ଫକୀରମୋହନଙ୍କ ଗଳ୍ପରେ ସାମାଜିକ ବାସ୍ତବତା

ଫକୀରମୋହନଙ୍କ "ରେବତୀ' ଗଳ୍ପଟି ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ଭାବରେ ପରିଚିତ

7 Min Read

କଥା ସାହିତ୍ୟରେ ସମ୍ରାଟଭାବେ ଫକୀର ମୋହନ ସେନାପତି ଓଡ଼ିଆ ସାହିତ୍ୟରେ ଜଣେ ପରିଚିତ । ଏହି ମହାନବ୍ୟକ୍ତିଙ୍କ ଜନ୍ମ ହୋଇଥିଲା, ଯେଉଁ ସମୟରେ ଓଡ଼ିଆ ଭାଷା ଓ ସାହିତ୍ୟର ବିଲୁପ୍ତ ମୁଖ ହୋଇ ଇଂରାଜୀ ସରକାରଙ୍କ ବିଦ୍ୟାଳୟ ସ୍ଥାପନ ଓ ବଙ୍ଗୀୟମାନଙ୍କ ଓଡ଼ିଆ ଭାଷାର ବିଲୋପ ପାଇଁ ଆନ୍ଦୋଳନର ମୁହୂର୍ତ୍ତରେ ବାଲେଶ୍ୱର ଜିଲ୍ଲାର ମଲିକାଶପୁର ଗ୍ରାମର ଲକ୍ଷ୍ମଣ ସେନାପତି ଓ ତୁଳସୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ । ଇଂରାଜୀ ୧୮୪୩ ମସିହା ଜାନୁୟାରୀ ମାସ ୧୩ତାରିଖ ପବିତ୍ର ମକର ସଂକ୍ରାନ୍ତି ତିଥିରେ ଶୈଶବରୁ ମାତା ପିତାଙ୍କୁ ହରାଇ ରୋଗଗ୍ରସ୍ତ ହୋଇଥିବା ସମୟରେ ପିତାମହୀ କୁଚିଳା ଦେବୀଙ୍କ ଲାଳନପାଳନରେ ପିତୃଦତ୍ତ ନାମ ବ୍ରଜମୋହନରୁ ଫକୀରମୋହନ ହୋଇ ଆଜି ଓଡ଼ିଆ ସାହିତ୍ୟ ଆକାଶରେ ବ୍ୟାସକବି ଓ ବାମଣ୍ଡା ରାଜଦରବାର ଦ୍ୱାରା ସରସ୍ୱତୀ ଉପାଧିପ୍ରାପ୍ତ ସେହି କଥାସମ୍ରାଟ ଓ ଆଧୁନିକ ଯୁଗର ଅନ୍ୟତମ ଯୁଗସ୍ରଷ୍ଟା କ୍ଷୁଦ୍ରଗଳ୍ପର ଜନକ ଭାଷା ଆନ୍ଦୋଳନର ସେନାପତି ଫକୀର ମୋହନ ।

ଭାଗ୍ୟର କ୍ରୁର କଷାଘାତରେ ସଂଘର୍ଷ କରିବା ସହ ଅଳ୍ପବୟସରେ ବିବାହ, ପ୍ରଥମ ପତ୍ନୀ ଲୀଳାବତୀକୁ ହରାଇବା ସହ ଦ୍ୱିତୀୟ ପତ୍ନୀ କ୍ରିଷ୍ଣା କୁମାରୀଙ୍କୁ ବିବାହ, ବାଲେଶ୍ୱର ଅଟ୍ରଲ ସିଲେଇ ନିମକବାହାଲଠାରୁ କର୍ମମୟ ଜୀବନ ଆରମ୍ଭ କରି ପ୍ରଶାସନବିଭାଗର ଶୀର୍ଷତମ ପଦବୀ ପର୍ଯ୍ୟନ୍ତ ପରିବ୍ୟାପ୍ତ ଜୀବନର ଅନୁଭୂତିକୁ ନେଇ ରଚନା କଲେ କଥା ସାହିତ୍ୟ । ପଲ୍ଲୀ ଜୀବନର ଅନୁଭୂତି ଠାରୁ ସାଧାରଣ ଜନତାଙ୍କ ଅନ୍ଧବିଶ୍ୱାସ, କୁସଂସ୍କାର, କର୍ମବାଦ, ଭାଗ୍ୟବାଦୀ ଓ ପାପପୁଣ୍ୟର ବିଚାର ପାଶ୍ଚାତ୍ୟ ସାହିତ୍ୟ ଓ ସଭ୍ୟତାରେ ଶିକ୍ଷିତ, ଅଶିକ୍ଷିତ କଥାବସ୍ତୁ ନେଇ ସୃଷ୍ଟି କଲେ ମାତ୍ର ୨୧ଟି ଗଳ୍ପ ଓ ୪ଟି ଉପନ୍ୟାସ ।

ବାସ୍ତବରେ କହିବାକୁ ଗଲେ, ୧୮୬୮ ମସିହାରେ ବୋଧଦାୟନୀ ପତ୍ରିକାରେ ପ୍ରକାଶିତ “ଲଛମନିଆ’ ପ୍ରଥମ ଗଳ୍ପଭାବରେ ପରିଚିତ ରହିଥିଲେ ସୁଦ୍ଧା ତାହା ବର୍ତ୍ତମାନ ଗବେଷଣାରତ । ପରମୁହୂର୍ତ୍ତରେ ପ୍ରକାଶିତ “ରେବତୀ’ ଗଳ୍ପଟି ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପ ଭାବରେ ପରିଚିତ । ୧୯୧୭ ମସିହାରେ ଗଳ୍ପସଳ୍ପ ନାମରେ ୧ମ ଓ ୨ୟ ଖଣ୍ଡ ପୁସ୍ତକ ଆକାରରେ ପ୍ରକାଶିତ ହୋଇଥିବା ୨୦ଟି ଗଳ୍ପର ବିଷୟବସ୍ତୁକୁ ନେଇ ସାମାଜିକତା ଓ ବାସ୍ତବତାକୁ ଆଲୋଚନାର ଅନ୍ତର୍ଭୁକ୍ତ କରିବାର ପ୍ରଚେଷ୍ଟା ।

ଏହି ୨୦ଟି ଗଳ୍ପର ମୁଖ୍ୟ ବିଷୟବସ୍ତୁ ହେଉଛି ଉନ୍ନବିଂଶ ଶତାବ୍ଦୀର ଓଡ଼ିଶାର ସାମାଜିକ ଜୀବନ, ସଂସ୍କୃତି ଓ ସଭ୍ୟତା ଉପରେ ଆଧାରିତ ବାସ୍ତବ ଚିତ୍ର । ସମକାଳୀନ ବହୁ କୌତୁହଳପୂର୍ଣ୍ଣ ଚିତ୍ର ମଧ୍ୟ ଏହି ଗଳ୍ପଗୁଡ଼ିକରେ ରହିଥିବାର ମନେ ହୁଏ । ସମୟ ସମାଜର ପ୍ରଚଣ୍ଡ ପ୍ରତିଧ୍ୱନୀ । ଅପୂର୍ବ ସମ୍ବୋଧନଶୀଳତା ମାନବଧର୍ମୀ ଅନୁଚିନ୍ତା ଏବଂ ସମାଜ ସଚେତନାର ଆଲେଖ୍ୟ ବହନ କରିଛି ତାଙ୍କ ଗଳ୍ପ ସାହିତ୍ୟରେ ଅତ୍ୟନ୍ତ ଜୀବନ୍ତ ଓ ପ୍ରାଣବନ୍ତ ଆଉ ସାଥର୍କ ହୋଇପାରିଛି । ପ୍ରତ୍ୟେକ ଚରିତ୍ର ଉଜ୍ଜିବୀତ ହୋଇଉଠିଛି, ତା’ର ପରିବେଶ ଓ ପ୍ରକୃତିକୁ ଆଧାର କରି । ନିମ୍ନରେ ସାମାଜିକତା ଓ ବାସ୍ତବତା ଗଳ୍ପରେ କିପରି ପ୍ରତିଫଳିତ ହୋଇଛି ତାହା ପ୍ରଦତ୍ତ କରାଗଲା ।

ଓଡ଼ିଶା ହେଉଛି ପଲ୍ଲୀ ବା ଗ୍ରାମବହୁଳ, କୃଷିପ୍ରଧାନ ରାଜ୍ୟ ହୋଇଥିବା ସହ ନୌବାଣିଜ୍ୟର ଐତିହାସିକ ସମ୍ପର୍କ ଓ ବ୍ୟବସାୟୀ ବାଣିଜ୍ୟ କାରବାର ଅନୁଯାୟୀ ଏହି ମାଟିର ମହତ ରହିଥିବାରୁ ୨୦ଟି ଗଳ୍ପରେ ୩୫ଟି ଗ୍ରାମର ବିଷୟ ବର୍ଣ୍ଣନା କରାଯାଇଛି ଯେପରି ସୁନାବୋହୂରେ ଗ୍ରାମ ଦୁମୁଦୁମୁପୁର, ରାଣ୍ଡିପୁଅ ଅନନ୍ତାର ବିନୋଦରାୟପୁର, ବଗୁଲାବଗୁଲିର ଭୁଷଣ୍ଡପୁର ପୁନଃମୂଷିକଭବର ମକ୍ରାମପୁର, ଅଧମବିତ୍ତର ହରିପୁର ଓ ପାଠୋଇବୋହୂର ଭାଲୁକପୋଷୀ ଆଦି ଅନେକ ଗ୍ରାମର କଥା କୁହାଯାଇଛି । ଏହି ଗଳ୍ପଗୁଡ଼ିକରେ ପଲ୍ଲୀର ନିଛୁକ ଜୀବନ ଚିତ୍ର ଯଥା ରାଣ୍ଡିପୁଅ ଅନନ୍ତା ଓ ରେବତୀ ଗଳ୍ପରେ ଖାଦ୍ୟପେୟ ଅଧର୍ମବିତ୍ତ, ବିରେଇବିଶାଳ, ବଗୁଲାବଗୁଲୀ, ରେବତୀ ଗଳ୍ପରେ କୃଷିଜାତ ଦ୍ରବ୍ୟର ବିବରଣୀ କୃଷକର କରୁଣା କାହାଣୀ, ଜମିଦାର ଓ ଶାସକର ଶୋଷଣ ଦ୍ୱାରା ଅତ୍ୟାଚାରିତ ଚିତ୍ର ଧୂଳିଆବାବା, ମୌନାମୌନୀ, ଅଧର୍ମବିତ୍ତ ଓ ସଭ୍ୟ ଜମିଦାର ଗଳ୍ପରେ ପ୍ରତିଫଳିତ । ଇତିହାସ ଓ କିମ୍ବଦନ୍ତୀ ନେଇ ରଚିତ ମଠ, ବାବାଜୀ, ମହନ୍ତ ଆଦିକୁ ନେଇ ଧୂଳିଆବାବା, ମୌନାମୌନୀ ଅପରକୁ ପ୍ରତାରିତ କରିବାକୁ ଯାଇ ନିଜେ କିପରି ପ୍ରତାରିତ ହୋଇ ମୃତୁ୍ୟବରଣ କରିଛନ୍ତି, ତାହା ଧୂଳିଆବାବା ଗଳ୍ପରୁ ଜଣାଯାଏ । ବିବାହ, ଜାତିପ୍ରଥା, ଯୌତୁକପ୍ରଥା ଓ କନ୍ୟାସୁନାର ପ୍ରଥାକୁ ନେଇ ଦେଖାଦେବା ସହ ବାଲ୍ୟବିବାହ ଓ କନ୍ୟା ବିକ୍ରୟର କରୁଣ କାହାଣୀ ମାଧମହାନ୍ତିଙ୍କ କନ୍ୟାସୁନା, ବିରେଇବିଶାଳ, ଅଧର୍ମବିତ୍ତରେ ଯୌତୁକ କଥା ଯେପରି ୧୦ଟି ଯୌତୁକ ନାଆ ଦେବାକୁ ପ୍ରଥା । କନ୍ୟାକୁ ସୁନା କହି ବୁଢ଼ା ବରକୁ ବିବାହ କଥା ଉପସ୍ଥାପନ କରାଯାଇଛି । ଅଧର୍ମବିତ୍ତ, ବିରେଇବିଶାଳ ଓ କମଳାର ପ୍ରେମକଥାରେ କମଳା ତା’ର ଆଈକୁ ଚେତେଇ ଦେଇଛି ବୁଢ଼ା ବରଦେଲେ ପାଣିରେ ବୁଡ଼ି ମରିଯିବା କଥା । ବିବାହ ପ୍ରସଙ୍ଗରେ ରେବତୀ ଗଳ୍ପରେ ବାସୁଦେବଙ୍କର ଜାତିକଥା ଜେଜେମା’ କହିଛନ୍ତି-ମାଧମହାନ୍ତିଙ୍କର କନ୍ୟାସୁନା, ବରେଇବିଶାଳ, ପେଟେଂଟଣ୍ଟମେଡ଼ିସିନ୍, ଗାରେଡ଼ିମନ୍ତ୍ର ଆଦିରେ ରହିଛି ସାମାଜିକତା ଓ ବାସ୍ତବତା । ସବୁଠାରୁ ବଡ଼କଥା ହେଲା, ୨୦ଟି ଗଳ୍ପରେ ମାତ୍ର ୧୭ଟି ଦମ୍ପତ୍ତି ରହିଥିବାର ଦେଖାଯାଏ । ସେମାନଙ୍କ ମଧ୍ୟରୁ ମଧୁର ଦମ୍ପତ୍ତି, ପରଂପରାନୁମୋଦିତ, ସ୍ତ୍ରୈଣ, ଦୈବତ, ସଙ୍ଘର୍ଷ ଓ ସଂସ୍କାର ଭାବରେ ଦମ୍ପତ୍ତି ଜୀବନ ଚିତ୍ର ଉପସ୍ଥାପନ କରିଛନ୍ତି ।

ତତ୍କାଳୀନ ସମାଜରେ ପ୍ରେମଚିତ୍ର ମଧ୍ୟ ଉପସ୍ଥାପନ କରାଯାଇଛି । ପ୍ରଥମ ଗଳ୍ପ ରେବତୀରେ ବାସୁଦେବ ସହ ରେବତୀର ସମ୍ପର୍କ ଓ ଦାଣ୍ଡ ଦୁଆରରେ ରେବତୀର ପ୍ରତୀକ୍ଷାରତ କଥା ଉପସ୍ଥାପନ କରିବା ବିରେଇବିଶାଳ ଗଳ୍ପରେ ବିରେଇ ବିଲରୁ ଫେରୁଥିବା ସମୟରେ କମଳାର ମାଠିଆରେ ପାଣି ଆଣିବା, ବିରେଇକୁ କଣେଇ ଚାହିଁବା, ନଖରେ ଗାରଟାଣିବା ଆଈକୁ ସିଧାସଳଖ ବିବାହ କଥା କହିବାରୁ ଜଣାଯାଏ, ସେହି ସମୟରେ ମଧ୍ୟ ପ୍ରେମର ଧାରା ରହିଥିବା ଏହି ଗଳ୍ପରୁ ଅନୁମାନ କରାଯାଏ ।

ତତ୍କାଳୀନ ଶିକ୍ଷାର ବ୍ୟବସ୍ଥା ଚାଟଶାଳୀର ଅବଧାନଠାରୁ ଆରମ୍ଭହୋଇ ଇଂରାଜୀ ଶିକ୍ଷା ପର୍ଯ୍ୟନ୍ତ କଥା ବିଭିନ୍ନ ଗଳ୍ପରେ ଲିଖିତ ଅଛି । ରାଣ୍ଡିପୁଅ ଅନନ୍ତା ଗଳ୍ପରେ ଅନନ୍ତାର ଅବଧାନ ପ୍ରତି ଅବମାନନା ଓ ଦେବକୀ ଗଉଡ଼ୁଣୀର ଅଭିଯୋଗ ସାଙ୍ଗକୁ ରେବତୀର ବାଳିକା ବିଦ୍ୟାଳୟରେ ନାମଲେଖା, ହରିପୁର ଗ୍ରାମରେ ସ୍କୁଲ ହେବା ଓ ବାସୁ ସାରଙ୍କ ଶିକ୍ଷକତାରୁ ଜଣାଯାଏ, ରେବତୀ ଗଳ୍ପରେ ନାରୀଶିକ୍ଷା ଓ ଇଂରାଜୀ ସ୍କୁଲ ଶିକ୍ଷାର ଆରମ୍ଭ ହୋଇଥିବା କଥା ଦେଖାଯାଏ । ସଭ୍ୟ ଜମିଦାର ଗଳ୍ପରେ ରାଜୀବଲୋଚନ ମହାପାତ୍ରଙ୍କ ଅଳ୍ପ ଶିକ୍ଷା କିପରି ଭୟଙ୍କର ହୋଇଛି, ପାଠୋଇ ସ୍ତ୍ରୀ ନୟନତାରା ଦୁଃଖପାଶୋରା ପ୍ରାଚୀନ ଚଳଣି ଓ ସଂସ୍କାରକୁ ଭାବି ଉପହାସ କରିଛି । ଗାରେଡ଼ିମନ୍ତ୍ର ଗଳ୍ପରେ ଶିକ୍ଷିତ ଯୁବକ ମଦନ ନିଜ ସ୍ତ୍ରୀ ମୋହିନୀକୁ ପାଠ ପଢ଼ାଇବା କଥା ଉପସ୍ଥାପନ କରାଯାଇଛି । ପେଟେଂଟ ମେଡ଼ିସିନ୍ ଗଳ୍ପରେ ଉଚ୍ଚଶିକ୍ଷିତ ହୋଇ ଚନ୍ଦ୍ରମଣିଙ୍କ କଥା ଧର୍ମ ନାଆରେ ଶଠତା ଓ ବ୍ୟଭିଚାରୀର ଚିତ୍ର ପ୍ରଦାନ କରିବାର କଥା ଉପସ୍ଥାପନ, ଡାକମୁନ୍ସୀରେ ହରିସିଂ ପୁଅ ଗୋପାଳକୁ ଉଚ୍ଚଶିକ୍ଷା ଦେଇ ହାକିମ୍ କରିବା ପରେ ପୁତ୍ରର ବ୍ୟବହାର ଓ ବୃଦ୍ଧ ପିତାକୁ ଘରୁ ବିତାଡ଼ିତ କରିବା କଥା ଦର୍ଶାଯାଇଛି ।

ପୁନଃମୁଷିକଭବ ଗଳ୍ପରେ ହାକିମମାନଙ୍କ ବିଚାର ପଦ୍ଧତି ବ୍ୟାଖ୍ୟାକରିବା ସହ କନେଷ୍ଟେବଲ ଓ ଜମାଦାରମାନଙ୍କ ଅତ୍ୟାଚାର ଚିତ୍ର ପ୍ରଦତ୍ତ । ନିରୀହ ଗ୍ରାମବାସୀଙ୍କୁ ଭୟଭୀତ କରାଇ ଦୁଧ ମାଛ ଘିଅ ଓ ଲାଂଚ ଆକାରରେ କିପରି ଖାଉଛନ୍ତି ତାହା ଦର୍ଶାଇଛନ୍ତି । ଓଡ଼ିଶାରେ ଅର୍ଥନୈତିକ ଦୃଷ୍ଟିରୁ ନୌବାଣିଜ୍ୟ ମାଧ୍ୟମରେ ଓଡ଼ିଶାର ସାଧବମାନେ ଯାତ୍ରା କରି ବିଦେଶୀରୁ ପୁଞ୍ଜି ଓଡ଼ିଶାକୁ ନେଇ ଆସୁଥିଲେ । ଅତୀତ ଉକ୍ରଳର ପ୍ରତି ସଚେତନା ହୋଇରହୁଥିଲେ । ନୌବାଣିଜ୍ୟର ଚିତ୍ର ବାଲେଶ୍ୱର ବନ୍ଦରରେ ଜାହାଜ ନିର୍ମାଣ, ଲୁଣ ରପ୍ତାନୀ, ସାଧବ ପୁଅର ବ୍ୟବସାୟ, ଜଳଦସୁ୍ୟମାନଙ୍କର ଆକ୍ରମଣ ଇତ୍ୟାଦିର ଚିତ୍ର ତାଙ୍କ ବାଲେଶ୍ୱରୀ ରାହାଜାନୀ, ବାଲେଶ୍ୱରୀ ପଙ୍ଗାଲୁଣ, କମଳା ପ୍ରସାଦ ଗୋରାଫ, କାଳିକା ପ୍ରସାଦ ଗୋରାଫ ଆଦି ଗଳ୍ପରେ ସ୍ଥାନ ପାଇଛି ।

କଥାସମ୍ରାଟଙ୍କ କଥାଗୁଡ଼ିକୁ ଲକ୍ଷ୍ୟ କଲେ ଜାଣିପାରିବେ ଯେ, ଗାଳ୍ପିକ ନିଜ ଜୀବନର ସଂଗ୍ରାମ ସହ ଓଡ଼ିଶା ଜନବାସୀଙ୍କ ପ୍ରତି ଘଟୁଥିବା ସମସ୍ତ ଘଟଣା ଓ ଅଘଟଣକୁ ନେଇ ରଚନା କରିବା ସହ ପଲ୍ଲୀପ୍ରାଣତାର କଥା ଭାଷା ଓ ଚଳଣିକୁ ଜୀବନ୍ତ କରିଥିବାର କଥା ସ୍ପଷ୍ଟ ଭାବେ ବାରି ହୋଇପାରୁଛି । ଏହି ଗଳ୍ପଗୁଡ଼ିକୁ ଠିକ୍ ଭାବରେ ଦେଖିଲେ ଜଣାଯାଏ ଯେ, ଉଭୟ ପାଠକ ଓ ଶ୍ରୋତା ୨୦ଟି ଗଳ୍ପରୁ ପାଖାପାଖି ୧୪ରୁ ୧୫ଟି ଗଳ୍ପର ଚରିତ୍ର ଓ କଥାବସ୍ତୁ ଆମ ଚତୁଃପାଶ୍ୱର୍ରେ ଘୂରି ବୁଲିବା ସହ ପ୍ରତ୍ୟେକ କଥାବସ୍ତୁ ଓ ଚରିତ୍ର ନିଜର ପରି ମନେ ହୁଏ ।

  • ଡଃ ଲକ୍ଷ୍ମୀନାରାୟଣ ଦାଶ

Comments

0 comments

Share This Article