୧୯୪୮ ମସିହା ଜାନୁଆରୀ ମାସ ଏକ ତାରିଖ ତତ୍କାଳୀନ ଗାଙ୍ଗପୁର ଓ ବଣାଇଗଡ଼ ଦୁଇଟି ଗଡ଼ଜାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ଗଠନ କରାଯାଇଥିଲା । ଦୁଇ ତୃତୀୟାଂଶରୁ ଅଧିକ ତଫସିଲଭୁକ୍ତ ଜାତି ଓ ଜନଜାତି ବସବାସ କରୁଥିବା ଉକ୍ତ ଜିଲ୍ଲା ଏକ କୃଷିପ୍ରଧାନ ଜିଲ୍ଲା ଭାବରେ ଗଣନା କରାଯାଉଥିଲା । ଆଜି କିନ୍ତୁ ଚୂନପଥର, ଡୋଲାମାଇଟ୍, ଅଭ୍ର, ଲୁହାପଥର, କୋଇଲା, ଇତ୍ୟାଦି ଖଣିଜ ଧାତବ ପଦାର୍ଥ ନେଇ ଉକ୍ତ ଜିଲ୍ଲା ଏକ ଶିଳ୍ପସମୃଦ୍ଧ ଜିଲ୍ଲାରେ ପରିଣତ ହୋଇଛି । ଏପରିକି ସ୍ୱାଧୀନତା ପୂର୍ବରୁ ୧୮୯୦ ମସିହାରୁ ବେଙ୍ଗଲ ନାଗପୁର ରେଳ ଲାଇନ୍ ଗାଙ୍ଗପୁର ରାଜ୍ୟ ମଧ୍ୟ ଦେଇ ଯାଇଥିବାରୁ ୧୮୯୮ ମସିହାରୁ ଇ.ଜି. ବରଟନ ନାମକ ଇଂରେଜ ପଥର କାରଖାନା ବସାଇଥିଲେ । ପରବର୍ତ୍ତୀ ସମୟରେ ମେସର୍ସ ବିଶ୍ରା ଲାଇମଷ୍ଟୋନ୍ କମ୍ପାନୀ, ଟାଟା ଲୌହ ଓ ଇସ୍ପାତ କମ୍ପାନୀ ଲାଇମଷ୍ଟୋନ ଓ ଡୋଲାମାଇଟ ଖୋଳିବା ଆରମ୍ଭ କରିଥିଲେ । ଉକ୍ତ ଖଣିଖନନ ଓ ଶିଳ୍ପାୟନ ସ୍ୱାଧୀନତା ପରବର୍ତ୍ତୀ ସମୟରେ ତ୍ୱରାନ୍ୱିତ ହୋଇଥିଲା ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାରେ । ଶିଳ୍ପାୟନ, ଖଣିଖନନ, ନଦୀବନ୍ଧ ଯୋଜନା, ରାସ୍ତାଘାଟ, ରେଳଲାଇନ ଆଦିକୁ ବିକାଶର ମାପକାଠି ଭାବରେ ଗଣନା କରାଯାଉଛି । କିନ୍ତୁ ଉକ୍ତ ବିକାଶ ପଦ୍ଧତିର ଅନ୍ୟ ଏକ ଦିଗ ରହିଛି ବିସ୍ଥାପନ; ଯାହାକି ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଭିଟାମାଟିରୁ ଉଚ୍ଛେଦ କରିଥାଏ ଓ ବିସ୍ଥାପିତମାନେ ନିଜର ପରିଚୟ ହଜାଇ ନିଜ ରାଜ୍ୟରେ ଯାଯାବର ଜୀବନ ପରିଚୟ ହଜାଇ ନିଜ ରାଜ୍ୟରେ ଯାଯାବର ଜୀବନ ବିତାଇବାକୁ ବାଧ୍ୟ ହୁଅନ୍ତି । ସେମାନେ ଭୂମିହୀନ, ବାସହୀନ ଓ ବେକାରୀ, ବିଷାଦଗ୍ରସ୍ତ ଓ ଅନିଶ୍ଚିତତା ଦେଇ ଗତି କରିଥାନ୍ତି । ଏହାର ପ୍ରମାଣ ଆମ୍ଭେମାନେ ୨୦୧୮ ମସିହା ଅଗଷ୍ଟ ୫ ତାରିଖରେ ରାଉରକେଲାଠାରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ବିକାଶ ପ୍ରବର୍ତ୍ତିତ ପ୍ରକଳ୍ପଗୁଡ଼ିକରୁ ବିସ୍ଥାପିତ ହୋଇଥିବା ଜନସାଧାରଣଙ୍କର ଏକ ଜନଶୁଣାଣୀରୁ ଏ ବିଷୟ ଜାଣିବାକୁ ପାଇଥିଲୁ । କଳକାରଖାନା ଓ ଖଣି ଖନନରୁ ବିସ୍ଥାପିତ ହୋଇ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ସେମାନେ ପ୍ରକଳ୍ପ ବାସହୀନ ସର୍ବସାଧାରଣ ସମ୍ପତ୍ତିରୁ ବଞ୍ଚିତ, ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ହୋଇଛନ୍ତି ଓ ସରକାର ତଥା ପ୍ରକଳ୍ପ କର୍ତ୍ତୃପକ୍ଷ କିପରି ଉଦାସୀନ ମନୋଭାବ ପୋଷଣ କରୁଛନ୍ତି, ସେ ସବୁ ବିଚାରକମଣ୍ଡଳୀ ଆଗରେ ତଥ୍ୟପ୍ରମାଣ ସହିତ ଉପସ୍ଥାପନ କରିଥିଲେ ।
କାରଖାନାରୁ ଚାକିରୀ, ସରକାରଙ୍କଠାରୁ ଜମି ଓ ନ୍ୟାୟାଳୟରୁ ନ୍ୟାୟ ଅପେକ୍ଷାରେ ଇସ୍ପାତ କାରଖାନା ବିସ୍ଥାପିତ।
୧୯୫୬ ମସିହାରେ ଜର୍ମାନ ସରକାରଙ୍କର ସହାୟତାରେ ରାଉରକେଲାଠାରେ ଓଡ଼ିଶାର ପ୍ରଥମ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ସ୍ଥାପିତ ହେଲା । ଏଥି ନିମନ୍ତେ ପ୍ରାୟ ୩୩ ହଜାର ଏକର ଜମି ଅଧିଗ୍ରହଣ କରାଯାଇଥିଲା । ୩୨ଖଣ୍ଡ ଗାଁର ପ୍ରାୟ ୨୪୬୫ଟି ପରିବାର ଏଥି ନିମନ୍ତେ ବିସ୍ଥାପିତ ହୋଇଥିଲେ । ବିସ୍ଥାପିତମାନେ ମୁଖ୍ୟତଃ ଶବର, ମୁଣ୍ଡା, ଭୂଆଁ, ଓରାମ ଆଦି ତଫସିଲଭୁକ୍ତ ଜନଜାତି ଶ୍ରେଣୀ ଥିଲେ । ବିସ୍ଥାପିତମାନଙ୍କୁ ସରକାର ଘର ବଦଳରେ ଘର ଚାଷ ଜମି ବଦଳରେ ଚାଷଜମି ଓ କାରଖାନାରେ ଚାକିରୀ ଦେବା ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ । ସରକାର ଓ କାରଖାନା କର୍ତ୍ତୃପକ୍ଷ ଅଳ୍ପ କିଛି ଲୋକଙ୍କୁ କାରଖାନାରେ ଚାକିରି ଓ ଜମି ଓ ଘରଡିହ ଦେଇ ଅନ୍ୟମାନଙ୍କୁ ସେଥିରୁ ବଞ୍ଚିତ କଲେ । ବିଡ଼ମ୍ବନାର ବିଷୟ ଯେ ପରବର୍ତ୍ତୀ ସମୟରେ ଇସ୍ପାତ କାରଖାନା କର୍ତ୍ତୃପକ୍ଷ ପ୍ରାୟ ୧୯ହଜାର ଜମି କାର୍ଯ୍ୟରେ ଲଗାଇ ବାକି ୧୪ ହଜାର ଏକର ଜମିକୁ ୧୯୯୩ ମସିହାର ଓଡ଼ିଶା ସରକାରଙ୍କୁ ଫେରାଇ ଦେଇଥିଲେ । ଭୂ ଅଧିଗ୍ରହଣ କରାଯାଉଛି ସେହି ଉଦେଶ୍ୟରେ ବ୍ୟବହାର କରାନଯାଏ, ତେବେ ତାହା ସ୍ୱାର୍ଥ ଭୂ-ଅଧିକାରୀଙ୍କୁ ଫେରସ୍ତ କରାଯିବା କଥା କିନ୍ତୁ ଓଡ଼ିଶା ସରକାର ଉକ୍ତ ଜମିକୁ ମୂଳ ଅଧିବାସୀମାନଙ୍କୁ ଫେରସ୍ତ ନ କରି ଇଞ୍ଜିନିୟରିଂ କଲେଜ ଦକ୍ଷିଣପୂର୍ବ ରେଲୱେ ୟାର୍ଡ, ବାସନ୍ତୀ କଲୋନୀ, ଛେଣ୍ଡ୍ କଲୋନୀ, କୋଏଲ ନଗର, କଳିଙ୍ଗବିହାର, ଦୁର୍ଗାପୁର, ବାଲିପାଟ, ଶକ୍ତିନଗର, ଏଲ୍.ଆଇ.ସି.ପରି ଗୃହ ନିର୍ମାଣ ସଂସ୍ଥା ବସ୍ତିଆ ମେମୋରିଆଲ, ଆଦର୍ଶ ପାଠଗାର, ଶ୍ରୀ ଅରବିନ୍ଦ ଯୋଗ ମନ୍ଦିର, ବିବେକାନନ୍ଦ ଶିକ୍ଷା ସଂସ୍ଥା, ସତ୍ୟସାଇ, ସେବା ସଦନ, ହନୁମାନ ବାଟିକା ଆଦିକୁ ବାଣ୍ଟି ଦେଲେ । କେବଳ ସେତିକି ନୁହଁ ରାଉରକେଲା ଡେଭଲପ୍ମେଣ୍ଟ ଅଥରିଟି କେତେକ ଜମିକୁ ବଡ଼ବଡ଼ ବ୍ୟବସାୟୀ ଅମଲାତନ୍ତ୍ରୀ, ଶିଳ୍ପପତି, ରାଜନେତା ଆଦିମାନଙ୍କୁ …. ବିକ୍ରି, ନିଲାମ, ଆବଣ୍ଟନ ସୂତ୍ରରେ ବାଣ୍ଟି ନେଲେ । ତେଣୁ ଆଜି ରାଉରକେଲା ସ୍ମାର୍ଟ ସିଟି ଦାନାରେ ଯେଉଁ ଇସ୍ପାତନଗରୀ ଗଢ଼ି ଉଠିଛି ତାହା ଦିନେ ଏହି ଆଦିବାସୀ ଓ ଦଳିତମାନଙ୍କର ଆବାସସ୍ଥଳୀ ଥିଲା । କିନ୍ତୁ ଆଜି ସେମାନେ ସେମାନଙ୍କର ଭିଟାମାଟିର ବିତାଡ଼ିତ ହୋଇ ଭାଷା, କଳା, ସଂସ୍କୃତିକୁ ହରାଇ ବିଭିନ୍ନ ପୁନଃ ଥଇଥାନ କଲୋନୀମାନଙ୍କରେ କିମ୍ବା ସହର ତଳି ଅଞ୍ଚଳରେ ଅତି ଦୀନହୀନ ଭାବରେ ସମୟ ବିତାଇ ଅଛନ୍ତି ।
ଲେଥା ତିର୍କିଙ୍କ କହିବା ଅନୁସାରେ ସେ ଜଣେ ରାଉରକେଲା ଇସ୍ପାତ କମ୍ପାନୀ ଦ୍ୱାରା ବିସ୍ଥାପିତ ପରିବାରର ହୋଇଥିଲେ ମଧ୍ୟ ତାଙ୍କ ପରିବାରର କାହାରିକୁ ଚାକିରୀ ମିଳି ନାହିଁ କି ଜମି ବଦଳରେ ଜମି ମିଳିନାହିଁ । ସେ ଆହୁରି ମଧ୍ୟ କହନ୍ତି ଯେ ଝିରପାଣି ଆର.ଏସ୍.କଲୋନୀ ବାସିନ୍ଦାମାନେ ବିସ୍ଥାପିତମାନଙ୍କର ପରିବର୍ଦ୍ଧିତ ପରିବାରବର୍ଗଙ୍କୁ (Extended family) ଘରଡିହ ଦେବା ନିମନ୍ତେ ଭାରତର ଉଚ୍ଚତମ ନ୍ୟାୟାଳୟରେ ମକଦ୍ଦମା କରିଥିଲେ । ଉକ୍ତ ମକଦ୍ଦମାର ରାୟ ୧୯୯୫ ମସିହାରେ ପ୍ରକାଶ ପାଇଥିଲା ଓ ଏଥିରେ ଝିରପାଣି ଆର୍. ଏସ୍. କଲୋନୀର ପରିବର୍ଦ୍ଧିତ ପରିବାରଙ୍କୁ ୧୭୧.୦୫ ଏକର ଜମିରେ ଥଇଥାନ କରାଯିବ । ଏଥିନିମନ୍ତେ ଇସ୍ପାତ କର୍ତ୍ତୃପକ୍ଷଙ୍କୁ ଜାଗା ସମତଳ କରିବାକୁ ଦାୟିତ୍ୱ ଦିଆଯାଇଥିଲା ଓ ଓଡ଼ିଶା ସରକାରଙ୍କୁ ଉକ୍ତ ସମତଳ ଜମିକୁ ଭାଗ ଭାଗ କରି ପରିବର୍ଦ୍ଧିତ ପରିବାରବର୍ଗଙ୍କୁ ମଧ୍ୟରେ ବଣ୍ଟନ କରିବ । କିନ୍ତୁ ସରକାର ଉକ୍ତ ଜମିକୁ ରାଉରକେଲା ଡ଼େଭଲପମେଣ୍ଟ ଅଥରିଟିକୁ ଦେଇଛନ୍ତି । ତେଣୁ ଦେଖାଯାଇଛି ଯେ କୋର୍ଟ କଚେରୀର ନିର୍ଦେଶ ମଧ୍ୟ ସରକାର କାର୍ଯ୍ୟକାରୀ କରିବାକୁ ନାରାଜ ।
ପୂର୍ବତନ ବିଧାୟକ ହାଲୁ ମୁଣ୍ଡାରୀ ନିଜେ ଜଣେ ବିସ୍ଥାପିତ ଓ ସେ ବିଚାରକ ମଣ୍ଡଳୀଙ୍କ ଆଗରେ ତାଙ୍କର ୧୭ଏକର ଜମି ଇସ୍ପାତ କାରଖାନା ଯୋଗୁଁ ହରାଇ ଥିଲେ ମଧ୍ୟ କେବଳ ୨୦ x ୪୦ ଫୁଟର ଏକ ଘରଡିହ ପାଇଥିଲେ ବୋଲି କହିଥିଲେ । ସେ ଦାବୀ କରନ୍ତି ଯେ ଥଇଥାନ କଲୋନୀମାନଙ୍କରେ ବାସ କରୁଥିବା ବିସ୍ଥାପିତମାନଙ୍କୁ ସେମାନଙ୍କର ଘରଡିହ ପଟ୍ଟା ଦିଆଯାଇ ଏବଂ ପରିବର୍ଦ୍ଧିତ ପରିବାରବର୍ଗଙ୍କୁ ଘର ଡିହ ଯୋଗାଇ ଦିଆଯାଉ । ଜମି ବଦଳରେ ଜମି ଓ ଚାକିରୀ ଦିଆଯାଉ । ବିସ୍ଥାପିତ କଲୋନୀମାନଙ୍କରେ ବାସ କରୁଥିବା ଅଣବିସ୍ଥାପିତମାନଙ୍କୁ ବାହାର କରାଯାଉ ଓ ଅଣବ୍ୟବହୃତ ସ୍ଥାନ ମୂଳ ବାସିନ୍ଦାମାନଙ୍କୁ ଫେରସ୍ତ ଦିଆଯାଉ ।
ଥମାସ ଟପ୍ପୋ ବିଚାରକମଣ୍ଡଳୀ ଆଗରେ ଅଭିଯୋଗରେ କହିଥିଲେ ଯେ ଜମିକୁ ଅଧିଗ୍ରହଣ କରିଥିଲେ ମଧ୍ୟ ତାହା ଅବ୍ୟହୃତ ହୋଇ ରହିଥିଲେ ମଧ୍ୟ ତାଙ୍କୁ ଫେରସ୍ତ ଦିଆ ଯାଇନଥିଲା । ଅଧିକନ୍ତୁ ଉକ୍ତ ଜମିକୁ ପଦ୍ମନାଭ ଇଞ୍ଜନିୟରିଂ କଲେଜକୁ ଦୀର୍ଘଦିନ ଲିଜସୂତ୍ରରେ ଦେଇ ଥିବାରୁ ସେ ରାଉରକେଲା ସିଭିଲ କୋର୍ଟ, ଓଡ଼ିଶାର ଉଚ୍ଚ ନ୍ୟାୟାଳୟ, ଏପରିକି ଭାରତର ଉଚ୍ଚତମ ନ୍ୟାୟାଳୟକୁ ବାରମ୍ବାର ଦୌଡ଼ୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେ ଜମି ଫେରସ୍ତ ପାଇ ପାରିନାହାନ୍ତି । ତେଣୁ ଯେ ଦାବୀ କରନ୍ତି ଯେ ତାଙ୍କ ଜମି ତାଙ୍କୁ ଫେରସ୍ତ କରାଯାଉ । ଏହିପରି ଭାବରେ ଦେଶର ବିକାଶରେ ଯୋଗଦେବା କରି ସୁନ୍ଦରଗଡ଼ ଜିଲ୍ଲାର ନିରୀହ ଆଦିବାସୀ ବାସ୍ତୁହରାମାନେ କୋର୍ଟକଚେରୀ ଓ ପୋଲିସର ସାମ୍ନା କରୁଛନ୍ତି ।
ବିମଳ ବାନାର୍ଜୀ, ନିରଞ୍ଜନ ନାୟକ, ଆଲୋକ ମହାନ୍ତି, ନାଛୁ ଓରାମ୍ ବିଚାରକମଣ୍ଡଳୀଙ୍କ ସମ୍ମୁଖରେ ରାଉରକେଲା ଇସ୍ପାତ କାରାଖାନା ତରଫରୁ ଯେଉଁ ପୁନଃବାସ ଓ ଥଇଥାନା କଲୋନୀ ସବୁ କରାଯାଇଛି । ସେଗୁଡ଼ିକର ଶିକ୍ଷା, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ ପ୍ରତି ସରକାର ନଜର ଦେଉ ନଥିବା ଅଭିଯୋଗ କରିଥିଲେ ।
ଶଙ୍ଖନଦୀ ଉପରେ ୧୯୫୭ ମସିହାରେ ରାଉରକେଲା ଇସ୍ପାତ କାରଖାନାକୁ ଜଳଯୋଗାଣ ନିମନ୍ତେ ମନ୍ଦିରା ବନ୍ଧ ନିର୍ମାଣ କରାଗଲା । ଉକ୍ତ ବନ୍ଧ ଯଦିଓ ୩୭ଟି ଗ୍ରାମରୁ ୨୪୦୦ ପରିବାରକୁ ବିସ୍ଥାପିତ କରିଥିଲା , ସରକାରୀ ଭାବରେ କେବଳ ମାତ୍ର ୧୧୯୨ ପରିବାର ବିସ୍ଥାପିତ ହୋଇଥିବା କଥା ଉଲ୍ଲେଖ ରହିଛି ଓ ସେମାନଙ୍କ ମଧ୍ୟରୁ ୮୪୩ଟି ପରିବାରକୁ ଥଇଥାନ କରାଯାଇଛି । ସମଲେଇ ମୁଣ୍ଡା ଗ୍ରାମରେ ସମସ୍ତ ଜମି ଅଧିଗ୍ରହଣ କରାଯାଇ ଥିଲେ ମଧ୍ୟ କର୍ତ୍ତୃପକ୍ଷ ସେମାନଙ୍କୁ ଥଇଥାନ ନ କରିବାରୁ ୨୦୦୪ ମସିହାରେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ କୋର୍ଟର ମାହାର୍ଘ୍ୟ ଲୋଡ଼ିଛନ୍ତି ।
୧୯୪୮ ମସିହାରେ ଓଡ଼ିଶା ସିମେଣ୍ଟ ଲିମିଟେଡ଼୍ ରାଜଗାଙ୍ଗପୁରଠାରେ ଏକ ସିମେଣ୍ଟ କାରଖାନା ବସାଇଥିଲେ । ଏହାର କଞ୍ଚମାଲ ଲାଞ୍ଜିବେଂଟା ଲାଇମଷ୍ଟୋନ ଓ ଡୋଲାମାଇଟ ଖଣିରୁ ଆସିଥାଏ । ଉକ୍ତ ଲାଇମଷ୍ଟୋନ ବାର୍ଷିକ ୪.୨ନିୟୁତ ଟନରୁ ୯.୫ନିୟୁତ ଟନ ଓ ଡୋଲାମାଇଟ ୦.୦୮ ନିୟୁତ ଟନରୁ ୧୭.୦ ନିୟୁତ ଟନକୁ ବୃଦ୍ଧି କରିବା ନିମନ୍ତେ ଭାରତ ସରକାରଙ୍କର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପରିବେଶୀୟ ମଞ୍ଜୁରୀ ଦେବା ନିମନ୍ତେ ଆବଶ୍ୟକ ପଡ଼ୁଥିବା ସର୍ବସାଧାରଣ ଶୁଣାଣୀ ନିମନ୍ତେ ଓଡ଼ିଶା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ଦାୟିତ୍ୱ ଦେଇଛନ୍ତି । ଉକ୍ତ ଖଣି ଅଞ୍ଚଳ ରାଜଗାଙ୍ଗପୁରର କୁତ୍ରା ତହସିଲି ଅନ୍ତର୍ଗତ ୭୩ ହେକ୍ଟର ଅଞ୍ଚଳରେ ପରିବ୍ୟାପ୍ତ । ଏବେ ସିମେଣ୍ଟ କାରଖାନା ଓ ଖଣି ଅଞ୍ଚଳ ସଂପ୍ରସାରଣ ନିମନ୍ତେ ବହିବନ୍ଧ ଓ କୁଲୁତା ଗ୍ରାମରୁ ୨୩୧ ଏକର ଜମି ଅଧିଗ୍ରହଣର ପ୍ରସ୍ତାବ ରହିଛି । ଅକ୍ଟୋବର ୩ ତାରିଖ ୨୦୧୮ ଦିନ ଓଡ଼ିଶା ପ୍ରଦୂଷଣ ବୋର୍ଡ଼ କର୍ତ୍ତୃପକ୍ଷ ସ୍ଥାନୀୟ ଲୋକଙ୍କ ବାରଣ ସତ୍ତ୍ୱେ କଟାଙ୍କ, ଲାଜିବେର୍ଣ୍ଣା, ଲାଇଡ଼ିବା ଗ୍ରାମର କିଛି ଖଣି ସମର୍ଥକଙ୍କୁ ନେଇ ଜନ ଶୁଣାଣୀ କରିବାରେ ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ କର୍ତ୍ତୃପକ୍ଷ ବାଧ୍ୟ ହୋଇ ଜନଶୁଣାଣୀକୁ ବାତିଲ କରିଛନ୍ତି । ଲୋକଙ୍କ ଅଭିଯୋଗ ହେଲା ଯେ ଖଣି କର୍ତ୍ତୁପକ୍ଷ ଖଣି ଅଞ୍ଚଳରେ ଜନ ଶୁଣାଣୀ ନ କରି ଖଣି ବାହାର ଅଞ୍ଚଳରେ କରୁଛନ୍ତି । ଖଣିର ବ୍ଲାଷ୍ଟିଙ୍ଗ ହୋଇ ପଥର ପଯାଇଲ ବେଳେ ଲୋକମାନଙ୍କ ଘର ଫାଟି ଯାଉଛି ଓ କର୍ତ୍ତୃପକ୍ଷ ଖଣି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କରୁନାହାନ୍ତି । ଲିଟୁ ଜଞ୍ଜ, କେଦାର ମୁଣ୍ଡାରୀ, ଲେଖା ତିର୍କୀ ଖଣି ଅଞ୍ଚଳରେ ପରିବେଶ ପ୍ରଦୂଷଣଜନିତ ରୋଗରେ ପୀଡ଼ିତଙ୍କ ଦୁର୍ଦ୍ଦଶା ଓ ଶିକ୍ଷା ସ୍ୱାସ୍ଥ୍ୟ ନେଇ ଅବହେଳା କରାଯାଇଥିବାରୁ ସେମାନେ ଖଣି ନିମନ୍ତେ ସିମେଣ୍ଟ କାରଖାନାକୁ ଆଉ ଜମି ଦେବେ ନାହିଁ ବୋଲି କହିଥିଲେ ।
୧୯୬୦ ମସିହାରେ ଓଡ଼ିଶା ସରକାର ବଣ୍ଡାମୁଣ୍ଡାଠାରେ ଉତ୍ତରପୂର୍ବ ରେଳବାଇର ଇସ୍ପାତ କାରଖାନା ନିମନ୍ତେ ରେଲୱେ ୟାର୍ଡ଼ ତିଆରି ନିମନ୍ତେ ୨୨୦୦ ଏକର ଜମି ଅଧିଗ୍ରହଣ କରିଥିଲେ । ଉକ୍ତ ଜମିରୁ ୧୧ଟି ଗ୍ରାମର ଜମି ଅଧିଗ୍ରହଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ରେଳବାଇ କେବଳ ୩୫୦ ଏକର ଜମି ଅଧିଗ୍ରହଣ କରିଥିଲେ ଓ ବାକି ଜମି ଓଡ଼ିଶା ସରକାରଙ୍କୁ ଫେରାଇ ଦେଇଥିଲେ । ତେବେ ଓଡ଼ିଶା ସରକାର ସେ ଜମି ମୂଳ ଜମି ମାଲିକମାନଙ୍କୁ ନ ଫେରାଇବାରୁ ବିସ୍ଥାପିତମାନେ ୨୦୦୬ ମସିହାରେ ରେଳରୋକ ଆନ୍ଦୋଳନ କରିଥିଲେ । ୨୦୦୬ ମସିହା ଜାନୁଆରୀ ୧୧ ତାରିଖରେ ଆଞ୍ଚଳିକ ସୁରକ୍ଷା ସମିତି ଓ ରାଉରକେଲା ଲୋକାଲ ଡିସ୍ପ୍ଲେସଡ଼ ଏସୋସିଏସନ୍ ଓ ସମ୍ବଲପୁର ରେଭେନୁ୍ୟ ଡିଭିଜନ କମିଶନଙ୍କ ମଧ୍ୟରେ ଯେଉଁ ବୁଝାମଣା ହୋଇଥିଲା, ସେଥିରେ ଓଡ଼ିଶା ସରକାର ରିସେଟଲମେଣ୍ଟ କଲୋନୀମାନଙ୍କରେ ବାସ କରୁଥିବା ବିସ୍ଥାପିତମାନଙ୍କୁ ଘରଡିହର ପଟ୍ଟା ଥିବା ଖଣି ବ୍ୟବହୃତ ଜମିକୁ ମୂଳବାସିନ୍ଦାମାନଙ୍କୁ ଫେରସ୍ତ ଦେବା, ବିସ୍ଥାପିତମାନଙ୍କ ଯୋଗ୍ୟତା ଅନୁସାରେ ଚାକିରୀ ଦେବା, ରେଳୱେରେ ଜମି ହରାଇଥିବା ଲୋକଙ୍କୁ ରେଳ ବିଭାଗରେ ଚାକିରୀ ଦେବା ଆଦି ବିଷୟ ସ୍ଥାନ ପାଇଥିଲା । କିନ୍ତୁ ସରକାର ଉପରୋକ୍ତ ପ୍ରତିଶ୍ରୁତି ରକ୍ଷା କରି ନଥିଲେ । ଉକ୍ତ ବିଷୟ ଜାତୀୟ ଅନୁସୂଚିତ ଜନଜାତି ଆୟୋଗଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା । ଫଳରେ ଆୟୋଗ ୨୦୧୮ ମସିହା ଜୁନ ୫ ତାରିଖରେ ଓଡ଼ିଶା ସରକାର ଓ ରେଲୱେ ବୋର୍ଡ଼କୁ (୧) ବିସ୍ଥାପିତ ଜନଜାତିଙ୍କୁ ଅତି କମରେ ୫ ଏକର ଅଣଜଳସେଚିତ ଜମି କିମ୍ବା ୨ଏକର ଜଳସେଚିତ ଜମି ଦେବାକୁ (୨) ବିସ୍ଥାପିତମାନଙ୍କୁ ଥଇଥାନ ନ ହେବା ପର୍ଯ୍ୟନ୍ତ ଅବ୍ୟବହୃତ ଜମିରୁ ବିତାଡ଼ିତ ନ କରିବା । (୩) ରେଲୱେ ନିଜର ପ୍ରତିଶ୍ରୁତି ପାଳନ କରି ବିସ୍ଥାପିତମାନଙ୍କୁ ରେଲୱେରେ ଚାକିରୀ ଦେବାକୁ ନିର୍ଦେଶ ଦେଇଥିଲେ ।
ବିଚାରକ ମଣ୍ଡଳୀଙ୍କ ଆଗରେ ବଣ୍ଡୋମୁଣ୍ଡା ରେଲୱେ ୟାଡ଼ ବିସ୍ଥାପିତ ହୋଇଥିବା ରବି ନାରାୟଣ ମାଝୀ, କ୍ଷୀରୋଦ ଚନ୍ଦ୍ର ମହନ୍ତ, ମଙ୍ଗୁଳୁ ଓରାମ, ଜହୁରୁ କୁଜୁର ତଥ୍ୟ ରଖିଥିଲେ ଯେ ରାଉରକେଲା ଇସ୍ପାତ ଓ ରେଲୱେ କର୍ତ୍ତୃପକ୍ଷ ପରସ୍ପର ପ୍ରତି ବୋଷରୋଷ କରି ବିସ୍ତାପିତମାନଙ୍କୁ ଥଇଥାନ କରୁ ନାହାନ୍ତି, ଘର ଡିହ ପଟ୍ଟା ଦେଉନାହାନ୍ତି କାରଖାନା କିମ୍ବା ରେଲୱେରେ ଚାକିରୀ ଦେଉନାହାନ୍ତି । ସେମାନେ ଅବ୍ୟବହୃତ ଜମି ଫେରି ପାଇବା କିମ୍ବା ପୁରୁଷନୁକ୍ରମେ ଇସ୍ପାତ କାରଖାନା କିମ୍ବା ରେଲୱେରେ ଚାକିରୀ ନିମନ୍ତେ ଦାବୀ ରଖିଥିଲେ ।
କୋଇଡ଼ା ଥାନା ଅଧୀନରେ ଥିବା କମଣ୍ଡ ଗାଁ ନିକଟରେ ରୁଙ୍ଗଯା କମ୍ପାନୀର ଖଣି ଅଞ୍ଚଳ ରହିଛି । କମଣ୍ଡ ଗ୍ରାମ ୨୩୩ଟି ପରିବାର ଓ ୧୦୮୧ ଜନ ସଂଖ୍ୟା ବିଶିଷ୍ଟ ଏକ ଗ୍ରାମ ଯେଉଁଠାରେ କି ଅଧାରୁ ଅଧିକ ଭୂଇଁଆ ଓ ମୁଣ୍ଡା ଶ୍ରେଣୀର ଭୁକ୍ତ ଗ୍ରାମରେ ୧୦୧୫ ଏକର ସାମୂହିକ ଜମି ଓ ୭୫୮ ଏକର ପଟ୍ଟା ଜମି ରହିଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ୨୦୦୯ ମସିହା ଡିସେମ୍ବର ୧୧ ତାରିଖରେ ରୁଙ୍ଗଟା କମ୍ପାନୀ ବାହାରୁ ୧୦୦ ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଆଣି ଗ୍ରାମ ସଭା କରିଥିଲା । ଗଆମର ମାତ୍ର ୩୦୦ ଜଣ ସଭ୍ୟ ଉକ୍ତ ସଭାରେ ଉପସ୍ଥିତ ଥିଲେ । କିନ୍ତୁ ଲୋକଙ୍କ ଠାରୁ ଜୋର ଜବରଦସ୍ତ କରି ରିଜୋଲୁସନରେ ଦସ୍ତଖତ କରାଇ ନିଆଯାଇଥିଲା । ତେଣୁ ଗ୍ରାମବାସୀ ସେହି ଗ୍ରାମ ସଭାକୁ ସ୍ୱୀକୃତି ଦେଉନାହାନ୍ତି । ଗ୍ରାମର ବିନୋଦ ନାୟକଙ୍କ କହିବା ଅନୁସାରେ କଂପାନୀ ବିନା ଅନୁମତିରେ ଗ୍ରାମବାସୀଙ୍କ ଚାଷଜମି ସମେତ କେତେକ ସାମୂହିକ ଜମି ଉପରେ ପ୍ରଚୀର ନିର୍ମାଣ କରିଛି ଓ ପ୍ରତିବାଦ କରୁଥବା ସ୍ତ୍ରୀ ପରୁଷମାନଙ୍କୁ ମିଥ୍ୟା କେଶ ଲଗାଇ ଜେଲ ପଠାଇଦେଇଛି । ରୁଙ୍ଗଟା କମ୍ପାନୀର ପ୍ରଭାବରେ କମର୍ଡ, କୁଲା କୁସୁମଡିହି, ହରିଶ୍ଚନ୍ଦ୍ରପୁର ଗାଁର ପ୍ରତୁଷଣର ଶିକାର ହୋଇଛନ୍ତି ।
ଲହୁଣିପଡ଼ା ଥାନା ଅଧୀନରେ ଥିବା ଟଣ୍ଟବାହାଳ ଗ୍ରାମର ଶ୍ରୀ କେଦାର ନାଥ ମୁଣ୍ଡାରି ବିଚାରକ ମଣ୍ଡଳିଙ୍କ ଆଗରେ ଓଡ଼ିଶା ମାଇନିଙ୍ଗ କର୍ପୋରେସନ୍ ଖଣ୍ଡାଧାର ଅଞ୍ଚଳରେ ଖଣି ଖୋଳିବା ଦ୍ୱାରା ଗ୍ରାମମାନେ ପ୍ରଭାବିତ ହେଉଥିବା ନେଇ କହିଥିଲେ ଯେ ଓ ଓ.ସି.ସି (OCC) ପ୍ରଭାବିତ ଗ୍ରାମ ଗୁଡ଼ିକରେ ପାନୀୟଜଳ ଓ ଜଳ ସେଚନ ନିମନ୍ତେ ଯୋର ସମସ୍ୟା ମଧ୍ୟଦେଇ ଗତି କରିବାକୁ ପଡ଼ୁଛି କଂପାନୀ ପାଣି ପମ୍ପ ଦ୍ୱାରା ଭୂତ, ଜଳ ଶୋଷି ନେଇ ବିକ୍ରି କରୁଛି ଖଣି ଖନନ ଦ୍ୱାରା ପ୍ରାକଅତିକ ଝରଣାଗୁଡ଼ିକ ଶୁଖି ଯାଉଅଛି । ଖଣି ପ୍ରଭାବିତ ଅଞ୍ଚଳରେ ଶହ ଶହ ବର୍ଷରୁ ବାସବାସ କରି ଆସୁଥିବା ଆଦିମ ଜନଜାତି ପାୟତି ସ୍ୱାଇଁଆ, ମୁଣ୍ଡା ଓ ଅନ୍ୟାନ୍ୟ ଜନଜାତିଙ୍କ ଜୀବନରେଖା ଉପରେ ଗଭିର ବାଧା ସୃଷ୍ଟି ହୋଇଛି । ସରେଇ କେଲଶ ତିଲକୁଡ଼ା ଓ ରନ୍ତା ଓ ଏମ୍ମିର ପୌଷ୍ୟ ଗ୍ରାମ ହୋଇଥିଲେ ମଧ୍ୟ ସେଗୁଡ଼ିକରେ କୌଣସି ମୌଳିକ ସୁବିଧା ତଥା ସରକାରୀ ଯୋଜନା ପହଞ୍ଚିପାରୁନାହିଁ । କମ୍ପାନୀ ଦ୍ୱାରା ଦିଆ ଯାଇଥିବା କୌଣସି ପ୍ରତିଶୃତି ପାଳନ କରାଯାଉ ନାହିଁ । ସାମାଜିକ କର୍ମୀ ବିଦେଶିନୀ ପଟେଲ, ଅନାଦି ମହାକୁଡ଼ ଅଭିଯୋଗ କରିଥିଲେ ଯେ ଖଣ୍ଡାଧାର ଖଣି ଅଞ୍ଚଳରେ ବ୍ୟାପକ ଭାବରେ କିଡ଼୍ନୀ ରୋଗରେ ଲୋକ ପ୍ରାଣ ହରାଉଛନ୍ତି । ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟୟ ଅବସ୍ଥାରେ ରହିଛି ।
ରାଉରକେଲା ଇସ୍ପାତ କାରଖାନାକୁ ଯନ୍ତ୍ରାଂଶ ଯୋଗାଇବା ନିମନ୍ତେ ୧୯୬୦ ମସିହାରେ କାଂସବାହାଲଠାରେ ଉକ୍ରଳ ମେସିନାରୀ ଲିମିଟେଡ଼ ନାମରେ ଏକ କାରଖାନା ଖୋଲା ହେଲା ଯାହାକି ବର୍ତ୍ତମାନ ଏଲ୍ଏଣ୍ଡ୍ଟି କର୍ତ୍ତୃତ୍ୱାଧିନ ଏହା ୩୨୫ ଏକର ଜମି ଅଧିଗ୍ରହଣ କରିଛି । ତେଣୁ କାଶିରାମ ଓ ସୁମନ ଲାକ୍ରା ଅଭିଯୋଗ କରନ୍ତି ଯେ କମ୍ପାନୀ ସ୍ଥାନୀୟ ଲୋକମାନଙ୍କୁ ନିଯୁକ୍ତି ଦେବା କିନ୍ତୁ ରାସ୍ତାଘାଟ ଓ ଶିକ୍ଷା ଓ ସ୍ୱାସ୍ଥ୍ୟ ପ୍ରତି ସ୍ଥାନୀୟ ଲୋକମାନେ ଅବହେଳାର ଶିକାର ହେଉଛନ୍ତି । ଯଦିଓ ଏଲ୍ଏଣ୍ଡ୍ଟି ସ୍ଥାନୀୟ ପିଲାମାନଙ୍କୁ ବୈଷୟିକ ଟ୍ରେନିଂ ଦେଉଛି, ତଥାପି ନିଯୁକ୍ତି ନାହିଁ ।
ଉପରୋକ୍ତ କଳକାରଖାନା ଓ ଖଣିଖାଦାନ ଗୁଡ଼ିକୁ ଛାଡ଼ିଦେଲେ ବର୍ତ୍ତମାନ ସୁନ୍ଦରଗଡ଼ ସମ୍ପତ୍ତିକୁ ଘେରି ଡୁଲୀଙ୍ଗା, ବସୁନ୍ଧରା, କୁଲତା, ଗରଜନବାହାଲ କୋଇଲା ଖଣିର କାର୍ଯ୍ୟ ଆରମ୍ଭ ହୋଇଛି । ତେଣୁ ଦର୍ଲିପାଲିଠାରେ ଏନ୍ଟିପିସି ଏକ ବୃହତ କୋଇଲଭିତ୍ତିକ ବିଦୁ୍ୟତ କାରଖାନା ତିଆର କରିଛି । ଓ.ପି.ଜି.ସି. ମଧ୍ୟ ମନୋହରପୁରଠାରେ ତାର ନିଜସ୍ୱ ବିଦ୍ୟୁତ କାରଖାନା, ଆଲଟ୍ରାଟେକ୍ ପାୱାର ପ୍ରୋଜେକ୍ଟ ଆଦି କାରଖାନା ବ୍ୟାପକ ଭାବରେ ଜମି ଅଧିଗ୍ରହଣ କରି ସ୍ଥାନୀୟ ଗଣ୍ଡ ଭୂଇଁଆ, ଗଣ୍ଡା ଓ ଅନ୍ୟାନ୍ୟ ଦଳିତବର୍ଗର ଲୋକଙ୍କୁ ବିସ୍ଥାପିତ କରିଛି । ଏସବୁ କାରଖାନା ଓ ଖଣି ଗୁଡ଼ିକ ବର୍ତ୍ତମାନ ନିର୍ମାଣଧିନ ଅବସ୍ଥାରେ ଥିବାରୁ ପ୍ରକୃତ ତଥ୍ୟ ମିଳିପାର ନାହିଁ । ଏଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ପରିବେଶ ଦୃଷ୍ଟିରୁ ଏକ ସମ୍ବେଦନଶୀଳ ଅଞ୍ଚଳ ଭାବରେ ଗଣନା କରାଯିବ ।
ବିଚାରକ ମଣ୍ଡଳୀ ଜନଶୁଣାଣୀରେ ସମସ୍ତ ଦାବୀ ଆପତ୍ତି ଅଭିଯୋଗ ଶୁଣିବା ପରେ ସେମାନଙ୍କର ରାୟରେ ଉଲ୍ଲେଖ କରିଥିଲେ ଯେ (୧) ସୁନ୍ଦରଗଡ଼ ଜିଲ୍ଲାର ବିସ୍ଥାପିତମାନଙ୍କ ପ୍ରତି ଐତିହାସିକ ଅନ୍ୟାୟ ହୋଇଛି । (୨) ସରକାର ତଥା କମ୍ପାନୀ ଓ ଖଣି ଖଦାନ କର୍ତ୍ତୃପକ୍ଷ ବିସ୍ଥାପିତ ମାନଙ୍କର ନାଗରିକ, ସାମ୍ବିଧାନିକ, ଗଣତାନ୍ତ୍ରିକ ଅଧିକାର ପ୍ରତି ଯନôଶୀଳ ହୋଇ ନାହାନ୍ତି । (୩) କାରଖାନା କର୍ତ୍ତୃପକ୍ଷ ତଥା ସରକାରଙ୍କର ଅମଲତନ୍ତ୍ର ଲୋକମାନଙ୍କ ସମସ୍ୟା ପ୍ରତି ଅତି ଉଦାସୀନ ଥବା ତଥ୍ୟ ଗୁଡ଼ିକରୁ ପ୍ରମାଣ ମିଳୁଛି । (୪) ସରକାର ଜମି ଅଧିଗ୍ରହଣ ପୂର୍ବରୁ ବିସ୍ଥାପିତ ହେବାକୁ ଥିବା ଲୋକମାନଙ୍କର ମତାମତ ନେବା କିମ୍ବା କ୍ଷୟକ୍ଷତିର ସାମାଜିକ ଆକଳନ କରିବାକୁ ଉପଯୁକ୍ତ ମନେ କରିନାହାନ୍ତି (୫) ଲୋକଙ୍କ ହିତ ନିମନ୍ତେ ହୋଇଥିବା ପରିବେଶ ଆଇନ୍, ଭୂ-ଅର୍ଜନ ଆଇନ, ପେସା ଆଇନ ପରି ଆଇନଗୁଡ଼ିକୁ ସରକାର ନିଜେ ଉଲଂଘନ କରିଛନ୍ତି । (୬) ମାନବ ଅଧିକାର କମିଶନ ଢାଂଚାରେ ଏକ ବିସ୍ଥାପନ ଓ ପୁନର୍ବାସ କମିଶନ ଗଠନ କରିବାର ଆବଶ୍ୟକତା ରହିଛି ।
ବି:ଦ୍ର: ଜନଶୁଣାଣୀର ମୁଖା ଆୟୋଜକ ଥିଲେ ପ୍ରଫୁଲ୍ଲ ସାମନ୍ତରା, ଲୋକଶକ୍ତି ଅଭିଯାନ, ଭୁବେନଶ୍ୱର ସ୍ଥାନୀୟ ଆୟୋଜକ ଥିଲେ ବିଧାୟକ ଜର୍ଜ ତିର୍କୀ , ସଂଯୋଜନା କରିଥିଲେ ସନ୍ଦୀପ କୁମାର ପଟ୍ଟନାୟକ , ବିଚାରକ ମଣ୍ଡଳୀରେ ଥିଲେ ପ୍ରଫେସର ମନୋରଞ୍ଜନ ମହାନ୍ତି, ଦିଲୀ ବିଶ୍ୱବିଦ୍ୟାଳୟ, କୋରାପୁଟ ଆଦିବାସୀ ସଂଘର ସଭାପତି ବିଜୟ ଉପାଧ୍ୟାୟ, କୃଷକ ନେତା ଲିଙ୍ଗରାଜ, ଦିଲ୍ଳୀସ୍ଥିତ ଜନ ଆନ୍ଦୋଳନ ଗୁଡ଼ିକର ସଂଯୋଜକ ଶେତା, ଲୋକସାହି ହକ୍ ନେତା ମଧୁରେଶ କୁମାର ଅବସରପ୍ରାପ୍ତ ପ୍ରଫେସର ଗୋଲକବିହାରୀ ନାଥ, ସଭାପତି ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନ, ଓଡ଼ିଶା ।
Comments
0 comments