ସିକସରୁ ହେଉଛି ଏକ ପଡ଼ାଗାଁ ରାୟଗଡ଼ା ଜିଲ୍ଲା, ମୁନିଗୁଡ଼ା ବ୍ଲକର । ଗାଁର ସମୁଦାୟ ୨୨ଘର ଆଦିବାସୀ । ମୁନିଗୁଡ଼ା ବ୍ଲକ୍ରୁ କୁମୁଡ଼ାବାଲି ରାସ୍ତାରେ ଆଗକୁ ଆଗକୁ ଯାଇ ଜଗଦଳପୁର ଛକ ଠାରୁ ୫ କିଲୋମିଟରରୁ ଅଧିକ ରାସ୍ତା ଅତିକ୍ରମ କଲେ ପଡ଼େ ଲକ୍ଷ୍ମୀପୁର । ଲକ୍ଷ୍ମୀପୁରରୁ ପାଖାପାଖି ୫ କିଲୋମିଟର ଘାଟିରାସ୍ତା ଗଡ଼ିଗଲେ ବାଁହାତି ମୋରମ ରାସ୍ତାରେ୨ରୁ ୩ କୋଶ ଘାଟି, ଚିରସ୍ରୋତା ଝରଣା ଆଦିର ମିଳାମିଶା ବାଟ ପଡ଼ିଛି ସିକସରୁକୁ । ଶରଧାପୁର ପଂଚାୟତର ଭିତରି ମୂଲକ ହେଉଛି ସିକସରୁ । ଖାଲି ପଥର ଆଉ ପଥର । ଯୁଆଡ଼େ ଚାହିଁବ ପଥର । ମାଟି ଖୋଳିଲେ ବି ପଥର । ରଇ ସାକଡ଼ାକା । ବୟସ ୬୦ଛୁଇଁବ । ସିକସରୁର ୱାର୍ଡ଼ମେମ୍ବର – ‘ପଥର ଆଉ ପଥର ବୋଲି ଗାଁ ବସାଇଲୁ ସିକସରୁ ।’
ସିକସରୁ ପୁରୁଷ ପୁରୁଷର କଥା କହେ ଗାଁ ମୁରବୀ ବୁଡ଼ୁ ନୁଣ୍ଡୃକା ତୁଣ୍ଡରେ । ମଣି ନୁଣ୍ଡୃକା, କାଣ୍ଡରା ଜାକେସିକା ସିକସରୁ ଗାଁ ବସାଇଥିଲେ । ମଣି ନୁଣ୍ଡୃକାର ପୁଅ ଡ଼ୁଲୁ ନୁଣ୍ଡୃକାର ସାତ ପୁଅ – ପେଜଣା ନୁଣ୍ଡୃକା, ଦୁତି ନୁଣ୍ଡୃକା, ବାଗଡ଼ା ନୁଣ୍ଡୃକା ଇତ୍ୟାଦି । ଆଜି ମଣି ନଣ୍ଡୃକା ନାହିଁ କି ଡ଼ୁଲୁ ନୁଣ୍ଡୃକା ନାହିଁ, ସବୁ ମରି ହଜି ଗଲେଣି । ସିକସରୁର ପୂର୍ବ ପଟରେ ତାରେଙ୍ଗବାରୁ ଡ଼ଙ୍ଗର, ଉତ୍ତର ଦିଗରେ ସଦରସଙ୍ଗ ଡଙ୍ଗର, ଦକ୍ଷିଣରେ ପୁଡ଼ଦି ଡଙ୍ଗର । ପୁଡ଼ଦିରେ ବହୁତ ପଥର । ଚଢ଼ିବାକୁ ବେଶି ଅସୁବିଧା ହୁଏ, ପଶ୍ଚିମରେ ପାତର ଡଙ୍ଗର, ପାତର ବୁଢ଼ାଦେବତା ଏହି ଡଙ୍ଗରରେ ଅଛି । ତାକୁ ଡାକି ଗାଁଲୋକେ ପୂଜା ପରବ କରନ୍ତି । ସଦର ସଙ୍ଗଡ଼ଙ୍ଗରରେ ଠାକୁରାଣୀର ସଦର ଅଛି । ଏଇ ହେଲା ସିକସରୁର ଚଉହଦୀ ।
ସିକସରୁର ଖୋଲାମେଲା ଆକାଶ ମାଟିପାଣି ପବନକୁ ପୋଢ଼ମରା ପରବ ଉଛୁଳାଇ ଦିଏ । ୩ ବର୍ଷରେ ଥରେ ପୋଢ଼ମରା ପରବ ହୁଏ । ଆଉଗୋଟେ ପରବ ଗୁରୁଜୀ ପରବ । ଗୁରୁଜୀ ପରବରେ ଧରଣୀ ଓ ଡୁମାକୁ ପୂଜା ଦିଆ ଯାଏ । ଚୈତ୍ର ମାସକୁ କାନ୍ଦୁଲ ପରବ ଆସେ । ଏହି ମାସରେ ସିକସରୁ ଗାଁ ମଣିଷ ଶିଆଳି ମଞ୍ଜି ଧରଣୀରେ ପକାଇ ପକାଇ ଖାଏ । ଫଗୁଣ ମାସରେ ଝଟା ଆଉ ମହୁଲ ଭଜା ପରବ ହୁଏ । ଆଉଗୋଟେ ପରବ ଅଛି ସିଡ଼ ପରବ ।
ଶରଧାପୁର ପଂଚାୟତଠାରୁ ସିକସରୁ ଗାଁ ସାତ କିଲୋମିଟର ଦୂରରେ । ୩ଜଣ ଭେଣ୍ଡିଆ ଓ ଜଣେ ମରଦ କେରଳ ଯାଇ ଫେରିଛନ୍ତି । ସିକସରୁ ଗାଁରେ ସମସ୍ତଙ୍କର ଘରଡ଼ିହ ପଟ୍ଟା ଅଛି, ୭ ଜଣଙ୍କର ଜମି ପଟ୍ଟା ଅଛି । ଜଙ୍ଗଲ ଜମି ପଟ୍ଟା କାହାର ନାହିଁ । ୯ଟି ପରିବାର ଇନ୍ଦିରା ଆବାସ ପାଇଛନ୍ତି । ପୂର୍ବରୁ ୪ଜଣ ପାଇଥିଲେ, ଏବେ ୫ଜଣ ପାଇଛନ୍ତି । ଚାଉଳ କାର୍ଡ଼ ସମସ୍ତଙ୍କର ଅଛି । ୨ ଜଣ ପୁରୁଷ,୧ଜଣ ମହିଳାଙ୍କର ଆଧାର କାର୍ଡ଼ ନାହିଁ । ଆଧାର କାର୍ଡ଼ ନଥିବାରୁ ଚାଉଳ ମିଳୁ ନାହିଁ । ୪ଘରକୁ ଛାଡ଼ିଦେଲେ ବାକି ଘର ବହୁ ଅସୁବିଧାରେ ଚଳୁଛନ୍ତି । ସମସ୍ତଙ୍କ ଘରେ ଗୋଟିଏ,ଦୁଇଟା କୁକୁଡ଼ା ଅଛି,୧୫ ପରିବାରରେ ପଟେ, ଦୁଇପଟ ଛେଳି ବି ଅଛି । ୧୬ ଘର କାଠ ବିକି ଚଳନ୍ତି, ବିଷମକଟକ ନୀଳଗିରି କାଟିବାକୁ ଯାଆନ୍ତି, କଲର୍ଭଟ ବାନ୍ଧନ୍ତି । ପାଖ ଗାଁ କୁମଡ଼ାପଦରକୁ କଲର୍ଭଟ କାମ ଆସିଛି । କାମ ଆରମ୍ଭ ହୋଇନାହିଁ । ଆଶା ବାନ୍ଧିଛି କାମ କେବେ ମିଳିବ । କେତେବେଳେ କିପରି କାମ ମିଳିଲେ ପୁଅ ପିଲା ଦିନକୁ ମଜୁରି ପାଏ ୧୩୦ ଟଙ୍କା, ଆଉ ଦିଣ୍ଡା ଧାଙ୍ଗଡ଼ି ପାଏ ୧୨୦ ଟଙ୍କା । ସିକସରୁର ସମୁଦାୟ ୨୨ ଟି ଘର ମଧ୍ୟରୁ ୨୦ଟି ଘରକୁ ମିଳିଛି ଜବକାର୍ଡ଼ । ଏବର୍ଷ କାହାପାଖକୁ ଏନଆରଜିଏସ ଟଙ୍କା ଆସି ନାହିଁ । ଗଲାସନ ଅର୍ଜୁନ ନଣ୍ଡୃକା ଖାତାକୁ ୧୫୦୦୦ ଟଙ୍କା ଆସିଥିଲା । କଂଟ୍ରାକ୍ଟ୍ର ଆଜ୍ଞା ଅର୍ଜୁନକୁ ୨୦୦ ଟଙ୍କା ଦେଲା ଓ ହୋଟେଲରେ ଖାଇବାକୁ ଦେଇ ବାକିତକ ଟଙ୍କାକୁ ରଖିନେଲା । କାଠ ପୋଡ଼ି ଦୁଇବସ୍ତା ଅଙ୍ଗାରକୁ ଅମ୍ବାଦଳା ବଜାରରେ ବିକିଲେ ୧୫୦ ଟଙ୍କା ମିଳୁଛି- କହେ ସୁନାଧର ନୁଣ୍ଡୃକା । ସିକସରୁକୁ ଲାଗିଛି ଆଉ ତିନି/ଚାରି ଖଣ୍ଡ ଗାଁର ସୀମା ସରହଦ- କୁମଡ଼ାପଦର, ମେଲିଚୁଆଁ, ସୁଲେରିପଦର । ସିକସରୁ ଲଗାଏତ ଏହିସବୁ ଗାଁରେ ସ୍କୁଲଯିବା ପିଲାଙ୍କୁ ସୁମାରି କଲେ ଆନୁମାନିକ ୫୦ସରିକ ପିଲା ବାହାରିବେ । ଯେଉଁମାନେ ସ୍କୁଲ ହତା ମାଡ଼ିବାକୁ ବାଧିତ ହୋଇ ରହିଛନ୍ତି । କେବଳ ସିକସରୁରେ ୬ରୁ ୧୪ ବର୍ଷ ବୟସ ଭିତରେ ଅଛନ୍ତି ୧୩ ଜଣ ଝିଅ, ଆଉ ୬ ଜଣ ପୁଅ ।
ପାତର ଡ଼ଙ୍ଗର ମଥା ଉପରେ କେତେ ଯେ ମେଘ ଭାସି ଯାଇଛି, ତାର ହିସାବ ନାହିଁ । ଗୌର, ବୀଣା, ସିନ୍ଧୁଙ୍କ ଆଖିର ସ୍ୱପ୍ନକୁ ବାନ୍ଧି ପାରିବା ପାଇଁ ବିଦ୍ୟାଳୟଟି ଯେ ଲୋଡ଼ା; ଏକଥା ବାସ୍ତବ ହେବାକୁ ଆଉ କେତେଦିନ ଲାଗିବ? ସିକସରୁ ପଡ଼ା ଗାଁର ୫ କିଲୋମିଟର ଦୂରରେ ଜହ୍ନାବାଲି ସ୍କୁଲ । ଏହି କୋମଳମତି ଛାତ୍ର, ଛାତ୍ରୀଙ୍କର ଆଡ଼ରେ ଝରଣା ଆଉ ଡଙ୍ଗରର ପଥୁରିଆ ରାସ୍ତା । ବର୍ଷାଦିନ ଦୁର୍ଗମ ରାସ୍ତା ଓ ପାହାଡ଼ି ଝରଣାର ଭୟଙ୍କର ରୂପ ପିଲାମାନଙ୍କୁ ବାଟ ଛାଡ଼ି ଦେବ ତ? ଏ ପ୍ରଶ୍ନ ଆଜି ମଧ୍ୟ ଅସମାହିତ! ସିକସରୁର ପିଲାଏ ନିଜ ବାପା, ମାଆଙ୍କ ସହିତ ଡଙ୍ଗର ଓ ଗୁଡ଼ିଆର ଫସଲ ଜଗନ୍ତି, ମାଣ୍ଡିଆ ବିରି ମଡ଼ାନ୍ତି । ମହୁଲ, ଟୋଲ ବେଟନ୍ତି, ଗାଈ, ଗୋରୁ, ଛେଳି ସଙ୍ଗେ ମିତ ବସନ୍ତି, ଶିଆଳି ଲଟାରେ ଦୋହଲି ଜୀବନର ଛବିକୁ ଦୋହଲାଉଥାନ୍ତି । ସକାଳର ପ୍ରଥମ କିରଣରୁ ସଞ୍ଜ ନଇଁ ଆସୁଥିବା ପର୍ଯ୍ୟନ୍ତ ଡଙ୍ଗର କୋଳରେ ନିଜର ଇତିହାସକୁ ଗଢ଼ନ୍ତି । ସିକସରୁର ପଶ୍ଚିମପଟ ପାତର ଡ଼ଙ୍ଗରରେ ସୂର୍ଯ୍ୟ ବୁଡ଼େ । ନୀରବତାର କାନି ଫିଟାଇ ଆକାଶକୁ ଚହଟି ଆସେ ଦିତିଆ ଜହ୍ନ । ଭେଣ୍ଡିଆ, ମରଦ, ଦିଣ୍ଡା, ଧାଙ୍ଗଡ଼ି ମହୁଲି ଓ ସଲପ କୋଳକୁ ଟାଣି ହୋଇ ଯାଆନ୍ତି । ଅଜଣା ପୃଥିବୀର ଜଣା ଜଣା ନିଶା ଦୁଃଖର ପୃଥବୀର ସୀମାକୁ ସଙ୍କୁଚିତ କରିଆଣେ ।
ଶିଶୁ, କିଶୋରୀ ବାଳିକା ତଥା ଗର୍ଭବତୀ ମାଆମାନଙ୍କ ପାଇଁ ଅଙ୍ଗନବାଡ଼ିର ବ୍ୟବସ୍ଥା ହୋଇଥିଲେ ମଧ୍ୟ ଏଠାରୁ ଅଙ୍ଗନବାଡ଼ିର ଦୂରତା ହାରାହାରି ୭ କିଲୋମିଟର । ପ୍ରାକ୍-ଶୈଶବ ଶିକ୍ଷାପାଇଁ ତଥା ସୁଷମଖାଦ୍ୟର ବଂଟନ ପାଇଁ ସମାଧାନର ପନ୍ଥା କ’ଣ ହୋଇପାରେ? ଯଦିଚ ସୁଷମ ଖାଦ୍ୟ ବଂଟନରେ କିଛିଟା ସୁଧାର ଅଣାଯାଇ ପାରିଛି କିନ୍ତୁ ପ୍ରାକ୍ ଶୈଶବ ଶିକ୍ଷା ପାଇଁ ଏବେ ମଧ୍ୟ କୌଣସି କାର୍ଯ୍ୟପନ୍ଥା ପରିଲକ୍ଷିତ ହୋଇପାରିନାହିଁ ।
ସିକସରୁ ଗାଁକୁ ବିଜୁଳି ତା ଅବଗୁଣ୍ଠନ ଖୋଲିଥିଲା ସାତ ବର୍ଷତଳେ ମାତ୍ର କିଛି ସମୟ ପାଇଁ । ସେହିଦିନ ଠାରୁ ବିଜୁଳି ହଜିଯାଇଛି କେଉଁବାଟରେ, ତା’ର ଠିକଣା ମିଳିନାହିଁ । ଡଙ୍ଗର ଘେରା ସିକସରୁର ଲୋକେ ଦେହପା ଖରାପ ହେଲେ ଆଗ ନିର୍ଭର କରନ୍ତି ଗାଁ ଜାନି ଉପରେ । ମାତ୍ର ଗାଁ ଜାନିର ଝଡ଼ାଫୁଙ୍କା ରୋଗ ବେମାରି ଦୂର କରିବାରେ କେତେ ବା ସମର୍ଥ? ସେମାନେ ବାଟ କାଢ଼ିବାପାଇଁ ଆଉ ବିକଳ୍ପ ପାଆନ୍ତି ନାହିଁ । ଏଇଠି ଜୀବନର ଆରମ୍ଭ, ଆଉ ଏଇଠାରେ ହିଁ ଶେଷ ।
ଗାଁଲୋକଙ୍କ ଯୋଗାଯୋଗର ମାଧ୍ୟମ ଜଗଦଳପୁରର ସାପ୍ତାହିକ ହାଟ ଓ ଅମ୍ବାଦଳା ବଜାର । ଯେପରି ହେଉ ଯାହାବି ହେଉ ସିକସରୁ ଲୋକେ ଏଇ ଦୁଇ ହାଟ ଓ ବଜାର ଉପରେ ନିର୍ଭରଶୀଳ । ଆଳୁ, ପିଆଜ, ତେଲ, ଶୁଖୁଆ, ଲୁଗାପଟା ଆଦି କିଣନ୍ତି ଏହି ହାଟ ଓ ବଜାରରେ ଏବଂ ମାଣ୍ଡିଆ, କାନ୍ଦୁଲ, ମହୁଲ ବଦଳରେ ଲୋଡ଼ନ୍ତି ଲୁଣ, ଚାଉଳ ଆଦି । ମହୁଲ ବେଟୁଥିବା ବେଳେ ସିକସରୁରୁ ଦିଣ୍ଡା ଧାଙ୍ଗଡ଼ି ଆଜିବି ଗାଉଛି ଦୁଃଖର ଗୀତ । ଆଜି ପର୍ଯ୍ୟନ୍ତ ତା’ଓଠକୁ ଛୁଇଁ ପାରିନି ସୁଖର କେତୋଟି ଶବ୍ଦ ।
ଲେଖକ – ଡଃ ଚନ୍ଦନ କୁମାର ସିଂହ , ଅନନ୍ତ କୁମାର ସାମନ୍ତ
Photo Credit- https://bit.ly/38neqrp
Comments
0 comments