ବେଦରେ ବର୍ଣ୍ଣିତ ହୋଇଛି ଈଶ୍ୱର ହେଉଛନ୍ତି କବି । ତାଙ୍କର ସୃଷ୍ଟି ହେଉଛି କବିତା । କବିତା ହେଉଛି କବି ହୃଦୟର ସ୍ୱତଃପ୍ରବୃତ୍ତ ଅଭିବ୍ୟକ୍ତି । ଆଉ କେହି କହୁଛନ୍ତି ଛନ୍ଦସ୍ପନ୍ଦିତ ଏବଂ ଗୀତ ରସୋଚ୍ଛଳ କାବ୍ୟ ହେଉଛି କବିତା । କବିଶବ୍ଦରେ ‘ତ’ ପ୍ରତ୍ୟୟରୁ କବିତ୍ୱ ଓ ‘ଣ’ ପ୍ରତ୍ୟୟରୁ କବିତା ନିଷ୍ପନ୍ନ! ବିଶ୍ୱସାହିତ୍ୟରେ କବିତାର ସୃଷ୍ଟି କେବେ ହେଲା, ତାହା ନିର୍ଣ୍ଣିତ ହୋଇପାରିନାହିଁ । କେତେକ ମତବ୍ୟକ୍ତ କରନ୍ତି କବିତାର ସୃଷ୍ଟି ହୋଇଛି, ଯେଉଁଦିନ ଠାରୁ ମଣିଷ କଥାକହିବା ଶିଖିଛି । ନିଜର ଶ୍ରମ ଲାଘବ ପାଇଁ ହେଉ କିମ୍ବା ଖୁସିମନରେ ସେ ଯାହା ଗୁଣୁଗୁଣୁ ହୋଇ ଗାଇଛି ତାହାକୁ ଗୀତା କୁହାଯାଏ । କ୍ରମେ ସେ ଉଚ୍ଚସ୍ୱରରେ ଗାଇବାକୁ ଆରମ୍ଭ କରିଛି ଏହିପରି ସୃଷ୍ଟି ହୋଇଛି କବିତାର । ତେଣୁ ବିଶ୍ୱ ସାହିତ୍ୟରେ ପ୍ରଥମେ ଗଦ୍ୟର ସୃଷ୍ଟି ହୋଇଛି ବୋଲି କୁହାଯାଏ ।
ଏହି ପରିପ୍ରେକ୍ଷୀରେ କବି ଡଃ ହୁସେନ ରବି ଗାନ୍ଧୀ ଆଧୁନିକ ଓଡ଼ିଆ ପ୍ରଗତିବାଦୀ କାବ୍ୟ ଧାରାରେ ଏକ ପ୍ରତିଷ୍ଠିତ ନାମ । କ୍ରାନ୍ତିକାରୀ କବିତା ରଚନା କରିବାରେ ସେ ଜଣେ ସଫଳ ସ୍ରଷ୍ଟା । ତାଙ୍କର ଜନ୍ମ ଏକ ସାହିତ୍ୟାନୁରାଗୀ ନିମ୍ନ ମଧ୍ୟବିତ୍ତ ପରିବାର ମଧ୍ୟରେ । ସେ ଏକାଧାରାରେ ଜଣେ ସାହିତ୍ୟ ସଂଗଠକ, ଶ୍ରମିକ ସଂଗଠକ ଓ ରାଜନୈତିକ ବ୍ୟକ୍ତିତ୍ୱର ପରିପ୍ରକାଶ ।
୧୯୩୬ ମସିହା ସମଗ୍ର ଓଡ଼ିଆ ଜାତିପାଇଁ ଆଣିଥିଲା ନୂତନ ଆଶାର ଆଲୋକ । ସେହି ବର୍ଷ ଭାରତ ମାନଚିତ୍ରରେ ଓଡ଼ିଶା ତା’ର ସ୍ଥିତି ନିର୍ଣ୍ଣୟ କରିସାରିଥିଲା । ଏହି ସମୟରେ ସମଗ୍ର ରୁଷରେ ଅକ୍ଟୋବର ବିପ୍ଲବ ସମଗ୍ର ବିଶ୍ୱପାଇଁ ଏକ ଚାଞ୍ଚଲ୍ୟକାରୀ ପରିବର୍ତ୍ତନ ଆଣିଥିଲା । ତକ୍ରାଳୀନ ସମୟରେ ସମଗ୍ର ରୁଷରେ ଖଟିଖିଆ, ଶୋଷିତ ଶ୍ରେଣୀ ନିଜର ଅଧିକାର ଏବଂ ହକ୍ ଜାହିର କରିବାପାଇଁ ଏକତ୍ରିତ ହୋଇ ସ୍ୱେଚ୍ଛାଚାରୀ, ପୁଞ୍ଜିପତି ଓ ଶୋଷକଶ୍ରେଣୀ ବିରୁଦ୍ଧରେ ଯେଉଁ ରକ୍ତାକ୍ତ ବିପ୍ଲବ କରିଥିଲେ, ଏହାର ପଶ୍ଚାତ ଭାଗରେ ସାହିତି୍ୟକମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାହା ଏକ ସାମ୍ୟବାଦୀ ସମାଜ ବା ସମାଜବାଦୀ ରାଷ୍ଟ୍ର ଗଠନ କରିବାପାଇଁ ପଥ ପରିଷ୍କାର କରିଥିଲା ।
ବିଶ୍ୱସ୍ତରରେ ଯେଉଁ ନୂତନ ସ୍ୱର ଅନୁରଣନ ହେଉଥିଲା ଭାରତ କିମ୍ବା ଓଡ଼ିଶା ମଧ୍ୟ ସେଥିରୁ ମୁକ୍ତି ପାଇପାରିନଥିଲା । ବିଶ୍ୱଯୁଦ୍ଧର କରୁଣାମୟ ବିଭୀଷିକା ଭାରତୀୟମାନଙ୍କ ମନରେ ଯେଉଁ ଘୋର ବିପ୍ଲବର ବହ୍ନି ଜାଳି ଦେଇଥିଲା, ସମଗ୍ର ଦେଶରେ ଯେଉଁ ନୈରାଶ୍ୟଭାବ ଦେଖା ଦେଇଥିଲା, ତାହାରି ଫଳରେ ୧୯୩୪ରେ ଜୟପ୍ରକାଶ ନାରାୟଣଙ୍କ ସମ୍ପାଦକତ୍ୱରେ ଜବାହରଲାଲ ନେହେରୁଙ୍କ ନେତୃତ୍ୱରେ ପ୍ରଗତିଶୀଳ ଏକ ଯୁବକଦଳ “କଂଗ୍ରେସ ସୋସାଲିଷ୍ଟ ପାର୍ଟି’ ଗଢ଼ି ଭାରତରେ ସମାଜବାଦ ପ୍ରତିଷ୍ଠାପାଇଁ ଗଣସଂଗ୍ରାମର ଆହ୍ୱାନ ଦେଇଥିଲେ ।
ଏହାପରେ ଭାରତରେ ୧୯୩୫ ମସିହାରେ “ଭାରତୀୟ କମ୍ୟୁନିଷ୍ଟ ସଂଘ” ଗଠିତ ହୋଇ ଭାରତର ଶ୍ରମିକ ଓ ଶୋଷିତ ଗୋଷ୍ଠୀଙ୍କ ପ୍ରତିନିଧିତ୍ୱ କଲା । ସର୍ବହରା ଗୋଷ୍ଠିଙ୍କ ପାଇଁ ଜାଗ୍ରତ ଏବଂ ଏକ ଶୋଷଣମୁକ୍ତ ସମାଜ ଗଠନ ଥିଲା ଏହାର ମୁଖ୍ୟ ଲକ୍ଷ୍ୟ । ସାହିତ୍ୟ କ୍ଷେତ୍ରରେ ମଧ୍ୟ ପ୍ରଗତିଶୀଳ ଲେଖକ ସଂଘ ଗଢ଼ିଉଠିଥିଲା । ସେହି ଲେଖକ ଦଳିତ, ଅବହେଳିତ ଗୋଷ୍ଠିଙ୍କ ପ୍ରତି ସମବେଦନା ପ୍ରକାଶ କରି ସ୍ୱେଚ୍ଛାଚାରୀ ଗୋଷ୍ଠିଙ୍କ ବିରୁଦ୍ଧରେ ଲେଖାମାନ ଲେଖୁଥିଲେ ।
ଊନବିଂଶ ଶତାବ୍ଦୀର ମଧ୍ୟଭାଗ ବେଳକୁ, ସାମାଜିକ, ଅର୍ଥନୈତିକ କ୍ଷେତ୍ରରେ ମାର୍କସଙ୍କ ନେତୃତ୍ୱରେ ସମାଜରେ ଏକ ନୂତନ ଭାବ ପ୍ରକାଶ ପାଇଥିଲା । ଏହାର ପ୍ରଭାବ ସମଗ୍ର ବିଶ୍ୱରେ, ଶ୍ରମିକ ଓ ସର୍ବହରାଙ୍କ ପ୍ରତି ଗଭୀର ସହାନୁଭୂତି ପ୍ରକାଶ କରିଥିଲା । ଫଳରେ ସମଗ୍ର ବିଶ୍ୱକୁ ଏହା ପରିବ୍ୟାପ୍ତ ହେଲା । ଭାରତ ଓ ଓଡ଼ିଶାରେ ମଧ୍ୟ ଏହି ଚେତନାର ସମ୍ପ୍ରସାରଣ ହେଲା । ସେତେବେଳେ ଓଡ଼ିଶାର ଏକ ପ୍ରଗତିଶୀଳ ଯୁବକଗୋଷ୍ଠି ଆବିର୍ଭୂତ ହୋଇ ଓଡ଼ିଶାର ରାଜନୈତିକ କ୍ଷେତ୍ରରେ ଗାଁ, ଗହଳିରେ ଚାଷୀ, ଶ୍ରମିକ, ଅତ୍ୟାଚାରିତ ଓ ଗଡ଼ଜାତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଏକ ଅଦ୍ଭୁତପୂର୍ବ ନବଜାଗରଣ ସୃଷ୍ଟି କରିଥିଲେ । ୧୯୩୫ରେ ଭଗବତୀଚରଣ ପାଣିଗ୍ରାହୀଙ୍କ ନେତୃତ୍ୱରେ “ନବଯୁଗ” ସାହିତ୍ୟ ସଂସଦ ଗଠନ କରାଯାଇଥିଲା । ଏହାର ମୁଖ୍ୟଲକ୍ଷ୍ୟ ଥିଲା ପାରମ୍ପରିକ ସାହିତ୍ୟ ଓ ସମାଜ ବିରୁଦ୍ଧରେ ସଂଗ୍ରାମ କରିବା ।
ସ୍ୱାଧୀନତା ପୂର୍ବବର୍ତ୍ତୀ ସମୟରେ ଏହି ପ୍ରଗତିଶୀଳ ଓ ସାମ୍ୟବାଦୀ ସମାଜ ଗଠନ ଦିଗରେ ଯେଉଁ କେତେଜଣ ବରେଣ୍ୟ ସାହିତି୍ୟକ ସାହିତ୍ୟ ସୃଷ୍ଟି କରିଥିଲେ ତନ୍ନଧ୍ୟରୁ ମୁଖ୍ୟ ଭଗବତୀ ଚରଣ ପାଣିଗ୍ରାହୀ, ସଚ୍ଚିଦାନନ୍ଦ ରାଉତରାୟ, ଅନନ୍ତ ପଟ୍ଟନାୟକ, ଲକ୍ଷ୍ମଧର ନାୟକ, ରଜନୀକାନ୍ତ ଦାସ, ମନମୋହନ ମିଶ୍ର, ରଘୁନାଥ ଦାସ, ସୁନନ୍ଦ କର, କୃଷ୍ଣଚନ୍ଦ୍ର ତ୍ରିପାଠୀ, ଚକ୍ରଧର ରାଉତ, ଜୀବନାନନ୍ଦ ଆଚାର୍ଯ୍ୟ ପ୍ରଭୃତିଙ୍କ ଲେଖନୀ ମୁନରୁ ରକ୍ଷଣଶୀଳ ସମାଜ ତଥା ଏକଛତ୍ରବାଦ ଶାସକଙ୍କ ବିରୁଦ୍ଧରେ ବିପ୍ଲବର ଅଗ୍ନି ଉଦ୍ଗୀରଣ ହୋଇଥିଲା । ସ୍ୱାଧୀନତାର ପରେ ମଧ୍ୟ ଏହାର ଗୁରୁତ୍ୱକୁ ଉପଲବ୍ଧ କରି ଏହିଭଳି ଭାବ, ଚିନ୍ତା, ଚେତନାକୁ ନେଇ କୃଷ୍ଣଚନ୍ଦ୍ର ବେହେରା, ରବୀନ୍ଦ୍ର ନାଥ ସିଂ, ମନୋଜ ଦାସ, ବ୍ରଜନାଥ ରଥ, ଦୁର୍ଗାଚରଣ ସାମନ୍ତ, ଶଶୀଭୂଷଣ ପଟ୍ଟନାୟକ ପ୍ରମୁଖ ପ୍ରଗତିବାଦୀ କାବ୍ୟକାରମାନେ ଏହି କାବ୍ୟଧାରାକୁ ଆଗେଇ ନେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
୧୯୬୯-୭୦ବେଳକୁ ଏହି ପ୍ରଗତିବାଦୀ କାବ୍ୟଚେତନାର ଧାରାରେ ଆଉ ଏକ ଗୋଷ୍ଠୀର ଆବିର୍ଭାବ ଘଟେ । ଯେଉଁମାନେ ୧୯୫୦ ପରେ ମନ୍ଥର ହୋଇଆସିଥିବା ଏକ କାବ୍ୟ ଚେତନାକୁ ଏକ ପ୍ରଖର ଗତିବେଗ ଆଣି ଦିଅନ୍ତି । ଏହି ଗୋଷ୍ଠୀର ମୁଖ୍ୟ ପତ୍ରିକା ରୂପେ ‘ବେଳା’ ଏବଂ ‘ଆଭା’ ପ୍ରକାଶିତ ହୁଏ । କେବଳ ଏତିକି ନୁହେଁ ଏହି ଗୋଷ୍ଠୀର କବିଗଣ “The Long March” ନାମକ ଏକ ଇଂରେଜୀ ପତ୍ରିକା ପ୍ରକାଶ କରି ଓଡ଼ିଆ ସାହିତ୍ୟରେ ଏହି ପ୍ରଗତିବାଦୀ ବା ସାମ୍ୟବାଦର ବାର୍ତ୍ତା ବହନ କରୁଥିବା କବିତାକୁ ବିଭିନ୍ନ ପ୍ରାନ୍ତୀୟ ଓ ଆନ୍ତର୍ଜାତୀୟ ସାହିତ୍ୟ ଦରବାରରେ ଉପସ୍ଥାପନ କରିନ୍ତି । ଏହି ଗୋଷ୍ଠୀର ମୁଖ୍ୟ ଦିଗଦର୍ଶକ ଥିଲେ ପ୍ରସନ୍ନ ପାଟ୍ଟଶାଣୀ, ତାଙ୍କ ବ୍ୟତୀତ ସଦାଶିବ ଦାସ, ସମରେନ୍ଦ୍ର ନାୟକ, ହୁସେନ ରବି ଗାନ୍ଧୀ ଓ ଅନ୍ୟାନ୍ୟ ବହୁ ଯୁବକବି ଏହି ଗୋଷ୍ଠୀର ଅନ୍ତର୍ଭୁକ୍ତ ଥିଲେ ।
କବି ଡଃ ହୁସେନ ରବି ଗାନ୍ଧୀ ଏହି ନୂତନ ପ୍ରଗତିବାଦୀ କାବ୍ୟଧାରର ଏକ ବଳିଷ୍ଠ ସ୍ୱର । ତାଙ୍କର ଜନ୍ମ ହୋଇଥିଲା ୧୯୪୮ ମସିହା ଏପ୍ରିଲ ମାସ ୨୩ ତାରିଖରେ, ଯାଜପୁର ଜିଲ୍ଲାର କୋରେଇ ଅଞ୍ଚଳ, ହଳଦିଗଡ଼ିଆ ଗ୍ରାମରେ, ପିତା: ସ୍ୱର୍ଗତ ମୋଯମ୍ମିଲ ହୁସେନ, ମାତା: ସ୍ୱର୍ଗତ ସଲମା ଆତୁନ୍, ବର୍ତ୍ତମାନ ନିବାସୀ- ପ୍ୟାରିମୋହନ ଏକାଡ଼େମୀ, ଦରଘା ବଜାର, କଟକ-୧ । କବିଙ୍କର ପିତା, ମାତା, ଅଜା ଆଇ ଥିଲେ ସାହିତ୍ୟାନୁରାଗୀ । ତାଙ୍କରି ପ୍ରଭାବରେ ପ୍ରଭାବିତ ହୋଇ କବିଙ୍କ ଲେଖନୀ ମୁନରୁ ନିଃସୃତ ହୁଏ କବିତାର ଝଙ୍କାର ।
ତାଙ୍କର ପ୍ରକାଶିତ ପୁସ୍ତକଗୁଡ଼ିକ ହେଲା : ମୁକ୍ତ ପୂର୍ବାଶା (୧୯୮୩), ହୁସେନ ରବି ଗାନ୍ଧୀଙ୍କର ଲୋକଗୀତ କବିତା ସଙ୍କଳନ (୧୯୮୫), ନିଅଣ୍ଟରାତ୍ରିର ସ୍ୱପ୍ନ (୧୯୯୮), ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ (୧୯୯୮), ବିଂଶରୁ ଏକବିଂଶ (୨୦୦୬), ଶବ୍ଦବ୍ରହ୍ମ (୨୦୦୭), ଲୋକଗୀତ ଓ ଅନ୍ୟାନ୍ୟ କବିତା (୨୦୧୧), ନିଜକୁ ଖୋଜୁଥିବା ବେଳେ (୨୦୧୩), କର୍ଣ୍ଣ (୨୦୧୩), ଶ୍ରେଷ୍ଠକବିତା (୨୦୦୬), ଶ୍ରେଷ୍ଠ କବିତା ଉତ୍ତର ପୂର୍ବ (୨୦୧୪), ପ୍ରଗତିଶୀଳ କବିତା ସଙ୍କଳନ (୨୦୧୦) । କବି ସର୍ବମୋଟ ୧୭ଟି କବିତା ସଂକଳନ ଲେଖିଥିବାବେଳେ ୨ଟି ଗଳ୍ପ ସଂକଳନ କରିଛନ୍ତି ଆଜିର ଗଳ୍ପ (୧୯୮୫) , ଗଳ୍ପସମାହାର । ଏତତ୍ ବ୍ୟତୀତ କବିଙ୍କର ହିନ୍ଦୀରୁ ଅନୁଦିତ ଉପନ୍ୟାସ ‘ରାଣୀ ଲକ୍ଷ୍ମୀବାଇ’, (୨୦୧୪)ରେ ନ୍ୟାସନାଲ ବୁକଟ୍ରଷ୍ଟ ଅଫ ଇଣ୍ଡିଆ, ନୂଆଦିଲ୍ଲୀ ଦ୍ୱାରା ପ୍ରକାଶିତ ହୋଇଛି ।
ଓଡ଼ିଶାର ପ୍ରାୟ ସମସ୍ତ ଜଣାଶୁଣା ଓ ଲବ୍ଧ ପ୍ରତିଷ୍ଠିତ ପତ୍ରପତ୍ରିକାରେ ତାଙ୍କର ଲେଖାମାନ ପ୍ରକାଶ ପାଇଆସୁଛି । କିଛି ସମୟ ପାଇଁ ‘ସ୍ଫୁଲିଙ୍ଗ’ ପତ୍ରିକାର ସଂପାଦକ ଭାବେ କାର୍ଯ୍ୟ ନିର୍ବାହ କରି ସେଠାରେ ଏକ କ୍ରାନ୍ତିକାରୀ ସାହିତ୍ୟ ଗୋଷ୍ଠୀ ଗଠନକରି ପ୍ରଗତିଶୀଳ ସାହିତ୍ୟ କ୍ଷେତ୍ରରେ ଚହଳ ସୃଷ୍ଟି କରିଥିଲେ । କବି ନିଜ ଜୀବନର ଅନନ୍ୟ ପ୍ରତିଭା ପାଇଁ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି ।
ସ୍ୱାଧୀନତା ପରବର୍ତ୍ତୀକାଳରେ ଓଡ଼ିଆ କବିତାରେ ପ୍ରଗତିବାଦୀ କାବ୍ୟ ଆନ୍ଦୋଳନର ଅନ୍ୟତମ ସଶକ୍ତ ସ୍ରଷ୍ଟା । ସେ ଜନ୍ମରୁ ହିଁ ସଂଗ୍ରାମକୁ ସାଥିକରି ଏକ ଆବଡ଼ା-ଖାବଡ଼ା ରାସ୍ତାରେ ବାରମ୍ବାର ପଡ଼ି ରକ୍ତାକ୍ତ କରିଥିଲେ ନିଜପାଦକୁ । ସେଥିଲେ ପାଦଚଲା ପଥିକ, କ୍ରାନ୍ତିକାରୀ ନୂତନ ପ୍ରଗତିବାଦୀ ଚିନ୍ତା ଚେତନାର ଧାବମାନ ରଥର ସାରଥି । ଯେଉଁ କେତେଜଣ ବାମପନ୍ଥୀ, ପ୍ରଗତିବାଦୀ, ସାମ୍ୟବାଦୀ ସ୍ୱରର ବାର୍ତ୍ତାବହକ ଥିଲେ ତନ୍ମଧ୍ୟରୁ କବି ହୁସେନ ରବି ଗାନ୍ଧୀଙ୍କର ଭୂମିକାଥିଲା ଅନନ୍ୟ ଓ ଅବିସ୍ମରଣୀୟ । ସାମ୍ୟବାଦରେ ବିଶ୍ୱାସୀ ଏବଂ ବିବିଧ ସ୍ୱାଦକୁ ନେଇ ତାଙ୍କ କବିତାର ସୃଷ୍ଟି । “କଳା ପାଇଁ କଳା” ସୃଷ୍ଟିର ସେ କବିତା ଲେଖନ୍ତି ନାହିଁ ।
କବିତାରେ ଯୁଗଯନ୍ତ୍ରଣାରେ କଥା ସେ କହନ୍ତି । ଅନୀତି, ଦୁର୍ନୀତି ବିରୁଦ୍ଧରେ ସ୍ୱର ଉଠାନ୍ତି । ମନସ୍ତାତ୍ତିକ ବିଶ୍ଲେଷଣ ତାଙ୍କ କବିତାରେ ସହଜରେ ବାରି ହୋଇପଡ଼େ । ଲୋକଭାଷା ଓ କଥିତ ଭାଷାର ପ୍ରୟୋଗରେ ମଧ୍ୟ ସେ ସଫଳ । ତଥାକଥିତ ଦୁର୍ବୋଧ୍ୟତାଠାରୁ ନିରାପଦ ଦୂରତ୍ୱ ରକ୍ଷାକରି ନିଜ ବକ୍ତବ୍ୟକୁ ଶବ୍ଦାୟିତ କରନ୍ତି ସହଜ ସାବଲୀଳ ଢଙ୍ଗରେ । ତାଙ୍କ କବିତାର ମୁଖ୍ୟ ଲକ୍ଷ୍ୟ ଶୋଷଣବିହୀନ ସମାଜ ଗଠନ, ଏକ ସାମ୍ୟବାଦୀ ସନ୍ତୁଳିତ ଦେଶ ନିର୍ମାଣ । କବିଙ୍କର କବିତା ହେଉଛି ସମାଜ ପାଇଁ ଅହରହ ସଂଗ୍ରାମ କରୁଥିବା କାବ୍ୟ ପୁରୁଷର ଆତ୍ମଲିପି । -୧
ହୁସେନ ରବିଙ୍କ କବିତାରେ ଆତ୍ମପ୍ରକାଶ କରିଛି ସେଇ ମଣିଷମାନଙ୍କର ବେକାରୀ, ରାକ୍ଷସର କ୍ଷୁଧା, ଅଭାବ, ଅନଟନ, ଦାନବ, ଅଶିକ୍ଷା, ଅସୁର ସଂପ୍ରଦାୟକ କଂସ, ଭ୍ରଷ୍ଟାଚାରର ରାବଣ, ଜରାବ୍ୟାଧି, ଦରିଦ୍ରରୂପୀ ମଣିଷଙ୍କ ବିରୁଦ୍ଧରେ ବାରମ୍ବାର ଲଢ଼ିବାପାଇଁ ଜନ୍ମନେବାରେ କବିଙ୍କ କବିତା ଶପଥ ନେଇଛି । କାରଣ ସେ ଚାହିଛନ୍ତି ତାଙ୍କର ଏ ସମାଜ ଏକ ଶାନ୍ତିର ବାର୍ତ୍ତା ଆଣୁ । ଯେଉଁ ଅସହାୟ, ନିରନ୍ନ, ଖଟିଖିଆ, ଶୋଷଣ, ସର୍ବହରା, ମଳିମୁଣ୍ଡିଆ ଓ ବୁର୍ଜୁଆ ଗୋଷ୍ଠୀଟି ନିଜର ଅଧିକାରରୁ ବଞ୍ଚôତ ହେଉଛି, ତାର ଅଧିକାରକୁ ସାବ୍ୟସ୍ତ କରୁ । ଯଦି ଦରକାର ପଡ଼େ ସେ ଠେଙ୍ଗାବାଡ଼ି ଧରି ବିପ୍ଲବ କରୁ, ସଂଗ୍ରାମ କରୁ, ତେବେ ଯାଇ ତାଙ୍କର ଉତ୍ତର ପିଢ଼ିଟି ନିଜର ନ୍ୟାଯ୍ୟ ଅଧିକାରକୁ ଫେରିପାଇବ ।
ତାଙ୍କର ‘ନିଜକୁ ଖୋଜୁଥିବାବେଳେ’ କବିତା ସଂକଳନ ମଧ୍ୟରେ ଥିବା କ୍ଷୁଦ୍ର କ୍ଷୁଦ୍ର କବିତାଗୁଡ଼ିକ ମଧ୍ୟରେ କବି ସମାଜରେ ଏକ ବିରାଟ ପରିବର୍ତ୍ତନ ଆଣିବା ପାଇଁ ପ୍ରୟାସ କରିଛନ୍ତି । ଏହି କବିତାଗୁଡ଼ିକରେ ଥିବା କବିତା ଗୁଡ଼ିକ ସମ୍ପର୍କରେ କବି କହିଛନ୍ତି ପାଠକର ଅନ୍ତର ଆତ୍ମା ଭିତରେ ଥିବା ଯେଉଁ “ମୁଁ” ଶବ୍ଦଟି ଅଛି ମୁଁ ନିଷ୍ଠାର ସହିତ ଖୋଜି ଚାଲିଛି । ଜଗତରୁ ବିଦାୟ ନେବା ପର୍ଯ୍ୟନ୍ତ ମୁଁ ଖୋଜୁଥିବି । ସେହି ମାନଙ୍କର ମୁକ୍ତି, ଶାନ୍ତିର କାମ୍ୟ ପାଇଁ ମୋର କବିତା-ସତ ଚେଷ୍ଟିତ । ତେଣୁ ବିପ୍ଲବ ମାଧ୍ୟମରେ ସମାଜରେ ସଚେତନ ଆଣିବା ପାଇଁ କବି ସେମାନଙ୍କ ମୁଖରେ ବିପ୍ଲବର ବିଜୟଧ୍ୱନିର ଆବାହନ ଦେଇଛନ୍ତି । ଏହି ପୁସ୍ତକରେ ଥିବା କବିତା ‘କଲମ’ ଯୁଦ୍ଧତର ସେନାପତି ‘ହେ ମୋର ଦେଶ କ୍ରାନ୍ତିର କଥା କହ’, “ଜୀବନର ଗୀତ”, ମଣିଷଟିକୁ ଅବାଧ୍ୟ ହେବାପାଇଁ ବାଧ୍ୟ କରାଯାଉଥିବା ବେଳେ, ‘ମାଟିର ବନ୍ଦନା ଲୁହର ଗୀତରେ’, ‘ଆସନ୍ତାକାଲିର ପଦଧ୍ୱନି’, ‘କ୍ରାନ୍ତି ୧ମ ପର୍ବ’, ‘କ୍ରାନ୍ତି ୨ୟ ପର୍ବ’,
ଏହି ପୁସ୍ତକରେଥିବା କବିତା ‘କଲମ’ରେ କବି କହିଛନ୍ତି :-
‘ଅନ୍ଧକାର ବିରୁଦ୍ଧରେ, ମୋ ଯୁଦ୍ଧଘୋଷଣା
ହୁଅନାହିଁ ହୁଅନାହିଁ କେବେ ବାଟବଣା’ ।
ସମ୍ମିଳିତ ହୁଅ ଏଇ ଜୀବନର ରଣେ
ମୃତୁ୍ୟର ମିଳିବ ମୁକ୍ତି ଅମୃତ ସନ୍ତାନେ
ଜୀବନର ଜୟ ଚତୁଃଦିଗେ ଶୁଣ
ବିଜୟର ଶଙ୍ଖଧ୍ୱନି ଶୁଣାଉଛି ।
ଧରଣୀର ନିଷ୍ପେଷିତ ଜନ” ।
ଏହି କବିତାରେ କବି, ସେହି ଶୋଷିତ, ଦଳିତ, ମଣିଷର ବିଜୟର ଶଙ୍ଖଧ୍ୱନିର ବାର୍ତ୍ତା ପୃଥିବୀରେ ଥିବା ସେହି ମଣିଷମାନଙ୍କୁ ଚେତାଇ ଦେଇଛି । ତାର ଯୁଦ୍ଧ ସେହି ଅନ୍ଧକାରରୂପୀ ଶୋଷକ କବଳରୁ ନିଜକୁ ମୁକ୍ତିଦେବା ପାଇଁ । ଶୋଷଣ ବିରୁଦ୍ଧରେ ଚାଲିଥିବା ଯୁଦ୍ଧରେ ଯଦି ସର୍ବହରା ଗୋଷ୍ଠିଟି ଏକତ୍ରିତ ନହୁଅନ୍ତି, ପଥ ଭୁଲି ଯାଆନ୍ତି ତଥାପି ଏ ଅନ୍ଧକାର ଯେ ଆହୁରି ଗାଢ଼ା ଅନ୍ଧକାର ହେବ, ଏଥିରେ ଦ୍ୱିମତ ନାହିଁ । ଏକତ୍ରିତ ହୋଇ ଏ ସଂଗ୍ରାମକୁ ଯଦି ଶାଣିତ କରାନଯାଏ ତେବେ ତାଙ୍କ କବଳରୁ ୟାଙ୍କର ମୁକ୍ତି ନାହିଁ ।
କବିଙ୍କର ଅନ୍ୟ ଏକ କବିତା ସଂକଳନ ହେଉଛି ‘କର୍ଣ୍ଣ’ ସମାଜକୁ ଏକ ବିପ୍ଲବ ମାଧ୍ୟମରେ ସଚେତନତାର ବାର୍ତ୍ତା ପ୍ରେରଣ କରିଛନ୍ତି । ‘କର୍ଣ୍ଣ’ଯେପରି ଏକ ସମ୍ଭ୍ରାନ୍ତ ପରିବାରରେ ଜନ୍ମଗ୍ରହଣ କରିଥିଲେ, ତାଙ୍କ ପାଖରେ ସମସ୍ତ ଯୋଗ୍ୟତା ଏବଂ ସାମର୍ଥ୍ୟ ଥିବା ସତ୍ତ୍ୱେ ତାଙ୍କୁ ଏ ସମାଜ ତାର ପ୍ରାପ୍ୟ ଦେଇନାହିଁ । ଠିକ ସେହିପରି ଏହି ସମାଜରେ ନିରନ୍ନ, ଖଟିଖିଆ, ମୂଲିଆ, ଶୋଷିତ, ଅବହେଳିତ ମଣିଷଟିଏ ସମାଜରେ ତା’ର ସମସ୍ତ ଯୋଗ୍ୟତା ଏବଂ ସାମର୍ଥ୍ୟ ଥିବାସତ୍ତ୍ୱେ ଆଜି ସବୁଥିରୁ ସେ ହୋଇଛି ବଞ୍ଚିତ । ଯୁଗ ଯୁଗ ଧରି, ବର୍ଷ ବର୍ଷ ଧରି ସେ ହୋଇଛି ଅବହେଳିତ, ଲାଞ୍ଚିତ ଓ ଅପମାନିତ । ତେଣୁ ସେଇ ସକଳ ଅଖୋଜା, ଅଲୋଡ଼ା, ଅପାଂକ୍ତେୟ ମଣିଷଟି ଆଜିର ସମାଜରେ ‘କର୍ଣ୍ଣ’ । ଏହି ସଂକଳନରେ ସାମ୍ୟବାଦର ଚିନ୍ତା ଚେତନାକୁ ବହନ କରୁଥିବା କବିତାଗୁଡ଼ିକ ହେଲା: ମାଟିର ଜୟଗାନ କରୁଥିବା କର୍ଣ୍ଣ ଗୀତି ବୋଲୁଛି ଶବ୍ଦର ଗୁଳିରେ କ୍ରାନ୍ତିର ରାଗ ମହାରରେ, କର୍ଣ୍ଣ ଘୋଷଣା କରୁଛି ମରିଯାଏ ସରିଯାଏ ନା କଥା, ସାରସ୍ୱତତ୍ତ କାଠଗଡ଼ାରୁ ଶବ୍ଦକୁ ଉଦ୍ଧାର କରିବାକୁ ଚେଷ୍ଟିତ କର୍ଣ୍ଣ “ଆଷାଢ଼ର ବାରିପାତରେ ମୁକ୍ତିର ଆଶ୍ୱାଦନ ପାଇଁ ମତୁଆଲ କର୍ଣ୍ଣ,
“କର୍ଣ୍ଣ”
ତୋତେ କିଏ କହିଥିଲା ମାଟିର ଜୟଗାନ
କରିବା ପାଇଁ?
ମାଟିର ଜୟ ଗାନ କରିବାକୁ ଯୁଗେ ଯୁଗେ
କମାଣରେ ସମ୍ମୁଖୀନ ହେବାକୁ ହୁଏ ।
ଏହି କବିତାରେ ‘କର୍ଣ୍ଣ’ରୂପୀ ଶୋଷିତ ମଣିଷଟି ଯେ ନିଜର ଭିଟାମାଟିର ଜୟଗାନ କରୁଛି । ସବୁକିଛି ଅନ୍ୟାୟ, ଅତ୍ୟା·ର ବିରୁଦ୍ଧରେ ପ୍ରତିବାଦ କରୁଛି । ତାର ଅଧିକାର ପାଇଁ ବିପ୍ଲବର ସ୍ୱର ଉତ୍ତୋଳନ କରୁଛି । ବନ୍ଧୁକ ଗୁଳି ଖାଇଛି, ପ୍ରଶାସନର ଲାଠିପ୍ରହାର ଖାଇଛି ତଥାପି ସେ ତାର କର୍ମରୁ ନିବୃତ୍ତ ହୋଇନାହିଁ । ‘କର୍ଣ୍ଣ’ରୂପୀ ଏହି ମଣିଷଟି ତାର ନ୍ୟାଯ୍ୟ ଅଧିକାର ପାଇଁ କ୍ରାନ୍ତିର ଆଭା ଶୁଣାଇଛି । ତାର କ୍ରାନ୍ତିର ସ୍ୱର ସରିବ ନାହିଁ, ସେ ଜାଣିଛି ଯେପର୍ଯ୍ୟନ୍ତ ସମାଜରୁ ସ୍ୱାର୍ଥପର, ପ୍ରବଞ୍ଚକ, ଅନ୍ୟାୟ, ଅତ୍ୟାଚାରୀର ମୂଳୋତ୍ପାଟନ ନହୋଇଛି, ଯୁଗ ଯୁଗ ପାଇଁ ସେ ହେବ ଶୋଷିତ । ତାର ଉତ୍ତର ବଂଶଧର ମଧ୍ୟ ହେବେ ଶୋଷିତ । ତେଣୁ ତାକୁ ଜାଗ୍ରତ ହେବାକୁ ପଡ଼ିବ, ତାର ବିପ୍ଲବର ବାର୍ତ୍ତାକୁ ଅଧିକ ଶାଣିତ କରିବାକୁ ପଡ଼ିବ । ‘କର୍ଣ୍ଣ’ମାଧ୍ୟମରେ ସମାଜକୁ ସଚେତନତାର “ବାର୍ତ୍ତା” କବି ଦେଇଛନ୍ତି । ତେବେ ଯାଇ ଏ ସମାଜରେ ଏକ ସାମ୍ୟବାଦର ସମାଜର ପରିକଳ୍ପନା କରାଯାଇପାରିବ ।
କବିଙ୍କର ଅନ୍ୟ ଏକ କବିତା ସଂକଳନ ‘ମୁକ୍ତପୂର୍ବାଶା’ ଯେଉଁଥିରେ ସମାଜରେ ସାମାଜିକ ଚିନ୍ତନ, ସାମ୍ୟବାଦର ପ୍ରତିଷ୍ଠା ତାଙ୍କ କାବ୍ୟ ମାନସକୁ ଯେଉଁଭଳି ଆନେ୍ଦାଳିତ କରିଛି ତାର ସ୍ପଷ୍ଟ ପରିଚୟ ଏଠାରେ ପ୍ରକାଶ ପାଇଛି । ଏହି କାବ୍ୟଗ୍ରନ୍ଥଟି ବିଦ୍ରୋହୀ ତାରୁଣ୍ୟର ଅନ୍ତରର ଗଭୀରତମ ପ୍ରାନ୍ତରର ପ୍ରତିଧ୍ୱନି ହୋଇ ଉଠିଛି । ସମାଜରେ ନିରାଶର ବାଦଲ ଛାଇଯାଇଥିବା ବେଳେ ସେ ଆଶାର ଝଲକ ସୃଷ୍ଟି କରିପାରିଛନ୍ତି । ଏହା ଗଭୀର ଆଶାର କଥା । ତାଙ୍କର କବିତା ‘ପରିଚୟ’ରେ ଏହା ସ୍ପଷ୍ଟଭାବରେ ବାରି ହୋଇପଡ଼େ ।
“ଶୋଷଣର ବେଢ଼ି ଖୋଲିଯାଏ ଏଠି
କଷଣ ହୁଏ କ୍ଷୟ ।
ଶୋଷିତ, ପୀଡ଼ିତ ଅତ୍ୟାଚାରିତ
ମାନବର ହୁଏ ଜୟ ।”
ଏଇ ମୋର ପରିଚୟ,
ମୃତ୍ୟୁ ମୋଠାରୁ କରେ ପଳାୟନ
ଜୀବନର ହୁଏ ଜୟ ।”
କବି ବାସ୍ତବରେ ସାମାଜିକ ପରିସ୍ଥିତିର ପରିବର୍ତ୍ତନ ପାଇଁ ବିପ୍ଲବର ବାର୍ତ୍ତାବହ ସାଜିଛନ୍ତି । ତାଙ୍କ କବିତାର ରହିଥିବା ମାର୍କ୍ସବାଦୀ କାବ୍ୟ ଚେତନା ଏବଂ ସାମାଜିକ କ୍ରାନ୍ତିର ସ୍ୱର ପରିବର୍ତ୍ତନର ଗିରିଜନ ଭେଦି ଆହ୍ୱାନ ଦେଇଛି । ସମାଜରେ କେଉଁ ଯୁଗରୁ ରହି ଆସୁଥିବା ଥିଲାବାଲା ନ ଥିଲାବାଲାର ଭେଦଭାବ, ଦଳିତ, ନିଷ୍ପେଷିତ ମଣିଷର ଯନ୍ତ୍ରଣା ବିରୁଦ୍ଧରେ ଚାଲିଥିବା କ୍ରାନ୍ତିର ବେଡ଼ି ଏଠି ଖୋଲିଯାଉଛି, ଏବଂ ଜୟ ହୋଇଛି ତାର ମୁକ୍ତି, ଚାହୁଁଛି ତାର ପରିଚୟ । ଆହୁରି ମଧ୍ୟ କବିଙ୍କର ‘ଆଗାମୀର ସ୍ୱାଗତିକା’ କବିତାରେ ଆଗାମୀ ପାଇଁ କବି ସ୍ୱପ୍ନ ଦେଖିଛନ୍ତି ।
କବିଙ୍କର ଅନ୍ୟ ଏକ କବିତା ସଂକଳନ ‘ଶବ୍ଦବ୍ରହ୍ମ’ରେ ମଧ୍ୟ ନିଜ ସଂସ୍କୃତିରୁ, ଜନ୍ମ ମାଟିରୁ, ମାତୃଭାଷାରୁ ନିଜ ଜୀବନଧାରାରୁ ଅବକ୍ଷୟ ନ ହେଉ । ତାର ପୁନଃଉଦ୍ଧାର ପାଇଁ କବିତା ଦେଇଛି ପ୍ରେରଣା, ସଚେତନତାର ବାର୍ତ୍ତା ଶୁଣାଇଛି ପ୍ରତ୍ୟେକ ମୁହୂର୍ତ୍ତରେ । ଏହି କବିତା ଗୁଡ଼ିକର ସାରନିର୍ଯ୍ୟାସରେ ଜୀବନବାଦୀ ଧାରାଟି ଶାଣିତ ହୋଇଛି । ସେହି ଜୀବନବାହୀ ଧାରାଟି ହେଉଛି ଯାହା ଜୀବନବିରୋଧୀ, ଧନବାଦୀ, ଶୋଷଣବାଦୀ, ଶ୍ରେଣୀବାଦୀ, ରାଷ୍ଟ୍ରବାଦୀ, ପରମ୍ପରା, ପ୍ରଶାସନ ସହ ମୁହାଁମୁହିଁ ସଂଗ୍ରାମରତ । ସେଇ ସଂଗ୍ରାମ ହିଁ ଜୀବନର ଜୟଗାନ କରୁଛି ଏଇ ‘ଶବ୍ଦବ୍ରହ୍ମ’ କବିତା ମଧ୍ୟରେ ଥିବା କ୍ଷୁଦ୍ରକ୍ଷୁଦ୍ର କବିତାଗୁଡ଼ିକର ପୃଷ୍ଠଭୂମି । –୨
କବିତା ସଂକଳନ “ହୁସେନ ରବି ଗାନ୍ଧୀଙ୍କ ଲୋକଗୀତ” ଏଥିରେ ଥିବା କବିତାଗୁଡ଼ିକର ଭାବବସ୍ତୁ ହେଉଛି ଆଜି ଜମି ହେଉଛି କୃଷକ, ମୂଲିଆର; କାରଖାନା ହେଉଛି ଶ୍ରମିକର । ଏହି ସର୍ବହରା, କୃଷକ, ମୂଲିଆ, ଶୋଷିତ ମଣିଷମାନଙ୍କୁ ସଚେତନତାର ବାର୍ତ୍ତା ଦେଇ ତାଙ୍କ ମୁଖରେ ମୁକ୍ତିର ସ୍ୱର ଅନୁରଣିତ କରିଛନ୍ତି । ମାର୍କସବାଦୀୟ ଚିନ୍ତା ଚେତନାର ସ୍ୱର ଏଠାରେ ପ୍ରକାଶ ପାଇଛି । ସେଥିରେ ଅଛି ସତେ ଯେମିତି ଗୋଟିଏ ଦୁର୍ବିନୀତ ଜୀବନର ଝଙ୍କାର । କୌଣସି ପ୍ରକାର କୃତ୍ରିମତା ବା ବୌଦ୍ଧିକତାର ଆବରଣ ତାଙ୍କ କବିତାକୁ ସ୍ପର୍ଶ କରି ନାହିଁ । ସେ ଅନୁଭବ କରିଛନ୍ତି ଅତୀତର ଯୁଗ ଆଉ ନାହିଁ, ଅତୀତର ରାଜା ମହାରାଜା ଆଉ ନାହାନ୍ତି । ସାଧବ ପୁଅର ଆଉ ଏକଚାଟିଆ ବ୍ୟବସାୟ ମଧ୍ୟ ନାହିଁ । ଆଜିର ଯୁଗ କୃଷକ, ଶ୍ରମିକର ଯୁଗ :-
“ରାଜାର ସୁଆରୀ ଫେରିତ ଗଲାଣି
ସାଆଁନ୍ତେ ଗଲେଣି ଫେରି
ଚଷା ପୁଅର ମୁଣ୍ଡେ ଶାଢ଼ୀ ଶୋଭେ
ମାଲିକ ହଳିଆ ଭାଇ ।”
ଏହି ପରିବର୍ତ୍ତନକୁ କବି ଲକ୍ଷ୍ୟ କରିଛନ୍ତି, ଶ୍ରମିକ, କୃଷକ ଆଜି ପ୍ରକୃତ ମାଲିକ । ଅତୀତର ସେହି ଦଳିତ, ନିଷ୍ପେଷିତ ମଣିଷ ଆଜି ସଚେତନ, ରାମିଆ ଆଜି ରାମବାବୁ, ଦାମା, ସାମା ଆଜି ବାବୁ । ଯେଉଁ ସମାଜବାଦୀ ସ୍ରୋତ ମାଡ଼ି ଚାଲିଛି ତାକୁ କେହି ରୋକି ପାରିବେନି, ଉଜାଣି ପାଣିକୁ ରୋକିପାରିବୁନି । ରୋକିପାରିବୁନି ଆଗର ବାଆକୁ, ଏହା କବିତାରେ ଅତି ସୁନ୍ଦରଭାବରେ କବି ଉଲ୍ଲେଖ କରିଛନ୍ତି:-
“ଏଇକଥା ଭୁଲି ତୁ ଯାଆନା ସାଥି
ଭୁଲି ତୁ ଯାଆନା
ଫାଶୀବାଦୀ, ସ୍ୱେଚ୍ଛାଚାର ବିରୁଦ୍ଧରେ ଲଢ଼ାଇରୁ ଯିଆନ୍ତା ହୁଅନା!”
ଯେଉଁମାନେ ଚେତନାର ଅଗ୍ରଦୂତ, କବି ସେମାନଙ୍କୁ ସ୍ୱାଗତ କରୁଛନ୍ତି । ଫାଶୀବାଦ ବିରୁଦ୍ଧରେ ସଂଗ୍ରାମ କରି ଏକ ଶୋଷଣମୁକ୍ତ ସମାଜ ଗଠନ କରିବା ପାଇଁ କବି ଉଦ୍ବୋଧନ ଦେଇଛନ୍ତି ।
କବି ପୁଣି ଜଗନ୍ନାଥଙ୍କୁ ସବୁ ମାଗିଛନ୍ତି, ବନମାଳୀ ଜଗନ୍ନାଥଙ୍କୁ କେବଳ ଟିକେ ଶ୍ରଦ୍ଧା ମାଗିଥିଲେ ।
“ଜଗନ୍ନାଥ ହୋ ସବୁମାଗୁ ଅଛି ତୋତେ
ଧନ ମାଗୁଅଛି, ଜନ ମାଗୁଅଛି
ମାଗୁଛି ଫଳନ୍ତି ଜମିରୁ ହାତେ ।”
ମୂଲିଆ ତା’ଜମିରେ ଅକ୍ଲାନ୍ତ ପରିଶ୍ରମ କରୁଥିଲା, ସେଥିରେ ତା’ ପେଟ ପୁରୁନଥିଲା । ସାହୁକାର ଖଳାରୁ ସବୁ ନେଇ ଯାଉଥିଲା । ତେଣୁ ସେ ଜଗନ୍ନାଥଙ୍କୁ ନିବେଦନ କରିଛି ସେ ଖଟୁଛି ସେ ଜମି ତାର ହେଉ । ଧର୍ମ ନାମରେ ତାକୁ ଲୁଣ୍ଠନ କରାଯାଉଥିଲା, ସେ ଧର୍ମ ଚାହେଁ ନାହିଁ, ଚାହେଁ ବଞ୍ଚିବା ପାଇଁ । ସେ ଆଜି ଜମିର ମାଲିକ, କାରଖାନାର ପ୍ରଭୁ ହେବାକୁ ଚାହେଁ । ଯେଉଁ ଜମିରେ ମୋ ଲୁହ ମିଶିଛି ସେ ଜମି ମୋର ହେଉ ।
ଅନ୍ୟ ଏକ କବିତା ସଂକଳନ “ସିଂହାସନ ଭାଙ୍ଗିବାର ବେଳ” ଯେଉଁଠି ଯୁଦ୍ଧରେ କବି ପରାଜୟକୁ ସ୍ୱୀକାର କରିନାହାନ୍ତି । ସଂଗ୍ରାମ ତାଙ୍କ ଶରୀର ପ୍ରାଣ ଏବଂ ମୁକ୍ତି ହିଁ ତାଙ୍କର ଇଚ୍ଛା । ପରବର୍ତ୍ତୀ ସମୟରେ ସେହି ସମାଜର ପରିବର୍ତ୍ତନ ପାଇଁ ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ତାଙ୍କ ଅନୁଭୂତିର ଫଳ ବୋଲି ନିଃସନ୍ଦେହରେ କୁହାଯାଇପାରେ ।
ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ
ଆରମ୍ଭ ହେଲାଣି । ଝାଉଁଳି ଯାଇଥିବା
ଚେହେରା ମାନଙ୍କରେ,
ପୁନରାୟ କାଡ଼ି ଫେରାଇଆଣିବା ପାଇଁ
ଏହି କବିତା ଗ୍ରନ୍ଥରେ ଥିବା କ୍ଷୁଦ୍ର କବିତା ‘ସିଂହାସନ ଭାଙ୍ଗିବାର କାର୍ଯ୍ୟକ୍ରମ’ ତକ୍ରାଳୀନ ସମାଜରେ ଥିଲାବାଲା, ଶୋଷକ ବା ମାଲିକର ସିଂହାସନକୁ ଭାଙ୍ଗିବାର ପାଇଁ ଚତୁଃଦିଗରେ ଆହ୍ୱାନର ବାତାବରଣ । ଏହାରି ମଧ୍ୟରେ ରହିଛି ଏକ ନୂଆ ସମାଜ ତିଆରି କରିବାର ଆଶା ଓ ଆକାଂକ୍ଷା ।
ଏଥିରେ ଥିବା ଅନେକଗୁଡ଼ିଏ କବିତା ସମାଜରେ ଗୋଟିଏ ବିରାଟ ପରିବର୍ତ୍ତନର ବାର୍ତ୍ତା ସୃଷ୍ଟି କରିପାରିଛି । ସେହି କବିତାଗୁଡ଼ିକ ହେଲା – ‘କଳାପାହାଡ଼’, ‘ଚୁପ୍ ରହିବାର ବେଳ ଏ ନୁହେଁ’, ‘ଦୁଃଶାସନର ଊରୁ ଭାଙ୍ଗିବା’, ‘ଜରାସନ୍ଧର ଜଂଘ ଫାଡ଼ିବା’, ‘ଦୁର୍ଯେ୍ୟାଧନର ଜଙ୍ଘ ଭାଙ୍ଗିବା’, ଏହି କବିତାଗୁଡ଼ିକର ପୃଷ୍ଠଭୂମି ହେଉଛି କଂସରୂପୀ ରାକ୍ଷସମାନଙ୍କର କୁଶାସନକୁ ଲୋପ କରିବାର ସଂକଳ୍ପ ନେଇଛି ।
ଉପସଂହାର : ହୁସେନ ରବି ଗାନ୍ଧୀଙ୍କ ସାମ୍ୟବାଦୀ କବିତାଗୁଡ଼ିକର ବୈଶିଷ୍ଟ୍ୟ ହେଉଛି, ଦଳିତ ପ୍ରତି ସମବେଦନା ଜଣାଇବା । ସେ ଜଣେ ସମ୍ବେଦନଶୀଳତାର କବି ଓ ପ୍ରଗତିବାଦୀ କବି ଭାବରେ ଖୁବ ପରିଚିତ । ସେହି ଅସହାୟ, ନିରନ୍ନ, ସର୍ବହରା, ମୂଲିଆ, ଖଟିଖିଆ, କୃଷକ, ଶ୍ରମିକ, ନିଷ୍ପେଷିତ, ଦଳିତ ମଣିଷ ଗୋଷ୍ଠୀଙ୍କ ପାଖକୁ ଯାଇଛନ୍ତି ସେମାନଙ୍କର ଦୁଃଖ, ଦୈନ୍ୟ ଅଭାବ ଅନଟନକୁ ଅତି ପାଖରୁ ଦେଖିଛନ୍ତି । ସେମାନଙ୍କର ଅସହାୟତକୁ କବି ଭଲଭାବରେ ବୁଝିଛନ୍ତି । ସେମାନକ ପ୍ରତି କବିଙ୍କ ମନ ଏବଂ ପ୍ରାଣରେ ଅହେତୁକ ସମ୍ବେଦନଶୀଳତା ଏବଂ ସହାନୁଭୂତି, ଦୟାଭାବ ଜାଗ୍ରତ ହୋଇଛି । ତେଣୁ କବି ସେମାନଙ୍କର ପ୍ରଗତି ଉନ୍ନତିକଳ୍ପେ ବହୁ ଚେଷ୍ଟା କରୁଥିବା ବେଳେ, କବିଙ୍କର କବିତାର ମୁଖ୍ୟ ଭାଷା ଓ ଭାବଥିଲା ସେହିମାନଙ୍କର କଥାବାର୍ତ୍ତାରୁ । ତାଙ୍କ କବିତାର ନାୟକ ନାୟିକା ଥିଲେ ସେହି ମଣିଷଗୋଷ୍ଠୀ ।
ଶୋଷଣ ବିରୁଦ୍ଧରେ ସଂଗ୍ରାମରତ ତାଙ୍କ କବିତାର ଭାବବସ୍ତୁ । ସେହି ଦୁଃସ୍ଥ, ନିଷ୍ପେଷିତ, ଦଳିତବର୍ଗର ଅସହାୟତାବୋଧକୁ ଦୂରକରିବା ପାଇଁ ସେମାନଙ୍କୁ କବି ବାରମ୍ବାର ସଂଗ୍ରାମ ଓ ବିପ୍ଲବର ସ୍ୱର ଉତ୍ତୋଳନ କରିବାକୁ ପ୍ରେରଣା ଦେଉଥିଲେ । ଅଦ୍ୟାବଧି ତାଙ୍କ କବିତାର ମୁଖ୍ୟ ସ୍ୱର ରୂପେ ସେହି ପ୍ରଗତିବାଦୀ ଓ ସାମ୍ୟବାଦୀ ଚିନ୍ତାଚେତନାର ସ୍ୱର ସ୍ୱାକ୍ଷର ବହନ କରିଛି ।
କବିଙ୍କର ଭାବାର୍ଥ ସେହି ଦୁଃସ୍ଥ, ଗରିବ ମଣିଷକୁ ଏହି ଶୋଷକ କବଳରୁ ମୁକ୍ତି କରିବା । ତାଙ୍କ କବିତା ସେହି ଚିନ୍ତନରେ ଯେପରି ହୋଇଥିଲା ଦୀପ୍ତିମାନ ଆହୁରିହେଲା ପ୍ରଖର । ପରବର୍ତ୍ତୀ ସମୟରେ ମାନବୀୟ ଅନୁଭୂତିକୁ ନେଇ ତାହା ଯେପରି ହୋଇଛି ଜୀବନରସରେ ସମୁଜ୍ଜ୍ୱଳ ଠିକ୍ ସେହିପରି ମଧ୍ୟ ହୋଇଉଠିଛି ବୌଦ୍ଧିକ । ସେହି ପ୍ରବଞ୍ଚକ, ଶୋଷକ, ଶଠ, ଲାଞ୍ଚିତମାନଙ୍କର ମୁଖା ଖୋଲିଦେଇ ସେମାନଙ୍କୁ ଏହି ମଣିଷମାନଙ୍କ ପାଖକୁ ଆଣିବାକୁ କବି ହୋଇଛନ୍ତି ସତମୁଖର । ସେମାନଙ୍କ ଭିତରୁ ଝଙ୍କୃତ ହୁଏ ଗୋଟାଏ ସ୍ୱର । ସେହି ସ୍ୱର ବଞ୍ଚିବାର ସ୍ୱର, ଶୋଷଣରୁ ମୁକ୍ତସମାଜର ସ୍ୱର । ପତିତ, ଦଳିତ, ଶୋଷିତମାନଙ୍କୁ ଏକ କରିବାର ସ୍ୱର । କବିଙ୍କର କାବ୍ୟବିଭା ଏହି ସ୍ୱରର ଆରୁଣିକ ଦୀପ୍ତି, ଏଥିରେ ହତାଶ ନାହିଁ ନିରାଶ ନାହିଁ, ଅଛି ଆଶାର ନୂତନ ଆଲୋକ, ବାଳସୂର୍ଯ୍ୟର ନୂତନ ସଙ୍କେତ । ସେହି ସ୍ୱର ସ୍ଲୋଗାନଧର୍ମୀ ସ୍ୱର ନୁହେଁ କିମ୍ବା ପ୍ରଚାରଧର୍ମୀ ସ୍ୱର ନୁହେଁ । ଅନ୍ତରାତ୍ମାକୁ ଦୋହଲାଇଦେବା ଏକମାତ୍ର ମନ୍ତ୍ର । ତାହା ମଣିଷ ଗୋଷ୍ଠୀକୁ ଶୀତଳ କରି ଦିଏନି, ଉତ୍ତପ୍ତ କରି ଦିଏ, ଚିଆଁଇ ଦିଏ । କବି ଅନ୍ୟ କବିଙ୍କ କରି ମୋହରମରା ବିପ୍ଲବୀ କବି ନୁହଁନ୍ତି । ସେ ମୋହର ଅତିକ୍ରାନ୍ତ ମାନବାତ୍ମାର ବିପ୍ଲବୀ କବି । ସେ ମଧ୍ୟ କ୍ଷଣକାଳର ଉତ୍ତେଜନା ସୃଷ୍ଟିକାରୀ କବି ନୁହନ୍ତି, ଚିରକାଳର ମଣିଷର କବି ।
Comments
0 comments