ଶିଶିର କୁମାର ଘୋଷ (୧୮୪୦-୧୯୧୧) ଏବଂ ତାଙ୍କ ସାନ ଭାଇ ମୋତିଲାଲ ଘୋଷ (୧୮୪୫-୧୯୨୨) ଅମି୍ରତ(ବଙ୍ଗଳା ଉଚ୍ଚାରଣ: ଅମ୍ରିତ, ଓଡ଼ିଆରେ ଅମୃତ) ବାଜାର ପତ୍ରିକା ନାଁରେ ଏକ ସାପ୍ତାହିକ ଖବରକାଗଜ ପ୍ରକାଶ କରିଥିଲେ । ବଙ୍ଗଳା ଭାଷାରେ ୧୮୬୮ ଫେବୃଆରୀ ୨୦ରେ ପ୍ରଥମ ପ୍ରକାଶିତ ଏ ପତ୍ରିକାଟି ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲା ।
ଉଭୟ ଶିଶିର କୁମାର ଘୋଷ ଏବଂ ମୋତିଲାଲ ଘୋଷ ଭାରତୀୟ । ଭାରତରେ ଜାତୀୟତାବୋଧ ଜାଗ୍ରତ କରିବାର ଚେଷ୍ଟାରେ ଏବଂ ସ୍ୱାଧୀନତା ସଂଗ୍ରାମରେ ଅତ୍ୟନ୍ତ ସକ୍ରିୟ ଥିଲେ ।
ଶିଶିର କୁମାର ଘୋଷ ୧୮୭୫ରେ ଇଣ୍ଡିଆ ଲିଗ୍ ସ୍ଥାପନ କରିବାରେ ଅଗ୍ରସୂରୀର ଭୂମିକା ନେଇଥିଲେ । ଏ ସଂଗଠନର ଉଦେ୍ଶ୍ୟ ଥିଲା ଲୋକଙ୍କ ଭିତରେ ଜାତୀୟତାବୋଧର ଚେତନା ଜାଗ୍ରତ କରିବା । କୋଲକାତା ବିଶ୍ୱବିଦ୍ୟାଳୟର ପ୍ରଥମ ବ୍ୟାଚ ଛାତ୍ରମାନେ ଯେଉଁମାନେ ୧୮୫୭ରେ ଏନଟ୍ରାନସ୍ ପରୀକ୍ଷା ପାଶ କରିଥିଲେ, ଶିଶିର କୁମାର ଘୋଷ ତାଙ୍କ ଭିତରୁ ଜଣେ ଥିଲେ ।
ଏ ପତ୍ରିକାର ନାଁ ଅମ୍ରିତ ବାଜାର କାହିଁକି ଦିଆଗଲା(?), ତା’ପଛରେ ଗୋଟେ ଛୋଟ କାହାଣୀଟିଏ ଅଛି । ଶିଶିର ଏବଂ ମୋତିଲାଲଙ୍କ ବାପା ହରିନାରାୟଣ ଘୋଷ ଥିଲେ ବର୍ତ୍ତମାନ ବାଂଲାଦେଶର ଯଶୋର ଜିଲ୍ଲାର ଖ୍ୟାତନାମା ଓକିଲ । ଘୋଷ ପରିବାର ଥିଲା ବେଶ ସଂଭା୍ରନ୍ତ ଧନୀ ପରିବାର । ସେମାନେ ଗୋଟେ ବଜାର ବସାଇଥିଲେ ଆଉ ସେ ବଜାରର ନାଁ ଦିଆହୋଇଥିଲା ଅମ୍ରିତମୟୀ ବାଜାର । ଅମ୍ରିତମୟୀ ହେଉଛି ଶିଶିର କୁମାର ଘୋଷ ଏବଂ ମୋତିଲାଲ ଘୋଷଙ୍କ ମାଙ୍କ ନାଁ । ମାଙ୍କ ନାଁରେ ସେମାନେ ପତ୍ରିକାଟିର ନାମକରଣ କରିଥିଲେ: ଅମ୍ରିତ ବାଜାର ପତ୍ରିକା । ଏହା ପ୍ରଥମେ ସାପ୍ତାହିକୀ ଭାବରେ ବାହାରିଲା । ଏ ପତ୍ରିକାଟି ପ୍ରକାଶ ପୂର୍ବରୁ ସେ ହିନ୍ଦୁ ପାଟ୍ରି୍ରଅଟ୍ କାଗଜର ଯଶୋର ଜିଲ୍ଲା ସମ୍ବାଦଦାତା ଭାବରେ କାର୍ଯ୍ୟ କରିଥିଲେ ଏବଂ ଚାଷୀମାନଙ୍କର, ବିଶେଷକରି ନୀଳ ଚାଷୀମାନଙ୍କ ଦୁର୍ଦ୍ଦଶା କଥା ଲେଖିଥିଲେ । ୧୯୬୨ଶେଷ ଆଡ଼କୁ ସେ ବସନ୍ତ କୁମାର ନାମକ ଜଣେ ଖ୍ରୀଷ୍ଟାନ୍ ଧର୍ମପ୍ରଚାରକଙ୍କ ସହାୟତାରେ ମାତ୍ର ୩୨ଟଙ୍କାରେ ଗାଟେ କାଠ ପ୍ରେସ କିଣିଥିଲେ । ଏଥିରେ ସେ ଅମ୍ରିତ ପ୍ରବାହ ନାଁରେ ଗୋଟେ ପାକ୍ଷିକ ସାହିତ୍ୟ ସଂସ୍କୃତି ପତ୍ରିକା ପ୍ରକାଶ କଲେ । ଏହାର ଅଧିକାଂଶ ଲେଖା ସେ ନିଜେ ଲେଖୁଥିଲେ । ନିଜେ ବି ଛାପାଖାନାରେ ତାକୁ ଛାପୁଥିଲେ । ଡିସେମ୍ବର ୧୮୬୨ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଲା । ଏହି ପତ୍ରିକାଟି ୧୮୬୮ରେ ଅମ୍ରିତ ବାଜାର ପତ୍ରିକା ନାଁରେ ସାପ୍ତାହିକ ଭାବେ ପ୍ରକାଶ ପାଇଲା ।
ସେତେବେଳେ ନୀଳ ଚାଷପାଇଁ ବ୍ରିଟିଶ ପ୍ରଶାସନ ଚାଷୀମାନଙ୍କୁ ବାଧ୍ୟ କରୁଥିଲେ । ଅମ୍ରିତ ବାଜାର ପତ୍ରିକା ଏହା ବିରୋଧରେ ଜନ ସଚେତନତା ଜାଗ୍ରତ କରିବା ଆରମ୍ଭ କଲା ଏବଂ ଚାଷୀମାନଙ୍କର ଅଧିକାର ପାଇଁ ସ୍ୱର ଉତ୍ତୋଳନ କଲା । ସେମାନେ କ୍ରମାଗତ ଭାବେ ବ୍ରିଟିଶ ପ୍ରଶାସନ ବିରୁଦ୍ଧରେ ଲେଖି ପ୍ରଶାସନକୁ ବ୍ୟତିବ୍ୟସ୍ତ କରିଦେଲେ । ଏହାର ତିନିବର୍ଷ ପରେ ୧୮୭୧ରେ ସେ ଅଞ୍ଚଳରେ ମହାମାରୀ ହେଲା ଏବଂ ସେମାନେ ୧୮୭୨ରେ ଏ ପତ୍ରିକାଟିକୁ କୋଲକାତାକୁ ଉଠେଇନେଲେ ।
କୋଲକତାରେ ଏହା ଇଂରାଜୀ ଏବଂ ବଙ୍ଗଳା ଦ୍ୱିଭାଷୀ ସାପ୍ତାହିକୀ ଭାବରେ ପ୍ରକାଶ ପାଇବାପାଇଁ ଲାଗିଲା । ଆରମ୍ଭରୁ ଏ ପତ୍ରିକାଟି ବ୍ରିଟିଶ ସରକାରଙ୍କର ନୀତି ଏବଂ ଜନବିରୋଧୀ କାର୍ଯ୍ୟକଳାପ ବିରୋଧରେ ସ୍ୱର ଉତ୍ତୋଳନ କରିଆସିଥିଲା । ଫଳରେ ଏହା ବ୍ରିଟିଶ ସରକାରଙ୍କର ବିଷ ଦୃଷ୍ଟିରେ ପଡ଼ିଥିଲା । ତେବେ ଏ କ୍ଷେତ୍ରରେ ଘୋଷ ଭାଇମାନେ କୌଣସି ସାଲିସ କରିବାକୁ ପ୍ରସ୍ତୁତ ନଥିଲେ ।
ଗୋଟେ ସମୟରେ ତତକାଳୀନ ବଙ୍ଗଳାର ଲେଫଟନାଣ୍ଟ୍ଣ୍ଟଗଭର୍ଣ୍ଣର ହାସ୍ଲେ ଇଡେନ ଶିଶିର କୁମାର ଘୋଷଙ୍କୁ ଡକାଇ ପଠାଇଲେ ଏବଂ କହିଥିଲେ ଯେ ସେ ମଧ୍ୟ ଏ ଖବର କାଗଜରେ ଲେଖିବାପାଇଁ ଚାହାନ୍ତି । କିନ୍ତୁ ଗୋଟିଏ ସର୍ତ୍ତ ଯେ ପତ୍ରିକାରେ କଣ ପ୍ରକାଶ ପାଉଛି ତାହା ତାଙ୍କ ଅନୁମୋଦନ ପରେ ହିଁ ପ୍ରକାଶ ପାଇବ । ଶିଶିର କୁମାର ଘୋଷ ତାଙ୍କର ପ୍ରସ୍ତାବକୁ ଖାରଜ ତ କଲେ ଏବଂ ତାଙ୍କୁ ଯେଉଁ କଥା କହିଥିଲେ ତାହା ଆଜି ପର୍ଯ୍ୟନ୍ତ ପ୍ରାସଙ୍ଗିକ ହୋଇ ରହିଛି । ସେ କହିଥିଲେ: ଦେଆର ଅଟ ଟୁ ବି ଆଟ୍ ଲିଷ୍ଟ ୱାନ ଅନେଷ୍ଟ ଜର୍ଣ୍ଣାଲିଷ୍ଟ ଇନ ଦି ଲ୍ୟାଣ୍ଡ । ଏ ଭୂମିରେ ଅନ୍ତତଃ ଜଣେ ସତ୍ ସାମ୍ବାଦିକ ରହିବା ଆବଶ୍ୟକ ।
ବ୍ରିଟିଶ୍ ପ୍ରଶାସନ ଏ ଖବର କାଗଜଟିକୁ ବନ୍ଦ କରିଦେବା ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରିଥିଲେ । ୧୮୭୮ରେ ଭାରତର ତତ୍କାଳୀନ ଭାଇସରୟ ଲର୍ଡ ଲିଟନ ଭର୍ଣ୍ଣାକୁଲାର ପ୍ରେସ ଆକ୍ଟ ବା ଦେଶୀୟ ଭାଷା ଆଇନ୍ ଲାଗୁ କଲେ । ଏ ଆଇନଟି ଥିଲା ଦେଶୀୟ ଭାଷାରେ ପ୍ରକାଶିତ ଖବରକାଗଜ ପାଇଁ । ଐତିହାସିକମାନେ କହନ୍ତି ଯେ ଏ ଦେଶୀୟ ଭାଷା ଆଇନଟି ମୁଖ୍ୟତଃ ଅମି୍ରତ ବାଜାର ପତ୍ରିକାକୁ ପାନେ ଚଖେଇବା ପାଇଁ ଉଦ୍ଦିଷ୍ଟ ଥିଲା । ଏ ଆଇନରେ ପୋଲିସକୁ ଯେ କୌଣସି ମୁଦ୍ରିତ ପତ୍ରିକାକୁ ଜବତ କରିବାର କ୍ଷମତା ଦିଆଯାଇଥିଲା ଏବଂ ଏ ଆଇନ୍ ଅନୁସାରେ ଅନେକ ଖବର କାଗଜକୁ ଅର୍ଥଦଣ୍ଡ ଏବଂ ସଂପାଦକମାନଙ୍କୁ ଜେଲଦଣ୍ଡ ଦିଆଯାଇ ଥିଲା । ଅମ୍ରିତ ବାଜାର ପତ୍ରିକା ରାତାରାତି ବଙ୍ଗଳାରୁ ସମ୍ପୂର୍ଣ୍ଣ ଇଂରାଜୀ ଖବରକାଗଜରେ ପରିଣତ ହୋଇଗଲା ଯାହା ଫଳରେ ତାଙ୍କ ପ୍ରତି ସେ ଆଇନ ଆଉ ଲାଗୁହୋଇ ପାରିଲା ନାହିଁ ।
୧୮୮୭ରେ ମୋତିଲାଲ ଏ କାଗଜର ଯୁଗ୍ମ ସମ୍ପାଦକ ହେଲେ ଏବଂ ୧୮୮୮ରୁ ପତ୍ରିକାଟିର ସମ୍ପୂର୍ଣ୍ଣ ପରିଚାଳନା ଭାର ନେଲେ । ୧୮୯୦ରୁ ଏହା ଦୈନିକ ଭାବରେ ପ୍ରକାଶିତ ହେଲା ।
ସରକାରଙ୍କର ବିଷଦୃଷ୍ଟି ସତ୍ତ୍ୱେ ଅମି୍ରତ ବାଜାର ପତ୍ରିକା ବ୍ରିଟିଶ ପ୍ରଶାସନ ବିରୁଦ୍ଧରେ ତାଙ୍କର ସଂଗ୍ରାମ ଜାରି ରଖିଥିଲେ । ବାଳ ଗଙ୍ଗାଧର ତିଳକଙ୍କ ବିରୁଦ୍ଧରେ ଲାଗୁ ହୋଇଥିବା ଦେଶଦ୍ରୋହ ଅଭିଯୋଗଜନିତ ମକଦ୍ଦମା ଲଢ଼ିବା ପାଇଁ ଅମ୍ରିତ ବାଜାର ପତ୍ରିକା ଅର୍ଥ ସଂଗ୍ରହ ଅଭିଯାନ ଆରମ୍ଭ କରିଥିଲା । ୧୯୦୫ରେ ବଙ୍ଗଭଙ୍ଗ ବିରୁଦ୍ଧରେ ଏ ପତ୍ରିକାଟି ସବୁଠାରୁ ଅଧିକ ସ୍ୱର ଉତ୍ତୋଳନ କରିଥିଲା । ସେ ସମୟରେ ଏହା ତତ୍କାଳୀନ ଭାରତର ଭାଇସରାୟ ଲର୍ଡ କର୍ଜନଙ୍କୁ ଉଦେ୍ଦଶ୍ୟ କରି ଲେଖିଥିଲା: ଆନ ୟଙ୍ଗ୍ ଆଣ୍ଡ୍ ଲିଟିଲ୍ ଫପିସ ଆଣ୍ଡ୍ ଉଇଦାଉଟ ପ୍ରିଭିଅସ ଟ୍ରେନିଂ ବଟ୍ ଇନଭେଷ୍ଟଡ ଉଇଥ ଅନଲିମିଟେଡ ପାୱାରସ୍ । ସେ କମ ବୟସ୍କ ଏବଂ ଟିକିଏ ଆଗଚଲା ବି ଆଉ ବିନା କୌଣସି ପ୍ରଶିକ୍ଷଣ ବା ଅଭିଜ୍ଞତା ତାଙ୍କୁ ଅସୀମିତ କ୍ଷମତା ଦିଆଯାଇଛି ।
ସୁଭାଷ ଚନ୍ଦ୍ର ବୋଷ ଏବଂ ଅନ୍ୟାନ୍ୟ କେତେକ ଛାତ୍ରଙ୍କୁ ଯେତେବେଳେ କୋଲକତାର ପ୍ରେସିଡେନସି କଲେଜରୁ ବହିଷ୍କାର କରାଯାଇଥିଲା, ସେତେବେଳେ ବି ଅମ୍ରିତ ବାଜାର ପତ୍ରିକା ଏହା ବିରୋଧରେ ସ୍ୱର ଉତ୍ତୋଳନ କରିଥିଲା ଏବଂ ଏହାରି ଫଳରେ ବୋଧହୁଏ ସେମାନଙ୍କୁ ପୁଣିଥରେ ପ୍ରେସିଡେନସି କଲେଜକୁ ନିଆଯାଇଥିଲା । ଅମ୍ରିତ ବାଜାର ପତ୍ରିକା ଅନେକ ଅନୁସନ୍ଧାନମୂଳକ ଖବର ପ୍ରକାଶ କରି ବ୍ରିଟିଶ୍ ସରକାରଙ୍କ ମୁଖା ଖୋଲିଦେଇଥିଲା । କାଶ୍ମୀରରେ ପ୍ରତାପ ସିଂହଙ୍କୁ ତାଙ୍କ ସିଂହାସନ ଫେରାଇବାରେ ଅମ୍ରିତ ବାଜାର ପତ୍ରିକାର ରିପୋର୍ଟ ପ୍ରଧାନ ଆୟୁଧ ହୋଇଥିଲା । ୧୮୯୯ରେ ପାରିତ ଅଫିସିଆଲ୍ ସିକ୍ରେଟସ ଆକ୍ଟ ମଧ୍ୟ ଏହାକୁ ରୋକି ପାରିନଥିଲା ।
ଅମ୍ରିତ ବାଜାର ପତ୍ରିକା ବରାବର ପ୍ରେସ୍ ସ୍ୱାଧୀନତା ପାଇଁ ସ୍ୱର ଉତ୍ତୋଳନ କରିଛି । ୧୮୯୮ରେ ଦେଶଦ୍ରୋହ ଆଇନ୍ ଏବଂ ୧୯୦୪ରେ ଲର୍ଡ କର୍ଜନଙ୍କ ଅଫିସିଆଲ୍ ସିକ୍ରେଟ୍ସ ଆକ୍ଟ୍ର ସଂଶୋଧିତ ଆଇନ୍କୁ ପତ୍ରିକା କଠୋର ସମାଲୋଚନା କରିଛି ।
୧୮୮୮ରେ ମୋତିଲାଲ ଘୋଷ ଆଲାହାବାଦ କଂଗ୍ରେସ ଅଧିବେଶନରେ ଯୋଗ ଦେଇ ବିଧାନସଭାରେ ସିଧାସଳଖ ପ୍ରତିନିଧିତ୍ୱ କରିବା ଉପରେ ଜୋର ଦେଇଥିଲେ । ୧୯୦୭ରେ ସେ କଂଗ୍ରେସ୍ର କଠୋରପନ୍ଥୀ ଭାଗରେ ଯୋଗ ଦେଇଥିଲେ ଏବଂ ସ୍ୱଦେଶୀ ଆନେ୍ଦାଳନରେ ପ୍ରତ୍ୟକ୍ଷ ଓ ସକ୍ରିୟ ଭାବେ ଯୋଗ ଦେଇଥିଲେ ।
୧୯୧୧ରେ ଶିଶିର କୁମାର ଘୋଷଙ୍କ ମୃତ୍ୟୁ ପରେ ମୋତିଲାଲ ଘୋଷ ଏହାର ସମ୍ପାଦକ ହେଲେ । ସେ ଏ କାଗଜର ଜାତୀୟତାବାଦୀ, ବ୍ରିଟିଶ୍-ବିରୋଧୀ ଏବଂ ଅନୁସନ୍ଧିତ୍ସୁ ଚରିତ୍ର ବଜାୟ ରଖିଲେ । ୧୯୩୧ରୁ ଶିଶିର କୁମାର ଘୋଷଙ୍କ ପୁତ୍ର ତୁଷାରକାନ୍ତି ଘୋଷ ଏ କାଗଜଟିର ପରିଚାଳନା ଭାର ନେଲେ । ୧୯୩୫ରେ ଜଣେ ବ୍ରିଟିଶ୍ ବିଚାରପତିଙ୍କ ନିଷ୍ପକ୍ଷତାକୁ ପ୍ରଶ୍ନ କରିଥିବାରୁ ଏ କାଗଜର ସମ୍ପାଦକ ଭାବେ ତାଙ୍କୁ ଜେଲ୍ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
୧୯୩୭ରେ ଅମୃତ ବାଜାର ପତ୍ରିକା ସଂସ୍ଥା ପକ୍ଷରୁ ଏକ ବଙ୍ଗଳା ଦୈନିକ ଖବରକାଗଜ ଆରମ୍ଭ କରାଗଲା: ଯୁଗାନ୍ତର । ଏ କାଗଜଟି ମଧ୍ୟ ସ୍ୱାଧୀନତା ସଂଗ୍ରାମରେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଥିଲା ।
୧୯୪୬ରେ ଯେତେବେଳେ କୋଲକତାରେ ଭୟଙ୍କର ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା, ସେତେବେଳେ ପ୍ରତିବାଦସ୍ୱରୂପ ଏ ଖବର କାଗଜ ତାର ପ୍ରଥମ ପୃଷ୍ଠାଟିକୁ ଖାଲି ରଖିଥିଲା । ଆଉ ଯେଉଁଦିନ ଭାରତ ସ୍ୱାଧୀନତା ପାଇଲା ୧୯୪୭ ଅଗଷ୍ଟ ୧୫ ତାର ସମ୍ପାଦକୀୟରେ ଏ ଲେଖିଥିଲା ଇଟ୍ ଇଜ୍ ଡନ କ୍ଲାୁଉଡି ଦୋ ଇଟ ଇଜ୍; ପ୍ରେଜେଣ୍ଟ୍ଲି ସନସାଇନ୍ ଉଇଲ ବ୍ରେକ । ପ୍ରଭାତ ହୋଇଛି ଯଦିଓ ଆକାଶ ମେଘାଛନ୍ନ, କିନ୍ତୁ ଅଚିରେ ସୂର୍ଯ୍ୟାଲୋକ ପୁଣି ଦିଶିବ ।
ଦେଶର ସ୍ୱାଧୀନତା ସଂଗ୍ରାମରେ ଖବର କାଗଜ କିପରି ଅଂଶଗ୍ରହଣ କରିପାରେ; ଅମ୍ରିତ ବାଜାର ପତ୍ରିକା ତାର ଏକ ଉଦାହରଣ । ଆଉ ସ୍ୱାଧୀନତା ସଂଗ୍ରାମ ସହ ଦେଶ ଗଠନ କିପରି ଏକ ସୂତ୍ରରେ ଚାଲିପାରେ, ଶିଶିର କୁମାର ଘୋଷ ଥିଲେ ତାର ଉଦାହରଣ । ସେ ଅନେକ ଗୁଡ଼ିଏ ସ୍କୁଲ ଓ ଡାକ୍ତରଖାନା ସ୍ଥାପନ କରିଛନ୍ତି । ନାଟ୍ୟଶାଳା ସ୍ଥାପନ କରିଛନ୍ତି । ନାରୀ ଶିକ୍ଷା ଓ ବିଧବା ବିବାହ ସପକ୍ଷରେ ଜନମତ ଜାଗ୍ରତ କରିବା ପାଇଁ ଚେଷ୍ଟା କରିଛନ୍ତି । ମୋତିଲାଲ ଘୋଷ ସ୍ୱାଧୀନତା ସଂଗ୍ରାମ ସହ ଅମ୍ରିତ ବାଜାର ପତ୍ରିକାକୁ ଏକ ନିର୍ଭୀକ ଏବଂ ଅଗ୍ରଣୀ ସମ୍ବାଦପତ୍ର ଭାବେ ଠିଆ କରିବା ପାଇଁ ଲାଗିଛନ୍ତି ।
ହେଲେ ସ୍ୱାଧୀନତା ପରେ ୧୯୮୦ ଦଶକକୁ ଏ କାଗଜରେ ପରିଚାଳନାଗତ ଅବ୍ୟବସ୍ଥା ଲାଗିରହିଲା । ଶେଷକୁ ଅର୍ଥାଭାବ ଏବଂ ଖବରକାଗଜ ପ୍ରକାଶନ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାକୁ ମୁକାବିଲା ନ କରିବାରୁ ୧୯୯୧ରେ ଅମୃତବାଜାର ପତ୍ରିକା ବନ୍ଦ ହୋଇଗଲା । ୧୨୩ ବର୍ଷରେ ଅମୃତବାଜାର ପତ୍ରିକା ବନ୍ଦ ହେଲାବେଳେ ଏହାର ସମ୍ପାଦକ ଥିଲେ ଶିଶିର କୁମାର ଘୋଷଙ୍କ ପୁଅ ତୁଷାରକାନ୍ତି ଘୋଷ ।
Comments
0 comments