ଭାଷାର ସମୃଦ୍ଧି ତା’ର ସାହିତ୍ୟରୁ ଜଣା ଯାଇଥାଏ । ଯେଉଁ ଭାଷାର ସାହିତ୍ୟ ଯେତେ ଉନ୍ନତ ସେହି ଜାତି ସେତେ ସମୃଦ୍ଧ । ସାହିତ୍ୟ ପୁଣି ହେଉଛି ଗୋଟିଏ ଦେଶ ବା ଜାତିର ସାମାଜିକ, ସାଂସ୍କୃତିକ ଏବଂ ଆର୍ଥନୀତିକ ଅବସ୍ଥାର ଇତିହାସ । କୌଣସି ଜାତି ଓ ଗୋଷ୍ଠୀର ବର୍ତ୍ତମାନ ତଥା ଅତୀତ ଉଭୟ ସମ୍ପର୍କରେ ଜାଣିବାକୁ ହେଲେ ସାହିତ୍ୟ ସହିତ ସମ୍ପର୍କ ସ୍ଥାପନ କରିବାକୁ ପଡ଼େ । ଜୀବନ ସମ୍ପର୍କୀୟ ଅନୁଭବ ଏଥିରେ ରୂପାୟିତ ହୁଏ ବୋଲି ଏହାର ପାଠକ ଏବଂ ଶ୍ରୋତା ଅଲୌକିକ ଓ ଅନିର୍ବଚନୀୟ ଆନନ୍ଦ ଲାଭ କରିଥାନ୍ତି । ଏହାକୁ ଭାଷାର ବିକଶିତ ଏବଂ ଲିଖିତ ରୂପ ବୋଲି କୁହାଯାଇପାରେ । ଯୁଗେ ଯୁଗେ ଭାଷା ଓ ସାହିତ୍ୟ ମଣିଷ ମନର କଥାକୁ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସଂସ୍କୃତିର ସମର୍ଥ ବାହକ ଭାବରେ କାର୍ଯ୍ୟ କରିଆସିଛି । ଏହା ତେଣୁ ଏକାଧାରରେ ଆଧାର ଓ ଆଧେୟ, ସନ୍ଦେଶ ଓ ମାଧ୍ୟମ ରୂପେ ସଫଳ ହୋଇଛି । ମନୁଷ୍ୟର ଚିନ୍ତା, ଚେତନା, କଳ୍ପନା, ବାସ୍ତବତା, ସ୍ୱପ୍ନ ଓ ସତ୍ୟକୁ ନେଇ ଗୋଟିଏ ଜାତିର ଭାଷା ଓ ସାହିତ୍ୟର ସଂସାର ଗଢ଼ିଉଠେ । ସାହିତ୍ୟର ଉଭୟ ଆଙ୍ଗିକ ଓ ଆତ୍ମିକ ବିଭାବ ପରି ଏହା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଏବଂ ପରସ୍ପର ନିର୍ଭରଶୀଳ । ଭାଷା ଭୂଖଣ୍ଡ ପରି ବାସ୍ତବାଭିମୁଖୀ ହେଲାବେଳେ, ସାହିତ୍ୟ ବାସ୍ତବତାର ବିଶ୍ୱବକ୍ଷରୁ ଅନନ୍ତ ନୀଳ ଆକାଶକୁ ଉଡ଼ିଯାଏ । ସୁତରାଂ ଭାଷା ଓ ସାହିତ୍ୟ ପରସ୍ପର ପରିପୂରକ । ଏହି ଭାଷା ଓ ସାହିତ୍ୟ ମାଧ୍ୟମରେ ମନୁଷ୍ୟ ସମାଜର ସର୍ବାଙ୍ଗୀନ ବିକାଶ ଓ ପ୍ରକାଶ ସମ୍ଭବ ହୋଇପାରିଛି । ତା’ର ଭାଷା ଓ ସାହିତ୍ୟ ଭିତରେ ତା’ର ସଂସ୍କୃତିର ପ୍ରତିଫଳନ ହୋଇଛି ।
ଭାଷାର ଲିଖିତ ରୂପ ସୃଷ୍ଟି ପାଇଁ ଲିପିର ପ୍ରୟୋଜନ । ବିଭିନ୍ନ ଭାଷା ଅନ୍ତର୍ଗତ ଲିପିର ନାମ ସ୍ୱତନ୍ତ୍ର ଏବଂ ରୂପ ମଧ୍ୟ ଭିନ୍ନ ଭିନ୍ନ । ସଂସ୍କୃତ, ହିନ୍ଦୀ, ଓଡ଼ିଆ, ପଞ୍ଜାବୀ, ଇଂରାଜୀ, ଉର୍ଦ୍ଦୁ ଆଦି ବିଭିନ୍ନ ଭାଷାର ଲିପି ରହିଛି । କେତେକ ଭାଷା ଗୋଟିଏ ଗୋଟିଏ ରାଜ୍ୟରେ ସର୍ବତ୍ର ପ୍ରଚଳିତ ଥିଲେ ମଧ୍ୟ ଆଂଚଳିକ ଭାଷା ଏପରିକି ଆଦିବାସୀ ସମ୍ପ୍ରଦାୟର ସ୍ୱତନ୍ତ୍ର ଭାଷା ମଧ୍ୟ ବ୍ୟବହୃତ ହୋଇଥାଏ । ଆମ ରାଜ୍ୟ ଓଡ଼ିଶାରେ ଓଡ଼ିଆ ଭାଷାର ପ୍ରଚଳନ ଥିବାବେଳେ ଏହି ଭାଷାର ଲିପିକୁ ଓଡ଼ିଆ ଲିପି କୁହାଯାଏ । ଓଡ଼ିଶାରେ ୬୨ଟି ଆଦିବାସୀ ସଂପ୍ରଦାୟ ବସବାସ କରୁଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଟି ସମ୍ପ୍ରଦାୟ ମୁଣ୍ଡା ଭାଷା, ୧୪ଟି ସମ୍ପ୍ରଦାୟ ଦ୍ରାବିଡ଼ ଭାଷା ଓ ୨୨ଟି ସମ୍ପ୍ରଦାୟ ଓଡ଼ିଆ ଭାଷା କହନ୍ତି । ଆଦିବାସୀମାନଙ୍କ ମଧ୍ୟରେ ପ୍ରଚଳିତ ସବୁ କଥିତଭାଷା ମଧ୍ୟ ସମାନ ସ୍ତରର ନୁହେଁ । କେତେକଙ୍କ ଭାଷା ଆଦିମ ସ୍ତରରେ ଏବେ ମଧ୍ୟ ଦେଖିବାକୁ ମିଳେ । ଆଦିବାସୀ ସମ୍ପ୍ରଦାୟରେ ନିଜସ୍ୱ କଥିତ ଭାଷା ଥିଲେ ମଧ୍ୟ ଅଦ୍ୟାବଧି ଚାରୋଟି ଆଦିବାସୀ ଭାଷାର ସ୍ୱତନ୍ତ୍ର ଲିପି ବିକଶିତ ହୋଇଥିବାର ଜଣାଯାଏ । ସେଗୁଡ଼ିକ ହେଲା-
ସାନ୍ତାଳୀ ଲିପି- ସାନ୍ତାଳୀ ଭାଷାର ଅଲ୍ଚିକି ଲିପି, ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଦ୍ୱାରା ବିକଶିତ ହୋଇଛି । ଏହି ଭାଷା ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ଲାଭ କରିଛି ।
କୁଇ ଲିପି- କନ୍ଧମାନଙ୍କର କୁଇ ଲିପିର ପ୍ରବର୍ତ୍ତକ ହେଉଛନ୍ତି ଦୟାନିଧି ମଲ୍ଲିକ ।
ହୋ ଲିପି – ‘ହୋ’ମାନଙ୍କର ଲିପି ‘ୱାରାଂଚିତ’ର ପ୍ରବର୍ତ୍ତକ ଲାକୋ ବୋଦ୍ରା ।
ସଉରା ଲିପି- ସଉରା ଲିପି ସୋରାଙ୍ ସୋମ୍ପେଙ୍ର ପ୍ରବର୍ତ୍ତକ ହେଉଛନ୍ତି ଗୁରୁ ମାଙ୍ଗାଇ ଗମାଙ୍ଗ ।
ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ମରିଚିଗୁଡ଼ା ଗ୍ରାମରେ ସୁଯୋଗ୍ୟ ପିତା ପିତାମ୍ବର ଗମାଙ୍ଗଙ୍କଠାରୁ ୧୯୧୬ ମସିହା ଜୁନ୍ ୧୬ତାରିଖ ଦିନ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କର ଜନ୍ମ । ସେ ଗୁଣପୁର ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ । ପ୍ରଥମେ ଚାଷକାର୍ଯ୍ୟକୁ ନିଜର ଜୀବିକା ରୂପେ ଗ୍ରହଣ କରିଥିବା ମଙ୍ଗାଇ ପରେ ନିଜ ଗ୍ରାମ ନିକଟସ୍ଥ ଖିଲାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ରୂପେ ଅଧ୍ୟାପନା କାର୍ଯ୍ୟ ସମ୍ପାଦନା କଲେ । ପରବର୍ତ୍ତୀ ସମୟରେ କଟକରେ କମ୍ପାଉଣ୍ଡର ଟ୍ରେନିଂ ସାରି ଚାକିରି ପାଇଁ ନିଯୁକ୍ତିପତ୍ର ପାଇଥିଲେ ମଧ୍ୟ ଚାକିରି ପ୍ରତ୍ୟାଖ୍ୟାନ କରି ନିଜ ସଉରା ଜାତିର କିପରି ଉନ୍ନତି ହୋଇପାରିବ, ସେଥିପାଇଁ ସର୍ବଦା ଚିନ୍ତା କରିଥିଲେ ।
ଅନୁନ୍ନତ ସଉରା ସମ୍ପ୍ରଦାୟର ଭାଷା, ଲିପି ବିନା ସବୁଦିନ ପାଇଁ ଲୋପ ପାଇଯିବ ବୋଲି ତାଙ୍କର ହୃଦବୋଧ ହେଲା । ସଉରା ଭାଷାର ଲିପି କିପରି ଉଦ୍ଭାବିତ ହେବ, ଯାହାଦ୍ୱାରା ଏ ସଉରା ଭାଷା ବଂଚିବ, ଜାତି ବଂଚିବ, ସମାଜର ଉନ୍ନତି ସାଧିତ ହେବ, ଏଥିପାଇଁ ସଦାସର୍ବଦା ଚିନ୍ତାମଗ୍ନ ହେଲେ । ଶେଷରେ ଧର୍ମାନୁଚିନ୍ତା ଓ ଜାତୀୟତାବୋଧରେ ଅନୁପ୍ରାଣିତ ହୋଇ ସେ ସାଧନାରତ ହେଲେ । ଦୀର୍ଘ ୨୧ଦିନ ପର୍ଯ୍ୟନ୍ତ ମରିଚିଗୁଡ଼ା ଗ୍ରାମ ନିକଟସ୍ଥ ଏକ ଛୋଟ ଡଙ୍ଗର ଉପରେ ସାଧନାରତ ହେବାପରେ ୧୯୩୬ ମସିହା ଜୁନ ମାସ ୧୮ତାରିଖ ରାତି ଗୋଟାଏ ବେଳକୁ ସ୍ୱପ୍ନରେ ସେ ଗୋଟିଏ ଲିପି ଦେଖିଲେ । ତାଙ୍କ ଆଗରେ ସଉରା ଜାତିର ଅଦୃଶ୍ୟ ଦେବତା ଦାରୁବ୍ରହ୍ମ, ଅକ୍ଷରବ୍ରହ୍ମ ବା ଶବ୍ଦବ୍ରହ୍ମ ରୂପରେ ଦେଖାଦେଲେ । ସଉରା ଜାତିର ୨୪ପ୍ରଧାନ ଦେବତାଙ୍କର ପ୍ରତୀକାତ୍ମକ ୨୪ ଅକ୍ଷର ସମନ୍ୱିତ ସେହି ଶବ୍ଦବ୍ରହ୍ମ ହେଉଛି ସଉରାଭାଷାର ଲିପି ‘ସଉରା ଧ୍ୱନି ପେଟିକା’ ବା ‘ସୋରାଙ୍ ସୋମ୍ପେଙ୍’ । ଯେଉଁ ଚାଂଚଡ଼ା ପଥର ଦେହରେ ଅକ୍ଷରବ୍ରହ୍ମ ମୂର୍ତ୍ତି ପ୍ରକାଶିତ ହୋଇଥିଲା, ସେଠି ୨୪ଟି ବର୍ଣ୍ଣ ଓ ୧୨ପର୍ଯ୍ୟନ୍ତ ସଂଖ୍ୟା ଏବଂ ଏକ ସଙ୍କେତ ଶିକ୍ଷା ଓଡ଼ିଆ ଓଁ ଅକ୍ଷର ପରି ଏକ ଆକୃତି ମଧ୍ୟରେ ପରିକଳ୍ପିତ ହୋଇଥିଲା । ଏହି ଲିପିର ରଚନାବିଧି ବାମରୁ ଡାହାଣ ଆଡ଼କୁ ହୋଇଥାଏ । କେତେକାଂଶରେ ଏହି ଲିପି ରୋମାନ୍ ଓ ତେଲୁଗୁ ଭାଷାଦ୍ୱାରା ପ୍ରଭାବିତ ହୋଇଥିବା ପରି ଜଣାପଡ଼େ । ବ୍ୟଞ୍ଜନ ବର୍ଣ୍ଣର ଦକ୍ଷିଣ ପାଶ୍ୱର୍ରେ ଆବଶ୍ୟକ ସ୍ୱରବର୍ଣ୍ଣ ବିନ୍ୟାସଦ୍ୱାରା ବ୍ୟଞ୍ଜନର ସ୍ୱରୀକରଣ ନିଦେ୍ର୍ଦଶିତ ହୋଇଥାଏ । ସହାୟକ ଲିପି ମ୍ରାୟଦ୍ୱାରା ସୋରା ଭାଷାତିରିକ୍ତ ଧ୍ୱନି ସମୂହର ପ୍ରତିଲିପି ରଚନା ପାଇଁ ବ୍ୟବହାର କରାଯାଇଥାଏ । ସଉରା ଲିପି ସମ୍ପର୍କରେ ଡକ୍ଟର ଖଗେଶ୍ୱର ମହାପାତ୍ର କହନ୍ତି, “It is not only a script but also a symbol of spiritual, social & cultural awakening of the Soura community in total. None but Mongei deserves all the credit for this.’
ପିଏଚ୍.ଡି. କ୍ଷେତ୍ର ଅଧ୍ୟୟନ କାଳରେ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କ ନିଜ ଗ୍ରାମ ମରିଚିଗୁଡ଼ାରେ ଅବସ୍ଥିତ ଅକ୍ଷରବ୍ରହ୍ମ ମନ୍ଦିରରେ ଭାରତର ତକ୍ରାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ୍ ନେହେରୁ ମାଙ୍ଗାଇ ଗମାଙ୍ଗଙ୍କ ଉଦେଶ୍ୟରେ ପଠାଇଥିବା ଏକ ପୁସ୍ତକ ଦେଖିବାର ସୌଭାଗ୍ୟପ୍ରାପ୍ତ ହୋଇଥିଲା । ଭାରତବର୍ଷର ବରପୁତ୍ରମାନଙ୍କ ବିଷୟରେ ଉଲ୍ଲିଖିତ ଓ ୧୯୫୫ ମସିହାରେ ନାଗପୁରରୁ ପ୍ରକାଶିତ ‘‘Gulchha’s Industrial & Commercial Directory Including Who’s Who in India” ନାମକ ପୁସ୍ତକରେ ଶବରପଣ୍ଡିତ ମଙ୍ଗାଇ ଗମାଙ୍ଗଙ୍କ ନାମରେ ଲେଖାଯାଇଥିବା କିୟଦଂଶକୁ ଏଠାରେ ଦର୍ଶାଯାଇପାରେ-” GOMANG S. P. Mangai- B. 16-6-1916. Educ.IV form. M. in 1935. Has 1s. and 2Ds. Activities: Taken keen interest in Research work for Adivasi upliftment . After a long strenuous effort, found a script for Adivasi language. Engaged in the spreading of writing of Savara Language among them. Adddress: Morchiguda, Padmapur, Gunupur Taluq.’.’
ଏଥିରୁ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କ ବ୍ୟକ୍ତିତ୍ୱ କେବଳ ସଉରାମାନଙ୍କ ନିକଟରେ ସୀମିତ ଥିଲା ତାହା ନୁହେଁ, ବରଂ ସମଗ୍ର ଭାରତବର୍ଷରେ ତାଙ୍କର ସୁନାମ ଓ ଖ୍ୟାତି ଥିବାର ସହଜରେ ଅନୁମେୟ ।
ସଉରା ଲିପିର ଜନ୍ମ ବୃତ୍ତାନ୍ତ ସମ୍ବନ୍ଧରେ ଶବର ପଣ୍ଡିତ ମାଙ୍ଗାଇ ଗମାଙ୍ଗଙ୍କ ବକ୍ତବ୍ୟ ଥିଲା ଏହିପରି- “ଶବର ଲୋକଯାକ ସମସ୍ତେ ଶ୍ରୀଦାରୁବ୍ରହ୍ମ ସେବା କରିଥିଲେ । ସେ ଦାରୁବ୍ରହ୍ମ ସେବା କରିଥିଲେ ଯେବେ ଲଳିତା କନ୍ୟା ସେ ତାଙ୍କର ଗୁପ୍ତ ରହସ୍ୟ ସବୁଯାକ ବ୍ରାହ୍ମଣକୁ କଇ କରି ବ୍ରାହ୍ମଣ ଆଡ଼େ ମତାଇଲେ, ସେବେ ସିଏ ଦାରୁବ୍ରହ୍ମ ବିଷୟରୁ ବ୍ରାହ୍ମଣ କଥା ଶୁଣିଲେ ସିନା ଶବର କଥା ଶୁଣିଲା ନାହିଁ । ତା’ ଉତ୍ତାରୁ ମଗ୍ନ ହୋଇଗଲେ । ସେ ଯୋଗୁ ଡାକିଲେ ବି ସେ ଶୁଣନ୍ତେ ନାହିଁ – ଶୁଣିଲେ ନାହିଁ । ସେ ଯୋଗୁ ଏ ଶବର ଲୋକ କଣ କହିଲା – “ଭଲାରେ ଭଲା, ମୋ କଥା ନ ଶୁଣୁନୁ ସେ ବ୍ରାହ୍ମଣର କଥା ଶୁଣି କରି, ପଦାଲୋକ କଥା ଶୁଣିକରି ମତେ କଥା କହୁନାହିଁ କାହିଁକି? ଆଜିଠାରୁ ଯେତେଦିନ ପର୍ଯ୍ୟନ୍ତ ଭଲମନ୍ଦ କଥାଯାକ ମତେ ନ କହିବ, ସେତେଦିନ ପର୍ଯ୍ୟନ୍ତ ତୋର ମୁଣ୍ଡରେ ଏବଂ ତୋ ନାଁ ଯେଉଁଠି ଗାନ ହେଉଥିବ ଏବଂ ଯେଉଁଠି ପୂଜା ହେଉଥିବ, ଜୁହାର ବେପାର ସବୁ କରିବୁ, ଶେଷ ପଦରେ ତୋ ମୁଣ୍ଡରେ ରକ୍ତ ଏବଂ ମଦ ଇଡ଼ିକରି ଯିବୁ । ଯେତେବେଳେ, ଯେବେ ଆମ ଘରକୁ ଜନ୍ମକୁ ଆସିବୁ, ଯେବେ ଭଲକଥା କହିବ, ଜ୍ଞାନ କଥା କହିବ, ତେବେଠାରୁ ପୂର୍ବପରି ଫୁଲକୁଶ ଦେଇକରି ପୂଜା କରିବୁ’ ବୋଲି ପ୍ରମାଣ କରିଦେଲା ଶବର । ସେଇଯୋଗୁ ଯେତେଲୋକ ଶବର- ଏ ଆଦିବାସୀ ଅଛନ୍ତି, ଛେଳି, ମେଣ୍ଢା, ପୋଡ଼, ବଳଦ, ମଣିଷ ବି ପୂଜା କରୁଛନ୍ତି । ଜୁଆର ଜୁଆର କରିବାର, ତା’ମୁଣ୍ଡରେ ରକ୍ତ ଇଡ଼ିଦେବାର, ରକ୍ତ ଏବଂ ମଦ । ଆଜି କେତେଦିନ ପରେ, ଏ କଳି ଶେଷରେ ଦାରୁବ୍ରହ୍ମ ବଦଳରେ ଶ୍ରୀଅକ୍ଷରବ୍ରହ୍ମ ସ୍ୱରୂପରେ ମୁଁ ଆସୁଛି ତମ ଘରକୁ, ମତେ ସେବା କର ବୋଲି କହିଲେ । ସେ ଅକ୍ଷରବ୍ରହ୍ମ ଶ୍ରୀମତ୍ତାର ବନୌ ବନ୍ଜାନ୍ ପର୍ବତରେ ସେଟା ଦୃଶ୍ୟ ହେଲେ । ସେ ଦେଖାଯିବ ବୋଲି ବୋଇଲେ । ଦେଖିଲାବେଳକୁ ସିଏ ଚବିଶଟା ଅକ୍ଷର ସେଟି ଦୁଶିଲା, ସେ ଦୁଶିବା ତକ୍ଷଣେ ଏକା ସେଇଟି ମନ୍ଦିର ବନ୍ଧା ହେଲା । ସେଟି ପୂଜା ହେଉଛି ଅକ୍ଷରବ୍ରହ୍ମ ।”
ଏହି ଲିପିକୁ ସଉରାମାନେ ଜଗନ୍ନାଥଙ୍କ ‘ଅକ୍ଷରବ୍ରହ୍ମ’ ରୂପରେ ଗ୍ରହଣ କରନ୍ତି । ଗୁଣପୁର ଠାରୁ ପ୍ରାୟ ୧୫ମାଇଲ୍ ଦୂରବର୍ତ୍ତୀ ମରିଚିଗୁଡ଼ା ଗ୍ରାମ ସନ୍ନିକଟ ଏକ ପାହାଡ଼ରେ ଏବେ ଅକ୍ଷରବ୍ରହ୍ମଙ୍କ ମନ୍ଦିର ବିରାଜିତ । ମନ୍ଦିରରେ ଏହି ଲିପି ପୂଜା ପାଉଛନ୍ତି । ଓଡ଼ିଆ ଓଁ ଅକ୍ଷର ଦେହରେ ୨୪ଟି ବର୍ଣ୍ଣ, ୧୨ପର୍ଯ୍ୟନ୍ତ ସଂଖ୍ୟା ଏବଂ ଏକ ସଂକେତ-ଶିକ୍ଷା ଅଙ୍କନ କରି ଅକ୍ଷରବ୍ରହ୍ମଙ୍କ ମୂର୍ତ୍ତୀ ପରିକଳ୍ପନା କରାଯାଇଛି । ଗୁରୁ ଶ୍ରୀଗମାଙ୍ଗଙ୍କ ପ୍ରତିଷ୍ଠିତ ଧର୍ମ ପରମ୍ପରାର ସେ ନାମ ଦେଇଛନ୍ତି ‘ମତ୍ତାରବ୍ନମ ଡ଼ମ୍ରୀ’ ଅର୍ଥାତ୍ ଆଖି ମେଲି ଚାହିଁବା ଏବଂ ପ୍ରବୁଦ୍ଧ ଓ ଭଲ ମଣିଷ ହେବାର ଧର୍ମ । ଏହି ଧର୍ମ-ସମ୍ପ୍ରଦାୟର ଶାଖା ବିଭିନ୍ନ ସଉରା ଗ୍ରାମରେ ପ୍ରତିଷ୍ଠିତ ହୋଇଛି ଏବଂ ଏସବୁ ଶାଖାରେ ଧର୍ମଜ୍ଞାନ ସହିତ ଅକ୍ଷର ଶିକ୍ଷା ଦେବାର ବ୍ୟବସ୍ଥା କରାଯାଇଛି । ଏହି ଲିପିରେ ପୁସ୍ତକ ପ୍ରଣୟନ ଓ ପ୍ରକାଶନ ପାଇଁ ଧର୍ମସଂସ୍ଥା ପକ୍ଷରୁ ମଧ୍ୟ ନିଜସ୍ୱ ପ୍ରେସ୍ ସ୍ଥାପନା କରାଯାଇଛି ଡମ୍ବସରା ଗ୍ରାମରେ, ଯେଉଁଠାରୁ ଅଦ୍ୟାବଧି କୋଡ଼ିଏ ଖଣ୍ଡ ପୁସ୍ତକ ପ୍ରକାଶ ପାଇଛି ।
ସଉରା ସମ୍ପ୍ରଦାୟର ନବଜାଗରଣ ସହିତ ଜଗନ୍ନାଥ ଧର୍ମର ନବରୂପରେ ପ୍ରବର୍ତ୍ତନ ଜଗନ୍ନାଥ ଧର୍ମ ଧାରାରେ ଏହା ଏକ ବିଶେଷ ଐତିହାସିକ ଘଟଣା । ଗୁଣୁପୁର ଅଂଚଳର ସଉରାମାନେ ଏହି ଲିପି ମାଧ୍ୟମରେ ନିଜ ଭାଷାର ଉନ୍ନତି ପାଇଁ ଓ ସଂସ୍କୃତିର ସୁରକ୍ଷା ପାଇଁ ପ୍ରୟାସୀ । ବର୍ତ୍ତମାନ ଗୁରୁ ମଙ୍ଗାଇ ଗମାଙ୍ଗଙ୍କ ସୁଯୋଗ୍ୟ ପୁତ୍ର ୱାର୍ନାଇବିକ୍ ଗମାଙ୍ଗ ଓ ଡିନାସ୍ମୀ ଗମାଙ୍ଗ ନିଜ ପିତାଙ୍କଦ୍ୱାରା ପ୍ରତିଷ୍ଠିତ ଧର୍ମର ପ୍ରଚାର ଓ ପ୍ରସାର ନିମନ୍ତେ ସଦାସର୍ବଦା ନିଜର ପ୍ରୟାସ ଜାରି ରଖିଛନ୍ତି । ୧୯୧୬ ମସିହା ଜୁନ୍ ୧୬ତାରିଖ ଦିନ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କର ଜନ୍ମ । ପ୍ରତି ବର୍ଷ ଜୁନ୍ ମାସ ୧୬ ତାରିଖ ଦିନ ଗୁରୁ ମାଙ୍ଗାଇ ଗମାଙ୍ଗଙ୍କର ଜନ୍ମ ମହୋତ୍ସବ ମରିଚିଗୁଡ଼ା ଗ୍ରାମରେ ମହା-ସମାରୋହରେ ପାଳିତ ହୋଇଥାଏ । ଏହି ଦିନ ଗଞ୍ଜାମ, ଗଜପତି, ରାୟଗଡ଼ ତଥା ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ସଉରା ସମ୍ପ୍ରଦାୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ନିଜ ଭାଷା ଓ ଜାତିର ଉନ୍ନତି ପାଇଁ ଲୋକମାନଙ୍କୁ ସଚେତନ କରାଇଥାନ୍ତି ।
ଆଦିବାସୀ ସଉରା ଅଂଚଳଗୁଡ଼ିକର ଜାଙ୍ଗଲିକ ସୁଷମା ଅତ୍ୟନ୍ତ ମନୋମୁଗ୍ଧକର । ସର୍ପିଳ ରାସ୍ତା ଓ ସୁଉଚ୍ଚ ପର୍ବତମାଳାର ଶୋଭା ଗହଳ ଜଙ୍ଗଲ ମଧ୍ୟରେ ଛୋଟ ଛୋଟ ବସ୍ତି ଓ ପଲ୍ଲୀ । ଏହି ବସ୍ତି ଓ ପଲ୍ଲୀ ସଉରାମାନଙ୍କର ଆଶ୍ରୟସ୍ଥଳ । ତା’ରି ଭିତରେ ଏମାନଙ୍କର ନିତ୍ୟ ନୈମିତିକ ଜୀବନଧାରା ପ୍ରବାହିତ ହେଉଥାଏ । ଏହି ନିତ୍ୟ ନୈମିତିକ ଜୀବନଧାରାରେ ସଉରାମାନେ କେଉଁ ଆବହମାନ କାଳରୁ ଆଜି ପର୍ଯ୍ୟନ୍ତ ନିଜର ମୌଳିକତା ବଜାୟ ରଖିପାରିଛନ୍ତି । ସେହି ମୌଳିକତା ହିଁ ସେମାନଙ୍କର ସ୍ୱାତନ୍ତ୍ର୍ୟତା । ଅତୀତରେ ଶିକ୍ଷାର ଆଲୋକରୁ ବହୁ ଶତାବ୍ଦୀ ଧରି ବଂଚିତ ହୋଇରହିବା ଫଳରେ ନିଜର ଅତୀତ ସଂସ୍କୃତି ଓ ପରମ୍ପରାକୁ ଲିପିବଦ୍ଧ କରିରଖିବା ସଉରାମାନଙ୍କ ଦ୍ୱାରା ସମ୍ଭବ ନଥିଲା । କେବଳ ଲୋକକଥା, ଲୋକସଂଗୀତ ଓ ଅନ୍ୟାନ୍ୟ ପାରମ୍ପରିକ ଲୋକାଚାର ମଧ୍ୟରେ ଏହା କ୍ଷତବିକ୍ଷତ ଅବସ୍ଥାରେ ରହିଛି । ବର୍ତ୍ତମାନ ଓଡ଼ିଶା ସରକାର ସଉରା ଛାତ୍ରଛାତ୍ରୀମାନଙ୍କ ପ୍ରାଥମିକ ଶିକ୍ଷାର ଉନ୍ନତିପାଇଁ ସଉରା ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ କରି ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦେଉଛନ୍ତି । ATDC(Academy of Tribal Dialects & Culture) ଦ୍ୱାରା ଆଦିବାସୀ ସଉରା ଭାଷା-ଶିକ୍ଷା ପୁସ୍ତିକାମାନ ଓ ସେମାନଙ୍କର ସଂସ୍କୃତି ସମ୍ବନ୍ଧୀୟ ପୁସ୍ତକସବୁ ବିଭିନ୍ନ ସମୟରେ ପ୍ରକାଶିତ ହେଉଛି । ଏହାଦ୍ୱାରା ସଉରା ଭାଷାର ବିକାଶ ଓ ଉନ୍ନତି ହୋଇପାରୁଛି ।
Photo Credit- https://bit.ly/3whlZZO
Comments
0 comments