ପ୍ରଥମ ସାକ୍ଷାତ
ମନେ ପଡୁଛି ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସହିତ ପ୍ରଥମ ସାକ୍ଷାତର ଦିନ, ତାଙ୍କ ଭୁବନେଶ୍ୱର ବାସଭବନ ନବୀନ ନିବାସରେ । ଏହା ଥିଲା ୧୯୭୧ମସିହା ନିର୍ବାଚନ ପରର ଘଟଣା । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ଏକାଧିକ ବିଧାନସଭା ଏବଂ ଲୋକସଭା ଆସନରେ ହାରିଯାଇଥାନ୍ତି । ଆମେ ଦୁଇଜଣ ଓକିଲ ବନ୍ଧୁ ତାଙ୍କଠାରୁ କିଛି ଦାନ ଗ୍ରହଣ କରିବାକୁ ଯାଇଥାଉ ରେଭେନ୍ସା କଲେଜର କିଛି ସାମାଜିକ କାର୍ଯ୍ୟକ୍ରମ କରିବାର ନିଷ୍ପତ୍ତି ଅନୁସାରେ । ଆମକୁ ତାଙ୍କ ସହ ସାକ୍ଷାତ କରିବାକୁ ମଧ୍ୟ କୁହାଯାଇଥିଲା । ସେ ତାଙ୍କ ବୈଠକଖାନାରେ ଗୋଟିଏ ବେଞ୍ଚ ଉପରେ କାନ୍ଥପଟକୁ ମୁହଁ କରି ଚେଇଁ ଶୋଇଥିଲେ, ଓ ପିଲାଟିଏ ତାଙ୍କ ଗୋଡ଼ରେ ତେଲ ମାଲିସ୍ କରୁଥିଲା । ତାଙ୍କ ସହ ସାକ୍ଷାତ କରି ଯେତେବେଳେ ସାହାଯ୍ୟ ନେବା କଥା କହିଲୁ ସେ କହିଲେ ସେ ତ ନିର୍ବାଚନରେ କପର୍ଦ୍ଦକଶୂନ୍ୟ ହୋଇଯାଇଛନ୍ତି, ସାହାଯ୍ୟ କଣ ଦେବେ? ସେ କପର୍ଦ୍ଦକଶୂନ୍ୟ ହୋଇଥିବାର ତାଙ୍କଠାରୁ ଶୁଣି ମୁଁ କିଛି ଟଙ୍କା ମୋ ପକେଟରୁ ବାହାର କରିଲି ଓ ତାଙ୍କୁ ଦେବାକୁ ଚାହିଁଲି । ସେ ଆଶ୍ଚର୍ଯ୍ୟ ହୋଇ ମୁହଁକୁ ମୋର ଚାହିଁ ରହିଲେ । ମୁଁ କହିଥିଲି, “ବିଜୁ ପଟ୍ଟନାୟକ କପର୍ଦ୍ଦକଶୂନ୍ୟ ହେବା କେହି ଓଡ଼ିଆ ଚାହିଁବେ ନାହିଁ ।” ସେ ତାପରେ ଚେକ୍ ବହିଟିଏ ଉପର ମହଲାରୁ ମଗାଇ ମୋ ସାମ୍ନାରେ ରଖି କହିଲେ, “କଣ ନେଉଛ ନିଅ” । ମୁଁ ସେଥିରେ ସମ୍ମତି ପ୍ରକାଶ ନକରି ସେ ଯାହା ଦେବେ ତାହା ନେବାକୁ କହିଥିଲି । ସେ କିଛି ହଜାରଟଙ୍କାର ଚେକ୍ଟିଏ ଦସ୍ତଖତ କରି ମୋ ହାତକୁ ବଢ଼ାଇ ଦେଇଥିଲେ । ସେ ଚେକ୍ ଗ୍ରହଣ କରି, ତାଙ୍କୁ ଧନ୍ୟବାଦ୍ ଜଣାଇ ଆମେ ଦୁହେଁ ଫେରି ଆସିଥିଲୁ ।
ଅନେକ ଦିନ ପରେ, ସେ ବାରବାଟୀ ଷ୍ଟାଡିୟମ୍ ପଡ଼ିଆରେ ଜରୁରୀକାଳ ପରେ ଯେଉଁଦିନ ଏକ ସଭାରେ ଉପସ୍ଥିତ ରହି ଆଲୋଚନା କରୁଥିଲେ, ମୁଁ ତାଙ୍କୁ ଜରୁରୀକାଳ ସମ୍ପର୍କରେ ପ୍ରଶ୍ନ କରିଥିଲି । ସେ ମୋ ପରିଚୟ ଜାଣିବାକୁ ଚାହିଁଲେ, ଓ ସ୍ୱର୍ଗତଃ ବାରିଷ୍ଟର ରଣଜିତ୍ ମହାନ୍ତି ମୋ ପରିଚୟ ତାଙ୍କୁ ଜଣାଇଥିଲେ । ତା ପରଠାରୁ ତାଙ୍କ ସହ ପରିଚୟର ସୁଯୋଗ ମୋତେ ମିଳି ନଥିଲା – ୧୯୮୭ ମସିହା ପର୍ଯ୍ୟନ୍ତ ।
ଜନ୍ମଦିନ ପାଳନ
ବିଜୁ ବାବୁଙ୍କ ଜନ୍ମ ହୋଇଥିଲା ୧୯୧୬ ମସିହା ମାର୍ଚ୍ଚମାସ ୫ ତାରିଖ ଦିନ, କଟକ ସହରରେ । କଟକ ସହର ବିଧାୟକ ସ୍ୱର୍ଗତଃ ମୁସ୍ତାଫିଜ୍ ଅହମ୍ମଦଙ୍କ ଉଦ୍ୟମରେ ୫ମାର୍ଚ୍ଚ ଦିନ ବିଜୁ ପଟ୍ଟନାୟକଙ୍କର ଜନ୍ମଦିନ ପାଳନ କରାଯିବାର ଏକ ନିଷ୍ପତ୍ତି ନିଆଯାଇ ଏକ କମିଟିର ଗଠନ କରାଯାଇଥିଲା । ଏହି କମିଟିରେ କୌଣସି ଦଳୀୟ ରାଜନୈତିକ ବ୍ୟକ୍ତିଙ୍କୁ ଦାୟିତ୍ୱ ଅର୍ପଣ କରାନଯାଇ ସଭାପତି ଭାବରେ ଓକିଲ ସ୍ୱର୍ଗତଃ ମାଧବାନନ୍ଦ ଦାସ, ଉପସଭାପତି ଭାବରେ ଓକିଲ ଶ୍ରୀ ନିତ୍ୟାନନ୍ଦ ମହାନ୍ତି ଏବଂ ସଂପାଦକ ଭାବରେ (ଏହି ଲେଖକ) ଓକିଲ ଶ୍ରୀ ଗୁରୁ ମହାନ୍ତିଙ୍କୁ ନିର୍ବାଚିତ କରାଯାଇଥିଲା । ଯୁଗ୍ମ ସଂପାଦକ ଭାବେ ନିର୍ବାଚିତ ହୋଇଥିଲେ ସ୍ୱର୍ଗତଃ ରାଜେନ୍ଦ୍ର ପ୍ରସାଦ ସିଂ, ଶ୍ରୀ ମଧୁସୂଦନ ସାହୁ ଏବଂ ଶ୍ରୀ ଆଦିତ୍ୟ କାନୁନଗୋ । ପରମାନନ୍ଦ ରାଉତ ହୋଇଥିଲେ କୋଷାଧ୍ୟକ୍ଷ । ସ୍ୱର୍ଗତଃ ମୁସ୍ତାଫିଜ୍ ଅହମ୍ମଦ ଏବଂ ଅନ୍ତର୍ଯ୍ୟାମୀ ମହାପାତ୍ର ରହିଥିଲେ ସହଯୋଗୀ ସଭ୍ୟଭାବେ । ଅନେକ ସବ୍-କମିଟିମାନ ମଧ୍ୟ ଗଠନ କରାଯାଇଥିଲା ବିଭିନ୍ନସ୍ତରୀୟ ପ୍ରତିଯୋଗିତା ଯଥା ସ୍ୱାସ୍ଥ୍ୟସେବା, ବକ୍ତୃତା, କ୍ରୀଡ଼ା, ଦରିଦ୍ର ନାରାୟଣ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତା ପାଇଁ । ବହୁ ଯୁବକ ଓ ଛାତ୍ରମାନଙ୍କୁ ଦାୟିତ୍ୱ ଦିଆଯାଇଥିଲା । ୫ ମାର୍ଚ୍ଚ ୧୯୮୮ ଦିନ, ଏହି କମିଟି ବିଜୁବାବୁଙ୍କର ୭୨ତମ ଜନ୍ମଜୟନ୍ତୀ ପାଳନ କରିଥିଲା । ଏପରି ଉଦ୍ୟମକୁ ଅଭିନନ୍ଦନ ଜଣାଇ ଜନତାଦଳ ପକ୍ଷରୁ ଦିଲ୍ଲୀରୁ ସ୍ୱର୍ଗତଃ ଚନ୍ଦ୍ରଶେଖର, ଚଣ୍ଡିଗଡ଼ରୁ ସ୍ୱର୍ଗତଃ ସୁରଜିତ୍ ସିଂହ ବର୍ଣ୍ଣାଲା, ଦିଲ୍ଲୀରୁ କୁଲଦୀପ ନାୟାର ଏବଂ ରାଜ୍ୟସଭା ସଭ୍ୟ ବାପୁ କାଲଦାତେ ଓ ସମାଜ ସଂପାଦକ ସ୍ୱର୍ଗତଃ ରାଧାନାଥ ରଥ ପତ୍ରଲେଖି ପଠାଇଥିଲେ, ଶୁଭଚିନ୍ତକ ଭାବରେ । ଏପରି ଜୟନ୍ତୀ ପାଳନ ଅବ୍ୟାହତ ଥିଲା ୫ମାର୍ଚ୍ଚ ୧୯୯୧ ପର୍ଯ୍ୟନ୍ତ । ପ୍ରତି ଜୟନ୍ତୀ ପାଳନ ଅବସରରେ ଏକ ଅଭିନନ୍ଦନ ଗ୍ରନ୍ଥ ପ୍ରକାଶ କରାଯାଉଥିଲା । ଏହି ଅଭିନନ୍ଦନ ଗ୍ରନ୍ଥମାନଙ୍କରେ ବହୁ ବିଜ୍ଞ ଲେଖକ ଓ ଚିନ୍ତକଙ୍କର ବିଜୁ ପଟ୍ଟନାୟକଙ୍କ ଆଦର୍ଶ ଓ କୃତିତ୍ୱ ଉପରେ ଲେଖାମାନ ପ୍ରକାଶ କରାଯାଇଥିଲା । ପ୍ରକାଶନର ଦାୟିତ୍ୱ ନିଷ୍ଠାର ସହ ନିର୍ବାହ କରିଥିଲେ ସଂପାଦକ । ଉଲ୍ଲେଖଯୋଗ୍ୟ ଯେ ପ୍ରଥମବର୍ଷ ଜୟନ୍ତୀ ସଭା ଆୟୋଜିତ ହୋଇଥିଲା କଟକରେ, ଗୌରୀଶଙ୍କର ପାର୍କରେ ଓ ମୁଖ୍ୟଅତିଥି ଥିଲେ ସ୍ୱର୍ଗତଃ ଜଜ୍ ଫର୍ଣ୍ଣାଡିସ୍ । ସେ ଦିଲ୍ଲୀରୁ ଆସି ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚି ସଭାକାର୍ଯ୍ୟରେ ଯୋଗଦେଇ ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଅନେକ କଥା କହିଥିଲେ । ଦ୍ୱିତୀୟ ବର୍ଷ ଜନ୍ମଦିନରେ ସଭାକାର୍ଯ୍ୟ କରାଯାଇଥିଲ ସେଇ ଗୌରୀଶଙ୍କର ପାର୍କ ପରିସରରେ, ଏବଂ ମୁଖ୍ୟ ଅତିଥି ଥିଲେ ପୃଥିବୀବିଖ୍ୟାତ ସାଗର ସନ୍ତରଣକାରୀ ମିହିର ସେନ୍ । ତୃତୀୟ ବର୍ଷ ଜୟନ୍ତୀ ପାଳନ ବେଳକୁ ବିଜୁବାବୁଙ୍କ ନେତୃତ୍ୱରେ ଜନତା ଦଳ ସରକାର ଗଢ଼ିବ ବୋଲି ଜଣାପଡ଼ିଲାଣି, ୧୫ ମାର୍ଚ୍ଚ ୧୯୯୦ ଦିନ ତ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ।
ମିହିର ସେନ୍ ଙ୍କୁ ସାହାଯ୍ୟ
ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ମିହିର ସେନ୍ ଅସୁସ୍ଥତା ଭୋଗ କଲେ ଓ ଚିକିତ୍ସାର ଖର୍ଚ୍ଚର ଅଭାବ ପୂରଣ କରିପାରିଲେ ନାହିଁ ହସ୍ପିଟାଲରେ; ଏହି ସମ୍ବାଦ ଦୈନିକ ଷ୍ଟେଟ୍ସମ୍ୟାନରେ ପ୍ରକାଶ ପାଇଥିଲା, ତାହା ପାଠକରି ମୁଁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ତାଙ୍କୁ ସହାୟତା ପ୍ରଦାନ କରିବାକୁ ଏକ ପତ୍ର ଲେଖି ପଠାଇଥିଲି । ମୁଖ୍ୟମନ୍ତ୍ରୀ ମୋ ପତ୍ରପାଇ ତାଙ୍କୁ ଆର୍ଥିକ ସହାଯ୍ୟ ଦେବାକୁ ଇଚ୍ଛାପ୍ରକାଶ କରି ତାହା କିପରି ଅବିଳମ୍ବେ କରାଯିବ ସେ ସମସ୍ତ ବୁଝାବୁଝି କରିବାକୁ ତାଙ୍କ ସଚିବ ଆଇ.ଏ.ଏସ୍. ଶ୍ରୀ ଅରବିନ୍ଦ ବେହେରାଙ୍କୁ ଦାୟିତ୍ୱ ଦେଇଥିଲେ । ସେ ସମସ୍ତ ବିଷୟ ମୋ ନିକଟରୁ ବୁଝି ସହାୟତା ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ତାଙ୍କୁ ମିଳି ଯାଇଥିଲା ।
ଜନ୍ମଦିନ ପାଳନର ଦ୍ୱିତୀୟ ପର୍ଯ୍ୟାୟ
ଏଇ କେତେବର୍ଷ ହେବ ବିଶେଷ କରି ତାଙ୍କ ମୃତ୍ୟୁପରେ ଜନ୍ମଦିନ ପାଳନର ଦିନ ଗଡ଼ି ଚାଲିଛି । ୧୯୯୨ ମସିହାଠାରୁ ତାଙ୍କ ମନ୍ତ୍ରୀ ପରିଷଦର ଜନୈକ ମନ୍ତ୍ରୀ ତାଙ୍କଦଳର କେତେକ ମନ୍ତ୍ରୀ ଏବଂ କେତେକ ନିଜ ଲୋକଙ୍କୁ ଏକାଠି କରି ତାଙ୍କ ଜନ୍ମଦିନ ପାଳନ କରୁଥିଲେ । କିନ୍ତୁ ଏହି ଆୟୋଜନରେ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନଥିଲା ଯେଉଁମାନେ ବିଜୁବାବୁ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ, ଅର୍ଥାତ୍ ୧୯୮୮ ମସିହାରୁ, ତାଙ୍କର ଜନ୍ମଜୟନ୍ତୀ ପାଳନ କରୁଥିଲେ । ନିଶ୍ଚିତ ଭାବରେ ସେମାନଙ୍କର ଭୟ ହୁଏତ ହେଉଥିଲା ଥିଲା ଯେ ଏହାଦ୍ୱାରା ଜନ୍ମଦିନ ପାଳନର ସୁନାମଟି କାଳେ ହାତରୁ ଖସିଯିବ । ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥାଇ ଶାସନ ଚଳାଇଥିବାରୁ । ମାତ୍ର ସେ ଯେତେବେଳେ ନିର୍ବାଚନରେ ଜୟଯୁକ୍ତ ହୋଇପାରୁ ନଥିଲେ, ସେତେବେଳେ ରାଜନୈତିକ ଏପରିକି ସାଧାରଣ ସ୍ତରରେ ମଧ୍ୟ ତାଙ୍କୁ ଗୁରୁତ୍ୱର ସହ ବିଚାର କରିବାକୁ ଅନେକେ ପଛଘୁଞ୍ଚା ଦେଉଥିଲେ । ମୁସ୍ତାଫିଜ ଅହମ୍ମଦ କେବଳ ବିଜୁବାବୁଙ୍କର ଗୁରୁତ୍ୱକୁ ବୁଝି ବିଜୁବାବୁଙ୍କ ଜନ୍ମଦିନ ପାଳନର କାର୍ଯ୍ୟକ୍ରମ ସାଧାରଣ ସ୍ତରରେ ଆରମ୍ଭ କରିଥିଲେ । ବିଜୁ ପଟ୍ଟନାୟକଙ୍କ ସଂପର୍କରେ କହିଲେ ତ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ବ୍ୟତିରେକେ ଅନେକ ଘଟଣା କହିହେବ ଯାହା ସର୍ବସାଧାରଣ ଏପରିକି ରାଜନୀତି କରୁଥିବା ବ୍ୟକ୍ତିମାନେ ମଧ୍ୟ ଜାଣନ୍ତି ନାହିଁ । ଚାରିବର୍ଷର ଜନ୍ମଦିନ ପାଳନ ସମୟରେ ମୋତେ ସେ ଅନେକ ସମୟରେ ତାଙ୍କ ନିକଟକୁ ଡାକି କେତେକ ସାମାଜିକ ଦାୟିତ୍ୱ ଦେଉଥିଲେ ଓ ମୋତେ ନବୀନ ନିବାସକୁ କେବଳ ଡାକୁଥିଲେ କାରଣ ସେକ୍ରେଟେରିଏଟ୍ ଭିତରକୁ ଡାକିବାକୁ ମୁଁ ତାଙ୍କୁ ବାରଣ କରିଥିଲି, ମୋର ବୃତ୍ତିଯୋଗୁଁ । ଯାହା ସେ ଗ୍ରହଣ କରି ନେଇଥିଲେ । ୧୯୯୧ ମାର୍ଚ୍ଚ ୫ତାରିଖ, ଥିଲା ଆମ କମିଟି ଦ୍ୱାରା ତାଙ୍କର ଜନ୍ମଦିନ ପାଳନର ଚତୁର୍ଥ ବର୍ଷ । ସେତେବେଳକୁ ତାଙ୍କର ମୁଖ୍ୟମନ୍ତ୍ରୀତ୍ୱ ପ୍ରାୟ ଏକ ବର୍ଷ ହୋଇଥାଏ ।
୧୩ ରୁ ୩୦
ଗୋଟିଏ ରବିବାର ହେବ, ଦିନ ପାଞ୍ଚଟା ପରେ ତାଙ୍କୁ ସାକ୍ଷାତ କରିବା ପାଇଁ ଟେଲିଫୋନରେ ଡାକରା ଆସିଲା । ମୁଁ ମୋ ଗାଡ଼ି ନେଇ ନବୀନ ନିବାସ ପରିସରରେ ରଖି ଉପର ମହଲାକୁ ଗଲି । ସେ ବାରଣ୍ଡାରେ ଚୌକିରେ ବସି ହାତରେ କାଗଜପୃଷ୍ଠାରେ ଲେଖୁଥିଲେ । ମୁଁ ବସିଲା ପରେ ଲେଖିଥିବା ଜିଲ୍ଲାର ସଂଖ୍ୟା ମତେ ଶୁଣାଇଲେ । ୨୭ଟି ଜିଲ୍ଲାର ପରିକଳ୍ପନା । ମୁଁ ଶୁଣିବା ପରେ କହିଲି, ଆପଣ ଭୁଲ୍ କରୁଛନ୍ତି । ସେ ବିଗିଡ଼ିଗଲା ପରି କହିଲେ କୋଉଟା ଭୁଲ୍? ମୁଁ କହିଲି ରାୟଗଡ଼ା ହେଉଛି କୋରାପୁଟ ଜିଲ୍ଲାର ଉନ୍ନତ ଅଞ୍ଚଳ, ଖଣିଜସମ୍ପଦରେ ପୂର୍ଣ୍ଣ । ମାଲକାନଗିରି କୋରାପୁଟଠାରୁ ଏକଶହ ଦଶ କିଲୋମିଟର ଦୂରରେ । ଆଦିବାସୀଟିଏ କଲେକ୍ଟରଙ୍କୁ ଦେଖା କରିବାକୁ ଖର୍ଚ୍ଚାନ୍ତ ହୋଇ ଏତେ ବାଟ ଆସି ପାରିବ? ନବରଙ୍ଗପୁର ଜିଲ୍ଲା କଲେ କେଉଁ କାରଣରୁ? ସେ ମାଲକାନଗିରି ଓ ରାୟଗଡ଼ାକୁ ଜିଲ୍ଲା ତାଲିକାରେ ସାମିଲ କଲେ । ମୁଁ ତାପରେ କହିଲି, ସୋନପୁର ଏକ ଅଞ୍ଚଳ ଯେଉଁଠି ମହାନଦୀ ପ୍ରବାହିତ, ଯେଉଁଠାରେ ମନ୍ଦିର ଭୁବନେଶ୍ୱର ମନ୍ଦିରଠାରୁ ଉକ୍ରୃଷ୍ଟତର, ଯେଉଁଠି ତନ୍ତ ବସ୍ତ୍ର ପ୍ରସ୍ତୁତି ପୃଥିବୀପ୍ରସିଦ୍ଧ ଓ ଯେଉଁଠାରେ ଆଦିବାସୀ କବି ଭୀମଭୋଇଙ୍କ କବିତା ଜାତିସଂଘ ଗ୍ରହଣ କରି ତାର ଦପ୍ତର କାନ୍ଥରେ ଲିପିବଦ୍ଧ କରିଛି, ଯାହା ପୃଥିବୀର ମଣିଷକୁ ସୂଚାଉଛି, ମୋ ଜୀବନପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ, ତାକୁ ବଲାଙ୍ଗୀର ଜିଲ୍ଲାର ଉପଜିଲ୍ଲା କରି ରଖିବେ କେଉଁ କାରଣରୁ? ତାକୁ ସୁବର୍ଣ୍ଣପୁର ନାମ ଦେଇ ତାଲିକାରେ ଯୋଡ଼ାଗଲା । ବିଜୁବାବୁ କହିଲେ ତିରିଶ ହେଲା । ମୁଁ କହିଲି ସେତିକି ଥାଉ । ଏଇ ଭାବରେ ତେରୋଟି ଜିଲ୍ଲା ତିରିଶ ହେଲା, ଛଅଟା ଜିଲ୍ଲା ୧୯୪୯ବେଳକୁ ତେର ହୋଇଥିଲା ସାତ ଗୋଟି ରାଜାଙ୍କ ଅଞ୍ଚଳ ଓଡ଼ିଶାରେ ମିଶିଯିବା ପରେ ।୧୯୪୯ବେଳକୁ ଜିଲ୍ଲା ସଂଖ୍ୟା ବଢ଼ି ସିନା ତେର ହେଲା, ତାପରେ ଆଉ ବଢ଼ିପାରିଲା ନାହିଁ ବହୁ ଚେଷ୍ଟାସତ୍ତ୍ୱେ । ସ୍ୱର୍ଗତଃ ଜାନକୀ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା କାଳରେ ଅବସରପ୍ରାପ୍ତ ହାଇକୋର୍ଟ ଜଜ୍ ସ୍ୱର୍ଗତଃ ରାଜକିଶୋର ଦାସଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ । ସେ ବି ପାରିଲେ ନାହିଁ । ବିଜୁ ପଟ୍ଟନାୟକ ୧୯୯୦ଦଶକରେ ମୁଖ୍ୟମନ୍ତ୍ରୀ ହୋଇ ତେରକୁ ବଢ଼ାଇ ତିରିଶରେ ପହଞ୍ଚାଇଲେ । କମ୍ କଥା ନୁହେଁ । ଏହା ହେଲା ବହୁ ଅଧିକ ବହୁ ଅଞ୍ଚଳ ଅନ୍ୟ ପ୍ରଦେଶରେ ମିଶି ରହିବା ପରେ । ସଡ଼େଇକଳା-ଖରସୁଆଁ ପାଇଁ ବହୁ ଆନେ୍ଦାଳନ ଓ ପ୍ରଚେଷ୍ଟା ହେଲା । ଦୁଇଜଣ ପୋଲିସ ଗୁଳିରେ ଜୀବନ ହାରିଲେ । ସ୍ୱର୍ଗତଃ ନବକୃଷ୍ଣ ଚୌଧୁରୀ ପ୍ରଶ୍ନ କରିଥିଲେ, ସିଂହଭୂମିକୁ ଛାଡ଼ି ସଡ଼େଇକଳା-ଖରସୁଆଁର ଯୁକ୍ତି କଣ?
ଫୁଲବାଣୀ ହେଲା କନ୍ଧମାଳ
ଫୁଲବାଣୀ କିପରି ହେଲା କନ୍ଧମାଳ, ସେ ଇତିହାସ କାହାକୁ ଜଣା ନଥିବ । ବିଜୁ ବାବୁଙ୍କ ସମୟରେ ଫୁଲବାଣୀର ମନ୍ତ୍ରୀ, ବିଧାୟକ ଏବଂ ଲୋକସଭା ସଦସ୍ୟଙ୍କ ସହ ଦଳର ଜିଲ୍ଲାସ୍ତରୀୟ ସଭାପତିଙ୍କର ମତାନ୍ତର କାରଣରୁ ସେଠାକାର ପରିସ୍ଥିତି ଅଣାୟତ୍ତ ହେଲା । ସେଠା ପରିସ୍ଥିତିକୁ ସଜାଡ଼ିବାକୁ ମୋତେ ଫୁଲବାଣୀ ଯାଇ ତଦନ୍ତ କରି ତାଙ୍କୁ ଜଣାଇ ସମାଧାନର କଥା କୁହାଗଲା । ମୁଁ ତିନିଦିନ ପର୍ଯ୍ୟନ୍ତ ଫୁଲବାଣୀରେ ରହି ସମସ୍ତ ଅନୁଧ୍ୟାନ କରି ମୋର ଲେଖାଟିଏ “ମୁଁ ଫୁଲବାଣୀରୁ ଲେଖାଟି ଲେଖୁଛି” ପ୍ରଜାତନ୍ତ୍ରର ସାମନା ପୃଷ୍ଠାରେ ପ୍ରକାଶ ପାଇଲା । ମୁଁ ସେ ଲେଖାରେ ଲେଖିଥିଲି ମୁଖ୍ୟମନ୍ତ୍ରୀ ଫୁଲବାଣୀ ଯିବେ ଓ ସେଠାରେ ଏକ ସଭା କରିବେ ମାତ୍ର ସେଠା ମନ୍ତ୍ରୀ, ବିଧାୟକ କିମ୍ବା ଲୋକସଭା ସଦସ୍ୟ କେହି ତାଙ୍କ ସହ ସଭାକୁ ଯିବେ ନାହିଁ । ଦଳର ଅନ୍ୟ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଥୀ ଦେବେ । ମୁଖ୍ୟମନ୍ତ୍ରୀ ସେ ସଭାରେ କହିବେ ଦେଶର ଶାସନ ଓ ଲୋକଙ୍କ ଦାୟିତ୍ୱର କଥା । ତାରି ଭିତରେ ସେ କହିବେ ଯେ କୌଣସି ରାଜା ତାଙ୍କ ଅଞ୍ଚଳକୁ ସିନା ଫୁଲବାଣୀ ନାଁ ଦେଇଥିଲେ, କିନ୍ତୁ ଅଞ୍ଚଳ ତ ହେଉଛି ପ୍ରକୃତରେ କନ୍ଧମାନଙ୍କର, ଓ ଶ୍ରୋତାଙ୍କୁ ପଚାରିବେ ଏହି ଅଞ୍ଚଳକୁ କନ୍ଧଙ୍କ ନାମରେ କାହିଁକି ପରିଚିତି ଦିଆଯିବ ନାହିଁ? ଶ୍ରୋତାଙ୍କର ପ୍ରତିକ୍ରିୟା ଦେଖି ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସ ହେଲା ଫୁଲବାଣୀର ନାଁ କନ୍ଧମାଳ କରାଯାଇ ପାରେ । ଏହା ହେଲା । ଆଜି ଫୁଲବାଣୀ କନ୍ଧମାଳ ନାଁରେ ପରିଚିତ ।
ବିଜୁବାବୁଙ୍କ ସହାନୁଭୂତି
ଅନେକ ଲୋକଙ୍କର ବିଶ୍ୱାସ ଆସିଯାଇଥିଲା ଯେ ମୋ ଉପରେ ମୁଖ୍ୟମନ୍ତ୍ରୀଙ୍କର ବିଶ୍ୱାସ ଥିବାରୁ ସେ ମୋ କଥା ରଖିବେ ଓ ଲୋକେ ସାହାଯ୍ୟ ପାଇବେ । ଏହି ବିଶ୍ୱାସରେ ଅନେକେ ମୋ ନିକଟକୁ ଆସୁଥିଲେ । ମାତ୍ର ସେ ପ୍ରକାର ସାହାଯ୍ୟ କରିବାର କାର୍ଯ୍ୟକୁ ମୁଁ ଆଦୌ ପସନ୍ଦ କରୁନଥିଲି । କିନ୍ତୁ ବେଳେବେଳେ ଆବଶ୍ୟକତାକୁ ଆଡେଇ ଦେଇ ହୁଏ ନାହିଁ । ଜଣେ ଡାକ୍ତରବନ୍ଧୁ ପଶ୍ଚିମଓଡ଼ିଶାରେ ବହୁଦିନ କାର୍ଯ୍ୟ କରି ପୂର୍ବାଞ୍ଚଳକୁ ବଦଳି ହୋଇ ଆସିଥାନ୍ତି । ମାତ୍ର ସେ ଯେଉଁ ସ୍ଥାନରେ କାର୍ଯ୍ୟ କରିବାର ସୁଯୋଗ ପାଇଥାନ୍ତି ସେ ସ୍ଥାନରେ ବା ତାର ନିକଟରେ କୌଣସି ବିଜ୍ଞାନ କଲେଜ ନଥିବା କାରଣରୁ ସେ ତାଙ୍କର ପିଲା ଦୁଇଜଣଙ୍କୁ ପଢ଼ାଇବାର ସୁଯୋଗ ନପାଇ ତାଙ୍କ ଦୁଃଖ ସେ ମୋ ନିକଟରେ ବର୍ଣ୍ଣନା କଲେ । ତାଙ୍କୁ ସୁବିଧା ସ୍ଥାନକୁ ବଦଳି ହୋଇଯିବା ପାଇଁ ୩୫,୦୦୦ ଟଙ୍କା ମଗା ଯାଉଥିଲା ଯାହା ସେ ଦେବାପାଇଁ ସକ୍ଷମ ନଥିଲେ । ଗୋଟିଏ ଛୁଟି ଦିନରେ ମୁଁ ନିଜେ ୧୧ଟା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଲି ଡାକ୍ତର ବନ୍ଧୁଙ୍କ ସହ । ମୁଖ୍ୟମନ୍ତ୍ରୀ ପଚାରିଲେ ମୋତେ ତାଙ୍କୁ ଦେଖା କରିବାକୁ ଆସିବାର କାରଣ । ମୋ ଅସୁବିଧାର କଥା କହିଲି । ସେ ବିଶ୍ୱାସ କଲେ ନାହିଁ ଯେ ମୁଁ ତାଙ୍କୁ ମୋର ଅସୁବିଧାର କଥା କହିବାକୁ ଯାଇଛି । ମୁଁ ମୋର ଡାକ୍ତରବନ୍ଧୁଙ୍କ ଅସୁବିଧା ଓ ତାଙ୍କଠାରୁ ବଦଳି ପାଇଁ ୩୫,୦୦୦ ଟଙ୍କା ମଗାଯିବା କଥା କହିଲି । ସେ ମତେ ନିର୍ଦ୍ଦିଷ୍ଟ ସ୍ଥାନର କଥା ପଚାରିଲେ, ଏବଂ ଦରଖାସ୍ତଟିଏ ଦେବାକୁ କହିଲେ । ମୁଁ ତଳକୁ ଆସି ଡାକ୍ତର ବନ୍ଧୁଙ୍କଠାରୁ ଦରଖାସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦେଲି । ସେ ସେଥିରେ ଢେଙ୍କାନାଳ, ଭଦ୍ରକ ଓ ଅନୁଗୁଳ ଲେଖି ମତେ ସୋମବାର ସେକ୍ରେଟେରିଏଟ୍ ଯିବାକୁ କହିଲେ । ମୋର ସୁପ୍ରିମକୋର୍ଟରେ ମକଦ୍ଦମା ଥିବାରୁ ସେ ରାତିରେ ଦିଲ୍ଲୀ ଯାଉଛି ବୋଲି କହିଲି । ସେ କହିଲେ, “ଡାକ୍ତର ସେକ୍ରେଟେରିଏଟ୍ ଯାଇ ଦରଖାସ୍ତ ଦେବ ।” ମୁଁ ସେଥିରେ ମଧ୍ୟ ଆପତ୍ତି କଲି, କହିଲି, “ସେ ଡାକ୍ତରଙ୍କ କଥା କେହି ଶୁଣିବେ ନାହିଁ” । ସେ ମତେ ପ୍ରଶ୍ନ କଲେ, “ତୁମେ ମତେ ସବୁ କାମ କରିବାକୁ କହୁଛ?” ମୁଁ ହିଁ ଭରିଲି । ସେ ଦରଖାସ୍ତଟିକୁ ଚାରି ଭାଙ୍ଗ କରି ତାଙ୍କ ପିନ୍ଧିଥିବା ପଞ୍ଜାବୀର ଛାତି ପକେଟରେ ରଖିଦେଇ ପଞ୍ଜାବୀଟାକୁ ପିନ୍ଧି ସୋମବାର ସେକ୍ରେଟେରିଏଟ୍ ଯିବାର ପ୍ରତିଶୃତି ଦେଲେ ଏବଂ ଆମେ ତାପରେ ଫେରିଆସିଲୁ । ତାହା କିଛିଦିନ ପରେ ସେ ଆବେଦନ କାର୍ଯ୍ୟକାରୀ ହୋଇଥିଲା । ଡାକ୍ତରବନ୍ଧୁ ଅନୁଗୁଳ ଡାକ୍ତରଖାନାରେ ଡାକ୍ତରୀ କଲେ ।
ନିଃସଙ୍ଗ ବିଜୁ ପଟ୍ଟନାୟକ
ମୋର ଏକ ପ୍ରକାଶିତ ପୁସ୍ତକ ‘ଅଫେରା’ରେ ମୁଁ ବିଜୁବାବୁଙ୍କ ସମ୍ପର୍କରେ କିଛି କଥା କହିଛି । ତାହା ତିନିଗୋଟି ଅଧ୍ୟାୟରେ ମୁଁ ଲେଖିଥିଲି । ପ୍ରଥମ ଅଧ୍ୟାୟଟିର ଶିରୋନାମା ଥିଲା- ‘ଜଣେ ନିସଃଙ୍ଗ ମଣିଷର କଥା’ । ଦ୍ୱିତୀୟ ଅଧ୍ୟାୟଟିର ଶିରୋନାମା ଥିଲା- ‘ସେଇ କିମ୍ବଦନ୍ତୀ ପୁରୁଷର ସ୍ମୃତିରେ’ ଓ ତୃତୀୟଟିର ଶିରୋନାମା ଥିଲା-‘ବିଜୁ ପଟ୍ଟନାୟକ ସ୍ମୃତି ନୁହେଁ ଏକ ଚେତନା’ । ମୁଁ ଜଣେ ବନ୍ଧୁଙ୍କୁ ବିଜୁବାବୁଙ୍କ ସମ୍ପର୍କରେ କହିବାବେଳେ ସେ ମତେ ପ୍ରଶ୍ନ କଲେ, “ବିଜୁବାବୁଙ୍କୁ ନିସଙ୍ଗ ବୋଲି ମୁଁ କାହିଁକି କହିଲି?” ମୋର ତାଙ୍କୁ ଜବାବ ଥିଲା, “ଗୋଟିଏ ପାଇଲଟର ଜୀବନ ବିଶ୍ୱାସ, ଶିଳ୍ପପତିର ଅହମିକା ଓ ଗଦାଏ ସ୍ୱପ୍ନ ଭିତରେ ପ୍ରତ୍ୟେକକୁ ହାତ ପତାଇ ଆନୁଗତ୍ୟ ଭିକ୍ଷା କରୁଥିବା ଦେଖି ସ୍ୱାଧୀନଚେତା ଦୁର୍ବାର ମଣିଷଟାଏ ନିସଙ୍ଗ ହେବ ନାହିଁ ତ ହେବ କଣ? ତାଙ୍କ ସ୍ୱପ୍ନ ତ ସାର୍ଥକ ହେଲା ନାହିଁ ବୋଲି ତ ଗୋଟିଏ ଓଡ଼ିଆପୁଅ ତାଙ୍କ ସ୍ୱପ୍ନ ସହିତ ଖାପ ଖୁଆଇ ସ୍ୱପ୍ନକୁ ଦେଖି ପାରିଲା ନାହିଁ । ୨୦ବର୍ଷ ଆଗକୁ ଚାହିଁପାରିଲା ନାହିଁ । ହାତପତାଇ ପାଇଯିବାରେ ସନ୍ତୁଷ୍ଟ ହୋଇ ରହିଯିବାର ଅଭ୍ୟାସ ତାର, ତାଙ୍କ ହୃଦୟକୁ ପ୍ରତି ମୁହୂର୍ତ୍ତରେ ଶୂନ୍ୟ କରିଦେଲା ।” ପଚାରିଥିବା ବ୍ୟକ୍ତିଙ୍କର ଆଖିରେ ଲୁହ ଜକେଇ ଆସିଥିଲା ।
ପ୍ରତିଶୋଧ ରାଜନୀତି ନୁହଁ
୧୯୯୦ ନିର୍ବାଚନ ଓ ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ହେବା ପରର ଘଟଣା । ଗୋଟାଏ ସୁଯୋଗ ମିଳିଲା । ମୁଁ ସେଇ ସୁଯୋଗରେ ଯାହା ସବୁ ନିରଞ୍ଜନ ପଟ୍ଟନାୟକ ଓ ମୁଜାଫର ହୋସେନଙ୍କ ବିରୁଦ୍ଧରେ ଘଟିଯାଇଥିଲା, ତାହା ବର୍ଣ୍ଣନା କରି, ଆପଣ ଚାହିଁଲେ ସେ ଦୁହେଁ ଆରେଷ୍ଟ ହୋଇଯିବେ କହିଲି । ବିରକ୍ତିର ସ୍ୱରରେ ସେ କହିଲେ, “Would you vacate this place first. Please vacate this place, do not want to see your face. You are lawyer, I think you believe Politics.” ମୁଁ ମୋର ଭୁଲ୍ ବୁଝିପାରି ହାତଯୋଡ଼ି ଅନୁନୟ କଣ୍ଠରେ କ୍ଷମା ମାଗିଲି । କହିଲି, “ଆପଣଙ୍କ ଚିନ୍ତାଧାରା ସହିତ ମୋର ଦୀର୍ଘ ପରିଚିତ ନଥିବା ଯୋଗୁଁ କ୍ଷମା ମାଗି ମୋ ଅନୁରୋଧ ମୁଁ ଫେରାଇ ନେଉଛି ।” ସେ କହିଲେ, ‘ବସ’ ।
ଆଜି ସେ କଥା ମନେପଡୁଛି । ରାଜନୀତିକୁ ଏବେ ବେଉଷା କରୁଥିବା, ରାଜନୀତିକୁ ଭରସା କରି ରହୁଥିବା ଓ ସାମାଜିକ ତଥା ଦେଶୀୟ କାର୍ଯ୍ୟ କରି ଓ ବିଶ୍ୱାସ ରଖିଥିବା ବ୍ୟକ୍ତି କେହି ଅଛନ୍ତି, ସହଜରେ ଜଣାପଡୁନାହାନ୍ତି, ଗଣତନ୍ତ୍ରର ଉନ୍ନତି କଳ୍ପେ କେହି ବିଜୁ ପଟ୍ଟନାୟକଙ୍କ ଏହି ରାଜନୀତିକ ଓ ସାମାଜିକ ବିଶ୍ୱ ଦୃଷ୍ଟିଭଙ୍ଗୀର କେଉଁ ପରିସରକୁ ସ୍ପର୍ଶ କରନ୍ତି? ନିଜ ବିବେକକୁ ପଚାରି ପାରିଲେ ଦେଶରେ ରାଜନୀତିର ଢାଞ୍ଚା ବଦଳିଯିବାକୁ ବିଶେଷ ସମୟ ଲାଗନ୍ତା ନାହିଁ ।
ଚିଲିକା
ଚିଲିକାର ସୁରକ୍ଷାରେ ସ୍ୱର୍ଗତ ବାଙ୍କବିହାରୀ ଦାସ ଓ ମୁଁ ଲାଗିଥାଉ । ଆମ ବ୍ୟତୀତ ଅନେକ ଯୁବକ ମଧ୍ୟ କାର୍ଯ୍ୟ କରୁଥିଲେ । ମାଛ ଚାଷ କରିବା ନିମିତ୍ତ ଟାଟା କଂପାନୀ ଚିଲିକା କୂଳରେ ପୋଖରୀ ଖୋଳୁଥିଲେ । ମୁଁ ଏକଥା ବିଜୁ ପଟ୍ଟନାୟକଙ୍କୁ କହି ଚିଲିକା ବଞ୍ଚାଇବାର ପ୍ରୟାସରେ ଥାଏ । ବିଜୁ ବାବୁ (ମୁଖ୍ୟମନ୍ତ୍ରୀ) ଟାଟାକୁ ଡକାଇଲେ । ସେଦିନ ଥାଏ ସରସ୍ୱତୀ ପୂଜାର ଦିନ । ମୋତେ ସକାଳ ୬ଟାରେ ତାଙ୍କର ଟେଲିଫୋନ୍ ଡାକରା ହେଲା । ମୋତେ ଡାକିଲେ ଟାଟା ସହ ଆଲୋଚନାରେ ରହିବାକୁ । ମୁଁ ଅଗାଧୁଆ ତାଙ୍କ ବାସଭବନକୁ ଗାଡ଼ିଚଳାଇ ଯାଇ ପହଞ୍ଚିଗଲି । ତାଙ୍କ ଗାଡ଼ି ଗେଟ୍ ପାର ହୋଇସାରିଥାଏ । ମୋତେ କହିଲେ, ଫଲୋ ମି । ମୁଁ ଗାଡ଼ି ବୁଲାଇ ତାଙ୍କ ପଛରେ ଯିବାପାଇଁ ଚେଷ୍ଟାରେ ଥିବାବେଳେ ତାଙ୍କ ଗାଡ଼ି ସେ ରାସ୍ତା ଛାଡ଼ି ସାରିଥାଏ । ମୁଁ ଯାଇ ସେକ୍ରେଟେରିଏଟ୍ ଗେଟରେ ଅପେକ୍ଷା କରି ରହିଲି । ବହୁ ବିଳମ୍ବରେ ଡକରା ହୋଇ ଆଲୋଚନାରେ ଯୋଗଦେଲି । ମୁଖ୍ୟମନ୍ତ୍ରୀ ଟାଟାକୁ କହୁଥାନ୍ତି “ବେପାର କରିବା ତୁମର ଧର୍ମ । ବେପାର କର, ଚିଲିକାକୁ ଛାଡ଼ । ପୋଖରୀ ଖୋଳିବାକୁ କେଉଁ ସରକାର ଅନୁମତି ଦେଇଛନ୍ତି?” ଟାଟା ଚିଲିକା ଛାଡ଼ିଲେ । ଦିନ ତିନିଟା ବାଜିଥାଏ । ମୋତେ ପଚାରିଲେ,“ଯିବ କିପରି?” ମୁଁ କହିଲି, “ଗାଡ଼ି ଆଣିଛି, ଆପଣଙ୍କୁ ନବୀନ ନିବାସରେ ଛାଡ଼ିଦେଇ ଯିବି ।” ସେ କହିଲେ, “ପେଟ୍ରୋଲ୍ ଖର୍ଚ୍ଚ ତୁମକୁ ବୋହିବାକୁ ହେଉଛି । ଟାଟାକୁ ବାଧିବାର ନୁହଁ ।” ସେ ତା ଗାଡ଼ିରେ ଘରକୁ ଫେରିବେ ବୋଲି କହିଲେ ।
ଆଦିବାସୀଙ୍କ ପ୍ରାଥମିକ ଶିକ୍ଷା
ତାଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଆଦିବାସୀଙ୍କ ପ୍ରାଥମିକ ଶିକ୍ଷା ଗୁରୁତର ବିଚାର କରାଯାଇଥିଲା । ଆଜିପରି ସବୁକିଛି ବିଜ୍ଞାପିତ ହେଉନଥିଲା । ଏବେ ତ ସରକାରୀ କାର୍ଯ୍ୟକ୍ରମ କେବଳ ବିଜ୍ଞାପିତ । ପ୍ରାଥମିକ ସ୍ତରରେ ଆଦିବାସୀ ପିଲାଙ୍କୁ ଶିକ୍ଷାଦେବାର କାର୍ଯ୍ୟକ୍ରମ ସମସ୍ତ କାଗଜରେ ଛପାହୋଇ କୋରାପୁଟ ଓ ଫୁଲବାଣୀ ଜିଲ୍ଲାରେ ଗଛ ଗଣ୍ଡିମାନଙ୍କରେ ଲଟକାଇ ଦିଆଯାଇଥିଲା ଲୋକେ ଜାଣିବା ପାଇଁ । ମୁଖ୍ୟମନ୍ତ୍ରୀ ଚାହିଁଲେ ଯେ ସବୁ ବିଦ୍ୟାଳୟରେ ତାଲିମପ୍ରାପ୍ତ ଶିକ୍ଷକ ରହିବେ । ତାଲିମପ୍ରାପ୍ତ ଶିକ୍ଷକ ପ୍ରାୟତଃ ସମସ୍ତ ଉନ୍ନତଜିଲ୍ଲାର ବାସିନ୍ଦା । ସେମାନେ ଆଦିବାସୀ ଅଞ୍ଚଳର ବିଦ୍ୟାଳୟକୁ ନିଜ ଦରମା ଗ୍ରହଣ କରିବାକୁ ମାସକରେ ଥରେ ତିନି/ଚାରି ଦିନପାଇଁ ଯାଆନ୍ତି । ଶିକ୍ଷାଦେବା ସହ ସଂର୍ପକ ନଥାଏ । ଏହା ଥିଲା ମୁଖ୍ୟମନ୍ତ୍ରୀଙ୍କୁ ମୋର ବକ୍ତବ୍ୟ । ମୋର ପରାମର୍ଶ ଥିଲା ସ୍ଥାନୀୟ ଆଦିବାସୀ ଯୁବକ ଯିଏ ପଞ୍ଚମଠାରୁ ଦଶମ ପର୍ଯ୍ୟନ୍ତ ବିଦ୍ୟାଳୟରେ ଶିକ୍ଷା ପାଇଥିବ ତାଙ୍କୁ ନିମ୍ନଶ୍ରେଣୀୟ ପିଲାଙ୍କୁ ପଢ଼ାଇବାର ଦାୟିତ୍ୱ ଦେଇ ହେବ । ସେମାନେ ତାଙ୍କ ଭାଷାରେ ଛୋଟ ପିଲାଙ୍କୁ ଶିକ୍ଷା ଦେଇପାରିବେ । ଯୁବକମାନେ ବି ରୋଜଗାରକ୍ଷମ ହେବେ । ମୁଖ୍ୟମନ୍ତ୍ରୀ ତାହା ଗ୍ରହଣ କଲେ । ପ୍ରାଥମିକସ୍ତରର ଶିକ୍ଷା ଏହି ଭାବରେ ତାଙ୍କ ପରେ ବହୁଦିନ ପର୍ଯ୍ୟନ୍ତ ଚାଲିଲା । ଏହାଥିଲା ଆଦିବାସୀ ପିଲାଙ୍କୁ ଶିକ୍ଷା ଦେବାର ବିଶ୍ୱାସ ଓ କାର୍ଯ୍ୟକ୍ରମ ନମୁନା । କାରଣ ମୁଁ ଉତ୍କଳ ନବଜୀବନ ମଣ୍ଡଳ ସହ ସଂପୃକ୍ତ ଥିବାରୁ ଏପରି ସମ୍ଭାବନା ସହ ଅବଗତ ଥିଲି ।
ମୋ ପାଇଁ ଚିନ୍ତା
ଥରେ ବିଜୁ ବାବୁ ମୋତେ ପଚାରିଲେ ମୁଁ ଓଡ଼ିଶା ସାରା ଏତେ ବୁଲେ କାହିଁକି? ରାଜନୀତି କରିବ? ରାଜ୍ୟସଭାକୁ ଯିବ? ମୁଁ କହିଥିଲି ଓକିଲାତି ତ କରୁଛି ରାଜନୀତି ପାଇଁ ଅର୍ଥ କାହିଁ? ସେ ତେଣୁ ରାଜ୍ୟସଭାକୁ ଯିବାର ପ୍ରସ୍ତାବ ଦେଲେ, ଯାହା ମୁଁ ମନା କଲି । ବନ୍ଧୁ ଆଇ. ଏ. ଏସ. ଭୂଜବଳ ବି କହିଥିଲେ । ମୁଁ କହିଥିଲି ନିର୍ବାଚନପାଇଁ ଏତେ ପଇସା କାହିଁ? ବିଜୁ ବାବୁ କହିଲେ, “ପରିବହନ ବିଭାଗର ଓକିଲହୋଇ ତାର ପରିବର୍ତ୍ତନ ଏବଂ ଉନ୍ନତି କର ।” ମୁଁ କହିଥିଲି, “ସେ ଅର୍ଥରେ ଚଳିହେବ ନାହିଁ ।” ସେ କହିଥିଲେ, “ଦୁଇଟା କର୍ପୋରେସନ୍ ତରଫରୁ ଅର୍ଥ ଦିଆଯିବ ।” ସମସ୍ତ କାର୍ଯ୍ୟକ୍ରମ ପ୍ରସ୍ତୁତି କଲି । ଷାଠିଏ ଲକ୍ଷର ବଜେଟ୍ ଓ ଆଠ ହଜାର ଯୁବକଙ୍କୁ ରୋଜଗାରକ୍ଷମ କରିବାର ହିସାବ ଦେଲି । ସେ କୁଣ୍ଠା ପ୍ରକାଶ କଲେ, “ଏତେ ଟଙ୍କା ଆସିବ କେଉଁଠୁ?” ମୁଁ ପନ୍ଦର ମାସକାଳ ଦାୟିତ୍ୱ ନେଇ ଇସ୍ତଫା ଦେଲି, କିନ୍ତୁ କର୍ପୋରେର୍ଟରୁ ଟଙ୍କାଟିଏ ନେଇନଥିଲି ।
ଦାମନଯୋଡ଼ି
ସେ ସମୟରେ ଦାମନଯୋଡ଼ିରେ କାର୍ଯ୍ୟ ଚାଲିଥିଲା । ଗୋଟିଏ ବିଭାଗର ଲୋକଙ୍କୁ ଆନେ୍ଦାଳିତ କରିଥାଏ ଯେ କଳାହାଣ୍ଡି ଜିଲ୍ଲାର ଏତେ ନଦୀ ଓ ଝରଣା ଥାଇବି ପାଣିର ଅଭାବରୁ ଚାଷକାର୍ଯ୍ୟରେ ବାଧା ଉପୁଜୁଛି କିପରି । ମୁଖ୍ୟମନ୍ତ୍ରୀଙ୍କୁ କୁହାଯାଇଥିଲା ତିନିଫୁଟ ମାଟି ଖୋଳି ପାଣିର ସ୍ଥିତି କଥା ଜାଣି ହେବ ନାହିଁ । ସେ ଇଞ୍ଜିନିୟରଙ୍କୁ ପଠାଇଲେ ଅନୁଧ୍ୟାନ ଓ ମାଟି ପରୀକ୍ଷା କରି ରିପୋର୍ଟ ଦେବାକୁ । ମୁଖ୍ୟମନ୍ତ୍ରୀ ସେତେବେଳେ ଯାଇ ଜାଣି ପାରିଲେ ଯେ ଦାମନଯୋଡ଼ି କାର୍ଯ୍ୟଯୋଗୁଁ ଇନ୍ଦ୍ରାବତୀ ନଦୀର ପାଣି ନବରଙ୍ଗପୁରକୁ ଯାଇପାରୁ ନଥିଲା ଓ ପଶୁଠାରୁ ମଣିଷ ଯାଏ ସମସ୍ତେ ଦୁଃଖ ସହୁଥିଲେ । ଆଠଜଣ ଆଦିବାସୀ ମହିଳା ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନରେ ଭୁବନେଶ୍ୱରଠାରେ ସେମାନେ ଆତ୍ମହତ୍ୟା କରିବେ । ତତ୍କାଳୀନ ଜଳସମ୍ପଦ ମନ୍ତ୍ରୀଙ୍କୁ ତାହା କୁହାଗଲା । ସେ ନିଜେ ଯାଇ ଇନ୍ଦ୍ରାବତୀ ନଦୀର ବକ୍ଷ କାଟି ନବରଙ୍ଗପୁରବାସୀଙ୍କ ଦୁଃଖ ଦୂର କଲେ ।
ଆଦିବାସୀଙ୍କ ପାଇଁ କୋଠାଘର
ବ୍ଲକ୍ ସ୍ତରରେ କୋରାପୁଟ ଓ ଫୁଲବାଣୀରେ ଆଦିବାସୀ ରହିବା ପାଇଁ, କଣ୍ଟ୍ରାକ୍ଟରମାନଙ୍କୁ ସାହାଯ୍ୟ କରିବାକୁ କୋଠାଘରମାନ ତିଆରି କରାଗଲା । ବଣ୍ଡା ଓ ଅନ୍ୟ କେତେକ ଆଦିବାସୀ ମହିଳା ଘର ନ ତୋଳିଲେ, ସେ ଘରେ କେହି ରହନ୍ତି ନାହିଁ । ବୁଲା କୁକୁର ଓ ବୁଲା ଷଣ୍ଢ ଓ ଗୋରୁମାନେ କଣ୍ଟ୍ରାକ୍ଟର ତିଆରି ଘର ସବୁ ଅକ୍ତିଆର କଲେ । ମୁଖ୍ୟମନ୍ତ୍ରୀଙ୍କୁ ଏ କଥା କୁହାଗଲା । ସେ ହେଲିକାପ୍ଟର ଚଢ଼ି ସେ ଘର ସବୁ ଦେଖି ତଟସ୍ଥ ହେଲେ । ସେ କାମ ବନ୍ଦହେଲା ।
ଲୁହା କାରଖାନାର ଖିଆଲ
ବିଜୁବାବୁ ମୁଖ୍ୟମନ୍ତ୍ରୀ ଥାଇ ଜର୍ମାନୀ ଯାଇଥିଲେ, ଓଡ଼ିଶାରେ ଜର୍ମାନ ସହାୟତାରେ ଗୋଟିଏ ଉନ୍ନତ ଲୌହ କାରଖାନା ବସାଇବାର ଆଗ୍ରହ ନେଇ । ମୋର ବନ୍ଧୁ ଗୋଲାପ ପ୍ରଧାନଙ୍କୁ ମୁଁ ଚିଠି ଲେଖିଲି ଯେ ସେ ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ସାହାଯ୍ୟ କରିବେ । ଜର୍ମାନୀରେ ଲୁହା ଅଭାବରୁ କାରଖାନା ସବୁ ବନ୍ଦକରି ଦିଆ ଯାଇଥିଲା । ଜର୍ମାନୀ ନିଜେ ବଜାରରୁ ଲୁହା ସରଞ୍ଜାମ ଖର୍ଦ୍ଦି କରୁଥିଲା । ମୁଖ୍ୟମନ୍ତ୍ରୀ ଦୁଃଖରେ ଲେଉଟି ଆସିଲେ ।
‘ଏକୁଟିଆ ବଞ୍ଚିବା ବଞ୍ଚିବା ନୁହେଁ’
ଟେଲିଫୋନ୍ ଓ ଟେଲିଗ୍ରାଫ୍ ବିଭାଗର ତୃତୀୟ ଶ୍ରେଣୀ କର୍ମଚାରୀଙ୍କର ଏକ ସଭାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ସେ ସେତେବେଳେ ଲୋକସଭାର ସଦସ୍ୟ ଥା’ନ୍ତି । ମୁଁ ସେ ଅନୁଷ୍ଠାନର ଉପଦେଷ୍ଟା ଥାଏ । ସଭା ଥାଏ ରାଷ୍ଟ୍ରଭାଷା ଭବନରେ । ତାଙ୍କ କଟକ ଘରୁ ସଭାସ୍ଥଳକୁ ମୋ ଗାଡିରେ ଆସିବା ସମୟରେ ପାରାଦୀପରୁ ଦିଲ୍ଲୀ ପର୍ଯ୍ୟନ୍ତ ଗୋଟେ ରେଳଗାଡ଼ି ଓଡ଼ିଶାରୁ ଚାଲିଲେ ବଙ୍ଗପ୍ରଦେଶ ଦେଇ ବାହାରକୁ ଯିବାର ଅସୁବିଧା ଓଡ଼ିଆ ଲୋକେ ଭୋଗନ୍ତେ ନାହିଁ- ଏହା ଥିଲା ମୋର ତାଙ୍କୁ ନିବେଦନ । ସେ ଚିଡ଼ିଗଲେ । କହିଲେ, “ମୁଁ ଓହ୍ଲାଇଯାଉଛି ଗାଡିରୁ । ଏପରି ଛୋଟ ଛୋଟ କଥା ସବୁ ତମମୁଣ୍ଡରେ କାହିଁକି ପଶୁଛି? ସମସ୍ତଙ୍କ ଭିତରେ ପଶି ନିଜ ସ୍ୱତନ୍ତ୍ରତା ବଜାଇ ରଖିବାକୁ ବଞ୍ଚିବା କୁହାଯାଏ । ନିଜ ସ୍ୱତନ୍ତ୍ରତା ବଜାଇ ରଖିବାକୁ ଚାହିଁଲେ ଜାତି ଉଧେଇବ ନାହିଁ । ସମସ୍ତଙ୍କ ଭିତରେ ରହି ନିଜର ସ୍ୱତନ୍ତ୍ରତା ବଜାଇ ରଖିଲେ ଜାତି ବଞ୍ଚିବ । ଏକୁଟିଆ ବଞ୍ଚିବା ବଞ୍ଚିବା ନୁହେଁ ।” ଆମେ ଏହା ଭିତରେ ସଭାସ୍ଥଳରେ ପହଞ୍ଚି ଯାଇଥିଲୁ ।
ନାରୀ ସୁରକ୍ଷା ଓ ହାତକଡି
ନାରୀଙ୍କ ସୁରକ୍ଷା ପାଇଁ ପରିବାରର ଅନ୍ୟ ସମସ୍ତଙ୍କୁ ହାତକଡ଼ି ପକାଇ ରାସ୍ତାରେ ଚଲାଇ ନେବାର ଆଦେଶ ପୋଲିସ୍ ଡି.ଜି.ଙ୍କୁ ଦେଇ ମନସ୍ତାପ କରିଥିଲେ ।
ଶେଷ କଥା
ମୁଁ ଏତିକିରେ ତାଙ୍କ ଜୀବନୀ ଏଠାରେ ଆଲୋଚନା କରୁ ନାହିଁ । ଜଣେ କେତେ ପ୍ରକାରରେ ତାଙ୍କ କଥା ଲେଖି ଏକାଠି କରି ପାରିବ । ନିଜ କହିବାରେ କଥା କ’ଣ କାହାକୁ ବିଶ୍ୱାସ ଦେବ ନା ତାଙ୍କ ଜୀବନ ଇତିହାସକୁ ଉନ୍ନତତର କରିବ । ଲିଗାସୀର ଅର୍ଥ ନବୁଝି ଆମେ ଘାଣ୍ଟି ହେଉଛୁ । ଗୋଟିଏ ଇଂରାଜୀ ଶବ୍ଦ, ତାର ଅର୍ଥ ଅନେକ । ଏହା କେବଳ ଅର୍ଥ-ସମ୍ପତ୍ତି ସଂର୍ପକୀୟ ଇଛାପତ୍ର ନୁହେଁ । ଏହା ତ ଈଶ୍ୱରଦାନ । ସେତ ମଣିଷ ହିସାବରେ ନେତା ଓ ନେତୃତ୍ୱ ଜାହିର କରି ଦେଶକୁ, ଜାତିକୁ, ମଣିଷ ସମାଜକୁ ଯାହା ଦେବା କଥା ଦେଇଯାଇଛନ୍ତି ।
ଲିଗାସୀ ଶବ୍ଦକୁ ତର୍ଜମା ନକରି ନବୁଝି ଆମେ ପ୍ରଶ୍ନ ଉଠାଉଛୁ । ଏହା ତ ଗ୍ରହଣଯୋଗ୍ୟ ନୁହେଁ । ପାରାଦୀପ ବନ୍ଦରଠାରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଓ ତାଙ୍କ କାର୍ଯ୍ୟକ୍ରମର ଇତିହାସ ତ ସେ ଦେଶବାସୀଙ୍କ ପାଇଁ ଛାଡ଼ି ଯାଇଛନ୍ତି, ଯାହା ତାଙ୍କର କୀର୍ତ୍ତି ଓ ଆମେ ତାହାର ଉତ୍ତରାଧିକାରୀ -କେତେ ଯୋଗ୍ୟ, ତାହା ହିଁ ପ୍ରଶ୍ନ ।
(‘ଗୁରୁ ମହାନ୍ତି‘ ଓଡିଶାର ମାନବିକ ଅଧିକାର କ୍ଷେତ୍ରରେ ଜଣେ ଅତି ପରିଚିତ ନା। PUCL ଓଡିଶା ଶାଖାର ପୂର୍ବତନ ସମ୍ପାଦକ। ସେ ମଧ୍ୟ ଓଡିଶା ଯୁବ ଲେଖକ ସମ୍ମେଳନ ର ଏକଦା ସଭାପତି ରହି ଅନେକ କାର୍ଯ୍ୟ କରିଛନ୍ତି। ସମ୍ପ୍ରତି ସେ ଅଶୀ ବର୍ଷ ଅତିକ୍ରମ କଲାପରେ ମଧ୍ୟ ଓଡିଶା ଉଚ୍ଚ ନ୍ୟାୟାଳୟର ଅଧିବକ୍ତା ହିସାବରେ ସକ୍ରିୟ ରହି ଗୁରୁତ୍ୱପୂର୍ଣ ମାମଲା ରେ ଲଢେଇ କରୁଛନ୍ତି।)
Contact – ୮୪୮୦୭୪୮୭୦୩
Comments
0 comments

