ମୁଁ ମାର୍ଚ୍ଚ ୧୦ତାରିଖ ଦିନ ଲୋହିଆ ଏକାଡେମୀ ଯାଇଥିଲି । ସେଇଠି ଶୁଣିଲି ଯେ ଖଣ୍ଡୁଆଳ ମାଳିର ପର୍ବ ମାର୍ଚ୍ଚ ୨୯ରେ ହେବ । ତା’ ପୂର୍ବରୁ ୧୦ଦିନ ବ୍ୟାପୀ ଏକ ପଦଯାତ୍ରା ଇଲାକାସାରା ବୁଲିବ । ମିଟିଂକୁ ଆସିଥିବା କୃଷକ ନେତା ଲିଙ୍ଗରାଜ ଦାଦା ଦେଖା ହେବା ମାତ୍ରେ ପଦଯାତ୍ରାରେ ଯିବାପାଇଁ ପ୍ରସ୍ତାବ ଦେଲେ । କିଛି ନ ଭାବି ହିଁ ଭରି ଦେଲି । ମୁଁ ଖଣ୍ଡୁଆଳ ମାଳି ଦେଖି ନଥିଲି । କେବଳ ଶୁଣିଥିଲି ଯେ ସେଠି ବକ୍ସାଇଟ ଅଛି ।
ବକ୍ସାଇଟ ଖଣି ଖୋଳିବା ପାଇଁ ଧାଁ ଦଉଡ଼
ଗତ ଶତାବ୍ଦୀର ଶେଷ ଦଶକରେ ଯେବେ ଓଡ଼ିଶାରେ ବକ୍ସାଇଟ ଖଣି ଖୋଳିବା ପାଇଁ ଧାଁ ଦଉଡ଼ ଲାଗିଲା, ଗୋଟେ ପରେ ଗୋଟେ ଦେଶୀ ବିଦେଶୀ କମ୍ପାନୀ ରାଜ୍ୟସରକାରଙ୍କ ସହ ଚୁକ୍ତିନାମା କଲେ, ତାର ଫଟୋଚିତ୍ରମାନ ଖବରକାଗଜରେ ବାହାରିଲା; ସେତେବେଳେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାର ବକ୍ସାଇଟ ଭଣ୍ଡାରଗୁଡ଼ିକ, ଭୂତତ୍ତ୍ୱବିତଙ୍କ ଭାଷାରେ ‘ପୂର୍ବତଟ ବକ୍ସାଇଟ କ୍ଷେତ୍ର’ଲୋକଲୋଚନକୁ ଆସିଲା । ବିଶେଷ କରି, ରାୟଗଡ଼ା ଜିଲ୍ଲା କାଶୀପୁରର ବାଫଲାମାଳି, କୁଟ୍ରୁ ମାଳି, ସିଜି ମାଳି, ରାୟଗଡ଼ା-କଳାହାଣ୍ଡି ସନ୍ଧି ସ୍ଥଳରେ ଅବସ୍ଥିତ ନିୟମଗିରି ଓ କଳାହାଣ୍ଡିର ଖଣ୍ଡୁଆଳ ମାଳିକୁ ନେଇ ବେଶି ଚର୍ଚ୍ଚା ହେଲା । ଏହି ଚର୍ଚ୍ଚା ଆହୁରି ସରଗରମ ହେଲା ଯେବେ ବାଫଲା ମାଳି ଓ କୁଟ୍ରୁ ମାଳିକୁ ବଞ୍ଚେଇବା ପାଇଁ ଜନପ୍ରତିରୋଧ ଦେଖାଦେଲା । ପୁଣି ଲାଞ୍ଜିଗଡ଼ରେ ବେଦାନ୍ତ ଆଲୁମିନା କାରଖାନା ଓ ନିୟମଗିରିରୁ ଖଣିଖନନ ପ୍ରସଙ୍ଗକୁ ନେଇ ୨୦୦୩-୨୦୦୪ରେ ବିରୋଧ ଉଠିଲା । କାଶୀପୁର ଓ ନିୟମଗିରି ସହ ଜଡ଼ିତ କର୍ମୀମାନେ ସବୁ ବକ୍ସାଇଟ ଅଞ୍ଚଳ ପ୍ରତି
ପଦଯାତ୍ରା
ବିପଦକୁ ଲକ୍ଷ୍ୟ କରି ବକ୍ସାଇଟ ମାଳିମାନଙ୍କର ଲୋକଙ୍କୁ ଜାଗ୍ରତ କରେଇବା ପାଇଁ ପଦଯାତ୍ରା କଲେ ।ଆମେ ଭୁବନେଶ୍ୱର ଛାଡ଼ିଲୁ ମାର୍ଚ୍ଚ ୨୦ ତାରିଖରେ ଭବାନୀପାଟଣା ଅଭିମୁଖେ । ଭବାନୀପାଟଣାରୁ ୧୭ କିଲୋମିଟର ଯିବା ପରେ ପଡ଼ିଲା ଶଗଡ଼ା ଛକ । ଜାଗାଟି ଆଗରୁ ଦେଖି ନ ଥିଲେ ବି, ନାଁଟା ମୁଣ୍ଡରେ ଥିଲା ଦାନ ମାଝୀଙ୍କ ଅଧା ସ୍ୱପ୍ନ-ଅଧା ବାସ୍ତବ ଯାତ୍ରାର କାହାଣୀକୁ ନେଇ । ସେ ତାଙ୍କର ମୃତ ସ୍ତ୍ରୀର ଶବକୁ ବାନୀପାଟଣା ଡାକ୍ତରଖାନାରୁ କାନ୍ଧରେ ବୋହି ଶଗଡ଼ା ପର୍ୟ୍ୟନ୍ତ ଆସିଥିଲେ । ଏଇଠି କେହି ଜଣେ ସାମ୍ୱାଦିକ ସେ ଦୃଶ୍ୟର ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଲା ପରେ ଘଟଣାଟି ଦେଶ ବିଦେଶରେ ରଟି ଯାଇଥିଲା । ଇଏ ଥିଲା ୨୦୧୬ ଅଗଷ୍ଟ ମାସର ଘଟଣା ।
ଏଇ ଶଗଡ଼ା ଛକରୁ ହିଁ କରଲାପାଟ ଅଭୟାରଣ୍ୟର ଆରମ୍ଭ । ଅଭୟାରଣ୍ୟ ଭିତର ଦେଇ ରାଜ୍ୟ ରାଜପଥଟିଏ ପଡ଼ିଛି । ଜଙ୍ଗଲିଆ ରାସ୍ତା, ଉଠାଣି ଓ ଗଡ଼ାଣିରେ ଭରପୂର । ସଦ୍ୟ ପିଚୁ ଢଳାହୋଇ ରସ୍ତାଟି କଳା ମିଚମିଚ ଦେଖାଯାଉଛି । ଅଟୋରିକ୍ସାଟି କେତେବେଳେ ଗଁ ଗଁ,
କେତେବେଳେ ସାଇଁ ସାଇଁ କରି ଚାଲି ଥାଏ । ରାସ୍ତାର ଦୁଇ ଧାରରେ ଘଞ୍ଚ ଗଜା ଶାଳ ଜଙ୍ଗଲ । ହେଲେ ପାକଳ ଶାଳ ଗଛ ନଜରରେ ପଡ଼ୁନଥାଏ । ବୋଧହୁଏ, ‘ଜଙ୍ଗଲର ବୈଜ୍ଞାନିକ ପରିଚାଳାନା’ହେତୁ ସେମାନେ ବଳି ପଡ଼ିଯାଇଛନ୍ତି । ପତ୍ରଝଡ଼ା ପରେ ଶାଳ ଗଛରେ
ସବୁଜ-ନାଲିଚିଆ କଅଁଳ ପତ୍ର ଭରପୂର, ଫୁଲ ହେବାକୁ ଆଉ ଅଳ୍ପଦିନ ବାକି । ତା’ ଉପରେ ଅପରାହ୍ଣର ସୂର୍ୟ୍ୟକିରଣ ଚକ୍ ଚକ୍ କରୁଥାଏ, ପ୍ରାୟତଃ ଭୂଇଁରେ ପଡ଼ୁନଥାଏ । ମଝିରେ ମଝିରେ ଲାଲ ଟହଟହ ପଳାଶ ଫୁଲ ଝଟକୁଥାଏ । ଭବାନୀପାଟଣାର ପ୍ରଚଣ୍ଡ ଖରା ପଛରେ ରହିଯାଇ ବାତାବରଣରେ ଏକ ପ୍ରକାର ଶୀତଳତା ଅନୁଭୂତ ହେଉଥାଏ । ମଝିରେ ମଝିରେ ଆଖି ଲାଗି ଯାଉଥାଏ ।
‘ହାତୀଙ୍କ ଚଲାପଥ, ଗାଡ଼ି ସତର୍କତା ସହ ଚଳାନ୍ତୁ’
ତଥାପି ନଜରରେ ପଡ଼ୁଥାଏ ଗଛ ମାନଙ୍କରେ ଲଗାଯାଇଥିବା ଟିଣ ଫଳକଗୁଡ଼ିକ । ହଳଦିଆ ରଙ୍ଗ ଉପରେ କଳା ଅକ୍ଷରରେ ଲେଖା ହୋଇଥାଏ ‘ହାତୀଙ୍କ ଚଲାପଥ, ଗାଡ଼ି ସତର୍କତା ସହ ଚଳାନ୍ତୁ’ । କରଲାପାଟର ଅନନ୍ୟ ପ୍ରାକୃତିକ ଶୋଭା ଓ ଜୈବ ବିବିଧତା ଦୃଷ୍ଟିରୁ ଏହାକୁ ଏକ ବନ୍ୟପ୍ରାଣୀ ଅଭୟାରଣ୍ୟ ଭାବେ ୧୫-୧୦-୧୯୯୨ରେ ଓଡ଼ିଶା ସରକାର ଘୋଷଣା କଲେ । ଏହାର ସଂରକ୍ଷିତ ଅଞ୍ଚଳର ଆୟତନ ହେଲା ୧୪୭.୬୬ ବର୍ଗ କିଲୋମିଟର । ଗଭୀର ଉପତ୍ୟକା, ମନଲୋଭା ପାହାଡ଼, ଚିରସ୍ରୋତା ଝରଣା, ଚିତ୍ତାକର୍ଷକ ଜଳପ୍ରପାତ, ଗଭୀର ନଦୀଗଣ୍ଡ, ମୌସୁମୀ ଶାଳ ଜଙ୍ଗଲ ସହ ବାଉଁଶ ଜଙ୍ଗଲର ସମାହାର । ଏହି ପାହାଡ଼ ବା ମାଳିମାନଙ୍କରେ ଅଛି ବହୁପ୍ରକାର ଗଛଲତା, ଗୁଳ୍ମ ଆଦି । ଏକ ଅଧ୍ୟୟନ ଅନୁସାରେ କେବଳ ଖଣ୍ଡୁଆଳ ମାଳିରେ ୩୦୦ ପ୍ରକାରର ଗଛଲତା ଅଛି ଯାହାମଧ୍ୟରୁ ୪୫ ପ୍ରକାର ଔଷଧୀୟ ଗୁଣଯୁକ୍ତ । ଏଥି ସହିତ ଚାରିପ୍ରକାର ବିରଳ, ଅବଲୁପ୍ତପ୍ରାୟ ଉଦ୍ଭିଦ ରହିଛି ଯାହାର ସଂରକ୍ଷଣ ଆବଶ୍ୟକ । ସେହିପରି କିଶନମାଳିରେ ରହିଛି ୬୦ପ୍ରକାରର ଔଷଧୀୟ ଗଛଲତା ଯାହାର ବ୍ୟବହାର ସ୍ଥାନୀୟ ଆଦିବାସୀମାନଙ୍କୁ ଜଣା । ଏହି ମାଳିମାନଙ୍କରୁ ଝରି ଆସୁଛି ଅସଂଖ୍ୟ ନାଳ ଓ ଚିରସ୍ରୋତା
ଝରଣାମାନ । ତେଲ ନଦୀକୁ ପୁଷ୍ଟ କରୁଛି ଏହି ଝରଣାମାନଙ୍କର ପାଣି । ପୁଣି ତେଲ ନଦୀ ମିଶିଛି ମହାନଦୀରେ । ଅଭୟାରଣ୍ୟ ଭିତରେ ବାସ କରୁଛନ୍ତି ୩୧ପ୍ରକାର ସ୍ତନ୍ୟପାୟୀ ପ୍ରାଣୀ, ୪୫ପ୍ରକାର ପକ୍ଷୀ, ୧୭ପ୍ରକାର ସରୀସୃପ, ଚାରିପ୍ରକାର ଉଭୟଚର ଜୀବ । ଅବଶ୍ୟ ଅଭୟାରଣ୍ୟର ଖ୍ୟାତି ହାତୀ ପାଇଁ । କନ୍ଧମାଳ ଜିଲ୍ଲାର କୋଟଗଡ଼ ଓ ଗଜପତି ଜିଲ୍ଲାର ଲଖାରୀ ସହ କରଲାପାଟ ଅଭୟାରଣ୍ୟ ଏକ ପ୍ରଶସ୍ତ ହାତୀ ଅଳିନ୍ଦ ।
ପରବର୍ତ୍ତୀ ସମୟରେ ଅଭୟାରଣ୍ୟର କଳେବରକୁ ନେଇ ନାନା ଅଟକଳ କରାଯାଇଛି । ୧୯୯୭-୯୮ରୁ ୨୦୦୬-୨୦୦୭ ମଧ୍ୟରେ ପ୍ରସ୍ତୁତ ୱାର୍କିଂ ପ୍ଲାନର କ୍ଷେତ୍ର ଅନୁଧ୍ୟାନ ଅନୁସାରେ ସଂରକ୍ଷିତ ଅଞ୍ଚଳର ଆୟତନ ବାସ୍ତବରେ ୧୭୫.୫୦ ବର୍ଗ କିଲୋମିଟର । ରାଜସ୍ୱ ବିଭାଗର
ମାଳିର ପ୍ରଶସ୍ତ ଛାୟା
ମାନଚିତ୍ର ସହ ସେଟ୍ଲାଇଟ ମାନଚିତ୍ରକୁ ଯାଞ୍ଚ ପରତାଳ କରାଯାଇ ଦେଖାଯାଇଛି ଯେ ସଂରକ୍ଷିତ କ୍ଷେତ୍ରର ଆୟତନ ୧୮୪.୬୬ ବର୍ଗ କିଲୋମିଟର । ଏଥି ସହିତ କେନ୍ଦ୍ର ସରକାର ଆଉ ଗୋଟିଏ ନୂଆ କଥା ଯୋଡ଼ିଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ
ମନ୍ତ୍ରଣାଳୟ ତରଫରୁ ୨୦୧୯ ଅଗଷ୍ଟ ୯ ତାରିଖରେ ଚିଠା ବିଜ୍ଞପ୍ତି ଜାରି କରାଯାଇ ସଂରକ୍ଷିତ ଅଞ୍ଚଳର ଚାରିପାଖରେ ଶୂନରୁ ୧୦ କିଲୋମିଟର ଓସାରର ଅଞ୍ଚଳକୁ “ଇକୋ ସେନ୍ସିଟିଭ୍ ଜୋନ୍” (ପରିବେଷ୍ଟନୀ ଦୃଷ୍ଟିରୁ ସମ୍ୱେଦନଶୀଳ ଅଞ୍ଚଳ) ଘୋଷଣା କରାଯାଇଛ। ଜୋନର ଆୟତନ ୯୩୯.୫୮ ବର୍ଗ କିଲୋମିଟର ଏବଂ ତା’ ଭିତରେ ରହିଛି ୨୪୭ ଖଣ୍ଡ ଗାଁ । ଏହି ଜୋନ୍ର ସରଳ ଅର୍ଥ ହେଲା ଯେ ଏହା ମଧ୍ୟରେ କୌଣସି ପ୍ରକାର ପରିବେଶ ଓ ପରିବେଷ୍ଟନୀ ପ୍ରତିକୂଳ କାର୍ୟ୍ୟ ହୋଇପାରିବ ନାହିଁ । ଅବଶ୍ୟ ଜୋନ୍ର ସୀମା ବଡ଼ ଚତୁରତାର ସହ ନିର୍ଦ୍ଧାରଣ କରାଯାଇଛି । ଭବାନୀପାଟଣା ପୌରପାଳିକା ନିକଟସ୍ଥ ଗାଁ ଓ ଜମିକୁ ବାଦ ଦେଇ ଅଭୟାରଣ୍ୟର ଚିହ୍ନିତ ସୀମା ଠାରୁ ଉତ୍ତର ଦିଗକୁ ପୂରା ଦଶ କିଲୋମିଟର ବଢ଼ାଯାଇଛି । ପୂର୍ବ ଦିଗକୁ ମଧ୍ୟ ଦଶ କିଲୋମିଟର ବଢ଼ାଯାଇଛି । ପଶ୍ଚିମ ଦିଗକୁ ୫କିଲୋମିଟରରୁ ୧୦କିଲୋମିଟର ଓସାରର ଅଞ୍ଚଳକୁ ଜୋନ୍ରେ ସାମିଲ କରାଯାଇଛି । ଚାଷ ଜମି ଓ ଜୁନାଗଡ଼ ଏନଏସିର ପାଖ ଗାଁଗୁଡ଼ିକ ଛାଡ଼ି ଦିଆଯାଇଛି । କିନ୍ତୁ ଦକ୍ଷିଣ ଦିଗକୁ ଆଦୌ ବଢ଼ାଯାଇ ନାହିଁ । କାରଣ ସେହି ଦିଗକୁ ବକ୍ସାଇଟ ଖଣି ଅଛି । ଜୋନ୍ର ସୀମା ଭିତରେ ବକ୍ସାଇଟ ଖଣି ରହିଲେ, ତାକୁ ଖୋଳିବା ପାଇଁ ଅସୁବିଧା ହେବ । ତେଣୁ ମୂଳୁ ମାଇଲେ ଯିବ ସରି ନ୍ୟାୟରେ ଖଣିଗୁଡ଼ିକୁ ସୀମା ବାହାରେ ରଖି ଦିଆଯାଇଛି । ବକ୍ସାଇଟ ଖଣିକୁ ଆଖିରେ ରଖି ଓଡ଼ିଶା ସରକାର ବି ଅଭୟାରଣ୍ୟର ସୀମାକୁ ଅଦଳ ବଦଳ କରିବାପାଇଁ ଖେଳ ଆରମ୍ଭ କରି ଦେଇଛନ୍ତି । ଗତ ତା୨୩.୦୪.୨୦୨୧ରିଖ ଓଡ଼ିଶା ବନ୍ୟପ୍ରାଣୀ ବୋର୍ଡ଼ର ସପ୍ତମ ଷ୍ଟାଣ୍ଡିଂ କମିଟି ମିଟିଂରେ ଏଥି ନିମନ୍ତେ ପ୍ରସ୍ତାବ ଅନୁମୋଦିତ ହୋଇ ଜାତୀୟ ବନ୍ୟପ୍ରାଣୀ ବୋର୍ଡ଼କୁ ପଠାଯାଇଛି । ପ୍ରସ୍ତାବ ଅନୁସାରେ ପାଞ୍ଚଟି ସ୍ଥାନରେ ସୀମା ବୃଦ୍ଧି କରାଯିବ । କାରଣ, ସେଠାରେ ଘଞ୍ଚ ଓ ମଧ୍ୟମ କିସମର ଜଙ୍ଗଲ ରହିଛି ଯାହା ଜୀବଜନ୍ତୁଙ୍କ ଆବାସ ପାଇଁ ଅନୁକୂଳ । କିନ୍ତୁ ଦକ୍ଷିଣ ପଟରେ ଦୁଇଟି ସ୍ଥାନରେ ଅଭୟାରଣ୍ୟର ସୀମା ସଙ୍କୁଚିତ କରାଯିବ । ବନ୍ୟଜନ୍ତୁଙ୍କ ଚଳପ୍ରଚଳ, ଗଛଲତାର ସାନ୍ଧ୍ରତା, ପାଖ ଗ୍ରାମବାସୀଙ୍କର ଜୈବିକ ଚାପ ଓ ବକ୍ସାଇଟ ଭଣ୍ଡାରର ଉପସ୍ଥିତିକୁ କାରଣ ବୋଲି କୁହାଯାଇଛି । ଏମିତି କଟାଛଟା ଓ ଯୋଡ଼ାଯୋଡ଼ି ପରେ ଅଭୟାରଣ୍ୟର ଆୟତନ ହେବ ୧୯୩.୯୯୮ ବର୍ଗ କିଲୋମିଟର । ଏଇ ଭିତରେ ଆମ ଅଟୋରିକ୍ସା ଆସି ପହଞ୍ଚିଲା ଭେଜିଗୁଡ଼ାରେ । ପଦଯାତ୍ରୀମାନଙ୍କର ରାତି ରହଣି ସେହି ଗାଁରେ ବନେ୍ଦାବସ୍ତ ହୋଇଥିଲା । ସେମାନଙ୍କ ସହ ଯୋଗଦେବା ଥିଲା ଆମର ଲକ୍ଷ୍ୟ । ଆମେ ପହଞ୍ଚିଲାବେଳକୁ ସୂର୍ୟ୍ୟ ମାଳି ପଛରେ ଲୁଚିଯିବା ପ୍ରାୟ ।
ମାଳିର ପ୍ରଶସ୍ତ ଛାୟା ଗାଁଆଡ଼କୁ ଧିରେ ଧିରେ ମାଡ଼ି ଆସୁଥିଲା । ଗୋରୁ-ମଇଁଷିମାନେ ଗୋଟେ ଗୋଟେ ଗୁହାଳକୁ ଫେରୁଥିଲେ । ଦିନସାରା ଏଣେ ତେଣେ ବୁଲୁଥିବା କୁକୁଡ଼ାପଲ ଆପଣା ଆପଣା ବସା ପାଖକୁ ଲାଗି ଆସିଲେଣି । ସ୍ତ୍ରୀଲୋକ ଓ ଝିଅମାନେ ଗାଁ ଦାଣ୍ଡରେ ବା ଘର ଚାଳରେ ଶୁଖେଇଥିବା ମହୁଲକୁ ଗୋଟେଇ ନେଉଥିଲେ । ଆସନ୍ନ ସନ୍ଧ୍ୟାର ହାଲୁକା ପବନରେ ମହୁଲ ଫୁଲର ବାସ୍ନା ସାରା ଗାଁକୁ ବିଭୋର କରି ପକାଉଥିଲା । ଆମେ ଯାଇ ଅଟକିଲୁ ଗାଁର କୁଡ୍ଡି– ଧରଣୀ ପେନୁଙ୍କ ଆସ୍ଥାନ–ସାମ୍ନାରେ । ଏମ.ପି-ଏମ.ଏଲ.ଏ ଲାଡ୍ ଫଣ୍ଡ୍ ସୌଜନ୍ୟରୁ ଧରତୀ ମା ଆଉ ଖୋଲା ମେଲାରେ ନାହାନ୍ତି । ତାଙ୍କ ମୁଣ୍ଡ ଉପରେ କଂକ୍ରିଟ ଛାଉଣି, ପିଣ୍ଡିଟି ବି ସିମେଣ୍ଟରେ ତିଆରି । ସେ ଆଉ ବର୍ଷା, ଖରା, କାକର ଖାଉନାହାନ୍ତି । ଆମ ଜନ ପ୍ରତିନିଧିମାନେ ଯଦି ମରହଟ୍ଟିଆ ଆମ୍ୱାସଡର ଛାଡ଼ି ଶୀତତାପ ନିୟନ୍ତ୍ରିତ ଫିଗୋ, ଫେରାରି ଧରିଲେ; ଗାଁର ରକ୍ଷାକାରିଣୀ, ରୋଗବୈରାଗହାରିଣୀ ବା କାହିଁକି ଆଉ ତରୁଛାୟା ନିବାସିନୀ ହୋଇରହିବେ । ଯୁଗ ବଦଳିବା ସହ ତାଙ୍କର ବି ଆଦବକାଇଦା ବଦଳିବା ଆବଶ୍ୟକ । କୁଡ୍ଡି ସାମନାର ଥିବା ମେଲା ଜାଗା ଖଣ୍ଡିଏକୁ କୁହାଯାଏ କୁଡ୍ରାଚ । ଏଇଟା ଗାଁର ଏକ ବିଶିଷ୍ଟ ସ୍ଥାନ । ଏକାଧାରରେ ଏହା ବହୁ ଭୂମିକା ନିର୍ବାହ କରେ: ଜାନିଯାତରେ ଏଇଠି ନାଚଗାନ ହୁଏ, ଗାଁର କଳି ତୁଟେଇବାକୁ ଏଠି ଇଜ୍ଲାସ ବସେ, ବାବୁଭାୟା ଆସିଲେ ଏଇଠି ସେମାନଙ୍କର ଅଭ୍ୟର୍ଥନା ହୁଏ । ମୋଟ ଉପରେ କହିଲେ ସାମୂହିକ ଜୀବନର ହରେକ କର୍ମକାଣ୍ଡ ଏଇଠି ସମ୍ପାଦିତ ହୁଏ । ଏମନ୍ତ ସ୍ଥାନରେ ଆମପାଇଁ କେହି ଜଣେ ପ୍ଲାଷ୍ଟିକ ଚେୟାର ଖଣ୍ଡିଏ ଖଣ୍ଡିଏ ପକେଇ ଦେଲେ । ଆମେ ଚେୟାରରେ ବସି ପବନରେ ଭାସି ଆସୁଥିବା ମହୁଲ ଫୁଲର ବାସ୍ନା ଆଘ୍ରାଣପୂର୍ବକ ପଦଯାତ୍ରୀ ଦଳଙ୍କୁ
ଅପେକ୍ଷା କଲୁ । ସେମାନେ ୧୯ତାରିଖ ଦିନ ତଇଁପଦରରୁ ପଦଯାତ୍ରା ଆରମ୍ଭ କରିଥିଲେ । ପୂର୍ବ-ନିର୍ଦ୍ଧାରିତ କାର୍ୟ୍ୟସୂଚୀ ଅନୁସାରେ ଦିନକେ ହାରାହାରି ପାଞ୍ଚ ଖଣ୍ଡ ଗାଁର ଲୋକଙ୍କୁ ଭେଟିବେ, ବାର୍ତ୍ତାଳାପ କରିବେ । ଏଥିରୁ ଗୋଟିଏ ଗାଁରେ ଦୁଇ ପହରରେ ଓ ଅନ୍ୟ ଗୋଟିଏ ଗାଁରେ ରାତିରେ ଖାଇବେ ଓ ରହିବେ । ସେହି ଅନୁସାରେ ଭେଜିଗୁଡ଼ାରେ ପହଞ୍ଚିବାର ଥିଲା ୨୧ ତାରିଖ ରାତି ରହଣି ପାଇଁ । ଆମ ଅପେକ୍ଷାର ଅନ୍ତ ହେଲା ଏବଂ ପଦଯାତ୍ରୀ ଦଳ ସ୍ଲୋଗାନ ଦେଇ ଦେଇ ଗାଁରେ ପହଞ୍ଚିଲେ ।
ଖଣ୍ଡୁଆଲ ମାଲି କେ
ନାଇଁ କରି ଦଉଁ ମରୁସ୍ଥାନ,
ଗଲେ ପଛେ ଯାଉ ଜାନ୍ ।
ଜାନ ଯାଉ ଯାଉ ଜୀବନ ଯାଉ,
ଖଣ୍ଡୁଆଲ ମାଲି ବଞ୍ଚିଥାଉ ।
ସେମାନଙ୍କ ସଂଖ୍ୟା ୧୬ ହେବ । ୧୫-୧୭ ବର୍ଷର ଛଅ ଜଣ ଝିଅ, ୨୦-୨୨ ବର୍ଷର ୧୦ଜଣ ପୁଅ । ଦୁଇ କାନ୍ଧରେ ଗଳା ହୋଇ ସମସ୍ତଙ୍କ ପିଠିରେ ଓହଳୁଥାଏ ଗୋଟିଏ ଗୋଟିଏ ବ୍ୟାଗ୍ । କାହାରି କାହାରି ହାତରେ ବାଡ଼ି ଖଣ୍ଡିଏ ଖଣ୍ଡିଏ–ପାହାଡ଼ ଜଙ୍ଗଲର ଉଠାଣି ଗଡ଼ାଣି ରାସ୍ତା ପାଇଁ ଆଶ୍ରା । ଝିଅମାନେ ଆଗରେ ବଡ଼ ବ୍ୟାନରଟିଏ ଧରି ଚାଲିଥାନ୍ତି । ସେଥିରେ ଲେଖା ହୋଇଥାଏ ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ପରିଷଦ, ସଚେତନତା ପଦଯାତ୍ରା, ଗ୍ରାମସଭା କମିଟି ଗଠନ । ଝିଅମାନଙ୍କ ପଛକୁ ପୁଅମାନେ ଢାପ, ଝାଞ୍ଜିର, ଝାଞ୍ଜ ବଜେଇ ବଜେଇ ଆଗକୁ ବଢ଼ୁଥାନ୍ତି । ପଦଯାତ୍ରୀ ଦଳଟିକୁ ଏକ ସାଂସ୍କୃତିକ ଦଳ ମଧ୍ୟ କୁହାଯାଇ ପାରିବ । ଦଳଟି ପହଞ୍ଚନ୍ତେ ଲୋକମାନେ ଧିରେ ଧିରେ ରୁଣ୍ଡ ହେଲେ । ସ୍ତ୍ରୀଲୋକମାନେ ଗୋଠ ମାରି ଗୋଟେ ପଟେ ବସିଗଲେ । ପୁରୁଷମାନେ ଯିଏ ଯାହାର ସୁବିଧା ଅନୁସାରେ ବସିଲେ । ଦଳର ମଙ୍ଗୁଆଳ ତଥା ଖଣ୍ଡୁଆଳ ମାଳି ସୁରକ୍ଷା ପରିଷଦର ଚର୍ଚ୍ଚିତ ନେତା ବ୍ରିଟିଶ କୁମାର ପଦଯାତ୍ରାର ଉଦେ୍ଦଶ୍ୟ ସମ୍ପର୍କରେ ଅତି ଛୋଟ ସୂଚନାଟେ ଦେଲେ । ଖଣ୍ଡୁଆଳ ମାଳିରୁ ବକ୍ସାଇଟ ଖଣି ଖୋଳିବାକୁ କମ୍ପାନୀ-ସରକାରର ଉଦ୍ୟମ, ଅନୁସୂଚିତ ଅଞ୍ଚଳରେ ଗାଁର ହାନିଲାଭ ବୁଝିବା ପାଇଁ ଗ୍ରାମସଭାର ଗଠନ ତଥା ପରବରେ ଏକାଠି ହେବାର ଆବଶ୍ୟକତା ବିଷୟରେ ଗ୍ରାମବାସୀଙ୍କୁ ସୂଚେଇ ଦେଇ ଉପସ୍ଥିତ ଲୋକମାନଙ୍କୁ, ବିଶେଷ ଭାବେ, ମହିଳାମାନଙ୍କୁ ଆଲୋଚନାକୁ ବଢ଼େଇନେବା ପାଇଁଅନୁରୋଧ କଲେ । ଏକା ସାଙ୍ଗରେ ବହୁ ମହିଳା କହି ଚାଲିଲେ,“ଆମର ଜଙ୍ଗଲ, ପାହାଡ଼ରୁ ଶାଗ, କରଡି, କନ୍ଦା, ମହୁଲ, ଚାର, ଝାଡ଼ୁ, କାଠ ପତର ସବୁ ଫ୍ରି ମିଲୁଛେ । ଖଣ୍ଡୁଆଳ ମାଲିନୁ ମିଠା ପାଣି ବହୁଛେ । ଏ ଜାଗା ଛାଡ଼ିଲେ ଏମିତି ପାଣି ପାଇବା କି? ଭବାନୀପାଟଣାରେ ତ ବୋତଲେ ପାଣିକୁ ୨୦ଟଙ୍କା, ଆମେ କଣ କିଣି ପାରିବା? ଆମେ ଏ ଜାଗାରେ ମାଣ୍ଡିଆ, କୋଶଲା, କାନ୍ଦୁଲ, କଟିଂ, ଧାନ କରି ସାରା ବର୍ଷକ ଚଳିଯାଉଛୁ । ଏମିତି ଜାଗା ଆମକୁ କେଣେ ନାଇଁ ମିଲେ ।”
ଏମିତି ଆଲୋଚନା ଚାଲିଥିଲାବେଳେ ହଠାତ୍ ଜଣେ ପୁରୁଷ ଲୋକ ଉତ୍ତେଜିତ କଣ୍ଠରେ କହିବା ଆରମ୍ଭ କଲେ, ଯିଏ ନେତା ମନ୍ତ୍ରୀ ହଉଛି, କଲେକ୍ଟର, ଅଫିସର ହଉଛି, ସମସ୍ତେ କାହିଁକି ଖଣ୍ଡୁଆଳ ମାଳି ପଛରେ ପଡ଼ିଛନ୍ତି । ନବୀନ ପଟ୍ଟନାୟକ କି ମୋଦୀ କେହି କଣ ଖଣ୍ଡୁଆଳ ମାଳି ତିଆରି କରିଛନ୍ତି? ସେମାନେ ତ ତିଆରି କରି ନାହାନ୍ତି, ତେବେ ତାକୁ ବିକିବାକୁ ଚାହୁଁଛନ୍ତି କାହିଁକି? ସେମାନେ ସିମେଣ୍ଟ-କଂକ୍ରିଟରେ ଯୋଉ ସଂସଦ ତିଆରି କରିଛନ୍ତି, ଭୁବନେଶ୍ୱର ସହର କରିଛନ୍ତି, ତାକୁ ବିକି ଦେଉନାହାନ୍ତି । ଆମକୁ ଫାଶୀରେ ଚଢ଼ାନ୍ତୁ କି ଗୁଳିମାରନ୍ତୁ ଖଣ୍ଡୁଆଳ ମାଳି ଛାଡିବୁ ନାହିଁ ।
ଲକ୍ଡାଉନ ସମୟରେ ତିନି ଜଣ ଲୋକ ଆସିଥିଲେ । ଖଣ୍ଡୁଆଳ ମାଳି ପାଖରୁ ବଡ଼ ବଡ଼ ପଥର ନେଲେ
। ଆମେ ଯେତେବେଳେ ସେମାନଙ୍କୁ ପଚାରିଲୁ, ସେମାନେ ହିନ୍ଦିରେ କଣ କହିଲେ ଜାଣିପାରିଲୁ
ନାହିଁ । କିନ୍ତୁ ସାଙ୍ଗେ ସାଙ୍ଗେ ମଟର ସାଇକେଲ୍ରେ ପଳେଇଲେ । ରାଇମାଲ ଅଞ୍ଚଳକୁ ବି
ସେମିତି କିଛି ଲୋକ ଆସିଥିଲେ । ଲୋକ ବିରୋଧ କରିବାରୁ ପଳେଇଲେ । ଏଇ ବର୍ଷେ ଦୁଇ ବର୍ଷ
ହେବ କୁଜିନେତାମାନେ ଆସି ବୁଝଉଛନ୍ତି ଯେ ଖଣି ଖୋଳିବାକୁ ଦେଲେ, ଆମେ ସବୁ ଧନୀ
ହୋଇଯିବୁ । ଆମେ ତ ଚାରିମାସ କାମ କଲେ ଆଠ ମାସ ଆରାମରେ ବସି ଖାଉଛୁ । ଆମେ ଧନୀ ଆଉ
କଣ ହେବୁ ।
ସଭା ଆରମ୍ଭ ହେବା ପୂର୍ବରୁ ଆମେମାନେ ଗାଁ ବିଷୟରେ ଟିକେ ଅଧେ ପଚରାଉଚରା କରିଥିଲୁ ।
ଗାଁଟିରେ ଦଳିତ ଓ ଆଦିବାସୀ ପରିବାର ମିଶିକରି ୧୩୩ । ଦଳିତ ପରିବାର ଭିତରେ ଭୂମିହୀନ
ବେଶୀ –ଶହକେ ୯୫ଜଣ । ପ୍ରାୟ ଆଦିବାସୀ ପରିବାରଙ୍କ ଜମି ଅଛି । ମୋଟାମୋଟି ଦେଖିଲେ
ଜଙ୍ଗଲଜାତ ଦ୍ରବ୍ୟ ଓ ଚାଷବାସ ଲୋକଙ୍କର ଜୀବିକା ନିର୍ବାହର ମୁଖ୍ୟ ପନ୍ଥା । ଗାଁଟିରୁ
ଆଠ ଦଶ ଯୁବକ ଚେନ୍ନାଇ, କେରଳ ଆଦି ସ୍ଥାନକୁ କାମ କରିବା ପାଇଁ ଯାଉଛନ୍ତି । ଆମେ
ଆଲୋଚନାରେ ଏହି ପ୍ରଶ୍ନଟି ଉଠେଇ କହିଲୁ ଯେ ଖଣ୍ଡୁଆଲମାଳି ବହୁତ ଦେଉଥିଲେ ବି ପରିବାର
ସଂଖ୍ୟା ଓ ଲୋକଙ୍କର ଆବଶ୍ୟକତା ବଢ଼ୁଛି, ଯେମିତି ମୋଟର ସାଇକେଲ, ସେଲ୍ ଫୋନ ଇତ୍ୟାଦି
। ସେ ସବୁ କିଣିବା ପାଇଁ ଯେଉଁ ଅର୍ଥ ଆବଶ୍ୟକ, ଖଣ୍ଡୁଆଲ ମାଳିରୁ ତାହା ମିଳିବ ନାହିଁ
। ତେଣୁ ଭେଣ୍ଡିଆମାନେ ବାହାରକୁ କାମ ଖୋଜି ଯାଉଛନ୍ତି । ସମାଧାନର ରାସ୍ତା କଣ?
ଅବଶ୍ୟ, ଏହାର କୌଣସି ସନ୍ତୋଷଜନକ ଉତ୍ତର ମିଳିଲା ନାହିଁ । ସ୍ଥାନ ଛାଡ଼ିବାର ଆଶଙ୍କା
ଉପୁଜିଲେ, ସମ୍ଭବତଃ ମଣିଷ ସେହି ସ୍ଥାନର ବଡ଼େଇକରେ । ଏହା ଏକ ପ୍ରକାର
ମନସ୍ତାତ୍ତ୍ୱିକ ପ୍ରତିରକ୍ଷା ।
ସଭା ସରିବା ପୂର୍ବରୁ ଦୁଇଜଣ ଯୁବକ ଗ୍ରାମସଭା କମିଟିରେ କିଏ ସଭ୍ୟ ରହିବେ ସେମାନଙ୍କ
ନାଁର ଏକ ତାଲିକା ପ୍ରସ୍ତୁତ କରି ଖାତାରେ ଲେଖିଦେଲେ । ଆଉ ଦୁଇଜଣ ଗାଁ ଦେଇ ବହି
ଯାଇଥିବା ଝରଣା, ନାଳ, ଦେବୀ ଆସ୍ଥାନ ଓ ଅନ୍ୟାନ୍ୟ ସାଂସ୍କୃତିକ ବୈଶିଷ୍ଟ୍ୟର ଏକ
ବିବରଣୀ ଆଉ ଗୋଟିଏ ଖାତାରେ ଲେଖି ପକେଇଲେ । ଏଇଠି ସଭା ସରିଲା । ଆମେମାନେ ରାତି
ରହଣି ପାଇଁ ୪୦୦-୫୦୦ ମିଟର ଦୂରରେ ଥିବା ଗାଁର ସ୍କୁଲ ଘରକୁ ଗଲୁ । ଖିଆପିଆ ସରିବା
ପରେ ଆମେ ଭୁବନେଶ୍ୱରିଆ ମାନେ ସଅଳ ଶୋଇ ଯିବାକୁ ବାହାରିଲୁ । ଅଥଚ ପଦଯାତ୍ରୀ
ଯୁବକଯୁବତୀମାନେ ବସିଗଲେ ଗୀତ ଶିଖିବା, ନିଜେ ନିଜେ ଗୀତର ସ୍ୱର ଦେବା, ନୂଆ ଗୀତ ଓ
ସ୍ଲୋଗାନ ଲେଖିବା, ତାକୁ ଘୋଷିବା କାମରେ । ଏତେ ପଥଶ୍ରମ ପରେ ବି କେଉଁ ଉଦ୍ଦାମ
ସ୍ୱପ୍ନର ନିଶାରେ ସେମାନଙ୍କ ଆଖିକୁ ନିଦ ଆସୁନି କେଜାଣି!
ଆମେ ଭୁବନେଶ୍ୱରିଆମାନେ ବିଛଣା ଛାଡ଼ିଲାବେଳକୁ ପଦଯାତ୍ରୀ ପିଲାଏ ସମସ୍ତ ନିତ୍ୟକର୍ମ
ସାରି ଆଗାମୀ ଯାତ୍ରାପାଇଁ ପ୍ରସ୍ତୁତ । ଆମେମାନେ ଯଥାକଥା ସକାଳ କାମ ତୁଟେଇ
ପ୍ରସ୍ତୁତ ହୋଇଗଲୁ । ସିଆଡ଼ି ପତ୍ର ଦନାରେ ପଖାଳ ମୁଠେ ମୁଠେ ପାଟିରେ ଦେଇ ସମସ୍ତେ
ବାହାରି ପଡ଼ିଲେ । ସାଡ଼େ ଚାରିଫୁଟିଆ ରଘୁ ଖଣ୍ଡୁଆଲ ମାଲି କେ… ସ୍ଲୋଗାନ ଦେବା
ସଙ୍ଗେ ସଙ୍ଗେ ବ୍ୟାନର ଧରି ଝିଅମାନେ ଛିଡ଼ା ହୋଇଗଲେ, ପୁଅମାନେ ବାଦ୍ୟଯନ୍ତ୍ର ବଜେଇବା
ଆରମ୍ଭ କରିଦେଲେ । ଭେଜିଗୁଡ଼ା ଗାଁ ଭିତର ଦେଇ ପଦଯାତ୍ରା ଆଗକୁ ବଢ଼ିଲା । ଅବଶ୍ୟ
ଗାଁରେ ଜଣେ ବି କେହି ନଥିଲେ । ସମସ୍ତେ ଯାଇ ମହୁଲ ଗଛ ମୂଳରେ । ଏଇଟା ହେଲା ମହୁଲ
ସାଉଁଟିବାର ବେଳ । ଏହାକୁ ହାତଛଡ଼ା କରିହେବ ନାହିଁ । ଶିକ୍ଷକ, କବି ତଥା ଗାୟକ
ଜିତେନ୍ଦ୍ରଙ୍କ ଭାଷାରେ, “ମହୁଲ ଆମର କୁଣିଆ ପରି । ବର୍ଷକେ ଥରେ ଆସେ । ତାକୁ ଆଦର
କରି ସାଇତି ରଖିଲେ, ଆମର ଉପକାର” । ବସ୍ତୁତଃ, ଏହା ଲୋକମାନଙ୍କର ଖାଦ୍ୟ, ପାନୀୟ ଓ
ମୁଦ୍ରାର ଆବଶ୍ୟକତା କିଛି ପରିମାଣରେ ମେଣ୍ଟାଏ । ପ୍ରତି ପରିବାର ମହୁଲ ବିକ୍ରିକରି
ହାରାହାରି ୧୦ହଜାର ରୁ ୧୫ହଜାର ଟଙ୍କା ଆୟ କରନ୍ତି । ସେହିପରି ଆମ୍ୱ, ଜାମ ସମେତ ଋତୁ
ଅନୁୟାୟୀ ମିଳୁଥିବା ପ୍ରତ୍ୟେକଟି ବ୍ୟବହାର ଉପଯୋଗୀ ଜଙ୍ଗଲଜାତ ଦ୍ରବ୍ୟ ସେମାନଙ୍କର
କୁଣିଆ । ମୋଟ ଉପରେ କହିଲେ, ସେମାନଙ୍କ ଅର୍ଥନୀତିରେ ‘ସଂଗ୍ରହ’ ଏକ ବଡ଼ ଭୂମିକା ଏବେ
ବି ନିର୍ବାହ କରେ । (ମନକୁ ଆସୁଥିଲା ଯଦି କେବେ ପାଣିପାଗ ବିଗଡ଼ିଯାଏ ଆଉ ଏ
କୁଣିଆମାନେ ନ ଆସନ୍ତି, ତେବେ କଣ ହେବ?)
ମାର୍ଚ୍ଚମାସ ଶେଷଭାଗର ଟାଇଁ ଟାଇଁ ଖରାରେ ପଦଯାତ୍ରା ଗାଁ ପରେ ଗାଁ ହୋଇ ଆଗକୁ
ବଢ଼ୁଥାଏ । ଦିନ ବେଳା ସବୁ ଗାଁରେ ଏକ ପ୍ରକାର ଶୂନଶାନ ବାତାବରଣ । ତଥାପି ଯେଉଁ କେତେ
ଜଣ ଥାଆନ୍ତି, ସେମାନଙ୍କ ସହ ଅଳପସଳପ କଥା ହୋଇ ଗ୍ରାମସଭା କମିଟିର ସଭ୍ୟମାନଙ୍କ ନାଁ
ତଥା ଝରଣା ଆଦିର ତାଲିକା ପିଲାମାନେ କରିନିଅନ୍ତି । ଯେଉଁ ଗାଁରେ ଦୁଇ ପହର ଖାଇବା
ପାଇଁ ବନେ୍ଦାବସ୍ତ ହୋଇଥାଏ, ସେଠାରେ ଅଧିକ ଲୋକ ଥାଆନ୍ତି, ସେଠି ଆଲୋଚନା ଅଧିକ ସମୟ
ଚାଲେ । ଲୋକମାନଙ୍କ ସହ ବରଂ ଦେଖା ହୁଏ ରାସ୍ତାରେ ବା ମହୁଲ ଗଛମୂଳରେ । କିଏ ମହୁଲ
ଭର୍ତ୍ତି ଟୋକେଇଟିଏ ମୁଣ୍ଡରେ ମୁଣ୍ଡେଇ ଫେରୁଥାନ୍ତି, କିଏ ପୁଣି ଗଛପାଖରେ
ସାଉଁଟିବାରେ ମାତିଥାନ୍ତି । କାହାର କାହାର ଚିହ୍ନା ପରିଚୟ ଥିଲେ, ସେମାନଙ୍କ ସହ ପଦେ
ଦୁଇ ପଦ କଥାହୋଇ ସମସ୍ତେ ଆଗକୁ ବଢ଼ନ୍ତି ।
୨୨ତାରିଖ ସନ୍ଧ୍ୟାବେଳକୁ ପହଞ୍ଚିଲୁ ପୁଲିଂପଦରରେ । ଏହା ଖଣ୍ଡୁଆଳ ମାଳିର ପାଦ ଦେଶରେ
ଅବସ୍ଥିତ; ସୁରକ୍ଷା ପରିଷଦର ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ । ଢାପ, ନିସାନ ବଜେଇ
ଗ୍ରାମବାସୀମାନେ ପଦଯାତ୍ରୀ ଦଳକୁ ଗାଁ ଭିତରକୁ ପାଛୋଟି ନେଇଗଲେ– ଏକ ଭବ୍ୟ
ସମ୍ୱର୍ଦ୍ଧନା । ସେ ଦିନ ଗାଁରେ ଧରଣୀ ପେନୁର ପୂଜା ଥିଲା । ମା’ଙ୍କ କୃପାରୁ ସମସ୍ତେ
ରସାପ୍ଳୁତ (ମହୁଲି ଓ ସଲପକୁ ଲୋକେ ରସ କହନ୍ତି) । ଆମେ ଅତିଥିମାନେ ବା ସେଥିରୁ ବାଦ
ଯିବୁ କିପରି! ଗାଁର ମୁଖିଆ କାର୍ତ୍ତିକ ମାଝୀ ଓ ଅନ୍ୟମାନେ ସ୍ଥିର କଲେ ଯେ ମିଟିଂ
ସନ୍ଧ୍ୟାରେ ନ କରି ତା’ ପରଦିନ ସକାଳେ ହେବ । ତା’ ସହିତ ଭଗତ ସିଂହଙ୍କ ସହିଦ ଦିବସ
ବି ପାଳନ କରାଯିବ । ତେଣୁ ସେ ଦିନ ସନ୍ଧ୍ୟାରେ ଲୁଗାପଟା ସଫାସଫି ତଥା ନିଜ ଭିତରେ
ଆଲୋଚନା କରିବାର ସୁଯୋଗ ପଦଯାତ୍ରୀଙ୍କୁ ମିଳିଲା । ରସାପ୍ଲୁତ ସାନ୍ଧ୍ୟ ଆଲୋଚନାରେ
ବକ୍ସାଇଟକୁ ନେଇ ନାନାକଥା ପଡ଼ିଲା ଯଥା ବକ୍ସାଇଟର ଗଠନ, ପାଣିଧାରଣ କ୍ଷମତା, ତାହାର
ବ୍ୟବହାର ଇତ୍ୟାଦି । ପୁଣି ସ୍ଥିର ହେଲା ଆଉ ଏକ ସନ୍ଧ୍ୟାରେ ରେଣ୍ଡୋ ମାଝୀ, ଲକ୍ଷ୍ମଣ
ନାୟକଙ୍କ ବିଷୟରେ ଆଲୋଚନା ହେବ । ଏଇ ଭିତରେ ବ୍ରିଟିଶ ଖବର ଦେଲେ ଯେ ଆଲୋଚନା ସାଙ୍ଗ
କରି ଏଥର ଭୋଜିରେ ଯୋଗ ଦେବାକୁ ହେବ ।
ବ୍ରିଟିଶଙ୍କୁ ମୁଁ ପୂର୍ବରୁ ଭେଟି ନଥିଲି । କେବଳ ଶୁଣିଥିଲି ଯେ ସେ ଖଣ୍ଡୁଆଳ ମାଳି
ସୁରକ୍ଷା ଆନେ୍ଦାଳନ ହେତୁ ୨୦୧୬ ମସିହାରେ ଗିରଫ ହୋଇଥିଲେ ଏବଂ ପୁଲିସର ନିର୍ୟାତନା
ସହିଥିଲେ । ଏଇ ଦୁଇ ରାତି ରହଣି ଭିତରେ ତାଙ୍କ ବ୍ୟକ୍ତିତ୍ୱର ଆଉ ଏକ ଛବି ଦେଖିବାକୁ
ମିଳିଲା । ଦଳପତି ହିସାବରେ ସେ ପ୍ରତ୍ୟେକଟି କଥାକୁ ନିଘା ଦେଉଥିଲେ । ସଭା କାର୍ୟ୍ୟ
ପରିଚାଳନା କରିବା ସହ ପଦଯାତ୍ରୀ ଦଳ କୋଉଠି ରହିବେ ତାର ଯୋଗାଡ଼ଯନ୍ତ୍ର ନିଜେ କରୁଥିଲେ
। ସମସ୍ତେ ଖାଇଲେ କି ନାହିଁ ତାହା ମଧ୍ୟ ନଜର ଦଉଥିଲେ । ସମସ୍ତେ ଖାଇ ସାରି ଜାଗା
ଧରିଲା ପରେ ସେ ଯାଇ ଖାଉଥିଲେ, ଯେଉଁଠି ଜାଗା ଖଣ୍ଡେ ମିଳିଲା, ସେଇଠି ଶୋଇ ଯାଉଥିଲେ
। ଏପରି ବ୍ୟସ୍ତତା ହେତୁ ତାଙ୍କ ସହ କଥା ହେବାର ଅବକାଶ ହେଉ ନଥିଲା ।
୨୩ ତାରିଖ ସକାଳେ ପୁଲିଂପଦରରେ ସଭା ହେଲା । ସଭାକାର୍ୟ୍ୟ ଆରମ୍ଭହେବା ପୂର୍ବରୁ
ଜିତେନ୍ଦ୍ର ନିଜେ ଲେଖି ସ୍ୱର ଦେଇଥିବା ଗୀତଟିଏ ତାଙ୍କର ସୁନ୍ଦର ଅଥଚ ଅନଭ୍ୟସ୍ତ କଣ୍ଠରେ ଗାଇଲେ :-
ଆମର ଖଣ୍ଡୁଆଲ ମାଲିର ପାଣି ପବନ
ଆମର ଆଦିବାସୀ ଲୋକର ଜୀବନ
ବନ ପରବତେ ଝରଣା ଇତି
ମିଶି ଭିଡ଼ି କରି ଅଛୁ କେତେ ଜାତି
କିଏ ନାଇଁ ଆର ଆମର ସମାନ……
କାଏଁ ସୁନ୍ଦର ଆମର ନଦୀଝରଣା
କାଏଁ ସୁନ୍ଦର ଆମର ଜଙ୍ଗଲ,
କାଏଁ ସୁନ୍ଦର ଆମର ପାଣି ପବନ,
କାଏଁ…ଜଙ୍ଗଲ ଥିଲେ ଆମର ମଙ୍ଗଲ ।
ବନ ପରବତେ ଝରଣା ଇତି ମିଶି
କିଏ ନାଇଁ ଆର ଆମର ସମାନ ।..
ଜୀବନଜୀବିକା ଉଜାଡ଼ି ଦେବାର ଏକ ଦୁଃସ୍ୱପ୍ନ
ତାପରେ ଭଗତ ସିଂହଙ୍କ ସହିଦ ଦିବସ ଉପଲକ୍ଷେ ବନ୍ଧୁ ଶ୍ରୀମନ୍ତ ଭଗତ ସିଂହଙ୍କ ସ୍ୱପ୍ନର ଭାରତ ସମ୍ୱନ୍ଧରେ ଉଲ୍ଲେଖ କରିବା ସହ ଖଣ୍ଡୁଆଳ ମାଳି ସୁରକ୍ଷା ପରିଷଦ ସାମନାରେ ଥିବା ଆହ୍ୱାନ ତଥା ବିକଳ୍ପ ଉଦ୍ୟମର ଆବଶ୍ୟକତାର ଅବତାରଣା କଲେ । ସଭା ସରିଲା ପରେ ପଦଯାତ୍ରୀ ପୁଣି ଆଗକୁ ବଢ଼ିଲେ । ରଘୁର ସ୍ଲୋଗାନ, ଢାପ, ଝାଞ୍ଜିର ଓ ଝାଞ୍ଜର ଆୱାଜରେ ବନଭୂଇଁ ପ୍ରକମ୍ପିତ ହେଲା । ଗାଁର ସୀମା ଟପି ଜଙ୍ଗଲ ରାସ୍ତା ଧରିଲେ, ଏହା ବନ୍ଦ ହୋଇଯାଏ । ଭିନ୍ନ ଏକ ପରିବେଶ ତିଆରି ହୁଏ । ରାସ୍ତାରେ ଯାଉଁ ଯାଉଁ ହଠାତ୍ ପିଜୁଳି, କେନ୍ଦୁ ବା ବଣୁଆ କୋଳି ଦେଖିଲେ ପଦଯାତ୍ରୀ ପିଲାଙ୍କ ଭିତରେ ଏକ ପ୍ରକାର ରୋଳ ଉଠେ । ପୁଅ ପିଲାଏ ଧାଇଁ ଯାଇ ତାକୁ ତୋଳି ଆଣନ୍ତି, ଝିଅମାନଙ୍କୁ ଦିଅନ୍ତି । ତାକୁ ନେଇ କିଛି ସମୟ ପାଇଁ ହସାହସି, ନିଜ ଭିତରେ ଟାହିଟାପରା ଚାଲେ । ବେଳେ ବେଳେ ଝିଅମାନେ ବଣୁଆ ଫୁଲ ଓ ପତ୍ର ତୋଳି ଗଭାରେ ଖୋସନ୍ତି, ପୁଅମାନେ ଛୋଟମୋଟ କଥାକୁ ନେଇ ଗୀତ ଫାନ୍ଦି ଗାଇ ଗାଇ, ହସି ହସି ପଥ କ୍ଳାନ୍ତି ଭୁଲିଯିବାକୁ ଚେଷ୍ଟାକରନ୍ତି । ପଦଯାତ୍ରାର ଗମ୍ଭୀର ବାତାବରଣରେ ହାଲୁକା ସ୍ପର୍ଶ ବାଜେ । ୨୫ ତାରିଖ ସକାଳେ ତୁରି ଭେଜିଗୁଡ଼ାରେ ଥିବାବେଳେ ବ୍ରିଟିଶଙ୍କ ସହ କଥାବାର୍ତ୍ତାର ସୁଯୋଗ ମିଳିଲା । ସିଏ ଖଣ୍ଡୁଆଳ ମାଳିକୁ ନେଇ ମୁଣ୍ଡଟେକି ଥିବା ଆନେ୍ଦାଳନ, ନିଜର ସମ୍ପୃକ୍ତିକୁ ନେଇ କିଛି ସମୟ କଥାବାର୍ତ୍ତା କଲେ । ତାହା ଏହିପରି…୧୯୯୮ରେ ଖଣ୍ଡୁଆଳ ମାଳି ଇଲାକାରେ ସର୍ଭେ କରିବା ପାଇଁ କିଛି ଲୋକ ଆସିଥିଲେ । ପାଖ ଇଲାକାର ଲୋକମାନେ ସର୍ଭେ କାମରେ ଦିନ ମଜୁରିଆ ଭାବେ ଯୋଗ ଦେଉଥିଲେ । ସେ ବେଳେ କିଏ ଜଣେ ଆରଆଇ ଥିଲେ । ଆମର କେତେ ଲୋକଙ୍କ ସହ ତାଙ୍କର ପରିଚୟ ଥିଲା । ସିଏ ଲୋକଙ୍କୁ କହିଲେ ଏଠାରେ ଖଣି ଖୋଳା ହେବ, ତେଣୁ ସର୍ଭେ ହେଉଛି । ସେଇଠୁ ଲୋକମାନେ ଏହାର ବିପଦ ବିଷୟରେ ଜାଣିଲେ । ସରକାର ତରଫରୁ ଯେହେତୁ କିଛି ହେଉ ନଥିଲା, ତେଣୁ ଲୋକେ ବି ତୁନି ଥିଲେ । କିନ୍ତୁ ୨୦୦୩-୨୦୦୪ ବେଳକୁ ନିୟମଗିରିରେ ଯେତେବେଳେ ଖଣି ଖୋଳାକୁ ବିରୋଧ କରି
ଆନେ୍ଦାଳନ ମୁଣ୍ଡ ଟେକିଲା, ଲୋକେ ସଜାଗ ହେଲେ । ମତେ ବି ସେହି ଆନେ୍ଦାଳନ ଆକର୍ଷିତ କଲା । ନିୟମଗିରି, କାଶୀପୁର ଆନେ୍ଦାଳନ କର୍ମୀମାନଙ୍କର ଉଦ୍ୟମରେ ୨୦୦୬, ୨୦୦୭, ୨୦୦୮ରେ ପଦଯାତ୍ରା ହେଲା । ସେତେବେଳେ କିଛି ବୟସ୍କଲୋକ ଯଥା ଲିପା ମାଝୀ, ଟିଣୁ ମାଝୀମାନଙ୍କ ଉଦ୍ୟମରେ ଏସବୁ କାର୍ୟ୍ ହେଉଥିଲା । ସରକାର ତରଫରୁ କିଛି ନହେଲେ, ଲୋକେ ଥଣ୍ଡା ପଡ଼ିଯାଉଥିଲେ । କିନ୍ତୁ ଲୋକଙ୍କୁ ସଚେତନ କରିବା ପାଇଁ ମଝିରେ ମଝିରେ ମିଟିଂ ହେଉଥିଲା, ଯୋଗଯୋଗ ରହୁଥିଲା । ଖଣ୍ଡୁଆଳ ମାଳିକୁ ନେଇ ସକ୍ରିୟ ଥିବାରୁ ସରକାରଙ୍କ ଦୃଷ୍ଟିରେ ମୁଁ ସବୁବେଳେ ଥିଲି । ୨୦୧୬ରେ ମତେ ଗୋଟେ ମିଛି ମର୍ଡ଼ର କେଶ ପକେଇ ପୁଲିସ ଗିରଫ କଲା । ମୁଁ ସେଦିନ ଜଣକୁ ଦେଖା କରିବାକୁ ଭବାନୀପାଟଣା ହସ୍ପିଟାଲ ଯାଇଥିଲି । ଥାନାକୁ ଆଣି ମତେ ମାଡ଼ ମାରିଲେ ଓ କାହିଁକି ଖଣିଖୋଳାକୁ ବିରୋଧ କରୁଛୁ ବୋଲି କହିଲେ । ମୁଁ ଯଦିଓ କିଛି କହିଲି ନାହିଁ, କିନ୍ତୁ ଭାବିଲି ମାଡ଼ ଆମର ପ୍ରାଇଜ୍, ଜନତାଙ୍କ ତରଫରୁ ଦରମା । ସେ ଯାହା ହେଉ, ଏ ବିଷୟରେ ମାନବ ଅଧିକାର କମିଶନ ଇତ୍ୟାଦିରେ ପିଟିସନ୍ ପଡ଼ିଲା । ତା’ପରେ ମୁଁ ଜେଲରୁ ବାହାରିଲି । ଲୋକମାନଙ୍କୁ ସଚେତନ କରେଇବା ପାଇଁ ପ୍ରତିବର୍ଷ ଖଣ୍ଡୁଆଳ ମାଳି ପରବ ପାଳୁଛୁ । ବିଭିନ୍ନ ଅଞ୍ଚଳର ସାମାଜିକ ଓ ରାଜନୈତିକ କର୍ମୀମାନେ ସେଥିରେ ଯୋଗ ଦେଉଛନ୍ତି । ଗତବର୍ଷ ହୋଇଥିଲା, ଏବର୍ଷ ବି ୨୮-୨୯ରେ ହେବ । ଦେବୀଙ୍କ ପରବ ପାଳିବାର ଅର୍ଥ ହେଉଛି ଗାଁମାନଙ୍କୁ ଯୋଡ଼ିବା, ଏକଜୁଟ ହୋଇ ବକ୍ସାଇଟ ଖଣି ଖୋଳାରୁ ନିଜକୁ ରକ୍ଷାକରିବା । ଦେବୀ ଏକ ଯୋଗସୂତ୍ର; ପରବ ହେଉଛି ରାଜନୀତି ଓ ଆଧ୍ୟାତ୍ମର ଏକ ଦ୍ରବଣ । ନିୟମଗିରିକୁ ବଞ୍ଚେଇବା ପାଇଁ ଯେମିତି ନିୟମରଜାର ପରବ, ତାହାରି ଅନୁକରଣରେ ଖଣ୍ଡୁଆଳ ମାଳିକୁ ବଞ୍ଚେଇବା ପାଇଁ ବି ଖଣ୍ଡୁଆଳ ମାଳି ପରବ ।
ଖଣ୍ଡୁଆଳ ମାଳିର ୨୧୦ଟି ଗାଁ
ସରକାରୀ ଆକଳନ ଯାହା ହେଉ ନା କାହିଁକି, ସ୍ଥାନୀୟ ବାସିନ୍ଦାଙ୍କ ହିସାବରେ ଖଣ୍ଡୁଆଳ ମାଳିର ଚାରିପଟରେ ୨୧୦ଟି ଗାଁ ଅଛି । ଥୁଆମାଳ ରାମପୁର ବ୍ଲକର (କରଲାପାଟ, ଗୁଣପୁର, କିଆପଦର ଓ ଶଗଡ଼ା ପଞ୍ଚାୟତ), ଭବାନୀପାଟଣା ସଦର ବ୍ଲକର (ଜୁଗସାଇ ପାଟଣା ପଞ୍ଚାୟତ), ଲାଞ୍ଜିଗଡ଼ ବ୍ଲକର (ପାହାଡ଼ପଦର, ବିଜେପୁର, ମାଲିଜବାନ, ବେନ ଗାଁ, ଲାକବାହାଲି ଓ ମୂଷାନାଳ ପଞ୍ଚାୟତ) ଏବଂ କଲ୍ୟାଣସିଂହପୁର ବ୍ଲକର (ସିଲେଟ ଓ ସିଙ୍ଗାରି ପଞ୍ଚାୟତ) ହେଉଛି କରଲାପାଟର ଅଂଶବିଶେଷ, ସେହି ଅନୁସାରେ ଖଣ୍ଡୁଆଳ ଦେବୀଙ୍କ ପ୍ରଭାମଣ୍ଡଳ । କେବଳ ଆଧ୍ୟାତ୍ମିକ ଯୋଗସୂତ୍ର ନୁହେଁ, ମାଳ ମଧ୍ୟ ଜୀବନଜୀବିକାର ଉତ୍ସ ଯେତିକି ।
ବିଡ଼ମ୍ୱନା, ମାଳି ପେଟର ବକ୍ସାଇଟ, ମାଳିର ଅଧିବାସୀଙ୍କ ପାଇଁ ଆଜି ଏକ ଅଭିଶାପ, ଜୀବନଜୀବିକା ଉଜାଡ଼ି ଦେବାର ଏକ ଦୁଃସ୍ୱପ୍ନ । କଳାହାଣ୍ଡିରେ ସେହି ବକ୍ସାଇଟ ଚିତ୍ରଟି ଏମିତି: ( ସାରଣୀ ଦ୍ରଷ୍ଟବ୍ୟ)…. ଅବଶ୍ୟ କଳାହାଣ୍ଡିର ମାଳିମାନଙ୍କରେ ଯେ ଆହୁରି ବକ୍ସାଇଟ ନଥିବ ଏପରି ନୁହେଁ । ଓଡ଼ିଶା ସରକାରଙ୍କର ଭୂତତ୍ତ୍ୱ ନିର୍ଦ୍ଦେଶାଳୟ କୋରାପୁଟ, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅତି କମ୍ରେ ୧୦୦ଟି ଛୋଟ ଛୋଟ ମାଳିରେ ବକ୍ସାଇଟ ଗଚ୍ଛିତ ଥିବାର ଅନୁମାନ କରିଛି ଓ ଅନୁସନ୍ଧାନ ଚାଲିଛି । ଇତିମଧ୍ୟରେ ଓଡ଼ିଶା ଖଣିଜ ପଦାର୍ଥ ଅନୁସନ୍ଧାନ କର୍ପୋରେସନ(ଓଡ଼ିଶା ମିନେରାଲ୍ ଏକ୍ସପ୍ଲୋରେସନ୍ କର୍ପୋରେସନ ଲିମିଟେଡ୍) ଦ୍ୱାରା କରଲାପାଟ ଇଲାକାରେ ଅବସ୍ଥିତ ୮ ବକ୍ସାଇଟ ବ୍ଲକ୍ ମଧ୍ୟରୁ ୩ଟି (କେଲୁଆ ମାଳିର ୧୧.୨ ବର୍ଗ କିଲୋମିଟର, କିଶନମାଳିର ୯.୭ ବର୍ଗ କିଲୋମିଟର ଓ ଲିଙ୍ଗାପଦରର ୮.୫ ବର୍ଗ କିଲୋମିଟର)ର ସବିଶେଷ ଅନୁସନ୍ଧାନ କାର୍ୟ୍ୟ ସରିଯାଇଛି ଏବଂ ସେଗୁଡ଼ିକ ଏବେ ନିଲାମଯୋଗ୍ୟ । ତେଣୁ ଓଡ଼ିଶା ସରକାର ୭ ଜୁଲାଇ, ୨୦୨୧ରେ ବକ୍ସାଇଟ ଖଣି ନିଲାମ ପାଇଁ ବିଜ୍ଞପ୍ତି ଜାରି କରିଥିଲେ । ଅବଶ୍ୟ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ବଳରେ ନିଲାମ ପ୍ରକ୍ରିୟା ସ୍ଥଗିତ ରହିଛି । ଏହା ସ୍ଥାନୀୟ ବାସିନ୍ଦାଙ୍କ ସାମୟିକ ଆଶ୍ୱସ୍ତି, ବିପତ୍ତି କିନ୍ତୁ ଦୁଆର ପାଖରେ! ବକ୍ସାଇଟର ବିପତ୍ତିକୁ ଭାଳି ଭାଳି ଆମେ ପହଞ୍ଚିଲୁ ମେଲଘରାରେ ରାତି ରହଣି ପାଇଁ ।
ପଦଯାତ୍ରାର ଶେଷ ରାତି
ଆମ ପାଇଁ ପଦଯାତ୍ରାର ଶେଷ ରାତି । ୨୬ ତାରିଖ ସକାଳେ କୁକୁଡ଼ା ବସ୍ (ଏପରି ନାମକରଣର ରହସ୍ୟଟି ହେଉଛି ଯେ ପୂର୍ବରୁ ସେଥିରେ ଜାଲି ଲାଗି କୁକୁଡ଼ା ବୁହାଯାଉଥିଲା । ଏବେ ଜାଲି ଜାଗାରେ ଝରକା ଲାଗିଛି ଓ ମଣିଷ ବୁହାଯାଉଛି) ଧରି ଆମେ ଯିବୁ ଭବାନୀପାଟଣା, ସେଠୁ ଟ୍ରେନରେ ଭୁବନେଶ୍ୱର । ଭୋର ସକାଳୁ ଝିଅମାନେ ଆମକୁ ଉଠେଇଦେଲେ । ବ୍ରିଟିଶ ବି ବସ୍ ରହଣି ଜାଗାକୁ ଆସିବା ପାଇଁ ମୋଟର ସାଇକେଲ ବନେ୍ଦାବସ୍ତ କରିଦେଲେ ଏବଂ ବସ୍ ଛାଡ଼ିଲା ପର୍ୟ୍ୟନ୍ତ ଅପେକ୍ଷା କରିବାକୁ ଜିତେନ୍ଦ୍ରଙ୍କୁ କହିଲେ । ବିଦାୟ ବେଳ – ସମସ୍ତଙ୍କ ମନ ଓଦା ଓଦା । ପରବ ପର୍ୟ୍ୟନ୍ତ ରହିଲୁ ନାହିଁ ବୋଲି ସମସ୍ତଙ୍କର ଅଭିମାନ । ବ୍ରିଟିଶ ଅଭିମାନରେ କହି ପକେଇଲେ, “ତମେମାନେ ତ ଯିବ, ପଦଯାତ୍ରାରେ ଧରିଥିବା ବାଡ଼ିଖଣ୍ଡିକ କାହିଁକି ରହିବ, ତାକୁ ବି ନେଇକି ଯାଅ” । “କନେ୍ଦଇ ଦବାକୁ ଆସିଥିଲ”, କହି ରଘୁ ଅଭିମାନରେ ପଳେଇଗଲା । ଭାରୀ ମନରେ ମୋଟର ସାଇକେଲରେ ବସିଲୁ । ମେଲଘରାରୁ ବସ ରହଣି ସ୍ଥାନ ଛଅ, ସାତ କିଲୋମିଟର ହେବ । ରାସ୍ତା ସାରା ମହୁଲ ସାଉଁଟି ଯାଉଥିବାର ବା ସାଉଁଟା ମହୁଲକୁ ଟୋକେଇରେ ନେଇ ଫେରୁଥିବାର ସେହି ସମାନ ଦୃଶ୍ୟକୁ ପୁଣି ମନଭରି ଦେଖିଲୁ ।
ମାଳି/ସ୍ଥାନ ଗଚ୍ଛିତ ଖଣିଜ ପଦାର୍ଥର ଉପର ଭାଗର ଆୟତନ ଖଣିଜ ପଦାର୍ଥର ପରିମାଣ
କରଲାପାଟ-ପୁଲିଂପଦର ୯.୬ ବର୍ଗ କିଲୋମିଟର ୨୦୭ (୧୫୩ ନିୟୁତ ଟନ୍ ପ୍ରମାଣିତ + ୫୩ ନିୟୁତ ଟନ୍ ସମ୍ଭାବ୍ୟ)
କୁଟ୍ରୁମାଳି –ଟାଙ୍ଗରି ଡଙ୍ଗର ୪.୬ ବର୍ଗ କିଲୋମିଟର ୪୦ ନିୟୁତ ଟନ୍ (ସମ୍ଭାବ୍ୟ)
କୃଷ୍ଣମାଳି/କିଶନମାଳି ୨.୩୬ ବର୍ଗ କିଲୋମିଟର ୮୮ ନିୟୁତ ଟନ୍ (ସମ୍ଭାବ୍ୟ)
କେଲୁଆମାଳି ୨.୯୬ ବର୍ଗ କିଲୋମିଟର ୪୯ ନିୟୁତ ଟନ୍ (ସମ୍ଭାବ୍ୟ)
ନିୟମଗିରି ୭୩ ନିୟୁତ ଟନ୍ (ପ୍ରମାଣିତ)
ନିଗମ
୯୪୩୯୦୧୧୫୧୬
Comments
0 comments