ବାରିନ୍ଦ୍ର କୁମାର ଘୋଷ (୫ ଜାନୁଆରୀ ୧୮୮୦- ୧୮ ଏପ୍ରିଲ ୧୯୫୯) ଥିଲେ ଜଣେ ବିପ୍ଳବୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସାମ୍ବାଦିକ । ସାମ୍ବାଦିକତା ସହିତ ସକ୍ରିୟ ଭାବରେ ସେ ଦୀର୍ଘବର୍ଷ ଧରି ଜଡ଼ିତ ଥିଲେ । ବଙ୍ଗ ପ୍ରଦେଶରେ ବ୍ରିଟିଶ ପ୍ରଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମର ପରିକଳ୍ପନାର ଅନ୍ୟତମ ମୁଖ୍ୟ ସାରଥୀ ଥିଲେ ବାରିନ୍ଦ୍ର କୁମାର ଘୋଷ ।
ବୈପ୍ଳବିକ ଚେତନାକୁ ବିସ୍ତାରିତ କରିବା ପାଇଁ ସେ ଭୂପେନ୍ଦ୍ରନାଥ ଦତ୍ତଙ୍କର ସହଯୋଗରେ ଏକ ସାପ୍ତାହିକ ବଙ୍ଗଳା ପତ୍ରିକା ପ୍ରକାଶ କରିଥିଲେ, ତା’ ନାଁ ‘ଯୁଗାନ୍ତର’ । ‘ଯୁଗାନ୍ତର’ ପତ୍ରିକା ବଙ୍ଗପ୍ରଦେଶ ଏବଂ ଅନ୍ୟାନ୍ୟ କେତେକ ପ୍ରଦେଶରେ ବ୍ରିଟିଶ ପ୍ରଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମର ଯେଉଁ ପରିକଳ୍ପନା ହେଇଥିଲା, ତା’ର ମଞ୍ଜି ବିପନ କରିଥିଲା ।
ବାରିନ୍ଦ୍ର କୁମାର ଘୋଷ, ଅରବିନ୍ଦ ଘୋଷ, ପରବର୍ତ୍ତୀ ସମୟରେ ଯିଏ ଶ୍ରୀ ଅରବିନ୍ଦ ନାମରେ ପରିଚିତ ଥିଲେ, ତାଙ୍କର ସାନଭାଇ । ବାରିନ୍ଦ୍ରଙ୍କର ଜନ୍ମ ଲଣ୍ଡନ ନିକଟବର୍ତ୍ତୀ କ୍ରଏଣ୍ଡନରେ । ତାଙ୍କର ନିଜ ଘର ବର୍ତ୍ତମାନ ପଶ୍ଚିମବଙ୍ଗର ହୁଗୁଳୀ ଜିଲ୍ଲା ଅନ୍ତର୍ଗତ କୋନନଗରରେ । ତାଙ୍କ ବାପା ଡ. କୃଷ୍ଣଧନ ଘୋଷ ଥିଲେ ଜଣେ ଚିକିତ୍ସକ । ତାଙ୍କ ମାଆ ସ୍ୱର୍ଣ୍ଣଲତା ଥିଲେ ବ୍ରାହ୍ମସମାଜର ପ୍ରମୁଖ ପ୍ରବକ୍ତା ଏବଂ ସମାଜ ସଂସ୍କାରକ ବିଦ୍ୱାନ ରାଜ ନାରାୟଣ ବୋଷଙ୍କର କନ୍ୟା । ଏକ ଅତ୍ୟନ୍ତ ସମ୍ଭ୍ରାନ୍ତ ଏବଂ ଶିକ୍ଷିତ ପରିବାରର ସନ୍ତାନ ବାରିନ୍ଦ୍ର ।
ତାଙ୍କର ଆଉ ଜଣେ ଭାଇଥିଲେ, ମନମୋହନ ଘୋଷ । ସେ ଇଂରାଜୀ ସାହିତ୍ୟରେ ବିଦ୍ୱାନ ଥିଲେ । ଇଂରାଜୀରେ ପ୍ରେସିଡେଣ୍ଟ କଲେଜ ଓ ଢାକା ୟୁନିଭରସିଟିରେ ଅଧ୍ୟାପନା କରୁଥିଲେ । ଦେଓଘରରେ ବାରିନ୍ଦ୍ର ସ୍କୁଲ ଯାଆନ୍ତି । ମାଟ୍ରିକ ପାସ୍ କରନ୍ତି । ତାପରେ ପାଟନା କଲେଜରେ ଭର୍ତ୍ତି ହୁଅନ୍ତି । ପରବର୍ତ୍ତୀ ସମୟରେ ସେ ବରୋଦା ଯାଆନ୍ତି ଅରବିନ୍ଦ ଘୋଷ, ତାଙ୍କ ଭାଇଙ୍କ ସହିତ ରହିବା ପାଇଁ । ଅରବିନ୍ଦ ଘୋଷ ସେତେବେଳେ ବରୋଦା ରାଜ ପ୍ରଶାସନରେ କାର୍ଯ୍ୟ କରୁଥାନ୍ତି । ସେତେବେଳକୁ ଅରବିନ୍ଦଙ୍କ ଭିତରେ ଏକ ବୈପ୍ଳବିକ ଚେତନା ଜାଗ୍ରତ ହେଇଥିଲା । ବ୍ରିଟିଶ ପ୍ରଶାସନକୁ ସଶସ୍ତ୍ର ସଂଗ୍ରାମରେ କେମିତି ଭାରତରୁ ବିତାଡିତ କରାଯାଇପାରିବ, ସେ ବିଷୟରେ ଚିନ୍ତା କରୁଥିଲେ । ବାରିନ୍ଦ୍ର ନାଥଙ୍କୁ ସେ ବରୋଦା ନେଇ ସାମରିକ ପ୍ରଶିକ୍ଷଣ ଦେଇଥିଲେ । ଏବଂ ସେ ହିଁ ବାରିନ୍ଦ୍ରଙ୍କୁ କୋଲକାତା ପଠାଇଥିଲେ ବିଭିନ୍ନ ବୈପ୍ଳବିକ ଗୋଷ୍ଠୀ ତିଆରି କରିବା ପାଇଁ । ଯତୀନ୍ଦ୍ର ନାଥ ବାନାର୍ଜୀ ବା ପରବର୍ତ୍ତୀ ସମୟରେ ଯାହାଙ୍କୁ ବାଘାଯତୀନ ନାମରେ ଜଣାଯାଏ, ସେ ଏବଂ ବାରିନ୍ଦ୍ର କୁମାର ଘୋଷ ମିଶି ତରୁଣ ବିପ୍ଳବୀ ଗୋଷ୍ଠୀ ତିଆରି କରିବାପାଇଁ ଲାଗିଲେ । ୧୯୦୨ରେ ବାରିନ୍ଦ୍ର ଫେରି ଆସିଥିଲେ କୋଲକାତା ଏବଂ ଏ କାର୍ଯ୍ୟରେ ଲାଗିଥିଲେ । ଏଇ ଉଦେ୍ଦଶ୍ୟରେ ୧୯୦୬ରେ ସେ ଏକ ବଙ୍ଗଳା ସାପ୍ତାହିକୀ ପ୍ରକାଶ କଲେ, ତା’ର ନାଁ ହେଉଛି ‘ଯୁଗାନ୍ତର’ । ଏଥିରୁ ‘ଯୁଗାନ୍ତର’ ବିପ୍ଳବୀ ଗୋଷ୍ଠୀର ଜନ୍ମ । ‘ଅନୁଶୀଳନ ସମିତି’ ବୋଲି ଗୋଟେ ସଙ୍ଗଠନ ଥିଲା । ଯେଉଁ ସଙ୍ଗଠନ ଏଇଭଳି ସଶସ୍ତ୍ର ବିପ୍ଳବକୁ ପ୍ରୋତ୍ସାହନ ଦେଉଥିଲା । ସେଥିରୁ ‘ଯୁଗାନ୍ତର’ ଜନ୍ମର ସମ୍ପର୍କ ରହିଛି । ଏମାନେ ସଶସ୍ତ୍ର ସଂଗ୍ରାମ କରି ବ୍ରିଟିଶ ସରକାରକୁ ଭାରତମାଟିରୁ ତଡ଼ିବା ପାଇଁ ଯୋଜନା କରୁଥିଲେ । ୟା ଭିତରେ ୧୯୦୮ ମସିହାରେ ଦୁଇ ଜଣ ବିପ୍ଳବୀ- ଘୁଦିରାମ ବୋଷ ଏବଂ ପ୍ରଫୁଲ୍ଲ ଚାକି ଇଂରେଜ ପ୍ରଶାସନ ଉପରେ ଆକ୍ରମଣ କଲେ ଏବଂ କିଙ୍ଗସ୍ଫୋର୍ଟ ନାମକ ଜଣେ ପ୍ରଶାସକଙ୍କର ମୃତୁ୍ୟ ହେଲା । ପୋଲିସ ଅନୁସନ୍ଧାନ କରି ୧୯୦୮ ମେ’ରେ, ବାରିନ୍ଦ୍ର ଘୋଷ ଏବଂ ଅରବିନ୍ଦ ଘୋଷଙ୍କ ସହିତ ଅନେକ ସାଥୀଙ୍କୁ ଗିରଫ କଲା । ତାଙ୍କର ଯେଉଁ ମୋକଦ୍ଦମା ଚାଲିଲା, ତାକୁ ଆଲିପୁର ବୋମା ମୋକଦ୍ଦମା ବୋଲି କୁହାଯାଏ । ଏଥିରେ ବାରିନ୍ଦ୍ର ଘୋଷଙ୍କୁ ଏବଂ ଉଲ୍ଲାସ ଦତ୍ତଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ୟାକୁ ଆଜୀବନ କାରାଦଣ୍ଡ ଭାବରେ ପରିବର୍ତ୍ତନ କରାଗଲା । ବାରିନ୍ଦ୍ର ଘୋଷଙ୍କୁ ୧୯୦୯ରେ ଅନ୍ୟାନ୍ୟ ଅଭିଯୁକ୍ତମାନଙ୍କ ସହିତ ଆଣ୍ଡାମାନର ସେଲୁଲାର ଜେଲକୁ ପଠାଇ ଦିଆଗଲା । ଏଠି ସେ ୧୨ବର୍ଷ ରହିଲେ । ୧୨ବର୍ଷ ପରେ ୧୯୨୦ରେ ବାରିନ୍ଦ୍ର କୋଲକାତା ଫେରିଲେ ଏବଂ ସାମ୍ବାଦିକତାକୁ ବୃତ୍ତି ଭାବରେ ଆଦରି ନେଲେ । ଏ ସମୟରେ ସେ ତାଙ୍କର ଆତ୍ମଜୀବନୀ ବି ଲେଖିଛନ୍ତି, ‘ଦି ଟେଲ ଅଫ୍ ମାଇଁ ଏକ୍ଜାଇଲ: ୧୨ ଇୟର ଇନ୍ ଆଣ୍ଡାମାନ’ । ଏଥିରେ ସେ ଆଣ୍ଡାମାନରେ କଟାଇଥିବା କଷ୍ଟକର ଜୀବନ ବିଷୟରେ ବର୍ଣ୍ଣନା କରିଛନ୍ତି ।
୧୯୨୩ରେ ସେ ପଣ୍ଡିଚେରୀ ଗଲେ । ଯେଉଁଠି ତାଙ୍କର ବଡ଼ଭାଇ ଅରବିନ୍ଦ ସେତେବେଳକୁ ଶ୍ରୀ ଅରବିନ୍ଦ ଭାବରେ ପରିଚିତ ହେଲେଣି, ସେଠି ତାଙ୍କର ଆଶ୍ରମ କରିଥିଲେ । ଶ୍ରୀ ଅରବିନ୍ଦଙ୍କର ଆଧ୍ୟାତ୍ମିକତା ଏବଂ ସାଧନାରେ ସେ ପ୍ରଭାବିତ ହେଲେ । ବେଶ୍ କିଛିଦିନ ସେ ମାର୍ଗରେ ଚାଲିଲେ । ୧୯୨୯ରେ ସେ ପୁଣି କୋଲକାତା ଫେରି ଆସିଲେ ଏବଂ ପୁଣି ଥରେ ସାମ୍ବାଦିକତାରେ ମନୋନିବେଶ କଲେ । ୧୯୩୩ରେ ସେ ଏକ ଇଂରାଜୀ ସାପ୍ତାହିକ ପ୍ରକାଶ କଲେ, ‘ଦି ଡନ୍ ଅଫ୍ ଇଣ୍ଡିଆ’ । ସେ ଇଂରାଜୀ ଦୈନିକ ସମ୍ବାଦପତ୍ର ‘ଦ ଷ୍ଟେଟସମ୍ୟାନ’ ସହିତ ଜଡିତ ଥିଲେ । ୧୯୫୦ରେ ସେ ଏକ ବଙ୍ଗଳା ଦୈନିକ ‘ଦୈନିକ ବସୁମତି’ର ସମ୍ପାଦକ ହେଲେ । ୧୯୫୯ରେ ତାଙ୍କର ମୃତ୍ୟୁ ହେଲା ।
ବାରିନ୍ଦ୍ର କୁମାର ଘୋଷଙ୍କର ଜୀବନ ବଡ଼ ନାଟକୀୟ । ସଶସ୍ତ୍ର ବିପ୍ଳବ, ଆଧ୍ୟାତ୍ମିକତା ଏ ଉଭୟରେ ତାଙ୍କ ଜୀବନ ଗୁନ୍ଥା ହେଇଛି । ଆଉ ସାମ୍ବାଦିକତାକୁ ସେ ବୈପ୍ଳବିକ ଚେତନାର ପ୍ରସାରଣରେ ବ୍ୟବହାର କରୁଥିଲେ । ତା’ସହିତ ପରବର୍ତ୍ତୀ ସମୟରେ ଏହାକୁ ସାମାଜିକ ଉନ୍ନୟନ, ସୁସ୍ଥ, ସମୃଦ୍ଧ ସମାଜ ଦିଗରେ ବ୍ୟବହାର କରିଥିଲେ ।
ଜୀବନକାଳ ଭିତରେ ସେ ଆତ୍ମଜୀବନୀ ସହିତ ବହୁତ ବହି ଲେଖିଥିଲେ । ତାଙ୍କ ଲିଖିତ ‘କରେଣ୍ଟ ଷ୍ଟାଟେର୍ଜି’କୁ ପ୍ରକାଶ କରିଥିଲେ ଅବିନାଶ ଚନ୍ଦ୍ର ଭଟ୍ଟାଚାର୍ଯ୍ୟ, ଅକ୍ଟୋବର ୧୯୦୭ରେ । ଏ ବହିଟି ବଙ୍ଗଳାର ବିପ୍ଳବୀମାନଙ୍କ ସମ୍ପର୍କରେ, ଯାହା ପରେ ପାଠ୍ୟ ପୁସ୍ତକ ହୋଇଉଠିଥିଲା । ଏଥିରେ ସଶସ୍ତ୍ର ବିପ୍ଳବ ଭାରତର ସ୍ୱାଧୀନତା ପାଇଁ କାହିଁକି ଆବଶ୍ୟକ, ତାକୁ ରେଖାଙ୍କିତ କରାଯାଇଥିଲା । ଆହୁର କିଛି ବହି ମଧ୍ୟ ସେ ଲେଖିଥିଲେ, ତା ଭିତରେ ରହିଛି, ‘ପଥେର ଇଙ୍ଗିତ’, ‘ଅଗ୍ନିଯୋଗ’, ‘ରିଷି ରାଜନାରାୟଣ’, ‘ଶ୍ରୀ ଅରବିନ୍ଦ’, ‘ଦୀପାନ୍ତରେର ବାଂଶୀ’ ଇତ୍ୟାଦି ।
ବାରିନ୍ଦ୍ର ଘୋଷଙ୍କର ଜୀବନର ଗୋଟେ ବଡ଼ କାଳଖଣ୍ଡ ଅତ୍ୟନ୍ତ କଷ୍ଟକର ଅବସ୍ଥାରେ ବିତିଛି । ତାଙ୍କ ସାମ୍ବାଦିକତାରେ ତେଣୁ ଦୁଃଖୀ, ଦରିଦ୍ର, ନିଷ୍ପେଷିତଙ୍କ ପ୍ରତି ଏକ ସହାନୁଭୂତିର ଝଲକ ସ୍ପଷ୍ଟ ଦେଖାଯାଏ ।
Photo credit- https://bit.ly/3KqObgl
Comments
0 comments