ଏକ ଐତିହାସିକ କୃଷକ ଆନ୍ଦୋଳନ

21 Min Read

ରାଜଧାନୀ ଦିଲ୍ଲୀର ସୀମା, ଏବେ ଦେଶର କୃଷକ ଆନ୍ଦୋଳନର ଦୁର୍ବାର ଘାଟୀରେ ପରିଣତ ହୋଇଯାଇଛି । ଦିଲ୍ଲୀକୁ ସଂଯୋଗ କରୁଥିବା ସମସ୍ତ ରାଜପଥକୁ ଗତ ଚାରି ସପ୍ତାହରୁ ଅଧିକ ସମୟ ଧରି ଅବରୋଧ କରି ପଞ୍ଜାବ, ହରିଆନା, ୟୁପି ଓ ରାଜସ୍ଥାନ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ଲକ୍ଷ ଲକ୍ଷ କୃଷକ ରାଜଧାନୀ ଓ କହିବାକୁ ଗଲେ ମୋଦୀ ସରକାରକୁ ଏକରକମ ଘେରି କରି ରହିଛନ୍ତି । ସେମାନେ ରାଜନୈତିକ ଦଳମାନଙ୍କ ପ୍ରତୀକାତ୍ମକ କାର୍ଯ୍ୟକ୍ରମ ପରି କୌଣସି ତଥାକଥିତ ପ୍ରତିବାଦ ବା ଧାରଣାର ଦିନିକିଆ ଔପଚାରିକତା ପୂରଣ କରିବାକୁ ଆସିନାହାନ୍ତି । ବରଂ ନିଜ ନିଜର ଟ୍ରାକ୍ଟର୍, ଟ୍ରଲିକୁ ଏକ ତମ୍ବୁରେ ପରିଣତ କରିଦେଇ ସେଥିରେ ଆଗାମୀ ଛଅ ମାସର ରାସନ ସହିତ ସରକାରଙ୍କ ତିନି କୃଷି ଆଇନ ବିରୁଦ୍ଧରେ ଏକ ଲମ୍ବା ଲଢ଼େଇ ପାଇଁ ପ୍ରସ୍ତୁତି ହୋଇ ଆସିଛନ୍ତି । ଦେଶର ପାଞ୍ଚ ଶହରୁ ଊଦ୍ଧ୍ୱର୍ କୃଷକ ସଙ୍ଗଠନଙ୍କୁ ନେଇ ଗଠିତ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ଏହି ଐତିହାସିକ ଲଢ଼େଇର ନେତୃତ୍ୱ ନେଉଛି । କୃଷି ସମସ୍ୟା ଉପରେ ଆନ୍ଦୋଳନ ପାଇଁ ଏତେସଂଖ୍ୟକ କୃଷକ ସଙ୍ଗଠନ ଆଗକୁ ଆସି ଯେଉଁଭଳି ଏକତା ଓ ପ୍ରତିବଦ୍ଧତାର ପ୍ରଦର୍ଶନ କରିଛନ୍ତି, ତାହା ସ୍ୱାଧୀନ ଭାରତର ଇତିହାସରେ ଅଭୂତପୂର୍ବ ମନେହୁଏ । ଦେଶୀ ବିଦେଶୀ ବଡ଼ କର୍ପୋରେଟ ମାନେ ସ୍ୱାଧୀନତା ଆନ୍ଦୋଳନ ସମୟର କୃଷକ ଆନ୍ଦୋଳନ ପରି ଚଳିତ କୃଷକ ଆନ୍ଦୋଳନର ସିଧାସଳଖ ନିଶାନାରେ ଥିବାବେଳେ ମୋଦୀ ନେତୃତ୍ୱାଧୀନ ବିଜେପି-ଆର୍ଏସ୍ଏସ୍ର ସରକାର ସେମାନଙ୍କ ଦଲାଲ ଭୂମିକାରେ ଠିଆ ହୋଇଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୃଷକମାନେ ଏହି ଲଢ଼େଇରେ ଆଦୌ ଏକା ନୁହଁନ୍ତି । ଏହି ଆନ୍ଦୋଳନ ପ୍ରତି ସମାଜର ବିଭିନ୍ନ ମହଲରୁ ଯେଉଁଭଳି ସମର୍ଥନ ଏବଂ ସହାନୁଭୂତି ମିଳୁଛି ତାହା ସରକାର ସମେତ ସମସ୍ତଙ୍କୁ ଏକଦମ୍ ଚକିତ କରି ଦେଇଛି । ଆନ୍ଦୋଳନରତ ଚାଷୀଙ୍କ ପାଇଁ ଦିଲ୍ଲୀ ଓ ହରିଆନାରେ ଥିବା ଗୁରୁଦ୍ୱାରମାନେ ଲଙ୍ଗର ଜରିଆରେ ମାଗଣାରେ ଖାଇବା ପିଇବାର ବ୍ୟବସ୍ଥା କରିଥିବା ବେଳେ ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂସ୍ଥାମାନଙ୍କ ପକ୍ଷରୁ ସ୍ୱେଚ୍ଛାକୃତ ଭାବେ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀର ଯୋଗାଣ ଅବ୍ୟାହତ ରହିଛି । ପଞ୍ଜାବ, ହରିଆନା, ରାଜସ୍ଥାନ, ଉତ୍ତରାଖଣ୍ଡ ଓ ଉତ୍ତରପ୍ରଦେଶର ବିଭିନ୍ନ ଗାଁ ଓ ସହରରୁ ସମାଜର ବିଭିନ୍ନ କ୍ଷେତ୍ରର ଲୋକେ ସ୍ୱେଚ୍ଛାକୃତ ଭାବେ ଅର୍ଥ ଓ ସାମଗ୍ରୀ ଯୋଗାଇବା ଦେଖିବାକୁ ମିଳିଛି । ପଞ୍ଜାବରେ ତ ଏହି ଆନ୍ଦୋଳନ ଏକରକମ ଜନଆନ୍ଦୋଳନରେ ପରିଣତ ହୋଇଯାଇଛି । ସେଠାକାର ସମାଜର ସବୁବର୍ଗର ଲୋକେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷଭାବେ ଚାଷୀ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି । ସେଠାକାର ପ୍ରତିଟି ଚାଷୀ ପରିବାରରୁ ଜଣେ/ ଦୁଇଜଣ ଆନ୍ଦୋଳନରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିଥିବାବେଳେ ଅନ୍ୟମାନେ ଘରେ ରହି ଚାଷବାସ ଓ ଅନ୍ୟାନ୍ୟ କାର୍ଯ୍ୟକୁ ସମ୍ଭାଳିବା ଦେଖିବାକୁ ମିଳୁଛି । ଏପରିକି ଆନ୍ଦୋଳନକୁ ଯାଇଥିବା ଲୋକଙ୍କ ପରିବାରର ସୁବିଧା ଅସୁବିଧା ଏବଂ ଚାଷ କାର୍ଯ୍ୟରେ ସହଯୋଗ କରିବାକୁ ପଞ୍ଜାବର ଗାଁ ଗାଁରେ ଲୋକେ ମିଳିମିଶି ସହଯୋଗ କରି ଭାଇଚାରାର ଏକ ଶକ୍ତିଶାଳୀ ଉଦାହରଣ ସୃଷ୍ଟି କରିଛନ୍ତି । କେବଳ ସେତିକି ନୁହେଁ, ଆନ୍ଦୋଳନର ସମର୍ଥନରେ ପଞ୍ଜାବ ଓ ହରିଆନାର କବି, ଲେଖକ, କଳାକାର, ବୈଜ୍ଞାନିକ, କ୍ରୀଡ଼ାବିତ୍ ବି ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି । କୃଷକ ଆନ୍ଦୋଳନକୁ ସମର୍ଥନ କରି ସେଠାକାର ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଖେଳାଳି ନିଜର କ୍ରୀଡ଼ା ମେଡ଼ାଲକୁ ସରକାରଙ୍କୁ ଫେରାଇ ଦେଇଥିବାବେଳେ ଅନେକ କବି, ଲେଖକ, କଳାକାର ବି ନିଜର ପୁରସ୍କାର ଫେରାଇଛନ୍ତି । ଅନେକ ବୈଜ୍ଞାନିକ ଓ ଶିକ୍ଷାବିତ୍ ବି କୃଷି ଆଇନ ବିରୁଦ୍ଧରେ ଖୋଲାଖୋଲି ସ୍ୱର ଉଠାଇଥିବା ବେଳେ ଦେଶର ଜଣାଶୁଣା ଅର୍ଥନୀତିଜ୍ଞମାନେ କଳା କୃଷି ଆଇନଗୁଡ଼ିକୁ ପ୍ରତ୍ୟାହାର କରିବାକୁ ସରକାରଙ୍କ ନିକଟରେ ଦାବି କରିଛନ୍ତି । ପଞ୍ଜାବର ଅନେକ ପୂର୍ବତନ ସେନା ଅଧିକାରୀ ବି ଇତି ମଧ୍ୟରେ କୃଷି ଆଇନର ପ୍ରତିବାଦରେ ନିଜର ମେଡ଼ାଲ ଫେରାଇବାକୁ ଘୋଷଣା କରିଛନ୍ତି । ଦିଲ୍ଲୀର କୃଷକ ଆନ୍ଦୋଳନକୁ ପଞ୍ଜାବ, ହରିଆନାର ବ୍ୟବସାୟୀ ସଂଘମାନଙ୍କ ଠାରୁ ଆରମ୍ଭ କରି ଶିକ୍ଷକ, ସରକାରୀ କର୍ମଚାରୀଙ୍କ ପର୍ଯ୍ୟନ୍ତ ସମାଜର ସବୁ ବର୍ଗର ଦୃଢ଼ ସମର୍ଥନ ଏହାକୁ ଏକ ପ୍ରକୃତ ଜନ ଆନ୍ଦୋଳନରେ ପରିଣଗତ କରି ଦେଇଛି ।

କୃଷକମାନଙ୍କ ଆନ୍ଦୋଳନ ଆଜିର ନୁହେଁ

ତେବେ କେବଳ ପଞ୍ଜାବ କିମ୍ବା ଭାରତରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ବି ଏହି ଆନ୍ଦୋଳନ ପ୍ରତି ବ୍ୟାପକ ସମର୍ଥନ ମିଳିଛି । ବିଶ୍ୱର ଶତାଧିକ ଦେଶରେ ରହୁଥିବା ପ୍ରବାସୀ ଭାରତୀୟମାନେ କୃଷକଙ୍କ ସମର୍ଥନରେ ସବୁ ଦେଶରେ ରାସ୍ତାକୁ ଆସିବା ଦେଖାଯାଇଛି । ଗତ ଏକମାସ ମଧ୍ୟରେ ଶହେରୁ ଉର୍ଦ୍ଧର ଦେଶରେ କୃଷକ ଆନ୍ଦୋଳନ ସପକ୍ଷରେ ବାରମ୍ବାର ସଭା, ବିକ୍ଷୋଭ ଓ ପ୍ରଦର୍ଶନ ସଂଗଠିତ ହୋଇଛି । ଭାରତର କୃଷକ ଆନ୍ଦୋଳନ ପ୍ରତି ନିଜ ଦେଶରେ ବର୍ଦ୍ଧିତ ସମର୍ଥନକୁ ଦେଖି କାନାଡ଼ାର ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ଟ୍ୱିଟ୍ କରି ଆନ୍ଦୋଳନକୁ ସମର୍ଥନ ଜଣାଇଥିବାବେଳେ ବ୍ରିଟିଶ ପାର୍ଲାମେଣ୍ଟ୍ର ଅନେକ ସାଂସଦ ଖୋଲାଖୋଲି ଭାବେ ନିଜର ସମର୍ଥନ ଜ୍ଞାପନ କରିଛନ୍ତି ।

ଦେଶବାସୀଙ୍କୁ ବିଭ୍ରାନ୍ତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ସମେତ କେନ୍ଦ୍ର ସରକାରର ମନ୍ତ୍ରୀମାନେ ଅଧ୍ୟାଦେଶ ଆସିବାର ଛଅ ମାସ ପରେ କାହିଁକି ବିରୋଧ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ଏଠାରେ ଜାଣି ରଖିବା ଦରକାର ଯେ କୃଷିଆଇନ ବିରୁଦ୍ଧରେ କୃଷକମାନଙ୍କ ଆନ୍ଦୋଳନଟି ଆଦୌ ଆକସ୍ମିକ ନଥିଲା । ବରଂ ଦେଶର କୃଷକମାନେ ଲକ୍ଡ଼ାଉନରେ ଗୃହବନ୍ଦୀ ଥିବାବେଳେ ସରକାରଙ୍କ ଏଭଳି ଅଧ୍ୟାଦେଶ ଆଣିବା ଆକସ୍ମିକ ଥିଲା । ଦେଶବ୍ୟାପୀ କଟକଣା ସତ୍ତ୍ୱେ ସରକାରଙ୍କ ତିନୋଟି କୃଷି ଅଧ୍ୟାଦେଶ ବିରୁଦ୍ଧରେ ପଞ୍ଜାବ ସମେତ ସାରା ଦେଶରେ କୃଷକମାନେ ପ୍ରତିବାଦ କରିଥିଲେ । ‘ଦିଲ୍ଲୀ ଚଲୋ’ ଡ଼ାକରା ଦେବା ପୂର୍ବରୁ ଗତ ଛଅ ମାସ ମଧ୍ୟରେ ଅଧ୍ୟାଦେଶର ପ୍ରତ୍ୟାହାର ଦାବୀରେ ଦେଶର କୋଣ ଅନୁକୋଣରେ କୃଷକମାନେ ଲଗାତାର ଭାବେ ପ୍ରତିବାଦ ଆନ୍ଦୋଳନ କରି ଆସିଛନ୍ତି । ପଞ୍ଜାବରେ କର୍ଫ୍ୟୁ ସତ୍ତ୍ୱେ ଚାଷୀମାନେ ହଜାର ହଜାର ସଂଖ୍ୟାରେ ରାସ୍ତା ଉପରକୁ ଆସି ନିଜର ପ୍ରତିବାଦ ଜଣାଇଛନ୍ତି । ସେଠାରେ ମାସ ମାସ ଧରି ରେଳଧାରଣା ଉପରେ ବସି ରହି ଚାଷୀ ପ୍ରତିବାଦ କରିବା ଫଳରେ ସରକାରଙ୍କୁ ବାଧ୍ୟ ହୋଇ ରେଳ ଚଳାଚଳକୁ ବାତିଲ କରିବାକୁ ପଡ଼ିଛି । ସେଠାରେ ଥିବା ରିଲାଏନ୍ସ୍ ପରି ବଡ଼ କମ୍ପାନୀଙ୍କ ମଲ୍ ଓ ଟୋଲକୁ ଲୋକେ ବନ୍ଦ କରିଛନ୍ତି ।

ଏଠାରେ ଜାଣିବା ଦରକାର ଯେ ୨୦୧୭ମସିହାରେ ମଧ୍ୟପ୍ରଦେଶର ମାନ୍ଦାସୋରରେ ପୋଲିସ ଗୁଳିରେ ପାଂଚ ଜଣ କୃଷକଙ୍କ ହତ୍ୟା ପରେ ଦେଶର ଶତାଧିକ କୃଷକ ସଙ୍ଗଠନଙ୍କୁ ନେଇ ଗଠିତ ସର୍ବଭାରତୀୟ ମିଳିତ ମଂଚଞ୍ଚ “ଅଖିଳ ଭାରତ କିଶାନ୍ ସଂଘର୍ଷ ସମନ୍ୱୟ ସମିତି” ବା ଏଆଇକେଏସ୍ସିସି ପ୍ରଥମେ ତିନି କଳା ଅଧ୍ୟାଦେଶ ବିରୋଧରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲା । ଏ ଆଇ କେ ଏସ ସି ସି ପକ୍ଷରୁ ନଭେମ୍ବର ୨୬ ଓ ୨୭ରେ କୃଷକମାନଙ୍କ ‘ଦିଲ୍ଲୀ ଚାଲ’ ଡ଼ାକରାରେ କୃଷି ଆଇନ ବିରୁଦ୍ଧରେ ଆନ୍ଦୋଳନ କରୁଥିବା ପଞ୍ଜାବ ଓ ହରିଆନାର ସମସ୍ତ ସଙ୍ଗଠନ ସାମିଲ ହୋଇଥିଲେ । ପରେ ଦିଲ୍ଲୀ ସୀମାରେ କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ଆରମ୍ଭ ହେବା ପରେ କୃଷି ଆଇନର ବିରୋଧରେ ଆହୁରି ଅନେକ ସଂଗଠନ ସାମିଲ ହେବା ପରେ ବର୍ତ୍ତମାନ ପାଞ୍ଚ ଶହରୁ ଊଦ୍ଧ୍ୱର୍ କୃଷକ ସଙ୍ଗଠନ ମିଶି “ସଂଯୁକ୍ତ କିଶାନ ମେର୍ଚ୍ଚା” ଗଠନ କରି ତାରି ନେତୃତ୍ୱରେ ଆନ୍ଦୋଳନକୁ ଚଳାଇଛନ୍ତି ।

ତିନି କଳା କୃଷି ଆଇନ ବିରୁଦ୍ଧରେ ଗତ ଛଅ ମାସ ଧରି ଦେଶର ସବୁ ରାଜ୍ୟରେ କୃଷକଙ୍କ ପ୍ରତିବାଦ ଆନେ୍ଦାଳନ, ବିଶେଷ କରି ପଞ୍ଜାବ ଓ ହରିଆନାରେ କୃଷକଙ୍କ ଦୁର୍ବାର ଆନ୍ଦୋଳନ ସତ୍ତ୍ୱେ ମୋଦୀ ସରକାର ସେମାନଙ୍କ ପ୍ରତିବାଦକୁ ବେଖାତିର କରିଛନ୍ତି । କଳା ଅଧ୍ୟାଦେଶକୁ ମୋଦୀ ସରକାର ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ଆଇନରେ ପରିଣତ କରିଦେବା ପରେ ଯାଇ ହିଁ କୃଷକମାନେ ଲଢ଼େଇର ଅନ୍ତିମ ପର୍ଯ୍ୟାୟ ଭାବେ ଶେଷରେ ଦିଲ୍ଲୀ ଆସିବାକୁ ବାଧ୍ୟ ହୋଇଛନ୍ତି । ତେବେ କୃଷକଙ୍କ ଦିଲ୍ଲୀ ଅଭିଯାନଟି ଏତେ ସହଜ ନଥିଲା । ପ୍ରଥମରୁ ହିଁ ସେମାନଙ୍କୁ ଦିଲ୍ଲୀ ଆସିବାକୁ ନଦେବାକୁ ଉଭୟ କେନ୍ଦ୍ର ଓ ହରିଆନାର ବିଜେପି ସରକାର ସମସ୍ତ ପ୍ରକାର ଷଡ଼ଯନ୍ତ୍ର କରିଛନ୍ତି । କୃଷକମାନେ ଆସୁଥିବା ଗାଡ଼ି ଓ ଟ୍ରାକ୍ଟର ସବୁ ଯେପରି ଦିଲ୍ଲୀକୁ ଆସି ପାରିବନି, ସେଥିପାଇଁ ଜାତୀୟ ରାଜପଥରେ ଅନେକ ସ୍ଥାନରେ ୮-୧୦ ଫୁଟ ଲେଖାଏଁ ରାସ୍ତାକୁ ଖୋଳି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା ହୋଇଛି । ପ୍ରବଳ ଶୀତ ସମୟରେ ଅତ୍ୟନ୍ତ ଅମାନବିକ ଭାବେ ହରିଆନା ସରକାର କୃଷକମାନଙ୍କୁ ଘଉଡ଼ାଇବା ପାଇଁ ସେମାନଙ୍କ ଉପରେ ପ୍ରଚୁର ପାଣିମାଡ଼ କରିଛନ୍ତି । ରାସ୍ତାରେ ବିଭିନ୍ନ ସ୍ଥାନରେ ହରିଆନା ଏବଂ ଦିଲ୍ଲୀ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ ଲୁହବୁହା ଗ୍ୟାସ୍ , ଏପରିକି ଲାଠିଚାଳନା ମଧ୍ୟ କରିବା ଦେଖାଯାଇଛି । ତେବେ ସମସ୍ତ ପ୍ରତିବନ୍ଧକକୁ ପାର କରି ଯେତେବେଳେ କୃଷକମାନେ ସେମାନଙ୍କ ଟ୍ରାକ୍ଟର, ଟ୍ରଲି ଧରି ଦିଲ୍ଲୀ ସୀମାରେ ପହଂଚିଲେ, ସେତେବେଳେ ଯାଇ ସରକାର ବାଧ୍ୟହୋଇ ସେମାନଙ୍କ ସହ ଆଲୋଚନାର ପ୍ରହସନ କରିବା ଦେଖିବାକୁ ମିଳିଲା ।

ଦୀର୍ଘ ଏକମାସରୁ ଊଦ୍ଧ୍ୱର୍ ସମୟ ଧରି ଦେଶର ଲକ୍ଷ ଲକ୍ଷ କୃଷକ ନିଜର କୃଷି କାର୍ଯ୍ୟ ତଥା ଘର ପରିବାର ଛାଡ଼ି ପ୍ରବଳ ଶୀତ କାକରରେ ଖୋଲା ଆକାଶ ତଳେ ରାସ୍ତା ଉପରେ ପଡ଼ି ରହି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କରୁଥିଲେ ମଧ୍ୟ, କେନ୍ଦ୍ରର ମୋଦୀ ସରକାର ନିଜର ଜିଦ୍ରୁ ଓହରିବା ଦେଖାଯାଇନି । ସରକାର ଗୋଟିଏ ପଟେ କୃଷକଙ୍କ ସହ ଆଲୋଚନାର ନାଟକ କରି ଦେଶବାସୀଙ୍କ ଆଗରେ ନିଜର ଭାବମୂର୍ତ୍ତିକୁ ରଖିବାକୁ ଚାହୁଁଛନ୍ତି ଅଥଚ ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସମେତ ବିଜେପିର ମନ୍ତ୍ରୀ ଓ ନେତାମାନେ କୃଷକ ଆନ୍ଦୋଳନ ବିରୁଦ୍ଧରେ ନାନାପ୍ରକାର କୁତ୍ସା ଓ ମିଥ୍ୟା ପ୍ରଚାର କରି ତାକୁ ବଦନାମ୍ କରିବାକୁ ଚେଷ୍ଟା କରୁଛନ୍ତି । ମୋଦୀ ସପକ୍ଷବାଦୀ ଜାତୀୟ ଗଣମାଧ୍ୟମ (ଗୋଦି ମିଡ଼ିଆ) କେତେବେଳେ ଆନ୍ଦୋଳନକାରୀଙ୍କୁ ଖଲିସ୍ଥାନୀ, ଆତଙ୍କବାଦୀ, ଟୁକୁଡ଼ା ଟୁକୁଡ଼ା ଗ୍ୟାଙ୍ଗ୍ ତ କେତେବେଳେ ପାକିସ୍ଥାନ, ଚୀନର ଦଲାଲ, ଆଡ଼ତିଆ-ଦଲାଲମାନଙ୍କ ପ୍ରାୟୋଜିତ ଆନ୍ଦୋଳନ ଅଥବା ଆନ୍ତର୍ଜାତୀୟ ଷଡ଼ଯନ୍ତ୍ର ବୋଲି ବି ପ୍ରଚାର କରିବାକୁ ପଛେଇ ନାହିଁ ।

ବିରୋଧି ଦଳ ପ୍ରାୟୋଜିତ ନୁହେଁ, କୃଷକଙ୍କ ନିଜସ୍ୱ ଆନ୍ଦୋଳନ

କୃଷକ ଆନ୍ଦୋଳନକୁ ଗୁରୁତ୍ୱହୀନ ପ୍ରମାଣିତ କରିବାକୁ ପ୍ରଥମେ ଏହାକୁ କେବଳ ପଞ୍ଜାବର ଚାଷୀଙ୍କ ଆନ୍ଦୋଳନ ବୋଲି କୁହାଗଲା । ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରୁ କିଛି ଦଲାଲଙ୍କୁ କୃଷକ ନେତା ବୋଲି ଦିଲ୍ଲୀକୁ ଆଣି ଆଇନକୁ ସବୁ କୃଷକ ବିରୋଧ କରୁନାହାନ୍ତି ବୋଲି ଦେଖାଇବାକୁ ଚେଷ୍ଟା କରାଯାଉଛି । କୃଷକ ଆନ୍ଦୋଳନର ପ୍ରଭାବକୁ ନିଷ୍ପ୍ରଭ କରିବାକୁ ବିଜେପି ଦେଶର ଶତାଧିକ ସ୍ଥାନରେ ସଭା, ସମାବେଶ କରିବା ଆରମ୍ଭ କରିଛି । ନିଜର ଛଅ ବର୍ଷର ଶାସନ କାଳରେ ପ୍ରଥମ ଥର ପାଇଁ ଏତେ ବଡ଼ ଆନ୍ଦୋଳନଆଗରେ ହଡ଼ବଡ଼େଇ ପ୍ରଧାନମନ୍ତ୍ରୀ ମୋଦୀ କେତେବେଳେ କୃଷକ ଆନ୍ଦୋଳନ ପାଇଁ ବିରୋଧୀଦଳଙ୍କୁ ଦାୟୀ କରୁଛନ୍ତି ତ, କେତେବେଳେ କୃଷକଙ୍କ ଆଗରେ ମୁଣ୍ଡ ନୁଆଁଉଛି ବୋଲି କହିବାକୁ ପଛାଉ ନାହାନ୍ତି । ଆନ୍ଦୋଳନର ପ୍ରମୁଖ ଭାଗରେ ରହିଥିବା ପଞ୍ଜାବର ଚାଷୀମାନଙ୍କୁ ବିଭ୍ରାନ୍ତ କରିବା ପାଇଁ ସେ କେତେବେଳେ ଗୁଜରାଟର କଛରେ ଥିବା କିଛି ଶିଖ୍ ଚାଷୀଙ୍କୁ ଭେଟୁଛନ୍ତି ତ କେତେବେଳେ ଦିଲ୍ଲୀର ଗୁରୁଦ୍ୱାରରେ ଅଚାନକ ପଂହଚି ଯାଉଛନ୍ତି । ଏଠାରେ ପ୍ରଶ୍ନ ଉଠେ, ଯଦି ଆନ୍ଦୋଳନ କରୁଥିବା କୃଷକମାନେ ଆତଙ୍କବାଦୀ, ଖଲିସ୍ଥାନୀ ଓ ଦଲାଲ; ତାହେଲେ ସରକାର ସେମାନଙ୍କ ସହ ଏପରି ଆଲୋଚନାର ପ୍ରହସନ କରୁଛନ୍ତି କାହିଁକି?

କଳା କୃଷିଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନ ଯେତେ ତେଜିଆନ୍ ହେଉଛି, କେନ୍ଦ୍ରର ମୋଦୀ ସରକାର ଓ ବିଜେପି ଦଳର ନିଜର କର୍ପୋରେଟ୍ ପ୍ରେମପାଇଁ ସେତେ ଏକଘରିକିଆ ହେବାରେ ଲାଗିଛନ୍ତି । ବିଜେପି ଦଳ ଖୋଲାଖୋଲି ଭାବେ କର୍ପୋରେଟଙ୍କ ପକ୍ଷରେ ଠିଆହୋଇ ଆଇନର ମହିମା ପ୍ରଚାର କରୁଥିବାବେଳେ ପ୍ରାୟ ସମସ୍ତ ବିରୋଧୀଦଳ କୃଷକମାନଙ୍କ ଆନ୍ଦୋଳନକୁ ସମର୍ଥନ କରି କୃଷି ଆଇନକୁ ବିରୋଧ କରିବାକୁ ବାଧ୍ୟ ହୋଇଛନ୍ତି । ଆନ୍ଦୋଳନର ଚାପରେ ପଞ୍ଜାବର ପ୍ରମୁଖ ବିରୋଧୀ ଦଳ ଅକାଳୀ ଦଳ ଏନ୍ଡ଼ିଏ ମେଣ୍ଟରୁ ବାହାରିଯିବା ସହିତ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିବା ଦଳର ନେତ୍ରୀ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ସେହିପରି ବିଜେପିର ଅନ୍ୟତମ ସହଯୋଗୀ ରାଜସ୍ଥାନର ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି ମଧ୍ୟ ଏନ୍ଡ଼ିଏରୁ ବାହାରି ଯାଇ କୃଷକ ଆନ୍ଦୋଳନକୁ ଖୋଲା ସମର୍ଥନ କରିଛି । ହରିଆନାରେ ବିଜେପିର ଭାଗୁଆଳି ଦଳ ରୂପେ ପରିଚିତ ଜେଜେପି ଦଳର ଦଶ ଜଣ ବିଧାୟକଙ୍କ ମଧ୍ୟରୁ ସାତଜଣ ଇତିମଧ୍ୟରେ ଖୋଲାଖୋଲି ଭାବେ କୃଷକଙ୍କ ଆନ୍ଦୋଳନକୁ ସମର୍ଥକ ଜଣାଇଥିବାବେଳେ ସରକାରରୁ ଓହରିଯିବା ପାଇଁ ସେହି ଦଳ ଉପରେ କୃଷକଙ୍କ ଚାପ ବଢ଼ିବାରେ ଲାଗିଛି । ତେବେ ଜାଣି ରଖିବା ଦରକାର ଯେ କୃଷକ ଆନ୍ଦୋଳନକୁ ସମର୍ଥନ କରୁଥିବା କଂଗ୍ରେସ ସମେତ ବିରୋଧି ଦଳମାନଙ୍କ ଆଭିମୁଖ୍ୟଟି ସୁବିଧାବାଦୀ ଅଟେ । କୃଷକ ଆନ୍ଦୋଳନର ପ୍ରଭାବରେ ନିଜର ଜନଭିତ୍ତିକୁ ସୁରକ୍ଷିତ ରଖିବାକୁ ଯଦିଓ ସେମାନେ କୃଷି ଆଇନକୁ ବିରୋଧ କରୁଛନ୍ତି, କିନ୍ତୁ ନୀତିଗତ ଭାବେ ସେମାନେ କୃଷିରେ କର୍ପୋରେଟୀକରଣର ବିରୋଧୀ ନୁହଁନ୍ତି । କଂଗ୍ରେସ ଦଳ ଅତୀତରେ କେନ୍ଦ୍ର କ୍ଷମତାରେ ଥିବାବେଳେ ଏ ଦିଗରେ ଉଦ୍ୟମ କରିଥିବାବେଳେ ଗତ ନିର୍ବାଚନ ସମୟରେ ନିଜର ଇସ୍ତାହାରରେ କୃଷି ସଂସ୍କାର କରିବାକୁ କହିଥିଲା । ଏପରିକି କୃଷି ଅଧ୍ୟାଦେଶ ବିରୁଦ୍ଧରେ ପଞ୍ଜାବର କୃଷକମାନେ ଆନ୍ଦୋଳନ କରୁଥିବାବେଳେ ସେଠାକାର କଂଗ୍ରେସ ସରକାର ପୋଲିସ ଲଗାଇ ଆନ୍ଦୋଳନକୁ ଦବାଇବାକୁ ପ୍ରଥମେ ଉଦ୍ୟମ କରିଥିଲେ । କଂଗ୍ରେସ ପରି ଅକାଳୀ ଦଳ ଓ ଆମ୍ ଆଦମୀ ପାର୍ଟି ମଧ୍ୟ ଗତ ନିର୍ବାଚନ ପୂର୍ବରୁ ନିଜର ଇସ୍ତାହାରରେ କୃଷିକ୍ଷେତ୍ରକୁ ଘରୋଇ ପୁଞ୍ଜି ପାଇଁ ଖୋଲିବାକୁ ଏବଂ ମଣ୍ଡି ଆଇନରେ ସଂସ୍କାର ଆଣିବାକୁ କହିଥିଲେ । ଏପରିକି ଅଧ୍ୟାଦେଶ ଆଣିବା ବେଳେ କେନ୍ଦ୍ର ସରକାରରେ ସାମିଲ ଥିବା ଅକାଳୀ ନେତାମାନେ ଚାଷୀଙ୍କୁ ଅଧ୍ୟାଦେଶର ମହତ୍ୱ ଉପରେ ବୁଝାଇବାକୁ ଚେଷ୍ଟା କରିଥିବା ବେଳେ ଆମ୍ ଆଦମୀ ପାର୍ଟିର ଦିଲ୍ଲୀ ସରକାର ଏନେଇ ବିଜ୍ଞପ୍ତି ପ୍ରକାଶ କରିବାକୁ ପଛେଇ ନଥିଲେ । ଆମ ରାଜ୍ୟର କ୍ଷମତାସୀନ ବିଜେଡ଼ି ମଧ୍ୟ କେନ୍ଦ୍ର ଅଧ୍ୟାଦେଶ ଆଣିବାର ପ୍ରାୟ ମାସକ ପୂର୍ବରୁ କେନ୍ଦ୍ରର ଦୁଇଟି ଅଧ୍ୟାଦେଶ ଅର୍ଥାତ୍ ମଣ୍ଡି ଆଇନ ଓ ଠିକାଚାଷ ଆଇନର ଅଧ୍ୟାଦେଶ ଆଣିଥିଲେ । ଲୋକସଭାରେ ତିନି କଳା ବିଲ୍ ଆଗତ ହେବା ବେଳେ ତାକୁ ବିଜେଡ଼ି ସମର୍ଥନ କରିଥିଲା । ଅଥଚ ଦେଶବ୍ୟାପି କୃଷକଙ୍କ ପ୍ରତିବାଦକୁ ଦେଖି ରାଜ୍ୟସଭାରେ ତାକୁ ବିରୋଧ କରିବାକୁ ବାଧ୍ୟ ହୋଇଥିଲା । ପରେ ରାଜ୍ୟର ବିଜେଡ଼ି ସରକାର ନିଜର ପୂର୍ବ ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ବିଧାନସଭାରେ ବିଲ୍ ଆଣି ନଥିଲେ ମଧ୍ୟ ସେଥିରୁ କିଛି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାକୁ ନିକଟରେ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନେଇଛନ୍ତି ।

ତେବେ ଦେଶର ଆନ୍ଦୋଳନରତ କୃଷକ ଓ ସେମାନଙ୍କ ସଙ୍ଗଠନମାନଙ୍କ କୃଷି ଆଇନକୁ ବିରୋଧଟି ନୀତିଗତ ଅଟେ । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ଯଦିଓ ବିରୋଧୀ ଦଳଙ୍କୁ କୃଷକମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି, କିନ୍ତୁ ବାସ୍ତବ କଥା ହେଲା ଖୋଦ ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ଆମ୍ବାନୀ, ଆଦାନୀ, ୱାଲମାର୍ଟ ପରି ଦେଶୀ ବିଦେଶୀ କର୍ପୋରେଟଙ୍କ ଦଲାଲ ହୋଇ କାର୍ଯ୍ୟ କରୁଛନ୍ତି ।

କରୋନାର ଆଢ଼ୁଆଳରେ କୃଷକଙ୍କ ଉପରେ ଆକ୍ରମଣ

କରୋନା ମହାମାରୀ ଓ ଲକ୍ଡ଼ାଉନ୍ ପରି ଦୋହରା ମାଡ଼ର ଶୀକାର ହୋଇ ଯେତେବେଳେ ଦେଶର ସାଧାରଣ ଜନତା ଏକଦମ୍ ନିଃସ୍ୱ ଏବଂ ଅସହାୟ ଅବସ୍ଥାରେ ରହିଥିଲେ ସେତେବେଳେ କେନ୍ଦ୍ରର ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ବିଜେପି-ଆର୍ଏସ୍ଏସ୍ର ସରକାର ସେମାନଙ୍କ ବିରୁଦ୍ଧରେ ଭୟଙ୍କର ଷଡ଼ଯନ୍ତ୍ର ଚଳାଇବା ଦେଖାଗଲା । ବିପତ୍ତିକୁ ଅବସରରେ ପରିଣତ କରିବାର ନୀତିରେ ବିଶ୍ୱାସ କରୁଥିବା ବିଜେପି ସରକାର ମହାମାରୀର ମୁକାବିଲା ନାଁରେ ଗୋଟିଏ ପଟେ ସାରା ଦେଶରେ ସମସ୍ତ ପ୍ରକାର ରାଜନୈତିକ କାର୍ଯ୍ୟକ୍ରମ ଉପରେ କଟକଣା ଜାରୀ ରଖି ତାର ସୁଯୋଗରେ ଗୋଟିଏ ପରେ ଗୋଟିଏ ନିଜର ସମସ୍ତ ଜନବିରୋଧୀ କାର୍ଯ୍ୟକ୍ରମକୁ ଜନଗଣଙ୍କ ଉପରେ ଲଦିବାରେ ଲାଗିଥିଲେ । ଲକ୍ଡ଼ାଉନ୍ ଫଳରେ ଦେଶର କୋଟି କୋଟି ଶ୍ରମିକ ନିଜର ରୋଜଗାର ହରାଇ ଅତ୍ୟନ୍ତ ଅସହାୟ ଅବସ୍ଥାରେ ଘରକୁ ଫେରୁଥିବା ବେଳେ ସରକାର ଦେଶୀ ବିଦେଶୀ ପୁଞ୍ଜିପତ୍ତିଙ୍କ ସ୍ୱାର୍ଥରେ ଶ୍ରମିକଙ୍କ କଷ୍ଟାର୍ଜିତ ଶ୍ରମ ଅଧିକାରକୁ ସମାପ୍ତି କରିଦେଇ ଶ୍ରମକୋଡ଼୍ ଆଣିଲେ । ସରକାରଙ୍କ ଏହି ଜନବିରୋଧୀ ଷଡ଼ଯନ୍ତ୍ରର ସଦ୍ୟତମ ଶୀକାର ହୋଇଛନ୍ତି ଦେଶର କୃଷକ, ଭାଗଚାଷୀ ଓ ସାଧାରଣ ଖାଉଟୀ । କୃଷି କ୍ଷେତ୍ରରେ କର୍ପୋରେଟଙ୍କ ଲୁଟ୍କୁ ଅବାଧ ଓ ସହଜ କରିଦେବା ପାଇଁ ଗତ ଜୁନ୍ ମାସରେ ହିଁ କୌଣସି ପ୍ରକାର ବିଚାର ଆଲୋଚନା ବିନା କୃଷି ସଂସ୍କାର ନାଁରେ ତିନୋଟି କଳା ଅଧ୍ୟାଦେଶକୁ ଦେଶର କୋଟି କୋଟି କୃଷକଙ୍କ ଉପରେ ଏକଦମ୍ ଲଦି ଦିଆଗଲା । ଦେଶର କୃଷି କ୍ଷେତ୍ରରେ ସବଠାରୁ ବଡ଼ ମୌଳିକ ପରିବର୍ତ୍ତନ ଆଣିବାକୁ ଏପରିକି କୃଷି ଉପରେ ନିର୍ଭରଶୀଳ ଦେଶର ପ୍ରାୟ ୭୦ ଭାଗ ଜନତାଙ୍କ ଜୀବନ ଜୀବିକା ଉପରେ ଭୟଙ୍କର ପ୍ରଭାବ ପକାଇବାକୁ ଯାଉଥିବା ଉପରୋକ୍ତ ଅଧ୍ୟାଦେଶ ଗୁଡ଼ିକ ଇତି ମଧ୍ୟରେ ସଂସଦରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରିବା ପରେ ଆଇନରେ ପରିଣତ ହୋଇସାରିଛି ।

କେନ୍ଦ୍ର ସରକାର ତିନୋଟି କୃଷି ଆଇନକୁ କୃଷକମାନଙ୍କ ସ୍ୱାର୍ଥରେ ଆଣିଛନ୍ତି ବୋଲି ବାରମ୍ବାର କହୁଛନ୍ତି । କୃଷିରେ ବଡ଼ କମ୍ପାନୀମାନେ ପଶିଲେ କୃଷକଙ୍କ କ’ଣ ଲାଭ ହେବ, ତାହା ସରକାର ହିଁ ଜାଣନ୍ତି । ଏଠାରେ ପ୍ରଶ୍ନ ଉଠେ, ଯଦି ଏସବୁ ଆଇନ ଦେଶର କୃଷକଙ୍କ ସ୍ୱାର୍ଥରେ ଏତେ ଜରୁରୀ ଥିଲା, ତାହେଲେ ତାକୁ ଆଣିବା ପାଇଁ ଦେଶର କୌଣସି କୃଷକ ସଙ୍ଗଠନ ଏଯାଏଁ କେବେ ଦାବି ବା ଆନ୍ଦୋଳନ କରିନଥିଲେ କାହିଁକି ? ଯଦି ତାହା କୃଷକମାନଙ୍କ ପାଇଁ ଏତେ ଭଲ, ତାହେଲେ ଦେଶର ସମସ୍ତ କୃଷକ ସଙ୍ଗଠନ ଏହାକୁ ଏତେ ପ୍ରବଳ ବିରୋଧ କରୁଛନ୍ତି କାହିଁକି ?

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ଆନ୍ଦୋଳନରେ ସାମିଲ ଦେଶର ପାଂଚ ଶହରୁ ଉର୍ଦ୍ଧ କୃଷକ ସଙ୍ଗଠନମାନଙ୍କ କଥା ଛାଡ଼ନ୍ତୁ, ଖୋଦ ଆର ଏସ ଏସ ନିଜର କୃଷକ ସଙ୍ଗଠନ, ଭାରତୀୟ କିଶାନ୍ ସଂଘ ବି ସରକାରଙ୍କ ନୂଆ ଆଇନ ନେଇ ନିଜର ଅସହମତି ପ୍ରକାଶ କରିଛି । ଆର ଏସ ଏସ ଅନ୍ୟତମ ସଙ୍ଗଠନ ସ୍ୱଦେଶୀ ଜାଗରଣ ମଂଚ, ଏହି ଆଇନ ଯୋଗୁଁ ଭାରତର କୃଷି କ୍ଷେତ୍ରରେ ବିଦେଶୀ କମ୍ପାନୀମାନେ ପ୍ରବେଶ କରିବେ ବୋଲି ଆଶଙ୍କା ପ୍ରକାଶ କରିଛି । ଅତଏବ ସରକାରଙ୍କ ଯଦି ପ୍ରକୃତରେ ଏନେଇ କୌଣସି ଉଲ ଉଦେଶ୍ୟ ଥାଆନ୍ତା ତାହେଲେ କୃଷି ଉପରେ ନିର୍ଭରଶୀଳ ଦେଶର ପ୍ରାୟ ସତୁରୀ ଭାଗ ଲୋକଙ୍କ ଜୀବନକୁ ପ୍ରଭାବିତ କରିବାକୁ ଯାଉଥିବା ଏହି ଆଇନକୁ ଆଣିବା ପୂର୍ବରୁ ସମସ୍ତ ଅଂଶୀଦରମାନଙ୍କ ସହ ବ୍ୟାପକ ବିଚାର ଆଲୋଚନା କରିଥାନ୍ତେ ।

ଅଗଣତାନ୍ତ୍ରିକ ରାସ୍ତାରେ କୃଷି ଆଇନର ପ୍ରଣୟନ- ସାଧାରଣତଃ ସଂସଦର ଅଧିବେଶନ ବସି ନଥିବା ବେଳେ ଦେଶରେ ସେଭଳି କୌଣସି ଜରୁରୀ ଆବଶ୍ୟକତା ଦେଖାଗଲେ ହିଁ ସରକାର ଅଧ୍ୟାଦେଶ ଆଣିବାର ବ୍ୟବସ୍ଥା ରହିଛି । କିନ୍ତୁ କରୋନା ଏବଂ ତଦ୍ଜନିତ ଲକ୍ଡ଼ାଉନ୍ ଯୋଗୁଁ ଦେଶର ସାଧାରଣ ଜନତା ବସ୍ତୁତଃ ଗୃହବନ୍ଦୀ ହୋଇ ରହିଥିବା ବେଳେ ସରକାର କେଉଁ ଜରୁରୀ କାରଣରୁ ଏଭଳି ତରବରିଆ ଭାବେ କୃଷି ଅଧ୍ୟାଦେଶଗୁଡ଼ିକୁ ଆଣିଲେ ସେନେଇ ଅନେକ ପ୍ରଶ୍ନ ଉଠିବା ସ୍ୱାଭାବିକ । ଯଦି ସେସବୁ ଅଧ୍ୟାଦେଶ ପ୍ରକୃତରେ କୃଷକଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ତାହେଲେ କୃଷକ ଓ କୃଷକ ସଙ୍ଗଠନମାନଙ୍କୁ ବିଶ୍ୱାସକୁ ନିଆଗଲା ନାହିଁ କାହିଁକି? କୃଷିକ୍ଷେତ୍ରରେ ଏତେ ବଡ଼ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି ନେବା ପୂର୍ବରୁ ସରକାର ଲକ୍ଡ଼ାଉନ୍ ସରି ଅବସ୍ଥା ସ୍ୱାଭାବିକ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେନି କାହିଁକି? ତେବେ କରୋନା ମହାମାରୀ ଓ ଲକ୍ଡ଼ାଉନ୍ ସମୟରେ ହିଁ ଏହିସବୁ ଜନବିରୋଧୀ ଅଧ୍ୟାଦେଶଗୁଡ଼ିକୁ ଆଣିବା ପଛରେ ମୁଖ୍ୟ କାରଣ ହେଲା, ଏନେଇ କୌଣସି ପ୍ରକାରର ବିରୋଧ, ଆନେ୍ଦାଳନ ଏବଂ ପ୍ରତିବାଦର ସୁଯୋଗ ନଦେବା । କାରଣ ସରକାର ଭାବିଥିଲେ ଯେ କରୋନା କଟକଣା ଓ ଲକ୍ଡ଼ାଉନ୍ ଲାଗି ସାରା ଦେଶରେ ସମସ୍ତ ପ୍ରକାର ରାଜନୈତିକ ଓ ସାମାଜିକ କାର୍ଯ୍ୟକଳାପ ଉପରେ କଟକଣା ଜାରୀ ରହିଛି ଏବଂ ସେତିକିବେଳେ ଅଧ୍ୟାଦେଶକୁ ଆଣିଲେ, ଲୋକେ ତାର ବିରୋଧ କରିବାର ସୁଯୋଗ ପାଇଲେ ନାହିଁ ।

ଆମ ସମ୍ବିଧାନ ଅନୁସାରେ କୃଷି, ଏକ ରାଜ୍ୟ ତାଲିକାଭୁକ୍ତ ବିଷୟ । ଅର୍ଥାତ୍ କୃଷି ସମ୍ପର୍କିତ ସମସ୍ତ ନିଷ୍ପତ୍ତି ଏବଂ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ କ୍ଷମତାଭୁକ୍ତ ଅଟେ । ଏପରିକି କୃଷି ସମ୍ପର୍କିତ କେନ୍ଦ୍ର ସରକାରଙ୍କ ଯେକୌଣସି ଯୋଜନାକୁ ରାଜ୍ୟ ସରକାରମାନଙ୍କ ଜରିଆରେ ହିଁ କାର୍ଯ୍ୟକାରୀ ହୋଇଥାଏ । କିନ୍ତୁ ଏହା ସତ୍ତ୍ୱେ କେନ୍ଦ୍ର ସରକାର କୃଷି କ୍ଷେତ୍ରରେ ତିନୋଟି ଗୁରୁତ୍ୱପୂର୍ଣ୍ଣ ଆଇନ ଆଣିବା ଆଗରୁ ରାଜ୍ୟ ସରକାରମାନଙ୍କ ସହ ଆଲୋଚନା କରିବାକୁ କିମ୍ବା ସେମାନଙ୍କ ମତାମତ ନେବାକୁ ବି ଉଚିତ ମନେ କଲେନି । ଆଜି କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ପାଇଁ ଦେଶର ବିରୋଧି ଦଳମାନଙ୍କୁ ସମାଲୋଚନା କରୁଥିବା ସରକାର ଆଇନ ପ୍ରଣୟନ ପୂର୍ବରୁ ସେମାନଙ୍କ ସହ ଆଲୋଚନା କରିବାକୁ ଉଚିତ ମନେ କରିନାହାନ୍ତି । ସବୁଠାରୁ ବଡ଼ କଥା ହେଲା, ବିଲ୍ ଉପରେ ଖୋଦ୍ ସଂସଦରେ ମଧ୍ୟ କୌଣସି ସାର୍ଥକ ଆଲୋଚନା କରିବାକୁ ସୁଯୋଗ ଦିଆଗଲାନି । ମାତ୍ର କିଛି ଘଣ୍ଟା ମଧ୍ୟରେ ଅତ୍ୟନ୍ତ ଅଗଣତାନ୍ତ୍ରିକ ଭାବେ ବାଚନିକ ଭୋଟରେ କୃଷିବିଲ୍କୁ ଯେଉଁଭଳି ଭାବେ ପାସ୍ କରାଇଲେ, ସେଥିରୁ ସରକାରଙ୍କ ମନ୍ଦ ଉଦେଶ୍ୟଟି ସ୍ପଷ୍ଟ ଜଣାପଡ଼ୁଛି ।

ସରକାର କୃଷକଙ୍କ ସ୍ୱାର୍ଥରକ୍ଷା ନାଁରେ ଆଣିଥିବା ଉପରୋକ୍ତ ତିନୋଟି ଆଇନ ଯେ ପ୍ରକୃତରେ ଦେଶର କୃଷକଙ୍କ ସର୍ବନାଶ କରିବାକୁ ଯାଉଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । ଏହି କାରଣରୁ ହିଁ ସମଗ୍ର ପ୍ରକ୍ରିୟାରେ କୃଷକ, ଉପଭୋକ୍ତା, ରାଜ୍ୟ ସରକାର, ବିରୋଧୀ ଦଳ ପରି କୌଣସି ବି ଅଂଶୀଦାରଙ୍କୁ ବିଶ୍ୱାସକୁ ନ ନେଇ ଅତ୍ୟନ୍ତ ଗୋପନୀୟ ଓ ତରବରିଆ ଭାବେ ଆଇନକୁ ଆଣିବାକୁ ଷଡ଼ଯନ୍ତ୍ର କରିଛନ୍ତି । ଆଜି କୃଷକଙ୍କ ବିରୋଧ ପରେ ବି ସରକାର ଉପରୋକ୍ତ କଳା ଆଇନଗୁଡ଼ିକୁ ଫେରାଇବାକୁ କିମ୍ବା ସେନେଇ କୃଷକ ନେତାମାନଙ୍କ ସହ କୌଣସି ସାର୍ଥକ ମନଖୋଲା ଆଲୋଚନା କରିବାକୁ ବି ପ୍ରସ୍ତୁତ ନହେବା, ସରକାରର ଜନବିରୋଧୀ ତଥା ଫାଶିବାଦୀ ଆଭିମୁଖ୍ୟକୁ ହିଁ ଉଜାଗର କରୁଛି ।

ଲଢ଼ୁଆ କୃଷକ ଆନ୍ଦୋଳନ ହିଁ କୃଷି ଓ କୃଷକଙ୍କୁ ବଂଚାଇବ

ସରକାର ତିନୋଟି ଆଇନକୁ ଦେଶର କୃଷି କ୍ଷେତ୍ରରେ ଗେମ୍ ଚେଞ୍ଜର ବୋଲି କହିବା ସହିତ ଏହାକୁ ନିଜର ଏକ ବହୁତ ବଡ଼ ଉପଲବ୍ଧି ବୋଲି ପ୍ରଚାର କରୁଛନ୍ତି । କିନ୍ତୁ ବାସ୍ତବତା ହେଲା, ଏହି ଆଇନ ଦେଶର କୋଟି କୋଟି କୃଷକକୁ କୃଷିରୁ ବେଦଖଲ କରିବା ସହିତ ଭାରତର କୃଷିକୁ ଦେଶୀ ବିଦେଶୀ ବୃହତ୍ କର୍ପୋରେଟଙ୍କ ହାତରେ ସବୁଦିନ ପାଇଁ ଟେକି ଦେବ । ଅତଏବ ଦେଶର କୃଷି, କୃଷକ ଏବଂ ଉପଭୋକ୍ତା ସମସ୍ତଙ୍କ ପାଇଁ ଏହି ତିନି ଆଇନ ମୃତ୍ୟୁ ଘଣ୍ଟି ହେବ । କୃଷି ସଂସ୍କାର ଓ କୃଷକଙ୍କୁ ସ୍ୱାଧୀନତା ଦେବା ନାଁରେ ମୋଦୀ ସରକାରଙ୍କ ଏଭଳି ବିପଜ୍ଜନକ ପଦକ୍ଷେପ ପ୍ରକୃତରେ କୃଷକଙ୍କୁ ନୁହେଁ ବରଂ ଦେଶୀ ବିଦେଶୀ କମ୍ପାନୀମାନଙ୍କୁ ଲୁଟିବାର ସ୍ୱାଧୀନତା ଦେବାକୁ ଯାଉଛି । କୃଷକଙ୍କ ମୁକ୍ତି ନାଁରେ ସରକାର ଦେଶର କୋଟି କୋଟି କୃଷକଙ୍କୁ କୃଷିରୁ ହିଁ ସବୁଦିନ ପାଇଁ ମୁକ୍ତ କରିଦେବାର ରାସ୍ତା ଖୋଲିଛନ୍ତି । ଲକ୍ଡ଼ାଉନ୍ର ଆଢ଼ୁଆଳରେ ଅଣାଯାଇଥିବା ଉପରୋକ୍ତ ତିନୋଟି ଆଇନ, ଦେଶର କୃଷକ, କୃଷି ଶ୍ରମିକ ଏବଂ ସାଧାରଣ ଉପଭୋକ୍ତାଙ୍କ ଟ୍ରିପଲ ମର୍ଡ଼ର ପରି ହୋଇଛି । ଅତଏବ ଦେଶର କୃଷିର ସାର୍ବଭୌମତା ସହିତ କୋଟି ଚାଷୀ, କୃଷି ଶ୍ରମିକଙ୍କ ଜୀବିକା ଏବଂ ସାଧାରଣ ଖାଉଟିଙ୍କ ସ୍ୱାର୍ଥ ଉପରେ ଆରମ୍ଭ ହୋଇଥିବା ସବୁଠାରୁ ବଡ଼ ଆକ୍ରମଣକୁ ପ୍ରତିରୋଧ ଓ ପ୍ରତିହତ କରିବା ଏକ ମହାନ ଦେଶପ୍ରେମୀ କର୍ତ୍ତବ୍ୟ ।

ଆମ ଦେଶରେ କୃଷକ ଆନ୍ଦୋଳନର ଏକ ଲଢ଼ୁଆ ପରମ୍ପରା ରହିଛି । ସାମନ୍ତବାଦୀ ଓ ପୁଞ୍ଜିବାଦୀ ଶୋଷଣରୁ ମୁକ୍ତି ପାଇଁ ଭାରତର କୃଷକମାନେ ଅତୀତରେ ଅନେକ ବୀରତ୍ୱପୂର୍ଣ୍ଣ ସଂଗ୍ରାମ କରିଛନ୍ତି । ସ୍ୱାଧୀନତା ପୂର୍ବର ବ୍ରିଟିଶ ଉପନିବେଶବାଦ ବିରୋଧରେ ଅଗଣିତ କୃଷକ ଆନ୍ଦୋଳନ, ଆଦିବାସୀ ବିଦ୍ରୋହ ହେଉ ଅଥବା ପରବର୍ତ୍ତୀ ପର୍ଯ୍ୟାୟରେ ତେଲେଙ୍ଗାନାର ସଶସ୍ତ୍ର ବିଦ୍ରୋହଠାରୁ ଆରମ୍ଭ କରି ତେଭାଗା, ନକ୍ସାଲବାଡ଼ିର କୃଷକ ଆନ୍ଦୋଳନ ହେଉ ସବୁଥିରେ କୃଷକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଭାଗନେଇ ଶାସକ ଶ୍ରେଣୀର ଜନବିରୋଧୀ ନୀତି ଓ ଦମନର ପ୍ରତିରୋଧ କରିଛନ୍ତି । ଆଜି ମୋଦୀ ସରକାର ନେତୃତ୍ୱରେ ଦେଶରେ ଚାଲିଥିବା କର୍ପୋରେଟ୍ରାଜ୍ ବିରୁଦ୍ଧରେ ଭାରତର କୃଷକମାନେ ପୁଣି ଥରେ ସେହି ପରମ୍ପରାକୁ ଆଗେଇ ନେଇ ସଂଗ୍ରାମର ଆଗଧାଡ଼ିରେ ଠିଆ ହୋଇଛନ୍ତି । ଦିଲ୍ଲୀର ଐତିହାସିକ କୃଷକ ଆନ୍ଦୋଳନ ସରକାରର ସାମ୍ରାଜ୍ୟବାଦ ସପକ୍ଷବାଦୀ ନୀତି ବିରୁଦ୍ଧରେ ଆଜି ଦେଶବାସୀଙ୍କୁ ଜାଗ୍ରତ କରିପାରିଛି । ସରକାର ସହିତ ସରକାରର ଉପରୋକ୍ତ କୃଷକବିରୋଧୀ ନୀତିର ସିଧାସଳଖ ଲାଭାର୍ଥୀ ଭାବେ ପରିଚିତ ଦେଶର ବଡ କର୍ପୋରେଟମାନଙ୍କୁ ଏହି ଆନ୍ଦୋଳନ ଟାର୍ଗେଟ୍ କରିଛି । ଏଠାରେ ଜାଣିରଖିବା ଦରକାର ଯେ କୃଷକମାନଙ୍କ ଏହି ଐତିହାସିକ ସଂଗ୍ରାମ କେବଳ ସେମାନଙ୍କ ପାଇଁ ହିଁ ନୁହେଁ, ବରଂ ଏହା ସମଗ୍ର ଦେଶବାସୀଙ୍କ ସ୍ୱାର୍ଥରେ ଅଭିପ୍ରେତ । ନିକଟ ଅତୀତରେ ମୋଦୀ ନେତୃତ୍ୱାଧୀନ ବିଜେପି- ଆର ଏସ ଏସ ସରକାର ଦେଶର ଶ୍ରମ ଆଇନକୁ ବାତିଲ କରି ଶ୍ରମ କୋଡ଼ର ପ୍ରଚଳନ କରିଛନ୍ତି । କର୍ପୋରେଟଙ୍କ ସ୍ୱାର୍ଥରେ ଦେଶର ଶ୍ରମିକ ଶ୍ରେଣୀର କଷ୍ଟଲବ୍ଧ ଅଧିକାରକୁ ଛଡ଼େଇ ନେବାର ନୀତିକୁ ରୋକିବାରେ ଶ୍ରମିକ ଶ୍ରେଣୀ ସଫଳ ହୋଇପାରିନି । କିନ୍ତୁ କୃଷକଙ୍କ ଲଢ଼େଇ ନିଶ୍ଚିତଭାବେ ସେମାନଙ୍କ ମନୋବଳକୁ ବଢ଼ାଇବ । ଯଦି କୃଷକ ଆନ୍ଦୋଳନ ବିଜୟୀ ହୁଏ, ତାହେଲେ କେବଳ କଳା କୃଷି ଆଇନର ପ୍ରତ୍ୟାହାର ହିଁ ହେବନି ବରଂ ଆଗାମୀ ଦିନରେ କର୍ପୋରେଟଙ୍କ ପାଇଁ ସରକାର ଆଣିବାକୁ ଯାଉଥିବା ଅନ୍ୟ ଆଇନଗୁଡ଼ିକୁ ରୋକିବାରେ ସହାୟକ ହେବ ।

ସରକାରଙ୍କ ସହ କୃଷକଙ୍କ ନିକଟରେ ଅନୁଷ୍ଠିତ ଆଲୋଚନାରେ ସରକାର ପ୍ରସ୍ତାବିତ ବିଦୁ୍ୟତ୍ ସଂଶୋଧନ ବିଲ୍ ଏବଂ ପରାଳୀ ସମ୍ପର୍କିତ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବାକୁ ଯଦିଓ ରାଜି ହୋଇଛନ୍ତି କିନ୍ତୁ ଉପରୋକ୍ତ ତିନୋଟି କଳା କୃଷି ଆଇନର ପ୍ରତ୍ୟାହାର ଏବଂ ଏମ୍ଏସପି ପାଇଁ ଆଇନ ପ୍ରଣୟନ କରିବାକୁ କୃଷକଙ୍କ ଦାବୀ ଉପରେ କୌଣସି ଘୋଷଣା କରିନାହାନ୍ତି । ଅତଏବ, ତିନୋଟି କୃଷକବିରୋଧୀ କଳା ଆଇନର ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବୀରେ ଚାଲିଥିବା ଏହି ଐତିହାସିକ ଲଢ଼େଇକୁ ଆମକୁ ବିଜୟୀ କରିବାକୁ ହେବ । ଦେଶର କୃଷି, କୃଷକ ଏବଂ ଖାଦ୍ୟ ସୁରକ୍ଷାକୁ ବଞ୍ଚେଇବା ପାଇଁ କୃଷକ, କୃଷି ଶ୍ରମିକ, ଭାଗଚାଷୀ ଏବଂ ସାଧାରଣ ଜନତାକୁ ଏହି ଆନ୍ଦୋଳନରେ ସାମିଲ କରିବାକୁ ହେବ ।

Comments

0 comments

Share This Article