ଗତ କିଛିମାସ ଧରି ଋଷ ଓ ୟୁକ୍ରେନ୍ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଶେଷରେ ଯୁଦ୍ଧର ରୂପ ନେଇଛି । ଆମେରିକା ଓ ତାର ସହଯୋଗୀ ପାଶ୍ଚାତ୍ୟ ଦେଶମାନଙ୍କ ଚେତାବନୀ ସତ୍ତ୍ୱେ ଋଷ ଜଳ, ସ୍ଥଳ ଓ ଆକାଶମାର୍ଗରୁ ୟୁକ୍ରେନ ଉପରେ ସାମରିକ ଆକ୍ରମଣ ଆରମ୍ଭ କରିଦେଇଛି । ଋଷର ଆକ୍ରମଣର ପାଲଟା ଜବାବ ଦେବା ୟୁକ୍ରେନ ପରି ଏକ ସାମରିକ ଭାବେ ଦୁର୍ବଳ ଦେଶ ପକ୍ଷରେ ସମ୍ଭବ ନଥିବାରୁ ଏହି ଏକପାଖିଆ ଯୁଦ୍ଧରେ କେବଳ ୟୁକ୍ରେନର ହିଁ ସୈନ୍ୟ ଓ ସାଧାରଣ ଜନତା ମୃତାହତ ହେବା ନିଶ୍ଚିତ । ଯଦିଓ ବାହାରକୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଚାଲିଥିବା ଜଣାପଡ଼ୁଛି, କିନ୍ତୁ ଅସଲ ଲଢ଼େଇଟି ବିଶ୍ୱର ଦୁଇ ମହାଶକ୍ତି ଋଷ ଓ ଆମେରିକା ମଧ୍ୟରେ ଯେ ହେଉଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ । କହିବାକୁ ଗଲେ ୟୁକ୍ରେନ୍ ଏବେ ବିଶ୍ୱର ଦୁଇ ସାମ୍ରାଜ୍ୟବାଦୀ ଶକ୍ତିଙ୍କ ପ୍ରତିଦ୍ୱନ୍ଦ୍ୱିତାର ସଦ୍ୟତମ ଶିକାର ପାଲଟିଛି । ତେବେ ଏହି ଯୁଦ୍ଧର ସର୍ବଶେଷ ପରିଣତି କ’ଣ ହେବ ଜଣାପଡ଼ୁ ନଥିଲେ ମଧ୍ୟ ଏହାର ଭୟଙ୍କର ପରିଣାମ ଯେ ସାରା ବିଶ୍ୱ ଭୋଗିବାକୁ ଯାଉଛି, ସେଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ଋଷ-ୟୁକ୍ରେନ୍ ଯୁଦ୍ଧ ବା ସଙ୍କଟଟି ଆଦୌ ଆକସ୍ମିକ ନଥିଲା ବରଂ ଦୀର୍ଘଦିନ ଧରି ବିଶ୍ୱର ଦୁଇ ମହାଶକ୍ତି ମଧ୍ୟରେ ଚାଲିଥିବା ସଂଘର୍ଷର ଏହା ତାର୍କିକ ପରିଣାମ ବୋଲି କୁହାଯାଇପାରେ । ଯଦିଓ ଆମେରିକା ବର୍ତ୍ତମାନ ଚୀନକୁ ନିଜର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିଚାର କରୁଛି ଏବଂ ତା’ବିରୁଦ୍ଧରେ ନିଜର ସମସ୍ତ ରଣକୌଶଳ ଚଳାଇଛି, କିନ୍ତୁ ସାମରିକ ଭାବେ ସେ ଋଷକୁ ହିଁ ନିଜର ସବୁଠାରୁ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖୁଛି । ୟୁକ୍ରେନ୍କୁ ନାଟୋରେ ସାମିଲ କରି ଋଷକୁ ସାମରିକ ଭାବେ ଘେରିବାକୁ ଆମେରିକା ଚାହୁଁଥିବା ବେଳେ ଋଷ ମଧ୍ୟ ନିଜର ସୁରକ୍ଷା ତଥା ପ୍ରଭାବକୁ ବଢ଼େଇବାକୁ ଦୃଢ଼ ପରିକର ଥିବା ଜଣାପଡ଼ିଛି । ଏନେଇ ଋଷର ରାଷ୍ଟ୍ରପତି ଭ୍ଳାଡ଼ିମିର୍ ପୁତିନ୍ ଗତ ଡିସେମ୍ବର ୨୩ ତାରିଖରେ ମସ୍କୋରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ବକ୍ତବ୍ୟଟି ଯୁଦ୍ଧ ପଛର ପ୍ରକୃତ କାରଣକୁ ସ୍ପଷ୍ଟ କରୁଛି । ପୁଟିନ୍ ସେଦିନ ସ୍ପଷ୍ଟ ଭାବେ କହିଥିଲେ ଯେ ପୂର୍ବ ଆଡ଼କୁ ନାଟୋର ବିସ୍ତାରକୁ କଦାପି ଗ୍ରହଣ କରାଯାଇପାରିବନି । ଆମେ ଯାଇ ଆମେରିକାର ସୀମାରେ କ୍ଷେପଣାସ୍ତ୍ର ମୃତୟନ କଲେ କ’ଣ ସେମାନେ ଗ୍ରହଣ କରିବେ? ତେବେ ବିଶ୍ୱରେ ସାମ୍ରାଜ୍ୟବାଦୀ ଅର୍ଥନୀତିରେ ଗଭୀର ସଙ୍କଟ ସହିତ ଆଫଗାନିସ୍ଥାନରେ ଆମେରିକାର ପରାଜୟ, ବିଶ୍ୱର ପ୍ରାକୃତିକ ସମ୍ପଦ ଓ ବଜାରକୁ ଦଖଲ କରିବାକୁ ସେମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଏବଂ ସର୍ବୋପରି ନାଟୋର ସମ୍ପ୍ରସାରଣ ଜରିଆରେ ଋଷକୁ ଘେରିବାକୁ ଆମେରିକା ତଥା ପାଶ୍ଚାତ୍ୟ ଦେଶମାନଙ୍କ ନୀତିର ପରିଣାମସ୍ୱରୂପ ଯେ ଆଜି ଏହି ସଙ୍କଟ ସୃଷ୍ଟି ହୋଇଛି, ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ।
ସୋଭିଏତ୍ ଋଷ ନେତୃତ୍ୱରେ ତକ୍ରାଳୀନ ସମାଜବାଦୀ ଦେଶମାନଙ୍କ ଶକ୍ତି ବୃଦ୍ଧିରେ ଆତଙ୍କିତ ହୋଇ ଆମେରିକାର ନେତୃତ୍ୱରେ ବିଶ୍ୱର ପୁଞ୍ଜିବାଦୀ-ସାମ୍ରାଜ୍ୟବାଦୀ ଦେଶମାନେ ୧୯୪୯ରେ ଉତ୍ତର ଆଟଲାଣ୍ଟିକ୍ ଚୁକ୍ତି ସଙ୍ଗଠନ ବା ନାଟୋର ଗଠନ କରିଥିଲେ । ଏହି ସାମରିକ ମେଣ୍ଟର ବିକଳ୍ପରେ ତକ୍ରାଳୀନ ସୋଭିଏତ୍ ଋଷ ଓ ତାର ସହଯୋଗୀ ସମାଜବାଦୀ ଦେଶମାନେ ମିଶି ୧୯୫୫ରେ ୱାରସା ମେଣ୍ଟ ଗଠନ କରିଥିଲେ । କିନ୍ତୁ ୧୯୯୧ରେ ସୋଭିଏତ୍ ଋଷ ଓ ଅନ୍ୟ ପୂର୍ବ ୟୁରୋପୀୟ ଦେଶମାନଙ୍କରେ ସମାଜବାଦୀ ବ୍ୟବସ୍ଥାର ପତ୍ତନ ପରେ ୱାରସା ମେଣ୍ଟ ନିଜର ଅସ୍ତିତ୍ୱକୁ ହରାଇଥିଲା । ଅତଏବ ସେହି ପରିସ୍ଥିତିରେ ନାଟୋ ପରି ଏକ ସାମରିକ ମେଣ୍ଟ ରହିବାର ଆଉ କୌଣସି ଯଥାର୍ଥତା ନଥିଲା । କିନ୍ତୁ ଆମେରିକା ଓ ତା’ର ସହଯୋଗୀମାନେ ତାକୁ ଭାଙ୍ଗିଦେବା ପରିବର୍ତ୍ତେ ଆହୁରି ଶକ୍ତିଶାଳୀ କରିବାକୁ ଲାଗିଲେ । ଏପରିକି ଋଷକୁ ଆଶ୍ୱସ୍ତ କରିବାକୁ ନାଟୋର ପୂର୍ବଦିଗରେ ସମ୍ପ୍ରସାରଣ ନକରିବାକୁ ସେତେବେଳେ ଯେଉଁ ପ୍ରତିଶୃତି ଦିଆଯାଇଥିଲା, ପରବର୍ତ୍ତୀ ଅବସ୍ଥାରେ ତାକୁ ବି ଉଲ୍ଲଂଘନ କରାଗଲା । ଫଳସ୍ୱରୂପ ଶୀତଳଯୁଦ୍ଧର ସମାପ୍ତିର ତିନି ଦଶକ ପରେ ମଧ୍ୟ ନାଟୋ ପୂର୍ବ ଓ ପଶ୍ଚିମ ୟୁରୋପ ଛାଡ଼ି ଶେଷରେ ଆଫ୍ରିକା ଓ ମଧ୍ୟ ଏବଂ ପଶ୍ଚିମ ଏସିଆରେ ସାମରିକ ହସ୍ତକ୍ଷେପ କରିବା ଦେଖାଗଲା । ସୁଦୂର ଆଫଗାନିସ୍ଥାନରେ ନାଟୋର ବର୍ବରତାକୁ ସାରା ଦୁନିଆ ଦେଖିଲା । ଗତ ୩୦ବର୍ଷ ମଧ୍ୟରେ ନାଟୋର ସଦସ୍ୟଭୁକ୍ତ ଦେଶଙ୍କ ସଂଖ୍ୟା ୧୨ରୁ ୩୦କୁ ବୃଦ୍ଧି ପାଇବା ଏହି ସାମ୍ରାଜ୍ୟବାଦୀ ଯୁଦ୍ଧନୀତିର ପରିଣାମ ବୋଲି କୁହାଯାଇପାରେ ।
ଗୋର୍ବାଚୋଭ୍ ଓ ୟେଲସ୍ତିନଙ୍କ ଶାସନ କାଳଟି ସମାଜବାଦର ମୁଖାପିନ୍ଧା ସୋଭିଏତ୍ ସାମାଜିକ ସାମ୍ରାଜ୍ୟବାଦର ପତନ ତଥା ଆମେରିକା ନେତୃତ୍ୱରେ ଏକଧୃବୀୟ ବିଶ୍ୱର ପ୍ରତିଷ୍ଠାର ସମୟ ଥିଲା । ସେହି ସମୟରେ ଋଷର ଶାସକମାନେ ପରିସ୍ଥିତିରେ ପଡ଼ି ଆମେରିକାର ଆଧିପତ୍ୟର ମୁକାବିଲା ନକରି ନିଜକୁ କିଛି ପାଦ ପଛକୁ ହଟେଇବାକୁ ଏକରକମ ବାଧ୍ୟ ହୋଇଥିଲେ । କିନ୍ତୁ ବର୍ତ୍ତମାନର ଋଷ ରାଷ୍ଟ୍ରପତି ପୁଟିନ୍ ଙ୍କଶାସନକାଳରେ ବିଶ୍ୱ ଏବଂ ଖାସ୍ କରି ଋଷର ସ୍ଥିତିରେ ଅନେକ ପରିବର୍ତ୍ତନ ହୋଇସାରିଛି । ଋଷର ଶାସକମାନେ ନିଜର ସୀମାକୁ ସୁରକ୍ଷିତ ରଖିବାକୁ ତଥା ନିଜକୁ ପୁଣିଥରେ ସାମରିକ ଭାବେ ବିଶ୍ୱରେ ପ୍ରତିଷ୍ଠିତ କରି ନିଜର ପ୍ରଭାବକୁ ବଢ଼ାଇବାକୁ ବିଶ୍ୱର ଅନ୍ୟ ଦେଶରେ ବି ସାମରିକ ହସ୍ତକ୍ଷେପ କରିବାକୁ ସକ୍ଷମ ହୋଇସାରିଛନ୍ତି । ଋଷର ଏହି ଉତ୍ଥାନଟି ବିଶ୍ୱରେ ଶକ୍ତି ସନ୍ତୁଳନରେ ପରିବର୍ତ୍ତନ ଆଣିବା ସହିତ ଏକଧୃବୀୟତାକୁ ସମାପ୍ତି କରି ବିଶ୍ୱକୁ ବହୁଧୃବୀୟ କରିସାରିଛି । ବିଶେଷ କରି ୯/୧୧ ର ଘଟଣା ପରେ ଇରାକ୍, ଆଫଗାନିସ୍ଥାନରେ ଆମେରିକାର ଆକ୍ରମଣ ତଥା ଅପମାନଜନକ ପରାଜୟ ବିଶ୍ୱରେ ଆମେରିକାର ପ୍ରଭାବ ଓ ସମ୍ମାନକୁ ଅନେକ ପରିମାଣରେ ହ୍ରାସ କରିଥିବା ବେଳେ ଋଷର ଉତ୍ଥାନ ବିଶ୍ୱ ପରିସ୍ଥିତିକୁ ଏକଦମ୍ ବଦଳାଇ ଦେଇଛି । ସିରିଆରେ ଋଷର ସାମରିକ ହସ୍ତକ୍ଷେପ, ଋଷ ଭୟରେ ଇରାନ୍କୁ ଆମେରିକା ଆକ୍ରମଣ କରି ନପାରିବା, ଜର୍ଜିଆ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଆଦି ଘଟଣା ବିଶ୍ୱରେ ଋଷର କ୍ରମ ବର୍ଦ୍ଧମାନ ସାମରିକ ପ୍ରଭାବକୁ ପ୍ରମାଣିତ କରିଥିବାବେଳେ ଆମେରିକାର ପ୍ରଭାବ ଓ ସମ୍ମାନକୁ ଅନେକ ପରିମାଣରେ ହ୍ରାସ କରିଛି ।
ଋଷ-ୟୁକ୍ରେନ୍ ମଧ୍ୟରେ ବିବାଦ ପଛରେ ଅନେକ ଐତିହାସିକ କାରଣ ବି ରହିଛି । ୟୁରୋପର ସର୍ବାଧିକ ଉର୍ବର ଅଞ୍ଚଳ ରୂପେ ପରିଚିତ ଏହି ଦେଶ ଉପରେ ବହୁଦିନ ଧରି ପଶ୍ଚିମୀ ଦେଶମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଆସିଛି । ଉଭୟ ୟୁକ୍ରେନୀୟ ଓ ଋଷୀୟ ସମ୍ପ୍ରଦାୟର ଲୋକ ବସବାସ କରୁଥିବା ଏହାର ପୂର୍ବଭାଗରେ ଥିବା ବିପୁଳ ଖଣିଜ ସମ୍ପଦ ରହିଥିବା ବେଳେ ଦକ୍ଷିଣରେ ରଣନୈତିକ ଭାବେ ଗୁରୁତ୍ୱପୂର୍ଣ୍ଣ କୃଷ୍ଣସାଗର ରହିଛି । ଶିଳ୍ପୋନ୍ନତ ପୂର୍ବ ଭାଗରେ ଥିବା କଳକାରଖାନା ଗୁଡ଼ିକ ନିଜର ଉତ୍ପାଦିତ ଦ୍ରବ୍ୟର ବିକ୍ରୀ ପାଇଁ ମୂଳତଃ ଋଷର ବଜାର ଉପରେ ନିର୍ଭରଶୀଳ । ଏଭଳି ସ୍ଥିତିରେ ସେଠାକାର ବଜାର, କୃଷି ଓ ମୂଲ୍ୟବାନ ଖଣିଜସମ୍ପଦ ଉପରେ ଆଧିପତ୍ୟ ବିସ୍ତାର ପାଇଁ ଗୋଟିଏ ପଟେ ଆମେରିକା ଓ ପଶ୍ଚିମୀ ଦେଶମାନେ ଲକ୍ଷ୍ୟ ରଖିଥିବା ବେଳେ ଅନ୍ୟପଟେ ଋଷ ମଧ୍ୟ ନିଜର ହରାଇଥିବା ପ୍ରଭାବକୁ ପୁଣିଥରେ ପ୍ରତିଷ୍ଠା କରିବାକୁ ଚାହୁଁଛି । ଏହି କାରଣରୁ ହିଁ ଆଜି ୟୁକ୍ରେନ ବିଶ୍ୱର ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଆଖଡ଼ାରେ ପରିଣତ ହୋଇଛି ।
କିନ୍ତୁ ୟୁକ୍ରେନର ଶାସକମାନେ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଏହି ଦ୍ୱନ୍ଦ୍ୱରୁ ନିଜକୁ ଦୂରେଇ ରଖିବା ପରିବର୍ତ୍ତେ ସେମାନଙ୍କ ଦ୍ୱନ୍ଦ୍ୱର ଶିକାର ହୋଇଯାଇଛନ୍ତି । ସୋଭିଏତ୍ ଋଷରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ହେବା ପରେ ସେଠାକାର ଧନାଢ଼୍ୟ ଗୋଷ୍ଠୀ ୟୁକ୍ରେନ୍ର ଶାସନକୁ ଅକ୍ତିଆର କରିଥିଲେ । ପ୍ରଥମରୁ ସେମାନେ ଋଷର ସହଯୋଗିତାରେ ହିଁ ଦେଶକୁ ବିକଶିତ କରିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ପାଶ୍ଚାତ୍ୟ ଦେଶମାନଙ୍କ ଆଡ଼କୁ ବି ଢଳିଥିଲେ । ନିଜର ସ୍ୱାର୍ଥ ପାଇଁ ଗୋଟିଏ ପଟେ ଋଷ ସହ ଓ ଅନ୍ୟପଟେ ଆମେରିକା ସହ ସମ୍ପର୍କ ରକ୍ଷା କରୁଥିଲେ । କିନ୍ତୁ ନିଜର ରାଜନୈତିକ ସ୍ଥିତିକୁ ସୁଦୃଢ଼ କରିବା ପରେ ସେମାନେ ଋଷକୁ ଛାଡ଼ି ଅଧିକରୁ ଅଧିକ ପାଶ୍ଚାତ୍ୟମୁଖୀ ହେବା ସହ ନିଜର ଦେଶବାସୀଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଇ ଖୋଲାଖୋଲି ଭାବେ ଆମେରିକାର ସଖିକଣ୍ଡେଇ ସାଜିଛନ୍ତି । ସେମାନେ ଆମେରିକାର ଇସାରାରେ କାମ କରିବା ସହିତ ତା’ର ଚାପରେ ନାଟୋରେ ସାମିଲ ହେବାକୁ ବି ଚାହୁଁଛନ୍ତି । ନିଜ ଦେଶର ଋଷ ସପକ୍ଷବାଦୀ ରାଜନୈତିକ ଗୋଷ୍ଠୀର ଦମନ କରିବା ସହିତ ସରକାର ବିରୋଧି ମିଡ଼ିଆର କଣ୍ଠରୋଧ କରିବାକୁ ଉଦ୍ୟମ କରିଛନ୍ତି । ଏଭଳି ସ୍ଥିତିରେ ଋଷଠାରୁ ଜୋରଦାର ପ୍ରତିକ୍ରିୟା ଦେଖାଯିବା ସ୍ୱାଭାବିକ ଥିଲା ।
ୟୁକ୍ରେନକୁ ନେଇ ଆମେରିକାର ଆଭିମୁଖ୍ୟଟି ଆରମ୍ଭରୁ ଦୋ-ମୁହାଁ ରହିଆସିଛି । ଯେଉଁ ଦେଶ ମିଳିତ ଜାତିସଂଘ ସମେତ ସମସ୍ତ ଆନ୍ତର୍ଜାତୀୟ ନିୟମ କାନୁନ୍ ଓ ଚୁକ୍ତିକୁ ଗତ ୭୦ ବର୍ଷ ଧରି ବାରମ୍ବାର ଉଲ୍ଲଂଘନ କରି ଅନ୍ୟ ଦେଶ ଉପରେ ଆକ୍ରମଣ, ଯୁଦ୍ଧ ଓ ଶାସନ ପରିବର୍ତ୍ତନ କରିଆସିଛି, ସେହି ଦେଶ ଆଜି ୟୁକ୍ରେନ୍ ପ୍ରସଙ୍ଗରେ ଆନ୍ତର୍ଜାତୀୟ ନିୟମ କାନୁନର କଥା କହିବା ହାସ୍ୟାସ୍ପଦ ମନେହୁଏ । ଆମେରିକା ନିଜର ସାମ୍ରାଜ୍ୟବାଦୀ ସ୍ୱାର୍ଥ ପାଇଁ ସାମରିକ ଉଦେଶ୍ୟରେ ଋଷ ସୀମାନ୍ତରେ ନିଜର ସକ୍ରିୟତାକୁ ବଢ଼ାଇଛି । ୨୦୧୪ ମସିହାରେ ୟୁକ୍ରେନର ନିର୍ବାଚିତ ସରକାରକୁ ବେଆଇନ ଭାବେ ଗାଦିଚୁ୍ୟତ କରି ନିଜର ସଖିକଣ୍ଡେଇ ସରକାର ଆଣିବାରେ ଖୋଲାଖୋଲି ଭାବେ ସାହାଯ୍ୟ କରିଛି । ଆଜି ନାଟୋରେ ସାମିଲ ହେବାକୁ ୟୁକ୍ରେନ୍ବାସୀଙ୍କ ଇଛାକୁ ସମ୍ମାନ ଦେବା କଥା କହୁଥିବା ଆମେରିକା କିନ୍ତୁ ଲାଟିନ୍ ଆମେରିକାର ଦେଶମାନଙ୍କର ସେହି ଇଛାକୁ ବିରୋଧ କରି ଆସିଛି । ଅସଲକଥା ହେଲା, ଇରାକ୍ ଓ ଆଫ୍ଗାନିସ୍ଥାନରେ ଅପମାନଜନକ ପରାଜୟ ପରେ ମଧ୍ୟ ଆମେରିକାର ଶାସକମାନେ ସେଥିରୁ କୌଣସି ଶିକ୍ଷା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସେମାନେ ୟୁକ୍ରେନ୍କୁ ନାଟୋରେ ସାମିଲ କରି ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଋଷର ସୀମାରେ ସାମରିକ ଘାଟୀକରି ତାକୁ ସାମରିକ ଭାବେ ଘେରିବାକୁ ଚାହୁଁଛନ୍ତି ।
ତେବେ ଋଷ ମଧ୍ୟ ୟୁକ୍ରେନ୍ ବାହାନାରେ ନିଜର ପ୍ରଭାବକୁ ବଢ଼େଇବା ପାଇଁ ଆମେରିକା ଓ ନାଟୋ ସହିତ ମୁକାବିଲା କରିବାକୁ ମନସ୍ଥିର କରିଥିବା ଜଣାପଡ଼ିଛି । ପୂର୍ବରୁ ୱାରସା ମେଣ୍ଟରେ ରହିଥିବା ତଥା ପରେ ନାଟୋରେ ସାମିଲ ହୋଇଥିବା ପୂର୍ବ ୟୁରୋପର ଦେଶମାନଙ୍କୁ ନିଜ ପଟକୁ ଆଣିବାକୁ ଚାହୁଁଛି । ଇରାକ୍ ଓ ଆଫଗାନିସ୍ଥାନରେ ଆମେରିକା ଫସିଯିବା ପରେ ତଥା ଦେଶରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପରେ ଋଷର ଶାସକମାନେ ଏବେ ନିଜର ସାମ୍ରାଜ୍ୟବାଦୀ ଲକ୍ଷ୍ୟକୁ ହାସଲ କରିବା ପାଇଁ ଏହାକୁ ଏକ ସୁଯୋଗ ଭାବେ ଧରିନେଇଛନ୍ତି । ବହୁସଂଖ୍ୟକ ଋଷଭାଷୀ ରହୁଥିବା ୟୁକ୍ରେନ୍ର ଡେନବାସ୍ ପ୍ରଦେଶରେ ବିଦ୍ରୋହୀମାନଙ୍କ ଉପରେ ସେଠାକାର ସରକାର ଓ ସେନା ତରଫରୁ ହେଉଥିବା ଆକ୍ରମଣରୁ ସ୍ଥାନୀୟ ଜନତାଙ୍କୁ ସୁରକ୍ଷା ଦେବା ନାଁରେ ଋଷ, ୟୁକ୍ରେନ୍ରେ ସ୍ୱତନ୍ତ୍ର ସାମରିକ ଅପରେସନ୍ ଆରମ୍ଭ କରିଛି । କିନ୍ତୁ ଏହି ତଥାକଥିତ ଅଭିଯାନର ପ୍ରକୃତ ଲକ୍ଷ୍ୟଟି ଯେ ସେହି ଦେଶକୁ ନିଜର ନିୟନ୍ତ୍ରଣରେ ରଖିବାକୁ ଉଦ୍ଦିଷ୍ଟ, ଏଥିରେ ଆଦୌ ସନେ୍ଦହ ନାହିଁ । ତେବେ ଗୋଟିଏ କଥା ସତ ଯେ ଉଭୟ ଋଷ ଓ ଆମେରିକା ୟୁକ୍ରେନ୍ ଯୁଦ୍ଧର ଆଳରେ ନିଜ ଦେଶର ଅର୍ଥନୈତିକ ସଙ୍କଟରୁ ଦେଶବାସୀଙ୍କୁ ଦୃଷ୍ଟିକୁ ହଟେଇବାକୁ ଚାହୁଁଛନ୍ତି ।
ଋଷ-ୟୁକ୍ରେନ୍ ଯୁଦ୍ଧର ସୁଦୂରଗାମୀ ପରିଣାମ ରହିଛି । ଯୁଦ୍ଧ କେବେ କୌଣସି ସମସ୍ୟାର ସମାଧାନ ନୁହେଁ । ସେ ନିଜେ ଏକ ସମସ୍ୟା । ଅତଏବ ଏହି ଯୁଦ୍ଧ ଫଳରେ କେତେ ଯେ ଧନଜୀବନ ଧ୍ୱଂସ ହେବ, ତାର କୌଣସି ଆକଳନ କରାଯିବା ସମ୍ଭବ ନୁହେଁ । ଯଦି ଏହି ଯୁଦ୍ଧ ଅଧିକ ଦିନ ଅବ୍ୟାହତ ରହେ ଏବଂ ନାଟୋଭୁକ୍ତ ଦେଶମାନେ ସେଥିରେ ସାମରିକ ହସ୍ତକ୍ଷେପ କରନ୍ତି, ତାହେଲେ ଏହା ସାରା ବିଶ୍ୱକୁ ପ୍ରସାରିତ ହେବାର ସମ୍ଭାବନା ରହିଛି । ଏହାବ୍ୟତୀତ ଯୁଦ୍ଧ ଯୋଗୁଁ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲର ଦାମ୍ ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ବିଶ୍ୱରେ ଦରଦାମ୍ ବଢ଼ିବା ସହିତ ସାଧାରଣ ଜନତା ସବୁଠାରୁ ବେଶୀ ସଙ୍କଟର ସମ୍ମୁଖୀନ ହେବାର ସମ୍ଭାବନା ରହିଛି । ଯୁଦ୍ଧର ପ୍ରଥମ ଦିନରେ ହିଁ ତେଲ ଦର ବ୍ୟାରେଲ୍ ପିଛା ଶହେ ଡଲାରରେ ପହଂଚିଛି ଯାହାକି ସେପ୍ଟେମ୍ବେର ୨୦୧୪ ପରଠାରୁ ସର୍ବାଧିକ ରହିଛି । ଏହାବ୍ୟତୀତ ସେଠାରେ ରହୁଥିବା ଭାରତୀୟ ନାଗରିକ ବିଶେଷ କରି ସେଠାରେ ଡାକ୍ତରୀ ପାଠ ପଢ଼ୁଥିବା ଭାରତର ହଜାର ହଜାର ଛାତ୍ରଛାତ୍ରୀ ଅସୁବିଧାର ଶିକାର ହେବାକୁ ଯାଉଛନ୍ତି ।
ଭାରତ ସରକାର ଆମେରିକା ଓ ଋଷ ମଧ୍ୟରେ ୟୁକ୍ରେନ ପ୍ରସଙ୍ଗକୁ ନେଇ ବଢ଼ିଚାଲିଥିବା ଦ୍ୱନ୍ଦକୁ ନେଇ ଅତ୍ୟନ୍ତ ଅସୁବିଧାଜନକ ସ୍ଥିତିରେ ପଡ଼ିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ନିକଟରେ ଉତ୍ତର ପ୍ରଦେଶ ନିର୍ବାଚନ ପ୍ରଚାରବେଳେ ୟୁକ୍ରେନ୍ ଘଟଣାର ଅବତାରଣା କରି ନିର୍ବାଚନରେ ଏକ ଶକ୍ତିଶାଳୀ ସରକାରକୁ ଆଣିବାକୁ ଆହ୍ୱାନ ଦେଇଛନ୍ତି । ମାତ୍ର ସେହି ଶକ୍ତିଶାଳୀ ସରକାରଟି ୟୁକ୍ରେନ୍ ଘଟଣାରେ କ’ଣ କରିବ, ସେନେଇ ଏକଦମ୍ ଚୁପ୍ ରହିଛନ୍ତି । ଏପରିକି ଏହି ଘଟଣାରେ ନିରପେକ୍ଷ ଅବସ୍ଥାନର କଥା କହୁଥିବା ଭାରତ ସରକାର ମିଳିତ ଜାତିସଂଘରେ ଋଷର ଆକ୍ରମଣ ବିୁରଦ୍ଧରେ ପଦୁଟିଏ ନକହି ପରୋକ୍ଷରେ ଋଷ ପକ୍ଷରେ ଠିଆ ହୋଇଛନ୍ତି ବୋଲି ଧାରଣା ସୃଷ୍ଟି କରିଛନ୍ତି । ବିଶ୍ୱବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଯୁଦ୍ଧ ବନ୍ଦହେବା ଏବଂ ଋଷ ଯଥାଶୀଘ୍ର ନିଜର ସାମରିକ ଅଭିଯାନକୁ ପ୍ରତ୍ୟାହାର କରିବା ଜରୁରୀ । ତେବେ ବିଶ୍ୱରେ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ନାଟୋ ପରି ସାମରିକ ମେଣ୍ଟର ବିଘଟନ ବି ଅତ୍ୟନ୍ତ ଜରୁରୀ ।
Photo Credit- https://bit.ly/3MIcmZi
Comments
0 comments