ଅକ୍ଟୋବର ୨୮, ୨୦୨୪ ଦିନ ବିଶିଷ୍ଟ ସାମ୍ବାଦିକ ଓ ଲେଖକ ଭାସ୍କର ପରିଛାଙ୍କ ଦ୍ୱାରା ଲିଖିତ ଏକ ପୁସ୍ତକ ପ୍ରକାଶ ପାଇଥିଲା । ପୁସ୍ତକଟି ଇଂରାଜୀରେ ଲେଖାଯାଇଥିଲା ଓ ଶିରୋନାମା ଥିଲା ” Cyclones in Odisha’ ବା ‘ଓଡିଶାରେ ବାତ୍ୟା’ ଯେଉଁଠି ସେ ୧୯୯୯ ଅକ୍ଟବେର ୨୯ର ମହାବାତ୍ୟାର ପୃଷ୍ଠଭୂମିରେ ବାତ୍ୟା କେତେ ବିଧ୍ୱଂସକାରୀ ହେଇପାରେ, ତାହାର ବର୍ଣ୍ଣନା କରିଛନ୍ତି । ସେହି ବିଧ୍ୱଂସକାରୀ ଶକ୍ତିର କରାଳ ରୂପ ଉପକୂଳ ଓଡ଼ିଶାର ବାସିନ୍ଦାମାନେ ପ୍ରାୟ ନିୟମିତ ଦେଖି ଆସୁଛନ୍ତି । ବାତ୍ୟା ‘ଅର୍ଣ୍ଣବ’ ସେ ଭିତରେ ସଦ୍ୟତମ । ସାଙ୍ଗରେ ନେଇ ଆସିଥିଲା ବର୍ଷା ଓ ବନ୍ୟା । ରାଜ୍ୟର ଦକ୍ଷିଣାଞ୍ଚଳର ୬ ଜିଲ୍ଲାର, ବିଶେଷ ଭାବେ ଗଞ୍ଜାମ ଓ କନ୍ଧମାଳର ପ୍ରାୟ ୧ଲକ୍ଷ ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଏହାସହ ବାତ୍ୟା ଓ ବନ୍ୟାଯୋଗୁଁ ୭୬ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି । ସବୁଠାରୁ ଜନବହୁଳ ୨୨ଟି ବ୍ଲକ୍ ଥିବା ଗଞ୍ଜାମ ଜିଲ୍ଳାରେ ପରିବେଶ, ଭିତ୍ତିଭୂମି ଏବଂ କୃଷି କ୍ଷେତ୍ରରେ ବ୍ୟାପକ କ୍ଷୟକ୍ଷତି ହେଇଛି । ଏହାଯୋଗୁଁ ଯାତାୟାତ ବ୍ୟବସ୍ଥା, ମୋବାଇଲ୍ ଯୋଗାଯୋଗ ଏବଂ ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହେଇଛି । ଏହାର ପ୍ରଭାବ ଉପକୂଳ ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶାରେ ଦେଖା ଯାଇଥିଲା ।
ଲଗାତାର ବର୍ଷା ଏବଂ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ଯୋଗୁଁ ନାଗାବଳୀ, ବଂଶଧାରା, ବଡ଼ନଦୀ, ବାହୁଦା ଓ ଋଷିକୂଲ୍ୟା ନଦୀରେ ପ୍ରବଳ ବନ୍ୟା ଆସିଥିଲା । ଏହାଦ୍ୱାରା ଶ୍ରୀକାକୁଲମ୍ ଜିଲ୍ଲା ସହିତ ଓଡ଼ିଶାର ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲା ମଧ୍ୟ ପ୍ରଭାବିତ ହୋଇଥିଲା ।
ଏହି ଜିଲ୍ଲାଗୁଡ଼ିକରେ ୧,୦୦୦ରୁ ଅଧିକ ଗ୍ରାମ ଜଳବନ୍ଦୀ ହୋଇଥିଲା, ୨୦୦୦ରୁ ଅଧିକ ଘର ନଷ୍ଟ ହୋଇଥିଲା ଏବଂ ୭୫,୦୦୦ ହେକ୍ଟରରୁ ଅଧିକ ଚାଷଜମି ଜଳମଗ୍ନ ହୋଇଥିଲା । ବନ୍ୟାଜନିତ ଭୂସ୍ଖଳନରେ ୫ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ଜଣ ନିଖୋଜ ହୋଇଥିଲେ । ମୃତୁ୍ୟସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଆଶଙ୍କା ରହିଛି ।
ସାମୁଦ୍ରିକ ଜୁଆରର ପ୍ରଭାବ ତାମିଲନାଡୁର ଚେନ୍ନାଇ ପର୍ଯ୍ୟନ୍ତ ବ୍ୟାପିଥିଲା । ଏହି ବିପର୍ଯ୍ୟୟର ମୁକାବିଲା ପାଇଁ ସ୍ୱତନ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଇ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଥିଲା ।
ଖବର ସରବରାହ ସୂତ୍ରଗୁଡ଼ିକ ରିପୋର୍ଟ କରିଥିଲେ ଯେ, ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଅର୍ଣ୍ଣବର ତୀବ୍ରତା ଏବଂ ଗତିବିଧିକୁ ଠିକ୍ ଭାବରେ ଆକଳନ କରିପାରିନଥିଲା । ଫଳରେ ସାଧାରଣ ଲୋକଙ୍କୁ ସ୍ଥାନାନ୍ତର କରିବା ଏବଂ ଅନ୍ୟାନ୍ୟ ସତର୍କତାମୂଳକ ପଦକ୍ଷେପ ନେବାପାଇଁ ଉପଲବ୍ଧ ସମୟ ସୀମିତ ହୋଇଯାଇଥିଲା ।
ଅର୍ଣ୍ଣବ ବାତ୍ୟାର ବିନାଶଲୀଳା ପଛରେ ବିଶ୍ୱବ୍ୟାପୀ ଜଳବାୟୁ ଘଟଣା ‘ଏଲ୍ ନିନୋ’ର ଭୂମିକା ଏବଂ ବଙ୍ଗୋପସାଗରର ବାତ୍ୟାଋତୁ ଭାରତରେ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚାର ବିଷୟ ହୋଇଥିଲା ।
ଗଞ୍ଜାମ ଜିଲ୍ଲାର ଦୁଇ ତୃତୀୟାଂଶ ଚାଷ ବାସ, ଘରର ସମସ୍ତ ଜିନିଷ, ଦୋକାନବାଡି ସବୁ କିଛି ନଷ୍ଟ ହୋଇଯାଇଛି । ରାସ୍ତାଘାଟ ସମ୍ପୂର୍ଣ୍ଣ ଧୋଇଯାଇଛି ।
ଅପରପକ୍ଷରେ ନିଜ ସରକାରଙ୍କୁ ସୁରକ୍ଷା ଦେବା ହେଉ କିମ୍ବା ଲୋକଙ୍କ ଆକ୍ରୋଶରୁ ବଂଚେଇବାକୁ ରାଜସ୍ୱ ମନ୍ତ୍ରୀ ଯେପରି ଋଷିକୁଲ୍ୟା ବନ୍ୟା ନିୟନ୍ତ୍ରଣ ପାଇଁ ଡ୍ୟାମ କଥା କହୁଛନ୍ତି ତାହା ଭୁଲ, ଓଲଟା କହୁଛନ୍ତି । ଯଦି ପିପଳପଙ୍କାରେ ଡ୍ୟାମ ନିର୍ମାଣ ହୋଇ ଥାଆନ୍ତା, ତାହାହେଲେ ବାତ୍ୟା ପୂର୍ବରୁ ଡ୍ୟାମରେ ପାଣି ଭରି ରହିଥାଆନ୍ତା । ପୁଣି ସେହି ଡ୍ୟାମରେ ପାଣି ଭର୍ତ୍ତି ହେବାପରେ ଗେଟ୍ ଖୋଲା ହୋଇଥାନ୍ତା କିମ୍ବା ବନ୍ଧ ଭାଙ୍ଗିଥାନ୍ତା । ଫଳରେ ତାହାଦ୍ୱାରା ବିପର୍ଯ୍ୟୟର ମାତ୍ରା ୧୦ଗୁଣା ହୋଇଥାନ୍ତା । ଡ୍ୟାମ ହେଲେ ଆଠ ମାସ ନଦୀର ଜଳସ୍ରୋତ ଶୁଖିଯିବ, ନଦୀ ମୃତ ହୋଇଯିବ । ମନ୍ତ୍ରୀ ପ୍ରଥମେ ଅଚାନକ ବନ୍ୟାର ପ୍ରତିକାର ନାମରେ ନଦୀକୁ ମାରନ୍ତୁ ନାହିଁ ବୋଲି ପରିବେଶବିତ୍ମାନେ ସତର୍କ କରାଇଛନ୍ତି । ଏବେ ସବୁ ନଦୀରେ ପ୍ରବଳ ଜଳ କୂଳଭାଙ୍ଗି ଦିଗ ପରିବର୍ତ୍ତନ ହୋଇଛି, ତାର କାରଣ ବାଲିଶୂନ୍ୟ କରାଯାଇଥିବାରୁ । ପ୍ରଥମେ ସରକାର ବାଲି ଚୋରି ବନ୍ଦ କରିବାକୁ ବିଭିନ୍ନ ମହଲରୁ ଦାବୀ ଉଠୁଛି । ନଦୀ ଭିତର ଗଛଲତା ସଫା କରାଯାଇ ନଦୀର ଦୁଇ କୂଳରେ ବୃକ୍ଷରୋପଣ କରାଯିବା ଉଚିତ ବୋଲି ପରିବେଶବିତ୍ମାନେ ପରାମର୍ଶ ଦେଇଛନ୍ତି ।
ଭଞ୍ଜନଗର ଅଞ୍ଚଳରେ ବନ୍ୟା ଯେପରି ହୋଇଛି, ଡ୍ୟାମ୍ ନଥିବା କାରଣରୁ ନୁହେଁ ବରଂ ଡ୍ୟାମ୍ କାରଣରୁ ହିଁ ହୋଇଛି । ଭଞ୍ଜନଗର ଅଞ୍ଚଳରେ ଥିବା ଡହ ଡ୍ୟାମରୁ ଅତର୍କିତ ଭାବେ ବିପୁଳ ପରିମାଣର ଜଳ ଛାଡିବା ଫଳରେ ତଳମୁଣ୍ଡରେ ଅଭୂତପୂର୍ବ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସରକାରୀ ଦଳର ସ୍ଥାନୀୟ ବିଧାୟକ ମଧ୍ୟ ଏହାକୁ ସ୍ପଷ୍ଟଭାବେ ସ୍ୱୀକାର କରିଛନ୍ତି । କେବଳ ଡହ ହିଁ ନୁହେଁ; ଜିଲ୍ଲାର ଘୋଡାହାଡ, ବଡନଦୀ, ବାହୁଦା ପରି ନଦୀମାନଙ୍କରେ ବି ଡ୍ୟାମ୍ ଥିବାସତ୍ତ୍ୱେ ତଳ ମୁଣ୍ଡରେ ଭୟଙ୍କର ବନ୍ୟା ଦେଖିବାକୁ ମିଳିଛି । ଅତଏବ ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ କେବଳ ମିଥ୍ୟା ଓ ବିଭ୍ରାନ୍ତିକର ହିଁ ନୁହେଁ; ବରଂ ଆଦାନୀକୁ ପାଣି ଯୋଗାଇବାକୁ ପ୍ରସ୍ତାବିତ ପିପଳପଙ୍କା ଡେମ୍ ପାଇଁ ଓକିଲାତି ଅଟେ ।
ବାତ୍ୟା, ବନ୍ୟାରେ ଚାଷ ମଧ୍ୟ ଉଜୁଡ଼ି ଯାଇଛି । ଲଗାତାର ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟାଯୋଗୁଁ ଗଞ୍ଜାମ ଜିଲ୍ଲାର କୃଷି କ୍ଷେତ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହାର ପ୍ରଭାବରେ ହଜାର ହଜାର କୃଷକ ପରିବାର ଆର୍ଥକ ଦୁର୍ଦ୍ଦଶା ଓ ଜୀବିକା ସଙ୍କଟର ସମ୍ମୁଖୀନ ହେଉଛନ୍ତି । ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ କୃଷକଙ୍କ ପୁନର୍ବାସ ଓ କୃଷିର ପୁନରୁଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲା ନିମନ୍ତେ ଏକ ସ୍ୱତନ୍ତ୍ର କୃଷି ପ୍ୟାକେଜ୍ ଘୋଷଣା କରିବାକୁ ‘ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନ’ ଦାବୀ କରିଛି । କେବଳ ସେତିକି ନୁହଁ, କୃଷକଙ୍କ ଦୁର୍ଦ୍ଦଶାକୁ ଗୁରୁତ୍ୱର ସହ ବିଚାର କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ମଧ୍ୟ ଚାଷୀସଂଗଠନମାନେ ଅନୁରୋଧ କରିଛନ୍ତି । ଗଞ୍ଜାମ ଜିଲ୍ଲାର ହଜାର ହଜାର ପରିବାର କୃଷି ଉପରେ ନିର୍ଭରଶୀଳ । ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନ, ପନିପରିବା, ଡାଲିଜାତୀୟ ଫସଲ, ତୈଳବୀଜ, ଫୁଲଚାଷ ଓ ଉଦ୍ୟାନ କୃଷି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏପରିକି ଅମଳ ହେବାକୁ ଥିବା ଫସଲ ମଧ୍ୟ ନଷ୍ଟ ହୋଇଛି । ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥା ଓ କୃଷି ଉପକରଣ ମଧ୍ୟ କ୍ଷତିରୁ ବାଦ୍ ପଡ଼ିନାହିଁ । ଚାଷ ପାଇଁ ବିହନ, ସାର, ଶ୍ରମିକ ଓ ଜଳସେଚନରେ ନିଜର ସଞ୍ଚିତ ଅର୍ଥ ବିନିଯୋଗ କରିଥିବା କୃଷକମାନେ ଏବେ ଫସଲ ହରାଇ ଋଣଭାରରେ ବୁଡ଼ିବାକୁ ବସିଛନ୍ତି । ଫସଲ ନଷ୍ଟ ହେବା ସହ ଆୟର ଉତ୍ସ ବନ୍ଦ ହୋଇଯାଇଥିବାରୁ ପରିବାର ପ୍ରତିପୋଷଣ ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି । ଏଭଳି ସ୍ଥିତିରେ ସରକାରୀ ସହାୟତା ବିଳମ୍ବ ହେଲେ ଅନେକ କୃଷକ ବୃତ୍ତି ଛାଡ଼ିବାକୁ ବାଧ୍ୟ ହେବାର ଆଶଙ୍କା ରହିଛି ।
ଧାରଉଧାର କରି ନିଜର ଓ ଭାଗ ଜମିରେ ପରିବା ଏବଂ ଧାନଚାଷ କରିଥିବା ଚାଷୀ ଗଞ୍ଜାମ ଶେରଗଡ଼ ଅଞ୍ଚଳର ଅର୍ଜୁନ ପଣ୍ଡା ‘ଅର୍ଣ୍ଣବ’ ବାତ୍ୟାଦ୍ୱାରା ହୋଇଥିବା ଅବିଶ୍ରାନ୍ତ ବର୍ଷା ଓ ବନ୍ୟାରେ ସବୁ ଧୋଇଗଲା ପରେ ଜୀବନରେ ଏଭଳି କ୍ଷତି ପୂର୍ବରୁ ସହି ନଥିଲେ । ଉଜୁଡ଼ା ଜମିକୁ ଦେଖି ନିଜକୁ ସମ୍ଭାଳି ପାରିଲେ ନାହିଁ । ଶେଷରେ ଚାଷୀ ଶ୍ରୀ ପଣ୍ଡା ବିଷ ପିଇ ଜୀବନ ହାରିଛନ୍ତି । ବର୍ଷା ବିତ୍ପାତରେ ସର୍ବାଧିକ କ୍ଷତି ସହିଥିବା ଗଞ୍ଜାମ ଜିଲ୍ଲାର ଶେରଗଡ଼ ଅଞ୍ଚଳରେ ଏଭଳି ଘଟଣା ଭବିଷ୍ୟତର ଚାଷ ଓ ଚାଷୀଙ୍କ ଉଦ୍ବେଗଜନକ ସ୍ଥିତିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି ।
କୃଷକଙ୍କୁ ତୁରନ୍ତ ଆର୍ଥôକ ସହାୟତା, କ୍ଷତିପୂରଣ ଓ ପୁନଃଚାଷ ପାଇଁ ଅଧିକ କୃଷି ଇନ୍ପୁଟ୍ ସବ୍ସିଡ଼ି ପ୍ରଦାନ କରିବା ସହ ଫସଲ ଋଣ ପୁନର୍ଗଠନ, ଋଣ ପରିଶୋଧ ସମୟସୀମା ବୃଦ୍ଧି, ସୁଧ ସହାୟତାଯୁକ୍ତ ନୂତନ ଋଣ ଏବଂ ଯୋଗ୍ୟ କୃଷକଙ୍କୁ ଫସଲବୀମା ସହାୟତା ଯୋଗାଇ ଦେବାକୁ ନିବେଦନ କରାଯାଇଛି । ବିଶେଷକରି ଫୁଲଚାଷୀ, ପନିପରିବା ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭାଗଚାଷୀଙ୍କୁ ରିଲିଫ୍ ପ୍ରକ୍ରିୟାରେ ସାମିଲ କରିବାକୁ ଦାବି ହୋଇଛି ।
କ୍ଷତିଗ୍ରସ୍ତ କୃଷକଙ୍କୁ ମାଗଣା କିମ୍ବା ରିହାତି ଦରରେ ବିହନ, ସାର, ଜୈବିକ ଖତ ଓ ଫସଲ ସୁରକ୍ଷା ସାମଗ୍ରୀ ଯୋଗାଇବା ସହ ନଷ୍ଟ ହୋଇଥିବା ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥାର ମରାମତି ପାଇଁ ସହାୟତା ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି ।
କେବଳ କ୍ଷତିପୂରଣ ନୁହେଁ, କୃଷକଙ୍କ ଦୀର୍ଘକାଳୀନ ଜୀବିକା ସୁରକ୍ଷା ପାଇଁ ବଜାର ସଂଯୋଗ, କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି, ଶୀତଳ ଭଣ୍ଡାର, ପରିବହନ ଓ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । କୃଷକ ଉତ୍ପାଦକ ସଂଗଠନ ଗଠନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରାମୀଣ ଉଦ୍ୟୋଗୀକରଣ ମାଧ୍ୟମରେ ବିକଳ୍ପ ଜୀବିକା ସୃଷ୍ଟି କରିବାକୁ ପ୍ରସ୍ତାବ ରହିଛି ।
କୃଷକଙ୍କ ଆର୍ଥôକ ସ୍ଥିରତା, ଆତ୍ମବିଶ୍ୱାସ ଓ କୃଷିର ଦୀର୍ଘକାଳୀନ ସ୍ଥାୟିତ୍ୱ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି କୃଷକଙ୍କ ସ୍ୱାର୍ଥରେ କାର୍ଯ୍ୟ କରୁଥିବା ଋଷିକୁଲ୍ୟା ରୟତ ମହାସଭା ଦାବୀ ରଖିଛି ।
ରାଜ୍ୟର ଡବଲ ଇଞ୍ଜିନ ସରକାର ବାତ୍ୟା ଅର୍ଣ୍ଣବ ଓ ତା’ ପରବର୍ତ୍ତୀ ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ ସ୍ଥିତି ରିପୋର୍ଟ ଜାଣିବା, କ୍ଷୟକ୍ଷତିର ଆକଳନ କରିବା ଓ ତା’ ପରବର୍ତ୍ତୀ ବିଭିନ୍ନ ପଦକ୍ଷେପ ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ୍, କ୍ଷତିଗ୍ରସ୍ତଙ୍କ କାର୍ଯ୍ୟକ୍ଷେତ୍ରରେ ଅନୁଧ୍ୟାନ କରି କ୍ଷତିଗ୍ରସ୍ତ ଚାଷୀ ଓ ଜନସାଧାରଣଙ୍କ ପାଇଁ ଯେଉଁ ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି, ତାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ଅଟେ ।
ରାଜ୍ୟ ସରକାର ଅଣଜଳସେଚିତ, ଜଳସେଚିତ, ବହୁ ଫସଲି ଜଳସେଚିତ ଜମି ପାଇଁ ହେକ୍ଟର ପିଛା ଯଥାକ୍ରମେ ୮୪୦୦ ଟଙ୍କା, ୧୭,୦୦୦ ଟଙ୍କା ଓ ୨୨,୫୦୦ ଟଙ୍କା ଘୋଷଣା କରିଛନ୍ତି । ଅର୍ଥାତ୍ ଏକର ପିଛା ଏହାର ପରିମାଣ ଯଥାକ୍ରମେ ୩,୪୦୦ ଟଙ୍କା, ୬,୮୦୦ ଟଙ୍କା ଓ ୯,୧୦୦ ଟଙ୍କାରୁ କମ୍ । ଏଥିସହ କ୍ଷତିଗ୍ରସ୍ତ ପରିବାର ପାଇଁ ୫୦ କି.ଗ୍ରା. ଚାଉଳ ଓ ୨୫୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇଁ ଘୋଷଣା କରାଯାଇଛି । ବାତ୍ୟା ଅର୍ଣ୍ଣବ ଓ ଏଥିରୁ ଯେଉଁ ପ୍ରଳୟଙ୍କାରୀ ବନ୍ୟା ଆସିଲା ତାହା ଫଳରେ ଚାଷୀକୁଳ ଓ ଜନଜୀବନର ବ୍ୟାପକ କ୍ଷତି ଘଟିଛି । ଏହି କ୍ଷତିପୂରଣ ଘୋଷଣା ଧର୍ମକୁ ଆଖିଠାର ସଦୃଶ ।
ସରକାରଙ୍କର ଏହି କ୍ଷତିପୂରଣ ଘୋଷଣା ବହୁ ଦିନ ଧରି ସମୟୋପଯୋଗୀ କରାଯାଇ ନଥିବା ଜାତୀୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ଏବଂ ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠିର ନିୟମାବଳୀ ଭିତ୍ତିରେ ହିଁ କରାଯାଇଛି । ଡବଲ ଇଞ୍ଜିନ ସରକାର ଏହାର ପରିବର୍ତ୍ତନ କରିବା ଚାହୁଁନାହାନ୍ତି । ଏହା ଫଳରେ କେବଳ ଚାଷ ଜମିରେ ଠିଆ ହୋଇଥିବା ଫସଲ କ୍ଷତିକୁ ହିସାବକୁ ନିଆଯିବ । ଫସଲ କାଟି ନିଆଯାଇଥିବା ଅଥବା କଟା ହୋଇ ରହିଥିବା ଫସଲ ପାଇଁ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କିଛି ସହାୟତା ମିଳିବ ନାହିଁ । ଏଥିରେ କୃଷି ସମେତ ସମସ୍ତ ପ୍ରକାର ଫସଲକୁ ଅନ୍ତର୍ଭୁକ୍ତ କରାଯାଇ ନାହିଁ । ଭାଗଚାଷୀ, ପ୍ରକୃତ ଚାଷୀମାନଙ୍କୁ କ୍ଷତିପୂରଣ ପରିଧିରେ ଅନ୍ତର୍ଭୁକ୍ତ କରାଯାଉ ନାହିଁ । ଏଥିପାଇଁ ରାଜ୍ୟ ସରକାର ରାଜ୍ୟ ବିପର୍ଯ୍ୟୟ ରିଲିଫ୍ ପାଣ୍ଠି ନିୟମାବଳୀରେ ସମୟୋପଯୋଗୀ ପରିବର୍ତ୍ତନ କରି କ୍ଷତିପୂରଣ ରାଶି ବୃଦ୍ଧି କରିବା ଦାବି ହୋଇଛି ।
ଇନପୁଟ୍ ସବସିଡି ପରିମାଣ ବୃଦ୍ଧି କରିବା, କ୍ଷତିଗ୍ରସ୍ତ ଚାଷୀ/ଭାଗଚାଷୀମାନଙ୍କୁ ଏକର ପ୍ରତି ଅଣଜଳସେଚିତ ଜମି, ଜଳସେଚିତ ଜମି ଓ ବହୁଫସଲି ଜଳସେଚିତ ଜମି/ବାରମାସୀ ଫସଲ ପାଇଁ ସହାୟତା ତୁରନ୍ତ ପ୍ରଦାନ କରାଯିବା ସହ ପଶୁଧନ କ୍ଷତିପୂରଣ ପରିମାଣ ଦ୍ୱିଗୁଣିତ କରିବା, ବିପନ୍ନ ପରିବାର ବର୍ଗଙ୍କୁ ୫୦କି.ଗ୍ରା. ଚାଉଳ ପରିବର୍ତ୍ତେ ଅନ୍ତତଃ ୩ ମାସ ପର୍ଯ୍ୟନ୍ତ ସେମାନଙ୍କର ଆବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଆବଶ୍ୟକତାଭିତ୍ତିକ ସହାୟତା ବାବଦରେ ୧୦ହଜାର ଟଙ୍କା, ପ୍ରତିଟି ବାସଗୃହ ପାଇଁ ୫ଲକ୍ଷ ଟଙ୍କା କ୍ଷତିପୂରଣ, ଚାଷୀମାନଙ୍କର ସମସ୍ତ ଋଣ ସମ୍ପୂର୍ଣ୍ଣ ଛାଡ଼ ଏବଂ ନୂତନଭାବେ ସୁଧମୁକ୍ତ ଋଣ ପ୍ରଦାନ କରାଯିବାକୁ ବାମପନ୍ଥୀଦଳମାନେ ଦାବୀ କରିଛନ୍ତି ।
ଏହି ବନ୍ୟା ଅଚାନକ ଓ ଚିନ୍ତାର ବାହାରେ । ନଦୀଗୁଡ଼ିକର ବାଲି ଶେଷ କରିଦିଆଯାଇଥିବାରୁ ନଦୀ ଗର୍ଭରେ ଖାଲ ସୃଷ୍ଟିହୋଇଛି ଓ ମାଟିରେ ଗଛ ଉଠିଛି , ନଦୀଭିତରେ ଦୂମା ଖାଲ ଓ ଗଛଲତା ଯୋଗୁଁ ବନ୍ୟା ସ୍ରୋତର ଜଳପ୍ରବାହ ଭିଁ ଭିନ୍ନସ୍ଥାନରେ କୂଳଭାଙ୍ଗି ଜଳ ବାହାରକୁ ଗଲାବେଳେ ବାଲି ମାଫିଆଙ୍କ ଜମା ହୋଇଥିବା ପାହାଡ଼ ପରି ଗଦାଗୁଡ଼ିକ ଜଳପ୍ରବାହକୁ ଦିଗ ପରିବର୍ତ୍ତନ କରିଦେଇଛି । ତେଣୁ ଏପରି ଗାଁ ଗାଁ ରେ ଜଳ ପଶିଲା । ବାଲି ଚୋରିକୁ ନିଷିଦ୍ଧ କରି ନଦୀ ଗୁଡିକର ଭିତର ଗଛଲତା ସଫା କରିବାପାଇଁ ସରକାର ପୁନରୁଦ୍ଧାର ଯୋଜନାରେ ସାମିଲ କରିବା ସର୍ବାଦୌ ଆବଶ୍ୟକ ଏବଂ ପ୍ରତ୍ୟେକ ପରିବାରକୁ ନ୍ୟାୟୋଚ୍ଚିତ କ୍ଷତିପୂରଣ ସହ ଆର୍ଥôକ ପୁନରୁଦ୍ଧାର ପାଇଁ ସ୍ୱତନ୍ତ୍ର ଆର୍ଥôକ ପ୍ୟାକେଜ ଘୋଷଣା କରାଯାଉ । ତେଣୁ ଡିଷ୍ଟ୍ରିକ ରିକନ୍ଷ୍ଟ୍ରକସନ୍ ଅଥରିଟି ସରକାର ଗଠନକରି ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଃନିର୍ମାଣ କରାଯାଉ ବୋଲି ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଳ ସାମନ୍ତରା ପରାମର୍ଶ ଦେଇଛନ୍ତି ।
ସେହିପରି ଛାତିଥରା ଭୂସ୍ଖଳନରେ ନିଶ୍ଚିହ୍ନ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ୍ ବାଇବାଲି ପଞ୍ଚାୟତର ଗିଡ଼ିପାବାଲି ଗ୍ରାମରେ ଏଯାବତ୍ ୧୨ ଜଣ ନିଖୋଜଙ୍କ ପତ୍ତା ମିଳିପାରି ନାହିଁ । ଉଦ୍ଧାରକାରୀ ଟିମ୍ ଦୁଇଟି ଶବକୁ ଠାବ କରିଥିବାବେଳେ ଉପରେ ବଡ଼ବଡ଼ ପଥର ଓ ମାଟି ରହିଥିବାରୁ ଉଦ୍ଧାର କରାଯାଇ ପାରିନଥିଲା । ଏଥିସହ ପ୍ରବଳ ବର୍ଷା ବାଧକ ସାଜିଥିଲା । ପରେ ଠାବ ହୋଇଥିବା ଶବକୁ ଉଦ୍ଧାର କରାଯାଇଛି । କିନ୍ତୁ ଅନ୍ୟ ନିଖୋଜଙ୍କ ଠିକଣା ମିଳିପାରିନାହିଁ କିମ୍ବା ସେମାନେ ଜୀବିତ ଥିବାନେଇ ଅନେକ ଆଶଙ୍କା ସୃଷ୍ଟି ହୋଇଛି ।
ଭୂସ୍ଖଳନରେ ସର୍ବସ୍ୱ ହରାଇଥିବା ଏହି ପରିବାରଗୁଡ଼ିକ ପାଖରେ ଏବେ କେବଳ ପିନ୍ଧିଥିବା ଲୁଗାପଟାକୁ ଛାଡ଼ିଦେଲେ ଆଉ କିଛି ନାହିଁ । ଅନ୍ୟପକ୍ଷରେ କନ୍ଧମାଳ ଜିଲ୍ଳାର ଘୁ.ଉଦୟଗିରି ବ୍ଲକ୍ ଅଧୀନ ଗତିଙ୍ଗିଆ ପଞ୍ଚାୟତ ନିକଟ ଗଞ୍ଜାମ-କନ୍ଧମାଳ ସୀମାନ୍ତ ୬ଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି ।
ବାତ୍ୟା ପରବର୍ତ୍ତୀ ବର୍ଷା-ବନ୍ୟାରେ ଚାଷଜମିର ବ୍ୟାପକ କ୍ଷୟକ୍ଷତି ଗଞ୍ଜାମର କୃଷି ଅର୍ଥନୀତି ଓ ଚାଷୀଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପକାଇବା ଆଶଙ୍କା ରହିଛି । ଚୂଡ଼ାନ୍ତ କ୍ଷୟକ୍ଷତି ଆକଳନ ପରେ ହିଁ ପ୍ରଭାବିତ ଚାଷୀଙ୍କ ପାଇଁ ସହାୟତାର ପରିମାଣ ଓ ଯୋଗ୍ୟତା ସ୍ପଷ୍ଟ ହେବବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।
ତେବେ ଗୋଟିଏ କଥା ସ୍ୱଷ୍ଟ ହେଇଛି ଯେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ବନ୍ୟା ଓ ବାତ୍ୟାକୁ ସଠିକ ପୂର୍ବ ଆକଳନ କରିବା କଷ୍ଟକର ହେଇପଡ଼ିଛି ।
Comments
0 comments

