ଶାନ୍ତିର ନୋବେଲ୍ : ଲହୁଲୁହାଣ ସାମ୍ବାଦିକତା!

ବିଭୁତି ପତି Bibhuti Pati
ବିଭୁତି ପତି Bibhuti Pati186 Views
19 Min Read

ବିଗତ ୨୦୨୧ବର୍ଷର ସବୁଠାରୁ ଉଲ୍ଲେଖନୀୟ ଘଟଣା ଥିଲା ସାମ୍ବାଦିକତାକୁ ଶାନ୍ତିର ନୋବେଲ୍ ପୁରସ୍କାର । ଶାନ୍ତି ପାଇଁ ଯେତେବେଳେ ସାମ୍ବାଦିକତାକୁ ନୋବେଲ୍ ପୁରସ୍କାର ମିଳିଥିଲା, ଠିକ୍ ସେତିକିବେଳେ ଗଣମାଧ୍ୟମର ଦୁଇଟି ଭିନ୍ନ ଦିଗ ଚର୍ଚ୍ଚାକୁ ଆସିଥିଲା, ଗଣମାଧ୍ୟମରେ ସ୍ୱାଧୀନତାର କଣ୍ଠରୋଧ ଏବଂ ସାମ୍ବାଦିକମାନଙ୍କ ଉପରେ ହେଉଥିବା ହିଂସା ଓ ହତ୍ୟାର ଆତଙ୍କ । ଏହାରି ଭିତରେ କାମଳ ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ସାମ୍ବାଦିକତା ମାଧ୍ୟମରେ ସମାଜ ଉପରେ ସୃଷ୍ଟି ହେଉଥିବା କୁପ୍ରଭାବର ବିବାଦ ମଧ୍ୟ ସମାଲୋଚନାର ଶରବ୍ୟ ହେଉଥିବାବେଳେ ସାମ୍ବାଦିକତା ଓ ସାମ୍ବାଦିକ ଆଜି ଶାନ୍ତି ଓ ସ୍ୱାଧୀନତାର ସ୍ୱପ୍ନ ଭିତରେ ହେଉଛି ଲହୁଲୁହାଣ ।

ଶାନ୍ତିର ନୋବେଲ୍

୩୦ଦଶକରେ ସାମ୍ବାଦିକମାନେ ଟାଇପ୍ ରାଇଟରରେ ଖବର (ନୁ୍ୟଜ୍) ଲେଖୁଥିଲେ ଏବଂ ସେମାନଙ୍କର ସମ୍ବାଦମାନ ସୀସା ଅକ୍ଷରରେ ସଜାଇ ଛପା ଯାଉଥିଲା । ସେତେବେଳେ ବ୍ରେକିଂ ନୁ୍ୟଜର ଅର୍ଥ ହେଲା ଅପରାହ୍ଣ ପାଇଁ ଖବରକାଗଜ ଛପାଇବା । କିନ୍ତୁ ସେହି ସମୟବେଳକୁ ବହୁ ସାମ୍ବାଦିକ ବେତାର ବା ରେଡ଼ିଓର ଚମକ୍ରାର ମଂଚ ପାଇଁ ସାମ୍ବାଦିକତା କରିବାର ଢାଞ୍ଚା ଶିକ୍ଷା କରୁଥିଲେ ।

୧୯୩୫ ମସିହାରେ ଜର୍ମାନ ସାମ୍ବାଦିକ କାର୍ଲଭନ୍ ଓସିଏଟସ୍କି ଶେଷଥର ପାଇଁ ଜଣେ ସାମ୍ବାଦିକଭାବେ ନୋବେଲ ଶାନ୍ତି ପୁରସ୍କାର ଜିତିଥିଲେ । ଅବଶ୍ୟ କାର୍ଲଙ୍କୁ ତକ୍ରାଳୀନ ଜର୍ମାନ ପ୍ରଶାସନ ନୋବେଲ୍ ପୁରସ୍କାର ଗ୍ରହଣ କରିବାକୁ ସେହି ସମୟରେ ବିଦେଶ ଯିବାକୁ ଅନୁମତି ଦେଇ ନଥିବାରୁ କାର୍ଲ ୧୯୩୫ ମସିହାରେ ନୋବେଲ୍ ପୁରସ୍କାର ଗ୍ରହଣ କରିପାରିନଥିଲେ । ଏଥିପାଇଁ କାର୍ଲ ୧୯୩୬ ମସିହାରେ ନୋବେଲ୍ ପୁରସ୍କାର ଗ୍ରହଣ କରିଥିଲେ । ଯଦିଓ ଆଜିର ସାମ୍ବାଦିକ ବର୍ତ୍ତମାନ ବ୍ୟବହାର କରୁଥିବା ପ୍ରଯୁକ୍ତି ବିଦ୍ୟାଗତ ପରିବର୍ତ୍ତନକୁ ଅତ୍ୟାଧୁନିକ ବୋଲି ସ୍ୱୀକାର କରି ଅତୀତର ସାମ୍ବାଦିକତାଠାରୁ ଭିନ୍ନ ବୋଲି ମନେକରନ୍ତି, ତଥାପି ଅଧିକାଂଶ ସାମ୍ବାଦିକ ଅନ୍ତତଃ ଏକଥା ସ୍ୱୀକାର କରିବେ ଯେ, ସେତେବେଳର ତଥା ବର୍ତ୍ତମାନର ରାଜନୈତିକ ବାତାବରଣ ମଧ୍ୟରେ ଯଥେଷ୍ଟ ସମାନତା ରହିଛି । ଏକଛତ୍ରବାଦୀ ଶାସନ କ୍ରମାଗତ ଭାବେ ବୃଦ୍ଧି ପାଉଛି ଯାହାକି ସ୍ୱାଧୀନ ସାମ୍ବାଦିକତାର କଣ୍ଠରୋଧ କରିଆସୁଛି । ଏପରି ଶାସନଗୁଡ଼ିକ ଦୁର୍ନୀତି, କ୍ଷମତାର ଅପବ୍ୟବହାର କିମ୍ବା ଅପରାଧିକ କାର୍ଯ୍ୟକଳାପକୁ ଲୋକଲୋଚନକୁ ଆଣୁଥିବା ସାମ୍ବାଦିକମାନଙ୍କୁ ଦଣ୍ଡିତ କରିବା, ଜେଲରେ ପୁରାଇବା ଓ ହତ୍ୟା ତଥା ସାମ୍ବାଦିକମାନଙ୍କୁ ଆକ୍ରମଣ କରୁଥିବା ବ୍ୟକ୍ତିମାନଙ୍କୁ ଅଭୟ ପ୍ରଦାନ କରୁଛନ୍ତି ।

ଏହିପରି ଘଡ଼ିସନ୍ଧି ପରିସ୍ଥିତିରେ ଫିଲିପାଇନ୍ସରେ ମାରିଆ ରେସା ଏବଂ ଋଷିଆରେ ଦିମିତ୍ରୀ ମୁ୍ୟରାଟୋଭ ସାମ୍ବାଦିକରୂପେ କାର୍ଯ୍ୟ କରନ୍ତି । ଉଭୟେ ସେମାନଙ୍କର ସାମ୍ବାଦିକତା ପାଇଁ ନୋବେଲ୍ ଶାନ୍ତି ପୁରସ୍କାର ଗ୍ରହଣ କରିଛନ୍ତି । ଏହି ଶାନ୍ତି ପୁରସ୍କାର ଶାରୀରିକ ଆଘାତ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନର ଭୟ ସତ୍ତ୍ୱେ ଆର୍ଥିକ ଦୁଃସ୍ଥିତି ମଧ୍ୟରେ ସାମ୍ବାଦିକତା କରୁଥିବା ହଜାର ହଜାର ସାମ୍ବାଦିକଙ୍କର ପ୍ରତିନିଧିତ୍ୱ କରୁଛି । ପୁରସ୍କାରର ପ୍ରଶସ୍ତିପତ୍ରରେ ଲେଖାଯାଇଛି ଯେ, ଉଭୟ ସାମ୍ବାଦିକଙ୍କୁ ମନୋନୀତ କରିବାର କାରଣ ହେଲା ମତବ୍ୟକ୍ତ କରିବାର ଓ ସୂଚନାର ସ୍ୱାଧୀନତାର ଅଧିକାରର ସୁରକ୍ଷା କରିବାର ଗୁରୁତ୍ୱକୁ ପ୍ରତିପାଦିତ କରିବା ।

ଦୁର୍ଭାଗ୍ୟର ବିଷୟ, ଯେଉଁ ରାଜନୈତିକ ଓ ସାମାଜିକ ପରିସ୍ଥିତିରେ ମାରିଆ ଓ ଦିମିତ୍ରୀ କାର୍ଯ୍ୟ କରୁଛନ୍ତି ତାହା ଏକ ବୃହତ୍ତର ଧାରାର ପ୍ରତିନିଧିତ୍ୱ କରୁଛି । ବିଗତ ବର୍ଷମାନଙ୍କରେ ଏହି ଧାରା ଆହୁରି ବଳବତ୍ତର ହେଉଥିବା ପରି ପ୍ରତୀୟମାନ ହେଉଛି, ଯାହାକି ଗଣମାଧ୍ୟମର ସ୍ୱାମୀନତାର ମୂଲ୍ୟବୋଧ କମିଯାଉଥିବାରୁ ସୂଚାଉଛି । ଏପରିକି ଯେଉଁ ସାମାଜିକ ବ୍ୟବସ୍ଥାରେ ଏକଦା ଏହାକୁ ଅବଧାରିତ ବୋଲି ବିବେଚନା କରାଯାଉଥିଲା, ସେହି ସାମାଜିକ ବ୍ୟବସ୍ଥାଗୁଡ଼ିକରେ ମଧ୍ୟ ଏପରି ଅବକ୍ଷୟ ପରିଲକ୍ଷିତ ହେଉଛି ।

ସରକାରୀ ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ଖବର ପ୍ରକାଶ ଓ ପ୍ରସାରଣ କଲେ ସାମ୍ବାଦିକମାନଙ୍କୁ ଆଇନଗତ ଭାବେ ଦଣ୍ଡିତ କରିବା ପାଇଁ ବାଟ ଫିଟାଇପାରେ । ଘରୋଇ କମ୍ପାନୀଗୁଡିକର ବେଆଇନ କାରବାରକୁ ଲୋକଲୋଚନକୁ ଆଣିଲେ, ସମ୍ପୃକ୍ତ କମ୍ପାନୀ ଦ୍ୱାରା ଅସୀମ ସମ୍ବଳ ଓ କ୍ଷମତା ବ୍ୟବହାର କରି ସାମ୍ବାଦିକମାନଙ୍କୁ ବଦନାମ କରିବାର ପ୍ରୟାସ କରାଯାଏ । ଏକ ଅପରାଧିକ ନେଟୱାର୍କକୁ ଲୋକଲୋଚନକୁ ଆଣିଲେ ତାହା ରିପୋର୍ଟର କିମ୍ବା ସମ୍ପାଦକଙ୍କର ମୃତୁ୍ୟର କାରଣ ହୋଇପାରେ । ଏପରି ସାମ୍ବାଦିକମାନେ ସେତେବେଳେ ଦ୍ୱିତୀୟଥର ପାଇଁ ମୃତ୍ୟୁବରଣ କରନ୍ତି ଯେତେବେଳେ, ଏପରି କାଣ୍ଡ ଭିଆଇଥିବା ଲୋକମାନଙ୍କୁ କର୍ତ୍ତୃପକ୍ଷ ଦଣ୍ଡିତ କରନ୍ତି ନାହିଁ ।

ଜର୍ମାନୀର ସାମ୍ବାଦିକ କାର୍ଲ ଭନ ଓସିଏଟସ୍କିଙ୍କୁ ପ୍ରଦାନ କରାଯାଇଥିବା ୧୯୩୫ର ନୋବେଲ୍ ଶାନ୍ତି ପୁରସ୍କାର ଆମକୁ ଏକଥା ସ୍ମରଣ କରାଇ ଦିଏ, ସବୁ ସମୟରେ ବିଶେଷ କରି ସତ୍ୟ ଯେତେବେଳେ କ୍ଷମତାଶାଳୀ ଲୋକମାନଙ୍କୁ କ୍ଷତିଗ୍ରସ୍ତ କରେ, ସେତେବେଳେ ସାମ୍ବାଦିକତା ସବୁବେଳେ ବିପଦର ସମ୍ମୁଖୀନ ହୋଇଆସିଛି । ୧୯୨୦ ଦଶକରେ ନାଜି ଶାସନ ଜର୍ମାନୀକୁ ପୁଣି ଥରେ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ କରୁଛି ବୋଲି ବିସ୍ତୃତ ବିବରଣୀ ପ୍ରକାଶ କରିବାଯୋଗୁଁ କାର୍ଲଭନ୍ ଓସିଏଟସ୍କିଙ୍କୁ ଜେଲଦଣ୍ଡ ଭୋଗ କରିବାକୁ ପଡ଼ିଥଲା । ଅସ୍ତ୍ରଶସ୍ତ୍ର ଠୁଳ କରିବା, ସେତେବେଳେ ଜର୍ମାନୀ ଦ୍ୱାରା ଆନ୍ତର୍ଜାତିକ ଚୁକ୍ତିର ଖିଲାପ ଥିଲା । ଏହି ଖବରରେ କାର୍ଲଭନ୍ ଇହୁଦୀମାନଙ୍କ ବିରୋଧ ମନୋଭାବ ବୃଦ୍ଧି ପାଉଥିବା ସମ୍ପର୍କରେ ସତର୍କ କରାଇ ଦେଇଥିଲେ । ଏଥିପାଇଁ କର୍ତ୍ତୃପକ୍ଷ ତାଙ୍କୁ ଜେଲ ଦେଇଥିଲେ ଏବଂ ନିର୍ଯାତିତ କରୁଥିଲେ ।

୧୯୩୫ ମସିହାବେଳକୁ ପ୍ରେସ୍ର ସ୍ୱାଧୀନତା ସମ୍ପର୍କିତ ବିଚାରଧାରା ଧୀରେ ଧୀରେ ସ୍ୱୀକୃତି ହାସଲ କରୁଥିଲା । ଏହାର ପୂର୍ବ ଶତାବ୍ଦୀର ମଡ଼େଲ ଥିଲା ରାଜନୈତିକ କି୍ରୟାଶୀଳତା । ୧୯୩୫ର ପରବର୍ତ୍ତୀ ଦଶନ୍ଧିଗୁଡ଼ିକରେ ହିଁ ସାମ୍ବାଦିକତା ଏକ ଜାଗ୍ରତ ପ୍ରହରୀର ଭୂମିକା ବୋଲି ଗ୍ରହଣୀୟ ହୋଇଥିଲା । ଆଜି ପର୍ଯ୍ୟନ୍ତ ସାମ୍ବାଦିକତାର ଏହି ଭୂମିକା ବଳବତ୍ତର ରହିଛି, ଯଦିଓ ସାମାଜିକ ଗଣମାଧ୍ୟମ ସୂଚନାର ଫୋଟକା ପାଇଁ ଏପରି ଏକ ମାଧ୍ୟମ ସୃଷ୍ଟି କରିଛି ଯାହାବଳରେ ପ୍ରତ୍ୟେକେ ସେମାନେ ସହମତ ହେଉଥିବା ସମ୍ବାଦ ବା ସୂଚନାର ବିସ୍ଫୋରଣ ଅନୁସରଣ କରିପାରିବେ ଏବଂ ଅନ୍ୟ ସମସ୍ତ ଖବରକୁ ଜାଲ୍ ଖବରର ଆଖ୍ୟା ଦେଇ ପରିତ୍ୟାଗ କରିପାରିବେ । ଏହି ବିସ୍ଫୋରଣଗୁଡ଼ିକ ସତ୍ୟ ଘଟଣା ଏବଂ ମୁକ୍ତ ପ୍ରେସ୍ଉପରେ ବିଶ୍ୱାସକୁ କମାଇ ଦେଉଛି । ଜନମାନସକୁ ପ୍ରଲୁବ୍ଧ କରୁଥିବା ରାଜନୈତିକ ବ୍ୟକ୍ତିମାନଙ୍କୁ ସାଧାରଣ ଲୋକଙ୍କର ସାମ୍ବାଦିକମାନଙ୍କ ପରି ଆଚରଣ ଆଭିମୁଖ୍ୟ ବେଶ୍ ସୁହାଇଛି ଏବଂ ସାମାଜିକ ଗଣମାଧ୍ୟମରୁ ସେମାନେ ଫାଇଦା ଉଠାଇଛନ୍ତି । କିନ୍ତୁ ହଇରାଣ ହରକତ, ଚାପ ଓ ଆକ୍ରମଣ ସତ୍ତ୍ୱେ ବୃତ୍ତିଗତ ସାମ୍ବାଦିକମାନେ ଆଗକୁ ବଢ଼ି ଚାଲିଛନ୍ତି ।

ମାରିଆ ଦିମିତ୍ରୀଙ୍କ ଅଭିଯାନ

୨୦୧୮ ମସିହାରେ ମାରିଆ ରେସା ଗୋଲଡେନ ପେନ୍ ଅଫ୍ ଫି୍ରଡ଼ମ୍ ପୁରସ୍କାର ଗ୍ରହଣ କରିବା ଅବସରରେ କହିଥିଲେ, ଆପଣ ନିଜକୁ ସୁରକ୍ଷିତ ରଖିବାପାଇଁ ଲଢ଼େଇ ଆରମ୍ଭ ନ’କରିବା ପର୍ଯ୍ୟନ୍ତ ଆପଣ ନିଜେ କିଏ ସେ କଥା ଜାଣିପାରିବେ ନାହିଁ । ସମ୍ବାଦ ପ୍ରକାଶକମାନଙ୍କର ବିଶ୍ୱ ସଂଘ ପକ୍ଷରୁ ଯେଉଁ ସାମ୍ବାଦିକମାନେ ନିଜର ସମ୍ବାଦ ପ୍ରକାଶପାଇଁ ସଂଗ୍ରାମ କରୁଛନ୍ତି ସେମାନଙ୍କୁ ବାର୍ଷିକ ଗୋଲଡେନ ପେନ୍ ଅଫ୍ ଫି୍ରଡମ ପୁରସ୍କାର ପ୍ରଦାନ କରାଯାଇଥାଏ । ମାରିଆ ୨୦୧୨ ମସିହାରେ ପ୍ରତିଷ୍ଠା କରିଥିବା ତାଙ୍କର ଅନଲାଇନ୍ ସମ୍ବାଦପତ୍ର ର୍ୟାପ୍ଲରକୁ ଫିଲିପାଇନ୍ସର ରାଷ୍ଟ୍ରପତି ରୋଡି୍ରଗୋ ଡୁଟେର୍ଡେଙ୍କ ଦ୍ୱାରା କ୍ଷମତାର ଅପବ୍ୟବହାର ସମ୍ପର୍କିତ ସମ୍ବାଦ ପ୍ରକାଶନରୁ ବିରତ ରଖିବାପାଇଁ ୨୦୧୮ ମସିହାରୁ ଆଇନଗତ ଆକ୍ରମଣ ଆରମ୍ଭ କରି ଦେଇଥିଲେ । ଇଣ୍ଟରନେଟରେ ମାରିଆଙ୍କୁ ଅନେକ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡିଛି । ଏହାର ଫଳସ୍ୱରୂପ ମୁକ୍ତ ଗଣମାଧ୍ୟମର ଶତ୍ରୁମାନଙ୍କ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରୁଥିବା ମାରିଆ ସୋସିଆଲ୍ ମିଡିଆ (ସାମାଜିକ ଗଣମାଧ୍ୟମ) ନେଟୱାର୍କଗୁଡିକୁ ନିନ୍ଦା କରି ପରିତ୍ୟାଗ କରିଥିଲେ । ସମ୍ଭବତଃ ମାରିଆ ହେଉଛନ୍ତି ଏପରି କାର୍ଯ୍ୟ କରିଥିବା ପ୍ରଥମ ସାମ୍ବାଦିକ ।

ଦୁଇବର୍ଷ ପୂର୍ବେ ଦିମିତ୍ରୀ ମୁ୍ୟରାଟୋଭ ସେହି ଏକା ପୁରସ୍କାର ଗ୍ରହଣ କରିଥିଲେ । ସେତେବେଳ ସୁଦ୍ଧା ନୋଭାୟା ଗେଜେଟା (୧୯୯୩ ମସିହାରେ ଦିମିତ୍ରୀଙ୍କ ଦ୍ୱାରା ପ୍ରତିଷ୍ଠିତ) ସମ୍ବାଦପତ୍ରର ୬ଜଣ ସାମ୍ବାଦିକଙ୍କର ହତ୍ୟା ହୋଇ ସାରିଥିଲା । ଏହି ମୃତ ସାମ୍ବାଦିକମାନଙ୍କ ମଧ୍ୟରେ ଆନା ପୋଲିତକୋଭସ୍କାୟା ମଧ୍ୟ ଅନ୍ତର୍ଭୁକ୍ତ, ଯିଏ କି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନଙ୍କର ଜଣେ ତୀବ୍ର ସମାଲୋଚକ ।

ଦିମି୍ରତୀ ଓ ମାରିଆଙ୍କ ଯାତ୍ରା ଥିଲା ଅସମ୍ଭବ ଧରଣର । ର୍ୟାପ୍ଲର୍ ପ୍ରତିଷ୍ଠା କରିବା ସକାଶେ ତଥା ତାଙ୍କ ମାତୃଭୂମି ପାଇଁ କାର୍ଯ୍ୟ କରିବାକୁ ମାରିଆ ଆନ୍ତର୍ଜାତିକ ସାମ୍ବାଦିକତା ଛାଡିଥିଲେ । ରୁଷିଆ ଯେତେବେଳେ ସୋଭିଏତ୍ ରୁଷିଆ ଥିଲା (ୟୁଏସ୍ଏସ୍ଆର), ସେହି ସମୟରୁ ଦିମିତ୍ରୀ ସାମ୍ବାଦିକତା ଆରମ୍ଭ କରିଥିଲେ । ଖୁବ୍ ଶୀଘ୍ର ସେ ବୁଝିଯାଇଥିଲେ ଯେ, ସ୍ୱାଧୀନତା ବ୍ୟତିରକେ ସାମ୍ବାଦିକତା ଶକ୍ତିହୀନ ।

ସାମ୍ପ୍ରତିକ ପରିସ୍ଥିତିରେ ଦିମିତ୍ରୀ ଓ ମାରିଆ ହେଉଛନ୍ତି ସାମ୍ବାଦିକତାର ଗୋଟିଏ ଧାରା ପାଇଁ ଆଜିର କାର୍ଲ ଭନ୍ ଓସିଏଟସ୍କି; ଯେଉଁମାନେ ଶାନ୍ତିକୁ ବ୍ୟାହତ କରୁଥିବା ସାମାଜିକ ଓ ରାଜନୈତିକ କୁକାର୍ଯ୍ୟଗୁଡିକୁ ଲୋକଲୋଚନକୁ ଆଣିବାପାଇଁ ଅଙ୍ଗୀକାରବଦ୍ଧ । ସାମ୍ବାଦିକତାର ଗୋଟିଏ ବର୍ଗ/ଧାରା ଜାତିବାଦ, ଏକଛତ୍ରବାଦ, ରାଜନୈତିକ ଦମନ, ନିଶାଦ୍ରବ୍ୟ କାରବାର, ଆତଙ୍କବାଦୀ ଗୋଷ୍ଠୀ, ମାନବାଧିକାର ହନନ, ଦଣ୍ଡମୁକ୍ତି, ଯୁଦ୍ଧ, ସାମାଜିକ ହିଂସା ଓ ଅପରାଧ କିମ୍ବା ସାମରିକ ଶକ୍ତି ଠୁଳକରିବା ଇତ୍ୟାଦି କାର୍ଯ୍ୟର ବିରୋଧ କରନ୍ତି ।

ମାରିଆ ଓ ଦିମିତ୍ରୀଙ୍କ ପରି ବିଶ୍ୱବ୍ୟାପୀ ଗଣ୍ଡା ଗଣ୍ଡା ଗଣମାଧ୍ୟମ ଉଦ୍ୟୋଗୀ ଉପରୋକ୍ତ ଧାରାରେ ହିଁ ସାମ୍ବାଦିକତା କରୁଛନ୍ତି । ଏହି ଉଦ୍ୟୋଗୀମାନେ ମିଆଁମାର ଠାରୁ ଆରମ୍ଭ କରି ନିକାରାଗୁଆ ପର୍ଯ୍ୟନ୍ତ, ଇଥିଓପିଆଠାରୁ ତୁର୍କୀ ପର୍ଯ୍ୟନ୍ତ, ମେକ୍ସିକୋଠାରୁ ଇରାନ୍ ଏବଂ ସାଉଦି ଆରବରୁ ଚୀନ୍ ତଥା ପାକିସ୍ତାନଠାରୁ ଭାରତ ପର୍ଯ୍ୟନ୍ତ ପରିବ୍ୟାପ୍ତ । ନୋବେଲ୍ ପୁରସ୍କାରବିଜେତା ମାରିଆ ଓ ଦିମିତ୍ରୀଙ୍କ ପରି ଖୁବ୍ ପ୍ରସିଦ୍ଧ ନ’ହେଲେ ମଧ୍ୟ ଆନ୍ନିଚାଙ୍ଗ୍ ନୈଙ୍ଗ୍, କାର୍ଲୋସ ଜାେଆକ୍ୱିନ ଚାମୋରୋ, ଦାୱିଚ, କେବେଡ଼େ, କ୍ୟାନ ଦୁଣ୍ଡର, ମାର୍ସେଲା ଟୁରାଟି, ମୋହମ୍ମଦ ମୋସଏଦ୍, ଜମାଲ ଖାସୋଗୀ, ଜିମ୍ମି ଲାଇ ଏବଂ ହମିଦ୍ ମୀର୍; ଏହିଭଳି ଅନେକ ସାମ୍ବାଦିକ ବିଶ୍ୱରେ ସ୍ୱାଧୀନ ଓ ମୁକ୍ତ ଗଣମାଧ୍ୟମ ପାଇଁ ନିଜର ସଂଗ୍ରାମ ଅଳ୍ପ ବହୁତେ ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀରେ ଆମେ ସାହିତ୍ୟରେ ନୋବେଲ୍ ପୁରସ୍କାର ବିଜେତା ୟୁଗେନ୍ ଓ’ନିଲ୍ଙ୍କ ପ୍ରସିଦ୍ଧ ଲେଖା ସ୍ମରଣଯୋଗ୍ୟ, “ନାଁ ଅଛି ବତ୍ତର୍ମାନ କିମ୍ବା ନାଁ ଅଛି ଭବିଷ୍ୟତ, କେବଳ ଅତୀତ ହିଁ ବାରମ୍ବାର ଅବିରତ ଗତି କରୁଛି ତାହା ହେଉଛି ବର୍ତ୍ତମାନ । ୧୯୩୫ ମସିହାର ଅତୀତରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ମାରିଆ ଓ ଦିମିତ୍ରୀଙ୍କ ଭଳି ବିଶ୍ୱବ୍ୟାପି ଶହଶହ ସାମ୍ବାଦିକ ସ୍ୱାଧୀନ ଓ ମୁକ୍ତ ଗଣମାଧ୍ୟମ ଉପରେ ପଡୁଥିବା ଏକଛତ୍ରବାଦୀଙ୍କର ଲୋଲୁପ ଦୃଷ୍ଟିରୁ ନିସ୍ତାର ଓ ସୁରକ୍ଷା ପାଇବାକୁ ସଂଘର୍ଷ କରୁଛନ୍ତି ।

ନୋବେଲ୍ ଅଭିଭାଷଣ

ଦୁଇ ସାମ୍ବାଦିକ ମାରିଆ ଓ ଦିମିତ୍ରୀ ନୋବେଲ୍ ପୁରସ୍କାର ଗ୍ରହଣ ସମୟର ‘ଏକ୍ସସେପ୍ଟଣ୍ଟେସ୍ ସ୍ପିଚ୍’ ଅର୍ଥାତ୍ ନୋବେଲ୍ ପ୍ରାଇଜ୍ ଲେକଚର୍ ବା ନୋବେଲ୍ ପୁରସ୍କାର ଅଭିଭାଷଣରେ ବିଶ୍ୱକୁ ସମ୍ବୋଧିତ କରିବାବେଳେ ଯେଉଁ ପ୍ରସଙ୍ଗକୁ ନେଇ ଉଦବେଗ ଜତାଇଛନ୍ତି, ତାହା ବିଶ୍ୱର ସାମ୍ବାଦିକତା ଓ ଗଣମାଧ୍ୟମ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ।

ଦିମିତ୍ରୀ ବିଶ୍ୱବ୍ୟାପି ରାଜନୈତିକ ସ୍ତରରେ ଏକଛତ୍ରବାଦ ମୁଣ୍ଡ ଟେକୁଥିବା ହେତୁ ଗଣମାଧ୍ୟମ ଉପରେ ଏହାର ପ୍ରଭାବକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଦିମିତ୍ରୀ ଦର୍ଶାଇଥିଲେ, ରାଷ୍ଟ୍ରୀୟ ବିକାଶ ନିମନ୍ତେ ସ୍ୱାଧୀନତା ଏବଂ ମାନବାଧିକାର ବଦଳରେ ବୈଷୟିକ ପ୍ରଗତି ଓ ହିଂସାକୁ ଗୁରୁତ୍ୱ ପ୍ରଦାନ କରାଯାଉଛି । ଯୁଦ୍ଧଖୋର ମନୋଭାବର ବ୍ୟାପକ ପ୍ରଚାର ଫଳରେ ଜନସାଧାରଣ ଯୁଦ୍ଧକୁ ଓ ହିଂସାକୁ ଏକ ସ୍ୱାଭାବିକ ପ୍ରକି୍ରୟାରେ ଗ୍ରହଣ କରିନେବାକୁ ବସିଲେଣି । ଏତାଦୃଶ୍ୟ ମତବାଦର ପ୍ରଚାର ଓ ପ୍ରସାରରେ ଗୋଟିଏ ପଟରେ ଗଣମାଧ୍ୟମ ଯେତେବେଳେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ଠିକ୍ ସେତିକିବେଳେ ଅନ୍ୟପଟରେ ମୁକ୍ତ ଓ ସ୍ୱାଧୀନ ସାମ୍ବାଦିକତା ବଳି ପଡ଼ିଯାଉଛି । ଏହି ଅବକ୍ଷୟ –ମୁଖି ସାମାଜିକ ବ୍ୟବସ୍ଥାକୁ ସଜାଡ଼ିବାରେ ମୁକ୍ତ ଓ ସ୍ୱାଧୀନ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି । ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ମୁକ୍ତ ଓ ସ୍ୱାଧୀନ ସାମ୍ବାଦିକତା ପାଇଁ ଆଉ ଗୋଟିଏ ବିପଦ ସୃଷ୍ଟି କରିସାରିଲାଣି । ବୃତ୍ତିଗତ ସାମ୍ବାଦିକ ସତର୍କ ପ୍ରହରୀ ହେବାର ଆବଶ୍ୟକତା ହୋଇପଡିଛି । ସତ୍ୟ ଓ ଅସତ୍ୟ ମଧ୍ୟରେ ପ୍ରଭେଦ ଦର୍ଶାଇବାକୁ ପେସାଦାର ସାମ୍ବାଦିକ ଓ ଗଣମାଧ୍ୟମ ବର୍ତ୍ତମାନ ଅନୁସନ୍ଧାନମୂଳକ ଏବଂ ତଥ୍ୟଭିତ୍ତିକ ସାମ୍ବାଦିକତା (ଡାଟା ଜର୍ଣ୍ଣାଲିଜିମ୍)ର ‘ମିଶନ୍ ଅର୍ଥାତ୍ ମୁଖ୍ୟ ଲକ୍ଷ୍ୟ ହେବା ଜରୁରୀ । ରାଷ୍ଟ୍ରୀୟ ସ୍ୱାଭିମାନରେ ଉଦବୁଦ୍ଧ କରି ନାଗରିକମାନଙ୍କୁ ଦେଶପାଇଁ ପ୍ରାଣ ବଳି ଦେବାକୁ ପ୍ରରୋଚିତ କରାଯାଉଥିବାବେଳେ ରାଷ୍ଟ୍ରପାଇଁ ବଞ୍ଚôବା ଲାଗି ପ୍ରୋତ୍ସାହନ କରିବାକୁ ସମସ୍ତେ ଭୁଲିଯାଉଛନ୍ତି । ବୃତ୍ତିଧାରୀ ସାମ୍ବାଦିକମାନଙ୍କୁ କଳେବଳେ ଓ କୌଶଳେ ପ୍ରଭାବିତ କରିବା ତଥା ସତ୍ୟକୁ ଚପାଇ ଦେବାର ଉଦ୍ୟମ ହେଉଛି । ଅଧିକାଂଶ ସମୟରେ ବିଶ୍ୱବ୍ୟାପି ସାମ୍ବାଦିକମାନେ ହିଂସାର ଶିକାର ହୋଇ ଭୟ ଓ ଉତ୍ପୀଡ଼ନ ହେତୁ ଅକାଳରେ ମୃତୁ୍ୟବରଣ ନକରି ପ୍ରାକୃତିକ ଭାବେ ବୃଦ୍ଧାବସ୍ଥା ଯାଏଁ ଜୀବିତ ରହିବା ନିମନ୍ତେ ପରିବେଶ ସୃଷ୍ଟି ଉପରେ ଦିମିତ୍ରୀ ଗୁରୁତ୍ୱ ପ୍ରଦାନ କରିଥିଲେ ।

ଅନ୍ୟପକ୍ଷରେ ମାରିଆ ନିଜ ନୋବେଲ୍ ଅଭିଭାଷଣରେ କହିଥିଲେ, ସମକାଳୀନ ବିଶ୍ୱ ଗଣମାଧ୍ୟମରେ ହାତଗଣତି ସୋସିଆଲ ମିଡିଆ ବୈଷୟିକ ପ୍ରତିଷ୍ଠାନର ଆଧିପତ୍ୟକୁ ସମାଲୋଚନା କରିଥିଲେ । ସୋସିଆଲ ମିଡିଆ ଅଧିକାଂଶ କ୍ଷେତ୍ରରେ ଅସତ୍ୟ, କ୍ରୋଧ, ହିଂସା ଓ ଘୃଣାର ପ୍ରଚାର ତଥା ପ୍ରସାରରେ ସହାୟକ ହେଉଥିବାର ଦର୍ଶାଇଥିଲେ । ମାରିଆ ମତ ଦେଇ କହିଥିଲେ, ତଥ୍ୟ ସର୍ବଦା ସତ୍ୟର ଉନ୍ମୋଚନ କରିଥାଏ ଏବଂ ସତ୍ୟ ସର୍ବଦା ବିଶ୍ୱାସ ସୃଷ୍ଟି କରିବାରେ ସହାୟକ ହୋଇଥାଏ । ଗଣମାଧ୍ୟମ ସମାଜରେ ତଥ୍ୟ-ସତ୍ୟ-ବିଶ୍ୱାସ ପ୍ରତିଷ୍ଠା ଦିଗରେ ଖବର ପ୍ରସାରଣ ପାଇଁ କାର୍ଯ୍ୟ କରିବା ଆବଶ୍ୟକ । ଆମ ସମାଜର ସମକାଳୀନ ପରିପ୍ରେକ୍ଷୀରେ ମୁକ୍ତ ସାମ୍ବାଦିକତାକୁ ପ୍ରୋତ୍ସାହିତ କରିବା ସମୟର ଆହ୍ୱାନ । ସାମାଜିକ ଗଣମାଧ୍ୟମର ବ୍ୟାପକ ପ୍ରଚାର ଓ ପ୍ରସାର ଉପଭୋକ୍ତାଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହରେ ବ୍ୟବହୃତ ହେଉଛି । ଏହି ତଥ୍ୟ ସମୂହକୁ ବ୍ୟବସାୟିକ ଓ ରାଜନୈତିକ ସ୍ୱାର୍ଥସିଦ୍ଧିରେ ଉପଯୋଗ କରାଯାଉଛି । ସମସାମୟିକ ଭାବେ ଏହି ତଥ୍ୟଭିତ୍ତିକ ପୁଞ୍ଜିବାଦ ‘ସର୍ଭିଲାନ୍ସ କ୍ୟାପିଟାଲିଜିମ୍’ ପାରମ୍ପରିକ ବ୍ୟବସାୟ ଓ ରାଜନୈତିକ ଢାଞ୍ଚାର ମୂଳୋତ୍ପାଟନ କରିବା ସନେ୍ଦହକୁ ଏଡ଼ାଇ ହେବ ନାହିଁ । ଉଭୟ ମାରିଆ ଓ ଦିମିତ୍ରୀ ୧୯୭୫ ଓ ୧୯୩୫ ନୋବେଲ୍ ଶାନ୍ତି ପୁରସ୍କାର ଘଟଣାର ଅବତାରଣ କରି କ୍ଷୋଭ ପ୍ରକାଶ କରିଥିଲେ । ୧୯୭୫ରେ ନୋବେଲ୍ ଶାନ୍ତି ପୁରସ୍କାରପ୍ରାପ୍ତ ପରମାଣୁ ବୈଜ୍ଞାନିକ ଆଣ୍ଡ୍ରେଇ ସାକାରୋଭ୍ ଏବଂ ୧୯୩୫ରେ ଜର୍ମାନ ସାମ୍ବାଦିକ କାର୍ଲଭନଙ୍କୁ ଯେପରି ଉଭୟ ଦେଶର ସରକାର ଓ ପ୍ରଶାସନ ନୋବେଲ୍ ପୁରସ୍କାର ଗ୍ରହଣ କରିବାକୁ ବିଦେଶ ଯାତ୍ରା ପାଇଁ ସ୍ୱୀକୃତି ପ୍ରଦାନ କରିନଥିଲେ, ତାହା ଦ୍ୱାରା ସେମାନଙ୍କର ମାନବିକ ଅଧିକାର ଓ ବ୍ୟକ୍ତି ସ୍ୱାଧୀନତା ହନନ ହୋଇଥିଲା । ବ୍ୟକ୍ତି ସ୍ୱାଧୀନତା ଓ ମାନବିକ ଅଧିକାର ସୁରକ୍ଷା ସବୁଠାରୁ ଊଦ୍ଧ୍ୱର୍ରେ ଏବଂ ଗଣମାଧ୍ୟମ ପ୍ରତିନିଧି ଏଥିପାଇଁ କାର୍ଯ୍ୟ କରିବା ଆଜିର ଦିନରେ ଜରୁରୀ ବୋଲି ମାରିଆ ଓ ଦିମିତ୍ରୀ ଦର୍ଶାଇଥିଲେ ।

ସଂଘର୍ଷରେ ଶାନ୍ତିର ସାମ୍ବାଦିକତା

ମାରିଆଙ୍କ ସାମ୍ବାଦିକତା ଜୀବନର କାର୍ଯ୍ୟକାଳ ଏବଂ ଅଭିଜ୍ଞତା ଯେତିକି ବିଚିତ୍ର, ସେତିକି ଭୀତିପ୍ରଦ । ବିଗତ ଦୁଇବର୍ଷରୁ କମ୍ ସମୟ ମଧ୍ୟରେ ମାରିଆଙ୍କ ବିରୋଧରେ ଫିଲିପାଇନ୍ସ ସରକାରଙ୍କ ପକ୍ଷରୁ ବିଭିନ୍ନ ଅପରାଧୀକ କେସ୍ମାନ ଦାଏର ହୋଇ ୧୦ଟି ଗିରଫ ପରୱାନା ଜାରି କରାଯାଇଛି । ଏହି କେସଗୁଡିକର ଦଣ୍ଡବିଧାନ ହେଲେ ଅତି କମରେ ମାରିଆ ପ୍ରାୟ ୧୦୦ବର୍ଷ ଫିଲିପାଇନ୍ସ ଆଇନ ଅନୁଯାୟୀ ଜେଲରେ ବନ୍ଦୀ ଜୀବନ କାଟିବେ । ଶେଷପର୍ଯ୍ୟନ୍ତ ମାରିଆ ନୋବେଲ୍ ପୁରସ୍କାର ଗ୍ରହଣ କରିବାକୁ ଓସୋଲା ଆସିବାକୁ ନେଇ ସନ୍ଦେହରେ ଥିଲେ । ମାରିଆ ଆଜି ମଧ୍ୟ ନିଜ ଜୀବନର ବଳକା ଦିନଗୁଡିକ କାରାଗାର କୋଠରୀରେ କାଳାତିପାତ କରିବାର ଭୟ ଓ ପ୍ରସ୍ତୁତିରେ ରହିଛନ୍ତି ।

ଏକଛତ୍ରବାଦ ରାଜନୈତିକ ମତବାଦ ସାଙ୍ଗକୁ ପୁଞ୍ଜିବାଦ ବୈଷୟିକ ସ୍ଥିତିର ବନ୍ଧନୀରେ କିଭଳି ଆଜିର ସମକାଳୀନ ସାମ୍ବାଦିକତା ଆବଦ୍ଧ ହୋଇପଡିଛି ଦିମିତ୍ରୀ ଓ ମାରିଆଙ୍କ ସାମ୍ବାଦିକ ଜୀବନର ଘାତପ୍ରତିଘାତ ତଥା ସେମାନଙ୍କ ଉପରେ ହୋଇଥିବା ହିଂସାର ଆକ୍ରମଣ ଏବଂ ଆଇନ କାନୁନର ଦମନଲୀଳା ଓ ନିର୍ଯାତନା ହେଉଛି ସମକାଳୀନ ସାମ୍ବାଦିକତାର ନିଚ୍ଛକ ଓ ନିଖୁଣ ପ୍ରତିଛବି । ସାମାଜିକ, ଆର୍ଥିକ ତଥା ବୈଷୟିକ ବିଦ୍ୟାର ଅଗ୍ରଗତି ସତ୍ତ୍ୱେ ସମକାଳୀନ ସାମ୍ବାଦିକତା ଆଜି ବିଶ୍ୱରେ ସର୍ବୋଚ୍ଚ ଶିଖରରେ ପହଞ୍ଚିବା ପରିବର୍ତ୍ତେ କିପରି ରାଜନୈତିକ ମତବାଦ ଓ ପୁଞ୍ଜିପତିଙ୍କ ଗୋଷ୍ଠୀବାଦ ମଧ୍ୟରେ ସର୍ବନିମ୍ନ ସ୍ତରକୁ ପେଶି ହୋଇ ଚାଲିଯାଉଛି, ଏହା ଯଦିଓ ଅବାସ୍ତବ ମନେ ହେଉଛି, ମାତ୍ର ଏସବୁ ଘଟଣାକ୍ରମ ଆଜି ବାସ୍ତବତା ପାଲଟିଯାଉଛି, ଏହା ଦିମିତ୍ରୀଙ୍କ ସଂଘର୍ଷ ସାମ୍ବାଦିକତା ଜୀବନର ବାସ୍ତବତା ।

୩୦ବର୍ଷର ପ୍ରାଣବଳୀ

ବିଶ୍ୱର ସବୁଠାରୁ ବୃହତ୍ତମ ସାମ୍ବାଦିକ ମହାସଂଘ (ଇଣ୍ଟରନ୍ୟାସନାଲ୍ ଫେଡ଼େରେସନ୍ ଅଫ୍ ଜର୍ଣ୍ଣାଲିଷ୍ଟ -ଆଇଏଫ୍ଜେ) ପକ୍ଷରୁ ଦର୍ଶାଯାଇଛି, ୨୦୨୧ ବର୍ଷରେ ମୋଟ ୪୫ଜଣ ସାମ୍ବାଦିକ ନିଜର କର୍ତ୍ତବ୍ୟ ସମ୍ପାଦନା ସମୟରେ ମୃତୁ୍ୟବରଣ କରିଛନ୍ତି । ଏହି ୪୫ଜଣ ସାମ୍ବାଦିକମାନଙ୍କ ମଧ୍ୟରୁ ସର୍ବାଧିକ ସାମ୍ବାଦିକ ଆଫଗାନିସ୍ତାନରେ ଯୁଦ୍ଧ ଓ ସଂଘର୍ଷ ଘଟଣାର ସାମ୍ବାଦିକତା କାର୍ଯ୍ୟ ସମୟରେ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱାସନାର ପ୍ରସଙ୍ଗ ହେଉଛି ବିଗତ ୩୦ବର୍ଷ ମଧ୍ୟରେ ଯେଉଁ ସବୁ ବର୍ଷରେ ସର୍ବନିମ୍ନ ସାମ୍ବାଦିକ କାର୍ଯ୍ୟରତ ସମୟରେ ପ୍ରାଣବଳୀ ଦେଇଛନ୍ତି ସେଥି ମଧ୍ୟରୁ ୨୦୨୧ବର୍ଷ ଅନ୍ୟତମ ।

ଆଇଏଫ୍ଜେ ପକ୍ଷରୁ ୧୯୯୧ ମସିହାରୁ ପ୍ରତ୍ୟେକ ବର୍ଷ କାର୍ଯ୍ୟରତ ସମୟରେ ବାର୍ଷିକ କେତେ ସାମ୍ବାଦିକ ଆହତ ଓ ନିହତ ହୋଇ ଆସୁଛନ୍ତି, ତାହାର ତଥ୍ୟ ପ୍ରକାଶ କରାଯାଉଛି । ୨୦୨୦ ମସିହାରେ ୬୫ଜଣ କର୍ତ୍ତବ୍ୟରତ ସାମ୍ବାଦିକ ପ୍ରାଣ ହରାଇଥିବାର ରେକର୍ଡ କରାଯାଇଥିଲା । ଆଇଏଫ୍ଜେ ଘୋଷଣା କରିଛି ୨୦୨୧ ମସିହାର ସାମ୍ବାଦିକମାନଙ୍କ ମୃତୁ୍ୟ ତଥ୍ୟ ନିଶ୍ଚିତ କରିଛି, ଯେତେବେଳେ ସାମ୍ବାଦିକମାନେ ସେମାନଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ ସମୟରେ ଭ୍ରଷ୍ଟାଚାର, ଦୁର୍ନୀତି, ଅପରାଧ ଏବଂ କ୍ଷମତାର ଅପବ୍ୟବହାର ସମ୍ପର୍କିତ ସତ୍ୟର ଉନ୍ମୋଚନ କରି ଖବର ପ୍ରକାଶ କରୁଛନ୍ତି ସେତେବେଳେ ସାମ୍ବାଦିକମାନେ କ୍ରମାଗତ ଆକ୍ରମଣ ଓ ହିଂସାର ଶିକାରହେବା ସହିତ ମୃତ୍ୟୁବରଣ କରୁଛନ୍ତି ।

ଆଇଏଫ୍ଜେ ମହାସଚିବ ଆନ୍ଥୋନୀ ବେଲାଙ୍ଗର କୁହନ୍ତି, “୨୦୨୧ ମସିହାରେ ଆମେ ଆମର ଯେଉଁ ୪୫ଜଣ ସହଯୋଗୀ ସାମ୍ବାଦିକମାନଙ୍କୁ ସବୁଦିନ ପାଇଁ ବଳିଦାନ ଦେଇ ଦେଉଛୁ, ସେମାନେ ଆଉ ଆମ ନିକଟକୁ ଫେରିବେ ନାହିଁ । ସେହି ସହଯୋଗୀ ସାମ୍ବାଦିକମାନଙ୍କ ବଳିଦାନ ଆମକୁ ଚେତାଇ ଦେଉଛି, ସେମାନେ ଜନସାଧାରଣ ଏବଂ ସମାଜର ସ୍ୱାର୍ଥ ଓ ସୁରକ୍ଷା ପାଇଁ ନିଜର ପ୍ରାଣବଳୀ ଦେଇଛନ୍ତି । ନ୍ୟାୟର ଲଢ଼େଇରେ ଆମର ସହଯୋଗୀ ସାମ୍ବାଦିକ ବନ୍ଧୁମାନେ ସମାଜର କଲ୍ୟାଣ ପାଇଁ ସହିଦ ସାଜିଛନ୍ତି ।”

୨୦ଦେଶର ୪୫ଜଣ ସାମ୍ବାଦିକ ୨୦୨୧ ମସିହାରେ ପ୍ରାଣବଳୀ ଦେଇଛନ୍ତି । ସେଥିମଧ୍ୟରୁ ୩୩ଜଣଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଛି । ୯ଜଣ ଆଫଗାନିସ୍ତାନ, ୮ଜଣ ମେକ୍ସିକୋ, ୪ଜଣ ଭାରତ ଏବଂ ୩ଜଣ ପାକିସ୍ତାନ ସାମ୍ବାଦିକମାନଙ୍କୁ ଏଭଳି ହତ୍ୟା କରାଯାଇଛି । ୧୯୯୧ରୁ ୨୦୨୧ବର୍ଷ ମଧ୍ୟରେ ମୋଟ ସରକାରୀ ଭାବେ ଘୋଷିତ ହୋଇଥିବା ୨୭୨୧ ସାମ୍ବାଦିକ ସହିଦ ହୋଇଛନ୍ତି । ବେସରକାରୀ ଭାବରେ ଏହି ତଥ୍ୟ ଯଥେଷ୍ଟ ଅଧିକ ହେବ ବୋଲି ଆଇଏଫଜେ ପକ୍ଷରୁ କୁହାଯାଇଥାଏ ।

ମୁଖ୍ୟ ବିଚାରପତି ଏନ୍.ବି. ରମନ୍ନାଙ୍କ ସ୍ୱପ୍ନର ସାମ୍ବାଦିକତା

ନିକଟରେ ଗଣମାଧ୍ୟମର ସ୍ୱାଧୀନତାକୁ ନେଇ ମନ୍ତବ୍ୟ ଦେଇ ସାମ୍ବାଦିକମାନଙ୍କୁ ଚେତାଇ ଦେଇଛନ୍ତି ଭାରତର ମୁଖ୍ୟ ବିଚାରପତି ଏନ୍.ବି ରମନ୍ନା । ଏନ୍. ବି ରମନ୍ନା ସାମ୍ବାଦିକମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି, “ସାମ୍ବାଦିକମାନଙ୍କ ଆତ୍ମସମ୍ମାନର ଅଖଣ୍ଡତା ଆଜି ଏସିଡ଼୍ ପରୀକ୍ଷାର ସମ୍ମୁଖୀନ । ସାମ୍ବାଦିକମାନେ କୌଣସି ପ୍ରକାରର ନିର୍ଦ୍ଦିଷ୍ଟ ବିଚାରଧାରା କିମ୍ବା ବାହ୍ୟଗୋଷ୍ଠୀ ଦ୍ୱାରା ପ୍ରରୋଚିତ ହେବା ଉଚିତ୍ ନୁହେଁ । ଗଣମାଧ୍ୟମର ସ୍ୱତନ୍ତ୍ରତା ଏବଂ ସାମ୍ବାଦିକତାର ସ୍ୱାଧୀନତା ପବିତ୍ର ଅଧିକାର ତଥା ଏହା ସମ୍ବିଧାନ ପ୍ରତି ପ୍ରତିବଦ୍ଧ ।”

ମୁଖ୍ୟ ବିଚାରପତି ଏନ୍.ବି ରମନ୍ନା ମତ ଦେଇଛନ୍ତି, ନିଜସ୍ୱ ବିଚାରଧାରା ସହିତ ଖବର (ନୁ୍ୟଜ)କୁ ମିଶ୍ରଣ କରି ପ୍ରକାଶ ଓ ପ୍ରସାରଣ କରିବା ଏକ ବିପଦ୍ଜନକ ‘କକ୍ଟେଲ୍’ । କିଛି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଗୋଷ୍ଠୀ ନିଜସ୍ୱ ବିଚାରଧାରା ସହିତ ଖବରର ମିଶ୍ରଣ କରୁଥିବାର ଦେଖିବାକୁ ମିଳୁଛି । ଦୁର୍ଭାଗ୍ୟର କଥା ଏହିଭଳି କିଛି ଗଣମାଧ୍ୟମ ପାଇଁ ସାମ୍ବାଦିକତା ଆଜି ଏକ ଗୃହ ମଧ୍ୟରେ ଆବଦ୍ଧ ହୋଇ ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା/ଅଧୀନରେ ସାମ୍ବାଦିକମାନେ ପରିଚାଳିତ ହେଉଛନ୍ତି ତଥା ଖବର ପରିବେଷଣ/ପ୍ରକାଶନ/ପ୍ରସାରଣର ସତ୍ୟାସତ୍ୟ ସହିତ ବୁଝାମଣା ଓ ସାଲିସ୍ କରୁଛନ୍ତି । ଏହି ନିନ୍ଦନୀୟ ଅଭ୍ୟାସ ପାଇଁ ସମାଜରେ ଖବରର ସତ୍ୟତା ଆହତ ହେଉଛି ।

ଏଠାରେ ଉଲ୍ଲେଖଯୋଗ୍ୟ ୧୯୭୯-୮୦ ମସିହାରେ ଗୋଟିଏ ଖବରକାଗଜ ପାଇଁ ଖୋଦ୍ ସିଜେଆଇ ଏନ୍.ବି ରମନ୍ନା ସାମ୍ବାଦିକତା କରୁଥିଲେ । ସାମ୍ବାଦିକମାନଙ୍କ ପାଇଁ ସତ୍ୟର ଉନ୍ମୋଚନ କରି ତାକୁ କ୍ଷମତାର ବିରୋଧରେ ପ୍ରକାଶନ/ପ୍ରସାରଣ କରିବା ତାହା ସେ ଅନୁଭବ କରିଛନ୍ତି । ପ୍ରତିଟି ସମୟରେ ସାମ୍ବାଦିକ ଅତ୍ୟନ୍ତ ମାନସିକ ଚାପଗ୍ରସ୍ତ ଏବଂ ଅଧିକାଂଶ ସମୟରେ ସାଧୁତା ଓ ସତ୍ୟତା ପାଇଁ ନିର୍ଯାତିତ ମଧ୍ୟ ହୋଇଥାଏ ବୋଲି ସିଜେଆଇ ଉଲ୍ଲେଖ କରିଛନ୍ତି ।

ଗାନ୍ଧୀଜୀ ସାମ୍ବାଦିକତା

ମହାତ୍ମାଙ୍କ ସାମ୍ବାଦିକତା ମୂଲ୍ୟବୋଧ ଆତ୍ମନିୟନ୍ତ୍ରଣ କଥା କହୁଥିଲେ ମଧ୍ୟ ଏହା ବାକ୍ ସ୍ୱାଧୀନତା ସହ ଏକ ଚମକ୍ରାର ସନ୍ତୁଳନ ରକ୍ଷା କରିଥାଏ ।

ନିକଟରେ ବି.ବି.ସି. ଫୁଟବଲ ଖେଳାଳି କି୍ରଷ୍ଟିଆନ ଏରିକ୍ସନ୍ ୟୁରୋ ୨୦୨୦ ପ୍ରତିଯୋଗିତାବେଳେ ଜରୁରୀକାଳୀନ ଚିକିତ୍ସା ଗ୍ରହଣ କରୁଥିବାର ଦୃଶ୍ୟ ପ୍ରସାରଣ କରିଥିବାରୁ କ୍ଷମା ପ୍ରାର୍ଥନା କରିଥିଲା । ଇଟାଲୀର ସରକାରୀ ପ୍ରସାରଣ ସଂସ୍ଥା ରାଇ ଏକ କେବୁଲ କାର ଦୁର୍ଘଟଣାର ଚୋରା ସି.ସି.ଟି.ଭି. ଫୁଟେଜ ପ୍ରସାରଣ କରି ଜନ ଆକ୍ରୋଶର ଶିକାର ହୋଇଥିଲା ଏବଂ ଏହାକୁ ନେଇ ପ୍ରସାରଣ ସଂସ୍ଥାର ମୁଖ୍ୟ ମାର୍ସେଲୋ ଫୋଆ କ୍ଷମା ପ୍ରାର୍ଥନା କରିଥିଲେ ।

ଗଣମାଧ୍ୟମ ଦ୍ୱାରା ପ୍ରଦର୍ଶନ କରାଯାଇଥିବା ଏହି ମୂଲ୍ୟବୋଧ, ବିଚାର ଏବଂ ସମବେଦନା ସହ ଭାରତରେ କୋଭିଡର ଦ୍ୱିତୀୟ ଲହର ସମ୍ପର୍କରେ ବି.ବି.ସି.ପକ୍ଷରୁ ପ୍ରସାରଣ କରାଯାଇଥିବା ଖବର ଯେପରି ମୂଲ୍ୟବୋଧହୀନ ତଥା ସାମ୍ବାଦିକତା ନୀତିର ଅବମାନନା ସହ ତୁଳନା କରାଯିବା ଆବଶ୍ୟକ । ତେବେ ଏପରି ଅନାବଶ୍ୟକ ଭାବେ ଚାଞ୍ଚଲ୍ୟ ସୃଷ୍ଟି କେବଳ ବି.ବି.ସି. କରିନଥିଲା । ଏକାଧିକ ଗଣମାଧ୍ୟମ ଏପରି କରିଥିଲେ । ଏ ପରିପ୍ରେକ୍ଷୀରେ ସର୍ବୋଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଏନ୍.ବି ରମନ୍ନାଙ୍କ ମତାମତ ବେଶ୍ ହୃଦୟସ୍ପର୍ଶୀ ।

୧୯୧୯ ମସିହାରେ ‘ଦି ଇଣ୍ଡିପେଣ୍ଡେଣ୍ଟ’ ନାମକ ଏକ ପତ୍ରିକା ପ୍ରକାଶ କରିବାକୁ ଚାହୁଁଥିବା ସୟଦ ହୁସେନଙ୍କୁ ପତ୍ରଲେଖି ଗାନ୍ଧୀଜୀ କହିଥିଲେ, “ଆପଣଙ୍କର ନୂତନ ଉଦ୍ୟମ ପାଇଁ ସଫଳତା କାମନା କରିବାବେଳେ, ମୁଁ ଏକଥା ମଧ୍ୟ କହିବାକୁ ଚାହିଁବି ଯେ, ଆପଣଙ୍କ ଲେଖାଗୁଡିକ ଆପଣଙ୍କ ପତି୍ରକାର ନାମକରଣକୁ ସାର୍ଥକ କରିବ ବୋଲି ଆଶା କରୁଛି । ମୁଁ ଆହୁରି ମଧ୍ୟ ଆଶା କରିବି ଯେ, ପତି୍ରକାର ସ୍ୱାଧୀନତାକୁ ସୁଦୃଢ଼ କରିବା ସଙ୍ଗେ ସଙ୍ଗେ ଆପଣ ସମ୍ପରିମାଣର ଆତ୍ମନିୟନ୍ତ୍ରଣ ଏବଂ କଠୋର ଭାବରେ ସତ୍ୟପାଳନକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରିବେ ।

ଅଧିକାଂଶ ବେଳେ ଆମର ବାସ୍ତବିକତା ତଥା କପୋଳକଳ୍ପିତ କାହାଣୀ ଏବଂ ଯୁକ୍ତିଯୁକ୍ତତା ତଥ୍ୟ ବଦଳରେ ତଥାକଥିତ ସ୍ୱାର୍ଥ ଉଦେଶ୍ୟ ପାଣ୍ଡିତ୍ୟ ହିଁ ପାଇଥାଉ । “ଆମେମାନେ ଖବର ପ୍ରସାରଣ ଓ ପ୍ରକାଶନ ସମୟରେ ତଥା ପ୍ରତ୍ୟେକ ପରିସ୍ଥିତିରେ ସତ୍ୟର ଅବତାରଣା କରିବା, ସଙ୍ଗେ ସଙ୍ଗେ ସାମାନ୍ୟ ଆତ୍ମସଂଯମ ଆଶା କରିବା ଉଚିତ୍ । ଗାନ୍ଧୀଜୀ ଇଣ୍ଡିଆନ୍ ଓପନିଅନ୍ ନାମକ ପତ୍ରିକା ର ପ୍ରକାଶନ ପୂର୍ବରୁ ଏହାର ଉଦେ୍ଦଶ୍ୟ ସମ୍ପର୍କରେ ୧୯୦୬ ମସିହାରେ କହିଥିଲେ, ପତ୍ରିକାର ତିନୋଟି ଉଦେଶ୍ୟ ରହିଛି । ପ୍ରଥମତଃ ସରକାରଙ୍କ ନିକଟରେ, ଦକ୍ଷିଣ ଆଫି୍ରକାରେ ତଥା ଇଂଲଣ୍ଡରେ ଥିବା ଶ୍ୱେତକାୟ ଅଭିଯୋଗଗୁଡିକୁ ପହଞ୍ଚାଇବା, ଦ୍ୱିତୀୟତଃ ଆମ ଲୋକମାନଙ୍କୁ ସେମାନଙ୍କର ଦୁର୍ବଳତା ସମ୍ପର୍କରେ ଅବଗତ କରାଇବା ଏବଂ ଏଗୁଡିକୁ ଅତିକ୍ରମ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତାଇବା ଏବଂ ଏଠାରେ ବଳବତ୍ତର ଥିବା ହିନ୍ଦୁ, ମୁସଲମାନ, ଗୁଜୁରାଟୀ, ତାମିଲ ଏବଂ ବଙ୍ଗାଳୀମାନଙ୍କ ମଧ୍ୟରେ ରହିଥିବା ତାରତମ୍ୟକୁ ଦୂର କରିବା ।”

୧୯୩୪ ମସିହାରେ ଜଣେ ସହଯୋଗୀଙ୍କୁ ପତ୍ର ଲେଖି ଗାନ୍ଧିଜୀ କହିଥିଲେ ଅଧିକାଂଶ ଗଣମାଧ୍ୟମର ସାମ୍ବାଦିକ ନିଜର ରାୟ ଦେଇ ସମ୍ବାଦଗୁଡିକୁ ବିଗାଡ଼ି ଦେଇଥାଆନ୍ତି । ସେମାନେ ଯଦି ଘଟଣାରେ ରଙ୍ଗ ନବୋଳି ସମ୍ବାଦ ପରିବେଷଣ କରନ୍ତେ, ତେବେ ସେମାନେ ତାଙ୍କର ଦାୟିତ୍ୱ ଭଲ ଭାବରେ ତୁଲାଇ ପାରନ୍ତେ । ସେମାନେ ଯେତେବେଳେ ସମାଲୋଚନା କରିବେ, ତାହା କେବଳ ତାଙ୍କ ଜ୍ଞାତସାରରେ ଥିବା ତଥ୍ୟ ଆଧାରରେ କରିବା ଉଚିତ୍ । ଉଭୟ ଭାରତ ଏବଂ ବିଶ୍ୱବ୍ୟାପୀ ସମ୍ମାନର ଅଧିକାରୀ ଗାନ୍ଧିଜୀ ଗଣମାଧ୍ୟମ ସ୍ୱାଧୀନତାର ଜଣେ ମୁଖ୍ୟ ସମର୍ଥକ ଥିଲେ । ତେବେ ତାଙ୍କର ବିଭିନ୍ନ ଆଲେଖ୍ୟ ମାଧ୍ୟମରେ ସେ ସତର୍କ କରାଇ ଦେଇଥିଲେ ଯେ, ସାମ୍ବାଦିକତା କିପରି କରାଯିବା ଉଚିତ ।

Photo Credit- https://bit.ly/39ksrpP

Comments

0 comments

Share This Article