କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇତିମଧ୍ୟରେ ଚଳିତବର୍ଷର ସାଧାରଣ ବଜେଟ୍କୁ ସଂସଦରେ ଉପସ୍ଥାପିତ କରିଛନ୍ତି । କୋଭିଡ଼ ମହାମାରୀ ଯୋଗୁଁ ଜନଗଣଙ୍କ ବର୍ଦ୍ଧିତ ଆର୍ଥିକ ସଙ୍କଟ ତଥା ଉତ୍ତରପ୍ରଦେଶ ସମେତ ପାଂଚ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଅର୍ଥମନ୍ତ୍ରୀ ନିଜ ବଜେଟ୍ରେ ସାଧାରଣ ଲୋକଙ୍କୁ ଆକର୍ଷିତ କଲା ଭଳି କିଛି ଆଖିଦୃଶିଆ ରିହାତି ଓ ପ୍ୟାକେଜ୍ ଦେବେ ବୋଲି ଅନେକ ଆଶା କରୁଥିଲେ । କିନ୍ତୁ ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ସମସ୍ତଙ୍କୁ ଏକଦମ୍ ନିରାଶ କରିଛି । ସଂଖ୍ୟାର ଯାଦୁଗରୀ ଜରିଆରେ ସେ ନିଜ ସରକାରର ତଥାକଥିତ ସଫଳତାକୁ ଦେଖାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବଜେଟ୍ର ବ୍ୟୟବରାଦର ପରିସଂଖ୍ୟାନଟି ସରକାରଙ୍କ ଜନବିରୋଧି ଆଭିମୁଖ୍ୟକୁ ଉଜାଗର କରିଦେଇଛି । ବଜେଟ୍ ମାଧ୍ୟମରେ ମୋଦୀ ସରକାର ଦେଶୀ ବିଦେଶୀ କର୍ପୋରେଟ ମାନଙ୍କୁ ଖୁସି କରିବାକୁ ଚେଷ୍ଟା କରିଥିବାବେଳେ ସାଧାରଣ ଜନତା ବିଶେଷ କରି କୃଷକ, ଶ୍ରମିକ, ବେକାର ଯୁବକ ଯୁବତୀ ତଥା ମଧ୍ୟବିତ୍ତ ଶ୍ରେଣୀଙ୍କୁ ଏକରକମ ପ୍ରତାରିତ କରିଛନ୍ତି ବୋଲି କୁହାଯାଇପାରେ ।
ସରକାରଙ୍କ କର୍ପୋରେଟ୍ ସପକ୍ଷବାଦୀ ନୀତି କାରଣରୁ ଗତ ସାତବର୍ଷ ମଧ୍ୟରେ ଦେଶର ବଡ଼ ବଡ଼ କର୍ପୋରେଟମାନଙ୍କ ସମ୍ପତ୍ତିରେ ଅସମ୍ଭବ ବୃଦ୍ଧି ଦେଖିବାକୁ ମିଳିଛି । ବିଶେଷ କରି କୋଭିଡ଼ ମହାମାରୀ ସମୟରେ ଦେଶର ନବେ ଭାଗ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଥିବା ବେଳେ ଆଦାନୀ, ଅମ୍ବାନୀଙ୍କ ପରି ଦେଶର ସୁପର୍ ଧନୀମାନଙ୍କ ସମ୍ପତ୍ତିରେ ଦୁଇରୁ ଅଢ଼େଇ ଗୁଣ ବୃଦ୍ଧି ପାଇଛି । ନିକଟରେ ପ୍ରକାଶିତ ‘ଅକ୍ସଫାମ୍’ ସଂସ୍ଥାର ରିପୋର୍ଟରେ ଦେଶର ୮୪% ଲୋକଙ୍କ ଆୟ କୋଭିଡ଼ ସମୟରେ ହ୍ରାସ ପାଇଥିବା ଜଣାପଡ଼ିଛି । ୪.୬ କୋଟି ଭାରତୀୟ ନୂଆ କରି ଗରିବୀ ଭିତରକୁ ଠେଲି ହୋଇଯାଇଛନ୍ତି । ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ସ୍ଥିତିର ସୁଧାର ପାଇଁ ସରକାର କର୍ପୋରେଟ୍ମାନଙ୍କ ଉପରେ କିଛି ଅତିରିକ୍ତ କର ବା ଟିକସ ବସାଇବେ ବୋଲି ଆଶା କରାଯାଉଥିଲା । କିନ୍ତୁ ତା’ର ବିପରୀତ ସରକାର ସେମାନଙ୍କ ପାଇଁ କର ଛାଡ଼ କରିଛନ୍ତି । ପାଂଚବର୍ଷ ତଳେ ଏହି ସରକାର ହିଁ କର୍ପୋରେଟମାନେ ଦେଉଥିବା ସମ୍ପତ୍ତି କରକୁ ଉଚ୍ଛେଦ କରିଥିଲେ । ଚଳିତ ବଜେଟ୍ରେ କର୍ପୋରେଟ୍ ଟିକସକୁ ୧୮%ରୁ ୧୫%କୁ ହ୍ରାସ କରାଯାଇଥିବା ବେଳେ ସରଚାର୍ଜକୁ ୧୨%ରୁ ୭%କୁ ହ୍ରାସ କରାଯାଇଛି । କମ୍ପାନୀଙ୍କ ଦ୍ୱାରା ପରିଚାଳିତ ଷ୍ଟାର୍ଟଆପ୍ଗୁଡ଼ିକୁ ଦିଆଯାଉଥିବା ଟିକସ ରିହାତିର ସମୟ ସୀମାକୁ ପୁଣି ଥରେ ବଢ଼େଇ ଦିଆଯାଇଛି ।
କରୋନା କାଳରେ ଭୟଙ୍କର କ୍ଷତିଗ୍ରସ୍ତ ହୋଇଥିବା ଦେଶର ମଧ୍ୟବିତ୍ତତ୍ତ ଶ୍ରେଣୀ ମଧ୍ୟ ବଜେଟ୍ରୁ ଅନେକ ଆଶା ରଖିଥିଲା । କିନ୍ତୁ ଅର୍ଥମନ୍ତ୍ରୀ ବଜେଟ୍ରେ ମଧ୍ୟବିତ୍ତ ଶ୍ରେଣୀ ପାଇଁ ବି କୌଣସି ପ୍ରକାର ସହାୟତା କିମ୍ବା ଟିକସ ରିହାତି ଦେଇ ନାହାନ୍ତି । ଆୟକରର ସୀମାରେ କୌଣସି ରିହାତି ମିଳିନାହିଁ । ଭାରତରେ କର୍ପୋରେଟମାନେ ହିଁ ସବୁଠାରୁ ବେଶୀ ଟିକସ ରିହାତି ପାଉଛନ୍ତି, ଯାହାକି ବିଶ୍ୱରେ ସବୁଠାରୁ କମ୍ ରହିଛି । ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ଓ ଅପ୍ରତ୍ୟକ୍ଷ ଟିକସର ପରିମାଣ ସମାନ ସ୍ତରରେ ପହଂଚିଛି ।
ସରକାର କର୍ପୋରେଟଙ୍କ ଉପରେ ଟିକସ ବସାଇ ନିଜର ରାଜକୋଷ ଭରିବାକୁ ଚେଷ୍ଟା କରିବା ପରିବର୍ତ୍ତେ ସାଧାରଣ ଜନତାଙ୍କ ଉପରେ ହିଁ ଟିକସର ବୋଝ ଲଦିବାକୁ ଚେଷ୍ଟା କରିଛନ୍ତି । ପେଟ୍ରାଲ, ଡିଜେଲ ଉପରେ ଟିକସକୁ ବଢ଼ାଇବା ସହ ଖାଦ୍ୟ ସୁରକ୍ଷା, ସାର ଓ ରନ୍ଧନ ଗ୍ୟାସ୍ ଉପରୁ ସବସିଡିକୁ ହ୍ରାସ କରି ତଥା ଦେଶର କଷ୍ଟାର୍ଜିତ ସରକାରୀ ସମ୍ପତ୍ତିକୁ ବିକ୍ରି କରି ନିଜର ଖର୍ଚ୍ଚ ଭରଣା କରୁଛନ୍ତି । ମହାମାରୀ ପୂର୍ବବର୍ଷ ଅର୍ଥାତ୍ ୨୦୧୯-୨୦ରେ ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଟିକସ ବାବଦରେ ୨.୩୯ ଲକ୍ଷ କୋଟି ଟଙ୍କା ଆଦାୟ କରିଥିବାବେଳେ ମହାମାରୀ ଦୁଇ ବର୍ଷ ଅର୍ଥାତ୍ ୨୦୨୦-୨୧ ଓ ୨୦୨୧-୨୨ରେ ଯଥାକ୍ରମେ ୩.୯୧ଲକ୍ଷ କୋଟି ଏବଂ ୩.୯୪ଲକ୍ଷ କୋଟି ଟଙ୍କା ଆଦାୟ କରିଛନ୍ତି । ଗତ ବର୍ଷକ ମଧ୍ୟରେ ଦେଶରେ ପେଟ୍ରୋଲ, ଡିଜେଲ ଉପରେ ଟିକସରେ ୭୯% ବଢ଼ାଯାଇଥିବାବେଳେ ଲୋକଙ୍କୁ କୌଣସି ରିହାତି ଦେବାକୁ ଚେଷ୍ଟା କରାଯାଇନି । ପାଞ୍ଚଟି ରାଜ୍ୟର ନିର୍ବାଚନକୁ ଦେଖି ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ କରିଥିଲେ ମଧ୍ୟ ଯେତେ ପରିମାଣରେ ଦରବୃଦ୍ଧି କରିଛନ୍ତି, ସେ ତୁଳନାରେ ଏହି ଦରହ୍ରାସ ସାମାନ୍ୟ ମାତ୍ର ବୋଲି କୁହାଯାଇପାରେ । ବରଂ ବର୍ତ୍ତମାନ ବିଧାନସଭା ନିର୍ବାଚନ ଦୃଷ୍ଟିରୁ ସ୍ଥଗିତ ରହିଥିବା ତୈଳର ଦରବୃଦ୍ଧିଟି, ନିର୍ବାଚନ ପରେ ପରେ ଯେ ଊଦ୍ଧ୍ୱର୍ମୁଖୀ ହେବ, ସେକଥା ସ୍ପଷ୍ଟ ମନେହେଉଛି ।
ସରକାର ଦେଶର କୃଷି ଓ ଗ୍ରାମାଞ୍ଚଳର ସମସ୍ୟା ପ୍ରତି କେତେଦୂର ବେଖାତିର ଓ ସମ୍ବେଦନହୀନ, ତାହା ଚଳିତ ବଜେଟ୍ରୁ ସ୍ପଷ୍ଟ ଭାବେ ପ୍ରମାଣିତ ହେଉଛି । ଦେଶରେ କୃଷି କ୍ଷେତ୍ରରେ ସଙ୍କଟ ଏବଂ ତିନି କୃଷି ଆଇନ ବିରୁଦ୍ଧରେ ଦେଶର କୃଷକମାନଙ୍କ ଐତିହାସିକ ଆନ୍ଦୋଳନ ପରିପ୍ରେକ୍ଷୀରେ ସରକାର କୃଷକମାନଙ୍କ ମଧ୍ୟରେ ହରାଇଥିବା ନିଜର ବିଶ୍ୱସନୀୟତାକୁ ବଢ଼ାଇବା ପାଇଁ ବଡ଼ଧରଣର ବ୍ୟୟବରାଦ କରିବେ ବୋଲି କୁହାଯାଉଥିଲା । କିନ୍ତୁ ତା’ର ବିପରୀତରେ ସରକାର କୃଷକମାନଙ୍କ ପ୍ରତି ପ୍ରତିଶୋଧ ପରାୟଣ ହୋଇଥିବା ମନେ ହେଉଛି । ବଜେଟ୍ରେ କୃଷି ଓ ଗ୍ରାମାଞ୍ଚଳର ବିକାଶ ପାଇଁ ବ୍ୟୟବରାଦରେ ବ୍ୟାପକ ହ୍ରାସ କରି ନିଜର କୃଷକବିରୋଧି ଆଭିମୁଖ୍ୟକୁ ଅବ୍ୟାହତ ରଖିଛନ୍ତି । ୨୦୧୬ ଫେବୃଆରୀ ୨୮ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୨୨ ସୁଦ୍ଧା ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଯେଉଁ ଐତିହାସିକ ଘୋଷଣା କରିଥିଲେ ଏବଂ ଗତ ପାଂଚବର୍ଷ ଧରି ପ୍ରତ୍ୟେକ ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ଯାହାକୁ ବାରମ୍ବାର ଦୋହରାଇ ଦମ୍ଭୋକ୍ତି ପ୍ରକାଶ କରୁଥିଲେ, ସେ ସମ୍ପର୍କରେ ଚଳିତ ବଜେଟ୍ ଭାଷଣ କିମ୍ବା ବଜେଟ୍ ଦଲିଲରେ ପଦୁଟିଏ ବି ଉଲ୍ଲେଖ କରାଯାଇନାହିଁ । ଅତଏବ କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବାର ଦମ୍ଭୋକ୍ତିଟି ଶେଷରେ ଆଉ ଏକ ଜୁମଲାରେ ପରିଣତ ହୋଇଛି ।
ଜିଡ଼ିପି ତୁଳନାରେ ବଜେଟ୍ରେ କୃଷି ବାବଦରେ ବ୍ୟୟବରାଦକୁ ଗତବର୍ଷର ୪.୨୬%ରୁ ଚଳିତବର୍ଷ ୩.୮୪%କୁ ହ୍ରାସ କରାଯାଇଥିବାବେଳେ ଗ୍ରାମ୍ୟ ଉନ୍ନୟନ ବାବଦରେ ୫.୫୯%ରୁ ୫.୨୩%କୁ ହ୍ରାସ କରାଯାଇଛି । ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାବଦରେ ବ୍ୟୟକୁ ୧୬,୦୦୦ କୋଟିରୁ ୧୫,୫୦୦କୋଟିକୁ ହ୍ରାସ କରାଯାଇଛି । ଫସଲର ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମ୍.ଏସ.ପି ପାଇଁ ଆଇନ କରିବାକୁ କୃଷକମାନେ ଦାବି କରୁଥିବା ବେଳେ ସରକାର ଆଇନ କରିବାକୁ ତ ଘୋଷଣା କରିନାହାନ୍ତି, ବରଂ ସେ ବାବଦରେ ଚଳିତବର୍ଷ କମ୍ ବ୍ୟୟବରାଦ କରିଛନ୍ତି । ଗତବର୍ଷ ଏ ବାବଦରେ ୨.୪୨ ଲକ୍ଷ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ଚଳିତବର୍ଷ ବଜେଟ୍ରେ ତାକୁ ୨.୩୭ ଲକ୍ଷ କୋଟିକୁ କମାଇଛନ୍ତି । ଏହା ବ୍ୟତୀତ ଦେଶର କୃଷିର ବିକାଶ ପାଇଁ ଜରୁରୀ ଭିତ୍ତିଭୂମି ଯଥା ଜଳସେଚନ ତଥା ଶୀତଳଭଣ୍ଡାର ଓ ଗୋଦାମ ଗୃହର ନିର୍ମାଣ ପାଇଁ ବଜେଟ୍ରେ କୌଣସି ବ୍ୟୟବରାଦ କରିନାହାନ୍ତି ।
ଦେଶରେ ତୈଳବୀଜ ଓ ଲଘୁ ଖାଦ୍ୟଶସ୍ୟ (Millet)ର ଉତ୍ପାଦନକୁ ବୃଦ୍ଧି କରିବା ପାଇଁ ଅର୍ଥମନ୍ତ୍ରୀ ବଜେଟ୍ରେ ବଡ଼ ବଡ଼ ଘୋଷଣା ତ କରିଛନ୍ତି, କିନ୍ତୁ ତାକୁ କାର୍ଯ୍ୟକାରୀ କରିବାକୁ କୌଣସି ଠୋସ୍ ପଦକ୍ଷେପ ନେବା କଥା କହିନାହାନ୍ତି । ପ୍ରଥମଥର ପାଇଁ ବଜେଟ୍ରେ ଯେଉଁ ଏଗ୍ରୋ ଫରେଷ୍ଟ୍ରି ଓ କମର୍ସିଆଲ ଫରେଷ୍ଟ୍ରିର ଘୋଷଣା କରିଛନ୍ତି ତାହା ସମ୍ପୂର୍ଣ୍ଣ ରୂପେ କୃଷକ ଓ ଆଦିବାସୀ ବିରୋଧି ଏବଂ କର୍ପୋରେଟ ମାନଙ୍କ ସ୍ୱାର୍ଥରେ ଉଦ୍ଦିଷ୍ଟ ।
ଗ୍ରାମାଞ୍ଚଳରେ ରୋଜଗାରର ଏକମାତ୍ର ସରକାରୀ ଯୋଜନାଭାବେ ମହାତ୍ମାଗାନ୍ଧୀ ଜାତୀୟ କର୍ମନିଯୁକ୍ତି ଆଇନ ବା ମନରେଗା ହିଁ ରହି ଆସିଛି । ଗତ କୋଭିଡ଼ ସମୟରେ ଯେତେବେଳେ ସରକାରଙ୍କ ବେପରୁଆ ଲକ୍ଡ଼ାଉନ୍ ଯୋଗୁଁ କାମ ହରାଇ କୋଟି କୋଟି ସଂଖ୍ୟାରେ ପ୍ରବାସୀ ଶ୍ରମିକ ସହର ଓ ମହାନଗର ମାନଙ୍କରୁ ନିଜ ଘରକୁ ଫେରିଥିଲେ, ସେତେବେଳେ ମନରେଗା ହିଁ ଗାଁରେ ସେମାନଙ୍କ ରୋଜଗାରର ଏକମାତ୍ର ଆଶ୍ରା ଥିଲା । ନିକଟରେ ସଂସଦୀୟ ସ୍ଥାୟୀ ସମିତି ସହରାଞ୍ଚଳର ଗରିବ ଲୋକଙ୍କୁ ମଧ୍ୟ କାମ ଦେବାପାଇଁ ମନରେଗା ଢାଂଚାରେ ଆଉ ଏକ ଯୋଜନା କରିବାକୁ ବି ସୁପାରିଶ କରିଛି । କିନ୍ତୁ ଗ୍ରାମାଂଚଳରେ ଗରିବ ଲୋକଙ୍କୁ କାମ ଯୋଗାଇବାରେ ବଡ଼ ଭୂମିକା ନେଇ ଆସୁଥିବା ଏହି ଯୋଜନା ପ୍ରତି କେନ୍ଦ୍ରର ମୋଦୀ ସରକାର ଲଗାତାର ପକ୍ଷପାତ କରି ଆସିଛନ୍ତି । ଏହି କାରଣରୁ ମୋଦୀଙ୍କ ଗତ ସାତ ବର୍ଷର ଶାସନ କାଳରେ ଏଥିରେ ଗରିବ ଲୋକମାନେ ବାର୍ଷିକ ଶହେ ଦିନ କାମ ପାଇବା ବଦଳରେ ହାରାହାରି କର୍ମଦିବସ ୪୨ଦିନରୁ ହ୍ରାସ ପାଇ ୨୭ଦିନରେ ଯାଇ ପହଞ୍ଚିଛି । ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନା ଏବେ ପୁଣି ଥରେ ମୋଦୀ ସରକାରଙ୍କ ଅବହେଳାର ଶିକାର ହୋଇଛି । ଚଳିତ ବଜେଟ୍ରେ ମନ୍ରେଗାର ପାଇଁ ଅନୁଦାନକୁ ଗତବର୍ଷର ୯୮,୦୦୦ କୋଟିରୁ ୭୩,୦୦୦ କୋଟିକୁ ହ୍ରାସ କରାଯାଇଛି ।
ଚଳିତ ବଜେଟ୍ରେ ଦେଶର ସାମାଜିକ କ୍ଷେତ୍ରରୂପେ ପରିଚିତ ଶିକ୍ଷା, ସ୍ୱାସ୍ଥ୍ୟସେବା, ମହିଳା ଓ ଶିଶୁବିକାଶ ପ୍ରତି ଭୟଙ୍କର ଅବହେଳା କରାଯାଇଛି । ବିଶେଷ କରି କୋଭିଡ଼ର ତୃତୀୟ ଲହର ଚାଲିଥିବାବେଳେ ସରକାର ସ୍ୱାସ୍ଥ୍ୟକ୍ଷେତ୍ରରେ ଭିତ୍ତିଭୂମିକୁ ସମ୍ପ୍ରସାରିତ କରିବା ପାଇଁ ପୂର୍ବାପେକ୍ଷା ୫୦% ଅନୁଦାନ ବୃଦ୍ଧି କରିବେ ବୋଲି ଶୁଣାଯାଉଥିଲା । କିନ୍ତୁ ସ୍ୱାସ୍ଥ୍ୟ ବାବଦରେ ଗତବର୍ଷର ୮୬,୦୦୦.୬୫ କୋଟିରେ ମାତ୍ର ୨୦୦କୋଟି ହିଁ ବୃଦ୍ଧି କରାଯାଇଛି । ଦରବୃଦ୍ଧିକୁ ଦେଖିଲେ ଏହା ବୃଦ୍ଧି ନୁହେଁ ବରଂ ହ୍ରାସ ବୋଲି କୁହାଯିବ ।
ଶିକ୍ଷାକ୍ଷେତ୍ରରେ ବି ସରକାର ଗତବର୍ଷ ୯୩,୨୨୪ କୋଟି ବ୍ୟୟବରାଦ କରିଥିଲେ ମଧ୍ୟ କୋଭିଡ଼ ଯୋଗୁଁ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ଯୋଗୁଁ ପ୍ରାୟ ୫୨୦୦କୋଟି ଖର୍ଚ୍ଚ ନକରି ବଳକା କରିଛନ୍ତି । କିନ୍ତୁ ଚଳିତ ବଜେଟ୍ ତାକୁ ସାମାନ୍ୟ ବୃଦ୍ଧି କରି ୧,୦୪,୨୭୮ କୋଟି କରିଛନ୍ତି । ମୁଦ୍ରାସ୍ଫୀତିକୁ ଦେଖିଲେ, ଏହି ବୃଦ୍ଧି ବି କିଛି ନୁହେଁ ।
ଖାଦ୍ୟସୁରକ୍ଷା ବାବଦରେ ବି ସରକାର ବଜେଟ୍ରେ ବ୍ୟାପକ ଖର୍ଚ୍ଚକାଟ କରିଛନ୍ତି । ଗତବର୍ଷ ଏଥିପାଇଁ ୨,୯୯,୩୫୪.୬ କୋଟି ବ୍ୟୟବରାଦ କରିଥିବାବେଳେ ଚଳିତବର୍ଷ ତାହା ୨,୦୭,୨୯୧.୧ କୋଟିକୁ ହ୍ରାସ କରିଛନ୍ତି । ୬-୧୪ ବର୍ଷ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଏବଂ ୬ବର୍ଷରୁ କମ୍ପିଲାଙ୍କ ପାଇଁ ଉଦ୍ଦିଷ୍ଟ ‘ପୋଷଣ’ ଯୋଜନାରେ ବି ସରକାର ଗତବର୍ଷ ୨୦,୨୬୩ କୋଟି ବ୍ୟୟବରାଦ କରିଥିବା ବେଳେ ଚଳିତ ତାକୁ ୨୦,୦୦୦ କୋଟିକୁ ହ୍ରାସ କରିଛନ୍ତି । ବିଶ୍ୱ କ୍ଷୁଧା ସୂଚକାଙ୍କରେ ଆମଦେଶ ଲଗାତାର ତଳେ ରହିଥିବାବେଳେ ଏବଂ କୋଭିଡ଼ ତଥା ଲକଡ଼ାଉନ୍ ଯୋଗୁଁ ଅଧିକରୁ ଅଧିକ ଭାରତୀୟଙ୍କ ଖାଦ୍ୟସୁରକ୍ଷା ବିପନ୍ନ ହୋଇଥିବାବେଳେ ଖାଦ୍ୟସୁରକ୍ଷା ବାବଦରେ ଏଭଳି ବ୍ୟୟହ୍ରାସ କରିବା, ସରକାରଙ୍କ ସମ୍ବେଦନ ହୀନତାକୁ ହିଁ ବୁଝାଉଛି ।
ଦେଶରେ ଚାଲିଥିବା ସାମାଜିକ ସୁରକ୍ଷା ଯୋଜନାରେ ବୃଦ୍ଧ, ବୃଦ୍ଧା, ବିଧବା ଓ ଭିନ୍ନକ୍ଷମମାନଙ୍କୁ ବି କେନ୍ଦ୍ର ସରକାର ପୂର୍ବବର୍ଷ ମାନଙ୍କ ପରି ଚଳିତ ବଜେଟ୍ରେ ବି ପ୍ରତାରଣା କରିଛନ୍ତି । ଉପରୋକ୍ତ ଯୋଜନାରେ ସେମାନଙ୍କୁ ଦିଆଯାଉଥିବା ମାସିକ ପେନ୍ସନ୍ରେ କେନ୍ଦ୍ର ନିଜର ଅଂଶକୁ ବୃଦ୍ଧି କରିନାହାନ୍ତି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ କେନ୍ଦ୍ର ସରକାର ୨୦୦୬ ମସିହାରେ ଏହି ପେନ୍ସନ୍ରେ ନିଜର ଅଂଶକୁ ୧୫୦ଟଙ୍କାରୁ ବଢ଼ାଇ ୨୦୦ଟଙ୍କା କରିଥିଲେ । ଦରଦାମ୍ ବୃଦ୍ଧି ସତ୍ତ୍ୱେ ଗତ ୧୬ ବର୍ଷ ଧରି ତାକୁ ବୃଦ୍ଧି ନକରି ସରକାର ସମାଜର ଏହି ବଂଚିତ ଓ ଅବହେଳିତ ସମୁଦାୟଙ୍କ ପ୍ରତି ନିଜର ସମ୍ବେଦନହୀନତାର ପ୍ରମାଣ ଦେଇଛନ୍ତି । ରୋଜଗାରବିହୀନ ବିକାଶର ନୀତିକୁ ଆପଣେଇବା ଫଳରେ ଦେଶରେ ବେରୋଜଗାରୀ ଭୟଙ୍କର ରୂପ ଧାରଣ କରିଛି । ସିଏମ୍ଆଇ ସଂସ୍ଥାର ରିପୋର୍ଟ ଅନୁଯାୟୀ ଡିିସେମ୍ବର ୨୦୨୧ ସୁଦ୍ଧା ଦେଶରେ ୫.୨ କୋଟି ଯୁବକ ଯୁବତୀ ବେରୋଜଗାର ରହିଛନ୍ତି । ଦେଶରେ ବେରୋଜଗାରୀର ହାର ସର୍ବକାଳୀନ ରେକର୍ଡ଼ ଛୁଇଁଥିବାବେଳେ ମାତ୍ର କିଛି ପଦବୀ ପାଇଁ ଲକ୍ଷ ଲକ୍ଷ ଏପରିକି କୋଟି କୋଟି ଯୁବକ ଯୁବତୀ ଆବେଦନ କରୁଛନ୍ତି । ନିକଟରେ ରେଳବାଇ ଭର୍ତ୍ତିକୁ ନେଇ ଦେଶର ବିଭିନ୍ନ ରାଜ୍ୟରେ ଯେଉଁଭଳି ଛାତ୍ର ଯୁବ ଆନେ୍ଦାଳନ ଦେଖାଗଲା ତାହା ବେରୋଜଗାରୀର ବିସ୍ଫୋରକ ସ୍ଥିତିକୁ ଉଜାଗର କରିବାକୁ ଯଥେଷ୍ଟ । ଏଭଳି ପରିସ୍ଥିତିରେ ସରକାର ନିଜର ବହୁ ପ୍ରଚାରିତ ପ୍ରତିଶ୍ରୁତି ବାର୍ଷିକ ଦୁଇ କୋଟି ରୋଜଗାର ଦେବା କଥା ଛାଡ଼, କମ୍ ସେ କମ୍ କେନ୍ଦ୍ର ସରକାରଙ୍କ ଅଧିନରେ ଖାଲି ପଡ଼ିଥିବା ୮.୭୨ଲକ୍ଷ ଖାଲି ପଦବୀକୁ ପୂରଣ କରିବାକୁ ବଜେଟ୍ରେ ଘୋଷଣା କରିପାରିଥାନ୍ତେ । କିନ୍ତ ସେପରି ନକରି ବେରୋଜଗାରୀ ନେଇ ଏକଦମ୍ ନୀରବ ରହିଛନ୍ତି । ନିଜର ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ ଚଳିତବର୍ଷ ୬୦ ହଜାର ଚାକିରୀ ସୃଷ୍ଟି କରିବାକୁ ଯେଉଁ ଉଲ୍ଲେଖ କରିଛନ୍ତି, ସେନେଇ ସରକାରଙ୍କ ପାଖରେ କୌଣସି ଠୋସ୍ ଯୋଜନା ଥିବା ମନେ ହେଉନି ।
ଶେଷରେ ଏତିକି କୁହାଯାଇପାରେ ଯେ ମୋଦୀ ସରକାରଙ୍କ ବହୁ ପ୍ରତୀକ୍ଷିତ ବଜେଟ୍, ଏକ ଦିଶାହୀନ ବଜେଟ୍ ଭାବେ ଦେଶର ବାସ୍ତବ ପରିସ୍ଥିତିକୁ ବୁଝିବାରେ ତଥା ତା’ର ପ୍ରତିକାର ପାଇଁ ପଦକ୍ଷେପ ନେବାରେ ଏକଦମ୍ ବିଫଳ ହୋଇଛି । ବଜେଟ୍ ମାଧ୍ୟମରେ ସରକାର ଦେଶୀ ବିଦେଶୀ କର୍ପୋରେଟ ସ୍ୱାର୍ଥ ପୂରଣ ପାଇଁ ତ ଭରପୁର ଉଦ୍ୟମ କରିଛନ୍ତି, କିନ୍ତୁ ଦେଶର ସିଂହଭାଗ ଜନତାଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବାରେ ଅସମର୍ଥ ହୋଇଛନ୍ତି ।
Photo credit- https://bit.ly/3rXZhmQ
Comments
0 comments