ଜାତିବାଦର ବିଲୋପ ବନାମ ବିଶ୍ୱାସ

ବିନୋଦ
ବିନୋଦ203 Views
29 Min Read

ବିଜ୍ଞାନର ଅଭେଦ୍ୟ ଦୁର୍ଗରେ ମାନବ ନିଜର ସ୍ଥିତି ସୁଦୃଢ଼ କରିଛି । ନାନା ପ୍ରକାର ସନ୍ଦେହ ଦୂର କରିଛି । ହଜାର ହଜାର ବର୍ଷ ଧରି ପ୍ରକୃତି ବିରୋଧରେ ଲଢ଼ି ନିଜକୁ ଜୀବଜଗତର ସର୍ବଶ୍ରେଷ୍ଠ, ଜ୍ଞାନୀ ପ୍ରାଣୀଭାବେ ପ୍ରମାଣିତ କରିଛି । ଅଜସ୍ର ଅସମାହିତ ପ୍ରଶ୍ନକୁ ସମାହିତ କରି ଅସମ୍ଭବକୁ ସମ୍ଭବ କରିଆସିଛି । ଗୋଟିଏ ପରେ ଗୋଟିଏ ଉଦ୍ଭାବନ କରିବା ସହ ମଣିଷ ନାହିଁ ନଥିବା ପ୍ରଗତି ହାସଲ କରିଛି । ବିଜ୍ଞାନର ବିଶାଳ ପରିସୀମା ଭିତରେ ମଣିଷର ଅଦମ୍ୟ ପିପାସା ଏବେ ବି ଗତିଶୀଳ ଏବଂ ଦିନକୁ ଦିନ ଆଗେଇ ଯିବାର ପ୍ରକ୍ରିୟା ଜାରି ରହିଛି । ଆଜି ଯାହା ନୂଆ, କାଲି ତାହା ପୁରୁଣା ହୋଇଯାଉଛି । ଆଜି ଯାହାକୁ ମଣିଷ ସବୁଠାରୁ ଶ୍ରେଷ୍ଠ ଓ ବଡ଼ ଉଦ୍ଭାବନ ବୋଲି ଦାବି କରୁଛି; କିଛି ବର୍ଷ ପରେ ତାହା ସାଧାରଣ ପ୍ରତପାଦିତ ହେଉଛି । ପିଢ଼ି ପରେ ପିଢ଼ିର ଏହି ପ୍ରକ୍ରିୟା ହଜାର ହଜାର ବର୍ଷ ଧରି ଚାଲିଆସିଛି । ଏହାର ପୂର୍ଣ୍ଣଚ୍ଛେଦ ପଡ଼ିବା ବି ସମ୍ଭବ ଲାଗୁନାହିଁ । ଅଦୃଶ୍ୟ ପ୍ରକ୍ରିୟାଠାରୁ ଆରମ୍ଭ କରି ନାନାପ୍ରକାର ବୃହତ୍ ଅଭିଯାନ ଜରିଆରେ ମଣିଷ ଯେଉଁ ବିକାଶର ଶୀର୍ଷରେ ପାଦ ଦେଉଛି, ତାହା ପୁଣି ସାଧାରଣ ଅବସ୍ଥାକୁ ଚାଲିଆସୁଛି । ଜୀବ ସୃଷ୍ଟି ସମ୍ପର୍କରେ ଅନେକ ମହାଜ୍ଞାନୀ, ଜୀବବିଜ୍ଞାନୀ, ନୃତତ୍ତ୍ୱବିତ୍ ପ୍ରମାଣ କରିସାରିଛନ୍ତି ଯେ ଏକ -କୋଷୀ ପ୍ରାଣୀଠାରୁ ଆରମ୍ଭ କରି ସୁବୃହତ ଡାଏନୋସାର ଯାଏ ସବୁକିଛି ପ୍ରକୃତିର ସୃଷ୍ଟି । ଏହାରି ଭିତରେ ମଣିଷ ବି ରହିଛି । ମାତ୍ର ବୁଦ୍ଧି ଓ ଜ୍ଞାନ ଯୋଗୁ ମଣିଷ ଭିନ୍ନ ପ୍ରାଣୀ ଭାବେ ଗଢ଼ିଉଠିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମଣିଷ ଏତେ ଶିକ୍ଷାଲାଭ କରି ବି ନିଜକୁ ଅନ୍ଧବିଶ୍ୱାସ ମଧ୍ୟରେ ହଜାଇଛି । ଜାତି, ବର୍ଣ୍ଣ, ଧର୍ମର କଠୋର ବଳୟରେ ନିଜକୁ ସୀମାବଦ୍ଧ କରୁଛି । ଏଥିରୁ ମୁକୁଳିବା ଲାଗି ଯେତିକି ପ୍ରୟାସ କରୁଛି ତାଠାରୁ ଅଧିକ କଠୋରଭାବେ ପରମ୍ପରା, ବିଶ୍ୱାସ, ଭାବନା, ଜାତିପ୍ରେମକୁ ବାନ୍ଧି ରଖୁଛି ।

ଭାରତ ପରି ଏକ ଜନବହୁଳ, ଜାତିବହୁଳ, ବହୁଧର୍ମୀ ରାଷ୍ଟ୍ରରେ ଜାତିବାଦ ନିଜର ପକ୍ଷ ବିସ୍ତାର କରିଚାଲିଛି । ହଜାର ହଜାର ବର୍ଷ ଧରି ଏହି ବ୍ୟବସ୍ଥା ଦେଶବାସୀଙ୍କୁ ଏପରି କଠୋର ଭାବେ ଶୃଙ୍ଖଳିତ କରିଆସିଛି ଯେ ମଣିଷ ସେଥିରୁ ମୁକୁଳି ପାରୁନାହିଁ । ଶିଶୁଟିଏ ଜନ୍ମ ହେବା ମାତ୍ରେ ତାକୁ ଜାତିବାଦର ବନ୍ଧନ ଭିତରେ ବାନ୍ଧି ଦିଆଯାଉଛି ଏବଂ ଏକ ଜାତିବିହୀନ, ଧର୍ମବିହୀନ ସମାଜର କଳ୍ପନା କରିବା ନିମନ୍ତେ ଶିଶୁଟିକୁ ସୁଯୋଗ ଦିଆଯାଉନାହିଁ । ପିଲାଟି ଜାଣିବା କାଳରୁ ବାପାମା ତାକୁ କାଠ, ପଥରର ଦେବତା ଆଗରେ ପ୍ରାର୍ଥନା କରିବା ଶିଖାଇବା ଠାରୁ ଆରମ୍ଭ କରି ଜାତିବାଦର ତଥାକଥିତ ଗୌରବମୟ ବନ୍ଧନରେ ତାକୁ ନିମଜ୍ଜିତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ନାନା କୁସଂସ୍କାର, ଅନ୍ଧବିଶ୍ୱାସ, ଅର୍ଥନୈତିକ ଅଭିସନ୍ଧି ଭିତରେ ସୃଷ୍ଟି ହୋଇଥିବା ଜାତିବାଦ ଏବେ ବି ମଣିଷକୁ ଅପନିନ୍ଦିତ ଭାବେ କାବୁ କରି ରଖିଛି ।

୨୦୦୯ ମସିହାରେ ମିଳିତ ଜାତିସଂଘ ମାନବାଧିକାର କମିଶନ ପକ୍ଷରୁ ଜାତିବାଦକୁ ମାନବାଧିକାରର ଉଲ୍ଲଂଘନ ବୋଲି ଘୋଷଣା କରାଯିବା ସହ ଏହା ଏକ ଅପରାଧ ବୋଲି ଘୋଷଣା କରାଯାଇଥିଲା । ମାତ୍ର ଏହା ବିଶ୍ୱର କୌଣସି ସ୍ଥାନରେ ବସ୍ତୁତଃ ପ୍ରତିଫଳିତ ହୋଇ ନଥିଲା । ବିଶେଷ କରି ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଜାତିବାଦକୁ ତିଳେମାତ୍ର କ୍ଷୁଣ୍ଣ କରିବାରେ ସହାୟକ ହୋଇ ନଥିଲା । ଜାତିବାଦର ବିଲୋପ ବିରୋଧରେ ଯେଉଁ ଆଭ୍ୟନ୍ତରୀଣ ସଂଗ୍ରାମ ହେବା କଥା, ତାହା କେଉଁଠି ପରିଲକ୍ଷିତ ହୋଇପାରି ନାହିଁ । ଜାତିବାଦର ବିଲୋପ ଲାଗି ବି ରାଷ୍ଟ୍ରୀୟ ସ୍ତରରେ ଉଦ୍ୟମ ହୋଇନାହିଁ ।

ପ୍ରାୟ ୩୫୦୦ ବର୍ଷ ପୂର୍ବେ ଆର୍ଯ୍ୟମାନେ ସିନ୍ଧୁ ଉପତ୍ୟକାରେ ପ୍ରବେଶ କରିବା ପରେ ସେମାନଙ୍କ ସଂସ୍କୃତି, ପରମ୍ପରା ବଜାୟ ରଖିବା ଲାଗି ସବୁ ପ୍ରକାର ଉଦ୍ୟମ କଲେ । ସେମାନେ ବିଶେଷ କରି ବ୍ରହ୍ମା, ଇନ୍ଦ୍ର, ବରୁଣ, ସୋମ ଆଦି ଦେବତାଙ୍କୁ ପୂଜା କରୁଥିଲେ । ଆର୍ଯ୍ୟ ଜାତିର ପରାକାଷ୍ଠା ବଜାୟ ରଖିବା ଲାଗି ଆର୍ଯ୍ୟମାନେ ଜାତିବାଦକୁ ପ୍ରୟୋଗ କରିଥିଲେ । ପରେ ପରେ ଆର୍ଯ୍ୟମାନେ କ୍ଷମତାଶାଳୀ ହୋଇଉଠିବା ପରେ ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଇଥିଲା । ଏହା ସହ ଅନେକ ଆର୍ଯ୍ୟ ମୁନିଋଷି ମଧ୍ୟ ଏହାକୁ ପାଳନ କରି ବର୍ଣ୍ଣାଶ୍ରମକୁ ବିଭିନ୍ନ କାବ୍ୟ ଜରିଆରେ ପ୍ରକାଶ କଲେ । ପ୍ରାୟ ଖ୍ରୀପୂ ୧୦୦୦ ବେଳକୁ ଭାରତରେ ଜାତିବାଦର ଭିତ୍ତି ପଡ଼ିଯାଇଥିଲା ଏବଂ ମଣିଷକୁ ଚାରି ଭାଗରେ ବିଭକ୍ତ କରିଦିଆଯାଇଥିଲା । ପୂଜକ, ଶିକ୍ଷାବିତ୍ ପ୍ରମୁଖଙ୍କୁ ବ୍ରାହ୍ମଣ; ରାଜା, ଶାସକ, ଯୋଦ୍ଧାଙ୍କୁ କ୍ଷତ୍ରିୟ; କୃଷକ, ଶିଳ୍ପୀ, ବ୍ୟବସାୟୀଙ୍କୁ ବୈଶ୍ୟ ଓ ସେବା ପ୍ରଦାନକାରୀ ବ୍ୟକ୍ତିମାନଙ୍କୁ ଶୂଦ୍ର ଭାବେ ବିଭକ୍ତ କରାଯାଇଥିଲା । ଅନେକ ଅଣଆର୍ଯ୍ୟଙ୍କୁ ବହୁଳଭାବେ ବୈଶ୍ୟ ଓ ଶୂଦ୍ର ଶ୍ରେଣୀରେ ସାମିଲ କରାଯାଇଥିଲା ।

ଜାତିବାଦକୁ ବିଲୋପ କରିବା ଲାଗି ମହାବୀର ଜୈନ (ଖ୍ରୀପୂ୫୪୦-ଖ୍ରୀପୂ ୪୬୬) ବିଶେଷ ଉଦ୍ୟମ କରିଥିଲେ । ଐତିହାସିକମାନେ କୁହନ୍ତି ମହାବୀର ହିଁ ପ୍ରଥମ ବ୍ୟକ୍ତି ଯେ କି ଜାତିବାଦକୁ ବିରୋଧ କରିଥିଲେ । ମାତ୍ର ତାଙ୍କ ପ୍ରଭାବ ଖୁବ୍ ସୀମିତ ରହିଲା ଏବଂ ଜାତିବାଦ ବିରୋଧରେ ଯେଉଁ ଆନ୍ଦୋଳନ ହେବା କଥା , ତାହା ଘଟିଲା ନାହିଁ । ଗୌତମ ବୁଦ୍ଧ ସଂସାରତ୍ୟାଗୀ ହୋଇ ସମାଜକ୍ଷେତ୍ରକୁ ଓହ୍ଲାଇଲେ । ମାତ୍ର ସେ ଧର୍ମ, ଜାତି, ବିରୋଧରେ ସ୍ୱର ଉତ୍ତୋଳନ କରିବା ବଦଳରେ ଜାତି ଭିତରେ ରହିଥିବା ପାତରଅନ୍ତର ନୀତିକୁ ବିରୋଧ କରିଥିଲେ । ଏହା ସହ ସେ ଧର୍ମକୁ ବିରୋଧ କରିବା ବଦଳରେ ନୂଆ ଏକ ଧର୍ମ ତିଆରିରେ ମନଯୋଗୀ ହେଲେ । ହିନ୍ଦୁ ଧର୍ମରେ ରହିଥିବା ଧାର୍ମିକ କୁସଂସ୍କାର ଦୂର କରିବାକୁ ଆହ୍ୱାନ ଦେଇଥିବାବେଳେ ଜୀବହତ୍ୟାକୁ ବିରୋଧ କରିଥିଲେ । ଫଳରେ ସେ ଜଣେ ନାସ୍ତିକ ନାୟକ ହେଲେ ନାହିଁ ବରଂ ଜଣେ ଧର୍ମସଂସ୍କାରକ ହେଲେ । ଫଳରେ ଅନ୍ୟ ଧର୍ମ ପରି ଏହି ଧର୍ମ ବି ରହିଲା । ବିଶେଷ ଫରକ ପଡ଼ିଲା ନାହିଁ । ଖୋଦ୍ ବୌଦ୍ଧ ଧର୍ମରେ ବିଭିନ୍ନ ଜାତିର ଲୋକମାନେ ସାମିଲ ହେଲେ ମାତ୍ର ସେମାନେ ନିଜର ଜାତି ପରିଚୟ ବଳବତ୍ତର ରଖିଲେ । ଫଳ ଏହା ହେଲେ ଯେ, ବୁଦ୍ଧଙ୍କ ମୃତ୍ୟୁ ପରେ ତାଙ୍କ ଚିତାଭସ୍ମ ନେବା ଲାଗି କ୍ଷତ୍ରିୟ ଓ ବୈଶ୍ୟଙ୍କ ମଧ୍ୟରେ କଳହ ହେଲା । ମଗଧ ରାଜା ଏଥିରେ ହସ୍ତକ୍ଷେପ କରି ବୁଦ୍ଧ ଜଣେ କ୍ଷତ୍ରିୟ ହୋଇଥିବାରୁ ତାଙ୍କ ଚିତାଭସ୍ମ କ୍ଷତ୍ରିୟ ମାନେ ନେବା ଆବଶ୍ୟକ ବୋଲି ନିଷ୍ପତ୍ତି ଶୁଣାଇଥିଲେ ।

ବୁଦ୍ଧ ସମସ୍ତ ବର୍ଣ୍ଣ ଓ ଜାତି ମଧ୍ୟରେ ସମାନତା ଆଣିବା ଲାଗି ଚେଷ୍ଟା କରିଥିଲେ । ଜାତି- ଜାତି ମଧ୍ୟରେ ରହିଥିବା ବୈଷମ୍ୟ ଦୂର ଲାଗି ଆହ୍ୱାନ ଦେଇଥିଲେ । ମାତ୍ର ଜାତି ପ୍ରଥାର ବିଲୋପ ଲାଗି ଯଦି ସେ ଚେଷ୍ଟା କରିଥାନ୍ତେ, ତେବେ ଅନେକ ହିତ ସାଧନ ହୋଇଥାନ୍ତା ଏବଂ ଜାତିବାଦ ପରି ଏକ କୁଚ୍ଛ୍ର ତଥା ଭୟଙ୍କର ପ୍ରକ୍ରିୟାର ଆଜି ହୁଏତ ଅବସାନ ଘଟିଥାନ୍ତା ।

ଜାତିବାଦ ଅତୀତରେ ଭୟଙ୍କର ରୂପ ଧାରଣ କରିଥିଲା । ଏହା ଅତି କଠୋର ଥିଲା । ତେବେ ଭାରତୀୟ ଇତିହାସରେ ବାସବ ପ୍ରଥମେ ଏହାର ଦୃଢ଼ ବିରୋଧ କରିଥିଲେ ଏବଂ ଜାତିବାଦ ବିରୋଧୀ ଆନେ୍ଦାଳନର ନେତୃତ୍ୱ ନେଇଥିଲେ । ସେ ମନ୍ଦିର ବ୍ୟବସ୍ଥାକୁ ବିରୋଧ କରିବା ସହ ଶୂଦ୍ରମାନଙ୍କ ଅଧିକାର ନିମନ୍ତେ ସଂଗ୍ରାମ କରିଥିଲେ । ତାଙ୍କ ଯୋଗୁଁ ପ୍ରଥମେ ଶୂଦ୍ରମାନେ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ । ତାଙ୍କ ଉଦ୍ୟମ ଯୋଗୁଁ ଜଣେ ବ୍ରାହ୍ମଣ କନ୍ୟା ଜଣେ ଦଳିତ ଯୁବକଙ୍କୁ ବିବାହ କରିଥିଲେ । ସେ ସାଂସ୍କୃତିକ ସ୍ତରରେ ଜାତିବିରୋଧୀ ଆନ୍ଦୋଳନ କୁ ପ୍ରୋତ୍ସାହନ ଦେବା ସହ ବୈପ୍ଲବିକ କବିତା ଜରିଆରେ ଲୋକଙ୍କୁ ଉଦ୍ବୁଦ୍ଧ କରିଥିଲେ ।

ଭାରତରେ ଅନ୍ୟ ଜଣେ ଦଳିତ ବିପ୍ଲବୀ ଥିଲେ ଚୋଖମେଳା । ସେ ଜାତିବାଦକୁ ବିରୋଧ କରିଥିଲେ । ମାତ୍ର ତାଙ୍କର ରାଜନୈତିକ ଓ ସାମାଜିକ ଦିଗଦର୍ଶନ ନଥିବା ସହ ସେ ଅନ୍ୟ ଭାବେ ଭଗବାନ(!)ଙ୍କୁ ପୂଜା କରୁଥିଲେ । ତେଣୁ ଜାତିବାଦ ବିରୋଧୀ ଲଢ଼େଇରେ ସେ ସାମିଲ ଥିଲେ ବି ତାଙ୍କର ପ୍ରଭାବ ହ୍ରାସ ପାଇଲା ।

ଜାତିବାଦ ବିରୋଧରେ ରବିଦାସ ନେଇଥିଲେ ପ୍ରମୁଖ ଭୂମିକା । ରବିଦାସ କାଶୀରେ ଜନ୍ମଗ୍ରହଣ କରିଥିଲେ ଯାହାକି ଆର୍ଯ୍ୟମାନଙ୍କ ପୂର୍ଣ୍ଣ ନିୟନ୍ତ୍ରଣରେ ରହିଥିଲା । କୁହାଯାଏ ଶିବ ଏହି ସହର ପ୍ରତିଷ୍ଠା କରିଥିଲେ । କାଶୀ ଅତୀତରେ ଜାତିବାଦର କେନ୍ଦ୍ର ହୋଇଥିଲା ଏବଂ ସେଠାରେ ଜାତିବାଦ ଏତେ ତୀବ୍ର ଥିଲା ଯେ ଶୂଦ୍ରମାନେ ସେଠାରେ ମୁଣ୍ଡ ତଳକୁ କରି ଯା’ଆସ କରୁଥିଲେ । ମାତ୍ର ରବିଦାସଙ୍କ ସଂଗ୍ରାମ ଯୋଗୁଁ ସେଠାରେ ପ୍ରଥମ ଥର ଲାଗି ଶୂଦ୍ରମାନେ ମୁଣ୍ଡ ସିଧା କରି ଚାଲିପାରିଲେ । ସେ କିଛି ଉଚ୍ଚଜାତିର ଲୋକଙ୍କୁ ବି ନିଜ ଆନ୍ଦୋଳନ ରେ ସାମିଲ କରିବାରେ ସଫଳ ହୋଇଥିଲେ । ତାଙ୍କର ତିନି ନୀତି ଥିଲା ଶିକ୍ଷା ଦିଅ, ଆନ୍ଦୋଳନ କର ଓ ସଂଗଠିତ ହୁଅ । ଏହାର ଅର୍ଥ ଥିଲା ବ୍ରାହ୍ମଣବାଦୀ ବ୍ୟବସ୍ଥା ବିରୋଧରେ ଏକ ହୁଅ ଓ ସାମାଜିକ ଆନ୍ଦୋଳନ ରେ ଝାସ ଦିଅ । ସେ ନାରୀ ଶିକ୍ଷା ପ୍ରତି ଆଗ୍ରହୀ ହେବା ସହ ସେମାନଙ୍କୁ ସାମାଜିକ କୁସଂସ୍କାର ବିରୋଧରେ ଠିଆହେବା ଲାଗି ପ୍ରେରଣା ଦେଇଥିଲେ । ରାମଦାସ ସଂସ୍କୃତ ଓ ଦେବନାଗରୀ ଭାଷା ପ୍ରତି ବିମୁଖ ହେବା ସହ ନିଜେ ଗୁରୁମୁଖୀ ଭାଷାର ସୃଷ୍ଟିକର୍ତ୍ତା ଥିଲେ ଯେଉଁଥିରେ ୩୪ଟି ଅକ୍ଷର ଥିଲା । ଦଳିତମାନେ ସେତେବେଳେ ଗୁରୁକୁଳ ଦେଇ ଯିବା ଆସିବା କରିବା କିମ୍ବା ସଂସ୍କୃତ ଶିକ୍ଷା କରିବାକୁ ଚାହିଁଲେ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉଥିଲା । ଏଥିଲାଗି ରବିଦାସ ନିଜର ନୂଆ ଭାଷା ବାହାର କରିବାକୁ ଆଗ୍ରହୀ ହୋଇଥିଲେ । ଏସବୁ ପଦକ୍ଷେପ ଲାଗି ବ୍ରାହ୍ମଣବାଦୀ ବ୍ୟବସ୍ଥାପନ୍ଥୀମାନେ ତାଙ୍କୁ ହତ୍ୟା କରିଥିଲେ ।

ରବିଦାସଙ୍କ ପରି ଘାସିଦାସ ମଧ୍ୟ ଜାତିବାଦ ବିରୋଧରେ ଲଢ଼େଇ କରିଥିଲେ । ବିଶେଷ କରି ବ୍ରାହ୍ମଣବାଦୀ ବ୍ୟବସ୍ଥା ବିରୋଧରେ ଶୂଦ୍ରମାନଙ୍କୁ ଉତ୍ଥାନ କରିବା ଲାଗି ପ୍ରୟାସ କରିଥିଲେ । ଘାସିଦାସ ଛତିଶଗଡ଼ ସାରା ଘୂରି ଲୋକଙ୍କୁ ସଚେତନ କରାଇଥିଲେ । ଶୋଷିତ ଦଳିତଙ୍କୁ ସାମାଜିକ ମର୍ଯ୍ୟାଦା ଦେବା ଲାଗି ସେ ପ୍ରୟାସ କରିଥିଲେ । ତାଙ୍କର ମତାଦର୍ଶର ପ୍ରତିଫଳନ ଘଟିଥିଲା ୧୬୭୨ମସିହାରେ । ସେହିବର୍ଷ ଭାରତୀୟ ଇତିହାସରେ ପ୍ରଥମ ଦଳିତ ବିପ୍ଲବ ହରିଆଣାର ନାର୍ଣ୍ଣାଉଲରେ ସଂଗଠିତ ହୋଇଥିଲା । ଘାସିଦାସପନ୍ଥୀ ଜାତିବାଦୀ, ପେଶୱା ମରାଠା ପ୍ରମୁଖଙ୍କ ପ୍ରବଳ ବିରୋଧର ସମ୍ମୁଖୀନ ହୋଇଥିଲେ । ତେବେ ଶେଷରେ ମୋଗଲ-ବଣିଆ ଶୋଷଣ ଓ ମରାଠାଙ୍କ ଜାତିବାଦୀ ବ୍ୟବସ୍ଥା ବିରୋଧରେ ସେମାନେ ସଫଳ ହୋଇଥିଲେ ।

ଜାତିବାଦ ବିରୋଧରେ ଲଢ଼ିଥିଲେ ସମାଜ ସଂସ୍କାରକ ମହାତ୍ମା ଫୁଲେ ଓ ପତ୍ନୀ ସାବିତ୍ରୀବାଈ । ସେମାନେ ତାତ୍ତ୍ୱିକ ଦୃଷ୍ଟିରୁ ଏହି ସଂଗ୍ରାମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏବଂ ଶିକ୍ଷା ଜରିଆରେ ସାମାଜିକ ପରିବର୍ତ୍ତନ ଉପରେ ଗୁରୁତ୍ୱାରୋପ କରିଥିଲେ । ଦଳିତଙ୍କ ଉତ୍ଥାନ ଲାଗି ଫୁଲେ ସଂଗ୍ରାମ କରିବା ସହ ବ୍ରାହ୍ମଣବାଦୀ ବ୍ୟବସ୍ଥା ବିରୋଧରେ ଲଢ଼େଇ କରିଥିଲେ । ସାଂସ୍କୃତିକ ବିପ୍ଲବ ଜରିଆରେ ପରିବର୍ତ୍ତନ ସମ୍ଭବ ବୋଲି ସେ ଆହ୍ୱାନ ଦେଇଥିଲେ ।

ଏହି ସଂଗ୍ରାମରେ ବି ଆସନ୍ତି ଜ୍ୟୋତି ଥାସ୍ । ସେ ତାମିଲ, ସଂସ୍କୃତ, ପାଲି ଓ ଇଂରାଜୀରେ ଜ୍ଞାନ ଅର୍ଜନ କରିବା ସହ ଦଳିତ ଛାତ୍ର ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିଲେ । ସହରାଂଚଳ, ଗ୍ରାମାଂଚଳରେ ବାସ କରୁଥିବା ଦଳିତମାନଙ୍କୁ ଏକାଠି କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ସେ ପ୍ରଚେଷ୍ଟା କରିଥିଲେ । ଦଳିତମାନଙ୍କୁ ସ୍ୱାଧୀନତା ଦେବାଲାଗି ଲେଖା ଜରିଆରେ ଉଦ୍ୟମ କରିଥିବାବେଳେ ବୈପ୍ଲବିକ ପରିବର୍ତ୍ତନ ଲାଗି ଆଦର୍ଶଗତ ସଂଗ୍ରାମକୁ ସେ ଗୁରୁତ୍ୱ ଦେଉଥିଲେ ।

ଦଳିତ ଉତ୍ଥାନ କ୍ଷେତ୍ରରେ ପ୍ରମୁଖ ଅବଦାନ ଦେଇଥିଲେ ବି.ଆର. ଆମ୍ବେଦକର । ଆଦର୍ଶଗତ ସଂଗ୍ରାମ, ସମ୍ବିଧାନ, ତାତ୍ତ୍ୱିକ ଲେଖା ଆଦି ଜରିଆରେ ସେ ଦଳିତ ମୁକ୍ତି ପ୍ରତି ଅବିସ୍ମରଣୀୟ କାର୍ଯ୍ୟ ସାଧନ କରିଥିଲେ । ସେ ବି ଧର୍ମକୁ ବିରୋଧ କରୁଥିଲେ ।

ଭାରତୀୟ ଜନଜୀବନରେ ଜାତିବାଦ ଏକ ଆତ୍ମାହୋଇ ଚରହିଯାଇଛି । ଏହା ଏତେ ଅସ୍ଥିମଜ୍ଜାଗତ ହୋଇଯାଇଛି ଯେ, ଏଥିରୁ ମୁକ୍ତି ପାଇବା ଭାରତୀୟଙ୍କ ଲାଗି ଅସମ୍ଭବବୋଧ ହୋଇଛି । ଯେପରି ଜୀବନ ପ୍ରତି ସ୍ୱତନ୍ତ୍ର ମୋହ ରହିଛି ସେହିପରି ଜାତି ପ୍ରତି ମଣିଷର ଏକ ସ୍ୱତନ୍ତ୍ର ପ୍ରୀତି ରହିଛି । ଜାତିବାଦ ଭିତରେ ଅର୍ଥନୈତିକ ଶୋଷଣ, ଦୂଷିତ ଚିନ୍ତାଧାରା, ସାମାଜିକ କୁସଂସ୍କାର, ଭାଷାଗତ କୁଚ୍ଛ୍ର ଭାବନା, ଅସ୍ପୃଶ୍ୟତା, ନାରକୀୟତା, ସାମ୍ପ୍ରଦାୟିକତା, ମୌଳବାଦ, ଅତୀନ୍ଦ୍ରିୟବାଦୀ ଚିନ୍ତା ଧାରା, ଅନୈତିକତା ଆଦି ବସା ବାନ୍ଧି ରହିଛ । ହଜାର ହଜାର ବର୍ଷ ଧରି ଜାତିବାଦୀ ବ୍ୟବସ୍ଥାରେ ଏସବୁ ରହିବା ଯୋଗୁ ଏହା ଏକ ବଦ୍ଧମୂଳ ମାନସିକତାରେ ରହିଯାଇଛି । ଜାତିବାଦ ବିରୋଧରେ କମ୍ୟୁନିଷ୍ଟ ମାନେ ବିଶେଷ ସ୍ୱର ଉତ୍ତୋଳନ କରିବା କଥା । ପୁଣି ପ୍ରଗତିଶୀଳ ସାମାଜିକ ବ୍ୟବସ୍ଥାରେ ଜାତି, ଧର୍ମ, ବର୍ଣ୍ଣର ବିଲୋପ ଘଟାଇ ଏକ ନୂଆ ସମାଜ କଳ୍ପନା କରିବା କଥା । ମାତ୍ର ତାହା ଘଟିଲା ନାହିଁ । ଭାରତରେ କମ୍ୟୁନିଷ୍ଟ ଦଳର ପ୍ରସାର ପ୍ରାୟ ୧୯୨୦ ମସିହାରୁ ହୋଇଥିଲେ ହେଁ ଆଜିଯାଏ ସମାଜର ସଂସ୍କାର ହୋଇପାରିଲା ନାହିଁ । ଏପରିକି କମ୍ୟୁନିଷ୍ଟ ଶାସିତ ରାଜ୍ୟରେ ବି ଏହା ଘଟିଲା ନାହିଁ । ଖୋଦ୍ ପଶ୍ଚିମବଙ୍ଗରେ ବ୍ରାହ୍ମଣ, ବଣିଆ, କାୟସ୍ଥଙ୍କ ପ୍ରଭାବ ଖୋଦ୍ ସରକାର ଓ ସାମାଜିକ ବ୍ୟବସ୍ଥାରେ ରହିଆସିଛି । ଏପରିକି ବିଭିନ୍ନ କମ୍ୟୁନିଷ୍ଟ ଦଳରେ ବି ଉଚ୍ଚଜାତିର ପ୍ରାଧାନ୍ୟ ଦେଖିବାକୁ ମିଳୁଛି । ଭୋଟ ଲାଗି ବିଭିନ୍ନ ଦଳର ନିର୍ବାଚନୀ ଇସ୍ତାହାରରେ ଆଦିବାସୀଙ୍କ ଦାବି କଥା ଉପସ୍ଥାପନ କରାଯାଉଛି ମାତ୍ର ଜାତିବାଦ ବିରୋଧରେ ପଦୁଟିଏ କୁହାଯାଉନାହିଁ ।

ଜାତି ଏକ ଭାବନାର ପ୍ରତିଫଳନ ମାତ୍ର । ହୁଏତ କିଛି ମାନସିକତା ପିଢ଼ି ପିଢ଼ି ଧରି ନିର୍ଦ୍ଦିଷ୍ଟ ଜାତିରେ ରହିଆସିଥାଏ । ମାତ୍ର ଜାତି ଭାବନା ମଣିଷ ନିଜ ମାନସପଟରୁ ଦୂରେଇ ଦେଲେ ଏହା ସମ୍ଭବ ହେବା ବିଚିତ୍ର ନୁହେଁ । ଭାରତୀୟ ସାମାଜିକ ବ୍ୟବସ୍ଥାରେ ଏହା ହୋଇଛି ଯେ, ନାମ ଲେଖାଇବା କାଳରୁ ହିଁ ଜଣେ ଶିଶୁକୁ ଜାତି,ବର୍ଣ୍ଣ, ଧର୍ମ ଆଦିରେ ବାନ୍ଧି ଦିଆଯାଏ । ଏହି ପ୍ରଥା ଦୂରେଇବା ଲାଗି ସରକାରୀ ସ୍ତରରେ ଆଲୋଚନା ହେଉନାହିଁ । ଗୁଜରାଟରେ ପଟିଦାର ଆନ୍ଦୋଳନ ହେଲା । ଏହାର ନେତା ହାର୍ଦ୍ଦିକ ପଟେଲ ରାତାରାତି ପ୍ରସିଦ୍ଧ ହୋଇଗଲେ । ତାଙ୍କୁ କଂଗ୍ରେସ ପକ୍ଷରୁ ରାଜ୍ୟ ଦାୟିତ୍ୱ ବି ଦିଆଗଲା । ଏଥିରୁ ପ୍ରମାଣିତ ହେଉଛି ଯେ, ଭୋଟବ୍ୟାଙ୍କ ହାତେଇବା ଲାଗି ରାଜନୈତିକ ଦଳ କି ପ୍ରକାର କୁଚ୍ଛ୍ର ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି । ହାର୍ଦ୍ଦିକ ଚାହିଁଥିଲେ ରାଜ୍ୟର ସମସ୍ତ ଗରିବମାନଙ୍କ ବିକାଶ କଥା କହିପାରିଥାନ୍ତେ। ମାତ୍ର ସେ ତାହା ନ କରି କେବଳ ଜାତିବାଦୀ କାର୍ଡ ଖେଳିଲେ । କାରଣ ପଟିଦାରମାନେ ଯେ କୌଣସି ରାଜନୈତିକ ଦଳର ଭାଗ୍ୟ ନିର୍ଦ୍ଧାରଣ କରୁଥିବାରୁ ହାର୍ଦ୍ଦିକ ଏହି ସୁଯୋଗ ହାତଛଡ଼ା କରିବାକୁ ଚାହିଁଲେ ନାହିଁ ।

ମାତ୍ର ଭାରତୀୟ ବ୍ୟବସ୍ଥା ମଧ୍ୟରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, କୌଣସି ଏକ ବ୍ୟବସ୍ଥାର ମୂଳପୋଛ କରିବା ଲାଗି ସଂଗଠିତ ଉଦ୍ୟମ କ୍ଷେତ୍ରରେ ସାମଗ୍ରିକ ବିପ୍ଲବ ସମ୍ଭବ ହୋଇନାହିଁ । ପରନ୍ତୁ ଗୋଟିଏ ବ୍ୟବସ୍ଥା ବଦଳରେ ଅନ୍ୟ ଏକ ବ୍ୟବସ୍ଥା ପ୍ରଚଳିତ ହୋଇଆସିଛି ।

ଯେତେଗୁଡ଼ିଏ ଦଳିତ ଆନ୍ଦୋଳନ ହୋଇଛି ସେ ସବୁଥିରେ ଦଳିତ ସମ୍ପ୍ରଦାୟର ମୂଳପୋଛ ଲାଗି ଉଦ୍ୟମ ହୋଇନାହିଁ । ବରଂ ଦଳିତହୋଇ ରହିଯିବାରେ ଅଯଥା ଗୌରବବୋଧ ପ୍ରକାଶିତ ହୋଇଛି । ଉଦାହରଣ ସ୍ୱରୂପ ଏହି ଆନ୍ଦୋଳନ ନାଁରେ ନାନା ପ୍ରକାର ସଂଗଠନ ତିଆରି ହୋଇଛି ଯାହାର ବାସ୍ତବ ଉଦେଶ୍ୟ ହେଲା- ଦଳିତ ହୋଇ ରହିଯାଇ ଉଚ୍ଚ ଜାତିର ଅତ୍ୟାଚାର ବିରୋଧରେ ଲଢ଼େଇ ଜାରି ରଖିବା । ଯଦି ଦଳିତ ଶବ୍ଦର ଉଚ୍ଛେଦ ଘଟିଥାନ୍ତା ତେବେ ହୁଏତ ଆଜି ଦଳିତମାନେ ଏପରି ଅବସ୍ଥାରେ ନଥାନ୍ତେ । ଅନେକ ଦଳିତବାଦୀ ସଂଗଠନ ତିଆରି ହୋଇଛି ଯେଉଁଥିରେ ସେମାନେ କେବଳ ଅତ୍ୟାଚାରକୁ ହିଁ ବିରୋଧ କରିବା ଦେଖାଯାଉଛି । ଏହାର ଅର୍ଥ ହେଲା ସେମାନେ ଚିରଦିନ ଲାଗି ଦଳିତ ହୋଇ ରହିବାକୁ ହିଁ ଚେଷ୍ଟା କରୁଛନ୍ତି । ବାରିକ, ତୈଳିକ, ଧୀବର, ଭୋଇ, ପଥର ବଢ଼େଇ, କାଠ ବଢ଼େଇ, ସାରୁଆ ବ୍ରାହ୍ମଣ, ହଳୁଆ ବ୍ରାହ୍ମଣ, ଧୋବା ଆଦି ଜାତି ଯେପରି ଭାବେ ଜାତିବାଦ ସଙ୍ଗଠନ ତିଆରି କରି ସେମାନଙ୍କ ଜାତି, ଗୋତ୍ର ପରମ୍ପରାକୁ ଚିରଦିନ ସାଇତି ରଖିବା ଲାଗି ଉଦ୍ୟମ କରୁଛନ୍ତି ଏହା ଦ୍ୱାରା ଜାତିବାଦର ବିଲୋପ ସମ୍ଭବ ନୁହେଁ । ସେହି ଜାତି ଭିତରେ ହିଁ ବୈବାହିକ ସମ୍ପର୍କ ତିଆରି କରିବା, ସେହି ଜାତି ଭିତରେ ହିଁ ରହିଆସିଥିବା କୁସଂସ୍କାର, ପରମ୍ପରା, ଜାତିଭିତ୍ତିକ ବ୍ୟବସ୍ଥା ଆଦିକୁ ସାଇତି ରଖିବାର ମାନସିକତା ଏବେ ବି ବଳଶାଳୀ ରହିଛି । ଏହାର ବିଲୋପ ଲାଗି କୌଣସି ଉଦ୍ୟମ ହେଉନାହିଁ । ବରଂ ନେତା, ମନ୍ତ୍ରୀ, ବିଧାୟକ, ଅଫିସର ଆଦି ଏହି ସଂଗଠନଗୁଡ଼ିକର ପ୍ରୋତ୍ସାହନ ସାଜୁଛନ୍ତି । ଅନ୍ଧବିଶ୍ୱାସର ଅନ୍ଧକୂପ ଭିତରେ ମଣିଷର ମୁକ୍ତି ସତରେ କେତେ ଦୁରୂହ ବ୍ୟାପାର!

ଭାରତୀୟ ସମାଜରେ ଯେତେ ଆନ୍ଦୋଳନ ତିଆରି ହୋଇଛି ତାହାର ଶେଷ କେବେ ବି ଏକ ବ୍ୟବସ୍ଥାଗତ ପରିବର୍ତ୍ତନରେ ଉପନୀତ ହୋଇ ନାହିଁ । ସାମୟିକ ସଫଳତା ସହ ଏହାର ଆଙ୍ଗିକ ପରିବର୍ତ୍ତନ ଘଟିଛି ମାତ୍ର ଆତ୍ମିକ ପରିବର୍ତ୍ତନ ସମ୍ଭବ ହୋଇପାରିନାହିଁ ।

ଭାରତରେ ଭକ୍ତିବାଦକୁ ନେଇ ଅନେକ ଆନ୍ଦୋଳନ ସଂଗଠିତ ହୋଇଛି । ଶହ ଶହ ବର୍ଷ ଧରି ଏହି ଆନ୍ଦୋଳନ ଜରିଆରେ ବହୁ ଜାତିର ଲୋକ ଉଦ୍ବୁଦ୍ଧ ହୋଇଛନ୍ତି । ଅନେକ ଧାର୍ମିକ ଗୁରୁଙ୍କୁ ଲୋକେ ଆଶ୍ରା ଭାବେ ଗ୍ରହଣ କରିଛନ୍ତି । ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଛନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା ନିଜ ଜାତି, ଧର୍ମ, ବର୍ଣ୍ଣକୁ ତ୍ୟାଗ କରିବାର ନାଁ ଧରିନାହାନ୍ତି । ଭକ୍ତି ଆନ୍ଦୋଳନର ଅନ୍ୟତମ ରଥୀ ଚୈତନ୍ୟଙ୍କ ହଜାର ହଜାର ଅନୁଗାମୀ ରହିଥିଲେ । ହଜାର ହଜାର ସଂକୀର୍ତ୍ତନମଣ୍ଡଳୀ ତାଙ୍କ ଆଦର୍ଶରେ ତିଆରି ହୋଇଥିଲା ।

ମାତ୍ର ଜାତିବାଦର ବିଲୋପ ଲାଗି ଏହା ଜରିଆରେ ଆଦୌ ଉଦ୍ୟମ ହେଲା ନାହିଁ । ଶ୍ରୀଚୈତନ୍ୟ କେବଳ ନିଜର ଅନୁଗାମୀଙ୍କ ସହ ଭକ୍ତିଭାବରେ ଲୋଡ଼ା ହୋଇ ରହିଗଲେ । ଯଦି ସେ ଏହା ଜରିଆରେ ସମାଜ ସଂସ୍କାରର ବାର୍ତ୍ତା ପ୍ରଦାନ କରିଥାନ୍ତେ, ତେବେ ହୁଏତ ଅନେକ ଜାତିର ବିଲୋପ ଘଟିଥାନ୍ତା । ଯେଉଁମାନେ ଭକ୍ତି ସାହିତ୍ୟରେ ନିମ୍ମଜିତ ରହିଲେ ସେମାନେ ଭଗବାନ(!)ଙ୍କୁ ଡାକିବା ବ୍ୟତୀତ ଅନ୍ୟ କୌଣସି ସାମାଜିକ ସଂସ୍କାରର ବାର୍ତ୍ତା ଦେଲେ ନାହିଁ । କେବଳ ଭକ୍ତିଭାବରେ ବନ୍ଧା ହୋଇଗଲେ ସାମାଜିକ ମୁକ୍ତି ମିଳେନାହିଁ । ସାମାଜିକ, ଅର୍ଥନୈତିକ ଶୋଷଣରୁ ମୁକ୍ତି ପାଇବା, ଅନ୍ଧବିଶ୍ୱାସର ବିଲୋପ ଘଟାଇବା, ଆନ୍ତର୍ଜାତିକ ସ୍ତରରେ ମାନବ ସମାଜ ଲାଗି ନିର୍ବିଶେଷରେ ସଂଗ୍ରାମ କରିବାର ମୌଳିକ ଚିନ୍ତାଧାରାକୁ କେହି କାର୍ଯ୍ୟକାରୀ କଲେ ନାହିଁ । ଫଳ ଏହା ହେଲା ଯେ ହଜାର ହଜାର ପୋଥି ଲେଖାଯାଥିଲେ ବି ସଂସ୍କାରମୂଳକ ପଦକ୍ଷେପର ଦୃଷ୍ଟାନ୍ତ ରହିଲା ନାହିଁ କି ଜାତିବାଦର ବିଲୋପ ନିମନ୍ତେ ଆହ୍ୱାନ ଦିଆଗଲା ନାହିଁ । ଏପରିକି ସ୍ୱାମୀ ବିବେକାନନ୍ଦ ବି ହିନ୍ଦୁତ୍ୱବାଦୀ ଚିନ୍ତାଧାରାରୁ ନିଜକୁ ମୁକ୍ତ କରିପାରିଲେ ନାହିଁ ଏବଂ ହିନ୍ଦୁତ୍ୱ ଜରିଆରେ ସେ ମାନବ ସମାଜ ବିଷୟ ଚିନ୍ତା କରିଥିଲେ । କେଉଁ ଧର୍ମ ବି କେବେ ବି ମଣିଷକୁ ବିପ୍ଲବ ପଥରେ ଆଗେଇ ନେଇନାହିଁ । ଭକ୍ତିରସରେ ଉଦ୍ବୁଦ୍ଧ ହୋଇ ଦେବତା, ସ୍ୱାମୀଜୀଙ୍କ ନାମ ଗୁଣ ଗାନ କଲେ ମୁକ୍ତି ମିଳେନା । ଧର୍ମ ପରି ଏକ କୁଚ୍ଛ୍ର ମାନସିକତା ବିରୋଧରେ ବଜ୍ର ସଂଗ୍ରାମ ନ ହେବା ଫଳରେ ଆଜି ଧର୍ମର ବେହରଣ ଭିତରେ ନାନା ଜାତି, ବର୍ଣ୍ଣ ଏବେ ବି ଜାଗ୍ରତ ହୋଇ ରହିଛନ୍ତି ।

ଜାତିବାଦର ତୀବ୍ରତା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ପ୍ରଭାତ ରଞ୍ଜନ ସରକାର । ସେ ବୈଦିକ ବ୍ୟବସ୍ଥା ବିରୋଧରେ ଲୋକଙ୍କୁ ସଂଗଠିତ କରିଥିଲେ । ଜାତିଗୋତ୍ର ଆଦି ବିରୋଧରେ ସେ ରହିଥିଲେ । ସେ ବିବର୍ତ୍ତନ ତତ୍ତ୍ୱକୁ ଗ୍ରହଣ କରୁଥିଲେ ଏବଂ ବାନରରୁ ମଣିଷର ସୃଷ୍ଟି ବୋଲି ଯେଉଁ ବିବର୍ତ୍ତାନିକ ପ୍ରମାଣ ରହିଛି ତାହାକୁ ସେ ଗ୍ରହଣ କରିଥିଲେ ।

ମଣିଷର ସୃଷ୍ଟି ବାନରରୁ ହିଁ ହୋଇଥିଲା । ଏଥିଲାଗି ଲାଗିଥିଲା କୋଟି କୋଟି ବର୍ଷ । ଯେହେତୁ ବାନରର କୌଣସି ଜାତି ନାହିଁ, ମଣିଷର ବି ଜାତି ଆସିଲା କୁଆଡୁ? ତେଣୁ ମଣିଷ ନିଜ ସ୍ୱାର୍ଥ ଦୃଷ୍ଟିରୁ ଜାତି ପ୍ରଥା ତିଆରି କଲା ।

ଭାରତୀୟ ରାଜନୀତିର ଜାତିର ପ୍ରଭାବ ବହୁ ଅଧିକ । ଅଧିକାଂଶ ରାଜନେତା ଜାତିବାଦୀ ରାଜନୀତିକୁ ପାଥେୟ କରନ୍ତି। ବିଭିନ୍ନ ଜାତି, ଧର୍ମର କାର୍ଡ ଖେଳନ୍ତି । ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ହିଁ ଜାତିବାଦକୁ ପ୍ରାଧାନ୍ୟ ଦିଆଯାଉଛି ଏବଂ ସଂରକ୍ଷଣ ନାଁରେ ଜାତିବାଦୀ ମାନସିକତାକୁ ଅଧିକ ଶକ୍ତିଶାଳୀ କରାଯାଉଛି । ରାଜନୀତିରେ ସଂରକ୍ଷଣ ଚିନ୍ତାଧାରା ଜାତିବାଦକୁ ଅଧିକ ପ୍ରୋତ୍ସାହିତ କରୁଛି ଏବଂ ନୂଆ ପିଢ଼ି ଜାତିବାଦୀ ମାନସିକତାକୁ ଦୂରେଇବା ବଦଳରେ ଏଥିରେ ସାମିଲ ହୋଇଯାଉଛନ୍ତି । ଖୋଦ୍ ରାଜନୀତି ହିଁ ସମାଜକୁ ଅଧିକ ଜାତିବାଦୀ କରୁଛି, ମଣିଷକୁ ବହୁଧା ବିଭକ୍ତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ।

ଭାରତରେ ରାଜନୈତିକ ନେତାମାନେ ନିଜର ସାଜ୍ଞା ତ୍ୟାଗ କରିବାକୁ କୁଣ୍ଠିତ । ବିଭିନ୍ନ ବାମପନ୍ଥୀରୁ ଏଥିରୁ ବାଦ୍ ପଡୁନାହାନ୍ତି । ପ୍ରଗତିଶୀଳ ସମାଜ ବ୍ୟବସ୍ଥା ବଦଳରେ ପୁରା କାଳରୁ ରହିଆସିଥିବା ଧାର୍ମିକ, ପାରମ୍ପରିକ ବ୍ୟବସ୍ଥାକୁ ଆଦରି ନେଉଛନ୍ତି ଏବଂ ଏହାର ବିଲୋପ ବଦଳରେ ଏହାକୁ ବଳବତ୍ତର ରଖିବା ଲାଗି ଉଦ୍ୟମ କରୁଛନ୍ତି।

ବିଦ୍ୟାଳୟ ସ୍ତରରୁ ଯଦି ଜାତି ବ୍ୟବସ୍ଥା ହଟାଇବା ଲାଗି ପ୍ରାଥମିକ ଉଦ୍ୟମ କରାଯାଏ ତେବେ କିଛି ଦଶନ୍ଧି ଭିତରେ ଏହି କୁଚ୍ଛ୍ର ଜାତିବାଦର ପ୍ରଭାବ ହୁଏତ ହ୍ରାସ ପାଇବ । ଏହା ସହ ସରକାରୀ ନିଯୁକ୍ତି, ସରକାରୀ ପ୍ରତିଷ୍ଠାନ ଆଦି କ୍ଷେତ୍ରରେ ଜାତିବାଦୀ ସଂରକ୍ଷଣ ବ୍ୟବସ୍ଥା ଉଚ୍ଛେଦ କରାଗଲେ ଜାତିବାଦ ଦୂରେଇଯିବା ଲାଗି କ୍ଷେତ୍ର ସୃଷ୍ଟି ହୋଇପାରିବ ।

ଭାରତରେ ଏତେ ଧର୍ମ, ଜାତି,ବର୍ଣ୍ଣ, ଭାଷା, ଆଦର୍ଶ, ପନ୍ଥା, ମାର୍ଗ, ରାଜନୈତିକ ଦଳ ଇତ୍ୟାଦି ରହିଛନ୍ତି ଯେ ବିଶ୍ୱର ଅନ୍ୟ କୌଣସି ରାଷ୍ଟ୍ରରେ ତାହା ଦେଖାଯାଏନାହିଁ । ଭାରତରେ ବାବା, ମାତା, ତାନ୍ତ୍ରିକ, ଧର୍ମଗୁରୁଙ୍କ ସଂଖ୍ୟା ଅଗଣତି । ହେଲେ ଯେଉଁ ମୁଖ୍ୟ ପ୍ରସଙ୍ଗକୁ ସଭିଏଁ ଏଡ଼ାଇ ଯାଇଛନ୍ତି ତାହା ହେଉଛି ଜାତିବାଦ । ସମସ୍ତ ଭକ୍ତିଗୁରୁ ନିଜ ନିଜର ଅନୁଗାମୀମାନଙ୍କୁ ଏକାଠି କରନ୍ତି ବିଭିନ୍ନ ସ୍ୱାର୍ଥରେ । ମାତ୍ର ଯେଉଁ ବୃହତ ସ୍ୱାର୍ଥ ଅର୍ଥାତ ଜାତିବାଦର ବିଲୋପ ଦିଗରେ ପଦୁଟିଏ କହିବା ଦେଖାଯାଏ ନାହିଁ । ଫଳରେ ଜାତିବାଦରେ ଭରି ରହିଥିବା ମାନସିକତା, ଅନ୍ଧବିଶ୍ୱାସ ସବୁଠି ପ୍ରତିଫଳିତ ହେଉଛି ।

ବିଭିନ୍ନ ସ୍ତରରେ ବିଭିନ୍ନ ବ୍ୟକ୍ତିବିଶେଷ ଜାତିବାଦ ବିରୋଧରେ ଭିନ୍ନ ତରିକାରେ ଆନ୍ଦୋଳନ କରିଆସିଛନ୍ତି । ସେମାନଙ୍କ ଚିନ୍ତାଧାରାକୁ ବିଭିନ୍ନ ଭାବେ ପ୍ରତିଫଳିତ କରାଇଛନ୍ତି। ମାତ୍ର ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ସେମାନେ ସାଂସ୍କୃତିକ ବିପ୍ଲବକୁ ଅସ୍ତ୍ର କଲେ ନାହିଁ । ସାମାଜିକ, ଅର୍ଥନୈତିକ ସ୍ତରରେ ଯଦି ଜାତିବାଦ ବିରୋଧୀ ସଂଗ୍ରାମକୁ ସାଂସ୍କୃତିକ ବିପ୍ଲବରେ ରୂପ ଦିଆଯାଇଥାନ୍ତା ତେବେ ହୁଏତ ଜାତିବାଦ ବିରୋଧରେ ପ୍ରଭାବ ପଡ଼ିଥାନ୍ତା । ବିଭିନ୍ନ ନେତା ନିର୍ଦ୍ଦିଷ୍ଟ ସାମାଜିକ ବ୍ୟବସ୍ଥା ଭିତରେ ରହି ଜାତିବାଦ ବିରୋଧରେ ଲଢ଼ିଲେ । ଫଳତଃ ଏହି ସଂଗ୍ରାମ ନା ସାମଗ୍ରିକ ରୂପ ନେଇପାରିଲା ନା ଜାତୀୟ ସ୍ତରରେ ଏକ ବୃହତ ପ୍ରଭାବ ପକାଇପାରିଲା ।

ଚେତନାଗତ ଭାବେ ଜାତିବାଦ ବିରୋଧରେ ଶାଣିତ ସ୍ୱରର ଅଭାବ ସହ ଲୋକଙ୍କୁ ଆତ୍ମିକ ଭାବେ ଜାତିବାଦ ବିରୋଧୀ ଚିନ୍ତା ପ୍ରଭାବ ପକାଇଲା ନାହିଁ । ପୁଣି ବିଭିନ୍ନ ରାଜା ମହାରାଜା ସ୍ତରରେ ଜାତିବାଦକୁ ବହୁ ଉପାୟରେ ଯେଉଁ ପ୍ରୋତ୍ସାହନ ଦିଆଯାଇଥିଲା ସ୍ୱାଧୀନତା ପରେ ବି ସେଥିରୁ ମୁକୁଳିବା ଲାଗି କୌଣସି ପଦକ୍ଷେପ ନିଆଗଲା ନାହିଁ । ସମ୍ବିଧାନରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତଙ୍କୁ ଅଧିକାର କଥା ଯାହା କୁହାଗଲା ବାସ୍ତବରେ ତାହା ଜାତିବାଦର ଅସ୍ତିତ୍ୱକୁ ହିଁ ପରିପ୍ରକାଶ କରୁଛି । ଅର୍ଥାତ ସବୁ ଜାତି, ବର୍ଣ୍ଣ, ଧର୍ମ ରହୁ, ସାମାଜିକ ପିଢ଼ି ରହୁ ବୋଲି ସମ୍ବିଧାନ ବିବେଚନା କଲା । ଦଳିତମାନଙ୍କ ସାମାଜିକ ଅର୍ଥନୈତିକ ମୁକ୍ତି ଉପରେ ଗୁରୁତ୍ୱ ଦିଆଯାଇ ନ ଯାଇ ସେମାନଙ୍କୁ ଦଳିତ ବନ୍ଧନରେ ବାନ୍ଧି ଦିଆଗଲା ।

ଦଳିତ ଆନ୍ଦୋଳନ ନାଁରେ ଯେଉଁମାନେ ଦେଶର ନେତୃତ୍ୱ ନେଲେ ସେମାନେ ସେହି ଦଳିତ ରହିବା ଲାଗି ହିଁ ସଂଗ୍ରାମ କରିଆସୁଛନ୍ତି । ଦଳିତାମାନଙ୍କୁ ଅଧିକ ଆସନ ଦେବା, ଦଳିତଙ୍କୁ ଅର୍ଥନୈତିକ ପ୍ୟାକେଜ ଦେବା, ଦଳିତଙ୍କୁ ଉପଯୁକ୍ତ ନ୍ୟାୟ ଦେବା ଆଦି ନାଁରେ ଦଳିତ ପ୍ରଥାକୁ ଶକ୍ତିଶାଳୀ କରିବା ଲାଗି ହିଁ ପରୋକ୍ଷ ବ୍ୟବସ୍ଥା ହୋଇଆସିଛି ।

ଭିନ୍ନ ଜାତିରେ ବିବାହ ଲାଗି ଏବେ ବି ସାରା ଦେଶରେ ଏକ ପ୍ରକାର ଅସୂୟା ଭାବ ଲାଗି ରହିଛି । ପୋଲିସ ପ୍ରଶାସନ ବି ଏହି ବିବାହକୁ ସ୍ୱୀକୃତି ଦେବା କଷ୍ଟକର ହୋଇପଡୁଛି । ଦାୟର ହୋଇଥିବା ମାମଲା ଅନୁସାରେ ପୋଲିସ ଗତି କରୁଛି । ଉଭୟ ପକ୍ଷର ଲୋକମାନେ ବି ଏହାକୁ ବିରୋଧ କରିବା ସହ ନାନା ପ୍ରକାର ହିଂସାତ୍ମକ ପଦକ୍ଷେପ ଗ୍ରହଣ କରନ୍ତି । ଅନର କିଲିଂର ବି ଆଶ୍ରୟ ନିଅନ୍ତି ।

ଜାତିବାଦ ପରି ଏକ କଠୋର ବ୍ୟବସ୍ଥାର ମୂଳପୋଛ ଲାଗି ସାଂସ୍କୃତିକ ବିପ୍ଲବର ଯଥେଷ୍ଟ ଆବଶ୍ୟକତା ରହିଛି । ସାହିତ୍ୟ, ପାଠ୍ୟପୁସ୍ତକ ଆଦି ଜରିଆରେ ଏହି ବ୍ୟବସ୍ଥା ଉପରେ କୁଠାରାଘାତ କରିବା ଜରୁରୀ । ବାଲ୍ୟକାଳରୁ ପିଲାମାନେ ଯେପରି ଜାତିବାଦ ପ୍ରତି ଏକ ମାନସିକତାକୁ ଦୂର କରିବେ, ନିଜର ଜାତି ପରିଚୟକୁ ଲୋପ କରିବେ ସେଦିଗରେ ପଦକ୍ଷେପ ନେବାର ଆବଶ୍ୟକତା ରହିଛି । ଭିନ୍ନ ଜାତିରେ ବାହାଘରକୁ ସରକାରୀ ସ୍ତରରେ ଅଧିକ ପ୍ରୋତ୍ସାହନ ଦେବା, ଏହି ଧରଣର ବିବାହକୁ ନିରାପତ୍ତା ଯୋଗାଇବା ଲାଗି ନ୍ୟାୟିକ ବ୍ୟବସ୍ଥା କରିବା ଉପରେ ସରକାରୀ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ ।

ଜାତିବାଦୀ ମାନସିକତା ମଣିଷକୁ ବିଭିନ୍ନ ପଥରେ ବାହିନିଏ । ନିମ୍ନଜାତିର ମଣିଷ ମନରେ ସର୍ବଦା ଅବସୋସମୂଳକ ଚିନ୍ତାଧାରା ପ୍ରକାଶ ପାଏ । ସେ ନିଜକୁ ଅନ୍ୟମାନଙ୍କ ସହ ମିଶିବା ନେଇ ସଂକୋଚବୋଧ କରେ । ଉଚ୍ଚଜାତିର ମଣିଷ ମନରେ ଏକ ପ୍ରକାର ଗର୍ବ ରହିଥାଏ । ସେ ନୀଚଜାତିର ମଣିଷକୁ ଭିନ୍ନଦୃଷ୍ଟିରେ ଦେଖିଥାଏ । ଯଦି ଜାତିବାଦ ନଥାନ୍ତା, ତେବେ ମଣିଷ-ମଣିଷ ମଧ୍ୟରେ ଦୂରତା ପ୍ରାୟ ରହନ୍ତା ନାହିଁ ।

ଜାତିବାଦ ଅର୍ଥନୈତିକ ଅବସ୍ଥାର ଏକ ପ୍ରତିବନ୍ଧକ । ଗୋଟିଏ ଗୋଟିଏ ଜାତି ଅର୍ଥନୈତିକ ଦାସତ୍ୱରୁ ମୁକ୍ତ ହୋଇପାରନ୍ତି ନାହିଁ । ସେମାନଙ୍କ ଉତ୍ଥାନ ନିମନ୍ତେ ଯେଉଁ ଉଦ୍ୟମ କରାଯାଏ, ତାହା ଫଳବତୀ ବି ହୁଏନାହିଁ । ଜାତିବାଦର କଠୋର ବଳୟ ମଧ୍ୟରେ ମଣିଷ ସର୍ବଦା ନିଜସ୍ତରରେ ହିଁ ରହିବାକୁ ଚେଷ୍ଟିତ ହୁଏ ।

ପୃଥିବୀରେ କୌଣସି ମଣିଷ ନିକୃଷ୍ଟ କି ଉକ୍ରୃଷ୍ଟ ନୁହନ୍ତି । ସମସ୍ତେ ଏକ ପ୍ରକାର । କେବଳ ସେମାନଙ୍କ ଚିନ୍ତାଧାରା ଅନୁସାରେ ସେମାନେ ଯାହା ଭିନ୍ନ ହୋଇଥାନ୍ତି । ମାତ୍ର କୁଚ୍ଛ୍ର ଜାତିବାଦ ମଣିଷକୁ ଜନ୍ମରୁ ହିଁ ସ୍ୱତନ୍ତ୍ର ଭାବେ ନିର୍ଦ୍ଧାରିତ କରିଦେଇଥାଏ । ଯଥା ନିମ୍ନଜାତିର ଲୋକ ହୋଇଥିବାରୁ ସେ ନିକୃଷ୍ଟ, ସେ ଉଚ୍ଚ ଜାତିରେ ଜନ୍ମ ହୋଇଥିବାରୁ ଉତ୍କୃଷ୍ଟ ଇତ୍ୟାଦି । ଏହି ମାନସିକତା ସାଧାରଣତଃ ମାନବିକ ଅଧିକାରର କ୍ଷୁଣ୍ଣ କରୁଛି ଏବଂ ମଣିଷ ଭାବେ ବଂଚିବାର ଅଧିକାରକୁ ପ୍ରତିହତ କରୁଛି ।

ଯଦିଓ ମଣିଷ ତିଆରି କରିଥିବା ସମ୍ବିଧାନରେ ସମସ୍ତଙ୍କୁ ସମାନ ଅଧିକାର ପ୍ରଦାନ କରାଯାଇଛି ଠିକ୍ ସେହିପରି ଏହି ମଣିଷ ଚାହିଁଲେ ଆଜନ୍ମରୁ ଜାତିତ୍ୱ ହଟାଇବାଟା ବଡ଼ କଥା ନୁହେଁ । ଏଥିପାଇଁ କେବଳ ମାନସିକତା ଓ ଦୃଢ଼ ଇଚ୍ଛାଶକ୍ତି ଲୋଡ଼ା । ଏଥିଲାଗି ସାଂସ୍କୃତିକ ସ୍ତରରେ ଏକ ନବଜାଗରଣ ଲୋଡ଼ା । ଅନେକ ବଡ଼ ଲେଖକ/କବି/ଔପନ୍ୟାସିକ ଜାତିବାଦ ବିରୋଧରେ ଲେଖା ଲେଖିଛନ୍ତି, ହେଲେ ସେମାନେ ନିଜ ସାଂଜ୍ଞା ଛାଡ଼ିବା ଦେଖାଯାଇନାହିଁ କି ସେମାନଙ୍କ ସନ୍ତାନସନ୍ତତିଙ୍କୁ ଭିନ୍ନ ଜାତିରେ ବିବାହ ଦେବା ଲାଗି ଚାହିଁନାହାନ୍ତି । ଯେଉଁଠି ହୋଇଛି ସେଠାରେ ଆକସ୍ମିକତା ମାତ୍ର ।

ବହୁ ବାବାମାତା, ସାଧୁ ଭାରତରେ ଉତୁରିଛନ୍ତି । ନାନାପ୍ରକାର ମତର ପ୍ରସାର କରିଛନ୍ତି । ସମତା ବାର୍ତ୍ତା ଦେଇଛନ୍ତି । ହେଲେ ଜାତିବାଦର ବୂ୍ୟହ ଭିତରେ ସେମାନେ ରହିଛନ୍ତି । ଜାତିବାଦ ବିରୋଧରେ ସ୍ୱର ଉତ୍ତୋଳନ ପ୍ରାୟତଃ କରିନାହାନ୍ତି । ନିଜେ ସାଧୁହୋଇ ତପସ୍ୟା କରିଦେଲେ ସମାଜରେ ଥିବା କୁସଂସ୍କାର, ଜାତିବାଦ, ମୌଳବାଦ, ସାମ୍ପ୍ରଦାୟିକତାବାଦ ଆଦି ହଟାଇବା ପାଇଁ ବାର୍ତ୍ତା ଦେଇନାହାନ୍ତି । ପରନ୍ତୁ ଜାତିବାଦର କଠୋର ବ୍ୟବସ୍ଥା ଭିତରେ ରହି ଏହି ସବୁ ସ୍ଲୋଗାନ ଦେଇଥିବାରୁ ତାହାର ବିଶେଷ ପ୍ରଭାବ ପଡ଼ିନାହିଁ । ମଣିଷର ମାନସିକତାରୁ ଜାତି ସୃଷ୍ଟି । ଏହି ଜାତି ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ମାନସିକତା । ଏହି ମାନସିକତାକୁ ଦୂରେଇବା ଲାଗି ସବୁ ସ୍ତରରେ ସାମାଜିକ, ଅର୍ଥନୈତିକ ଓ ସାଂସ୍କୃତିକ ବିପ୍ଲବ ଲୋଡ଼ା । ମଣିଷ ସମାଜ ଲାଗି ସବୁଠାରୁ ଅଧିକ କ୍ଷତି ଯଦି କେହି କରିଥାଏ, ତାହା ହେଉଛି ଭକ୍ତିବାଦ । ଏହି ଭକ୍ତିବାଦ ମଣିଷକୁ ଅତି ନିକୃଷ୍ଟ କରିଦିଏ । ଏକ ଶୂନ୍ୟ ଭାବନା ଆଧାରରେ ଏକ ଧନ୍ୟ(!) ଜୀବନ ଲାଗି ଯେଉଁ ମନ୍ତ୍ର ଭକ୍ତିବାଦ ପ୍ରଦାନ କରେ ତାହା ପରୋକ୍ଷ ଭାବେ ବସ୍ତୁବାଦୀ ଦର୍ଶନ, ଅର୍ଥନୈତିକ ସମାନତା, ସାମାଜିକ ସମତା ଆଦିକୁ ପଦାଘାତ କରିବାରେ ସକ୍ଷମ ହୁଏ ଏବଂ ଶାସକ, ରକ୍ଷଣଶୀଳ, କ୍ଷମତାଶାଳୀ ଗୋଷ୍ଠୀ ଲାଗି ବିଶେଷ ଉପାଦେୟ ସାବ୍ୟସ୍ତ ହୋଇଥାଏ ।

ଜାତିବାଦ, କୁସଂସ୍କାର, ଅନ୍ଧମାନସିକତା, ଶୋଷଣ, ଦାରିଦ୍ର୍ୟ, ଅପସଂସ୍କୃତି, କୁଚ୍ଛ୍ର ଭାବନା ଆଦି ଭିତରେ ରହି ତଥାକଥିତ ଆନନ୍ଦମୟ ଜୀବନରେ ଲିପ୍ତ ହେବାର ସହଜ ମାର୍ଗ ହେଉଛି ଭକ୍ତିବାଦ । ତେଣୁ ଶହ ଶହ ବର୍ଷ ଧରି ଭକ୍ତିମାର୍ଗ ଦେଶରେ ପରିଲକ୍ଷିତ ହୋଇଥିଲେ ଏହା ଏକ ବିପ୍ଲବ ଆଣିବାରେ ଅକ୍ଷମ ହୋଇଛି, ସାମାଜିକ ସମତା ପ୍ରତିଷ୍ଠା କରିବାରେ ବ୍ୟର୍ଥ ହୋଇଛି, ଅର୍ଥନୈତିକ ଶୋଷଣ ବିରୋଧରେ ମଣିଷମାନଙ୍କୁ ଏକାଠି ସଂଗ୍ରାମ ପଥରେ ନେବାର ପ୍ରତିବଦ୍ଧତାକୁ ହଟାଇଛି ।

ଶ୍ରୀଚୈତନ୍ୟ କୀର୍ତ୍ତନ ବିପ୍ଲବ ଆରମ୍ଭ କରିଥିଲେ । ଏହାର ମୂଳମନ୍ତ୍ର ଥିଲା ମୁସଲମାନ ଓ ବ୍ରାହ୍ମଣ ବିରୋଧରେ ସ୍ୱର ଉତ୍ତୋଳନ । ମାତ୍ର ଜାତିବାଦର ବିଲୋପ ଲାଗି ଏହା ଉଦ୍ଦିଷ୍ଟ ନ ଥିଲା । ଯଦିଓ ତାଙ୍କ କୀର୍ତ୍ତନ ମଣ୍ଡଳୀରେ ସବୁ ଜାତି, ବର୍ଣ୍ଣ ଏପରିକି ମୁସଲମାନଙ୍କୁ ବି ନାଚିବାର ଅନୁମତି ଥିଲା ତଥାପି ଜାତିବାଦର ବିଲୋପ ଲାଗି ତାଙ୍କର ବାର୍ତ୍ତା ନଥିଲା । ଜାତିବାଦ ପରି ଶହ ଶହ ବର୍ଷ ଧରି ରହି ଆସିଥିବା ଏକ ମାନସିକତାକୁ ଦୂର କରିବା ଲାଗି ଅସ୍ତ୍ରଶସ୍ତ୍ର ଜରିଆରେ ବିପ୍ଳବ ସମ୍ଭବ ନୁହେଁ । ଏଥିପାଇଁ ଭିନ୍ନ ଏକ ଆଦର୍ଶର ଆନ୍ଦୋଳନ ଲୋଡ଼ା । ହୃଦୟଗତ ପରିବର୍ତ୍ତନ ଲୋଡ଼ା । ଜାତି, ବର୍ଣ୍ଣ, ଧର୍ମକୁ ପାଥେୟ କରି ଏହି ବିପ୍ଲବ ସମ୍ଭବ ନୁହେଁ । କାରଣ ସବୁଧର୍ମର ଅସ୍ତିତ୍ୱ ବିଶେଷ ଭାବେ ଜାତିବାଦୀ ମାନସିକତାରେ ହିଁ ତିଆରି ହୋଇଛି । ନାଜିମାନଙ୍କ ଇହୁଦୀ ବିରୋଧୀ ମାନସିକତା, ଆରଏସ୍ଏସ୍ର ମୁସଲିମବିରୋଧୀ ମାନସିକତା ଇତ୍ୟାଦି ଜରିଆରେ ଜାତିବାଦର ବିଲୋପ ସମ୍ଭବ ନୁହେଁ । ଏହି ମାନସିକତା ଜରିଆରେ ବି ଅର୍ଥନୈତିକ ଅସମାନତାର ବିଲୋପ କଳ୍ପନା କରିବା ଭୁଲ । ଏଥିଲାଗି ଏପରି ଏକ ଚେତନାଗତ ସ୍ତରକୁ ସମସ୍ତଙ୍କୁ ଯିବାକୁ ପଡ଼ିବ ଯଦ୍ଦ୍ୱାରା ଜାତିବାଦୀ ମାନସିକତାକୁ ନିଜେ ହିଁ ଦୂର କରିବାକୁ ପଡ଼ିବ । ଏହା ଭାବିବା ଯଥାର୍ଥ ହେବ ଯେ, ମଣିଷ ସୃଷ୍ଟି କାଳରୁ ଜାତିବାଦ ନଥିଲା । ସାରା ବିଶ୍ୱର ମଣିଷ ସମାଜ ଗୋଟିଏ ଥିଲା । କାଳକ୍ରମେ ସଭ୍ୟତାର ବିକାଶ, ବିଜ୍ଞାନର ଯାତ୍ରା, ଅର୍ଥନୈତିକ ସମାଜ ପ୍ରତିଷ୍ଠା ପରେ ଜାତିବାଦର ଅୟମାରମ୍ଭ ହୋଇଥିଲା, ଯାହାର ଚେର କ୍ରମଶଃ ସୁବୃହତ ହୋଇପାରିଛି ।

ବାସ୍ତବରେ ଆଦିବାସୀ ବୋଲି କେହି ନାହାନ୍ତି । ସେମାନଙ୍କୁ ମଣିଷ ହିଁ ଆଦିବାସୀ ବୋଲି ଦର୍ଶାଇଛି । ସେମାନେ ହୁଏତ ଭାରତରେ କାଳକାଳରୁ ଦୁର୍ଗମ ଇଲାକାରେ ଅଣବିକଶିତ ଅବସ୍ଥାରେ ରହିଆସିଛନ୍ତି । ସଭ୍ୟତାର ଆଲୋକ ସେମାନଙ୍କ ନିକଟରେ ପହଂଚିବାକୁ ଅଧିକ ସମୟ ଲାଗିଛି । ତଥାପି ସେମାନଙ୍କ ଅର୍ଥନୈତିକ ସ୍ଥିତି ଦୃଷ୍ଟିରୁ ସେମାନେ ଏବେ ବି ବିକାଶର ସ୍ୱାଦୁ ଚାଖି ପାରିନାହାନ୍ତି । ପୁଣି ବ୍ରାହ୍ମଣ, କରଣ, ବୈଶ୍ୟ, ଶୂଦ୍ର ଆଦି ଆରମ୍ଭରୁ ଦେଶରେ ନଥିଲେ । ଏସବୁ ମଣିଷ ହିଁ ସୃଷ୍ଟି କରିଛି । ଏଣୁ ଏସବୁ ବ୍ୟବସ୍ଥାକୁ ଆଉ କେହି ଭାଙ୍ଗିପାରିବେ ନାହିଁ କେବଳ ମଣିଷ ବ୍ୟତୀତ ।

ପ୍ରାଥମିକ ସ୍ତରରୁ ଉଚ୍ଚଶିକ୍ଷା ଯାଏ ହଜାର ହଜାର ପାଠ୍ୟପୁସ୍ତକ ପ୍ରକାଶିତ ହୋଇଛି । ଜାତିବାଦର ସୃଷ୍ଟି ସମ୍ପର୍କରେ କିଛି କିଛି ତଥ୍ୟ ଉପସ୍ଥାପିତ ହୋଇଛି । ମାତ୍ର ଜାତିବାଦର ବିଲୋପ ଲାଗି ପ୍ରାଥମିକ ଶିକ୍ଷାସ୍ତରରୁ କୌଣସି ଉଦ୍ୟମ ହୋଇନାହିଁ । ଯଦିଓ ସବର୍ଣ୍ଣ ଅସବର୍ଣ୍ଣ, ଜାତିଭେଦ ଆଦି କିଛିଟା ବିଦ୍ୟାଳୟରେ ଲୋପ ପାଇଛି, ମାତ୍ର ସାମାଜିକ ସ୍ତରରୁ ଏହି କୁସଂସ୍କାର ହଟାଇବା ଲାଗି ଶିକ୍ଷାରେ ପ୍ରତିଫଳିତ ହୋଇପାରିନାହିଁ ।

ଜାତିବାଦକୁ ସବୁଠାରୁ ବେଶୀ ଶକ୍ତିଶାଳୀ କରୁଛି ସଂରକ୍ଷଣ ରାଜନୀତି । ନିମ୍ନବର୍ଗର ଜାତି, ଆଦିବାସୀ, ପଛୁଆ ଗୋଷ୍ଠୀଙ୍କ ଉତ୍ଥାନ ଲାଗି ଲାଗୁ କରାଯାଇଥିବା ସଂରକ୍ଷଣ ନୀତି ଯୋଗୁ ବାସ୍ତବରେ ଦେଶରେ ଆଖିଦୃଶିଆ ଭାରସାମ୍ୟ ରକ୍ଷା ପାଇଲା ନାହିଁ ପରନ୍ତୁ ଜାତିବାଦ ଅଧିକ କଠୋର ହେଲା । ଯେଉଁ ଜାତି ଲାଗି ଯେତେ ଅଧିକ ସଂରକ୍ଷଣ ସୁବିଧା କରାଯାଉଛି, ସେହି ଜାତିର ଶୃଙ୍ଖଳ ସେତେ ଶକ୍ତିଶାଳୀ ହେବାରେ ଲାଗିଛି । ଏପରିକି ଅଧିକରୁ ଅଧିକ ଜାତି ସଂରକ୍ଷଣ ଦାବିରେ ଏକତ୍ରିତ ହେଉଛନ୍ତି, ଜାତିବାଦୀ ମାନସିକତାକୁ ଅଧିକ ଶକ୍ତିଶାଳୀ କରୁଛନ୍ତି ।

ସାମାଜିକ ଭାବନା ସ୍ତରରୁ ସରକାରୀ ପ୍ରୋତ୍ସାହନ ବାସ୍ତବରେ ଜାତିବାଦକୁ ଅଧିକ କଠୋର କରୁଛି । ଏହା ସହ ଗଣମାଧ୍ୟମ ବି ଏସବୁକୁ ସହଯୋଗ କରୁଛି । ଗଣମାଧ୍ୟମ ଏକ ସୁସ୍ଥ ସମାଜ ଗଠନ କରିବା ଲାଗି ଯେଉଁ ଉଦ୍ୟମ କରିବା କଥା ତାହା କରୁନାହିଁ ବରଂ ସମସ୍ତ ସରକାରୀ ନିୟମ, ନୀତି, ଆଇନକୁ ସୁନାପୁଅ ଭଳି ମାନିବା ପରିଲକ୍ଷିତ ହେଉଛି ।

ହିନ୍ଦୁମାନେ ଦେବଦେବୀ ପୂଜା କରିବାରେ ବିଶ୍ୱରେ ନମ୍ବର ୱାନ । କୋଟି କୋଟି ଦେବଦେବୀଙ୍କୁ ସେମାନେ ପୂଜା କରନ୍ତି । କିଏ ବିଦ୍ୟା ପାଇଁ, ତ କିଏ ଧନ ଲାଗି । ବିଭିନ୍ନ ସ୍ୱାର୍ଥରେ ସେମାନେ ପୂଜାକୁ ପ୍ରାଧାନ୍ୟ ଦିଅନ୍ତି । ମାତ୍ର ସେମାନଙ୍କ ଭିତରେ ଯେ ଜାତିବାଦ ପରି ଏକ ଭୟଙ୍କର, କୁତ୍ସିତ, ଅପସଂସ୍କୃତିସମ୍ପନ୍ନ ବିଷ ଭରି ରହିଛି; ଏହା ସେମାନେ ଜାଣିପାରନ୍ତି ନାହିଁ । ଜୀବଜନ୍ତୁଙ୍କ ମାଂସ ଖାଇ ଯେପରି ଅହିଂସା ମାର୍ଗ ଅନୁସରଣ କରନ୍ତି, ଶୁଦ୍ଧ ବାର ଦେଖି ଆମିଷ ଖାଆନ୍ତି ନାହିଁ ଏବଂ ଆମିଷ ବାରରେ ଆମିଷ ଖାଆନ୍ତି; ଠିକ୍ ସେପରି ସେମାନେ ଦେବଦେବୀଙ୍କ ନିକଟରେ ନାନା ପ୍ରକାର ସ୍ୱାର୍ଥ ବିଷୟକ କାମନା କରିଥାନ୍ତି । ଜୀବଜଗତରେ ସବୁଠାରୁ ଶ୍ରେଷ୍ଠ ପ୍ରାଣୀ ବୋଲି ମଣିଷକୁ ହିଁ କୁହାଯାଏ । ହେଲେ ଏହା କେବଳ ମଣିଷ ହିଁ କହିଥାଏ । ଅନ୍ୟ କୌଣସି ଜୀବଜନ୍ତୁ ମଣିଷକୁ ଶ୍ରେଷ୍ଠ ବୋଲି ଭାବନ୍ତି କି ନ ଭାବନ୍ତି, ତାହା ଜଣାପଡ଼େନାହିଁ । ମାତ୍ର ଏହା ସତ୍ୟ ଯେ ମଣିଷକୁ ଦେଖିଲେ ବାଘ ଖାଇବାକୁ ଗୋଡ଼ାଏ, ପାଦରେ ଦଳି ମାରିଦେବାକୁ ହାତୀ ଗୋଡ଼ାଏ, ଦଂଶନ କରିବାକୁ ସାପ ଗୋଡ଼ାଏ ଇତ୍ୟାଦି । ମଣିଷଙ୍କୁ ଶହ ଶହ ପ୍ରକାର କୀଟ, ଜୀବଜନ୍ତୁ ଆକ୍ରମଣ କରିଥାନ୍ତି । ତେଣୁ ମଣିଷକୁ ବୋଧହୁଏମାନେ ଶ୍ରେଷ୍ଠ ପ୍ରାଣୀ ବୋଲି ଗ୍ରହଣ କରି ନଥାନ୍ତି ।

ମଣିଷ ଅହିଂସା କଥା କୁହେ । ମାତ୍ର ହଜାର ହଜାର ପଶୁଙ୍କୁ ବଳି ଚଢ଼ାଏ, ତା’ର ମାଂସ ଖାଏ । ମଣିଷ ସଭ୍ୟ ବୋଲି ଦାବି କରେ । ମାତ୍ର ବିଭିନ୍ନ ଅସାଧ୍ୟ ସାଧନ କରିବା ଆଶାରେ ଦେବଦେବୀଙ୍କ ନିକଟରେ ମାନସିକ କରେ ।

ଏକ ଗଣତାନ୍ତ୍ରିକ ତଥା ଭୋଟକେନ୍ଦ୍ରିକ ରାଷ୍ଟ୍ରରେ ଜାତିବାଦର ସ୍ଥିତି ଅତି ମଜଭୁତ । ଏହାର ଚେର ଅତି ଗଭୀରକୁ ଯାଇଛି । ନା କୌଣସି ରାଜନୈତିକ ଶକ୍ତି ନା କୌଣସି ସଚ୍ଚା ସମାଜସେବୀ ଏହାର ବିରୋଧ କରନ୍ତି । ଯେଉଁ କିଛି ବ୍ୟକ୍ତି ସମାଜସେବୀ ବୋଲାନ୍ତି ସେମାନେ ହୁଏତ ପରିସ୍ଥିତି ଚାପରେ କିଛି ଗୋଟାଏ ପ୍ରଗତିଶୀଳଧର୍ମୀ କାର୍ଯ୍ୟ କରନ୍ତି । ଏପରି କିଛି ତଥାକଥିତ ପ୍ରଗତିଶୀଳ କର୍ମୀ ଅଛନ୍ତି ଯେଉଁମାନେ ନିମ୍ନଜାତିର ହୋଇ ତାଙ୍କଠାରୁ ଅଧିକ ନିମ୍ନଜାତିର ନାରୀଙ୍କୁ ବିବାହ କରନ୍ତି ନାହିଁ । ବରଂ ଉଚ୍ଚଜାତିର ତଥା ଚାକିରି କରିଥିବା ମହିଳାଙ୍କୁ ବିବାହ କରି ବାହାବା ନିଅନ୍ତି ।

ତେଣୁ ଜାତିବାଦକୁ ହଟାଇବା ଏକ ସାମଗ୍ରିକ ବ୍ୟବସ୍ଥାଗତ ପରିବର୍ତ୍ତନକୁ ପାଥେୟ କରେ । ଶିକ୍ଷା, ଆଇନ, ସାମାଜିକ, ରାଜନୈତିକ, ବ୍ୟକ୍ତି ଆଦି ସ୍ତରରେ କ୍ଷେତ୍ର ପ୍ରସ୍ତୁତ ହେଲେ ଜାତିବାଦ ନିଶ୍ଚୟ ଦୂରୀଭୂତ ହୋଇପାରିବ ।

Photo Credit- https://bit.ly/3yJ9HuG

Comments

0 comments

Share This Article