ମୌଳିକ ଶିକ୍ଷା ଓ ନବକୃଷ୍ଣ ଚୌଧୁରୀ

ଯେଉଁ ଲାଳସାର ସହ ଶ୍ରୀଯୁକ୍ତ ନବକୃଷ୍ଣ ଚୌଧୁରୀ ପୁସ୍ତକ ପଢୁଥିଲେ ସେହି ପ୍ରବଣତାରେ ଲେଖିବା ପାଇଁ ସେ ଆଗ୍ରହ ଦେଖାଉ ନଥିଲେ । ତେଣୁ ତାଙ୍କଦ୍ୱାରା ଲିଖିତ ଖୁବ ସୀମିତ ସଂଖ୍ୟାର ପ୍ରବନ୍ଧ ହିଁ ଆମେ ପାଇଥାଉ । ତା’ମଧ୍ୟରେ ଗୋଟିଏ ପ୍ରବନ୍ଧ ହେଉଛି ‘ମୌଳିକ ଶିକ୍ଷାର ଯାଥାର୍ଥ୍ୟ’ ଯାହା ୧୯୫୬ ମସିହାରେ ‘ଆକାଶବାଣୀ ସମାଚାର’ରେ ପ୍ରକାଶ ପାଇଥିଲା ଓ ଏହାର ପୁନଃପ୍ରକାଶନ୧ ୨୦୦୧ ମସିହାରେ ‘ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗ’ (ପ୍ରକାଶକ-ଶିକ୍ଷାସନ୍ଧାନ)ସଙ୍କଳନରେ ହୋଇଥିଲା । ତାଙ୍କ ଭଳି ଏକ କୁଣ୍ଠିତ ଲେଖକ ମୌଳିକ ଶିକ୍ଷା ଉପରେ ଲେଖିବା ଦର୍ଶାଏ ଯେ ସେ ମୌଳିକ ଶିକ୍ଷାର ଗୁରୁତ୍ୱକୁ ଜନସାଧାରଣଙ୍କ ସମ୍ମୁଖରେ ରଖିବାପାଇଁ ଚାହିଁଛନ୍ତି ଯେତେବେଳେ ତାଙ୍କର ହୃଦବୋଧ ହୋଇଛି ଯେ ଏହି ଶିକ୍ଷା ପ୍ରତି ଆକର୍ଷଣ ଜନସାଧାରଣଙ୍କ ଭିତରେ ହ୍ରାସ ପାଉଛି । ଏକଦା ନବକୃଷ୍ଣ ଚୌଧୁରୀ ମୌଳିକ ଶିକ୍ଷାର ସଙ୍ଗଠକ ହୋଇଥିଲେ, ତାହା ପୁଣି ୧୯୪୮ ମସିହାରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲା ପରେ ଓ ଏହି ଭୂମିକାରେ ସେ କର୍ତ୍ତବ୍ୟ ନିର୍ବାହ କରିଥିଲେ, ମୁଖ୍ୟମନ୍ତ୍ରୀ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ୧୯୫୦ ମଇ ମାସ ପର୍ଯ୍ୟନ୍ତ । କେତେ ବିଶ୍ୱାସ ଥିଲା ମୌଳିକ ଶିକ୍ଷାର ଭାରତବର୍ଷ ପାଇଁ ଉପଯୋଗିତାରେ, ତାହାର ଦୃଷ୍ଟାନ୍ତ ବହନ କରେ ତାଙ୍କର ଦିବଙ୍ଗତ (ମୃତ୍ୟୁ: ଫେବୃଆରୀ ୧୯୪୮) ପୁତ୍ର ବିନାୟକଙ୍କର ସହପାଠୀ ଶ୍ରୀଯୁକ୍ତ କରୁଣାକର ପରିଡ଼ାଙ୍କ ନିକଟକୁ ୧୯୪୮ମସିହା ୨ ଜୁନରେ ସେ ଲେଖିଥିବା ଏକ ପତ୍ରରୁ ।

ସେ ଲେଖିଥିଲେ, “ମୌଳିକ ଶିକ୍ଷାକୁ ତମ ଜୀବନର ବ୍ରତ ଭାବେ ଗ୍ରହଣ କରିପାରିଲେ, ଖୁବ ବଡ଼ କାମ ତମେ କରିପାରିବ-ଭାରତର ଭବିଷ୍ୟତ ଏହି ଶିକ୍ଷା ପଦ୍ଧତି ଉପରେ ନିର୍ଭର କରୁଛି । ଦେଶରେ ବଡ଼ ବଡ଼ ବୈଜ୍ଞାନିକ ବା ଇଂଜିନିୟର ଅଛନ୍ତି ଓ ହେବେ; କିନ୍ତୁ ମଣିଷ ଗଢ଼ିବା ବିଜ୍ଞାନ ଭାରତର ସବୁଠାରୁ ବେଶି ଲୋଡ଼ା-ଦୁନିଆର ମଧ୍ୟ ଲୋଡ଼ା । ତମେ ସେଇଥିରେ ବଡ଼ ହୁଅ -କୀର୍ତ୍ତି ରଖ । ମୋର ଇଚ୍ଛା ।” ଏହି ଚିଠି ଲେଖାର ପ୍ରାୟ ଦଶମାସ ପରେ ୧୭ ଏପ୍ରିଲ ୧୯୪୯ମସିହାରେ ନବବାବୁ ପୁଣି କରୁଣାକରଙ୍କୁ ଏକ ପତ୍ର ଲେଖିଥିଲେ । ପତ୍ରରେ ଲେଖିଥିଲେ, “ତମେ “ମୌଳିକ ଶିକ୍ଷା” ବିଭାଗରେ ପଶିବାକୁ ସମ୍ମତ ଜାଣି ଭାରି ଖୁସି ହେଲି । ଆମ ଦେଶର ଭବିଷ୍ୟତ୍ ମୌଳିକ ଶିକ୍ଷାର କୃତକାର୍ଯ୍ୟତା ଉପରେ ନିର୍ଭର କରୁଛି, ପ୍ରଥମେ ପ୍ରଥମେ ଯେଉଁମାନେ ପ୍ରବେଶ କରିବେ ସେମାନଙ୍କ ନିଷ୍ଠା, ବିଦ୍ୟା ଓ ବୁଦ୍ଧି ଉପରେ ।”

ନବବାବୁଙ୍କ ଦୃଷ୍ଟିରେ ମୌଳିକ ଶିକ୍ଷା ଯେପରି ଥିଲା ‘ମଣିଷ ଗଢ଼ିବା ବିଜ୍ଞାନ’ ଯାହା ଭାରତର ଭବିଷ୍ୟତ ପାଇଁ ନିହାତି ଜରୁରୀ । କେବଳ ବିଚାରରେ ନୁହେଁ, ମୌଳିକ ଶିକ୍ଷାଦାନ ପ୍ରକ୍ରିୟାରେ ମଧ୍ୟ ସେ ସମ୍ପୃକ୍ତ ହୋଇ ପଡୁଥିଲେ । ଚିତ୍ତରଂଜନ ଦାସ ମହୋଦୟ ଲେଖନ୍ତି, “ନିଜେ ପ୍ରତ୍ୟକ୍ଷ ଭାବରେ ଶିକ୍ଷାର କାର୍ଯ୍ୟରେ ସମ୍ବନ୍ଧିତ ହୋଇରହିବେ ବୋଲି କିଛିଦିନ ଅନୁଗୁଳ ନିକଟରେ ଥିବା ଚମ୍ପତ୍ତି ମୁଣ୍ଡାର ‘ଜୀବନ ବିଦ୍ୟାଳୟ’ରେ ପାଠ ପଢ଼ାଇବାକୁ ମଧ୍ୟ ଯାଇଥିଲେ ।“

‘ଜୀବନ ବିଦ୍ୟାଳୟ’

ଚମ୍ପତ୍ତି ମୁଣ୍ଡାର ‘ଜୀବନ ବିଦ୍ୟାଳୟ’ ଆରମ୍ଭ କରାଯାଇଥିଲା ୧୯୫୪ ମସିହାରେ ଏକ ଉତ୍ତର ମୌଳିକ ଶିକ୍ଷାନୁଷ୍ଠାନ ଭାବରେ । ସେତେବେଳକାର ଯେଉଁ ଆଠବର୍ଷର ମୌଳିକ ବିଦ୍ୟାଳୟଗୁଡ଼ିକ ଓଡ଼ିଶାରେ ଥିଲା, ଯେପରି ଅନୁଗୁଳ ବାଜି ରାଉତ ଛାତ୍ରାବାସ, ରାମଚନ୍ଦ୍ରପୁର, ତୁଡିଗୁଡିଆ, ରାଜସୁନାଖଳା ଓ ଭଂଜନଗର ଠାରେ, ସେହି ବିଦ୍ୟାଳୟରୁ ମୌଳିକ ଶିକ୍ଷା ସମାପ୍ତ କରିଥିବା ଛାତ୍ର/ଛାତ୍ରୀମାନେ ଏହି ବିଦ୍ୟାଳୟରେ ଯୋଗ ଦେଇଥିଲେ । ମୌଳିକ ଶିକ୍ଷା ପ୍ରଚଳିତ ପାଶ୍ଚାତ୍ୟାନୁଲମ୍ବିତ ଶିକ୍ଷାଠାରୁ ଭିନ୍ନ ଥିଲା । ମୌଳିକ ଶିକ୍ଷାର ଘୋଷିତ ଉଦେଶ୍ୟ ଥିଲା, ଯେପରି ଜାକିର ହୁସେନ କମିଟିର ରିପୋର୍ଟରେ କୁହାଯାଇ ଥିଲା(ପୃ ୪)୧, “ଭାରତବର୍ଷର ବାଳକବାଳିକାମାନଙ୍କ ପାଇଁ ଯେଉଁ ଶିକ୍ଷା ଯୋଜନା ହେବ, ତାହା କେତେକ ବିଷୟରେ ପାଶ୍ଚାତ୍ୟ ଶିକ୍ଷାପଦ୍ଧତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ହେବ । କାରଣ ଆମ୍ଭମାନଙ୍କର ଜୀବନପଥ ହିଁ ସେମାନଙ୍କ ଠାରୁ ଭିନ୍ନ ।” ଜୀବନ ବିଦ୍ୟାଳୟରେ ଶିକ୍ଷାଦାନର ପଦ୍ଧତି ପ୍ରଚଳିତ ବିଦ୍ୟାଳୟ ମାନଙ୍କରେ ଅନୁସୃତ ଶିକ୍ଷା ପଦ୍ଧତିଠାରୁ କିପରି ଭିନ୍ନ ଥିଲା, ତାହାର ଏକ ସ୍ପଷ୍ଟ ଚିତ୍ର ପାଉ ଯେତେବେଳେ ଜୀବନ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଚିତ୍ତରଂଜନ ଦାସ ମହୋଦୟ ଲେଖନ୍ତି, “ଜୀବନ ବିଦ୍ୟାଳୟର ପିଲା ଆଗେ ମାଟ୍ରିକ୍ ପରୀକ୍ଷାଲାଗି ପ୍ରସ୍ତୁତ ହେଉନଥିଲେ । କୌଣସି ଯୁଗର ଉପଯୋଗୀ ହେବାକୁ ହୁଏତ ସେମାନେ ପ୍ରସ୍ତୁତ ହେଉ ନଥିଲେ ।

ସେମାନେ ଜୀବନର ନାନା କ୍ଷେତ୍ରରେ ଶିକ୍ଷକ ସହିତ ଏକତ୍ର ହୋଇ ଆପଣା ଆପଣା ଜୀବନର ସ୍ୱକୀୟ ପଥ ଆବିଷ୍କାର କରିବା ପାଇଁ ପ୍ରବୃତ୍ତତା ହେଉଥିଲେ । ଏହି ପ୍ରବୃତ୍ତତା ହେବାରେ କୈାଣସି ପ୍ରମତ୍ତତା ନ ଥିଲା ବା ଭୟର ଲେଶମାତ୍ର ନ ଥିଲା । ଗୋଡ଼ , ହାତ ଓ ବିଚାରକୁ ବାନ୍ଧି ପକାଇବା ପାଇଁ କୌଣସି ବାହ୍ୟ ଶୃଙ୍ଖଳାର ଶୃଙ୍ଖଳ ମଧ୍ୟ ନଥିଲା । ପୁରୁଣା ଶିକ୍ଷା ବିପଣିର ଅବଧାନମାନେ ଯାହାକୁ ପାଠ ବୋଲି କୁହନ୍ତି, ସେହି ପାଠରେ ମଧ୍ୟ ଜୀବନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କିପରି ବ୍ୟୁପିତ୍ତି ଦେଖାଉଥିଲେ, ଓଡ଼ିଶାର ଏକାଧିକ ଅଧ୍ୟାପକ, ପଣ୍ଡିତ ଓ ଗୁଣୀଜନ ସେ କଥା ଭଲଭାବରେ ଜାଣିଛନ୍ତି । ତଥାପି ସରକାର ସନ୍ତୁଷ୍ଟ ହୋଇ ପାରିଲେ ନାହିଁ । ସରକାରୀ କଳଘରର ବିଗ୍ରହ ମୁଁହେ ମୁଁହେ ଫତୁଆ ଶୁଣାଇଦେଲେ ଯେ ପିଲାମାନେ କୋଟପ୍ୟାଂଟ ପିନ୍ଧି ଆସନ୍ତୁ ବା ପାଂଚହାତି ଖଦଡ଼ ପିନ୍ଧି ଆସନ୍ତୁ, ତାଙ୍କର ସେଥିରେ କୌଣସି ଆପତ୍ତି ନାହିଁ । କିନ୍ତୁ ସେମାନଙ୍କୁ ମାଟ୍ରିକ ପରୀକ୍ଷାରେ ବସିବାକୁ ହିଁ ହେବ । ତା’ ନହେଲେ ସେମାନେ କେତେଦୂର ଯୋଗ୍ୟ ହେଲେ ବୋଲି କୁହାଯାଇପାରିବ? ସେମାନଙ୍କୁ ମାପିବାର ମାପକାଠି କଣ ରହିବ?” ଏହି ଫତୁଆ ଚିତ୍ତବାବୁ ଶୁଣୁଥିଲେ, ୧୯୫୭ ମସିହା ଏପ୍ରିଲ ମାସରେ । ଏହି ଫତୁଆ ଶୁଣିବାର ବର୍ଷକ ପରେ, ୧୯୫୮ ମସିହା ମେ ମାସରେ, ଚିତ୍ତବାବୁ ଚମ୍ପତ୍ତି ମୁଣ୍ଡା ଛାଡ଼ି ଆସିଲେ କାରଣ ‘ଆପଣା ରୀତିରେ ବଂଚି ରହିବା’ର ସମ୍ଭାବନା ନ ଥିଲା ।”

ଏହା ସେ ଲେଖିଥିଲେ, ଡିସେମ୍ବର ୧୯୬୦ରେ, ଯେତେବେଳେ, ସେ ଦେଖୁଥିଲେ, “ଚମ୍ପତ୍ତି ମୁଣ୍ଡାରେ ବର୍ତ୍ତମାନ ମଧ୍ୟ ବିଦ୍ୟାଳୟ ରହିଛି । ଏହାର ଆକାର ବୃଦ୍ଧି ପାଇଛି । ଏବଂ ସେଠାରେ ଥିବା ବିଦ୍ୟାଳୟର ପିଲାମାନେ ବର୍ତ୍ତମାନ ସମ୍ପୂର୍ଣ୍ଣ ସନ୍ତର୍ପଣରେ ମାଧ୍ୟମିକ ଶିକ୍ଷା ବୋର୍ଡର ମାଟ୍ରିକ ପରୀକ୍ଷାଦେବାକୁ ପ୍ରସ୍ତୁତ ହେଉଛନ୍ତି ।” ନବବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୧୯୫୬ ମସିହା ଅକ୍ଟୋବର ମାସରେ । ନବବାବୁଙ୍କ ଇସ୍ତଫା ଫଳରେ ଓଡ଼ିଶାରେ ମୌଳିକ ଶିକ୍ଷାପ୍ରତି ସରକାରଙ୍କ ଦୃଷ୍ଟିକୋଣରେ ପରିବର୍ତ୍ତନ ଆସିବା ସ୍ୱାଭାବିକ ଥିଲା । ତେଣୁ ୧୯୫୭ ମସିହାରେ ଚିତ୍ତ ବାବୁ ଶୁଣୁଥିବା ଫତୁଆ ବୋଧହୁଏ ଏକ ସଂଯୋଗ ମାତ୍ର ନଥିଲା । ଏପରି ଫତୁଆ ମୌଳିକ ଶିକ୍ଷାର ଆତ୍ମା ଓ ଏହାର ଅନନ୍ୟତ୍ୱର ବିରୋଧୀ ଥିଲା । ତା’ ନହେଲେ ଜୀବନ ବିଦ୍ୟାଳୟର ପ୍ରତିଷ୍ଠାତା ପ୍ରଧାନଶିକ୍ଷକ ଚିତ୍ତ ବାବୁ ‘ନିରସ୍ତ’ ହୋଇ ଛାଡ଼ି ଚାଲି ଯାଇନଥାନ୍ତେ । ଏପରି ପରିସ୍ଥିତି ଉପୁଜିବା ସମ୍ପର୍କରେ ମୌଳିକ ଶିକ୍ଷା ସହିତ ଘନିଷ୍ଠ ଭାବରେ ସମ୍ପୃକ୍ତ ଶ୍ରୀ ସର୍ବେଶ୍ୱର ନାୟକ ଲେଖନ୍ତି “୧୯୪୬ ମସିହାରେ ବାଜିରାଉତ ଛାତ୍ରାବାସର ଉଦ୍ଘାଟକ ମହତାବବାବୁ ବୋଧହୁଏ ସେତେବେଳେ ଆଶଙ୍କା କରି ନଥିଲେ ଯେ ଏହା ମୌଳିକ ଶିକ୍ଷା ପ୍ରୟୋଗ କ୍ଷେତ୍ରରେ ଏକ ପ୍ରମୁଖ ସ୍ଥାନ ହାସଲ କରିବ । ଘଟଣାଚକ୍ରରେ ୧୯୫୭ର ସାଧାରଣ ନିର୍ବାଚନ ପରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ ନକରିବାରୁ ପ୍ରତିକ୍ରିୟାଶୀଳ ରାଜାରାଜୁଡାଙ୍କର ଗଣତନ୍ତ୍ର ନାମଧାରୀ ଦଳ ସହ ସମଝୋତା ସୂତ୍ରରେ ସରକାର ଗଢ଼ି ସେ ଓଡ଼ିଶାରୁ ମୌଳିକ ଶିକ୍ଷାକୁ ଉଠାଇ ଦେଇଥିଲେ ।”

ମୌଳିକ ଶିକ୍ଷା ନ୍ୟୁନ ନ ଥିଲା

ଜୀବନ ବିଦ୍ୟାଳୟରେ ଶିକ୍ଷା ପ୍ରଚଳିତ ବିଦ୍ୟାଳୟରେ ଶିକ୍ଷା ଅପେକ୍ଷା କୌଣସି ଦୃଷ୍ଟିରୁ ନୁ୍ୟନ ନଥିଲା । ତା ସତ୍ତ୍ୱେ ଏହି ଶିକ୍ଷା ବ୍ୟବସ୍ଥାରେ ଅନୁସୃତ ପ୍ରଣାଳୀ ସରକାରଙ୍କୁ ଗ୍ରହଣୀୟ ହେଲା ନାହିଁ, ଯେଉଁ ପ୍ରଣାଳୀ ପ୍ରକୃତରେ ମୌଳିକ ଶିକ୍ଷାର ଅନନ୍ୟତା ଥିଲା । କେବଳ ଜୀବନ ବିଦ୍ୟାଳୟରେ ଉତ୍ତର ମୌଳିକ ଶିକ୍ଷାରେ ତାଲିମ ପାଉଥିବା ଛାତ୍ରଛାତ୍ରୀ ପ୍ରଚଳିତ ବିଦ୍ୟାଳୟ ମାନଙ୍କରେ ପଢୁଥିବା ଛାତ୍ରଛାତ୍ରୀଙ୍କଠାରୁ କୌଣସି ଗୁଣରେ ନ୍ୟୁନ ନ ଥିଲେ, ଏପରିକି ନିମ୍ନ ଓ ଉଚ୍ଚ ମୌଳିକ ବିଦ୍ୟାଳୟରେ ଆଠବର୍ଷ ପଢ଼ିଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସାଧାରଣ ବିଦ୍ୟାଳୟରେ ଆଠବର୍ଷ ପଢ଼ିଥିବା ଛାତ୍ରଛାତ୍ରୀମାନଙ୍କଠାରୁ କୌଣସି ଗୁଣରେ ନୁ୍ୟନ ନ ଥିଲେ । ଏହି ଦିଗଟି ଉପରେ ବେଶ୍ ଜୋରଦେଇ ନବବାବୁ ଲେଖିଥିଲେ, “ଗଲା ୮-୧୦ବର୍ଷ ହେଲା ଭାରତରେ ନାନାସ୍ଥାନରେ ନୟୀ ତାଲିମ ବା ମୌଳିକ ଶିକ୍ଷାର ଯେଉଁ ପ୍ରୟୋଗ କରା ହେଉଛି, ସେଥିରୁ ମଧ୍ୟ ଏ କଥା ନିଃସନ୍ଦେହ ଭାବରେ ପ୍ରମାଣିତ ହୋଇଛି ।

ମୌଳିକ ବିଦ୍ୟାଳୟର ବାଳକ ବାଳିକାମାନେ ଆଠବର୍ଷ ଶିକ୍ଷା ପାଇବା ପରେ ଦେଖାଯାଉଛି, ସେମାନେ ଭୂଗୋଳ, ଇତିହାସ, ଅଙ୍କ, ଜ୍ୟାମିତି, ସାହିତ୍ୟ, ସାଧାରଣ ବିଜ୍ଞାନ ପ୍ରଭୃତି ବୌଦ୍ଧିକ ବିଷୟମାନଙ୍କରେ ସାଧାରଣ ବିଦ୍ୟାଳୟରେ ଆଠବର୍ଷ ପଢ଼ିଥିବା ବାଳକ ବାଳିକାମାନଙ୍କଠାରୁ ଢେର ବେଶୀ ଆଗୁଆ-ଏହା ଛଡ଼ା ଆତ୍ମନିର୍ଭରଶୀଳତା, କର୍ମକୁଶଳତା ଓ ବିଚାର ବୁଦ୍ଧିରେ ତ ପ୍ରଚଳିତ ବିଦ୍ୟାଳୟର ପିଲାମାନେ ସେମାନଙ୍କ ପାସଙ୍ଗରେ ପଡ଼ିବେ ନାହିଁ ।” କିନ୍ତୁ ଏହା ସହିତ ମଧ୍ୟ ସେ ଅବଗତ ଥିଲେ, “ନୟୀ ତାଲିମର ଏତେ ଗୁଣ ଥିବା ସତ୍ତ୍ୱେ ଏ କଥା ସ୍ୱୀକାର କରିବାକୁ ପଡୁଛି ଯେ, ଏହା ଏ ପର୍ଯ୍ୟନ୍ତ ଲୋକପ୍ରିୟ ହୋଇପାରି ନାହିଁ ।” କାହିଁକି?

ନବବାବୁଙ୍କ ଅଭିଜ୍ଞତା ଓ ଯୁକ୍ତି

ନବବାବୁ ଲେଖନ୍ତି “ମୁଁ ମୌଳିକ ଶିକ୍ଷା ସଙ୍ଗଠକ ଥିଲାବେଳେ ନାନାଶ୍ରେଣୀର ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରି ଦେଖିଛି ଯେ ଲୋକମାନେ ପ୍ରଚଳିତ ଶିକ୍ଷାର ଦୋଷତ୍ରୁଟି ଭଲରୂପେ ବୁଝୁଥିଲେ ହେଁ ଏବଂ ନୟୀତାଲିମ ଖୁବ ଭଲ ଓ ଉପଯୋଗୀ ବୋଲି ସ୍ୱୀକାର କରୁଥିଲେ ହେଁ ନିଜର ପିଲାକୁ ମୌଳିକ ବିଦ୍ୟାଳୟରେ ଦେବାପାଇଁ ଗାଁର ଶିକ୍ଷିତ ଲୋକଙ୍କ ସଙ୍ଗେ ଚାଷୀମୂଲିଆ ଶ୍ରେଣୀର ଲୋକେ ମଧ୍ୟ ଆଗ୍ରହୀ ନୁହନ୍ତି । ଏହାର କାରଣ ମୁଁ ଭଲ ରୂପେ ଅନୁସନ୍ଧାନ କରିଛି-ଶିକ୍ଷିତ ଲୋକେ ଶାରୀରିକ ଶ୍ରମ ଓ ଶାରୀରିକ ଶ୍ରମ କରୁଥିବା ଲୋକଙ୍କୁ ଘୃଣା କରନ୍ତି । କୌଣସି ଗୋଟିଏ ‘ବାବୁ’ ଶ୍ରମ କରୁଥିବା ଲୋକଠାରୁ ଭଲ ଅବସ୍ଥାରେ ଥାଉ ବା ନ ଥାଉ; ସେ ଶରୀର ଶ୍ରମ ନକରି ବେଶୀ ପଇସା ରୋଜଗାର କରିପାରୁଛି ଓ ସମାଜରେ ବେଶୀ ସମ୍ମାନ ପାଉଛି । ଦେଶରେ ଶରୀର ଶ୍ରମ କରୁଥିବା ଲୋକମାନେ ତାଙ୍କର ଶ୍ରମଲବ୍ଧ ଧନରେ ପୁଷ୍ଟ ଏହି ଶିକ୍ଷିତ ବର୍ଗଙ୍କ ପ୍ରତି ବିଦ୍ୱେଷ ଭାବ ପୋଷଣ କରନ୍ତି-କରିବା ସ୍ୱାଭାବିକ । କିନ୍ତୁ ଏହି ପରାଙ୍ଗପୁଷ୍ଟ ଶ୍ରେଣୀସମାଜରେ ବେଶୀ ସମ୍ମାନ ପାଉଥିବା ଯୋଗୁଁ ସମାଜ-ଚୈତନ୍ୟ ଏତେ ବିକାରଗ୍ରସ୍ତ ହୋଇଛି ଯେ ଶ୍ରମ କରୁଥିବା ପ୍ରତ୍ୟେକ ଲୋକ ଭାବୁଛି, କୌଣସି ରୂପେ ତା’ର ପିଲାକୁ ସେ ଶିକ୍ଷାଦେଇ ‘ବାବୁ’ଟିଏ କରିଦେଇ ପାରିଲେ ଉପରକୁ ଉଠିଯିବ ।” କିନ୍ତୁ ଶାରୀରିକ ଶ୍ରମ ପ୍ରତି ବିମୁଖତା କାହିଁକି? ତାହାର କାରଣ ରହିଛି ଭାରତୀୟ ସମାଜରେ ଥିବା ଜାତିବ୍ୟବସ୍ଥାରେ-ଯୁକ୍ତି ଦିଅନ୍ତି ନବବାବୁ ଉପରୋକ୍ତ ପ୍ରବନ୍ଧରେ । ସେ ଲେଖନ୍ତି, “ହିନ୍ଦୁ ସମାଜରେ ଜାତିଭେଦର ବିଷମୟ ଫଳସ୍ୱରୂପ ଶାରୀରିକ ଶ୍ରମ ସମାଜରେ ଗୋଟିଏ ଘୃଣ୍ୟ ଜିନିଷ ।”

ତେଣୁ ଚାଷୀମୂଲିଆ ଶ୍ରେଣୀର ଲୋକ ମୌଳିକ ଶିକ୍ଷା ପ୍ରତି ଅନାଗ୍ରହର ମୂଳରେ ଥିବା ଭାବନାକୁ ନବବାବୁ ପ୍ରତିଧ୍ୱନିତ କରି ଲେଖନ୍ତି-“ଯେ ପର୍ଯ୍ୟନ୍ତ ପ୍ରଚଳିତ ନିକମ୍ମା ଶିକ୍ଷା ପାଇ ଅନ୍ୟର ପିଲାମାନେ ରୋଜଗାର କରି ପାରୁଛନ୍ତି ଓ ସମ୍ମାନ ପାଉଛନ୍ତି, ତାହା ଖୁବ ଅନ୍ୟାୟ ହେଲେ ମଧ୍ୟ ମୋର ପୁଅ କାହିଁକି ସେ ଚେଷ୍ଟା ନ କରିବ?” କହିବା ବାହୁଲ୍ୟ ଯେ ନବବାବୁ ମୌଳିକ ଶିକ୍ଷାର ଗ୍ରହଣୀୟତା ଆଶାନୁରୂପ ନହେବାର କାରଣର ଗଭୀରତାକୁ ସ୍ପର୍ଶ କରିଥିଲେ; ଶାରୀରିକ ଶ୍ରମ ପ୍ରତି ଥିବା ଘୃଣାକୁ ଦାୟୀ କରିଥିଲେ; ଏପରି ଘୃଣାର ମୂଳରେ ଆମ ସମାଜରେ ଜାତି ବ୍ୟବସ୍ଥାକୁ ଚିହ୍ନଟ କରିଥିଲେ । ଯାହା ଗାନ୍ଧୀ ମଧ୍ୟ ଚିହ୍ନଟ କରିଥିଲେ ।

ବିଂଶ ଶତାବ୍ଦୀର ଉତ୍ତର ଚତୁର୍ଥଦଶକରେ (୧୯୩୭) ଗାନ୍ଧୀ କହିଥିଲେ, “ହାତରେ କାମ କରିବାକୁ ଏକ ପ୍ରକାର ଛୋଟ କରି ଦେଖାଯାଉଛି ଏବଂ ବର୍ଣ୍ଣବ୍ୟବସ୍ଥାର ବିକୃତିକରଣ ଯୋଗୁଁ ଆମେ ବୁଣାକାର, ତନ୍ତୁବାୟ, ବଢ଼େଇ ଓ ଚର୍ମକାରଙ୍କୁ ନୀଚ ଜାତିର ବୋଲି କହୁଛୁ ।” କିନ୍ତୁ ନବବାବୁ ଆଉ ଏକ କାରଣ ପ୍ରତି ଇଙ୍ଗିତ କରନ୍ତି ଯେତେବେଳେ ସେ ଲେଖନ୍ତି, “ଏହାଛଡ଼ା ଯେଉଁମାନେ ଟିକିଏ ଅବସ୍ଥାସମ୍ପନ୍ନ ଓ ନିଜ ପିଲାଙ୍କୁ ଉଚ୍ଚଶିକ୍ଷା ଦେଇପାରିବେ ବୋଲି ଭାବୁଛନ୍ତି, ସେମାନଙ୍କ ମନରେ ବଦ୍ଧମୂଳ ସନେ୍ଦହ ଯେ ମୌଳିକ ବିଦ୍ୟାଳୟ ବାଟେ ବିଶ୍ୱବିଦ୍ୟାଳୟରେ ପ୍ରବେଶ କରିବା ସମ୍ଭବନୁହେଁ ।” ଏପରି ସନେ୍ଦହକୁ ନବବାବୁ “ବିଶୁଦ୍ଧ ଅଜ୍ଞାନ ଉପରେ ପ୍ରତିଷ୍ଠିତ” ବୋଲି ଅଭିଯୋଗ କରନ୍ତି ଓ ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଅଧ୍ୟକ୍ଷତାରେ ଗଠିତ ବିଶ୍ୱବିଦ୍ୟାଳୟ ଶିକ୍ଷା କମିଶନ ରିପୋର୍ଟରେ ଏହି ପ୍ରସଙ୍ଗରେ ପ୍ରକାଶିତ ମତ ପ୍ରତି ଦୃଷ୍ଟି ଆକର୍ଷଣ କରନ୍ତି । ସେ ଲେଖନ୍ତି, “ଉଚ୍ଚଶିକ୍ଷା କହିଲେ ଇଂଲଣ୍ଡ ଆମେରିକାରେ ଯାହା ବୁଝାଯାଏ- ସେହି ଧରଣର ଉଚ୍ଚଶିକ୍ଷା ପାଇଁ ଏ ଦେଶରେ କ୍ଷେତ୍ର ପ୍ରସ୍ତୁତ କରିବାକୁ ହେଲେ-ଉଚ୍ଚଶିକ୍ଷା ପାଇବା ପୂର୍ବରୁ ପ୍ରତ୍ୟେକ ପିଲା ମୌଳିକ ଶିକ୍ଷା ପାଇବା ଉଚିତ୍-ଏହା ଉକ୍ତ ରିପୋର୍ଟର ସୁଚିନ୍ତିତ ମତ ।”

ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ

ଉପରୋକ୍ତ ରାଧାକୃଷ୍ଣନ କମିଟି ରିପୋର୍ଟରେ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ସ୍ଥାପନାର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା ଏବଂ ସ୍ପଷ୍ଟ କରିଦିଆଯାଇଥିଲା ଯେ ଯେଉଁ ବିଶ୍ୱବିଦ୍ୟାଳୟ ଅଛି ଓ ଯେଉଁ ନୂତନ (ଗ୍ରାମ୍ୟ) ବିଶ୍ୱବିଦ୍ୟାଳୟ ସ୍ଥାପନାର ପ୍ରସ୍ତାବ ଦିଆଯାଉଛି ସେ ଦୁଇପ୍ରକାର ଅନୁଷ୍ଠାନ ମଧ୍ୟରେ କୌଣସି ଦ୍ୱନ୍ଦ୍ୱ ନାହିଁ, କେବଳ ଏତିକି ଯେ ପ୍ରଚଳିତ ଥିବା ବିଶ୍ୱବିଦ୍ୟାଳୟଗୁଡିକ ସହରକୈନ୍ଦ୍ରିକ ହୋଇଥିବା ବେଳେ ଏହି ନୂତନ ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଗୁଡିକ ଗ୍ରାମକୈନ୍ଦ୍ରିକ ହେବ ଓ ଗ୍ରାମାଂଚଳର ବିଶାଳ ଜନ ସମୁଦାୟକୁ ଶିକ୍ଷା ସୁଯୋଗ ଉପଲବ୍ଧ କରାଇବ । ରିପୋର୍ଟ ପ୍ରସ୍ତୁତି ବେଳେ (ଡିସେମ୍ବର ୧୯୪୮ରୁ ଅଗଷ୍ଟ ୧୯୪୯) ଦେଶରେ ସମୁଦାୟ ୨୩ଟି ବିଶ୍ୱବିଦ୍ୟାଳୟ ଥିଲା, ତିନୋଟି କେନ୍ଦ୍ରୀୟ ଓ ଅବଶିଷ୍ଟ ପ୍ରାଦେଶିକ ଓ ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ସହରାଂଚଳରେ ହିଁ ଥିଲା । ଯଦିଓ ସେହି ସମୟରେ ଭାରତର ଜନସଂଖ୍ୟାର ୮୫ ପ୍ରତିଶତ ଗ୍ରାମବାସୀ ଥିଲେ ଓ ଉଚ୍ଚଶିକ୍ଷା ସେମାନଙ୍କୁ କ୍ୱଚିତ ଉପଲବ୍ଧ ହେଉଥିଲା, କେବଳ ସେହିମାନଙ୍କୁ ଉପଲବ୍ଧ ହେଉଥିଲା ଯେଉଁମାନେ ଗାଁ ଛାଡ଼ି ସହରରେ ଥିବା ବିଶ୍ୱବିଦ୍ୟାଳୟକୁ ଯାଉଥିଲେ । ଏହି ଦୃଶ୍ୟ ଦେଖି ଉପରୋକ୍ତ ରିପୋର୍ଟରେ ପ୍ରସ୍ତାବ ଦିଆଯାଇଥିଲା ଗ୍ରାମ୍ୟ ବିଶ୍ୱବିଦ୍ୟାଳୟର ସ୍ଥାପନା ଏବଂ ଗ୍ରାମ୍ୟ ଶିକ୍ଷାର ସମୟକାଳ ସମ୍ପର୍କରେ ସୁପାରିଶ ଥିଲା ଏହିପରି: ୮ବର୍ଷ ମୌଳିକ ଶିକ୍ଷା, ୩ରୁ ୪ ବର୍ଷ ଉତ୍ତର ମୌଳିକ ବା ମାଧ୍ୟମିକ ଶିକ୍ଷା, ୩ବର୍ଷ କଲେଜ ଶିକ୍ଷା ଓ ୨ବର୍ଷ ସ୍ନାତକୋତ୍ତର ବିଶ୍ୱବିଦ୍ୟାଳୟ ଶିକ୍ଷା ।

ଉପରୋକ୍ତ ରିପୋର୍ଟରେ ପ୍ରଥମଥର ପାଇଁ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟର ଅବଧାରଣାର ମାତ୍ର ଦେଢ଼/ଦୁଇବର୍ଷ ପରେ, ୧୯୫୧ ମସିହା ଫେବୃଆରୀ ୨୮ରୁ ମାର୍ଚ୍ଚ ୫ତାରିଖ ମଧ୍ୟରେ ସେବାଗ୍ରାମରେ ଅନୁଷ୍ଠିତ ୭ମ ସର୍ବଭାରତୀୟ ମୌଳିକ ଶିକ୍ଷା ସମ୍ମିଳନୀରେ, ଗ୍ରାମ୍ୟ ବିଶ୍ୱବିଦ୍ୟାଳୟର ସ୍ୱରୂପ କିପରି ହେବା ଉଚିତ ତାହା ଉପରେ ବିଶଦ ଆଲୋଚନା ହୋଇଥିଲା, ଯେଉଁଥିରେ ଅଂଶଗ୍ରହଣ କରିଥିଲେ ବହୁ ଗାନ୍ଧିବାଦୀ ବିଶିଷ୍ଟ ବ୍ୟକ୍ତି, ଯେପରି କିଶୋରିଲାଲ ମେଶୃୱାଲା, ଇ.ଡବ୍ଲୁ୍ୟ ଆର୍ଯ୍ୟନାୟକମ, ଜି ରାମଚନ୍ଦ୍ରନ, ଜେ ସି କୁମାରପ୍ପା, ବିନୋବା ଭାବେ, କାକାସାହେବ କାଲେକର ଆଦି । ଏମାନେ ସମସ୍ତେ ବିଭିନ୍ନ ଦିଗରୁ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟର ଆବଶ୍ୟକତା ଓ ଏହା କିପରି ହେବ ସେମାନେ ତାହାର ଏକ ନକ୍ସା ଦେଇଥିଲେ । ଏହା ଉତ୍ତରମୌଳିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ର/ଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାର ସୁ୍ଯୋଗ ସୃଷ୍ଟି କରିବ ଓ ଏହା ଦ୍ୱାରା ଗାଁରୁ ମେଧାବୀ ଛାତ୍ର/ଛାତ୍ରୀଙ୍କର ସହରକୁ ପଳାୟନକୁ ଅଟକା ଯାଇପାରିବ । କୌଣସି ଦିଗରୁ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ସହରୀ ବିଶ୍ୱବିଦ୍ୟାଳୟଠାରୁ ନୁ୍ୟନ ହେବ ନାହିଁ ବରଂ ମାନରେ ଉଚ୍ଚତର ହେବ । ଏହା କେବଳ ବୌଦ୍ଧିକ ଶିକ୍ଷାର କେନ୍ଦ୍ର ହେବ ନାହିଁ, ଏଠାରେ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ସମାଜସେବା, ଅନ୍ୟମାନଙ୍କ ପ୍ରତି, ବିଶେଷତଃ ଗରିବ, ଦୁର୍ବଳ ଓ ଭିନ୍ନକ୍ଷମଙ୍କ ପ୍ରତି ସମ୍ବେଦନଶୀଳତା, ନିଃସ୍ୱାର୍ଥପରତା, ସମାଜରେ ସହିଷ୍ଣୁତା, ଶାନ୍ତି ଓ ମୈତ୍ରୀଭାବ ସୃଷ୍ଟି କରିବା ଉପରେ ଗୁରୁତ୍ୱ ରହିବ ଯାହା ମାନବତାର ଉତ୍ତରଣ ପାଇଁ ଏକ ଶକ୍ତ ଆଧାର ହେବ । ଏପରି ଉଚ୍ଚଶିକ୍ଷାନୁଷ୍ଠାନକୁ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ପରିବର୍ତ୍ତେ ‘ଲୋକ ବିଦ୍ୟାପୀଠ’ ବା ‘ଜାତୀୟ ବିଶ୍ୱବିଦ୍ୟାଳୟ’ କୁହାଯାଇପାରେ ବୋଲି କେହି କେହି ପ୍ରସ୍ତାବ ଦେଇଥିଲେ ।

ଯେହେତୁ ଜନସଂଖ୍ୟାର ଶତକଡ଼ା ୮୫ଭାଗ ଗ୍ରାମାଂଚଳରେ ରୁହନ୍ତି, ଅର୍ଥାତ୍ ଜନସଂଖାର ଅଧିକାଂଶ ଗ୍ରାମବାସୀ, ସେତେବେଳେ ଏପରି ଉଚ୍ଚଶିକ୍ଷାନୁଷ୍ଠାନକୁ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ନାଁ ଦେଇ ଗାଁ ଓ ସହର ମଧ୍ୟରେ ଏକ ପ୍ରଭେଦର ଧାରଣା ଦେବା ଅପେକ୍ଷା ଏହାକୁ ଜାତୀୟ ବିଶ୍ୱବିଦ୍ୟାଳୟ ନାଁ ଦେବା ଅଧିକ ସଠିକ ହେବ । ଏହାକୁ ‘ନୟୀତାଲିମ ବିଶ୍ୱବିଦ୍ୟାଳୟ’ ନାଁ ଦେବା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଥିଲା । କାରଣ ମୌଳିକ ଶିକ୍ଷାଦାନର ଧାରାବାହିକତାରେ ଏହା ଶୀର୍ଷତମ ଅନୁଷ୍ଠାନ ଥିଲା ଓ ମୌଳିକ ଶିକ୍ଷା ଗାନ୍ଧୀଙ୍କ ନୟୀ ତାଲିମର ଦର୍ଶନ ଉପରେ ଠିଆ ହୋଇଥିଲା । ତେବେ ନାଁ ଯାହା ହେଉନା କାହିଁକି, ଏପରି ଉଚ୍ଚଶିକ୍ଷାନୁଷ୍ଠାନ ଲୋକ ସଂସ୍କୃତିର ହିଁ ପୃଷ୍ଠପୋଷକ ହେବ, ଯାହା କେବଳ କୃଷି ଓ କୃଷକ ମାତ୍ରକୁ ନେଇ ନୁହେଁ, ଜଙ୍ଗଲ, ପାହାଡ଼, ସମୁଦ୍ରକୁ ଆଧାର କରି ଜୀବନ ଜୀବିକାରେ ଲାଗିଥିବା ଜନସମୁଦାୟର ସଂସ୍କୃତି ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ହେବ । ଉଚ୍ଚ-ନୀଚ ଭେଦଭାବ, ଜାତିଗତ ବୈଷମ୍ୟ, ଯାହା ସମାଜକୁ ବିଭାଜିତ କରିଥାଏ, ତାହାକୁ ପ୍ରତ୍ୟାଖ୍ୟାନ କରି ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ମାନବୀୟ ସମ୍ପର୍କକୁ ଉନ୍ନତ କରିବାକୁ ହିଁ ନିଜର ଆଦର୍ଶ କରିବ । ଯେହେତୁ ବିଦ୍ୟାଳୟ ସ୍ତରରୁ ମୌଳିକଶିକ୍ଷାର ଧାରାବାହିକତାରେ ଶୀର୍ଷତମ ସ୍ତରର ଶିକ୍ଷାନୁଷ୍ଠାନ ହେବ ଗ୍ରାମ୍ୟ ବିଶ୍ୱବିଦ୍ୟାଲୟ, ତେଣୁ ଉପରୋକ୍ତ ଆଲୋଚନାରେ ପ୍ରସ୍ତାବ ଦିଆଯାଇଥିଲା ଯେ ରାଜ୍ୟ ସରକାରମାନେ ସହରରେ କୌଣସି ନୂତନ ବିଦ୍ୟାଳୟ ନ ଖୋଲନ୍ତୁ, ବରଂ ଯେଉଁ ସବୁ ହାଇସ୍କୁଲ ରହିଛି ସେଗୁଡିକୁ ଉତ୍ତର ମୌଳିକ ବିଦ୍ୟାଳୟରେ ବଦଳାଇ ଦେବା ପାଇଁ ପଦକ୍ଷେପ ନିଅନ୍ତୁ । ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ପ୍ରସ୍ତାବ ଆସିବା ପରେ (୧୯୪୮-୪୯ମସିହାରେ) ଓ ଏହା ଉପରେ ଏକ ବିଶଦ ଆଲୋଚନା ପରେ (୧୯୫୧ ମସିହାରେ), ଏପରିକି ଏହାର ୫ ବର୍ଷ ପରେ ମଧ୍ୟ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ସେପରି କୌଣସି ପ୍ରଚେଷ୍ଟା ଦେଖାଯାଇ ନଥିଲା ।

ରାମଚନ୍ଦ୍ରନ କମିଟି

ତେଣୁ ୧୯୫୬ ମସିହାରେ ରାମଚନ୍ଦ୍ରନ କମିଟି ତାଙ୍କ ରିପୋର୍ଟରେ ଲେଖିଲେ, ‘ବର୍ତ୍ତମାନ ପର୍ଯ୍ୟନ୍ତ କ୍ୱଚିତ ଗ୍ରାମ୍ୟ ବିଶ୍ୱବିଦ୍ୟାଳୟ ଭାରତରେ ଦେଖାଯାଏ । ଗୋଟିଏ ବା ଦୁଇଟି ପ୍ରସ୍ତୁତି ପଥରେ ଅଛି, ଆମେ ତାଙ୍କୁ ଶୁଭେଚ୍ଛା ଜଣାଉଛୁ ।’ ତେବେ ଏହି ରିପୋର୍ଟରେ ପ୍ରଦତ୍ତ ସୂଚନା ଅନୁସାରେ ସେ ସମୟରେ ଭାରତ ସରକାର ଗ୍ରାମ୍ୟ ଉଚ୍ଚଶିକ୍ଷା ସମ୍ବନ୍ଧୀୟ ଏକ ଭଲ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଯାହାଦ୍ୱାରା ଗ୍ରାମ୍ୟ ଉଚ୍ଚଶିକ୍ଷାନୁଷ୍ଠାନର ସ୍ଥାପନା ସମ୍ଭବ ହେବ ଓ ଏହା ଗ୍ରାମ୍ୟ ବିଶ୍ୱବିଦ୍ୟାଳୟର ସ୍ଥାପନା ପାଇଁ ବାଟ ଫିଟାଇବ । ଏହି ରିପୋର୍ଟରେ କୁହାଯାଇଥିଲା ଯେ ଉତ୍ତର ମୌଳିକ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ଛାତ୍ର/ଛାତ୍ରୀ ଏହିପରି ଗ୍ରାମ୍ୟ ଉଚ୍ଚଶିକ୍ଷାନୁଷ୍ଠାନ ବା ଗ୍ରାମ୍ୟ ବିଶ୍ୱବିଦ୍ୟାଳୟରେ ପଢ଼ିବା ପାଇଁ ଯୋଗ୍ୟ ହେବେ ନିଶ୍ଚୟ କିନ୍ତୁ ସେମାନଙ୍କର ପ୍ରଚଳିତ ବିଶ୍ୱବିଦ୍ୟାଳୟରେ ପ୍ରବେଶ ପାଇଁ କୌଣସି ବାଧା ରହିବା ଉଚିତ ନୁହେଁ । ବିଦ୍ୟାଳୟସ୍ତରରେ ପ୍ରଚଳିତ ଶିକ୍ଷାବ୍ୟବସ୍ଥା କାଏମ ଥିଲାବେଳେ, ଏହି ଶିକ୍ଷା ବ୍ୟବସ୍ଥାରୁ ଉତ୍ତୀର୍ଣ୍ଣ ଛାତ୍ର/ଛାତ୍ରୀଙ୍କୁ ହିଁ କେବଳ ପ୍ରଚଳିତ ବିଶ୍ୱବିଦ୍ୟାଳୟର ସୁଯୋଗ ଉପଲବ୍ଧ କରାଯିବାର ସର୍ତ୍ତ ମୌଳିକ ଶିକ୍ଷା ବ୍ୟବସ୍ଥାରୁ ଉତ୍ତୀର୍ଣ୍ଣ ଛାତ୍ର/ଛାତ୍ରୀଙ୍କର ପ୍ରବେଶ ପାଇଁ ବାଧକ ହେଉଥିବ-ଏପରି ଆଶଙ୍କା ହୋଇଥିଲା କମିଟିର । ତେଣୁ ବିଦ୍ୟାଳୟ ସ୍ତରରେ ଏହିପରି ଦୁଇ ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ନ ରଖି ପ୍ରଚଳିତ ସମସ୍ତ ବିଦ୍ୟାଳୟଗୁଡିକୁ, ଏକ ନିର୍ଦ୍ଧାରିତ ସମୟ କାଳ ମଧ୍ୟରେ, ମୌଳିକ ବିଦ୍ୟାଳୟମାନଙ୍କରେ ପରିଣତ କରାଯାଉ ବୋଲି ରାମଚନ୍ଦ୍ରନ କମିଟି ସୁପାରିଶ କରିଥିଲେ (ପୃ ୫)୧୦ । ରାମଚନ୍ଦ୍ରନ କମିଟିରେ ଜି ରାମଚନ୍ଦ୍ରନଙ୍କ ବ୍ୟତୀତ ଅନ୍ୟ ସଭ୍ୟମାନେ ଥିଲେ, ଆର୍.ଏସ୍. ଉପାଧ୍ୟାୟ, ଡକ୍ଟର ସୟିଦ ଅନସାରୀ ଓ ଡକ୍ଟର ଏମ୍ ଡି ପାଲ ।

ମୌଳିକ ଶିକ୍ଷା ପ୍ରତି ସମର୍ଥନ ଓ ବିରୋଧ

ସମସ୍ତ ପ୍ରଚଳିତ ବିଦ୍ୟାଳୟଗୁଡିକୁ ମୌଳିକ ବିଦ୍ୟାଳୟରେ ପରିଣତ କରିବା ପାଇଁ ସୁପାରିଶ କରିଥିବା ରାମଚନ୍ଦ୍ରନ କମିଟି ତାଙ୍କ ରିପୋର୍ଟରେ ମୌଳିକ ଶିକ୍ଷା ପ୍ରତି ଲୋକଙ୍କର ମତ କଣ ଥିଲା ତାହାର ମଧ୍ୟ ଉଲ୍ଲେଖ କରିଥିଲେ । ଯେପରି ମୌଳିକ ଶିକ୍ଷାପ୍ରତି ପ୍ରାୟ କଂଗ୍ରେସକର୍ମୀଙ୍କର ସମର୍ଥନ ଥିଲା, କିନ୍ତୁ ସବୁଠାରୁ ଅଧିକ ସମର୍ଥନ ଦେଖାଯାଉଥିଲା ଗାନ୍ଧୀଙ୍କ ପ୍ରସ୍ତାବିତ ରଚନାତ୍ମକ କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କଠାରେ । କମିଟି ଦୁଇଟି ବର୍ଗକୁ ଚିହ୍ନଟ କରିଥିଲେ ଯେଉଁମାନଙ୍କ ଠାରେ ମୌଳିକ ଶିକ୍ଷା ପ୍ରତି ବିରୋଧ ଦେଖା ଯାଉଥିଲା । ସେମାନେ ହେଲେ ଏକ ପକ୍ଷରେ ବିଶ୍ୱବିଦ୍ୟାଳୟର ଶିକ୍ଷିତ ବ୍ୟକ୍ତି ଓ ଅନ୍ୟପକ୍ଷରେ ସାମ୍ୟବାଦୀ (‘communists’) ତଥା ସମ୍ପ୍ରଦାୟିକବାଦୀ (‘communalists’) ମୌଳିକ ଶିକ୍ଷାରେ ହସ୍ତଶିଳ୍ପ ଓ ଗ୍ରାମ୍ୟୋଦ୍ୟଗ ଉପରେ ଗୁରୁତ୍ୱକୁ କମୁ୍ୟନିଷ୍ଟମାନେ ସମୟୋପେଯାଗୀ ନୁହେଁ ବୋଲି ବିଚାର କରୁଥିଲେ । ବିଶ୍ୱବିଦ୍ୟାଳୟ ଶିକ୍ଷିତ ବ୍ୟକ୍ତିମାନଙ୍କର ବିରୋଧର କାରଣ ଥିଲା ଯେ ସେମାନେ ଆଶଙ୍କା କରୁଥିଲେ ଯେ ମୌଳିକ ଶିକ୍ଷାରେ ଉତ୍ପାଦନମୁଖୀ କାର୍ଯ୍ୟ ଉପରେ ଗୁରୁତ୍ୱ ଶିକ୍ଷାର ବୌଦ୍ଧିକ ଓ ସାହିତି୍ୟକ ଦିଗକୁ ନ୍ୟୁନ କରିବ । ଉଦାରଚେତା ଶିକ୍ଷିତ ବ୍ୟକ୍ତିଙ୍କ ବିରୋଧର କାରଣ ଥିଲା ଯେ ସେମାନେ ଏହି ଶିକ୍ଷାକୁ ରକ୍ଷଣଶୀଳ, ପରିବର୍ତ୍ତନବିରୋଧୀ ଅନମନୀୟ ଶିକ୍ଷା ବ୍ୟବସ୍ଥା ବୋଲି ବିଚାର କରୁଥିଲେ । କିନ୍ତୁ ଯେତେବେଳେ ମୌଳିକ ଶିକ୍ଷାର ଉପସ୍ଥାପନା ସଠିକ ସନ୍ଦର୍ଭରେ କରାଯାଇଛି ଓ ଏହି ଶିକ୍ଷା ବ୍ୟବସ୍ଥା କିପରି ବିଭିନ୍ନ ପରୀକ୍ଷା ନିରୀକ୍ଷାକୁ ସ୍ଥାନ ଦେଇଥାଏ ବୋଲି ଦର୍ଶାଇ ଦିଆଯାଇଛି ସେତେବେଳେ ଏପରି ବିରୋଧ କ୍ଷୀଣ ହୋଇଛି । ରାମଚନ୍ଦ୍ରନ କମିଟି ମୌଳିକ ଶିକ୍ଷାକୁ କଂଗ୍ରେସ କର୍ମୀଙ୍କର ସମର୍ଥନ ବା କମ୍ୟୁନିଷ୍ଟ ମାନଙ୍କର ବିରୋଧକୁ ରାଜନୈତିକ ବୋଲି ମନେ କରୁଥିଲେ । କମିଟି ମଧ୍ୟ ମନେ କରୁଥିଲେ ଯେ କଂଗ୍ରେସିଆଙ୍କ ଭିତରେ ବହୁ କମ୍ ଲୋକ ଥିଲେ ଯେଉଁମାନେ ନିଷ୍ଠାପର ଭାବରେ ମୌଳିକ ଶିକ୍ଷାକୁ ସମର୍ଥନ କରୁଥିଲେ ଏବଂ ଏହା ସହିତ ପ୍ରତିବଦ୍ଧତାର ସହ ଠିଆ ହୋଇଥିଲେ । କମିଟିର ଭାଷାରେ (ପୃ ୨୫), “ଏହା ଅନେକ ସମୟରେ ମୌଖିକ ଆନୁଗତ୍ୟ । ଆମେ ଦେଖିଲୁ ବହୁ କମ୍ ସଂଖ୍ୟକ କଂଗ୍ରେସୀ ଲୋକ ପ୍ରକୃତରେ ମୌଳିକ ଶିକ୍ଷା କଣ ବୁଝିଛନ୍ତି ଓ ଏହାର ସମର୍ଥନ ପ୍ରତ୍ୟୟର ସହ କରୁଛନ୍ତି ।” ଅର୍ଥାତ୍ ବେଶୀ ଭାଗ କଂଗ୍ରେସୀ ଲୋକଙ୍କର ମୌଳିକ ଶିକ୍ଷା ପ୍ରତି ସମର୍ଥନ କେବଳ ମୌଖିକ ଥିଲା ।

ମୌଳିକ ଶିକ୍ଷା ସପକ୍ଷରେ ଲୋକମତ ସୃଷ୍ଟିର ଆବଶ୍ୟକତା ରହିଛି ବୋଲି ରାମଚନ୍ଦ୍ରନ କମିଟି ମତପୋଷଣ କରି ତାଗିଦ କରି ଦେଇଥିଲେ ଯେ ଏହା ରାଜନୀତିର ଊଦ୍ଧ୍ୱର୍ରେ ହିଁ ହେବା ଉଚିତ । ଏହା ମଧ୍ୟ ସ୍ପଷ୍ଟ କରିଦେଇ ଥିଲେ ଯେ ସାମାଜିକ ବିକାଶର ଧାରା ଯେଉଁ ଦିଗରେ ହେଉ ନା କାହିଁକି ମୌଳିକ ଶିକ୍ଷା, ପୁସ୍ତକ -କୈନ୍ଦ୍ରିକ ପ୍ରାଥମିକ ଶିକ୍ଷାଠାରୁ ଉନ୍ନତତର ହିଁ ହେବ; ଭାରତ ସର୍ବୋଦୟ ଦର୍ଶନର ସରଳ ଜୀବନ ଶୈଳୀକୁ ଗ୍ରହଣ କରୁ ବା ଉଦ୍ୟୋଗଭିତ୍ତିକ ସଂସ୍କୃତି ଏବଂ ସମାଜବାଦର ଜଟିଳ ଜୀବନ ଶୈଳୀକୁ ଗ୍ରହଣ କରୁ, ମୌଳିକ ଶିକ୍ଷାରେ ଶିକ୍ଷିତ ପିଢ଼ି ହିଁ ଏକ ନୂତନ ଭାରତ ଗଠନରେ ଉତ୍ସାହର ସହିତ ସାମିଲ ହୋଇପାରିବ କିନ୍ତୁ କାହିଁକି ସାମ୍ପ୍ରଦାୟିକବାଦୀ ମାନେ ଏହି ଶିକ୍ଷା ପଦ୍ଧତିକୁ ବିରୋଧ କରୁଥିଲେ, ତାହାର କାରଣ କମିଟି ଉଲ୍ଲେଖ ନ କରିଥିଲେ ମଧ୍ୟ ପ୍ରାୟ ସେହି ସମୟରେ ଗାନ୍ଧୀଙ୍କ ହତ୍ୟା ଅଭିଯୋଗରେ ଏକଦା ପ୍ରତିବନ୍ଧିତ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଦ୍ୱାରା ଆରମ୍ଭ ହେଉଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ସ୍ଥାପନା କମିଟିର ଦୃଷ୍ଟି ଆକର୍ଷଣ କରିଥିବ । ଏହା ଆହୁରି ଆଖିଦୃଶିଆ ହୋଇଥିବ ଯେତେବେଳେ ପ୍ରଥମ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସ୍ଥାପନା ୧୯୫୨ ମସିହାରେ ଉତ୍ତରପ୍ରଦେଶର ଗୋରଖପୁର ଠାରେ ହୋଇଥିବ । ଉଲ୍ଲେଖନୀୟ ଯେ ଗୋରଖପୁରର ଗୋରଖନାଥ ପୀଠର ତକ୍ରାଳୀନ ମହନ୍ତ ଦିଗବିଜୟ ନାଥ ହିନ୍ଦୁ ମହାସଭାର ଜଣେ ପ୍ରଭାବଶାଳୀ ନେତା ଥିଲେ, ଯାହାଙ୍କ ସମ୍ପର୍କରେ ତକ୍ରାଳୀନ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ, ଗାନ୍ଧୀଙ୍କ ହତ୍ୟା ସନ୍ଦର୍ଭରେ, ୬ ମଇ ୧୯୪୮ରେ, ଶ୍ୟାମାପ୍ରସାଦ ମୁଖର୍ଜୀଙ୍କୁ, ଲେଖିଥିଲେ, “ଉଗ୍ର ସାମ୍ପ୍ରଦାୟିକତା, ଯାହାର ପ୍ରଚାର ଏଇ ଗତ କିଛିମାସ ପୂର୍ବରୁ ମହନ୍ତ ଦିଗବିଜୟ ନାଥ, ପ୍ରଫେସର ରାମ ସିଂହ ଏବଂ (ଭି ଜି) ଦେଶପାଣ୍ଡେଙ୍କ ଭଳି ହିନ୍ଦୁ ମହାସଭାର ପ୍ରବକ୍ତାମାନଙ୍କ ଦ୍ୱାରା କରାଯାଉଥିଲା, ତାହାକୁ ଗଣସୁରକ୍ଷା ପ୍ରତି ବିପଦ ହିଁ କୁହାଯାଇପାରେ । ଏହା ଆର୍.ଏସ୍.ଏସ୍ ପାଇଁ ମଧ୍ୟ ପ୍ରଯୁଜ୍ୟ । ମହନ୍ତ ଦିଗବିଜୟ ନାଥ, ପ୍ରଫେସର ରାମ ସିଂହ ଏବଂ ଦେଶପାଣ୍ଡେଙ୍କ ବିଷୟରେ କହିବାକୁ ଗଲେ, ସେମାନେ ୨୭ଜାନୁଆରୀ ଦିନ ଅତି ଘୃଣାଭାବାପନ୍ନ ଭାଷଣ ଦେଇଛନ୍ତି ଯେଉଁଥି ପାଇଁ ତାଙ୍କର ବିଚାର ହେଉଛି । ସେମାନଙ୍କୁ ଏହି ଅବସ୍ଥାରେ ଖଲାସ କରିବା ବିପଦମୁକ୍ତ ହେବ ନାହିଁ ।” ୨୨-୨୩ ଡିସେମ୍ବର ୧୯୪୯ ମସିହା ମଧ୍ୟରାତ୍ରରେ ଅଯୋଧ୍ୟାସ୍ଥିତ ବାବ୍ରୀ ମସଜିଦ ଭିତରେ ରାମଙ୍କ ମୂର୍ତ୍ତିର ଗୋପନ ଭାବରେ ଯେପରି ସ୍ଥାପନା ହେଲା, ତାହା ପଛରେ ମଧ୍ୟ ଥିଲେ ମହନ୍ତ ଦିଗବିଜୟ ନାଥ୧୨ । ତେଣୁ ଗୋରଖପୁରରେ ପ୍ରଥମ ଶିଶୁମନ୍ଦିରର ସ୍ଥାପନା ଏକ ସୁଚିନ୍ତିତ ଉଦ୍ୟମ ଥିଲା- କହିବା ଅତୁ୍ୟକ୍ତି ହେବ ନାହିଁ । ଗାନ୍ଧିବାଦୀ ଜି ରାମଚନ୍ଦ୍ରନଙ୍କ ଆବାହକତ୍ୱରେ ବେସିକ ଶିକ୍ଷାର ସ୍ଥିତି ଆକଳନ କରୁଥିବା କମିଟି ଏହି ଘଟଣା ଗୁଡିକ ସମ୍ପର୍କରେ ସ୍ୱାଭାବିକ ଅବଗତ ଥିବେ ଓ ଗାନ୍ଧୀ ବିରୋଧୀ ସାମ୍ପ୍ରଦାୟିକ ଶକ୍ତି ଗୁଡିକର ଗାନ୍ଧୀ ପରିକଳ୍ପିତ ମୌଳିକ ଶିକ୍ଷାକୁ ବିରୋଧ ବୁଝି ପାରୁଥିବେ ।

କିନ୍ତୁ ମୌଳିକ ଶିକ୍ଷାର ବିସ୍ତାର ପଥରେ ପ୍ରତିବନ୍ଧକ ଯେ ଏହାର ଦାୟିତ୍ୱରେ ଥିବା ପ୍ରଶାସନର ନିଷ୍ଠା ଓ ମୌଳିକ ଶିକ୍ଷା ସମ୍ପର୍କରେ ବୁଝାମଣାର ଅଭାବ ଥିଲା, ଏହା ଅନୁଭବ କରିଥିଲେ ରାମଚନ୍ଦ୍ରନ କମିଟି ଓ ଲେଖିଥିଲେ (ପୃ ୨୬), “ଏହା ଦେଖି ଆମର ଅତ୍ୟନ୍ତ ଦୁଃଖଦ ଅଭିଜ୍ଞତା ହୋଇଛି ଯେ ମୌଳିକ ଶିକ୍ଷା ମନ୍ଥର ହେଉଛି, ଦିଶାହୀନ ଏବଂ ବାଧିତ ହେଉଛି କାରଣ ମୌଳିକ ଶିକ୍ଷା ସମ୍ପୂର୍ଣ୍ଣ ଭାବରେ ଏକ ଅନୁପଯୁକ୍ତ ପ୍ରଶାସନିକ ଆୟୋଜନ ଦ୍ୱାରା ସଂଚାଳିତ ହେଉଛି । ଯଦିଓ ଶିକ୍ଷା ନୀତି ସନ୍ଦର୍ଭରେ ମୌଳିକ ଶିକ୍ଷା ସପକ୍ଷରେ ଆଦର୍ଶଗତ ବିଜୟ ହୋଇଛି, ଏହା ଆମର ଅଭିଜ୍ଞତା ହୋଇଛି ଯେ ଶିକ୍ଷା ଅଧିକାରୀମାନେ, କେତେଜଣଙ୍କୁ ବାଦ ଦେଇ, ଏହି ନୂତନ ବ୍ୟବସ୍ଥାର ବ୍ୟବହାରିକ ନିହିତାର୍ଥ (implications)କୁ ସମ୍ପୂର୍ଣ୍ଣ ଭାବରେ ବୁଝି ନାହାନ୍ତି ବା ଯାହା ଅଧିକ ନୈରାଶ୍ୟଜନକ, ସେମାନେ ବୁଝିବା ପାଇଁ ଚାହାନ୍ତି ନାହିଁ ।ଁ ଏହାର ଏକ ଦୃଷ୍ଟାନ୍ତ ହେଉଛି ଯେ ମୌଳିକ ଶିକ୍ଷା ବିଦ୍ୟାଳୟ ଓ ତାଲିମ ବିଦ୍ୟାଳୟର ନିରୀକ୍ଷଣ ପାଇଁ ଯେଉଁ ନିରୀକ୍ଷକ ଅଧିକାରୀମାନେ ଯାଉଛନ୍ତି ସେମାନଙ୍କର ମୌଳିକ ଶିକ୍ଷାରେ କୌଣସି ତାଲିମ ନାହିଁ ବରଂ ଅନେକ ସମୟରେ ଦେଖାଯାଏ ସେମାନେ ମୌଳିକ ଶିକ୍ଷାର ବିରୋଧୀ । ଶିକ୍ଷା ବିଭାଗର ଉଚ୍ଚଶିକ୍ଷା ଦାୟିତ୍ୱରେ ଥିବା ବ୍ୟକ୍ତିଙ୍କର ମୌଳିକ ଶିକ୍ଷାରେ ତାଲିମ ଅଭାବ ଅଥଚ ସେମାନଙ୍କୁ ମୌଳିକ ଶିକ୍ଷାର ପ୍ରସାର ଦାୟିତ୍ୱରେ ଅବସ୍ଥାପିତ କରାଯିବା ଦ୍ୱାରା ମୌଳିକ ଶିକ୍ଷା ଦିଶାହୀନ ହେଉଥିଲା । ଏହିଭଳି ମୌଳିକ ଶିକ୍ଷା ବିରୋଧରେ ଭୁଲବୁଝାମଣା ଓ ପକ୍ଷପାତ ଧାରଣା ଦେଖାଯାଏ ବିଭିନ୍ନ ରାଜ୍ୟର ଶିକ୍ଷା କର୍ତ୍ତୃପକ୍ଷଙ୍କ ଠାରେ । ମୌଳିକ ଶିକ୍ଷାର ବିକାଶ ଏହିଭଳି ପରିସ୍ଥିତିରେ ହିଁ ହେବାକୁ ହେବ, ଏହାକୁ ଏଡାଇ ହେବ ନାହିଁ ।” ଏଠାରେ ଉଲ୍ଲେଖ କରିବା ରୋଚକ ହେବ ଯେ ରାମଚନ୍ଦ୍ରନ କମିଟି ମୌଳିକ ଶିକ୍ଷାର ପ୍ରସାର ପଥରେ ଏହାର ପରିଚାଳନା ଓ ପ୍ରଶାସନର ଦାୟିତ୍ୱରେ ଥିବା ବ୍ୟକ୍ତିମାନଙ୍କର ତାଲିମରେ ଅଭାବ ଯେ ବାଧକ ତାହା ପ୍ରତି ଇଙ୍ଗିତ କରିବାର ଅଠର ବର୍ଷ ପୂର୍ବରୁ, ୨୨ଜୁଲାଇ ୧୯୩୮ ଦିନ, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭବନରେ ମୌଳିକ ଶିକ୍ଷା ସମ୍ବନ୍ଧରେ ଏକ ଆଲୋଚନା ସଭାରେ ମଧୁସୂଦନ ଗ୍ରାମୋଦ୍ୟୋଗ କେନ୍ଦ୍ରର ସୁପରିଟେଣ୍ଡଣ୍ଟ ଶ୍ରୀ ଅକ୍ଷୟ କୁମାର ଚକ୍ରବର୍ତ୍ତୀ କହିଥିଲେ, “ଏ ଯାଦୁଆ ବଳଦଙ୍କ ଦ୍ୱାରା ଘଣାରୁ ତେଲ ବାହାରିବ ନାହିଁ ।” ସେହି ସଭାରେ ଉପସ୍ଥିତ ଥିବା ମୌଳିକ ଶିକ୍ଷା ପ୍ରସାରରେ ସକ୍ରିୟ ଶ୍ରୀ ଶରତ ମହାରଣା ଶ୍ରୀ ଚକ୍ରବର୍ତ୍ତୀଙ୍କ ଉକ୍ତିକୁ ସ୍ମରଣ କରି ଲେଖନ୍ତି (ପୃ ୪୨-୩)୧, “ଅର୍ଥାତ୍ ଯେଉଁମାନେ ଚିରାଚରିତ ପ୍ରାଚୀନ ପଦ୍ଧତିରେ ଶିକ୍ଷା ପାଇଛନ୍ତି, ସେହି ଶିକ୍ଷକ-ଶିକ୍ଷୟତ୍ରୀମାନେ ଏହି କ୍ରାନ୍ତିକାରୀ ରାଷ୍ଟ୍ରୀୟ ବୁନିୟାଦୀ ଶିକ୍ଷାଦେବାକୁ ସମର୍ଥ ହେବେ ନାହିଁ । ତାଙ୍କର ଅକ୍ଷେପ ବା ମନ୍ତବ୍ୟ ଠିକ୍ ଥିଲା ।” (ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗ, ପୃ ୪୨-୩) ଏହା ପୂର୍ବରୁ ମହାତ୍ମା ଗାନ୍ଧୀ ୱାର୍ଦ୍ଧାଠାରେ ୨୨ ଅକ୍ଟୋବର ୧୯୩୭ ଶିକ୍ଷା ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଥିଲେ(ପୃ ୧୯୬)୭, “ମୁଁ ଚାହେଁନା ଯେ ମୋର ପରିକଳ୍ପନା ସେମାନଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉ ଯେଉଁ ମାନଙ୍କର ନିଷ୍ଠା ନାହିଁ କି ବିଶ୍ୱାସ ନାହିଁ ।”

ବିରୋଧର ଦୃଷ୍ଟାନ୍ତ ଡକ୍ଟର ମାୟାଧର ମାନସିଂହଙ୍କ ମତ

ମୌଳିକ ଶିକ୍ଷାକୁ ଉଚ୍ଚଶିକ୍ଷିତ ବ୍ୟକ୍ତିଙ୍କର ବିରୋଧକୁ ଚିହ୍ନଟ କରିଥିଲେ ରାମଚନ୍ଦ୍ରନ କମିଟି । ଓଡ଼ିଶାରେ ମଧ୍ୟ ଏହାର ଦୃଷ୍ଟାନ୍ତ ଦେଖାଯାଇଥିଲା । ମୌଳିକ ଶିକ୍ଷାକୁ ଖୋଲାଖୋଲି ବିରୋଧ କରିବାର ଏକ ଉଲ୍ଲେଖନୀୟ ଦୃଷ୍ଟାନ୍ତ ହେଉଛନ୍ତି କବି, ଶିକ୍ଷାବିତ୍ ଓ ବିଦେଶୀ ପିଏଚ୍ଡି ପ୍ରାପ୍ତ ଓଡ଼ିଶାର ସର୍ବପ୍ରଥମ ଅଧ୍ୟାପକ ମାୟାଧର ମାନସିଂହ । ରାମଚନ୍ଦ୍ରନ କମିଟି ଓଡ଼ିଶାରେ ବେସିକ ଶିକ୍ଷାର ଆକଳନ କରିବା ସମୟରେ ଡକ୍ଟର ମାନସିଂହଙ୍କୁ ଭେଟିଥିଲେ (ପୃ ୮୪)୧୦ । ସେତେବେଳେ ଡକ୍ଟର ମାନସିଂହ ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଥିଲେ । ଏହା ୧୯୫୬ ମସିହା ପାଖାପାଖି ସମୟର ଘଟଣା । ଏହା ପୂର୍ବରୁ , ୧୯୫୪ ମସିହା ଅଗଷ୍ଟ ମାସରେ, ଚମ୍ପତ୍ତିମୁଣ୍ଡାରେ ପ୍ରସ୍ତାବିତ ଉତ୍ତର ମୌଳିକ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବରେ (ଯାହା ବାଜିରାଉତ ଛାତ୍ରାବାସରେ ଅନୁଷ୍ଠିତ ହେଉଥିଲା) ଡକ୍ଟର ମାନସିଂହ ଯୋଗ ଦେଇଥିଲେ, ଉପସ୍ଥିତ ଥିଲେ ତକ୍ରାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ୧୩ । କିନ୍ତୁ ଏହା ପୂର୍ବରୁ ୧୯୫୩ ମସିହାରେ ସେ ଏକ ପ୍ରବନ୍ଧରେ ମୌଳିକ ସ୍କୁଲ ସ୍ଥାପନାକୁ ବିରୋଧ କରି ଲେଖିଥିଲେ୧୪, “ଦେଶମୟ ମୌଳିକ ସ୍କୁଲ ବସାଇବା ବର୍ତ୍ତମାନ ସମ୍ଭବ ନୁହେଁ । ଅଭିଜ୍ଞତାରୁ ଜଣାଯାଉଛି ଯେ ବେସିକ ସ୍କୁଲ ପୂର୍ବତନ ସ୍କୁଲମାନଙ୍କଠାରୁ ଯାହା ଶସ୍ତା ହେବାର ଆଶା କରାଯାଉଥିଲା, ତାହା ନ ହୋଇ ବରଂ ବହୁଗୁଣରେ ବ୍ୟୟଶୀଳ ହୋଇଉଠୁଛି । ଏହା ପରିଚାଳନାର ଦୋଷ ହୋଇପାରେ । କିନ୍ତୁ ଏଇ ବେସିକ୍ ପ୍ରଣାଳୀରେ କେତେଗୁଡିଏ ଉତ୍ତମାଂଶ ଦେଖାଯାଉଛି ଯାହା ପୂର୍ବ ଧରଣର ସ୍କୁଲ ସବୁ ବିନାବ୍ୟୟରେ ନିଜ ନିଜ ପୀଠରେ ପ୍ରବର୍ତ୍ତନ କରିପାରନ୍ତି ଓ ତା ଫଳରେ ନିଜପୀଠର ନିପୁଣତା ଓ କଲ୍ୟାଣଶୀଳତା ବହୁଗୁଣରେ ବଢ଼ିଯିବ ବୋଲି ଆଶା । ଏଇ ଆଶାରେ ମୁଁ ଉତ୍ତରଓଡ଼ିଶାର ଇନସ୍ପେକ୍ଟର ଥିଲାବେଳେ ମୋ ଅଧୀନରେ ଥିବା ସମସ୍ତ ପୂର୍ବ-ଧରଣର ବିଦ୍ୟାଳୟମାନଙ୍କ ଉଦେଶ୍ୟରେ ଏ ବିଷୟରେ ଏକ ସର୍କୁଲାର ଦେଇଥିଲି (ନଂ୬୩୦୮(୯୦) ଜୁଲାଇ ୧୧, ୧୯୪୯ ) ସେ ଯେ ୧୯୪୮ମସିହାରୁ ଏପରି ବିରୋଧ କରି ଆସୁଛନ୍ତି, ତାହା ଜଣାପଡ଼େ ଯେତେବେଳେ ସେ ତାଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ର ଗାଥା’ରେ ଲେଖନ୍ତି୧୫, “୧୯୪୮ରେ ଏ ଦେଶର ଜଣେ ଲେଖକ ଓ ଶିକ୍ଷାବିତ୍ ସେହି ପଦ୍ଧତିର କେବଳ ସାମାନ୍ୟ ବିରୋଧ ଉଚ୍ଚାରଣ କରିଥିଲା ବୋଲି ତଥାକଥିତ ଅହିଂସଧର୍ମୀ ଗାନ୍ଧିବାନାଧାରୀ ନେତୃବୃନ୍ଦ ତାର ରକ୍ତମାଂସ ଭକ୍ଷଣପାଇଁ ଚିକ୍ରାର କରିଉଠିଥିଲେ ।” ୧୯୫୯ ମସିହାବେଳକୁ ମାନସିଂହ ମହୋଦୟ ଜାଣିଲେଣି ଯେ ସେ ‘ବେସିକର ଶତ୍ରୁ ବୋଲି ଏ ଦେଶରେ ପରିଚିତ ।’ କାହିଁକି ବିରୋଧ? କାରଣ ତାଙ୍କ ଦୃଷ୍ଟିରେ୧୬, “ଅବାନ୍ତର ଆସ୍ପର୍ଦ୍ଧା ଓ ପ୍ରତାରଣାମୟ, ଏହାର ମୌଳିକତାର ଦାବି ଆଦୌ ଗ୍ରହଣୀୟ ନୁହେଁ, ଏହା ପ୍ରଚଳିତ ବିଦ୍ୟାବ୍ୟବସ୍ଥା ଭିତରେ ସୁନ୍ଦର ଅଭ୍ୟସିତ ହୋଇପାରନ୍ତା ଓ ଏହାକୁ ଏକ ଭିନ୍ନ ଉତ୍ତମତର, ସମାନ୍ତରାଳ ବ୍ୟବସ୍ଥା ରୂପେ ଠିଆକରାଇ ଓ ଏଥିପାଇଁ ଉଚ୍ଚତର ପାହ୍ୟାର ଏକ ନୂତନ ଶିକ୍ଷକ ଜାତି ସୃଷ୍ଟିକରି ସରକାର, ଶିକ୍ଷାବିଜ୍ଞାନ, ଗଣତାନ୍ତ୍ରିକ ଆଦର୍ଶ ଓ ଦେଶର ତହବିଲର ଘୋର ଅସମ୍ମାନ କରିଛନ୍ତି ଓ କରୁଛନ୍ତି । ସମଗ୍ର ଦେଶରେ ଏକ ପଦ୍ଧତିର ଶିକ୍ଷାବ୍ୟବସ୍ଥା ଓ ସମବେତନ ଶିକ୍ଷକଗୋଷ୍ଠୀର ସୃଷ୍ଟି ଏହି ଶିଶୁ ଗଣତନ୍ତ୍ରର ଭବିଷ୍ୟତ ସ୍ୱାସ୍ଥ୍ୟ ଓ ସୌଭାଗ୍ୟ ପାଇଁ ପ୍ରଥମ ଆବଶ୍ୟକତା । ଦେଶକୁ ଯେଉଁମାନେ ଶାସନ କରୁଛନ୍ତି ଓ ପଦେ ପଦେ ଗଣତନ୍ତ୍ରର ମନ୍ତ୍ରୋଚ୍ଚାରଣ କରୁଛନ୍ତି, ସେମାନେ ଜାଣିଶୁଣି ପବ୍ଲିକ ପାଣ୍ଠିକୁ ଅଗଣତାନ୍ତ୍ରିକ ରୀତିରେ କିପରି ବ୍ୟୟ କରି ଚାଲିଛନ୍ତି, ତାହା ସହଜରେ ବୁଝିହେଉନି । ଲେଖକର ଦୃଢ଼ମତ ତେଣୁ ଏହି ଯେ, ଦେଶରେ ଏକାଧିକ ସମାନ୍ତରାଳ ଶିକ୍ଷା ପଦ୍ଧତିକୁ ବଂଚେଇ ରଖିବା ଅନୁଚିତ ଯେପରି, ସେହିପରି ଅନାବଶ୍ୟକ । ଯାହା ‘ଆନ୍ତର୍ଜାତିକ ଓ ବିଶ୍ୱବ୍ୟାପୀ’, ଆମେ ସେହି ନକ୍ସା ଗ୍ରହଣ ନ କରି ବାରଆଡ଼ର ପରୀକ୍ଷା କରିବାକୁ ଯିବା ବୁଦ୍ଧି ଭ୍ରଂଶର ଚିହ୍ନ, ପ୍ରଗତିର ଚିହ୍ନ ନୁହେଁ । ଏକ ପଦ୍ଧତି ଭିତରେ ଆମେ ସକଳ ପଦ୍ଧତିର ଉତ୍ତମାଂଶ ମିଶାଇ, ଆମ ଦେଶର ଚାହିଦା ଅନୁଯାୟୀ ଆମେ କାହିଁକି ଏକ ବଳିଷ୍ଠ ସମ୍ମାନନୀୟ ଶିକ୍ଷା ବ୍ୟବସ୍ଥା ଏ ଦେଶରେ ଠିଆ ନକରେଇ ପାରିବା, ତାର କୌଣସି କାରଣ ନାହିଁ ।” ଯେଉଁମାନେ ବେସିକ ଶିକ୍ଷାର ପ୍ରଚାରକ ବିଶେଷତଃ କଂଗ୍ରେସୀ ଲୋକେ ତାଙ୍କୁ ସେ ପ୍ରଶ୍ନ କରୁଥିଲେ୧୬, “କେଉଁ ଆଦର୍ଶରେ ବେସିକ-ପ୍ରଚାରକ କଂଗ୍ରେସ ନେତାମାନଙ୍କର ପିଲେ ତିଆରି ହେଉଛନ୍ତି? ବେସିକ ପ୍ରଚାରକମାନେ ଏହାର ଉତ୍ତର ଦିଅନ୍ତୁ । ଉଚ୍ଚାଦର୍ଶର ବାହାନାର ପୁଟ ଘନହୋଇ ବୋଳା ହୋଇଥିଲେ ମଧ୍ୟ, ମିଥ୍ୟା ପ୍ରଚାର ଓ ପ୍ରତାରଣା କ’ଣ ବେଶିକାଳ ଲାଗିବ, ନିଜ ରୂପରେ ଧରା ପଡିବାକୁ?” ବେସିକ ଶିକ୍ଷା ସମ୍ପର୍କରେ ଭିନ୍ନମତର ପ୍ରକାଶ ଓ ଏହି କାରଣରୁ ସରକାରଙ୍କ ରୋଷର ଶିକାର ହେବା ଡକ୍ଟର ମାନସିଂହଙ୍କ ମନକୁ ଯେ ଅତ୍ୟନ୍ତ ତିକ୍ତ କରିଥିଲା ଯାହା ସେ ଭୁଲି ପାରି ନଥିଲେ ଦୀର୍ଘକାଳଯାଏ, ତାହା ଜଣାପଡ଼େ ଯେତେବେଳେ ସେ ତାଙ୍କ ଆତ୍ମଜୀବନୀ ‘ଶିକ୍ଷାବିତ୍ର ଗାଥା’ରେ ଲେଖନ୍ତି୧୫, “ପବିତ୍ର-ଖଦଡ଼-ପରିଧାୟୀ, ଗାନ୍ଧୀ-ସଖ୍ୟ-ଗୌରବାନ୍ୱିତ ଓ ଅହିଂସ-ମନ୍ତ୍ର-ଦୀକ୍ଷିତ ଓଡ଼ିଶାର କେତେକ ଶ୍ରେଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ଜୈତ୍ରକେତନରେ ସେମାନଙ୍କର ଜୀବନରେ ଏକ ମହାବିଜୟର ଏଇ ଏକ ସଙ୍କେତ, ଅଲିଭା ଅକ୍ଷରରେ ଜାଜ୍ୱଲ୍ୟମାନ ରହିଥିବ ଯେ, ସେମାନଙ୍କ ପ୍ରଚାରିତ ବେସିକ-ପଦ୍ଧତି ଉପରେ ନିଜର ସ୍ୱାଧୀନ ମତଟି କେବଳ ଦେବାରୁ ହିଁ ଦିନେ ଏ ଦେଶର ଜଣେ ଲେଖକ ଓ ଶିକ୍ଷାବିତ୍ର ମସ୍ତକ ସେମାନେ ଭକ୍ଷଣ କରିବାକୁ ବସିଥିଲେ । ଶେଷରେ, ଶିକ୍ଷାବିଭାଗ ସେଇଲୋକକୁ ଇନ୍ସ୍ପେକ୍ସନ୍ ଡିପାର୍ଟମେଣ୍ଟରୁ ନିର୍ବାସିତ କରିନେବାରେ ହିଁ ସେମାନଙ୍କର ରୋଷାଗ୍ନି କିଂଚିତ ସନ୍ତୁଷ୍ଟ ହୋଇଥିଲା ଓ ସେ ଲୋକ, ସେ ଘାଟିରୁ କୌଣସିମତେ ପ୍ରାଣରକ୍ଷା କରି ଏ ପର୍ଯ୍ୟନ୍ତ ବଂଚିଛି ଓ ଏଇ ବହି ଯେ ଆଜି ଲେଖୁଛି, ତାହା କେବଳ ବିଧାତାର ଆଶୀର୍ବାଦ ।”

ଏଠାରେ ଉଲ୍ଲେଖନୀୟ ଯେ ଡକ୍ଟର ମାୟାଧର ମାନସିଂହ ୧୯୪୯ ମସିହାର ଉତ୍ତର କାଳରେ ସଦ୍ୟ ଗଙ୍ଗାଧର ମେହରଙ୍କ ନାମରେ ନାମିତ ସମ୍ବଲପୁର କଲେଜରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ ଓ ୧୯୫୬ ସେପ୍ଟେମ୍ବର ମାସ ଯାଏ ଏହି ପଦବୀରେ ଅଧିଷ୍ଠିତ ଥିଲେ । ଡକ୍ଟର ମାୟାଧର ମାନସିଂହ ଯେଉଁ ସମୟରେ ବେସିକ ଶିକ୍ଷା ସମ୍ପର୍କରେ ଭିନ୍ନମତ ରଖି ସରକାରଙ୍କ ରୋଷ ଦୃଷ୍ଟିରେ ପଡିଥିଲେ ଓ ବଦଳି ହୋଇ ଗଙ୍ଗାଧର ମେହେର କଲେଜର ଅଧ୍ୟକ୍ଷ ଭାବେ ଅବସ୍ଥାପିତ ହୋଇଥିଲେ, ସେ ସମୟ ହେଉଛି ନବକୃଷ୍ଣ ଚୌଧୁରୀଙ୍କର ମୌଳିକ ଶିକ୍ଷା ସଂଗଠକରୁ ମୁଖ୍ୟମନ୍ତ୍ରୀ ହେବାର ସମୟ । ନବବାବୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ୧୯୫୬ ମସିହା ଅକ୍ଟୋବର ମାସରେ, ମାୟାଧର ମାନସିଂହ ଗଙ୍ଗାଧର ମେହର କଲେଜର ଅଧ୍ୟକ୍ଷ ପଦରୁ ଅବ୍ୟାହତି ନେବାର ମାସକ ପରେ ।

ତେବେ ଡକ୍ଟର ମାୟାଧର ମାନସିଂହଙ୍କ ଉପରୋକ୍ତ ଉକ୍ତିରୁ ବୁଝାଯାଏ ଯେ ‘ଆନ୍ତର୍ଜାତିକ ଓ ବିଶ୍ୱବ୍ୟାପୀ’ ପ୍ରଚଳିତ ଶିକ୍ଷା ସହ ସଂଗତିପୂର୍ଣ୍ଣ ଭାରତରେ ପ୍ରଚଳିତ ଶିକ୍ଷାବ୍ୟବସ୍ଥା ହୋଇଥିବା ବେଳେ ବେସିକ ଶିକ୍ଷାର ଏକ ସମାନ୍ତରାଳ ଶିକ୍ଷା ବ୍ୟବସ୍ଥା ଠିଆ କରାଇବା ଅନାବଶ୍ୟକ ଓ ପବ୍ଲିକ ପାଣ୍ଠିର ଅପବ୍ୟୟ । ତାଙ୍କ ବିଚାରରେ ଏକାଧିକ ସମାନ୍ତରାଳ ଶିକ୍ଷା ପଦ୍ଧତିକୁ ବଂଚେଇରଖିବା ଅନୁଚିତ । ତେଣୁ ତାଙ୍କର ପରାମର୍ଶ ଥିଲା ଯେ ବେସିକ ପଦ୍ଧତିର ଉତ୍ତମାଂଶକୁ ପ୍ରଚଳିତ ଶିକ୍ଷାରେ ଅନ୍ତର୍ଭୁକ୍ତ କରି ପ୍ରଚଳିତ ଶିକ୍ଷାକୁ କାଏମ ରଖାଯାଉ । ମାନସିଂହ ମହୋଦୟ ଦର୍ଶାନ୍ତି ଯେ ସେ କିପରି ଉତ୍ତରଓଡ଼ିଶାର ସ୍କୁଲ ଇନିସପେକ୍ଟର ଥିବାବେଳେ ଏହି ମର୍ମରେ ସବୁଆଡ଼କୁ ସର୍କୁଲାର ପଠାଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଯେଉଁମାନେ ବେସିକ ଶିକ୍ଷାର ସମର୍ଥକ ଥିଲେ ସେମାନେ ମଧ୍ୟ ଦୁଇଟି ସମାନ୍ତରାଳ ଶିକ୍ଷାବ୍ୟବସ୍ଥା ସପକ୍ଷରେ ନଥିଲେ । କିନ୍ତୁ ସେମାନଙ୍କର ସୁପାରିଶ ଓଲଟା ଥିଲା-ସବୁ ପ୍ରଚଳିତ ପ୍ରାଥମିକ ବିଦ୍ୟାଳୟକୁ ମୌଳିକ ବିଦ୍ୟାଳୟରେ ପରିଣତ କରିଦିଆଯାଉ । ଏପରିକି ଓଡ଼ିଶା ସରକାର ମଧ୍ୟ ସ୍ଥିର କରିଥିଲେ ଯେ “ଧୀରେ ଧୀରେ ସବୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ମୌଳିକ ବିଦ୍ୟାଳୟରେ ପରିଣତ କରାଯିବ । ଏ ସମ୍ପର୍କରେ ଏକ ଘୋଷଣାନମା, ମଇ ପହିଲା ୧୯୪୮ରେ ଜାରି କରିଥିଲେ । ଯାହା ଏହିପରି ଥିଲା ୧୭ The Basic System of Education would gradually replace the existing primary and secondary education according to trained hands available and finance of the province permits.(G.O. No. 2048-E, dated 1st May 1948)”କହିବା ବାହୁଲ୍ୟ ଯେ ସରକାର ଯେତେବେଳେ ବେସିକ ଶିକ୍ଷାର ପ୍ରଚଳନ ସପକ୍ଷରେ ଏପରି ଏକ ଘୋଷଣାନାମା ଜାରି କରିଛନ୍ତି ସେତେବେଳେ ସରକାରୀ କର୍ମଚାରୀ ହୋଇ ବେସିକ ଶିକ୍ଷା ବିରୋଧରେ କେହି ମତ ଦେବା ସରକାର ସହଜରେ ଗ୍ରହଣ ନ କରିଥିବା ସ୍ୱାଭାବିକ ।

କିନ୍ତୁ ପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟକୁ ମୌଳିକ ବିଦ୍ୟାଳୟରେ ପରିଣତ କରାଯିବା ହେଲା ନାହିଁ, ଏହା ତ ବାସ୍ତବିକତା । ଅପର ପକ୍ଷରେ ଯେପରି ମାନସିଂହ ମହୋଦୟଙ୍କର ପରାମର୍ଶ ଥିଲା ପ୍ରାୟ ସେ ଦିଗରେ ହିଁ ଉଦ୍ୟମ ଆରମ୍ଭ ହେବାର ଦେଖାଗଲା । ଯେପରି ୧୯୬୧ ମସିହାରେ ଅନୁଗୁଳର ମୌଳିକ ଶିକ୍ଷା ତାଲିମ ମହାବିଦ୍ୟାଳୟଠାରେ ରାଜ୍ୟସ୍ତରୀୟ ସେମିନାର ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଶତ୍ରୁଘ୍ନ ନାଥଙ୍କ ସଂଯୋଜନାରେ ଅନୁଷ୍ଠିତ ହେଲା । ସେଥିରେ ସ୍ଥିର କରାଗଲା ମୌଳିକ ଶିକ୍ଷାର କେଉଁ ଦିଗ ଗୁଡିକ ପ୍ରାଥମିକ ବିଦ୍ୟାଳୟ ପାଠ୍ୟକ୍ରମରେ ଗ୍ରହଣ କରାଯିବ । ଏକ ସରକାରୀ ନିଦେ୍ର୍ଦଶନାମା ଅନୁଯାୟୀ ମାର୍ଚ୍ଚ ପହିଲା ୧୯୫୯ଠାରୁ ପାଠ୍ୟକ୍ରମରେ ଏପରି ପରିବର୍ତ୍ତନ ଆରମ୍ଭ ହେଲା । ଶିକ୍ଷା ବିଭାଗ ତରଫରୁ ଶ୍ରୀ ଶତ୍ରୁଘ୍ନ ନାଥଙ୍କ ପ୍ରଣୀତ “ପ୍ରାଥମିକ ବିଦ୍ୟାଳୟକୁ ମୌଳିକ ଶିକ୍ଷାଭିମୁଖୀ କରିବାର ଯୋଜନା” ପୁସ୍ତିକା ସରକାରଙ୍କ ତରଫରୁ ପ୍ରକାଶ କରାଗଲା(ପୃ ୧୧୯)୧୭ । ଏହାର ପାଂଚବର୍ଷ ପରେ ପ୍ରକାଶ ପାଇଲା କୋଠାରୀ କମିଶନ ରିପୋର୍ଟ (୧୯୬୪-୬୬) ଯେଉଁଠାରେ ପ୍ରାୟ ସେହି କଥା କୁହାଗଲା ଯାହା ମାନସିଂହ କହୁଥିଲେ ବା ୧୯୬୧ର ଶିକ୍ଷା ସମ୍ମିଳନୀରେ ସ୍ଥିର ହୋଇଥିଲା । କମିଶନଙ୍କ ମତ ଥିଲା୧୮ “ମୌଳିକ ଶିକ୍ଷାର ଆବଶ୍ୟକୀୟ ନୀତି ଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ ଯେ ସେଗୁଡିକ ଶିକ୍ଷା ବ୍ୟବସ୍ଥାକୁ ପ୍ରତିଟି ସ୍ତରରେ ବାଟ ଦେଖାଇବା ଉଚିତ ଓ ଗଢ଼ିବା ଉଚିତ । ଏହାହିଁ ଆମ ପ୍ରସ୍ତାବର ନିର୍ଯ୍ୟାସ ଏବଂ ଏହି ଦୃଷ୍ଟିରୁ ଶିକ୍ଷାର କୌଣସି ସ୍ତରକୁ ମୌଳିକ ଶିକ୍ଷା କୁହାଯାଉ ତାହାକୁ ସମର୍ଥନ କରୁ ନାହୁଁ । ” କହିବାର ଆବଶ୍ୟକତା ନାହିଁ ଯେ କୋଠାରୀ କମିଶନ ରିପୋର୍ଟର ଆଧାରରେ ହିଁ ଭାରତର ପ୍ରଥମ ଜାତୀୟ ଶିକ୍ଷାନୀତି-୧୯୬୮ଘୋଷଣା ହେଲା । ଏହି ରିପୋର୍ଟରୁ ସ୍ପଷ୍ଟ ହୁଏ ଯେ କୋଠାରୀ କମିଶନ ମୌଳିକ ଶିକ୍ଷାକୁ ସମର୍ଥନ କରୁ ନ ଥିଲେ ଯଦିଓ ମୌଳିକ ଶିକ୍ଷାର ଆବଶ୍ୟକୀୟ ନୀତିଗୁଡିକର ଗୁରୁତ୍ୱ ସ୍ୱୀକାର କରିଥିଲେ । ଦ୍ୱିତୀୟ ଜାତୀୟ ଶିକ୍ଷାନୀତି ୧୯୮୬ର ପ୍ରାଥମିକ ଶିକ୍ଷା ସମ୍ପର୍କିତ ଅଧ୍ୟାୟରେ କୌଣସି ସ୍ଥାନରେ ମୌଳିକ ଶିକ୍ଷାର ଉଲ୍ଲେଖ ହୋଇଥିବା ଦେଖାଯାଏ ନାହିଁ । ଯଦିଓ ଅନ୍ୟ ଏକ ସ୍ଥାନରେ (ପାରାଗ୍ରାଫ ୫.୪.୨)ରେ କୁହାଯାଇଛି ଯେ ଗାନ୍ଧୀଙ୍କର ମୌଳିକ ଶିକ୍ଷା ସହ ସମ୍ପୃକ୍ତ ଅନୁଷ୍ଠାନ ଓ କାର୍ଯ୍ୟକ୍ରମକୁ ସାହାଯ୍ୟ କରାଯିବ । ସଦ୍ୟ ପ୍ରବର୍ତ୍ତିତ ଶିକ୍ଷାନୀତି ୨୦୨୦ରେ ମୌଳିକ ଶିକ୍ଷାର କୌଣସି ଉଲ୍ଲେଖ ଦେଖାଯାଏ ନାହିଁ । କହିବା ବାହୁଲ୍ୟ ଯେ ଗାନ୍ଧୀ ପ୍ରକଳ୍ପିତ ମୌଳିକ ଶିକ୍ଷା ବିଦ୍ୟାଳୟ ଶିକ୍ଷାର ଦୃଶ୍ୟପଟ୍ଟରୁ ଅପସାରିତ ହୋଇଛି । କେତେଦୂର ମୌଳିକ ଶିକ୍ଷାର ବିଭାବଗୁଡିକ ପ୍ରଚଳିତ ବିଦ୍ୟାଳୟର ପାଠ୍ୟକ୍ରମରେ ଦେଖାଯାଉଛି, ତାହା ତ ଗବେଷଣାର ବିଷୟ । ଅପରପକ୍ଷରେ ଆମର ବିଦ୍ୟାଳୟ ଶିକ୍ଷା ମାନସିଂହଙ୍କ ପରାମର୍ଶ ଅନୁସାରେ କେତେଦୂର ‘ଆନ୍ତର୍ଜାତିକ ଓ ବିଶ୍ୱବ୍ୟାପୀ’ନକ୍ସା ଅନୁସାରେ ସଫଳ ହୋଇଛି, ତାହା ମଧ୍ୟ ପରୀକ୍ଷା କରିବାର ବିଷୟ ।

ଉପସଂହାର

ନବକୃଷ୍ଣ ଚୌଧୁରୀ ମୌଳିକ ଶିକ୍ଷାକୁ ମଣିଷ ତିଆରି ବିଜ୍ଞାନ ବୋଲି ବିଚାରୁଥିଲେ ଓ ଏହା ଉପରେ ଭାରତର ଭବିଷ୍ୟତ ନିର୍ଭର କରୁଛି ବୋଲି ତାଙ୍କର ବିଶ୍ୱାସ ଥିଲା । ତା’ ନହେଲେ କରୁଣାକର ପରିଡାଙ୍କୁ ନବବାବୁ ଲେଖି ନ ଥାନ୍ତେ୨, “ଦେଶରେ ବଡ଼ ବଡ଼ ବୈଜ୍ଞାନିକ ବା ଇଂଜିନିୟର ଅଛନ୍ତି ଓ ହେବେ; କିନ୍ତୁ ମଣିଷ ଗଢ଼ିବା ବିଜ୍ଞାନ ଭାରତର ସବୁଠାରୁ ବେଶି ଲୋଡ଼ା -ଦୁନିଆର ମଧ୍ୟ ଲୋଡ଼ା ।” ନବବାବୁ ମଧ୍ୟ କରୁଣାକରଙ୍କୁ କହୁଥିଲେ, “ଭାରତର ଭବିଷ୍ୟତ ଏହି ଶିକ୍ଷା ପଦ୍ଧତି ଉପରେ ନିର୍ଭର କରୁଛି ।” ଭଲ ମଣିଷ ହିଁ ଭାରତର ସୁନ୍ଦର ଭବିଷ୍ୟତ ପାଇଁ ସବୁଠାରୁ ବଡ଼ ଆବଶ୍ୟକତା-ଏହା ନବବାବୁଙ୍କର ବିଚାର ଥିଲା । ଗାନ୍ଧୀ ଏହା ସ୍ପଷ୍ଟ କରୁଥିଲେ ଯେତେବେଳେ ସେ ପ୍ରଚଳିତ ବିଦ୍ୟାଳୟ ଶିକ୍ଷା ‘ଅପଚୟକାରୀ ଓ ଅହିତକର ଓ ବିଚ୍ଛିନ୍ନତାକାରୀ’ ବୋଲି ଅଭିଯୋଗ କରୁଥିଲେ(ପୃ ୧୯୧)୭ । ସହରୀ ଚଳଣିର ମନ୍ଦ ଅଭ୍ୟାସଦ୍ୱାରା କିପରି ଗ୍ରାମାଂଚଳର ପିଲାମାନେ ଗ୍ରାସିତ ହେଉଛନ୍ତି ତା ପ୍ରତି ଇଙ୍ଗିତ କରୁଥିଲେ । ଅର୍ଥାତ୍ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଭଲ ମଣିଷ ତିଆରି ହେଉନାହାନ୍ତି – ତେଣୁ ପ୍ରଚଳିତ ପ୍ରାଥମିକ ଶିକ୍ଷାର ଏପରି ଦୁଃପରିଣତିରୁ ଗ୍ରାମାଂଚଳର ପିଲାମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଗାନ୍ଧୀଙ୍କ ପରାମର୍ଶ ଥିଲା ହସ୍ତଶିଳ୍ପ ଜରିଆରେ ପ୍ରାଥମିକ ଶିକ୍ଷା ବା ମୌଳିକ ଶିକ୍ଷା । ମାନସିଂହ ବା କୋଠାରୀ କମିଶନ ପ୍ରଚଳିତ ଶିକ୍ଷା ଉପରେ ମୌଳିକ ଶିକ୍ଷାର ପୁଟ ଦେଇ ଯେଉଁ ବିଦ୍ୟାଳୟ ଶିକ୍ଷାର ସୁପାରିଶ କରିଲେ, ତାହା ପିତଳ ଉପରେ ସୁନା ପାଣିଦେବା ସଦୃଶ ହିଁ ଥିଲା । ତେଣୁ ସେହି ପ୍ରଚଳିତ ଶିକ୍ଷାବ୍ୟବସ୍ଥା କାଏମ ରହିଲା ଯାହା ପୂର୍ବରୁ ପ୍ରଚଳିତ ଥିଲା । ଆଜି ସାମାଜିକ ଓ ସାଂସ୍କୃତିକ ପରିଦୃଶ୍ୟ ଦେଖିଲେ ଏହି ଶିକ୍ଷା ଯେ ଭଲ ମଣିଷ ତିଆରି କରିବାରେ ସମର୍ଥ ହୋଇନାହିଁ-ଏହା କହିବା ଅବାସ୍ତବ ହେବ ନାହିଁ ଯଦିଓ ଏହି ଶିକ୍ଷାରୁ ଇଂଜିନିଅର, ବୈଜ୍ଞାନିକ ଆଦି ବାହାରିଛନ୍ତି ଓ ବାହାରୁଛନ୍ତି । ଯଦି ଭଲ ମଣିଷ ବାହାରୁଥାନ୍ତେ ତାହାହେଲେ ସମାଜରେ ଏତେ ହିଂସା, ସାମ୍ପ୍ରଦାୟିକ ଅସହିଷ୍ଣୁତା, ସମ୍ବେଦନହୀନତା, ଅସାମନତା ଆମେ ଦେଖୁ ନଥାନ୍ତେ । ମୌଳିକ ଶିକ୍ଷା, ଗାନ୍ଧୀଙ୍କ ଭାଷାରେ, ଅହିଂସା ଉପରେ ପ୍ରତିଷ୍ଠିତ (ପୃ୧୯୪)୭ । ମୌଳିକ ଶିକ୍ଷାର ଅହିଂସକ ଆଧାର ହିଁ ବିଦେଶୀ ଶିକ୍ଷାବିତ୍ଙ୍କୁ ସବୁଠାରୁ ବେଶୀ ଆକୃଷ୍ଟ କରିଥିଲା(ପୃ୨୦୧)୭ । ମୈାଳିକ ଶିକ୍ଷାର ପାଠ୍ୟକ୍ରମରେ, ବିଶେଷତଃ ସମାଜ ବିଜ୍ଞାନର ଧ୍ୟେୟକୁ ସୂଚୀବଦ୍ଧ କରାଯାଇଥିଲା ଯାହା ଏହିପରି ଥିଲା୧୯ -”(୧) ମାନବଜାତିର ପ୍ରଗତି ଓ ବିଶେଷ କରି ଭାରତର ପ୍ରଗତି ସମ୍ବନ୍ଧରେ ଆଗ୍ରହ ସୃଷ୍ଟି କରିବା, (୨) ନିଜର ସମାଜ ଓ ଭୂଗୋଳକୁ ବୁଝି ତାହାକୁ ସୁଧାରିବା ପାଇଁ ପ୍ରସ୍ତୁତ ହେବାପାଇଁ ବିଦ୍ୟାର୍ଥୀଙ୍କୁ ସୁଯୋଗ୍ୟ କରିବା, (୩) ସେମାନଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା, ଭାରତର ଅତୀତ ଯୁଗକୁ ସମ୍ମାନ କରିବା ଏବଂ ଆଗାମୀ ଯୁଗରେ ଏପରି ଏକ ସମାଜ ଗଢ଼ି ଉଠିବ, ଯାହାର ମୂଳଦୁଆ ପରସ୍ପର ସହଯୋଗ, ସ୍ନେହ, ପ୍ରୀତି, ସତ୍ୟତା ଓ ନ୍ୟାୟ ଉପରେ ପ୍ରତିଷ୍ଠିତ ହେବ-ଏହି ବିଶ୍ୱାସ ଜନ୍ମାଇବା,(୪) ନାଗରିକ ଅଧିକାର ଓ ଦାୟିତ୍ୱ ବିଷୟରେ ଧାରଣା ଜନ୍ମାଇବା, (୫) ସେମାନଙ୍କ ମଧ୍ୟରେ ସଚ୍ଚୋଟ ସାଥି ଓ ସାହାଯ୍ୟକାରୀ ପ୍ରତିବେଶୀ ହୋଇପାରିବାର ବ୍ୟକ୍ତିଗତ ଓ ସାମାଜିକ ସଦ୍ଗୁଣର ବିକାଶ ଘଟାଇବା, (୬) ପୃଥିବୀର ସବୁ ଧର୍ମପ୍ରତି ଶ୍ରଦ୍ଧା ପୋଷଣ କରିବାର ବୃତ୍ତି ବିକଶିତ କରିବା ।” “ଏପରି ଲକ୍ଷ୍ୟ ସାଧନ କରିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଇତିହାସ, ଭୂଗୋଳ, ନାଗରିକ ଶାସ୍ତ୍ର ଓ ଦେଶ ବିଦେଶର ସାମ୍ପ୍ରତିକ ପରିସ୍ଥିତି ବିଷୟରେ ଶିକ୍ଷାଦେବା ଅତ୍ୟାବଶ୍ୟକ ଅଟେ । ପୃଥିବୀର ବିଭିନ୍ନ ଧର୍ମକୁ ଶ୍ରଦ୍ଧାପୂର୍ବକ ଅଧ୍ୟୟନ କରାଇ ସେମାନଙ୍କୁ ବୁଝାଇବାକୁ ହେବ ଯେ, ସିଦ୍ଧାନ୍ତ ଦୃଷ୍ଟିରୁ ପୃଥିବୀର ସବୁଧର୍ମ ମୂଳତଃ ଏକମତ ଅଟନ୍ତି ।” ଇତିହାସ କିପରି ପଢ଼ାହେବା ଉଚିତ? “ଏ ବିଷୟ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ହେବ ଯେ ବିଦ୍ୟାର୍ଥୀମାନଙ୍କୁ ପ୍ରାଚୀନ ଯୁଗର ଇତିହାସ ଏପରି ଭାବରେ ପଢ଼ାଇବା ଉଚିତ ନୁହେଁ, ଯଦ୍ୱାରା ସେମାନଙ୍କ ମଧ୍ୟରେ ଅତୀତର ଇତିହାସ ପାଇଁ ଏପରି ଔଦ୍ଧତ୍ୟ ଓ ଅହଙ୍କାର ଦେଖା ନହେବ, ଯଦ୍ୱାରା ସେମାନେ ସ୍ୱଦେଶକୁ ଅନ୍ୟାନ୍ୟ ଦେଶଠାରୁ ଭିନ୍ନ ଏବଂ ଅନ୍ୟସବୁ ଦେଶ ଓ ଜାତି ଆମଠାରୁ ନୁ୍ୟନ, ଏ ଭାବନା ନ ଜନ୍ମିବ । ମାନବଜାତିର ଇତିହାସକୁ ଏପରି ଭାବରେ ପଢାଇବାକୁ ହେବ, ଯଦ୍ୱାରା ଯେଉଁ ପରାକ୍ରମୀ ବୀରମାନେ ମାନବକୁ ପଶୁତ୍ୱରୁ ମାନବତା ଆଡ଼କୁ ଘେନି ଯିବାପାଇଁ ଉଦ୍ୟମ କରିଛନ୍ତି, ସେମାନଙ୍କର ଶାନ୍ତିପୂର୍ଣ୍ଣ ବିଜୟଗାଥା ହିଁ ଶିକ୍ଷାରେ ମୁଖ୍ୟ ସ୍ଥାନ ଲାଭ କରିବ । ପୁଣି ମାନବଜାତିର ଇତିହାସରୁ ଦୃଷ୍ଟାନ୍ତ ଦେଇ ବାରମ୍ବାର ଦେଖାଇବାକୁ ହେବ ଯେ, ମାନବ-ଜୀବନରେ ହିଂସା, ପ୍ରତାରଣା ଓ ଦଗାବାଜୀଠାରୁ ଅହିଂସା ଓ ତାହାର ଆନୁଷଙ୍ଗିକ ଗୁଣଗୁଡିକ ହିଁ ଅଧିକ ଶକ୍ତିଶାଳୀ ।” ମୌଳିକ ଶିକ୍ଷାର ପାଠ୍ୟକ୍ରମରେ ଉପରୋକ୍ତ ଧ୍ୟେୟ ଦର୍ଶାଏ ଯେ ମୌଳିକ ଶିକ୍ଷା ମାନବକୈନ୍ଦ୍ରିକ ଥିଲା । ଗାନ୍ଧୀ ଶିକ୍ଷା ସମ୍ମିଳନୀରେ (୨୨ଅକ୍ଟୋବର ୧୯୩୭) କହିଥିଲେ ଯେ ତାଙ୍କ ପ୍ରସ୍ତାବିତ ଶିକ୍ଷା ଅର୍ଥାତ୍ ମୌଳିକ ଶିକ୍ଷା(ପୃ ୧୯୩)୭ “ହିନ୍ଦୁ , ମୁସଲମାନ, ପାର୍ସୀ ଏବଂ ଖ୍ରୀଷ୍ଟିଆନ, ସମସ୍ତଙ୍କ ପାଇଁ ସମାନ ହେବ ।” ଯେଉଁମାନେ ତାଙ୍କୁ ପ୍ରଶ୍ନ କରୁଥିଲେ ଯେ ସେ କାହିଁକି କୌଣସି ଧର୍ମ ଶିକ୍ଷା ଦେଉନାହାନ୍ତି । ତାହାର ଉତ୍ତରରେ ସେ କହୁଥିଲେ , “ମୁଁ ସେମାନଙ୍କୁ ବ୍ୟବହାରିକ ଧର୍ମର ଶିକ୍ଷାଦେଉଛି, ସେ ଧର୍ମ ହେଉଛି ଆତ୍ମନିର୍ଭରତାର ଧର୍ମ ।” ମୌଳିକ ଶିକ୍ଷାର ପାଠ୍ୟକ୍ରମର ଧ୍ୟେୟରୁ ସ୍ପଷ୍ଟ ଜଣାଯାଏ ଯେ ଲକ୍ଷ୍ୟ ଥିଲା ମଣିଷ ଗଢ଼ିବା -ଏପରି ମଣିଷ ଯିଏ ସବୁ ଧର୍ମକୁ ସମ୍ମାନ ଦେବ, ଯିଏ ଭାରତର ଇତିହାସ ପ୍ରତି ସମ୍ମାନଶୀଳ ହେବ କିନ୍ତୁ ଔଦ୍ଧତ୍ୟ ବା ଅହଙ୍କାର ଦ୍ୱାରା ଆକ୍ରାନ୍ତ ହେବ ନାହିଁ, ଅନ୍ୟ ଜାତିକୁ ନୁ୍ୟନ କରି ଦେଖିବ ନାହିଁ, ହିଂସା, ପ୍ରତାରଣା ଓ ଦଗାବାଜୀଠାରୁ ଉର୍ଦ୍ଧରେ ରହିବ । ଉଦାର ମଣିଷ ହେବ, ସଙ୍କୀର୍ଣ୍ଣତା ତାକୁ ସ୍ପର୍ଶ କରିବ ନାହିଁ । ନବବାବୁ ତେଣୁ ଠିକ ବୁଝିଥିଲେ- ଯେ ମୌଳିକ ଶିକ୍ଷା ହେଉଛି ମଣିଷ ଗଢ଼ା ବିଜ୍ଞାନ ଓ ଯାହା ଅପରିହାର୍ଯ୍ୟ ଏକ ସୁସ୍ଥ ସମାଜ ଗଢ଼ିବା ପାଇଁ -ନୂତନ ଭାରତ ଗଢ଼ିବା ପାଇଁ । କିନ୍ତୁ ସେ ମଧ୍ୟ ଜାଣୁଥିଲେ, ଯେପରି ତାଙ୍କ ଦ୍ୱାରା ଲିଖିତ ଉଲ୍ଲିଖିତ ପ୍ରବନ୍ଧରୁ ଜଣାଯାଏ, ପ୍ରଚଳିତ ‘ବାବୁ’ ଗଢ଼ା ଶିକ୍ଷା ବ୍ୟବସ୍ଥା ସମ୍ମୁଖରେ ମୌଳିକ ଶିକ୍ଷା କିପରି ଉପେକ୍ଷିତ ହୋଇପଡୁଛି ।

କହିବା ବାହୁଲ୍ୟ ଯେ ମୌଳିକ ଶିକ୍ଷାର ସ୍ୱତନ୍ତ୍ର ଅସ୍ତିତ୍ୱକୁ ବିରୋଧ କରୁଥିବା ଶକ୍ତିର ବିଜୟ ହୋଇଛି । ଏହି ଶକ୍ତି ପ୍ରଥମରୁ ସକ୍ରିୟ ରହିଛି ତାହା ଜଣାପଡ଼େ ଯେତେବେଳେ ଗାନ୍ଧୀଙ୍କ ଜୀବନୀକାର ଡି ଜି ଟେଣ୍ଡୁଲକର ଲେଖନ୍ତି(ପୃ ୧୮୬)୭, “ଗାନ୍ଧୀଙ୍କର ଶିକ୍ଷା ସମ୍ପର୍କରେ ନୂତନ ଧାରଣା ଶକ୍ତ ବିରୋଧର ସମ୍ମୁଖୀନ ହୋଇଥିଲା ।” ଡକ୍ଟର ମାୟାଧର ମାନସିଂହଙ୍କ ପରି ଯେଉଁ ଉଚ୍ଚଶିକ୍ଷିତ ବ୍ୟକ୍ତିମାନେ ବ୍ୟକ୍ତିଗତ ସ୍ତରରେ ହୁଅନ୍ତୁ ବା କୌଣସି କମିଶନର (ଯେପରି କୋଠାରୀ କମିଶନ)ର ସଦସ୍ୟ ଭାବେ ହୁଅନ୍ତୁ; ମୌଳିକ ଶିକ୍ଷାର ସ୍ୱତନ୍ତ୍ର ଅସ୍ତିତ୍ୱର ଆବଶ୍ୟକତା ନାହିଁ ବୋଲି କହି ପ୍ରଚଳିତ ଶିକ୍ଷାର ପାଠ୍ୟକ୍ରମରେ ମୌଳିକ ଶିକ୍ଷାର ପୁଟ ଚଢ଼ାଇ ଦେଇ ମୌଳିକ ଶିକ୍ଷାର ଧ୍ୟେୟ ହାସଲ ସମ୍ଭବ ବୋଲି ଧାରଣା ଦେଉଥିଲେ, ସେ ଶିକ୍ଷା ନିଶ୍ଚିତ ଭାବରେ ବହୁ ଇଂଜିନିଅର, ବୈଜ୍ଞାନିକ ଓ ବିଶେଷଜ୍ଞ ହୁଏତ ତିଆରି କରିଛି, କିନ୍ତୁ ମଣିଷ ଗଢ଼ିବାର ଲକ୍ଷ୍ୟ ହାସଲରେ ଯେ ବହୁତ ପଛାଇ ଯାଇଛି ତାହା ଆଜିର ଭାରତରେ ସାମାଜିକ ସାଂସ୍କୃତିକ ଅବସ୍ଥା ଦେଖିଲେ, ସମାଜରେ ବର୍ଦ୍ଧିଷ୍ଣୁ ଅସହିଷ୍ଣୁତା, ହିଂସା, ସାମ୍ପ୍ରଦାୟିକତା, ଅତୀତକୁ ନେଇ ଔଦ୍ଧତ୍ୟ, ସମ୍ବେଦନହୀନତା ଓ ଅସମାନତାକୁ ଦେଖିଲେ ଜଣା ପଡ଼େ । ତେବେ ଏହା ନ୍ୟାୟ ହେବ ନାହିଁ ଯଦି ଉଲ୍ଲେଖ ନ କରା ଯାଏ ଯେ ମୌଳିକ ଶିକ୍ଷାକୁ ବିରୋଧ କରୁଥିବା ମାନସିଂହ ମହୋଦୟ ଆଜକୁ ପ୍ରାୟ ଷାଠିଏ ବର୍ଷ ତଳେ, ସୁପାରିଶ କରିଥିଲେ “ଦେଶରେ ଧନୀ ଦରିଦ୍ର, ହାକିମ, ପିଅନ, ବ୍ରାହ୍ମଣ, ବାଉରି -ସମସ୍ତଙ୍କ ପାଇଁ ଏକପ୍ରକାର ଶିକ୍ଷାବ୍ୟବସ୍ଥା ପ୍ରଚଳିତ ହେବା ପ୍ରଥମ ଆବଶ୍ୟକତା” ଓ ଏହା ଦ୍ୱାରା ‘ଦେଶରେ ଶିକ୍ଷାବ୍ୟବସ୍ଥାରେ ଆପେ ଆପେ ବିପ୍ଳବ ଆସିଯାନ୍ତା’ବୋଲି କହୁଥିଲେ(ପୃ ୩୯୭)୧୫ । କିନ୍ତୁ ଏହା ହୋଇ ନାହିଁ ଏଯାବତ୍ ତା ନ ହେଲେ ୨୦୧୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ନିଦେ୍ର୍ଦଶ ଦିଅନ୍ତେ ନାହିଁ ଏହା ନିଶ୍ଚିତ କରିବା ପାଇଁ ଯେପରି ସବୁ ସରକାରୀ କର୍ମଚାରୀ, ବିଚାରପତି ହୁଅନ୍ତୁ ବା ଉଚ୍ଚପ୍ରଶାସନିକ ଅଧିକାରୀ, ଅର୍ଦ୍ଧ ସରକାରୀ ସଂସ୍ଥାର କର୍ମଚାରୀ ହୁଅନ୍ତୁ ବା ଜନପ୍ରତିନିଧି; ସେମାନେ ସମସ୍ତେ ଯେପରି ସେମାନଙ୍କ ପିଲାଙ୍କୁ ପ୍ରାଥମିକ ସ୍ତରରେ ସରକାରୀ ବିଦ୍ୟାଳୟରେ ପଢ଼ାଇବେ ଏହିକଥା ହିଁ ମାନସିଂହ ମହୋଦୟ କହୁଥିଲେ । କିନ୍ତୁ ଏହାକୁ ବିରୋଧ ହୋଇଥିଲା, ଉତ୍ତରପ୍ରଦେଶ ସରକାର ହାଇକୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସୁପ୍ରିମକୋର୍ଟ ଯାଇପାରନ୍ତି ବୋଲି ଇଂଗିତ ଦେଉଥିଲେ ୨୧ ।

ଅପରପକ୍ଷରେ ହାଇକୋର୍ଟର ନିଦେ୍ର୍ଦଶ କାର୍ଯ୍ୟକାରୀ ହୋଇନାହିଁ ବୋଲି ୩ ବର୍ଷ ପରେ କେହି ଜଣେ ସୁପ୍ରିମକୋର୍ଟରେ ମାମଲା ଦାଏର କରୁଥିଲେ୨୨ । ତେବେ ଏଯାବତ୍ ଯେ ବିଚାରପତି, ପ୍ରଶାସକଙ୍କ ପିଲା ଓ ୪ର୍ଥ ଶ୍ରେଣୀ କର୍ମଚାରୀ, ପିଅନଙ୍କ ପିଲା ଏକ ସାଙ୍ଗରେ ସରକାରୀ ସ୍କୁଲରେ ପଢ଼ିବେ, ତାହା ଏଯାବତ୍ ହୋଇପାରି ନାହିଁ -ଏହା ସତ୍ୟ । କିନ୍ତୁ ମୌଳିକ ଶିକ୍ଷାରେ ଏହି ସମାନ ସ୍କୁଲ ବ୍ୟବସ୍ଥା ତ ଅନ୍ତର୍ନିହିତ ଥିଲା, ଏହା ଶିକ୍ଷାରେ ଏକ ବିପ୍ଳବ ଥିଲା ଯାହାକୁ ଗାନ୍ଧୀ ତାଙ୍କର ସବୁଠାରୁ କ୍ରାନ୍ତିକାରୀ ବିଚାର ବୋଲି ମନେ କରୁଥିଲେ୨୩ ।

ବ୍ୟବହୃତ ଉପାଦାନ ସୂଚୀ

୧.‘ମୌଳିକ ଶିକ୍ଷାର ଯାଥାର୍ଥ୍ୟ’, ନବକୃଷ୍ଣ ଚୌଧୁରୀ, ଓଡିଶାରେ ମୌଳିକ ଶିକ୍ଷାର ପ୍ରୟୋଗ, ସଙ୍କଳକ: ଶତ୍ରୁଘ୍ନ ନାଥ, ଶରତ ଚନ୍ଦ୍ର ମହାରଣା, ଭାଗୀରଥି ନାୟକ, ଅକ୍ଷୟ କୁମାର ମହାନ୍ତି, ପ୍ରକାଶକ:ଶିକ୍ଷାସନ୍ଧାନ , ୨୩/୧୧/ ୨୦୦୧, ପୃ ୩୬

୨. ‘ବାପି, ଏକ ନିଜସ୍ୱ ଅନୁଭବ’, କରୁଣାକର ପରିଡା, ଶ୍ରଦ୍ଧାଞ୍ଜଳି, ସମ୍ପାଦନା-ସୁରେନ୍ଦ୍ରନାଥ ଦ୍ୱିବେଦୀ, ୨୩/୧୧/୧୯୮୪, ପୃ ୯୯-୧୦୫)

୩. ଶ୍ରୀ ନବକୃଷ୍ନ ଚୌଧୁରୀ-ଏକ ଜୀବନୀ, ଚିତ୍ତରଂଜନ ଦାସ, ଦି ୟୁନିଭର୍ସ, ୧୯୯୨, ପୃ୫୬

୪.ଜଂଗଲ ଚିଠି, ଚିତ୍ତରଂଜନ ଦାସ , ଅଗ୍ରଗାମୀ, ୧୯୯୭, ପୃ୧

୫.ଜୀବନ ବିଦ୍ୟାଳୟ, ଚିତ୍ତରଂଜନ ଦାସ, ଗ୍ରନ୍ଥ ମନ୍ଦିର , ୧୯୬୦, ପୃ ୬

୬.ମାଳତୀ ଚୌଧୁରୀ ଓ ମୌଳିକ ଶିକ୍ଷା, ବହ୍ନିବଳାକା, ପୃ-୪୮

୭. Mahatma, vol. 4, D.G. Tendulkar, Publications Division, 1991, p. 189

୮. The Report of the University Education Commission (December 1948-August 1949) Volume 1 , _é 491

୯. Report of the seventh All India Basic Education Conference, Sevagram, February 2 8 — March5, 1951, Hindustani Taliimi Sangh, Sevagram, Wardha,First Published :February 1952

୧୦. Basic Education in India, Report of the Assessment Com inittee on Basic Edacation, p.55

11.Vidya Bharati ,https://en.wikipedia.org/wiki/Vidya_Bharati

  1. Ayodhya , The Dark Night, Krishna Jha and Dhirendra K. Jha, Harper Collins, 2016, p.30

୧୩.ବହ୍ନିମାନ, ପ୍ରଫୁଲ୍ଲ ଦାସ, ଲୋହିଆ ଏକାଡେମୀ, ୨୦୧୦, ପୃ ୩୪୮

୧୪. ‘ବେସିକ ବାତାବରଣ’, ଶିକ୍ଷା , ଶିକ୍ଷକ ଓ ଶିକ୍ଷାୟତନ, ମାନସିଂହ ଗ୍ରନ୍ଥାବଳୀ, ସପ୍ତମ ଖଣ୍ଡ, ଗ୍ରନ୍ଥ ମନ୍ଦିର, ୨୦୦୭, ପୃ ୩୪୮

୧୫. ମାନସିଂହ ଗ୍ରନ୍ଥାବଳୀ, ସପ୍ତମ ଖଣ୍ଡ, ଗ୍ରନ୍ଥ ମନ୍ଦିର, ୨୦୦୭, ପୃ ୮୬

୧୬.ବେସିକ ଓ ସାଧାରଣ ଶିକ୍ଷା ବ୍ୟବସ୍ଥାର ସଂସ୍କାର ( ଅଗଷ୍ଟ ୧୯୫୯), ଶିକ୍ଷାର କି, କଣ ଓ କାହିଁକି , (ସେପ୍ଟେମ୍ବର ୧୯୬୦), ମାନସିଂହ ଗ୍ରନ୍ଥାବଳୀ, ସପ୍ତମ ଖଣ୍ଡ,୨୦୦୭, ପୃ ୩୮୮-୩୯୮

୧୭. ସ୍ୱାଧୀନତା ପରେ ମୌଳିକ ଶିକ୍ଷାର ସ୍ୱରୂପ, ଶ୍ରୀ ଭାଗୀରଥି ନାୟକ, ଓଡ଼ିଶାରେ ମୌଳିକ ଶିକ୍ଷାର ପ୍ରୟୋଗ, ପୃ ୮୧

୧୮. Paragraph 8.109 at page 209 of Kothari Commission Report

୧୯. ଜାକିର ହୁସେନ କମିଟିର ରିପୋର୍ଟ, ଓଡିଶାରେ ମୌଳିକ ଶିକ୍ଷାର ପ୍ରୟୋଗ,ସଙ୍କଳକ: ଶତ୍ରୁଘ୍ନ ନାଥ, ଶରତ ଚନ୍ଦ୍ର ମହାରଣା, ଭାଗୀରଥି ନାୟକ, ଅକ୍ଷୟ କୁମାର ମହାନ୍ତି, ପ୍ରକାଶକ:ଶିକ୍ଷାସନ୍ଧାନ , ୨୩/୧୧/ ୨୦୦୧ ପୃ ୧୨-୧୩

୨୦. Govt servants must send kids to govt schools: Allahabad HC , Written by Prashant Pandey|Allahabad |, Updated: August 20, 2015 ,https://indianexpress.com/article/cities/lucknow/govt-servants-must-send-kids-to-govt-schools-allahabad-hc/

21.UP to move Supreme Court against Allahabad HC’s ‘govt school for govt servants’ kids’ orde. Written by Maulshree Seth | Lucknow ,Updated: December 25, 2015 , https://indianexpress.com/article/cities/lucknow/up-to-move-supreme-court-against-allahabad-hcs-govt-school-for-govt-servants,

  1. Plea Filed On Sending UP Bureaucrats’ Kids To Government Schools, Press Trust of IndiaUpdated: October 08, 2018 ,https://www.ndtv.com/india-news/plea-filed-in-supreme-court-on-sending-up-bureaucrats-kids-to-government-schools-1928318

୨୩.ଗାନ୍ଧୀଙ୍କ ଶିକ୍ଷା ଦର୍ଶନ: ବୁନିୟାଦୀ ବା ମୌଳିକ ଶିକ୍ଷା, ସମଦୃଷ୍ଟି,

Comments

0 comments

Share This Article