ଧର୍ମ ନାମରେ ପୁଣି ବଳି ପଡ଼ିବେ କି ଅନୁସୂଚିତ ଜାତିର ମଣିଷ? ନା ଥଇଥାନ ବେଳେ ଆଜି ପର୍ଯ୍ୟନ୍ତ କରାଯାଇଥିବା ଅବହେଳାର କ୍ଷତିପୂର୍ତ୍ତୀ ହେବ । କାରଣ ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ପାଇଁ ବିସ୍ଥାପିତ ହେବେ ସମ୍ବଲପୁର ସହରରେ ସ୍ଥିତ ୪୦୦ବର୍ଷର ପୁରୁଣା ବସ୍ତି ଘୁନଘୁଟି ପଡ଼ା । ପୁରୀ ମନ୍ଦିର ଭଳି ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ୨୦୨୦ ମସିହା ଜାନୁଆରୀ ମାସରେ ସମ୍ବଲପୁର ଗସ୍ତ ଅବସରରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଲକଡାଉନ୍ ସମୟରେ ବି ସାଟେଲାଇଟ ସର୍ଭେ ଜାରି ରହିଥିଲା । ଏହାକୁ ନେଇ ବାରମ୍ବାର ସର୍ଭେ ରିପୋର୍ଟର ତର୍ଜମା ହୋଇଛି, ନୂଆ ରିପୋର୍ଟ ପ୍ରସ୍ତୁତ ହୋଇଛି । ୨୦୨୧ ମସିହାର ନୂଆବର୍ଷରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସି ପ୍ରସ୍ତାବିତ ପ୍ରକଳ୍ପ ପାଇଁ ସ୍ଥିତି ଅନୁଧ୍ୟାନ ସହିତ ୭୦ରୁ୮୦ ଏକର ଜମି ଅଧିଗ୍ରହଣ ହେବ ବୋଲି ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ସୌନ୍ଦର୍ଯ୍ୟକରଣର ରୂପରେଖର ଅନ୍ତିମ ରିପୋର୍ଟ ଆସି ନାହିଁ । ଏଥିପୂର୍ବରୁ ସମ୍ବଲପୁର ମହାନଗର ନିଗମ କମିଶନର ସମଲେଶ୍ୱରୀ ମନ୍ଦିର ନିକଟସ୍ଥ ଅନୁସୂଚିତ ଜାତି ପ୍ରଭାବିତ ଘୁନଘୁଟିପଡ଼ା ଅଧିବାସୀଙ୍କୁ ମା’ଙ୍କ ପାଇଁ ସମ୍ବେଦନଶୀଳ ହୋଇ ଜମି ପ୍ରଦାନରେ ସହଯୋଗ ପାଇଁ ଆହ୍ୱାନ କରିଛନ୍ତି । ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ଗସ୍ତ ପୂର୍ବରୁ ପ୍ରତିନିଧି ଦଳଙ୍କ ସହିତ ଆଲୋଚନା କଲେ, ସେମାନଙ୍କ ଗସ୍ତପରେ ପଡ଼ା ସହିତ ଆଲୋଚନା କଲେ । ଏହି ଅବସରରେ ସେମାନେ ଜାଣିବାକୁ ପାଇଥିଲେ ଯେ ମନ୍ଦିର ଚତୁଃପାଶ୍ୱର୍ ନୁହେଁ; ମନ୍ଦିର ପ୍ରାଙ୍ଗଣରେ ସ୍ଥିତ ପୂଜକ, ସେମାନଙ୍କ ପଡ଼ାର ୨୫୦ ପରିବାର ହିଁ ସମ୍ପୂର୍ଣ୍ଣ ବିସ୍ଥାପିତ ହେବେ । ଥଇଥାନ ନାମରେ ପ୍ରଶାସନ ପକ୍ଷରୁ ପଡ଼ାବାସୀଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଛି, ତାହା ସେମାନଙ୍କ ପାଇଁ ଗ୍ରହଣୀୟ ହୋଇ ନାହିଁ । ବର୍ତ୍ତମାନ ପର୍ଯ୍ୟନ୍ତ ସମଲେଶ୍ୱରୀ ମନ୍ଦିର ସୌନ୍ଦର୍ଯ୍ୟକରଣର ସମ୍ପୂର୍ଣ୍ଣର୍ ରୂପରେଖ ଆସି ନାହିଁ । କିନ୍ତୁ ଅନୁସୂଚିତ ଜାତି ପ୍ରଭାବିତ ଘୁନଘୁଟିପଡ଼ା ପ୍ରଭାବିତ ହେବା ନେଇ ନିଶ୍ଚିତ ହୋଇଛି । ଏହାକୁ ସେମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବଜନିଆରୁ ମଜୁରିଆ- ଢୋଲ, ନିସାନ, ତାସା, ଟିମକିଡି, ମହୁରି ଯାହାକୁ ସ୍ଥାନୀୟ ଭାଷାରେ ଗଣାବଜା କୁହାଯାଏ, ପୂର୍ବରୁ ଏହାକୁ କେବଳ ଅନୁସୂଚିତ ଜାତି ବର୍ଗର ବ୍ୟକ୍ତିମାନେ ହିଁ ବଜାଉଥିଲେ । ସମ୍ବଲପୁର ରାଜା ବଳରାମ ଦେବ ପ୍ରତିଷ୍ଠା କରିଥିଲେ ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିର । ସ୍ଥାନୀୟ ଅଧିବାସୀ ଅନୀଲ ବାଗ(୬୭) ପୂର୍ବଜଙ୍କ ଠାରୁ ମିଳିଥିବା ସୂଚନା ଆଧାରରେ କହନ୍ତି, ସମଲେଶ୍ୱରୀ ମନ୍ଦିର ପ୍ରତିଷ୍ଠା ସମୟରେ ଗଣା ବାଜା ବଜାଇବା ପାଇଁ ସମ୍ବଲପୁରରେ କେହି ନଥିଲେ । ତେଣୁ ପ୍ରାୟ ୪୦୦ବର୍ଷ ପୂର୍ବରୁ ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ର ଘୁନଘୁଟିପାଲିରୁ ୧୨ଟି ପରିବାରକୁ ବଲାଙ୍ଗୀରରୁ ସମ୍ବଲପୁର ଅଣାଇଥିଲା । ସମଲେଶ୍ୱରୀଙ୍କ ସେବକ ହୋଇଥିବାରୁ ତାଙ୍କୁ ମନ୍ଦିର ନିକଟରେ ଥଇଥାନ କରାଗଲା । ବଲାଙ୍ଗୀରର ଘୁନଘୁଟିପାଲିରୁ ଆସିଥିବାରୁ ତାଙ୍କ ପଡ଼ାକୁ ଘୁନଘୁଟିପଡ଼ା କୁହାଗଲା । ଏହି ପଡ଼ାର ଅଧିବାସୀ ମନ୍ଦିରରେ ବାଜା ବଜାଇବା ପରେ ହି ସମଲେଶ୍ୱରୀ ପୂଜା ଆରମ୍ଭ ହେଉଥିଲା । ଏଥିସହିତ ମନ୍ଦିର ଚତୁଃପାଶ୍ୱର୍ର ସଫେଇ ଦାୟିତ୍ୱରେ ମଧ୍ୟ ରହିଲେ । ଆଜି ସେ ୧୨ ପରିବାର ବୃଦ୍ଧି ପାଇ ୨୦୦ ପରିବାରରେ ପହଞ୍ଚି ସାରିଛି । ୮୫ବର୍ଷ ବୟସ୍କ ଶୁକ୍ରୁ ବାଗ କହନ୍ତି, ସେ ଏବଂ ତାଙ୍କ ଭାଇ ଢୋଲ, ନିସାନ ବଜାନ୍ତି । କିନ୍ତୁ ପୂର୍ବଜମାନେ ଯେଉଁଭଳି ସମଲେଶ୍ୱରୀ ମନ୍ଦିରରେ ବଜାଉଥିଲେ ତାଙ୍କ ଦୁଇ ଭାଇଙ୍କୁ ସେହିଭଳି ଅବସର ମିଳିଲା ନାହିଁ । ଯେଉଁଠି ଧାର୍ମିକ କାର୍ଯ୍ୟ ହୁଏ, ସେମାନେ ବାଜା ବଜାଇବାକୁ ଯାଆନ୍ତି । ଦେବୀଙ୍କ ପ୍ରତି ତାଙ୍କ ଶ୍ରଦ୍ଧା, କଳା ପ୍ରତି ଦୁର୍ବଳତା ଦୁଇ ଭାଇଙ୍କୁ ବଜନିଆ କରିଥିଲା । ଏଥିରେ ପେଟ ଅପୋଷା ରହିବାରୁ ବାଧ୍ୟ ହୋଇ ମଜୁରି କଲେ । ଅଟୋରିକ୍ସା ଚାଳକ ରବି ମହାନନ୍ଦ କହନ୍ତି, ଅନୁସୂଚିତ ଜାତିବର୍ଗର ବ୍ୟକ୍ତି ବଜାଉଥିବାରୁ ଯାହାକୁ ଦିନେ ଗଣାବଜା କୁହାଯାଉଥିଲା, ଆଜି ସମଲେଇ ବାଜା କିମ୍ବା ପଞ୍ଚବାଦ୍ୟ କୁହାଯାଉଛି । ସମୟ ସହିତ ଗଣାବଜା ପଶ୍ଚିମଓଡ଼ିଶାର ଅସ୍ମିତାରେ ପରିଣତ ହେଲା । ଏହାର ଲୋକପ୍ରିୟତା ବଢ଼ିବାରୁ ଉଚ୍ଚ ବର୍ଗର ଲୋକେ ଏହା ବଜାଇବାକୁ ଆଗ୍ରହ ପ୍ରକାଶ କଲେ । ତାଙ୍କ ଜାତିର ଲୋକମାନଙ୍କ ଏଥିରେ ଭାଗିଦାରୀ ରହିଲା ନାହିଁ । ସେମାନେ କ୍ରମଶଃ ଅନ୍ୟ ରୋଜଗାରର ବାଟ ଖୋଜିଲେ । ଆଜି ବି ତାଙ୍କ ପଡ଼ାର ଅଧିକାଂଶ ପରିବାରରେ ପୁରୁଣା ଢୋଲ, ନିସାନ, ତାସା ରହିଛି । ପଡ଼ାର ୩୪ବର୍ଷିୟ ରାମତନୁ ଦୀପ କହନ୍ତି, ସମଲେଶ୍ୱରୀ ମନ୍ଦିର ସେବକ ଭାବରେ ପୂଜକମାନଙ୍କ ସମ୍ମାନଜନକ ସ୍ଥାନ ରହିଛି । ତେଣୁ ବଂଶାନୁଗତ ଭାବରେ ୪୦୦ ବର୍ଷ ହେଲା ସେମାନେ ସେହି କାମ ରହିଛନ୍ତି । ତାଙ୍କ ସ୍ଥାନ କେହି ଅକ୍ତିଆର କରିପାରନ୍ତି ନାହିଁ । ଦେବୀ ମନ୍ଦିରରେ ଢୋଲ, ନିସାନ ବଜାଇବା କାହିଁକି ବଂଶାନୁଗତ ରହିବ ନାହିଁ? କେବଳ ଏଥିପାଇଁ ଯେ ପୂର୍ବରୁ ଏହି ହୀନ ନଜରରେ ଦେଖାଯାଉଥିଲା, ବର୍ତ୍ତମାନ ଏହା ସମସ୍ତଙ୍କ ଅସ୍ମିତାର ସ୍ୱରୂପରେ ପରିଣତ ହୋଇ ସାରିଛି । କିନ୍ତୁ ସେହିସ୍ଥାନରେ ନାଳି, ଶୌଚାଳୟ ସଫେଇ ଆଜିବି ସାମାଜିକ ନଜରରେ ହୀନ ହୋଇରହିଥିବାରୁ ଅନୁସୂଚିତ ଜାତି ଛଡ଼ା ଅନ୍ୟ କୌଣସି ବର୍ଗର ଲୋକେ ଏହି କାର୍ଯ୍ୟ କରନ୍ତି ନାହିଁ । ପଡ଼ାର କୀର୍ତ୍ତନ ଦୀପ କହନ୍ତି, ସେମାନଙ୍କ ପୂର୍ବଜମାନଙ୍କୁ କେବଳ ସମଲେଶ୍ୱରୀଙ୍କ ସେବା କରିବାକୁ ସେମାନଙ୍କ ଭିଟାମାଟିରୁ ସମ୍ବଲପୁର ଅଣାଯାଇ ଥିଲା । କାର୍ଯ୍ୟ ସରିଯିବା ପରେ ସମଲେଶ୍ୱରୀ ମନ୍ଦିରର କୌଣସି କାର୍ଯ୍ୟରେ ସେମାନଙ୍କୁ ସାମିଲ କରାଗଲା ନାହିଁ । ଏପରିକି ଆଜି ପର୍ଯ୍ୟନ୍ତ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡରେ ତାଙ୍କ ପଡ଼ାର ଜଣେ ହେଲେ ସଦସ୍ୟ ନାହାନ୍ତି । ବର୍ତ୍ତମାନ ସ୍ଥିତି ଏଭଳି ହୋଇଛି ଯେ ସମଲେଶ୍ୱରୀଙ୍କ ସେବକ ହୋଇଥିବାରୁ ପୂଜକମାନଙ୍କୁ ମନ୍ଦିର ପାଖରେ ଥଇଥାନ କରିବା ପାଇଁ ସରକାର ବ୍ୟବସ୍ଥା କରୁଛି । ମାଙ୍କ ନୀତିକାନ୍ତିରେ ସେମାନଙ୍କ ଭୂମିକା ନଥିବା କହି ଦୂରକୁ ଠେଲିବା ପାଇଁ ମସୁଧା କରାଯାଉଛି । ସମଲେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣକୁ ସେମାନେ ସମର୍ଥନ କରନ୍ତି କିନ୍ତୁ ଏହାର ଆଳରେ ସେମାନଙ୍କୁ ଏକପାଖିଆ ଭାବରେ ବିସ୍ଥାପିତ କରାଗଲେ ସେମାନେ ବରଦାସ୍ତ କରିବେ ନାହିଁ ।
ଜାତିଗତ ଭେଦର ବଦଳିଛି ସ୍ୱରୂପ- ରବି ମହାନନ୍ଦ କହନ୍ତି, ଅନୁସୂଚିତ ଜାତିର ଲୋକ ହୋଇଥିବାରୁ ତାଙ୍କ ପୂର୍ବଜମାନଙ୍କ ପ୍ରତି ଯେଉଁଭଳି ବ୍ୟବହାର କରାଯାଉଥିଲା, ଆଜି ବି ଭାବିଲେ ରୁମ ଟାଙ୍କୁରି ଉଠେ । ଜାତିଗତ କାରଣରୁ ସେମାନଙ୍କୁ ଘୃଣା କରାଯାଉଥିଲା । ପୂର୍ବଜମାନେ ଯାହା କହୁଥିଲେ, ପାଉଣା ଭାବରେ ଦେଉଥିବା ଭାତ ମଧ୍ୟ କୌଣସି ବାସନ ନଦେଇ ସେମାନଙ୍କ ଗାମୁଛାରେ ଦେଉଥିଲେ । ଛାଇ ପଡ଼ିଲେ ଉଚ୍ଚବର୍ଗର ମଣିଷମାନେ ରାସ୍ତା ପରିବର୍ତ୍ତନ କରି ଦେଉଥିଲେ । ଏଥିଯୋଗୁଁ ବିକାଶ ଧାରା ସେମାନଙ୍କ ପଡାକୁ ଛୁଉଁନଥିଲା । ପଡ଼ାବାସୀ ପ୍ରାୟତଃ ଶାସନବ୍ୟବସ୍ଥା ଉପରେ ନିର୍ଭରଶୀଳ ନଥିଲେ । ଅନେକ ବର୍ଷ ପର୍ଯ୍ୟନ୍ତ ପଡ଼ାରେ କୌଣସି ବିବାଦ ହେଲେ ଏଠିକାର ପୁରୁଖା ଲୋକ ମିଶି ସମାଧାନ କରନ୍ତି । ମୁକ୍ତେଶ୍ୱର ଯୁବକ ସଂଘ ୧୯୮୧ ମସିହାରେ ପ୍ରତିଷ୍ଠା ହୋଇଛି । ଯାହାକି ସହରର ଯେକୌଣସି ସାମାଜିକ ସଙ୍ଗଠନ ଠାରୁ ପୁରୁଣା । ୪୦୦ବର୍ଷ ହେଲା ଘୁନଘୁଟିପଡ଼ାର ଅବସ୍ଥିତି କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ମିଳିଲା ନାହିଁ । ଇଂରେଜ ଅମଳରେ ହେମାଲି କାମ କରୁଥିବା ପହେଲୁ ଦୀପଙ୍କ ବାପାଙ୍କୁ ତତକାଳୀନ ଇଂରେଜ ସରକାର ସେମାନେ ଏଠାରେ ରହୁଥିବା ନେଇ ପ୍ରମାଣସ୍ୱରୂପ କାଗଜ ଦେଇଥିଲେ । ଯାହା ତାଙ୍କ ପରିବାର ଆଜି ପର୍ଯ୍ୟନ୍ତ ରଖିଛନ୍ତି । ପଡ଼ାବାସୀ ଇଂରେଜ ସରକାରଙ୍କ ଏହି ନଥିପତ୍ରକୁ ତାଙ୍କ ପୁରୁଣା ଅବସ୍ଥିତିର ପ୍ରମାଣ ଭାବରେ ଉପସ୍ଥାପନ କରନ୍ତି । ପଡ଼ାବାସୀ କହନ୍ତି, ଦେଶ ସ୍ୱାଧୀନ ହେବା ପରେ ନିର୍ବାଚନ ପ୍ରଚାର ପାଇଁ ଶ୍ରଦ୍ଧାକର ସୂପକାର, ବନମାଳି ବାବୁ, ଶ୍ରବଲ୍ଲଭ ପାଣିଗ୍ରାହୀ ଏବଂ ଆଜି ଜୟନାରାୟଣ ମିଶ୍ର ଆସିଛନ୍ତି । ପଟ୍ଟା ପ୍ରଦାନର ପ୍ରତିଶୃତି ଦେଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କୁ ପଟ୍ଟା ମିଳିଲା ନାହିଁ । ବରଂ ଯେତେବେଳେ ପଡାବାସୀ ଜିଲ୍ଲାପାଳ, ତହସିଲଦାରଙ୍କ ପାଖକୁ ପଟ୍ଟା ପାଇଁ ଯାଆନ୍ତି ସେମାନଙ୍କ ପାଇଁ ନୂଆ ମାଷ୍ଟର ପ୍ଲାନ ହେବ ସେହି ଅନୁଯାୟୀ ପଟ୍ଟା ଦିଆଯିବ ବୋଲି ୧୯୮୦ ମସିହାରୁ କୁହାଯାଉଛି । ପଟ୍ଟା ନଥିବାରୁ ସେମାନଙ୍କୁ ଜାତି ପ୍ରମାଣପତ୍ର, ଆବାସୀୟ ପ୍ରମାଣପତ୍ର ପ୍ରସ୍ତୁତିରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି । ଶକୁନ୍ତ କୁମ୍ଭାର କହନ୍ତି, ସମ୍ବଲପୁରକୁ ଆସୁଥିବା ଅଣଓଡିଆମାନେ ଆଦିବାସୀ ଏବଂ ସରକାରୀ ଜମି ଅକ୍ତିଆର କରି ଶୀଘ୍ର ପଟ୍ଟା ପାଇ ଯାଆନ୍ତି । ସେମାନେ ଏଠାକାର ମୂଳ ଅଧିବାସୀ ହୋଇ ବି ସେମାନେ ଏଠିକାର ବାସିନ୍ଦା ବୋଲି ପ୍ରମାଣ ଉପସ୍ଥାପନ କରିବାକୁ ପଡୁଛି । ପଟ୍ଟା ପାଇବାପାଇଁ ରାଜସ୍ୱ ବିଭାଗ ଅଧିକାରୀ ଯେଉଁ ଲାଞ୍ଚର ଦାବି କରନ୍ତି, ସେହି ଅର୍ଥ ଦେବା ପାଇଁ ସେମାନଙ୍କ ପାଖରେ ସାମର୍ଥ୍ୟ ନାହିଁ । ଏଥିଯୋଗୁଁ ସେମାନଙ୍କୁ ପଟ୍ଟା ମିଳି ପାରିଲା ନାହିଁ । ଆଜି ପଟ୍ଟା ନଥିବାରୁ ଥଇଥାନ କଲା ବେଳକୁ ପ୍ରଶାସନିକ ଭୃକୁଂଚ ଦେଖିବାକୁ ମିଳୁଛି । ପଟ୍ଟା ନଥାଇ ମଧ୍ୟ ସେମାନଙ୍କୁ ଥଇଥାନ ପାଇଁ ସରକାର ପଦକ୍ଷେପ ନେଉଥିବା କହି ଦୟା ଦେଖାଇବା ଭଳି ଆଭିମୁଖ୍ୟ ସୃଷ୍ଟି କରାଯାଉଛି । ଏପରିକି ଥଇଥାନ ନେଇ ପ୍ରଶାସନିକ ଅଧିକାରୀଙ୍କ ସହିତ ପ୍ରଥମ ଆଲୋଚନା ବେଳେ ପ୍ରଶାସନ ପକ୍ଷର ପୂଜକମାନଙ୍କୁ ରାଜଘାଟ ନିକଟରେ ଥଇଥାନ କରିବାକୁ ପ୍ରସ୍ତାବ ଦିଆଯାଇ ଥିଲା । ପୂଜକମାନେ ଏହାକୁ ଗ୍ରହଣ କଲେ ନାହିଁ ତେଣୁ ସେମାନଙ୍କ ପସନ୍ଦ ଅନୁଯାୟୀ କମଲିବଜାରରେ ଥଇଥାନ କରାଯିବାର ନିଷ୍ପତ୍ତି ହେଲା । ରାଜଘାଟ ନିକଟରେ ଯେଉଁ ସ୍ଥାନରେ ପୂଜକମାନଙ୍କୁ ଥଇଥାନ ପାଇଁ ପ୍ରଶାସନ ଆଗ୍ରହୀ ସେଠି ଘୁନଘୁଟି ପଡାବାସୀଙ୍କୁ ଥଇଥାନ ପାଇଁ ସେମାନେ ପ୍ରସ୍ତାବ ଦେଲେ ମାତ୍ର ପ୍ରଶାସନ ଏହାକୁ ଗ୍ରହଣ କଲା ନାହିଁ । ବରଂ ରେଳ ଲାଇନ ନିକଟସ୍ଥ ଦୂରବର୍ତ୍ତୀ ସ୍ଥାନରେ ଥଇଥାନର ପ୍ରସ୍ତାବ ଦେଲା । ଜାତିଗତ କାରଣରୁ ଜାଣିଶୁଣି ସେମାନଙ୍କୁ ମନ୍ଦିର ଠାରୁ ଦୂରରେ ଏକ ସ୍ଥାନରେ ଥଇଥାନ ପାଇଁ ପ୍ରଶାସନ ମସୁଧା କରୁଥିବା ପଡ଼ାବାସୀ ଅଭିଯୋଗ କରିଛନ୍ତି । ପଡ଼ାବାସୀଙ୍କ ଅନୁସାରେ, ପୂର୍ବଭଳି ସେହି ଅଛୁଆଁ ମାନସିକତା ନାହିଁ ସତ କିନ୍ତୁ ହେୟ ମନୋଭାବ ରହିଛି । ଦୂରେଇ ରଖିବାର ମସୁଧା ରହିଛି ।
କଷ୍ଟକର ହେଉଛି ବିସ୍ଥାପନକୁ ବିରୋଧ- ବିଜେପି ଦଳର ରୁଢ଼ିବାଦୀ ମନ୍ଦିର ରାଜନୀତିର ସଫଳତାକୁ ଦୃଷ୍ଟି ଦେଇ ରାଜ୍ୟ ବିଜେଡି ସରକାର ସେହି ଦିଗ ପ୍ରତି ମନ ବଳାଇଛନ୍ତି । ସମଲେଶ୍ୱରୀ ମନ୍ଦିରରେ ଭୂତଳ କେବୁଲ ବିଛା କାର୍ଯ୍ୟକ୍ରମ ୬ ବର୍ଷ ପରେ ମଧ୍ୟ କାର୍ଯ୍ୟକାରୀ ହୋଇପାରି ନାହିଁ । ଦେଶର ଆଶ୍ଚର୍ଯ୍ୟ ହୁମା ବକ୍ର ମନ୍ଦିର ଏକ ହୋର୍ଡିଂଟିଏ ବି ଭୁବନେଶ୍ୱର ବିମାନବନ୍ଦର କଥା ଦୂରେ ଥାଉ, ସମ୍ବଲପୁର ସହରରେ ମଧ୍ୟ ନାହିଁ । କିନ୍ତୁ ପର୍ଯ୍ୟଟନ ନାମରେ ଲୋକଙ୍କୁ ବିସ୍ଥାପିତ କରାଇ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ହାତକୁ ନିଆଯାଇଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀ ରାଜ୍ୟର ଅନ୍ୟ ପ୍ରମୁଖ ମନ୍ଦିରର ଦିଅଁ, ଦେବତା ଭଳି ସେତେ ରୁଢ଼ିବାଦୀ ନୁହନ୍ତି । ଅନ୍ୟ ଧର୍ମର ଲୋକେ ତାଙ୍କ ପୀଠକୁ ପହଞ୍ଚିଲେ ଅନ୍ୟ ମନ୍ଦିର ଭଳି ଏଠାରେ ତାମସା ହୁଏନି । ବରଂ ଏଠାରେ ସମସ୍ତେ ଗ୍ରହଣୀୟ ହୁଅନ୍ତି । ସମଲେଶ୍ୱରୀଙ୍କ ପୂଜକମାନେ ମଧ୍ୟ ବ୍ରାହ୍ମଣ ନୁହନ୍ତି । ମନ୍ଦିର ନିକଟରେ କୁଷ୍ଠାପଡ଼ା, ମାଲିପଡ଼ା, ତେଲିପଡ଼ା, ପଠାନପଡ଼ା, କେଉଟପଡ଼ା ରହିଛି । ଏହା ଆଜି ନୁହେଁ ବରଂ ଅନେକ ଦିନରୁ ରହିଛି । ସମଲେଶ୍ୱରୀଙ୍କ ଉପରେ ଲୋକଙ୍କ ଆସ୍ଥା ରହିଛି, ମାତ୍ର ଏଥିରେ ସଂକୀର୍ଣ୍ଣତା ନଥିଲା । ବର୍ତ୍ତମାନ ଦକ୍ଷିଣପନ୍ଥୀ ବିଚାର ସମ୍ବଲପୁରକୁ କବଳିତ କଲାଣି । ସମଲେଶ୍ୱରୀ ପୀଠର ସୌନ୍ଦର୍ଯ୍ୟକରଣ, କିଛି ଲୋକ କେବଳ ନିଜ ଥଇଥାନ ପାଇଁ ବିରୋଧ କରିବେ, ଏହା ସହରର ଏକ ବଡ଼ ଗୋଷ୍ଠୀକୁ ଗ୍ରହଣୀୟ ହେଉନି । ସମଲେଶ୍ୱରୀଙ୍କ ପ୍ରତି ଥିବା ସେମାନଙ୍କ ଆସ୍ଥାକୁ ନେଇ ମଧ୍ୟ ପ୍ରଶ୍ନ କରାଯାଉଛି । ପଟ୍ଟା ନଥିବାରୁ ସେମାନଙ୍କ ଦାବିକୁ ଆହୁରି ଦୁର୍ବଳ ନଜରରେ ଦେଖାଯାଉଛି । ସ୍ଥାନୀୟ ଅଧିବାସୀଙ୍କ ବିସ୍ଥାପନକୁ ବିରୋଧ କରି ଯାଗା ଛାଡ଼ିବେ ନାହିଁ ବୋଲି ଜିଦ ଧରି ପାରୁନାହାନ୍ତି । ବରଂ ଏହି ପଡ଼ା ନିକଟରେ ଆଉ ଏକ ପଡ଼ାର ଖାଲି ଜମି ରହିଛି, ସେଥିରୁ ୫ଏକରରେ ସେମାନଙ୍କୁ ପଟ୍ଟା ଦେଇ ଥଇଥାନ ପାଇଁ ଦାବି କରୁଛନ୍ତି । ଏଠାରେ ପାଣି, ବିଜୁଳି, ସ୍କୁଲ ସହିତ ପାର୍କର ଦାବି କରୁଛନ୍ତି । ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣରେ ଯେଉଁଭଳି କ୍ଷତିପୂରଣ ଦିଆଯାଇଥିଲା, ସେହିଭଳି ଦେବାକୁ ଦାବି କରୁଛନ୍ତି । ଉପଯୁକ୍ତ ଥଇଥାନ ସେମାନଙ୍କ ଅବସ୍ଥାରେ ପରିବର୍ତ୍ତନ ଆଣିବ ବୋଲି ସହରର ଗୋଟିଏ ବଡ଼ଗୋଷ୍ଠୀ ଯୁକ୍ତି କରୁଛନ୍ତି ।
ସମ୍ବଲପୁର ଜିଲ୍ଲାକୁ ପ୍ରତିବର୍ଷ ହାରାହାରି ୮ ଲକ୍ଷ ସ୍ଥାନୀୟ ଏବଂ ୧୫୦୦ରୁ ୨ ହଜାର ବିଦେଶୀ ପର୍ଯ୍ୟଟକ ଆସିଥାଆନ୍ତି । ଏମାନଙ୍କ ମଧ୍ୟରୁ ଅନେକ ସମଲେଶ୍ୱରୀଙ୍କ ପ୍ରତି ଆସ୍ଥା ସହିତ ପୁରୁଣା ସହର, ଏଠାକାର ଗଳି, ସ୍ଥାନୀୟ ଅଧିବାସୀଙ୍କ ଚଳଣି ଦେଖିବାକୁ ବି ଆସନ୍ତି । ଲୋକଙ୍କୁ ବିସ୍ଥାପିତ କରି ଏହି ପର୍ଯ୍ୟଟକଙ୍କୁ ଆକର୍ଷିତ କରିହେବ ନା ବିକଳ୍ପ ରହିଛି?
Photo Credit- https://bit.ly/3KTOgtj
Comments
0 comments