆସିବା ବିଷୟରେ କେହି ଜାଣିନାହାନ୍ତି, ସେହିପରି ସମସ୍ତଙ୍କ ଦୃଷ୍ଟିର ଅଗୋଚରରେ ମୁଁ ଏକୁଟିଆ ବାହାରକୁ ଚାଲିଗଲେ ତାହା କାହାରି ଜ୍ଞାତସାର ହେବ ନାହିଁ- ନା ଉତ୍କଳାଧିପତି ଲାଙ୍ଗୁଳା ନରସିଂହ ଦେବ ନା ତାଙ୍କ ମନ୍ତ୍ରୀ ସଦାଶିବ ସାମନ୍ତରାୟ ନା ୧୨୦୦ ଉତ୍କଳୀୟ ଶିଳ୍ପୀ ।’
ଏହି ଉଚ୍ଚକୋଟୀର ଧାରଣା ଓ ଭାବନା ସହ ସେ ନିଜର ପିତା ଓ କୋଣାର୍କ ମନ୍ଦିରର ମୁଖ୍ୟ ସ୍ଥପତି ବିଶୁ ମହାରଣାଙ୍କଠାରୁ ସବୁଦିନପାଇଁ ବିଦାୟ ନେଇଛି । ରାତ୍ରିର ଶେଷ ପହରରେ ସୂର୍ଯ୍ୟଦେବଙ୍କର ରକ୍ତିମ ଛଟା କୋଣାର୍କର ଚୁଡ଼ାକୁ ସ୍ପର୍ଶକରିବା ପୂର୍ବରୁ ସେ ମନ୍ଦିର ଶୀର୍ଷରୁ ଚନ୍ଦ୍ରଭାଗା ନଦୀକୁ ଓ ବଙ୍ଗୋପସାଗରକୁ ଲମ୍ଫ ପ୍ରଦାନକରି ନିଜକୁ ଉତ୍ସର୍ଗ କରିଛି ।
(୪)
ଧର୍ମପଦ ଗୀତିକାବ୍ୟ ଏକ ନିରୀହ, ନିଷ୍ପାପ, ନିରପରାଧ, ନିଷ୍କଳଙ୍କ ଓ ସମର୍ପିତ ବାଳୁତ ଜୀବନର ଉଜ୍ୱଳଗାଥା । ଏକ ଲୋକସ୍ମୃତି ବା କିମ୍ବଦନ୍ତୀ ଉପରେ ଆଧାରିତ ଏହି କାହାଣୀକୁ ଉକ୍ରଳମଣି ଗୋପବନ୍ଧୁ ନିଜର ଅସାଧାରଣ କବିର କବିତ୍ୱ, ଗୀତିକାରର ଉଚ୍ଛଳ ଗୀତିମୟତା, ସୃଜନଶୀଳ ସାହିତ୍ୟକର ସାହିତ୍ୟିକତା , ଦିବ୍ୟଦର୍ଶୀ ଦାର୍ଶନିକର ଦାର୍ଶନିକତା ଓ ସର୍ବୋପରି ସମ୍ବେଦନଶୀଳ ମାନବବାଦୀର ଅପରିକଳ୍ପନୀୟ ମାନବବାଦ ଦ୍ୱାରା ରୁଦ୍ଧିମନ୍ତ କରିଛନ୍ତି । କାହାଣୀ ଶହେବର୍ଷର ପୁରୁଣା ହେଲେ ମଧ୍ୟ, ଏହାର ଦର୍ଶନ ଶାଶ୍ୱତ ଓ ନିତ୍ୟନୂତନ । ବିଶେଷ କରି ଗୀତିକାବ୍ୟଟି ବାତ୍ସଲ୍ୟ, ବିରହ, କରୁଣ, ଶୌର୍ଯ୍ୟ ଓ ଭକ୍ତିରସରେ ଆପ୍ଳୁତ । ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’ । ପାଠକମାନେ ଧର୍ମପଦ ଗୀତିକାବ୍ୟକୁ ଯେତେଥର ପଢ଼ିବେ ସୌନ୍ଦର୍ଯ୍ୟ, ପ୍ରାଣ ପ୍ରାଚୁର୍ଯ୍ୟ, ଗୀତିମୟ ମାଧୁରୀରେ ଭରା ଏକ ନିତ୍ୟ ନୂତନ ଦିବ୍ୟସୃଷ୍ଟି ଭାବେ ଏହା ତାଙ୍କ ପାଖରେ ଠିଆହେବା । ଏହ ଏକ କାଳଜୟୀ ବିଲକ୍ଷଣ କଳାକୃତି ଯାହାର କୌଣସି ପଟାନ୍ତର ନାହିଁ । ସରଳ ଓ ସାବଲୀଳ ଭାଷା, ହୃଦୟସ୍ପର୍ଶୀ ବିଷୟବସ୍ତୁ, ଗୀତିକାବ୍ୟର ମୁଖ୍ୟ ଚରିତ୍ରର ଚାରିତ୍ରିକ ସୌନ୍ଦର୍ଯ୍ୟ ଓ ଉକ୍ରର୍ଷ ଓ ବହୁ ପିଢ଼ିପାଇଁ ତ୍ୟାଗ ଓ ଆତ୍ମୋତ୍ସର୍ଗର ସର୍ବୋକ୍ରୃଷ୍ଟ ଉଦାହରଣ-ଏ ସମସ୍ତ ଧର୍ମପଦ ଗୀତିକାବ୍ୟକୁ ଏକ ଅତି ଉଚ୍ଚସ୍ତରକୁ ଉନ୍ନୀତ କରିଅଛି ।
ଅତ୍ୟନ୍ତ ବିନମ୍ରତାର ସହ ମୁଁ ଏଠାରେ କହିବାକୁ ଚାହେଁ ଯେ ମୁଁ ନା କବି ନା ସାହିତ୍ୟିକ ନା କଳାକାର ନା ଏକ କୁଶଳୀ ଅନୁସୃଜକ । ଏ ସମସ୍ତ ହେବାପାଇଁ ମୋର କେବେ ପରିକଳ୍ପନା ବା ମହତ୍ତ୍ୱାକାଂକ୍ଷା ନଥିଲା ବା ଆଜି ଅଛି । ଅନ୍ତରଆତ୍ମାର ନିର୍ଦ୍ଦେଶରେ ଧର୍ମପଦର ଜୀବନ ଓ ଦର୍ଶନକୁ ଓଡ଼ିଆ ଜାଣିନଥିବା ପାଠକ ଓ ସୁଧୀବୃନ୍ଦଙ୍କ ଆଗରେ ପରିବେଷଣ କରିବା ପାଇଁ ମୋର ଧୃଷ୍ଟତା ଏକ ବିନମ୍ର ପ୍ରୟାସଭାବେ ମାର୍ଜନୀୟ ଓ କ୍ଷମଣୀୟ ।

(ଖ୍ୟାତନାମା ପୂର୍ବତନ ପ୍ରଶାସକ ଲେଖକ ଓ ଆମ ସମୟର ଜଣେ ଶ୍ରେଷ୍ଠ ମଣିଷ ଡଃ ମିଶ୍ରଙ୍କ ‘ଧର୍ମପଦ’ ଇଂରାଜୀ ଅନୁବାଦର ଲୋକାର୍ପଣ ମାର୍ଚ୍ଚ ୧୪, ୨୦୨୩ ଦିନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇ ସାରିଛି)

ଡଃ ଲକ୍ଷ୍ମୀଧର ମିଶ୍ର

Comments

0 comments

Share This Article